ବନ୍ଦୀର ଆତ୍ମକଥା

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବନ୍ଦୀର ଆତ୍ମକଥା
ଲେଖକ/କବି: ଗୋପବନ୍ଧୁ ଦାସ

“ଦେଶବାସୀ ବନ୍ଧୁ ଆତ୍ମୀୟ ସୋଦର, କାରାଦଣ୍ଡେ ମୋର ହେଲ କି କାତର ?
ଥିଲା ଏହା ଆଗୁଁ ଜଣାଶୁଣା କଥା, ସେଥିପାଇଁ ତେବେ କିମ୍ପା ମନେ ବ୍ୟଥା ।
କାତରତା ସିନା କାପୂରୁଷପଣ, ବୀର ମାରେ ଅବା ମରେ କରି ରଣ ।
ପଛଘୁଞ୍ଚା ନାହିଁ ବୀରର ଜାତକେ, ନ ମରେ ସେ କେଭେଁ ପରାଣ ଆତଙ୍କେ
ଜାଣିଛି,ଲାଗିଛି ଏ ଶାନ୍ତି-ସମର, ନାହିଁ ଏଥି ତୋପ ହାତହତିଆର ।
ବଳ ବା ବିଭବ ନାହିଁ ଏଥି ଲୋଡ଼ା, ନାହିଁ ଲୋଡ଼ା ଯାନ ରଥ ହାତୀ ଘୋଡ଼ା ।
ଆଧ୍ୟାତ୍ମିକ ବାଳେ ଲାଗିଛି ଲଢ଼ାଇ, ଭାଙ୍ଗିବାକୁ ପଶୁବଳର ବଡ଼ାଇ ।
ଛାଡ଼ିି ଧନ-ଆଶା ଘରଦ୍ଵାର-ମାୟା, ଅସଙ୍ଗଶସ୍ତ୍ରେ ଯେ ସାଜିଅଛି କାୟା,
ଅହିଁସା-ବଳରେ ଯେହୁ ବଳୀୟାନ, ଏ ରଣାପ୍ରାଙ୍ଗଣେ ତା’ର ଏକା ସ୍ଥାନ ।
ଏଥିରେ ପ୍ରଥମ ଫଳ କାରାଦଣ୍ଡ, ପଛେ ହୋଇପାରେ ଦେହ ଖଣ୍ଡ ଖଣ୍ଡ;
ବୁଝି ଏହା ମୁହିଁ ପଶିଛି ସଂଗ୍ରାମେ, ନାହିଁ ମୋ ବିଚାର ମାନ ଅପମାନେ ।
ମିଶୁ ମୋର ଦେହ ଏ ଦେଶମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।
ଦେଶର ସ୍ଵରାଜ୍ୟ-ପଥେ ଯେତେ ଗାଡ଼ ପୂରୁ ତହିଁ ପଡ଼ିି ମୋର ମାଂସ-ହାଡ଼ ।
ସ୍ଵାଧୀନତା-ପଥେ ତିଳେ ହେଲେ ନର ମୋ ଜୀବନ ଦାନେ ହେଉ ଅଗ୍ରସର ।
ମଙ୍ଗଳମୟଙ୍କ ସୁମଙ୍ଗଳ ଇଛା ପରୁ ଏ ପରାଣେ ଏହି ଶେଷ ଭିକ୍ଷା ।"
(୨)
"ହେ ଉତ୍କଳବାସୀ ମୋ ଭାଇ ଭଉଣି, ମୋ ଦଣ୍ଡ-ବାରତା ସର୍ବେ ଥିବ ଶୁଣି ।
ଶୁଣି କି ହେ ମନେ କରିଛ ଶୋଚନା ? ଶୋଚନା କିମ୍ପା ? ଏ ମୋ କର୍ମ ରଚନା ।
କହୁଥିଲି ପରା ବୁଲି ଗ୍ରାମ ଗ୍ରାମ, ଦେଶ ପାଇଁ ଜଶ ପାଇଁ କରି କାମ,
ମିଳେ ଯଦି କାହା ଭାଗ୍ୟେ କାରାବାସ, କାରା ନୁହଇ ସେ ପବିତ୍ର ପ୍ରଭାସ ।
ଆସି ଏଥି ସୁଦ୍ଧା ଏବେ ମୋ ବିଚାର, ଏ ଜାତୀୟ-ମୁକ୍ତି-ସ୍ଵରଗ-ଦୁଆର ।
ନୀରବେ ଭୋଗୁଛି ବସି କାରାବାସ, ଚାହୁଁ ଚାହୁଁ ଏବେ ଗଲା ଚାରି ମାସ ।
ଏହିପରି ଗଲେ ଚଉବିଂଶ ମାସ ଫିଟିବ ମୋହର ବନ୍ଧ ନାଗଫାଶ ।
ବରଷାରେ ମହାନଦୀ-ସ୍ରୋତ ପ୍ରାୟେ ଦିନ ପରେ ଦିନ କେଡ଼େ ବେଗେ ଯାଏ ।
କାଲି ପରି ମୋର ପୂରିବ ମିଆଦ; ଦିଅ ଭାଇ ମୋତେ ଏହି ଆଶୀର୍ବାଦ-
ମୁକୁଳି ଦ୍ଵିଗୁଣ ତେଜେ ନବ ବଳେ, ଖଟେ ଯାଇ ପୁଣି ତୁମ୍ଭ ପାଦତଳେ ।
ପୂର୍ବ ପୂରୁଷର ପବିତ୍ର ଶ୍ମଶାନ ଦେଶର ଜାତିର ଗଉରବ ଗାନ ।
ପୁଣ୍ୟ ଜନ୍ମମାଟି ପୁଣ୍ୟ ଦେବାଳୟ, ଉଦ୍ଧରିବା ପାଇଁ କଲେ ତନୁ କ୍ଷୟ
ମାନବ-ଜନମ ହୁଅଇ ସଫଳ, ଏ ମହାଦୀକ୍ଷା କି ବୁଝିବ ଉତ୍କଳ ?
ଜାତୀୟ ମମତା ବିଶ୍ଵଜନ-ପ୍ରୀତି, ଉତ୍କଳବାସୀର ହେଉ ଏହା ନୀତି,
ନୀରବ ନିଶ୍ଚଳେ ବସି ବନ୍ଦୀଘରେ, ମାଗେ ଏହି ଭିକ୍ଷା ପ୍ରଭୁ ଶ୍ରୀ ପୟରେ ।” ୧୫ ।
(୩)
“ମୋ ଭାଇ ଭଉଣୀ ହେ ଉତ୍କଳବାସି, ସ୍ଵରାଜ୍ୟ-ସାଧନେ ନ ହୁଅ ଉଦାସୀ ।
ଯେ ଦୀକ୍ଷାରେ ଥରେ କରିଛ ବିଶ୍ଵାସ, ନ ଛାଡ଼ ତା ଥିବା ଯାଏଟି ନିଶ୍ଵାସ ।
ସ୍ୱାରାଜ୍ୟ ମାନବ ଜନ୍ମ ଅଧିକାର; ଏହା ବିନେ ଦେଶ ହୁଏ ଛାରଖାର ।
ଅଙ୍ଗେ ନିଭାଉଛ କେତେ କି ଅବସ୍ଥା, ଅନ୍ନ ବସ୍ତ୍ର ଆଉ ହେବ କି ହେ ଶସ୍ତା ?
ବନ୍ଦୋବସ୍ତ ପରେ ଆସେ ବନ୍ଦୋବସ୍ତ, ପ୍ରଜାକୁଳ କ୍ରମେ ଭଜିଲେଣି ଅସ୍ତ ।
କେତେ ନାମେ କେତେ ପ୍ରକାରରେ କର, ଦେଇ ପ୍ରଜାଙ୍କର ଭାଙ୍ଗିଲାଣି ଘର ।
ଖାଇବା ବାସନ ହେଉଛି ନିଲାମ, ତେବେ ହେଲେ ନାହିଁ କରର ବିରାମ ।
ସହି ନାନା ଦୁଃଖ ଯାତନା ଅନ୍ତତ, ନାହିଁ ଆଉ ତୁମ୍ଭ ଶରିରେ ରକତ ।
ଜାଣେ ମୁଁ କରୁଛ ନାନା ଆଡୁ ଭୀତି; ଡରାଇ ଶାସିବା ହୀନ ରାଜନୀତି ।”
     X X X
“ରହିବ ନାହିଁ ଏ ନୀତି କାଳେ କାଳେ, ନାଶଯିବ ସତ୍ୟ-ନ୍ୟାୟ-କରବାଳେ ।
ପ୍ରଜା ଲାଗି କଲେ ପ୍ରଜାପତିସୃଷ୍ଟି, ପ୍ରଜା ଲାଗି ଇନ୍ଦ୍ର କରେ ଜଳ ବୃଷ୍ଟି ।
ପ୍ରଜା ଲାଗି ଉଦେ ରବି ଶଶୀ ତାରା, ପ୍ରଜା ଲାଗି ବହେ ଶତ ନଦୀଧାରା,
ପ୍ରଜା ଲାଗି ରାଜ୍ୟ,ପ୍ରଜାର ଶାସନ, ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ ।
ଭାରତର ରାଜଧର୍ମ ସନାତନ- ପରଜା ରକ୍ଷଣ ପାଳନ ରଞ୍ଜନ ।
ସ୍ଵରାଜ୍ୟେ ଏ ନୀତି ହୋଇବ ପ୍ରଚାର, ନ ରହିବ ଆଉ ଦୁଃଖ ଦୁରାଚାର ।
ନ ସହିବ କଷ୍ଟ କେହି ଅନାହାରେ, ନ ମରିବ ଦୁଃଖୀ ଧନୀଙ୍କ ପ୍ରହାରେ ।
ଡରାଇ ଶାସିବା ନୀତି ଭାଙ୍ଗିଯିବା, ପ୍ରଜାଙ୍କ ମତରେ ଶାସନ ଚାଲିବ।
ଏହି ନବ ଆଣିବା ସକାଶେ, ଗାନ୍ଧି ରହିଛନ୍ତି ସିନା କାରାବାସେ ।
ଭାରତର କେତେ କେତେ ମହାଜନ ବନ୍ଦୀଶାଳେ ଏବେ କଟାନ୍ତି ଜିବନ ।
ମୁଁ ଅତି ସାମାନ୍ୟ ତାଙ୍କ ଅନୁଚର, ତୁମ ଅକିଞ୍ଚନ ଆତ୍ମୀୟ ସୋଦର ।
ଉତ୍କଳମାତାର ଆଉ କେତେ ସୁତ-ସଙ୍ଗେ କାରାଗାରେ କଲି ପିଣ୍ଡ ପୂତ ।
ବସି ଏଥି ସଦା ରହିଛି ଅନାଇଁ, କାରାଦ୍ଵାର ଛିଦ୍ରେ ତୁମ ଆଡ଼େ ଭାଇ !
ଅରଟ ଚଳାଇ ପ୍ରତି ଘରେ ଘରେ, ଗ୍ରାମର କଳହ ତୁଟାଅ ଗ୍ରାମରେ ।
ଚାଲ ସତ୍ୟପଥେ ନାହିଁ ଡର ଭୟ, ଅସହଯୋଗରେ ବିଜୟ ନିଶ୍ଚୟ ।
ଛାଡ଼ ଉଚ୍ଚ ନୀଚ ଭେଦ ଅହଙ୍କାର, ହେଉ ନୀଳାଚଳୁଁ ସମତା ପ୍ରଚାର ।
ଖଣ୍ଡଗିରି ଭେଦି ଅହିଂସା-ମନ୍ତର
ନୀଳାଚଳନାଥ ପ୍ରଭୁ ଶ୍ରୀନିବାସ, ପୂରାଇବେ ଆଶା ରଖ ଏ ବିଶ୍ଵାସ ।” ୨୭ ।
(୪)
“ଭାରତେ ଉତ୍କଳ ମହା ପୁଣ୍ୟଧାମ, ଭାରତ-ପାଞ୍ଜିରେ ନ ଥିଲା ତା ନାମ;
ସାହସ, ସାହିତ୍ୟ, ଧନ, ମାନ ବଳେ ଉତ୍କଳର ନାମ ସମସ୍ତଙ୍କ ତଳେ ।
ଭାରତ ଜାତୀୟ ମହାସମ୍ମିଳନେ, ନ ବସେ ଉତ୍କଳ ସ୍ଵତନ୍ତ୍ର ଆସନେ;
ତେଣୁ ଜଗନ୍ନାଥ କରୁଣାନିଧାନ, କରୁଣା କଟାକ୍ଷେ କଲେ ଅବଧାନ ।
ଅସହଯୋଗର ପବିତ୍ର ସରିତ, ଉତ୍କଳର ବକ୍ଷେ ହେଲା ପ୍ରବାହିତ ।
ଗାନ୍ଧି ଭଗିରଥ ନିଜ ପୁଣ୍ୟବଳେ, ଆଣିଲେ ଅସଙ୍ଗ ଜାହ୍ନବୀ ଉତ୍କଳେ ।
ହିମାଚଳଠାରୁ ସିମାଚଳ ଧରି, କୁମାରିକା ଯାଏ ଖେଳିଲା ଲହରୀ ।
ଉତ୍କଳେ ସେ ପୁଣ୍ୟ ସ୍ରୋତ ଶତ ଧାରେ, ବହେ ପୁରପଲ୍ଲୀ କାନ୍ତାରେ ପ୍ରାନ୍ତରେ।
ଉତ୍କଳେ ଅସଙ୍ଗେ-ପ୍ରବାହେ ତ୍ଵରିତ, ବାହୁଛନ୍ତି ଯେହୁ ସ୍ଵରାଜ୍ୟ-ବୋଇତ;
ସେ ଦଳରେ ମୁହିଁ ଅକିଞ୍ଚନ ଜଣେ, ମୋଡୁଥିଲି ନାବ-ମଙ୍ଗ ପ୍ରାଣପଣେ ।
ସ୍ଵରାଜ୍ୟ-ବଇରୀ ଦଳ ହାତେ ପଡ଼ି, ମୋ ହାତେ ଲାଗିଛି ଏବେ ଲୁହାକଡ଼ି ।
ଆଉ କେତେ ଜଣ ନାଉରିଆ ଭାଇ, ମୋ ସଙ୍ଗତେ ସମ ଦଶା ଛନ୍ତି ପାଇ ।
ଉତ୍କଳନିବାସୀ ଏ ଦଶା ଦେଖିଣ, ନିରାଶରେ ବଳ କର କି ହେ କ୍ଷୀଣ ?
କର କି ଭାବନା କାଣ୍ଡାରି ବିହୁନେ, ଚାଲିବ ସ୍ଵରାଜ୍ୟ-ବୋଇତ କେସନେ ?
ନ ଅଟକେ କର୍ମ ନେତାର ଅଭାବେ, ଧର୍ମ-ନାବ ଚଳେ ଧର୍ମର ପ୍ରଭାବେ ।
ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ, ଉତ୍କଳର ନେତା ନିଜେ ନାରାୟଣ
ଇତିହାସେ ଶୁଣିଅଛ ଜନଶ୍ରୁତି, କାଞ୍ଚିଯୁଦ୍ଧ କାଳେ ଉତ୍କଳ ବିଭୁତି;
ଶୁଣିଛ ତ ପ୍ରଭୁ ନୀଳାଦ୍ରି ନାୟକ, ବିଜେ ଧରି ହାତେ କୃପାଣ ଶାୟକ,
ଉତ୍କଳ ପ୍ରଧାନ ସେନାପତି ପଣେ, ହୋଇଥିଲେ ବିଜେ ସମର-ପ୍ରାଙ୍ଗଣେ ।
ଉଡ଼ିଲା ଉତ୍କଳ ଜୟ-ବୈଜୟନ୍ତୀ, ଆଜିଯାଏ ଏହା ଗାଏ କିମ୍ବଦନ୍ତୀ ।
ଏବେ ସୁଦ୍ଧା ଦେଖ ନୀଳାଚଳେ ଯାଇ, କଳା ଧଳା ଘୋଡ଼ା ପରେ ବେନି ଭାଇ,
ବୀରମୂର୍ତ୍ତି ଦିଶେ ଯେହ୍ନେ ଅଗ୍ନିଶିଖା, ଦଧି ମୂଲ୍ୟ ମାଗେ ଛାମୁରେ ମାଣିକା ।
ଏ ଛବି ତ ନୁହେ ଶିଳ୍ପୀର କଳ୍ପନା, ଏ ସତ୍ୟର ସାକ୍ଷୀ ମାଣିକପାଟଣା
ଏହି ସେ ଉତ୍କଳ ପୁଣ୍ୟ ଦେବସ୍ଥଳୀ, ହୋଇଛନ୍ତି ଠୁଳ ଯହିଁ ତୀର୍ଥାବଳୀ ।
ତା ମଦ୍ଦେ ବିରାଜେ ପୁଣ୍ୟ ନୀଳାଚଳ, ଭାରତର ଧର୍ମ-ହୃଦ-ଶତଦଳ ।
ଏବେ ନୀଳାଚଳେ ବିଜେ ଜଗନ୍ନାଥ, ତେବେ କିପାଁ କହ ଉତ୍କଳ ଅନାଥ ?
ନାହିଁ ପୂର୍ବ ବାଳ, ନାହିଁ ପୁର୍ବ ଧର୍ମ । ନାହିଁ ପୂର୍ବ ସତ୍ୟ, ନାହିଁ ପୁର୍ବ କର୍ମ ।
ଉତ୍କଳବାସୀର ଦେଖି ଏ ଦୁର୍ଗତି, ଦାରୁଭୁତ ଏବେ ନୀଳାଚଳପତି ।
ମାତ୍ର ବୁଝ ଭାଇ, ହେଲେ ଧର୍ମବଳ, ନବ ତେଜେ ପୁଣି ଜାଗିବ ଉତ୍କଳ ।
କ୍ଷୀଣ ହେଲେ କେବେ ଧାର୍ମିକ ଶକତି, ଆସନ୍ତି ଓହ୍ଲାଇ ପ୍ରଭୁ ବିଶ୍ଵପତି;
ନିତ୍ୟଧାମୁଁ ଛାଡ଼ିି ରତ୍ନସିଂହାସନ, କରିବାକୁ ଧର୍ମପକ୍ଷ ସମର୍ଥନ ।
ଏ ବିଶ୍ଵାସେ ମନ ଦୃଢ଼କର ଭାଇ, ନେତାର ଅଭାବ ଲାଗି ଭାବ ନାହିଁ ।
କର୍ମଭୂମେ କିଏ ନେତା କେବା ନୀତ, ସରବେ ନିମିତ୍ତ ବିଧି-ନିୟୋଜିତ ।
ଉତ୍କଳନିବାସୀ ସର୍ବ ନରନାରୀ, ଘେନ ହେ ଏ ବନ୍ଦୀଭାଇର ଗୁହାରି-
ଦଗ୍‌ଧ ହେଉ ଦେହ, ଭସ୍ମ ହେଉ ଘର, ସ୍ଵରାଜ୍ୟ-ସାଧନେ କେବେହେଁ ନ ଡର ।
ନ ଛାଡ଼ ସାହସ, ନ ହୁଅ ନିରାଶ, ହେଲେ ହେଉ ପଛେ କାରାଗାରେ ବାସ ।
ନ ହୁଡ଼ ସ୍ଵରାଜ୍ୟ ଶାନ୍ତି-ସତ୍ୟ-ପଥ ଲାଗୁ ସିଂହଦ୍ଵାରେ ନନ୍ଦିଘୋଷ ରଥ ।” ୩୭।
(୫)
“ଶାସନ-ରକ୍ଷକ କଟୁଆଳ ଦାଳ, ନେଉଛନ୍ତି ମୋତେ ଛଡ଼ାଇ ଉତ୍କଳ ।
ରଖି ଆସିବେ ସେ ଆନ କାରାଗାରେ, କାହିଁ ବହୁ ଦୁରେ ଉତ୍କଳ ବାହାରେ ।
ନ ଦେଖିବେ ବୋଲି କେହି ଦେଶଭାଇ, ଗଭୀର ନିଶୀଥେ ନିଅନ୍ତି ଲୁଚାଇ ।
ନିଅନ୍ତୁ ଯେପରି ରଖନ୍ତୁ ଯେ ବିଳେ, ସେଥିଲାଗି ମୋର ଦୁଃଖ ନାହିଁ ତିଳେ ।
ମାତ୍ର ଉତ୍କଳୁଁ ମୁଁ ଯାଉଛି ଯେ ଦୁରେ, ବାଜିଲେ ଏ ବାର୍ତ୍ତା କାଲି ପଲ୍ଲିପୁରେ,
ଜାଣେ ଉତ୍କଳର କେତେ ନରନାରୀ, ବ୍ୟଥିତ ପରାଣେ ହେବେ ନିଶ୍ଚେ ଘାରି ।
ନିରାଶେ କହିବେ କେହି ଆହା ଆହା, ଆନେ ବୋଲିବେ ସେ ପଥେ ଫଳ ତାହା ।
ଗ୍ରାମୁଁ ଗ୍ରାମାନ୍ତରେ ଗଲେ ଏ ସମ୍ବାଦ, ପଲ୍ଲିନରନାରୀ ଭଜିବେ ବିଷାଦ ।
କେଜାଣି କେ ଏବା ପାଇ ବୃଥା ଭୟ, ଅସହଯୋଗରୁ ଛାଡ଼ିଦେବ ଲୟ-
ଏ ଭାବନା ଏକା ମନ୍ଥେ ମୋ ଅନ୍ତର, ନିଜ ନିର୍ବାସନେ ନୁହେ ମୁଁ କାତର ।
ମନେପଡ଼େ କେତେ ଅଞ୍ଚଳର ଭାଇ, ଡାକିଥିଲେ ତେଣେ ଥରେ ଯିବା ପାଇଁ ।
କେତେ କେତେ ଗ୍ରାମେ ବୁଲି ଦ୍ଵାର ଦ୍ଵାର, କହିଛି ସ୍ଵରାଜ୍ୟ-ଶୁଭ-ସମାଚାର ।
ତଥାପି ରହିଛି କେତେ ସ୍ଥାନ ବାକୀ, ମୋ ଯିବାକୁ ଲୋକେ ରହିଥିଲେ ଟାକି ।
କେବେ ଫେରି ପୁଣି ଯାଇ ତାଙ୍କ ପାଶେ, କ୍ଷମା ମାଗିବି ମୋ ବିଳମ୍ବ ସକାଶେ ।
ଦେଖିବି କେବେ ସେ ପ୍ରିୟଜନ ମୁଖ, ଏ ଭାବନା ଏବେ ଜନମାଏ ଦୁଃଖ ।
ହେ ଉତ୍କଳବାସି ମୋ ଭାଇ ଭଉଣି, କରିଅଛ ସେହେ ମୋତେ ଚିରଋଣୀ ।
ଯାଇଅଛି ଯହିଁ ପାଇଛି ଆଦର, ଶୁଣିଛ ଶ୍ରଦ୍ଧାରେ ସନ୍ଦେଶ ମୋହର ।
ତୁମ୍ଭ ହିତେ ମୋର ଦୁର୍ବଳ ପ୍ରୟାସ, ଜାଣେ କରିଅଛ ମନେ ଏ ବିଶ୍ଵାସ ।
ମୋ ସମ୍ବଳ ତୁମ୍ଭ ସେନେହ ଶରଧା, ସୁମରୁଥିବି ମୁଁ ଯହିଁ ଥିଲେ ସଦା ।
କିନ୍ତୁ ମୋ ବିରହେ କେବଳ ଶୋଚନା, କାରାରେ ନ ଦେବ ଏ ପ୍ରାଣେ ସାନ୍ତ୍ଵନା ।
ଦେଖିଛି ଉତ୍କଳେ ଯେ ଦୃଶ୍ୟ ନୟନେ, ଡରାଏ ତା ଭୂତ ପରାୟେ ଶୟନେ ।
କେତେ କେତେ ଚାଷୀ ଭଲ ଭଲ ଲୋକ, ନ ପାନ୍ତି ଦି’ ବେଳା ପେଟପୂରା ଢୋକ ।
ଥିଲେ ଯେହୁ ମଲ୍ଲ ଉତ୍କଳ ସୈନିକ, ପାଇକ ପ୍ରଧାନ ମାଗୁଛନ୍ତି ଭିକ।
ଦେହେ ନାହିଁ ମାଂସ ଦୋହଲୁଛି କଣ୍ଟା, ଅନାହାରେ ଆହା ନ ଉଠଇ ଅଣ୍ଟା !
ଅର୍ଜ୍ଜନ୍ତି ଯା ତୁଣ୍ଡେ ମାରି ମୁଣ୍ଡଝାଳ, ଦୁଷ୍ଟ ମହାଜନ, ଗ୍ରାମ କଟୁଆଳ ।
ପ୍ରଜାରକ୍ତ ଶୋଷି କେତେ ଜମିଦାର, ହରନ୍ତି ସର୍ବସ୍ଵ ବଜାଇ ପାହାର ।
ଉତ୍କଳର କେତେ କନ୍ୟା ନାରଖାର, ନ କରନ୍ତି ପେଟ ପୂରାଇ ଆହାର ।
ଲଜ୍ଜା ଢାଙ୍କିବାକୁ ନ ପାନ୍ତି ବସନ, ଫୁଟେ ନାହିଁ କେବେ ଅଙ୍ଗେ ଯୁଉବନ ।
ଚିକିତ୍ସା ନ ପାଇ ଘରକଣେ ପଡ଼ି, ରୋଗ, ଅନାହାରେ କେବାମରେ ଗଡ଼ି ।
ଉଦରଜାଳାରେ କେତେ ନରନାରୀ, ଛାଡ଼ି ଘରଦ୍ଵାର ଯାଆନ୍ତି ବାହାରି ।
ପଡ଼ିଅଛି ଡିହ କାହିଁ ବା ଚାଳିଆ, ଶ୍ମଶାନ ପରାୟେ ଦିଶେ ନିଛାତିଆ ।
ପଶିଗଲେ ଗ୍ରାମେ ନ ଶୁଭେ ଶବଦ, ଦେବମନ୍ତ୍ର କିବା ଭାଗବତ ପଦ ।
ଗ୍ରାମବାସୀଗଣେ ନାହିଁ ପୂର୍ବ ମେଳ, ଶିଶୁଖେଳେ ଦାଣ୍ଡ ନ ହୁଏ ଉଦ୍ଦେଳ ।
ଶୋଉଅଛି ଭାଙ୍ଗି ଗ୍ରାମ ଦେବାଳୟ, ପୁରିଲାଣି ପଙ୍କବଦ୍ଧେ ଜଳାଶୟ ।
ଗ୍ରାମର ଗୋକୁଳ କ୍ରମେ ଅତି କ୍ଷୀଣ, ଯେଣେ ଅନାଇବ ସବୁ ଶିରୀହୀନ ।
ନାହିଁ ଜନମୁଖେ ସତ୍ୟ-ଧର୍ମ-କାନ୍ତି, ନହିଁ ହୃଦେ ଶ୍ୟେଚ ପ୍ରାଣେ ସ୍ନେହ ଶାନ୍ତି ।
ପର ପ୍ରବଚନା କଚେରୀ-ବିଚାର, ଗ୍ରାମକମୁଖିଆଙ୍କ ନିତ୍ୟ କାରବାର ।
ଆତ୍ମୀୟ ସୋଦର ପ୍ରତିବେଶୀ ସହ, ନୀଚ ସ୍ଵାର୍ଥ ଲାଗି ଲଗାନ୍ତି କଳହ ।
ରାଜଦରବାରେ ବୃଥା ଅର୍ଥକ୍ଷୟ, ଶେଷେ ସମଦଶା ଜୟ ପରାଜୟ ।
ଶାସନ-କୁହୁଳେ ସର୍ବେ ଅବସନ୍ନ, ବ୍ୟାଧଜାଲେ ପଡ଼ି କପୋତ ଯେସନ ।
ଜାଲେ ହଣାହଣି ସ୍ଵଦଶା ନ ଜାଣି, ଫଳେ ସର୍ବନାଶ ଧର୍ମ-ଅର୍ଥହାନି ।
ଦେଖିଣ ବିଦେଶୀ ଦ୍ରବ୍ୟ ଝଲମଲ, ଲୋଡ଼ନ୍ତି ପତଙ୍ଗ ଯେସନ ଅନଳ ।
ହେଉଅଛି କଂସା ହଡ଼ା ଜମିବିକା, ବୁଡ଼ିଲାଣି କେତେ ଜାତିର ଜୀବିକା ।
ଏହା ପରେ କ୍ରମେ ବଢ଼େ କର-ଦାଉ, ଏ ଦଶା ରହିବ କେତେ ଦିନ ଆଉ ?
ସରିଲାଣି ସାର ପଡ଼ିଅଛି ସିଠା, ନାହିଁ ଗର୍ଭେପୁର ଦିଶେ ପୋଲା ପିଠା ।
ଉଭେଇଛି ଖଣ୍ଡା ଦୋହଲଇ ଖାପ; ରହିଛି ଅଙ୍ଗାର ନାହିଁ ତେଜ ତାପ ।
ପଡ଼ିଅଛି ପିଣ୍ଡ ଯାଇଛି ପରାଣ, ଦେଖିଲେ ଏ ଦଶା ବୁଡ଼େ ବୁଦ୍ଧି-ଜ୍ଞାନ ।
ସଢ଼ି ମଞ୍ଜ ଗଛେ ରହିଛି ବକଳ, ସୁନ୍ଦର ସକଳ ବିକଟ ବିକଳ !
ଫେରିବ ଏ ଦଶା ସୁଖୀ ହେବ ପ୍ରଜା, ଉଷୁନା ଧାନ କି ସତେ ହେବ ଗଜା ?
ଉତ୍କଳର ଏହି ଚିତ୍ର ନିଦାରୁଣ, ନାଚିବ ମୋ ଆଖି ଆଗେ ପୁଣ ପୁଣ ।
ଏକେ କାରାବାସ ଦୂର ପରଦେଶ, ଦେଶଦଶା ତହିଁ ମନେ ଦେଲେ କ୍ଲେଶ ।
କି ଭାବି ପରାଣେ ପାଇବି ଆଶ୍ୱାସ, ପୋଛିବି ଲୋତକ ଧରି କି ସାହସ ?
ହେ ଉତ୍କଳବାସି ଅତ୍ମୀୟ ସ୍ଵଜନ ! ମୁଁ ଯେବେ ତୁମ୍ଭର ସେନେହଭାଜନ,
କର ଯୋଡ଼ି କରେଁ ବିନତି ଏତିକି, ଅସହଯୋଗରେ ରଖିବ ମତିକି ।
ଢାଳିଦିଅ ପ୍ରାଣ ସ୍ଵରାଜ୍ୟ-ସାଧନେ, ଆଶ୍ଵାସିବ ଯେବେ ମୋତେ ନିର୍ବାସନେ ।
ନ ହୁଅ ନିରାଶ, ନ ହୁଅ ଦୁଃଖିତ, ଉତ୍କଳର ଦେଖି ଦୁଃଖମୟ ଚିତ୍ର ।
ସୁଖ-ଦୁଃଖ-ଚକ୍ର ଘୂରେ ନିରନ୍ତର, ଏକ ପରେ ଆନ ଆସିବ ମୁକର ।
ଆଲୁଅ ଅନ୍ଧାର ଖେଳେ ଲୁଚୁକାଳି, ଆସିବ ଆଲୁଅ ପଡ଼ିଲାଣି ପାଳି ।
ପହଞ୍ଚିଛି ଏବେ ସେ ମାହେନ୍ଦ୍ର ବେଳା, କର ନାହିଁ ଭାଇ ! ଏତେବେଳେ ହେଳା ।
ଉଇଁ ଆସୁଅଛି ସ୍ୱରାଜ୍ୟ-ତପନ, ଭାରତେ ଜାଗ୍ରତ ନରନାରୀଗଣ ।
ଘୁମାଇ ନ ରହ ଏ ସମୟେ ଆଉ, ଉଠ ଉଠ ବେଗେ ବେଳ ଥାଉଁ ଥାଉଁ ।
ଥରେ ଭଲ ଭାଇ ମନରେ ବିଚାର, କିପାଇଁ ମହାତ୍ମା ଏତେ ନାରଖାର !
କ୍ଷୀଣ ଅଙ୍ଗେ କେତେ ସହନ୍ତି କଷଣ, ତେଜି ଧନ ଜନ, ଅଶନ ବସନ;
କାରାଗାରେ ବସି ନୀରବେ ଏକାକୀ, ଧ୍ୟାନମଗ୍ନ ଏବେ ମୁଦି ବେନି ଆଖି ।
ମହାତ୍ମା ସାଧନ୍ ମହାତ୍ମା କଷଣ, ନ ଯାଏ ଜଗତେ କେବେ ଅକାରଣ ।
ଅନ୍ୟାୟ ଅଧର୍ମ ପାପ ଅତ୍ୟାଚାର, ମାନେ ଅବଶେଷେ ସତ୍ୟ ପାଖେ ହାର ।
ଏ ବିଶ୍ଵାସେ ସର୍ବେ ଦୃଢ଼ କରି ମନ, ସ୍ଵରାଜ୍ୟ ଧରମ କର ଆଚରଣ ।
ବିଦେଶୀ ଅମେଧ୍ୟ ବସ୍ତ୍ର ଛାଡ଼ ଆଗେ, ହାତସୂତା ଲୋଡା ଏ ସ୍ଵରାଜ୍ୟ-ଯାଗେ ।
ପିନ୍ଧ ଦେଶୀ ଲୁଗା ହେଉ ଅଙ୍ଗ ଶୁଦ୍ଧି, ମାମଲାରେ ଆଉ ନ ଖେଳାଅ ବୁଦ୍ଧି ।
ଗ୍ରାମେ ପଞ୍ଚ ପରା ପରମ ଈଶ୍ଵର, କର ପୁଣି ଗ୍ରାମେ ସ୍ଥାପନା ତାଙ୍କର ।
ସର୍ବେ ବାନ୍ଧି ମେଳ ତାଙ୍କୁ ମାନି ଚଳ, ପ୍ରକାଶିବ ଗ୍ରାମେ ପୁଣି ନବ ବଳ ।
ନ ଲାଗିବ ମିଥ୍ୟା ଜାଲ ପ୍ରବଚନ, ନ ଖାଇବେ ଭୂତ ତୁମ ଗ୍ରାମଧନ ।”
X X X
“ଗ୍ରାମ ବିଚାରରେ ସକଳେ ସମାନ, ଛାଡ଼ି ମନୁ ବଡ଼ ସାନ ଅଭିମାନ ।
ସ୍ୱରାଜ୍ୟ-ଧରମେ ନାହିଁ ଭେଦ ଜ୍ଞାନ, ସମସ୍ତେ ଯେ ଏକ ମାତାର ସନ୍ତନ ।
ଏକା କୋଳେ ଜନ୍ମ ଏକା କୋଳ ଖେଳ, ଏକା କୋଳେ ଶଯ୍ୟା ହେଲେ ଶେଷ ବେଳ ।
ଗୃହରେ ଅରଟ, ଗ୍ରାମେ ପଞ୍ଚାୟତ, ଗ୍ରାମବାସୀଗଣ ମଧ୍ୟେ ଏକମତ,
ସ୍ୱରାଜ୍ୟ-ସାଧନେ ଏହି ତିନି ପଦ, ପାଳିଲେ ଖଣ୍ଡିବ ଉତ୍କଳ-ବିପଦ ।
ଘୁଞ୍ଚିବ ଉତ୍କଳ ଦୁଃଖ ଦରିଦ୍ରତା, ଉଜ୍ଜ୍ଵଳିବ ଗ୍ରାମ, ହସିବେ ଦେବତା ।
କହିଲି କି କେତେ ହୃଦୟ ଆବେଗେ, ଚାଲେ ଏ ଦାରୁଣ ରେଳ କେଡ଼େ ବେଗେ !
ଡେଇଁ ଆସିଆଛି ଏବେ ମହାନଦୀ, କଳିରେ ଉତ୍କଳ ପୂତ ବିଷ୍ଣୁପଦୀ ।
ଆଗରେ ଦିଶେ ଏ ଶୈଳ ବିନାୟକ, ନମେ ପଦେ ପ୍ରଭୁ ବିଘ୍ନବିନାଶକ ।
ଆଦ୍ୟେ ତବ ପୂଜା ଶୁଭ ଅନୁଷ୍ଠାନେ, ଯାଉଛି ଉତ୍କଳ ଛାଡି ଦୂର ସ୍ଥାନେ ।
କର କୃପା ମୋର ଶୁଭ ହେଉ ପଥ, କାରାଗାରେ ମୋର ପୂରୁ ମନୋରଥ ।
ଯାଇଛି ଏ ପଥେ କେତେ ଥର ଆଗେ, କିପାଇଁ ଚଞ୍ଚଳ ମନ ଆଜି ଲାଗେ ?
ଲାଗେ ଛାଡ଼ିଗଲି କିଛି ଅତି ପ୍ରିୟ, ଅକୁହା ରହିଲା କିବା ଗୋପନୀୟ ।
କାହାକୁ ଦେଖନ୍ତି ପରା ଆଉ ଥରେ, ନିଶ୍ଚିତ କିଛି ତ ନ ପଡ଼େ ମନରେ ।
ଜାଣୁଛି ଏ ମୋର ନିଜ ଦୁର୍ବଳତା, ମାନବ-ହୃଦର ସହଜ ମମତା ।
ମମତାର ଆଉ କାହିଁ ଅବକାଶ, ପ୍ରକାଶିଲେ ହୃଦେ ପରମ ବିଶ୍ବାସ ?
ମାନବଜୀବନ ନୁହେ ମିଥ୍ୟା ଭାଣ, କିବା କୂଟନୀତି କୌଶଳ ପ୍ରଧାନ ।
ଏ ଜୀବନ ସତ୍ୟ ଶୁଦ୍ଧ ସାରତତ୍ତ୍ଵ, ତତ୍ତ୍ଵ ଅନୁବନ୍ଧ ମାନବର ସତ୍ତ୍ଵ ।
ଯା ଜୀବନ-ଗତି ତତ୍ତ୍ଵ-ଅଭିମୁଖୀ, ସେହି ଅକା କୃତୀ, ସେହି ଏକା ସୁଖୀ ।
ତତ୍ତ୍ଵର ସାଧନେ କୃତକୃତ୍ୟ ଜନ, ଲଭଇ ମରଣେ ଅମୃତ-ଜୀବନ ।
ସତ୍ୟ ସନାତନ ପ୍ରଭୁ ଭଗବାନ, ଏ ଭାବେ କର ମୋ ହୃଦ ବଳୀୟାନ ।
ସ୍ଵରାଜ୍ୟ-ସାଧନେ ରହୁ ମୋର ଧ୍ୟାନ, ଭାରତେ ସ୍ଵରାଜ୍ୟ ଜଗତ-କଲ୍ୟାଣ ।
ଜଗତ-ସରସେ ଭାରତ-କମଳ, ତା ମଧ୍ୟେ କେଶର ପୁଣ୍ୟ ନୀଳାଚଳ ।
ଥିଲେ ଯହିଁ ତହିଁ ଭାରତ-ବକ୍ଷରେ, ମଣିବି ମୁଁ ଅଛି ଆପଣା କକ୍ଷରେ ।
ମୋ ନେତ୍ରେ ଭାରତ-ଶିଳା ଶାଳଗ୍ରାମ, ପ୍ରତି ସ୍ଥାନ ମୋର ପ୍ରିୟ ପୁରୀଧାମ ।
ସକଳ ସଲିଳ ପଞ୍ଚତୀର୍ଥ ଜଳ, ପ୍ରତି ଧର୍ମାଳୟ ମୋର ନୀଳାଚଳ ।
ଭାରତେ କୈବଲ୍ୟ ସକଳ ଆହାର, ଭାରତେ ଶ୍ମଶାନ ସ୍ଵରଗ ଦୁଆର ।
ଶ୍ରୀହରି-ଚନ୍ଦନ ଭାରତ-କର୍ଦ୍ଦମ, କାରାଗାର ମୋର ସ୍ଵରାଜ୍ୟ ଆଶ୍ରମ ।
ଭାରତର ପ୍ରତି ବୃକ୍ଷ କଳ୍ପବଟ, ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ ।
ସାମ୍ୟ ସ୍ୱାଧିନତା ପ୍ରେମ ସମୁଦୟ ନୀଳାଚଳ ଶୁଦ୍ଧ ଭାରତ-ହୃଦୟ ।
ଥିଲେ ଯହିଁ ତହିଁ ଭାରତ-ଶୟଳେ, ମଣିବି ମୁଁ ଅଛି ନୀଳଚକ୍ର ତଳେ ।
ପ୍ରଭୁ ଜଗନ୍ନାଥ ପତିତପାବନ ! ଜୀବନେ ମରଣେ ତୁମ୍ଭେ ମୋ ଶରଣ ।”୧୦୪ ।
(୬)
“ପହଞ୍ଚିଛି ରେଳ ଜେନାପୁରେ ଆସି, ପରିଚିତ ମୋର ଜେନାପୁରବାସୀ ।
ଆସିଥିଲି ଥରେ ଦୁଇ ବର୍ଷ ତଳେ ବୁଡିଥିଲା ଜେନାପୁର ଯେବେ ଜଳେ ।
କେତେ ଗ୍ରାମ, କେତେ ଘର, କେତେ ଧନ ହୋଇଥିଲା ବନ୍ୟା-ବିତ୍ପାତେ ଉଚ୍ଛନ୍ନ।
କେତେ ଗ୍ରାମଦାଣ୍ଡେ ଚାଲୁଥିଲା ସୁଅ, କେତେ ନୟନରୁ ବହୁଥିଲା ଲୁହ।
କେତେ ନରନାରୀ, କେତେ ଗୋରୁଗାଈ ମରୁଥିଲେ କଷ୍ଟେ ଆହାର ନ ପାଇ ।
ପଡିଗଲେ ମନେ ସେ ବେଳ ଘାତଣା ହୃଦେ ହୁଏ ଏବେ ଦାରୁଣ ବେଦନା ।
ବନ୍ୟା ବିତିପତେ ଉତ୍କଳ-ଦୁର୍ଦ୍ଦଶା ବିଚାରିଲେ ମତି ହୁଅଇ ବିବଶା ।
ଚିଲିକାକୂଳରୁ ସ୍ୱର୍ଣ୍ଣରେଖା ଯାଏ ମୁହୂର୍ତ୍ତକେ ମୋର ଆଖି ବୁଲିଯାଏ ।
ଯେତେ ସ୍ଥାନେ ଯେତେ ଲୋକଙ୍କ କଷଣ ଦେଖିଛି ପଲକେ ହୁଅଇ ସ୍ମରଣ ।
ଦୁର୍ଭିକ୍ଷ ବନ୍ୟାର ଚିର ସହଚର, ଏକ ପଛେ ଅନ୍ୟ ଆସେ ନିରନ୍ତର ।
ସହି ସହି ବନ୍ୟା-ଦୁର୍ଭିକ୍ଷ-ପ୍ରହାର ଉତ୍କଳର କେତେ ପଲ୍ଲୀ ଛାରଖାର ।
କେତେ ଗ୍ରାମ ଶୂନ୍ୟ, କେତେ ଘର ଖାଲି, କେତେ ଶସ୍ୟକ୍ଷେତ୍ରେ ପୂରିଅଛି ବାଲି;
ନିରାଶା ଆତଙ୍କେ ପ୍ରଜା ଅବସନ୍ନ, ମରୁଛନ୍ତି କେତେ ନ ପାଇଣ ଅନ୍ନ ।
ପଡେ ମନେ ମୋର ଯେବେ ସିନ୍ଧୁକୂଳେ ନୀଳାଚଳେ ଗାନ୍ଧି ଥିଲେ ପତ୍ନୀ ତୁଲେ ।
ଦେଖି ଉତ୍କଳର ଦିର୍ଭିକ୍ଷ ଆଭାସ ପାଇଥିଲେ ହୃଦେ ଗୁରୁତର ପ୍ରାସ ।
କେତେ ନରନାରୀ ବୃଦ୍ଧ ଯୁବା ବାଳ, (ଅନାହାରେ ଯେହୁ କବଳ କଙ୍କାଳ)
ଦେଖିଣ ମହାତ୍ମା କାତର ଅନ୍ତରେ କହିଥିଲେ ମତେ ଦୁଃଖେ ଏକାନ୍ତରେ-
‘ଦେଖି ଏ ଦାରୁଣ ଦୃଶ୍ୟ ହୁଏ ମନ ଅନଶନେ ଆଜି ତେଜନ୍ତି ଗୀବନ ।
ବଞ୍ଚିବାରୁ ବଳି ଦେଖି ଏ କଷଣ ଶତ ଗୁଣ ଶ୍ରେୟ ମଣେ ମୁଁ ମରଣ ।
ମାତ୍ର ମୋ ପରାଣେ ରହିଛି ଭରସା, ଅଚିରେ ଦେଶର ଘୁଞ୍ଛିବ ଏ ଦଶା ।
ଏସବୁ ଯାତନା ନର କର୍ମଫଳ ହୋଇଛି ଏ ଦେଶେ ପାତକ ପ୍ରବଳ ।
ଦେଶବାସୀଙ୍କର ହେଲେ ଆତ୍ମଶୁଦ୍ଧି ସତ୍ୟେ ଅନୁରାଗ ଧର୍ମେ ଦିବ୍ୟ ବୁଦ୍ଧି,
ମେଣ୍ଟିବ ଦିର୍ଗତି ଦୁଃଖ ଯିବ କ୍ଷୟ, ଆସିବ ସୁଦିନ ହେବ ସୁଖୋଦୟ ।’
ଛାଡିବାକୁ ଗାଡି ଦେଲାଣି ସଙ୍କେତ, ବାଜେ ଶେଷ ଘଣ୍ଟା, ଉଡେ ନୀଳକେତ ।
ସୁବିଧା ଥିଲେ ମୁଁ ଓହ୍ଲାନ୍ତି ଏଠାରେ, ଦେଖିଯାନ୍ତି ଜେନାପୁର ଏବେ ବାରେ ।
ବୁଲି ବ୍ରାହ୍ମଣୀର ତୀର-ଜନପଦେ, ବିଦାୟ ନିଅନ୍ତି କହି ପଦେ ପଦେ ।
ଦେଖନ୍ତି କିପରି ଅଛନ୍ତି ମୋ ଭାଇ ଦଇବୀ ମାନୁଷୀ ଦାଉ ଧକ୍‌କା ଖାଇ ।
ବ୍ରାହ୍ମଣୀ ବାଲିରେ ସାନ୍ଧ୍ୟ ସମ୍ମିଳନେ, କହି ଯାଇଥାନ୍ତି ଥିଲା ଯାହା ମନେ ।
ଚାଲିଲା ପରେ ଏ ନିଦ ଋଣ ଗାଡ଼ି, ଜେନାପୁର ସତେ ଅଇଲି କି ଛାଡ଼ି?
ଏହି ଯେ ପଡ଼ିଲା ଜେନାପୁର ସେତୁ, ବ୍ରାହ୍ମଣୀ ବିଶାଳ ବକ୍ଷେ ଧୂମକେତୁ ।
ଥାଅ ଗୋ ବ୍ରାହ୍ମଣୀ ପୀନପୟୋଧରା !, ହେଉ ତୁମ୍ଭ ଯୋଗେ ଉତ୍କଳ ଉର୍ବରା,
ଖରସ୍ରୋତା ସଙ୍ଗେ କରି ତୁ ମନ୍ତ୍ରଣା, ତଟବାସୀ ଜନେ ନ ଦିଅ ଯନ୍ତ୍ରଣା ।
କେନ୍ଦ୍ରାପଡ଼ା, ଯାଜପୁର ପ୍ରଜାକୁଳ, କର ନାହିଁ ବନ୍ୟା ଉତ୍ପାତେ ବ୍ୟାକୁଳ ।
ସେ ଭାଇ ସକଳ ମୋର ପ୍ରିୟତମ, ତାଙ୍କ ସେବା ମୋର ଜୀବନେ ପ୍ରଥମ ।
ଖରସ୍ରୋତା ତୁମ୍ଭ ଚିର ସହଚରୀ, ମାଗୁଛି ବେନିଙ୍କି ନମସ୍କାର କରି-
ତରଙ୍ଗ-ହିଲ୍ଲୋଳେ କଳ କଳ ତାନେ ନିଅ ମୋ ସନ୍ଦେଶ ସେ ଭାଇଙ୍କ କାନେ ।
ଗ୍ରାମୁଁ ଗ୍ରାମାନ୍ତରେ ପବନ-ଲହରେ ଉତ୍କଳେ ଏ ବାର୍ତ୍ତା ଖେଳୁ ଘରେ ଘରେ।
ଥାଅ ଯାଜପୁର କେନ୍ଦ୍ରାପଡା ଭାଇ, ଦେଖାହେବ କେବେ ଲେଉଟିଲେ ଯାଇ ।
ବନ୍ୟାରୁ ବରତି ନ ପାଇ ଶକତି ଜାଣେ ମୁଁ ଭେଟିଛ ବିଷମ ବିପତ୍ତି ।
କାରାଗାରେ ମୋତେ ପଡ଼ୋଶୀ ତୁମର ଦେଇଛନ୍ତି ଅଗ୍ନି ଉତ୍ପାତ ଖବର।
କେ ପୋଡିଲା ଘର, କେ ସହେ ଗଞ୍ଜଣା ! ଏ ବିଚିତ୍ର ରାଜେ ଅନ୍ଧ ବୁଝାମଣା ।
ହେଲା ଗୃହଦାହ ସଙ୍ଗେ ଅର୍ଥନାଶ, ପରେ ପ୍ରଣପୀଡା ପୁଣି କାରାବାସ।
ବାସେ ଅଗ୍ନି ଯେହୁ ଦେଲା ଆତତାୟୀ ତାର ଖୋଜା ନାହିଁ, ଗଲା ସେ ବା କାହିଁ ?
ଆହା ଉତ୍କଳର କେତେ ଗ୍ରାମେ ଲୋକ, ନିରାଶ୍ରୟେ ଆଜି କରୁଛନ୍ତି ଶୋକ!
କାହା ଗୃହ ଭସ୍ମ, କାହା ଚାଷ ନଷ୍ଟ, କହ ପୁଅ ଭୋଗେ କାରାଗାରେ କଷ୍ଟ !
ଏଥିଲାଗି ଭାଇ ନ କର ଭାବନା, ଏ ତ ବିନା ମେଘେ କୁଳିଶ ସୃଜନା ।
ନାହିଁ ନିଜ ଦୋଷ ଯେବେ ଭଲେ ଜାଣ, ଜାଣ କିମ୍ପା କାହୁଁ ହେଲା ଏ ଭିଆଣ;
ନ କର ଶୋଚନା ରଖ ଧର୍ମେ ସାକ୍ଷୀ, ଗୂଢ଼ ବ୍ୟୂହ ଭେଦେ ସେ ଅଦୃଶ୍ୟ ଆଖି |
ବିହିଲା ତୁମ୍ଭର ଯେହୁ ଏ ବିପତ୍ତି, ଜାଣ ସେ ପାପୀର ନାହିଁ ଭଲ ଗତି ।
ନିଜ କଲା କର୍ମ ଭୋଗେ ନିଜେ ନର, ଏଡ଼ି ନ ପାରେ ତା ବ୍ରହ୍ମା ହରିହର ।
ଧର୍ମ-ନିକିତିରେ ହୁଏ ଯେ ତଉଲ, ପରମାଣୁ ତହିଁ ଯାଏ ନାହିଁ ଭୁଲ ।
ଇତର ଜନର କଥା କିବା ଛାର, କେତେ ଜାତି କେତେ ବ୍ୟକ୍ତି ବଳିଆର;
ନିଜ କର୍ମ ଦୋଷେ ଯାଇଛନ୍ତି ନାଶ, ପ୍ରମାଣ ତହିଁର ଶାସ୍ତ୍ର ଇତିହାସ ।
ଜରୁଗୃହ ଜାଳି ମାନୀ ଦୁର୍ଯ୍ୟୋଧନ, ଜାଣିଛ ଲଭିଲା କିପରି ନିଧନ ।
ନ ନେଲା ସେ କଂସ କେତେ ଶିଶୁପ୍ରାଣ, କହ କେତେ ଦିନ ରହିଲା ସେ ଟାଣ ?
ପଶ୍ଚିମ-ରାଇଜେ ହେରଡ଼ ନୃପତି, ଥିଲା କଂସ ସମ ଦୁରାତ୍ମା ଦୁର୍ମତି ।
ପ୍ରଭୁ ଯିଶୁ ପ୍ରତି ମନେ ବହି ରୋଷ, ଶିଶୁହତ୍ୟା ଆଦି କଲା ନାନା ଦୋଷ ।
ଥିଲା ସେହିପରି ମିଶରେ ଫେରସ, ଗଲେ ଏ ସକଳେ ଯଥାକାଳେ ଧ୍ବଂସ ।
ଶାସ୍ତ୍ର-ପୁରାଣର ବୁଝି ଏ ଚରିତ, ନ କର ବିପଦେ ଚିତ୍ତ ବିଚଳିତ ।
ମନେରଖ ଭାଇ ମହାତ୍ମା ଭାଶଣ, ଆମ ପାପଫଳେ ଆମର କଷଣ ।
ହେଲେ ଆତ୍ମଶୁଦ୍ଧି ସୁନିର୍ମଳ ମତି, ପ୍ରକାଶିବ ତେଜ ସମ୍ପଦ ଶକତି ।
ଏ ବିଶ୍ୱାସ ସଦା ହୃଦେ ଦୃଢ଼େ ଧର, ଗୃହଦାହ ଯୋଗୁଁ ଛାଡ଼ ବୃଥା ଡର ।
ବିପଦ ପ୍ରଭୁଙ୍କ କଷଟି-ପାଷାଣ, ପରଖନ୍ତି ତହିଁ ନର ହୃଦଟାଣ ।
ବିଦଗଧ ହେଲେ ବିପଦ-ଅନଳେ, ଭସ୍ମ ନୋହି ଯେହୁ ଦାଉ ଦାଉ ଜଳେ୍
ସେହି ଏକା ଶୁଦ୍ଧ ସୁବର୍ଣ୍ଣ-ହୃଦୟ; ଲଭେ ଆଶ୍ଵାସନା ଅଭୟ ବିଜୟ ।
ହେଲା ଗୃହେ ଯେଉଁ ଏଗ୍ନି ପ୍ରଜ୍ଜ୍ଵଳିତ, ନୁହେଁ ବୃଥା ତାହା, ବିଧାତା ଇଙ୍ଗିତ ।
ବୁଝିଲେ ଦେଖିବ ତହିଁ ଗୂଢ଼ ତତ୍ତ୍ଵ, ଜାଳ ହୃଦେ ଅଗ୍ନି ଶୁଦ୍ଧ କର ସତ୍ତ୍ଵ ।
ବାସୁଁ ଲିଭିଅଛି ବାହ୍ୟ ହୁତାଶନ, ଅନ୍ତରେ ଅନଳ ଜଳୁ ଅନୁକ୍ଷଣ ।
ସତ୍ୟ-ବହ୍ନି ବର୍ଚ୍ଚେ ତହୁ ମଳିନତା, ପରକାଶୁ ନର-ପରାଣେ ଦେବତା ।
ହେଉ ଗୃହ ନାଶ ଅବା କାରାବାସ, ଯାଉ ପଛେ ପ୍ରାଣ ନ ଯାଉ ବିଶ୍ବାସ ।
ସତ୍ୟ-ଶାନ୍ତି-ପଥେ ଚାଲ ଅବିରତ, ଗ୍ରାମେ ଗ୍ରାମେ ସର୍ବେ କର ପଞ୍ଚାୟତ ।
ଚଳାଅ ଅରଟ ଛାଡ଼ି ମନୁ ଭୀତି, ତେଜ ଉଚ୍ଚ ନୀଚ ଘୃଣା ଭେଦ-ନୀତି ।
ଚୋରି ନାରୀ ନିଶା ଆଦି ଦୁରାଚାର, ନ କରୁଁ ଦୁଷିତ ଗ୍ରାମ ପରିବାର ।
ଏ ଆଚାରେ ହେବ ଜଗତ ମଙ୍ଗଳ, ଯଥା କାଳେ ମେଘ ବରଷିବ ଜଳ ।
ଧନ ଧାନ୍ୟେ ସୁଖୀ ହେବ ପ୍ରଜାଗଣ, ନ ଦେଖ କି ଭାଇ ଏ ଶୁଭ ସୂଚନା ?
ଦେବଦୂତ ରୂପେ ପ୍ରଚରି ସନ୍ଦେଶ, କରନ୍ତି ମହାତ୍ମା ନିଜ କାର୍ଯ୍ୟ ଶେଷ ।
ହେ ଉତ୍କଳବାସି, ସେ ସନ୍ଦେଶମାନ, କର୍ମେ ଲାଗ ସଦା ହୋଇ ସାବଧାନ ।
ଚାଲ ଇହି ପଥେ ମିଳିବ ମୁକତି, ଘେନ ମୋର ଏହି ବିଦାୟ ବିନତି ।
ହୋଇଅଛି ଏବେ ଦିବା ଅବସାନ, ଭଦରଖେ ଆସି ପହଞ୍ଚିଛି ଯାନ ।
ଭଦରଖ ମୋର ଅତି ପ୍ରିୟସ୍ଥାନ, ଏଠା କର୍ମେ ମୋର ପହିଲି ସମ୍ମାନ ।
ଏଠା ବାହାଦୂର ବଡ଼ ପରଚଣ୍ଡ, ତାଙ୍କ ଦୟାରେ ମୋ ଆଦ୍ୟ କାରାଦଣ୍ଡ ।
ସାନ ବଡ଼ କେତେ କର୍ମୀ ନିଷ୍ଠାପର, ଦେଖିଲେଣି କେତେ ଥର ମାମୁ ଘର ।
ତଥାପି ସ୍ଵରାଜ୍ୟ ଯୋଗ ନୁହେଁ ଊଣା, ବଢ଼ଇ କର୍ମୀଙ୍କ ବଳ ଚତୁର୍ଗୁଣା ।
ପଡ଼ିଲେ ସମିଧ ଆହୁତି ଅନଳେ, ନ ଲିଭି ସେ ପୁଣି ଦାଉ ଦାଉ ଜଳେ ।
ପଦାଘାତ କେହି କଲେ ନାଗ-ଚୂଳେ, ନାଗ କି ପଳାଏ ପରାଣ ଆକୁଳେ ?
ଭଦରଖ କର୍ମୀ ଧନ୍ୟ ତୁମ୍ଭ ବଳ ! ଏପରି ସାଧକ ଲୋଡ଼ଇ ଉତ୍କଳ ।
ତେଜି ସବୁ ମାୟା ପରିବାର ଭୋଗ, ସାଳନ୍ଦୀ-ପୁଳିନେ ଆରମ୍ଭିଛ ଯୋଗ ।
'ମନ୍ତ୍ର ସିଦ୍ଧି କିମ୍ବା ଶରୀର ପତନ', ଜାଣେ ମୁଁ କରିଛ ଏହି ମହା ପଣ ।
ଏହି ପଣ ଏକା ଭଦ୍ରଖ ଉଚିତ, ସାଧୁ ସମାଗମେ ଯା ରେଣୁ ପବିତ୍ର ।
ନୀଳାଚଳ ଯାତ୍ରୀ ପ୍ରେମିକ ନିମାଇଁ, ଥିଲେ ପରା ଏଥି କେତେ ଦିନ ପାଇଁ !
ସେ ଶୁଭଦିନର ପୁଣ୍ୟ ନିଦର୍ଶନ, ରଖିଛି ଭଦ୍ରଖ କରି ଗଣ୍ଠିଧନ ।
ଏବେ ପୁଣି ହେଲେ ଗାନ୍ଧି ମହାମତି ଭଦ୍ରଖ ଅତିଥି ଅହିଂସା ମୂରତି ।
ଭଦରଖବାସୀ ହିନ୍ଦୁ ମୁସଲମାନ, ଏ ଆତିଥ୍ୟ ନୁହେ ସାମାନ୍ୟ ସମ୍ମାନ ।
ଉତ୍ତର କାଳକୁ ପୁଅ ନାତି ପାଇଁ, ଏ ସୌଭାଗ୍ୟ-ସ୍ମୃତି ରଖିବ ତ ଭାଇ ?
ଛାଡ଼ ତେବେ ମନୁଁ ଭେଦ ଅଭିମାନ, ବେଦ କୋରାନରେ କର ସମଜ୍ଞାନ ।
ହିନ୍ଦୁ ମୁସଲମାନ ବୌଦ୍ଧ ଖ୍ରୀଷ୍ଟିଆନ, ଶିଖ ଜୈନ ଯେତେ ଭାରତ-ସନ୍ତାନ ।
ଯେତେ ଧର୍ମ, ଯେତେ ବର୍ଣ୍ଣ-ଜାତି-କୁଳ, ଭାରତ-ଜନନୀ ସମସ୍ତଙ୍କ ମୂଳ ।
ଏକ ଆଶା ଏକ ଲକ୍ଷ୍ୟ ଏକ ଧ୍ୟାନ, ଏକତ୍ର ଅନ୍ତୁଡ଼ି ଏକତ୍ର ଶ୍ମଶାନ ।
ଏକ କର୍ମଖେଳ, ଏକ ମାତୃପଦେ, କର ଏକପ୍ରାଣ ସମ୍ପଦେ ବିପଦେ ।
ଏକତା ମନ୍ତ୍ରରେ ରଖ ସଦା ମତି, ହେବ ଏହି ଭାବେ ସ୍ଵରାଜ୍ୟ ପ୍ରାପତି ।
ଭଦରଖ ଭାଇ ହିନ୍ଦୁ ମୁସଲମାନ, ଜାଣେ ମୁଁ ଧରିଛ ହୃଦେ ବଡ଼ ଟାଣ ।
କେତେ ପ୍ରଲୋଭନ, କେତେ ପ୍ରରୋଚନା, କେତେ ବାଧାବିଘ୍ନ, କେତେ ଭୟମନା !
ଏଡ଼ିଅଛ ସବୁ ନିର୍ଭୀକ ଅନ୍ତରେ, ଚାଲିଅଛ ଦମ୍ଭେ ସ୍ଵରାଜ-ପଥରେ ।
ରଖ ଏହି ଦମ୍ଭ ହୁଡ଼ ନାହିଁ ରାହା, ହୁଅନ୍ତୁ ବିପଦେ ପ୍ରଭୁ ତୁମ୍ଭ ସାହା ।
ଭଦରଖବାସି, ଆଉ ଏକ କଥା, ପଡ଼େ ଏବେ ମନେ ଦିଏ ମର୍ମ୍ମବ୍ୟଥା ।
ଯେତେ କାଳ ମୋର ଥିବ ଭବେ ଆୟୁ, ବହୁଥିବ ଯେତେ ଦିନ ପ୍ରାଣବାୟୁ,
ଥାଏଁ ଯହିଁ ତହିଁ ଦୂରେ ବା ନିକଟେ, ରହିବ ସେ ଦୁଃଖ-ଦାଗ ଚିତ୍ରପଟେ ।
ଦୁଃଖିନୀ କନିକା କରୁଣ କୁହାଟ, ଲାଗେ ଯେହ୍ନେ ଭେଦି ବିଲ ବନ ପାଟ;
ସାଳନ୍ଦୀ ସଲିଳେ ପ୍ରତିଧ୍ଵନି ତାନେ, କୁଳିଶ ନିନାଦ ବାଜଇ ମୋ କାନେ ।
ଭଦ୍ରଖ କନିକା ଚିର ପ୍ରତିବେଶୀ, କନିକା ଦୁଃଖ କି କହିବି ବିଶେଷି ।
ଜାଣିଛ, ଶୁଣିଛ ସବୁ ବିତିପାତ, ପଡ଼ୋଶୀ ସେନେହେ ସହିଛ ଆଘାତ ।
ତ୍ରାସିତ କନିକା ପ୍ରଜା ପ୍ରତି ସଦା, ରଖିଥିବ ଭାଇ ସୋଦର-ଶରଧା ।
କିନିକା ଯିବାକୁ ବାଟ ଭଦରଖ, ଥାନ୍ତା ଯେବେ ମୋର ବିହଙ୍ଗମ ପକ୍ଷ,
ଉଡ଼ିଯାଇ ଦେଖି ଆସିଥାନ୍ତି ଥରେ, କନିକା ପ୍ରଜାଙ୍କୁ ରିକ୍ତ ଭଙ୍ଗା ଘରେ ।
ଆଉଁସି ପିଠିରୁ ପ୍ରହାର-ପରାସ, ହରି ପାଇଥାନ୍ତି ପରାଣେ ଆଶ୍ଵାସ ।
ପତରପୁରର ଶର ସନ୍ନିଧାନେ, ମଲେ ପ୍ରଜା ବେନି ଯହିଁ ଅଗ୍ନିବାଣେ,
ନିରୀହ ନିର୍ଦ୍ଦୋଷ ପବିତ୍ର ଶୋଣିତ, କରିଛି କନିକାଭୂମି ଯହିଁ ସିକ୍ତ,
ସେ ଶୁଦ୍ଧ ମୃତ୍ତିକା ଲଗାଇ ମୁଁ ଶିରେ, ତେଜି ନେତ୍ରନୀର ସରୋବର ତୀରେ,
ଲଭିଥାନ୍ତି ଥରେ ଅନ୍ତରେ ସାନ୍ତ୍ଵନା, ଅପୂର୍ଣ୍ଣ ରହିଲା ଆହା ଏ ବାସନା !
ଲୋଡ଼ିଥିଲେ କେତେ ଥର ମୋ ଆଗମ, ଆସି ନ ପାରିଲି କେବେ ମୁଁ ଅଧମ ।
ଯାଇଥିଲି ଥରେ ରାଜ ଆମନ୍ତ୍ରଣେ, ମରୁଥିଲେ ଲୋକେ ଯେବେ ଅନଶନେ ।
ଆସିଥିଲେ ଯଥାକାଳେ ଆଉ ବାରେ, ପଡ଼ି ନ ଥାନ୍ତେ ବା ପ୍ରଜା ଅତ୍ୟାଚାରେ ।
ରହିଛି ମନେ ଏ ଚିର ଅବଶୋଷ, ବିଦା ହୋଇଥାନ୍ତି ମାଗି ନିଜ ଦୋଷ ।
ଏହି ଯେ କନିକା, ଆସିଛି ମୁଁ ଉଡ଼ି, କି ଦାରୁଣ ଦୃଶ୍ୟ ! ଯାଏ ଚେତା ବୁଡ଼ି ।
ଯମଦୂତ ପ୍ରାୟେ କୃର ରାଜଥାଟ, ବୁଲନ୍ତି ଚୌଦିଗେ ଗ୍ରାମ ହାଟ ବାଟ ।
ଲୁଟନ୍ତି ପରଜା ଘର ବାଡ଼ିଖେତ, ମାରନ୍ତି ଚାପୁଡ଼ା କାହାକୁ ବା ବେତ;
କୁଳାଙ୍ଗନା ପରେ ଘୋର ଆକ୍ରମଣ, ବିକଳେ ବିଧୁରା କରଇ ରୋଦନ ।
କନିକାର ରାଜଧାନୀ ଚଉପାଶେ, ପ୍ରେତ ଆତ୍ମା ବେନି ଉଡ଼ଇ ଆକାଶେ ।
ବିନ୍ଦୁ ବିନ୍ଦୁ ରକ୍ତ ପଡ଼େ ତହୁଁ ତଳେ, ସେ ରକ୍ତେ ଭୀଷଣ ଅଗ୍ନିଶିଖା ଜଳେ ।
ସିଞ୍ଚି ସିଞ୍ଚି ଶୁଖେ ଗଞ୍ଜାନଦୀ ଜଳ, ନ ଲିଭି ପ୍ରବଳ ଜଳେ ସେ ଅନଳ ।
ଶୁଭେ ଚଉଦିଗେ କାତର ଚିତ୍କାର, ପଳାଏ ପରଜା ଛାଡ଼ି ଘରଦ୍ଵାର ।
ପଥେ ଗର୍ଭିଣୀର ଭୟେ ଗର୍ଭସ୍ରାବ, ଉଠଇ ଗୋଗୋଷ୍ଠେ ବିକଟାଳ ରାବ ।
ମହା ବିପର୍ଯ୍ୟୟ, ମହା ବିଭୀଷିକା, କମ୍ପେ ମହାତଙ୍କେ ଦୁଃଖିନୀ କନିକା ।
ବହେ ଅଣଚାଶ ଝଡ଼ ଝଞ୍ଜା ବାତ, ଏ କି ମୋ ଭୟଙ୍କର ଅଦ୍ଭୁତ ଉତ୍ପାତ ।
ଏ କି ମୋ କଳ୍ପନା-ସତ୍ୟ ନା ସ୍ଵପନ ? ବାଜେ ରେଳଘଣ୍ଟି, ଆସିଲା ଚେତନ ।
ଆଉ ଏକ ଘଣ୍ଟା ଛାଡ଼ିଦେବ ରେଳ, ଭଦରଖେ ପୂରି ଆସିଲା ମୋ ବେଳ ।
ଥାଅ ଗୋ ସାଳନ୍ଦି ! ଥାଅ ଭଦରଖ, ଦୁଃଖିନୀ କନିକାଠାରେ ସ୍ନେହ ରଖ ।
ଥାଅ ଗୋ କନିକା ! ଭୋଗି ଭାଗ୍ୟ-ଲେଖା, ବଞ୍ଚିଥିଲେ ପୁଣି ହେବ କେବେ ଦେଖା ।
ନ ତେଜ ସାହସ ନିରାଶ ନ ହୁଅ, ବହିଛି ନୟନୁ ତୋର ବହୁ ଲୁହ ।
ତୋର ଶତ ଶତ ନିରୀହ ସନ୍ତାନ, ସହିଛନ୍ତି କାରାକ୍ଲେଶ ଅପମାନ ।
ସହି ଏତେ କଷ୍ଟ ମନେ ନାହିଁ ଦ୍ଵେଷ, ନାହିଁ ହୃଦେ ହିଂସା ରୋଷ ସମାବେଶ ।
ମଲେ କିନ୍ତୁ ହାତ ନାହାନ୍ତି ଉଠାଇ, କର୍ମ କରିଛନ୍ତି ଧର୍ମ ଅନୁଯାୟୀ ।
ଭୋଗିଛୁ ପରାଣେ ପୀଡ଼ା ଆୟେ କ୍ଷତି, ଜାଗିଅଛି କିନ୍ତୁ ପରଜା ଶକତି।
ହେଉ ପଛେ ହେବ ଆଉ ଯେ ଯାତନା, ସତ୍ୟେ ଚଳି କର ସତ୍ୟର ସାଧନା ।
ସତ୍ୟେ ମାନବର ସତ୍ଵ ପରକାଶେ, ଭୀମ ରାଜଶକ୍ତି ନାଶେ ସତ୍ୟ ପାଶେ ।
ଭୋଗି ଯେବ ପ୍ରଜା ଘୋର ଅତ୍ୟାଚାର, ଆତୁରେ କରଇ କରୁଣ ଚିତ୍କାର,
ନୀରବେ ଗଡ଼ାଏ ନୟନୁ ଲୋତକ, ହୁଏ ଭୟେ ତାର ଛାତି ଦକ ଦକ,
ନିରାଶ ହୃଦୟ ବହେ ଦୀର୍ଘଶ୍ବାସ, ହେ କନିକାବାସି ! ରଖ ଏ ବିଶ୍ୱାସ,
ସେ ଉଷ୍ଣ ନିଶ୍ୱାସ ଅଶ୍ରୁ ବିସର୍ଜନ, ସେ ଦାରୁଣ ନାଦ ପ୍ରାଣ ପ୍ରକମ୍ପନ,
ନୁହେ ନିରର୍ଥକ, ନ ଯାଏ ବିଫଳ, ହୁଏ ସେ ଲୋତକେ ହିମାଚଳ ଜଳ ।
ସେ ନାଦେ କମ୍ପଇ ସ୍ୱର୍ଗସିଂହାସନ; ଶୀତଳ ସେ ଉଷ୍ଣ ଶ୍ୱାସେ ହୁତାଶନ ।
ସେ ପ୍ରାଣ ପ୍ରକମ୍ପେ କମ୍ପେ ବସୁମତି; କାଳେ ପ୍ରକଟଇ ଏ ଭୀମ ଶକତି ।
ପ୍ରପୀଡ଼ିତ ପ୍ରଜା ହୃଦୟ ନିଃସାର, ସଞ୍ଚେ ସାବଧାନେ କାଳ ବଳିୟାର ।
ଅଲକ୍ଷିତେ କରେ ଶକ୍ତି ଆୟୋଜନ, ନ୍ ଦେଖଇ ଯାହା ଅତ୍ୟାଚାରୀ ଜନ;
ଆସେ ଯେବେ ବେଳ, ପାଚେ କର୍ମଫଳ, ସହସା ସେ ବଳେ କମ୍ପେ ଜଳ ସ୍ଥଳ ।
ଦୁଃଖିନୀ କନିକା ନ ହୁଏ ଆତୁର, ହେଉ ନିର୍ଯ୍ୟାତନ ଧନଦ୍ରବ୍ୟ ଜୂର ।
ଧର୍ମ୍ମପକ୍ଷେ ଜୟ ସଦା ସୁନିଶ୍ଚୟ, ରଖ ହୃଦୟରେ ଏ ଦୃଢ଼ ପ୍ରତ୍ୟୟ ।
ପାହି ଆସିଅଛି ତୋର ଦୁଃଖ-ରାତି, ରଖ ନିଜ ଦାବୀ ଦମ୍ଭ କର ଛାତି ।
ନିଜ ଅଧିକାର ବୁଝି ଛାଡ଼ି ଭୟ, ଧେର୍ଯ୍ୟ ଧର ହେବ ନ୍ୟାୟଯୁଦ୍ଧେ ଜୟ ।
ପାଇବେ ତୋ ପୁଏ ନ୍ୟାୟ ଅଧିକାର, ଘୁଞ୍ଚିବ ଉତ୍କଟ ଚିର ଅତ୍ୟାଚାର ।
ତୋ ଆଦର୍ଶ ହେଉ ଉତ୍କଳେ ଅକ୍ଷୟ, ଜାଗୁ ପ୍ରଜାକୁଳ ତୁଟୁ ରାଜଭୟ ।
ମୋ ଶୁଭ କାମନା, ସ୍ନେହ ନେତ୍ରଜଳ, ଘେନ ଏଥି ମୋର ଏତିକି ସମ୍ବଳ ।
ଥାଅ ମା ସାଳନ୍ଦୀ-ତଟ-ବିହାରିଣୀ, ଜୟ ଭଦ୍ରକାଳୀ ସଙ୍କଟତାରିଣୀ !
କରେ ଏହି ଦୂରୁଁ ଚରଣେ ପ୍ରଣତି, ଦିଅ ମୋ ହୃଦୟେ ସାହସ ଶକତି ।
ମୋ ସାଧନା ପୁଣ୍ୟ ପୀଠ ହେଉ କାରା, ମୋ ପ୍ରାଣ ପ୍ରତିଷ୍ଠା କର ତହିଁ ତାରା ।
କର ମା କରୁଣା ଭଦରଖ ପ୍ରତି, ଭଦରଖବାସୀ ତୋ ଶିଶୁ ସନ୍ତତି ।
ହୁଅନ୍ତୁ ବଳିଷ୍ଠ କର୍ମଠ ସାହସୀ, ଗଲେ ଯାଉ ପ୍ରାଣ ବାଜୁ ବୁକେ ଅସି ।
ନ ଫେରନ୍ତୁ କେବେ ପଛକୁ କାତରେ, ସ୍ୱରାଜ୍ୟର ଶାନ୍ତି-ସଂଗ୍ରାମ ପ୍ରାନ୍ତରେ ।
କେତେ କି ଭାବନା ଜାଗେ ମୋ ଅନ୍ତରେ, ଜଣାଇବି କିବା ଏବେ ତରତରେ ।
ଥିଲେ ମୋର ବଳ ଓହ୍ଲାଇ ଏ କ୍ଷଣେ, କହିଥାନ୍ତି ସବୁ ଶ୍ରୀପଦ ଦର୍ଶନେ ।
ମାତ ଜଗଦମ୍ବା କୁଳକୁଣ୍ଡଳିନୀ, ଅଗୋଚର ତୋର କିବା ଗୋ ଭାବିନି !
ପ୍ରପୀଡ଼ନେ ପ୍ରଜା କରେ ହା ନା ନାଦ, ମିଳି ନାହିଁ କି ମା ତୋତେ ଏ ସମ୍ବାଦ ?
ଉନ୍ମୁକ୍ତ ପବନେ ଉନ୍ମୁକ୍ତ ଅମ୍ବରେ, ସ୍ୱଛନ୍ଦ ପରାଣେ ବିହଙ୍ଗ ସଞ୍ଚରେ ।
ବନେ କରେ ପଶୁ ସ୍ୱଚ୍ଛନ୍ଦେ ବିହାର, ନିର୍ଭୀକ ସେ, ନୁହେ ଅଧୀନ କାହାର ।
ତିମି ତିମିଙ୍ଗିଳ ମତ୍ସ୍ୟ ଜଳଚର, ଖେଳନ୍ତି ସଲିଳେ ନ ଜାଣନ୍ତି ଡର ।
ଭାରତେ କେବଳ ନର ତହୁଁ ହିନ, ନୁହେଁ ସେ ସ୍ୱଚ୍ଛନ୍ଦ, ନୁହେ ସେ ସ୍ୱାଧୀନ ।
ନାହିଁ ରବିତଳେ କାହିଁ ତାର ସ୍ଥାନ, ସର୍ବତ୍ର ତାଡ଼ନା ଘୋର ଅପମାନ ।
ନିଜ ବାସେ ହେଲେ ନାହିଁ ତାର ଶାନ୍ତି, ଭୋଗଇ ଗଞ୍ଜଣା କାହିଁ କେତେ ଘାନ୍ତି ।
ଭାରତ-ସନ୍ତାନ ଘୃଣ୍ୟ ଉପେକ୍ଷିତ, ଭାରତ ଭାରତୀ ଶୃଙ୍ଖଳା ପିହିତ ।
ଭାରତ ବିଭବେ ଅପର ବିଳାସୀ, ଭାରତ-ନିବାସୀ ଚିର ଉପବାସୀ ।
ନହୁଷ ଯଯାତି ଶିବି ମହାଯଶା, ଶାସିଲେ ଯେ ରାଜ୍ୟ ତାର ଏହି ଦଶା !
ରାମ ଯୁଧିଷ୍ଠିର ଯାର ନରପତି, ସେ ପ୍ରଜାକୁଳର ଆଜି ଏ ଦୁର୍ଗତି !
ସମଦର୍ଶୀ ଗୁଣେ ଯହିଁ ଆକବର, ତୋଷିଲେ ସକଳ ପରଜୀ-ଅନ୍ତର,
ସେ ରାଜ୍ୟର ପ୍ରଜା କେତେ କାଳ ଆଉ, ଭୋଗିବେ ଉତ୍କଟ ରାଜନୀତି ଦାଉ !
ଯେତେ ଦେବ ଦେବୀ ଅଛନ୍ତି ଉତ୍କଳେ, ଯାଆନ୍ତି ପରା ସେ ସର୍ବେ ନୀଳାଚଳେ ?
ବସେ ପରା ତହିଁ ଦେବସଭା ନିତି, ପଡେ ନାହିଁ କି ଏ ରାଜ୍ୟ ଗତି ସ୍ଥିତି ?
ପ୍ରଜା ଭୋଗେ ଯେତେ ଦୁଃଖ ଦୁରାଚାର, ସେସବୁ ତହିଁ କି ନ ହୁଏ ବିଚାର ?
ନ ହେଲେ ମା ଥରେ ପ୍ରଭୁଙ୍କ ନିକଟେ, ଏ ଦୁଃଖ ଗୁହାରି କରିବୁ ଆକଟେ ।
ବିସ୍ତାରି କହିବୁ ସବୁ କଥା ଟାଣେ; ଘେନିବେ ଯେପରି ଦିବ୍ୟ ଅବଧାନେ ।
କରୁଣା କଟାକ୍ଷେ ଚାହାନ୍ତୁ ସେ ବାରେ, ବାଜିବ ସ୍ୱରାଜ୍ୟ-ଶଙ୍ଖ ସିଂହଦ୍ୱାରେ ।
ଉଡିବ ଅମ୍ବରେ ସ୍ୱରାଜ୍ୟ-କେତନ, ପ୍ରତିଷ୍ଠତ ହେବ ସ୍ୱରାଜ୍ୟ-ଶାସନ ।
ଦେବପ୍ରତିଷ୍ଠିତ ମହର୍ଷିସମ୍ମତ, ଜାଣିବ ଭାରତ, ଦେଖିବ ଜଗତ ।
ବିରାଜିବ ବିଶ୍ୱେ ଏକତା ସମତା, ଶାନ୍ତି ଉଚ୍ଚାରିବେ ସ୍ୱରଗେ ଦେବତା । ୧୯୩ ।
 -- ସମାପ୍ତ --