ପ୍ରାଚୀନ ଓଡ଼ିଆ କବିତା/ୟେ ମନ ସିନା ଚତୃର୍ଦ୍ଧା ମୂରତି

ଉଇକିପାଠାଗାର ରୁ
Jump to navigation Jump to search
ପ୍ରାଚୀନ ଓଡ଼ିଆ କବିତା (୧୫ଶ ଶତାବ୍ଦୀ)  ଲେଖକ/କବି: ଅଚ୍ୟୁତାନନ୍ଦ ଦାସ
ୟେ ମନ ସିନା ଚତୃର୍ଦ୍ଧା ମୂରତି

(୮)
ୟେ ମନ ସିନା ଚତୃର୍ଦ୍ଧା ମୂରତି, ହେ ମୂଢ଼ମତି ।
ମନ କହେ ଚଇତନ ହେତୁରେ ଦେଖ ତୁ ବ୍ରହ୍ମ
ୟେ ତତ୍ତ୍ୱ ଚାରି ବେଦେଣ ଦଣ୍ଡିବ ନାହିଁ ଶମନ
ଶନକାଦି ମୁନି ଧ୍ୟାଉଛନ୍ତି, ହେ ମୂଢ଼ମତି । । ୧ ।
ନ ଖୋଳ ତଡ଼ାଗ କୂପ ଦେଉଳ ତୋଟା ନ ରୂପ
ସ୍ଥାପନା ଦିଅଁ ନ ସ୍ଥାପ ନ ଯା ବୃନ୍ଦାବନ ଗୋପ
ନ ଯା ତୁହି ପ୍ରୟାଗ, ଗୋ ମୂଢ଼ମତି । । ୨ ।
ୟେ ଜ୍ଞାନ ହୃଦେ ନ ଧର ତିଳକ ମାଳା ନ କର
ଜଟା କଉପୁନି ନ ଧର ଭସ୍ମ ଅଙ୍ଗୁ ପରିହର
ଗଙ୍ଗା କୂଳେ ନାହିଁ ସଦଗତି, ହେ ମୂଢ଼ମତି । । ୩ ।
ଆତ୍ମାରେ ଆତ୍ମାକୁ ଦେଖ ଦେଖିଲେ ପାଇବୁ ସୁଖ
ତୋର ଦେହେ ତୁହି ଦେଖ ଦିଶୁଅଛି ଜକଜକ
ଭାବି କହେ ପାମର ଅଚ୍ୟୁତ, ହେ ମୂଢ଼ମତି । । ୪ ।