ମଥୁରା ମଙ୍ଗଳ/ମନ୍ତ୍ରୀ ମେଳାଣି ଅନ୍ତେ କଂସାସୁର
ଦ୍ୱାଦଶ ଛାନ୍ଦ
ରାଗ କଲ୍ୟାଣ-ଅବକାଶ ବତ୍ତେ
କଂସର ମନ୍ତ୍ରଣା
ମନ୍ତ୍ରୀ ମେଲାଣି ଅନ୍ତେ କଂସାସୁର । ଅସୁରଙ୍କୁ ରାଇ କରେ ବିଚାର ।
ବୋଲଇ ଶୁଣ ହେ ବଳିଷ୍ଠମାନେ । ନନ୍ଦନନ୍ଦନ ଆସି ମଧୁବନେ ।
ସେହିଟି ପୁତନାକୁ ମାଇଲେ । କାଳିନ୍ଦୀହ୍ରଦେ କାଳିକି ଦଳିଲେ ।
ଶକଟ ତୃଣ ବକ କଲେ ହତ । ବତ୍ସା ବ୍ୟୋମ ଷଣ୍ଢ କେଶୀ ସହିତ ।
ଏହିରୂପେ ଯେତେ ଦନୁଜ ଗଲେ । ତାହାଙ୍କୁ ମାରି ଗୋପପୁରେ ଥିଲେ ।
ଏବେ ମୁଁ ତାଙ୍କୁ ଆଣିଲି ଧରି । ତାଙ୍କୁ କେମନ୍ତେ ପକାଇବା ମାରି ।
ସାନ ନୁହନ୍ତି ସେ ବେନି ସୋଦର । ଇନ୍ଦ୍ର ଜିଣିଲେ ତୋଳି ଗିରିବର ।
ଧେନୁକ ବୀର କେଡ଼େ ବଳିଆର । ତାକୁ ମାଇଲା ଭାଇ ହଳଧର ।
ଏଣୁ ମୁଁ ଭୟ କରଇ ମନେ । ଭୋ ବୀରେ କ ମାରିବା କେସନେ ।
ଏହା ଶୁଣି ଦୁଷ୍ଟମାନେ ବୋଲନ୍ତି । ଭୟ ନ କର ଆହେ ଭୋଜପତି ।
ଛାର ବାଳକେ କି ଜାଣନ୍ତି ଯୁଦ୍ଧ । ମୁଥ ମାରି ପ୍ରାଣେ କରିବୁଁ ବଧ ।
ନୁହନ୍ତି ରାଜକୁମାର ସେହୁ । ମାଲଙ୍କ ବିଧାନ ଜାଣିବେ କାହୁଁ ।
ଆଡ଼ଣ ତାଡ଼ଣ ସରଳ ଯିବା । ଅଦୃଶ୍ୟ ହୋଇ ଟାଣି ଧରିଥିବା ।
ଉଲଟ ପଞ୍ଚାଣ ଡ଼ାକିବାଠାର । ମୁଥ ପଞ୍ଚାଣ ପ୍ରହାର ପୟର ।
ମୁଣ୍ତକୁ ମୁଣ୍ତ ମାରିବା ଗତି । ସେ କାହିଁ ଜାଣିବେ ଗଉଡ଼ଜାତି ।
ପାଦେ ପାଦ ଛନ୍ଦା କର୍କଶ ଭିଡ଼ । ପଡ଼ି ଉଠିବା ଜଗି ପିଠି ବାଡ଼ ।
ମର୍ମ୍ମସ୍ଥାନକୁ ଲୁଚାଇ ରଖିବା । ସମ୍ମୁଖେ ଥାଇ ପଛକୁ ଡେଇଁବା ।
ସାଧନ ଏହି ପ୍ରକାରେ ଯେତେ । ଭୋ ଦେବ ତୋ ଆଗେ କହିବୁଁ କେତେ ।
ମୁଷ୍ଟି ଉଞ୍ଚାଇ ଦେଇ ନ ମାରିବା । ଆଗେ ଦେଖାଦେଇ ପଛେ ଧରିବା ।
ବାହାସ୍ଫୋଟ ମାରି ଝାଡ଼ିବା ଅଙ୍ଗ । ପାଖେ ରଖିଥିବା ଆପଣା ସଙ୍ଗ ।
ରାଜନ ମାଲବିନ୍ଧାଣ କଥା । ଚଉଷଠି ବନ୍ଧେ ଯେଉଁ ବ୍ୟବସ୍ଥା।
ଏତେ ପ୍ରକାରେ ସାଧିଅଛୁଁ ଆମ୍ଭେ । ଆଗରେ ବୀରେ ନ ରହନ୍ତି ଦମ୍ଭେ ।
କୀଟ ପ୍ରାୟ କରି ମୋଡ଼ିବୁଁ ଶିର । ବହନ ଆଜ୍ଞାଦିଅ ନୃପବର ।
ଏ ବାଣୀ ଶୁଣି ବୋଇଲା କଂସ । ମୁଁ ବୁଦ୍ଧି ଦେଉଛି ସକଳେ ବସ ।
ଯାହା କହିଲ ସେ କଥା ପ୍ରମାଣ । ତୁମ୍ଭ ସଙ୍ଗରେ କେ କରିବ ଋଣ ।
କେବଳ ଅଭାଗ୍ୟ ହୋଇବ ଯେବେ । ସାଧନାମାନ କେହି ନ ରହିବେ ।
ଏଣୁ ମୁଁ କହୁଅଛି ତୁମ୍ଭଙ୍କୁ । ଯେମନ୍ତ ମାରିବ ନିଜ ଶତ୍ରୁକୁ ।
ସିଂହ-ଦୁଆରେ କୁବଳୟା ଥିବ । ପାରିବ ଯେବେ ଦୁହିଙ୍କି ମାରିବ ।
ସେଠାରୁ ବଳି ଆସିଲେ ଗୋବିନ୍ଦ । ତୃତୀୟ ଦ୍ୱାରେ ଥିବ ମଲ୍ଲବୃନ୍ଦ ।
ସାଧନା କରି ସାଧିବ ରିପୁ । ଉଦ୍ଧାରିବ ମୋତେ ମଲ୍ଲେ ସନ୍ତାପୁଁ ।
ରଙ୍ଗସଭାରେ ବସିଥିବେ ରାଜା । ବାଜୁଥିବ ନାନାଜାତିରେ ବାଜା ।
ଦେବକୀ ବସୁଦେବ ଆଦି ଥିବେ । ବେନିପୁତ୍ରଙ୍କ ମରଣ ଦେଖିବେ ।
ଖଡ଼ଗ ଧରି ଥିବଇଁ ମୁହିଁ । ଗାଢ଼ ପଡ଼ିଲେ ଯେ ପଡ଼ିବି ଧାଇଁ ।
ମଣ୍ତଣି କର ଯାଇ ଧନୁଘର । ପ୍ରହରୀ ଜଗିଥିବେ ତିନିପୁର ।
ନପୁଣ ଗୋପାଳେ କରନ୍ତି ଜୁର । ଧନୁମଣ୍ତଣି ଯାତ୍ରା ହେବ ମୋର ।
ତହିଁକି କରିଥିବ ଆକଟ । ମାଛି ଗଳିବାକୁ ନ ଥିବ ବାଟ ।
ନନ୍ଦ ଯଶୋଦାଙ୍କୁ ଘେନାଇ ଆସି । ଆସିଛନ୍ତି ଯେତେ ବରଜବାସୀ ।
ମଞ୍ଚାରେ ବସାଇଥିବି ସଭିଙ୍କି । ସୁତଙ୍କ ମରଣ ଦେଖିବେଟିକି ।
ଏମନ୍ତ ଯହୁଁ କହିଲା କଂସ । ଶୁଣି ରାକ୍ଷସେ ହୋଇଲେ ହରଷ ।
ସମସ୍ତ ଜନ ମନକୁ ଅଇଲା । ଯେଉଁ କଥା ନରବର କହିଲା ।
ଠାବେ ଠାବେ ସେହି ପ୍ରକାରେ କଲେ । ଯେ ଯାହାମତେ ଜଗିଣ ରହିଲେ ।
କହଇ ଭକ୍ତଚରଣ ଦାସ । ପବନକୁ ପାତୁଅଛନ୍ତି ପାଶ ।