ବଜାର ବୋଲି

ଉଇକିପାଠାଗାର‌ରୁ
Jump to navigation Jump to search
ବଜାର ବୋଲି ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ବଜାର ବୋଲି

ବଜାର ବୋଲି

କମଳା ପସରା ବାଳୀକି କେ ବୋଲେ
ତୋ କମଳା ଯୋଡି କେତେ
ଦେଖାଅ ଦେଖିବା ମୂଲ୍ୟ ହିଁ କରିବା
କହିଦିଅ ନେବୁ କେତେ। ୧।

ସେ ବୋଲେ କମଳା ବିନା ମୋ କମଳା
ଅତି ଯତ୍ନେ ବଢ଼ି ଅଛି
ଅମଳା କମଳା ସଜ ମେଳା ଦେଖ
ବାସ ଫୁଟି ପ୍ରକାଶୁଛି। ୨।

ନିରସ ହୋଇବ ବୋଲି ମୋ କମଳା
ନୀରସ ମୂଲ୍ୟ ନୋହିବ
କରକଶ ହୋଇ ନାହିଁ ମୋ କମଳା
କରକଶ ମୂଲ୍ୟ ଦେବ। ୩।

ଏବେ ନିଅ ମୂଲ୍ୟ କହି ଦେଉଅଛି
ଏ ବେନି ଅମୂଲ୍ୟ ହେବ
ଚନ୍ଦ୍ର କରେ ଥିଲେ ନୋହିବ କହୁଛି
ଚନ୍ଦ୍ର କରେ ଥିଲେ ହେବ। ୪।

ତାମ୍ବୁଳି ବନିତା ମନ୍ଦହାସ ଦେଖି
କେ କହେ ମୃଦୁ ବଚନ
ପସରା ଉପର ପାନ ଶୁଖୁଅଛି
ଦିଅ ତା ଅଧର ପାନ। ୫।

ନବ ରମଣୀ ଛଇଳ ମଣି ମଣି
କହେ ଭଙ୍ଗୀ ଇଙ୍ଗିତରେ
ଅଛି ନିବିଡ଼ିଆ କାଢ଼ିଦେବି ପୁଷ୍ପ
ଜାତିଫଳ ସହିତ ରେ। ୬।

ସେ ବୋଲଇ ତୋର ପାନ ପତରରେ
କି ମିଶିଲେ ହେବ ରଙ୍ଗ
ସେ ବୋଲଇ ମୋର ବଡ଼ ଅନୁରାଗ
ବାଳତରୁଣର ସଙ୍ଗ। ୭।

ମାଳାକାର ବାଳୀ ପାଶରେ କେ ମିଳି
କହଇ ହରଷ ଚିତ୍ତେ
ତୋହର କୁସୁମ ପ୍ରକାଶ ହୋଇଲେ
ଆଗହୁଁ ତୁ ଦେବୁ ମୋତେ। ୮।

ସେ ବୋଲେ ନାଗର ଦିବସ ହୋଇଛି
ରାତ୍ରକୁ ହେବ ଉଲ୍ଲାସ
ଭ୍ରମର ବିହାର ନ କରୁ ଆସିବ
କୁସୁମରେ ଥିବ ବାସ। ୯।

କୁରାଳ ବଧୂକୁ କେ ବୋଲଇ ତନୁ
କି ହୁଏ ସ୍ମର ତାପରେ
ମୂଲ୍ୟ ଦେଇ ପାଣି ପୁରାଇ ଦିଅଇ
ତୁମ୍ଭେ ଥରେ ଉରଜରେ। ୧୦।

ସେ ବୋଲଇ ଏ ତ ବଡ଼ ଭାଣ୍ଡପଣ
ମୂଲ୍ୟ କତେ କର ଏବେ
ତହିଁକି ନ ଡର ଜୀବନ ରହିବ
ନିଅ ଘଟ ଅବିଳମ୍ବେ। ୧୧।

କଂସାରୀ ବାମକୁ କେ ବୋଲଇ ଦେଖା
କେମନ୍ତ ପାତ୍ର ହୋଇଛି
ଆଗ କରି ମୂଲ୍ୟ ସମ୍ଭବ କରିବା
ଉତ୍ତମ ଦିନ ଯାଉଛି। ୧୨।

ସେ ବୋଲଇ ଏଇ ପାତ୍ର କିମ୍ପା ନେବ
କୁମ୍ଭ ହିଁ ମଜାଇ ନିଅ
ଆଗକରି ମୂଲ୍ୟ ଦିଅ ହେ ନାଗର
ଯେ ବାସ ନ ପାଲଟାଅ। ୧୩।

ପାଟରାଣୀ ପାଶେ କେ ବୋଲଇ ତୋର
ଏ ବରତ ମୂଲ୍ୟ କେତେ
ସେ ବୋଲଇ ଏ ବରତ ପାଟ ସୁନା
ଜରୀ କାଢ଼ି ଦେଖ ଯେତେ। ୧୪।

ବଣିକ ବଧୂକୁ କେ ବୋଲଇ ଆଗେ
ଶୁଣ ନବ ରସବତୀ
ଭଲ କରି କାଲି କନକ ଗଉରୀ
ଦେବୁ ଦୁଇ ଚାରି ରତି। ୧୫।

ଦୁଇ ଚାରି ରତି ଥାଉ ହେ ନାଗର
ରତିକର ମୂଲ୍ୟ ଦିଅ
ମୋହର କଟାକ୍ଷ ସବୁଠାରୁ ବଡ଼
ତୁଳି ପକାଇଣ ନିଅ। ୧୬।

ଗୁଡ଼ିଆ ବଧୂକୁ କେ ବୋଲଇ ତୋର
ସାଚି ସେର କେତେ ମୂଲ୍ୟ
ସେ ବୋଲେ ମୋ ସାଚି ନମ୍ବର ବିହୁନେ
ଏକା ହୁଏ ତୁଲ୍ୟ ମୂଲ୍ୟ। ୧୭।

ସାଚି ଦେଖିବାର ଏମନ୍ତ ନୁହଇ
ବସବପୁରେ ନଥିବ
କେମନ୍ତ ପଦାର୍ଥ ଅଙ୍ଗୀକାର କଲେ
ତେବେ ନୟନ ଦେଖିବ। ୧୮।

ତୁମ୍ଭେ ଯେଉଁ ରସ ଲୋଡ଼ୁଛ ନାଗର
ସେ ରସ ମୋଠାରେ ନାହିଁ
ମୋ ରସ ସମସ୍ତ ରସରୁ ସରସ
ମୂଲ୍ୟ ହିଁ ଦେଉଛି କହି। ୧୯।

ସେ ରସ ଆଗ ଟଙ୍କାଏ ହୋଇଥିଲା
ଏବେ ଅଧିକ ହୋଇବ
ରସ ଭୋଗ କଲା ଉତ୍ତାରୁ ରସିକ
ରହିଲା କଉଡ଼ି ଦେବ। ୨୦।