ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସ୍ମରଣାତୀତ କାଳରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆବିର୍ଭୂତ ହୋଇଛନ୍ତି । ଏହି ପରମପାବନ କ୍ଷେତ୍ର ଯେ ପୃଥିବୀର ଏକ ପ୍ରାଚୀନ ଧର୍ମପୀଠ- ଏହା ବିନା ଦ୍ୱିଧାରେ କୁହାଯାଇପାରେ । କିନ୍ତୁ ଏହି କ୍ଷେତ୍ରର ମୁଖ୍ୟ ଅଧିଷ୍ଠାତା ଦେବତା ଶ୍ରୀଜଗନ୍ନାଥଙ୍କର ଇତିବୃତ୍ତ ଅଦ୍ୟାବଧି ରହସ୍ୟାବୃତ ହୋଇ ରହି ଆସିଛି । ବିଭିନ୍ନ ପୁରାଣ, କିମ୍ୱଦନ୍ତୀ ଓ ଇତିହାସ ସେ ରହସ୍ୟ ଭେଦକରି ପାରି ନାହାନ୍ତି ।

କଥାରେ କୁହାଯାଇଛି, ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ରହସ୍ୟ ଦେବଗଣଙ୍କୁ ମଧ୍ୟ ଅଗୋଚର; ସାଧାରଣ ମାନବ ପକ୍ଷେ ସେ ରହସ୍ୟ ଭେଦ କରିବା ଅସମ୍ଭବ । ଶ୍ରୀଜଗନ୍ନାଥ ବେଦବର୍ଣ୍ଣିତ ବିରାଟ ପୁରୁଷଙ୍କ ପ୍ରତୀକ ବିଗ୍ରହ । ସେ ଦୁର୍ବୋଧ୍ୟ, ଉପନିଷଦ ଦର୍ଶନର ମୂର୍ତ୍ତିମନ୍ତ ବିଗ୍ରହ ।

ପୁରୀର ନାମ ହୁଏତ ଦିନେ ଥିଲା ପୁରୁଷୋତ୍ତମ-ପୁରୀ ଓ ଜଗନ୍ନାଥ-ପୁରୀ । ନାମ ସଂକ୍ଷିପ୍ତୀକରଣ ପ୍ରକ୍ରିୟାରେ ହୋଇଗଲା 'ପୁରୀ' । ଏହାର ଅନ୍ୟାନ୍ୟ କେତୋଟି ନାମ ହେଲା- ଶ୍ରୀକ୍ଷେତ୍ର, ନୀଳାଚଳ କ୍ଷେତ୍ର, ନୀଳାଚଳ ଧାମ, ଶଙ୍ଖକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ପୁରୁଷୋତ୍ତମ ଧାମ, ନୀଳାଦ୍ରି । ବ୍ରିଟିଶ୍‍ ଶାସନ ସମୟର ସରକାରୀ ନଥିପତ୍ରରେ ଠାଏ ଠାଏ ପୁରୀ ଜାଗାରେ 'ଜଗନ୍ନାଥ' ଶବ୍ଦ ବ୍ୟବହୃତ ହୋଇଛି । ଉଭୟ ଶବ୍ଦ ହୋଇଯାଇଛି ସମାର୍ଥକ ।

ପୁର ଓ ପୁରୀ ଶବ୍ଦର ଅନେକ ଅର୍ଥ ରହିଛି । ପୁର ଅର୍ଥ ଗୃହ, ଦେଶ, ନଗର, ଦେହ ଇତ୍ୟାଦି । ଆତ୍ମା ସମସ୍ତ ପ୍ରାଣୀଙ୍କର ପୁରରେ ଅର୍ଥାତ୍‍ ଦେହରେ ଅବସ୍ଥାନ କରେ ବା ତାହାକୁ ପୂର୍ଣ୍ଣ କରି ରହେ ବା ସେଥିରେ ଶୟନ କରେ । ତେଣୁ ଆତ୍ମାକୁ 'ପୁରୁଷ' କୁହାଯାଏ । ପୁରୁଷ ଉତ୍ତମ, ପୁରୁଷୋତ୍ତମ- ଜଗନ୍ନାଥଙ୍କ ପୁର ହେତୁ ଏହି ଧାମର ନାମ ପୁରୁଷୋତ୍ତମପୁରୀ ବା ସଂକ୍ଷେପରେ ପୁରୀ ହୋଇଥିବ ।

ପୁରୀ ଶବ୍ଦକୁ ନେଇ ଭାଷାତତ୍ତ୍ୱବିତ୍‍ ଓ ଗବେଷକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି । ପ୍ରଫେସର ପଞ୍ଚାନନ ମହାନ୍ତି 'ପୁରୀ' ଶବ୍ଦର ବ୍ୟାଖ୍ୟା କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ଗୋଟିଏ ଆଦିବାସୀ ମୁଣ୍ଡାଭାଷୀ ଅଧ୍ୟୁଷିତ ରାଜ୍ୟ । ସମୁଦାୟ ପ୍ରାୟ ୧୨ଗୋଟି ମୁଣ୍ଡା ଭାଷା ମଧ୍ୟରୁ ଅନ୍ୟୂନ ଦଶଗୋଟି ଭାଷା ଓଡ଼ିଶାର ବିିଭିନ୍ନ ଅଞ୍ଚଳରେ କଥିତ ହୁଏ । ମହାପ୍ରଭୁ ଜଗନ୍ନାଥ ମୁଖ୍ୟତଃ ଶବର ଦେବତା ଥିଲେ । ଶବରମାନେ ମୁଣ୍ଡା ଗୋଷ୍ଠୀର ଅନ୍ତର୍ଭୁକ୍ତ । ସାରଳା ମହାଭାରତ ଅନୁଯାୟୀ, ନୀଳାଚଳ ଥିଲା ଗୋଟିଏ ଶବର ଅଧ୍ୟୁଷିତ କ୍ଷେତ୍ର । ପୁରୀରେ

ପ୍ରାଚୀନକାଳରେ ଶବରମାନେ ରାଜତ୍ୱ କରୁଥିଲେ ବୋଲି ଐତିହାସିକମାନେ ମଧ୍ୟ ମତ ପୋଷଣ

ଶ୍ରୀଜଗନ୍ନାଥ ■ ୧୧