ବାଳିକା ଓ ପକ୍ଷୀ
ବାଳିକା ଓ ପକ୍ଷୀ
ବାଳିକା -
ସାନ ଚଢ଼େଇରେ ସାନ ଚଢ଼େଇ ତୁ
ମୋ ପାଖକୁ ଆସ ଧାଇଁ,
ଶାଗୁଆ ବନର ପିଞ୍ଜରାଟିଏ ମୁଁ
ରଖିଛି ତୋହରି ପାଇଁ ।
ଅନେକ ସୁନ୍ଦର ଟିକି ଟିକି ଫୁଲ
ଦେବି ମୁହିଁ ତୋତେ ଆଣି,
ପାଚିଲା ପିଜୁଳି ଦେବି, ଲାଗିଥିବ
ଯହିଁରେ କାକର ପାଣି ।
ପକ୍ଷୀ -
ଧନ୍ୟ ଧନ୍ୟ ମୋର ଟିକି ଭଉଣୀ ଗୋ,
ତୁମରି ଯତନ ପାଇଁ,
ନିର୍ମଳ ଶୀତଳ ପବନ ସମାନ
ମୋର ପ୍ରିୟ ଆଉ ନାହିଁ ।
ପୁରାତନ ବରଗଛେ ଯେଉଁ ସାନ
ବସା ମୋହର ଅଛଇ,
ସୁନା ପିଞ୍ଜରାର ସୁଖଠାରୁ ତାହା
ଅନେକ ଭଲ ଅଟଇ ।
ବାଳିକା -
ସାନ ଚଢ଼େଇରେ ସାନ ଚଢ଼େଇ ତୁ
କେଉଁଠାକୁ ଯିବୁ ଉଡ଼ି,
ଯେତେବେଳେ ସବୁ ବିଲବାଡ଼ି ଯିବ
ବରଷା ଜଳରେ ବୁଡ଼ି ।
ଓଦା ହୋଇଯିବ ପୁରାତନ ବର-
ଗଛ ବରଷା ଜଳରେ,
ସାନ ଚଢ଼େଇରେ ସାନ ଚଢ଼େଇ ତୁ
ରହ ମୋହରି ସାଙ୍ଗରେ ।
ପକ୍ଷୀ -
ନାହିଁ ନାହିଁ ନାହିଁ ସାନ ବାଳିକା ଗୋ
ଉଡ଼ି ଚାଲିଯିବି ମୁହିଁ,
ଶ୍ୟାମଳ ବନର ବିଲ ଅଛି ପୁଣି
ନିର୍ମଳ ଆକାଶ ଯହିଁ ।
ଯେତେବେଳେ ନବ ବସନ୍ତ ଫେରିବ
ଦକ୍ଷିଣା ପବନ ସଙ୍ଗେ,
ସେତେବେଳେ ମୋର ଆନନ୍ଦ ସଙ୍ଗୀତ
ପୁଣି ମୁଁ ଗାଇବି ରଙ୍ଗେ ।
ବାଳିକା -
ସାନ ଚଢ଼େଇରେ ସାନ ଚଢ଼େଇ ତୋ
କିଏ ଦେଖାଇବ ପଥ ?
ନିର୍ଜନ ପର୍ବତ ପଥ ଭୟଙ୍କର
ବିଜନ ସମୁଦ୍ର ପଥ ।
ନିର୍ବୁଧିଆ ପକ୍ଷୀ ଆ'ରେ ମୋ ଘରେ
ମୋହରି ସାଥିରେ ଥିବୁ,
ନ ମାନି ମୋ ବୋଲ ଚାଲିଗଲେ ନିଶ୍ଚେ
ଜାଣିଥା ପଥ ହୁଡ଼ିବୁ ।
ପକ୍ଷୀ -
ଟିକି ଭଉଣୀ ଗୋ ଟିକି ଭଉଣୀ ଗୋ
ପଥ ଦେଖାନ୍ତି ଈଶ୍ୱର,
ନିର୍ଜନ ପର୍ବତ ଅବା ଜନପ୍ରାଣୀ-
ଶୂନ୍ୟ ସମୁଦ୍ର ଉପର ।
ପ୍ରଭାତ ପବନ ସମାନ ସ୍ୱାଧୀନ
ହୋଇ ମୁହିଁ ଉଡ଼ିଯିବି,
ସୂର୍ଯ୍ୟକିରଣର ପଛେ ପଛେ ଯିବି
କେଭେ ପଥ ନ ହୁଡ଼ିବି ।