ଭାଷା ଓ ଜାତୀୟତା

ଉଇକିପାଠାଗାର ରୁ
Jump to navigation Jump to search

        ଆଜି ସମସ୍ତେ ଭାରତୀୟ ଜାତୀୟତା ନିମନ୍ତେ ବ୍ୟାକୁଳ । ସମ୍ବାଦପତ୍ରରେ ଆଲୋଚନା ହେଉଛି, ସଭାସମିତିରେ ବକ୍ତୃତା ହେଉଛି, କାବ୍ୟ ନାଟକ, ଉପନ୍ୟାସାଦିରେ ରୂପକ ଛଳରେ ସୂଚନା ଦିଆଯାଉଅଛି କିପରି ଭାବରେ ଭାରତ ଜାତୀୟତା ପ୍ରତିଷ୍ଠିତ ହେବ । ଅନେକ ଭାରତ ଜାତୀୟତା ଏକାବେଳକେ ଅସମ୍ଭବ ବୋଲି ହତାଶ । କେହିକେହି କେବଳ ଅତୀତ ଆଡ଼କୁ ଚାହିଁଛନ୍ତି ପ୍ରେରଣା ପାଇବା ଲାଗି । ଅନ୍ୟ କେତେକଙ୍କର କେବଳ ଭବିଷ୍ୟତ ଉପରେ ଆଶା । କେହି ନିଜ ଭିତରକୁ ଚାହିଁ ପ୍ରାଚୀନ ସଭ୍ୟତାକୁ ମନ୍ଥୁଛନ୍ତି । କେହି ପୁଣି ପର ମୁହଁକୁ ଚାହିଁଅଛନ୍ତି ଏବଂ କେବଳ ପଶ୍ଚିମ ଉପରେ ଭରସା ରଖିଛନ୍ତି । ପ୍ରକୃତରେ ଏ ଜାତୀୟ ସମସ୍ୟା ଭାରତ ପକ୍ଷେ ବଡ଼ ଗୁରୁତର । କେତେ ପ୍ରଦେଶ - ପ୍ରତି ପ୍ରଦେଶରେ ପୁଣି କେତେ ବ୍ୟବହାରଗତ ପାର୍ଥକ୍ୟ, ତହିଁରେ ପୁଣି ଅସଂଖ୍ୟ ପ୍ରକାର ଶ୍ରେୟସ୍ୱାର୍ଥର ବିବାଦ । ଏପରି ସ୍ଥଳେ କୁମାରିକା ସହ ହିମାଳୟର କିଛି ସମ୍ପର୍କ ଅଛି ଭାବିବାକୁ ବେଳେବେଳେ ସାହସ ପାଏନାହିଁ ।

        ପୂର୍ବେ ଭାରତର ପ୍ରତ୍ୟେକ ପ୍ରଦେଶର ଅନେକ ବିଷୟରେ ସ୍ୱାତନ୍ତ୍ର୍ୟ ଥିଲା, ଯାତାୟାୟର ତେତେ ସୁବିଧା ନଥିଲା; ଗୋଟିଏ ଗୋଟିଏ ପ୍ରଦେଶ ବଣ ଜଙ୍ଗଲ, ନଦୀ ଆଦି ସ୍ୱାଭାବିକ ସୀମା ଦ୍ୱାରା ଆବଦ୍ଧ ଥିଲା; ତେଣୁ କାଳକ୍ରମେ ସେ ପ୍ରତ୍ୟେକ ପ୍ରଦେଶର ଇତିହାସ, ସାହିତ୍ୟ, ଭାଷା, ଲୋକ-ବ୍ୟବହାର ଆଦି ସ୍ୱତନ୍ତ୍ର ହେବା ସ୍ୱାଭାବିକ । କିନ୍ତୁ ବିଶେଷତ୍ୱ ଏହି ଯେ, ମୂଳ ଆର୍ଯ୍ୟ ସଭ୍ୟତା ମେରୁଦଣ୍ଡ ରୂପେ ରହିଥିଲା । ଆର୍ଯ୍ୟ ଋଷିମାନେ ବୁଝିଥିଲେ - ଭାବ ଏବଂ ଭାଷା । ତେଣୁ ଭାଷାର ଏକତା ମାନବ ପ୍ରାଣର ମିଳନ ପକ୍ଷେ ଏକମାତ୍ର ପନ୍ଥା । ମାନବ ଆକୃତି ପ୍ରକୃତିରେ ଭିନ୍ନ ହୋଇପାରେ; ଭିନ୍ନ ଜଳବାୟୁରେ ବଢ଼ିପାରେ । ତେବେ ତାର ଅନ୍ୟ ମାନବ ସହିତ ମିଳନ କେଉଁଠାରେ? ଭାବରେ, ଚିନ୍ତାରେ ସ୍ଥୂଳତଃ ସଭ୍ୟତାରେ ଭାରତରେ ଆର୍ଯ୍ୟ ଉପନିବେଶ ବଢ଼ିଲା । କ୍ରମେ ଶୂରସେନ ବା ମହାରାଷ୍ଟ୍ରର ଆର୍ଯ୍ୟ ସହିତ ମଗଧ ଆର୍ଯ୍ୟର ପାର୍ଥକ୍ୟ ଜନ୍ମିଲା । ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ବଢ଼ିଲା ମାତ୍ର ସଂସ୍କୃତ ଭାଷା ଓ ବୈଦିକ ଭାବ ଏ ବହୁଳ ସ୍ୱାତନ୍ତ୍ର୍ୟ ମଧ୍ୟରେ ସୁନ୍ଦର ସୁଦୃଢ଼ ଏକତା ରଖିଥିଲା ଏବଂ ଆଜିଯାଏ ରହିଅଛି । ଦ୍ରାବିଡ଼ ସଙ୍ଗେ ଆର୍ଯ୍ୟର ସଂଘର୍ଷ ହେଲା । ସେ କ୍ରମେ ଆର୍ଯ୍ୟ ଭାଷା, ଆର୍ଯ୍ୟ ଭାବ ଏବଂ ଆର୍ଯ୍ୟ ସଭ୍ୟତା ଗ୍ରହଣ କଲେ । ପରିଣାମରେ ଦ୍ରାବିଡ଼ ଆର୍ଯ୍ୟ ସଙ୍ଗେ ଏକାବେଳକେ ମିଶିଗଲେ ।

ଆଜି ଭାରତର ପ୍ରାଦେଶିକ ସ୍ୱାତନ୍ତ୍ର୍ୟକ୍ରମେ ନଷ୍ଟ ହୋଇଯାଉଅଛି । ନଷ୍ଟ ହୋଇ ବି ଭାରତ ମହାଜାତୀୟ ଏକତା ଆଡ଼କୁ ଯାଉଛି ନା? ବରଂ ପ୍ରତ୍ୟେକ ପ୍ରଦେଶରେ ଶତ ନୂତନ ସ୍ୱାର୍ଥ ଓ ସ୍ୱାତନ୍ତ୍ର୍ୟ ସୃଷ୍ଟି ହେଉଛି । ଯାତାୟାତର ସୁବିଧା ହୋଇଅଛି । ପ୍ରଦେଶମାନଙ୍କ ପରସ୍ପର ସହିତ ସମ୍ପର୍କ ବଢୁଅଛି । ଏକ ପ୍ରଦେଶରେ କେବଳ ଜାତୀୟ ଲୋକ ଆଉ ଏବେ ନାହାନ୍ତି । ନନା ବର୍ଣ୍ଣ, ଧର୍ମ,  ସମାଜର ଲୋକେ ଏକ ସ୍ଥାନରେ ଅଧିବାସ କରୁଅଛନ୍ତି । ସେମାନେ ନିଜନିଜର ଭାଷା, ଭାବ, ବ୍ୟବହାର, ରୀତି, ନୀତି, ସମାଜ, ସାହିତ୍ୟ ଓ ଇତିହାସ ସବୁକୁ ସଙ୍ଗେ ଘେନି ଆସୁଅଛନ୍ତି । ତାହା ସବୁ ଛାଡ଼ିବାକୁ ଆଦୌ ପ୍ରସ୍ତୁତ ନୁହନ୍ତି । କାର୍ଯ୍ୟ ଉପଲକ୍ଷେ ବା ଘଟନାସୂତ୍ରରେ ଯେଉଁ ସ୍ଥାନ ବା ପ୍ରଦେଶରେ ଆସି ବାସକଲେ ସେଠାର ସଭ୍ୟତା, ସାହିତ୍ୟ ଓ ଭାଷା ଆଦିକୁ ନିଜର ବୋଲି ଗ୍ରହଣ କରିବାକୁ କୁଣ୍ଠିତ । ତେବେ ଆଉ ପ୍ରାଦେଶିକ ଏକତା ସମ୍ଭବ କିପରି? ଭାରତ ଜାତୀୟତା ତ ଦୂରର କଥା ।

        ଯେଉଁ ଭାଷା, ଭାବ ଓ ସଭ୍ୟତାର ଏକତାରେ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ମଧ୍ୟରେ ଭାରତୀୟ ସଭ୍ୟତା ଆଜିଯାଏଁ ଜୀବିତ ରହିଅଛି, ଉପସ୍ଥିତ କ୍ଷେତ୍ରରେ ପ୍ରାଦେଶିକ ସଭ୍ୟତାର ବ୍ୟକ୍ତିତ୍ୱ ରକ୍ଷା ନିମନ୍ତେ ସେହି ପନ୍ଥା ଅବଲମ୍ବନ କରିବାକୁ ହେବ । ଟିକିଏ ତଳେଇ ଦେଖିଲେ ଦେଖିଲେ ଦେଖାଯିବ , ଭାବ ଓ ସଭ୍ୟତାର ମୂଳରେ ଭାଷା । ଭାଷାର ଏକତା ଥିଲେ ଭାବର ଏକତା ସୁନିଶ୍ଚିତ । ସୁତରାଂ ସଭ୍ୟତା ଏକ ନହୋଇ ଅନ୍ୟଥା ହୋଇନପାରେ । ପୃଥିବୀର ସମସ୍ତ ସଭ୍ୟଦେଶ ଏହି ନୀତି ଗ୍ରହଣ କରିଅଛନ୍ତି । ଆମେରିକାର ଯୁକ୍ତ ପ୍ରଦେଶରେ ନାନା ଜାତିର ଲୋକେ ବାସ କରନ୍ତି - ଇଂରେଜ, ଜର୍ମାନ୍, ପର୍ଟୁଗୀଜ୍ - ସବୁ ଜାତିର ଲୋକେ ଅଛନ୍ତି । ପ୍ରତ୍ୟେକ ପ୍ରଦେଶର ଆଇନ୍ କାନୁନ ବିଧି ବ୍ୟବସ୍ଥା ପୃଥକ୍ । କିନ୍ତୁ ସେ ସମସ୍ତେ ଇଂରେଜୀ ଭାଷାକୁ ରାଜ୍ୟର ଭାଷା ରୂପେ ଗ୍ରହଣ କରିଅଛନ୍ତି । ଇଂରେଜୀ ଭାଷା ଗ୍ରହଣ ନକରିବା ଯାଏଁ କାହାରିକୁ ଯୁକ୍ତରାଜ୍ୟ ପ୍ରଜା ଅଧିକାର ଦିଆଯାଏ ନାହିଁ । ସମସ୍ତ ରାଜ୍ୟରେ ଏକଭାଷା ପ୍ରଚଳିତ ହେବାରୁ ପ୍ରାଦେଶିକ ନାନା ପାର୍ଥକ୍ୟ ଥିଲେ ସୁଦ୍ଧା ସମସ୍ତ ରାଜ୍ୟରେ ଏକ ଭାଷା ପ୍ରଚଳିତ ହେବାରୁ ପ୍ରାଦେଶିକ ନାନା ପାର୍ଥକ୍ୟ ଥିଲେ ସୁଦ୍ଧା ସମଗ୍ର ରାଜ୍ୟରେ ଗୋଟାଏ ଜାତୀୟ ଭାବ ନିରନ୍ତର ଜାଗ୍ରତ ରହିଅଛି । ଆଜିକାଲି ଭାରତର ଏକ ଏକ ପ୍ରଦେଶରେ ନାନାବିଧ ଲୋକେ ଅଛନ୍ତି । କ୍ରମେ ଆଉ ନୂତନ ସମ୍ପ୍ରଦାୟ ଓ ସମାଜର ଲୋକେ ମିଶୁଛନ୍ତି । କୌଣସି ସ୍ଥାନରେ ପୂର୍ବର ଅବିମିଶ୍ରତା ନାହିଁ । ଏହି ନାନାବିଧ ଲୋକଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ ସେ ସମସ୍ତଙ୍କର ସେହି ଦେଶଭାଷା ଗ୍ରହଣ କରିନେବା ଉଚିତ । ତାହାହେଲେ ସେମାନଙ୍କର ଭାବ ଓ ଚିନ୍ତାରେ ସାମଞ୍ଜସ୍ୟ ଆସିବ । ସେ ପ୍ରଦେଶର ସ୍ମୃତି, ସାହିତ୍ୟ, ଇତିହାସ ଆଡ଼କୁ ସେମାନେ ନିଜର କରିନେବେ ଏବଂ ସେ ପ୍ରଦେଶ ଓ ତାହାର ଅତୀତ ଓ ଭବିଷ୍ୟତରେ ସେ ସମସ୍ତଙ୍କର ଆସ୍ଥା ଓ ମମତା ଜନ୍ମିବ । ଯେତେଦୂର ସମ୍ଭବ ଏକ ଭାଷା ପ୍ରଚଳିତ ସ୍ଥାନମାନ ଏକ ଶାସନାଧୀନରେ ନଆସିଲେ ଏ ଉଦ୍ଦେଶ୍ୟ ସିଦ୍ଧ ହୋଇପାରିବ ନାହିଁ ।