କବିତା କଲ୍ଲୋଳିନୀ/ସର୍ପ ଜଣାଣ

ଉଇକିପାଠାଗାର ରୁ
Jump to navigation Jump to search
କବିତା କଲ୍ଲୋଳିନୀ ଲେଖକ/କବି: ବଳଦେବ ରଥ
ସର୍ପ ଜଣାଣ

(ରାଗ: କାମୋଦୀ) <poem>

ବାଧିଲା ଜାଣି କ୍ଷମା କର ନୋହିଲେ ରମାରମଣ ଦଣ୍ଡେ ଦିଅ ଟାଳି। ତୁମ୍ଭଙ୍କୁ ଜଗନ୍ନାଥ ଆଜ ମୋ ମନୋରଥ ଭରତି କରି ଦେବି ଗାଳି ହର କୃପାନିଧି। କରୁଣାସିନ୍ଧୁ ବୋଲି କରି, କହନ୍ତି ବୁଧେ ଡରି ମରି। କାଳସର୍ପ ଆପଣ, କବଳ କର ପ୍ରାଣ-ପବନମାନଙ୍କୁ ସବୁରି ହେ କୃପାନିଧି। ୧ ।

ଜଳଧି ଅନ୍ତେ ନିଜ, ଘର ଦେବାଧିରାଜ, ବୁଡ଼ାଇ ଦେଇଛ ଆପଣ। ତୁମ୍ଭରି ସିନା ଘେନ, ଆଶ୍ଚର୍ଯ୍ୟ ନୁହେ ଆନ, ଜନର ଘରବୁଡ଼ାପଣ ହେ କୃପାନିଧି। ଭୁଜଙ୍ଗ ସାମ୍ୟ ଆମ୍ଭ ତୁଲେ, ବତାଅ ବୋଲି ଆଜ୍ଞା ହେଲେ ମୁଁ ନୁହେଁ ଘରବୁଡ଼ା, ବତାଇବାକୁ ଛିଡ଼ା ହୋଇଛି ବତାଇବି ଭଲେ ହେ କୃପାନିଧି। ୨ ।

ତାହାକୁ ବୋଲି ଚକ୍ରୀ, ଚକ୍ରଥିବାରୁ ଚକ୍ରୀ, ତୁମ୍ଭେତ ବୋଲାଅ ମଣ୍ଡଳେ। ବୋଲାଇ କୁଣ୍ଡଳୀ ସେ ଆପଣ ତ ବିଶେଷେ ଭୂଷିତ ମକର କୁଣ୍ଡଳେ ହେ କୃପାନିଧି। ଅଦୃଶ୍ୟ ହେବାରୁ ତ ପାଦ, ତାହାକୁ ବୋଲି ଗୂଢ଼ପଦ। ଆପଣା ଚରଣ ତ ବିରଞ୍ଚିକୁ ଗୁପତ କାହିଁ ତାଠାରୁ ତୁମ୍ଭ ଭେଦ ହେ କୃପାନିଧି। ୩ ।

ହେବ ବା ଅବଧାନେ, ତାହାକୁ ତ୍ରିଭୁବନେ, ବୋଲନ୍ତି କାକୋଦର ନରେ। ଏ ତ୍ରିପିଷ୍ଟପଯାକ ମଧ୍ୟେ ଗୋଟିଏ କାକ ନାହିଁ କି ତୁମ୍ଭରି ଉଦରେ ହେ କୃପାନିଧି। ବିବରେ ସେ ଅତି ଲମ୍ପଟ, ବିବର ବିହଙ୍ଗମ ରାଟ, ବିଧିରେ ସେ ଲମ୍ପଟ, ଆପଣ ସେ ତ ପଟପଟଳେ ହୋଇଅଛ ସ୍ଫୁଟ ହେ ମହାପ୍ରଭୁ। ୪ ।

କାନ ନ ଥାଇ ଆଖି, ଭୁଜଙ୍ଗଠାରେ ଦେଖି, ନୟନଶ୍ରବା ବୋଲି ତାକୁ। କହ କମଳାନନ କାହିଁଛ ତୁମ କାନ, ସର୍ପ ବୋଇଲେ ଚଳିବାକୁ ହେ କୃପାନିଧି। ଫଣିକାୟାକୁ ବୋଲି ଭୋଗ, ଥିବାରୁ ସେ ଦୁଇ ସଂଯୋଗ, ତାହାକୁ ବୋଲି ଭୋଗି ତୁମ୍ଭେ କି ନୁହ ଭୋଗୀ କରୁ ଯା ଅଛ ମହାଭୋଗ, ହେ କୃପାନିଧି। ୫ ।

ଯେବେ ଭୁଜଙ୍ଗ ନୁହ, କାଳିୟଠାରେ ଦ୍ରୋହ କଲ କାହିଁକି ଏଡ଼େ କରି। କେତେ ନ ଥିଲେ ଗୋପେ, ତୁମ୍ଭେ କାହିଁକି କୋପେ,ତାହାକୁ ଦେଲ ପ୍ରାଣେ ମାରି ହେ କୃପାନିଧି। ତାହାରି ନାମେ ତୁମ୍ଭ ନାମ, ଅଦ୍ୟାପି ହୋଇଛି ଜନମ, ଯେବେ ସ୍ୱଗୋତ୍ର ଦ୍ରୋହ, ନ ଥାନ୍ତା ନାଥ କହ କିପାଇଁ ହୁଅନ୍ତା ଏ କ୍ରମ ହେ ମହାପ୍ରଭୁ। ୬ ।

ଜାଣି ବାଳୁତକାଳୁ, ଲବଣୀ ହାଣ୍ଡିତଳୁ, ଧରି ପାଶରେ ଦୃଢ଼େ ଭିଡ଼ି। ଦୟା ନ କରି ତିଳେ, ଯାମଳା ତରୁତଳେ ଜନନୀ ନେଇ ଦେଲେ ଛାଡ଼ି ହେ କୃପାନିଧି। ଯେତେକ ଥିଲା ଗର୍ଭେ ପଡ଼ି, ଜୀର୍ଣ ହେବାକୁ ହେଲ ଭିଡ଼ି, ତିନି ଜଗତ ଯାକେ, ଜାଣି ତ ଥିବେ ଲୋକେ ସେ ତରୁ ଯିବାର ଉପୁଡ଼ି ହେ କୃପାନିଧି। ୭ ।

ବ୍ରହ୍ମା ଶଙ୍କର ମୁଖ୍ୟ, ଦେବଙ୍କଠାରୁ ମୋକ୍ଷପ୍ରଧାନ ଧନ ଗୁପତ କଲ। ପତିତକୁ ନ ପୋଷି-ବାରୁ କ୍ରମରେ ଅଶୀବିଷ ପରାଏ ଆଭାସିଲ ହେ କୃପାନିଧି। ଅସାବଧାନେ ଗଲେ ମିଳି, ଗୋଟିକୁ ଗିଳଇ କୁଣ୍ଡଳୀ, ଅଗଣିତ ବ୍ରହ୍ମାଣ୍ଡ ହାଣ୍ଡିମଣ୍ଡଳୀ ରୁଣ୍ଡ କରି ଆପଣ ଅଛ ଗିଳି ହେ କୃପାନିଧି। ୮ ।

ଅହିତ ବୋଲାଏ ସେ, ଏକ ଅକ୍ଷର କୋଷେ, 'ଅ'ହିତ ବୋଲାଅ ନିପୁଣ। କଂସ ପ୍ରମୁଖାସୁର ବିପକ୍ଷମାନଙ୍କର ଅହିତ ହୋଇଛ ଆପଣ ହେ କୃପାନିଧି। ଜଗତେ ଧରି ଯେବେ ଅହି, ଘଟ ଗୋଟିକେ ନେଇ ଥୋଇ, ଅଛ ଯାବତ ଘଟେ, ବଞ୍ଚାଅ ଯେ କପଟେ, ମୋର ହାବୁଡୁ ଯିବ କାହିଁ, ହେ କୃପାନିଧି। ୯ ।

କେଉଁ ଶିଶୁ କାମିନୀ ସ୍ତନ୍ୟପାନରୁ ଘେନି ଜୀବନ ଯାଇଛି ଜଗତେ। ଶୋଷି ପୁତନା ପ୍ରାଣ ଘେନିବାର ଜୀବନ, ନାହିଁକି ତୁମ୍ଭ ଦିବ୍ୟ ଚିତ୍ତେ ହେ କୃପାନିଧି। ସକଳ କଥା ମୋର ଦେଖି, ଅଛନ୍ତି ଲକ୍ଷ ଲକ୍ଷ ସାକ୍ଷୀ, ବ୍ରଜେ ଭୁଜଙ୍ଗ ଚାଲି, କରି ମୁଁ ନାହିଁ ବୋଲି, ଛୁଅଁ ତ ଥରେ ଚକାଆକ୍ଷି ହେ କୃପାନିଧି। ୧୦ ।

ନୁହେ ଆବାସ ଘର, ମାନସ ସରୋବର ଶୁଭିଲା ନାଗେଶ୍ୱର ରବ। କ୍ଷଣେ ନ ରହି ଧାଇଁଗଲଟି କାହିଁପାଇଁ, ଆଉ ନ ଥିଲେ କେତେ ଦେବ ହେ କୃପାନିଧି। ମନ୍ତ୍ର ଜାଣିବା ଲୋକେ ବଶ, ହୁଅନ୍ତି ସବୁ ଆଶୀବିଷ, ମନ୍ତ୍ରାଧିନ ତ ତୁମ୍ଭେ, ବଞ୍ଚାଉଅଛ ଦମ୍ଭେ, ଭୁଜଙ୍ଗ ନୁହ ଆଉ କିସ ହେ କୃପାନିଧି। ୧୧ ।

କହଇ କବିସୂର୍ଯ୍ୟ ନାଥ ନୁହ ଅଧୈର୍ଯ୍ୟ ଏଣିକି ମହତ ନ ଯାଉ। ମୁଁ ତୁମ୍ଭ ପରିଚାର, ଜାଣିଲେ କି ବିଚାର ଇତରେ ନ ଜାଣନ୍ତୁ ଆଉ ହେ କୃପାନିଧି। ଯେତେବେଳେ ମୋ ଅନ୍ତ ହେବ, ଏତିକି ମାତ୍ର ମୋତେ ଦେବ, ପରେତରାଟ ଦ୍ୱାରସୀମାରୁ ପରିହାର କରାଇ ଯହିଁ ତହିଁ ନେବ ହେ କୃପାନିଧି। ୧୨ ।