ପୃଷ୍ଠା:Typical selections from Oriya literature.pdf/୩୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୬୪
ଓଡ଼ିଆ ସାହିତ୍ୟ-ପରିଚୟ

ଚେତନ ପୁରୁଷ ନ ଚେତଇ ତ‌ତ‌କ୍ଷଣ ।
ସକଳ ବ୍ରହ୍ମାଣ୍ତେ ସେ ପୁରୁଷ ଏକଜଣ ।
କୁତୂହଳେ ଖେଳନ୍ତି ସେ ନାନା ରୂପ ଧରି ।
କ୍ଷଣେ କଳା କ୍ଷଣେ ଗୋରା ଶ୍ୟାମଳାଭା ଧରି ।
କ୍ଷଣେ ଖଞ୍ଜ ପଙ୍ଗୁ ଯେ କ୍ଷଣେ କୁବୁଜ ଅନ୍ଧ ।
ନାନା ବର୍ଣ୍ଣ ରୂପକୁ ଧରଇ ତାର ସଧ ।
ସେ ମାହାତ୍ମା ଧରଇ ଯେତେବେଳେ ଯେ ରୂପ ।
ମନୁଷ୍ୟମାନେ ହୁଅନ୍ତି ରୂପ ଯେ ବିରୂପ ।
ଛାଡି ମନାଭିମାନ ନ ଧର ଆନ ଚିତ୍ତେ ।
ଦୁଃଖ-ସୁଖ-ଶରୀର କରୁଥାଇ ଏକତ୍ୱେ ।
କାହା ଆଚାର ଦେଖି ମନେ ନୁହ ବିକଳ ।
ସୁଦଶାକୁ ଦଶା ଯେ ଅଳପ ହୁଏ କାଳ ।
ଚଇତନ ପୁରୁଷ ନାଥ ଏକତ୍ୱ କର ।
ପାଣ୍ତୁ ପର ବୋଲିଣ ଯେ ନ ହରା ଶରୀର ।
ଏ ସଂସାର ଯାକ ଯେବେ କରିବୁ ଏକତ୍ୱ ।
ତେବେ ସେ ତରି ଏଥିରୁ ପାଇବୁ ମୁକ‌ତ ।
ଧୃତରାଷ୍ଟ୍ର ବୋଲେ ଗୋ ତୁ କ‌ହିଲୁ ଯେମନ୍ତ ।
ପର ସମ୍ପଦ ମୁଁ ଦେଖି ନ ପାରେଁ ସଙ୍ଗାତ ।
ଗାନ୍ଧାରୀ ବୋଇଲେ ସେହୁ ଅଟଇ ଅକଥା ।
ପାପୀ ଲୋକେ ମଣନ୍ତି ଯେ ଏସନ ବ୍ୟବସ୍ଥା ।
ବିଚାର-ନାୟକ ସେ ଅଟନ୍ତି ଜନ୍ତୁପତି ।
ଆୟୁଷ ବିଚାରିଣ ମଧ୍ୟେ ଦିଅଇ ଶାସ୍ତି ।
ପଙ୍ଗୁ ଯେ ବଧିର ଖଞ୍ଜ କୁବୁଜା ଅଦୃଶ୍ୟ ।
ପରମ ଶାସ୍ତି ଏମାନ ଅଟଇ ଅବଶ୍ୟ ।
ଡିଙ୍ଗର ପ୍ରକୃତି ଆଉ ହିଂସା ଭାବ ଘେନି ।
ଅନିତ୍ୟ ସଂସାର ଏ ଅଟଇ ଦେବ ସ୍ୱାମୀ ।
ପର-ହିଂସା ପରମନ୍ଦ ଛାଡ଼ ଧୃତରାଷ୍ଟ୍ର ।
ଅନିତ୍ୟ ସଂସାର ଏହି ମାୟାମୟ ପଟ ।
ଏହା ଦୂର କରି ଶାନ୍ତି କର ମନୋବାଞ୍ଛା ।
ସୋଦର ସମ୍ପଦକୁ ନ କର ମନେ ହିଂସା ।
ଅନେକ ମତରେ ସେ ଗାନ୍ଧାରୀ ତିଆରଇ ।
ମନରେ ଶାନ୍ତି ସେ ଧୃତରାଷ୍ଟ୍ରର ନୁହଇ ।
ଧୃତରାଷ୍ଟ୍ର-ଗାନ୍ଧାରୀଙ୍କ ସମ୍ବାଦ ସମୟେ ।
ଶୁଣିକରି ଶାନ୍ତ ହୋଇଛନ୍ତି ପାଣ୍ତୁରାୟେ ।