Jump to content

ଭଜରେ ଶ୍ରୀଗୁରୁପାଦ

ଉଇକିପାଠାଗାର‌ରୁ
ଭଜରେ ଶ୍ରୀଗୁରୁପାଦ
ଲେଖକ/କବି: ଭୀମ ଭୋଇ

ଭଜରେ ଶ୍ରୀଗୁରୁପାଦ ନକରି ହେଳା,
ଅଣହେଳା କଲେ ଭବେ ବୁଡ଼ିବ ଭେଳା । ଘୋଷା ।

ପ୍ରଥମ ଦିନରେ ସୁତ,
ମାତା ଗର୍ଭେ ହେଲା ସ୍ଥିତ,
ଦଶ ମାସ ଯାଏ ଗର୍ଭଗତରେ ଥିଲା ।
ଗର୍ଭେ ଥିଲା ଯେତେ ଦିନ,
କରୁଥିଲା ବ୍ରହ୍ମେ ଧ୍ୟାନ,
ବେନି କର ଯୋଡ଼ି ପାଦେ ଭଗତି ଥିଲା ।୧।

ଅବନୀରେ ପଡ଼ି ପୁଅ,
ରାବ ଦେଲା କୁଅଁ କୁଅଁ,
ପୂର୍ବ ଜନ୍ମ ହେତୁ ଗୋଟା ପାସୋରିଦେଲା ।
ମାତା ଦେଲା କ୍ଷୀରପାନ,
ବାଳ ଭୋଳେ ଗଲା ଦିନ,
କଉତୁକେ ଶିଶୁ ସଙ୍ଗେ ରଙ୍ଗେ ବଢ଼ିଲା ।୨।

ହୋଇଲା ଦ୍ୱିତୀୟ କାଳ,
ତନୁ ହୋଇଲା ପ୍ରବଳ,
ଉତ୍ପତ୍ତିରୁ ସ୍ଥିତି ଯହୁଁ ଅଧିକ ହେଲା ।
ପାଇ ଯୁବତୀ ରତନ,
କାମରେ ବୁଡ଼ିଲା ମନ,
ଗୁରୁ ପାଦ ଛାଡ଼ି ମାୟା ମୋହେ ପଡ଼ିଲା ।୩।

କରି ନାନା କର୍ମମାନ
ମାୟା ମୋହେ ହୋଇ ଭ୍ରମ
ସତ୍ୟ ପଥ ଛାଡି ଅସତ୍ୟରେ ଗମିଲା ।
ତ୍ରିଗୁଣରେ ହୋଇ ଭୋଳା
ଦେଖିଣ ସଂସାର ଲୀଳା
ଆପସୁଖେ ମାୟାଜାଲେ ବାନ୍ଧି ହୋଇଲା ।୪।

ତ୍ରିୟ କାଳ ଆସି ହେଲା,
ନିରଞ୍ଜନ ନ ଭଜିଲା,
ହିଂସା ରାଗ ତମେ ନିରନ୍ତରେ ମଜ୍ଜିଲା ।
ଦେଖି ସୁତ ବିତ୍ତ ଧନ,
ଚିନ୍ତାରେ ବୁଡ଼ିଲା ମନ,
ଦୁର୍ଲଭ ଶରୀର ଗୋଟା ବିଅର୍ଥ ହେଲା ।୫।

ହୋଇଲା ଚତୁର୍ଥ ଯୁଗ,
ସରିଲା ଦେହର ଭୋଗ,
ଅସ୍ଥି ଚର୍ମ ଏକଠାରେ ଠୁଳ ହୋଇଲା ।
ଫୁଙ୍କା ବନ୍ଧ ହେଲା ନାଶ,
ଉଡ଼ିଲା ପରମ ହଂସ,
ଗୁରୁ ପାଦ ଧ୍ୟାୟି ଭୀମ ଭୋଇ ଭଣିଲା ।୬।