ବଂଶୀ ବାଜୁଛି କାହାର କାନନରେ

ଉଇକିପାଠାଗାର‌ରୁ
Jump to navigation Jump to search
ବଂଶୀ ବାଜୁଛି କାହାର
ଲେଖକ/କବି: ଗୋପାଳକୃଷ୍ଣ ପଟ୍ଟନାୟକ

ବଂଶୀ ବାଜୁଛି କାହାର କାନନରେ
(ରାଗ: ଆନନ୍ଦ ଭୈରବୀ - ଆଦିତାଳ)


ବଂଶୀ ବାଜୁଛି କାହାର କାନନରେ
ନିବିଡ଼ ନୀରଦ ନିଶା ଗର୍ଜନରେ।
ପୀୟୁଷ ପୁରିଛି କି ତା ଆନନରେ। ପଦ।

କାଳନ୍ଦୀ ତଟରୁ ସହି, ଆସୁଛି ଏ ନାଦ ବହି
ଏ ବରଜ ନଗରକୁ ସମାନରେ। ୧।

ମନ ମଥର ମୋହନ, ମନ୍ତର ମିତଣୀ ଘେନ
କରିବ ଯୁବତୀ ସୃଷ୍ଟି ଉଚ୍ଛନ୍ନରେ। ୨।

ସନକ ସନନ୍ଦାଦି, ଯୋଗୀଜନ ମନ ଭେଦି
ଛଡ଼ାଇ ଦେବନି ବ୍ରହ୍ମଧିଆନ ରେ। ୩।

ଯେ ହେଉ ସେ ବଂଶୀ ବଜା, ନିଶ୍ଚେ ଛଡ଼ାଇବି ଲଜ୍ଜା
ସାରିଦେବ ପତିବ୍ରତା ଗୁମାନରେ। ୪।

ଶ୍ରୁତିରେ ସୁଧା ବରଷା, ହୃଦୟରେ କରି ବସା
ଦହୁଛି ତନୁ ସ୍ମର ହୁତାଶନ ରେ। ୫।

ଗୋପାଳକୃଷ୍ଣ କହଇ, ସ୍ଵାମିନି ତୁମ୍ଭର ପାଇଁ
ବଜାଉଛନ୍ତି ବ୍ରଜେନ୍ଦ୍ର ନନ୍ଦନରେ। ୬।