Jump to content

ମଥୁରା ମଙ୍ଗଳ/ଲେଖିଅଛି କଂସ ହୋଇ ମହାରୋଷ

ଉଇକିପାଠାଗାର‌ରୁ

ତୂତୀୟ ଛାନ୍ଦ (ରାଗ ବଙ୍ଗଳାଶ୍ରୀ)

ଲେଖିଅଛି କଂସ ହୋଇ ମହାରୋଷ ଆହେ ଗୋପପତି ନନ୍ଦ,

ଆଞାପ୍ରମାଣେ ତତକାଳେ ଆସିବୁ ନୋହିଲେ ଚ୍ଛେଦିବି କନ୍ଧ॥ ୧

ଜାଣୁ ତ ମୋର ବଳ ବୀର୍ଯ୍ୟ ଯେତେକ, ଅଇରିକୁଳକୁ କେତୁ,

ପ୍ରତିଞାରେ ରଣ ତେଜି ରଣରାଜ-ପୁତ୍ରେ ହେଁ ଲଭନ୍ତି ମୂତ୍ୟୁ॥ ୨

କୋପ କଲେ ମହୀ ଦୋହଲି ଉଠଇ, ମେରୁ ହୋଏ ଥରହର,

ରାଣ ଦେଲେ ଜନ୍ତୁ-ପତି ଭୟ କରେ; ଆଉମାନେ କେତେ ଛାର॥ ୩

ବିଧାଘାତେ ଚିତ୍ର-କୁଟ କୁଧରକୁ କରି ପାର ଇ ମୁଁ ଚୁନା,

ଅଇରି ଉରସଲ-ବାନା ବହଇ, ଶରଣକୁ ବଜ୍ର ସେହ୍ନା॥ ୪

ଦାନୀପଣକୁ ସୁନାସୀର ପରାଏ, ଗଭୀର ପଣେ ଜଲଧି,

ପଣ୍ଡିତପଣେ ଦେବଗୁରୁ ହାରଇ, ବେଦବେଦାନ୍ତରେ ବିଧି॥ ୫

ଧାର୍ମ୍ମିକ ପଣରେ କେହି ସମ ନୁହଁନ୍ତି, ପରଜା ପାଳନେ ତାତ,

ମୋର ଦେଶରେ ଭୟକରି ପ୍ରଚଣ୍ଡ ହୋଇ ନ ବହଇ ବାତ॥ ୬

ଅଗ୍ନି ଦେବତା ଶିଖାମାନ ନିଊନ ଦେଖିମୋର ତେଜ ବଳ,

ସୁଜନକୁ ରଖି ଦୁର୍ଜନକୁ ମାରଇ ଏକଥା ମୋହର ମୂଳ॥ ୭

ଗଡ଼ ଦେଖି ବଡ଼ କ୍ଷତ୍ରୀମାନେ ଆଡ଼ ହୁଅନ୍ତି ବହୁତ ଦୂରୁ,

କଟକାଇ କଲେ ଅମରେ ପଳାନ୍ତି ଯାଆନ୍ତି ଅମର ପୁରୁ॥ ୮

ଯାଦବକୁଳ କୁମୁଦବନ ପ୍ରାଏ, ମୁଁ ତହିଁକି ନିଶାମଣି,

ସୁନ୍ଦରପଣେ କାମ ସରି ନୁହଁଇ, ସହିବା-ପଣେ ଧରଣୀ॥ ୯

ଯୁଦ୍ଧ ନ କରି ଯୋଦ୍ଧାମାନ ଜିଣିଲି, ବ୍ରହ୍ମାଣ୍ଡ ହୋଇଲା ମୋର,

ଏହିଠାରେ ଥାଇ ଦର୍ଶନେ ନ ଆସୁ, ଏଡ଼େ ଗାରିମା ତୋହର॥ ୧୦

ରଡ଼ିଗୋଟାକେ ସର୍ବଜନ୍ତୁ ମରିବେ ତିନିପୁରେ ଥିବେ ଯେତେ,

ଦୟା କରି ତାଙ୍କୁ ଶରଣ ରଖିଲି ଯେଣୁ ଆଶ୍ରେ କଲେ ମୋତେ॥ ୧୧

ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ସଙ୍ଗେ ଅଷ୍ଟଭୁଜ ସମସ୍ତେ ମୋହର ବଶ,

ମହାଦୁଷ୍ଟମାନେ ଛାଡ଼ି ପଳାଇଲେ ଶୁଣି ମୋର ବୀରଘୋଷ॥ ୧୨

ଛାର ଗଉଡ଼ ଅଟୁ ତୁ ଏଡ଼େ ମୂଢ଼ ନ ଦେଉ ମୋହର କର,

ଦେବି ଯେବେ ଧାପ ରଖିବ କେ ବାପ! ଅନଳେ ଦହିବି ପୁର॥ ୧୩

ଶଶୁର ଯାର ଜରାସନ୍ଧ ଦଇତ, ସଖା ଯାର ବୀରକେଶୀ,

ଏକା ନିମିଷକେ ଚରାଚର ମହୀ ପକାଇ ପାରଇ ଧ୍ୱଂସି॥ ୧୪

ଶୂର ନାରକା, ବ୍ୟୋମା, ଅଘା, ପ୍ରଳମ୍ବା, କଦମ୍ବା, ଦୂବିନ୍ଦ ବୀର,

ଚାଣୁର, ମୁଷ୍ଟିକ, ଶଲ୍ୟ ଆଦିମାନେ ଅଛନ୍ତି ମୋ ହନ୍ତକାର॥ ୧୫

କେବଳ ଶିରିଷ-କୁସୁମକୁ ମହା-ପ୍ରଳୟ ବରଷା ଲୋଡ଼ି,

ସେହି ପ୍ରାୟେ ମୁହିଁ, ସେହି ପ୍ରାଏ ତୁହି, ଶିଶିରେ ଯେ ଯିବୁ ସଢ଼ି॥ ୧୬

ଏବେ ମୋର ଧନୁଉଛବ ହୋଇଛି, ସମ୍ଭାର ଘେନାଇ ଆସ,

ସମସ୍ତ ଦୋଷ ତୋର କ୍ଷମା ହୋଇଲା, ମନେ ନ କରିବୁ ତ୍ରାସ॥ ୧୭

ସମ୍ଭାର ଦଧି ଶତେ ଭାର ଘେନାଇ ଗୋଟିକା ଅଧାମ ଆଦି,

ସଙ୍ଗେ ଗୋପ ଦଶ ପଞ୍ଚାଶ ଆଣିବୁ, କରିବେ ସେ ଯାତ୍ରାବିଧି॥ ୧୮

ରାମ କୃଷ୍ଣ ବେନି ଭାଇଙ୍କି ଅକ୍ରୁର ସଙ୍ଗେ ସଙ୍ଗ କରି ଦେବୁ,

କେଡ଼େ ହେଲେଣି ତୋର ବେନିନନ୍ଦନ ତାହାଙ୍କୁ ଆମ୍ଭେ ଦେଖିବୁ॥ ୧୯

ସେହି ଦେଖିବେ ମହାଧନୁ ଉଛବ; ଶୁଭକଥା ସିନା ତୋତେ,

ବଡ଼ଲୋକ ସଙ୍ଗେ ସଙ୍ଗ ହୋଇ ଯିବେ, ଭୟ ନ ରହିବ ଚିତ୍ତେ॥ ୨୦

ବୃଦ୍ଧଶରୀର, କେତେଦିନ ବଞ୍ଚିବୁ, ମିଥ୍ୟା ମାଟି କଳେବର,

ତୋହ ଥାଉଁ ଥାଉଁ କୁମରବେନିଙ୍କି ଆମ୍ଭରେ ପରଚେ କର॥ ୨୧

ଶାଢ଼ୀ ବନ୍ଧାଇ ରାଜନପଣ ଦେଇ ସୁଖେ ଗୃହେ ବସିଥାଅ,

ଆମ୍ଭର ଯେତେ ହାନିଲାଭ ହୋଇବ କରିବେ ତୋହର ପୁଅ, ୨୨

ନିଶିପାହିଲେ ଧନୁପୂଜା ହୋଇବ; ଅଳସ ନକରି ଆସ,

ଏମନ୍ତ ବୋଲି ଚିଟାଉ ଲେଖିଅଛି, ପଢ଼ି ନନ୍ଦ ହେଲେ ତୋଷ॥ ୨୩

ବିସ୍ମୟ ଚିତ୍ତରେ ହୃଦୟ ଭିତରେ କଲା ମହାଘୋର ଭୀତି,

ଯହୁଁ ଶୁଣିଲା ମଥୁରା ଯିବେ ଦୂତ ସଙ୍ଗେ ରାମ ଶିରୀପତି॥ ୨୪

ପରିଜନ ରାଇ ବୋଲେ ଗୋପସାଇଁ ଗୋପରେ ଘୋଷଣା ଦିଅ,

ନିଶି ପାହିଲେ ମଥୁରାପୁର ଯିବେ, ସମ୍ଭାର ସଜାଡ଼ି ଥାଅ॥ ୨୫

ଏତେକ ଭାଷି ଅକ୍ରୁରକୁ ଚରଚା କରଇ ବରଜ ରାଜା,

ବୋଲେ ବଇରାଗୀ ଭଗତଚରଣ ଗୋପରେ ବାଜଇ ବାଜା॥ ୨୬