ପୃଷ୍ଠା:Typical selections from Oriya literature.pdf/୧୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୯୬
ଓଡ଼ିଆ ସାହିତ୍ୟ-ପରିଚୟ

ମୁହିଁ ଯେ ରଖିବି ଗୋରୁ କରିବି ଦୋହ‌ନ ।
ସୁଖେଣ ଗୋକ୍ଷୀର ଆମ୍ଭେ କରିବାକ ପାନ ।
ବନେ ଥିବାଯାଏ ଏଥେ ଦୁଗ୍‌ଧ ଖାଉଥିବା ।
ଅଯୋଧ୍ୟାକୁ ଗଲେ ଯେ ବ୍ରାହ୍ମଣେ ଦାନ ଦେବା ।
ଶ୍ରୀରାମ ବୋଇଲେ ମୋର ଏଣେ କାର୍ଯ୍ୟ ନାହିଁ ।
ଏତେ ଗୋରୁ ଆମ୍ଭେ ଦୁହେଁ ସମ୍ଭାଳିବା କାହିଁ ।
ପରର ଆୟକୁ ମୁହିଁ ହରିବଇଁ କେହ୍ନେ ।
ଅଦୋଷୀ ଲୋକଙ୍କୁ କିପାଁ ମାରିବଇଁ ବନେ ।
ଗତ ଅର୍ଜିଲାର କର୍ମ ଭୁଞ୍ଜୁଅଛି ଏବେ ।
ଏ ଜନ୍ମେ ପାପ ସଞ୍ଚିବି ଆଗକୁ କି ଭାବେ ।
ଏଡ଼େବଡ଼ପଣେ ମୋର ନାହିଁ ଏବେ କାର୍ଯ୍ୟ ।
ସୀତା ହରିନେଲା ବନୁ ବିଶ୍ରବାତନୁଜ ।
ତାହାକୁତ କିଛି ମୁହିଁ ନ ପାରିଲି କରି ।
ଅଦୋଷୀ ଲୋକଙ୍କୁ କି ମୁଁ ଆସିଅଛି ମାରି ।
କ୍ଷୁଧା ନିମନ୍ତେ ଯେ ତାଙ୍କୁ ମାଗିବାକୁ ପାଏ ।
ଦୟାବ‌ହି ଦେଲେ ଯେବେ ସୁସ୍ଥ କରି କାୟେ ।
ବେଳକ ଆହାର କରି ଏଥୁ ଆମ୍ଭେ ଯିବା ।
ନ ଦେଲେ ସେ ସନ୍ତୋଷ ହୋଇଣ ବାହୁଡ଼ିବା ।
ଏତେ ବୋଲି ରାମଚନ୍ଦ୍ର ମୁଦିଗୋଟି କାଢ଼ି ।
ଗୋପାଳ ବୋଲି ଯେ ଡ଼ାକୁଛନ୍ତି ଗୋଷ୍ଠବେଢ଼ି ।
ଆହେ ବରଜସୁତେ ଶୁଣିବା ଆମ୍ଭ ବାଣୀ ।
ଏ ମୁଦି ଅଟଇ ଯେ ଅମୂଲ୍ୟ ରତ୍ନମଣି ।
ଏହା ଘେନି ଆମ୍ଭଙ୍କୁ ଯେ କିଛି ଦୁଧ ଦିଅ ।
କ୍ଷୁଧାରେ ଆତୁର ଆମ୍ଭ ବେନିଙ୍କର କାୟ ।
ଗୋପାଳେ ଯେ ନ ଶୁଣନ୍ତି ଶ୍ରୀରାମଙ୍କ ରାବେ ।
କୋପେଣ ବଚନ କ‌ହୁଅଛନ୍ତି ରାଘବେ ।
ଦୟାନିଧି ରାମଚନ୍ଦ୍ର କୋପ ନ କରନ୍ତି ।
ମଧୁରବଚନ କ‌ହୁଛନ୍ତି ରଘୁପତି ।
ଏ ମଣିଗୋଟି ନେଇ ଆମ୍ଭଙ୍କୁ ଦିଅ କ୍ଷୀର ।
ତୁମ୍ଭର ପ୍ରସାଦେ ଦୁଇପ୍ରାଣୀ ହେଉଁ ସ୍ଥିର ।
ଶୁଣିଣ ଉପ‌ହାସ ଯେ କରନ୍ତି ଗୋପାଳେ ।
କେବଣହିଁ ମଣି ସେ କେବଣ ଗଛେ ଫଳେ ।
ଆମ୍ଭେ କିପାଁ ତୁମ୍ଭଙ୍କୁ ମାଗଣା ଦୁଧ ଦେବୁଁ ।
ଏହାକୁ ବିକିଣ ଆମ୍ଭେ କୁଟୁମ୍ବ ପୋଷିବୁଁ ।