Jump to content

ମଥୁରା ମଙ୍ଗଳ/ଆରେ ବାବୁ ଶ୍ୟାମଘନ

ଉଇକିପାଠାଗାର‌ରୁ

ଷଷ୍ଠ ଛାନ୍ଦ

ରାଗ ବରାଡ଼ି

ଯଶୋଦାଙ୍କ ବିଳାପ


ଆରେ ବାବୁ ଶ୍ୟାମଘନ, ତୁ ଗଲେ ମଧୁଭୁବନ, କାହା ମୁଖ ଅନାଇ ବଞ୍ଚିବି ।

ହେବ ଦଶଦିଗ ଶୂନ୍ୟ, ଅସ୍ଥିର ହେବ ଜୀବନ, ନିଶି ଦିବସରେ ଝୁରୁଥିବି ରେ । ଜୀବଧନ ।

ଜୀବନ ବିହୁନେ ଯେହ୍ନେ ଝସ । ରାଜା ବିନେ ଯେହ୍ନେ ଗ୍ରାମଦେଶ ରେ ।

କାହା ଅଙ୍ଗେ ଚତୁଃସମ ଲେପିବି କରି ସୁସମ, ନିଦ୍ରାରେ କେ ହେଉଥିବ ଘାରି ।

କାହାକୁ ଅଞ୍ଜନ ଦେବି, ବସ୍ତ୍ରପାଡି ଶୁଆଇବି, ପିତାକୁ ମାଗିବ କେହୁ ହରି ରେ । ଜୀବଧନ ।

ଏ କଥା ସୁମରି ଯିବି ମରି, ନିଶ୍ଚେ ଯେବେଯିବୁ ମଧୁପୁରୀ ରେ ।

ବାନ୍ଧିବି କାହାର କେଶ, କୁସୁମେ କରି ସୁବେଶ, କାହା ଲ‌ଲାଟରେ ଦେବି ଚିତା ।

କାହାର କର୍ଣ୍ଣେ କୁଣ୍ତଳ, ଖଞ୍ଜିବିରେ ମୋର ବାଳ, କାହା ପାଇଁ କରୁଥିବି ଚିନ୍ତା ରେ । ଜୀବଧନ ।

କାହା ଅଙ୍ଗୁ ଧୂଳି ଦେବି ପୋଛି, କାହାକୁ ବା ପିନ୍ଧାଇବି କାଛି ରେ ।

ଏଯେତେବେଳେ ବନେ ଯାଉ, ସଙ୍ଗେ ମୋର ପ୍ରାଣ ନେଉ, ନିମିଷେ ବିଚ୍ଛେଦ ନ ସ‌ହଇ

ଏବେ ଯିବୁ ମଥୁରାକୁ, ମତେ ସମର୍ପି କାହାକୁ, ଚନ୍ଦ୍ରମୁଖ ନ ଦେଖିଲେ ମୁହିଁ ରେ । ଜୀବଧନ ।

ଜୀବନ ହାରିବି ଗଣ୍ତଜଳେ, ତୁ ମତେ ଅନ୍ତର ହେଲେ ତିଳେ ରେ ।

ସର ଲବଣୀ ଅଧାମ, ପକ୍ୱରମ୍ଭା ସୁଧାସମ, ମୁଖେ ଦେଲେ ଥୁ ଥୁ କରି ଫିଙ୍ଗୁ ।

ଯେତେରୂପେ ନାଳିଆଇଁ, ପରଷଇଁ ବଳିଆଇଁ, କୋପେ ଉଠି ପାକ ଭାଣ୍ତ ଭାଙ୍ଗୁ ରେ । ଜୀବଧନ ।

ଏବେ ଦୂର ହୋଇବ ସେ କଥା, କି ନ କରେ ଦାରୁଣ ବିଧାତା ରେ ।

ଛାଇକି ଅନାଁଇ ଡରୁ, ଧାଇଁ ମୋତେ କୋଳ କରୁ, ବସନେ ଘୋଡ଼ାଇ ମୁଖଗୋଟି ।

ହେଉଥାଉ ଥରହର, ଦେଖିଲେ ଅନ୍ଧାରଘର, ଉଚ୍ଚପାବଚ୍ଛ ନ ପାରୁ ଉଠି ରେ । ଜୀବଧନ ।

ମଧୁପୁରେ ହସ୍ତୀ ଘୋଡ଼ାମାନ, ଗର୍ଜିଲେ ନ ଡରୁ ଶ୍ୟାମ ପୁଣ ରେ ।

କାନ୍ଥେ ଦେଖି ଚିତ୍ରପନ୍ତି, ନାନା ଭୟଙ୍କର ମୂର୍ତ୍ତି, ଭୟେ ଯାଉ ସେ ଘରୁ ପଳାଇ ।

ଏବେ କଂସପୁର ଯିବୁ, ରାକ୍ଷସମାନ ଦେଖିବୁ, ଡରି କାହାକୁ ଧରିବୁ ଯାଇଁ ରେ । ଜୀବଧନ ।

ମାତା ବୋଲି ଡାକିବୁ କାହାକୁ ସାହା ବାହା ଆହା କେ ବୋଲିବାକୁ ରେ ।

ନିଶାକାଳେ ମୋର କୋଳେ, ଶୋଇଥାଉ ଶ୍ରମ‌ବଳେ, ସ୍ୱପନରେ ଦେଖୁ କିସ କିସ ।

ମା ବୋଲି ଚମକି ପଡୁ, କଣ୍ଠେ ଦୁଇଭୁଜ ଭିଡ଼ୁ, ପୁଣି ଶୋଉ ଘୋଡିହୋଇ ବାସ ରେ । ଜୀବଧନ ।

ସେ କଥା ସୁମରି ମରିଯିବି, ଉଠ ବୋଲି କାହାକୁ ଡାକିବି ରେ ।

ପ୍ରଭାତ କାଳେ କେ ମୋତେ, ଡାକିବ କ୍ଷୁଧାଆରତେ, କାହାକୁ ଭୁଞ୍ଜାଇ ଦେବି ସର ।

କେ ଧରି ମନ୍ଥନ‌ଦଣ୍ତ, ଭାଙ୍ଗିବ ମୋ ଦ‌ଧିଭାଣ୍ତ, କାହାକୁ ବାନ୍ଧିବି ଅର୍ଜୁନ ରେ । ଜୀବଧନ ।

କାହା ନାମେ ଗାଉଥିବି ଗୀତ, କାହାକୁ ଡାକିବେ ଗୋପସୁତ ରେ ।

କାହା ନାମେ ଗୋପନାରୀ, କରିବେ ମୋତେ ଗୁହାରି, କାହା କରୁ ଛଡାଇବି ମାଟି ।

କେହୁ ତୁଣ୍ତ ଦେଖାଇବ, ଖେଳେ କେହୁ ଭୋଖାଇବ, ଅଧାମ କାହା ଅଧରେ ଦେବି ରେ । ଜୀବଧନ ।

କାହାକୁ ବୋଲିବି ଝୁଲା ହାତୀ, କାହାକୁ ଡ଼ାକିବି କର ପାତି ରେ ।

ଗାଈ କେ ଚରାଇ ନେବ, ରାମ ସଙ୍ଗେ ବନେ ଯିବ, ନାନାରଙ୍ଗେ କେ ବାଇବ ବଂଶୀ ।

କରିବ କେ ବାଳକେଳି, ମଧ୍ୟେ ନାଚୁଥିବ ଢଳି, କାହାକୁ ଚାହିଁବେ ବ୍ରଜବାସୀ ରେ । ଜୀବଧନ ।

ଅସୁନ୍ଦର ଦିଶିବ ଭୁବନ, ଆଉ କାହିଁ ଦେଖିବୁଁ ସେମାନ ରେ ।

କେ ଆଣି ଦେବ ପୁଅକୁ, ଦାଣ୍ତେ ଖୋଜିବି କାହାକୁ, କାହାକୁ ଦେଖିବି ନୀପମୂଳେ ।

କେହୁ ବନେ ପଳାଇବ, ନନ୍ଦଙ୍କ ଆଗେ କ‌ହିବ, ଆଜ ମୋତେ ମାଏ ମାରୁଥିଲେ ରେ । ଜୀବଧନ ।

ତ‌ହିଁ ପାଇଁ ଚଳିହେବେ ତାତ, ମୋତେ କ୍ରୋଧେ ଦଣ୍ତିବେ ବ‌ହୁତ ରେ ।

ଏତେ ବୋଲି ନନ୍ଦରାଣୀ, ନୟନୁ ବୁହାଇ ପାଣି, ଚୁମ୍ବ ଦେଇ ଶ୍ୟାମଗଣ୍ତସ୍ଥଳେ ।

ନୀଳାମ୍ବର ମୁଖଚାହିଁ, ବୋଲନ୍ତି ମୋ ବାପ ଭାଇ, କାଲି ଯିବ ମଥୁରାମଣ୍ତଳେ ରେ । ବଳରାମ ।

ସଙ୍ଗେ ସଙ୍ଗେ ଘେନିଥିବୁ ହରି, ଡ଼ରିବଟି ଦେଖି କଂସପୁରୀ ରେ ।

ତୁ ଯେ ବଳେ ବଳିଆର, ନିର୍ବଳ ମୋର କୁମର, ନ ଜାଣଇ ଚତୁରାଇପଣ ।

ନପୁଣ ହୋଇବ ବଣା, ଜାଣି ନ ପାରିବ ଠଣା, ଏଣୁକରି କ‌ହୁଅଛି ପୁଣ ରେ । ବଳରାମ ।

ଯ‌ହିଁ ଗଲେ ନ ଛାଡିବୁ କ୍ଷଣେ, ଭିଡେ ନ ପଶିବୁ ବଳପଣେ ରେ ।

ସେ ନୋହେଟି ଗୋପ‌ପୁର, ଗୋପୀମାନଙ୍କର ଘର, କାହିଁ ନ କରିବ ହୁରି ଜୁରି ।

ଦାରୁଣ ନୃପତି କଂସ, ଶୁଣିଲେ କରିବ ରୋଷ, ଶୁଭେ ଯାଇ ଆସ ଗୋପ‌ପୁରୀ ରେ । ବଳରାମ ।

ଆସିବାକୁ ପଥ ଚାହୁଁଥିବି, ଉଛୁର ହୋଇଲେ ଧାଇଁଯିବି ରେ ।

ଏ ବାଣୀ ଶୁଣି ରୋହିଣୀ, କାନ୍ଦିଣ ଲୋଟେ ଧରଣୀ, ରାମ ରାମ ବୋଲି ବାହୁନଇ ।

କୋଳେ ଧରି ନିଜ ସୁତ, ବୋଲଇ ହୋଇ ଆରତ, ଚନ୍ଦ୍ରମୁଖ ଗୋଟି ଲୁଚିଯାଇ ରେ । ବଳରାମ ।

ମନ୍ଦକଂସ ଦ୍ୱନ୍ଦ୍ୱ ଭିଆଇଲା, ଆମ୍ଭଙ୍କୁ ଏ ଦଶା ଦିଆଇଲା ରେ ।

ଶୁଣି ଅକ୍ରୂର ପ୍ରଜ୍ୱଳି, ନନ୍ଦକୁ ଦେଉଛି ଗାଳି, ସାଜ ସାଜ ପାହିଲା ରଜନୀ ।

ସାଜିଲେ ଯେ ବୋଲେ ନନ୍ଦ, କେବଳ ରାମ ଗୋବିନ୍ଦ, ସଜ ହେଉଛନ୍ତି ମନ୍ତ୍ରିମଣି ହେ । କଂସଦୂତ ।

ଶୁଣି ବୋଲେ ସାଜ ବେଗ କରି, ଉଛୁରେ କୋପିବ ଦଣ୍ତଧାରୀ ହେ ।

ସାଜିଲେ ଗୋକୁଳକୁଳ, ପଡ଼ିଲା ଗୋପେ ଚ‌ହଳ, ପୁର ନର ନାରୀ ଧାଇଁଛନ୍ତି ।

ଉଠିଲେ ନନ୍ଦନନ୍ଦନ, ବସିଲେ ଅକ୍ରୂର ଯାନ, ଗୋପନାରୀ ଓଗାଳି ଅଛନ୍ତି ଯେ । ଶ୍ୟାମ‌ବନ୍ଧୁ ।

ପିନ୍ଧିଛନ୍ତି ବିଚିତ୍ର କାଛେଣୀ, କୋଟିଏ କାମକୁ ପାରେ ଜିଣି ସେ ।

ରାମ ସଜ ଅତିଶୋଭା, ଦେଖି ମନ ନେତ୍ର ଲୋଭା, ଗୋପ‌ପୋଏ ସେହିମତି ସଜ ।

ବେନି ମତ୍ତସିଂହ ସଙ୍ଗେ, ମତ୍ତଗଜ କିବା ରଙ୍ଗେ, ତେହ୍ନେ ଶୋଭା ବରଜ ତନୁଜ ସେ । ଗୋପୀମାନେ ।

ଚଉପାଶେ ସିଂହର ଘରଣୀ, ଦେଖି ଶୋଭା ପାଉଛି ଧରଣୀ ସେ ।

ଗ‌ହଳ ଗୋକୁଳ ଦାଣ୍ତ, ଆନନ୍ଦ ହୋଇ ବ୍ରହ୍ମାଣ୍ତ, ବିଚାରଇ ଯିବ ଏବେ ଭାରା ।

ମଥୁରାକୁ ଯିବେ ହରି, ମାରିବେ କଂସକୁ ଧରି, ଏତେ ବୋଲି ଆନନ୍ଦିତ ଧରା ସେ । ବସୁମତୀ ।

ଯ‌ହୁଁ ରଥେ ବିଜେ ଗୋପୀନାଥ, ଭକ୍ତ ଦାସ ହୋଇବ ଅନାଥ ହେ ।