ପ୍ରାଚୀନ ଓଡ଼ିଆ କବିତା/ଅଶୂନ୍ୟ ହୋଇଣ ଯେ

ଉଇକିପାଠାଗାର ରୁ
Jump to navigation Jump to search
ପ୍ରାଚୀନ ଓଡ଼ିଆ କବିତା (୧୫ଶ ଶତାବ୍ଦୀ)  ଲେଖକ/କବି: ଅଚ୍ୟୁତାନନ୍ଦ ଦାସ
ଅଶୂନ୍ୟ ହୋଇଣ ଯେ

(୨)
ଅଶୂନ୍ୟ ହୋଇଣ ଯେ ଥିଲାକ ଏକ ସ୍ଥାନ
ଅଦଭୁତ ସ୍ୱରୂପେ ହୋଇଲା ଏକ ଶୂନ୍ୟ ।
ସେହି ଶୂନ୍ୟ ମଧ୍ୟରେ ଯେ ନିରାକାର ସ୍ଥିତି
ନିରାକାର ଅଙ୍ଗରୁ ପରମ ବ୍ରହ୍ମମୂର୍ତ୍ତି ।
ପରମ ବ୍ରହ୍ମଠାରୁ ସ୍ଫୁରିଲାକ ଧ୍ୱନି
ସେ ଧ୍ୱନି ସ୍ଫୁରିଲା ଯେ ଚତୁର କଳା ଘେନି ।
ଚତୁଃକାଳେ ବ୍ରହ୍ମରନ୍ଧ୍ରେ ହୋଇଣ କବାଟି
ଅର୍ଦ୍ଧମାତ୍ରା ମଧ୍ୟରେ ବଜ୍ରକଳା ପାଲଟି ।
ପୂରିଲାକ ଷଡ଼ମନ୍ତ୍ର ଅଧଃ ଉର୍ଦ୍ଧ୍ୱଠାଇଁ
ପଶି ନ ପାରିଣ ତହିଁ ଲେଉଟିଲା ବାଇ । । ୧୦ ।
ସେ ବାୟୁ ଲେଉଟିଣ ବହିଲାକ ଉଜାଣି
ଲାଗିଲାକ ଲୟ ଜ୍ୟୋତି ମଣ୍ଡଳକୁ ପୁଣି ।
ଶ୍ୱେତ ତିଳକ ଉପରେ ଲାଗିଲାକ ଲୟ
ଲୟ ଲାଗନ୍ତେଣ ଯେ ଦିଶିଲା ଶୂନ୍ୟମୟ ।
ଶୂନ୍ୟ ଦିଶନ୍ତେଣ ଯେ ଅଶୂନ୍ୟ ଦୃଶ୍ୟ ହୁଏ
କହନ୍ତି ଅଚ୍ୟୁତ ଗୁରୁ ଆଜ୍ଞାକର ଲୟେ ।