ବ୍ୟବହାରକାରୀ:MKar/Aina

ଉଇକିପାଠାଗାର‌ରୁ

ଅଇନା ରବି କାନୁନ୍ଗୋ ରବି କାନୁନ୍ଗୋ । ଜନ୍ମ : ୨୦.୪.୧୯୪୬ । ଓଡ଼ିଆ ପାଠକ ଜଗତରେ ଏକ ସ୍ପଷ୍ଟ ପରିଚିତ ନାଁ । ଜଣେ ବିଶିଷ୍ଟ ସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଏବଂ କଥାକାର ଭାବେ ପାଠକମାନେ ତାଙ୍କୁ ଦେଖି ଆସୁଛନ୍ତି ପ୍ରାୟ ପଚିଶବର୍ଷ ଧରି । ତାଙ୍କ ସୃଷ୍ଟିରେ ପୂରାପୂରି ନୂଆ ମୋଡ଼, ନୂଆ ଶୈଳୀ । ଛନ୍ଦ ଛଡ଼ା ସାଂପ୍ରତିକ ଘଟଣାବଳୀ ତାଙ୍କ ଲେଖନୀରେ ସାହିତ୍ୟର ସ୍ପନ୍ଦନ, ହାସ୍ୟରସର ବେଢ଼ଣ ଏବଂ ମାନବବାଦର ଲଳିତ ସ୍ପର୍ଶ ନେଇ ଜୀବନ୍ତ ହୋଇଉଠେ । ରାଜନୀତି, ଶ୍ରମ ସଂଗଠନ, ଆଇନ ଏବଂ ବହୁ ଭ୍ରମଣ ଅଭିଜ୍ଞତା ଯୋଗୁ ତାଙ୍କ ନିରୀକ୍ଷଣର ଶୈଳୀ ଏକଦମ୍ ନିଆରା । ଜଣାପଡ଼ିଯାଏ ।  ‘ସୁରେନ୍ଦ୍ର ମହାନ୍ତି କଥା-ସାହିତ୍ୟ ପୁରସ୍କାର’, ‘ପ୍ରଜାତନ୍ତ୍ର ବିଷୁବ ସମ୍ମାନ’ – ଏହିପରି ଅନେକ ସ୍ୱୀକୃତି ସେ ଲାଭ କରି ସାରିଛନ୍ତି । ଶ୍ରୀ କାନୁନ୍ଗୋ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍) ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀ ଏବଂ ବର୍ତ୍ତମାନ ରାଉରକେଲାରେ ରହନ୍ତି । ଯୋଗାଯୋଗ;ଏ-୫୭, ସେକ୍ଟର-୩, ରାଉରକେଲା – ୭୬୯୦୦୨, ଜିଲ୍ଲା – ସୁନ୍ଦରଗଡ଼ ।  ପ୍ରକାଶକ : ଭାରତ ଭାରତୀ, ସୂତାହାଟ, କଟକ – ୭୫୩୦୦୧ ଅକ୍ଷର ସଜ୍ଜା  : କୋଣାର୍କ ଡାଟା ପ୍ରୋସେସିଂ, ନୂଆପଲ୍ଳୀ, ଭୁବନେଶ୍ୱର – ୭୫୧୦୧୨ ମୁଦ୍ରଣ : ପେଣ୍ଟାକଲ ପ୍ରିଣ୍ଟର୍ସ, ନୂଆପଲ୍ଳୀ, ଭୁବନେଶ୍ୱର – ୭୫୧୦୧୨ ପ୍ରଚ୍ଛଦ : ଲଲାଟେନ୍ଦୁ ରଥ ପ୍ରକାଶ କାଳ : ୧୯୯୮ ମୁଲ୍ୟ : ଷାଠିଏ ଟଙ୍କା  ବୋଉ ଶ୍ରୀମତୀ ପିଅରମଣି କାନୁନ୍ଗୋଙ୍କ ପବିତ୍ର ସ୍ମୃତିରେ – ରବି

ନିଜ କଥା ମୋ ଜୀବନ ଏମିତି ଅସଜଡ଼ା । ତହିଁରେ ଗୋଟିଏ ମୋଡ଼ ଭିତରେ ପଡ଼ିଗଲି । ନ ହେଲେ, ପ୍ରକାଶକ ଶ୍ରୀଯୁକ୍ତ ଉମେଶ ପ୍ରସାଦ ସାହୁ (ପରିଚାଳକ–ଭାରତଭାରତୀ)ଙ୍କ ସର୍ବଶେଷ ଯୋଜନା ଅନୁଯାୟୀ ଏହି ସଂକଳନ ଗତ ରାହାସ ପୂର୍ଣ୍ଣିମା ଦିନ ପ୍ରକାଶିତ ହୋଇଥାନ୍ତା । ସେଥିପାଇଁ ସୁଲେଖକ ବନ୍ଧୁ ଶ୍ରୀଯୁକ୍ତ ଗୌରହରି ଦାସ ମୋ ସହିତ ଭୁବନେଶ୍ୱରରୁ ରାଉରକେଲା ସଂଯୋଜନା କରି କରି ହାଲିଆ ହୋଇଗଲେ ପଛେ, ମୁଁ ଏହି ଶେଷ ଲେଖାଟି ପ୍ରକାଶକଙ୍କ ପାଖରେ ପହଞ୍ଚାଇ ପାରିଲି ନାହିଁ । ତୁଣ୍ଡ ଖୋଲିବାର ସାତ ଦିନ ଭିତରେ ନିଜର ସମସ୍ତ ବ୍ୟସ୍ତତା ସତ୍ତ୍ୱେ ଶ୍ରୀଯୁକ୍ତ ଲଲାଟେନ୍ଦୁ ରଥ ସଙ୍କଳନପାଇଁ ପ୍ରଚ୍ଛଦ ଚିତ୍ର ଆଙ୍କି ପହଞ୍ଚାଇ ଦେଲେ । ଏସବୁ ଘଟଣା ଚାରି ପାଞ୍ଚ ମାସ ତଳର । ହେଳା ମୋର । ଦୋଷୀ ମୁଁ । ୩୧.୧୦.୧୯୯୭ । ବୋଉ ତା’ ଗଢ଼ା ପରିପୂର୍ଣ୍ଣ ସଂସାରଟିକୁ ଛାଡ଼ି ପରିଣତ ବୟସରେ ମୋରି ସାମନାରେ ହିଁ ଚାଲିଗଲା । ସେଦିନ ଥିଲା କାର୍ତ୍ତିକ ଶୁକ୍ଳ ପ୍ରତିପଦା । ଚଉଦ ଦିନ କାଳ ରୀତିନିତିରେ ବନ୍ଧା ହୋଇ ରହିଲି । ମନ ହଲିଗଲା । ଲେଖି ପାରି ନଥିଲି । ଦିନକ ପରେ ରାହାସ ପୂର୍ଣ୍ଣିମା । ଯୋଗ ଘୁଞ୍ଚିଗଲା । ଆଗରୁ ଲେଖିଥିଲେ ହୁଏତ ଆଉ କ’ଣ ଲେଖିଥାନ୍ତି । ଯେଉଁ କୁଳ ଏବଂ କାଳରେ ଜନ୍ମ ହୋଇଥିଲି ସେତେବେଳେ ବାପାଙ୍କ ସହିତ ପୁଅମାନେ ଗପସପ କରିବା ପ୍ରାୟ ଅସମ୍ଭବ ଥିଲା । ଏବେ ସନ୍ତାନମାନଙ୍କଠାରୁ ‘ହାଏ ଡିଅର’ ଶୁଣିଲେ ବି ଆମକୁ ଅସଙ୍ଗତ ଲାଗୁନାହିଁ । ତିନି ପିଢ଼ିର ମଝିରେ ଠିଆ ହୋଇ ପାରସ୍ପରିକ ଶ୍ରଦ୍ଧା ସତ୍ତ୍ୱେ ଆଚାର ବ୍ୟବହାର ବଦଳି ଯାଉଥିବା କାରଣରୁ ମୁଁ ବିସ୍ମିତ ହୁଏ ନାହିଁ । କିନ୍ତୁ, କେଉଁ କଥା ଆଦୌ ନ ବଦଳୁ ବୋଲି ଆମେ ଆଶା କରୁ? ଅଥବା, ଅସ୍ମିତାର କେଉଁ ସୂତ୍ରଟି ଆମକୁ ପୂର୍ବପୁରୁଷଙ୍କଠାରୁ ଉତ୍ତର ପୁରୁଷଙ୍କ ପର୍ଯ୍ୟନ୍ତ ଯୋଡ଼ି ରଖେ? ଲାଗେ, ସତେ ଯେମିତି ଜୀବନରେ ଅସଂଖ୍ୟ ଦେଢ଼ ଧାଡ଼ିଆ ସତ୍ୟ ରହିଛି । ପାରୁଛ ଯଦି, ଅପରପାଇଁ ଟିକେ ସୁଖ ବାଣ୍ଟ, ନିଜ ଦୁଃଖ ସମ୍ଭାଳିବାକୁ ଠାକୁରେ ତୁମ ଭିତରେ ଯଥେଷ୍ଟ ଶକ୍ତି ଦେଇଛନ୍ତି । କେହି ଯଦି ଜାଣିବାରେ ତୁମର କିଛି ଉପକାର କରିଥାଏ, ପରବର୍ତ୍ତୀ ସମୟରେ ସମ୍ପର୍କ ଯାହା ହୋଇଯାଉ ପଛେ, ଅନ୍ତତଃ ସେତିକିପାଇଁ ତା’ ପାଖରେ ଅକୃତଜ୍ଞ ହେବ ନାହିଁ । ଭାଷା ମୋର । ଭାବ ବାପାଙ୍କର । ପିଲାଦିନେ ଏମିତି ଅନେକ କଥା ତାଙ୍କ ତୁଣ୍ଡରୁ ଆଢ଼ୁଆଳରେ ଶୁଣିଥିଲି । ସେ ଗୁଡ଼ିକର ସାରବତ୍ତା ହେଜିବି ହେଜିବି ବୋଲି ହେଳା କରି ନାହିଁ, ଏ କଥା ବି ଦମ୍ଭରେ ମୁଁ କହିପାରିବିନି । କେବଳ ଗୋଟିଏ ତଥାକଥିତ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ହେବା ଛଡ଼ା ଆମ ବାପା ଭୌତିକ ଭାବେ ଜଣେ ସିଦ୍ଧ ସଂସାରୀ ନ ଥିଲେ । ଜମିଦାରି ଉଚ୍ଛେଦ ବେଳେ ଏକର ଏକର ଅନାବାଦୀ ଖାସ୍ ହୋଇଗଲା ପଛେ, ସେ ସେଥିରୁ ଡିସ୍ମିଲ୍ଟିଏ ବି ବେନାମୀ ଭାବେ ସ୍ୱତ୍ତ୍ୱ ଦରଜ କରାଇ ନ ଥିଲେ । ବେଳେବେଳେ ଆମମାନଙ୍କ ମନ କଷ୍ଟ ହୋଇଛି । ସିରସ୍ତା ତଦାରଖ କରିବାରେ ସେ ତ ଜଣେ ସିଦ୍ଧହସ୍ତ ଲୋକ ଥିଲେ, ଏମିତି ‘ବୁଦ୍ଧି’ କାହିଁକି ତାଙ୍କ ମୁଣ୍ଡରେ ପଶିଲାନି? ପରେ ସଂସାରର ଗତିବିଧି ଦେଖି ଭାବିଛି, ବୁଦ୍ଧି ବୋଲି ତାଙ୍କଠାରୁ ଯାହା ଆଶା କରୁଥିଲୁ, ତାହା ସତରେ ଆଉ କିଛି । ବୁଦ୍ଧି ନୁହେଁ । ବୋଉ । ପାଞ୍ଚ ଭଉଣୀ – ଭାଇରୁ ମୁଁ ତା’ର ଶେଷପୂର୍ବ ସନ୍ତାନ – ଜ୍ୟେଷ୍ଠ ପୁତ୍ର । ଜୀବନରେ ସେ ନାନା ପ୍ରକାର ଦହଗଞ୍ଜ ସହିଛି । ଶେଷ ପର୍ଯ୍ୟନ୍ତ ସେ ମାୟା ଜଡ଼ିତ ହୋଇ ରହିଥିଲା । ଆଦୌ ଦରକାର ନ ଥିଲେ ସୁଦ୍ଧା, କେଉଁ ବାଡ଼ିରୁ କେତେ ନଡ଼ିଆ ପରାହେଲା ବା ସେହିପରି ତୁଚ୍ଛ ବିବରଣୀମାନ ତା’ କର୍ତ୍ତୃତ୍ୱମୟ ସୂଚନା ଭିତରେ ରହିବା ଆବଶ୍ୟକ ବୋଲି ସେ ଅନୁଭବ କରୁଥିଲା । ଅବ୍ୟକ୍ତ ତା’ର ଏପରି ଆଚରଣର ସ୍ପଷ୍ଟତମ ବ୍ୟାଖ୍ୟା ବୋଧହୁଏ ଥିଲା – ମୁଁ ମା, ମୋର ସବୁ ଜାଣିବା ଦରକାର । ଅସଲରେ ସେ ଜାଣି ପାରୁ ନ ଥିଲା ଯେ କର୍ତ୍ତୃତ୍ୱ ଜାହିର କରିବାକୁ ବୟସ ଦରକାର । ଫଳସ୍ୱରୂପ, ପରିବାରରେ ସମସ୍ତେ ଆମୋଦିତ ହେଲାପରି, ପାଞ୍ଚରେ ସାତ ମିଶାଇ ସେଥିରୁ ତେର ଫେଡ଼ି ଫେଡ଼ାଣ ଫଳ ତଥାପି ତିନି ଚାରି ଦେଖାଇ ତାକୁ ସନ୍ତୁଷ୍ଟ କରି ହେଉଥିଲା । ବାପାଙ୍କ ପରି ନୁହେଁ, ବୋଉ ସାଙ୍ଗରେ ଆମମାନଙ୍କର ଗପସପ ଅବାଧ । ତା’ରି ପରି ତା’ ଅକ୍ଷର ବି ସୁନ୍ଦର ଥିଲା । ଗୋପୀଭାଷା, ଛାନ୍ଦ, ଚଉପଦୀ ଆଦି ମୁହେଁ ମୁହେଁ ସେ ଗାଇ ଦେଉଥିଲା । ପିଲାବେଳେ ମୋର ଧାରଣା ଥିଲା, ସେ ଯେମିତି ବେଶ୍ ପଣ୍ଡିତଟାଏ । ସେ ମାତ୍ର ତୃତୀୟ ଶ୍ରେଣୀ ପାସ୍ କରିଥିଲା । ନିଜର ଦୁଃଖ ସେ ଯଥାସମ୍ଭବ ଲୁଚାଉଥିଲା । ଅନ୍ୟର ଦୁଃଖ କହିଲାବେଳେ ସେ ଏମିତି ଉଦ୍ବେଗ ପ୍ରକାଶ କରୁଥିଲା, ଜଣାପଡୁଥିଲା, ସତେ ଯେମିତି ସିଏ ନିଜେ ଠିଆ ହୋଇ ଦେଖିଛି । ତା’ର ସାହାଯ୍ୟ କରିବା ସୀମା କେତେ ସେ ଜାଣି ପାରୁ ନ ଥିଲା । ବରଂ ଏହିପରି ଅସହାୟ ଭାବପ୍ରବଣତା ଯୋଗୁଁ ସେ ସାଂସାରିକ ଭାବେ ଅସୁମାରି ଥର ଠକି ଯାଉଥିଲା । ଆଉ ଥରେ କାଳେ ଠକି ହୋଇପାରେ, ସେହିପରି ସମ୍ଭାବନା ଅନୁମାନ କରି ଯଦି ତାକୁ ହେଜେଇ ଦିଅନ୍ତି, ସେ ନିର୍ବିଘ୍ନରେ କହୁଥିଲା, ଜଣେ କିଏ କଣ କଲା ବୋଲି ଆମେ କ’ଣ ସବୁ ମଣିଷଙ୍କୁ ଅବିଶ୍ୱାସ କରିବା? ଆମେ ତ ସଂସାରରେ ରହିବା ନା । ବନସ୍ତକୁ ପଳେଇବା କି? ତା’ର ସେମିତିକା ଆଉ ପଦେ କଥା, ନିଜ ଭଲପାଇଁ ଯେତେ ଫାବୁଛି ସବୁ ଚେଷ୍ଟା କର । ଆଉ କାହାରି ହାନି ସକାଶେ ଚିନ୍ତା କରନା । ବୋଉର ଅବର୍ତ୍ତମାନରେ ମଣିଷପଣିଆ ପାଇଁ କେଡ଼େ ସୁନ୍ଦର ଦର୍ଶନଗୁଡ଼ିକ କେଡ଼େ ସହଜରେ ସେ କହି ଦେଉଥିଲା, ଏବେ ମୋର ସେଇ କଥା ହିଁ ମନେ ପଡୁଛି । ପ୍ରଣତି ପାଇଁ କାଳେ ଟିକେ ଛୁଇଁ ଦେବି, ଆଉ ତା’ ପାଦ ନାହିଁ । ଅଭୟପାଇଁ କାଳେ ଟିକେ ଆଉଜି ପଡ଼ିବି, ଆଉ ତା’ କୋଳ ନାହିଁ । ଥାଇ ନଥିବା ପରି ମୋ ସ୍ମୃତି ରହିଗଲା ମୋ ପାଖରେ । ଏହି ସଙ୍କଳନ ବିଷୟରେ ଦି’ପଦ । ଏଥିରେ ଥିବା ଗୋଟିଏ ଗପ ‘ଅଇଁଠା ଓ ଅନାବାଦୀ’ର ପ୍ରକାଶନ କାଳ ୧୯୬୭ । ଏହା ପୂର୍ବରୁ ହୁଏତ ଗପ ଲେଖିଥିବି ମନେ ନାହିଁ । ତେଣୁ ସେ ଦୃଷ୍ଟିରୁ ଏଇଟିକୁ ହିଁ ପ୍ରଥମ ଗପ ଭାବେ ବିଚାର କରୁଛି । ଲେଖକ ବନ୍ଧୁ ଶ୍ରୀଯୁକ୍ତ ଦେବେନ୍ଦ୍ର ମହାନ୍ତି ନିଜ ଆଗ୍ରହରେ ସଂଗ୍ରହ କରି ମୋତେ ଏଇଟିକୁ ଦେଇଥିଲେ । ମୋ ଲେଖକୀୟ ଇତିହାସରେ ବନ୍ଧୁସୁଲଭ ସହାୟତା କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ସନ୍ନିବିଷ୍ଟ ଗପଗୁଡ଼ିକ ବିଷୟରେ କିଛି କହିବା ଉଚିତ ହେବ ନାହିଁ । ଚିତ୍ର କରିସାରି ତା’ ତଳେ ବାଇଗଣ ବା କୋବି ବୋଲି ଲେଖିବା କେଉଁ ପ୍ରକାର ଯଥାର୍ଥତା ହେବ ଯେ? ତେବେ ଏଗୁଡ଼ିକ ବିଭିନ୍ନ ସମୟରେ ‘ଆବର୍ତ୍ତ’, ‘ଇସ୍ତାହାର’, ‘କଥା’, ‘ଝଙ୍କାର’, ‘ସମାରୋହ’ (ବର୍ଣ୍ଣକ୍ରମେ) ଆଦି ପତ୍ରିକାରେ ପ୍ରକାଶିତ ହୋଇଅଛି । ଏହି ଅବକାଶରେ ସମ୍ପାଦକମାନଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରୁଅଛି । ପାଠକମାନଙ୍କଦ୍ୱାରା ଏହି ସଂକଳନଟି ଆଦୃତ ହେବ ବୋଲି ଠାକୁରଙ୍କୁ ପ୍ରାର୍ଥନା କରୁଛି ।

ଅଇଁଠା ଓ ଅନାବାଦୀ ତସ୍ମୈ ଶ୍ରୀଗୁରବେ ନମଃ କଲମୀ ମଣିଷ କଲମୀ ମଣିଷ ଆତଙ୍କ


  ଅଇଁଠା ଓ ଅନାବାଦୀ ବ୍ରିଟିଶ୍ ଅମଳରୁ ଅଇଁଠୁ ଜେନା ମଧୁପଡ଼ା ଗାଁର ଚୌକିଦାର । ବାପାଠାରୁ ସେ ଚାର୍ଜ ନେଇଥିଲା । ଆଶା ଥିଲା ପୁଅକୁ ଚାର୍ଜ ଦେଇ ସେ ଶାନ୍ତିରେ ନିଶ୍ୱାସ ମାରିବ । କିନ୍ତୁ ଆଶାଟା ତାର ଆଶାରେ ରହିଗଲା । ସରକାର ବାହାଦୁର ଠିକ୍ କଲେ ଏ ଚାକିରି ଆଉ ରଖିବେ ନାହିଁ । ଫଳରେ ସାତ ପୁରୁଷ ଧରି ଗଡ଼ି ଆସିଥିବା ପଦବୀଟା ତା’ରି ପାଖରୁ ଶେଷ ହୋଇଗଲା । ମାସକୁ ଖାଲି ନ’ ଟଙ୍କାର ବେତନ ନୁହେଁ, ମୁଣ୍ଡରେ ତା’ର ସେଇ ବାଇଗଣୀ ରଙ୍ଗର ଟୋପିଟା ଥିଲା ହାତୀ ମୁଣ୍ଡର ମୋତି ପରି । ସେଇଟା ଖସି ପଡ଼ିବାରୁ ସେ ଆଜି ସାଧାରଣ ବସ୍ତିର ଜଣେ ହରିଜନ ହୋଇଗଲା । ଆଉ ସରକାରୀ ଚାକିରିଆ ନୁହେଁ । ପରବାନା ତଲବ ଆଉ କରିପାରିବ ନାହିଁ । ସେ ଆଜି ଖାଲି ଅଇଁଠୁ ଜେନା । ତିନି ଜଣଙ୍କ ପରି ଜଣେ ।

ଦରମା ଟଙ୍କା କେଇଟାକୁ ଛାଡ଼ି ଦେଲେ ସମସ୍ତ ଗାଁବାଲାଙ୍କଠୁଁ ସେ ହଳା ଆଦାୟ କରେ । ନ୍ୟାୟ ନିଶାପ ହେଲେ ଗାଁର ନିଶାପୀ ଭଦ୍ରଲୋକଙ୍କ ପାଖରେ ବସେ । ଅବଶ୍ୟ ଅନ୍ୟମାନେ ଚଉପାଢ଼ି ଉପରେ ବସିଲାବେଳେ ତା ସ୍ଥାନ ହୁଏ ତଳେ । ସେଥିରେ କିଛି ଯାଏ ଆସେନା । ବସିବା ଜାଗାରୁ ଲୋକର ଓଜନ କଳି ହୁଏନି । ଅସଲ କଥାହେଲା ଅଧିକାର ଓ କ୍ଷମତା । ଛୋଟ ପାହିଆ ହେଲେ ବି ସେ ସରକାରୀ କର୍ମଚାରୀ । ତା’ଦେହରେ କେହି ହାତ ଟିପା ଦେଲେ ସେ ସରକାରଙ୍କ ପାଖରେ ଦ୍ରୋହୀ ସାବ୍ୟସ୍ତ ହୁଏ । ଏ ସବୁକୁ ବିଚାର କଲେ ତାର ଚାକିରିର ମହତ୍ତ୍ୱ ମାସକୁ ନ’ ଟଙ୍କା ନୁହେଁ, ଢେର ବେଶି ।

ଅଇଁଠୁ ଜେନା ଭାବୁଥିଲା – ସେ ଏବେ କ’ଣ କରିବ? ଯିବ କୁଆଡ଼େ? ଖାଇବ କ’ଣ? ଥାନାବାକୁ ଅବଶ୍ୟ କହିଛନ୍ତି – ତାକୁ ଚାକିରି ବଦଳରେ ଚାଷ କରିବା ପାଇଁ ଜମି ମିଳିବ । ହେଲେ ଜମି କାହିଁ? ସରକାର କେବେ ଦେବେ କିଏ ଜାଣେ? ଏ ବର୍ଷ ସେ ହଳା ଆଦାୟ କରିଛି । ବରଷଟା ଯେମିତି ହେଲେ ଶାଗ ମୁଗରେ ଚଳିଯିବ । କିନ୍ତୁ ଏଇ ମାଘ ମାସରୁ ଆଗିଲା ବର୍ଷ ପାଇଁ ବନ୍ଦୋବସ୍ତ ନ କଲେ ତା ଛୁଆ ପିଲା ମରିଯିବେ । ତନ୍ତି ହୁଡ଼ିଲେ ଦିନେ । କିନ୍ତୁ ଚାଷୀ ହୁଡ଼ିଲେ ବରଷେ ।

ମଧୁପଡ଼ା ମୌଜାର ତିନି ନମ୍ବର ଖାତା, ଏକଶହ ସତାଅଶୀ ନମ୍ବର ପ୍ଳଟ । ସମୁଦାୟ ଜମି ଏକ ଏକର ତେର ଡିସିମିଲ । ଜମି ଖଣ୍ଡକ ଅନାବାଦୀ ପଡ଼ିଆ । ଦୁଇ ଚାରିଟା ଖଜୁରୀଗଛ ଓ କେତେଟା କଣ୍ଟାବୁଦା ଛଡ଼ା ଆଉ କିଛି ନାହିଁ । ପାଖ ଆବାଦ ଜମିଠୁ ଦୁଇଫୁଟ ଉଚ୍ଚା । ଅଇଁଠୁ ଜେନାର ମନ ଲାଗିଛି । ଏଇ ଜମି ଖଣ୍ଡକ ଯଦି ସରକାର ତାକୁ ଦିଅନ୍ତେ, ମାସ ଗୋଟାକରେ ସେ ତାକୁ ଆବାଦ ଜମି ସହିତ ସାମିଲ କରି ଦିଅନ୍ତା ।

ଅନାବାଦୀର ଦକ୍ଷିଣ ଓ ପଶ୍ଚିମକୁ ଗୋଚର । ଉତ୍ତରପଟକୁ ଯୋର । ପୂର୍ବ ପଟରେ ଗାଁ ମଧୁପଡ଼ା । ଅଇଁଠୁର ଏ ଜମି କଥା ଖିଆଲ ହେଲାଦିନୁ ଦୁଇ ଚାରିଥର ଯାଇ ଚଉହଦା ବୁଲି ଆସିଲାଣି । ପୂର୍ବପଟର ଗାଁ ତଳକୁ କିଆବଣଟା ଅନାବାଦୀ କଡ଼େ କଡ଼େ ମାଡ଼ିଯାଇ ପ୍ରାୟ ପାଞ୍ଚ ଗୁଣ୍ଠ ଜମି ଦଖଲ କରି ବସିଛି । ସେଗୁଡ଼ାକ ସଫା କରିବାକୁ ହେବ । ପାଣି ପାଇଁ ଚିନ୍ତା ନାହିଁ । ଯୋରରୁ କୁମ୍ଭୀଟାଏ ଲଗେଇ ଦେଲେ ଯେତେ ଇଚ୍ଛା ସେତେ ପାଣି ମିଳି ପାରିବ । ଘରେ ଭେଣ୍ଡିଆ ପୁଅ ପହଲା । ବାପ ପୁଅ ଦୁଇଜଣ । ମିହନତକୁ ଡର ନାହିଁ ।

ଅଇଁଠୁର ବୟସ ବଢ଼ିଯାଇଛି । ହେଲେ ମନ ଭିତରେ ଯୁବସୁଲଭ ଉଦ୍ଧାମତା ଆସନ ମାଡ଼ି ବସିଛି । ଦୁର୍ବାର ଅଭିଳାଷ ମୁଣ୍ଡଟେକି ଉଠିଛି – ସେ ଚାଷୀ ହେବ । ଆଉ ପାଞ୍ଚଜଣଙ୍କ ପରି ତାର ବି ଧାନ, ବିରି, ମୁଗର ଗଦା ମଡ଼ାଯିବ । ଖରାଦିନେ ଭୋରରୁ ଉଠି ସେ ହଳକୁ ଯିବ । ବର୍ଷାଦିନେ ମୁଣ୍ଡରେ ଠେକା ଭିଡ଼ି ଆଣ୍ଠେଇ ପଡ଼ି ବିଲ ବାଛିବ । ଏଇଟା ଚାଷୀ ଜୀବନର ଗୌରବ । କାଦୁଅ ସହିତ ଗୋଳେଇ ଘାଣ୍ଟି ହୋଇ କାମ କରିବାର ଆନନ୍ଦ । ନୂଆ ସୃଷ୍ଟି କରିବାର ସ୍ଫୁର୍ତ୍ତି, ଫଳ ଫଳେଇବାର ସାର୍ଥକତା ସବୁ ଦୁଃଖ କଷ୍ଟକୁ ଘୋଡ଼େଇ ପକାଏ । ଏଇଥି ପାଇଁ ପୁଷମାସଟା ଚାଷୀ ପାଖରେ ଏତେ ଗୁରୁତ୍ୱପୂର୍ଣ୍ଣ ।

ମାଘମାସର ଶେଷ ସଂକ୍ରାନ୍ତିକୁ ଅଚାନକ କୁଆଡୁ ଗୋଟାଏ କଳାମେଘ ଉଠେଇ ଆସି ବହେ ପାଣି ଢାଳି ଦେଇଗଲା । ଶୁଖିଲା ଭୂଇଁ ଜରଜର ହୋଇଉଠିଲା । ତା’ପରଦିନ ସକାଳକୁ ଶୁଖିଲା ଜୋରରେ ଆଣ୍ଠୁଆଣି ପାଣି ଭର୍ତ୍ତି ହୋଇଥାଏ । ନିଗିଡ଼ା ମାଟିରେ ସାଧବବୋହୂଙ୍କର ପଟୁଆର । ମାଟିରୁ କେମିତି ଏକ ଖତୁଆ ଖତୁଆ ଗନ୍ଧ ଉଠି ଅଇଁଠୁର ମନଟାକୁ ଓଦା କରିଦେଲା । ମନ ଭିତରେ ଆଶାର ଅସଂଖ୍ୟ ସାଧବବୋହୂ ଏଣେ ତେଣେ ଖେଳି ବୁଲିଲେ । ସକାଳୁ ସକାଳୁ ଥରେ ଯାଇ ଅନାବାଦୀ ଜମିର ଚଉହଦା ସେ ବୁଲି ଆସିଲା । ଏଇ ବର୍ଷାରେ ମାଟିଟା ଫୁଲି ଉଠିଛି । ଚୋଟେ ହାଣିଲେ କୋଦାଳଟା ପୂରା ପଶିଯିବ । ଯେକୌଣସିମତେ ଏ ଜମି ଖଣ୍ଡକୁ ସେ ହାତ କରିବ । ନଚେତ୍ ସେ ଖାଇବ କ’ଣ?

ସେଦିନ ସନ୍ଧ୍ୟାରେ ତା’ର ସାକ୍ଷାତ ହେଲା ଘନ ପଟ୍ଟନାୟକଙ୍କ ସାଙ୍ଗରେ । ତାଙ୍କୁ ସେ ବାବୁ ସା’ନ୍ତ ବୋଲି ଡାକେ । ଜମିଦାର ମହାପାତ୍ରଙ୍କର ଇଏ ଥିଲେ ଗୁମାସ୍ତା । ଜୀବନରେ ଅନେକ କିଛି କଲେଣି । ଜମି, ଘରବାଡ଼ି, ଟଙ୍କାପଇସା କାରବାର-ସବୁ ଦିଗରେ ଉନ୍ନତି କରିଛନ୍ତି । ଜମିଦାରୀ ଥିଲାବେଳେ ଅନେକ ସଇ ମକଦ୍ଧମାରେ ସେ ତାଙ୍କୁ ସାହାଯ୍ୟ କରିଛି । ମିଛ ମକଦ୍ଧମାରେ ସାକ୍ଷୀ ଦେଇଛି । କେତେ ରାଣ୍ଡୀଖଣ୍ଡିଙ୍କ ଜମିକୁ ନିଜ ଜମିରେ ସାମିଲ କଲାବେଳେ ଚଉକିଦାରୀ ଠେଙ୍ଗା ଧରି ପାଖରେ ଠିଆ ହୋଇଛି । ସେଇ ଖାତିରରେ ସେ ବାବୁ ସାଆନ୍ତ ।

ଏବେ ଜମିଦାରୀ ଗଲାପରେ ଘନ ପଟ୍ଟନାୟକ ଅଛନ୍ତି, ସେଇ ପୁରୁଣା ତଉଜିର ତହସିଲଦାର । ଅଇଁଠୁ ଭାବିଲା ବାବୁ ସାଆନ୍ତଙ୍କୁ କଥାଟା କହି ପରାମର୍ଶ ନେବ ।

ସଞ୍ଜ ପହରଟାରେ ବାବୁ ସାଆନ୍ତେ ବାହାର ବାରଣ୍ଡାରେ ଆରାମ ଚେୟାର ପକେଇ ଢୋଳାଉ ଥାଆନ୍ତି । ଲମ୍ବ ଠେଙ୍ଗାଟାକୁ ତଳେ ରଖିଦେଇ ଅଇଁଠୁ ଓଳଗିଟାଏ ହେଲା । ବାବୁ ସାଆନ୍ତେ କୁଶଳ ପ୍ରଶ୍ନ କଲେ । ଅଇଁଠୁ କହିଲା – ‘ଆଉ ଭଲ କ’ଣ ପଚାରୁଛନ୍ତି ସାଆନ୍ତେ? ଚାକିରି ଗଲା ନାହିଁ ଯେ ପାଟିରୁ ଆହାର ଛଡ଼ାଇ ନେଲେ ।’

‘ଆହା ଏକଥା ତୁ ଆଉ କହନା । ବୁଝିଲୁ ଅଇଁଠୁ, ତୋ ଚାକିରିଟା ଥିଲା ବ୍ରିଟିଶ୍ ଅମଲାତାନ୍ତ୍ରିକ ଶାସନର ଏକ ନିଦର୍ଶନ । ଆମର ହେଲା ଜନମଙ୍ଗଳ ରାଷ୍ଟ୍ର । ଏଥିରେ ତୋର କିଛି କ୍ଷତି ହେବନି । ଚାକିରି ବଦଳରେ ତୋର ଥଇଥାନର ବ୍ୟବସ୍ଥା ସରକାର ଅବଶ୍ୟ କରିବେ ।’

‘କେବେ ସିନା କରିବେ ଆଜ୍ଞା, ଅବିକା ମୁଁ ତ ମଲି । ମୋତେ କିଛି ବୁଦ୍ଧି ବାଟ ଦେଖାନ୍ତୁ, ବାବୁ ସାଆନ୍ତେ ।’

‘ବୁଦ୍ଧି ଆଉ କ’ଣ ଦେବି? ତୋ କଥା ତ ଲେଖା ହୋଇଛି ଉପରକୁ । କେତେ ଜମି ଦିଆଯିବ, କି ଧରଣର ଜମି ଦିଆଯିବ ଜାଣିଲେ ଯାଇଁ ତାର ବନ୍ଦୋବସ୍ତ ହେବ ।’

‘ମୁଁ କଣ କହୁଥିଲି କି ବାବୁ ସାଆନ୍ତେ – ଆମ ଗାଁ ତଳର ଯେଉଁ ଅନାବାଦୀଟା ପଡ଼ିଛି, ସେଇଟାକୁ ମୋତେ କେମିତି ହେଲେ କରେଇ ଦିଅନ୍ତୁ ।’

ଘନ ପଟ୍ଟନାୟକ ଜିଜ୍ଞାସୁ ଦୃଷ୍ଟିରେ ଚାହିଁଲେ ଅଇଁଠୁ ଆଡ଼କୁ । ସତେ ଯେମିତି କେହି ତାଙ୍କର ବିଶି ଆଙ୍ଗୁଠିଟିକୁ ମୁଠାଇ ଧଇଲା । ତା’ପରେ ଆତ୍ମସ୍ଥ ହୋଇ ମୁହଁରେ ସରସତା ଫୁଟାଇ କହିଲେ, ‘ସେ ଖଣ୍ଡକ ସରକାର ଦେବେ କି ନା ଜାଣେନା । ତେବେ ପଡ଼ିଆ ପଡ଼ିଛି ଯେତେବେଳେ, ତୁ ତାକୁ ବର୍ଷେ ଦି ବର୍ଷ ଚାଷ କର । ଦେଖାଯାଉ କ’ଣ ହେଉଛି । ଚେଷ୍ଟା କରିବା ସେ ଖଣ୍ଡକୁ ତୋ ନାଁରେ କରାଇ ଦେବାକୁ । ସରକାରଙ୍କ ହୁକୁମ ଆସିବାକୁ ଟିକିଏ ଡେରି ହେବ । ତୁ ତ ସବୁ ଜାଣୁ । ମୁଁ ଆଉ ବେଶି କ’ଣ କହିବି? କେତେ ଉପରକୁ କାଗଜ ପତ୍ର ଯିବ । ପୁଣି ଫେରିବ କେତେ ହାତ ଦେଇ । କିଏ ଜାଣେ ଜମି ମିଳିବାକୁ କେତେ ଡେରି ହେଉଛି?’

‘କିନ୍ତୁ ବାବୁ ସାଆନ୍ତେ! ସେ ପଡ଼ିଆଟାକୁ ଉଠିଆ କରି ସାରିବା ପରେ ଯଦି ମୋ ନାଁରେ ନ ହୁଏ, ତେବେ ଏତେ ପରିଶ୍ରମ ଅକାରଣରେ ଯିବ ।’

‘ଓହୋଃ! କାରଣ ଅକାରଣ ବୋଲି କିଛି ଅଛି ଏ ଦୁନିଆରେ? ଭାବିଲେ ସବୁକିଛି ଅକାରଣ ପୁଣି ଭାବିଲେ କାରଣ ଅଛି । ଧରିନେ, ତୁ ସେ ଜମିକୁ ସାବାଡ଼୍ କରି ଦୁଇ ତିନି ଫସଲ କାଟିଲୁ, ସେଥିପାଇଁ ତୋ’ଠୁଁ ତ କେହି ଖଜଣା ନେଉନି କି ଭାଗ ନେଉନି । ମାଗଣାରେ ସବୁ ଘରେ ପୂରେଇବୁ । ଯଦି ସେ ଜମି ତୋ’ର ହେଲା ତ ଖୁବ୍ ଭଲ । ଆଉ ଯଦି ବା ନ ହେଲା ତେବେ ଦୁଃଖ କରିବାର ବି କିଛି ନାହିଁ ।

କଥାଟା ଅଇଁଠୁ ମନକୁ ପାଇଲା । ତା’ ପରିଶ୍ରମର ମୂଲ୍ୟ କିଛି ନାହିଁ । ଯାହାଙ୍କର ସମ୍ବଳ ଅଛି କି ଗୋଟାକୁ ଦି’ଟା ପେଷା ଅଛି ସେମାନେ ସିନା ଓଜନ କରି ଦେଖିବେ ଏଥିରେ ଲାଭ କି ସେଥିରେ ଲାଭ! ଯାହାର ଏପଟରୁ ନାହିଁ କି ସେପଟରୁ ନାହିଁ ତାକୁ ମୁଲେଇବା ପାଇଁ ରହୁଛି କେଉଁଠି? ଏଇ ଧ-ଧ-କୁ ପାଣି ଅଣା ପାଇଁ ତ ଏତେ କଥା । ମହାଜନ ଟଙ୍କାକୁ ଚାରିଅଣା ସୁଧ କହିଲେ ହଁ । ଛ’ ଅଣା କହିଲେ ବି ହଁ । ଟିକିଏ ଦମ୍ ନେଇ କହିଲା, ‘ମତେ ଟିକିଏ ତା’ହେଲେ ବାବୁ ସାଆନ୍ତେ ସହାୟ ହୁଅନ୍ତୁ । ମୁଁ ସେ ଖଣ୍ଡକୁ ଆବାଦ କରେ । ଆପଣଙ୍କ ମିତି ଲୋକ ପାଖରେ ଠିଆ ହେଲେ କିଏ କ’ଣ କହିବ ଅବା ।’

ପଟ୍ଟନାୟକ ହସି ହସି କହିଲେ, ‘ଆରେ, ତତେ ଯାହାଯ୍ୟ ନ କରିବି ତ କରିବି କାହାକୁ? ତୋ’ପରି ଉପକାରୀ ଲୋକଙ୍କର ଉପକାର ନ ମାନିଲେ ନର୍କରେ ପଡ଼ିବାକୁ ହବ । ବୁଝିଲୁ? ଖାଲି ନର୍କରେ ଘାଣ୍ଟି ଗୋଳେଇ ହେବା କଥା । ଶୁଭସ୍ୟ ଶୀଘ୍ରମ୍ । ବର୍ଷା ହୋଇଯାଇଛି । ଯୋଗଟା ଖୁବ୍ ଭଲ । ତୁ କାଲିଠୁ କାମରେ ଲାଗିଯା’ । କୋଡ଼ି କୋଦାଳ ସିଇରା ଯାହା ସବୁ ଦରକାର ସବୁ ଆମ ଘରୁ ନେଇଯିବୁ । ହଁ ଆମ ମୁଲିଆଟା ଖାଲି ଖାଲି ଘରଟାରେ ବସିଛି । ହାତରେ କିଛି ବୋଲି କିଛି ପାଇଟିପତ୍ର ନାହିଁ । ତାକୁ ମୁଁ କହିଦେବି, ତତେ ସେ ସାହାଯ୍ୟ କରିବ । ତୁ ବରଂ ଗୋଟେ କାମ କରିବୁ । ବଛାବଛି ବେଳକୁ ତୋ’ ପୁଅକୁ ଘଡ଼ିଏ ପଠେଇବୁ । ମତେ ଟିକିଏ ସାହାଯ୍ୟ କରିବା ପାଇଁ । ତୁ ତ ଜାଣିଥିବୁ ମୁଁ ଘରକୁ ଏକଲାଟା ହୋଇ ବଡ଼ ହଇରାଣ ହେଉଛି । ସହଜେ ତ ସରକାରୀ ଚାକିରି । ପର ଘରେ ମୁଣ୍ଡ ବିକିଥିବା କଥା । ଏଥିରେ ମୋର ବହୁତ କ୍ଷତି ହେଉଛି । ହଁ, କେହି ଯଦି ପଚାରେ ପଡ଼ିଆଟା କାହିଁକି ତାଡ଼ିଛୁ, କହିବୁ – ମୁଁ କହିଛି ।’

ଅଇଁଠୁ ଉଠି ଠିଆହେଲା । ଆନନ୍ଦରେ ସେ ଆତ୍ମହରା ହୋଇ ପଡ଼ିଥିଲା । ଭୂ-ସମ୍ପତ୍ତି ବୋଲି, ଘରର ପାଣିଚାର ବାଦ୍ ଟିପେ ହେଲେ ଜାଗା ଆଉ ନାହିଁ । ବ୍ରିଟିଶ୍ ଅମଳର ଗୋଲାମ, ସ୍ୱାଧୀନ ଭାରତର ଚୌକିଦାର ଏବେ ଚାଷୀ ବନିବ । ଏଟା କମ୍ ଗୌରବର କଥା ନୁହେଁ ।

ତା’ପରଦିନ ସକାଳୁ ଉଠି ଅଇଁଠୁ ଆଉ ତା’ପୁଅ ଦୁହେଁ କାମରେ ଲାଗିଲେ । କିଆବଣ ସଫା ହେଲା । ଅନାବାଦୀ ଆବାଦ ହେଲା । ଗାଁ ଲୋକେ କହିଲେ - ‘ଅଇଁଠୁ! ଦଣ୍ଡା ତାଡ଼ିବା ଭଲ କଥା ନୁହେଁ ।’ ଅଇଁଠୁ ବୁଝିଲା ଗାଁ ଲୋକେ ଯାହା କହୁଛନ୍ତି ସେଟା ଠିକ୍ । ହେଲେ ସେ ଆଗ ଯୁଗ ଆଉ ନାହିଁ । କେତେ ବଦଳି ଯାଉଛି । ତା’ର ଯେତେବେଳେ ଚାକିରି ଗଲା, ତାକୁ ଅନ୍ୟ ବ୍ୟବସ୍ଥା କରିବାକୁ ପଡ଼ିବ ନିଶ୍ଚୟ । ଦଣ୍ଡା ନ ତାଡ଼ିଲେ, ତାକୁ ଜମି ମିଳିବ କେଉଁଠୁ? କାହାର ଆବାଦ ଜମି ଏବେ ଥୁଆ ହୋଇଛି ଯେ, ତା’କୁ ଲଗାଣ କରିଦେବ । ଅଇଁଠୁ ନିଜ କାମରେ ମନ ଦିଏ ।

କେଇଟା ଦିନରେ ଜମିପୁଳାକ ଆବାଦ ହୋଇଗଲା । ହଳବଳଦ ବି ଅଭାବ ହେଲେନି । ପଟ୍ଟନାୟକ ଯାଚିକି ଦେବା ଲୋକ । କହିଲେ - ଅଇଁଠୁ, ବର୍ତ୍ତମାନ ମୋ ମୂଲିଆଟା ଘରେ ବେକାର ହୋଇ ବସିଛି । ତୁ କିଛି ଭାବେନ । ସେ ହଳ ଦି ଭେରା ବୁଲେଇ ଦେଉ । ମୋର ଯେତେବେଳେ ଲୋକ ଦରକାର ହେବେ ତୋଠୁ ସାହାଯ୍ୟ ନେବି । ତୁ ଚାଷୀ ହେବାକୁ ଯାଉଛୁ ଯେତେବେଳେ ତୋ ସହିତ ସହଯୋଗ ନ ରଖିଲେ ଚଳିବ କେମିତି?

ଅଇଁଠୁ ବାବୁ ସାଆନ୍ତଙ୍କର ଅଯାଚିତ କୃପା ଦେଖି ମୁଗ୍ଧ ଚକିତ ହୋଇଯାଉଥିଲା । ମନେ ମନେ କହିଲା - ଦେବତା ପରି ଲୋକଟା ଏକା । ୟାଙ୍କର ପୁଣି ଲୋକେ ନିନ୍ଦା କରନ୍ତି! ହଁ, ନ କରିବେ କିଆଁ? ଏ’ଟା ହେଲା କଳିଯୁଗ । ଏ ଯୁଗରେ କଞ୍ଚା ଗୋବରର ବି ଅଁଶେଇ ପଡୁଛି ।

ବାପ ପୁଅଙ୍କର ଶ୍ରମ ଆଉ ଭଲ ପାଳକ ଯୋଗୁ ଅନାବାଦୀ ଜମିରେ ସୁନାର ଲହଡ଼ି ଭାଙ୍ଗୁଛି । ଧାନଗଛ ଗୁଡ଼ାକ ଭାର ସହି ନ ପାରି ନଇଁ ପଡ଼ିଲାଣି । ପାଖ କିଆରି ଆଉ ଏ କିଆରି ଖଣ୍ଡେ ବାଟରୁ ବାରି ହୋଇପଡୁଛି । ଅଇଁଠୁ ମନେମନେ ଚିନ୍ତା କଲା – ଏ ସନ ପହଲାକୁ ବାହା କରେଇଦେବ । ଟୋକାଟା ଏବେ ଟିକିଏ ଫୁଲାଫାଙ୍କିଆ ଜଣାପଡ଼ୁଛି । ଘରଟାକୁ ବି ତିର୍ଲାପିଲା ଦରକାର । ଦୁନିଆଟା ଅଇଁଠୁକୁ ଛପଛପିଆ ଦେଖାଗଲା । ଆଖିରେ ତା’ର ଆଖିଏ ଲୁହ । ମନରେ ଅତୀତର ଅସରନ୍ତି ଭାବନା । ବିଚାରୀ! ତିଦସ୍ତାସନ ବାହୁଡ଼ା ଦିନ ବୁଢ଼ୀ କାଳ ମୁହଁରେ ଗଲା । ହତଭାଗିନୀଟା ।

ଅଇଁଠୁ ଜୀବନରେ ଚାଷୀ ହେବା ଦିନଠୁ ବର୍ଷଟିଏ ପୂରି ଯାଇଛି । ଜମି ପୁଳାକରୁ ଏହା ଭିତରେ ଦୁଇଟି ଫସଲ ସେ ଉଠେଇଛି । ଘନ ପଟ୍ଟନାୟକଙ୍କୁ ଏହା ଭିତରେ ଅନେକ ଥର ସେ ଓଳଗି ହେଲାଣି । ମୋ କଥା ଭୁଲିବେ ନାହିଁ କହି ତାଙ୍କୁ ସବୁବେଳେ ମନେ ପକାଇ ଦେଉଛି । ଅନାବାଦୀ ଖଣ୍ଡକ ତା’ର ହୁଏ ଯେମିତି । ଦିନ ଗଡ଼ି ଚାଲିଛି । ପୁଣି ଆସିଛି ମାଘ ମାସ । ଆଉ ଗୋଟିଏ ଫସଲ ପାଇଁ ଜମିକୁ ସଜାଡ଼ିବାର ବେଳ ।

ଅଇଁଠୁ ଜେନା ପାଖକୁ ଅଞ୍ଚଳ ଅଫିସରୁ ଖବର ଆସିଲା – ଶୀଘ୍ର ଆସି ଦେଖାକର । ମଇଳା ଗାମୁଛାଟାକୁ ମୁଣ୍ଡରେ ବାନ୍ଧି, ଚୌକିଦାରୀ ଅମଳର ପୁରୁଣା ବାଇଗଣୀ ରଙ୍ଗର ଫତେଇଟାକୁ ଦେହରେ ଗଳେଇ ଅଇଁଠୁ ଯାଇ ଠିଆହେଲା ଅଞ୍ଚଳ ଅଫିସ୍ ଆଗରେ ।

ଅଞ୍ଚଳ ଅଫିସର କିରାଣୀ କାଗଜ ବଢ଼ାଇ ଦେଇ କହିଲେ - ଅଇଁଠୁ ଜେନା! ତୁମକୁ ଜମି ମିଳିଗଲା । ତମରି ଗାଁର ୬୪୦ ରୁ ୬୪୫ ନମ୍ବର ପ୍ଳଟ ଜମି ଆଜିଠୁ ତମର ହେଲା । ଗାଏ ମୋଟ ଏକ ଏକର ଦଶ ଡେସିମିଲ୍ ଜମିକୁ ଖଜଣା ହେଲା ବଷଁକୁ ମାତ୍ର ଦଶ ଟଙ୍କା ଦଶ ପଇସା ।

ଅଇଁଠୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା ପଛ ପଟରେ ବସିଥିବା ବୁଢ଼ା ଅମିନ ଆଡ଼େ । ଖଣ୍ଡେ ବୋଲି ତ ଜମି । ପାଞ୍ଚଖଣ୍ଡ ହେଲା କେମିତି? ମନକଥା ବୁଝିପାରି ବୁଢ଼ା ଡାକିଲା ପାଖକୁ – ଦେଖିବା ଦେଲ । କେଉଁ ଜମି ତମକୁ ମିଳିଲା? ଅଇଁଠୁ ବଢ଼ାଇ ଦେଲା କାଗଜ ଖଣ୍ଡିକ ।

ପ୍ରଚକ୍ଷୁ ଲଗେଇ ବୁଢ଼ା ନିରିଖେଇ ଦେଖିଲା ସେ ପଟ୍ଟା ଖଣ୍ଡିକୁ । ତା’ପରେ ଟିକିଏ ହସି କହିଲା – ‘ଭଲ ଜମି ପୁଳାଏ ପାଇଲ ହେ ଜେନାଏ!’

ଅଇଁଠୁ ଝାଉଁଳି ପଡ଼ି କହିଲା, ‘ସେଇ ଅନାବାଦୀ ପୁଳାକ କଥା କହୁଛନ୍ତି ନା ବାବୁ ।’

‘ହଁ – ହଁ, ଅନାବାଦୀ ପୁଳାକ । କିନ୍ତୁ ସେଠି ତୁମେ କ’ଣ କରିବ । ଘାଇ ମୁହଁ ବାଲିଚରଟା ।’

‘ବାଲିଚର? କ’ଣ କହୁଛନ୍ତି ଆପଣ? ସେଠି ଅନାବାଦୀ ଜମି ଆସିଲା କୁଆଡୁ? ମୋ ଦିହକଯାକ ତ ଦେଖି ଆସିଲି – ସେଠି ଅନାବାଦୀ ଗୋଚର ବୋଲି କିଛି ନାହିଁ ।’ ‘ଦୂର୍ । ତୁମେ ଜାଣିନ ।’ ‘ଆଚ୍ଛା ଦେଖିଲେ ଆଜ୍ଞା! ଆମ ଗାଁ ତଳ ଅନାବାଦୀ ପୁଳାକ କେଉଁଠି ଅଛି?’ ‘ଗାଁ ତଳେ ଅନାବାଦୀ ଫନାବାଦୀ କିଛି ନାହିଁ । ଯାହା କିଛି ସବୁ ସେଇ ଘାଇ ମୁହଁ ପାଖରେ । ପୁରୁଣା ରେକର୍ଡରେ ଥିଲା । ରିଭିଜନ ବନ୍ଦୋବସ୍ତରେ ଘନ ବାବୁ ସେ’ଟାକୁ ବଦଳେଇ ଦେଇଛନ୍ତି ।’ ଅଇଁଠୁ ଫେରିଲା ଗାଁକୁ । ନୁଆଁଣିଆ ଖରା ତାତିରେ ମୁଣ୍ଡଟା ତାର ଝାଇଁ ମାରି ଯାଉଥିଲା । ସେଇ ତାତି ଆଉ କ୍ଳାନ୍ତିକୁ ଆଗକୁ ଠେଲି ସେ ଚାଲୁଥିଲା । ମନେ ମନେ ଭାବୁଥିଲା – ବାବୁ ସାଆନ୍ତଙ୍କୁ ପଚାରିବ, ଅନାବାଦୀ ଜମିଟା ଚାଲି ଚାଲି ଏତେ ବାଟ ଗଲା କେମିତି? (ରଚନା – ୧୯୬୭)   ତସ୍ମୈ ଶ୍ରୀଗୁରବେ ନମଃ ଗୁରୁ । ଗୁଣରେ ସେ ଅବ୍ୟକ୍ତ । ଗାରିମାରେ ଗୂଢ଼ । କେତେକ ଅ-ଗୁରୁ ବିଦ୍ୟା ଛାଡ଼ି ସବୁ ଶିଖାଇବାକୁ ଯୁଗଯୁଗ ଧରି ଗୁରୁ ଥିଲେ ଓ ଆଜି ବି ଅଛନ୍ତି । ନାସ୍ତିକଙ୍କ ମନରେ ଈଶ୍ୱର ନଥା’ନ୍ତୁ ପଛେ, ଗୁରୁ ଥା’ନ୍ତି । ଜଳେ-ସ୍ଥଳେ ଅଥବା ଅନଳେ, ପ୍ରାସାଦରେ ଅବା ଚାଳଘରେ, ପଦବ୍ରଜେ-ନିଦ୍ରା-ଜାଗରଣେ, ସେ ଥାଆନ୍ତି ସଭିଙ୍କ ସ୍ମରଣେ । ଏହିପରି ନାନାଦି କାରଣରୁ ଗୁରୁ-ସତ୍ତା ଅବିନାଶୀ । ଗୁରୁ ହିଁ ବ୍ରହ୍ମ । ବ୍ରହ୍ମ ଟେଷ୍ଟ୍ କରିବାକୁ ଯେତେ ଉପାୟ ଥାଇପାରେ, ଗୁରୁ ସବୁଥିରେ ଟେଷ୍ଟ ଯୋଗ୍ୟ । ମୁକ୍ତ ବି ସିଏ, ଗୋପ୍ୟ ବି ସିଏ । ଦାତାପଣରେ ସର୍ବଦାତା, ତଥାପି ଅକ୍ଷୟ । ଅନବରତ ସରି ଯାଉଥା’ନ୍ତି, ପୁଣି ଦେଖିଲାବେଳକୁ ସେଇମିତି ରହିଥାନ୍ତି । ମାୟା ତାଙ୍କରିଠାରୁ ସୃଷ୍ଟି ହୁଏ, ଅଥଚ ସେ ନିଜେ ମାୟାମୁକ୍ତ । ପଥହଜାଙ୍କ ପାଇଁ ସେ ନେସେନାଲ୍ ହାଇଉଏ, ଫୁଟାଣିଆଙ୍କ ପାଇଁ ଅର୍ବାନ ଡେଭେଲପ୍ମେଣ୍ଟ୍ ବିଭାଗ ଦ୍ୱାରା ଆପ୍ରୁଭ୍ ହୋଇଥିବା ନକ୍ସାର ରେଖା-ପଥ ପରି । ଗାରରେ ଦେଖାଯାଉଥାଏ, ଆତଯାତ ଅସମ୍ଭବ । ତାଙ୍କୁ ଛୁଇଁ ହୁଏ, ଆବୋରି ହୁଏନି । ଆନମିତ ପ୍ରୀତି ପାଇଁ ସେ ପ୍ରେୟସୀ । ଜୀବନର ଅସ୍ତରାଗରେ ସେ ପତ୍ନୀ । ଏକା ସାଙ୍ଗରେ ସିଏ ଲୋକସମ୍ପର୍କ ବିଭାଗର ବିଜ୍ଞାପନ ଏବଂ ସମ୍ବାଦପତ୍ରର ସ୍ୱାଧୀନତା । ଅନ୍ଧକାରରେ ସେ ଆଲୋକ । ଆଲୋକରେ ସେ ହିଁ ସୂର୍ଯ୍ୟ । ତାଙ୍କୁ ବୁଡ଼େଇ ହୁଏନା, ସେ ନିଜେ ଇଚ୍ଛାରେ ଲୁଚି ଯାଆନ୍ତି ।

ଗୌରଚନ୍ଦ୍ରିକା ଶୁଣି ମାଷ୍ଟ୍ରମାନେ ଯଦି ନିଜକୁ ଗୁରୁ ବୋଲି ଭାବୁଥିବେ, ଆମେ ପ୍ରଣାମ କରି କହୁଛୁ, ସେମାନେ ଏପରି ଆଲମ୍ବନରୁ ତଳକୁ ଡେଇଁ ପଡ଼ନ୍ତୁ । ସେପ୍ଟେମ୍ବର ପାଞ୍ଚ ତାରିଖ ସତ୍ତ୍ୱେ ସବୁଦିନେ ସେମାନେ ମାଷ୍ଟ୍ରେ । ଟହକ ପରିପାଟୀ ସହିତ ଛିନ୍ନମୁଷ୍କ ଯେମିତି ନାରୀ ନୁହେଁ, ଗୁରୁ ସେମିତି ମାଷ୍ଟ୍ରେ ନୁହଁନ୍ତି । ଗୁରୁ ଯିଏ ସିଏ ଗୁରୁ । ବିକଳ୍ପ ରହିତ ।

ଆମର ଗୋଟିଏ ଢଗ : ଏକ୍ ଜନେ ତୁନ୍ତାନ୍ / ଦୁଇଜନେ ପାଠ୍ / ତିନ୍ ଜନେ ଗାଲିଗୁଲମାଲ୍ / ଚାରଜନେ ହାଟ୍ । ଗୁରୁ-ଚେଲା କାରବାର ସବୁବେଳେ ଦୁଇଜଣିଆ । କମ୍ରେ ଚଳେନି ବା ବେଶିରେ ଚାହିଦା ନ ଥାଏ । ଚୟନିକାର ଚିରନ୍ତନତା ସତ୍ତ୍ୱେ ଗୋଟିଏ ସତର୍କ ବାଣୀ ତଥାପି ଶୁଣିବାକୁ ମିଳେ । ଯୁଗେ ଯୁଗେ ଗୁରୁଙ୍କୁ ଡ୍ୟାସ୍ ମାରିବା, ଅର୍ଥାତ ପଟି ମାରିପାରିବା ପଣର ଚେଲା ବି ଥା’ନ୍ତି । ସେମିତି ଏକ ଗୁରୁ-ଚେଲା ଉପାଖ୍ୟାନ । ପହଲୱାନ ବ୍ରିଜୱାଲାଙ୍କ ଆଖଡ଼ା । ବ୍ୟାପ୍ତ ଅଞ୍ଚଳରେ ଟେକ ନାଁ । ବହୁ ସଂଖ୍ୟକ ଚେଲା । କୁସ୍ତି କସରତ ଅଭ୍ୟାସ ସର୍ବଦା ଚାଲିଥାଏ । ସବୁ ଅନୁଷ୍ଠାନ ପରି ସେ ଆଖଡ଼ାରେ ବି କେତକ ନିୟମ ଥାଏ । ଆଖଡ଼ା ଘରକୁ ଓସ୍ତାଦ ଖୁବ୍ କମ୍ ଆସନ୍ତି । ସ୍ତର ସ୍ତରର ଶିଷ୍ୟ, ଉପଶିଷ୍ୟ, ପଟ୍ଟଶିଷ୍ୟ, ଚେଲାମାନେ କାମ ଚଳାଇଥା’ନ୍ତି । ଚେଲାମୟ ହେଲେ ଜଗତ କେମିତି ଲାଗେ, ସେତିକି ଥିଲା ବ୍ରିୱାଲାଙ୍କ ସନ୍ତୋଷ । ଜଣେ ସନ୍ତୁଷ୍ଟ ଗୁରୁଙ୍କ କଲ୍ୟାଣ, ଚେଲାମାନଙ୍କ ଲାଗି କେତେ ଉପକାରୀ ସେକଥା ପ୍ରତ୍ୟେକେ ଠଉରେଇ ପାରୁଥିଲେ ।

ବ୍ୟାପ୍ତ ଅଥଚ ନିବଦ୍ଧ ସଂସାରକୁ ଦେଖି ହେଜିବା ବା ନଦେଖି ଅନୁଭବ କରିବାପରି ଜ୍ଞାନ ସବୁ ମିଳେ ଗୁରୁଙ୍କଠାରୁ । ଅନେକ ମହତ ଲୋକ ଅଛନ୍ତି, ଯେଉଁମାନଙ୍କ ତମାମ ଜୀବନ ବିତିଯାଇଥିଲେ ସୁଦ୍ଧା ସେମାନେ ନିଜକୁ ଗୁରୁ ବୋଲି କେବେ ଦାବି କରନ୍ତି ନାହିଁ । ଏହାକୁ ମାନସିକ ବିଶୃଙ୍ଖଳା ବା ସ୍ୱାର୍ଥପର ବିନୟୀଭାବ ବୋଲି କୁହାଯାଇ ପାରେ । ହଇହୋ ବାବୁ, ଜ୍ଞାନକୁ ଯଦି କଳାଧନ ପରି କେବଳ ନିଜ ଜାଣତାରେ ଲୁଚାଇବାର ଥିଲା, ହାସଲ କଲାବେଳେ କାହିଁକି ଭାବିଲନି ଯେ ଯଦି ତୁମ ପୂର୍ବରୁ ସମସ୍ତେ ସେମିତି କରିଦେଇଥା’ନ୍ତେ, ତା’ହେଲେ ତାହା ତୁମେ ପାଇଥା’ନ୍ତ କୋଉଠୁ! କିନ୍ତୁ, କଥା କ’ଣ କି, ନିଜ ଗୌରବ ଯଦି ଆଢୁଆଳରେ ରହେ, ମଣିଷର ମାନସିକ ସଙ୍ଘାତ ଦୁଇ ପ୍ରକାର ଦେଖାଯାଏ । ଗୌରବ ଯଦି ପ୍ରକାଶିତ ହୁଏ, ଦୁଃଖ ବି ଦୁଇ ପ୍ରକାର । ଆଢୁଆଳରେ ରହିଲେ, ମଣିଷ ଭିତରେ ଥିବା ‘ମୁଁ’ଟି ଅଦର୍ଶନରେ ପ୍ରେମ ଝାଉଁଳି ପଡୁଥିବା ପରି ଧୀରେ ଧୀରେ ମରିଯାଏ । ଜୀବନରେ ଯଦି ଗୌରବ ନାହିଁ, ତା’ହେଲେ କେଉଁ ମହାର୍ଘ ପସରା ଛାଡ଼ି ସେ ଏଇ ସଂସାରରୁ ଯିବ ଯେ! ବିତ୍ତ - ବୈଭବ? ସ୍ୱତ୍ତ୍ୱାଧିକାରୀଙ୍କ ବାଟେ ଆଇନ ସଙ୍ଗତ ଉପାୟରେ ସବୁ ପାର ହୋଇଯିବ । ପ୍ରକାଶର ଦୁଇ ଦୁଃଖ : କିଳାମାନେ ବିନା ନୋଟିସ୍ରେ ଆସନ୍ତି ଏବଂ ମଣିଷ ମନରେ ‘ହାମ୍ବଡ଼ା’ ଭାବ ଯାଦୁ, କୁଣ୍ଡିଆ ପରି ବିସ୍ତରିଯାଏ ।

ବ୍ରିଜ୍ୱାଲାଙ୍କ ଚାରି ଜଣ ଏକନମ୍ବରୀ ଚେଲାଙ୍କ ଭିତରୁ ପରେଶ ପହଲୱାନ୍ ଅନେକ ଦିନୁ ଏମିତି ନାନାଦି କଥା ଚିନ୍ତୁଛି । ଅନେକ ରାତି ହତାଶିଆ ପରି ଆଁ କରି ଅନେଇ ଅନେଇ କଟିଯାଉଛି । ଆଖିକି ନିଦ ଆସୁ ନାହିଁ ।

ପରେଶ ପହଲୱାନ୍ ମୋଟେ ଅସଫଳ ନୁହେଁ । ଏମିତି ଭାବିଲେ, ସେ ଗୁରୁଜୀଙ୍କର ସବୁଠାରୁ ପ୍ରିୟ । ସେ ଏକ ମାତ୍ର ଚେଲା ଯିଏ ଶହେ କୁସ୍ତି ଲଢ଼ି ସାରିଛି, ଅଥଚ ଗୋଟିଏ ବି ହାରି ନାହିଁ । ଗୁରୁ ତା’ ନାଁରେ ବଇରଖ ଥାପିବା କଥା ମଧ୍ୟ ମନ ଖୋଲି କାହାକୁ କାହାକୁ କହିସାରିଲେଣି । ତା’ହେଲେ, ଭିଡ଼ଯୋଗୁ ସିନେମା ଟିକେଟ୍ ନ ପାଇଲେ ଦାର୍ଶନିକ ଅବସାଦରେ ଘାରିହେବା ରୋମିଓମାନଙ୍କ ପରି ତା’ ମନରେ ଉପୁଜିଥିବା ଗ୍ଳାନିର କାରଣ କ’ଣ ହୋଇପାରେ?

ପହିଲେ ନ ଥିଲା । ପରେ ପରେ ତାହା ତାକୁ ବେଶି ଆକ୍ରାନ୍ତ କଲା । ସେ ଅନୁଭବ କରେ, କୁସ୍ତିର ଏମିତି ଖଞ୍ଜ କୌଶଳ ସେ ଜାଣେ, ଯାହା ଗୁରୁ ତାକୁ ଶିଖାଇ ନଥିଲେ । ସମ୍ପତ୍ତିରୁ ପୁଳାଏ ଦେଇଦେଲେ ମଣିଷର ପ୍ରଜ୍ଞା ଆହତ ହୁଏ ନାହିଁ । ମାତ୍ର ନିଜେ ହାସଲ କରୁଥିବା ଗୌରବରେ କେହି ଭାଗୀଦାର ଜୁଟିଲେ ହିଂସାରେ ମନ ଜଳିଯାଏ । ପ୍ରୀତିରେ ଆନର ଅନୁପ୍ରବେଶକୁ ସହାବସ୍ଥାନ କହି ଉଦାରଭାବେ ସହ୍ୟ କରିପାରୁଥିବା ନର-ନାରୀ ବରଂ ଈଶ୍ୱର ହୋଇପାରନ୍ତି, ମଣିଷ ହୋଇ ପାରିବେ ନାହିଁ । ପୁଣ୍ୟର ନଈ ଅତଡ଼ା ଉପରେ ମଜବୁତଭାବେ ଠିଆ ହୋଇଥିବା ପାଞ୍ଚ ମନ ପଚିଶ ପ୍ରକୃତିର ମଣିଷ ସେତିକିବେଳେ ତଳେ ରହୁଥିବା ପାତକର ଧାରାସୁଅରେ ଦାନ୍ତ କଡ଼ମଡ଼ କରି ଡେଇଁପଡ଼େ! ବହୁତ ବହୁତ ଜିତିଲା ପରେ ପରେଶ ପହଲୱାନକୁ ହୀନମନ୍ୟତା ଘାରିବାର କାରଣ ହେଲା, ପ୍ରତି ଥର ଶୁଣିବାକୁ ପାଉଥାଏ, କିଏ ଜିତିଲା? - ନା, ବ୍ରିଜୱାଲା – ଚେଲା । କେତେବେଳେ ତା’ ନାଁ କେହି ଧରନ୍ତି ନାହିଁ । ତା’ ପରାକ୍ରମର ନାଁଟି ମାଟି ବୋଳ ଭିତରେ ମରକତ ପରି ଜ୍ୟୋତି ବିକିରଣ ନ କରି କ’ଣ ହଜିଯିବ? ଅନେକଥର ଗୋପନରେ ମନାସି ସାରିଲାଣି, ଗୁରୁ ହେଲେ ମରିଯାଆନ୍ତେ କି! ଅନ୍ତତଃ ପଙ୍ଗୁ ହୋଇଯାଆନ୍ତେ କି! କଳ୍ପନା ବାଟେ ପ୍ରାପ୍ତିର ନିକଟବର୍ତ୍ତୀ ଇଲାକାରେ ଉପନୀତ ହୋଇ ଅପ୍ରାପ୍ତି ଯୋଗୁ ଯେତେ ପ୍ରକାର ଦହଗଞ୍ଜ ଥାଇପାରେ, ପରେଶ ପହଲୱାନ ସବୁ ଭୋଗୁଛି । ସମୁଦାୟ ମଣିଷଟାକୁ ମୋଟୁରୁ ଦେଖା ନ ଯାଉଥିବା ମନ ପରିକା ଶୂନ୍ୟ-ସତ୍ତାଟି କେଡ଼େ ନାରଖାର ନ କରେ ଟି! ହ୍ୟାପ ... ଏ ଗୁରୁ ମରିବନି କି ମୁଁ ଓସ୍ତାଦ ହୋଇ ପାରିବିନି । “ଯୋଜନାନାଂ ସହସ୍ରଂ ତୁ ଶନୈର୍ଗଚ୍ଛେତ୍ ପିପୀଲିକା / ଅଗଛନ୍ ବୈନତେୟୋଽପି ପଦମେକଂ ନ ଗଚ୍ଛତି” । ଯାହାହେଉ ପଛେ ବଡ଼ ପୁରୁଷ ସବୁ କହିଯାଇଛନ୍ତି ନା । ଗରୁଡ଼ ଯେଡ଼େ ସ୍ପିଡ଼ରେ ଉଡ଼ିବାକୁ ସକ୍ଷମ ହୋଇଥାଉ ନା କାହିଁକି, ସିଏ ଯଦି ଖାଲି ନିଜ କ୍ଷମତା ସକାଶେ ଫୁଟାଣି ମାରି ବସି ରହେ, ଚାଲୁଥିବା ପିମ୍ପୁଡ଼ିଠାରୁ ସେ ଆଗକୁ ଯାଇପାରିବ ବା କେମିତି? ମୋତେ କିଛି ଉଦ୍ୟମ କରିବାକୁ ହିଁ ହେବ । ପରେଶ ପହଲୱାନର ଯେଉଁ ମାନସିକ ଅବସ୍ଥା, ସେଥିରେ ସେ ନାନା କଥା ଚିନ୍ତା କଲା । କେତେକଥା ଯୋଡୁଥାଏ, କେତେ କଥା ଫେଡୁଥାଏ । ଭାବିଲା, ଗୁରୁଙ୍କୁ ସେ ନିଜେ ମାରିଦେବ । ବାସ୍ – ଏଇ ଆଇଡିଆ ଫାଇନାଲ୍ ହୋଇଗଲା ।

କିନ୍ତୁ ଦୁଇଟି କାରଣ ପାଇଁ ଡର ମାଡ଼ୁଥାଏ । ଗୁରୁଦ୍ରୋହୀ, ସିଧା ନର୍କକୁ ପଳାଇବ । ମନ ତାକୁ ବୁଝେଇଦେଲା : ଯା’ ବେ, ମଲା ପର କଥା ଏତେ କାଇଁ ଭାବୁଛୁ? ଦଣ୍ଡ ପାଇଲେ ପୁଣି ମଣିଷ ହୋଇ ଜନ୍ମ ହେବୁ, ପୁଣି ପହଲୱାନ ହେବୁ । ମାତ୍ର କାମଟା ସାରିଦେଲେ ଜୀବନ କାଳରେ ହିଁ ଗୁରୁ ତ ହୋଇ ପାରିବୁ ନା । ମନର ଯୁକ୍ତିଟି ତାକୁ ଟାଣୁଆ ଲାଗିଲା । ଯେଉଁ ଦ୍ୱିତୀୟ କାରଣଟିକୁ ସେ ଡରୁଥିଲା, ତାହାଥିଲା – ବ୍ରିଜୱାଲା ଏକ ମାତ୍ର ମଲ୍ଲ, ଯାହା ସହିତ ଆଦୌ ଲଢ଼ି ନାହିଁ । ଭୟ ସହିତ ହାବୁଡ଼ିବା ଠାରୁ ଭୟର ଆଶଙ୍କା ମଣିଷକୁ ବେଶି ହୁରୁଡ଼ାଏ । ଯାହା ବି ହେଉ ଗୁରୁ ମରନ୍ତୁ, ଏଇ ବିଚାର ସହିତ ସେ କୌଣସି ପ୍ରକାର ସାଲିସ୍ କରିବ ନାହିଁ ।

ସେଥିପାଇଁ ସେ ଉପାୟ ଫାନ୍ଦିଲା । ଗୁରୁଙ୍କର ଦୈନନ୍ଦିନ ସମସ୍ତ କାର୍ଯ୍ୟସୂଚୀ ସେ ଜାଣିଥାଏ । ସମ୍ମୁଖରେ ଭେଟିବା ଡର ନ ଥିବ ଅଥଚ ତା’ କାର୍ଯ୍ୟସିଦ୍ଧି ହୋଇ ପାରିବ । ତାହାହେଲା, ଗୁରୁ ସକାଳେ ଯେତେବେଳେ ପ୍ରାତଃକାର୍ଯ୍ୟ ପାଇଁ ‘ଦୁଇ’ ଯାଆନ୍ତି । ଆଖଡ଼ାରେ ଥିବା ଗୋଟିଏ ଚଉକସ ମୂଳିଆ କଣ୍ଟାବାଇଁଶି ଠେଙ୍ଗାକୁ ସେ ଅନବରତ ନଜରରେ ରଖିଥାଏ ।

କାଲି ପ୍ରତ୍ୟୁଷରେ ସବୁ କାମ ସାରିଦେବ । ପହଲୱାନ୍ ଓସ୍ତାଦ୍ ହେଲେ ତାକୁ ଘେରି ରହିଥିବା ସମଗ୍ର ପୃଥିବୀଟା ଆପେ ଆପେ କେମିତି ବଦଳିଯିବ, ବିକ୍ଷିପ୍ତ ହେଉ ପଛେ, ସେଥିରୁ ପୁଳାଏ କଳ୍ପନା ସେ କରିପକାଉଥାଏ । ସାରା ରାତି ଚଙ୍ଗ୍ ଚଙ୍ଗ୍ । ଆଖିପତା ପଲଟୁନି । ଦୁର୍ଯୋଗକୁ ପାହାନ୍ତିଆ ପହରକୁ ଘୁମେଇ ପଡ଼ିଛି ସିଏ । ପ୍ଳାନ୍ ମିସ୍ ହୋଇଥିବାରୁ ଉଠି ଚମକିପଡ଼ିଲା । ପ୍ରେମିକା ‘ସୃଷ୍ଟି’ କରିବା ଲୋଭରେ କୌଣସି ଚିହ୍ନା ଝିଅର ବହି ଭିତରେ ତା’ ଅଜାଣତରେ ଗୁଞ୍ଜି ଦେଇଥିବା ଆଦ୍ୟ ଯୌବନର ସର୍ବପ୍ରଥମ ପ୍ରେମ ପତ୍ରଟି, ବହି ବଦଳ ହୋଇଥିବା କାରଣଯୋଗୁ ନିଜ ଭଉଣୀର ଟେବୁଲ ଉପରେ ଆବିଷ୍କାର କଲେ, ମାଟ୍ରିକ ପଢୁଥିବା ବୟସରେ ବାଳକଟି ଯେମିତି ଛନକି ଯାଏ, ପରେଶ ପହଲୱାନର ଅବସ୍ଥା ତା’ଠାରୁ କୋଉ ବାଟେ ଭଲ ନ ଥିଲା ।

ସେତିକିବେଳେ ସେ ଶୁଣିଲା, ଗୁରୁଜୀଙ୍କ ହାକୁଡ଼ି । ସେ ହାକୁଡ଼ିକୁ ବି ସେ ଚିହ୍ନେ । ବାସି ପାଣି ପିଇ ମଇଦାନ ଯିବା ପୂର୍ବରୁ ସେ ଏମିତିକା ହାକୁଡ଼ିଟାଏ ମାରନ୍ତି । ସେ ପର୍ଯ୍ୟନ୍ତ ଧକ ଧକ ହେଉଥିବା ତା’ ଛାତି ପୁଣି ଧୀର ଲଳିତ ହୋଇ କଳଗାଉଣା ବଜାଇବାକୁ ଲାଗିଲା । ଗୁରୁଙ୍କ ପାଇଁ ଶେଷ ନମସ୍କାର କଲା । ଭାବିଲା, ଯାହାକୁ କାଳ ଜଗିଥାଏ, ସିଏ ବଞ୍ଚିବ କୋଉ ବାଟେ!

ଶଙ୍କାହୀନ ବ୍ରିଜୱାଲା ପାଣି ଢାଳେ ଧରି ପେଟ ବାଡ଼େଇ କିଆ ଗୋହିରି ଆଡ଼େ ଚାଲିଥା’ନ୍ତି । ଅତି ସନ୍ତର୍ପଣରେ ସେ ତାଙ୍କୁ ଅନୁସରଣ କରୁଥାଏ । ଗୁରୁ କାନରେ ପଇତା ଗୁଡ଼େଇ ନିତ୍ୟକର୍ମ ପାଇଁ ବସିପଡ଼ିଲେ । ଥରକରେ ଯେମିତି ସବୁ କାମ ଶେଷ ହେବ, ସେହିପରି ଯୋଖ କରି ଠେଙ୍ଗା ଉଞ୍ଚେଇ ଗୁରୁଙ୍କ ତାଳୁକୁ ଳକ୍ଷ୍ୟକରି ନିସ୍ତୁକ ପାହାରଟେ କଷିଦେବା ବେଳକୁ ପରେଶ ପହଲୱାନ୍ ମୁହଁରେ ବଜ୍ର ଆଘାତ ପରି ଢାଏ କରି କ’ଣ ଗୋଟାଏ ବାଜିଗଲା । ହାତରୁ ଖସି ଠେଙ୍ଗା ତିନି ଚାରି ଘେରା ପବନରେ ବୁଲି ପଛକୁ ପଡ଼ିଲା । ପହଲୱାନ୍ କଣ୍ଟାବୁଦା ଉପରେ ଲମ୍ବକାତ୍ । ଆସାଷ୍ଟମ ।

ଗୁରୁଙ୍କ ନିତ୍ୟକର୍ମ ନାରଖାର ହୋଇଗଲା । ସେ ଘୂରି ଦେଖିଲେ, ତାଙ୍କ ପ୍ରିୟ ଚେଲାର ନାକଦଣ୍ଡା, ମୁଣ୍ଡ, ମୁହଁ ଫାଟି ରକ୍ତ ଝରଝର ବହିଯାଉଥାଏ । ଦେହ ସାରା ବାଗବାଇଶ ନଥାଏ । ଗୁରୁ କିଛି ବୁଝିପାରୁ ନ ଥା’ନ୍ତି । ସେ ତାକୁ ଉଠାଇ ସାଷ୍ଟାମ କଲେ ।

ଚେତା ପାଇ ଚେଲା ଦେଖିଲା, ପାଖରେ ଗୁରୁଜୀ । ଶାନ୍ତ-ସୌମ୍ୟ-କଲ୍ୟାଣମନ୍ତ ରୂପ । ତା’ପରି ଗୁରୁ-ଦ୍ରୋହୀଟାର ଶୁଶ୍ରୂଷାରେ ସେ ବ୍ୟସ୍ତ । ଚେଲା ନିଜ ଲୁହ-କୋହ ସମ୍ଭାଳି ପାରିଲାନି । ମନର ସବୁ ପାପ, ସବୁ ତଦ୍ଜନିତ କର୍ମ କୁନ୍ଥେଇ କୁନ୍ଥେଇ କହିଦେଲା । ଗୁରୁଙ୍କ ପାଦ ଯୋଡ଼ିକ ଧରି ସେ ଭେମାରଡ଼ି ପକାଇ କାନ୍ଦୁଥାଏ କେବଳ ।

ଅବିଚଳିତ ଭାବେ ଗୁରୁ କହୁଥା’ନ୍ତି - ବ୍ୟସ୍ତ ହୁଅନା, ବିକଳ ହୁଅନା । ଭୁଲ ନ ଥିଲେ ଚେଲାଟିଏ ବିଦ୍ୟା ଶିଖିବ କେମିତି?

“ମୁଁ ନର୍କ ଛଡ଼ା ଜାଗା ପାଇବିନି, ଓସ୍ତାଦ । ହେଲେ, ଆପଣ ଜାଣିଲେ କେମିତି?”

“ଆରେ ବାପ, ମୁଁ ପରା ତୋ’ ଗୁରୁ । ହେଉ, ତଥାପି କହିଦଉଚି, ଏଇ ଗୋଟିଏ ବିଦ୍ୟା ଶୁଣି ମୋଟେ ଭାବିବୁନି ରେ ଗେଡ଼ ତୁ ସବୁ ଶିଖିଗଲୁ ବୋଲି । ଭବସାଗର ଯେମିତି ଗୋଲ, ଗୁରୁଙ୍କ ଜ୍ଞାନ ସେମିତି ଗୋଲାକାର ।” ପରେଶ ପହଲୱାନ ସେମିତି ଠିଆ ଠିଆ ବ୍ରହ୍ମ – ସନ୍ଧାନ ପାଉଥିଲା । ଗୁରୁ ଟ୍ରିକ୍ ବି କହିଦେଲେ । ମଳ ନିଃଷ୍କରଣ କାଳରେ ସୁର୍ଯ୍ୟଙ୍କୁ ମୁଖ କରି ବସିବା ନିଷେଧ । ତେଣୁ ସେ ପଶ୍ଚିମକୁ ମୁହଁକରି ବସିଥିଲେ । ସୂର୍ଯ୍ୟାଲୋକ ଥିଲା ତାଙ୍କ ପଛରେ । ଜଣଙ୍କ ଦୀର୍ଘ ଛାଇ ତାଙ୍କ ଉପରେ ପଡ଼ିଲା । ସେଇ ଛାଇରେ ଛାଇରେ ଠେଙ୍ଗାଟାଏ ଉପରକୁ ଉଠୁଥିବା ସେ ଦେଖିଲେ । କଳନା କରିନେଲେ । ପ୍ରତିରକ୍ଷାପାଇଁ ତାଙ୍କ ପାଖରେ କ’ଣ ଥିଲା ବା? ତେଣୁ ସେ ଛାଇକୁ ଲକ୍ଷ୍ୟ କରି ଓଲଟା ବାଟେ ଢାଳଟା ଫୋପାଡ଼ି ଦେଲେ । “ଅର୍ଜୁନ କେମିତି ଦ୍ରୁପଦ ରାଜସଭାରେ କୁଣ୍ଡ ପାଣିରେ ଛାଇକୁ ଅନେଇ ଉପର ଚକ୍ରରେ ଘୂରୁଥିବା ମୀନର ନୟନକୁ ଭେଦ କଲା, ଶୁଣିନୁ କିରେ? ଇଏ ବି ଗୋଟିଏ ବିଦ୍ୟା । ଏମିତି ଅମାପ, ଅସରନ୍ତି, ଆଉରି କେତେ କାହିଁରେ ଅଛି । ବାପରେ, ମନ ସ୍ଥିର କର । ଆଖଡ଼ାକୁ ବାହୁଡ଼ି ଯା ।”

ଉପାଖ୍ୟାନର ମଞ୍ଜି କଥା : ଗୁରୁ କଦାପି ହାରନ୍ତି ନାହିଁ । କାହିଁକି କେଜାଣି, ଚେଲାମାନେ ସେଇଠି ଟିକେ ହାତ ମାରିବାକୁ ହମ ହମ ହଉଥା’ନ୍ତି, ଖୁରି ଖାଉଥାନ୍ତି । (ରଚନା – ୧୯୭୯)   କଲମୀ ମଣିଷ ନନ୍ଦନନ୍ଦନ ବାବୁଙ୍କ ଘରେ କେତେକ ଅନାଗତ ଆଶଙ୍କା ଓ ଆତଙ୍କର ଯେଉଁ ଅସ୍ୱସ୍ତିକର ବାତାବରଣ ତାହା ତାଙ୍କ ପରିବାର ବାସ କରୁଥିବା ଟାଇପ୍ ଫୋର୍ କ୍ୱାର୍ଟର୍ସର ଲମ୍ବା ଚଉଡ଼ା ଅଗଣା, ବାଗାନ, ବାରଣ୍ଡା ଆଦିରୁ ଜଣା ପଡ଼ିଯାଉଥାଏ । ଏପରି ସତେକି ଆଉ ଗଛଗୁଡ଼ିକ ଫୁଲ ଫୁଟେଇବା ବନ୍ଦ କରିଦେଇଛନ୍ତି । ଅର୍ଦ୍ଧାଙ୍ଗିନୀଙ୍କ ସମ୍ପର୍କରେ କୁହାଯାଏ, ସେମାନେ କୁଆଡ଼େ ପୁରୁଷ ଜୀବନ ପୁସ୍ତକର ସୂଚୀପତ୍ର । ସେମାନଙ୍କ ବିଷୟରେ ନଜାଣିଲେ ସଠିକ୍ ଭାବେ କର୍ତ୍ତାଙ୍କ ଦୁଃଖ କଳନା କରିବା ତ ଦୂରର କଥା, ବୈଭବ ବିଷୟରେ ମଧ୍ୟ ଅନୁଭବ କରି ହୁଏ ନାହିଁ । ବର୍ତ୍ତମାନ ରୀତା ରଥ ନାମ ଧାରଣ କରିଥିବା ନନ୍ଦନନ୍ଦନ ବାବୁଙ୍କ ଧର୍ମପତ୍ନୀ ଏକଦା ରୁକ୍ମିଣୀରାଣୀ ନାମ ବହନ କରିଥିଲେ, ଏ କଥା ବିଶ୍ୱାସ କରି ହେଉନାହିଁ । ଯେଉଁ ସରାଗ ବା ଯେଉଁ ମାନସିକତା ଯୋଗୁଁ ଏକୋଇଶା ଦିନ ଅଜା ଏହି ନାଁ ଟି ଦେଇଥାଆନ୍ତୁ ନା କାହିଁକି, ଭଦ୍ରମହିଳା ବଞ୍ଚି ନ ଥିବା ସେଇ ବୃଦ୍ଧଙ୍କୁ ଏ ପର୍ଯ୍ୟନ୍ତ ମାନସିକ ଭାବେ କ୍ଷମା କରିପାରି ନାହାନ୍ତି । ଗାଉଁଲି ପରିବେଶରେ ସମୁଦାୟ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ପାଠପଢ଼ିଥିବା କନ୍ୟା କେବଳ ଏଇ ନାଁ ପାଇଁ ଯଥେଷ୍ଟ ହୀନମନ୍ୟତାର ଶିକାର ହୋଇଛି । ନିଜ ବିବାହ ପୂର୍ବରୁ ସେ କେତେକ ସତର୍କ ପଦକ୍ଷେପ ନେଇଥିଲେ । ଜାତକ ମେଳକ ପାଇଁ ଟିପ୍ପଣା ପ୍ରସ୍ତୁତଠାରୁ ବୋଉ ସହିତ ଜିଗର ଲଗେଇ ନିଜ ନାଁକୁ ସେ ରୀତାରେ ପରିବର୍ତ୍ତନ କରାଇ ଦେଇଥିଲେ । ଏଇଠି ପଡ଼ିଲା ରାଜଯୋଟକ । ସ୍ୱୀକାର ପତ୍ର, ନିମନ୍ତ୍ରଣ ପତ୍ରରେ ଆଉ ଥରେ ପୁରୁଣା ନାଁଟି ଫେରି ଯେମିତି ଚେକାମାଲି ନ ପକାଏ, ଏତେ ଯତ୍ନ ନେବା କୌଣସି ବରୟିତ୍ରୀ ପକ୍ଷେ ଅସ୍ୱାଭାବିକ ଜଣାପଡୁଥିଲେ ମଧ୍ୟ, ସବୁ ସେ ନିଜ କାଇଦାରେ କରିଥିଲେ । ତାଙ୍କ ସହିତ ଯାନି ଯୌତୁକ ଯାହା ଆସିବା କଥା ଖୋଜିଲୋଡ଼ି ସବୁ ଆଣିଥିଲେ । ମାତ୍ର ମନେ ରଖି ରଖି ସାର୍ଟିଫିକେଟ ଖଣ୍ଡିକ ଭୁଲି ଛାଡ଼ି ଆସିଲେ । ତାଙ୍କୁ ଲାଗୁଥିଲା, ସେଇ ହୀନିମାନିଆ କାଗଜ ଖଣ୍ଡିକ ତାଙ୍କପାଇଁ ଅପଯଶର ଏକ ନିଷ୍ଠୁର ପ୍ରମାଣପତ୍ର । ରାଜଧାନୀକୁ ଆସିବାର କେତେବର୍ଷ ପରେ ସେ ଯେଉଁ ଦିନ ପ୍ରଥମ ନିଜର ମେଟାଲ ବୋର୍ଡ଼ ନାମଫଳକ ଗେଟ୍ର ଅନ୍ୟ ସ୍ତମ୍ବରେ ଝୁଲାଇଲେ, ସେଇ ଦିନଠାରୁ ନନ୍ଦନନ୍ଦନ ବାବୁଙ୍କ କାଠର ନାମଫଳକଟି ନିଷ୍ପ୍ରଭ ଦେଖାଯାଇଥିଲା । ସେଇଠୁ ଅନେକ ବର୍ଷ ବିତିଗଲାଣି ଅବଶ୍ୟ । ଯୌବନ ମଝି ପାହାଚ ଅପେକ୍ଷାକୃତ ଏକ ବଡ଼ ଇଲାକା । ଆରମ୍ଭରେ ମୋଟେ ପାଦ ପକେଇଛନ୍ତି ସେ । ବିବାହ ଦଶ ବର୍ଷ ପୂରି ନାହିଁ । ବେଳେ ବେଳେ ମନ ଖୋଲି ଦିଅନ୍ତି - ଆଉ କିଏ ହୋଇଥିଲେ କହୁଥାନ୍ତା, ମୋ ବୟସର ଝିଅ ବାହାହୋଇ ନାହାନ୍ତି । ଅନେକ ସମୟରେ ଉଦାର, ନିରୀହପଣ ରୂପକୁ ଏମିତି ପ୍ରଲୋଭିତ କରି ଗଢ଼ିପକାଏ, ଏକଥା ମୁକୁମୁକୁ ବୟସ ଯୋଗୁଁ ହୁଏତ ଯୁବତୀମାନେ ବୁଝି ପାରନ୍ତି ନାହିଁ । ମାତ୍ର ତାହା ବାସ୍ତବତାର ଅତି ନିକଟରେ । ରୀତା ଦେବୀ ଏଇ ଗୁଣର ଅଧିକାରିଣୀ । ଆହୁରି ବି, ଅନେକ ସମୟରେ ଚେହେରାର ଝଲକ, ସାମାଜିକ ମେଳାପୀପଣରେ ରୁଚିସମ୍ପନ୍ନ ପଦେ ଅଧେ ଇଂରାଜୀ କହି ପାରୁଥିବା ଯୋଗ୍ୟତାକୁ ସଂସ୍କୃତିର ମାପକାଠି ବୋଲି ଲୋକେ ଯେମିତି ଚିହ୍ନନ୍ତି, ଭଦ୍ରମହିଳା କୋଉଥିରେ କମ୍ ନୁହନ୍ତି । ରୂପଟି ବି ସେମିତି । ସୁନା ଖଡ଼ିକାପରି ଚେହେରା । ବେଶ୍ ଡଉଲ ଡାଉଲ । ତାଳରୁ ତଳିପା ଯାଏ କୋଉଠି ଟିକେ ବାରିବାର ନାହିଁ । ଯୋଉ ଗୋଟିଏ ଖୁଣ, ତାହା ବି ରୂପକୁ ଶତଗୁଣ କରି ପକାଇଛି । ବାଁ ଆଖି ଟିକିଏ ଟେରା । ମୋଟାମୋଟି କହିବାକୁ ଗଲେ ଏକଦମ୍ ଇଲାଷ୍ଟିକ୍ ଚେହେରା । ମନ୍ମଥାହତ ଆଶା ନେଇ କେହି ଯଦି ତାଙ୍କ ବୟସ ଅନୁମାନ କରିବ ସେ ତାହା ଅସଲ ବୟସ ଠାରୁ ପାଞ୍ଚ ଦଶ ବଢ଼ିପାରେ, ପାଞ୍ଚ ଦଶ କମି ପାରେ । ହୁଏତ ପ୍ରଶ୍ନଉଠିବ – କିହୋ, ଏପରି ମନ ନେଇ ଯିଏ ଭାବିବ ସିଏ ବଢ଼େଇବ କାହିଁକି? ହଁ ସମ୍ଭବ । କାରଣ ସଚେତନତା ଦେଖେଇ ହେବାକୁ ଭଦ୍ରାମିର ଖୋଳପା ଭିତରେ ପଶି କେତେକ ପୁରୁଷ ଅଭିଳାଷିତାମାନଙ୍କର ବୟସ କଳନା କରିବାରେ ଏହିପରି ସର୍ବନିମ୍ନ ଆପାତ ଶ୍ଳୀଳତାବୋଧ ଦେଖାନ୍ତି । ବୟସ ଯୋଗୁ କେଶ ଧଳା ହୋଇଥିଲେ ବି କହନ୍ତି – ମୋତେ କୋଡ଼ିଏ ହୋଇ ନଥିଲା ସବୁ ପାଚି ଯାଇଛି ବା ଚନ୍ଦାମୁଣ୍ଡ ସପକ୍ଷରେ ଯୁକ୍ତି ଥୁଅନ୍ତି – ହେରିଡିଟାରୀ । ଯାହାହେଉ, କଥା ହେଲା ରୀତା ଦେବୀଙ୍କ ବୟସ । ଅନ୍ୟ ମନରେ ନିଜ ବୟସ ସର୍ମ୍ପକରେ ଏପରି ଦୋଳାୟିତ ଭାବନା ସୃଷ୍ଟି କରାଇପାରୁଥିବା ପ୍ରାକୃତିକ ସୁଯୋଗ କ୍ୱଚିତ୍ ରମଣୀଙ୍କୁ ମିଳିଥାଏ ଏବଂ ରୀତା ଦେବୀଙ୍କର ଅଛି । ଇତି ମଧ୍ୟରେ ରୀତା ଦେବୀ ଗେଟ୍ ଖୁଣ୍ଟରୁ ନିଜ ନାମ ଫଳକଟିକୁ ସମସ୍ତଙ୍କ ଅଲକ୍ଷ୍ୟରେ କାଢ଼ି ଆଣିଛନ୍ତି । ପିଅନ ଶମ୍ଭୁ କହିଲା, “ମା ତମ ନାଁ କିଏ ଗେଟ୍ରୁ ନେଇ ଗଲାଣି ।” ପ୍ରଥମେ ତାଙ୍କୁ କଥାଟା କେମିତି ଅଖାଡୁଆ ଶୁଭିଲା । ଏ ନାଁ ମଝି ସମୁଦ୍ରର ଅନେକ ପୋତକୁ ଉପକୂଳ ଆଡ଼କୁ ଟାଣି ଆଣିପାରେ, ତାକୁ ନେଇ ଯିବ କିଏ ରେ? ଏପର୍ଯ୍ୟନ୍ତ ପୋଷଣ କରିଥିବା ତାଙ୍କର ଏଇ ବିଶ୍ୱାସ ଉଡ଼ନ୍ତା କଙ୍କି ପର ଛିଡ଼ିଯିବା ପରି ଏବେ ଘୁଷୁରି ଘୁଷୁରି ଚାଲୁଛି । ଶମ୍ଭୁ କଥାର ମର୍ମ ବୁଝିପାରି ସେ କହିଲେ, “ଓହୋ, ଆଚ୍ଛା ଆଚ୍ଛା, ଠିକ୍ ଅଛି । ତୋ’ର ସେଥିରେ ମୁଣ୍ଡ ପୂରେଇବା ଦରକାର ନାହିଁ ।” ସମ ଦଶାରେ ପଡ଼ିଥିବା ଶମ୍ଭୁର ଚିନ୍ତା ଭିନ୍ନ ହୋଇପାରେ, ମାତ୍ର ମା’ଙ୍କ ଦୁଃଖ ବୁଝିବାରେ କିଛି ଅସୁବିଧା ହେଲା ନାହିଁ । ଗତ କିଛି ଦିନ ହେଲା ରୀତା ଦେବୀଙ୍କୁ ସବୁ କଥା କେମିତି ଅଡୁଆ ତଡୁଆ ଲାଗୁଛି । ଏପରି କି କଲୋନୀର ଆଉ କାହା ଗେଟ୍ ସାମ୍ନାରେ ଦୁଇ ଚାରି ଜଣ ଛିଡ଼ା ହୋଇ ଗପ କରୁଥିବା ଦେଖିଲେ ତାଙ୍କ ମନ ଟାଣି ହୋଇ ଯାଉଛି । ଆମ କଥା କିଛି ଆଲୋଚନା କରୁ ନାହାନ୍ତି ତ? ଯେକୌଣସି ବ୍ୟକ୍ତି ସହିତ ବୈର ଭାବ କାହିଁକି ହୋଇପାରେ, ସେଥିପାଇଁ ନିଜେ କାରଣ ଗୁଡ଼ାଏ ସୃଷ୍ଟି କରି ଯୋଡ଼ି ପକାଉଛନ୍ତି । କେଇ ଦିନ ପୂର୍ବେ ଏପରି ବିଲକ୍ଷଣ ଚିନ୍ତା ତାଙ୍କ ମନରେ ମୋଟରୁ ଆସୁ ନ ଥିଲା । କେତେ ସମୟ ପରେ ଏକ ମନ୍ତ୍ରୀମାର୍କା ଗାଡ଼ିରେ ନନ୍ଦନନ୍ଦନ ବାବୁ ଆସିଲେ । ତାଙ୍କ ମୁହଁ ଦେଖି ଉତ୍ତର କ’ଣ ମିଳିବ ଏକଥା ଅନୁମାନ କରି ହେଉଥିଲେ ମଧ୍ୟ ରୀତା ଦେବୀ ପଚାରିଲେ, “କ’ଣ କିଛି ହେଲା?” “ନା, ବୋଧହୁଏ ଦିନେ ଦି’ଦିନରେ ଅର୍ଡର ବାହାରିଯିବ ।” ନନ୍ଦନନ୍ଦନ ବାବୁ ଚାକିରି ଆରମ୍ଭ କରିଥିଲେ କୌଣସି ଜିଲ୍ଲା ଅଫିସରେ ଏଲ୍.ଡି.ସି, ଭାବେ । ଦୁଇ ବର୍ଷ ପରେ ବିବାହ । ତୃତୀୟ ବର୍ଷ ବେଳକୁ ମନ୍ତ୍ରୀଙ୍କ ଷ୍ଟାଫ୍ ହେବା ସୁଯୋଗ ତାଙ୍କୁ ମିଳିଲା । ନିଜର ସୌଭାଗ୍ୟ ତଥା ଅଭ୍ୟୁତ୍ଥାନକୁ ସେ ଅନେକ ଅସହାୟ ପୁରୁଷଙ୍କ ପରି ତାଙ୍କ ଜୀବନରେ ରୁକ୍ମିଣୀ ରାଣୀଙ୍କ ଆଗମନ ସହିତ ମାନସିକ ଭାବେ ଯୋଡ଼ି ପକାଇଛନ୍ତି । ସମ୍ଭବତଃ ତେଣୁ ରୁକ୍ମିଣୀ ରାଣୀ ଖୋଳପା ଛାଡ଼ି ରୀତାରେ ପରିଣତ ହେବାପାଇଁ ମଧ୍ୟବର୍ତ୍ତୀ ସମୟ ଅତ୍ୟନ୍ତ ସଂକ୍ଷିପ୍ତ ହୋଇପଡ଼ିଲା । କଥା ହେଲା, ମନ୍ତ୍ରୀମାନଙ୍କ ଷ୍ଟାଫ୍ ମୋଟେ ଅଲଗା କ୍ୟାଡର୍ ନୁହଁନ୍ତି । ବିଭିନ୍ନ ଜିଲ୍ଲା ଓ ରାଜଧାନୀର ବିଭିନ୍ନ ବିଭାଗରୁ ମନ୍ତ୍ରୀମାନଙ୍କ ଖୁସି ଅନୁଯାୟୀ ସେମାନଙ୍କୁ ଅଣାଯାଏ । ଫେଣାରୁ ମହୁ ଚାଖିଥିବା ଭାଲୁ ପରି ସେମାନେ ଗଛ ମୂଳ ଆବୋରି ବସନ୍ତି । ଯେତେ ମନ୍ତ୍ରୀ ବଦଳୁଥିଲେ ମଧ୍ୟ ଏମାନେ ନିଜର ସଂସ୍ଥାନ ନୂଆ କାହା ପାଖରେ ହେଲେ ଯୋଗାଡ଼ କରିଦିଅନ୍ତି । ମନ୍ତ୍ରୀ ହେବାପାଇଁ ପ୍ରଶାସନିକ ବିଚକ୍ଷଣତା ଯେମିତି ନିହାତି ଅପରିହାର୍ଯ୍ୟ ନୁହେଁ, ଷ୍ଟାଫ୍ ଯୋଗାଡ଼ କରିବା କ୍ଷେତ୍ରରେ ବିଧି ବ୍ୟବସ୍ଥା ମଧ୍ୟ ସେମିତି କୋହଳ ବୋଲି ସେଇ ପଦପାଇଁ ଲାଳାୟିତ ହତାଶ ଲୋକେ ଅନ୍ତତଃ କହନ୍ତି । ପ୍ରତି ଥର ମନ୍ତ୍ରୀମଣ୍ଡଳ ବଦଳିଲା ବେଳକୁ ଏପରି କେତେକ ଖୁଚୁରା ଓ ପାଇକାରୀ ଅସୁବିଧା ଦେଖାଯାଏ । ହେଲେ ଏଥର ତାହା ଡିପୋ ଛୁଇଁଗଲା । ନୁଖୁରାଟାରେ ସମସ୍ତେ ବଖାଣି ବଖାଣି ଖାଲି ଶବ୍ଦବାଣରେ ଦୁର୍ନୀତିକୁ ଏମିତି ଅସବର୍ଣ୍ଣରେ ପରିଣତ କରାଇଦେଲେ ଯେ ଖୋଦ୍ ଜ୍ଞାତ ଚାଣ୍ଡାଳମାନେ ମଧ୍ୟ ତା ପାଖ ମାଡ଼ୁ ନାହାନ୍ତି । ଶିଳଶିଳପୁଆମାନ ଅଥୟ ହୋଇ ଗଗନରେ ଉଡୁଛନ୍ତି, ନନ୍ଦନନ୍ଦନଙ୍କ ପାଇଁ ରୀତା ଦେବୀଙ୍କ ଅଯଥା ଗୌରବବୋଧକୁ ପଚାରେ କିଏ! “ଠିକ୍ ଅଛି । ଫେରିଯିବା । ଟୁକୁଲ୍ ବି କାହିଁକି ବାପା ବୋଉଙ୍କ ପାଖରେ ଆଉ ରହିବ?” ଏ କଥା ସେ ସ୍ୱାମୀଙ୍କୁ କହିଲାବେଳେ ଦୀର୍ଘ ନିଶ୍ୱାସକୁ ଜବରଦସ୍ତ ଚାପି ଦେଇଥିଲେ । ଯେତେହେଲେ ସେ ସ୍ୱାମୀ, ଇହକାଳ ପରକାଳର ଦେବତା । ତାଙ୍କ ପ୍ରତିଷ୍ଠାର ମସ୍ନଦ ତଳେ ମୂଷା ଗାତ ଜଗିବା ଦାୟିତ୍ୱ କାହାର? ସ୍ତ୍ରୀର ନିଷ୍ଠା ଓ କର୍ତ୍ତବ୍ୟ କଂକ୍ରିଟରେ ପରିଣତ ହୋଇ ସେ ଅଞ୍ଚଳକୁ ସୁରକ୍ଷିତ କରିବା ଦରାକର । ନିରାଶର ବାଣୀ ତାଙ୍କ କର୍ଣ୍ଣ ସ୍ପର୍ଶ କରିବା ଉଚିତ ନୁହେଁ । କି’ଏ କ’ଣ ନୀତିବାକ୍ୟ ଆଗରୁ କରିଛି ତାକୁ ଗୁଲି ମାର, ଅସଲରେ ଆଶ୍ରୟ ବିନା ବଞ୍ଚି ପାରନ୍ତିନି ଅନେକ ଅସହାୟ ପୁରୁଷ, ଆଶ୍ରୟ ବିନା ବଞ୍ଚି ପାରନ୍ତିନି ଲେଖକ କୁଳ ଏବଂ ଆଶ୍ରୟ ବିନା ସୃଷ୍ଟି ହୋଇପାରିବେ ନାହିଁ ବା ବଞ୍ଚିପାରିବେ ନାହିଁ ରାଜନୈତିକ ଚାମଚା ଦଳ । “ହେ.....ଇ, ସୁଖେନ୍ଦୁ ବାବୁଙ୍କୁ ମୋ ନାଁ କହି ଟିକେ ପଚାରିଲନି । ସିଏ ତ କେମିତି କେଜାଣି ୟା ଭିତରେ ବେଶ୍ ଯୋଡ଼ି ହୋଇ ସାରିଲେଣି ।” ସ୍ୱାମୀ ନିରୁତ୍ତର ରହିବାରୁ ରୀତା ଦେବୀ ପୁଣି କହିଲେ, “ମୋ ସୁନାଟା ପରା, ଏମିତି ଅଥୟ ହୁଅନି ।” ଏଇ ପରିସ୍ଥିତିରେ ରୀତା ଦେବୀ କହିଥିବା ‘ମୋ ନାଁ’ ର ଆସ୍ଫାଳନ ନନ୍ଦନନ୍ଦନ ବାବୁଙ୍କୁ ଆଦୌ ସୁଖ ଲାଗିଲା ନାହିଁ ଯଦିଓ ସେଇ ନାଁଟିର ଗୁରୁତ୍ୱକୁ ସେ କଦାପି ଊଣା ନଜରରେ ଦେଖି ନାହାନ୍ତି । ସେ କହିଲେ, “ଛାଡ଼ ମ, ନିଜ କଥା ଛାଡ଼ି ସେ କାଇଁ ଆମ କଥା ବୁଝିବାକୁ ଯିବେ? ଆମେ କୋଉ ତାଙ୍କର ସାହାଯ୍ୟରେ ଲାଗିବୁ କି?” “କ’ଣ ହେଲା, ଆମେ ତାଙ୍କ ସାହାଯ୍ୟରେ ଲାଗିନୁ? ଯୋଉଦିନଠାରୁ ସେ ସ୍ତ୍ରୀ ବେମାର ବୋଲି କହୁଛନ୍ତି, ସେ କ’ଣ ଭାବିଛନ୍ତି ସତକଥା ମୁଁ ଜାଣି ପାରିନି ବୋଲି.... ।” ଶ୍ରୋତା ଯେ ତାଙ୍କର ସ୍ୱାମୀ ଏବଂ ସେ ଯାହା କହିଲେ ତହିଁର ଅର୍ଥ ଖେଳଘର ନୁହେଁ, ଏ ଦୁଇଟି ଯାକ କଥା ରୀତା ଦେବୀ ସେଇ ମୁହୂର୍ତ୍ତକ ପାଇଁ ଯେମିତି ଭୁଲି ଯାଇଥିଲେ । ଛି ଛି! ଦୁଇଟି ବିପରୀତଗାମୀ ସ୍ରୋତ ତାଙ୍କ ମନ ଭିତରେ ଘୁ ଘୁ କୁଣ୍ଡଳୀ କାଟି ବହି ଯାଉଥିବା ବଢ଼ିଲା ନଈ ପରି ନିର୍ଦ୍ଧୟ ଭାବେ ଅତଡ଼ା ଖସେଇବାରେ ଲାଗିଛନ୍ତି । ବଳ ସଂଗ୍ରହ କରୁଥାନ୍ତି ସେ – ନା, ମାୟା ତ୍ୟାଗ କରିବି । ଆସକ୍ତିର ଅଯଥା ପଥଟାଏ ଆମେ ଆବୋରି ନେଇଛୁ । ରେ ପଥର, ହେ ପାପିନୀ! ଫେରିଯାଅ ନଗ୍ରଧାମେ, ସଜଡ଼ା ହୋଇଛି ସେଠି ପୁଣ୍ୟର ପସରା । ସମାନ ଭାବରେ ଆଉ ଗୋଟିଏ ଚିନ୍ତା ଘାରୁଥାଏ - ଅଭୀଷ୍ଟ ସୁଖ ପ୍ରାପ୍ତି ଛଡ଼ା ପୁଣ୍ୟ କ’ଣ? ଯେଉଁମାନେ ତା’ ସଂଜ୍ଞା ତିଆରି କରିଛନ୍ତି ସେମାନେ କଦାପି ହତାଶ ହୋଇ ନାହାନ୍ତି ବୋଲି ଯଥେଷ୍ଟ ପ୍ରମାଣ ଛାଡ଼ି ନଗଲେ କିଆଁ? ଓହରି ଗଲେ ଅସମର୍ଥର ଅପଯଶ ନେଇ ରାଜରାସ୍ତାରୁ ତଳକୁ ଖସି ପଡ଼ିଲ ବୋଲି ଲୋକେ କହିବେ ନାହିଁ ତ? ଏ ସଙ୍ଘାତ କେବଳ ମନ ଓ ମଣିଷ ଭିତରେ ନ ଥିଲା, ଥିଲା ଇଚ୍ଛାର ପୃଥିବୀକୁ କୌଣସି ପ୍ରକାର ନିଜର ବଶମ୍ବଦ ଭାବେ ବିଶ୍ୱାସ କରି ବସିଥିବା ଆତ୍ମପ୍ରତ୍ୟୟ ଓ ଚଟକଣି ମରା ନିଷ୍ଠୁର ବାସ୍ତବତା ଭିତରେ । ହାରିଯିବାଠାରୁ ପରାଜୟର ଆଶଙ୍କା ଆହୁରି ଭୟାନକ, ଏଇ ଚିନ୍ତାରେ ସେ ବେଶି ଶିହରି ଉଠୁଥାନ୍ତି । ଯଦି ନନ୍ଦନନ୍ଦନ ସତରେ କଲେକ୍ଟରେଟକୁ ଫେରିଯା’ନ୍ତି, ଅନେକ ଲୋକେ ଦାଉ ସୁଝେଇଲା ପରି ପରିହାସ କରିବେ । ତାଙ୍କର ଅର୍ଜିଥିବା ଧନ, ଗଢ଼ିଥିବା କୋଠାବାଡ଼ି, ଦେଖେଇ ହୋଇଥିବା ଚାକଚକ୍ୟ – ଏହିସବୁ ସମୁଦାୟ କାରଣରୁ ହୁଏତ କିଛି ଅଂଶ ହୋଇପାରନ୍ତି, ମାତ୍ର ବଡ଼କଥା ହେବ ବାବୁଙ୍କର ଅନ୍ୟମାନଙ୍କ ପ୍ରତି ହେୟଭାବ ଓ ବାବୁଆଣୀଙ୍କର ଆଉ କିଛି । “ଯେମିତି ହେଲେ କଥା ସଜାଡ଼ି ହୋଇଥାନ୍ତା, ହେଲେ ତମେ ଯେଉଁ ପରି ଦଳ ସହିତ କର୍ମକର୍ତ୍ତା ହୋଇପଡ଼ିଲ, ସେ ଚିହ୍ନ କ’ଣ ଏତେ ସହଜରେ ଲିଭିବ?” “ତୁମେ ବୁଝି ପାରୁନା । ମୁଁ କ’ଣ କରିଥା’ନ୍ତି? ଏତେ କଥା କେହି କ’ଣ ଅନୁମାନ କରି ପାରିଥିଲେ? ତୁମେ ପାରିଥିଲ?” ଅସହାୟ ଉତ୍ତର ଥିଲା ରୀତା ଦେବୀଙ୍କର । ସେ ଆହୁରି ବିଚଳିତ ହୋଇ ପଡ଼ିଥିଲେ । କାରଣ ମନ୍ତ୍ରୀମାନଙ୍କ ମଧ୍ୟରୁ କେହି ଜଣେ ହେଲେ, ମାମୁଁଙ୍କ ମଉଳା ଭାଇଙ୍କ ଜ୍ୱାଇଁର ଭିଣୋଇଙ୍କ ଝିଅର ଶ୍ୱଶୁରଙ୍କ ପିଉସୀ ପୁଅ ଭାଇର ମାଉସୀଙ୍କ ନଣନ୍ଦର ଦିଅର ପରି ସମ୍ପର୍କ ଯୋଡ଼ି ହେବା ଅବସ୍ଥାରେ ମଧ୍ୟ ମିଳୁ ନାହାନ୍ତି । ଖଣ୍ଡଗିରି ଗୁମ୍ଫାର ବାବାଙ୍କ ପାଖକୁ ଯାଇଥିଲେ ସେ । ଆଶ୍ଚର୍ଯ୍ୟ କଥା, ଇଏ କିଛି କହି ନାହାନ୍ତି, ନମସ୍କାର କରି ଉଠିଲା ବେଳକୁ ବାବା କହିଲେ, “ମା’ ସ୍ଥାନାନ୍ତର ସଙ୍କଟରେ ତୁମେ ଉତ୍ପୀଡ଼ିତ ହେଉଛ । ସ୍ୱାମୀଙ୍କ ପ୍ରତି ଶନିଙ୍କର ପାପଦୃଷ୍ଟି ଏବଂ ବୃହସ୍ପତିଙ୍କ ସହିତ ଶନିଙ୍କର ଷଷ୍ଠାଷ୍ଟମ ଯୋଗ । ବ୍ୟସ୍ତ ହୁଅ ନାହିଁ । ମୁଁ ଭୈରବୀଙ୍କୁ କହୁଛି, ସେ ତୁମକୁ ସାହାଯ୍ୟ କରିବେ । ଗୋଟିଏ ମାଳା ଦେଉଛି । ଶୁଦ୍ଧ ଗୋଦୁଗ୍ଧରେ ଧୋଇ ଆଜି ରାତ୍ରିର ଦ୍ୱିତୀୟ ପ୍ରହରରେ ତାଙ୍କୁ ପିନ୍ଧାଇ ଦେବ । ଆଉ ଗୋଟିଏ ପଦାର୍ଥ ଦେଉଛି । ନିଜ ପାଖରେ ରଖିଥିବ । କାହାରିକୁ କହିବ ନାହିଁ । କାର୍ଯ୍ୟସିଦ୍ଧି ହେବା ପର୍ଯ୍ୟନ୍ତ ସ୍ୱାମୀଙ୍କୁ କହିବ, ସେ ତୁମ ବାମ ଚରଣ ତଳୁ ପାଦ ରେଣୁ ନେଇ ନିଜ ମଥାରେ ମାରି ବାହରକୁ ଯାଉଥିବେ । କାର୍ଯ୍ୟ ସିଦ୍ଧି ହେଲା ପରେ ନିଶ୍ଚୟ ସାକ୍ଷାତ କରିବ ।” ସବୁ କଥା ସେ କରୁଛନ୍ତି । ଯାହା ଜଣାପଡ଼ୁଛି, ପଦ୍ମ ବରଂ ଦୂରକୁ ଘୁଞ୍ଚି ଯାଉଛି । ତଥାପି ବାବାଜୀଙ୍କୁ ଅବିଶ୍ୱାସ କରିବାକୁ ସାହସ କୂଳୋଉ ନାହିଁ । ଯେତେ ନିରିଖେଇ ଅନେଇଲେ ମଧ୍ୟ ଭଦଭଦଳିଆ, ହଳଦୀବସନ୍ତଟିଏ ବି ଦେଖିବାକୁ ମିଳୁ ନାହାନ୍ତି । ଘରଟା ସାରା ଝିଟିପିଟି ବୁଲୁଛନ୍ତି କାହିଁରେ କେତେ । ହେଲେ ତାଙ୍କ ଆଶା ସହିତ ସତ୍-ସତ୍ କହିବା ପାଇଁ ତାଳ ଦେଇ ଗୋଟାଏ ହେଲେ ବୋବୋଉ ନାହିଁ । ବାବୁ ସବୁ କଥା କରି, ଅଫିସ ଯିବାବେଳେ କଳା ବିଲେଇ ବାଟ କାଟି ଦେଲା । ମା’ଙ୍କ ଡ଼ାହାଣ ଆଖିଟା ଫିର୍ ଫିର୍ ହୋଇ ନାଚୁଛି । ଆଉ ତ୍ରାହି ନାହିଁ । ସେତିକି ବେଳେ ଶମ୍ଭୁ ଆସି ପହଞ୍ଚିଲା । ଅନ୍ୟ ଦିନ ହୋଇଥିଲେ ନିଶ୍ଚୟ ରୀତା ଦେବୀ ଚିତ୍କାର କରିଥାନ୍ତେ, “ଚାକିରି କରିବାକୁ ଇଚ୍ଛା ନାହିଁ କିରେ?” ଆଜି କଥା ନିଆରା । ଆଉ କାହିଁକି କ୍ଷମତାର ଲୋଭକୁ ମାୟାଜାଲରେ ଧରିବାକୁ ଚେଷ୍ଟା କରିବା । ଶମ୍ଭୁ କହିଲା, “ମା ଟିକେ ଭିତରକୁ ଆସିବନି?” ସେ ଭିତରକୁ ଯାଇ ଶମ୍ଭୁକୁ ପଚାରିଲେ, “କ’ଣ ହେଲା?” “ଅମୁକ ମନ୍ତ୍ରୀ । ଏମ୍.ଏଲ୍.ଏ କଲୋନୀରେ ରହୁଛନ୍ତି । ମୁଁ ତାଙ୍କ ଘରୁ ଏବେ ଆସିଲି । ମୋ ଦାଦା ପୁଅ ଭାଇ ତାଙ୍କ ରୋଷେଇଆ । ତାକୁ କହିଥିଲି । ମନ୍ତ୍ରୀ କୁଆଡ଼େ ମୋ କଥା ପାଇଁ ହଁ କି ନା କିଛି କହିଲେନି । ବାବୁଙ୍କ ଭଳିଆ ଯୋଗ୍ୟ ଲୋକ ତାଙ୍କର ଦରକାର । ତମେ ଟିକେ ତାଙ୍କୁ ଦେଖା କରନ୍ତନି?” “ମୁଁ ନା ବାବୁ କିଏ ଯିବ?” “ନାଇଁ ମା’, ତମେ ଗଲେ ମନ୍ତ୍ରୀଙ୍କି ବୁଝେଇ ପାରିବ । ବାବୁ ଭାରି ରାଇଟିଆ ଲୋକ । ସେ ପାରିବେନି ।” ଏକା ନିଶ୍ୱାସରେ ସବୁ କଥା ଶମ୍ଭୁ କହି ସାରିବା ପରେ ରୀତା ଦେବୀ କହିଲେ, “ଆଚ୍ଛା ହେଉ ।” ନେହୁରା ହୋଇ ଶମ୍ଭୁ କହୁଥାଏ, “ମା’ ମୋ କଥା ଭୁଲି ଯିବନି । ମନ୍ତ୍ରୀଙ୍କୁ କହି ମୋତେ ଯେମିତି ହେଲେ ରଖିବ । ମୋଟରୁ ବର୍ଷେ ଚାକିରି ଆଉ ଅଛି । ବାହା ହେବାକୁ ଦୁଇଟି ଝିଅ । ବୁଢ଼ୀ ମରିଯାଇନି ଯେ ତରି ଯାଇଛି । ମୋ କଥା ତମକୁ କ’ଣ ଅଜଣା ମା’ । ୟେ ବାଳୁଙ୍ଗା ଦି’ଟାରୁ ଗୋଟେ ହେଲେ କାହାକୁ ଲଗେଇଦେବ ମା....?” ଶମ୍ଭୁର ସମୁଦାୟ କଥାକୁ ବୋଧହୁଏ ସଠିକ୍ ଗୁରୁତ୍ୱ ଦେଇ ରୀତା ଦେବୀ ଶୁଣିପାରିଲେ ନାହିଁ । ଆଉ ଦିନେ । ରୀତା ଦେବୀ ପୂର୍ବ ସ୍ଥାନରେ ନିଜର ମେଟାଲ ବୋର୍ଡ ନାମ ଫଳକ ଲଗାଉଥା’ନ୍ତି । ଅପହୃତ ସାମ୍ରାଜ୍ୟର ପୁନରୁଦ୍ଧାର ଓ ସିଂହାସନରେ ଅଭିଷେକର ଗୌରବ ତାଙ୍କର । ମୃଦୁହାସ୍ୟ ସହ ଚାରିଆଡ଼କୁ ଅନାଉଥା’ନ୍ତି । ସମ୍ଭବତଃ କେହି ତାଙ୍କୁ ପାପାବିଷ୍ଟ ଦୃଷ୍ଟିରେ ଦେଖୁ ନାହାନ୍ତି ଆଉ । “ମା’ ମୋ କଥା ଟିକେ କହିଲନି ।” ମଝି ଦରିଆରୁ କୂଳ କେତେ ଦୂର, ଠଉରେଇ ନ ପାରିବାର ଅସହାୟ ଚାହାଣି ଶମ୍ଭୁର ଟାକୁଆ ଗାଲ ଓ କୋରଡ଼ ଗାତ ପରି ଆଖି ଦୁଇଟିରୁ ଜଣା ପଡ଼ିଯାଉଥାଏ । ଦୟାମୟୀ ରୀତା ଦେବୀ କହିଲେ, “ଶମ୍ଭୁରେ, ମନ୍ତ୍ରୀ ଭାରି ରାଇଟ୍ ଲୋକ । ସେ କ’ଣ ଶୁଣିବେ? ତୁ ଗୋଟେ କାମ କର, ଖଣ୍ଡଗିରି ବାବାଙ୍କୁ ଏ ଶହେ ଟଙ୍କାଟି ଦେବୁ । ଘରୁ ଫଳ କିଛି ନେଇଯା । କହିବୁ, ମା’ ପଠେଇଛନ୍ତି । ମୋ ତରଫରୁ ତାଙ୍କୁ ପ୍ରଣାମ କରିବୁ । ମୁଁ ଟିକେ ମନ୍ତ୍ରୀଙ୍କ ସାଙ୍ଗରେ ଚିଲିକା ଯାଉଛି । ସେଠି ଦୁଇ ତିନି ଦିନ ଅଫିସ୍ କାମ । ନ ହେଲେ ନିଶ୍ଚୟ ବାବାଙ୍କୁ ଦର୍ଶନ କରିବାକୁ ଯାଇଥା’ନ୍ତି ।” “ମା, ମୋ କଥା ସେଇଠି ହେଲେ ଟିକେ ନିରୋଳାରେ କହନ୍ତନି?” ଶମ୍ଭୁର ଏହି ଅସହାୟ ଅଳି କାର୍ କବାଟ ବନ୍ଦ ହେଉଥିବା ଶବ୍ଦ ସହିତ ମିଳାମିଶା ହୋଇ ହଜି ଯାଇଥିଲା । (ରଚନା : - ୧୯୮୨)   ପାଉଁଶ ପିତୁଳା ମଧୁର ସମ୍ପର୍କର ଯେଉଁ ଯୁବକ ପାଇଁ ଏ ଗପଟି ନିବେଦିତ, ତା’ ନାଁ ତୀର୍ଥଙ୍କର । ଚାକିରି ବା ରୋଜଗାର ଜୀବନ-ପଣିକିଆର କାହାଣ ପଣ ବୋଲି ଯଦି ବିଚାର କରାଯାଏ, ତାହେଲେ ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି । ଯାହା ମୁଁ ଗ୍ରାହ୍ୟ କରି ନାହିଁ, ତୀର୍ଥଙ୍କର ସମ୍ପର୍କରେ ତା’ ଭଉଣୀର ମତ ହେଲା, ସେ କୁଆଡ଼େ ଆଗରୁ ଭଲ ପିଲାଟିଏ ଥିଲା । ମାତ୍ର କବିତା ଲେଖାଲେଖି କରିବା ପରଠାରୁ ‘ଖରାପ’ ହୋଇଯାଇଚି । ତା’ର ଗୋଟିଏ କଥା ସକାଶେ ପରିବାର ଲୋକେ ଅବଶ୍ୟ ଚିନ୍ତିତ ଥିଲେ । ଏଇ ସନ ତାକୁ ତିରିଶ ପୂରିବ । ଅଥଚ ବାହାଘର କଥା ଉଠେଇଲେ ସେ ବାଁକାଲିଆ ମାରୁଥାଏ । ହଁ କହେନି କି ନାଇଁ କହେନି । ଯେଉଁ ଗୁମର ଆଚରଣକୁ ସାଧାରଣତଃ ପ୍ରେମ ବୋଲି ଅନୁମାନ କରାଯାଏ, ସେ କଥା ବି ପଚରାଗଲା । କହିଲା, ନାହିଁ । ଥରେ ମୁଁ ତାକୁ ନିରୋଳାରେ କତିକି ଡାକିନେଲି । “ହଇରେ, ନିଜ ପୁଂସ୍ତ୍ୱରେ କିଛି ଭେଜାଲ ଅଛି କି? ବା ସଂସାରକୁ ଡରୁଚୁ କି? ବା ଆଉ କାହାରି ବୈବାହିକ ଜୀବନ ତୋ ମନରେ ଭୀତିପ୍ରଦ ଭାବେ ରେଖାପାତ କରିଛି କି? ବା ସଜାଡ଼ି ନ ହେବା ପରି ନିଜ ମନ ସହିତ କିଛି ବିତ୍ପାତ କରିଛୁ କି?” ସବୁ ପ୍ରଶ୍ନର ଉତ୍ତରରେ ନା ନା କହି ସେ ପ୍ରସ୍ତାବ ଦେଲା, “ତୁମେ ଏମିତି ପଚାରି ଚାଲ । ମୋ ମନର କେନ୍ଦ୍ରବିନ୍ଦୁ ଯେଉଁଠି ଛୁଇଁବ, ସେଇଠି ମୁଁ ହଁ ମାରିଦେବି ।” “ହଁ ବେ.....ଶାମୁକା ଖୋଜିବାକୁ ସମୁଦ୍ର ମନ୍ଥିବି? ବାଲିଗରଡ଼ା ଉଣ୍ଡାଳିବାକୁ ଏଭେରେଷ୍ଟ ଲଙ୍ଘିବି ନା? ଶ .. ଯେଉଁ ଖଣ୍ଡିଏ ଚୁନରୀ ଆଣିଛି ତାକୁ ଟିକିଏ ହକାଳି ଦେଲେ ଯେତିକିୀୟ ବାହାରୁଚି, ସିଏ ଗୋଟାଏ ମହାଭାରତର ରଙ୍ଗ । ତୁ ବାହା ନ ହ ବେ । ମୋର କ’ଣ ହେବ? କିନ୍ତୁ କହିଦେଉଛି, ମନେ ରଖିଥା, ଏଥର ମତେ ଅଥରିଟି ମିଳିଛି । ଆଜି ତୋ’ ସହିତ ଯାହା କଥାବାର୍ତ୍ତା ତାହା ହିଁ ଫାଇନାଲ । ନ ହେଲେ, ୟା ପରେ ଶୁଭଙ୍କର ବାହାଘର କଥା ଉଠିବ ।” ଏହା ମୁଁ ଜାଣି କହିଥିଲି । ଶୁଭଙ୍କର ତା’ ସାନ ଭାଇ । ଯଦି ଇଏ କୌଣସି ଅବ୍ୟକ୍ତ ଗୁପ୍ତ ବ୍ୟାପାରରେ ମଗ୍ନ ଥାଏ ତା’ହେଳେ ଚଅଟ୍ କରି ହଁ ମାରିଦେବ । କାରଣ, ମନ୍ଦିର ବା ରେଜିଷ୍ଟ୍ରି ଅଫିସ ମୋଟୁରୁ ପଚାରନ୍ତି ନାହିଁ – କିରେ, ତୁ କିଆଁ ସାନ ଭାଇଠାରୁ ପଛରେ ବାହା ହେବାକୁ ଆସିଲୁ? ସେ ହଁ ମାରିଲା ନାହିଁ । କିନ୍ତୁ, କୌଣସି କାରଣରୁ ‘ଗେଟ୍ ଆଉଟ୍’ ଶୁଣି ତଥାପି ନ ପଳାଉଥିବା ଲୋକଙ୍କ ପରି ସେ ଚାକୁଳେଇ ହେଲା । ଆମ ଦି’ଜଣଙ୍କ କଥାବାର୍ତ୍ତା ଆଉ ଆଗେଇବା ସମ୍ଭବ ହେଲା ନାହିଁ । କାରଣ ତା’ ଭଗ୍ନୀ ତଥା ମୋ ଜୀବନ ନାଟକର ଲାଇଟ୍-ମ୍ୟାନ୍ ପହଞ୍ଚି ଡାକିଲେ, “ଖାଇବ ଆସ” । ଆଃ, ପୋଡ଼ା କଲରା ଛେଚା ପରି କି ଲଳିତ ସେଇ ନିର୍ଦ୍ଦେଅଶ! ତୀର୍ଥଙ୍କର କହିଲା, “ଟିକେ ରହ ମ ।” ମୁଁ କିନ୍ତୁ ଉଠିଯାଇଥିଲି । ସେ ବା କାହା ସାଙ୍ଗରେ କଥାବାର୍ତ୍ତା କରିଥାନ୍ତା? ତେଣୁ ସେ ଉଠିଲା । କଥା ସେଇଠି ଅଟକିଗଲା । ଷ୍ଟେସନରେ ଗାଡ଼ି ପହଞ୍ଚିବାକୁ କୋଡ଼ିଏ ମିନିଟ ଡେରି ହୋଇଥିଲା । ଅନ୍ୟ ବିଷୟରେ ଗପ ହେଉଥିଲୁ ସିନା, ତା ବାହାଘର କଥା ଆଉ ଉଠୁ ନ ଥିଲା । ଗାଡ଼ି ଛାଡ଼ିଲାବେଳକୁ ସେ ଚୁଙ୍ଗ୍ଚୁଞ୍ଚ୍ ହୋଇ କହିଲା, “ଭାଇ, ମୁଁ ତୁମକୁ ଚିଠି ଦେବି ।” ପ୍ଳାଟଫର୍ମରେ ଦୌଡ଼ି ଦୌଡ଼ି ତାକୁ ପଚାରିଲି, “କୋଉ କଥା କିରେ?” “ଖରାବେଳେ ଆମେ ଯେଉଁ ବିଷୟରେ କଥାବାର୍ତ୍ତା ହେଉଥିଲେ ।” ମନେ ମନେ ବିସ୍ତର ହସିଲି । ଭାବିଲି, ଇରେ ଗେଡ଼, ତୁ କେତେ ବାଟ ଯିବୁ? କୋଉ ଦୂରରୁ କାମଦେବର ଫୁଲଶର ହଲିଥିଲା ବୋଲି ତିଖ କୈଳାସରେ ଶିବଙ୍କ ତାଡ଼ ତମ୍ବୁରା ହଲିଥିଲା । ତୁ ତ ନାନା ହୁନ୍ଦରର ନରଟିଏ ମାତ୍ର! କେତେ ଦିନ ବିତିଗଲା । ଚିଠି ଆସିଲା । ଅକ୍ଷର ଦେଖି ଜାଣିଲି ତାହା ତୀର୍ଥଙ୍କରର । ଲଫାପା ଉପରେ ଇଂରାଜୀରେ ଲେଖିଥାଏ ‘ଗୋପନୀୟ’ । ବିଚରା ବିକଳିଆଟା । ଘରେ ତ ଆମେ ଦି’ ଜଣ । ମୃଗ ଓ କସ୍ତୁରୀ । ତା’ ଚିଠିର ବିଷୟବସ୍ତୁ କେମିତି, କେତେ, କାହାଠାରୁ ଗୋପନ ରହି ପାରିଥାନ୍ତା କେଜାଣି? ତାକୁ ପତ୍ନୀ ପ୍ରଥମେ ଖୋଲିଥିଲେ । ସେ ପଢ଼ି ଏକଦମ୍ ସ୍ଥିର ନିଶ୍ଚିତ ହୋଇଗଲେ ଯେ ତୀର୍ଥଙ୍କର ପାଗଳ ହୋଇଗଲାଣି । ବୋଧହୁଏ କେଉଁ ସମ୍ପାଦକଙ୍କ ପାଖକୁ ପଠାଇବା କାଗଜ ଖଣ୍ଡିକ ସେ ଏଠାକୁ ପଠାଇଦେଇଚି । ତେଣୁ ହୁଏତ ଏଠିକା ଚିଠି ଆର ଲଫାପାରେ ପଶି ଥାଇପାରେ । କାଗଜଟିରେ ‘ପୂଜନୀୟ, ମାନନୀୟ, ଇତି, ଆପଣଙ୍କର’ କିଛି ନାହିଁ । ଛୋଟିଆ କବିତାଟିଏ । ତାହା ଥିଲା : ଭ୍ରୁଲତାକୁ ଛୁଇଁ ନ ଉଡ଼ିଲେ ଝରା କେଶ / କମ୍ର ଆନନେ ନ ଝରିଲେ ଦରହାସ / କଟୀ କିଙ୍କିଣୀ ଝୁମୁଝୁମୁ ନାଇଁ ବାଜେ / କୁରରୀ ନୟନ ଯଦି ନ ନୁଅଁଇ ଲାଜେ । ତଳ ପଙ୍କଚର୍ ଉପର ଜବର ସେମିତି ତରୁଣୀ ଅବା / ପାରିବ ବାହି ମୋ ଜୀବନଟା ଯାହା / ପିଓର ମେଘନା ବିଡ଼ି ପଶିଥିବା ଖାଲି ସିଗ୍ରେଟ ଡବା । କବି ବନ୍ଧୁମାନଙ୍କ କବିତା ଶୁଣି ମୋର କିଛି ଆଇଡିଆ ଥିବା କଥା ମୁଁ ଭାବେ । ତେଣୁ ପୂର୍ବାପର ସଂଗତି ସହ ମୁଁ ଅନୁମାନ କରିପାରିଲି, ତୀର୍ଥଙ୍କର କିଛି କହୁଛି । ସ୍ତ୍ରୀଙ୍କ ମତାମତକୁ ଗରଉଆଜିବ ବୋଲି ମଧ୍ୟ ଭାବି ପାରୁ ନ ଥିଲି । ଇଏ ଗୋଟେ ଷୋହଳ ସତର ବର୍ଷିଆ ପିଲା ଭଳିଆ କନକନ କ’ଣ ହେଉଛି? କଥା ବଦଳରେ କବିତା ଲେଖୁଛି କିଆଁ? ଯାହା ହେଉ, ପରେ ସେ ମୋର ଦେଖା ହେଲା । ମୋର ଅନୁମାନ ସତ ଥିଲା । ସେ କାହାକୁ ବାହା ହେବ, ସେପରି କେହି ନିଶ୍ଚିତ କୁମାରୀ ନଥିଲେ । ତା’ ଇଚ୍ଛା ଭାରି ରୋମାଣ୍ଟିକ୍ ଥିଲା । ରୂପ, ମନ, ଆଚାର ଓ ସଂଭ୍ରମ ସବୁକୁ ଏକାକାର କରି ସେ ଏପରି କନ୍ୟାଟିଏ ଖୋଜୁଥିଲା, ଯାହାର ପଣତ ତଳେ ସେ ନିଜକୁ ସମର୍ପଣ କରିଦେଇ ପାରିବ । ପୂର୍ବରୁ ପଠାଇଥିବା କବିତାରେ କୁଆଡ଼େ ଏହା ହିଁ ଥିଲା ତା’ର ବକ୍ତବ୍ୟ । ସେ ମୋତେ ଜିଗର ଲଗାଉଥିଲା, “ସେମିତିଆ ଝିଅଟିଏ ତୁମେ ଖୋଜ ।” ମୋର ସାମର୍ଥ୍ୟ? ସାମ୍ପୁଲ ତ ତୋ’ ଭଉଣୀ । ସେମିତିକା ହେଲେ ଚଳିବ? କାହିଁକି କେଜାଣି ସେ ଚୁପ୍ ରହିଲା । ମୋ କଥାକୁ ଖୋଲା ଅପସନ୍ଦ କରିଥିଲେ ମୁଁ ନିଶ୍ଚୟ ରାଗିଥାନ୍ତି । “ପୁରୁଷ ନିଜକୁ ସମର୍ପଣ କରିବା ଛଡ଼ା ଆଉ ବଡ଼ କାମ କରେ କ’ଣ ଯେ ତୁ ଏମିତି ନବଗ୍ରହକୂଟ ସନ୍ଧାନରେ ବସିଚୁ?” ଅଭିଜ୍ଞତାର ଶିଳାଲେଖରୁ ଯେତିକି ମୁଁ ବୁଝି ପାରିଥିଲି, ସବୁ ତାକୁ କହିଦେଲି । ଏଣିକି ନିଜ ବିଷୟରେ ସିଦ୍ଧାନ୍ତ ସିଏ ନେଉ । ପାଉଁଶକୁ ଓଦା କରି ଛାଞ୍ଚରେ ପୂରାଇ ମୂର୍ତ୍ତିଟିଏ ବାହାର କଲେ ତାହା ପଥର ପରି ଖୁନ୍ଦା ଅବଶ୍ୟ ଦେଖାଯାଏ । ତା ମାନେ ନୁହେଁ, ସିଏ ଦମ୍ଭ । ଭୁସାଟିଏ ମାରିଲେ ଗଦା ହୋଇ ପଡ଼ିବ । ସବୁ ପୁରୁଷ ସେଇଆ । ତଥାପି ମୂର୍ତ୍ତିଗୁଡ଼ିକ ଅଛନ୍ତି କାହିଁକି? କାରଣ, ରକ୍ଷୟିତ୍ରୀମାନେ ଚାହାନ୍ତି, ସେମାନେ ଥାଆନ୍ତୁ ବୋଲି । ଶୂନ୍ୟଟିଏ କିପରି ସବୁକୁ ଆବୋରି ବସିଥାଏ । ତହିଁର ଏକମାତ୍ର ଉଦାହରଣ ହେଲା ପୁରୁଷ । ସ୍ତ୍ରୀ ତା’ ସ୍ୱାମୀର ଅର୍ଦ୍ଧାଙ୍ଗିନୀ । ମାନେ, ପୁରୁଷର ଫିଫ୍ଟି ପରସେଣ୍ଟ୍ ଗଲା । କେଉଁଠି ଶୁଣିଚୁ – ପୁରୁଷ ତା’ ସ୍ତ୍ରୀର ଅର୍ଦ୍ଧାଙ୍ଗ? ଯେଉଁ ପଚାଶ ପରସେଣ୍ଟ୍ ରହିଲା, ସେଥିରୁ ପଞ୍ଚାୟତ ରାଜ ଆଇନ ଓ ସଂରକ୍ଷଣ ନିୟମ ଜରିଆରେ ଗଲା ତିରିଶି । ଆଉ ରହିଲା କୋଡ଼ିଏ । ହଇରେ ସମୁଦ୍ର ନଈକୁ ଟାଣେ ନା ନଈ ସମୁଦ୍ରକୁ ଟାଣିପାରେ? ଅଶୀ ପରସେଣ୍ଟ କୋଡ଼ିଏ ପରସେଣ୍ଟକୁ ଓଟାରି ନିଏ ଥିରି ଥିରି ଚୋରା ବାଲିରେ ଚିର ବିସ୍ମୃତ ପଦଯୁଗଳର ଚିହ୍ନ ପରି । “ଘରେ କିଛି ନାହିଁ । ଯା’ ମ ଆଣିବ ।” ଝଡ଼ ହେଉଥାଉ, ବର୍ଷା ହେଉଥାଉ, ତୁ ଯେମିତି ହେଲେ ବାହାରିବୁ । ଗଲା ତୋ ଅଧିକାରରୁ ପାଞ୍ଚ ପରସେଣ୍ଟ । “ମୁଁ ଘର କାମ କରୁଚି । ତୁମେ ଛୁଆକୁ ହୋମୱାର୍କ କରାଇ ଦିଅ ।” ଯେତେ ମାଡୁଥିଲେ ବି ଆଉ ତୁ କବିତା ଲେଖି ପାରିବୁନି ।” ତୁ ଜମି କିଣିବୁ । କୋଠା କରିବୁ । ନିଜ ନାଁରେ କିଛି କରି ପାରିବୁନି । ଭିଜିଲାନ୍ସ ଧରିବ । ଜଗତରେ ଆଉ କାହାରିକୁ ତୁ ବିଶ୍ୱାସ କରିପାରୁ ନ ଥିବୁ ସେତେବେଳକୁ । ତେଣୁ ସ୍ତ୍ରୀ ନାଁରେ ସବୁ କରିବୁ । ଧରାଯାଉ, ଏଥିପାଇଁ ପାଞ୍ଚ ଗଲା । ଆଉ ରହିଲା ମୋଟୁରୁ ପାଞ୍ଚ । ନାଇଣ୍ଟିଫାଇଭ୍ ପରସେଣ୍ଟ ସମର୍ପଣ ପରେ ତୁ ସଂପୂର୍ଣ୍ଣ ଓଲୁଟିଏ ହୋଇସାରି ଯେତେବେଳେ ଭାବିବୁ, ମୁଁ ଟିକେ ଗାର୍ହସ୍ଥ୍ୟ ଜଞ୍ଜାଳରୁ ମୁକ୍ତି ପାଇବା ଉଚିତ, ସେତିକିବେଳେ ଶୁଣିବୁ : ଏ ସଂସାର କାହାର କି? ଛଟପଟ ହୋଇ ଭାବୁଥିବୁ – ମଥାର ମାପ ନେଇ ବଣିଆ ମୁକୁଟ କରିଥିଲା ବା ମଥାକୁ କାଟିକୁଟି ସାଇଜ କରି ତୁ ପ୍ରାପ୍ୟ ମୁକୁଟ ଭିତରେ ପୂରାଇ ତାକୁ ନିଜର କହି ବଡ଼ତି ଦେଖାଇ ହେଇଥିଲୁ! ସବୁ ଶୁଣିସାରି ତଥାପି ତୀର୍ଥଙ୍କର କହିଲା, “ନାଇଁ ଭାଇ, ତୁମେ ହିଁ ଦେଖିଲେ ମୁଁ ରାଜି ହେବି ।” ମୁଁ ଭାବିବାକୁ ବାଧ୍ୟ ହେଲି, ହାୟ, ପାଉଁଶ ପିତୁଳା ହେବାପାଇଁ ବି କି ଗୋପନ ଆତୁରତା!

(ରଚନା : - ୧୯୯୩)   ଆତଙ୍କ ମୁଁ ୟାଙ୍କ କଥା ନ ମାନି ବଡ଼ ଭୁଲ କରିଛି । ପତି ପରମ ଗୁରୁ – ଏହାଠୁଁ ବଳି ସତ୍ୟ ଏ ସଂସାରରେ ନାହିଁ । ଗୋଟିଏ ପରେ ଗୋଟିଏ ଅସୁବିଧା ହାବୁଡ଼ିଲା ବେଳକୁ ବିଚାରୀଟିର ଏକଥା ମନେପଡ଼େ । ଅନେକ ଅଭିଜ୍ଞତାକୁ ଯୁଗ ଯୁଗ ଧରି ପରଖି ନଥିଲେ ନୀତିଶାସ୍ତ୍ର ଏ କଥା କହି ଥାଆନ୍ତା କେମିତି? ସେ ମୋଟେ ନିଜ ସାହସ ହରାଇ ନଥାଏ । କେବଳ ଭଲ ବୋହୂଟିଏ ନୁହେଁ, ଭଲ ଝିଅ ଭାବେ ତା’ ସମୟରେ ସଦରଜମା ବି ଗୌରବରେ ଭରପୂର ଥିଲା । ସେ ଥିଲା ପ୍ରଥମ ବ୍ୟାଚର ମହିଳା କାରାଟେ । ସମୁଦାୟ ଶିକ୍ଷା ପରିଶେଷରେ ମଧ୍ୟ ସ୍ନାତକୋତ୍ତର ଗଣିତରେ ବିଶ୍ୱବିଦ୍ୟାଳୟ ସ୍ତରରେ ଗୋଲ୍ଡ ମେଡ଼ାଲ୍ ପାଇଥିଲା । ଓଡ଼ିଶୀ ନର୍ତ୍ତକୀ । କବିତା ଲେଖୁଥିଲା । ଝିଅମାନଙ୍କ ଦ୍ୱାରା ପ୍ରଥମ ରକ୍ତଦାନ ଶିବିରର ଆୟୋଜନ ସିଏ କରିଥିଲା । ସେତେବେଳେ ବୁଢ଼ା ବୁଢ଼ା ଅଧ୍ୟାପକ ବି ସନ୍ଦେହରେ ପଡ଼ି ଭାବୁଥିଲେ, ଝିଅମାନଙ୍କ ରକ୍ତ କୋଉ କାମକୁ ଲାଗେ ମ! ଲାଳିତ୍ୟ, ରୂପ, ସୌଷ୍ଠବର ସମାନୁପାତିକ ଚେହେରାଟିଏ ପାଇଥିବାରୁ ତାକୁ କେବେ କେହି ଅଣ୍ଡିରୀଚଣ୍ଡୀ କହିପାରି ନ ଥିଲେ । ଏଇ ଶବ୍ଦଟି ତାକୁ ଜଣେ ମାତ୍ର କହୁଥିଲା । ତା’ ବୋଉ । ସେ ଖାତିରି କରୁ ନଥିଲା ତା’ କଥାକୁ । ନିଧି ସାଆନ୍ତେ, ଶ୍ୱଶୁରଙ୍କ ମାମୁଁ । ଶାଶୂଘର ଗାଁ । ସହର ପରି ସେଠି ରିସେପ୍ସନ୍ ହୁଏ ନାହିଁ । ବେଦୀ କାମ ସାରିଲା ପରେ ଭୁଆସୁଣୀମାନେ ହୁଳହୁଳି ପକାଇ ବନ୍ଦାନ୍ତି । ଯିଏ ଯାହା ଦିଅନ୍ତି । ଜରି, ଷ୍ଟିକର କାରବାର ନ ଥାଏ । ନିଧି ସାଆନ୍ତେ ବେଦୀ କଡ଼ରେ ଠିଆହୋଇ କହିଲେ, “ସୁନା ବୋହୂଲୋ, ମୁହଁ ଟିକେ ବୁଲେଇ ଦେଲୁ । ଗେଲ କରିବି ।” ଝୁମିର ପାଦତଳ ମେଦିନୀ ଘୂରିଗଲା । ସେ ଆଖି ବୁଜିଦେଇଥିଲା । ବୁଢ଼ା ତା’ ହାତକୁ ଗୋଟିଏ ପ୍ୟାକେଟ ବଢ଼ାଇଦେଲା । “ମା’ ଲୋ, ରଖିଥିବୁ । ଲିଜର ପାଇଲେ ଦେଖିବୁ ।” ‘ଲିଜର’ ପରି ଶବ୍ଦ ଶୁଣି ଝୁମି ବୁଢ଼ାକୁ ଓଲ୍ଡ୍-ବ୍ରାଟ୍ ଅର୍ଚିନ ନ ଭାବିଲେ ମଧ୍ୟ ଖୁସି ହୋଇ ପାରୁ ନ ଥିଲା । ମାତ୍ର ଜଣେ, ସେ ଏମିତି ଏକ ଉପଢୌକନ ଦେଲା – ଯାହା ଥାଳିରେ ପଡ଼ିଲାନି ବା ଝୁମି ତାକୁ ଦେହରେ ପିନ୍ଧି ପାରିଲାନି । ନିଧି ସାଆନ୍ତେ କିଏ, ପରେ ଜାଣିଲା । ପ୍ୟାକେଟ ଖୋଲି ଦେଖିଲା । ଅନେକ ସମ୍ବାଦ ପତ୍ର । ଅସମନ୍ୱିତ ତାରିଖର । ତା’ରି ବିଷୟରେ ପ୍ରକାଶିତ ନାନାଦି ବିବରଣୀ, ଫଟୋ, ତା’ର କେତେକ କବିତା । ସେ ନିଧି ସାଆନ୍ତଙ୍କ ଗପ ପଢ଼ି ପାଠକୀୟ ଭାବ ବିନିମୟ କରିଥିବା କେତେ ଖଣ୍ଡ ତା’ ନିଜ ଚିଠି ବି ସେଥିରେ ଥିଲା । ବୁଢ଼ାର ସ୍ୱ-ହସ୍ତାକ୍ଷରରେ ଗୋଟିଏ ଛୋଟିଆ ଚିଠି । “ମା’ ଲୋ, ତୋ’ ଆଦରର ନାଁ ଝୁମି ବୋଲି ଜାଣି ନ ଥିଲି । ଝିଅ ବେଳେ ତୁ ଯେମିତି ଭଲ ଝିଅଟିଏ ଥିଲୁ, ସେମିତି ଭଲ ବୋହୂଟିଏ ହେଲେ ବି ତୋ ସଂସାର ହସିବ । ଇତି । ବାଞ୍ଛାନିଧି ମହାନ୍ତି ।” ନିଧି ସାଆନ୍ତେ ଆଉ ନ ଥାଆନ୍ତି । ବୁଢ଼ା ପାଇଁ କାନ୍ଦିବାକୁ ଇଚ୍ଛା କରି ବି ସେ କାନ୍ଦି ପାରୁ ନ ଥାଏ । ସମୁଦାୟ ଭେଟ ଥରଟିଏ । ନିଜେ ବି ସେ ତାଙ୍କୁ ଦେଖି ପାରିନି କାରଣ କିଛି ଲାଜ, କିଛି ଘୃଣାରେ ସେ ଆଖି ବୁଜିଦେଇଥିଲା । ଭୁଲ୍ ବୁଝିଥିବା ସାଆନ୍ତଙ୍କ କଥା ତା’ର ମନେ ପଡୁଥାଏ । ବିଧୁବନ ପାଇଁ ନୁହେଁ, ଆଶା ପାଇଁ । ହଳଦୀ ଲଗେଇ ବାଡୁଅପାଣି ଗାଧୋଇଲାବେଳେ ଝୁମିର ଅତୀତ ତା’ଠୁଁ ଉଡ଼ି ପଳାଇଥିଲା । ସେ ସେମିତି ଅନେଇଥିଲା ଅଥଚ ଦେଖି ପାରୁ ନ ଥିଲା ବା ଯେମିତି ଦେଖି ପାରୁଥିଲା ଅଥଚ ଭାବିପାରୁ ନ ଥିଲା । ଶଅଁବାଳୁଆ ଯେତେବେଳେ ପ୍ରଜାପତି ହୁଏ, ସିଏ ଆଉ କ’ଣ ତା’ ପୁରୁଣା ଖୋଷା ଦେଖିବାକୁ ଆସେ କି? ସେମିତି ଥିଲା ତା’ ଅତୀତ । ଗରିବ ଜମିଦାର ଘରର ଲମ୍ବା ଲମ୍ବା ପଥର ପାହାଚ । ଭିତରେ ଦାରିଦ୍ର୍ୟର ପ୍ରଦର୍ଶନ ପାଇଁ ବାହାରେ ନିଲଠ ନିମନ୍ତ୍ରଣ ପତ୍ର । ଝିଅମାନଙ୍କ ପାଇଁ ଅତୀତ ମାନେ ହିଁ ସେଇଆ । ଝିଅମାନେ ବାହାହେଲେ ପୁନର୍ଜନ୍ମ ଲଭନ୍ତି । ବିଗତ ସମୟର ସବୁ ପୁଷ୍ପଧ୍ୱଜୀ ଚିନ୍ତା ଓ ସ୍ୱପ୍ନ, ତୋଳା ଫୁଲରେ ପରିଣତ ହୋଇଯା’ନ୍ତି । ଆଶାମାନେ ହୁଅନ୍ତି କମ୍ର, କାନ୍ତିଯୁକ୍ତା, ପୁଣ୍ୟମୟୀ । ପ୍ରତିଶୟିତ ଜୀବନ - ତଥାପି ବି ସୁନ୍ଦର ଲାଗେ । ଝୁମି ଖୁସି କାରଣ ଆବଶ୍ୟକ ସର୍ବସାଧାରଣ ସୂଚନା ଅନୁଯାୟୀ, ସେ ଭଲ ବୋହୂ । ଶାଶୂ-ଶ୍ୱଶୁର ହୋଇଛନ୍ତି ବାପା ବୋଉ । କଥା ଏକତରଫା ନୁହେଁ । ସେମାନେ ବି ଭାବନ୍ତି – ଆମ ଝିଅ । ଝୁମି ଭାବେ, ମଣିଷର ହୃଦୟଟା ଖୁବ୍ ସରସ, ଭାରି ଉର୍ବର ଏବଂ ଏକ୍ଦମ୍ ଖାଲି । ନିଅତରେ ସେଠି ଯୋଉ ଫୁଲ-ଫଳ ଲଗେଇବ, ତୁମେ ଯେମିତି ଇଚ୍ଛା କରିବ ତାହା ସେମିତି ଫୁଟିବ, ସେମିତି ଫଳିବ । ସେଥିପାଇଁ କିଛି ହସ, କିଛି ଶ୍ରଦ୍ଧା ଓ ଯଥେଷ୍ଟ ଆନ୍ତରିକତା ଲୋଡ଼ା । ଏକା ବୟସ ଏବଂ ପ୍ରାପ୍ତ ସୁଯୋଗ ଅନୁଯାୟୀ ଅନେକ ଝିଅ ପ୍ରେମ କରୁଥିଲେ ମଧ୍ୟ ଝୁମି ସେସବୁ ପାଇଁ ମନ ବଳାଇ ନାହିଁ । କାରଣ, ଆଧୁନିକା ପରି ଜଣାପଡୁଥିଲେ ସୁଦ୍ଧା ତା’ ମନଟି ଥିଲା ଅନେକ ପରିମାଣରେ ସଂସ୍କାରଗ୍ରସ୍ତ । ଭଲେଣ୍ଟିଅର୍ ପରି ଛାତ୍ରୀଟିଏ ହୋଇଥିବାରୁ ସମୟ ପାଉ ନ ଥିବ । ପୁଅମାନଙ୍କ ପ୍ରଶଂସାକୁ ସେ ବିଶ୍ୱାସ କରୁ ନଥିଲା ବା ସେଥିରୁ ଉଦ୍ଦେଶ୍ୟ ଉଣ୍ଡାଳୁ ନ ଥିଲା । ତେଣୁ ଜୟନ୍ତ ସହିତ ବିବାହ ପୂରାପୂରି ପ୍ରସ୍ତାବ-କୋଷ୍ଠୀ-ଜାତକମେଳ ଅନୁଯାୟୀ । ନରଗଣ-ଦେବଗଣାଦିର ମେଳକ ଥାଇ ସବୁମନ୍ତେ କୁଆଡ଼େ ଦୁଇ ଜଣଙ୍କର ରାଜଯୋଟକ ପଡ଼ିଥିଲା । ଏପରିକି, ଉଭୟ ପରସ୍ପରକୁ ଦେଖି ନ ଥିଲେ । ଆଦର କରିଥିବା ପରମ୍ପରା ସେମାନଙ୍କୁ ଧୋକା ଦେଇ ନାହିଁ । ଦୁହେଁ ଖୁସି । ବିବାହ ଦୁଇ ବର୍ଷ ପୂରି ଗଲାଣି । ପଦାକୁ ଜଣାପଡ଼ୁ ନ ଥିବା ପରି ସରଳ ଜୀବନ । ଅଳ୍ପ ହସ, କିଛି ଦୁଶ୍ଚିନ୍ତା, ଛୋଟ ଛୋଟ ସ୍ୱପ୍ନ । ସବୁ ମିଶି ଅପାର ଅନୁରାଗ । ଏବେ ଭାବିଲେ ତାକୁ ଗୋଟିଏ ବିଷୟରେ ଲାଜ ଲାଗେ । ଆଗେ ସେ ଲୁଚେଇ ଲୁଚେଇ କେତେକ ଅନାଗତ ଆଶଙ୍କା ସହିତ ବାହାଘରକୁ ମିଶାଇ ଡରୁଥିଲା । ମୁଁ ବାହା ହେବି ନାହିଁ, ଏପରି ଖୋଲା ଘୋଷଣା ଅବଶ୍ୟ ସେ କେବେ କରି ନ ଥିଲା ବା ତାକୁ କେହି ପଚାରି ନ ଥିଲେ ମଧ୍ୟ । ସ୍ୱାମୀ ବେଳେବେଳେ ଝୁମିକୁ ତା’ ଅତୀତ ମନେପକାଇ ଆଦରରେ କିଛି କହିଲେ ସେ ଚିଡ଼ିଯାଏ । କହେ, “ତୁମ ପରିକା ସ୍ୱାମୀଟିଏ ପାଇ ମୁଁ ସଂସାର କରିବାରେ ସୁଖୀ ହେବି ନା ଓଡ଼ିଶୀ ନାଚିବି?” ଜୟନ୍ତ ତଥାପି ଚିଡ଼ାନ୍ତି । ଝୁମି ଚୁପ୍ ରହେ, ହସି ଦିଏ । ସ୍ୱାମୀଙ୍କୁ ନ ରଗାଇବା ବ୍ୟାପାରରେ ସେ ଯେମିତି ଜଣେ ରାଜଚକ୍ରବର୍ତ୍ତୀ ଶାସିକା । ସିଏ ବି ରାଗି ପାରେ । ମାତ୍ର ସେତିକିବେଳେ, ଯେତେବେଳେ ସ୍ୱାମୀ ମନେ ମନେ ଟିକେ ଆକଟ ଖୋଜୁଥା’ନ୍ତି । ତା’ ରାଗିବାର ଭାଷା ନିହାତି ଅଲଗା ରକମ । ନିଜକୁ ଆକ୍ଷେପ କରି କହେ । ‘ତୁମେ ଭାସିଯିବ’ ପରି ନ କହି, କହେ ‘ମତେ ଭସେଇ ଦେବ’ । ଦିନକର କଥା । ରାତି ବିଳମ୍ବ ହୋଇଯାଇଥାଏ । ସେମାନେ ଗୋଟିଏ ଜନ୍ମଦିନ ପାର୍ଟିରୁ ଫେରିଥା’ନ୍ତି । ପୁରୁଷମାନଙ୍କର କେତେକ ପୁରୁଣାକାଳିଆ ମେଥଡ୍ ଅଛି । ଜୟନ୍ତ କେତେ ଜଣଙ୍କ ନାଁ ନେଲେ । ସ୍ୱାଭାବିକ, ଯେଉଁମାନଙ୍କୁ ଝୁମି ଚିହ୍ନେ ନାହିଁ । “ସେମାନେ କହୁଥିଲେ, ତୁମେ ବହୁତ ସୁନ୍ଦରୀ ।” ସ୍ୱାମୀଙ୍କ ମୁହଁରୁ ଏମିତିକା କଥା ଶୁଣିଲେ ଅନେକ ଅଭିଲା ହୋଇ ମୁଢ଼ି ବଦଳରେ ଚିକେନ୍ ପକୋଡ଼ା କରିବାକୁ ଆଗ୍ରହୀ ହୋଇପଡ଼ନ୍ତି ବା ଚା’ରେ ଅଧିକା ଦୁଧ ଦେଇ ବହଳିଆ କରିଦିଅନ୍ତି ବା ଅକାରଣରେ ଶାଢ଼ିକୁ ଉପର ତଳ କରି ପକାନ୍ତି । ଯଦି ଓ, ଶାଢ଼ିର ଚଉଡ଼ା ବଢ଼ିବାର ନ ଥାଏ ବା ତନୁଶ୍ରୀ ଅନ୍ୟଭାବେ ବଙ୍କା ହୋଇ ପାରେ ପଛେ, ଛୋଟ ହେବାର ନଥାଏ । ଝୁମି ଏହାକୁ ନିହାତି ଅଲଗା ଭାବେ ଗ୍ରହଣ କଲା । “ତୁମେ ସେମାନଙ୍କ ସାଙ୍ଗରେ ନିଜ ମନ ବା ଆଖି ବଦଳା ବଦଳି କରିଚ କି? ମୋତେ କହିଦବ । ମୁଁ ଆଗରୁ ମରିଯିବି ।” ଏମିତିକା କଥା ଚାଟୁ ହେଲେ ବି ଭଲ ଲାଗେ । ସ୍ପର୍ଶ, ଚୁମ୍ବନ, ଆଲିଙ୍ଗନ ଯେତେ ଅଧିକ ଭାବେ ସମ୍ପାଦିତ ହୁଏ, ଦୁଇଟି ମଣିଷ ଲିପ୍ସାର ଝଡ଼ ଭିତରେ ସେତେ ଅଧିକ ନିଃସଙ୍ଗତାରେ ଘାରି ହେଉଥା’ନ୍ତି । କାରଣ, ଝଡ଼ର କେନ୍ଦ୍ରବିନ୍ଦୁ ଆଉ କେଉଁଠି ଥାଏ । ଦୁଇଟି ଅଥୟ ଦେହ । ସମୟକୁ ନିଘା ନ ଦେଇଥା’ନ୍ତୁ ପଛେ, ରାତି ବାରଟା ବାଜି ସାରିଥିଲା । ଡୋର୍ ବେଲ୍ ବାଜିଲା । ଅସ୍ୱାଭାବିକ ନୁହେଁ, ଦୁଇ ଜଣଯାକ ଏକାସାଙ୍ଗରେ ଚମକି ପଡ଼ିଲେ । ଦେହ କିଛି ନୁହେଁ, କାରଣ ମନ ଉଡ଼ିଗଲା । ଜୟନ୍ତ ଦେଖିଲେ, ଟେଲିଗ୍ରାଫ୍ ବିଭାଗର ନାଇଟ୍ ଡେଲିଭରି ବୟ । ଡୋର୍-ସ୍ଲଟ୍ ବାଟେ ରସିଦରେ ଦସ୍ତଖତ କରି ଟେଲିଗ୍ରାମ୍ଟି ଆଣିଲେ । ଏତେ ରାତିରେ ସହରୀ କବାଟ ଖୋଲା ଯାଏନି । ସବୁ ଓଲଟପାଲଟ ହୋଇଗଲା । ଝୁମିର ଶାଶୂଙ୍କ ଦେହ ଖରାପ । ନିଶ୍ଚୟ ଯିବାକୁ ହେବ । ଅଥଚ ରାତି ପାହୁ ନ ଥାଏ । ଦୁଇ ଜଣ ଗପ ହେଉଥିଲେ । ବଡ଼ ବଡ଼ ଆଶଙ୍କା ପାଖରେ ଟିକି ଟିକି ଆଶାମାନେ ହୁଏତ ଦେଖା ଯାଉ ନଥିଲେ ବା ପହଞ୍ଚୁ ପହଞ୍ଚୁ ହଜି ଯାଉଥିଲେ । ପ୍ରକୃତି ଶୂନ୍ୟତାକୁ ସହି ପାରେ ନାହିଁ – ଘୂର୍ଣ୍ଣିବାତ୍ୟା ସୃଷ୍ଟି କରି ନିଜକୁ ନିଜେ ଉଜାଡ଼ି ଦିଏ । ମନ ବି ଶୂନ୍ୟତାକୁ ସହି ପାରେ ନାହିଁ । ଆଶଙ୍କାର ଝଡ଼ ଉଠେ ସେଥିରେ । ପରଦିନ ଅଫିସରୁ ଫେରି ଜୟନ୍ତ ଯେଉଁ ଖବର ଦେଲେ, ତାହା ଉଭୟଙ୍କ ଭ୍ରାନ୍ତିକୁ ବଢ଼ାଇବା ସାର ହେଲା । ଝୁମି ଘରକୁ ଯିବା ଲାଗି ପ୍ୟାକିଂ କରିସାରିଥିଲା । ଅନ୍ୟୁନ ଚାରୋଟି ଦିନ ପରେ ଜୟନ୍ତ ଛୁଟି ପାଇବେ, ବସ୍ ପ୍ରମିଜ୍ କରିଛନ୍ତି । ସମସ୍ତ ବିଭୀଷିକା ସହ ଆକାଶ ଝୁମିର ମଥା ଉପରେ ଅଜାଡ଼ି ହୋଇଗଲା ଯେମିତି । ସେ କହିଲା, “ନାଇଁ ମୁଁ ଆଜି ଯିବି । ତୁମେ ପରେ ଆସିବ ।” “ବେକାର କଥା । ଛତିଶ ଘଣ୍ଟା ରେଳ ଯାତ୍ରା – ଭାରତୀୟ ରେଳବାଇର ଟାଇମ୍ ଟେବୁଲ୍ ଅନୁଯାୟୀ । ଆନ୍ଦୋଳନ, ସନ୍ତ୍ରାସବାଦ ଆଦି ସବୁ ବାଟରେ ପଡ଼ିବ । ରାଜା ଗଧ ଚଢ଼ିବାକୁ ମନ ବଳେଇଲେ ରାଜ୍ୟ ସାରା ଧୋବା ତୁଠ ଖାଲି ହେବା ପରି କଥାଟେ ହେବ ସିନା! ବରଂ ବାପାଙ୍କୁ ଟେଲିଗ୍ରାମ କରିଦେବା, ଆମେ ଆଉ ଚାରିଟା ଦିନ ପରେ ପହଞ୍ଚୁଛୁ ବୋଲି ।” “ବୋଉଙ୍କ ଦେହ ଖରାପ, ସିଏ ହୁଏତ ଖୋଜିଛନ୍ତି ବା ବାପା ଟେଲିଗ୍ରାମ କରିଛନ୍ତି । ଏସବୁ କ’ଣ ତୁମ ଦପ୍ତରର ଫାଇଲ କାମ କି? ଟେଲିଗ୍ରାମ କଲେ ଦାୟିତ୍ୱ ତୁଟିଯିବ?” ଏମିତିକା ପୁଅ? ଝୁମି ନିଜ ସ୍ୱାମୀଙ୍କୁ ବୁଝିପାରୁ ନ ଥାଏ । ତା’ର ଯେଉଁ ଅତୀତ କହି ଜୟନ୍ତ ତାକୁ ଚିଡ଼ୋଉଥିଲେ, ସେଇଗୁଡ଼ିକ ଅହମିକା ରୂପ ନେଇ ତା’ ମନକୁ ଆସିଲେ । “ତୁମେ କ’ଣ ଢିଙ୍କିକି କାଠ ବୋଲି ଭାବିଚ କି?” ସେ କହିଲା, “ମୁଁ ଯିବି ।” ତାହା ହିଁ ହେଲା । ପ୍ରାୟ ଚାଳିଶ ଘଣ୍ଟାର ରେଳଯାତ୍ରା । ନିଜ ମନର ଉଦ୍ବିଗ୍ନତା ଛଡ଼ା ଘଟଣା ଇ କିଛି ନ ଥିଲା । ଶାଶୂଘର ଗାଁ ଅଭିମୁଖେ ଯାଉଥିବା ବସ୍ରେ ବସିଲା ଝୁମି । ତା’ପରେ ତାକୁ ଯେମିତି ଲାଗିଲା ଯେ ସତକୁସତ ପାହାରୁଣିରୁ ସମା ହୁଗୁଳି ଗଲେ ଢିଙ୍କି କାଠ ହିଁ ହୋଇଯାଏ । ଗୌରବ, ପ୍ରତିଷ୍ଠା, ପରାକ୍ରମ କେବଳ କାଳାଶ୍ରୟୀ ନୁହଁନ୍ତି, ଆପେକ୍ଷିକ ସ୍ଥିତିଠାରୁ ଦୂରେଇଗଲେ, ସେମାନେ ହଜି ଯାଆନ୍ତି । ବୋଧେ କଲେଜ ପାଠର ଅସିଦ୍ଧ କଳାକାର ଟୋକା ଦି’ ଚାରିଟା ତା’ ସିଟ୍ ପାଖରେ ଠିଆହୋଇ କମେଣ୍ଟ୍ ମାରୁଥା’ନ୍ତି । ଇସ୍! କହୁଥା’ନ୍ତି ବହିର ଭାଷା, ଅଥଚ ମତ୍ତ ମାନସିକତାରେ ଅକାରଣରେ ଉଲଗ୍ନ ହୋଇ ପଡୁଥିବା ପରି ଅସଭ୍ୟ ସେଇ ଭାବଗୁଡ଼ାକ । ମାନସିକ ପ୍ରତିରକ୍ଷା ପାଇଁ ଭାରତୀୟ ନାରୀମାନଙ୍କ ପାଖରେ ଥାଏ ଦୁଇଟି ଅସ୍ତ୍ର । ଲଜ୍ଜା ଓ ବାହାନା । ଝୁମି ଅନ୍ୟ କୌଣସି ଗ୍ରହରୁ ଆସି ଏ ପୃଥିବୀର କିଛି ଭାବ-ଭାଷା ବୁଝି ପାରୁ ନ ଥିବା ବୋକୀଟିଏ ପରି ବାହାନା କଲା । ଷ୍ଟୁପିଡ୍ । ଯଦି ଚାକିରି କରିଥା’ନ୍ତି ହୁଏତ ଏମାନେ ମୋର ଛାତ୍ର ହୋଇଥା’ନ୍ତେ! ଏମିତି ଭାବିଲାବେଳେ ସେ ପାଖକଥାଟି ଭାବି ପାରୁ ନ ଥାଏ । ଆଜିକାଲି ପିଲାଏ ମ୍ୟାଡାମ୍‌ଙ୍କୁ ବି ଛାଡୁ ନାହାନ୍ତି ।