ପ୍ରାଚୀନ ଓଡ଼ିଆ କବିତା/ଅମଳ କମଳ ଚରଣକୁ ମନ
ପ୍ରାଚୀନ ଓଡ଼ିଆ କବିତା (୧୫ଶ ଶତାବ୍ଦୀ) ଲେଖକ/କବି: ଅମଳ କମଳ ଚରଣକୁ ମନ |
(୧)
ଅମଳ କମଳ ଚରଣକୁ ମନ ଭ୍ରମରା ତୁ ଉଡ଼ି ଯାରେ
କମଳା ସେବିତ କୋମଳ ଚରଣେ
ନିରନ୍ତରେ ଚୁମ୍ବୁ ଥାଆରେ ।
ଯେଉଁ ପାଦ ପଦ୍ମେ ଅଷ୍ଟାଦଶ ଚିହ୍ନ
ଗଙ୍ଗା ଆଦି କୋଟି କୋଟି ତୀର୍ଥ ମାନ
ଝରୁ ଅଛି ସଦା ଅଭୟ ଅମୃତ
ପାନ କର ତୁ ମଜ୍ଜାରେ । । ୧ ।
ଯେଉଁ ପାଦ ଲାଗି ଅହଲ୍ୟା ମୁକତ
ଯେ ପାଦ ଧୋଇ ପାରିଲା କଇବର୍ତ୍ତ
ସେହି ପାଦେ ଧ୍ୟାୟି ରାବଣର ଭାଇ
ଲଙ୍କା କଟକେ ରାଜା ରେ । । ୨ ।
ଯେଉଁ ପାଦ ସେବି ଋଷି ମାରକଣ୍ଡ
ପ୍ରଳୟ ଜଳରେ ଦେଖିଲେ ବ୍ରହ୍ମାଣ୍ଡ
ସେହି ପାଦେ ଲେପି ଅଗୁରୁ ଚନ୍ଦନ
ସୁନ୍ଦରୀ ହେଲା କୁବୁଜାରେ । । ୩ ।
ବାଳି ଉଗ୍ରେସନ ସୁଗ୍ରୀ ହନୁମାନ
ଯେଉଁ ପଦ୍ମପାଦେ ପଶିଲେ ଶରଣ
ଗଭୀର ଜଳରେ ଗଜ ଉଦ୍ଧାରଣ
ସେହି ପାଦେ ରହି ଯାଆରେ । । ୪ ।
ଯେଉଁ ପାଦପଦ୍ମେ କରି ଯୋଗଲୟ
ମୃତ୍ୟୁକୁ ଜିଣି ଅଛନ୍ତି ମୃତ୍ୟୁଞ୍ଜୟ
କୃତାର୍ଥ ଗତିକି ସେ ପଦ ଅଭୟ
ତହିଁ ଚିତ୍ତକୁ ମଜ୍ଜାରେ । । ୫ ।
ପୁରାଣେ ବର୍ଣ୍ଣିଲେ ବ୍ୟାସ ମୁନି ଶୁକ
ଯାହା ଭାବୁଛନ୍ତି ସନକ ଜନକ
ତ୍ରୈଲୋକ୍ୟ ନାଥ ସେ ମୁକତି ଦାୟକ
ମୋକ୍ଷ ପଥକୁ ଧ୍ୱଜାରେ । । ୬ ।
ସାଧୁ ସଙ୍ଗ କର ନ ଭାଳ ତୁ ଆନ
ସହସ୍ର ଦଳ କମଳେ ନିରଞ୍ଜନ
କହନ୍ତି ଅଚ୍ୟୁତ ଦେଖିବା ପ୍ରତ୍ୟକ୍ଷ
ପଞ୍ଚ ମନ ତୁ ବୁଝାରେ । । ୭ ।