ବ୍ୟବହାରକାରୀ:Bikash Ojha/draft

ଉଇକିପାଠାଗାର‌ରୁ


ତା ୦୩/୧୨/୨୦୧୭ ରିଖ ସନ୍ଧ୍ୟା ୫ ଘଟିକା ସମୟରେ ଭୁବନେଶ୍ଵରର ‘ହୋଟେଲ ତାଜ ଓଡିଶା’ରେ ଓଡ଼ିଆ ଉଇକିପାଠାଗାରର ୩ୟ ଜନ୍ମତିଥି ପାଳନ ହୋଇଯାଇଛି ।

ଲେଖିକା ଓ ଅନୁବାଦିକା, ଶ୍ରୀମତୀ ଶକୁନ୍ତଳା ବଳିୟାର ସିଂହ ଓ ସାହିତ୍ୟିକ ଶ୍ରୀଯୁକ୍ତ ବିଜୟ ମଲ୍ଲ ଏହି ସମାରୋହରେ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷାରେ ଏକ ଡିଜିଟାଲ ପାଠାଗାରର ଆବଶ୍ୟକତା ଓ ଓଡ଼ିଆ ସାହିତ୍ୟର ସଂରକ୍ଷଣ, ପ୍ରଚାର ଓ ପ୍ରସାରରେ ଓଡିଆ ଉଇକିପାଠାଗାରର ଭୂମିକା ବିଷୟରେ ନିଜର ସୁଚିନ୍ତିତ ମତାମତ ଦେଇଥିଲେ ।

"ବର୍ତ୍ତମାନର ପ୍ରଯୁକ୍ତି ବିଦ୍ୟା ଯୁଗରେ କମ୍ପ୍ୟୁଟର ଓ ଇଣ୍ଟରନେଟର ଉପଯୋଗିତାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ଉଇକିପାଠାଗାର ଭଳି ଇ-ପାଠାଗାର ମାଧ୍ୟମରେ ଓଡ଼ିଆ ସାହିତ୍ୟକୁ ବିଶ୍ୱର କୋଣ ଅନୁକୋଣରେ ଥିବା ପାଠକମାନଙ୍କ ପାଖରେ ସହଜରେ ପହଞ୍ଛାଯାଇପାରିବ ତଥା ଏହା ଓଡ଼ିଆ ସାହିତ୍ୟର ସରଂକ୍ଷଣରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ବହନ କରେ" ବୋଲି ଶ୍ରୀମତୀ ଶକୁନ୍ତଳା ବଳିୟାର ସିଂହ ମତବ୍ୟକ୍ତ କରିଛନ୍ତି । ଅନ୍ୟତମ ଅତିଥି ଶ୍ରୀଯୁକ୍ତ ବିଜୟ ମଲ୍ଲ ଓଡ଼ିଆ ସାହିତ୍ୟର ବର୍ତ୍ତମାନ ଅବସ୍ଥା ଉପରେ ଆଲୋକପାତ କରି କହିଲେ ଯେ "ଓଡ଼ିଆ ସାହିତ୍ୟର ଅମୂଲ୍ୟ ବିଭବ ଗୁଡ଼ିକର ଡିଜିଟାଲ ପାଠାଗାରରେ ସରଂକ୍ଷିତ କରି ରଖିବାର ଜରୁରୀ ଆବଶ୍ୟକତା ରହିଛି, କାରଣ ଅନେକ ବହି ବର୍ତ୍ତମାନ ମିଳୁନାହିଁ ଏବଂ ଉଇକିପାଠାଗାର ମାଧ୍ୟମରେ ନୂଆ ପୁରୁଣା ଅନେକ ବହିକୁ ଲୋକମାନେ ସହଜରେ ପାଇ ପାରିବେ ।" ଇଣ୍ଟରନେଟ ମାଧ୍ୟମରେ ମୁକ୍ତ ଭାବରେ ଓଡ଼ିଆ ବହି ସବୁ ପାଠକମାନଙ୍କ ପାଖରେ ପହଞ୍ଚାଇବା ଓ ପ୍ରସାର କରିବା ଭଳି କାମ କରୁଥିବା ସ୍ବେଚ୍ଛାସେବୀ ମାନଙ୍କୁ ସେ ଆନ୍ତରିକ ଅଭିନନ୍ଦନ ଜଣାଇଥିଲେ ଓ ଯୁବ ଗୋଷ୍ଟୀଙ୍କର ଏହି କାମ ପ୍ରତି ଥିବା ଆଗ୍ରହ ଦେଖି ଆନନ୍ଦ ପ୍ରକାଶ କରିଥିଲେ ।

ଓଡ଼ିଆ ଉଇକିପାଠାଗାର ୨୦୧୪ ମସିହାରେ ଓଡ଼ିଆ ଉଇକିପିଡ଼ିଆର ଏକ ସହ ପ୍ରକଳ୍ପ ଭାବରେ ଜନ୍ମ ନେଇଥିଲା । ଏହା ଇଣ୍ଟରନେଟରେ http://or.wikisource.org ରେ ଉଉପଲବ୍ଧ । ନିଃଶୁଳ୍କ ଓ ମୁକ୍ତ ଭାବେ ଉପଲବ୍ଧ ଏହି ଡିଜିଟାଲ ପାଠାଗାରରେ ଚର୍ଯ୍ୟାପଦ ଭଳି ପୁରୁଣା ପଦାବଳୀଠୁ ଆରମ୍ଭ କରି ୭୦୦ରୁ ଅଧିକ ନୂଆ ପୁରୁଣା ବହି ଓ ଲେଖା ରହିଛି, ଯାହା ମଧ୍ୟରେ ଶାରଳା ଦାସଙ୍କ ମହାଭାରତ, ଓଡ଼ିଆ ଭାଗବତ ଓ ଅନେକ ବିରଳ ବହି ଓ ପୋଥି ଅନ୍ତର୍ଭୁକ୍ତ । ଓଡ଼ିଆ ସାହିତ୍ୟର ଅମୂଲ୍ୟ ବିଭବ ଗୁଡ଼ିକୁ ସାଇତି ରଖିବା ଓ ଆଧୁନିକ କାଳର ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ଏହାର ପ୍ରଚାର ଓ ପ୍ରସାର କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ଏହି ପାଠାଗାରରେ ବହି ଗୁଡ଼ିକୁ କେବଳ ସ୍କାନ କରାଯାଇ ରଖାଯାଏ ନାହିଁ ବରଂ ସେସବୁକୁ ନୂତନ ଅକ୍ଷରରେ ଟାଇପ କରି ରଖାଯାଏ, ଯାହା ଫଳରେ ଇଣ୍ଟରନେଟରେ ଏସବୁ ଖୋଜିବା ବହୁତ ସହଜ ହୋଇଥାଏ । ସମସ୍ତଙ୍କୁ ସମ୍ପାଦନାର ସୁଯୋଗ ଦେଉଥିବା ଏହି ପାଠାଗାର ସ୍ୱେଚ୍ଛାସେବୀମାନଙ୍କ (ଉଇକିଆଳି) ସହଯୋଗରେ ଗଠନ ହୋଇଛି । ଏହି ସଭାରେ କେତେକ ନୂତନ ସ୍ୱେଚ୍ଛାସେବକ ଯୋଗଦେଇ ଉଇକିପାଠାଗାରରେ ଅବଦାନ କରିବାର ଆଗ୍ରହ ପ୍ରକାଶ କରିଥିଲେ ।

ଓଡ଼ିଆ ଉଇକିଆଳି ମାନଙ୍କ ତରଫରୁ ଡ଼ଃ ସୁଭାଷ ଚନ୍ଦ୍ର ରାଉତ ସଭା ପରିଚାଳନା କରିଥିଲେ ।