ବ୍ୟବହାରକାରୀ:Subas Chandra Rout/କବୀର ଲିଖିତ ଏକ ଶତ କବିତା

ଉଇକିପାଠାଗାର ରୁ
Jump to navigation Jump to search

କବୀର କବିତା ୧

ଖୋଜୁଛ କେଉଁଠି ମୋତେ ହେ ଭକ୍ତ
(mo ko kahdn dhunro bande)

ଖୋଜୁଛ କେଉଁଠି ମୋତେ ହେ ଭକ୍ତ, ଅଛି ମୁଁ ସଦା ତୋ ପାଶେ ,
ତୀର୍ଥରେ ନାହିଁ ମୁଁ, ମୁର୍ତ୍ତିରେ ନାହିଁ, ନାହିଁ ଏକାନ୍ତ ନିବାସେ ।

ମନ୍ଦିରେ ନାହିଁ, ନା ମସଜିଦରେ, ନାହିଁ କାବା କୈଳାସରେ,
ରହିଛି ତୋର ନିକଟରେ ମୁଁ, ଅଛି ଭକ୍ତ ମୁଁ ତୋ ପାଖରେ ।

ଜପରେ ନାହିଁ ମୁଁ ତପରେ ନାହିଁ, ନାହିଁ ବ୍ରତ ଉପାସରେ,
କ୍ରିୟାରେ ନାହିଁ ମୁଁ କର୍ମେ ରହେନି, ନାହିଁ ଯୋଗ ସନ୍ୟାସରେ ।

ପ୍ରାଣରେ ନାହିଁ ମୁଁ ପିଣ୍ଡରେ ନାହିଁ, ନା ବ୍ରହ୍ମାଣ୍ଡ ଆକାଶରେ,
ପ୍ରକୃତି ଗର୍ଭ ଗୁମ୍ଫାରେ ନାହିଁ ମୁଁ, ନାହିଁ ଶ୍ୱ।ସ ପ୍ରଶ୍ଵ।ସରେ ।

ଖୋଜି ବୁଲିଲେ ମୁଁ ତୁରନ୍ତ ମିଳେ, ଏକ ପଳ ତଲାସରେ,
କହେ କବୀର, ଶୁଣ ଭାଇ ସାଧୁ, ମିଳେ ଶୁଦ୍ଧ ବିଶ୍ଵାସରେ ।

କବୀର କବିତା ୨

ପଚାର ନାହିଁ ସାଧୁଙ୍କ ଜାତି
( santan jot na pucho nirgur^iydn)

ପ୍ରଶ୍ନ କରିବା ଅନାବଶ୍ୟକ, ସାଧୁଙ୍କ ଜାତି ପ୍ରକାର,
ଯୋଦ୍ଧା, ବେପାରୀ, ପୂଜକ ତଥା ଜାତି ଛତିଶ ପ୍ରକାର ।

ଖୋଜି ବୁଲନ୍ତି ପ୍ରଭୁଙ୍କୁ ସବୁ, ସଭିଏ ଏକ ସମାନ,
ମୂର୍ଖାମି କାମ, ନାହିଁ ତା ଠାରୁ, ଜାଣିବା ଜାତିର ଜ୍ଞାନ ।

ଭଣ୍ଡାରୀ, ଧୋବା, ବଢେଇ ଖୋଜେ, ରାଇଦାସ ଖୋଜେ ପ୍ରଭୁ,
ସ୍ଵପଚ ଋଷି ଜାତିରେ ମୋଚି, କରନ୍ତି ପୂଜା ସ୍ଵୟମ୍ଭୁ ।

ହିନ୍ଦୁ ମୁସଲିମ୍ ଏକ ସମାନ, ଉପଲବ୍ଧ ପରିତ୍ରାଣ,
ସର୍ବ ଶେଷରେ ସମାନ ସବୁ, ନାହିଁ କିଛି ବିଲକ୍ଷଣ ।

କବୀର କବିତା ୩

ହେ ସାଧୁ ଭାଇ ରଖ ତୁ ଆଶା
(sâdho bhâî, jîval hî karo âs'â)

ହେ ସାଧୁ ଭାଇ ରଖ ତୁ ଆଶା, ଜୀବ ଥିବା ଅବସ୍ଥାରେ,
ଭଜିଲେ ତାଙ୍କୁ ବଞ୍ଚିଲା ବେଳେ ମୁକ୍ତି ମିଳେ ଜୀବନରେ ।

ବନ୍ଧନ ଛିନ୍ନ କରିନ ଏବେ, ମୃତ୍ୟୁ ପରେ କିମ୍ପା ଆଶା?
ଦେହ ଛାଡ଼ିଡିଲେ ତାଙ୍କ ମିଳନ ସପନ ସମ ନିରାଶା ।

ପାଇବ ଯଦି ତାହାଙ୍କୁ ଏବେ, ମିଳିଯିବେ ମୃତ୍ୟୁ ପରେ,
ଏହି କଥାର ଅନ୍ୟଥା ହେଲେ ରହଣି ଯମ ଲୋକରେ ।

ଏବେ ନିବିଡ଼ ହୋଇଛ ଯଦି, ହେବ ଏହା ଉପରାନ୍ତ,
ସଦ୍ଗୁରୁ ଜ୍ଞାନ, ସତ୍ୟରେ ସ୍ନାନ, ନାମ ବିଶ୍ଵାସେ ଅମୃତ ।

କବୀର କହେ, ସନ୍ଧାନାବେଗ କେବଳ ସାହାଯ୍ୟକାର,
ଆବେଗ ସତ୍ତା ଥାଏ ଯାହାର, ଦାସ ମୁଁ ହୁଏ ତାହାର ।

କବୀର କବିତା ୪

କେମିତି ତ୍ୟାଗ କରିବି ମାୟା
(avadhu, mdyd taji na jay)

କେମିତି ତ୍ୟାଗ କରିବି ମାୟା, କହିଦିଅ ମୋତେ ବନ୍ଧୁ,
ରିବନ ବନ୍ଧା ତ୍ୟାଗ ପରେ ବି ନିଜର ପୋଷାକ ବାନ୍ଧୁ ।

ପୋଷାକ ନ ବାନ୍ଧିଲେ ବି ତାର ଭାଙ୍ଗରେ ଘୋଡାଏ ଦେହ,
କ୍ରୋଧ ଗୁଣଟି ରହି ଯାଉଛି ତ୍ୟାଗ କଲା ପରେ ମୋହ ।

କ୍ରୋଧକୁ ତ୍ୟାଗ କଲା ପରେ ବି ରହୁଛି ଭିତରେ ଲୋଭ,
ଲୋଭକୁ ପରାଜିତ କଲେ ବି ରହୁଅଛି ବୃଥା ଗର୍ବ ।

ନିର୍ଲିପ୍ତ ମନୁ ମାୟା ଗଲେବି ଜାବୁଡ଼ି ଧରେ ଅକ୍ଷର,
ସତ୍ ପଥଟି କ୍ଵଚିତ୍ ମିଳେ, ସାଧୁଙ୍କୁ କହେ କବୀର ।

କବୀର କବିତା ୫

ଚନ୍ଦ୍ରମା ଏକ ଦିଏ ଝଟକ ମମ ଶରୀର ଭିତରେ
(candd jhalkai yahi ghat mdhm)

ଚନ୍ଦ୍ରମା ଏକ ଦିଏ ଝଟକ ମମ ଶରୀର ଭିତରେ,
ଚନ୍ଦ୍ରମା ଅଛି, ସୂର୍ଯ୍ୟ ବି ଅଛି, ଅନ୍ଧ ମୁଁ ଦେଖି ନ ପାରେ ।

ସଦା ଶାଶ୍ଵତ ଅବିଦ୍ୟମାନ ବାଦ୍ୟେ ଝଙ୍କୃତ ଅନ୍ତର,
ଦୁଃଖର କଥା, ବଧୀର କର୍ଣ୍ଣ ଶୁଣି ପାରେନି ଝଙ୍କାର ।

ଯେବେ ମାନବ କହେ 'ମୁଁ', 'ମୋର', ପ୍ରଭୁ କାର୍ଯ୍ୟ ସବୁ ମୃତ,
'ମୁଁ', 'ମୋର' ପ୍ରେମ ହୋଇଲେ ମୃତ ପ୍ରଭୁଙ୍କ କାର୍ଯ୍ୟ ସାଧିତ ।

ଲକ୍ଷ ତାଙ୍କର କେବଳ ମାତ୍ର ଦିବ୍ୟ ଜ୍ଞାନ ମାନବର,
ଉପଲବ୍ଧ ଯଦି ହୋଇପାରିଲା, ସାଧିତ କାର୍ଯ୍ୟ ତାଙ୍କର ।

କବୀର କବିତା ୬

ପୁଷ୍ପ ପୁଷ୍ପିତ ଫଳ ନିମିତ୍ତ, ତା ପରେ ହୁଏ ମଳିନ,
କସ୍ଥୁରୀ ଥାଇ ମୃଗ ଶରୀରେ, ତୃଣ ଚରିବାକୁ ମନ ।

ଯେତେବେଳେ ସେ ନିଜେ ଇଚ୍ଛନ୍ତି
(sddho, Brahm alakh Idkhdyd)

ଯେତେବେଳେ ସେ ନିଜେ ଇଚ୍ଛନ୍ତି, ନିଅନ୍ତି ଏକ ଆକାର,
ବ୍ରହ୍ମ ଦିଅନ୍ତି ନିଜ ଦର୍ଶନ, ଦୃଷ୍ଟାନ୍ତ ନାହିଁ ଏହାର ।

ମଞ୍ଜି ଯେପରି ବୃକ୍ଷରେ ଥାଏ, ଛାୟା ଥାଏ ବୃକ୍ଷ ସାଥେ,
ଅସୀମ କାୟା ଶୂନ୍ୟତା ମଧ୍ୟେ, ଶୂନ୍ୟତା ଆକାଶ ପଥେ ।

ଅସୀମ ବାହାରୁ ଅସୀମ ଜନ୍ମ, ଅସୀମରୁ ସୀମାନୀତ,
ବ୍ରହ୍ମରେ ଆକାର, ଆକାରରେ ବ୍ରହ୍ମ, ସଂଯୁକ୍ତ ପୁଣି ବିଯୁକ୍ତ ।

କବୀର କବିତା ୭

ନିଜେ ନିଅନ୍ତି ବୃକ୍ଷ ଆକାର
(Sâdho, Brahm alakh lakhâyâ)

ନିଜେ ନିଅନ୍ତି ବୃକ୍ଷ ଆକାର, ମଞ୍ଜି, ଅଙ୍କୁର ସେ ନିଜେ,
ନିଜେ ହିଁ ପୁଷ୍ପ, ଫଳ ନିଜେ ହିଁ, ବୃକ୍ଷର ଛାୟା ସେ ନିଜେ ।

ନିଜେ ହିଁ ସୂର୍ଯ୍ୟ, ନିଜେ ଆଲୋକ, ଯାହା ସବୁ ଆଲୋକିତ,
ନିଜେ ହିଁ ବ୍ରହ୍ମ, ନିଜେ ହିଁ ଜୀବ, ନିଜେ ହିଁ ମାୟା ସମ୍ଭୁତ ।

ନିଜେ ନିଅନ୍ତି ଅନେକ ରୁପ, ଅସୀମ ସ୍ଥାନ ସମ୍ଭାର,
ନିଜେ ହିଁ ଶ୍ଵାସ, ନିଜେ ହିଁ ଶବ୍ଦ, ନିଜେ ହିଁ ଅର୍ଥ ତାହାର ।

ସେ ନିଜେ ସୀମା, ସେ ସୀମା ମୁକ୍ତ, ସୀମା ଅସୀମ ଅତୀତ,
ବିଶୁଦ୍ଧ ବ୍ରହ୍ମ ଜୀବ ଶରୀରେ, ମାନସ ନାମେ ସଂସ୍ଥିତ ।

ଆତ୍ମାରେ ସ୍ଥିତ ପରମ ଆତ୍ମା, ପରମାତ୍ମା ବିନ୍ଦୁ ସ୍ଥିତ,
କବୀର ହୁଏ ପବିତ୍ର ଦେଖି , ବିନ୍ଦୁରେ ପ୍ରତିଫଳିତ ।

କବୀର କବିତା ୮

ଏହି ଘଟରେ ବାଗ ବଗିଚା
(is ghat antar bâg bagîce)

ମାଟିର ଏହି ପିଣ୍ଡ ମଧ୍ୟରେ ବଗିଚା କୁଞ୍ଜ ସଂସ୍ଥିତ,
ସ୍ରଷ୍ଟା ବି ଉପସ୍ଥିତ,

ଏହି ପିଣ୍ଡରେ ସାତ ସମୁଦ୍ର ତାରକା ଅଗଣିତ,
ଗହଣା ଅଛି, ବଣିଆ ଅଛି, କଷଟି ଉପସ୍ଥିତ,

ପିଣ୍ଡରେ ବାଜେ ଅନନ୍ତ ବାଦ୍ୟ, ଝରଣା ଉଚ୍ଛ୍ଵସିତ,
କବୀର କହେ ଶୁଣ ମୋ ସାଥୀ, ଅନ୍ତରରେ ସେ ସ୍ଥିତ ।

କବୀର କବିତା ୯

ପ୍ରକାଶ କରି ହେବକି ସେହି ଗୋପନ ଶବ୍ଦ
(aisâ lo nahîn taisâ lo)

କେମିତି କହିବି ଗୋପନ ଶବ୍ଦ, ପ୍ରକାଶ କି କରି ହେବ?
ଏହିପରି ସେ, ସେପରି ନୁହେଁ, ଏ କଥା କି କହି ହେବ?

ଶରୀରରେ ମୋ ସ୍ଥିତ କହିଲେ, ସଂସାର ହେବ ଲଜ୍ଜିତ,
ଯଦି କହୁଛି ସେ ମୋ ବିହୁନେ, ଏହା ହେବ ମିଥ୍ୟାବାଦ ।

ଅନ୍ତଃ ଓ ବହିଃ ସଂସାରକୁ ସେହି ରଖନ୍ତି ଅବିଭକ୍ତ,
ଚେତନ ଅବଚେତନ ସବୁ ତାଙ୍କରି ଚରଣ ପୀଠ ।

ପ୍ରକାଶ୍ୟ ନୁହେଁ, ନ ଅପ୍ରକାଶ୍ୟ, ଅଦୃଶ୍ୟ ନୁହେଁ ନ ଦୃଶ୍ୟ,
ନାହିଁ କୌଣସି ଏପରି ଶବ୍ଦ, କରିବ ତାଙ୍କୁ ପ୍ରକାଶ୍ୟ ।

କବୀର କବିତା ୧୦

ତୁମ ପାଖକୁ ଟାଣିଲ ମୋର ସୁପ୍ରୀତି ଆହେ ଫକୀର
(tohi mori lagan lagdye re phakir)

ଶୋଇଥିଲି ମୁଁ ମୋ ବଖରାରେ, କଲ ମୋତେ ଉଜାଗର,
ବାଜିଲା ତୁମ ସ୍ଵରର ଡାକ, ମୋ କାନରେ ହେ ଫକୀର ।

ଗଭୀର ସିନ୍ଧୁ ଏହି ସଂସାର, ଭେଳା ବୁଡୁଥିଲା ମୋର,
ରକ୍ଷା କରିଲ ମୋ ବାହୁ ତୋଳି ତୁମ ହାତରେ ଫକୀର ।

ଏକ ହିଁ ଶବ୍ଦ ଦ୍ଵିତୀୟ ନାସ୍ତି, ସମସ୍ତ ବନ୍ଧନ ଛିନ୍ନ,
ତୁମ ହୃଦୟେ ମୋର ହୃଦୟ, ଫକୀର କଲ ସଂଲଗ୍ନ ।

କବୀର କବିତା ୧୧

ଖେଳୁଥିଲି ମୁଁ ସାଥୀଙ୍କ ସଙ୍ଗେ
(nis' din khelat rahî sakhiyân sang)

ଖେଳୁଥିଲି ମୁଁ ସାଥୀଙ୍କ ସଙ୍ଗେ କି ରାତି ଅଥବା ଦିନ,
ଡର ଲାଗେ ବର୍ତ୍ତମାନ,
ପ୍ରଭୁ ପ୍ରାସାଦ ଉଚ୍ଚ ପାବଚ୍ଛ, ଚଢ଼ିଲେ ଥରେ ହୃଦୟ,
ତଥାପି ମୁହିଁ ଡରି ଯିବିନି, ଲଭିବି ତାଙ୍କ ପ୍ରଣୟ ।

ପ୍ରଭୁ ନିମନ୍ତେ ହୃଦ ଉନ୍ମୁକ୍ତ, ମୁକ୍ତ ସବୁ ଆବରଣ,
ଭେଟିବ ସାରା ଶରୀର,
ପ୍ରେମ ପ୍ରଦୀପ ଜଳେଇ ମୋର ଚକ୍ଷୁ କରିବ ପୂଜନ ।

କହେ କବୀର ଶୁଣ ମୋ ଭାଇ, ବୁଝି ପାରନ୍ତି ସେ ପ୍ରେମ,
ଯଦି ନାହିଁ ତୋ ମନରେ ପ୍ରେମ, ତୋ ଆଭୁଷଣ ନିଷ୍ଫଳ,
ନିଷ୍ଫଳ ଚକ୍ଷୁ କଜ୍ଜ୍ଵଳ ।

କବୀର କବିତା ୧୨

ହଂସ କହ ତୋ ଗତ କାହାଣୀ
(hamsâ, kaho purâtan vât)

ହଂସ ଆସିଛୁ କେଉଁ ସ୍ଥାନରୁ, ଉଡ଼ିଯିବୁ କେଉଁ କୂଳ,
ବିଶ୍ରାମ ନେବୁ କେଉଁ ସ୍ଥାନରେ, ଖୋଜୁଅଛୁ କେଉଁ ସ୍ଥଳ ।

ଉଠ ହଂସ ତୁ ଏଇ ସକାଳେ କର ମୋ ଅନୁଧାବନ,
ଦ୍ୱିଧା, ଦୁଃଖ ଓ ମୃତ୍ୟୁ ଆତଙ୍କ ନାହିଁ, ଅଛି ଏକ ସ୍ଥାନ ।

ପ୍ରସ୍ଫୁଟିତ ବସନ୍ତ ବନ, ମଳ‌ୟ ବାସ କ‌ହେ, "ସେ 'ମୁଁ' ",
ମନ ମଧୁମକ୍ଷୀ ନିମଗ୍ନ ସେଠି, ଅନ୍ୟ କାମନା କାହୁଁ ।

କବୀର କବିତା ୧୩

ଅଗଢ଼ା ପ୍ରଭୁ
(angadhiyâ devâ)

ଅଗଢ଼ା ପ୍ରଭୁ ତୁମେ ଆମର,
କିଏ କରିବ ସେବା ତୁମର ।

ପ୍ରତି ଧର୍ମର ପ୍ରତ୍ୟେକ ସାଧୁ, ସେବା କରେ ନିଜ ମତେ,
କେହି ଖୋଜେନି ପରଂବ୍ରହ୍ମ, ସେ ଅଦୃଶ୍ୟ ଭଗବତେ ।

ଦଶାବତାରେ ଥାଏ ବିଶ୍ଵାସ, ଅବତାର ହୁଏ ଅନ୍ତ,
ନିଜ କର୍ମର ଫଳ ଭୋଗନ୍ତି, ନୁହନ୍ତି ଯେଣୁ ଅନନ୍ତ ।

ଲଢ଼ନ୍ତି ଯୋଗୀ ସାଧୁ ସନ୍ୟାସୀ, ପ୍ରଭୁ ଏହା ଠାରୁ ଭିନ୍ନ,
କବୀର କହେ ରକ୍ଷା ସେ ପାଏ, ଦିବ୍ୟ ପ୍ରେମରେ ଯେ ମଗ୍ନ ।

କବୀର କବିତା ୧୪

ନଦୀ ବା କଲ୍ଲୋଳ

ବିଭିନ୍ନ ନାମ କିନ୍ତୁ ସମାନ, ହେଉ ନଦୀ ବା କଲ୍ଲୋଳ,
ଊର୍ମି ଉଚ୍ଛ୍ଵଳ ହେଲେବି ଜଳ, ପତିତ ହେଲେ ବି ଜଳ ।

କୁହନ୍ତୁ ସାଧୁ, ଏକ ଆକାର, କେଉଁଠି ଅଛି କନ୍ଦଳ,
ନାମଟି ତାର ଊର୍ମି ହେଲେ ବି ବୁଝେନି କେ ତାକୁ ଜଳ ?

ବ୍ରହ୍ମାଭ୍ୟନ୍ତରେ ମାଳା ପ୍ରକାରେ, ରହିଥାଏ ଏ ସଂସାର,
ଜ୍ଞାନ ନୟନ ସାହାଯ୍ୟେ ଦେଖ, ହେବ ତୁମ ଭାବାନ୍ତର ।

କବୀର କବିତା ୧୫

ଯେଉଁଠି ଖେଳେ ବସନ୍ତ ରାଜା

ଯେଉଁ ସ୍ଥାନରେ ଋତୁଙ୍କ ରାଜା ବସନ୍ତ ଶାସନ କରେ,
ଅବଜା ବାଜା ଝଙ୍କୃତ ହୁଏ, ଆଲୋକ ଚାରି ଦିଗରେ ।

ଅଳ୍ପ ସଂଖ୍ୟକ ମଣିଷ ଟପନ୍ତି ଦୂର କୂଳ ଦିଗକୁ,
ଅସଂଖ୍ୟ କୃଷ୍ଣ ଦେଖା ଯାଆନ୍ତି, ରହନ୍ତି ଯୋଡ଼ି ହସ୍ତକୁ ।

ଅସଂଖ୍ୟ ବିଷ୍ଣୁ ମୁଣ୍ଡ ନୁଆନ୍ତି, ବ୍ରହ୍ମା ଗାଉଥାନ୍ତି ବେଦ,
ସମାଧି ସ୍ଥିତ ରପସ୍ୟା ରତ ଅଗଣିତ ମହାଦେବ ।

ଅସଂଖ୍ୟ ଇନ୍ଦ୍ର ଆକାଶ ମଧ୍ୟେ ରଖନ୍ତି ତାଙ୍କ ନିବାସ,
ଅସଂଖ୍ୟ ଯକ୍ଷ ଗନ୍ଧର୍ବ ସହ ମୁନୀ ଋଷିଙ୍କର ବାସ ।

ସଂଗୀତ ଦେବୀ ସରସ୍ଵତୀ ସେ ବୀଣା କରନ୍ତି ବାଦନ,
ପରମାତ୍ମାଙ୍କ ଦର୍ଶନେ ଖେଳେ, ସୁଗନ୍ଧ ପୁଷ୍ପ ଚନ୍ଦନ ।

କବୀର କବିତା ୧୬

ଚେତନ ଅଚେତନ ଖୁଣ୍ଟିରେ ମନ ବାନ୍ଧିଛି ଦୋଳି

ଚେତନ ଅଚେତନ ଖୁଣ୍ଟିରେ ମନ ବାନ୍ଧିଅଛି ଦୋଳି,
ସେଠାରେ ପୃଥ୍ଵୀ ଓ ସମସ୍ତ ଜୀବ ରହି ଅଛନ୍ତି ଝୁଲି ।

ନିୟୁତ ଜୀବ ଅଛନ୍ତି, ଗତି ପଥେ ରହେ ସୂର୍ଯ୍ୟ, ଚନ୍ଦ୍ର,
ନିୟୁତ ଯୁଗ ବିଦା ହେଲେ ବି, ଖେଳୁଛି ଦୋଳି ଅନନ୍ତ ।

ସମସ୍ତେ ଝୁଲି ରହନ୍ତି ସେଠି, ଧରିତ୍ରୀ, ଜଳ, ଆକାଶ,
ପବନ ଝୁଲେ, ହେଉଛି ସେଠି ପ୍ରଭୁ ଶରୀର ପ୍ରକାଶ ।

ସ୍ଵର୍ଗୀୟ ଦୃଶ୍ୟ ଏ ଦର୍ଶନ କରି, କବୀର ହେଲା ଦାସ ।

କବୀର କବିତା ୧୭

ସୂର୍ଯ୍ୟ ଚନ୍ଦ୍ର ଓ ତାରା ଆଲୋକ
(grah candra tapanjot barat hai)

ସୂର୍ଯ୍ୟ ଚନ୍ଦ୍ର ଓ ତାରା ଆଲୋକ, ବାଣ୍ଟି ଚାଲନ୍ତି ନିର୍ମଳ ଜ୍ୟୋତି,
ହୁଏ ବିସ୍ତାର ପ୍ରେମର ଗୀତି, ରାଗ ହରାଏ ସମୟ ଗତି ।

ସମୁହ ବାଦ୍ୟ ଦିବା ନିଶୀଥ, ଝଙ୍କୃତ କରେ ଆକାଶ ପଥ,
କହେ କବୀର, ପ୍ରଭୁ ମୋହର ସୌଦାମିନୀଠୁ ଉଜ୍ଜ୍ଵଳତର ।

ତୁମେ କି ଜାଣ, ସମୟ କରେ ପୂଜା କିପରି ନିରଳସରେ,
ଧାଡିକି ଧାଡି ତାରା ପ୍ରଦୀପ ଜାଳି ବନ୍ଦନା ପ୍ରକୃତି କରେ ।

ଅଦୃଶ୍ୟ ଘଣ୍ଟି ବାଜେ ଅନନ୍ତ, ଗୁପ୍ତ ଚାନ୍ଦୁଆ ଓ ବିଜ୍ଞାପନ,
କବୀର, ଚାଲେ ପୂଜା ଅନନ୍ତ, ସିଂହାସନେ ପ୍ରଭୁ ବିରାଜମାନ।

କବୀର କବିତା ୧୮

ମଧ୍ୟ ଆକାଶେ
(maddh âkas' âp jahân baithe)

ଆକାଶ ମଧ୍ୟେ ପରମ ଆତ୍ମା, ଯେଉଁ ସ୍ଥାନରେ କରନ୍ତି ବାସ,
ସେହି ସ୍ଥାନକୁ ଉଜ୍ଜ୍ଵଳ କରେ ଆଲୋକ ଗୀତି ପରିପ୍ରକାଶ ।

ଯେଉଁ ସ୍ଥାନରେ ସଫେଦ ବାଦ୍ୟ, ପବିତ୍ର ଭାବରେ ପ୍ରଷ୍ଫୁଟିତ,
ସେ ସ୍ଥାନେ ତାଙ୍କ ଲୋମ ତେଜରେ, ଅସଂଖ୍ୟ ସୂର୍ଯ୍ୟ ଚନ୍ଦ୍ର ସମାପ୍ତ ।

ଏକ ନଗରୀ ଅଛି ସେ କୂଳେ, ଯେଉଁଠି ମହୁ ବରଷା ହୁଏ,
ବର୍ଷି ଚାଲିଛି ଅନନ୍ତ ଯୁଗ, ସମାପ୍ତ କେବେ ଦେଖା ନ ଯାଏ,

କବୀର, ଆସ ଧରମ ଦାସ, ଦେଖ ପ୍ରଭୁଙ୍କ ଏ ଦରବାର ।

କବୀର କବିତା ୧୯

ଆନନ୍ଦ ସାଗର ଲହରୀ ଖେଳୁଛି
ସଙ୍ଗୀତ ଧ୍ୱନି ବ୍ୟାପୀ ଯାଉଛି
ଦେଖ, ବିନା ଜଳେ ପଦ୍ମ ଫୁଟିଛି
ମନ ମଧୁମକ୍ଷି ମୋର ତା ମଧୁ ପିଉଛି ।
କି ଆଶ୍ଚର୍ଯ୍ୟ ସେ କମଳ ପୁଷ୍ପ !
ସଂସାର ଚକ୍ରର ହୃଦେ ଫୁଟିଛି ।
କେବଳ କେତେକ ପବିତ୍ର ଆତ୍ମା
ଜାଣିଛନ୍ତି ତାର ସତ୍ୟ ଆନନ୍ଦ ।
ଚାରି ଦିଗ ତାର ସଙ୍ଗୀତମୟ
ଅସୀମ ସୁଖ ସାଗରର ତୁମେ ଆନନ୍ଦ ନିଅ
ଝାସ ଦିଅ ସେହି ମଧୁ ସାଗରରେ,
ଜନ୍ମ ମୃତ୍ୟୁର ଭ୍ରମ ଧୋଇଯାଉରେ ।
ପଞ୍ଚେନ୍ଦ୍ରିୟ ଶୋଷ ମେଣ୍ଟେ ସେଠାରେ
କବୀର କହେ,
ତିନି ଦୁଃଖ ହୁଏ ଅଦୃଶ୍ୟ ଧୀରେ ।


କବୀର କବିତା ୨୫

ମଧ୍ୟ ଆକାଶ
(maddh dkdd dp jahdn baithe)

ଆକାଶ ମଧ୍ୟେ ପରମ ଆତ୍ମା, ଯେଉଁ ସ୍ଥାନରେ କରନ୍ତି ବାସ,
ସେହି ସ୍ଥାନକୁ ଉଜ୍ଜ୍ଵଳ କରେ ଆଲୋକ ଗୀତି ପରିପ୍ରକାଶ ।

ଯେଉଁ ସ୍ଥାନରେ ସଫେଦ ବାଦ୍ୟ, ପବିତ୍ର ଭାବରେ ପ୍ରଷ୍ଫୁଟିତ,
ସେ ସ୍ଥାନେ ତାଙ୍କ ଲୋମ ତେଜରେ, ଅସଂଖ୍ୟ ସୂର୍ଯ୍ୟ ଚନ୍ଦ୍ର ସମାପ୍ତ ।

ଏକ ନଗରୀ ଅଛି ସେ କୂଳେ, ଯେଉଁଠି ମହୁ ବରଷା ହୁଏ,
ବର୍ଷି ଚାଲିଛି ଅନନ୍ତ ଯୁଗ, ସମାପ୍ତ କେବେ ଦେଖା ନ ଯାଏ ।

କବୀର, ଆସ ଧରମ ଦାସ, ଦେଖ ପ୍ରଭୁଙ୍କ ଏ ଦରବାର ।

କବୀର କବିତା ୨୬

ପରମାତ୍ମା ଗୁରୁ ବିରାଜମାନ
(paramdtam guru nikat virdjain)

ଉଠ ହେ ଉଠ, ହେ ମୋର ପ୍ରାଣ, ପରମ ଗୁରୁ ବିରାଜମାନ,
ପ୍ରଭୁ ପାଦକୁ କର ଗମନ, ମସ୍ତକ ପାଶେ ଦଣ୍ଡାୟମାନ,
ପ୍ରଭାତ ହେଲ କିମ୍ପା ଜାଗୁନ? ଯୁଗ ଯୁଗ ଧରି ଏ କି ଶୟନ ?

କବୀର କବିତା ୨୭

ଲଙ୍ଘିବୁ ମନ ସେ କେଉଁ କୂଳ
(man tu par utar kdnhjaiho)

ଲଙ୍ଘିବୁ ମନ ସେ କେଉଁ କୂଳ?
ପଥ ପଥିକ ନାହିଁ ସେ ସ୍ଥଳ ।

ଦେଖା ଯାଉନି ଚଳ ପ୍ରଚଳ,
ନାହିଁ କୈ।ଣସି ବିଶ୍ରାମ ସ୍ଥଳ ।

ସଲିଳ ନାହିଁ, ନାହିଁ ବି ନାବ,
ନାହିଁ କେହି, ଯେ ରଜ୍ଜୁ ଟାଣିବ ।

ନାହିଁ ଆକାଶ, ମାଟି ବା କୂଳ,
ନାହିଁ ବେଳା, ଅଗଭୀର ଜଳ ।

ଶରୀର ନାହିଁ, ନାହିଁ ମାନସ,
କାହୁଁ ମେଣ୍ଟିବ ଆତ୍ମାର ଶୋଷ ।

ସେଠି ପାଇବୁ ପୂର୍ଣ୍ଣ ଶୂନ୍ୟତା,
ନ ଯା ସେଠାକୁ ତୁମେ ଅଯଥା ।

ସାହସୀ ହୋଇ ନିଜ ଶରୀରେ,
ପ୍ରବେଶ କର ବିନା ବିଚାରେ ।

ଅନ୍ୟତ୍ର ନ ଯା ହେ ମୋର ହୃଦ,
ଏଠାରେ ତୁମ ସଶକ୍ତ ପାଦ ।

କବୀର, କର ଭାବନା ଦୂର,
ନ ଯାଇ ରହ ସ୍ଵସ୍ଥାନେ ସ୍ଥିର ।

କବୀର କବିତା ୨୮

ପ୍ରତି ଗୃହରେ ଜଳୁଛି ବତୀ
(ghar ghar dîpak barai)

ପ୍ରତି ଗୃହରେ ଜଳୁଛି ବତୀ,
ଯେଣୁ ଅନ୍ଧ, ନ ଦେଖୁ ସଂପ୍ରତି ।

ଯେଉଁ ଦିନ ତୋ ଚକ୍ଷୁ ଖୋଲିବ,
ମୃତ୍ୟୁ ଶୃଙ୍ଖଳ ଉନ୍ମୁକ୍ତ ହେବ ।

କହା ଶୁଣାକୁ କିଛି ନାହିଁଁ ତ,
କରିବାକୁ କାମ କିଛି ନାହିଁଁ ତ ।

ସେହି କେବଳ ଜୀବନ୍ ମୃତ,
କେବେନି ସେହି ହେବେନି ମୃତ ।

ରହନ୍ତି ଯେଣୁ ସେ ନିରୋଳାରେ,
ଯୋଗୀ କହନ୍ତି, ଘର ସୁଦୂରେ ।

ତୁମର ପ୍ରଭୁ ତୁମ ପାଖରେ,
ପାଇବାକୁ ଚଢ଼ୁ ତାଳ ବୃକ୍ଷରେ ।

ବ୍ରାହ୍ମଣ ଘର ଘରକୁ ଯାଇ,
ବିଶ୍ଵାସ ଲୋକ ମନେ ଜଗାଇ ।

ତୋ ପାଖେ ସତ୍ୟ ପ୍ରାଣ-ଝରଣା,
ପଥର ପୂଜାରେ ହେଉ ତୁ ବଣା ।

ଯୋଗ ଓ ମାଳି, ପାପ ଓ ପୂଣ୍ୟ,
ତାଙ୍କ ପାଖରେ ଏ ସବୁ ଶୁନ୍ୟ ।

କବୀର କହେ, କେତେ ସୁମିଷ୍ଟ,
ପ୍ରଭୁ ମୋହର କହିବା କଷ୍ଟ ।

କବୀର କବିତା ୨୯

ମୋ ପ୍ରାଣ ଖୋଜେ ପ୍ରକୃତ ଗୁରୁ
( sddho, so satgur mohi bhdwa)

ମୋ ପ୍ରାଣ ଖୋଜେ ଗୁରୁ ପ୍ରକୃତ,
ଯେ ଭରେ ପ୍ରେମ ପିଆଲା ସତ ।

ପିଆଲାରୁ ସେ ନିଜେ ପିଅନ୍ତି,
ସ୍ନେହ ଦେଇ ସେ ମୋତେ ଯାଚନ୍ତି ।

ଚକ୍ଷୁରୁ ପର୍ଦା ହଟେଇ ଦେଇ,
ଦିଅନ୍ତି ବ୍ରହ୍ମ ଦୃଷ୍ଟି ଦେଖେଇ ।

ସାରା ସଂସାର ନିଜ ଭିତରେ,
ପ୍ରକାଶ କରି ଦେଖାନ୍ତି ମୋତେ ।

ଚାରି ଦିଗ ହୁଏ ସଙ୍ଗୀତମୟୀ,
କୌଣସି ବାଦ୍ୟ ବାଜୁ ନଥାଇ ।

ସୁଖ ଓ ଦୁଃଖ ପ୍ରକୃତ ଏକ,
ତାଙ୍କ କଥା ହିଁଁ ପ୍ରେମ ପ୍ରତୀକ ।

କବୀର କହେ ଏପରି ଗୁରୁ,
ନାହିଁ ତାଙ୍କର ଡର ଯମାରୁ ।

ବାଟ କଢ଼େଇ କରନ୍ତି ରକ୍ଷା,
ଯେଉଁ ସ୍ଥାନରେ ଅଛି ସୁରକ୍ଷା ।

କବୀର କବିତା ୩୦

ସଞ୍ଜ ତିମିର ହୁଏ ଗଭୀର
( tinwir sdnjh kd gahird dwai)

ସଞ୍ଜ ତିମିର ହୁଏ ଗଭୀର, ମାଡ଼ି ଆସୁଛି ପ୍ରେମ ଅନ୍ଧାର ।
କରେ କବଳ ମନ, ଶରୀର; ଖୋଲ ପ୍ରତୀଚୀ ଗବାକ୍ଷ ଧୀର ।
ହୃଦ ପଦ୍ମରୁ ପାଖୁଡା ଆଣି, ପିଅ ମଧୁର ମଧୁ ଉଲ୍ଲାସେ ।
ହଜିଯାଅ ତୁ ପ୍ରେମ ଆକାଶେ, ଖୁସିର ଢେଉ ଦେହରେ ଭାସେ ।
ଶୁଣ ଶଙ୍ଖ ଓ ଘଣ୍ଟି ବାଜୁଛି, ଏହା ଠାରୁ କି ମହତ୍ତ୍ୱ ଅଛି।
କବୀର କହେ ଶୁଣ ହେ ମିତ, ଦେଖ ଠାକୁର ମୋ ଘଟେ ସ୍ଥିତ ।

କବୀର କବିତା ୩୧

ପ୍ରେମ ନିମନ୍ତେ ଅନନ୍ତ କାଳ (jis se rahani apdr jagat me)

ପ୍ରେମ ନିମନ୍ତେ ଅନନ୍ତ କାଳ,
ବଞ୍ଚିବାକୁ ମୁଁ ହୁଏ ବିକଳ ।

ଅନ୍ୟ ସମସ୍ତ କରି ମୁଁ ଦୂର,
ପୋଷିଛି ଏ ଆଶା ହୃଦ ଭିତର ।

ପଦ୍ମ ଯେପରି ରହି ଜଳରେ,
ପୁଷ୍ପିତ ହୁଏ ଅପରୁପରେ ।

ତଥାପି ଜଳ ପଦ୍ମକୁ ସ୍ପର୍ଶ,
କରି ନ ପାରି ହୁଏ ବିମର୍ଷ ।

ପତ୍ନି ଯେପରି ଅଗ୍ନିରେ ଝାସ,
ଦିଏ କେବଳ ପ୍ରେମ ସକାଶ ।

ଜଳି ଯାଏ ସେ ପ୍ରେମ ନିମନ୍ତେ,
ଦୁଃଖ କଲେ ବି ଅନ୍ୟ ସମସ୍ତେ ।

ପାର କରିବା ଭବ ସାଗର,
ଗଭୀର ଜଳ ଅତି ଦୁଷ୍କର ।

କବୀର କହେ ଶୁଣ ହେ ସନ୍ଥ,
ଅଳ୍ପ ଲଙ୍ଘନ୍ତି ଅନନ୍ତ ପଥ ।

କବୀର କବିତା ୩୨

ନିଜକୁ ନିଜେ ହରି ଲୁଚାନ୍ତି
(Hari ne apnâ âp chipâyâ)

ନିଜକୁ ନିଜେ ହରି ଲୁଚାନ୍ତି,
ଆଶ୍ଚର୍ଯ୍ୟ ଭାବେ ବି ଦେଖା ଦିଅନ୍ତି ।

ତାଙ୍କ ଦୟାରୁ ମୁଁ ସୀମା ବିହୀନ,
ମୋ ଆବରଣ ଅତି କଠିନ ।

ପ୍ରଭୁ ଆଣନ୍ତି ଦୁଃଖ ଆନନ୍ଦ,
ସେହି ମିଟାନ୍ତି ତାଙ୍କ ବିବାଦ ।

ସମର୍ପି ଦେବି ତନ ଓ ମନ,
କରି ଦେବି ମୁଁ ଜୀବନ ଦାନ ।

ଜୀବ ପାରିବି ଉତ୍ସର୍ଗ କରି,
ଭୁଲିବି ନାହିଁଁ କେବେ ଶ୍ରୀହରି ।

କବୀର କବିତା ୩୩

ଓଁ ଦ୍ଵାରା ହିଁଁ ସମସ୍ତେ ସୃଷ୍ଟ
(onkdr siwde koi sirjai)

ଓଁ ଦ୍ଵାରା ହିଁଁ ସମସ୍ତେ ସୃଷ୍ଟ,
ପ୍ରେମ ଆକାର ତାଙ୍କ ବୈଶିଷ୍ଟ୍ୟ ।

ନିରାକାର ସେ ନୁହେଁ ଗଳିତ,
ନିର୍ଗୁଣ ସାଥେ ଖୋଜୁ ସଙ୍ଗତ ।

ଭକ୍ତ ଚକ୍ଷୁରେ ସହସ୍ରାକାର,
ଅବିନାଶୀ ଓ ଅତି ପବିତ୍ର ।

ଅସୀମାକାର, ଚିନ୍ତା ବାହାର,
ନୃତ୍ୟ କରନ୍ତି ଅତି ଖୁସିର ।

ନୃତ୍ୟରୁ ଆସେ ବହୁ ଆକାର,
ଊର୍ମି ସମାନ ସେ ଚମତ୍କାର ।

ତାଙ୍କ ଖୁସିରେ ହେଲେ ବିଭୋର,
ମନ ଶରୀର ନୁହେଁ ନିଜର ।

ଏକତ୍ର ସୁଖ ଦୁଃଖ ବିଲୀନ,
ତାହା ସାଥୀରେ ମନ ଚେତନ ।

ପ୍ରାରମ୍ଭ ନାହିଁଁ, ନାହିଁଁ ବି ଶେଷ,
ସଭୁଙ୍କୁ ଧରି ରଖେ ଆଶିଷ ।

କବୀର କବିତା ୩୪

ଗୁରୁ ଦୟାରୁ ହେଲି ମୁଁ ଜ୍ଞାତ
(satgur sol day a kar dlnhd)

ଗୁରୁ ଦୟାରୁ ହେଲି ମୁଁ ଜ୍ଞାତ,
ଅଜ୍ଞାତ ଥିଲେ ଯେ ମୋ ନିମିତ୍ତ ।

ଶିଖିଥିଲି ମୁଁ ତାଙ୍କ ପାଖରେ,
ଚାଲି ପାରିବ ବିନା ପାଦରେ ।

ଦେଖି ପାରିବ ବିନା ଚକ୍ଷୁରେ,
ଶୁଣି ପାରିବ ବିନା କର୍ଣ୍ଣରେ ।

ପାନ କରିବ ପାଟି ବିହୁନେ,
ଉଡ଼ି ପାରିବ ଡେଣା ବିହୁନେ ।

ଆଣି ସାରିଛି ପ୍ରୀତି ଓ ଧ୍ୟାନ,
ରଖିଛି ତାଙ୍କୁ ଏପରି ସ୍ଥାନ ।

ନାହିଁଁ ଯେଉଁଠି ସୂର୍ଯ୍ୟ ଓ ଚନ୍ଦ୍ର,
ନାହିଁଁ ସେଠାରେ ଦିବସ ରାତ୍ର ।

ଅମୃତ ମିଠା ନ ପିଇ ପାଏ,
ବିନା ଜଳରେ ତୃଷ୍ଣା ମେଣ୍ଟାଏ ।

ଆନନ୍ଦେ ମିଳେ ପରମାନନ୍ଦ,
ବିନା ବୋଧରେ କି ପ୍ରକାଶ ସାଧ୍ୟ ।

କବୀର କହେ ଗୁରୁ ମହିମା,
ଏପରି ବଡ଼ ନାହିଁଁ ଉପମା ।

ଯେ କେହି ହୁଏ ଶିଷ୍ୟ ତାଙ୍କର,
ନାହିଁ ସୌଭାଗ୍ୟ, ତାଠୁ କାହାର ।

କବୀର କବିତା ୩୫

ସଗୁଣ ନାଚୁଛି
(nirgun âge sargun nâcai)

ସଗୁଣ ନାଚୁଛି ନିର୍ଗୁଣାଗରେ,
ତୁମେ ଓ ମୁଁ ଏକ ଆକାରେ,
ଏହି ତୁରୀଟି ଘୋଷଣା କରେ,
ଗୁରୁ ନୁଅନ୍ତି ଶିଷ୍ୟ ଆଗରେ,
ଆଶ୍ଚର୍ଯ୍ୟ ଏହାଠାରୁ କାହିଁଁରେ ।

କବୀର କବିତା ୩୬

କବୀର କେବେଠୁ ହେଲ ବୈରାଗୀ
(Kabîr kab se bhaye vairâgî)

କବୀର ପ୍ରତି ଗୋରଖନାଥଙ୍କ ପ୍ରଶ୍ନ : -
କହ କବୀର,
କେବେଠୁ ଆରମ୍ଭ କଲ ଏ କର୍ମ?
କେଉଁ ସ୍ଥାନରୁ ଆରମ୍ଭ ପ୍ରେମ?

କବୀରଙ୍କର ଉତ୍ତର : -
ବହୁ ଆକାର ଅଟେ ଯାହାର,
ଆରମ୍ଭ କରି ନ ଥିଲେ ସେହି କିଛି ଖେଳର ,
ପରମ ପୁରୁଷ ଏକାକୀ ଥିଲେ,
ନ ଥିଲେ ଗୁରୁ ଶିଷ୍ୟ ସେ କାଳେ,
ଭବ ବିସ୍ତାର ନ ଥିଲା ସେ ବେଳେ ।
ହେ ଗୋରଖ,
ସେହି ସମୟେ ମୋ ସାଧୁତ୍ୱ ହେଲା,
ଯେତେବେଳେ କି,
ବ୍ରହ୍ମଙ୍କ ପ୍ରତି ଆକର୍ଷଣ ହେଲା,
ସେତେବେଳେ,
ମୁକୁଟ ନ ଥିଲା ବ୍ରହ୍ମା ମଥାରେ,
ବିଷ୍ଣୁ ନ ଥିଲେ ରାଜା ସେ ବେଳେ,
ଶିବ ଶକ୍ତି ଜନ୍ମ ହୋଇ ନ ଥିଲା,
ସେହି ସମୟେ ଯୋଗ ପ୍ରତି ମୋ ଆସକ୍ତି ହେଲା।
ସହସା ବାରାଣସୀ ସ୍ଥାନରେ ମୁଁ ପ୍ରକଟ ହେଲି,
ମୋ ସାଥେ ପ୍ରଭୁ ତୃଷ୍ଣା ଆଣିଲି,
ଦେଲେ ରାମାନନ୍ଦ ଜ୍ଞନ ଆଲୋକ,
ଆଣିଥିଲି ମୁଁ ଅସୀମ ପ୍ରତି ପ୍ରଗାଢ ପ୍ରେମ,
ତାଙ୍କ ସହିତ ମୋ ସାକ୍ଷାତ ପାଇଁ,
ଆଗମନ ମୋ, ଅତି ସରଳରେ କହୁଛି ମୁହିଁଁ
ତାଙ୍କ ସାଥିରେ ମୋ ମିଳନ ହେବ,
ପ୍ରଭୁ ପ୍ରେମ ମୋ ପୁଷ୍ପିତ ହେବ,
ଆହେ ଗୋରଖ, ତାଙ୍କ ସଙ୍ଗୀତ,
ଶୁଭୁଛି ଶୁଣ ଓ ଆଗେଇ ଚାଲ ।

କବୀର କବିତା ୩୭

ବସିଛି ପକ୍ଷୀ ଏହି ବୃକ୍ଷରେ
(yd tarvar men ek pakheru)

ବସିଛି ପକ୍ଷୀ ଏହି ବୃକ୍ଷରେ,
ନାଚୁଅଛି ସେ ମନ ଖୁସିରେ ।

କେହି ନ ଜାଣେ ଅଛି କେ ସ୍ଥାନେ,
କିଏ ଜାଣେ ତା ସଙ୍ଗୀତ ମାନେ ।

ଶାଖାର ଛାଇ ବହଳ ସ୍ଥାନ,
ପାତିଛି ତାର ନୀଡ଼ଡ଼ ସଂସ୍ଥାନ ।

ସଂଧ୍ୟାରେ ଆସି ସକାଳେ ଯାଏ,
ଉଡ଼ିଯାଏ ଓ କଥା ନ କହେ ।

ମମ ଶରୀର ମଧ୍ୟେ ସେ ଥାଇ,
ରହେ ମଧୁର ଗୀତ ସେ ଗାଇ ।

ନାହିଁଁ ଆକାର, ନା ପଛ ଆଗ,
ନାହିଁଁ ତା ରଙ୍ଗ ନୁହେଁ ବେରଙ୍ଗ ।

ଅପ୍ରାପ୍ୟ, ଅସୀମ, ଚିରନ୍ତନର,
ଅଜଣା ବାସ, ଯିବା ଆସିବାର ।

କହେ କବୀର ଶୁଣ ଭାଇ ସାଧୁ ,
ଖୋଜିବା, ସାଧୁଙ୍କୁ ଛାଡ଼ି ଦିଅନ୍ତୁ ।

କବୀର କବିତା ୩୮

ଗୋଟିଏ କ୍ଷତ କଷ୍ଟ ଦେଉଛି
(nis` din sâlai ghâw)

ଗୋଟିଏ କ୍ଷତ କଷ୍ଟ ଦେଉଛି ଅନବରତ, ରାତିରେ ପାରୁନି ଶୋଇ,
ସ୍ଵାମୀ ସଙ୍ଗରେ ସାକ୍ଷାତ ଇଚ୍ଛା, ଲାଗୁନି ସୁଖ, ପିତାଙ୍କ ଗୃହରେ ରହି ।

ଆକାଶ ପଥ ଅଛି ଉନ୍ନୁକ୍ତ, ଦିଶେ ମନ୍ଦିର, ସ୍ଵାମୀଙ୍କ ସାକ୍ଷାତକାର,
ତାଙ୍କ ପାଦରେ ବାଢିବି ଅର୍ଘ୍ୟ, ଅର୍ପଣ କରି ଶରୀର ମାନସ ମୋର ।

କବୀର କବିତା ୩୯

ନାଚ ରେ ମନ ନାଚ
(ndco re mero man, matta hoy)

ନାଚ ରେ ମନ ନାଚ, ତୁ ମତୁଆଲା ହୋଇ ନାଚ ।
ପ୍ରେମ ଭାବରେ ଦିବସ ରାତ୍ରୀ, ସଙ୍ଗୀତମୟ ତୁ ନାଚ,
ସାରା ସଂସାର ଶୁଣେ ଝଙ୍କାର, ତାହା ସାଥୀରେ ତୁ ନାଚ ।

ସୁଖରେ ବାୟା ଜୀବନ ମୃତ୍ୟୁ, ତାଳରେ କରନ୍ତି ନାଚ,
ପର୍ବତ ନାଚେ, ସମୁଦ୍ର ନାଚେ, ଧରିତ୍ରୀ ସହ ତୁ ନାଚ ।

ପୁରୁଷ ନାରୀ ଏହି ସଂସାରେ ନାଚନ୍ତି ସୁଖ ଦୁଃଖରେ,
ସାଧୁ ପୋଷାକ ପିନ୍ଧି କାହିଁଁକି ଏକାନ୍ତେ ରହୁ ଗର୍ବରେ ।

ଦେଖ ମୋ ହୃଦ ନାଚେ କିପରି ସହସ୍ର କଳାରେ ସ୍ଫୀତ,
ଦେଖି ଏହାକୁ ଆମର ପ୍ରଭୁ ଆନନ୍ଦରେ ଗଦଗଦ ।

କବୀର କବିତା ୪୦

ମନ ଅଛି ମୋର ମସ୍ତ
(man mast hud tab kyon bole)

ମନ ଅଛି ମୋର ମସ୍ତ ଏବେ କାହିଁଁକି କଥା ମୁଁ ହେବି,
ହୀରା ପାଇଲି ଗଣ୍ଠିଲି କଲି, କାହିଁଁ ପୁନଶ୍ଚ ଖୋଲିବି ।
ଲଘୁ ତରାଜୁ ହୋଇଲା ଗୁରୁ, ତେବେ କାହିଁଁକି ମାପିବି,

ଖୁସି ମଦିରା ପିଇଲି ମୁହିଁଁ, ମୁଖରେ ଆନନ୍ଦ ଖେଳେ,
ମାନ ସରୋବରେ ଯେ ହଂସ ଖେଳେ, ଅଳ୍ପ ଜଳରେ କି ଖେଳେ ?
ତୋର ମାଲିକ ଘଟରେ ସ୍ଥିତ, ବହିଃ ଚକ୍ଷୁ କାହିଁଁ ଖୋଲ,
କବୀର କହେ ଶୁଣନ୍ତୁ ସାଧୁ, ଯେମିତି ମଞ୍ଜିରେ ତେଲ ।

କବୀର କବିତା ୪୧

ତୁମର ମୋର ପ୍ରେମ କଟିବ, କିପରି ସମ୍ଭବ ଏହା
(mohi tohi Idgl kaise chute)

ପଦ୍ମ ପୁଷ୍ପର ପତ୍ର ଯେପରି ଜଳ ଉପରେ ସଂସ୍ଥିତ,
ମୁଁ ତୁମ ଭୃତ୍ୟ, ତୁମେ ମୋ ପ୍ରଭୁ, ତୁମ ସାଥିରେ ବିନ୍ୟସ୍ତ ।

ଚକୋର ପକ୍ଷୀ ସମ୍ପୁର୍ଣ୍ଣ ରାତି,ଚାହିଁଁ ଥାଏ ଚନ୍ଦ୍ର ଦିଗେ,
ମୁଁ ତୁମ ଭୃତ୍ୟ, ତୁମେ ମୋ ପ୍ରଭୁ, ଚାହିଁ ଅଛି ତୁମ ଦେଗେ ।

ତୁମ ଆମର ପ୍ରେମ ଅମର, ରହିଛି ଅନନ୍ତ କାଳ,
କୁହ କିପରି ଲିଭିବ ଏହି ଆମର ପ୍ରେମ ଅନଳ ।

କବୀର କହେ ନଦୀ ଯେପରି ପ୍ରବେଶ କରେ ସାଗର,
ସେହିପରି ମୋ ହୃଦେ ପ୍ରବେଶ କରେ ହୃଦୟ ତୁମର ।

କବୀର କବିତା ୪୨

ଆସ ସଂସାରକୁ ମୋର
(vâlam, âwo hamâre geh re)

ତୁମ ବିରହେ ମନ ଶରୀର ପ୍ରେମରେ ମୋର ଆତୁର,
ହେ ମୋର ପ୍ରିୟ ଦୟା କର ତୁ, ଆସ ସଂସାରକୁ ମୋର ।

ଲୋକେ କହନ୍ତି ମୁଁ ତୁମ କନ୍ୟା, ଶୁଣି ମୁଁ ହୁଏ ଲଜ୍ଜିତ,
ଯେଣୁ ମୋ ହୃଦ ସ୍ପର୍ଶ କରିନି ତୁମ ହୃଦ ଏ ଯାବତ ।

କି ପ୍ରକାର ଏ ପ୍ରେମ ହୃଦୟ ସଦା ସର୍ବଦା ଅସ୍ଥିର,
ଲଗୁନି ନିଦ, ରୁଚୁନି ଖାଦ୍ୟ ଗୃହ ଅଥବା ଆହାର ।

ତୃଷାର୍ତ୍ତ ପାଇଁ ଜଳ ଯେପରି, କନ୍ୟାକୁ ସେପରି ବର,
ଖବର କିଏ ନେବ, କବୀର ତାଙ୍କ ଦର୍ଶନେ ଅଧୀର ।

କବୀର କବିତା ୪୩

ହେ ମୋର ବନ୍ଧୁ ଉଠ ନିଦରୁ
(jâg piyârî, ab kân sowai)

ହେ ମୋର ବନ୍ଧୁ ଉଠ ନିଦରୁ, ବେଶି ଆଉ ଶୁଅ ନାହିଁଁ,
ରାତି ବିତିଲା, ହଜେଇ ଦେଲ, ଦିବସ ହରାଅ ନାହିଁଁ ।

ଯିଏ ଜାଗ୍ରତ ଥିଲେ ସେ ନେଲେ, ଦାମୀ ଅଳଙ୍କାରମାନ,
ନିର୍ବୋଧ ନାରୀ ହରେଇ ଦେଲୁ, ନିଦ୍ରାରେ ହୋଇ ମଗନ ।

ତୁମ ପ୍ରେମିକ କଲେ ଚାଲାକି, ତୁମେ ନାରୀ ଅବିବେକୀ,
ସଜେଇଲନି ବିଛଣା ତୁମ, ସ୍ଵାମୀ ତୁମ ଆସିବେକି ?

ବାଇଆ ହୋଇ କାଟିଲ ବେଳ, ଏଣୁ ତେଣୁ ଖେଳି ଖେଳ,
ଯୌବନ ତୁମ ବ୍ୟର୍ଥରେ ଗଲା, ସ୍ଵାମୀ ଚିହ୍ନି ନ ପାରିଲ ।

ହୁଅ ଜାଗ୍ରତ, ଦେଖ ବିଛଣା ରହିଛି କିପରି ଖାଲି,
ଜାଣିନ ତୁମେ, ରାତିରେ କେବେ ସ୍ଵାମୀ ଯାଇଛନ୍ତି ଚାଲି ।

କବୀର କହେ, ସେହି କେବଳ ଉଠିବାକୁ କ୍ଷମ ହୁଏ,
ଯାହା ହୃଦୟ ତାଙ୍କ ସଂଗୀତ ତୀରରେ ଜଖମ ହୁଏ ।

କବୀର କବିତା ୪୪

ସୂର୍ଯ୍ୟ ପ୍ରକାଶ ହେଲେ ତିମିର
(sur parkdd, tdnh rain kahdn paiye)

ସୂର୍ଯ୍ୟ ପ୍ରକାଶ ହେଲେ ତିମିର କେମିତି ରହି ପାରିବ ?
ଯଦି ଏ ରାତି, ତେବେ ତ ସୂର୍ଯ୍ୟ ଆଲୋକ ଫେରାଇ ନେବ ।

ଜ୍ଞାନ ଦେଖିଲେ ଅଜ୍ଞାନ କେବେ ସହି ତ ପାରିବ ନାହିଁଁ,
ଅଜ୍ଞାନ ଯଦି ଅଛି କେଉଁଠି, ଜ୍ଞାନ ସେଠି ମୃତ ରହି ।

କାମନା ଥିଲେ ଭକ୍ତି କେବେ ବି ରହି ତ ପାରିବ ନାହିଁଁ,
ଭକ୍ତି ରହିଛି ଯେଉଁ ସ୍ଥାନରେ କାମନା ରହିବ ନାହିଁ ।

ଖଣ୍ଡା ଧରି ତୁ ଯୁଦ୍ଧକୁ ଯାଅ, ସୈନ୍ୟ ହୋଇ ଯୋଗ ଦିଅ,
ପ୍ରାଣ ରହିଛି ଯେଉଁ ପର୍ଯ୍ୟନ୍ତ, ଯୁଦ୍ଧ ତୁମେ କରୁଥାଅ ।

ଶତୃର ମୁଣ୍ଡ କାଟିବ ଶୀଘ୍ର, ଅନ୍ତା କରିବ ତାହାର,
ସେଠାରୁ ଫେରି ମଥା ଲୋଟିବୁ ଯାଇ ରାଜା ଦରବାର ।

କହନ୍ତି ବୀର ଯେ ପଛଘୁଞ୍ଚା ଦିଏନି ଯୁଦ୍ଧ କ୍ଷେତ୍ରରୁ,
ପଳାୟନ ଯେ କରେ ତାହାକୁ କହନ୍ତି ସମସ୍ତେ ଭୀରୁ ।

ସେହିଭଲି ଏ ଶରୀର ମଧ୍ୟେ ଲାଗିଛି ଅନନ୍ତ ଯୁଦ୍ଧ,
ବିପକ୍ଷେ ରହେ ବିଷୟ ତୃଷ୍ଣା, କାମନା, ଗର୍ବ ଓ କ୍ରୋଧ ।

ସତ୍ ପବିତ୍ର ସୁଖୀ ରାଜ୍ୟ ହିଁ ସର୍ବଦା ଯୁଦ୍ଧର ଧାମ,
କରିବ ଯୁଦ୍ଧ ଯେଉଁ ଖଡ୍ଗରେ କହନ୍ତି ତାହାକୁ 'ନାମ' ।

କବୀର କହେ ସାହସୀ ଯେବେ ହୁଏ ଯୁଦ୍ଧ ସେନାପତି,
ସେଠାରେ ଯେତେ ଭୀରୁ ଥାଆନ୍ତି, ଯୁଦ୍ଧରୁ ଫେରି ଯାଆନ୍ତି ।

ସତ୍ୟ ସନ୍ଧାନ ପ୍ରତିଜ୍ଞା ରକ୍ଷା, ଅତୀବ କ୍ଳାନ୍ତି ଦାୟକ,
ସ୍ଵାମୀ ଚିତାରେ ବିଧବା ପତ୍ନୀ କଷଣଠାରୁ ଅଧିକ ।

କେତେକ ଘଣ୍ଟା ଯୋଦ୍ଧାର କଷ୍ଟ, ବିଧବାର କିଛି କ୍ଷଣ,
ସତ୍ୟ ସନ୍ଧାନୀ ମୃତ୍ୟୁ ପର୍ଯ୍ୟନ୍ତ ଭୋଗୁଥାଏ ସେ କଷଣ ।

କବୀର କବିତା ୪୫

ମହଲ କବାଟେ ଲାଗିଛି ତାଲା
(bhram kâ tâlâ lagâ mahal re)

ମହଲ କବାଟେ ଲାଗିଛି ତାଲା
ଅସାଧାରଣ ସେ ଭ୍ରାନ୍ତିର ତାଲା ।

ଖୋଲ ସେ ତାଲା ପ୍ରେମ ଚାବିରେ,
ଉଠିବେ ପ୍ରଭୁ ସେହି ଚେଷ୍ଟାରେ ।

ଏ ଉପଦେଶ ତୁ ଘେନା କର,
ନ ଛାଡ଼ ସୌଭାଗ୍ୟ କହେ କବୀର ।

କବୀର କବିତା ୪୬

ମହା ପ୍ରଭୁଙ୍କ ବାଦ୍ୟ ଯନ୍ତର
(sddho, yah tan fhdth tanvure kd)

ହେ ସାଧୁ ଶୁଣ ଏହି ଶରୀର, ମହାପ୍ରଭୁଙ୍କ ବାଦ୍ୟ ଯନ୍ତର
ଟାଣ କରିଲେ ତାହାର ତାର, ବ୍ରହ୍ମ ଝଙ୍କାର ହୁଏ ବାହାର
ଯଦିଚ କଟେ ତାହାର ତାର, ଢିଲା ଯଦିଚ ଚାବି ତାହାର
ମାଟିରେ ଗଢା ଏ ବାଦ୍ୟ ଯନ୍ତ୍ର, ମାଟିରେ ମିଶିବା ହୁଅଇ ସାର
କବୀର କହେ ନ ଥିଲେ ସେହି, ଝଙ୍କାର ତୋଳି ନ ପାରେ କେହି ।

କବୀର କବିତା ୪୭

ବାର ବୁଲାକୁ ଯେ ଦିଏ ଘର (avadhu bhitte ko ghar Idw)

ବାର ବୁଲାକୁ ଯେ ଦିଏ ଘର, ସେ ଭଳି ଲୋକ ପ୍ରିୟ ମୋହର ।
ଗୃହ ହିଁଁ ଅଟେ ମିଳନ ସ୍ଥଳ, ଗୃହ ଜୀବନେ ଖୁସି ପ୍ରବଳ ।
ଗୃହ ତ୍ୟାଗ ମୁଁ କରି ଜଙ୍ଗଲ, କାହିଁଁକି ଯିବି ମୋ ଘର ଭଲ ।
ସତ୍ୟ ଓ ବ୍ରହ୍ମ ସାହାଯ୍ୟ ଭରେ, ବନ୍ଦୀ ଓ ମୁକ୍ତି ମିଳିବ ଘରେ ।
ବ୍ରହ୍ମ ସନ୍ଧାନେ ଯେ ଲମ୍ଫ ଦିଏ, ଅତୀବ ପ୍ରିୟ ସେ ମୋର ହୁଏ ।
ତାଙ୍କ ଧ୍ୟାନରେ ତନୁ ଓ ମନ, ଅତି ସହଜେ ହୁଏ ଉଚ୍ଛନ୍ନ ।
ବ୍ରହ୍ମ ଜ୍ଞାନଟି ଅଛି ଯାହାର, ସତ୍ୟ ପ୍ରତିଷ୍ଠା ହୁଏ ତାହାର ।
ମିଶେଇ ପାରେ ପ୍ରେମ ଓ ତ୍ୟାଗ, ତୋଳି ପାରେ ସେ ସ୍ଵର୍ଗୀୟ ରାଗ ।
ଗୃହ ହେଉଛି ଆବାସ ସ୍ଥଳ, ମିଳେ ସେଠାରେ ସତ୍ୟ ସକଳ ।
ଗୃହ କରିବ ସାହାଯ୍ୟ ତୋତେ, ସତ୍ ଅସତ ଜାଣିବୁ ଯେତେ ।
କବୀର କହେ ରହ ଗୃହରେ, ମିଳିବ ସବୁ ସମୟ କ୍ରମେ ।

କବୀର କବିତା ୪୮

ସହଜ ସମ୍ପର୍କ ସବୁଠୁ ଶ୍ରେଷ୍ଠ
(santo, sahaj samâdh bhalî)

ଯେ ଦିନୁ ଭେଟ ହେଲେ ଅନନ୍ତ, ନାହିଁଁ ଆମର ଲୀଳାର ଅନ୍ତ ।
ଚକ୍ଷୁ ଓ କର୍ଣ୍ଣ ଦୁହେଁ ମୁଦ୍ରିତ, ଦେହ ସାଧନ ହେଲା ବର୍ଜିତ ।
ଚକ୍ଷୁ ଖୋଲିଲେ ତାଙ୍କୁ ହିଁଁ ଦେଖେ, ଚୌଦିଗେ ତାଙ୍କ ସୌନ୍ଦର୍ଯ୍ୟ ଦେଖେ ।
ନାମ ଧରି ମୁଁ ଯାହା ବି ଦେଖେ, ସେ ସବୁ ମଧ୍ୟେ ତାଙ୍କୁ ହିଁଁ ଦେଖେ ।
ମୋ ଦ୍ଵାରା ଯେଉଁ କର୍ମ ସାଧିତ, ତା ଦ୍ଵାରା ତାଙ୍କ ପୂଜା ସାଧିତ ।
ମୋ ପକ୍ଷେ ସମ ଉଦୟ ଅସ୍ତ, ପ୍ରତିକୂଳତା ହୁଅଇ ଅସ୍ତ ।
କେଉଁ ସ୍ଥାନକୁ ଯଦି ବା ଯାଏ, ତାଙ୍କ ଚୌଦିଗେ ଘୁରୁଛି ଲାଗେ ।
ମୋ ଦ୍ଵାରା ଯଦି କିଛି ସମ୍ଭବ, ସମସ୍ତ କର୍ମେ ତାଙ୍କର ଭାବ ।
ଯଦି ମୁଁ କେବେ ପଡ଼େ ଭୂମିରେ, ପ୍ରଣାମ କରେ ତାଙ୍କ ପୟରେ ।
ସେହି କେବଳ ପୂଜ୍ୟ ମୋହର, ତାଙ୍କ ଛଡ଼ା ମୁଁ ନୁହେଁ କାହାର ।
ମୋ ଜିହ୍ଵା ଛାଡ଼ି ଅଶୁଦ୍ଧ ଭାଷ, ଗାଏ ମହିମା ରାତ୍ର ଦିବସ ।
ବସିଥାଏ ବା ଠିଆ ମୁଁ ହୁଏ, ତାଙ୍କୁ ଭୁଲିବା କେବେ ନ ହୁଏ ।
ତାଙ୍କ ଗୀତ ମୋ କର୍ଣ୍ଣ ପଟଳେ, ବାଜୁଛି ସଦା ବେଳେ ଅବେଳେ ।

କବୀର କବିତା ୪୯

ଧର୍ମ ସ୍ଥଳର ଜଳ
(tîrath men to sab pânî hai)

ସବୁ ସମାନ, ଧର୍ମ ସ୍ଥଳର ଓ ଅନ୍ୟତ୍ର ଜଳ, କେବଳ ଜଳ,
କରିଅଛି ମୁଁ ସ୍ନାନ ସେଠାରେ, ଅନ୍ୟତ୍ର ଜଳ ଭଳି ନିଷ୍ଫଳ ।

ସବୁ ମୂର୍ତ୍ତିର ନିର୍ଜିବ ସ୍ଥିତି, ନାହିଁଁ ତାଙ୍କର କହିବା ଶକ୍ତି,
ଡାକିଛି ମଧ୍ୟ ଉଚ୍ଚ ସ୍ଵରରେ, ଡାକିଲେ ମଧ୍ୟ ଉତ୍ତର ନାସ୍ତି ।

ପୁରାଣ ବହି, କୋରାଣ ବହି, ବହି ମଧ୍ୟରେ ଶବ୍ଦ ହିଁଁ ରହି,
ସବୁ ପରଦା ଉଠେଇ ଦେଇ, କିଛି ଦର୍ଶନ କରିନି ମୁହିଁଁ ।

କବୀର କରେ ସମ୍ମାନ ତାର, ଅନୁଭବ ଯିଏ କରେ ନିଜର,
ଜାଣିଛି ଯିଏ ଉତ୍ତମ ରୁପେ, ଅସତ୍ୟ ସବୁ ଅନ୍ୟ ରୁପର ।

କବୀର କବିତା ୫୦

ଜଳରେ ଥାଇ ମାଛ
(pdni vie mm piydsl)

ଜଳରେ ଥାଇ ମାଛକୁ ଶୋଷ, ଶୁଣି ହସେ ମୋର ମନ,
ଆତ୍ମା ନ ଚିହ୍ନି ମଥୁରା କାଶୀ, ଜନ ବୁଲେ ଲକ୍ଷହୀନ ।

କସ୍ତୁରୀ ମୃଗ ନିଜ ନାଭିର ଆଘ୍ରାଣ କରି ଅତର,
ଦୁଃଖିତ ମନେ ବୁଲେ ଜଙ୍ଗଲେ, ହୋଇ ଅତୀବ ଅସ୍ଥିର ।

ଜଳାଶୟରେ ପଦ୍ମ ଫୁଟିଛି, ଦେଖ ପାଖୁଡ଼ା ତାହାର,
ମହୁ ମାଛିଟି ପ୍ରବେଶ କରି, କରେ ମହୁ ତାର ଜୁର ।

ତୁମ ତ୍ରିଶକ୍ତି ଲୟକୁ ରଖ, ସାଧୁ ସନ୍ଥ ପଥ ଧର,
ପ୍ରଭୁଙ୍କୁ ଯିଏ ଧ୍ୟାନ କରନ୍ତି, ପାଆନ୍ତି ନିଜ ଭିତର ।

ବର୍ତ୍ତମାନ ବି ପ୍ରଭୁ ଅଛନ୍ତି, ସାଥୀ ସେ ତୁମ ନିଜର,
ତଥାପି କୁହ ତୁମଠୁ ଦୂର, ବୋକାମୀ ଯୋଗୁ ଅସ୍ଥିର ।

କବୀର କହେ ଭାଇ ଭଗିନୀ, ଶୁଣ ମୋହର ଗିର,
ବିନା ସଦଗୁରୁ ତୁମର ଦ୍ଵିଧା କେବେ ବି ହେବନି ଦୂର ।

କବୀର କବିତା ୫୧

ଚୋରା ପତାକା
(gagan math gaib nisdn gade)

ଚୋରା ପତାକା ହୋଇଛି ଟଣା ନଭ-ମନ୍ଦିର ଉପରେ,
ନୀଳ ଚାନ୍ଦୁଆ ଚନ୍ଦ୍ର ଖଚିତ ମଣି ଦାଉ ଦାଉ କରେ ।

ସୂର୍ଯ୍ୟ ଚନ୍ଦ୍ରମା ଜ୍ୟୋତି ଦର୍ଶନେ ନିର୍ବାକ ମାନସ ହୁଏ,
ଏହି ମଧୁର ଦୃଶ୍ୟ ପାନରେ ମନ ବାୟା ଭଳି ହୁଏ ।

କବୀର କବିତା ୫୨

କେଉଁ ସ୍ଥାନରୁ ଆସିଛ ସାଧୁ
(sadho, ko hai kdnh se dyo)

କେଉଁ ସ୍ଥାନରୁ ଆସିଛ ସାଧୁ, କିବା ତୁମ ପରିଚୟ,
କେଉଁ ସ୍ଥାନରେ ରହି ଖେଳନ୍ତି ସୃଷ୍ଟି ସଙ୍ଗେ ଲୀଲାମୟ ।

କାଷ୍ଠରେ ଅଗ୍ନି ଲୁଚିଥିଲେ ବି କିଏ କରେ ପ୍ରଜ୍ଜ୍ଵଳିତ,
ଅଗ୍ନିର ଶକ୍ତି ଯାଏ କୁଆଡେ ହେଲେ ପାଂଶୁ ପରିଣତ ।

ସଦଗୁରୁ ଶିକ୍ଷା ସେ, ନୁହେଁ ଅସୀମ, ଅବା ସୀମା ଆବଦ୍ଧ,
କବୀର କହେ ବ୍ରହ୍ମାଙ୍କ ଭାଷା ଶ୍ରୋତାଙ୍କୁ ସର୍ବଦା ଲବ୍ଧ ।

କବୀର କବିତା ୫୩

ଅଦ୍ଭୁତ ଏକ ବୃକ୍ଷ ରହିଛି
(tarvar ek mill bin thddd) ଅଦ୍ଭୁତ ଏକ ବୃକ୍ଷ ରହିଛି, ଠିଆ ହୋଇ ବିନା ଚେର,
ପୁଷ୍ପିତ ବିନା ଫଳ ଫଳିଛି, ନାହିଁଁ ଶାଖା ଅବା ପତ୍ର ।

ଦୁଇଟି ପକ୍ଷୀ ଗୀତ ଗାଆନ୍ତି, ଏକ ଚେଲା ଅନ୍ୟ ଗୁରୁ,
ଚେଲା ଚାଖୁଛି ଜୀବନ ଫଳ, ଆନନ୍ଦେ ଦେଖଇ ଗୁରୁ ।

ଖୋଜିଲେ ପକ୍ଷୀ ମିଳଇ ନାହିଁଁ କିନ୍ତୁ ସଦା ଦୃଶ୍ୟମାନ,
ଆକାର ମଧ୍ୟେ ନିରାକାର ସେ, ଆକାରର ଗାଏ ଗୁଣ ।

କବୀର କବିତା ୫୪

ଅଶାନ୍ତ ମନକୁ କରିଛି ଶାନ୍ତ
(calat mansd acal kinhi)

ଅଶାନ୍ତ ମନକୁ କରିଛି ଶାନ୍ତ,
ହୃଦୟ ମୋର ଚମକ ପ୍ରାପ୍ତ ।

ଦେଖିଲି ତାଙ୍କୁ, ତାଙ୍କ ଆଗକୁ,
ଦର୍ଶନ କଲି ସେହି ସାଥୀଙ୍କୁ ।

କ୍ରୀତଦାସତ୍ୱ ଥିଲା ମୋହର,
ସେହି ଦାସତ୍ତ୍ଵ କରି ମୁଁ ଛିନ୍ନ,
ସଂକୀର୍ଣ୍ଣତାରୁ ହେଲି ବିଛିନ୍ନ ।

କବୀର କହେ,
ଅପ୍ରାପ୍ତ ସତ୍ତାକୁ ହେଲି ମୁଁ ପ୍ରାପ୍ତ,
ତାଙ୍କ ରଙ୍ଗରେ ମୁଁ ରଙ୍ଗାୟିତ ।

କବୀର କବିତା ୫୫

ଯାହା ଦିଶେ ସେ ଅବିଦ୍ୟମାନ
(jo disai, so to hai nakin)

ଯାହା ଦିଶେ ସେ ଅବିଦ୍ୟମାନ,
ଅଛନ୍ତି, ଏହା ଅବ୍ୟକ୍ତମାନ ।

ପ୍ରତୀତ ନୁହେଁ ଦର୍ଶନ ବିନା,
ନ କହିଲେ କିଛି ବୁଝି ହୁଏନା ।

ବିଦ୍ଵାନ ବୁଝେ ବିଦ୍ୟା ବଳରେ,
ସବୁ ଆଶ୍ଚର୍ଯ୍ୟ ମୂର୍ଖ ପକ୍ଷରେ ।

କେହି ପୂଜାକରେ ନିରାକାର,
ତ କେହି ପୂଜା କରେ ଆକାର ।

କେଉଁ ଭାବରେ ଅଲଗା ସିଏ,
ବୁଝିଲା ବାଲା ବୁଝିଛି ଯିଏ ।

ତା ଗୀତ ରାଗ ଲେଖି ନ ହୁଏ,
ମାତ୍ରାର ପ୍ରଶ୍ନ ଉଠାଏ କିଏ ।

କବୀର କହେ ଯେ ପଢ଼ା ଶୁଣା,
ବିଷୟ ଭାବ ତାହାଙ୍କୁ ଜଣା ।

କବୀର କବିତା ୫୬

ବାଜୁଛି ବଂଶୀ ନାହିଁଁ ବିରାମ
(murall bajat akhay,d saddye)

ବାଜୁଛି ବଂଶୀ ନାହିଁଁ ବିରାମ, ସୁରର ନାମ ତା ପ୍ରେମ,
ସମସ୍ତ ସୀମା ଲଙ୍ଘିଲେ ପ୍ରେମ, ଉପଲବ୍ଧ ସତ୍ୟ ଧାମ ।

ଦିଗ ବିଦିଗ ବାସ୍ନା ଚହଟେ, ନାହିଁଁ ତାହାର ଅନ୍ତ,
ଆଉ କେହି ବି ନାହାନ୍ତି ଯିଏ, ଓଗାଳିବ ତାର ପଥ ।

ବଂଶୀର ତାନ ସହସ୍ର ରବି ସମ ହୁଏ ଜ୍ୟୋତିର୍ମୟ,
ବୀଣା ସମାନ କି ଅନୁପମ, ବୀଣା ସ୍ଵର ସତ୍ୟମୟ ।

କବୀର କବିତା ୫୭

ହେ ମୋର ସଖା
(sain bin dard kareje hoy)

ହେ ମୋର ସଖା, ଭେଟ ପ୍ରତୀକ୍ଷା, କରିଛି ମୋ ପ୍ରେମୀ ସଙ୍ଗେ,
ପୁଷ୍ପିତ ଯୁବା ଛାତିରେ ମୋର ବିରହ ଜ୍ଵାଳା ଲାଗେ ।

ଉଦ୍ଦେଶ୍ୟହୀନ ଘୁରି ବୁଲୁଛି, ମୁଁ ଏହି ଜ୍ଞାନ ଗଳିରେ,
କିନ୍ତୁ ମିଳିଛି ତାଙ୍କ ଖବର ବୁଲୁ ବୁଲୁ ଏ ଗଳିରେ ।

ଚିଠି ମିଳିଛି ମୋ ପ୍ରିୟ ଠାରୁ, ଲେଖା ଅଛି ଯେ ଖବର,
ପାଟିରେ ଧରି ହେବନି କିନ୍ତୁ. ମୃତ୍ୟୁ ଭୟ ହେଲା ଦୂର,
କବୀର କହେ ପାଇଗଲି ମୁଁ ମୃତ୍ୟୁହୀନ ଉପହାର

ମୋ ପ୍ରିୟ ଠାରୁ ହେଲେ ବିଚ୍ଛେଦ ମୋ ପ୍ରିୟ ଠାରୁ ହେଲେ ବିଚ୍ଛେଦ, ହୃଦୟ ହୁଏ ଦୁଃଖ ଆପ୍ଲୁତ,
ଦିନରେ ମୋତେ ଲାଗେନି ଶାନ୍ତି, ରାତିରେ ମୋତେ ହୁଏନି ନିଦ,
କା ଆଗେ କହିବି ଦୁଃଖ ସମସ୍ତ,

କବୀର କବିତା ୫୮

କି ବଂଶୀ ସେହି
kaun murall fabd anand bhayo

ମୋ ପ୍ରିୟ ଠାରୁ ହେଲେ ବିଚ୍ଛେଦ, ହୃଦୟ ହୁଏ ଦୁଃଖ ଆପ୍ଲୁତ,
ଦିନରେ ମୋତେ ଲାଗେନି ଶାନ୍ତି, ରାତିରେ ମୋତେ ହୁଏନି ନିଦ,
ପ୍ରିୟ ବିନା ଆଉ କା ଆଗେ କହିବି ଦୁଃଖ ସମସ୍ତ,
କି ବଂଶୀ ସେହି ଯାହାର ତାନ କରେ ମୋତେ ରୋମାଞ୍ଚିତ ।

ଶିଖା ଜଳୁଛି ବିନା ଦୀପରେ, ପଦ୍ମ ଫୁଟେ ବିନା ଚେର;
ଥୋପାକୁ ଥୋପା ଅନେକ କଳୀ ପୁଷ୍ପେ ହୁଏ ରୁପାନ୍ତର ।
ଚକୋର ରଖେ ପ୍ରେମ ବନ୍ଧନ ସାଥେ ଆକାଶର ଜହ୍ନ,
ମୟୁର ଖୋଜେ ବର୍ଷା ଫୁଆରା ମନ ଭରି ହେବ ସ୍ନାନ;
ସାରା ଜୀବନ ଉତ୍ସର୍ଗ କରି ପ୍ରେମୀ କାହା ପ୍ରେମେ ମଗ୍ନ ?
ଘନ ଅନ୍ଧାର ହୋଇଛି ରାତି, ସମୟ ଶୀଘ୍ର ହେଉଛି ଗତ,
ଯେଣୁ ମୋ ପ୍ରଭୁ ଅନୁପସ୍ଥିତ, ଲାଗଇ ଡର ପ୍ରତି ମୁହୂର୍ତ୍ତ ।
କବୀର କହେ ପ୍ରିୟ ମୋହର, ତାଙ୍କ ସାକ୍ଷାତ ବିନା ପାଏନି,
ହୃଦ ସନ୍ତୋଷ କେଉଁ କାର୍ଯ୍ୟର ।

କବୀର କବିତା ୫୯

ଶୁଣି ନାହଁ କି ମଧୁର ଧୂନ୍
($untd nahl dhun kl khabar)

ଶୁଣି ନାହଁ କି ମଧୁର ଧୂନ୍ ବାଜୁଛି ବିନା ବାଜାରେ,
ଘର ଭିତରେ ଆନନ୍ଦ ବିଣା ବାଜେ ଧୀର ମିଠା ସ୍ଵରେ ,
ଏହି ମଧୁର ତାନ ନ ଶୁଣି ଯିବାକୁ ମନ କେ କରେ ?

ସ୍ଵର୍ଗୀୟ ପ୍ରେମ ମଧୁ ନ ଚାଖିଲେ ପାତକ ଯିବ କି ଧୋଇ,
କାଜି କୋରାଣ ଭିତରେ ଖୋଜେ ଅନ୍ୟକୁ ଶବ୍ଦ ବତେଇ,
ନିଜ ହୃଦୟ ପ୍ରେମେ ବୁଡ଼ିନି ରହିବ ଶିକ୍ଷକ ହୋଇ ।

ଯୋଗୀ ରଙ୍ଗାଏ ନିଜର ବସ୍ତ୍ର ନ ଜାଣି ପ୍ରେମର ରଙ୍ଗ,
ବସ୍ତ୍ର କେବଳ ରଙ୍ଗ କରିଲେ ନିଷ୍ଫଳ ହେବ ବିଭଙ୍ଗ ।

କବୀର କହେ ମନ୍ଦିର, ତମ୍ବୁ ଅବା ଅଗଣା ଭିତରେ,
ପ୍ରଭୁ ମୋହର ଧ୍ୟାନ ରଖନ୍ତି ଥିଲେ ବି ପୁଷ୍ପ ବାଗରେ ।

କବୀର କବିତା ୬୦

ଭକ୍ତିର ପଥ କଷ୍ଟ ଅପାର
(bhakti kd mdrag jhlna re)

ଭକ୍ତିର ପଥ କଷ୍ଟ ଅପାର,
ସେଠାରେ ନାହିଁ ପ୍ରଶ୍ନ ଉତ୍ତର ।

ନିଜତ୍ୱ ପ୍ରଭୁ ପାଦେ ଅର୍ପଣ,
ଖୋଜିବା ସୁଖେ ହୁଏ ନିମଗ୍ନ ।

ଭକ୍ତିରେ ବୁଡ଼େ ମତ୍ସ୍ୟ ସମାନ,
ପ୍ରଭୁ କର୍ତ୍ତବ୍ୟେ ସ୍ଵଶିର ଦାନ ।

ଭକ୍ତ ଏଥିରେ ହେଳା ନ କରେ,
କବୀର ଏହା କହେ ଗୁପ୍ତରେ ।

କବୀର କବିତା ୬୧

ପ୍ରକୃତ ସାଧୁ ବୋଲାଏ ସେହି
(bhdl koi satguru sant kahdwai)

ପ୍ରକୃତ ସାଧୁ ବୋଲାଏ ସେହି, ନିରାକାରର ଆକାର ଯିଏ ପ୍ରତି ଚକ୍ଷୁରେ ପାରେ ଦେଖାଇ,
ବିଧି ବିଧାନ କର୍ମ ବ୍ୟତୀତ ସରଳ ଭାବେ ଯିଏ ତୁମକୁ ପ୍ରଭୁ ଦର୍ଶନ ବାଟ ଦେଖାଇ ।

କବାଟ ବନ୍ଦ କରି ଅଯଥା ଶ୍ଵାସକୁ ରୋକି ସଂସାର ତ୍ୟାଗ ଉପଦେଶ ସେ ଦିଏନି କେବେ.
ଯେଉଁ ବସ୍ତୁରେ ମନ ଲାଗିବ ସେହି ବସ୍ତୁରେ ପ୍ରଭୁଙ୍କ ସତ୍ତା ଅନୁଭବ ଯେ କରେଇ ପାରେ ।
ସବୁ କର୍ମର ମଧ୍ୟେ ତୁମକୁ ନିଶ୍ଚଳ ହେବା ଦିଏ ଶିଖେଇ ।

ମନେ ନ ଥାଇ କୌଣସି ଭୟ, ଆଶୀର୍ବାଦରେ ସେ ବୁଡ଼ି ରହେ,
ସବୁ ଆମୋଦ ମଧ୍ୟେ ସର୍ବଦା ପ୍ରଭୁ ସଂଲଗ୍ନ ତା ମନ ରହେ ।

କବୀର କବିତା ୬୨

ମାଟି ଆକାଶ ପବନ ଜଳ, ସବୁ ସ୍ଥାନରେ ସେହି ଅନନ୍ତ ସତ୍ତାର ଥାଏ ଅନନ୍ତ ବାସ,
ବଜ୍ର ସମାନ ଭକ୍ତର ସ୍ଥାନ ଶୂନ୍ୟ ଉର୍ଦ୍ଧ୍ଵରେ ସୁଦୃଢ଼ ରହେ,
ଅନ୍ତରେ ସେହି, ବାହାରେ ସେହି, କେବଳ ତାଙ୍କୁ ମୁଁ ଦେଖିପାରେ ,
ଅନ୍ୟ କେହି ତାଙ୍କୁ ଦେଖି ନପାରେ ।

କବୀର କବିତା ୬୩

ଯେଉଁ ଶବ୍ଦରୁ ପୃଥ୍ଵୀ ଉତ୍ପନ୍ନ

ଯେଉଁ ଶବ୍ଦରୁ ପୃଥ୍ଵୀ ଉତ୍ପନ୍ନ, ଗ୍ରହଣ ତୁମେ ତାହାକୁ କର,
ସେ ଶବ୍ଦ ଗୁରୁ, ଜାଣିଛି ମୁହିଁ, ତେଣୁ ଶିଷ୍ୟତ୍ଵ ନେଲି ତାହାର ।

ଏମିତି କେତେ ଜଣ ଅଛନ୍ତି, ଜାଣି ନାହାନ୍ତି ଅର୍ଥ ତାହାର,
ହେ ସାଧୁ ତୁମେ ସେହି ଶବ୍ଦକୁ ସଦା ସର୍ବଦା ଭଜନ କର ।

ବେଦ ପୁରାଣ ଘୋଷଣା କରେ,
ସଂସାର ଅଛି ଏହା ଭିତରେ ।

ସନ୍ୟାସୀ ଋଷିଙ୍କର ସେ ଭାଷ୍ୟ,
ଅଜଣା କିନ୍ତୁ ତାର ରହସ୍ୟ ।

ଗୃହସ୍ଥ ଶୁଣି ଘରୁ ବାହାରେ,
ଶୁଣି ଏହାକୁ ସନ୍ୟାସୀ ଫେରେ ।

ଛଅ ଦାର୍ଶନିକ ବୁଝାନ୍ତି ଅର୍ଥ,
ଶବ୍ଦ ବୁଝାଏ ତ୍ୟାଗ ନିଃସ୍ଵାର୍ଥ ।

ସାରା ସଂସାର ସୃଷ୍ଟ ଶବ୍ଦରୁ,
ପ୍ରକାଶ ହୁଏ ସେହି ଶବ୍ଦରୁ ।

କବୀର କହେ କିଏ ଜାଣିଛି ?
କେଉଁ ସ୍ଥାନରୁ ଶବ୍ଦ ଆସିଛି ।

ଆହେ ମଦ୍ୟପ, ସମାପ୍ତ କର ପିଆଲା ତୋର,
ପିଇ ଚାଲ ତୁ ସ୍ଵର୍ଗୀୟ ମଧୁ ତାଙ୍କ ନାମର ।

କବୀର କହେ, ହେ ସାଧୁ ଜନ ଶୁଣ ମୋ ଗିର,
ଦେହ ମନରେ ପୂର୍ଣ୍ଣ କେବଳ ତୀବ୍ର ଜହର ।

କବୀର କବିତା ୬୪

ନିଜ ପ୍ରଭୁଙ୍କୁ ଜାଣିନ ଯଦି
(hasm na cirihai bdwarl)

ନିଜ ପ୍ରଭୁଙ୍କୁ ଜାଣିନ ଯଦି,
ଆହେ ମାନବ ଗର୍ବ କାହିଁକି ?

ରଖ ଚାତୁରି ତୁମ ଦୂରରେ,
କେବେ ହୁଏନି ଶବ୍ଦ ଯୁକ୍ତିରେ ।

ରଖି ତୁ ସାକ୍ଷୀ ଧର୍ମ ଗ୍ରନ୍ଥକୁ,
କେବେ ଠକନି ତୁହି ନିଜକୁ ।

ପ୍ରେମ ଅନ୍ତର ସେ ଜାଣିପାରେ,
ସତ୍ ମନରେ ଯେ ଖୋଜିପାରେ ।

କବୀର କବିତା ୬୫

ଅବଶେଷରେ ଆସିଛୁ ତୁହି (sukh sdgar men dike)

ଅବଶେଷରେ ଆସିଛୁ ତୁହି, ପାଶେ ଆନନ୍ଦ ସାଗର,
ତୃଷାର୍ତ୍ତ ରହି ଯାଅନା ଫେରି, ଜାଗି ଉଠ ମୂର୍ଖ ନର ।

ମୃତ୍ୟୁ ଟାକିଛି ତୋ ସମ୍ମୁଖରେ, ଜଳ ଅତୀବ ପବିତ୍ର,
ପ୍ରତି ଶ୍ଵାସରେ ନ କରି ଡେରି ଯଥା ଶୀଘ୍ର ପାନ କର ।

ମରିଚିକା ପଛେ ଗୋଡ଼ାନି କେବେ, ହୁଅ ତୁ ମଧୁ ତୃଷାର୍ତ୍ତ,
ଧୃବ, ପ୍ରହ୍ଳାଦ, ଶୁକ, ରାଇ ଦାସ ଏହାକୁ ପିଇ କୃତାର୍ଥ ।

ପ୍ରେମ ନିମନ୍ତେ ତୃଷାର୍ତ୍ତ ସାଧୁ ମାତାଲ ହୁଏ ପ୍ରେମର,
କବୀର କହେ ଶୁଣ ହେ ଭାଇ, ଭାଙ୍ଗ ଏ ଭୟର ଘର ।

କ୍ଷଣକ ପାଇଁ ଯେବେଠୁ ତୁମେ ଆସିଛ ଏହି ସଂସାର,
ମିଥ୍ୟା ବନ୍ଧନ ବୁଣି ଚାଲିଛ, ଶଠତା ପ୍ରତି କଥାର ।

ମୁଣ୍ଡରେ ଅଛି କାମନା ବୋଝ, ହାଲୁକା ହେବ କେମିତି,
କବୀର, ରଖି ସତ୍ୟ ଓ ପ୍ରେମ ଛାଡ଼ ସମସ୍ତ ଆସକ୍ତି ।

କବୀର କବିତା ୬୬

ମିଥ୍ୟାର ଦାସତ୍ୱ ନେଇ ବୁଣୁଛୁ, ମିଥ୍ୟାରେ ଭରା ତୋ ଶବ୍ଦ ସବୁ,
କାମନା ବୋଝ ମୁଣ୍ଡରେ ଧରି କେମିତି ଭାବୁଛୁ ହାଲୁକା ହେବୁ କବୀର କ‌ହେ,
ନିଜ ମଧ୍ୟରେ ସତ୍ୟ, ପ୍ରେମ ଓ ନିର୍ଲିପ୍ତ ଭାବ ରଖିବୁ ।

(sati ko kaun dikhdwtd hai)

ପ୍ରତି ଯୁଇରେ ଝାସ ଦେବାକୁ କିଏ ବା ଶିଖେଇ ଦିଏ,
ପ୍ରେମରେ ତ୍ୟାଗ ଦେଇ ଆଶିଷ ପାଇବା କିଏ ଶିଖାଏ ।

(are man, dhlraj kdhe na dharai)

କାହିଁକି ହୃଦ ଅଧୀର ମୋର, କାହିଁକି ଏତେ ଅଧୀର,
ପଶୁ ପକ୍ଷୀ ଓ ପତଙ୍ଗଠାଏ ଅନୁଧ୍ୟାନ ବି ତାଙ୍କର ।

କବୀର କବିତା ୬୭

ମାତୃ ଗର୍ଭରେ ଯେବେ ତୁ ଥିଲେ, ସେ ନେଲେ ତୋହର ଯତ୍ନ,
ଆସିଲା ପରେ ସେହି ସ୍ଥାନରୁ ନେବେ ନାହିଁ କି ତୋ ଯତ୍ନ ।

ପ୍ରଭୁଙ୍କ ସ୍ମିତ ହାସ୍ୟଠୁ ଦୂର, କାହିଁକି ବୁଲୁ ଅଯଥା ?
ପ୍ରଭୁଙ୍କୁ ଛାଡି ଅନ୍ୟକୁ ଭଜୁ, ସବୁ କାର୍ଯ୍ୟ ତୋର ବୃଥା ।

ପ୍ରଭୁ ମିଳନ କଠିନ ଭାଇ
sain se lagan kathin hai, bhdl

ତୃଷାର୍ତ୍ତ ହୋଇ ପପିହା କାନ୍ଦେ ବାରିଦ ଜଳ ନିମନ୍ତେ,
ଅନ୍ୟ ଜଳ ତ ପିଇବ ନାହିଁ ମଲେବି କୌଣସି ମତେ ।

ମୃଗୁଣୀ ପ୍ରେମ ନାଦ ଶ୍ରବଣ କରି ଆଗାଏ ମୃଗ,
ପ୍ରେମ ବିଭୋର ମୃଗ ଡରେନି ସିଂହ ଅଥବା ବାଘ ।

ପତିର ଶବ ପାଖରେ ସତୀ ଡରେନି ଅଗ୍ନିର କଷ୍ଟ,
ପାର୍ଥିବ ଦେହ ତ୍ୟାଗର ଡର ହୁଏ ତାହାର ନଷ୍ଟ ।

କବୀର କବିତା ୬୮

ହେ ଭାଇ ଅତି ଭୁଲା ଥିଲି ମୁଁ
(jab main bhuld, re bhdi)

ହେ ଭାଇ ଅତି ଭୁଲା ଥିଲି ମୁଁ, ମୋ ଗୁରୁ ରାସ୍ତା ଦେଖେଇ ଦେଲେ,
ଛାଡିଲି ନୀତି ସଂସ୍କାର ସବୁ, ଛାଡ଼ିଲି ସ୍ନାନ ପବିତ୍ର ଜଳେ ।

ତା' ପରେ ଜଣା ପଡିଲା ମୋତେ, ଏକ ମାତ୍ର ମୁଁ ବାଇଆ ଥିଲି,
ମୋ ଛଡା ସବୁ ସୁସ୍ଥ ମସ୍ତିଷ୍କ, ଜ୍ଞାନୀଙ୍କୁ ହଇରାଣ ମୁଁ କଲି ।

ସେହି ଦିନଠୁ ରାସ୍ତାରେ ଗଡ଼ି ଧ୍ୟାନ କରିବା ଛାଡ଼ି ମୁଁ ଦେଲି,
ମନ୍ଦିରେ ଘଣ୍ଟି ବଜା ଛାଡ଼ିଲି, ଆସନେ ମୂର୍ତ୍ତି ରଖା ଛାଡ଼ିଲି ।

ସେହି ଦିନଠୁ ମୂର୍ତ୍ତି ଗଳାରେ ଫୁଲ ଦେଇ ପୂଜା ଛାଡ଼ି ମୁଁ ଦେଲି ।

କବୀର କବିତା ୬୯

ଆତ୍ମ ସଞ୍ଜମେ ଦେହ ପବିତ୍ର ପ୍ରଭୁଙ୍କୁ ଖୁସି କରି ପାରେନି,
ବସନ ତ୍ୟାଗ, ସ୍ନାୟୁଙ୍କୁ କଷ୍ଟ କଲେ ସନ୍ତୁଷ୍ଟ ପ୍ରଭୁ ହୁଏନି ।

ଯେଉଁ ମାନବ ଅତି ଦୟାଳୁ, ସତ୍, ଆଚାରୀ ଭବ କର୍ମରେ,
ନିଷ୍କ୍ରିୟ ରହି ସବୁ ଜୀବଙ୍କୁ ନିଜ ସମାନ ବିଚାର କରେ ।

ଅମରତ୍ୱକୁ ପ୍ରାପ୍ତ ହୁଏ ସେ, ସାଥୀରେ ରହେ ପ୍ରଭୁ ପ୍ରକୃତ,
କବୀର ନାମ ପ୍ରାପ୍ତ ହୁଏ ସେ, ଗର୍ବ ଶଠତାଠାରୁ ସେ ମୁକ୍ତ ।

କବୀର କବିତା ୭୦

ମନରେ ପ୍ରେମ ରଙ୍ଗ ନ ଭରି
(man na rarigdye)

ମନ୍ଦିରରେ ବସି ପ୍ରସ୍ତର ପୂଜା ବ୍ରହ୍ମକୁ ଛାଡ଼ି ସେ କରେ,
କାନ ଫୋଡ଼ି ଓ ଦାଢ଼ି ବଢ଼େଇ, ରଖେ ଜଟା ମଥାରେ ।

ଦେଖା ଯାଏ ସେ ଛେଳି ପରାୟେ ବାସ କରେ ବଣରେ,
କାମନା ବାସନା ତ୍ୟାଗ କରି ସେ ହିଞ୍ଜଡ଼ା ହୋଇ ରହେ ।

ଲଣ୍ଡିତ ମୁଣ୍ଡ, ରଙ୍ଗ ବସନ, ଗୀତାର ପ୍ରବକ୍ତା ହୁଏ,
କବୀର କହେ, ହସ୍ତ ପଦ ବନ୍ଧା ହୋଇ ଯମପୁର ଯାଏ ।

କବୀର କବିତା ୭୧

ଜାଣି ନାହିଁ ମୁଁ ମୋ ପ୍ରଭୁଙ୍କର କିବା ଥିବ ଆଚରଣ,
ଚିତ୍କାର କରି ପ୍ରଭୁଙ୍କୁ ମୁଲ୍ଲା ଡାକୁଛି କିବା କାରଣ ?

ତୁମ ପ୍ରଭୁ କି କାଲା ଅଟନ୍ତି ? ଜଣା ତ ତାଙ୍କୁ ସମସ୍ତ,
ପିମ୍ପୁଡି ପାଉଁଜି ଚାଲିଲେ ବାଜେ, ସେ ଶବ୍ଦ ଶୁଭେ ତାଙ୍କୁ ତ ।

ମାଳା ଗଡ଼ାଉ, ପ୍ରଭୁଙ୍କୁ ଡାକୁ, ମୁଣ୍ଡରେ ଜଟା, ମଥାରେ ଟିକା,
ହୃଦରେ ତୀକ୍ଷ୍ଣ ଅସ୍ତ୍ର ରଖିଛୁ, ଶୁଣିବେକି ପ୍ରଭୁ ତୋହର ଡକା ।

ନିଜକୁ ପାରୁନି ରୋକି
(ham se rahd na jay)

ଶୁଣି ତାଙ୍କର ବଂଶୀର ସ୍ୱର, ନିଜକୁ ପାରୁନି ରୋକି
ବସନ୍ତ ନାହିଁ, ପୁଷ୍ପ ପୁଷ୍ପିତ, ମଧୂମକ୍ଷି ନିମନ୍ତ୍ରିତ
ଚପଳା ଯୁକ୍ତ ନଭ ଗର୍ଜୁଛି, ହୃଦ ମୋ ତରଙ୍ଗାୟିତ ।

ବର୍ଷା ହେଉଛି, ପ୍ରଭୁଙ୍କ ସଙ୍ଗ ଲୋଡୁଛି ମୋହର ହୃଦ,
ପୃଥ୍ଵୀର ଯେଉଁ ସ୍ଥାନେ ତରଙ୍ଗ, ପହଞ୍ଚେ ସେଠି ମୋ ହୃଦ ।

କବୀର କବିତା ୭୨

ମସଜିଦରେ ଖୁଦା ଅଛନ୍ତି
(jo khodd masjid vasat hai)

ମସଜିଦରେ ଖୁଦା ଅଛନ୍ତି, ସଂସାର ତେବେ କାହାର ?
ଯଦି ତୀର୍ଥର ମୂର୍ତ୍ତିରେ ରାମ, ବୁଝିବ କିଏ ସଂସାର ?

ପୂର୍ବରେ ହରି, ପଶ୍ଚିମେ ଆଲ୍ଲା, ଦେଖ ହୃଦୟ ଭିତରେ,
ପାଇବ ତୁମେ ରାମ, କରିମ, ଉଭୟ ସେହି ସ୍ଥାନରେ ।

ତାଙ୍କ ପ୍ରକାଶ ନାରୀ, ପୁରୁଷ, ଏହି ସମସ୍ତ ସଂସାର,
ଆଲ୍ଲା, ରାମଙ୍କ ପୁତ୍ର କବୀର, ସେହି ମୋ ଗୁରୁ ଓ ପୀର ।

କବୀର କବିତା ୭୩

ବିନମ୍ର ତଥା ସନ୍ତୁଷ୍ଟ ଯିଏ
(santosh soda samadfishti)

ବିନମ୍ର ତଥା ସନ୍ତୁଷ୍ଟ ଯିଏ, ଯିଏ ସମତା ଦୃଷ୍ଟି ସମ୍ପନ୍ନ,
ଯାହାର ମନ ବିଶ୍ରାମ ତଥା ଗ୍ରହଣ କରି ସ୍ଵୟଂ ସମ୍ପୂର୍ଣ୍ଣ ।

ଦେଖିଛି ଯିଏ, ଛୁଇଁଛି ଯିଏ, ସବୁ ବିପଦ ଭୟଠୁ ଦୂର,
ଚନ୍ଦନ ବୋଳା ଶରୀର ସମ, ପ୍ରଭୁଙ୍କ ସହ ଭାବ ତାଙ୍କର ।

ନାହିଁ ଆନନ୍ଦ ଅନ୍ୟ କେଉଁଠି, କର୍ମ, ବିଶ୍ରାମ, ସଙ୍ଗୀତ ଧାର,
ଚତୁର୍ଦ୍ଦିଗରେ ଜ୍ୟୋତି ପ୍ରକାଶ, କହେ କବୀର ତା ପାଦ ଧର ।

ଅବିଭାଜ୍ୟ ଓ ଏକକ ସେହି, ଅପରିବର୍ତ୍ତିତ, ସଦା ପ୍ରଶାନ୍ତ,
ସବୁ ପାତ୍ରକୁ ପୂର୍ଣ୍ଣ କରି ସେ ଭରି ଦିଅନ୍ତି ପ୍ରେମ ଆନନ୍ଦ ।

କବୀର କବିତା ୭୪

ସତ୍ ମାନବ ସାଥୀରେ ରହ
(sddh sangat pltam)

ସତ୍ ମାନବ ସାଥୀରେ ରହ, ଯେଉଁଠି ଥାଏ ପ୍ରଭୁଙ୍କ ବାସ,
ସେହି ସ୍ଥାନରୁ ନିଅ ସର୍ବଦା ପ୍ରେମ, ବିଚାର ତଥା ନିର୍ଦ୍ଦେଶ ।

ଯେ ସ୍ଥାନେ ନାମ ନିଆ ଯାଏନି, ସେ ସ୍ଥାନ ଜାଳି ପାଉଁଶ କର,
ବିବାହ ଭୋଜି କିପରି ହେବ, ଯେଉଁ ସ୍ଥାନରେ ନାହାନ୍ତି ବର ।

ଡେରି ନ କରି ନିଜ ପ୍ରଭୁଙ୍କୁ ହୃଦୟ ଦେଇ ଧ୍ୟାନ ତୁ କର,
ମିଳିବ ନାହିଁ କୌଣସି ମୂଲ୍ୟ ପୂଜିବୁ ଯଦି ଅନ୍ୟ ଠାକୁର ,
କବୀର ଚିନ୍ତା କରି କହନ୍ତି, ମିଳିବେ ନାହିଁ ତୋତେ ଠାକୁର ।

କବୀର କବିତା ୭୫

ସମସ୍ତେ ହୀରା ଖୋଜୁ ଅଛନ୍ତି
(tor hird hirdilwd kicad men)

ସମସ୍ତେ ହୀରା ଖୋଜୁ ଅଛନ୍ତି, ପାଇ ହାରିଲୁ କର୍ଦ୍ଦମ ମଧ୍ୟେ,
ପୂର୍ବରେ କେହି, ପଶ୍ଚିମେ କେହି, ଖୋଜନ୍ତି ଜଳ ଓ ପ୍ରସ୍ତର ମଧ୍ୟେ,
କବୀର ଜାଣି ପ୍ରକୃତ ମୁଲ୍ୟ, ଯତ୍ନେ ରଖିଛି ହୃଦୟ ମଧ୍ୟେ ।

କବୀର କବିତା ୭୬

ଆହେ ହୃଦୟ, ପ୍ରେମ ନ‌ଗରର ଅନ୍ତ ମିଳୁନି
(are dil, prem nagar kd ant na pdyd)

ବାହକ ଧରୁଛି ପାଦ ତୋହର,
କିଛି ସମୟ ତୁ ଅପେକ୍ଷା କର ।
ଫେରିଯାଇ ମୁଁ ମେଲାଣି ନେବି,
ଆତ୍ମିୟ ସାଥୀ ଯେତେକ ମୋର ।

କବୀର ଦାସ ଗାଉଛି ଗୀତ:

ଯେତେକ ଭଲ ମନ୍ଦ କର୍ମର,
କିଣା ବିକା ତୁ ସମସ୍ତ ସାର ।
ଯେଉଁ ସ୍ଥାନକୁ ଯାଉଛୁ ତୁହି,
ସେଠାରେ ନାହିଁ ହାଟ ବଜାର ।
ହୃଦୟ ମୋର ତୋ ଅଗୋଚର,
ଗୁପ୍ତ କଥା ଏ ପ୍ରେମ ଗ୍ରାମର ।
ଅଜ୍ଞତା ନେଇ ଆସିଥିଲୁ ତୁ,
ଅଜ୍ଞତା ନେଇ ଫେରିଯିବୁ ତୁ ।
ଜୀବନ ସହ ଖେଳ ଖେଳିଲୁ,
ସାଥୀ ମୋର ତୁ କ‌ଅଣ କଲୁ !
ମୁଣ୍ଡ ଉପରେ ପଥର ଭଳି,
ଓଜନ ରଖି ଚାଲିଲୁ ଢଳି ।
କେବେ ବି ତୁହି ଭାବିଲୁ ନାହିଁ,
ଲଘୁ କରିବ କିଏ ତୋ ପାଇଁ ।

କବୀର କବିତା ୭୭

ବନ୍ଧୁ ତୁମର ଆର କୂଳରେ ଦଣ୍ଡାୟମାନ,
କେମିତି ଭେଟିବୁ ଯାଇ, ସେଥିରେ ନାହିଁ ତୋ ମନ,
ତଥାପି ବସିଛୁ କୂଳରେ ତୋର ନାବ ହୋଇଛି ଭଗ୍ନ ।
ଢେଉ ଖେଳୁଛି କାରଣ ବିନା ତଥାପି ରହିଛୁ ମୌନ ।
କବୀର ଦାସ ପଚାରେ ତୋତେ ନାହାନ୍ତି କେହି ସାଥି,
ନିଜ କର୍ମର ଫଳ ଭୋଗିବୁ ଦି ଦିନର ଅତିଥି ।


କବୀର କବିତା ୮୩

ସାଧୁ ଶୁଣ ମୋ ଅମର ଗିର
(kahain Kabir, uno ho sddho)

ସାଧୁ ଶୁଣ ମୋ ଅମର ଗିର, ଚାହୁଁଛ ଯଦି ଶୁଭ ନିଜର,
ପରୀକ୍ଷା ନେଇ କର ବିଚାର ।
ନିଜକୁ ତୁମେ ପ୍ରଭୁଙ୍କଠାରୁ ବିଚ୍ୟୁତ କରି ହୋଇଛ ଦୂର,
ଯାହାଙ୍କଠାରୁ ଜନ୍ମ ତୁମର ।
ସବୁ କାରଣ ହଜେଇ ଦେଲ, ମରଣ ନିମନ୍ତ୍ରଣ କରିଲ ।
ଅଛି ଯେତେକ ଶିକ୍ଷା ସିଦ୍ଧାନ୍ତ, ତାଙ୍କଠୁ ବୃଦ୍ଧି, ତାଙ୍କଠୁ ଜାତ,
ଏହି କଥାଟି ନିଶ୍ଚିତ ଜାଣ, ମୃତ୍ୟୁର ଭୟ ହେବ ତୋ ଦୂର,
ଶୁଣ ମୋର ଏ ସତ୍ୟ ଖବର ।
କାହାର ନାମ ଗାୟନ କର, ମନରେ ଧ୍ୟାନ କାହାକୁ କର ?
ଏହି ଜାଲରୁ ଶୀଘ୍ର ବାହାର ।
ସମସ୍ତ ବସ୍ତୁ ମଧ୍ୟେ ତା ବାସ, କାହିଁକି ତୋର ନିର୍ଜନ ବାସ ?

କବୀର କବିତା ୮୪

ଗୁରୁଙ୍କୁ ଯଦି ରଖୁ ତୁ ଦୂର, ଦୂରତ୍ଵକୁ ତୁ ସମ୍ମାନ କର ।
ଯଦି ବା ପ୍ରଭୁ ରହନ୍ତି ଦୂରେ, କିଏ ତାହେଲେ ସୃଷ୍ଟି ସଞ୍ଚାରେ,
ଯେବେ ରହୁଛି ତୋ ଭାବନାରେ, ପ୍ରଭୁ ନାହାନ୍ତି ଏହି ସ୍ଥାନରେ,
ଖୋଜୁ ବୁଲୁ ତୁ ଆହୁରି ଦୂରେ, ଚକ୍ଷୁରେ ତୋର ଲୋତକ ଭରେ ।
ଯଦି ଥାଆନ୍ତେ ବହୁ ଦୂରରେ, ତାଙ୍କ ମିଳନ ସମ୍ଭବ କିରେ ?
ଅଛନ୍ତି ଯେଣୁ ଆମରି ପାଶ, ମିଳୁଛି ତେଣୁ ତାଙ୍କ ଆଶିଷ ।
କବୀର କହେ, କାଳେ ଭକତ ଭୋଗିବ କଷ୍ଟ ଅପରିମିତ,
ତେଣୁ ରହନ୍ତି ସୁପରିବ୍ୟାପ୍ତ ।
ନିଜକୁ ଚିହ୍ନ ତୁମ ମଧ୍ୟରେ, ପାଦରୁ ମଥା ସେ ସ୍ଥିତବାନ,
ହୃଦୟେ ଦୃଢ ରଖ ତୋ ସ୍ଥାନ, ଆନନ୍ଦ ମନେ କର ତୁ ଗାନ ।

କବୀର କବିତା ୮୫

ନାସ୍ତିକ ନୁହେଁ ନା ମୁଁ ଆସ୍ତିକ
(nd main dharml nahln adharmi)

ନାସ୍ତିକ ନୁହେଁ ନା ମୁଁ ଆସ୍ତିକ, ନୁହେଁ ନିୟମ ସ୍ନାୟୁ ଅଧୀନ,
ନୁହେଁ କେହି ମୁଁ ଶ୍ରୋତା, ବକତା, ନୁହେଁ ଚାକର ନା ଅନ୍ନଦାତା ।

ବନ୍ଧିତ ନୁହେଁ, ନୁହେଁ ବା ମୁକ୍ତ, ନୁହେଁ ବିଯୁକ୍ତ ଅଥବା ଯୁକ୍ତ ।
ନାହିଁ ମୁଁ କାହାଠାରୁ ଦୂରରେ, ରହେ ନାହିଁ ମୁଁ କାହା ପାଖରେ ।

ଯିବାକୁ ନାହିଁ ସରଗ ଲୋକ, ଅଥବା ନର୍କ ଯାହାର ନାମ,
କରିଲେ ମଧ୍ୟ ସମସ୍ତ କର୍ମ, ସବୁ କର୍ମରେ ସଦା ଅକର୍ମ ।

ଅଳ୍ପ ଜାଣନ୍ତି ଏହାର ମର୍ମ, ବୁଝି ପାରିଲେ ସଦା ବିଶ୍ରାମ,
ସ୍ଥାପିତ ଅବା ନଷ୍ଟ ଚାହେନି, କବୀର ଇଚ୍ଛା କରେ ଏ ଧର୍ମ ।

କବୀର କବିତା ୮୬

ସତ୍ ନାମ ଏକ ନିଆରା ନାମ

ସଗୁଣଠାରୁ ନିର୍ଗୁଣ ପାର୍ଥକ୍ୟ କେବଳ ଏକ ଅକ୍ଷର,
ନିର୍ଗୁଣ ଯଦି ମଞ୍ଜି ତାହେଲେ ସଗୁଣ ଫୁଲ ଓ ଫଳ,
ଜ୍ଞାନ ହିଁ ଶାଖା, ନାମ ତା ମୂଳ,
ଖୋଜ ତା ମୂଳ କେଉଁଠି ଅଛି, ତାହା ସମୀପେ ତୋ ସୁଖ ଅଛି ।
ମୂଳ ଦେଖାଏ ବାଟ ଯିବାକୁ, ଶାଖା ଓ ପତ୍ର ପୁଷ୍ପ ଫଳକୁ,
ଏହା ତୁମର ସାକ୍ଷାତକାର, ଆଶିଷ ପ୍ରାପ୍ତ ହୁଏ ତୁମର,
ସଗୁଣ ଏବଂ ନିର୍ଗୁଣଙ୍କର ଏହା ଅପୂର୍ବ ମିଳନ ।

କବୀର କବିତା ୮୭

ପ୍ରାରମ୍ଭ ବେଳେ ଥିଲେ ଏକାକୀ
(pratham ek jo dpai dp)

ପ୍ରାରମ୍ଭ ବେଳେ ଥିଲେ ଏକାକୀ, ସ୍ଵୟଂ ସମ୍ପୁର୍ଣ୍ଣ,
ନିରାକାର ଓ ରଙ୍ଗବିହୀନ, ସର୍ବ ସମ୍ପନ୍ନ ।

ପ୍ରାରମ୍ଭ, ମଧ୍ୟ, ଅନ୍ତ ନ ଥିଲା, ଚକ୍ଷୁ ନ ଥିଲା,
ଆଲୋକ, ଅନ୍ଧାର ଏହି ସମସ୍ତ କିଛି ନ ଥିଲା ।

ଆକାଶ, ବାୟୁ, ଭୂମି ନ ଥିଲା, ଅଗ୍ନି ନା ନୀର,
ଜମୁନା, ଗଙ୍ଗା, ମାଟି ନା ନଦୀ, ଢେଉ, ସାଗର ।

ପାପ ପୂଣ୍ୟର ନାମ ନ ଥିଲା, ନା ଧର୍ମ ଗ୍ରନ୍ଥ,
ନ ଥିଲା ବେଦ, କୋରାଣ, ପୁରାଣ ନା ତାର ଅର୍ଥ ।

କବୀର କହେ ନ ଥିଲା କାର୍ଯ୍ୟ, ଅକାର୍ଯ୍ୟମାନ,
ପରମ ସତ୍ତା ସ୍ଵୟଂ ମଧ୍ୟରେ ଥିଲେ ତଲ୍ଲୀନ ।

କବୀର କବିତା ୮୮

ଖାଦ୍ୟ, ପାନୀୟ, ଜୀବନ ମୃତ୍ୟୁ ଗୁରୁଙ୍କ ନାହିଁ,
ରୁପ, ରଙ୍ଗ ନା ବେଶ ପୋଷାକ କିଛି ବି ନାହିଁ ।

ଜାତି, ଗୋଷ୍ଠୀ ନାହିଁ, ମହିମା କିପରି ବର୍ଣ୍ଣିବି ମୁହିଁ ,
ନିରାକାର ନୁହେଁ, ତାଙ୍କର କିଛି ବି ଆକାର ନାହିଁ ।

ତାଙ୍କର କିଛି ନାମହିଁ ନାହିଁ, ରଙ୍ଗବି ନାହିଁ,
ବେରଙ୍ଗ ନୁହେଁ, ତାଙ୍କର କିଛି ନିବାସ ନାହିଁ ।

କବୀର କବିତା ୮୯

କବୀର କହେ ବିଚାର କରି
(kahain Kabir vicar ke)

ଚିନ୍ତାରେ ମଗ୍ନ କବୀର କହେ, ତାଙ୍କର ନାହିଁ ଜାତି ବା ଦେଶ,
ନିର୍ଗୁଣ ଏବଂ ନିରାକାର ସେ, ପୂର୍ଣ୍ଣ କରନ୍ତି ସାରା ଆକାଶ ।

ସର୍ଜନା କଲେ ଆନନ୍ଦ ଖେଳ, ଓଁକାରରୁ ସାରା ଜଗତ,
ମାଟି ତାଙ୍କର ଆନନ୍ଦ ଉତ୍ସ, ଆକାଶ ତାଙ୍କୁ ଦିଏ ଆନନ୍ଦ ।

ସୂର୍ଯ୍ୟ ଚନ୍ଦ୍ରର ପ୍ରଭାରେ ଖୁସି,
ଆରମ୍ଭ, ମଧ୍ୟ, ଅନ୍ତରେ ଖୁସି; ଚକ୍ଷୁ, ଆଲୋକ, ଅନ୍ଧାରେ ଖୁସି,
ସାଗର, ଢେଉ, ଗଙ୍ଗା, ଜମୁନା, ସରସ୍ଵତୀରେ ତାଙ୍କର ଖୁସି ।

ଗୁରୁହିଁ ଏକ;
ଜୀବନ, ମୃତ୍ୟୁ; ଭେଟ, ବିଚ୍ଛେଦ; ଖେଳରେ ମିଳେ ଖୁସି ଅଶେଷ,
ତାଙ୍କ ନାଟକ ଜମି ଓ ଜଳ, ସାରା ସଂସାର, ମାଟି, ଆକାଶ ।

ଖେଳରେ ସୃଷ୍ଟିବ୍ୟାପକ ହୁଏ, ଖେଳ ଖେଳରେ ଏ ସଂସ୍ଥାପିତ,
କବୀର, ସୃଷ୍ଟି ତାଙ୍କର ଖେଳ, ଖେଳାଳୀ କିନ୍ତୁ ଅପରିଚିତ ।

କବୀର କବିତା ୯୦

jhi jhi jantar bdjai

ନିମ୍ନ ସ୍ୱରରେ ହାର୍ପ ବାଜୁଛି, ହାତ ପାଦ ବିନା ନୃତ୍ୟ ହେଉଛି ।
ବିନା ଆଙ୍ଗୁଳି ବାଦ୍ୟ ବାଜୁଛି, ବିନା କାନରେ ଶବ୍ଦ ଶୁଭୁଛି ।
କାରଣ ସେହି ନିଜେହିଁ କାନ, ସେଇ ନିଜେହିଁ ଶୁଣନ୍ତି ସ୍ଵନ ।
ଫାଟକରେ ଯାହା ଝୁଳୁଛି ତାଲା, ଭିତର କିନ୍ତୁ ସୁଗନ୍ଧ ଭରା ।
ଦେଖିନାହିଁ କେହି ସଭା ସେଠାରେ, ଯିଏ ବିଜ୍ଞ ସେହି ବୁଝିବି ପାରେ ।

ଭିକାରୀ ହୋଇ ଭିକ୍ଷା ମାଗନ୍ତି
mor phaklrwd mdngi jay

ଭିକାରୀ ହୋଇ ଭିକ୍ଷା ମାଗନ୍ତି, କିନ୍ତୁ ମୁଁ ପାଏନି ତାଙ୍କ ଦର୍ଶନ,
ମାଗିବି ଭିକ୍ଷା ତାଙ୍କୁ କିପରି, ମାଗିବା ବିନା ସେ ଦିଅନ୍ତି ଭରି ।
କବୀର କ‌ହେ, ମୁଁ ତ ତାଙ୍କର, ହେବାକୁ ଯାହା ଥିବ ତା ହେଉ ।