ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଯାଦୁଘର
ସଂଗ୍ରହକରି ସଜାଡ଼ି ରଖିବା ମଣିଷର ଏକ ଭଲ ଗୁଣ । ପିଲାଦିନରୁ ଏଭଳି ଗୁଣ ବିକଶିତ ହେବା ଉଚିତ୍ । ଅନେକ କ୍ଷେତ୍ରରେ ଶିଶୁର ଖେଳ ସାମଗ୍ରୀକୁ ଏକାଠି କରି ମାଆ ପିଲାଟି ପାଇଁ ଗଢ଼ିବସନ୍ତି ଟିକି ଯାଦୁଘରଟିଏ । ସେଇ ପିଲା ବଡ଼ ହେଲେ ବଡ଼ ବଡ଼ ଯାଦୁଘର ବା ସଂଗ୍ରହଶାଳା ବା ସଂଗ୍ରହାଳୟ ଦେଖିବାକୁ ଯାଏ । ଅନେକଙ୍କର ସହଯୋଗ ଓ ସଂଗଠନ କ୍ରମେ ସଂଗ୍ରହ ମନୋବୃତ୍ତିରୁ ଯାଦୁଘର ରୂପପାଏ । ଅତି ସଂକ୍ଷେପରେ କହିଲେ ଯେଉଁ ଗୃହରେ ବା ସ୍ଥାନରେ ପୁରାତନ ତଥା ନୂତନ ତତ୍ତ୍ୱ ବିଷୟକ ଓ ଅନ୍ୟାନ୍ୟ ଅଶେଷବିଧ ସ୍ୱାଭାବିକ, ଶୈକ୍ଷିକ, କଳାତ୍ମକ, ବୈଜ୍ଞାନିକ, ଶୈଳ୍ପିକ କୌତୁହଳଜନକ ବସ୍ତୁମାନ ସ୍ଥାୟୀଭାବେ ପ୍ରଦର୍ଶିତ ହେବାପାଇଁ ଏକତ୍ରିତ ତଥା ସଂରକ୍ଷିତ ହୋଇଥାଏ, ତାହାକୁ ଯାଦୁଘର କୁହାଯାଏ । ଇଂରାଜୀରେ ଯାଦୁଘର/ସଂଗ୍ରହଶାଳାକୁ MUSEUM କୁହାଯାଏ । ଏହି ଶବ୍ଦଟି Mousion ନାମକ ଗ୍ରୀକ୍ ଶବ୍ଦରୁ ଆସିଅଛି ଯାହାର ଅର୍ଥ ହେବ କଳା ଓ କବିତାର ଦେବୀ ମିଉଜ୍ମାନଙ୍କ ମନ୍ଦିର ବା ଆଳୟ ।