ମଜା ବିଜ୍ଞାନ ପରଖ

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

୧. କାହାଳୀର ପାହାଡ଼ ଚଢା଼

ଗୋଲିଆ କଲମଟେ ବା ମହମବତୀଟିଏ ଉଚ୍ଚ ଜାଗାରୁ ତଳକୁ ଗଡି଼ ଆସିବାକୁ ତୁମେ ଦେଖିଥିବ। ଜିନିଷଟିଏ ଉପରୁ ତଳକୁ ଗଡି଼ ଆସିବା ସହ ଆମେ ଭଲ ଭାବେ ପରିଚିତ। କିନ୍ତୁ ତଳୁ ଜିନିଷଟିଏ ଗଡି଼ ଗଡି଼ ଉପର ଆଡ଼କୁ ଯିବା କଥା ତୁମେ ଭାବି ପାରୁଛ? କିନ୍ତୁ ପ୍ରିୟ ବିଜ୍ଞାନ ସାଥି, ଏହା ତୁମ ଦ୍ଵାରା ସମ୍ଭବ।

ଦୁଇଟି ଛୋଟ ପ୍ଲାଷ୍ଟିକ୍ କାହାଳୀ ଆଣ। ଏହାର ମୁହଁ ଦୁଇଟିକୁ ଯୋଡି଼ବାକୁ ହେବ। ତୁମେ ଅଠା ଦେଇ ଯୋଡି଼ଲେ ତ ପୁଣି ଖୋଲିବାରେ ଅସୁବିଧା ହେବ। ତେଣୁ ଗୋତିଏ ରବର ଫିତାର ଗୋଟିଏ ମୁଣ୍ଡରେ ଖଣ୍ଡିଏ ଖଡି଼କା କାଠିକୁ ବାନ୍ଧି ଗଣ୍ଠି ପକାଇ ଦିଅ।

ରବର ଫିତାର ଆର ମୁଣ୍ଡଟିକୁ ଦୁଇ କାହାଳୀ ଭିତରେ ଗଳାଇ ଦିଅ। ଆର ମୁଣ୍ଡରେ ରବରକୁ ଭିଡି଼ ଆଉ ଖଣ୍ଡେ ଖଡି଼କା କାଠି ବାନ୍ଧି ଦିଅ। ଏଥର ଏହା ଟାଣ ହୋଇ ଲାଗି ରହିବ। ଚଟାଣ ବା ଟେବୁଲ ଉପରେ ଦୁଇ ଥାକ ବହି ରଖ, ଯେପରି ଗୋଟିଏ ଥାକ ଆରଟି ଥାରୁ ଅଳ୍ପ ଉଚ୍ଚରେ ରହିବ। ଦୁଇ ଥାକକୁ ପ୍ରାୟ ଫୁଟେ ଦୂରରେ ରଖ। ଦୁଇଟି ଲମ୍ବା ସ୍କେଲ ନେଇ ଏହା ଉପରେ ରଖ, ଯେପରି ଉଚ୍ଚ ପଟେ ଦୁହିଁଙ୍କ ଭିତରେ ଅଧିକ ଚଉଡା଼ ରହିବ। ଏଥର ଯୋଡା଼ କାହାଳୀତିକୁ ତଳ ମୁଣ୍ଡ ସ୍କେଲ୍ ଫାଙ୍କରେ ରଖ। ଆରେ...ଆରେ...ଏ କ'ଣ ହେଉଛି? କହାଳୀ ଯୋଡା଼ ଛାଏଁ ଛାଏଁ ତଳୁ ଉପର ଆଡ଼କୁ ଗଡି଼ ଯାଉଛି! ଉପରୁ ଫେରାଇ ଆଣି ତଳ ଭାଗରେ ରଖି ଦେଲେ ବି ଏହା ପୁଣି ଉପର ଆଡ଼କୁ ହିଁ ଚଢି଼ ଯଉଛି।

କାରଣ: ପ୍ରିୟ ସାଥି। ତୁମକୁ ଲାଗୁଥାଇପାରେ ଯେ ଏହା ତଳୁ ଉପରକୁ ଗଡି଼ ଯାଉଛି। କିନ୍ତୁ ପ୍ରଥମେ କାହାଳୀ ଯୋଡି଼କୁ ସ୍କେଲ ଫାଙ୍କରେ ରଖିବା ବେଳେ ଏହାର ହାରାହାରି ଓଜନ (ମାଧ୍ୟାକର୍ଷଣ କେନ୍ଦ୍ର-ବିନ୍ଦୁ) ପ୍ରକୃତରେ ତାର ଆଗ ପଟକୁ ହିଁ ରହିଥାଏ। ତେଣୁ ନିଜକୁ ସନ୍ତୁଳିତ କରିବା ପାଇଁ ଏହା ଆଗକୁ ଗଡି଼ ଚାଲେ। ସନ୍ତୁଳିତ ହୋଇଗଲେ ଏହା ସ୍ଥିର ହୋଇଯାଏ।

ଦରକାର: ଦୁଇଟି ଛୋତ ପ୍ଲାଷ୍ଟିକ୍ କାହାଳୀ, ଗୋଟିଏ ଲମ୍ବା ରବର ଫିତା, ଖଡି଼କା କାଠି, ଦୁଇଟି ସ୍କେଲ ବା ପଟା, କିଛି ମୋଟା ବହି ସୂତା।

୨. ଆକାଶଛତା ମଜା

ଆକାଶରେ କେତେ ଉଚ୍ଚରେ ଉଡୁ଼ଥିବା ଉଡା଼ଜାହାଜରୁ ସୈନ୍ୟମାନେ ଆକାଶଛତା ସାହାଯ୍ୟରେ ତଳକୁ ଡେଇଁ ପଡ଼ନ୍ତି ଶୁଣିଲେ ଯେତିକି ଆଶ୍ଚର୍ଯ୍ୟଜନକ ଓ ଉଦ୍ଦୀପକ ଲାଗେ, ସେତିକି ମଜ ବି ଲାଗେ। ସ୍ଵପ୍ନ ଦିଶିଯାଏ ସତେ ଯେପରି ତୁମେ ନିଜେ ଏକ ଆକାଶଛତାରେ ତଳକୁ ଧୀରେ ଧୀରେ ଖସି ଆସୁଛ। ଆସ ବନାଇବା ଏପରି ଏକ କାମିକା ଆକାଶଛତାର ନମୁନା। ଗୋଟିଏ ମୋଟା ଜରି ଆଣ। ଏଥିରୁ ରୁମାଲ ଆକାରର ବର୍ଗଟିଏ କାଟିଦିଅ। ଏହାର ଚାରିକୋଣରେ ୪ଟି ସୂତା ବାନ୍ଧିଦିଅ। ସବୁକୁ ସମାନ ଆକାରରେ ମାପି ତଳେ ଗଣ୍ଠିଟିଏ ପକାଅ। ଗଣ୍ଠିର ଠିକ୍ ତଳକୁ ୪-୫ ଇଞ୍ଚ ଛାଡି଼ ଗୋଡି଼ଟିଏ ବାନ୍ଧି ଦିଅ। ଏଥର ଜରିର ଉପର ମୁଣ୍ଡକୁ ଧରି ଜରିଟିକୁ ଦୁଇ ଭାଗ କରି ଭାଙ୍ଗିଦିଅ। ଏହାକୁ ହାତରେ ମୁଠାଇ ଧରି ଆକାଶକୁ କିଛି ଉଚ୍ଚକୁ ଫିଙ୍ଗିଦିଅ। ଦେଖ ଏହା କିପରି ଧୀରେ ଧୀରେ ଆକାଶରୁ ଭୂଇଁକୁ ଓହ୍ଲାଉଛି। ଆକାଶଛଟାଟି ଯେତେ ବଡ଼ ହେବ, ଏହା ସେତେ ଧୀରେ ଧୀରେ ତଳକୁ ଖସିବ।

କାରଣ: ଯେ କ୍ଔଣସି ଜିନିଷକୁ ଉପରକୁ ଫିଙ୍ଗିଦେଲେ ପୃଥିବୀର ଟଣା (ମାଧ୍ୟାକର୍ଷଣ) ଯୋଗୁଁ ଏହା ଛାଏଁ ଛାଏଁ ପୃଥିବୀକୁ ଖସି ଆସେ। ଜିନିଷଟିର ଗଠନ ଆନୁସାରେ ଏହାର ଖସିବାର ବେଗ ନିୟନ୍ତ୍ରିତ ହୋଇଥାଏ। ଓଜନିଆ ଜିନିଷ ଶିଘ୍ର ଖସି ପଡେ। କିନ୍ତୁ ବଡ଼ ଆକାରର ହାଲୁକା ଜିନିଷ ଧୀରେ ଧୀରେ ଖସେ। ବାୟୁମଣ୍ଡଳର ବାଧାକୁ ଟପି ଜିନିଷଟି ତଳକୁ ଖସେ। ଆକାଶ ଛତାର ଉପରଟି ଯେତେ ବଡ଼ ହୁଏ ଏହା ବାୟୁ ଦ୍ଵାରା ସେତିକି ବାଧା ପାଏ ଓ ଧୀରେ ଧୀରେ ଖସେ।

ଦରକାର: ଗୋଟିଏ ମୋଟା ଜରି, କଇଁଚି, ସୂତା, ଗୋଡି଼।

୩. କାଠି ଭଙ୍ଗା ମଜା

ଖଣ୍ଡିଏ କାଠି ଆଣ। ହାତ ପାପୁଲିକୁ ଓଲଟାଇ ଦେଖାଅ। ଏଥର କାଠିଟିକୁ ବିଶି(୨ୟ) ଆଙ୍ଗୁଠି ଓ ମୁଦି (୪ର୍ଥ) ଆଙ୍ଗୁଠି ମଝିରେ ରଖ, ଯେପରି ଏହା ମଝି ଆଙ୍ଗୁଥି ଉପରେ ଚଢି଼ ରହିବ।

ଏହାକୁ ଆଙ୍ଗୁଠି ଗୁଡି଼କର ମୂଳକୁ ନେଇଯାଅ। ଏପରି ଥିବା ଅବସ୍ଥାରେ ଏହାକୁ ଏହି ଦୁଇ ଆଙ୍ଗୁଠି ଦ୍ଵାରା ଚାପି ଭାଙ୍ଗିବାକୁ ଚେଷ୍ଟା କର। ଏହା ସହଜରେ ଭାଙ୍ଗିଯିବ। ଏଥର କାଠିଟିକୁ ଆଙ୍ଗୁଠି ଦୁଇଟିର ଅଗ ଆଡ଼କୁ ଘୁଞ୍ଚାଇ ଚାଲ। ନଖ ପଛରେ ଥିବାବେଳେ ଦୁଇ ଆଙ୍ଗୁଠି ଦ୍ଵାରା ଏହାକୁ ଚାପି ଦିଅ। କାଠିଟିକୁ ଭାଙ୍ଗିବା ଅସମ୍ଭବ ହୋଇ ପଡି଼ବ। କିନ୍ତୁ ଏହା ଆଗ କାହିଁକି ଭାଙ୍ଗିଗଲା?

କାରଣ: ଏହା ଦ୍ଵିତୀୟ ଶ୍ରେଣୀର ଲିଭର୍ ଭଳି କାମ କରିଥାଏ। ଏହାର ଘୂରିବା ବିନ୍ଦୁଟି ହେଉଛି ଅଙ୍ଗୁଠିର ମୂଳ, ଯେଉଁଠି ଆଙ୍ଗୁଠିଗୁଡି଼କ ପାପୁଲି ସହ ଲାଗିଥାଏ। କାଠିଟି ଏହା ପାଖରେ ଥିଲା ବେଳେ ଏହାକୁ ଭାଙ୍ଗିବା ପାଇଁ କମ ବଳ ଲୋଡା଼ ହୁଏ! କିନ୍ତୁ ଏହାଠାରୁ ଦୂରରେ ଆଙ୍ଗୁଠି ଅଗରେ ଏହା ଭାଙ୍ଗିବା ପାଇଁ ଯଥେଷ୍ଟ ବେଶୀ ବଳ ଲୋଡା଼ ହୁଏ ଓ କାଠିଟି ଭାଙ୍ଗେନି।

ଦରକାର: ଗୋଟିଏ ଖଡି଼କା କାଠି।

୪. ରଙ୍ଗ ବିଚିତ୍ରା

ଏଠାରେ ସିଧା ଆଲୁଅ ନ ପଡୁ଼ଥିଲେ ଭଲ। ଗୋଟିଏ ବାଟିରେ ପାଣି ପ୍ରାୟ ଭରି ଦିଅ। ଏଥିରେ କୁଇକଫିକ୍ସ୍ ବା ନଖପାଲିସରୁ ଟୋପାଏ ପକାଇଦିଅ। କ'ଣ ଦେଖୁଛ? ବାଟିତିର ଚାରିକଡେ ବୁଲି ବିଭିନ୍ନ ଜାଗାରୁ ଦେଖ ପାଣି ଉପରେ କଣ ଦିଶୁଛି।

ହଠାତ୍ ରଙ୍ଗ ଟୋପାଟି ପାଣିର ଚାରି ଦିଗକୁ ଅତି ପତଳା ସ୍ତର ହୋଇ ଖେଳାଇ ହୋଇଯିବ ଓ ଏଥିରେ ଇନ୍ଦ୍ରଧନୁ ପରି ବିଭିନ୍ନ ରଙ୍ଗ ଦେଖାଯିବ। ଏହା ଦେଖିବା ପାଇଁ ସୁନ୍ଦର ଲାଗେ। ପାଣିରେ ପଡି଼ବା ପରେ ନଖପାଲିସ୍ ଏକ ଅତି ପତଳା ସ୍ତରରେ ପାଣି ଉପରେ ଖେଳାଇଯାଏ। ଏହି ପତଳା ଆବରଣଟିରେ ସୂର୍ଯ୍ୟକିରଣର ପ୍ରତିଫଳନଗୁଡି଼କ ମିଶି ପାରିଲେ ଆମେ ବିଭିନ୍ନ ରଙ୍ଗ ଦେଖିବାକୁ ପଉ। ତା ହୋଇ ନ ପାରିଲେ ଆମକୁ ସେହି ଜାଗାଟି ରଙ୍ଗହୀନ ଜଣା ପଡି଼ଥାଏ।

ଦରକାର: ବାଟି, ପାଣି, କୁଇକଫିକ୍ସ୍ ବା ନଖ ପାଲିସ୍।

୫.ଦେଖ ତୁମ ହାତରେ କେତେ ରକ୍ତ!

ଅନ୍ଧାର ସମୟରେ ଟର୍ଚ୍ଚ ଲାଇଟ୍ ଧରି ତୁମେ କେବେ ଚାଲିଥିବ। ଏହି ସମୟରେ ଜଳନ୍ତା ଟର୍ଚ୍ଚଟିର ସାମନା କାଚ ଉପରେ ତୁମେ ପାପୁଲିଟିକୁ ଚାପି ଧର, ଯେପରି ଆଙ୍ଗୁଠି ଫାଙ୍କ ଦେଇ ମଧ୍ୟ ଆଲୁଅ ତୁମ ପାଖକୁ ଆସିବ ନାହିଁ। ଏଥର ତୁମ ପାପୁଲିଟି ଗୋଲାପୀ-ଲାଲ୍ ରଙ୍ଗର ହୋଇ ସୁନ୍ଦର ଦେଖାଯିବ।

କାରଣ: ତୁମର ମାଂସ ଓ ଚମ ଏଠାରେ ଏକ ଫିଲ୍ଟର୍ ବା ଛଣାଳୀ ପରି କାମ କରେ। ଏହା କିଛି ରଙ୍ଗକୁ ଶୋଷି ନେଇ କେତେକକୁ ଛାଡି଼ଯାଏ। ଏଠାରେ ଫିଲ୍ଟରଟି ନାଲିଆ ରଙ୍ଗର ଅଟେ। ଏହା ଲାଲ୍ ବ୍ୟତୀତ ଆଉ ସବୁ ରଙ୍ଗକୁ ଶୋଷି ନିଏ। ପପୁଲି ଭିତରର ଲାଲ୍ ରକ୍ତ କଣିକା ମୁଖ୍ୟତଃ ଏହି ଲାଲ୍ ଫିଲ୍ଟରର କାମ କରିଥାଏ। ପରୋକ୍ଷ ଭାବରେ ଏହି ମଜା ପରଖଟି ପାପୁଲି ଭିତରେ ସଞ୍ଚାଳିତ ରକ୍ତ ପରିମାଣକୁ ବି ସୂଚାଇଥାଏ।

ଦରକାର: ଗୋଟିଏ ଟର୍ଚ୍ଚ।

୬. ଠୋ...ଠା...ଢୁସ୍...ଢାସ୍...

ଗୋଟିଏ ଚୀନା ମାଟି ପାତ୍ରରେ ୧୦ ମିଲି ଲିଟର ଆମୋନିଅମ୍ ହାଇଡ୍ରକ୍ସାଇଡ୍ ନିଅ। ଏଥିରେ ୪-୫ ଗ୍ରାମ ଆୟୋଡିନ୍ ମିଶାଇଦିଅ। ଏହା ମିଶିବାର ୧୦ ମିନିଟ୍ ପରେ ଏଥିରେ କିଛି ଗାଢ଼ ମାଟିଆ ରଙ୍ଗର ଜିନିଷ ଦେଖାଦିଏ। ପାତ୍ରଟିରେ ଅଳ୍ପ ବାଲି ଏଥି ସହ ଗୋଳାଇ ଦିଅ। କାହାକୁ ନ କହି ଏହାକୁ ଘର ତାଜା ଉପରେ ଥୋଇ ଦେଇଥାଅ। ଅଳ୍ପ କିଛି ସମୟ ପରେ ଘରେ ସମସ୍ତେ ଚମକି ପଡି଼ବେ ଯେତେବେଳେ ଶୁଭିବ ଠୋ...ଠା...ଢୁସ୍...ଢାସ୍...।

ଏଥିରେ ଡରିବାର କିଛି ନାହିଁ। କାରଣ ଏହା ଏକ ନିରାପଦ ପରଖ ଓ ଏଥିରେ ଶବ୍ଦ କମ ହୁଏ। ଚୁଲିରେ ଟିକେ ଲୁଣ ପକାଇ ଦେଲେ ଯେପରି ଚଡ଼ ଚାଡ଼୍ ଶବ୍ଦ ହୋଇଥାଏ, ଏଥିରେ ତା'ଠାରୁ ଅଳ୍ପ ବେଶୀ ଶବ୍ଦ ହୋଇଥାଏ।

କାରଣ: ଆମୋନିଅମ୍ ହାଇଡ୍ରକ୍ସାଇଡ୍ ସହ ଆୟୋଡିନ୍ ମିଶିଲେ ନାଇଟ୍ରୋଜେନ୍ ଟ୍ରାଇଆୟୋଡାଇଡ୍ ମିଳେ ଯାହା ମାଟିଆ ରଙ୍ଗର ହୋଇଥାଏ। ଏହା ଅଳ୍ପ ଆଘାତରେ ଫୁଟି ଥାଏ। ଆଘାତ ପାଇଲେ ଏହାର ମୂଳ ଅଣୁଗିଡି଼କ ଖୋଲି ଯାଏ। ଏଥିରୁ ଯବକ୍ଷାରଜାନ ଓ ଆୟୋଡିନ୍ ବାଷ୍ପ ବାହାରେ। ଅଳ୍ପ କଠିନ ବସ୍ତୁଟି ଭାଙ୍ଗିଯାଇ ହଠାତ୍ ପ୍ରଚୁର ଆୟୋଦିନ ବାଷ୍ପ ବାହାରୁ ଥିବାରୁ ଏପରି ବିଷ୍ଫୋରଣ ଓ ଶବ୍ଦ ସୃଷ୍ଟି ହୋଇଥାଏ। ଏହାକୁ ବାଲିରେ ମିଶାଇ ଚଟାଣ ଉପରେ ବିଛାଇଦେଲେ ବି ଏହା ଉପରେ ଚାଲିଲା ବେଳେ ଶବ୍ଦ ହୁଏ। କିନ୍ତୁ ଚପଲ ପିନ୍ଧି ଏହା ଉପରେ ଚାଲିଲେ ଭଆ। ପରେ ପୁଣି ମଜା କରିବା ପାଇଁ ଏହି ଯ୍ଔଗିକଟିକୁ ବୋତଲ ଆଦିରେ ସାଇତିବ ନାହିଁ। ଅଜାଣତରେ ବୋତଲଟି ଫାଟି କାଚ ଗୁଣ୍ଡ ବିଛାଇ ହୋଇଯାଇପାରେ।

ଦରକାର: ଆମୋନିୟମ୍ ହାଇଡ୍ରକ୍ସାଇଡ୍, ଆୟୋଡିନ୍, ବାଲି ଓ ଗୋଟିଏ ପ୍ଲେଟ୍।

୭. କେତେ ତାକତ୍?

କେଟୋଟି ପୋଷ୍ଟକାର୍ଡ୍ ଆଣା। ଗୋଟକୁ ହାତରେ ନେଇ ଦେଖ ଏହା କେତେ ଟାଣ। ସାଦା କାଗଜଠାରୁ ଏହା ବେଶ ମୋଟା ଓ ଅଳ୍ପ ଟାଣୁଆ ହୋଇଥାଏ। କିନ୍ତୁ ହାତକୁ ଏହା ବିଶେଷ ଶକ୍ତ ଜଣାପଡେ ନାହିଁ। ସୁବିଧାରେ ଏହାକୁ ବଙ୍କାଇ ହୁଏ। ଏହା ଉପରେ ଲମ୍ବ ବାଗରେ ଗୋଡି଼ଟିଏ ଥୋଇଲେ ଏହା ବଙ୍କେଇଯାଏ। କିନ୍ତୁ କିଛି ପୋଷ୍ଟକାର୍ଡ୍ ନେଇ ବିଭିନ୍ନ ଆକାରରେ ଗୁଡା଼ଅ ଉଭୟ ଲମ୍ବା ଓ ଓସାରିଆ ଭାବରେ।

ସବୁତକକୁ କେବଳ ଗୋଲ କରି ଗୁଡା଼ଅ ନାହିଁ। କେଉଁଟାକୁ ଚାରିକୋଣିଆ, କେଉଁଟକୁ ପାଞ୍ଚକୋଣିଆ, ଛାକୋଣିଆ ପୁଣୀ କେଉଁଟକୁ ତ୍ରିଭୁଜ ଆକାରରେ। ବଙ୍କେଇ ଦେବ ପାରେ ପ୍ରତ୍ୟେକରେ କିଛି ଭଲ ଅଠା ଲଗାଇ ଯୋଡି଼ଦିଅ। ଶୁଖିଯିବା ପରେ ଦେଖ ଏଗୁଡି଼କର କେତେ ତାକତ୍? ଏଗୁଡି଼କୁ ଧାଡି଼ରେ ଠିକରାଇ ଦିଅ। ପ୍ରତ୍ୟେକ ଉପରେ ଗୋଟିଏ ଲେଖାଁଏ ଅଳ୍ପ ମୋଟା ବହି ଥୁଅ। ଯଦି ଏହା ଓଜନ ସମ୍ଭାଳି ପାରୁଛି, ତେବେ ବହି ସଂଖ୍ୟା ଓ ଓଜନ ବଢା଼ଇ ଚାଲ। ଦେଖ କିଏ କେତେ ସମ୍ଭାଳି ପାରୁଛି।

ସିଧା ଅପେକ୍ଷ ବଙ୍କା ପୋଷ୍ଟକାର୍ଡର ତାକତ୍ ଯଥେଷ୍ଟ ବେଶୀ। ଇଟା ଫାଙ୍କରେ ଗୋଟିଏ ସାଧାରଣ ପୋଷ୍ଟକାର୍ଡ୍ ଉପରେ ଗୋଟିଏ ପଚାଶା ପଇସି ଥୋଇଲେ କାର୍ଡଟି ତଳକୁ ଅଳ୍ପ ଦବିଯିବ। କିନ୍ତୁ ଗୁଡା଼ ହୋଇଥିବା କାର୍ଡ଼ତିଏ ଉପରେ ଓଜନ ଦେଲେ ଏହା ଅନେକ ବେଶୀ ପଇସିର ଓଜନକୁ ଅଚିରେ ସମ୍ଭାଳି ନେଇପାରେ।

ଆଉ ଏକ ମଜାଦାର ଆକାର ହେଉଛି ପୋଷ୍ଟକାର୍ଡର ଢେଉଢେଉକା ଆକାର। ଗୋଟିଏ ପୋଷ୍ଟକାର୍ଡ ପଚାଶ ବା ଟଙ୍କିକିଆ ପୈସାଟିଏର ଚାପରେ ଦବିଯାଏ। କିନ୍ତୁ ଏହାକୁ ଆଜବେଷ୍ଟସ୍ ବା ଟିଣ ଚଦର ଭଳି ବଙ୍କେଇ ଢେଉ ଢେଉକା କରିଦିଅ। ଏଥର ଏହାକୁ ଇଟା ଫାଙ୍କରେ ରଖିଦିଅ। ଏହା ଉପରେ ଗୋଟାକ ପରେ ଗୋଟିଏ ପଇସା ଥୁଅ। ଦେଖ ତାର ତାକତ୍ କେତେ ବଢି଼ ଯାଇଛି।

କାରଣ: ଏହା ପ୍ରୟୋଗ ବିଜ୍ଞାନର ଏକ ଉପଯୋଗୀ ସୂତ୍ର। ଘରେ ବଡ଼ ଘରର ଛାତକୁ ଅଧିକ ବଳ ଯୋଗାଇବା ପାଇଁ ମଝିରେ ବିଭିନ୍ନ ପ୍ରକାରର ଖମ୍ବ ତିଆରି କରାଯାଇଥାଏ। ତ୍ରିଭୁଜ ଆକାରର ଜିନିଷଗୁଡି଼କ ସବୁଠୁ ବେଶୀ ଭାର ସହି ପାରିଥାଏ। ତେଣୁ ଢେଉଢେଉକା କାର୍ଡ ବା ତ୍ରିଭୁଜାକାର ନଳୀର ବଳ ଯଥେଷ୍ଟ ବେଶୀ ହୋଇଥାଏ। ସେଥିପାଇଁ ଚାଳ୍ଘର, ପୋଲ ଓ ଆଜବେଷ୍ଟସ୍ ଆଦି ଘର୍ ଅତିଆରି ପାଇଁ ତ୍ରିଭୁଜାକାର ଛନ୍ଦ ଦ୍ଵାରା ଛାତକୁ ଦମ୍ଭ ଯୋଗାଯାଇଥାଏ।

ଦରକାର: କିଛି ବ୍ୟବହୃତ ପୋଷ୍ଟକାର୍ଡ୍, ଅଠା, କିଛି ବହି, ଇଟା, କିଛି ପଇସା।

୮. ଲେଖିଲ ଦେଖି...

ଟେବୁଲ ଉପରେ ଗୋଟିଏ ଦର୍ପଣକୁ ଢିରା ଦେଇ ରଖ। ଗୋଟିଏ ସଫା କାଗଜକୁ ଦର୍ପଣ ସାମନାରେ ଥୁଅ। କାଗଜଟି ଦର୍ପନରେ ଦେଖାଯାଉଛି? ଦର୍ପଣଟିକୁ ଅଳ୍ପ ସଜାଡି଼ ଦିଅ ଯେପରି ଏଥିରେ କାଗଜର ଉପର ଭାଗଟିକୁ ପରିଷ୍କାର ଦେଖିହେବ। ତୁମେ ଏଥର କେବଳ ଦର୍ପଣ ଭିତରକୁ ଚାହିଁ କଲମରେ କାଗଜ ଉପରେ ତୁମ ନାଁ ବା ଅନ୍ୟ କିଛି ଲେଖିବାକୁ ଚେଷ୍ଟା କର। କିନ୍ତୁ ମନେରଖ କାଗଜ ଲେଖାକୁ ଦେଖିବ ନାହିଁ। କେବଳ ଦର୍ପଣରେ ଲେଖାର ଛାଇକୁ ଦେଖି ଲେଖିବ। ଏପରି ଲେଖିବ ଯେପରି ଲେଖାଟି ଦର୍ପଣରେ ସିଧା ଛାଇକୁ ଦେଖି ଲେଖିବ। ଏପରି ଲେଖିବ ୟେପରି ଲେଖାଟି ଦର୍ପଣରେ ସିଧା ଦେଖାଯିବ, କାଗଜରେ ତୁମେ ଯେମିତି ଲେଖୁଛ ଲେଖ। ଲେଖି ସାରିବା ପରେ କାଗଜ ଉପରେ ଦେଖ ଲେଖାତି କିପରି ଦେଖାଯାଉଛି। ଲେଖାଟି କାଗଜରେ ଓଲଟା ହୋଇଯିବ।

ଦର୍ପଣରେ ଲେଖାର ପ୍ରତିବିମ୍ବଟି ତୁମେ ଦେଖିପାର। ପୁଣି ଦର୍ପଣରେ ସବୁବେଳେ ଓଲଟା ଛବି ଦେଖାଯାଏ। ତେଣୁ ଦର୍ପଣ ଉପରେ ସିଧା ଛବି ପାଇବା ପାଇଁ ତୁମକୁ କାଗଜ ଉପରେ ଓଲଟା ଲେଖିବାକୁ ପଡି଼ବ। କେବଳ 'ଠ' ଭଳି ଅକ୍ଷରକୁ ହିଁ ଓଲଟା ଲେଖିବାକୁ ପଡେ ନାହିଁ। ଦର୍ପଣକୁ ଦେଖି ଏପରି ଲେଖିବକୁ ବେଶ୍ ମଜା ଲାଗେ।

ଦରକାର: ଟେବୁଲ୍, ଦର୍ପଣ, ସଫା କାଗଜ, କଲମ, ଚଉକି।

୯. ପେନସିଲର ନାଚ

ହାତରେ ପେନସିଲର ଗୋଟିଏ ମୁଣ୍ଡକୁ ଧର। ବୁଢା଼ ଆଙ୍ଗୁଠି ଓ ବିଶି ଆଙ୍ଗୁଠି ଟିପରେ ପେନସିଲର ମୁଣ୍ଡକୁ ଧରି ଏହାର ଆର ମୁଣ୍ଡଟିକୁ ତିକେ ଜୋରରେ ତଳ ଉପରି ହଲାଅ। ଦେଖିବ ଏହାର ସେ ମୁଣ୍ଡଟି ଝାପସା ଦେଖାଯିବ ଓ 'V' ଅଞ୍ଚଳରେ ଏକ ଅତି ପତଳ ପର୍ଦା ବନାଇଲା ପରି ଦେଖାଯିବ। ଏହି କାମଟିକୁ ତୁମେ ଟେଲିଭିଜନ ସାମନାରେ କରିବ।

ଏଥିପାଇଁ ଘରଟିକୁ ପୂରା ଅନ୍ଧାର କରିବାକୁ ହେବ। ପୂରା ଅନ୍ଧାର ଘରେ ଟେଲିଭିଜନ ଦେଖିବା ଆଖି ପାଇଁ କ୍ଷତିକାରକ। କିନ୍ତୁ କେବଳ ଏହି ପ୍ରୟୋଗଟି ପାଇଁ ଅଳ୍ପ ସମୟ ପାଇଁ ଅନ୍ଧାର କର। ଟେଲିଭିଜନ୍ ଚାଲିଥିବା ବେଲେ ଏହା ସାମନାରେ ପେନସିଲତିକୁ ଆଗ ଭଳି ଧରି ଶୀଘ୍ର ଶୀଘ୍ର ହଲାଅ। ପେନ୍ସିଲଟି ଆଗ ଭଳି ଝାପସା ହୋଇ ଦେଖାଯିବା ବଦଳରେ କେତେକ ଅଂଶରେ ହିଁ ଦେଖାଯିବ ଓ ସେଠାରେ ଅପେକ୍ଷାକୃତ ପରିଷ୍କାର ଦେଖାଯିବ।

କାରଣ: ଟେଲିଭିଜନରେ ଅନେକଗୁଡି଼ଏ ବିନ୍ଦୁ ଯୋଡି଼ ହୋଇ ଏକ ନୂଆ ଆକାର ସୃଷ୍ଟି କଲାପରି ଦେଖାଯାଇଥାଏ। ଏଗୁଡି଼କ ଲଗାତାର ବଦଳି ଚାଲିଥାଏ। ଟେଲିଭିଜନ ପରଦାରେ ଗୋଟିଏ ଜାଗାରୁ ଅଲୁଅ ସ୍ଥିର ଭାବେ ଆସି ନଥାଏ। ସେକଣ୍ଡକ ମଧ୍ୟରେ ପ୍ରାୟ ତିରିଶଟି ଛବି ବରଦା ଉପରେ ତିଆରି ହୋଇଥାଏ। ଏଗୁଡି଼କର ବ୍ୟବଧାନ ମଧ୍ୟରେ ପରଦାଟି କଳା ହୋଇଥାଏ। ଏହି ସମୟରେ ପେନସିଲଟି ଏକ ନୂଆ ଜାଗାକୁ ଘୁଞ୍ଚି ଯାଇଥାଏ। ତେଣୁ ମନେ ହୁଏ ପେନସିଲଟି ଧିରେ ଧୀରେ ଗତି କରି ଚାଲିଛି। ପେନସିଲକୁ ହଲାଇଲା ବେଳେ ହିଁ ଟେଲିଭିଜନର ଛବି ବଦଳିବା ଢାଞ୍ଚାକୁ ଜାଣି ହୋଇଥାଏ। ଅନ୍ୟ ସମୟରେ ଆଖି ଏହା ସହ ଏତେ ଅଭ୍ୟସ୍ତ ହୋଇ ଯାଇଥାଏ ଯେ, ଏହାକୁ ଧରିପାରେ ନାହିଁ।

ଦରକାର: ପେନସିଲ, ଟେଲିଭିଜନ।

୧୦. ଘରେ ଦେଖିବ ତାରା!

ଖୋଲା ସଫା ଆକାଶ ତଳେ ତାରାତିଏ ଦେଖିଲେ ଲାଗେ ସତେ ଯେପରି ଏହା ମିଟି ମିତି କରୁଛି। ଏଥିରେ ଉଜ୍ଜଳ ଅଲୁଅ ରେଖାଟିଏମାନ ଚାରି ଦିଗକୁ ମୁନିଆ ହୋଇ ବିଛେଇ ହୋଇ ପଡୁ଼ଛି। ଏହା ଦେଖିବାକୁ ବେଶ୍ ସୁନ୍ଦର ଲାଗେ।

ଘର ଭିତରେ ବି ଆମେ ଏପରିକା ଏକ ସୁନ୍ଦର ଦୃଶ୍ୟ ଦେଖି ପାରିବା। ଘରତିକୁ ଅନ୍ଧାର କରିଦିଅ। ମହମବତୀ ବା ଦୀପଟିଏ ଜାଳ। ଏହାର ଶିଖା ଉପରେ କ୍ଔଣସି ଢାଙ୍କୁଣି ରଖ ନାହିଁ। ଶିଖାଠାରୁ ପ୍ରାୟ ୬-୭ ଫୁଟ ଦୂରରେ ଠିଆ ହୁଅ। ଗୋଟିଏ ସଫା କନାକୁ ଆଖି ସାମନାରେ ଖୋଲି ଟାଣି ଧର ଓ ଏହା ଭିତର ଦେଇ ଶିଖାଟିକୁ ଦେଖ। ଆଲୁଅଟିର ଚାରିପଟେ ସରୁ ଆଲୁଅ ରେଖାମାନ ଦେଖାଯିବ। ଏଥି ସହିତ ତୁମେ ହଳଦିଆ ଓ କମଳା ରଙ୍ଗର ଶିଖାମାନ ବି ଦେଖିପାରିବ।

କାରନ: ଏଠାରେ କନାଟି ଏକ ବିକ୍ଷେପକ ଗ୍ରେଟିଂର କାମ କରିଥାଐ। ଭଲ ଗ୍ରେଟିଂଟିଏ ଆଲୁଅର ବିଭିନ୍ନ ରଙ୍ଗକୁ ଅଲଗା କରି ଦେଇଥାଏ। ବିକ୍ଷେପକ ଗ୍ରେଟିଂ ବନାଇବା ପାଇଁ ଖଣ୍ଡିଏ ପ୍ଲାଷ୍ଟିକ୍ ବା କାଚ ପରି ସ୍ଵଚ୍ଛ ବସ୍ତୁ ଉପରେ ଅତି ସରୁଆ ପଟିମନ କାଟିବାକୁ ପଡି଼ଥାଏ। ଅଧା ଇଞ୍ଚ ଜାଗା ମଧ୍ୟରେ ଏପରିକା ପ୍ରାୟ ବାର ହଜାର ଗାର କାଟିବାକୁ ହୁଏ। ଏଥିପାଇଁ ଧାରୁଆ ଓ ଶକ୍ତିଶାଳୀ କାମ କରିପାରୁଥିବା ହୀରା ମୁନ ବ୍ୟବହାର କରାଯାଇଥାଏ। ଏଠାରେ କନାଟି ଏପରିକା ଏକ ଶସ୍ତା ଗ୍ରେଟିଂର କାମ କରେ। କିନ୍ତୁ ଏହା ଭିତରର ସୂତାଗୁଡି଼କ ମଧ୍ୟରେ ଯଥେଷ୍ଟ ବେଶୀ ଫାଙ୍କ ରହିଥାଏ। ତେଣୁ ଏହା ଗ୍ରେଟିଂ ପରି ଦକ୍ଷ ଭାବେ କାମ କରି ପାରି ନଥାଏ ଓ ଏଥିରେ ହଳଦିଆ, କମଳା ଆଦି ରଙ୍ଗ ଈଷତ୍ ଦେଖାଯାଏ। ଏହା ମଧ୍ୟ ଦେଇ ତାରା ପରି ଆଲୁଅ ଛାତି ହୋଇପଡି଼ବାର କାରନ ଅଲଗା। ଆମ ମୁଣ୍ଡ ସାମାନ୍ୟ ହଲିଗଲେ ବି ଆଲୁଅର ଗତିପଥ ବଦଳୀ ଥାଏ। ତେଣୁ ଏପରି ଦେଖାଯାଏ।

ଦରକାର: ମହମବତୀ ବାଦୀପ, ଗୋଟିଏ ରୁମାଲ୍ ବା ସଫା କନା।

୧୧.ତତଲା ରବର ବ୍ୟାଣ୍ଡ୍

ରବର ବ୍ୟାଣ୍ଡଟିଏ ହାତରେ ଧରିଲେ ଭିଡି଼ବା, ଛୋଟେଇବା, ପୁଣି ଭିଡି଼ବା... ଏପରି କରିବାକୁ ଭାରି ମଜା ଲାଗିଥାଏ। ଭିଡି଼ଲା ବେଳେ ଏହା ନ ଭାଙ୍ଗିଯାଇ ଲମ୍ବି ଚାଲିବା ଓ ଟାଣ ଲାଗିବାରେ ଏକ ମଜା ଅନୁଭୂତି ମିଳିଥାଏ। କିନ୍ତୁ କ'ଣ ପରିବର୍ତ୍ତନ ହୁଏ ଲକ୍ଷ୍ୟ କରିଛ କି? ଏହା ଲମ୍ବିଥିବା ବେଳେ ଫିକା ଦେଖାଯାଏ। ଲମ୍ବିଲେ ଏହାର ଧାରଗୁଡି଼କ ଖଦଡି଼ଆ ଜଣାପଡେ। ଭିଡି଼ ହୋଇଥିଲା ବେଳେ ମଝିରେ ଟାଣି ଛାଡି଼ ଦେଲେ କ୍ରିଂ କରି ଶବ୍ଦଟିଏ ଶୁଭେ। ଏସବୁ ଛାଏଁ ଛାଏଁ ଜାଣୀହୁଏ। କିନ୍ତୁ ଏହାକୁ ସେ ସମୟରେ କେବେ ଛୁଇଁ କହିପାରିବ କି ଏହା ଥଣ୍ଡା ହୁଏ ନା ନରମ? ଏଥିପାଇଁ ଗୋଟିଏ ରବର ବ୍ୟାଣ୍ଡ୍ ଆଣ। କିଛି ଟଣା ଭିଡା଼ କରିବା ଆଗରୁ ଏହାକୁ ଦୁଇ ହାତରେ ଦୁଇପଟେ ଧର। ଏହାକୁ କପାଳରେ ଛୁଆଁଇ ଦେଖ ଏହାର ଉତ୍ତାପ କେତେ। ଏଠାରେ କପାଳ ତୁମର ଉତ୍ତାପ ମପାଳୀ କାମ କରିବ। ଏଥର ଦୁଇ ପଟକୁ ଭିଡି଼ ଦିଅ। ସାଙ୍ଗେ ସାଙ୍ଗେ ଏହି ଅବସ୍ଥାରେ କପାଳରେ ଛୁଆଁଇ ଦେଖ ଉତ୍ତାପ ଏକା ଅଛି ନା କିଛି ବଦଳିଛି। ଏହା ତୁମକୁ ଆଗ ଅପେକ୍ଷା ଉଷୁମ ଲାଗିବ।

କାରଣ: ଏହା ବୁଝିବା ପାଇଁ ଆମକୁ ରବର ବ୍ୟାଣ୍ଡର ଗଠନକୁ ବୁଝିବାକୁ ପଡି଼ବ। ଏଥିରେ ଥିବା ଅଣୁଗୁଡି଼କ ସ୍ପ୍ରିଂ ପରି ଗୁଡାଇ ହୋଇ ରହିଥାନ୍ତି। ଏହାକୁ ଭିଡି଼ ଦେଲେ ଅଣୁଗୁଡି଼କ ଭିଡି଼ ହୋଇ ସିଧା ହୋଇ ଯାଆନ୍ତି। ଛାଡି଼ ଦେଲେ ପୁଣି ଆଗ ଭଳି ବଙ୍କେଇ ଯାଆନ୍ତି। ରବରଟିର ଆକୃତି ବଦଳାଇବା ପାଇଁ ଆମେ ଏହାକୁ ଜବରଦସ୍ତ ଟଣା ଓଟରା କରୁ। ଏହି ଶକ୍ତି କ୍ରମଶଃ ତାପ ଶକ୍ତିକୁ ବଦଳିଯାଏ। ଫଳରେ ରବରଟି ଗରମ ଲାଗେ। ପୁଣି ଛାଡି଼ ଦେବା ପରେ ରବର ଓଲଟା ଶକ୍ତି ଲଗାଇ ତାର ପୂର୍ବ ଅବସ୍ଥାକୁ ଫେରିଆସେ। ପ୍ରକ୍ରିୟାଟିରେ ଶକ୍ତି ସଂରକ୍ଷିତ ହୋଇ ରହିଥାଏ।

ଦରକାର: ଗୋଟିଏ ରବର ବ୍ୟାଣ୍ଡ୍ (ଫିତା)।

୧୨. ଚିଉଁ... ଚିଉଁ... ବାଜା

ଗୋଟିଏ କାଗଜ ଗିଲାସ ଆଣ। ଏହାର ତଳେ ଅଧା ଇଞ୍ଚ ଦୂରତାରେ ଦୁଇଟି କଣା କର, ଯେପରି ଦୁହେଁ ଦୁଇ ପାଖରେ ରହିବେ। ଗୋଟିଏ ଟାଣୁଆ (ନାଇଲନ୍ ବା ପ୍ଲାଷ୍ଟିକ୍) ସୂତାକୁ ଭିତର ପଟୁ ଗଳାଅ, ବାହାରେ ଗଣ୍ଠିଟିଏ ପକାଇ ଦିଅ। ଗୋଟିଏ ଖଡି଼କା କାଠିକୁ ଗିଲାସର ଓସାର ଠାରୁ ଅଳ୍ପ ବଡ଼ ଆକାରରେ ଭାଙ୍ଗ, ଦୁଇ କଣା ମଝିରେ ସୂତା ଫାଙ୍କରେ ଖଡି଼କାଟିକୁ ରଖିଦିଅ। ଗୋଟିଏ ଛୋଟ ସ୍ପଞ୍ଜ (ଇଞ୍ଜେ ଦେଢ଼ ଇଞ୍ଚ)କୁ ପାଣିରେ ଭିଜାଇ ଦିଅ। ସୂତାଟିକୁ ମଝିରେ ମଝିରେ ଧର। ଏହାକୁ ଚିପି ଧରି ବାହାର ଆଡ଼କୁ ସ୍ପଞ୍ଜଟିକୁ ଘୁଞ୍ଚାଇ ଚାଲ। ମଝିରେ ମଝିରେ ଗିଲାସରେ ଲାଗିଥିବା ଦଉଡି଼ ମଝିକୁ ଆଙ୍ଗୁଠିରେ କଡ଼ରୁ ଭିଡି଼ ଛାଡି଼ ଦେଇଥାଅ। କୁକୁଡା଼ ଛୁଆ ରାବିଲା ଭଳି ଏଥିରୁ ଚିଉଁ...ଚିଉଁ...ଶବ୍ଦ ବାହାରିବ।

କାରଣ: ଗିଲାସ ଭିତରେ ଟାଣୁଆ ଦଉଡି଼ଟିଏକୁ ଭିଡି଼ ଧରି ମଝିରେ ଆଙ୍ଗୁଠିରେ ଟାଣି ଛାଡି଼ଲେ ଶବ୍ଦ ସୃଷ୍ଟି ହେବା ସହ ଆମେ ପରିଚିତ। ନିଜେ ଦଉଡି଼ଟି ଥରି ଉଠିବା ସହ ଏହାର ଅଣୁଗୁଡି଼କ ଥରି ଉଠନ୍ତି। ଏହା ଗିଲାସର ତଳ ଭାଗ ଓ ପାଖ ଅଂଶକୁ ମଧ୍ୟ କମ୍ପାଇ ଦିଏ। ଫଳରେ ଶବ୍ଦ ସୃଷ୍ଟି ହୁଏ। ଓଦା ସ୍ପଞ୍ଜ ବ୍ୟବହାର କରିବା ଦ୍ଵାରା ଏହା ସୂତା ଉପରେ ବାହାରକୁ କ୍ରମଶଃ ଖସିପାରେ ଓ ନୂଆ ପ୍ରକାରର ଶବ୍ଦ ସୃଷ୍ଟି କରି ପାରେ। ଅଧିକ ତୀବ୍ର କମ୍ପନ ଯୋଗୁଁ ଆମକୁ ଏହା କୁକୁଡା଼ ଚିଆଁ ଶବ୍ଦ ପରି ଲାଗିଥାଏ।

ଦରକାର: ଗୋଟିଏ କାଗଜ ବା ପ୍ଲାଷ୍ଟିକ ଗ୍ଲାସ, ଛୁଞ୍ଚି, ନାଇଲନ୍ ବା ପ୍ଲାଷ୍ଟିକର ସରୁ ସୂତା।

୧୩. ସୋଡା଼ ଠିପିରେ ହୁଇସିଲ୍!

ଥଣ୍ଡା ପାନୀୟ ଦୋକାନ ସାମନାରେ କେତେ ଠିପି ପଡି଼ଥାଏ। ଗୋଟିଏ ସୋଡା଼ ଠିପି ଆଣ। ଗୋଟିଏ ଫଟା ବେଲୁନ୍ ଯୋଗାଡ଼ କର। ନଚେତ୍ ଗୋଟିଏ ଫଟା ବେଲୁନକୁ ମଝିରୁ ଫାଡି଼ ଦିଅ। ଏହାକୁ ଭିଡି଼କରି ସୋଡା଼ ଠିପିର କୁଞ୍ଚ କୁଞ୍ଚିଆ ମୁହଁରେ ଚାରିକଡେ଼ ଲଗାଇ ଦିଅ। ସେଥିରେ ବେଲୁନଟି ଭିଡି଼ ହୋଇ ରହିବ। ଆଙ୍ଗୁଠିରେ ଚିପିଲେ ତୁମେ ଅନୁଭବ କରିବ ଏହା ଏକ ବାଡି଼ଆ ବାଜା (ତବଲା ବା ମୃଦଙ୍ଗ) ଉପରେ ଚମଡା଼ ଥିଲା ପରି ଭିଡି଼ ହୋଇ ରହିଥିବ। ଏଥର ଠିପିର ସେହି ମୁହଁଟିକୁ ତଳ ଓଠକୁ ଛୁଆଁଇ ଧର ଯେପରି ଏହା ଠିକ୍ ପାଟି ସାମନାରେ ସମତଳ ହୋଇ ରହିବ। ଥିକ୍ ଠିପି ଉପରେ ପବନ ଜୋରରେ ଘଷି ହୋଇଗଲା ଭଳି ଜୋରରେ ଫୁଙ୍କ। ଖୁବ୍ ଜୋରରେ ଶବ୍ଦ ହୋଇ କାନ ଅତଡା଼ ପଡି଼ଯିବ। ଏହା ବିନା ଖର୍ଚ୍ଚରେ ଏକ ଅତି ମଜାଦାର ଖେଳ।

କାରଣ: ବେଲୁନଟିକୁ ଠିପି ମୁହଁରେ ଭିଡି଼ ଲଗାଇ ଦେଲେ ଏହା ଆଗ ଅପେକ୍ଷା ପତଳା ହୋଇରହେ। ଫୁଙ୍କିବା ସମୟରେ ପବନ ଏହି ପତଳା ସ୍ତର ଉପରେ ଜୋରରେ ଗତି କରେ। ପବନ ଠେଲାରେ ପତଳା ବେଲୁନ୍ ସ୍ତରଟି ଜୋରରେ ଥରି ଉଠେ। ବେଲୁନ୍ ରବରର ଅଣୁଗୁଡି଼କ କମ୍ପିବା ସହିତ ତଳ ପାଖର ପବନ ଅଣୁ ବି ପ୍ରାୟ ଏକା ତୀବ୍ରତାର ସହ ଥରି ଉଠେ ଓ ତୀବ୍ର ଶବ୍ଦ ଶୁଣାଯାଏ।

ଦରକାର: ଗୋଟିଏ ସୋଡା଼ ଠିପି, ବେଲୁନ୍।

୧୪. ଚକୋଲେଟ୍ ଜରିରେ ହୁଇସିଲ୍

ଚକୋଲେଟ୍ ଉପରେ ରଙ୍ଗ ଓ ଚିତ୍ର ଥିବା ସୁନ୍ଦର ଜରିଟିଏ ଲାଗିଥାଏ। ଏପରି ଜରିଟିଏ ଆଣ। ଏହାକୁ ଦୁଇ ହାତରେ ଖୋଲି ଏହାର ଗୋଟିଏ ଧାରକୁ ଧର। ଦୁଇ ହାତରେ ବୁଢା଼ ଆଙ୍ଗୁଠି ମଝିରେ ଜରିଟିକୁ ପାଖାପାଖି ଟାଣି ଧର। ଦୁଇ ହାତର ଆଙ୍ଗୁଠି ମଝିରେ ଅଧ ସେମି ଫାଙ୍କ ରଖ। ଏଥର ଜରିଟିକୁ ତଳ ଓଠ ଉପରେ ପାଟିକୁ ଲଗାଇ ସିଧା ଧର, ୟେପରି ଏହା ପାଟି ଧାର ସହ ସମତଳ ଓ ଭିଡି଼ ହୋଇ ରହିବ। ଠିକ୍ ଦୁଇ ହାତ ଫାଙ୍କରେ ଜରି ଧାରଟିକୁ ଖୁବ୍ ଜୋରରେ ଫୁଙ୍କ। ଏକ ବିକଟାଳ ହୁଇସିଲ ବାଜି ଉଠିବ।


କାରଣ: ପତଳା ଜରିଟିକୁ ଭିଡି଼ ଧରିବା ଦ୍ଵାରା ଏକ ପତଳା ସ୍ତର ମିଳିଯାଏ। ଫୁଙ୍କିବା ସମୟରେ ପବନ ଜରି ଉପରେ ଧାଇଁବା ସହିତ ଜରିର ଅଣୁଗୁଡି଼କ ଥରି ଉଠନ୍ତି। ଏହା ପ୍ରଭାବରେ ପାଖ ବାୟୁ ଅଣୁଗୁଡି଼କ ତୀବ୍ର ଭାବେ ଥରି ଉଠନ୍ତି ଓ ଶବ୍ଦ ସୃଷ୍ଟି ହୁଏ। ଖାଲି ଚକୋଲେଟ୍ ଜରି ନୁହେଁ, ଯେ କ୍ଔଣସି ପତଳା ଜରିକୁ ଧରି ଏପରି ମଜାଦାର ପ୍ରୟୋଗତି କରାଯାଇ ପାରିବ।

ଦରକାର: ଚକୋଲେଟ୍ ଜରି।

୧୫. କାଗଜରେ ହୁଇସିଲ୍

ଗୋଟିଏ ଛୋଟ କାଗଜ ଖଣ୍ଡ ଆଣ। ନିଆଁପେଡି଼ ଖୋଳ ଆକାରରେ ଖଣ୍ଡେ କାଗଜ ହେଲେ ଚଳିବ। ଏହାକୁ ମଝିରୁ ଭାଙ୍ଗି ଦିଅ। ମଝି ଭାଙ୍ଗଠୁ କାଗଜର ଭିତର ଆଡ଼କୁ ଏକ ସେମି ଛାଡି଼ ମୋଡି଼ବ ନାହିଁ। ଏହି ଜାଗାରେ ଉଭୟ ପରସ୍ତ କାଗଜକୁ ପ୍ରଥମ ଭାଙ୍ଗ ଆଡ଼କୁ ଓଲଟା ଦିଗରେ ମୋଡି଼ବ ଯେପରି ଉଭୟ ପରସ୍ତ ମଝିରେ ପ୍ରଥମ ଭାଙ୍ଗଟି ଲୁଚି ଯିବ। ଏଥର ଦ୍ଵିତୀୟ ଭାଙ୍ଗଟିକୁ ଖୋଲିଦିଅ। ପ୍ରଥମ ଭାଙ୍ଗର ମଝିରେ ମଟର ଚଣା ଆକାରରେ ଛୋଟ କଣାଟିଏ କର। ପ୍ରଥମ ଭାଙ୍ଗ ଓ ଦ୍ଵିତୀୟ ଭାଙ୍ଗ ମଝି କାଗଜକୁ ବିଶି ଆଙ୍ଗୁଠି ଓ ମଝି ଆଙ୍ଗୁଠି ମଝିରେ ଧର ଓ କାଗଜ ଫାଙ୍କ ଦେଇ ଫୁଙ୍କ। ଏହା ଏକ ହୁଇସିଲ୍ ପରି ବାଜିବ।

ଦରକାର: ଗୋଟିଏ କାଗଜ, କଇଁଚି।

୧୬. କେବେ ପାଖ କେବେ ଦୂର!

ଦୁଇଟି ବାଟିରେ ଅଧାରୁ ବେଶୀ ଯାଏଁ ପାଣି ନିଅ। ଉଭୟରେ କିଛି ମୁହଁଲଗା ପାଉଡର ସିଞ୍ଚି ଦିଅ। ଖଡି଼କା କାଠିଟିଏ ଆଣା। ଏହାକୁ ଦୁଇ ଖଣ୍ଡ କରିଦିଅ। ଗୋଟାକୁ ପାଣିରେ ବୁଡା଼ଇ ଆଣ। ଏହି କାଠିର ଗୋଟିଏ ମୁଣ୍ଡରେ ଲୁଗାଧୂଆ ସାବୁନ ଗୁଣ୍ଡ ଲଗାଇ ମୁଣ୍ଡଟିକୁ ଗୋଟିଏ ବାଟିର ପାଣି ମଝିରେ ଛୁଆଁଇ ଦିଅ। ଦେଖିବ ପାଉଡର ଗୁଣ୍ଡଗୁଡି଼କ କ୍ରମେ ପାଣିରେ ବୁଡି଼ବାରେ ଲାଗିବ। ଆର କାଠିଟିକୁ ମୁଣ୍ଡ ସଫା କରିବା ଶାମ୍ପୁରେ ବୁଡା଼ଅ। ତା'ପରେ ଏହାକୁ ଆର ବାଟିର ପାଣି ମଝିରେ ଛୁଆଁଇ ଦିଅ। ହଠାତ୍ ପାଉଡର ଚକଡା଼ଏ ଲେଖାଏଁ ଖଣ୍ଡରେ ଏକାଠି ହୋଇ ପାଣିରେ ବରଫ ଖଣ୍ଡ ଭାସିଲା ଭଳି ଭାସିବ ଓ କାଠି ଆଡ଼କୁ ପାଖେଇ ଆସିବ। ତେଣୁ ପାଉଡରର ଏହା 'କେବେ ପାଖ କେବେ ଦୂର' ଆଚରଣ ବେଶ୍ ମଜା ଲାଗିବ।

କାରଣ: ମୁହଁ ଲଗା ପାଉଡର ଜଳ ବିକର୍ଷକ ଅଟେ। ତେଣୁ ପାଣିରେ ପକାଇବା ପରେ ଏହା ପାଣି ଉପରେ ଭାସ୍ ବୁଲେ। କିନ୍ତୁ ଶାମ୍ପୁ ବା ଲୁଗାଧୂଆ ସାବୁନ୍ ଗୁଣ୍ଡ ମିଶାଇଲେ ପାଣିର ପୃଷ୍ଠ ଭାଗର ଆକର୍ଷଣ ବା ପୃଷ୍ଟତାନ ଭାଙ୍ଗିଯାଏ। ଫଳରେ ପାଣି କ୍ରମଶଃ ଖେଳାଇ ହେବାକୁ ଚେଷ୍ଟା କରେ ଓ ଏହା ପ୍ରଭାବରେ ପାଉଡର ମଧ୍ୟ ପାଣି ସହ ଭାସି ଚାଲେ। କିନ୍ତୁ ଲୁଗାଧୂଆ ଗୁଣ୍ଡ ଏକ କ୍ଷାର ମିଶା ସବୁନ୍ ବା ଡିଟରଜେଣ୍ଟ୍। ଡିଟରଜେଣ୍ଟ୍ ସାଙ୍ଗେ ସାଙ୍ଗେ କଠିନ ବସ୍ତୁ ଚାରିପଟେ ଗୋଳେଇ ହୋଇ ଏହାର ଭିତରକୁ ଭେଦି ଯାଏ। ଏହା ପାଉଡର ଚାରିପଟେ ଗୋଳେଇ ଏହାକୁ ପାଣ୍ରେ ବୁଡା଼ଇ ଦିଏ। କିନ୍ତୁ ଶାମ୍ପୁ ପ୍ରଭାବରେ ପାଉଡରଗୁଡି଼କ ଚକଡା଼ ଚକଡା଼ ହୋଇ ଭାସିବାରେ ଲାଗେ।

ଦରକାର: ଦୁଇଟି ବାଟି, ମୁହଁଲଗା ପାଉଡର୍, ଖଡି଼କା କାଠି, ଲୁଗାଧୂଆ ସାବୁନ୍ ଗୁଣ୍ଡ, ଶାମ୍ପୁ, ପାଣି।

୧୭.ଫେଣର ଜୁଆର

ଖରା ଦିନେ ବଜାରରେ ଥଣ୍ଡା ପାନୀୟ ବହୁତ ବିକ୍ରି ହୋଇଥାଏ। ଥଣ୍ଡା ପାନୀୟ ବୋତଲ ଖୋଲିବା ପରେ ଏଥିରେ କେବେ ଚିମୁଟାଏ ଲୁଣ ବୋତଲ ବୋତଲ ଭିତରେ ପକାଇ ଦେବ। ଦେଖିବ ହଠାତ୍ ପ୍ରଚୁର ଫେଣ ଉଠିବା ସାଙ୍ଗକୁ ଦେଖିବାକୁ ଏହା ବହୁତ ମଜା ଲାଗେ। ତୁମେ ପିଇବାକୁ ବି ସମୟ ପାଇବ ନାହିଁ।

କାରଣ: ଥଣ୍ଡା ପାନୀୟରେ ଅଙ୍ଗାରକାମ୍ଳ ବାଷ୍ପ ମିଶି ରହିଥାଏ। ଏହା ହିଁ ଫୋଟକା ରୂପେ ଉଠିଥାଏ ଓ ପିଇବା ପରେ ହାକୁଟି ରୂପେ ବାହାରି ଆସିଥାଏ। ଲୁଣ ମିଶାଇଲେ ପାନୀୟରୁ ଅଙ୍ଗାରକାମ୍ଳ ବାଷ୍ପ ଠେଲି ହୋଇ ଉଠିଆସେ। ପ୍ରଚୁର ଅଙ୍ଗାରକାମ୍ଳ ବାଷ୍ପ ଛୁଟିଆସି ଜୁଆରିଆ ଦୃଶ୍ୟ ସୃଷ୍ଟି କରିଥାଏ।

୧୮. ଆତରେ ମାଟିଆ ରଙ୍ଗ କିଏ ବୋଳିଲା।

ଗୋଟିଏ ଆତ (ଆପଲ୍)କୁ ମଝିରୁ ଦୁଇ ଖଣ୍ଡ କରିଦିଅ। ଏଥିରୁ ଗୋଟିଏ ଆତ ଖଣ୍ଡର ଖୋଲା ଅଂଶରେ କିଛି ଭିଟାମିନ୍-ଗ ବଟିକା ଗୁଣ୍ଡ ବିଞ୍ଚିଦିଅ। କିଛି ସମୟ ରହିବା ପରେ ଦେଖିବ ଭିଟାମିନ୍-ଗ୍ ବଟିକା ଗୁଣ୍ଡ ସିଞ୍ଚା ଯାଇଥିବା ଫାଳତି ଯେମିତି ସେମିତି ଅଛି। କିନ୍ତୁ ଆର ଖଣ୍ଡଟିର ରଙ୍ଗ ମାଟିଆ ହୋଇଯାଇଛି।

କାରଣ: ଆତରେ ଏକ ପ୍ରକାରର ଏଞ୍ଜାଇମ୍ ରସ ଥାଏ। କାଟିବା ପରେ ଖୋଲା ଛାଡି଼ଦେଲେ ଏହି ରସର କାମ ଆରମ୍ଭ ହୋଇଯାଏ। କେତେକ ନଷ୍ଟ କୋଷରୁ ଏହି ରସ ଝରେ ଓ ଅମ୍ଳଜାନ ସହ ପ୍ରତିକ୍ରିୟା କରି ଏହା ଅନ୍ୟ କୋଷଗୁଡି଼କୁ ନଷ୍ଟ କରିଚାଲେ। ବାୟୁର ଅମ୍ଳଜାନ ସହ ପ୍ରତିକ୍ରିୟା ଯୋଗୁଁ ଏହାର ରଙ୍ଗ ଓ ସ୍ଵାଦ ଉଭୟ ବଦଳି ଚାଲେ। କିନ୍ତୁ ଭିଟାମିନ୍-ଗ ଏହି ଏଞ୍ଜାଇମର ପ୍ରଭାବକୁ ଅଚଳ କରିଦିଏ। ତେଣୁ ଭିଟାମିନ୍-ଗ ସିଞ୍ଚା ଫାଳଟି ଅପରିବର୍ତ୍ତିତ ରହିପାରେ।

ଦରକାର: ଆତ (ଆପଲ୍), ଭିଟାମିନ୍-ଗ ବଟିକ, ଛୁରୀ।

୧୯. ବୁଢା଼ କାଗଜ

ଧଳା କାଗଜଟିଏ ଆଣ। ଏହାକୁ ଖରାରେ ୪-୫ ଦିନ ରଖିଦିଅ। କ୍ରମେ କାଗଜଟି ହଳଦିଆ ରଙ୍ଗର ଦେଖାଯିବ। ଯେ କ୍ଔଣସି କାଗଜ ଆରମ୍ଭରେ ଯେତେ ଧଳା ଥିଲେ ବି କିଛି ବର୍ଷ ପରେ କ୍ରମେ ବୟସ୍କ ବେହା ସହିତ ଏହା ହଳଦିଆ ପଡି଼ଯାଇଥାଏ।

କାରଣ: ବାଉଁଶ, ଘାସ, କାଠ ଆଦିରେ କାଗଜ ତିଆରି ହୋଇଥାଏ। ଏହାର ରଙ୍ଗ ପ୍ରକୃତରେ ହଳଦିଆ ହିଁ ହୋଇଥାଏ। କିନ୍ତୁ ଏହାକୁ ଧଳା ରଙ୍ଗର କରିବା ପାଇଁ ଏଥିରେ କେତେକ ପ୍ରତିର୍କିୟା କରାଯାଇଥାଏ। ଅମ୍ଳଜାନର ଉପସ୍ଥିତି ଯୋଗୁଁ କାଗଜ ହଳଦିଆ ଦେଖା ଯାଇଥାଏ। ଏହାକୁ ଧଳା କରିବା ପାଇଁ ଏଥିରୁ ଅମ୍ଳଜାନକୁ ହଟୈ ଦିଆଯାଇଥାଏ। ଏଥିପାଇଁ କେତେକ ରସାୟନ ପ୍ରୟୋଗ କରାଯାଇଥାଏ। ଧଳା କାଗଜଟି ଖରାରେ ରଖିଲେ ବାୟୁ ଗରମ ହେବା ସହିତ କାଗଜର ବିଭିନ୍ନ ରସାୟନ ସହ ମିଶି ଏଥି ସହ ଅମ୍ଳଜାନ ମିଶେ। ଅଧିକରୁ ଅଧିକ ଅମ୍ଳାଜାନ ମିଶିବା ସହିତ କାଗଜତି କ୍ରମେ ହଳଦିଆ ପଡି଼ବାରେ ଲାଗେ। ସୂର୍ଯ୍ୟକିରଣ ହିଁ କାଗଜଟିକୁ ଶୀଘ୍ର ବୟସ୍କ କରିଦିଏ।

ଦରକାର: ଧଳା କାଗଜ।

୨୦. ଶାଗୁଆ ପୈସା!

ଗୋଟିଏ କାଗଜକୁ ଚାରିଭାଙ୍ଗ କରି ଗୋଟିଏ ଥାଳିଆ ଉପରେ ରଖ। ଭିନେଗାର୍ ଢାଳି କାଗଜଟିକୁ ଭଲ ଭାବେ ଭିଜାଇ ଦିଅ। କେତେକ ପୁରୁଣା କାଳୀଆ ତମ୍ବା ପୈସା ସଂଗ୍ରହ କର। ଏଗୁଡି଼କୁ ଭିନେଗାର ଭିଜା କାଗଜ ଉପରେ ଅଲଗା ଅଲଗା ଥୋଇଦିଅ। ଦିନକ ପରେ ଦେଖ କଣ ହୋଇଛି। ଦେଖିବ ପୈସାଗୁଡି଼କ ଉପର ଭାଗର ରଙ୍ଗ ବଦଳି ଶାଗୁଆ ହୋଇଯାଇଛି।

କାରଣ: ଭିନେଗାର୍ ହେଉଛି ଅସିଟିକ୍ ଅମ୍ଳ, ଯହାକି ଏହ ଅପେକ୍ଷାକୃତ ଦୁର୍ବଳ ଅମ୍ଳ ଅଟେ। ଏହାର ଅସିଟେତ୍ ଅଂଶ ପୈସାରା ତମ୍ବା ସହ ପ୍ରତିକ୍ରିୟା କରେ। ଫଳରେ ତମ୍ବା ଅସିଟେତ୍ ତିଆରି ହୁଏ ଓ ପୈସା ଉପରେ ଜମିଯାଏ। ଏହାର ରଙ୍ଗ ଶାଗୁଆ ହୋଇଥାଏ। ପୈସାର ଉଭୟ ପଟେ ଭିନେଗାର୍ ଲଗାଇ ତୁମେ ଏହାକୁ ପୁରାପୁରି ଶାଗୁଆ କରି ଦେଇ ପାରିବ।

ଦରକାର: କିଛି କାଗଜ, ଭିନେଗାର, ତମ୍ବା ପଇସା।

୨୧. ପାଟି ଭିତରେ ରାସାୟନିକ କ୍ରିୟା

ଆମେ ଜାଣିଛେ, ଅମେ ଯେଉଁ ଖାଦ୍ୟ ଖାଉ ଏହା ଆମ ଦେହ ଭିତରେ ହଜମ ହୁଏ ଓ ଅମେ ଏଥିରୁ ଶକ୍ତି ପାଉ। ଖାଦ୍ୟକୁ ପାଟିରେ ଚୋବାଇବା ବେଳଠୁ ହିଁ ଏହି ହଜମ କ୍ରିୟା ଆରମ୍ଭ ହୋଇଯାଇଥାଏ। ଏହାକୁ ପ୍ରମାଣୀତ କରିବା ପାଇଁ ଆସ ଏକ ସରଳ ପରଖ କରିବା। ଦୁଇ ଖଣ୍ଡ ପାଉଁରୁଟି ନିଅ। ଖଣ୍ଡେ ରୁଟିକୁ ବେଶ୍ ସମୟ ଧରି ପାଟିରେ ଚୋବାଅ ଯେପରି ଏଥିରେ ଯଥେଷ୍ଟ ଲାଳ ଗୋଇଳାଇ ହୋଇଯିବ। ଏହାକୁ ବାହାର କରି ଖଣ୍ଡିଏ ଜରି ଉପରେ ରଖ। ଆଉ ଏକ ଜରିରେ ଆର ପାଉଁରୁଟି ଖଣ୍ଡଟିକୁ ରଖ। ଉଭୟ ପାଉଁରୁଟି ଉପରେ ୨ ଟୋପା ଲେଖାଁଏ ଟିଙ୍କଚର୍ ଆୟୋଡିନ୍ ପକାଇ ଦିଅ। ଭଲ ପାଉଁରୁଟିଟି କ୍ରମେ ଗାଢ଼ ନୀଳ ରଙ୍ଗର ଦେଖାଯିବ। କିନ୍ତୁ ଲାଳମିଶା ଖଣ୍ଡଟି ଏପରି ହୁଏ ନାହିଁ।

କାରଣ: ଭଲ ପାଉଁରୁଟିର ଶ୍ଵେତସାର ଆୟୋଡିନ୍ ସହ ମିଶି ଆୟୋଡିନ୍ - ଶ୍ଵେତସାର ଯ୍ଔଗିକ ବନାଏ। ଏହାର ରଙ୍ଗ ଗାଢ଼ ନୀଳ-ବାଇଗଣୀ ହୋଇଥାଏ। କିନ୍ତୁ ଲାଳ ମିଶା ପାଉଁରୁତିରେ ଲାଳ ପ୍ରଭାବରେ ଶ୍ଵେତସାର ଅଣୁଗୁଡି଼କ ଭାଙ୍ଗି ଛୋଟ ଛୋଟ ଶର୍କରା ଅଣୂ ହୋଇଯାଇଥାଏ। ଶର୍କରା ସହ ଆୟୋଡିନର ଏପରି ପ୍ରତିକ୍ରିୟା ହୁଏ ନାହିଁ। ତେଣୁ ନିର୍ଦ୍ଦିଷ୍ଟ କ୍ଔଣସି ରଙ୍ଗ ଦେଖାଯାଏ ନାହିଁ।

ଦରକାର ପାଉଁରୁଟି, ଜରି, ଟିଙ୍କଚର୍ ଆୟୋଡିନ୍।

୨୨. ଯାଦୁ ଲେଖା ଗୋଟିଏ କପରେ ଅଧା ଯାଏଁ ପାଣି ନିଅ। ଏଥିରେ ପ୍ରାୟ ଦଶ ଟୋପା ଟିଙ୍କଚର୍ ଆୟୋଡିନ୍ ମିଶାଅ ଓ ଘାଣ୍ଟି ଦିଅ। ଲେମ୍ବୁଟିଏ କାଟି ଏହାର ରସକୁ ଚିପୁଡି଼ ସଂଗ୍ରହ କର। ଗୋତିଏ ଛୋଟ କାଗଜ ଆଣ। ତୁଳୀକୁ ଲେମ୍ବୁ ରସରେ ବୁଡା଼ଇ କାଗଜଟି ଉପରେ କିଛି ଲେଖିଦିଅ। ଏହାକୁ ଖରାରେ ଶୁଖାଇ ଦିଅ। ଲେଖାଟି ଆଉ ଦିଶିବ ନାହିଁ। ଏଥର କାଗଜଟିକୁ ଆୟୋଡିନ୍ ମିଶା ପାଣିରେ ବୁଡା଼ଇଦିଅ। କାଗଜଟି ପୁରା ଗାଢ଼ ବାଇଗଣୀ ରଙ୍ଗର ଦେଖାଯିବ। କେବଳ ଲିଖିତ ଅଂଶଟି ତା' ଉପରେ ଅପରିବର୍ତ୍ତିତ ରହି ପରିଷ୍କାର ସୁନ୍ଦର ଦେଖାଯିବ।

କାରଣ: କାଗଜରେ ଥିବା ଶ୍ଵେତସାର ଆୟୋଡିନ୍ ସହ ମିଶି ଏହି ବାଇଗଣି ରଙ୍ଗ ସୃଷ୍ଟି କରେ। କିନ୍ତୁ ଲେମ୍ବୁ ରସରେ ଭିଟାମିନ୍-ଗ ଥାଏ। ଏହା କାଗଜରେ ଯେଉଁଠି ଲାଗେ, ସେଥାରେ ଏହି ପ୍ରତିକ୍ରିୟା ହୋଇପାରେ ନାହିଁ। କାରଣ, ଭିଟାମିନ୍-ଗ ଆୟୋଡିନ୍ ସହ ମିଶିଲେ ଏକ ରଙ୍ଗହୀନ ଅଣୁ ସୃଷ୍ଟି କରେ।

ଦରକାର: କପ୍, ପାଣି, ଟିଙ୍କଚର ଆୟୋଦିନ୍, ଲେମ୍ବୁ, ଛୁରୀ, କାଗଜ, ତୁଳୀ।

୨୩. ଏପଟେ କଠିନ ସେପଟେ ତରଳ

ଦୁଧରୁ ଆମେ ଦହି, ଛେନା, ଲହୁଣୀ, ଦୁଧ ଗୁଣ୍ଡ ଏମିତି କେତେ ଜିନିଷ ପାଉ। କିଏ କଠିନ ତ କିଏ ତରଳ। ଦୁଧକୁ ନେଇ ଆମେ ଏ ସମ୍ପର୍କୀୟ ଏକ ପ୍ରୟୋଗ କରିବା। ଗୋଟିଏ କାଚ ଗିଲାସରେ ଅଧାଯାଏ ଦୁଧ ନିଅ। ଏଥିରେ କିଛି ଭିନେଗାର୍ ମିଶାଇ ଏହାକୁ ଭଲ ଭାବେ ଘାଣ୍ଟି ଦିଅ। ଏଥର ଏହାକୁ ୪-୫ ମିନିଟ୍ ଯାଏଁ ସ୍ଥିର ରହିବାକୁ ଛାଡି଼ଦିଅ। ଦେଖିବ ଧଳା ରଙ୍ଗର କିଛି କଠିନ ଓ ରଙ୍ଗହୀନ ତରଳ ପାଣି ରୂପରେ ଏହା ଦୁଇ ଭାଗରେ ବାଣ୍ଟି ହୋଇଯିବ।

କାରଣ: ଦୁଧ ଏକ ପ୍ରକାରର କଠିନ ମିଶ୍ରିତ ତରଳ (କଲଏଡ୍)। ଏଥିରେ ଅନେକ ଛୋଟ କଣିକା କେତେକ ତରଳ ପଦାର୍ଥ ସହ ମିଶି ରହିଥାଏ। କଠିନ କଣିକାଗୁଡି଼କ ଦୁଧ ସାରା ସମାନ ଭାବରେ ବିଛେଇ ହୋଇ ରହିଥାଏ। ଦୁଧରେ ଭିନେଗାର୍ ଗୋଳେଇ ଦେବା ଦ୍ଵାରା ଏହି ଛୋଟ କଠିନ କଣିକାଗୁଡି଼କ ଏକାଠି ହେବାରେ ଲାଗେ ଓ ଦହି ତିଆରି ହୁଏ। ଏହା ଏକ କଥିନ ଭାଗ। ଦୁଧର ବାକି ଅଂଶ ଏକ ରଙ୍ଗହୀନ ତରଳ ଭାବରେ ଅଲଗା ରହିଯାଏ।

ଦରକାର: କାଚ ଗ୍ଲାସ, ଦୁଧ, ଚାମଚ

୨୪. କେଉଁ ଚା' କଡା଼?

ଦୁଇଟି କପରେ ପାଣି ଭରିଦିଅ। ଗୋଟାକରେ ଚାମୁଚରେ ଚଉଠେ ଚଟାପଟ୍ ଚା' (ଇନଷ୍ଟାଣ୍ଟ ଟି) ଗୁଣ୍ଡ ପକାଇ ଗୋଳାଇ ଦିଅ। ଆରଟିରେ ପୂରା ଚାମଚେ ଚଟାପଟ୍-ଚା' ଗୁଣ୍ଡ ପକାଇ ଗୋଳାଇ ଦିଅ। ଏଥର ଉଭୟ କପରେ ଚା'ର ରଙ୍ଗକୁ ଲକ୍ଷ୍ୟ କର। ଦେଖିବ ଗୋଟିଏ କପର ଚା ରଙ୍ଗ ହାଲୁକା ଓ ଆରଟିର ରଙ୍ଗ ବେଶ ଗାଢ଼ ଜଣା ପଡୁ଼ଛି।

କାରଣ: କମ୍ ଚା' ଗୁଣ୍ଡ ମିଶା କପରେ ରଙ୍ଗ ହାଲୁକା ହୁଏ ଓ ଏହା ବିଶେଷ କଡା଼ ନୁହେଁ। କିନ୍ତୁ ଅଧିକା ଗୁଣ୍ଡ ମିଶି ଥିବା କପର ଚା' ଗାଢ଼ ଓ କଡା଼।

ଦରକାର: ଦୁଇଟି କପ୍, ଚାମଚ୍, ଇନଷ୍ଟାଣ୍ଟ ଟି।

୨୫. କେଉଁଥିରେ ଶ୍ଵେତ, ପୁଷ୍ଟି ଓ ସ୍ନେହସାର?

ଦେହକୁ ସୁସ୍ଥ ରଖିବା ପୈଁ ଆମେ ବିଭିନ୍ନ ପ୍ରକାରର ଖାଦ୍ୟସାର ଯଥା: ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର ଆଦି ଖାଇଥାନ୍ତି। କେଉଁ ଖାଦ୍ୟରେ କି ସାର ଅଛି ଆମେ ପଢି଼ବାକୁ ପାଉ। କିନ୍ତୁ ନିଜେ ପରଖି ଦେଖିବା ପାଇଁ ମଧ୍ୟ ଆମ ହାତରେ ବିଭିନ୍ନ ଉପାୟ ଅଛି। ହାତ ପାଆନ୍ତା ରସାୟନକୁ ନେଇ ଏହି ପରଖ ସବୁ କରାଯାଇପାରିବ।

ଶ୍ଵେତସାର: ଭାତ, ଅଟା, ପାଉଁରୁଟି, ରୁଟି ଆଦି ଅଳ୍ପ ନେଇ ଗୋଟିଏ ପାତ୍ର ଉପରେ ରଖ। ଏହା ଉପରେ ଦୁଇ ଚାରି ଟୋପା ଲେଖାଁଏ ଟିଙ୍କଚର ଆୟୋଡିନ୍ ପକାଅ। ଦେଖିବ ଅଳ୍ପ ସମୟ ମଧ୍ୟରେ ଆୟୋଡିନ୍ ଲାଗିବା ଜାଗାଗୁଡି଼କ ଗାଢ଼ ନୀଳ ବାଇଗଣୀ ଜଣା ପଡି଼ବ। ଏହା ହିଁ ଶ୍ଵେତସାରର ଉପସ୍ଥିତିକୁ ସୂଚାଏ। ଡାଲି, ଦୁଧ ଆଦିରେ ଆୟୋଡିନର ଏପରି ପ୍ରଭାବ ପଡି଼ ନଥାଏ।

ପୁଷ୍ଟିସାର: ବେସନ, ରନ୍ଧା ଡାଲି ଆଦିକୁ ଅଲଗା ଅଲଗା ପାତ୍ରରେ ରଖ। ଏଥିରେ ଅଳ୍ପ କିଛି ଟୋପା ତୁତିଆ (ତମ୍ବା ସଲଫେଟ୍) ଦ୍ରବଣ ପକାଅ। ତା' ସହ ଚାମୁଚାଏ ଲେଖାଁଏ ସୋଡା଼ କ୍ଷାର ପକାଅ। କିଛି ସମୟ ମଧ୍ୟରେ ଏହା ନୀଳ ଦେଖାଯିବ। ସଠିକ୍ ଓ ପରିଷ୍କାର ସୂଚନା ପାଇବା ପାଇଁ ଏହାକୁ ଅଳ୍ପ ଗରମ କରିବାକୁ ପଡି଼ପାରେ।

ସ୍ନେହସାର: ସୋରିଷ, ନଡି଼ଆ, ଚିନାବାଦାମ, ରାଶି, ଜଡା଼, ସୂର୍ଯ୍ୟମୁଖୀ ମଞ୍ଜି ଆଦିକୁ ଅଲଗା ଅଲଗା ପେଷି ଦିଅ। ଏହାକୁ ଅଲଗା ଅଲଗା ପାଣିରେ ଗୋଳାଇ ଦିଅ। ଏଥିରେ କିଛି ଅଲଗା ଅଲଗା ଅନୁପାତରେ ତେଲ ଭାସିବାରେ ଲାଗିବ। ଏହା ସ୍ନେହସାରର ଉପସ୍ଥିତିକୁ ସୂଚାଏ।

ଦରକାର: (କ) ଅଳ୍ପ ଭାତ, ରୁଟି, ପାଉଁରୁଟି, ଅଟା, ଟିଙ୍କଚର ଆୟୋଡିନ୍, ଡାଲି ଦୁଧ, ପାତ୍ର। (ଖ) ବେସନ, ରନ୍ଧା ଡାଲି, ତୁତିଆ, ପାତ୍ର, ସୋଡା଼ କ୍ଷାର। (ଗ) ସୋରିଷ, ନଡି଼ଆ, ଚିନାବାଦାମ, ରାଶି, ଜଡା଼, ସୂର୍ଯ୍ୟମୁଖୀ ମଞ୍ଜି, ପାଣି, ପାତ୍ର।

୨୬. ଆଖି କଣ କହୁଛି...

ପ୍ରୟ ୪-୫ ଇଞ୍ଚ ଲମ୍ବର ଗୋଟିଏ ଧଳା କାଗଜ ପଟି ନିଅ। ଏହାକୁ ମଝିରୁ ଥରେ ଭାଙ୍ଗିଦିଅ। ଏହାର ତଳ ଅଧକରେ ଗୋଟିଏ ମଣିଷର ଦୁଇଟି ଖୋଲା ଆଖିର ଚିତ୍ର ଆଙ୍ଗ। ଏହାର ଠିକ୍ ଉପର ଭାଗରେ ଆର କାଗଜଟିରେ ଆଖି ବନ୍ଦ ଥିବାର ଚିତ୍ରଟିଏ ଆଙ୍କ। ଉପର କାଗଜତିକୁ ପେନସିଲରେ ଗୁଡା଼ଇ ବଙ୍କାଇ ଦିଅ। ଏଥର କାଗଜଟିକୁ ବନ୍ଦ ମୁଣ୍ଡରେ ଧରି ରଖି ପେନସିଲ ସାହାଯ୍ୟରେ ଖୋଲ ମୁଣ୍ଡତିକୁ ଏପଟ ସେପଟ କରି ହଲାଅ। ମନେ ହେବ ଯେପରି ଏହା ଜିଇଁ ଉଠିଛି। ଆଖି ଦୁଇଟିକୁ ମୁଜୁଛି...ଖୋଲୁଛି...ମୁଜୁଛି...ଖୋଲୁଛି। ଏହା ଏକ ମଜାଦାର ଖେଳେ ହୋଇଯାଏ।

କାରଣ: ଏହା ଚଳଚ୍ଚିତ୍ରର ଏକ ନମୁନା। ଚିତ୍ରଟି ଜିଇଁ ଉଠିଲା ପରି ମନେ ହେଉ। ଶୀଘ୍ର ଶୀଘ୍ର ଗୋଟାକ ପରେ ଗୋଟିଏ ଛବି ଆଖି ଆଗରେ ନାଚି ଚାଲିବାରୁ ଆମ ଆଖି ଏପରିକା ଏକ ଧାରଣା ପାଏ।

ଦରକାର: ଧଳା କାଗଜ ପତି, କଲମ, ପେନସିଲ୍।

୨୭. ହାତରେ କେତୋଟି ଗୁଳା?

ତୁମ ସାଙ୍ଗକୁ ଆଖି ମୁଜି ବସିବାକୁ କୁହ। ତା'ର ବାମ ହାତ ପାପୁଲିକୁ ଖୋଲା ରଖି ତୁମକୁ ଦେଖାଇବାକୁ କୁହ। ତା'ର ଅଜାଣତରେ କାଗଜଟିଏ ମୋଡି଼ ମଟର ଚଣା ଆକାରରେ ଛୋଟ ଗୁଳାଟିଏ ବନାଅ। ଏହାକୁ ଧୀରେ ସାଙ୍ଗର ବାମ ପାପୁଲି ମଝିରେ ଥୋଇ ଦିଅ। ସାଙ୍ଗର ଡାହାଣ ହାତକୁ ଧର। ଡାହାଣ ହାତର ବିଶି ଆଙ୍ଗୁଠି ଓ ମଝି ଆଙ୍ଗୁଠିକୁ ଟିପରେ ଛନ୍ଦି ଦିଅ ଯେପରି ମଝିରେ ପ୍ରାୟ ଏକ ସେମି ଫାଙ୍କ ସୃଷ୍ଟି ହେବ। ଏଥର ସାଙ୍ଗର ଡାହାଣ କଚିକୁ ଧର ଓ କାଗଜଗୁଳା ପାଖକୁ ଛନ୍ଦା ଆଙ୍ଗୁଠିକୁ ଲଗାଅ। ଡାହାଣ ହାଟଟିକୁ ଏପରି ଚଳାଇବ ଯେପରି ଗୁଳାଟି ଛନ୍ଦା ଆଙ୍ଗୁଠି ଦୁଇଟିର ସନ୍ଧିରେ ରହିବ। ଥରେ ଏହା ବିଶି ଆଙ୍ଗୁଠିର କଡ଼କୁ ଛୁଇଁବ ତ ଆର ଥରକୁ ଏହା ମଝି ଆଙ୍ଗୁଠିର କଡ଼କୁ ଛୁଇଁବ। ତିନି ଚାରିଥର ଏପରି ଛୁଆଁଇଲା ପରେ ସାଙ୍ଗକୁ ପଚାର ବାମ ହାତ ପାପୁଲିରେ ସେ କେଟୋଟି କାଗଜଗୁଳା ସହ ଖେଳୁଛି। ସେ ସାଙ୍ଗେ ସାଙ୍ଗେ କହି ଉଠିବ "ଦୁଇଟା"। ଶୁଣିଲା ଓ ଦେଖିଲା ଲୋକ ହସରେ ଫାଟି ପଡି଼ବେ।

କାରଣ: ଆଙ୍ଗୁଠିଗୁଡି଼କୁ ସିଧା ଓ ମୁକ୍ତ ରଖି କାମ କରିବାରେ ଆମେ ଅଭ୍ୟସ୍ତ। କିନ୍ତୁ ଆଙ୍ଗୁଠିକୁ ଛନ୍ଦି ଦେଲେ ଆମ ଦେହ ପାଇଁ ଏହା ପୂରାପୂରି ଏକ ନୂଆ ଅବସ୍ଥା ସୃଷ୍ଟି କରିଥାଏ। ଏହା ମଝିରେ କାଗଜ ଗୁଳାଟିକୁ ଛୁଆଁଇଲା ବେଳେ ଲାଗେ ଯେପରି ଦୁଇଟି ଅଲଗା କାଗଜ ଗୁଳା ଦୁଇ ଆଙ୍ଗୁଠିରେ ଲାଗୁଛି। ଏହି ନୂଆ ଅବସ୍ଥାଟି ଯୋଗୁଁ ଆମ ସ୍ନାୟୁ ବିଭାଗ ଓ ମସ୍ତିଷ୍କ ଧୋକା ଖାଇ ଯାଏ।

ଦରକାର: ସାଙ୍ଗ, କାଗଜ ଖଣ୍ଡ।

୨୮. ଦୋଳି ଖେଳୁ ଖେଳୁ ସାଙ୍ଗ

ଦୁଇତି ଏକା ଆକାରର ସୋଡା଼ ବୋତଲରେ ପାଣି ଭରି ଦିଅ। ଏହାର ମୁହଁକୁ ବନ୍ଦ କରିଦିଅ। ଦୁଇଟି ଚଉକିକୁ ପଖାପାଖି ରଖ ଯେପରି ଲମ୍ବା ବାଡି଼ଟିଏ ଏହା ଉପରେ ଭୂଇଁ ସହ ସମାନ୍ତରାଳ ହୋଇ ରହିପାରିବ। ଏଥର ଦୁଇଟି ସୂତା ଦ୍ଵାରା ଦୁଇ ବୋତଲର ବେକକୁ ବାନ୍ଧି ଦିଅ ଯେପରି ଦୁହେଁ ତଳକୁ ସିଧା ଝୁଲି ରହି ପାରିବେ। ଦୁଇ ବୋତଲକୁ ଚଉକି ଉପରେ ଥିବା ବାଡି଼ଟିର ଦୁଇଟି ଜାଗାରେ ଅଳ୍ପ ଦୂରତା ଛାଡି଼ ବାନ୍ଧି ଦିଅ। ଏହା ଦୁଇଟି ଦୋଳକ ପରି ଝୁଲି ରହିବ। ଗୋଟିଏ ବୋତଲକୁ କଡ଼କୁ ଅଳ୍ପ ଭିଡି଼ ଛାଡି଼ ଦିଅ। ଦେଖିବ ଏଇ ବୋତଲଟି କିଛି ସମୟ ଦୋଳି ଖେଳିବା ପରେ କ୍ରମେ ଧିମେଇ ଯିବ; କିନ୍ତୁ ଏହାର ଦୋଳି ଖେଳିବା କମିବା ସହିତ ଆର ବୋତଲଟିର ଦୋଳି ଖେଳ ଛାଏଁ ଛାଏଁ ବଢି଼ଯିବ। ପୁଣି ଏହାର ବେଗ କମିବା ସାଙ୍ଗକୁ ପ୍ରଥମଟିର ବେଗ ଆପେ ଆପେ ବଢି଼ଯିବ। ଦୁହେଁ ସାଙ୍ଗ ଭଳି ଲଗାତାର ପରସ୍ପରକୁ ସାହାଯ୍ୟ କରି ଚାଲିବେ।

ଏହି କେହ୍ଳଟିକୁ ଆହୁରି ମଜାଦାର କରାଯାଇ ପାରିବ। ଉପରେ ଝୁଲିଥିବା କାଠ ବାଡି଼ଇଟିର ଦୁଇଟି ଜାଗାରେ ଦୁଇଟି ସୁତା ବାନ୍ଧି ତଳକୁ ଝୁଲାଇ ଦିଅ। ବାଡି଼ଠୁ ପ୍ରାୟ ୪ ଇଞ୍ଚ ତଳେ ଆଉ ଖଣ୍ଡେ ଛୋଟ ବାଡି଼କୁ ଏହା ସହ ସମାନ୍ତରାଳ ଭାବେ ଏହି ଦୁଇ ସୁତା ସାହାଯ୍ୟରେ ବାନ୍ଧିଦିଅ। ବାଡି଼ଟି ଛୋଟ ଆକାରର ହୋଇଥିବ, ସୁତା ଦୁଇଟି ଏହାର ଦୁଇ ମୁଣ୍ଡରେ ବନ୍ଧା ଯିବ ବାଡି଼ଟିର ଦୁଇ ମୁଣ୍ଡ ଯେପରି ଚଉକି ଧାରକୁ ବାଜିବ ନାହିଁ। ଏଥର ଏକା ଓଜନ ଓ ଆକାରର ଦୁଇଟି ଓଜନିଆ ପଥର, ବା ଲୁହା ଖଣ୍ଡ ଆଣି ଏହା ଦେହରେ ଅଲଗା ଦୁଇଟି ସୁତା ବାନ୍ଧି ଦିଅ। ଏ ଦୁଇଟିକୁ ଆଗ ଭଳି ଛୋଟ ବାଡି଼ର ଦୁଇ ମୁଣ୍ଡରୁ ଭିତରକୁ ଦୁଇ ପଟେ ବାନ୍ଧି ଦିଅ। ଆଗ ଭଳି ଗୋଟିକୁ ଅଳ୍ପ ଭିଡି଼ ଛାଡି଼ଦିଅ। ଏହା ଝୁଲିବା ବନ୍ଦ କଲା ବେଳକୁ ଆରଟିର ଝୁଲିବା ବଢି଼ ଚାଲିବ। ଆରଟିର କମିଲା ବେଳକୁ ଏହାର ପୁଣି ବଢି଼ ଚାଲିବ। ଏହି ମଜାଟି ବେଶ୍ ସମୟ ଧରି ଲାଗି ରହିବ।

କାରଣ: ଗୋଟିଏ ଜିନିଷକୁ ଭିଡି଼ ଠେଲି ଦେଇ ଅମେ କିଛି ବଳ ପ୍ରୟୋଗ କରୁଛେ। ଏହା ପ୍ରଭାବରେ ଏହା ଦୋଳି ଖେଳିବାରେ ଲାଗେ। ଏହା ନିଜେ ନିଜେ ଝୁଲନ୍ତା ବାଡି଼ଟି ଉପରେ ବଳ ପ୍ରୟୋଗ କରେ। ଏହା ପ୍ରଭାବରେ ବାଡି଼ଟି ଉପରେ ଯେଉଁ ଚାପ ପଡେ଼ ତାହା ଆର ଜିନିଷଟି ଉପରକୁ ବଦଳିଯାଏ। ଏହି ଚାପ ପ୍ରଭାବରେ ଆର ବସ୍ତୁଟି ସ୍ଵତଃ ଝୁଲିବାରେ ଲାଗେ ଓ ପ୍ରଥମ ବସ୍ତୁଟି ଧିମେଇ ଯାଏ। କିଛି ସମୟ ପରେ ଦ୍ଵିତୀୟଟି ଝୁଲଣର ଚାପ ପ୍ରଥମଟି ଉପରକୁ ବଦଳି ଯାଏ ଓ ଆଗ ଭଳି ପ୍ରଥମଟି ଝୁଲେ। ଉଭୟ ପାଖ ଦୋଳି ଖେଳରେ ପରସ୍ପରକୁ ସହଯୋଗ କରି ଚାଲନ୍ତି।

ଦରକାର: ଦୁଇଟି ଖାଲି ସୋଡା଼ ବୋତଲ, ପାଣି, ଦୁଇଟି ଚଉକି, ଲମ୍ବା ବାଡି଼, ସୁତା, ଗୋଟିଏ ଅପେକ୍ଷାକୃତ ଛୋଟ ବାଡି଼, ଦୁଇଟି ପଥର ବା ଲୁହା ଖଣ୍ଡ।

୨୯. ଏତେ ଜୋରରେ କିଏ ଠେଲୁଛି?

ଗୋଟିଏ ଖବର କାଗଜ ଆଣ। ଏହାକୁ ଭାଙ୍ଗି ଦେଇ ଟେବୁଲ ଧାରରେ ରଖ। ପ୍ରାୟ ଦେଢ଼ ଫୁଟ ଲମ୍ବର ବାଡି଼ ଖଣ୍ଡେ ଆଣ। କାଠଟିକୁ ଖବର କାଗଜ ତଳେ ରଖ ଯେପରି ବାହାରକୁ କିଛି ପରିମାଣରେ ଏହା ଝୁଲି ରହିବ। ଆଉ ଖଣ୍ଡିଏ ବାଡି଼ ଦ୍ଵାରା ଏହି ବାଡି଼ଟିର ଝୁଲା ଭାଗକୁ ଜୋରରେ ବାଡେଇ ଦିଅ। ଜୋରରେ ବାଡେ଼ଇଲେ ଖବର କାଗଜଟି ତଳକୁ ଛିଟିକି ପଡି଼ବ ଓ ବାଡି଼ତି ବି ମାଙ୍କଡ଼ଚିତ୍ ଦେଇ ତଳେ ପଡି଼ଯିବ। ଏଥର କାଗଜଟିକୁ ଏକ ପରସ୍ତ ଖୋଲି ଦିଅ ଓ ବାଡି଼ରେ ବାଡେଇ ଦେଖ। ଆଗ ଭଳି ଖବର କାଗଜଟିକୁ ଉଠାଇ ବାଡି଼ଟିକୁ ତଳେ ପକାଇବା ପାଇଁ ଅଧିକା ଜୋରରେ ବାଡେଇବାକୁ ପଡି଼ବ। ଏଥର ଏପରି ଅଧିକରୁ ଅଧିକ ଖୋଲିବା ସହ ବାଡି଼ ଉପରେ ନିଜର ବଳ ପରିମାଣ ବଢି଼ବାକୁ ଲକ୍ଷ୍ୟ କର। ଏପରି ଏକ ସମୟ ଆସିବ ୟେତେବେଳେ ବାଡି଼ଟି ଆଉ ଖବର କାଗଜଟିକୁ ଉଠାଇବା ତ ଦୂରର କଥା ଏହା ନିଜେ ମଝିରୁ ଦୁଇ ଖଣ୍ଡ ହୋଇ ଭାଙ୍ଗିଯିବ।

କାରଣ: ଆମେ ଜାଣିଛେ ଯେ ଟେବୁଲ୍ ଉପରେ ସ୍ଥିର ରହୁଥିବା ଖବର କାଗଜଟି ବାୟୁର ପବନୀ ଚାପ ରହିଥାଏ। ଏହାକୁ ଟେବୁଲରୁ ହଟୈବା ପାଇଁ ବାଡି଼ଟିକୁ ଏହି ଚାପ ବିରୁଦ୍ଧରେ କାମ କରିବାକୁ ପଡି଼ଥାଏ। ଖବର କାଗଜର କ୍ଷେତ୍ରଫଳ ଯେତେ ବଢି଼ ଚାଲେ ଏହାର ଅଧିକ ଅଞ୍ଚଳ ଉପରେ ବାୟୁର ଚାପ ପଡି଼ଥାଏ। ଶେଷରେ ବାଡି଼ ଆଉ ଏହାକୁ ଉଠାଇବାକୁ ସକ୍ଷମ ନହୋଇ ନିଜେ ଭାଙ୍ଗିଯାଏ। ଭାବ ତ ଏହି ଅଦେଖା ସାଙ୍ଗତିର କେତେ ବଳ! ଆମ ଉପରେ ମଧ୍ୟ ସେ ଏପରିକା ଚାପ ଦେଉଥିବ। କିନ୍ତୁ ଆମେ କାହିଁକି କିଛି ଜାଣି ପାରୁନାହେଁ?

ଦରକାର: ଖବର କାଗଜ, ଦେଢ଼ ଫୁଟ ଲମ୍ବର ବାଡି଼ ବା ସ୍କେଲ।

୩୦. ଚର୍ଚ୍ଚର ଘଣ୍ଟି

ଏକ ମିଟର ଲମ୍ବର ସୁତା ଖଣ୍ଡେ ଆଣ। ଏହାର ମଝି ଭାଗରେ ଗୋଟିଏ ଷ୍ଟିଲ୍ ଚାମଚକୁ ଗୁଡା଼ଇ ଦିଅ ଯେପରି ଏହାର ଦୁଇ ମୁଣ୍ଡକୁ ଧରି ଟେକିଲେ ଚାମଚଟି ମଝି ଭାଗରେ ଝୁଲି ରହିବ। ସୁତାଟିର ଦୁଇ ମୁଣ୍ଡକୁ ଦୁଇ ହାତରେ ଧରି ଉଭୟ ପଟକୁ କାନରେ ଛୁଆଁଅ ଓ ଆଗକୁ ନଇଁ ରୁହ। ସାଙ୍ଗକୁ କୁହ ସେ ଆଉ ଏକ ଷ୍ଟିଲ୍ ଚାମଚ ସାହାଯ୍ୟରେ ଝୁଲନ୍ତା ଚାମଚଟିକୁ ଧୀରେ ଧୀରେ ଆଘାତ କରିବ। ଚର୍ଚ୍ଚର ଘଣ୍ଟି ପରି ଏକ ସ୍ପଷ୍ଟ ଶବ୍ଦ ତୁଏ ଶୁଣି ପାରିବ।

କାରଣ: ବାହାରେ ଏପରି କ୍ଔଣସି ଶବ୍ଦ ହେଲେ ଏହା ବାୟୁ ମାଧ୍ୟମ ଦେଇ ଆମ କାନରେ ପହଞ୍ଚି ଥାଏ। ବିଭିନ୍ନ ବାୟୁ ସ୍ତରକୁ କମ୍ପାଇ ଯିବାରେ ଶବ୍ଦର ତୀବ୍ରତା ଅନେକ ପରିମାଣରେ କମି ଯାଇଥାଏ। ଫଳରେ ଆମେ ଏହାକୁ ମୂଳ ଶବ୍ଦଠାରୁ ଧୀର ଓ ଅଲଗା ଶୁଣୁ। କିନ୍ତୁ ଏହି ପ୍ରୟୋଗଟି ବେଳେ ଚାମଚ ଆଘାତ ଶବ୍ଦତି ସୁତା ମାଧ୍ୟମରେ ସଞ୍ଚରିତ ହୋଇ କାନ ପାଖରେ ସହଜରେ ପହଞ୍ଚି ଯାଇଥାଏ। ତେଣୁ ଏହା ଅଧିକ ସ୍ପଷ୍ଟ ଓ ତୀବ୍ର ଶୁଣା ଯାଇଥାଏ।

ଦରକାର: ସୁତା, ଦୁଇଟି ଷ୍ଟିଲ୍ ଚାମଚ, ସାଙ୍ଗ।

୩୧. ବାଲତିଏ ପାଣି

ବାଲତିରେ କେବେ ପାଣି ବୋହିଛ? ଏହାର କଡା଼କୁ ଧରି ବାଲତିଏ ପାଣି ନେବା ବେଳେ ଅଳ୍ପ ଚହଲି ଗଲେ ବା ବାଲତି ଅଣେଇ ହୋଇଗଲେ ପାଣି ତଳେ ପଡି଼ଯାଏ। ପାଣିକୁ ଢାଳିବା ପାଇଁ ଅମ ପାଇଁ ଏକ ସରଳ ଉପାୟ ହେଉଛି ଏହାକୁ କ୍ରମଶଃ ଅଣାଇବା। ପୁରା ଖାଲି କରିବା ପାଇଁ ବାଲତିଟିକୁ ପ୍ରାୟ ପୁରା ତଳ ମୁହାଁ କରିବାକୁ ପଡେ। କିନ୍ତୁ ଆମେ ଏପରି ଏକ ଖେଳ ଖେଳୀବା ଯେତେବେଳେ ବାଲତିଟି ତଳମୁହାଁ ହୋଇଥିଲେ ବି ଏଥିରୁ ପାଣି ପଡି଼ବ ନାହିଁ। କଣ ଚମକୁଛ? ଏହା ସତରେ ସମ୍ଭବପର। ଗୋଟିଏ ବାଲତି ଆଣ। ରସ କିମ୍ବା ଲୁହା ବାଲତି ହେଲେ ଭଲ। ଏଥିରେ ପାଣି ଭରିଦିଅ। ଏହାର କଡା଼କୁ ମଝିରୁ ଧରି ଭୂମି ଉଚ୍ଚରେ ଲମ୍ବ ବାଗରେ ଘୁରାଅ। ଏଥିପାଇଁ ଟିକେ ଅଭ୍ୟାସ ଦରକାର। ଠିକ୍ ଭାବରେ ଘୁରାଇବା ଅଭ୍ୟାସ ହୋଇଗଲେ ଦେଖିବ ପାଣି ଜମା ତଳେ ପଡି଼ବ ନାହିଁ ଯଦିଓ ଉପରେ ଥିଲା ବେଳେ ବାଲତି ପୁରାପୁରୀ ତଳମୁହାଁ ହୋଇ ରହିଥିବ।

କାରଣ: ତୁମେ ଜାଣିଥିବ, ଗୋଡି଼ଟିଏ ସୁତାରେ ବାନ୍ଧି ଘୁରାଇଲେ ଏହା ଗୋଲାକାର ପଥରେ ଆଙ୍ଗୁଠି ଚାରିପଟେ ଘୁରିଚାଲେ ଓ ସବୁବେଳେ ବାହାର ଆଡ଼କୁ ଛିଟିକି ଯିବାକୁ ଚେଷ୍ଟା କରେ। ହାତରୁ ଖସିଗଲେ ଏହା ଅନେକ ଦୂରକୁ ଛିଟିକି ଯାଏ। କେନ୍ଦ୍ରରୁ ବାହାର ଆଡ଼କୁ କାମ କରୁଥିବା ଏହି ବଳକୁ କେନ୍ଦ୍ରାପସାରୀ ବଳ କୁହାଯାଇଥାଏ। ଏଠାରେ ଏହି ବଳତି କାମ କରିଥାଏ। ପାଣି ଭାରା ବାଲତିଟିକୁ ଘୁରାଇଲା ବେଳେ ପାଣିଟି ବାଲତି ସହ ବାହାର ଆଡ଼କୁ ଛିଟିକି ପଡି଼ବାକୁ ଚେଷ୍ଟା କରିଥାଏ। ଏହା ବାଲତି ସହ ଜୋରରେ ଲାଗି ରହିଥାଏ। ବିଶ୍ଵାସ କରି ନହେଲେ ବି ଘଟଣାଟି ସତରେ ଘଟିଥାଏ।

ଦରକାର: ବାଲତି, ପାଣି।

ବାଜା ଦରବାର

ଆମ ଚାରିପଟେ ଆମେ କେତେ ରକମର ଶବ୍ଦ ଶୁଣୁଛେ। ପବନର ପ୍ରଭାବରେ ଗଛ ଗୀତ ଗାଉଛି, ଝରଣା କଳ କଳ ଶବ୍ଦ କରୁଛି, ପଶୁପକ୍ଷୀମାନେ କେତେ ସୁନ୍ଦର ସ୍ଵରରେ ଗୀତ ଗାଉଛନ୍ତି। ମଣିଷ କେତେ ରକମର ଶବ୍ଦ ସୃଷ୍ଟି କରୁଛି, ଆମେ କଥା କହିବା ସହିତ ଆହୁରି କେତେ ରକମର ଶବ୍ଦ କରୁଛେ। ତୁମ ଭିତରୁ କିଏ କିଏ ଓଠକୁ ବାଗେଇ, ଫୁଙ୍କି କେତେ ରକମର ହୁଇସିଲ୍ ବଜେଇ ଜାଣିଥିବ। ଓଠକୁ ସରୁଆ କରି ସଜେଇ, ପାଟିରେ ଆଙ୍ଗୁଠି ପୁରେଇ, ଗଳାକୁ ବା ପାଟିକୁ ଚିପି ଧରି ତୁମେ କେତେ ରକମର ମଉଜିଆ ଓ ବିଚିତ୍ର ଶବ୍ଦ କରିଥାଅ। ଏହା ଛଡା଼ ହାତ ପାଆନ୍ତା ପତ୍ର, କାଗଜ, କାଠି କୁଟାକୁ ନେଇ ମଧ୍ୟ ବିଭିନ୍ନ ଶବ୍ଦ କରାଯାଇପାରେ। ତୁମ ଜଣା ଅଜଣା ଏପରି ବାଜାରୁ କିଛି ଏଠାରେ ଦେଉଛୁଁ।

ଦରକାର: ଜାମୁକୋଳି ବା ଅଶ୍ଵତ୍ଥ ଗଛର କଅଁଳିଆ ପତ୍ର।

୩୨. ପତ୍ର ପେଁକାଳୀ

ବିଭିନ୍ନ ପ୍ରକାରର ପତ୍ରକୁ କାହାଳୀ ବା ବିଦି଼ ଭଳି ମୋଡି଼ ଧର। ସରୁଆ ମୁହଁକୁ ପାଟିରେ ପୁରାଇ ଫୁଙ୍କ। ଏଥିରୁ ତୁମେ ପତ୍ରଟିର ସତେଜ ବାସନାକୁ ଚାଖିବା ସହିତ ଏକ ମନଲୋଭା ଶବ୍ଦ ବି ଶୁଣୀପାରିବ। ବିଭିନ୍ନ ପତ୍ରରୁ ଅଲଗା ଅଲଗା ଶବ୍ଦ ମିଳିଥାଏ। କିନ୍ତୁ ଜାମୁକୋଳି ଓ ଅଶ୍ଵତ୍ଥ ଗଛର କଅଁଳିଆ ପତ୍ରରେ ପିଲାଏ ଏପରିକା ବାଜା କରିବାକୁ ପସନ୍ଦ କରିଥାନ୍ତି। ଭଲ ଶବ୍ଦ ପାଇବା ପାଇଁ ତୁମେ ପତ୍ର ପେଁକାଳୀ ମୁଣ୍ଡିତିକୁ ଦାନ୍ତରେ ଅଳ୍ପ ଛିଡା଼ଇ ଦେଇପାର।

୩୩. କାଗଜ ପେଁକାଳୀ

ଖଣ୍ଡିଏ କାଗଜକୁ କାହାଳୀ ପରି ସରୁଆ କରି ମୋଡି଼ ଚାଲ। ଏହାର ସରୁ ମୁହଁଟିକୁ ଆଙ୍ଗୁଠିରେ ଚିପିଦିଅ। ଏଥର ଏହି ମୁଣ୍ଡଟିକୁ ଦୁଇ ଓଠ ମଧ୍ୟରେ ହାଲୁକା ଭାବରେ ଧର ଓ ଫୁଙ୍କ। ଏହା ଏକ ସୁନ୍ଦର ବାଜ ବନିଯାଏ।

ଦରକାର ଗୋଟିଏ ଛୋଟିଏ କାଗଜ।

୩୪. ପାନିଆଁ ବାଜା

ପ୍ଲାଷ୍ଟିକ୍ ପାନିଆଁଟିଏ ଆଣ। ଗୋଟିଏ ପତଳା କାଗଜକୁ ମଝିରେ ଭାଙ୍ଗିଦିଅ। ପାନିଆଁକୁ କାଗଜ ଫାଙ୍କରେ ରଖ। ଏହାକୁ ପାଟିରେ ଲଗାଇ ଧର। ପାଟିକୁ ଲାଗି ରହିଥିବା ବେଳେ ତୁମେ କିଛି ଶବ୍ଦ କଲେ ଏଥିରେ ଏକ ମଜାଦାର ଶବ୍ଦ ଶୁଣାଯିବ। ତୁମେ ସ୍ଵରକୁ କାଁଳ କରି ଯଦି କିଛି କହିବ ବା ଗାଇବ ଏହା ବେଶ୍ ମଜାଦାର ଶୁଭିବ। ତୁମେ କେବଲ "ଲାଲାଲାଲା" ବା "ତୁତୁତୁତୁ" କରି କ୍ଔଣସି ଗୀତ ଗାଇଲେ ଏଥିରେ ବଢି଼ଆ ଶୁଣାଯିବ। ଜଣେ ଗୀତ ଗାଇଲେ ବା ତୁମେ ନିଜେ ଗୀତ ଗାଇ ମଝିରେ ମଝିରେ ଏହା ସାହାଯ୍ୟରେ ବାଜା ବି ବଜାଇ ପାରିବ।

ଦରକାର: ପ୍ଲାଷ୍ଟିକ୍ ପାନିଆଁ, ପତଳା କାଗଜ

୩୫. ବେଲୁନ୍ ସାଇରନ୍

କଳ କାରଖାନାରେ, ପୋଲିସ୍ ଗାଡି଼ ବା ଦମକଳରେ ସାଇରନ୍ ବାଜିବା ଶୁଣିଛ? ତୁମେ ନିଜେ ଏକ ମଜାଦାର ସାଇରନ୍ ବନାଇ ପାରିବ। ଗୋଟିଏ ବେଲୁନକୁ ଫୁଙ୍କି ଏଥିରେ ବାୟୁ ଭରି ଦିଅ। ଦୁଇ ହାତର ଆଙ୍ଗୁଠି ଟିପରେ ଚାପି ଧରି ଏହାର ମୁହଁଟିକୁ ବନ୍ଦ କରି ଧର ଯେପରି କିଛି ବି ବାୟୁ ଏଥିରୁ ବାହାରିଯିବ ନାହିଁ। ଏବେ ହଠାତ୍ ବେଲୁନଟିକୁ ଛାଡି଼ଦେଲେ କିଛି ଶବ୍ଦ ବାହାରିବ ନାହିଁ। କିନ୍ତୁ ଏହାର ମୁହଁତିକୁ ଛୋଟ ଓ ସରୁଆ କରିବା ସହିତ ତୁମେ ବାୟୁକୁ ଏହା ମଧ୍ୟ ଦେଇ କ୍ରମଶଃ ଛାଡ଼। ଶୁଣିବ ଏଥିରୁ ଏକ ଶବ୍ଦ ବାହାରୁଛି। ଟିକିଏ ଅଭ୍ୟାସ କରିନେଲେ ଏହା ତୁମର ଖେଳଣା ସାଇରନର କାମ ଦେବ। ପଢା଼ ଘରୁ ଘରର ଅନ୍ୟମାନଙ୍କ ପାଖକୁ କିଛି ସଙ୍କେତ ଦେବା ପାଇଁ ତୁମେ ଏହି କ୍ଔଶଳଟି ବ୍ୟବହାର କରିପାର।

ଦରକାର: ବେଲୁନ୍।

୩୬. ପାତିଆ ପେଁକାଳୀ

କଣ୍ଢେଇ ନାଚ ବେଳେ ଏ ବାଜାଟିର ଶବ୍ଦ ଶୁଣିବାକୁ ଭଲ ଲାଗିଥାଏ। ବାଉଁଶ ପାତିଆ ଦୁଇଖଣ୍ଡ ଆଣ। ପାତିଆ ଦୁଇଟି ପ୍ରାୟ ଦୁଇ ତିନି ଇଞ୍ଚ ଲମ୍ବ ଓ ଅଧା ଇଞ୍ଚ ଚଉଡା଼ର ହୋଇଥିବ। ଦୁଇ ବାଉଁଶ ପାତିଆ ମଝିରେ ଖଣ୍ଡିଏ ବେଲୁନ୍ ରବର ମିଶାଇ ଧର। ଏହାର ଗୋଟିଏ ମୁଣ୍ଡକୁ ସୁତାରେ ଭିଡି଼ ବାନ୍ଧି ଦିଅ। ଆର ମୁଣ୍ଡଟିକୁ ଭିଡି଼ବା ଆଗରୁ ରବରଟିକୁ ବାହାର ଆଡ଼କୁ ଭିଡି଼ ଧର ଓ ଟାଣି ହୋଇଥିବା ଅବସ୍ଥାରେ ବାଉଁଶ ପାତିଆ ଦୁଇଟିକୁ ସଜାଇ ବାନ୍ଧି ଦିଅ। ଦୁଇ ପରସ୍ତ ବାଉଁଶ ପାତିଆ ମଝିରେ ବେଲୁନ୍ ରବରଟି ଟାଣି ହୋଇ ରହିବ। ଏଥର ପାତିଆର ଦୁଇ ମୁଣ୍ଡକୁ ଦୁଇ ହାତରେ ଧର। ମଝି ଅଂଶଟିକୁ ଦୁଇ ଓଠ ମଝିରେ ରଖ ଓ ଫୁଙ୍କ। ମୁଣିରେ ରଖି ତୁମେ ଏହାକୁ ଏଣେ ତେଣେ ବି ନେଇ ପାରିବ। ବେଲୁନ୍ ପରଦାଟିକୁ ଟାଣି ବାନ୍ଧିବା ଜରୁରୀ। ଏହାକୁ ଢିଲା ରଖିଲେ ଶବ୍ଦ ବାହାରେ ନାହିଁ। ଟାଣି ହୋଇ ରହିଲେ ରବରଟି ଆହୁରି ପତଳା ହୁଏ ଓ ପବନ ପ୍ରଭାବରେ ଥରି ଉଠିବା ସହିତ ପାତିଆ ଫାଙ୍କରେ ଯାଉଥିବା ପବନକୁ ଥରାଇ ଦିଏ।

ଦରକାର: ବାଉଁଶ ପାତିଆ, ଫଟା ବେଲୁନ୍, ରବର, ସୂତା।

୩୭. ଖପରା ହୁଇସିଲ୍

ଦୁଇ ଖଂଡ ଛୋଟ ଖପରା (ଟଂକିକିଆ ପଇସା ଆକାରର) ଆଣ। ଏହାର ମଝିରେ ଖଂଡିଏ କଅଁଳିଆ ପତ୍ର ବା ପତଳା କାଗଜ ଖଂଡେ ରଖ। ପାତିଆ ପେଁକାଳୀ ପରି ଏହି ତିନୋଟିକୁ ମିଶାଇ ଧର ଓ ଏହାକୁ ଓଠ ମଝିରେ ଧରି ଫୁଂକ। ପତ୍ର ବା କାଗଜଟି ଥରି ଉଠିବା ସହିତ ଏକ ସୁନ୍ଦର୍ ଶବ୍ଦ ତୁମେ ଶୁଣି ପାରିବ।

ଦରକାର: ଛୋଟ ଖପରା, କଅଁଳିଆ ପତ୍ର ବା ପତଳା କାଗଜ।

୩୮. କଲମ ଖୋଳରେ ବାଜା

କେବଳ କଲମ ଖୋଳ ନୁହେଁ ଛୋଟ ବଡ଼ ବୋତଲ, ପରଖନଳୀ ଆଦି ଗୋଟିଏ ମୁହଁ ବନ୍ଦ ଥିବା ସରୁ ନଳୀକୁ ନେଇ ଏପରି ବାଜା କରାଯାଇପାରେ। ନଳୀଟିର ଖୋଲା ମୁହଁଟିକୁ ତଳ ଓଠ ପାଖରେ ଧର ଯେପରି ନଳୀଟି ତଳକୁ ଲମ୍ବି ରହିବ। ଏଥର ଧୀରେ ଧୀରେ ଫୁଙ୍କିବାକୁ ଚେଷ୍ଟା କର। ଏଥିରୁ ବଂଶୀ ସ୍ଵର ପରି ଏକ ମୋଟାଳିଆ ଓ ମଧୁର ସ୍ଵର ଶୁଣାଯିବ। ପ୍ରତ୍ୟେକ ଥର ନଳୀଟି ଭିତରେ ପୂରାପୂରି ଶୂନ୍ୟ ରହିଥିବା ଦରକାର। ପବନ ନଳୀଟିର ଭିତରେ ଗୋଟିଏ ଧାରରେ ବାଜି ଆର ଧାରକୁ ଛୁଟିଯାଏ। ସେଠାକୁ ପୁଣି ଏପଟ ଧାରକୁ। ଏପରି ତଳେ ପହଞ୍ଚିବା ପରେ ଉପରକୁ ଉଠି ଆସେ।

ଦରକାର: କଲମ ଖୋଳ, ସରୁ ମୁହଁ ବୋତଲ, ପରଖ ନଳୀ।

୩୯. ଶବ୍ଦ ବଢା଼ଳୀ ବାଜା

ସାତ ଆଠ ଇଞ୍ଚ ଲମ୍ବ ସରୁ ପ୍ଲାଷ୍ଟିକ୍ ନଳୀ ଆଣ। ଏହାର ଗୋଟିଏ ମୁହଁରେ ପତଳା କାଗଜ ଖଂଡେ ଅଗରେ ଲଗାଇ ମୁହଁଟି ବନ୍ଦ କରିଦିଅ। ଏଠାରୁ ପ୍ରାୟ ୧ ସେମି ଛାଡି଼ ନଳୀ ଉପରେ ବଂଶୀ ପରିକା କଣାଟିଏ କର। ଏଥର କଣାକୁ ମୁହଁ ଲଗାଇ କିଛି କହିଲେ ଏହା ଜୋରରେ ଶୁଭିବ। ପ୍ଲାଷ୍ଟିକ ନଳୀ ନ ପାଇଲେ ତୁମେ କାଗଜକୁ ମୋଡି଼ କାଗଜ ନଳୀଟିଏ ବନାଇ ଦେଇ ପାରିବ। ଏହା ତୁମ ପାଇଁ ଏକ ଶବ୍ଦ ବଢା଼ଳୀ (ମାଇକ୍)ର କାମ କରିପାରିବ।

ଦରକାର: ବାଉଁଶ ନଳୀ ବା ସରୁ ପ୍ଲାଷ୍ଟିକ୍ ନଳୀ, ପତଳା କାଗଜ, ଫେଭିକଲ୍, କଣ୍ଟା।

୪୦. ପତର ତାଳି ବାଜା

କନିଅର୍, ନୀଳଗିରି, ବାକ୍ସ ଜାତୀୟ ଲମ୍ବା ପତ୍ର ବିଶିଷ୍ଟ ଗଛର ଦୁଇଟି ବଡ଼ ପତ୍ର ଆଣ। ଏହାକୁ ମୁହାଁମୁହିଁ ମିଶାଇ ଧର। ଦୁଇ ମୁଂଡକୁ ଦୁଇ ହାତରେ ଧର। ଏଥର ଥରେ ଭିତରକୁ ନେଲେ ପତ୍ର ଦୁଇଟି ବାହାର ପଟକୁ ବଂକେଇ ଯାଇ ମଝି ଭାଗଟି ଫୁଲି ଉଥିବ। ଜୋରରେ ବାହାର ପଟକୁ ଭିଡି଼ ଦେଲେ ପତ୍ର ଦୁଇଟି ମଝିରେ ପିତି ହୋଇ ତାଳି ମାରିଲା ପରି ଶୁଭିବ। ଶୀଘ୍ର ଶୀଘ୍ର କଲେ ଏହା ଭଲ ଶୁଭିବ। ଖାଲି ପତ୍ର ନୁହେଁ, ପ୍ଲାଷ୍ଟିକ୍ ପଟି ବା ଚମଡା଼ ପଟି ନେଇ ବି ତୁମେ ଏପରି ତାଳି ବାଜା ବନାଇ ପାରିବ।

ଦରକାର: କନିଅର, ନୀଳଗିରି ବା ବାକ୍ସ ଗଛର ପତ୍ର।

୪୧. ଖୋଳ ବାଜା!

ସିଗାରେଟ୍ ଏକ କ୍ଷତିକାରକ ନିଶା ଜିନିଷ ହୋଇଥିବାରୁ ଏପରି ଖେଳଟିଏ ଶିଖାଇବାକୁ ବି ଖରାପ ଲାଗୁଛି। ଆମେ କେହି ସିଗାରେଟ୍ ଛୁଇଁବା ନାହିଁ କି ପିଇବା ନାହିଁ। ତେଣୁ ଏ ଖେଳଟିକୁ ସିଗାରେଟ୍ ଖୋଳ ବାଜା ନ କହି କେବଳ ଖୋଳ ବାଜା ବୋଲି କହିବା। ଆମ ସମାଜରେ ଅନେକ ସିଗାରେଟ୍ ଟାଣୁଥିବା ନିଶାସକ୍ତ ଲୋକ ଅଛନ୍ତି ଓ ରାସ୍ତାଘାଟରେ ଅନେକ ପ୍ରକାରର ସିଗାରେଟ୍ ଖୋଳ ପଡି଼ଥାଏ। ସିଗାରେଟ୍ ଖୋଳ ପରି ଧୂପକାଠି ଖୋଳ ଆଦିରେ ବି ଏ ବାଜାଟି କରି ହେବ। ଏପରି ଖୋଳକୁ ଓସାର ବାଗରେ କାଟିଲେ ତୁମେ ଅନେକ ଛୋଟ ଛୋଟ ଗୋଲେଇ ପାଇ ପାରିବ। ଏହାକୁ ତୁମେ ଟେବୁଲ୍ ଉପରେ, ପାପୁଲି ଉପରେ ବା ଆଂଠୁ ଉପରେ ଖୋଲି ରଖ ଓ ଉପରକୁ ଚାପୁଡା଼ଏ ଦିଅ। ଏହା "ଠୋ" କରି ଶବ୍ଦ କରି ଫାଟିଯିବ। ଏହା ଭିତରେ ରହିଥିବା ବାୟୁ ବାହାରି ଯିବାକୁ ବାଟ ନ ପାଇବାରୁ କାଗଜଟିକୁ ଫଟାଇ ଦେଇ ବାହାରି ଯାଏ ଓ ଶବ୍ଦ କରେ।

ଦରକାର: ସିଗାରେଟ୍ ଖୋଳ ବା ସେହି ପ୍ରକାରର ଡବା ଖୋଳ, କଇଁଚି।

୪୨. ପତର ବାଣ

ବାଁ ହାତକୁ ମୁଠା କର। ବୁଢା଼ ଆଙ୍ଗୁଠି ବାହାରକୁ ରହିବ। ଟାଣୁଆ ପତ୍ରଟିଏ ମୁଠା ଉପରେ ରଖ। ଡାହାଣ ହାତରେ ପତ୍ର ଉପରକୁ ଖୁବ ଜୋରରେ ଚାପୁଡା଼ଏ ମାର। ବାଣ ଫୁଟିଲା ପରି "ଠାଏ" କରି ଶବ୍ଦ ହେବ। ପତ୍ର ମଝିରେ କଣାଟିଏ ହୋଇଯିବ। ପତ୍ରଟିକୁ ମଝିରୁ ଆଗରୁ ଚିରି ରଖି ବାଡେଇଲେ ଏପରି ଶବ୍ଦ ହୁଏ ନାହିଁ।

ଦରକାର: କିଛି ଟାଣ ପତ୍ର।

୪୩. କାଗଜ ତାଳି ବାଜା

୧୦ ଇଞ୍ଚ ଲମ୍ବ ଓସାରର କାଗଜ ଖଂଡେ ନିଅ। ଏହାକୁ ଗୋଟିଏ ପଟୁ ଧାରକୁ ଧର ମଝିରୁ ଭାଂଗି ଚାଲ। ପ୍ରତିଥର ଭାଂଗଟି ଉପରକୁ ନଖରେ ଦାବି ଦେଉଥିବ। ଭାଂଗି ଭାଂଗି ଶେଷକୁ ଏହା ପ୍ରାୟ ଇଞ୍ଚେ ବା କମ୍ ଓସାରର ଲମ୍ବା ପଟି ଖଂଡେ ହୋଇଯିବ। ଏଥର ଏହାକୁ ଖୋଲିଦିଅ। କାଗଜର ମଝି ଗାର ଉପରେ କାଗଜର ମଝିଯାଏଁ ଚିରି ଦିଅ। ଏଥର କାଗଜଟିକୁ ଉଭୟ ପଟରୁ ମଝି ଆଡ଼କୁ ଭାଂଗି ଚାଲ। କାଗଜର ଦୁଇ ଫାଳକୁ ମଝିରୁ ଦୁଇ ପଟକୁ ଭାଂଗି ଦିଅ। ବାଁ ହାତରେ କାଗଜର ତଳକୁ ଚିପି ଧର। ଆର ହାତର ବିଶି ଓ ମଝି ଆଂଗୁଠି ଫାଂକରେ କାଗଜ ଦୁଇ ଫାଳ ତଳକୁ ଚିପି ଧର। ଝଟକିନା ଆଂଗୁଠି ଦୁଇଟିକୁ ଉପରକୁ ଉଠାଅ। 'ଠାଏ' କରି ଶବ୍ଦ ହେବ। ବାରମ୍ବାର ତଳ ଉପର କଲେ ତାଳୀ ମାରିଲା ପରି ଶୁଣାଯିବ।

ଏହି ଖେଳଟିକୁ ଗାଁ ଗହଳିରେ ମାଂଡିଆ ଛଣ ପଟ, କଦଳୀ ପଟ ଆଦିରେ କରିଥାନ୍ତି। ଛୋଟିଆ ପଟଟିର ମଝିରେ ମଝିରେ ପଟିଟିଏ ଛାଡି଼ ଦେଇ ଉଭୟ ପଟରୁ ସରୁଆ ପଟିଟିଏ ଲେଖାଁଏ ଅଧାଯାଏଁ ଚିରି ଦେଇଥାଂତି। ଏଥିରୁ ଭଲ ଶବ୍ଦ ବାହାରିଥାଏ। କିଂତୁ ହାତଟିକୁ ଧୀରେ ଧୀରେ ଉପର ତଳ କଲେ ଶବ୍ଦ ହୋଇନଥାଏ।

ଦରକାର: କାଗଜ।

୪୪. ଟରର୍...ଟରର୍ ସୋଡା଼ ଠିପି ବାଜା

ଗୋଟିଏ ସୋଡା଼ ଠିପି ଆଣ। ଗୋଟିଏ ରବର ବ୍ୟାଣ୍ଡକୁ ମଝିରୁ ଛିଡା଼ଇଦିଅ। ଗୋଟିଏ ସାର୍ଟ ବୋତାମର ଗୋଟିଏ କଣାରେ ରବରଟିକୁ ଗଳାଇ ଦିଅ। ସୋଡା଼ ଠିପି ଉପରେ ରବରଟିକୁ ଯୋଡି଼ ଗଣ୍ଠିଟିଏ ପକାଇ ଦିଅ ଯେପରି ଏହା ଅଧିକ ଢିଲା ବା ଟାଣ ହେବ ନାହିଁ ଓ ବୋତାମଟି ଥିପିର ପିଠିକୁ କଡୁଆ ଲାଗି ରହିବ। ଏହାର ଆଉ କଣା ଦେଇ ୨ ଫୁଟ ଲମ୍ବା ମୋଟା ସୁତାତିଏ ବାନ୍ଧି ଦିଅ। ଏହାର ପ୍ରତି ଇଞ୍ଚ ବ୍ୟବଧାନରେ ଗୋଟିଏ ଲେଖାଁଏ ଗଣ୍ଠି ପକାଇ ଦିଅ। ବାଁ ହାତରେ ସୋଡା। ଠିପିଟିକୁ ଧରି ଆର ହାତରେ ସୂତାଟିକୁ ବୋତାମ ପାଖରେ ଦୁଇ ନଖ ଅଗରେ ଧର ଓ ଅଳ୍ପ ଭିଡି଼ ଆଙ୍ଗୁଠି ଦୁଇତିକୁ ସୂତା ତଳକୁ ଖସାଇ ଚାଲ। ଯେତୋଟି ଗଣ୍ଠି ଉପରେ ତୁମ ଆନ୍ଗୁଠି ଖସି ଚାଲିବ ସେତେ ଥର ସୋଡା଼ ଠିପି ଦେହରେ ବୋତାମଟି ବାଡେଇ ହେବ ଓ ଟିକ୍ ଟିକ୍ ଶବ୍ଦ କରିବ। ହାତଟିକୁ ଶିଘ୍ର ଶିଘ୍ର ଖସାଇ ନେଲେ ଏଥିରୁ "ଟରର୍ ଟରର୍" ହୋଇ ଶୁଭିବ। କାଠହଣା ଚଢେଇ ଶିଘ୍ର ଶିଘ୍ର କାଠ ହାଣିଲା ବେଳେ ଏପରି ଶୁଭେ। ପିଲାଙ୍କର ଏହା ଏକ ପ୍ରିୟ ଖେଳଣା। ବୋତାମଟି ଠିପି ଉପରେ ବାଜିବାର ପ୍ରବଳତା ଅନୁସାରେ ଶବ୍ଦଟିର ତୀବ୍ରତା ବଦଳି ଥାଏ। ତୀବ୍ରତା ବଦଳିବା ସହିତ ଶବ୍ଦ କିପରି ଅଲଗା ଅଲଗା ସୁଭେ, ତୁମେ ଏଥିରୁ ସ୍ପଷ୍ଟ ଭାବେ ବାରିପାରିବ। ଦରକାର: ସୋଡା଼ ଠିପି, ରବର ଫିତା, ସାର୍ଟ ବୋତାମ, ସୂତା।

୪୫. ରକେଟ୍ ଦୁନିଆଁ

ପିଲାବେଳେ ପ୍ରତ୍ୟେକ କାମ ଝଟ୍ କିନା କରି ଦେବାକୁ ଇଚ୍ଛା ହୁଏ। ବେଗରେ ଧାଇଁବା, ଚାଲିବା, ଡେଇଁବା... ପିଲାଙ୍କର ଏକ ସ୍ଵାଭାବିକ ଋଚି। ତୁମେମାନେ କେବେ ଚୁପଚାପ୍ ବସି ପାରିବ ନାହିଁ କି ଧୀରମନ୍ଥର ଗତିରେ କ୍ଔଣସି କାମ କରିବାକୁ ପସନ୍ଦ କରି ନଥାଅ। ଏହି ସତେଜ ଓ ଶକ୍ତି ଭରା ସକ୍ରିୟ ସମୟ ତୁମର ଏହି ଚମତ୍କାର ପିଲାବେଳ। ତୁମେ ମନେ ମନେ ସ୍ଵପ୍ନ ଦେଖ - ଆକାଶରେ ଚଢେ଼ଇ ଭଳି ସାଏଁକିନା ଉଡି଼ଯିବ ବିଜୁଳୀ ବେଗରେ ଛୁଟିଯିବ, ହରିଣ ଭଳି ଧାଇଁଯିବ। ସେଥିପାଇଁ ପିଲା ବେଳେ ଧନୁ ତୀର ବାଟୁଳି ଖଡା଼, ରକେଟ୍, ହେଲିକପ୍ଟର ଆଦି ତୁମର ଅତି ପ୍ରିୟ ଖେଳଣା, ଯାହାର ଭଲ ବେଗ ଥାଏ। ଏଠାରେ ଏପରି କିଛି ପ୍ରୟୋଗ କରିବା, ଯେଉଁଠି ମଉଜିଆ ଖେଳ ସାଙ୍ଗକୁ ଏଥିରେ ଗଭୀର ବିଜ୍ଞାନ ବି ଛପି ରହିଛି।

୪୬. ଧନୁତୀର

ଏହା ଏକ ଅତି ପ୍ରିୟ ଖେଳ। ମଣିଷର ଅତି ପୁରାତନ ଅସ୍ତ୍ର ଭିତରୁ ଏହା ଗୋଟିଏ। ଏଥିରେ ଯନ୍ତ୍ରିକ ବଳକୁ ଦକ୍ଷତାର ସହ ବ୍ୟବହାର କରି ହୋଇଥାଏ। ଖଣ୍ଡିଏ ବାଉଁଶ ବତା ଆଣ। ଏହାର ଦୁଇ ମୁଣ୍ଡଠାରୁ ଅଳ୍ପ ଭିତର ଆଡ଼କୁ ଅଳ୍ପ ଅଳ୍ପ କାଟି ଛୋଟିଆ ଖାଲଟିଏମାନ କରିଦିଅ। ଗୋଟିଏ ମୁଣ୍ଡରେ ଗୋଟିଏ ମୋଟା ସୂତା ବାନ୍ଧି ଦିଅ। ଏଥର ବତାଟିକୁ ବଙ୍କାଇ ଧରି ଏହାର ଆର ମୁଣ୍ଡରେ ସୂତାଟିର ଆର ମୁଣ୍ଡଟିକୁ ଭିଡି଼ ବାନ୍ଧି ଦିଅ। ଏଥର ବତାଟି ସେପରି ହିଁ ବଙ୍କାଇ ହୋଇ ରହିବ ଓ ସୂତାଟି ଭିଡି଼ ହୋଇ ରହିବ। ଡାହାଣ ହାତ ଆଙ୍ଗୁଠି ଟିପରେ ତୀରର ଗୋଟିଏ ମୁଣ୍ଡକୁ ଧନୁର ସୂତା ସହ ମିଶାଇ ଧର। ସୂତା ଏହାକୁ ବାହାରକୁ ଭିଡି଼ ଆଣି କାଠିଟିକୁ ଛାଡି଼ଦିଅ। ଏହା ରକେଟ୍ ଭଳି ଦୂରକୁ ଛିଟିକି ପଡି଼ବ। ଏହି ଖେଳଟି ପିଲାଙ୍କ ମଧରେ ଏତେ ପ୍ରିୟ ଯେ ଏଠାରେ ଲେଖ ଏହା ଶିଖାଇବା ଦରକାର ନାହିଁଁ। ଆମେ କେବଳ ମନେ ପକାଇ ଦେଉଛୁ।

ଅଧିକାଂଶ ଅଭିଭାବକ ଭାବିପାରନ୍ତି, ଆମେ ଏପରି କ୍ଷତିକାରୀ ଯନ୍ତ୍ରଟିଏ ପିଲାଙ୍କୁ କାହିଁକି ବତାଉଛୁ। କିନ୍ତୁ ଏଥିରେ ବିଶେଷ କ୍ଷତି ନାହିଁ। କାରଣ ଆମେ ବି ପିଲାବେଳେ ଧନୁ ବନାଇଛୁ। କିନ୍ତୁ କାହା ଆଡ଼କୁ ଏହାକୁ ମୁହାଁଇ ନାହୁଁ।

କାରଣ: ବାଉଁଶଟି ପ୍ରଥମେ ସିଧା ଥାଏ। ଏହା ସବୁବେଳେ ସିଧା ହେବାକୁ ଚେଷ୍ଟା କରେ। ତେଣୁ ସୂତାଟି ଉଭୟ କଡ଼କୁ ଭିଡି଼ ହେଉଥାଏ। ତୀର ମାରିବା ସମୟରେ ସୂତାକୁ ଅଧିକା ପଛକୁ ଟଣାଯାଏ ଓ ଧନୁଟି ଅଧିକା ବଙ୍କେଇ ହୁଏ। ଫଳରେ ସୂତାଟି ଜୋରରେ ଭିଡି଼ ହୋଇଥାଏ। ଏଥିରେ ଗଛର ଶକ୍ତି ସଂରକ୍ଷିତ ହୋଇ ରହିଥାଏ। ଛାଡି଼ଦେଲା ବେଳେ ଧନୁଟି ସଳଖିବାକୁ ଯାଇ ସୂତା ଉପରେ ପ୍ରବଳ ଚାପ ଦିଏ। ଫଳରେ ତୀରଟି ଖୁବ୍ ଜୋଇରରେ ସାମନାପଟକୁ ଛାଟି ହୋଇଯାଏ। ଏହା ଏକ କାମିକା ଯନ୍ତ୍ର।

ଦରକାର: ବାଉଁଶ ବାଡି଼ (ବତା), ଛୁରୀ ବା ବ୍ଲେଡ଼, ମୋଟା ସୂତା, ତୀର କାଠି।

୪୭. ଝଟକା ଛିଟକା

୨ ଫୁଟ ଲମ୍ବର ବାଉଁଶ ବତା ଖଣ୍ଡେ ନିଅ। ବାଁ ହାତରେ ଏହାର ତଳ ମୁଣ୍ଡକୁ ଧର ଯେପରି ବାଡି଼ଟି ସିଧା ଉପରକୁ ଠିଆ ହୋଇ ରହିବ। ଆର ହାତରେ ଗୋଡି଼ଟିଏ ଧର। ଏହାକୁ ବାଡି଼ର ଆର ମୁଣ୍ଡରେ ଧର ଯେପରି ତୁମ ହାତ ମୁଠା ଭିତରେ ବାଡି଼ଟି ଓ ଏହାକୁ ଲାଗିକରି ଗୋଡି଼ଟି ରହିବ। ଏଥର ଏହାକୁ ଟାଣ କରି ସ୍ଥିର କରି ଧର ଓ ଡାହାଣ ହାତରେ ଏହାକୁ ପଛ ଆଡ଼କୁ ଭିଡି଼ ଆଣ। ଏପରି ଟାଣି ହୋଇଥିବା ସମୟରେ ଗୋଡି଼ ସହ ବାଡି଼ଟିକୁ ଡାହାଣ ହାତରୁ ଏକା ସମୟରେ ଛାଡି଼ଦିଅ। ଗୋଡି଼ଟି ତୀର ବେଗରେ ଦୂରକୁ ଛିଟିକି ଯିବ। ବାଡି଼ଟି ଏଠାରେ ଧନୁର କାମ କରିଥାଏ। ଏହାକୁ ପଛକୁ ଭିଡି଼ବା ଦ୍ଵାରା ଏଥିରେ ସଞ୍ଚିତ ବଳ ପ୍ରଭାବରେ ଠେଲି ହୋଇ ଗୋଡି଼ଟି ଛାଟି ହୋଇଥାଏ।

ଦରକାର: ବାଉଁଶ ବତା, ଗୋଡି଼।

୪୮.