Jump to content

ବ୍ରହ୍ମଚାଳକ

ଉଇକିପାଠାଗାର‌ରୁ
ବ୍ରହ୍ମଚାଳକ
ଲେଖକ/କବି: ଭୀମ ଭୋଇ

ପ୍ରଶ୍ନ
ଶ୍ରୁତିରେ ପଣ୍ଡିତଜନ ବ୍ରାହ୍ମଣେ ହୋ ଶୁଣ
ବେଦ ପଢ଼ି ବଡ଼ପଣେ କୁହ ତୁମ୍ଭେ ଟାଣ ।
ତୁମ୍ଭେ ଶାସ୍ତ୍ର ସନ୍ଧ୍ୟା ପଢ଼ି ବୋଲାଅ ଯେ ବଡ଼
ବଶ୍ୟ ଶୂଦ୍ର କ୍ଷେତ୍ରିଙ୍କି ଦେଖିଲେ ବୋଲ ମୂଢ଼ ।
ବେଦ ଶାସ୍ତ୍ର ସନ୍ଧି ଯେତେ ପଢ଼ିଛକି ତୁମ୍ଭେ
କହିବ କି ଚାରିକଥା ପଚାରୁଛୁ ଆମ୍ଭେ ।
ବିଦ୍ୟା ପଢ଼ି ଜାଣ ଯେବେ କହ ଜାତି ବୃତ୍ତି
କେମନ୍ତ ଉପୁଜି ବ୍ରହ୍ମ ହୁଏ ଉତପତ୍ତି ।
ମାତା ରଜ ପିତା ବୀଜ ସଂଯୋଗ ସ୍ୱଭାବେ
କେଉଁଠାରେ ଥିଲ ବାବୁ ପଚାରୁଛୁ ଆମ୍ଭେ ।
କେଉଁରୂପେ ବସିଥିଲ କହ କେଉଁ ଭାବେ
ସ୍ଥିତି କହ ଏବେ ପଣ୍ଡା ପଚାରୁଛୁ ଆମ୍ଭେ ।
ଏ ଦେହ ଗୋଟି ତୁମ୍ଭର କେ କଲା ନିର୍ମାଣ
ମାତା ଗର୍ଭେ କେ ତୁମ୍ଭଙ୍କୁ ଦେଲା ପ୍ରାଣଦାନ ।
ସେ ପ୍ରାଣ କେତେ ଗୋଟା ହେଉଛି କେତେ ଜାତି
ତୁମ୍ଭେ ଯେ ପଣ୍ଡିତ ପଣ୍ଡା କରିଥିବ ସ୍ଥିତି ।
କେଉଁ ମନ୍ତ୍ର ଜପି କାହିଁ କରିପାର ହେତୁ
ପ୍ରଥମେ ପୁଚ୍ଛିଲୁ ପଣ୍ଡା ମାତାଗର୍ଭେ ତତ୍ତ୍ୱୁ ।
ମାତା ଗର୍ଭେ ତୁମ୍ଭ ସ୍କନ୍ଧେ ନଥିଲା ପଇତା
ସଂସକୃତ ପରାକୃତ କଲ ଦୁଇ ପୋଥା ।
ବେଦ ମନ୍ତ୍ର ସନ୍ଧ୍ୟା ସ୍ତୁତି କିଛିହିଁ ନ ଜାଣ
କଳି କରି କଥା ଶିଖି କୁହ କେତେ ଟାଣ ।
ବେଦ ବିଦ୍ୟା କେଉଁଠାରୁ ହୋଇଅଛି ଜାତ
କେତେଗୋଟି ଶବ୍ଦେ ଏହି ସଂସାର ସମ୍ଭୂତ ।
ପ୍ରଥମେ ହୋଇଲେ ଗୁରୁ ସାବିତ୍ରୀ ପ୍ରଧାନ
ତାହା ତୁମ୍ଭେ ଜପ କରି ହୋଇଲ ବ୍ରାହ୍ମଣ ।
ତ୍ରିସନ୍ଧ୍ୟା କାଳେଣ ତାକୁ ନିତି ଜଗୁଥାଅ
ସେ ଜପର ଠାବ କାହିଁ ଫେଡ଼ି କହିଦିଅ ।
ମନ୍ତ୍ର ଥିଲା ଠାବ ଗୋଟି ଦିଶଇ କେମନ୍ତ
କୁହ ତୁମ୍ଭେ ବ୍ରାହ୍ମଣେ ହୋ ମନ୍ତ୍ର ଦୀକ୍ଷା ତନ୍ତ୍ର ।
ସାବିତ୍ରୀ ମନ୍ତ୍ର ତୁମ୍ଭର ଚଉବିଂଶାକ୍ଷର
ବୀଜ ଆଠ ଅକ୍ଷରକୁ ଭିନ୍ନ ଭିନ୍ନ କର ।
ରଜ ମନ୍ତ୍ର କାହୁଁ ଜାତ ବୀଜ ଧାତୁ କେତେ
ପଣ୍ଡିତ ବ୍ରାହ୍ମଣେ ତୁମ୍ଭେ କହ କଥା ଏତେ ।
ଗାୟତ୍ରୀ ମନ୍ତ୍ର ତୁମ୍ଭର କେତେକ ଅକ୍ଷର
କେଉଁ କେଉଁ ଅକ୍ଷରର କେଉଁଠାରେ ଘର ।
ବତିଶ ଅକ୍ଷରକୁ ଯେ ବାରଗୋଟି ଛନ୍ଦ
କେ ଅଣ୍ଡିର କେ ମାଈ କେମନ୍ତ କରି ବନ୍ଦ ।
ନାଗଲୋକ ଭବଲୋକ ଦେବଲୋକ ତିନି
ଚାରି ବେଦ ଭିତରୁ ଏ ସବୁ ଅଛ ଆଣି ।
ମନ୍ତ୍ରମାନଙ୍କର ମୂଳ କେବଣ ଅକ୍ଷର
ନିଦାନ ଓଜ ବ୍ରହ୍ମ ସେ ନାମ ତା ଓଁ କାର ।
ବେଦ ମନ୍ତ୍ରମାନଙ୍କ ଉପରେ ସେହୁ ରାଜା
ପଚାଶ ଅକ୍ଷର ତାର ଅଟନ୍ତି ପରଜା ।
ଏଡ଼େବଡ଼ ଅକ୍ଷର ଏ କେଉଁଠାରେ ଅଛି
କେବଣ ଅକ୍ଷରୁ ଜାତ ବେଦ ସେ ହୋଇଛି ।
ଗାୟତ୍ରୀ ସାବିତ୍ରୀ ତହୁଁ ହୋଇଅଛି ଜାତ
ଓଁ କାର ଅକ୍ଷରୁ ସେହୁ ହୋଇଛି ସମ୍ଭୂତ ।
ଅଜପା ଅଜଣା ମୂଳେ ଯେତେ ମନ୍ତ୍ରମାନ
କେଉଁ ମନ୍ତ୍ର କାହା ଠାରୁ ହୋଇଲା ଜନମ ।
ପଚାଶ ଅକ୍ଷରୁ କେ ଅଣ୍ଡିର କେତେଜ ମାଈ
ଏ ଅକ୍ଷର ମାନଙ୍କର ବୀଜ ଦିଅ କହି ।
କହ ଏବେ ବ୍ରାହ୍ମଣେ ହେ ଦାନର ବିଚାର
କେଉଁ ଘରେ ବସେ ଯାଇ କେବଣ ଅକ୍ଷର ।
ଗାଈ ଦେହେ ଗାୟତ୍ରୀକି କହ ହେ ବସାଇ
କେମନ୍ତ ପ୍ରକାର ଦାନ ଘେନ ହୋ ଗୋସାଇଁ ।
ମଲା ଲୋକ ଦାନ ଦେଲେ ତୁମ୍ଭେ ଘେନି ଯାଅ
ସେ ଦାନକୁ ଆଣି ତୁମ୍ଭେ ବିକି ଭାଙ୍ଗି ଖାଅ ।
ମଲା ଲୋକ ପୁଣି ଜନ୍ମ ହୁଅଇ କାହିଁ ରେ
ଦାନ ଦେଲା ଦ୍ରବ୍ୟ ତାଙ୍କୁ ଦିଅ କେଉଁଠାରେ ।
ମଲା ଲୋକ ଦେଲା ଦାନ କେମନ୍ତ ପ୍ରାପତ
ଏ କଥା କହିବ ପଣ୍ଡା ଜାଣ ଯେବେ ତତ୍ତ୍ୱ ।
ଆହୁରି କଥାଏ ଅଛି ପଚାରୁଛୁ ଆମ୍ଭେ
ନିତି ପ୍ରତି ଅଗ୍ନି ମୁଖେ ହୋମକର ତୁମ୍ଭେ ।
କାହୁଁ ଉପୁଜିଲା ଅଗ୍ନି କେତେ ମୂର୍ତ୍ତି ହୋଇ
କେତେ ମୂର୍ତ୍ତି ହୋଇ ଅଗ୍ନି ଜଳି ଉଠୁଥାଇ ।
କେବଣ ଶିଖାରେ ପୂର୍ଣ୍ଣ ଆହୁତିକି ଦିଅ
କେବଣ ଶିଖାରେ କି କି ନାମ ଫେଡ଼ି କହ ।
କେଉଁ ସ୍ୱାହା ବେଦ ମନ୍ତ୍ର ଉଚ୍ଚାରଣ କର
କେଉଁ ସ୍ୱାହା ମନ୍ତ୍ର ଜନ୍ମ ମନ୍ତ୍ରଣ ସଙ୍ଗର ।
କେଉଁ ସ୍ୱାହା ମନ୍ତ୍ର ଚାରି ଦେବଙ୍କର ମୂଳ
କେଉଁ ସ୍ୱାହା ମୂଳମନ୍ତ୍ରେ ଅଗ୍ନି ଘୃତ ଢାଳ ।
କେଉଁ ସ୍ୱାହା ମନ୍ତ୍ରେ ସର୍ବ ଦେବତାଙ୍କୁ ତୋଷ
ସ୍ୱାହା ମନ୍ତ୍ର କାହୁଁ ପଣ୍ଡା ହୋଇଲା ପ୍ରକାଶ ।
ବ୍ରାହ୍ମଣ ବୋଲାଅ ବ୍ରହ୍ମ ଚିହ୍ନିଛ କି ତୁମ୍ଭେ
କେମନ୍ତ ଦିଶଇ ବ୍ରହ୍ମ ପଚାରୁଛୁଁ ଆମ୍ଭେ ।
ବ୍ରହ୍ମାଣ୍ଡ ଗୋଟାକୁ ବ୍ରହ୍ମ ଧରିଛି କେମନ୍ତେ
କେମନ୍ତ ପ୍ରକାରେ ବ୍ରହ୍ମ ଅଛି ଏ ଜଗତେ ।
ଉଚ୍ଚ କେତେ ମୋଟ କେତେ ଗୋଟିକେତେ ମୋଟା
କହ ହେ ବ୍ରାହ୍ମଣମାନେ ବ୍ରହ୍ମ କେଉଁ ଗୋଟା ।
କେଡ଼େ ଉଚ୍ଚ ବଡ଼ ଅଛି କେମନ୍ତ ତା ବର୍ଣ୍ଣ
ତୁମ୍ଭେ ଯେ ପଣ୍ଡିତ କହ ଦେଖିବା ତା ଚିହ୍ନ ।
ବେଦ ବିଦ୍ୟା ପଢ଼ି ତୁମ୍ଭେ ପଣ୍ଡିତ ବୋଲାଅ
ଆଉ କଥାଏ ପଚାରୁଁ ତୁମ୍ଭେ କହିଦିଅ ।
ସକାଳୁ ସ୍ନାହାନ କରି ଯାଅ ରାଜାଘର
ରାଜାଙ୍କୁ କଲ୍ୟାଣ ତୁମ୍ଭେ ନିତି ପ୍ରତି କର ।
ସେ କଲ୍ୟାଣ ରାଜା ଅଙ୍ଗେ ବସେ କେଉଁ ଠାଇଁ
ରାଜା ମାନି ହସ୍ତ ପାତି ଥୁଅ କାହିଁ ନେଇ ।
ସେ କଲ୍ୟାଣ ଗୋଟା ଏବେ କହ ସୂତ୍ର କରି
ଅର୍ଥ ସୂତ୍ର ନ ଜାଣିଲେ ଶୁଦ୍ର ସଙ୍ଗେ ସରି ।
କାର୍ତ୍ତିକ ମାଘ ସ୍ନାହାନେ ଆସ ଯେ ଗାଧୋଇ
ମଳ ମୂତ୍ର ହାଣ୍ଡିଏ ପେଟରେ ପୂରି ଥାଇ ।
ଗର୍ଭ ଉଦର ଭିତର ନିରୋଳ ନ କରି
ବାହାରେ ଉଜ୍ଜ୍ୱଳ ଯେ ଭିତରେ ମଳ ଭରି ।
ସୂତାର ପଇତା ନାଡ଼େ ବୋହିଥାଅ ବେକେ
ନିନ୍ଦା କରି କହୁଥାଅ ତିନିପୁର ଯାକେ ।
ତୁମ୍ଭରି ବ୍ରାହ୍ମଣ କନ୍ଧେ ନ ଥାଏ ପଇତା
କେମନ୍ତେ ବୋଲାଅ ତୁମ୍ଭେ ବ୍ରାହ୍ମଣୀ ଘଇତା ।
ଦେଶ ମାଗି ବୁଲ ବ୍ରାହ୍ମଣ ପଇତା ପିନ୍ଧି
ବ୍ରହ୍ମଗଣ୍ଠି ପଇତାର ନ ଜାଣ ଯେ ସନ୍ଧି ।
ନବ ଗୁଣ ପଇତାର ଲକ୍ଷେ ବ୍ରହ୍ମଗଣ୍ଠି
ମହା ବ୍ରହ୍ମ ପୈତା ପିନ୍ଧି ନ ପାରିଲ ଉଠି ।
ନିର୍ଗୁଣ ପଇତା ବ୍ରହ୍ମା ତୁମକୁ ନ ଦେଲେ
ନିର୍ଗୁଣ ଗଣ୍ଠିକି ବହି ନପାରି ବୋଇଲେ ।
ଆଦି ବ୍ରହ୍ମ ପଇତା ହୃଦରେ ଅଛି ଜଡ଼ି
ଯେଉଁ ପଇତାର ବ୍ରହ୍ମ ଗଣ୍ଠି ଅଛି ପଡ଼ି ।
ସେ ଗଣ୍ଠିରେ ଆତ୍ମା ଯାଇ କରିଅଛି ଘର
ସେ ପଇତା ଛାଡ଼ିଲେ କେ କରିବ ଆହାର ।
ସେ ମୂଳ ପଇତା ପଣ୍ଡା ଭଲ କରି ଚିହ୍ନ
ସେ ପଇତା ଅଟେ ସିନା ସଂସାର ଭିଆଣ ।
ବ୍ରାହ୍ମଣୀ କନ୍ଧ ପଇତା ବ୍ରାହ୍ମଣେ ପିନ୍ଧିଲ
ବ୍ରହ୍ମ ଗଣ୍ଠି ପଇତାକୁ ଦିନେ ନ ଜପିଲ ।
ଆଦ୍ୟ ମଧ୍ୟ ଅନ୍ତ ପ୍ରାନ୍ତ ଏହି ଚାରି କଥା
ଚାରି ବେଦ କହୁଛନ୍ତି ଏ ଚାରି ବାରତା ।
ଏହି ଚାରି କଥା ବେଦ ବେଦାନ୍ତର ଅନ୍ତ
ପଚାରିଲୁ ଚାରି ବେଦ କହ ପଣ୍ଡା ସତ୍ୟ ।
ବ୍ରାହ୍ମଣୀ ପଇତା ସେବା କରୁଥାଉ ତାର
ତୁମ୍ଭ ବ୍ରହ୍ମ ଗଣ୍ଠି କହ ବ୍ରାହ୍ମଣ କୁମର ।
ଏ ଦୁଇ ଜାଣିଲେ ବିପ୍ର ନୁହଇ ଶବର
ଶବର ଝିଅରେ ତୁମ୍ଭେ କରିଅଛ ଘର ।
ଯେ ଯାହା ସ୍ୱଭାବ ଜାତ ସଂସାର ଭିଆଣ
ବେଦ ଭେଦ ଶିଖି ପଢ଼ି କହ କେତେ ଟାଣ ।
ସୁଜ୍ଞାନୀ ପଣ୍ଡିତ ଯେ ଜାଣିବ ଏତେ ସନ୍ଧି
ନ ଜାଣିଲେ ବ୍ରହ୍ମ ସନ୍ଧି ନିଶ୍ଚେ ହେବ ବନ୍ଦୀ ।
ପଚାରିଲେ ବ୍ରହ୍ମ ଗଣ୍ଠି ଗୀତାର ଯେ ଭେଦ
ଛଡ଼ଚକ୍ର ଜିଣି ବ୍ରହ୍ମ ଗଣ୍ଠିର ଯେ ଭେଦ ।
ନ ଜାଣିଲେ ଖୋଜ ପଣ୍ଡା ଛଡ଼ଚକ୍ରେ ଖୋଜି
ନ ମର ମିଛେ ହେ ପଣ୍ଡା ବୁଝ ଆତ୍ମା ମଜ୍ଜି ।
ଶୁଣ ହେ ସୁଜନେ ବ୍ରହ୍ମ ଚାଳକ ରହସ୍ୟ
ପ୍ରଶ୍ନରେ ଭଣିଲେ ଭୀମ ଭୋଇ ହୀନ ଦାସ ।
ବ୍ରାହ୍ମଣ ଉତ୍ତର
ଯାହା ପଚାରିଲ ତୁମ୍ଭେ ଈଶ୍ୱର ଗୋସାଇଁ
ଚାରି ଦ୍ୱାରେ ଚାରି ବେଦ ଭକ୍ତି ଭାବେ କହି ।
ତ୍ରି ସନ୍ଧ୍ୟା ଗାୟତ୍ରୀ ଆମ୍ଭ ପଦ ଛତ୍ର ଜାଣ
ବ୍ରହ୍ମକୁ ଚିହ୍ନିଣ ଆମେ ବୋଲାଉ ବ୍ରାହ୍ମଣ ।
ଯାହା ପଚାରିଲ ଦାସେ କହୁଅଛୁଁ ଆମ୍ଭେ
ଭକ୍ତି ଯୋଗ ଘେନିଣ ବିଚାର କର ତୁମ୍ଭେ ।
କାୟା ଯେ କୋମଳ ଧୂନି ଉତ୍ତରୀ ପବନ
ଏହା ପଚାରିଲ ନିକି ବୋଲାଅ ବ୍ରାହ୍ମଣ ।
ନବଗୁଣ ପଇତାର ଶିଶୁ ବେଦ ଘର
ଗଣ୍ଠି ଗୋଟି ପଡ଼େ ଦାସେ ତୃତୀୟ ସ୍ଥାନର ।
ପଚାଶ ଅକ୍ଷର ମୂଳେ ପଞ୍ଚଷଠି ଦଳ
ଛଡ଼ଚକ୍ର ପଚାଶ ଅକ୍ଷର ଏହୁ ଠୁଳ ।
ବାର କଳା ଘେନି ମନ୍ତ୍ର ହୋଇଅଛି ରୁଣ୍ଡ
ଚୌଷଠି କାଠିରେ ଆତ୍ମା ହୋଇଛି ବ୍ରହ୍ମାଣ୍ଡ ।
ଅଣଚାଶ ପବନ ଏ ବ୍ରହ୍ମାଣ୍ଡ ଭିତର
ନବ ଦ୍ୱାଦଶ ଜଳରେ ହୋଇଅଛି ଠୁଳ ।
ପଶ୍ଚିମ ଦିଗରେ ବାରମାତ୍ରା ଜଳେ ଧନି
ଆତ୍ମାକୁ ସୁମରି ଏହା କହିଲୁ ସୁଜ୍ଞାନୀ ।
ବିଚିତ୍ର ବିନ୍ଧାଣି ଏ ପାଣ୍ଡୋଇ କଲା କର୍ମ
ରଜନୀ ଦିବସେ ଚାଲୁ ଦ୍ୱାଦଶ ଯୋଜନ ।
ସିଦ୍ଧ ସରୋବରେ ଆମ୍ଭେ କଲୁ ଗୋ ସ୍ନାହାନ
ଅନ୍ନ ବସ୍ତ୍ର ଦାନ ଆମ୍ଭ ବ୍ରହ୍ମରେ ବହନ ।
ହୋମ ଯଜ୍ଞ କରୁ ଆମ୍ଭେ ଅମନ ମନ୍ଦିରେ
ସ୍ୱାହା ଶବଦ ଶୁଭଇ ନିଶବଦ ଘରେ ।
ଶବ ଡ଼ାଙ୍ଗ ଲମ୍ବ ଦୀର୍ଘ ଚୌବିଂଶ ଯୋଜନ
ଏକସେର ଗୁଆ ଘୃତ କରୁ ହୋ ଦହନ ।
ଧୃତି ଉତ୍ରୀ ତମ୍ବା ବ୍ରହ୍ମରୁ ପ୍ରକାଶ
ଦ୍ୱାଦଶ ତିଳକ ଦାସେ ଅମନ ଉଶ୍ୱାସ ।
ଏକ ନେତ ଗୋଟି ଦାସେ ଶିରପରେ ଥାଇ
ଏକ ରୁଅ ବେନି ବତା ଗଣ୍ଡିରେ ସମ୍ଭାଇ ।
ଅଧିକ ଲୁଚାଏ ଆଉ ଲୋଡ଼ିଲେ ନ ପାଇ
ପ୍ରମାଣେ କହିଲୁ ଦାସେ ଭକ୍ତିଭାବେ ରହି ।
ଆଦ୍ୟ ହେତୁ ନାହିଁ ଯାର ଜଡ଼ା ଭାବେ ଭୋଳ
କାହାକୁ ପାଇବୁ ବୋଲି ଜପ କାଷ୍ଠମାଳ ।
କାଷ୍ଠମାଳା ପାଷାଣ ରୁଦ୍ରାକ୍ଷ ଚନ୍ଦ୍ରିକାରେ
ପୁଷ୍କର ପାଇଲା ଜପ ମାଣିକ ମାଳରେ ।
ମୁକ୍ତାହସ ରେଖାଟିରେ ମାଳା ଜୟଥାଅ
ଚିଟା ଲାଗିଲେଣ ମାଳ ସଂହାରିଣ ଥୁଅ ।
ମାଳ ତୁମ୍ଭ ଖଣ୍ଡ ଖଣ୍ଡ ଭଜନାଦି ଖଣ୍ଡ
ଆତ୍ମାକୁ ନ ଚିହ୍ନି ହୃଦେ ବୋହିଅଛ ଦଣ୍ଡ ।
ସୁବର୍ଣ୍ଣ ଶଙ୍ଖ ମୁକୁତା ଆଦି ଯେତେ ମାଳ
କଣ୍ଠରେ ଭରିଣ ତୁମ୍ଭେ କରିଅଛ ଠୁଳ ।
ତୁଳସୀ କାଷ୍ଠ ମାଳାରେ କରିଅଛ କଣ୍ଠି
ଖାଡ଼ ବଳଦ ବେକରେ ଯେସନେକ ଘଣ୍ଟି ।
ସେହିମତି ମାଳମାନ ଜପକର ସିନା
ଆଉ କେଉଁ ମାଳା ଅଛି ଜପକର କିନା ।
ମାଳ ନାହିଁ ଜପ ନାହିଁ ନାହିଁ କରମାଳା
ଆଦ୍ୟରେ ଜନ୍ମିଲା ଜୀବ ଘେନି କେତେ କଳା ।
ବିଷୟା ଧନ୍ଦାରେ ପଡ଼ି କରୁଅଛ କର୍ମ
ଆଦ୍ୟ ହେତୁ ନ ଜାଣି ତୁମ୍ଭେ ହେଉଅଛ ଭ୍ରମ ।
ମାଳାରେ ନ ଥାଇ ସେତ ଭଜନାରେ ନାହିଁ
ମାଳା ଭଜନାରେ ଜ୍ଞାନ ପାଇବ ସେ କାହିଁ ।
ବାର ମାତ୍ରା ଚଉବଂଶ ଅକ୍ଷର ଏ ଯେତେ
ମନ୍ତ୍ର ଯନ୍ତ୍ର ଆଦିକରି ସ୍ଥାପିତ ଜଗତେ ।
ଏତେ ମନ୍ତ୍ର ଜପି ତୁମ୍ଭେ ମାଳ ଧରି ଭଜ
କେଉଁ ମନ୍ତ୍ର ଜପି କରି କାହିଁ ରେ ନିମଜ୍ଜ ।
ମାଳରେ ନ ଥାଇ ସେତ ଭଜନାରେ ନାହିଁ
ମନ୍ତ୍ର ଯନ୍ତ୍ର ନାହିଁ ମାଳ ଶୂନ୍ୟ ଅଛି ରହି ।
ସୋହଂସ ଭଜନ ସିନା ଅଟେ ବ୍ରହ୍ମ ମୂଳ
ଅନାମ ଭଜନା କୃତ ନାହିଁ ପ୍ରତି ତୁଳ ।
ବାସନା ଭଜଇ ସେ ନିୟତ ଭଜେ କିସ
ତାହାକୁ ତରକ ବ୍ରହ୍ମ ହୋଇଥାଇ ଦୃଶ୍ୟ ।
ସେ ବ୍ରାହ୍ମଣ ବ୍ରହ୍ମଦର୍ଶୀ ବୋଲିଟି ତାହାଙ୍କୁ
ମାୟା କାଟି କାୟାରେଟି ଚିହ୍ନିଛି ବ୍ରହ୍ମକୁ ।
ତାହାଙ୍କୁଟି ବ୍ରହ୍ମଜ୍ଞାନୀ ବୋଲନ୍ତି ସୁଜନେ
ବ୍ରହ୍ମଦର୍ଶୀ ବୋଲି ତାଙ୍କୁ ବୋଲ ସୁଜ୍ଞଜନେ ।
ସେହି ଜାଣନ୍ତି ବ୍ରହ୍ମ ନାହିଁ ବର୍ଣ୍ଣଚିହ୍ନ
ମନକୁ ଭଜିଣ ସେ ଯେ କରୁଅଛି ଧ୍ୟାନ ।
ଅନାମରୁ ନାମ ସ୍ଥାନ ନାହିଁ ଆଦ୍ୟ ଅନ୍ତ
ନାମ ନାସ୍ତି ଶବ୍ଦ ନାସ୍ତି ନାସ୍ତି ପଞ୍ଚଭୂତ ।
ନିଶବ୍ଦରୁ ଶିଶୁବେଦ ଜାଣନ୍ତି ମହେଶ
ତହିଁପରେ ଚନ୍ଦ୍ର ସୂର୍ଯ୍ୟ ନାହିଁ ଦଶଦିଶ ।
ତହିଁପରେ ଅଣାକାର ଅକ୍ଷର ନୁହଇ
ନାଦ ଶବ୍ଦ ନାହିଁ ନାସ୍ତି ନିଶବଦ କହି ।
ଅଣାକାର ଅଣାକ୍ଷର ଅଲେଖ ମଣ୍ଡଳ
ଆପ ନାହିଁ ତେଜ ନାହିଁ ନାହିଁ ଶୂନ୍ୟ ଠୁଳ ।
ନିର୍ମଳ ନିର୍ଗୁଣ ଜ୍ଞାନ ମହିମାଟି ସେହି
ପରମ ନିର୍ଗୁଣ ଯେ ଅଣାକାର ଦେହୀ ।
ଋଷି ତପୀ ଯୋଗୀ ଜନ ମହିମା କହନ୍ତି
ନିର୍ଗୁଣ ନିଷ୍କାମ ଜ୍ଞାନ ଅଭ୍ୟାସୁ ଅଛନ୍ତି ।
ମାର୍କଣ୍ଡ ଭୁଷଣ୍ଡ ରୋମାଞ୍ଚାଦି ଯେତେ ଋଷି
ଅଣାକାର ଅଣାକ୍ଷର ଧ୍ୟାନ ଦିବା ନିଶି ।
ଏହିମତେ ସପ୍ତଋଷି କରୁଛନ୍ତି ଲୟେ
କହନ୍ତି ମାଧବ ଦାସେ ନାହିଁ ମୃତ୍ୟୁ ଭୟେ ।
ଭ୍ରମଭ୍ରାନ୍ତି ନାହିଁ ମୋର ଶୁଣ ଆଦିଗୁପ୍ତ
ଶ୍ରୀଗୁରୁଙ୍କ ପାଦତଳେ ରହୁ ମୋର ଚିତ୍ତ ।
ସାଧୁ ସୁଜ୍ଞଜନେ ମୋର ନ ଧରିବ ଦୋଷ
ଶ୍ରୀଗୁରୁ ଆଜ୍ଞାରେ ଜ୍ଞାନ ହୋଇଲା ପ୍ରକାଶ ।
ନିଷ୍କାମ ସୁଜ୍ଞାନ ଏ ଯେ ଅଟଇ ଅମୃତ
ପିଅ ହେ ସୁଜନ ଜନେ ହୋଇ କୃତ୍ୟ କୃତ୍ୟ ।
ଚୌରାଳିଶ ପଦ ଏହୁ ହୋଇଲା ସମ୍ପୂର୍ଣ୍ଣ
ଅରୂପରୁ ରୂପ ରାଶି ନାହିଁ ବର୍ଣ୍ଣ ଚିହ୍ନ ।
ପାର୍ବତୀ ବୋଲନ୍ତି ତୁମ୍ଭେ ଶୁଣ ତ୍ରିଲୋଚନ
ଭୋ ନାଥ କହିବା ତୁମ୍ଭେ ପୂର୍ବ ଆଦ୍ୟ ଜନ୍ମ ।
ଈଶ୍ୱର ବୋଇଲେ ତୁମ୍ଭେ ଶୁଣ ଗୋ ପାର୍ବତୀ
ଯାହା ପଚାରିଲୁ ପ୍ରିୟା ଆଦ୍ୟ ଜନ୍ମ ସ୍ଥିତି ।
ଏକମନ ହୋଇ ଶୁଣ ପଚାରିଲୁ ଯାହା
ଲକ୍ଷେକ ପ୍ରମାଣ କରି ବୁଝାଇବା ତାହା ।
ଅନାଦି ଜାତ କଲେ ଯେ ତିନିପୁତ୍ର ଜାଣ
ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିନି ଯେ ପ୍ରମାଣ ।
ସୃଷ୍ଟିର ଧାରଣେ ତିନିପୁତ୍ର ହେଲେ ଜାଣ
ତିନିଗୁଣେ ତିନି ଥୋଇ ସଂସାର ଭିଆଣ ।
ଆଦି ବୋଇଲେ ପୁତ୍ରଙ୍କୁ କରାଇବା ବ୍ରତ
କପାବୃକ୍ଷ ଜାତ କରି ମଞ୍ଜି ଭିଆଅତ ।
ଅନାଦି ମଣ୍ଡଳରୁ ଅନାମ ମଞ୍ଜି ଆଣି
ଆଦି ଦୁର୍ଗା ହୋଇଲେ ଯେ ମାଟିକାର ପୁଣି ।
ମନ ଓ ପବନ ହଳ ଚୈତନ୍ୟ ଜୁଆଳି
ନୟନ ଲଙ୍ଗଳ ହେଲେ ବାସନା ଦଉଡ଼ି ।
ଅନାଦି ଧରି ହଳ ଅନାମ ମଞ୍ଜି ବୁଣି
ତିନିପୁର କପା ବୃକ୍ଷ ଉଠିଲା ଉଜାଣି ।
କପା ବୃକ୍ଷ ଉପୁଜିଲା କଳଣା ନ ଯାଇ
ବ୍ରହ୍ମା ବିଷ୍ଣୁ ମହେଶ ତୃତୀୟ ପ୍ରକାଶଇ ।
ବ୍ରହ୍ମା ହେଲେ କୁଡ଼ିଆନ ଈଶ୍ୱର କୁଡ଼ିଆ
ବିଷ୍ଣୁ ପାଣି ସିଞ୍ଚନ୍ତି ଆକାଶ ମଣ୍ଡଳିଆ ।
ଋକବେଦ ହେଲା ପତ୍ର ଶାମବେଦ ପୁଷ୍ପ
ଯଜୁରବେଦ ଫଳ କଢ଼ ହୋଇଲା ପ୍ରତ୍ୟକ୍ଷ ।
ଅଥର୍ବ ଯେ ବେଦ ଫୁଟି କପା ହେଲା ଜାଣ
ଶିଶୁ ବେଦ ମଞ୍ଜି ପୁଣି ହୋଇଲାକ ପୁଣ ।
ମନ-ଖାଇ କରି ବ୍ରହ୍ମା ଖୁଆଇଲେ କପା
ବିଷ୍ଣୁ ଯେ ତୁଳା ଭିଣିଲେ ନାମ ସେ ଅଜପା ।
ଈଶ୍ୱର କାଟନ୍ତି ସୂତା ବସନା-ଅରଟେ
ହେତୁ ପଞ୍ଚାଳିରେ ପହୁଞ୍ଚାଇଲେ ତ୍ୱରିତେ ।
ଗାୟତ୍ରୀ ଛଡ଼ ନାଡ଼ରେ ଛଡ଼ ଗୁଣ କରି
ଛଡ଼ ନାଡ଼େ ପଇତା ଖଞ୍ଜିଲେ ଋତୁଧରି ।
ନାଡ଼କେ ନଅଖିଅ ଥୋଇଲେ ଏକ ତୁଳେ
ଛ ନୁଆଁ ଚଉବନ ଦିଶିଲା ଅମୁଲେ ।
ହୀରା ନୀଳା ମୋତି ଯେ ମାଣିକ୍ୟ ମରକତ
ଛାଡ଼ ଛଡ଼ ବର୍ଣ୍ଣେ ସେ ଦିଶିଲା ପୁଲକିତ ।
ଅନାଦି ନାଥ ଗଢ଼ିଲେ ବ୍ରହ୍ମ ମନ୍ତ୍ର ଗୋଟି
ଗାୟତ୍ରୀ ସାବିତ୍ରୀ ତୁଲେ ଦେଲେ ବ୍ରହ୍ମଗଣ୍ଠି ।
ବ୍ରହ୍ମାଙ୍କ କନ୍ଧେ ଦେଲେ ଅନାଦି ତୋଷମନେ
ଏମନ୍ତ ସଞ୍ଚିଲେ ଯୋଗ ପଇତା ବିଦ୍ୟମାନେ ।
ଏମନ୍ତ ସଞ୍ଚିଲେ ଜାଣ ପଇତା ଭିଆଣ
ଭୀମସେନ ଦାସ ଏହା ବଖାଣିଲେ ପୁଣ ।
(ଗାୟତ୍ରୀ-ମନ୍ତ୍ର)
ଅଷ୍ଟାଙ୍ଗ ବିଚାର ଏବେ କହିଦେବା ଶୁଣ
ଅଷ୍ଟକୋଟି ସ୍ଥାନ ଏହୁ ଦେହରେ ପ୍ରମାଣ ।
ମୁଖ ନାଶା ଚକ୍ଷୁ କର୍ଣ୍ଣ ଏହି ଚାରିଦ୍ୱାର
ବେନି ବେନି ହୋଇ ଦେଖ ଏ ଚାରି ସ୍ଥାନର ।
ଏହି ଚାରି ଦ୍ୱାରକୁ ଅଷ୍ଟାଙ୍ଗ ବୋଲି କହି
ସିଦ୍ଧି ମହୀ ବୋଲିଣ ଯେ ତଥି ପାଶେ ରହି ।
ଧେୟ ଜନ ପ୍ରତେ ଦୟା ପୁଣି ସେ ତୋହରି
ଚବିଶ ଅକ୍ଷର ତ୍ରିପାଦେ ଗାବ ଚରି ।
ପର ର ଜଶ ଶବଦ ମିଶିଣ-ବତିଶ
ଚାରି ପାଦ ଧରି ଗାଇ ଅଷ୍ଟାଙ୍ଗରେ ବାସ ।
ଋକ ଶାମ ଯଜୁ ଅଥର୍ବ ଏ ଚାରି ଘେନି
ଅଷ୍ଟ ସ୍ଥାନେ ବସିଛନ୍ତି ଅଜପା ସେ ମୁନି ।
ଶର ଚକ୍ଷୁ ରଜ ନାସା ଶଶ ମୁଖରେଣ
ବଦ ବେନି ବସିଛନ୍ତି ବେନି ଯେ ଶ୍ରବଣ ।
ଅରର ଅଛବି ପୁଡ଼ା ଡାହାଣ ଚକ୍ଷୁରେ
ଅଜ ଦୟା ଅବରଣୀ ଦକ୍ଷିଣ କର୍ଣ୍ଣରେ ।
ଇସଂସଇ ଭୃଙ୍ଗ ଦେବୀ ଉପର ଯେ ଓଷ୍ଠ
ଉରୁ ଉର ସିଦ୍ଧି ମହୀ ବାସା ନାସାପୁଟ ।
ଓ ବୋଧୋୟ ଜନ ବାସ ଶ୍ରବଣ ମଧ୍ୟରେ
ଓ ଯେ ଅପ୍ରବେ ଘେନିଣ ଦକ୍ଷିଣ ନାସାରେ ।
ଅଶେଷ ଦୟା ଦେଖତ ଓହେଳର ଓଷ୍ଠ
ଅଥରବ ବାସ ଚକ୍ଷୁ ମଧ୍ୟରେ ଯେ ଉଷ୍ଟ ।
ମିଶି ବତିଶ ଅକ୍ଷର ଚତୁଃ ପାଦେ ଗାଈ
ପୁଚ୍ଛ ବାଟେ ଗାବ ପୁଣି ଆହାର କରଇ ।
ମୁଖ ବାଟେ ଆହାର ନେଇଣ ବଳକଇ
ଏହି ମନ ଗୋଟି ସିନା ଗାବ ବୋଲି କହି ।
ରଖୁଆଳ ଚଇତନ ରଖେ ନିରନ୍ତର
ଆଧାର ଭକ୍ଷଇ ଗାଈ ଛଡ଼ି ଯେ ଅକ୍ଷର ।
ଛଡ଼ଚକ୍ର ଛଡ଼ ମୁଖ ବୋଲିଣ ଯେ ଜାଣ
ପବନ ସ୍ୱରୂପୀ ଗାଇ ଯାଇ ଆସେ ପୁଣ ।
ଆଗମ ନିଗମ ଗାଈ ବସାଇଣ ପାଶେ
ବେଦମାତା ଗାୟତ୍ରୀଟି ନିଗମ ଅଭ୍ୟାସେ ।
ବାର ଯେ ଅଙ୍ଗୁଳି ବାର ଯୁଣ ବୋଲି ଜାଣ
ଭିତରେ ଭେଦି ପଶିବ ଏହି ବାର ଯୁଣ ।
ବାର ଯୁଣ ବଳିଗଲେ ପଳାଇବ ଗାଈ
ଭାଙ୍ଗିଯିବ ଗୁହାଳ ଯେ ଲୋଡ଼ିଲେ ନ ପାଇ ।
ଏ ଭେଦ ଜାଣିଲେ ସେ ବ୍ରାହ୍ମଣ ବୋଲି ଜାଣ
ଦକ୍ଷିଣ କନ୍ଧେ ପଇତା ବୋହିବା ପ୍ରମାଣ ।
ଅଷ୍ଟାଙ୍ଗକୁ ଯାଇଣ ଯେ ଅଜପାକୁ ଜପ
ଦାରୁଣ ନିଷ୍ଠୁର ନାମ ନ ଲାଗଇ ଧାପ ।
ତେଣୁକରି ତୁମ୍ଭ ଆଗେ ଫିଟାଇ କହିଲେ
ଅଭ୍ୟାଗତ ଭଣ୍ଡାରରୁ ଏତକ ଆଣିଲେ ।
ଭୀମ ଲେଖେ ଶ୍ରୀଗୁରୁ ସୁମରି
ପ୍ରଶ୍ନ ଉତ୍ତର ସମସ୍ୟା କହିଲି ବିସ୍ତାରି ।