ବୁଢ଼ାଶଙ୍ଖାରି

ଉଇକିପାଠାଗାର ରୁ
Jump to navigation Jump to search
ଏହି ନାମ ଥିବା ଅନ୍ୟ ରଚନାଗୁଡ଼ିକ ପାଇଁ ବୁଢ଼ାଶଙ୍ଖାରି (ଲକ୍ଷ୍ମୀକାନ୍ତ ମହାପାତ୍ର) ଆଉ ବୁଢ଼ାଶଙ୍ଖାରି ଦେଖନ୍ତୁ ।
ବୁଢ଼ାଶଙ୍ଖାରି
ଲେଖକ/କବି: ଲକ୍ଷ୍ମୀକାନ୍ତ ମହାପାତ୍ର

ପ୍ରାୟ ଫଗୁଣ ମାସ ଶେଷ ସରିକି, ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଗୋଟିଏ ଗାଁ ମଝିରେ ଯାଉଥିଲା । ଷାଠିଏ ବରଷର ବୁଢ଼ା, ଦାନ୍ତଗୁଡ଼ାକ ସବୁ ପଡ଼ିଗଲାଣି, ମୁଣ୍ଡବାଳ ତେଣିକି ଥାଉ, ଛାତି ବାଳଗୁଡ଼ାକ ପାଚି ଧୋବ ଫରଫର ଦିଶୁଛି । ବୁଢ଼ା ମୁଣ୍ଡରେ ଗୋଟିଏ ଟୋକେଇ, ଧୂଳିରେ ଆଣ୍ଠୁଯାକେ ବୁଡ଼ିଛି, ଅଷ୍ଟାଙ୍ଗ ଶରୀର ଝାଳରେ ବୁଡ଼ି ଗୋଡ଼ ବାଟେ ବହି ଯାଉଛି ।

ଗାଁ ମୁଣ୍ଡରେ ଗୋଟିଏ ଘର । ପକ୍କା ପିଣ୍ଡା, ସାତଶେଣିଆ ଛପର, ଯାଉଁଳି କବାଟ । ବୁଢ଼ା ସେହି ପିଣ୍ଡାରେ ବୋଝଟି ଥୋଇ ଦେଇ, ନଥ୍‌ କରି ବସି ପଡ଼ିଲା । କିଛିକ୍ଷଣି ପରେ ସେ ଘରୁ ଗୋଟିଏ ଦାସୀ ବାହାରି ଆସିଲା । ଦାସୀ ବୁଢ଼ାକୁ ଚିହ୍ନେ । ପଚାରିଲା, କିହୋ ଶଙ୍ଖାରି ପୁଅ, ଶଙ୍ଖା ଆଣିଛ କି ? ବୁଢ଼ା ଉତ୍ତର କଲା, ହଁ । ପୁଣି କହିଲା, ଝିଅ ଟୋପାଏ ପାଣି ଦିଅନ୍ତୁ, ବୁଢ଼ାମଣିଷ, ଖରାରେ ତଣ୍ଟି ଶୁଖି ଗଲାଣି । ଦାସୀ ପାଣି ଆଣିବାକୁ ଚାଲିଗଲା ।

କିଛିକ୍ଷଣ ପରେ ଲୋଟାଏ ପାଣି ଘେନି ଦାସୀ ଫେରି ଆସି ବୁଢ଼ା ପାଖରେ ଥୋଇଦେଲା । ବୁଢ଼ା ଉପରକୁ ଆଁ କରିଦେଇ ଢକ ଢକ କରି ଅଧଲୋଟାଏ ପାଣି ଟେକିଦେଲା । ପାଣି ପିଇ ସାରି ବୁଢ଼ା ଚଉରସ ନିଶ୍ବାସଟିଏ ମୁହଁ ବାଟେ ପକାଇ କହିଲା, ‘ଝିଅ, ତୋର ବଡ଼ ଧରମ ହେଲା ।’ ଦାସୀ କହିଲା, ‘ହଉ ହେଲା ତ ହେଲା ପଛକେ, ଚାଲ ବହୁ ସାଆନ୍ତାଣୀ ଡାକୁଛନ୍ତି, କିମିତିକା ଶଙ୍ଖା ଅଛି ଦେଖିବେ ।’ ବୁଢ଼ା ଟୋକେଇଟି ନେଇ ଉଠିଲା । ସଦର ଦରଜା ପାରି ହେଲେ ଭିତରେ ପକ୍କା ବାହାର, ସାମନାରେ ଚଉପାଢ଼ି, ବାଆଁ ପାଖକୁ ଭିତର ଆଡ଼ ଦୁଆର । ସେ ଦୁଆର ପାଖରେ ଓଢ଼ଣା ଦେଇ ବୋହୂଟିଏ ଛିଡ଼ା ହୋଇଥିଲା । ବୁଢ଼ା ଯାଇ ଟୋକେଇଟି ଥୋଇ ଛିଡ଼ା ହେଲା । ବୋହୂଟି ଧୀରେଧୀରେ ଦାସୀକି କହିଲା, ‘କି ଶଙ୍ଖା ଅଛି ପଚାର ମ ।’ ଦାସୀ ଟିକିଏ ମୁଖରା । ସେ କହିଲା, ‘ଛି ମ, ବୁଢ଼ା ମଣିଷଟାକୁ ଏତେ ଲାଜ । ନିଜେ ଟୋକେଇରୁ ଆସି ଦେଖୁନାହଁ ? କଥାଟା ମନକୁ ଆସିଲା । ବୋହୂଟି ଓଢ଼ଣା ଅଧେ ଟେକି ଦେଇ ମୁରୁକି ମୁରୁକି ହସି ହସିକା ବାହାରି ଆସି ଟୋକେଇ ପାଖରେ ଛିଡ଼ା ହେଲା । ବୋହୂଟିର ମୁହଁ ଦିଶିଗଲା । ମୁହଁଟି ଚକି କାଟି ଦେଲା ପରି ଗୋଲ୍‌ ଆଉ ଚମ୍ପାଫୁଲ ପରି ଗୋରା । ଚାରି ଆଙ୍ଗୁଳି ଓସାର, ନାଲି ତହିଁରେ ମୟୂରକଣ୍ଠିଆ କସ୍ତା ଖଣ୍ଡିକ ଗୋଇଠି ଯାଏ ଲମ୍ବିଛି । ତା’ ଭିତରେ ଦେଇ ବୋହୂଟିର କଞ୍ଚାସୁନା ପରି ଗୋରା, ଗୋଟିଏ ଚାଉଳରେ ଗଢ଼ା, ଦେହଟି ଫୁଟି ଦିଶୁଛି । ବୁଢ଼ାର ଆଖି ପୂରି ଉଠିଲା । ଏତେ ସୁନ୍ଦର, ଏଡ଼େ ନିଜର ବୋହୂଟିଏ ସେ କେବେ ଦେଖିନାହିଁ । ବୁଢ଼ା ଆଉ ଆଖି ଫେରାଇ ପାରିଲା ନାହିଁ । ଏକା ଧ୍ୟାନରେ ତାକୁ ଚାହିଁ ରହିଲା ।

ବୁଢ଼ାର ଇଚ୍ଛା କ’ଣ କହିବ ବୋଲି, କିନ୍ତୁ ପାଟିରୁ କଥା ଫୁଟିଲା ନାହିଁ । କେତେବେଳେକେ ବୁଢ଼ା ମୁହଁ ଫିଟାଇ କହିଲା, ‘ମା କି ଶଙ୍ଖା ନବୁ ନେ ।’ ମା’ ବୋଲି ଡାକି ଦେଲାକ୍ଷଣି ବୁଢ଼ାର ଛାତି କୁଣ୍ଢେ ମୋଟ ହୋଇଗଲା । ବୋହୂଟି ନାଜ ଛାଡ଼ି ଦେଇ କହିଲା, ‘ଅସ୍‌ମାନ୍‌ତାରା ଶଙ୍ଖା ଅଛି ?’ ଓଃ ଏଡ଼େ ମିଠାକଥା । ଏପରି କଥା ତ କେହି କହେ ନାହିଁ । ବୁଢ଼ାର କାନରେ ସେ ସ୍ବରଟା ଥରକୁ ଥର ବାଜିବାକୁ ଲାଗିଲା । ବୁଢ଼ା କହିଲା, ‘ନା, ମା, ରଙ୍ଗଝଲିରି, ବଉଳଫୁଲିଆ, ବିଛାମାଳିଆ, ଚୁନଟିପି ଏହିସବୁ ଅଛି । ଏହିଥିରୁ ଯାହା ନବୁ ମା, ମୁଁ ଆସ୍‌ମାନ୍‌ତାରା ତିଆରି ହେଲେ ଆଣିଦେବି ।’

ବୋହୂଟି ଦେଖି ଦେଖି ମୁଠାଏ ଶଙ୍ଖା ପସନ୍ଦ କଲା । ତେବେ ସେ ମୁଠାକ ହାତକୁ ହେବ କି ନାହିଁ କିଏ କହିବ ? ଏହି ସମୟରେ ‘ବୁଢ଼ା କହିଲା, ଦେ ମା, ହାତ ଦେ, ମୁଁ ଶଙ୍ଖା କଛି ଦିଏ ।’ ବୋହୂଟି ହଠାତ୍‌ ହାତ ବଢ଼ାଇ ଦେଉଛି ବା କିପରି ? ଟିକିଏ ଇତସ୍ତତଃ କଲା । ବୁଢ଼ା କହିଲା, ‘ମା’, ମୋତେ ନାଜ କରୁଛୁ ? ମୁଁ ପରା ତୋ ପୁଅ । ପୁଅକୁ ମା’ ନାଜ କରେ ନା ?”

ଦାସୀ ଏହି ସମୟରେ ଠୋ ଠୋ କରି ହସି ଦେଇ କହିଲା, ‘ବୋହୂ ସାଆନ୍ତାଣୀଏ ଆଛା ବୁଢ଼ା ପୁଅଟିଏ ପାଇଲ ଏକା, କପାଳ ତ !’ ବୋହୂଟି ପୁଣି ହସି ଦେଇ କହିଲା, ‘ଦୂର୍‌ ।’

ବୋହୂଟି ହାତ ବଢ଼ାଇଦେଲା । କେଡ଼େ ଟିକିଏ ଟିକି ହାତଟି । କେଡ଼େ ସୁନ୍ଦର ଗୋଲ । ଆଙ୍ଗୁଳିଗୁଡ଼ିକ ଚମ୍ପାକଢ଼ି ପରି । ପାପୁଲିଟି ଟୁଳ୍‌ ଟୁଳ୍‌ ହେଉଛି । ଶଙ୍ଖାଗୁଡ଼ିକ କି ସୁନ୍ଦର ଦିଶୁଛି । ଏ କ’ଣ ମଣିଷର ହାତ ? ନା, କେହି କାରିଗର ଠାକୁର ଗଢ଼ିଛି ? ସେ ହାତକୁ ବୁଢ଼ା ତା’ର ମଳିଆ, ରୁକ୍ଷ ହାତରେ ଧରିବାକୁ ସାହସ କଲା ନାହିଁ । ତା’ପରେ ବାଁ ହାତରେ ଥିରକରି ହାତଟି ଧରି ପରେ ଶଙ୍ଖା କିଛି କାଢ଼ିଲା । ଏ ହାତ, ଶଙ୍ଖାରେ କାଳେ କଟିଯିବ, ରକତ ବାହାରି ପଡ଼ିବ ଯେ ! ପୁଣି ଟିକିଏ ରହିଲା । ପୁଣି ଶଙ୍ଖାପଟିଏ ଆଣି ଧୀରେ ଧୀରେ ଅତି ସନ୍ତର୍ପଣରେ, ଅତି ସାବଧାନତାର ସହିତ ସେ ପଟକ କଛି ନେଲା । ସେ ହାତଟି ଧରିଥିବା ବେଳେ ବୁଢ଼ାର ଆନନ୍ଦର ସୀମା ରହୁ ନଥାଏ । ଯେପରି ତା’ର ଜୀବନର ସମସ୍ତ ସୁଖ, ସମସ୍ତ ଆଶାର ସେହିଠାରେ ତୃପ୍ତି । ସେ ହାତକୁ ପୁଣି ଛାଡ଼ି ଦେବାକୁ ହେଲା । ବୁଢ଼ା ଭାବିଲା, ମୁଁ ପ୍ରତିଦିନ ଏହିପରି ଏ ହାତରେ ଶଙ୍ଖା ପିନ୍ଧାନ୍ତି କି !

ଏହି ସମୟରେ ସେ ଘରର ସାଆନ୍ତାଣୀ ସେଠାରେ ଆସି ପହଞ୍ଚିଲେ । ଶାଶୁଙ୍କୁ ଦେଖି ବୋହୂଟି ଓଢ଼ଣା ଟାଣିଦେଇ ପଳାଇଲା । ଶାଶୁ ଦାସୀକୁ ପଚାରିଲେ, ‘‘କି’ ଲୋ, ଶଙ୍ଖା କିଣୁଥିଲୁ କି ?” ଦାସୀ କହିଲା, ‘ହଁ, ବୋହୁ ସାଆନ୍ତାଣୀ ଏହି ମୁଠାକ ନେବେ ବୋଲି କହୁଛନ୍ତି ।’

ଶାଶୁ କହିଲେ, ‘ଦାମ୍‌ କେତେ ?’ ବୁଢ଼ା-ଶଙ୍ଖାମୁଠାକ, କି ଦାମ୍‌ ? ଶାଶୁ-ଫେର୍‌, କେତେ ଦେବି ? ବୁଢ଼ା-ମା’ଠଉଁ ମୁଁ କ’ଣ ଦାମ୍‌ ନେବି ?

ଦାସୀ ହସି ହସି କହିଲା, ‘ସେଇ ପିଲାଟି ବୋହୂ ସାଆନ୍ତିଣୀଙ୍କ ପୁଅ ହୋଇଛି ।’ ଶାଶୁ ବି ହସିଲେ । ଆଛା, ଏଥର ଦାମ୍‌ ନେଇଥାଅ, ଆଉ ଥରକୁ ପଛେ ଖାଲି ଦେଇଯିବ । ତମେ ଗରିବ ଲୋକ । ବୁଢ଼ା- ନା’, ନା, ମୋ ମା’କୁ ମୁଁ ତ ଦେଇଛି; ମୁଁ ଆଉ ଦାମ୍‌ ନେବିନାହିଁ । ଶଙ୍ଖାମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ ।’

ଏହା କହି ଶଙ୍ଖାରି ଶଙ୍ଖାମୁଠାକ ରଖି ଦେଇ ବୋଝଟି ଧରି ଏକାବେଳକେ ଚାଲିଗଲା ! ଆଉ ଡାକିଲେ ଶୁଣିଲା ନାହିଁ । ଦାସୀ ପଛରେ ଗୋଡ଼େଇ ଗୋଡ଼େଇ ଗଲା; କିନ୍ତୁ ସେ ଆଉ ଫେରି ଚାହିଁଲା ନାହିଁ ।

ସେହି ଦିନଠଉଁ ସେ ବୁଢ଼ା ଶଙ୍ଖାରି ଦୁଇଦିନେ ତିନିଦିନେ ସେ ଗାଁକୁ ଆସେ । ଶଙ୍ଖାଟା କ’ଣ ଗୋଟାଏ ନିତିଦିନିଆ ଦରବ ଯେ ଲୋକେ ରୋଜ କିଣିବେ ! ଅକାଳେ ସକାଳେ, ପୂନେଇ ପରବରେ ସିନା କିଏ ନୂଆ ଶଙ୍ଖା ଖୋଜେ । ବୁଢ଼ାଟା ଖାଲି ଘର ଘର ବୁଲି ଫେରିଯାଏ; କିନ୍ତୁ ଶଙ୍ଖା ବିକ୍ରୀ ତ ବୁଢ଼ାର ଉଦ୍ଦେଶ୍ୟ ନୁହେଁ । ସିଏ ଆସେ ତା’ର ସେହି ନିଜ ମା’ଟିକୁ ଦେଖିବା ପାଇଁ । ଯେଉଁ ଦିନ ଆସେ, କାହାରିକୁ ନ କହି ଦୁଆରଯାକେ ଚାଲିଆସେ । ବୋଝ ରଖିବାକୁ ହୁଏ ନାହିଁ । ଖାଲି ପାଟିକରି ଡାକିଦିଏ, ‘‘ନୂଆ ଶଙ୍ଖା ନବ ?” ତା’ପାଟି ଶୁଣିଲାକ୍ଷଣି ବୋହୂଟି କୁଆଡ଼େ ଥାଏ, ଆସି ଦୁଆର ପାଖରେ ଟିକିଏ ଛିଡ଼ା ହୁଏ । ବୁଢ଼ାଟି ଟିକିଏ ଅନାଏ, ଚାହିଁଦେଲାକ୍ଷଣି ବୁଢ଼ାର ମନ ପୂରିଉଠେ । ପଚାରେ, ‘‘ମା’ ଆଉ ଶଙ୍ଖା ନବୁ ?” ବୁଢ଼ାର ଇଛା କାଳେ ନବାକୁ କହିବ, ତାହେଲେ ତା’ ମା’ର ଚମ୍ଫାଫୁଲିଆ ସୁନ୍ଦର ହାତଟିରେ ସେ ଶଙ୍ଖା କିଛି ଦେବ । କିନ୍ତୁ ବୋହୂଟି ମୁଣ୍ଡ ହଲାଇ ଦିଏ । ବୁଢ଼ା ଫେରି ଚାଲିଯାଏ ।

ଦିନେ ଦିନେ ଯଦି ବୋହୂଟିର ଆସିବାକୁ ଡେରିହୁଏ, ସେ ଦାସୀଟି ହୁରି କରିଦିଏ, “ବୋହୂ ସାଆନ୍ତାଣୀଏ, ତମ ପୁଅ ଅଇଲାଣି ।’’ ବୁଢ଼ା ଦୁଇଥର ‘ନୂଆ ଶଙ୍ଖା ନେବ’ ବୋଲି ଡାକିଲାରୁ ତା’ ମା’ଟି ଆସି ଛିଡ଼ା ହୁଏ । ବୁଢ଼ା ଯେଉଁ ଦିନ ଆସେ, ପ୍ରାୟ ଏହି କଥା ଏହି ଅଭିନୟ ନିତିନିତି । ବୁଢ଼ା ଫେରିଲାବେଳକୁ ଭାବେ, ମା’ର ଆସ୍‌ମାନ୍‌ତାରା ଶଙ୍ଖା ଉପରକୁ ମନ, କେବେ ସେଥିରୁ ମୁଠାଏ ଆଣିଦେବି । ଶେଷରେ ଠିକ୍‌ କଲା ଆସନ୍ତା ରଜସଙ୍କ୍ରାନ୍ତି ବେଳକୁ ଯୁଆଡ଼ୁ ହେଲେ ମା’ ଲାଗି ଆସ୍‌ମାନ୍‌ତାରା ମୁଠାଏ ଆଣିବି, ମା’ ନୂଆ ଶଙ୍ଖା ନାଇବ । ମୋତେ ହାତ ଦେଖାଇବ । ମୁଁ ଶଙ୍ଖା କିଛି ଦେବି । ଏହା ଭାବିଲାକ୍ଷଣି ବୁଢ଼ାର ମନ ଭାରି ଉତ୍‌ଫୁଲ୍ଲ ହୋଇଯାଏ । ବୁଢ଼ା ରଜସଙ୍କ୍ରାନ୍ତିକୁ ଚାହିଁ ରହିଥାଏ । ରଜସଙ୍କ୍ରାନ୍ତିଟି ଏଥର ତା’ର ଭାରି ଆନନ୍ଦର ଦିନ, ତା’ ମା’ ଲାଗି ସେ ଆସ୍‌ମାନ୍‌ତାରା ଶଙ୍ଖା ଆଣିବ, ମା’ କେଡ଼େ ଖୁସି ହେବ ।

ବୈଶାଖ ମାସ ହେଲା । ବୁଢ଼ା ଲୋକ, ଏଥିରେ ଖରାରେ ରୋଜ ବାଟଚଲା, ପାଣି ପିଆ, ଦେହରେ ସହିଲା ନାହିଁ । ବୁଢ଼ାକୁ ଜ୍ବର ହେଲା । ଦେଖୁଁ ଦେଖୁଁ ଭାରି ଜ୍ବର । ଗୋଡ଼ ହାତ ଫୁଲିଗଲା । ସମସ୍ତେ କହିଲେ, ଆଉ ବଞ୍ଚିବ ନାହିଁ । ବୁଢ଼ାର କିନ୍ତୁ ସେ ଦିଗକୁ ଭାବନା ନାହିଁ । ସେ ସବୁବେଳେ ଭାବି ହେଉଥାଏ ଯେ କେଉଁ ଦିନୁ ସେ ମା’କୁ ଦେଖିବାକୁ ଯାଇନାହିଁ । ସେଥିପାଇଁ ମନଟା ଆଉଟି ପାଉଟି ହେଉଥାଏ ।

ଦେଖୁ ଦେଖୁ ରଜସଙ୍କ୍ରାନ୍ତି ଆସି ପାଖ ହୋଇଗଲା । ବୁଢ଼ା ଦୁଇମାସ ହେଲା ମା’କୁ ଦେଖିବାକୁ ଯାଇନାହିଁ । ଚାଲି ପାରୁଥିଲେ ଯିମିତି ହେଲେ ଦେଖି ଆସୁଥାଆନ୍ତି । କିନ୍ତୁ ରଜକୁ ତ ଆସ୍‌ମାନ୍‌ତାରା ଶଙ୍ଖା ମୁଠାଏ ନିଶ୍ଚୟ ଦେବାକୁ ହେବ । ବୁଢ଼ା ଅନେକ କଷ୍ଟରେ ଉଠି ବସି ନିଜ ହାତରେ ଶଙ୍ଖା ତିଆରି କଲା । ଆଉକେହି କରିଦେଲେ କାଳେ ମା’ ମନକୁ ନଆସିବ । ଷାଠିଏ ବର୍ଷ କାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେତେ ହାତ ସଫେଇ ହାସଲ କରିଥିଲା, ସବୁ ସେଥିରେ ଲଗାଇଲା । ଦିନର କାମ ଚାରିଦିନ ଲାଗୁ ପଛକେ, କାମଟି କିମିତି ସରସ ହେଉ । ରଜ ଦୁଇଦିନ ଥାଇ କାମ ନିକାଶ ହେଲା । ମନ ଘେନି ଫଳ । ଏପରି ଗଢ଼ଣରେ ଶଙ୍ଖା ତା’ ଜୀବନରେ ତା’ ହାତରେ କେବେ ଉତୁରି ନାହିଁ । ଶଙ୍ଖା ଦେଖି ବୁଢ଼ାର ମନ ଭାରି ଖୁସି । ତା’ ମା’ ହାତକୁ ଏ ଶଙ୍ଖାମୁଠିକ ଖୁବ୍‌ ମାନିବ ।

ରଜ ଆଗଦିନ ପହିଲି ରଜ । ଆଜି ଝିଅବୋହୂ ନୂଆ ଶାଢ଼ୀ ପିନ୍ଧନ୍ତି । ରାତିସାରା ବୁଢ଼ାର ନିଦ ନାହିଁ । ସକାଳୁ ଉଠି ବୁଢ଼ା ଭାବିଲା, ମୁଁ ତ ଚାଲିପାରୁନାହିଁ, କ’ଣ କରିବି ? ଆଉ କିଏ ନେଇଗଲେ ତ ହେବନାହିଁ । ମା’କୁ ଢେର ଦିନୁ ଦେଖିନାହିଁ, ସତେ କ’ଣ ଏଥିରୁ ବଞ୍ଚିବି ଯେ, – ଥରେ ଦେଖିଆସେ । ଆଉ ମା’ର ସେହି ହାତରେ ଶଙ୍ଖା କଛି ଦେବି । ମା’ର ହାତଟି ମନେ ପଡ଼ିଗଲାକ୍ଷଣି ବୁଢ଼ାର ଗଦାଏ ବଳ ଆସିଲା । ବୁଢ଼ା ସଅଳ ସଅଳ ମୁଠାଏ ଖାଇ ଦେଇ, ଶଙ୍ଖାମୁଠିକ ଗାମୁଛାରେ ବାନ୍ଧି ବାହାରିଲା । ଅତି କଷ୍ଟରେ ଭଡ଼ାଏ ଭଡ଼ାଏ ପାଦ ପକାଇ ଚାଲିଥାଏ । ପାଞ୍ଚକୋଷ ବାଟ ପହୁଞ୍ଚିଲାବେଳକୁ ବେଳ ଗଡ଼ି ଗଲାଣି ।

ବୁଢ଼ା ଯାଇ ଯେଉଁଠାରେ ଛିଡ଼ା ହୋଇ ଡାକୁଥିଲା, ସେହିଠାରେ ଛିଡ଼ା ହେଲା । ମନରେ କେତେ ଆନନ୍ଦ, କେତେ ଉତ୍ସାହ । ଡାକିଲା, ‘ଶଙ୍ଖା ନେବ’ ? କେହି ଶୁଣିଲେ ନାହିଁ । ପୁଣି ଡାକିଲା, ‘ମା’ ଲୋ ! ଶଙ୍ଖା ନବୁ ପରା ? ତେବେ ବି କେହି ଆସିଲେ ନାହିଁ । ବୁଢ଼ା ଅଧୀର ହୋଇପଡ଼ିଲା । ଦୁଇଥର ଡାକି ସାରିଲାଣି, କେହି ଜବାବ ପଦେ ଦେଉନାହିଁ । ଥରେ ଡାକିଲେ ତ ମା’ ତାର ଆସି ଦୁଆରବନ୍ଧ ପାଖରେ ଛିଡ଼ା ହୋଇଯାଉଥିଲା । ପୁଣି ଡାକିଲା, ‘‘ମା’ ମୁଁ ଆସିଛି । ଶଙ୍ଖା ଆଣିଛି ତୋ ପାଇଁ । ଏଇଥର ସାଆନ୍ତାଣୀ ନିଜେ ବାହାରି ଆସିଲେ, ତାଙ୍କ ପଛେ ପଛେ ସେହି ଦାସୀ । ସାଆନ୍ତାଣୀଙ୍କୁ ଦେଖି ବୁଢ଼ା କହିଲା, ମୋ ମା’ କାହିଁ ? ମୁଁ ତା’ ପାଇଁ ଆସ୍‌ମାନ୍‌ତାରା ଶଙ୍ଖା ଆଣିଛି ରଜରେ ପିନ୍ଧିବ ।” ଦାସୀ ତ ଏତେବେଳକୁ ହୁରି କମ୍ପାଇ ଦିଅନ୍ତାଣି, ସେ କିଛି କହିଲା ନାହିଁ । ସାଆନ୍ତାଣୀ ଧୀରେ ଧୀରେ କହିଲେ, “ନା, ଶଙ୍ଖା ଲୋଡ଼ାନାହିଁ ।” ବୁଢ଼ା କହିଲା, “ନା, ନା, ମୁଁ ମୋ ମା’ ଲାଗି ବଡ଼ ଶରଧାରେ ଆଣିଛି ।”

ସାଆନ୍ତାଣୀ- ଯା, ଶଙ୍ଖା କେହି ନେବେ ନାହିଁ । ବୁଢ଼ା- ହଉ, ଶଙ୍ଖା ନନେଲେ ନାହିଁ, ମୋ ମା’କୁ ଥରେ ଡାକିଦିଅ, ମୁଁ ଦେଖିବି । କେଉଁ ଦିନରୁ ଦେଖିନାହିଁ ।

ସାଆନ୍ତାଣୀ – ଦେଖା ହୋଇପାରିବ ନାହିଁ । ବୁଢ଼ା ମୁଣ୍ଡରେ ବଜ୍ର ପଡ଼ିଲା- ‘ଦେଖା ହୋଇ ପାରିବ ନାହିଁ । ମୋ ମା’କୁ ମୁଁ ଥରେ ଦେଖି ପାରିବି ନାହିଁ ? ବୁଢ଼ାର ଆଖି ଛଳଛଳ ହୋଇ ଉଠିଲା ।’ ସେ କାନ୍ଦ କାନ୍ଦ ହୋଇ କହିଲା, ‘ଥରଟିଏ ଦେଖିବି, ମୁଁ ଆଉ ବଞ୍ଚିବି ନାହିଁ ।’

ସାଆନ୍ତାଣୀ ଦାସୀକୁ କହିଲେ, ‘ଯା, ବୋହୂକୁ ଡାକି ଦେ ।’ ଦାସୀ ଚାଲିଗଲା । କିଛିକ୍ଷଣ ପରେ ବୋହୁ ଆସି ଦୁଆର ପାଖେ ଛିଡ଼ା ହେଲା । ସେଇଠି ସେ ସବୁଦିନେ ଛିଡ଼ା ହୁଏ । ଆସିଲା ବେଳକୁ ଝୁମୁରୁଝୁମୁରୁ ହୋଇ ଚାଲିଆସେ । ଛିଡ଼ା ହୋଇ ବୁଢ଼ାକୁ ଚାହିଁଦିଏ । ତା’ର ହସହସ ମୁହଁଟି ଦେଖି ବୁଢ଼ାର ଆନନ୍ଦର ସୀମା ରହେନାହିଁ । ଆଜି ନିଃଶବ୍ଦରେ ଆସି ଛିଡ଼ା ହେଲା । ସେ ଚାରିଅଙ୍ଗୁଳି ଲେଖାଏଁ ନାଲି ଶାଢ଼ି ନାହିଁ କି କୁମ୍ଭ କିନାରୀ ଦକ୍ଷିଣୀ ପାଟ ନାହିଁ । ଗୋଡ଼ ଦୁଇଟା ଲଙ୍ଗଳା, ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା । ବୁଢ଼ାର ଦେହ ଥରି ଉଠିଲା, ମୁଣ୍ଡ ଘୁରିଗଲା । ବୁଢ଼ା ଆଖି ବୁଜି ପକାଇଲା । ପୁଣି ଚାହିଁ ଦେଲାବେଳକୁ ତା’ର ସେହି ହାତଟି ଦିଶିଲା, ହାତରେ କିଛି ନାହିଁ । ବୁଢ଼ା ଭୋ ଭୋ କରି ରଡ଼ିକରି ଉଠିଲା । ବୋହୂଟି ଫେରି ପଡ଼ି ଚାଲିଗଲା । ବୁଢ଼ା କହିଲା, ମା’ ମା’ । ବୁଢ଼ା ଆଉ କହିପାରିଲା ନାହିଁ । ଗାମୁଛାରୁ ତା’ର ବଡ଼ ଯତ୍ନର ବଡ଼ ଶରଧାର ଶଙ୍ଖା ମୁଠିକ ଫିଟାଇ ପକାଇ ବାହାରେ କଚାଡ଼ି ଦେଲା । ଶଙ୍ଖାମୁଠାକ ଯାକ ଚୁନା ହୋଇଗଲା । ତହୁଁ ସେ ଏକାମୁହାଁ ହୋଇ ଫେରିଚାଲିଗଲା । ଦାସୀ ଓ ଶାଶୁ ରଡ଼ି କରି ଉଠିଲେ ।