ପୃଷ୍ଠା:ShreeJagannath.pdf/୨୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶାରେ ଗଙ୍ଗ ରାଜବଂଶର ଶ୍ରେଷ୍ଠ ରାଜା ଅନନ୍ତ ବର୍ମନ୍‍ ଚୋଡ଼ଗଙ୍ଗ ଦେବ (ଖ୍ରୀ: ୧୦୭୮-୧୧୪୭) ଏବର ପରିଦୃଶ୍ୟମାନ ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା ଭାବରେ ସ୍ୱୀକୃତ । ସେ କେବଳ ନିର୍ମାତା ନଥିଲେ, ସେ ଏହାର ମୁଖ୍ୟ ପୃଷ୍ଠପୋଷକ ଥିଲେ । ପ୍ରାରମ୍ଭରେ ଶୈବ ଥିଲେ କିନ୍ତୁ ପରବର୍ତ୍ତୀ କାଳରେ ସେ ବୈଷ୍ଣବ ଧର୍ମ ପ୍ରତି ଆକୃଷ୍ଟ ହୋଇ ତାର ପୃଷ୍ଠପୋଷକତା କରିଥିଲେ । କେତେକଙ୍କ ମତରେ ବୈଷ୍ଣବ ଧର୍ମର ପ୍ରବର୍ତ୍ତକ ଶ୍ରୀ ରାମାନୁଜଙ୍କ ପ୍ରଭାବରେ ସେ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ । ତାଙ୍କ ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀ ଏକ ଶ୍ରେଷ୍ଠ ତୀର୍ଥକ୍ଷେତ୍ର ରୂପେ ଖ୍ୟାତି ଲାଭ କରିସାରିଥିଲା । ଚୋଡ଼ଗଙ୍ଗଦେବ ପୁରୀଠାରେ ଏକ ବିଶାଳକାୟ ପୁରୁଷୋତ୍ତମ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ । କେବଳ ପୁରୀଠାରେ ନୁହେଁ ମୁଖଲିଙ୍ଗମ୍‍, ଶ୍ରୀକାକୁଲମ୍‍ ଓ ସୀମାଚଳମ୍‍ଠାରେ ମଧ୍ୟ ସେ ବିଷ୍ଣୁମନ୍ଦିର ନିର୍ମାଣ କରିଥିଲେ । ଏକାଧାରରେ ସେ ଥିଲେ ଶୈବ, ବ୍ରାହ୍ମଣ୍ୟ ଓ ବୈଷ୍ଣବ । ତେଣୁ ସେ ଏହିସବୁ ଧର୍ମସୂଚକ ଉପାଧି- 'ପରମ ମାହେଶ୍ୱର', 'ପରମ ବ୍ରହ୍ମଣ୍ୟ' ଓ 'ପରମ ବୈଷ୍ଣବ' ଧାରଣ କରିଥିଲେ ।

ମାଦଳାପାଞ୍ଜିରୁ ସୂଚନା ମିଳେ ଯେ, ଶ୍ରୀଜଗନ୍ନାଥ (ପୁରୁଷୋତ୍ତମ) ଚୋଡଗଙ୍ଗ ଦେବଙ୍କ ବହୁପୂର୍ବରୁ 'ଓଡ଼ିଶା ରାଜାର ପ୍ରଭୁ' ବା ରାଜାଙ୍କ କୁଳଦେବତା ଭାବରେ ବିବେଚିତ ଓ ଉପାସିତ ହେଉଥିଲେ । 'ପ୍ରଥମ ପାଟ ଯଯାତିକେଶରୀ' ତାଙ୍କର ୧୧ଅଙ୍କରେ ସନ୍ୟାସୀ, ବ୍ରହ୍ମଚାରୀ ଓ ବ୍ରାହ୍ମଣମାନଙ୍କୁ ପଚାରିଲେ, ଓଡ଼ିଶା ରାଜାର ପ୍ରଭୁ ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସେ କାହିଁଛନ୍ତି ? ସେମାନଙ୍କ ଠାରୁ ଯଯାତି ଜାଣିବାକୁ ପାଇଲେ ଯେ ମହାପ୍ରଭୁ ସୋନପୁରରେ ପାତାଳି ହୋଇଛନ୍ତି । ରାଜା ଯଯାତି ମହାପ୍ରଭୁଙ୍କୁୁ ସେଠାରୁ ମାଟିତଳୁ ଉଦ୍ଧାର କରି, ନୂତନ ଦାରୁମୂର୍ତ୍ତି ଗଢ଼ାଇ, ଶଙ୍ଖକ୍ଷେତ୍ର (ପୁରୀ)ରେ ୩୮ ହାତ ଉଚ୍ଚତାର ପଟୋଳ ଗୋଟିଏ ତୋଳାଇ ପ୍ରତିଷ୍ଠା କରାଇ ମହାପ୍ରଭୁଙ୍କୁ ସେଥିରେ ବିଜେ କରାଇଲେ ।

ଏହି ରାଜା, ପ୍ରଥମ ଯଯାତି କେଶରୀ କି ଦ୍ୱିତୀୟ ଯଯାତି କେଶରୀ, ଏ ନେଇ ଐତିହାସିକମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଯାଏ । ସେ ଯାହାହେଉ, ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ଓଡ଼ିଶା ଅଧିକାର, ଏଠାରେ ଗଙ୍ଗ ରାଜବଂଶର ପ୍ରତିଷ୍ଠା ଏବଂ ଶ୍ରୀକ୍ଷେତ୍ରରେ ଅନ୍ୟ ଏକ ବୃହତ୍‍ ଜଗନ୍ନାଥ ମନ୍ଦିର ନିର୍ମାଣ ପରେ, ପୁରୁଷୋତ୍ତମ ଉପାସନା ବା ଜଗନ୍ନାଥ ଉପାସନା ରାଜକୀୟ ପୃଷ୍ଠପୋଷକତା ଲାଭ କରି ରାଷ୍ଟ୍ରୀୟ ବା ସାମ୍ରାଜ୍ୟ ସ୍ତରକୁ ଉନ୍ନୀତ ହୋଇପାରିଥିଲା ।

୨୦୬ ଶ୍ରୀଜଗନ୍ନାଥ