ମନବୋଧ ଚଉତିଶା
ମନବୋଧ ଚଉତିଶା
କହଇ ମନ ଆରେ ମୋ ବୋଲ କର ।
କଳା ଶ୍ରୀମୁଖ ବାରେ ଦେଖିବା ଚାଲ ରେ ।। ୦୧ ।।
କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ ।
କି ଘେନି ଯିବୁ ତୋର ଛୁଟିଲେ ଘଟରେ ? ।। ୦୨ ।।
ଖଣ୍ଡି ଯେ ଖଣ୍ଡି ତୋର ପଞ୍ଜରା କାଠି ।
ଖାଉଣ ଥିବେ ଶ୍ଵାନ ଶୃଗାଳ ବାଣ୍ଟିରେ ।। ୦୩ ।।
ଖଟ ପଲଙ୍କେ ଶେଯ ସଜାଇ ଶୋଉ ।
ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁରେ ।। ୦୪ ।।
ଗଲେଣି ତୋ ସଂଗରୁ ଯେତେକ ଜନ ।
ଗଣ୍ଠିରେ ବାନ୍ଧି ନେଲେ କେ କେତେ ଧନ ? ।। ୦୫ ।।
ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ବୋଲୁ ।
ଗାଢ଼େ ମଜ୍ଜିଣ ନିତ୍ୟେ ଧନ ଅର୍ଜିଲୁ ।। ୦୬ ।।
ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ ।
ଘଟ ଛୁଟିଲେ ତୋତେ ବୋଲିବେ ଭୂତ ।। ୦୭ ।।
ଘର ଘରଣୀ ଦେହ କିଳାଉ ଥିବେ ।
ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ ।। ୦୮ ।।
ଉଦ୍ଧାର ହେବୁ ଯେବେ ଭବ ସାଗରୁ ।
ଉପାୟ କରି ଏବେ ଭଜ ଶ୍ରୀଗୁରୁ ।। ୦୯ ।।
ଊଣା ହେଉଛି ଦିନୁ ଦିନ ଆୟୁଷ ।
ଆଉ ଏଣିକି ଅଛି କେତେ ବୟସ ।। ୧୦ ।।
ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର ।
ଚିରି ଭିତର ଦେଖ କି ନାରଖାର ।। ୧୧ ।।
ଚର୍ମ ବେଢ଼ିଛି ସିନା ଚଉରାଶିକି ।
ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କି ।। ୧୨ ।।
ଛାର ଦେହକୁ ମନ କରିଛୁ ସଜ ।
ଛନ୍ଦ କପଟ ତେଜି ଗୋବିନ୍ଦ ଭଜ ।। ୧୩ ।।
ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା ।
ଛ’ ଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ା ।। ୧୪ ।।
ଯମ ଯେ ନ ଜାଣଇ ବାଳୁତ ଯୁବା ।
ଜୀଇଁବୁ ବୋଲି ମନେ କରିଛୁ ଅବା ।। ୧୫ ।।
ଜଣେ ହେଁ ଏଥୁ କେହି କାହିଁ ଅମର ।
ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାର ।। ୧୬ ।।
ଝୋଲା କନ୍ଥା ପାଛୋଡ଼ା ପିନ୍ଧାକୁ ରସୁ ।
ଝାଡ଼ ସଂସାରେ ମନ ନ ବୁଝି ବସୁ ।। ୧୭ ।।
ଝୁଣ୍ଟି ପଡ଼ିଲେ ଉଠିପାରିବୁ ନାହିଁ ।
ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁ ? ।। ୧୮ ।।
ନିଶି ଦିବସ ଥୟ ନୋହୁନା ମନ ।
ନିଦ୍ରାରେ ଦେଖୁଅଛୁ ଯଥା ସ୍ବପନ ।। ୧୯ ।।
ନ ଯିବେ ସଙ୍ଗେ କେହି ଯିବୁ ତୁ ଏକା ।
ନାମ ମାତ୍ର ଅଟଇ ପଥକୁ ସଖା ।। ୨୦ ।।
ଟାଣ କରିଛୁ ମନ ସବୁ ମୋହରି ।
ଟଳି ପଡ଼ିଲେ କେହି ନୁହେଁ କାହାରି ।। ୨୧ ।।
ଟେରା ଭିତରେ ଯେହ୍ନେ ଅପୂର୍ବ ନାରୀ ।
ଟୋପ ଚଉଁରା ଅଛି ତୋ ଦେହେ ପୂରି ।। ୨୨ ।।
ଠିକେ ମୁଁ କହୁଅଛି କର ମୋ କଥା ।
ଠିକେ ତୋ ଦେହେ ଅଛି ଶୂନ୍ୟ ଦେବତା ।। ୨୩ ।।
ଠିକି ଯିବୁଟି ଠିକ ମୁ ମୁଣ୍ଡେ ପଡ଼ିଲେ ।
ଠିକେ ଗୁରୁଙ୍କୁ ସେବା କର ତୁ ଭଲେ ॥ ୨୪ ।।
ଡାକି କହୁଛି ମନ ଭଜ ଗୋବିନ୍ଦ ।
ଡରି ଜଞ୍ଜାଳ ଯାଉ ତୋହର ହୃଦ ।। ୨୫ ।।
ଡେରିଥାନ୍ତି ଶ୍ରବଣ ଭକ୍ତ ଡାକକୁ ।
ଡଙ୍ଗା ଯେହ୍ନେ ଜଳରେ ଚାହାଁ ପଛକୁ ।। ୨୬ ।।
ଢୋଲ ଯେସନେ ଢାଉଁ ଢାଉଁ ବାଜଇ ।
ଢାଳେ ତହିଁ ଭିତରେ କିଛି ହିଁ ନାହିଁ ।। ୨୭ ।।
ଢାଙ୍କି ରହିଛି ଦେହ ସବୁଟି ତୁଚ୍ଛ ।
ଢଳି ପଡ଼ିଲେ ସବୁ ହେବଟି ମିଛରେ ।। ୨୮ ।।
ଏଣୁ ତୁ ଦେଇଥିଲେ ତେଣେ ପାଇବୁ ।
ଅଣଆୟତ ବେଳେ କି ଘେନି ଯିବୁ ।। ୨୯ ।।
ଅଣନିଶ୍ୱାସୀ ହୋଇ ରହିବୁ ଦିନେ ।
ଅନେକ ଦୁଃଖ ଦେବେ ଯମ ଭୁବନେ ।। ୩୦ ।।
ତୁ ଯେବେ ବୋଲୁ ମୋର ଅର୍ଜିଲା ଧନ ।
ଦେହ ନୁହେଁ ତୋହର ଦେଖ ଏ ମାନ ।। ୩୧ ।।
ତୋହରି ସଙ୍ଗୁ ମନ ଗଲେଣି କେତେ ।
ତୁ ମିଥ୍ୟା କଥାକୁ ତ ଯାଉ ପରତେ ।। ୩୨ ।।
ଥିଲେ ଏ ସଂସାରରେ ଯେତେ ନୃପତି ।
ଥୟ କରିକେ ଭୋଗ କଲା ଏ ପୃଥ୍ବୀ ? ।। ୩୩ ।।
ଥୋଇଲା ଧନ ତୋର ଖଣ୍ଟ ଖାଇବେ ।
ତାନେ ତୋହର ଘର କରି ରହିବେ ।। ୩୪ ।।
ଦେହେ ପୂରିଛି ତୋର ଅଶେଷ ରୋଗ ।
ଦିନ ଚାରିକି ସିନା ଏ ସୁଖ ଭୋଗ ।। ୩୫ ।।
ଦଣ୍ଡେ ହେଁ କେହି ତୋତେ ରଖିବେ ନାହିଁ ।
ଦଣ୍ଡୁ ଯେ ଥିବେ ଯମ ଡଗର ଯହିଁ ।। ୩୬ ।।
ଧର୍ମ ଅଧର୍ମ କଥା ନ ଜାଣୁ ତୁହିଁ ।
ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ ।। ୩୭ ।।
ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ ।
ଧର୍ମରେ ଆତଯାତ ହେଉଛି ମହୀ ।। ୩୮ ।।
ନିନ୍ଦିତ କର୍ମ କଲେ ନିନ୍ଦା ପାଇବୁ ।
ନରକେ ପଡ଼ି କେତେ ଦୁଃଖ ସହିବୁ ।। ୩୯ ।।
ନିମିଷ ମାତ୍ର ମୁଖେ ନ ବୋଲୁ ହରି ।
ନାଶ ହେତୁକୁ କିମ୍ପା ଧରୁ ଆବୋରି ? ।। ୪୦ ।।
ପାହିଲେ ନିଶି ଯେହ୍ନେ ରବି ଉଦୟ ।
ପଦ୍ମ ଲୋଚନ ସବୁ ଦେହେ ଉଦୟ ।। ୪୧ ।।
ପ୍ରଭୁଙ୍କୁ ଆଶ୍ରେ କର ତରିବୁ ଯେବେ
ପାଦ ପଦ୍ମରେ ଚିତ୍ତ ଦିଅ ତୁ ଲବେ ।। ୪୨ ।।
ଫୁଲ ଯେସନେ ଫୁଲେ ଫୁଲେ ବିହରେ ।
ଫୁଲ ସମୀରେ ଆଉ ନ ଦିଶେ ତାରେ ।। ୪୩ ।।
ଫଳ ସଂସାରେ ଲାଭ ହରି ଭଜନ ।
ଫାଶ ଲଗାକୁ ଜମା କରୁଛୁ ଧନରେ ।। ୪୪ ।।
ବେଳକୁ ବେଳ ତୋତେ କହୁଛି ମୁହିଁ ।
ବାନ୍ଧିଣ ନେବେ ଯମ କି ଦୁଃଖ ଦେଇ ।। ୪୫ ।।
ବିକଳେ କାନ୍ଦୁଥିବୁ ଆକୁଳ ହୋଇ
ବେଳହୁଁ ଆଶ୍ରେ କରି ଭଜ ଗୋସାଇଁ ।। ୪୬ ।।
ଭେଳା ବୁଡ଼ିବ ହେଳା କଲେ କହୁଛି ।
ଭଙ୍ଗା ନାବରେ କେବା ସିନ୍ଧୁ ତରିଛି ? ।। ୪୭ ।।
ଭାବେ ନିକଟ ସେହି ଅଭାବେ ଦୂର ।
ଭକତ ଦାସ ବୋଲେ ଜୀବନ ଛାର ।। ୪୮ ।।
ମିଥ୍ୟା ମାୟା ସଂସାର ନୋହେ କାହାରି ।
ମଲା ବୋଲିଣ ଦିନେ ପଡ଼ିବ ହୁରି ।। ୪୯ ।।
ମହୀ ଭିତରେ କେହି ରହିବେ ନାହିଁ ।
ମଲା ବୋଲି କାନ୍ଦୁଛୁ ମରିବୁ ତୁହି ।। ୫୦ ।।
ଜନମ ହେଲେ ପ୍ରାଣୀ ଅବଶ୍ୟ ମରି ।
ଯଶ ରଖିବୁ ଯେବେ ଭଜ ଶ୍ରୀହରି ।। ୫୧ ।।
ଯମ ଯେ ବାନ୍ଧିନେବ ହେବୁ ମେଲାଣି ।
ଜଗନ୍ନାଥ ମହିମା ଏଣିକି ଆଣି ।। ୫୨ ।।
ରଙ୍ଗ ପସରା ସିନା ଭବ ସାଗର ।
ରଙ୍ଗ ଭିତରେ ଅଛି କି ନାରଖାର ।। ୫୩ ।।
ରୂପ ପ୍ରତିମାକୁ ତୁ ପରତେ ନ ଯା ।
ରହିବେ ନାହିଁ କେହି ରାଜା ପରଜା ।। ୫୪ ।।
ଲୋଚନେ ଦେଖି କର୍ଣ୍ଣେ ଶୁଣୁଛୁ ନିତି ।
ଲୋଭ କରି ଅର୍ଜିଲୁ ଧନ ସମ୍ପତ୍ତି ।। ୫୫ ।।
ଲୋଭଟି ସବୁ ନାଶ କରଇ ମନ ।
ଲୋଡ଼ିଲେ ନ ପାଇବୁ ଆଉ ଜୀବନରେ ।। ୫୬ ।।
ବିଅର୍ଥେ ବହିଅଛୁ ଦୁର୍ଲଭ ଦେହ ।
ବିଷୟା ବିଷେ ଆଉ ନ ବଳା ସ୍ନେହ ।। ୫୭ ।।
ବୁଡ଼ି ଯିବଟି ମୂଳ ଲାଭ ସରିବ ।
ବେଳହୁଁ ଆଶ୍ରେ କରି ଭଜ ମାଧବ ।। ୫୮ ।।
ଶ୍ରୀକୃଷ୍ଣ ପାଦପଦ୍ମେ ଦିଅ ତୁ ମନ ।
ସରିଲେ ନ ପାଇବୁ ଆଉ ଜୀବନ ।। ୫୯ ।।
ଶ୍ରୀକୃଷ୍ଣ ନାମ ଗୋଟି କର ଭଜନ ।
ଶ୍ରୀକୃଷ୍ଣ ପାଦପଦ୍ମେ ଦିଅ ତୁ ଧ୍ୟାନ ।। ୬୦ ।।
ସନ୍ତୋଷ ଚିତ୍ତେ ତୁହି ହରିଙ୍କି ଭଜ ।
ସଂସାରେ ପଡ଼ି ଆଉ ନ ପାଉ ଲାଜ ।। ୬୧ ।।
ସବୁଟି ମିଛ ହରି ନାମଟି ସତ ।
ଶ୍ରୀକୃଷ୍ଣ ପାଦପଦ୍ମେ ଦିଅ ତୁ ଚିତ୍ତ ।। ୬୨ ।।
ସତ୍ୟ ମଣୁଛୁ ତୁହି ଭବ ସାଗର ।
ସରିଯାଉଛି ପରମାୟୁ ତୋହର ।। ୬୩ ।।
ସନ୍ତୋଷ ହୋଇ ଦୃଢ଼େ ଭଜ ଶ୍ରୀହରି ।
ଶୋକ ସାଗରୁ ଯେବେ ହୋଇବୁ ପାରି ।। ୬୪ ।।
ହୁଡ଼ିଲେ ଯେତେ ଜନ ହରି ନାମକୁ ।
ହୀନ ଗତିକି ଗଲେ ବୁଡ଼ି ତଳକୁ ।। ୬୫ ।।
ହଜିଲେ ଦେହ ଆଉ ପାଇବୁ ନାହିଁ ।
ହାଟ ବସାଇଥିବେ ତୋ ଦେହ ପାଇଁ ।। ୬୬ ।।
କ୍ଷୟ ଦୁର୍ଲଭ ଦେହ ହୋଏ ଆୟୁଷ ।
କ୍ଷୟ ନ ଯିବ ନାମ ହୃଦୟେ ଘୋଷ ।। ୬୭ ।।
ଛାର ଦେହକୁ ମନ ନ ଯା ବିଶ୍ୱାସ ।
ଛାର ଦୁର୍ବୁଦ୍ଧି କହେ ଭକତ ଦାସ ।। ୬୮ ।।