ପ୍ରାଚୀନ ଓଡ଼ିଆ କବିତା/ଦୀନବନ୍ଧୁ! ମୋ ଦୁଃଖ ନ ଗଲା ଯେ

ଉଇକିପାଠାଗାର ରୁ
Jump to navigation Jump to search
ପ୍ରାଚୀନ ଓଡ଼ିଆ କବିତା (୧୫ଶ ଶତାବ୍ଦୀ)  ଲେଖକ/କବି: ଅଚ୍ୟୁତାନନ୍ଦ ଦାସ
ଦୀନବନ୍ଧୁ! ମୋ ଦୁଃଖ ନ ଗଲା ଯେ

(୯)
ଦୀନବନ୍ଧୁǃ ମୋ ଦୁଃଖ ନ ଗଲା ଯେ
ତୁମ୍ଭେ ଦୀନବନ୍ଧୁ ମୋ ବନ୍ଧୁ ନୋହିଲେ
ମୋ ବନ୍ଧୁ ହୋଇବ କେ ।
ଦୀନବନ୍ଧୁ ବୋଲି ଯାହାକୁ କହନ୍ତି
ସେହି ତ ପରମ ଯୋଗୀ
ଦୁଃଖୀ ଲୋକଙ୍କର ଦୁଃଖ ନିବାରଣ
ସୁଖୀ ଲୋକଙ୍କର ଭୋଗୀ । । ୧ ।
ଅତି ଆରତରେ ମୃଗୁଣୀ ଡାକିଲା
ଇନ୍ଦ୍ରକୁ ପେଷିଲ ହରି
ମୃଗୁଣୀ ଆରତ ଫେଡ଼ି ଜଗନ୍ନାଥ ତାହାର ମାନ ଉଦ୍ଧାରି । । ୨ ।

ତୁଳସୀର ଜଟ ତୁଳସୀ ମୁକୁଟ
ତୁଳସୀ ଭୂଷଣ ହୋଇ ।
ତୂୁଳସୀ ଚଉଁରା ପାଶେ ଅନାଇଲେ
ନୀଳଚକ୍ର ଦିଶୁଥାଇ । । ୩ ।

ଅବନୀର ଭାର ସଙ୍କଟ ପଡିଲା
ପଥରକୁ କଲ ଭେଳା ।
ଅକୂଳ ସମୁଦ୍ରେ ମୋ ଭେଳା ଭାସୁଛି
ପାରିକର ଚକାଡୋଳା । । ୪ ।

ସମୁଦ୍ର ତଟରେ ପକ୍ଷୀ ଅଣ୍ଡା ଦେଲା
ଡିମ୍ବ ନେଲା ରତ୍ନାକର ।
ସପ୍ତ ଡିମ୍ବ ତାର ଜଳରେ ଭାସିଲା
ପାରି କର ଚକ୍ରଧର । । ୫ ।

ଚକ୍ଷୁକୁ ଯେସନେ ପିଛୁଡ଼ା ଆବୋରି
ଭକ୍ତକୁ ତେହ୍ନେ ଗୋସାଇଁ ।
ଦୀନ ଅଚ୍ୟୁତ ଯେ ଭାବରେ ଭଣିଲେ
ପ୍ରଭୁପଦ ଚିତ୍ତେ ଧ୍ୟାୟି । । ୬ ।