ବ୍ୟବହାରକାରୀ:Psubhashish/ସ୍ତୁତି ଚିନ୍ତାମଣି

ଉଇକିପାଠାଗାର‌ରୁ

ଅପ୍ରମେଏ ନିନ୍ଦା ପେଣ୍ଡି ପେଣ୍ଡି ବନ୍ଧା ଦିନୁଦିନ ମହା ଭାରି
ନିନ୍ଦାକୁ କାନ୍ଧରେ ବହିଥିବି କେତେ ଯାଉଁଳି ମୁଟୁରା କରି ।
ଧର୍ମ ଉଦେ ଦିନୁ ଏ ମାନବ ତନୁ ବହିଗଲା ଏତେ ଦିନ
ନିନ୍ଦାକୁ ବସ୍ତ୍ର ପ୍ରାଏ କେତେ ପିନ୍ଧିବି କଟୀରେ କରି ଭୂଷଣ ।
ହାସ୍ୟ ଭର୍ତ୍ସନା ଗାଳି ଗର୍ବ ଠସାକୁ ଗଳାରେ ପିନ୍ଧିବି ମାଳ
ଟାକି ଟାକି ମୁହିଁ ଅାଗତକୁ ଚାହିଁ ବହି ଯାଉଅଛି କାଳ ।
ଶ୍ରାବଣ ବରଷା ପ୍ରାଏ ନିନ୍ଦାପଦ ଅଜାଡ଼ି ଦେଉଛି ଶିରେ
ଜଳପ୍ରାଏ ହୋଇ ସର୍ବାଙ୍ଗ ଶରୀରେ ବହୁଅଛି ବେନି କରେ ।
ଘଣ୍ଟି ଘାଗୁଡ଼ି ପରାଏ ନିନ୍ଦାମାଳ ଲମ୍ୱିଅଛି ଚଉକତି
ଘନଘନ ନିରନ୍ତରେ ବାଜୁଅଛି ଡାକ ଫେରାଉଛି ପୃଥ୍ୱୀ ।
ଯହିଁ ଇଚ୍ଛା ତହିଁ ପରିହାସ କରି ଭୀମଭୋଇ କନ୍ଧ ବୋଲି
ପାଦଧୁଅା ଜଳ ପିଅାଇଲା ବୋଲି ସର୍ବେ ଦେଉଛନ୍ତି ଗାଳି ।
କାହାରି ଧନ ନଖାଇ ନବୁଡ଼ାଇ ନଲାଗି କାହାର ଋଣ
ଦିବାନିଶିରେ ଇଙ୍ଗିତ କରୁଛନ୍ତି, ଦେଖ ମେଳଛଙ୍କ ଗୁଣ ।
କାହାରି ଶତେ ପୁରୁଷର ସଂପତ୍ତି ଉଡ଼ାଇ ମୁହିଁ ନ ଦେଇ
ଅକାରଣ ସର୍ବେ ଭୁକି ମରୁଛନ୍ତି ମୋଠାରେ ଶତ୍ରୁତା ହୋଇ ।
କାହାକୁ ହିଂସାକପଟ ନ କରଇ ଅହଙ୍କାର ଛେଦଭେଦ
ରାଜା ପରଜା ସମସ୍ତେ ମୋହଠାରେ ଲାଗି ବସିଛନ୍ତି ବାଦ ।