ପୃଷ୍ଠା:ShreeJagannath.pdf/୧୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି



କାର୍ତ୍ତିକ ମାସରେ ରାତି ୨ଟା୩୦ କିମ୍ବା ୩ଟାରେ ଦ୍ୱାରଫିଟା ହୁଏ । ପରବର୍ତ୍ତୀ ନୀତିମାନ ହେଲା ମଙ୍ଗଳ ଆରତି, ମଇଲମ ଓ ତଡ଼ପଲାଗି, ଅବକାଶ, ରାଧା-ଦାମୋଦର ବେଶ, ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗୋପାଳବଲ୍ଲଭ ଭୋଗ, ସକାଳ ଧୂପ (କେବଳ କୋଠ ଭୋଗ), ବାଳଧୂପ, ମଇଲମ-ବେଶ, ଭୋଗମଣ୍ଡପ ଭୋଗ, ମଧ୍ୟାହ୍ନ ଧୂପ, ଦ୍ବିତୀୟ ଭୋଗମଣ୍ଡପ ଧୂପ (ଯଦି ଆବଶ୍ୟକ ହୁଏ) ମଇଲମ-ବେଶ, ଦିବାପହୁଡ଼, ଦ୍ୱାରଫିଟା (ଯଦି ଦିବା ପହୁଡ଼ ହୁଏ ) ସଂଧ୍ୟା ଆଳତି, ସାହାଣମେଲା, ମଇଲମ-ବେଶ, ସଂଧ୍ୟା ଧୂପ, ମଇଲମ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଓ ରାତ୍ର ପହୁଡ଼ ।
କାର୍ତ୍ତିକ ମାସରେ ସଂଧ୍ୟା ଆଳତି ପରେ ସର୍ବ ସାଧାରଣ ଦର୍ଶନ ବା ସାହାଣମେଲା ହୁଏ । ସାଧାରଣତଃ ଅନ୍ୟ ଦିନମାନଙ୍କରେ ସାହାଣମେଲା ସକାଳେ ଅବକାଶ ପରେ ଓ ଗୋପାଳବଲ୍ଲଭ ଧୂପ ପୂର୍ବରୁ ହୋଇଥାଏ । ସମୟ ଅଭାବରୁ ଅନ୍ୟ ଦିନମାନଙ୍କରେ ଦିବା ପହୁଡ଼ ହୋଇ ପାରେ ନାହିଁ । କିନ୍ତୁ କାର୍ତ୍ତିକ ମାସରେ ପହିଲି ଭୋଗ (ଧନୁମାସରେ)ରେ ଦିବା ପହୁଡ଼ ସମ୍ଭବ ହୋଇଥାଏ ।
ଆଶ୍ବିନ ମାସର ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା)
କୁମାର ପୂର୍ଣ୍ଣିମା ଶ୍ରୀମନ୍ଦିରର ଏକ ବିଶେଷ ପର୍ବ । ଏହି ଦିନ ସୁଦର୍ଶନ ଠାକୁର ମନ୍ଦିର ବାହାରେ ଥିବା କେତେକ ଆସ୍ଥାନ (ଉଗ୍ରସେନଙ୍କ ଆଶ୍ରମ) ବିଜେ କରି ଫେରନ୍ତି । ସୁଦର୍ଶନଙ୍କ ନିମନ୍ତେ ସ୍ବତନ୍ତ୍ର ପୂଜା ଓ ବନ୍ଦାପନା ହୁଏ । ସଂଧ୍ୟା ଧୂପ ପରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରତ୍ନବେଦୀୟ ଲକ୍ଷ୍ମୀ ପ୍ରତିମା (ଶ୍ରୀଦେବୀ) ପାଲିଙ୍କିରେ ଯାଇ ଲକ୍ଷ୍ମୀମନ୍ଦିରର ଜଗମୋହନରେ ବିଜେ ହୁଅନ୍ତି । ଏଠାରେ ପ୍ରତିନିଧି ଭାବେ ମୁଦିରସ୍ତ ସେବକ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଚ୍ଛ ମହାପାତ୍ରଙ୍କ ମଧ୍ୟରେ କଉଡ଼ି ଓ ପଶାଖେଳ ହୁଏ । ତା'ପରେ ଦୁଇ ଦିଅଁଙ୍କୁ ଶୀତଳ ମଣୋହି କରାଯିବା ପରେ ବାହୁଡ଼ା ବିଜେ ହୁଏ । ଏହା ପରେ ଚନ୍ଦନଲାଗି ଓ ବଡ଼ସିଂହାର ବେଶ ହୋଇଥାଏ । ଠାକୁରମାନଙ୍କୁ ନୂଆ ଲୁଗା (ପତନି) ଲାଗି କରାଯାଏ । ବଡ଼ସିଂହାର ଧୂପ ପରେ ପୁନର୍ବାର ରତ୍ନ ସିଂହାସନ ତଳେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ଜୁଆ, ପଶା ଓ କଉଡ଼ି ଖେଳନ୍ତି । ପରେ ସଂହାସନ ଉପରେ ଖେଳନ୍ତି । ଏ ଖେଳରେ ଲକ୍ଷ୍ମୀଙ୍କ ପାଖରେ ଜଗନ୍ନାଥ ମହାପ୍ରଭୁ ହାରିଯିବାରୁ ମାଧବ ମହାଜନଙ୍କ ହାତରେ ବିଜେ ହୋଇ ଲକ୍ଷ୍ମୀଙ୍କ ମନ୍ଦିରରେ ସାତ ଦିନ ବନ୍ଧା ରହନ୍ତି । ଅଷ୍ଟମ ଦିନ ଅବକଶ ପୂଜା a’ ସମୟରେ ବିନ୍ଧାରୁ ଫିଟି ରତ୍ନ ସିଂହାସନକୁ ଫେରି ଆସନ୍ତି ।
ସାଧାରଣ ମାନବ ପରି ପ୍ରଭୁ ଜଗନ୍ନାଥ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ଠାକୁରାଣୀ କୁମାରପୂର୍ଣ୍ଣିମାରେ ନୂଆଲୁଗା ପିନ୍ଧନ୍ତି ଓ ଖେଳନ୍ତି ।
ଦଶହରା ବାସି ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ଯାଏଁ ରାଧା-ଦାମୋଦର ବେଶ ହୁଏ । ପଞ୍ଚକ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଯଥାକ୍ରମେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ , ବାଙ୍କଚୂଡ଼ ବା ବାମନ ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀ ନୃସିଂହ ବେଶ ଏବଂ ରାଜବେଶ ହୁଏ ।
(ଏ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ବେଶ ଅଧ୍ୟାୟରେ ପ୍ରଦାନ କରାଯାଇଛି ।)

ଶ୍ରୀଜଗନ୍ନାଥ ୧୪୧