Jump to content

ମନବୋଧ ଚଉତିଶା

ଉଇକିପାଠାଗାର‌ରୁ
ମନବୋଧ ଚଉତିଶା
ଲେଖକ/କବି: ଭକ୍ତ ଚରଣ ଦାସ

ଛାର ଦେହକୁ ମନ କରିଛୁ ସଜ ।
ଛନ୍ଦକପଟ ତେଜି ଗୋବିନ୍ଦ ଭଜରେ ।
ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା ।
ଛଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ାରେ ।
ଯମ ଯେ ନ ଜାଣଇ ବାଳୁତ ଯୁବା ।
ଜୀଇବୁ ବୋଲି ମନେ କରିଛୁ ଅବା ରେ ।
ଜଣେହେଁ ଏଥୁଁ କେହି ନାହିଁ ଅମର ।
ଜଗନ୍ନାଥଙ୍କୁ ଭଜ ହେବୁ ଉଧାର ରେ ।
ଝୋଲା ଗନ୍ତା ପାଛୁଡ଼ା ପିନ୍ଧାକୁ ରସୁ ।
ଝାଡ଼ସଂସାରେ ମନ ନ ବୁଝି ପସୁ ରେ ।
ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ ।
ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁ ରେ ।
ନିଶୀ ଦିବସେ ଥୟ ନୋହୁନା ମନ ।
ନିଦ୍ରାରେ ଦେଖୁଅଛୁ ଯଥା ସ୍ବପନ ରେ ।
ନ ଯିବେ ସଙ୍ଗେ କେହି ଯିବୁ ତୁ ଏକା ।
ନାମ ମାତ୍ର ଅଟଇ ପଥକୁ ସଖା ରେ ।
ଟାଣ କରୁଛୁ ମନ ସବୁ ମୋହରି ।
ଟଳି ପଡ଼ିଲେ କେହି ନୋହେ କାହାରି ରେ ।
ଟେରାଭିତରେ ଯେହ୍ନେ ଅପୂର୍ବ ନାରୀ ।
ଟୋପ ଚଉଁରା ଅଛି ତୋ ଦେହେଁ ପୂରି ରେ ।
ଠିକେ ମୁଁ କହୁଅଛି କର ମୋ କଥା ।
ଠିକେ ତୋ ଦେହେଁ ଅଛି ଶୂନ୍ୟ ଦେବତା ରେ ।
ଠକି ଯିବୁଟି ଠିକ ମୁଣ୍ଡ ପଡ଼ଁଲେ ।
ଠିକେଣ ଗୁରୁସେବା କର ତୁ ଭଲ ରେ ।
ଡାକି କହୁଛି ମନ ଡାକ ଗୋବିନ୍ଦ ।
ଡର ଜଞ୍ଜାଳ ଯାଉ ତୋହୋର ହୃଦ ରେ ।
ଡେରିଥାନ୍ତି ଶ୍ରବଣ ଭକ୍ତ ଡାକକୁ ।
ଡଙ୍ଗା ଯେହ୍ନେ ଜଳରେ ଚାହାଁ ପଛକୁ ରେ ।
ଢୋଲ ଯେସନେ ଢାଉଁ ଢାଉଁ ବାଜଇ ।
ଢାଳେ ତହିଁ ଭିତରେ କିଛିହିଁ ନାହିଁ ରେ ।
ଢାଙ୍କି ରହିଛି ଦେହ ସବୁଟି ତୁଚ୍ଛ ।
ଢଳି ପଡ଼ିଲେ ସବୁ ଯେବଟି ମିଚ୍ଛ ରେ ।
ଏଣେ ତୁ ଦେଇଥିଲେ ତେଣେ ପାଇବୁ ।
ଅଣ ଆୟତ୍ତ ବେଳେ କି ଘେନି ଯିବୁ ରେ ।

ଅଣବିଶ୍ୱାସୀ ହୋଇ ରହିବୁ ଦିନେ ।
ଅନେକ ଦୁଃଖ ଦେବେ ଯମଭୁବନ ରେ ।
ତୁ ଯେ ବୋଲୁ ମୋହର ଅର୍ଜିଲା ଧନ ।
ତୋ ଦେହ ନୋହେ ତୋର ଦେଖ ଏମାନ ରେ ।
ତୋହରଇ ସଙ୍ଗୁ ମନ ଗଲେଣି କେତେ ।
ତୁ ମିଥ୍ୟାକଥାକୁତ ଯାଉ ପରତ ରେ ।
ଥିଲେ ଏ ସଂସାରେ ଯେତେ ନୃପତି ।
ଥୟ କରି କେ ଭୋଗ କଲା ଏ ପୃଥ୍ବୀ ରେ ।
ଥୋଇଲା ଧନ ତୋର ଖଣ୍ଟ ଖାଇବେ ।
ଥାନେ ତୋହରି ଘର କରି ରହିବେ ରେ ।
ଦେହେଁ ପୂରିଛି ତୋର ଅଶେଷ ରୋଗ ।
ଦିନାଚାରିକେ ସିନା ଏ ସୁଖ ଭୋଗ ରେ ।
ଦଣ୍ଡେହେଁ କେହି ତୋତେ ରଖିବ ନାହିଁ ।
ଦଣ୍ଡୁ ଯେ ଥିବ ଯମଡ଼ଗର ନେଇ ରେ ।
ଧର୍ମ ଅଧର୍ମ କଥା ନ ଜାଣୁ ତୁହି ।
ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ ରେ ।
ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ ।
ଧର୍ମରେ ଆତଯାତ ହେଉଛି ମହୀ ରେ ।
ନିନ୍ଦିତ କର୍ମ କଲେ ନିନ୍ଦା ପାଇବୁ ।
ନରକେ ପଡ଼ି କେତେ ଦୁଃଖ ସହିବୁ ରେ ।
ନିମିଷେ ମାତ୍ର ମୁଖେ ନ ବୋଲୁ ହରି ।
ନାଶ ହେତୁକୁ କିପାଁ ଅଛୁ ଆବୋରିରେ ।
ପାହିଲା ନିଶୀ ଯେହ୍ନେ ରବି ଉଦୟ ।
ପଦ୍ମଲୋଚନ ସବୁ ଦେହେଁ ଉଦୟ ରେ ।
ପ୍ରଭୁଙ୍କୁ ଆଶ୍ରେ କର ତରିବୁ ଯେବେ ।
ପାଦପଦ୍ମରେ ଚିତ୍ତ ଦିଅ ତୁ ଏବେ ରେ ।
ଫୁଲ ଯେସନେ ଫୁଲେ ଫୁଲେ ବିହରେ ।
ଫୁଲ ସମୀରେ ଆଉ ନ ଦିଶେ ତାରେ ରେ ।
ଫଳ ସଂସାରେ ଲାଭ ହରି ଭଜନ ।
ଫାଶ ଗଳାକୁ କିପାଁ କରିଛୁ ଧନ ରେ ।
ବେଳକୁ ବେଳ ତୋତେ କହୁଛି ମୁହିଁ ।
ବାନ୍ଧିଣ ନେବ ଯମ କି ଦୁଃଖ ଦେଇ ରେ ।
ବିକଳେ କାନ୍ଦୁଥିବୁ ଆକୁଳ ହୋଇ ।
ବେଳହୁଁ ଆଶ୍ରେ କରି ଭଜ ଗୋସାଇଁ ରେ ।

ଭେଳା ବୁଡ଼ିବ ହେଳା କଲେ କହୁଛି ।
ଭଙ୍ଗା ନାବରେ କେବା ସିନ୍ଧୁ ତରିଛି ରେ ।
ଭାବକୁ ନିକଟ ସେ ଅଭାବେ ଦୂର ।
ଭକତ ଦାସ କହେ ଜୀବନ ଛାର ରେ ।
ମିଥ୍ୟା-ମାୟା ସଂସାର ନୋହେ କାହାରି ।
ମଲା ବୋଲିଣ ଦିନେ ପଡ଼ିବ ହୁରି ରେ ।
ମହୀ ଭିତରେ କେହି ଦେଖିବ ନାହୁଁ ।
ମଲାବୋଲି କାନ୍ଦୁଛୁ ମରିବୁ ତୁହି ରେ ।
ଜନମ ହେଲେ ପ୍ରାଣି ଅବଶ୍ୟ ମରି ।
ଯଶ ରଖିବୁ ଯେବେ ଭଜ ଶ୍ରୀହରି ରେ ।
ଯମ ବାନ୍ଧି ନେବଟି ହେବୁ ମେଲାଣି ।
ଜଗନ୍ନାଥ ମହିମା ଏଡ଼ିକି ଆଣି ରେ ।
ରଙ୍ଗପସରା ସିନା ଭବସାଗର ।
ରଙ୍ଗ ଭିତରେ ଅଛି କି ନାରଖାର ରେ ।
ରୁପ ପ୍ରତିମାକୁତ ପରତେ ନ ଯା ।
ରହିବେ ନାହୁଁ କେହି ରାଜା ପରଜା ରେ ।
ଲୋଚନେ ଦେଖି କର୍ଣ୍ଣେ ଶୁଣୁଛୁ ନିତି ।
ଲୋଭ କରି ଅର୍ଜିଲୁ ଧନ ସମ୍ପତ୍ତି ରେ ।
ଲୋଭଟି ସବୁ ନାଶ କରାଇ ମନ ।
ଲୋଡ଼ିଲେ ନ ପାଇବୁ ଆଉ ଜୀବନ ରେ ।
ବିଅର୍ଥେ ବହିଅଛୁ ଦୁର୍ଲ୍ଲଭ ଦେହ ।
ବିଷୟାବିଷେ ଆଉ ନ ବଳା ସ୍ନେହ ରେ ।
ବୁଡ଼ିଯିବଟି ମୂଳ ଲାଭ ସରିବ ।
ବେଳହୁଁ ଆଶ୍ରେ କରି ଭଜ ମାଧବ ରେ ।
ଶ୍ରୀକୃଷ୍ଣ ପାଦପଦ୍ମେ ଦିଅ ତୁ ମନ ।
ସରିଲେ ନପାଇବୁ ଆଉ ଜୀବନ ରେ ।
ଶ୍ରୀକୃଷ୍ଣ ନାମ ଗୋଟି କର ଭଜନ ।
ଶ୍ରୀକୃଷ୍ଣ ପାଦପଦ୍ମେ କର ତୁ ଧ୍ୟାନ ରେ ।
ସନ୍ତୋଷ ଚିତ୍ତେ ତୁହି ହରିଙ୍କି ଭଜ ।
ସଂସାରେ ପଡ଼ି ଆଉ ନ ପାଅ ଲାଜ ରେ ।
ସବୁଟି ମିଛ ହରି ନାମ ଟି ସତ ।
ଶ୍ରୀକୃଷ୍ଣ ପାଦପଦ୍ମେ ଦିଅ ତୁ ଚିତ୍ତ ରେ ।
ସତ୍ୟ ମଣୁଛୁ ତୁହି ଭବ ସାଗର ।
ସରି ଯାଉଛି ପରମାୟୁ ତୋହର ରେ ।

ସନ୍ତୋଷ ହୋଇ ଦୃଢ଼େ ଭଜ ଶ୍ରୀହରି ।
ଶୋକ ସାଗରୁ ଯେବେ ହୋଇବୁ ପାରି ରେ ।
ହୁଡ଼ିଲେ ଯେତେ ଜନ ହରି ନାମକୁ ।
ହୀନଗତିକି ଗଲେ ବୁଡ଼ି ତଳକୁ ରେ ।
ହଜିଲେ ଦେହ ଆଉ ପାଇବୁ ନାହିଁ ।
ହାଟ ବସାଇଥିବେ ତୋ ଦେହ ପାଇଁ ରେ ।
କ୍ଷୟ ଦୁର୍ଲ୍ଲଭ ଦେହ ହୋଏ ଆୟୂଷ ।
କ୍ଷୟ ନଯିବ ନାମ ହୃଦରେ ଘୋଷ ରେ ।
ଛାର ଦେହକୁ ମନ ନ ଯା ବିଶ୍ୱାସ ।
ଛାର ଦୁର୍ବୁଦ୍ଧି କହେ ଭକତ ଦାସ ଯେ ।