ମେଘଦୂତ

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

  ପୂର୍ବମେଘ

  (ରାଗ‌- କଳହଂସକେଦାର)

ଦକ୍ଷିଣଦେଶେ ରାମଗିରି ଶୋଭନ, ବିମଳ ଶୁଭ୍ର ଯହିଁ ନ‌ଦୀ ଜୀବନ
ଜନ‌କ‌କନ୍ୟା ସ୍ନାନେ ପବିତ୍ର ଅତି, ପର୍ଣ୍ଣ‌ଗ‌ହଳ ଯହିଁ ତରୁ-ବ୍ରତ‌ତୀ
ତ‌ହିଁଁ କୁବେର ଶାପେ ହୋଇ ପ୍ରେରିତ, ରହିଲା ଯକ୍ଷ ଦୁଃଖେ ଆତୁର ଚିତ୍ତ ।
ବତ୍ସର ଅନ୍ତେ ହେବ ଶାପ ମୋଚନ, ବତ୍ସର ଅନ୍ତେ ହେବ କାନ୍ତା ମିଳନ ।
ଗମିଲା କେତେ କାଳ ସେ ଧରାଧରେ, ବାଳାବିରହୀ କାମୀ ଯକ୍ଷ କାତରେ ।
କ୍ରମେ ଶରୀର କାନ୍ତି ହେଲା ବିଲୟ, ଖସିଲା ଶୀର୍ଣ୍ଣ କରୁ ସ୍ୱର୍ଣ୍ଣ ବଳୟ ।
ଆଷାଢ଼ ଆଦ୍ୟ ଦିନେ ଶିଖରି ଶିର, ଘୋଟିଲା ଆସି ଘନନୀଳମୁଦିର,
କ୍ରିଡ଼ା ନିମନ୍ତେ ବପ୍ରେ କରୀ ଯେସନ, ତେସନେ ମନୋରମ ଦିଶଇ ଘନ ।
କେତକୀ ପ୍ରକାଶକ ଘନ ଦର୍ଶନେ, ଅଧୀର ଯକ୍ଷ ପୂର୍ବସୁଖ ସ୍ମରଣେ ।
ବେଗେ ବୋହିଲା ଶୋକ ଅଶୃ ନୟନେ, କ‌ହି ନୁହଇ କେତେ ପାଞ୍ଚିଲା ମନେ ।
ଅଙ୍ଗନା ସଙ୍ଗେ ମଧ୍ୟ ଥିଲା ଲୋକର, ଘନାଗମେ ଆକୁଳ ହୁଏ ଅନ୍ତର ।
ପ୍ରାଣସଙ୍ଗିନୀ-ସଙ୍ଗମୁଖ ହଜାଇ, ଆତୁର ଯକ୍ଷ ତାର କଥା ତ ନାହିଁଁ ।
ନିଜ କୁଶଳ ବାର୍ତ୍ତା ମେଘ ହସ୍ତରେ, ପ୍ରେରିବ ପ୍ରିୟା ପାଶେ ନିଜ ନ‌ଗରେ ।
ପାଇ ବାରତା କାନ୍ତା ହୋଇବ ସ୍ଥିର, ଆଶାପ୍ରଭା ଶୋଷିବ ତା ନେତ୍ରନୀର ।
ଏ ଭାବେ ପ୍ରାଣ-କାନ୍ତା-ଦୁଃଖେ ବିକଳ, ଅର୍ଘ୍ୟ ସ୍ୱରୂପେ ଦେଲା ନିର୍ଝର ଜଳ ।
ପୂଜିଣ ଜୀମୂତଙ୍କୁ କୁଟଜ ଆଣି, ତା ଅନ୍ତେ ପଚାରଇ ସ୍ୱାଗତ ବାଣୀ ।
ଧୂମଜ୍ୟୋତିଃସଲିଳବାୟୁ-ରଚିତ, କାହିଁ ଜୀମୂତ ? ସେହୁ ଜୀବ-ବର୍ଜିତ ।
ମାନବ ବହ‌ନୀୟ କାହିଁ ସନ୍ଦେଶ, ଯକ୍ଷ ନ ବିଚାରିଲା ଏଥି ବିଶେଷ ।
ଉତ୍କଣ୍ଠାକୁଳ ହୋଇ ଘନ‌କୁ ଭାଷେ, ସଜୀବ ମଣି ହୃଦକଥା ପ୍ରକାଶେ ।
ଅଙ୍ଗ ଘାରଇ ଯାର ଅନଙ୍ଗ ବାଣ, ଚେତନ ଅଚେତନ ତାର ସମାନ ।

  ପୃଷ୍ଠା ୨

ପୁଷ୍କର ଆବର୍ତ୍ତକ ବଂଶେ ସମ୍ଭୁତ, ବିଖ୍ୟାତ ଧରାତଳେ ଅଟ ଜୀମୁତ ।
କାମଚାରୀ ସଚିବ ତୁମ୍ଭେ ଇନ୍ଦ୍ରର, ବିରହୀ ଜନଠାରେ କରୁଣା କର ।
ବିଫଳ ହୁଏ ଯେବେ ମୋର କାମନା, ଜଳଦ ! ନ କରଇ ତ‌ହିଁ ଭାବନା ।
ଫଳବତୀ ପ୍ରାର୍ଥନା ଅଧମଠାରେ, ନିନ୍ଦନୀୟ ଅଟଇ ମୋର ବିଚାରେ ।
ତାପିତ ଜନଙ୍କର ଅଟ ଶରଣ, ହେ ନୀରଦ ରଖ ମୋ ପ୍ରିୟା ଜୀବନ ।
ଧନପତି ଶାପେ ମୁଁ କାତର ଅତି, ମୋ ବିନା କାତର ସେ ବର ଯୁବତୀ ।
ଯାଅ ମୋ ବାର୍ତ୍ତା ଘେନି ହେ ନୀରଧର, ଅଳକା ନ‌ଗରୀକି, ଯହିଁ ସୁନ୍ଦର,
ବ‌ହିରୁଦ୍ୟାନେ ଛନ୍ତି ଶଶିଶେଖର, ସେ ଶଶି କରେ ଧଳା ସୌଧନିକର ।
ତୁମ୍ଭ ଦର୍ଶନେ ପାନ୍ଥ ବନିତାକୁଳ, ହୃଦୟେ ବିକଶିବ ଆଶା ମୁକୁଳ
ଧରିଣ ବେଣୀ ବାମ କରକମଳେ, ଦେଖିବେ ଗତି ତୋର ଅମ୍ବର ତଳେ ।
କେ କ୍ରୁର ଏ କାଳରେ ବିଦେଶେ ଥାଇ, ବନିତା ମନ ଖେଦ ହ୍ରଦେ ବୁଡ଼ାଇ ।
ନିଶ୍ଚିନ୍ତରେ ରହଇ କ‌ହ ମୋ ବିନା, ପରାଧୀନର ଘନ ଏ ଗତି ସିନା ।
ଅନୁକୂଳ ସମୀର ଧୀରେ ବ‌ହଇ, ବାମେ ଚାଳକ ମନୋହର କୂଜଇ ।
ତୋର ଉଦୟେ ତାର ଗର୍ବ ଉଦିତ, ଆକାଶ ଝଙ୍କାରଇ ଏଣୁ ତା ଗୀତ ।
ତୋର ଆଗମ କାଳେ ଯାଙ୍କ ଉତ୍ପତ୍ତି, ତୋତେ ସେବିବେ ସେହି ବକ ଦମ୍ପତି ।
ଧବଳ ପୁଣ୍ଡରୀକମାଳ ପରାୟେ, ଦିଶିବେ ଅଭିରାମ ତୋ ଶ୍ୟାମକାୟେ ।
ନିଶ୍ଚେ ନାଗରୀ ମୋର ଥିବ ଜୀବନେ, ବାସର ଗଣୁଥିବ ଉତ୍ସୁକ ମନେ ।
ଅବଳାମନଃ-ପଦ୍ମ-ଆଶା-ମୃଣାଳେ, କଷ୍ଟେ ରହଇ ଘୋର ବିରହକାଳେ ।
ଶୃତି ମଧୁର ତୋର ନାଦ ଗଭୀର, ଭୁଷଇ ଯେହୁ ଜରାଦେବୀଶରୀର ।
ନବ କନ୍ଦଳ ଦଳ ଶ୍ୟାମଳ ବାସେ, ମିଳାଇବ ତୋ ସଙ୍ଗୀ ଆଣି ଆକାଶେ ।
ରାଜ‌ହଂସେ ଶୁଣିଲେ ତୋର ଗର୍ଜନ, ନିଳାମ୍ବୁ ମାନସକୁ ଯିବେ ବ‌ହ‌ନ ।
ପାଥେୟରୂପେ ଘେନି ମୃଦୁ ମୃଣାଳ, କୈଳାସ ଯାଏ ସଙ୍ଗେ ଯିବେ ମରାଳ ।
ପ୍ରୟସଖା ତୋହର ଏ ଧରାଧର, ଦେହେ ଧରନ୍ତି ରାମଚନ୍ଦ୍ର ପୟର ।
ତେଣୁ ଅଟନ୍ତି ଗିରି ଅତି ପବିତ୍ର, ମିତ୍ର ତୁମ୍ଭର ଗିରି ନୁହେଁ ବିଚିତ୍ର ।
ଉଭୟେ ଯଥାକାଳେ ହେଲେ ମିଳିତ, ପ୍ରେମ-ଅଶୃ-ପ୍ରବାହ ବ‌ହେ ତ୍ୱରିତ ।
ଅମ୍ବୁଦ ଗିରିଠାରୁ ମାଗ ମେଲାଣି, କାତର ଅଟଇ ମୁଁ ରଖ ମୋ ବାଣୀ ।
ତୁମ୍ଭ ଗମନ‌ଯୋଗ୍ୟ ମାର୍ଗ ନିର୍ଦ୍ଦେଶ, କରଇ ଅବଧାନ ହେଉ ବିଶେଷ ।
ଆତ୍ମ ସନ୍ଦେଶ ପୁଣି କ‌ହିବି ପରେ, ଶୁଣି ହରଷ ଜାତ ହେବ ଅନ୍ତରେ ।
କ୍ଲାନ୍ତ ହୋଇଲେ ଗିରିଶୃଙ୍ଗେ ରହିବ, କ୍ଷୀଣ ହୋଇଲେ ନ‌ଦୀ ବାରି ସେବିବ ।
ଏଣୁ ହୋଇବ ସୁଖେ ତୁମ୍ଭ ଗମନ, କଷ୍ଟ ନୋହିବ ମୋହୋବାଞ୍ଛାପୂରଣ ।

  ପୃଷ୍ଠା ୩

ଘନ ବେତସପୂର୍ଣ୍ଣ ଏ ସ୍ଥାନ ତ୍ୟଜି, ବେଗେ ଗ‌ଗନେ ଉଠ ଧୀରେ ଗରଜି ।
ଚକିତ ନୟନରେ ସିଦ୍ଧରମଣୀ, ଅନାଇବେ ତୁମ୍ଭଙ୍କୁ ବିସ୍ମୟ ମଣି ।
ପରସ୍ପରେ ଭାଷିବେ ଦେଖ ଗୋ ସଇ, କି ଅବା ବାୟୁ ଗିରିଶୃଙ୍ଗ ହରଇ ।
ଅନମ୍ବରେ ଅମ୍ବୁଦ ଦିଗବାରଣେ, ତ୍ୟଜିବେ କର-ଗର୍ବ ତୁମ୍ଭ ଦର୍ଶନେ ।
ବଲ୍ମୀକଶିଖାଗ୍ରରୁ ହୋଇ ବାହାର, ସୁରେନ୍ଦ୍ର ଚାପଲତା ହୁଏ ବାହାର ।
ରତନ‌କାନ୍ତି ସ୍ରୋତ ଯେହ୍ନେ ଉଛୁଳେ, କି ଶୋଭା ପାଉଅଛି ତୋ ଉରସ୍ତଳେ ।
ଏହି ରୂପେ ଜଳଦ କୃଷ୍ଣ ଦେହରେ, ମୟୁର ପୁଚ୍ଛ ଶୋଭା ନୟନ ହରେ ।
ଯାହା ରୂପେ ମଜ୍ଜିଲା ଗୋପିକା ମନ, ତାହା ଉପମା ପାଇଁ ତୁମ୍ଭେ ଭାଜନ ।
କ୍ଷମତା ଆଛି ତୋର ଶସ୍ୟ ବର୍ଦ୍ଧନେ, ଏଣୁ କୃଷକବାଳା ସ୍ଥିର ଲୋଚନେ ।
ଦେଖିବେ ତୋ ମୋହ‌ନ ଛବି ଆକାଶେ, ଅନଭିଜ୍ଞା ସରଳା ନେତ୍ର ବିଳାସେ ।
ମାନକ୍ଷେତ୍ରକୁ ଘନ କର ପ୍ରୟାଣ, ହଳ କର୍ଷଣ ଜାତ ମୃତ୍ତିକା ଘ୍ରାଣ ।
ତୋଷିବ ନାସା ତୋର ତ‌ହୁଁ ଉତ୍ତରେ, ଲଘୁ ଗତି ରମିବୁ ଶୂନ୍ୟସାଗରେ ।
ଗିରିଙ୍କର ତୁ ଅଟୁ ମଙ୍ଗଳକାରୀ, ଲିଭାଉ ଦାବାନଳ ବିସର୍ଜିବାରି ।
ଶ୍ରାନ୍ତ ହୋଇଲେ ଆମକୂଟ ସଦନେ, ଗଲେ ସେବିବେ ଗିରି ଅତି ଯତନେ ।
କ୍ଷୁଦ୍ରେ ଭଦ୍ରଭବନେ ନେଲେ ଶରଣ, ନିରାଶ ନ ହୁଅନ୍ତି ଯାଚକଗଣ ।
ଗିରି ମହତ ପୁଣି ତୁ ହିତକର, ମସ୍ତକେ ସ୍ଥାନ ତୋତେ ଦେବେ ଭୂଧର ।
ସେ କାଳେ ଦାବାନଳ ଗିରି କାନନେ, ଜଳୁଥିବ‌ ହେ ଯେବେ ବାରି ବର୍ଷଣେ ।
ନିଭାଇବ ଅନଳ ସଂଶୟ ନାହିଁ, ମହତ ଲୋକର ଏ ସୂରତୀ ଭାଇ ।
ମହତଜନଠାରେ କରୁଣା କଲେ, ସେ କରୁଣା ନ ଯାଏ କେବେ ବିଫଳେ ।
ଆଶୁ ସୁଫଳ ଜାତ ନିଶ୍ଚେ ହୁଅଇ, କରୁଣାପ୍ରଭା ପୁଣି ପ୍ରତିଫଳଇ ।
ରସାଳଦ୍ରୁମ ହେମକାନ୍ତି ଫଳରେ, ବିନତ ହୋଇଥିବ ଗିରି ପ୍ରାନ୍ତରେ ।
ତୁ ପୁଣି ଗିରି ଶିରେ ବସିବୁ ଯାଇ, ଦୂରୁ ସୁର-ମିଥୁନ ବିମାନେ ଥାଇ ।
ମନୋରଞ୍ଜନ ଗିରିଶୋଭା ଦେଖିବେ, ନ‌ଗଙ୍କୁ ପୃଥ୍ୱୀ ସ୍ତନ ବୋଲି ମଣିବେ ।
ସୁମେରୁ ଶିରେ ଗିରି ନୀଳକାନ୍ତି ଶିଖର, ପରେୟେ ଦିଶୁଥିବ ତୋ କଳେବର ।
ବନେଚରଲଳନା କୋଳି-ନିଳୟ, ରାଜଇ କୁଞ୍ଜ, ତ‌ହିଁ ଅଳ୍ପ ସମୟ ।
ରହି, ଅସାର-ଦାନେ ନବଜୀବନ, ତରୁଦଳକୁ ଦେଇ କର ଗମନ ।
ଏଣୁଅନ୍ତେ ଅଗ୍ରତେ ରେବା ଦିଶଇ, ଶିଳା-ବିଷମ ବିନ୍ଧ୍ୟପାଦେ ବ‌ହଇ ।
କରି‌-ଅଙ୍ଗ ରଚିତ ଭୁତି ଯେସନ, ତେସନେ ଏ ତଟିନୀ ରମ୍ୟଦର୍ଶନ ।
ଅବଗାହ‌ନ୍ତି ବନ୍ୟବାରଣେ ତ‌ହିଁ, ଗଣ୍ଡରୁ ମଦ ସ୍ରବି ଜଳେ ମିଶଇ ।
ତେଣୁ ନର୍ମଦା ତୀର ନିତ୍ୟ ବାସିତ, ଆଦରେ ସେ ସଲିଳ ନେବ ତ୍ୱରିତ ।

  ପୃଷ୍ଠା ୪
 
ସବଳ କାୟା ତୋର ଦେଖି ପବନ, ତୁଚ୍ଛ ନ ମଣି ଦେବେ ପୃଷ୍ଠେ ଆସନ,
ସର୍ବତ୍ର ବଳହୀନ ହତ-ଆଦର, ବଳି ଲଭଇ ମାନ ରୀତି ଭବର ।
ହରିତ ପୀତ ନୀପ କୁସୁମେ ବସି, ମଧୁ ପିଅଇ ଭୃଙ୍ଗ ସୁରସେ ବସି ।
ଭ୍ରମନ୍ତି ମୃଗୀକୁଳ ସଦା ଆତୁର, ଭୁଞ୍ଜନ୍ତି ନବଜାତ ତୃଣ ଅଙ୍କୁର।
ପ୍ରମତ୍ତ ମତଙ୍ଗଜ ଶୁଣ୍ଢେ କାନନେ, ଘନଇ ଭୂମି ଗନ୍ଧ ଶ୍ୱାସ ପବନେ ।
ଚାତକେ ଉର୍ଦ୍ଧ୍ୱମୁଖେ ତରୁ ଉପରେ, ଅମ୍ବୁକଣା ଯାଚନ୍ତି ଆରତ ସ୍ୱରେ ।
ତୋହୋ କୃପାରେ ଧରାଦେହ ଶୀତଳ, ନବପଲ୍ଲବମୟ ତରୁ ସଫଳ,
ସାନନ୍ଦ ତୃଣଜୀବୀ ଏକାଳ ପାଇ, ଶୁଝିବେ ତୋହୋ ମାର୍ଗ ଋଣ ଦର୍ଶାଇ ।
ବାରି ଶୀକର ଯେବେ ତୋ ଦେହୁ ଖସେ, ଉଡ଼ନ୍ତି ଚାତକାଳି ନଭେ ରଭସେ
ଏକାଳେ ସିଦ୍ଧଗଣ ବନିତା ସଙ୍ଗେ, ବଳାକା ପଙ୍କତି ଦେହି ହସିବେ ରଙ୍ଗେ,
ସରଳା ମନୋରମା ସିଦ୍ଧ ରମଣୀ, ଅଙ୍ଗୁଳି ନିର୍ଦ୍ଦଶରେ ବଳାକା ଗଣି ।
ଚାହୁଁଥିବେ କାନ୍ତାଙ୍କୁ ସ୍ନିଗ୍‌ଧ ଲୋଚନେ, ଏକାଳେ ବଳାହକ ଭୀଷଣ ସ୍ୱନେ ।
ପୂରିବ ବନଭୂମି କୌତୁକ ଭୟେ, ଭିଡ଼ିବେ କାନ୍ତ‌ତନୁ ବାଳା ନିଶ୍ଚୟେ,
ସିଦ୍ଧ ମାନସ ତ‌ହୁଁ ତୁଷ୍ଟ ହୋଇବ, ତୋ ଅଗମନ‌କୁ ସେ ଶ୍ଳାଘ୍ୟ ମଣିବ ।
ହେ ନୀଳ ନୀରଧର ତୁମ୍ଭ ଗମନେ, ବିଳମ୍ବ ଉପୁଜିବ ଭାଳଇ ମନେ,
ତୁଙ୍ଗ ପରବତରାଜି ବର୍ତ୍ମେ ରାଜିତ, ଅର୍ଜ୍ଜୁନପୁଷ୍ପବାସେ ଦେହ ବାସିତ ।
ସେ ସୌରଭ କର୍ଷଣେ ଲୁବ୍‌ଧ ହୃଦୟ, ରମିବ ଶୈଳେ ଘନ ବ‌ହୁ ସମୟ,
କଳାପି-କୁଳ-କେକା ତାପରେ ଶୁଣି, ମନେପଡ଼ିବ ପୁଣି ମୋର ମାଗୁଣି ।
ଦଶାର୍ଣ୍ଣ ଦେଶ ଘନ ଦିଶେ ତା ପରେ, ଏଦେଶ ସମାକୁଳ ବଟଦ୍ରୁମରେ ,
ଦ୍ରୁମେ ବାୟସବାର ନୀଡ଼ ରଚନ୍ତି, ଏ କାରଣେ ପ୍ରାବୃଟେ ସୁଖେ ରହ‌ନ୍ତି ।
କେତେକ ଜାଳବୃତି ତ‌ହିଁ କାନନ, କେତେକ ପରାଗରେ ପାଣ୍ଡୁଚରଣ,
ଜମ୍ବୁପାଦପ ନତ ଶ୍ୟାମଳ ଫଳେ, ସରସେ କଳହଂସ ନାଦ ଉଚ୍ଛଳେ ।
ତ‌ହୁଁ ଉତ୍ତରେ ଯିବ ନଭ ସନ୍ତରି, ଅଗ୍ରେ ବିଦିଶା ନାମେ ରମ୍ୟ ନ‌ଗରୀ,
ରମିବ ତୋ ନୟନ ସେ ରାଜଧାନୀ, ଅଟଇ ଧରାତଳେ ସେ ନ‌ଗରୀରାଣୀ ।
ବେତ୍ରବତୀ ତଟିନୀ ତ‌ହିଁ ବ‌ହଇ, ନୀଳ ଊର୍ମି ବିଳାସେ ନେତ୍ର ହରଇ,
ଭୃଭଙ୍ଗୀ ବୋମୋହ‌ନ ବାମା ବଦନ, ଚୁମ୍ବଇ କାନ୍ତୁ ଯେହ୍ନେ ରସେ ମଗନ ।
ବେତ୍ରବତୀ ବଦନ ଚୁମ୍ବି ହରଷେ, ତୁ ପୁଣି ନବଘନ ମଜ୍ଜିବୁ ରସେ,
ଲାଜେ ଲଳନା ଯେହ୍ନେ ଅସ୍ଫୁଟ ସ୍ୱନେ, ନ‌ଦୀ ଭାଷିବ ତୋତେ କଳ ନିଶ୍ୱନେ ।
ଶୋହେ ଅଦୂରେ ପୁଣି ନୀରଶିଖରୀ, ସୁଖେ ବିଶ୍ରାମ ଲାଭ ତ‌ହିଁ ଉତ୍ତରି,
ଗିରି ତୋ ସଙ୍ଗ ପାଇ ରାଜିବ ଭଲେ, ରୋମାଞ୍ଚ ପ୍ରକଟିବ କଦମ୍ବ ଛଳେ ।
ଶିଳାସଦନେ ତ‌ହିଁ ନବ ନାଗରୀ, ବାନ୍ଧି ପ୍ରାଣନାଥଙ୍କୁ ଭୁଜବଲ୍ଲରୀ,
ପାଶରେ ସନ୍ତୋଷନ୍ତି ରମଣମନ, ଶରୀର ପରିମଳ ବ‌ହେ ପବନ ।

  ପୃଷ୍ଠା ୫
 
ପୃଳଗିରିରୁ ଚାରୁ ନିର୍ଝର ଝରେ, ପୁଷ୍ପବନ ବିରାଜେ ବେନି ପାର୍ଶ୍ୱରେ,
ଯୂଥିକାଫୁଲଜାଳ ତ‌ହିଁ ଫୁଟଇ, ମନୋଜ୍ଞସୌରଭରେ ନାସା ତୋଷଇ ।
ଫୁଲ ତୋଳନ୍ତି ତ‌ହିଁ ମାଳିନିଦଳ, ସ୍ୱେଦେ ମଳିନ ତାଙ୍କ କର୍ଣ୍ଣ-ଉତ୍ପଳ,
ତୋର ଶୀତଳ ଛାୟା ହେଲେ ପତିତ, ଉର୍ଦ୍ଧ୍ୱେ ଚାହିଁବେ ବାଳା ହୋଇଣ ପ୍ରୀତ ।
ଉତ୍ତର ଦେଶପ୍ରତି ଗମନେ ମନ, ଉଜ୍ଜୟିନୀକି ଗଲେ ମାର୍ଗବର୍ଦ୍ଧନ,
ନିଶ୍ଚେ ହୋଇବ, ଜାଣୁଅଛି ବିଶେଷ, ମାତ୍ର ସେଠାରେ ସୁଖଲାଭ ଅଶେଷ ।
ସୌଧ ଉତ୍ସଙ୍ଗେ ହିଁ ପୁର-ଅଙ୍ଗନା, ମନ୍ଦେ ବିହରୁଥିବେ ହଂସଗମନା,
ଦେଖି ତୋ ଗାତ୍ରେ କ୍ଷଣପ୍ରଭା ସ୍ଫୁରଣ, ଚକିତ ହେବ ବାମା ବାମ ନୟନ ।
ଚାରୁ ଚାହାଣି ଭୁରୁଶୋଭିନୀଙ୍କର, ବିଦ୍ୟୁତ୍‌ଝଟକେ ପୁଣି ଚଟୁଳତର,
ନ ଦେଖି ଯିବୁ ଯେବେ ତ‌ହିଁ ତୁ ଘନ, ବୃଥା ଜନମ ତୋର ବୃଥା ଜୀବନ ।
ମାର୍ଗେ ନିବନ୍ଧ୍ୟା ନ‌ଦୀ ତୋ ପ୍ରଣୟିନୀ, ଅଳି-ଶ୍ୟାମଳ ଚାରୁ-ଊର୍ମି-ମାଳିନୀ,
ଊର୍ମିକ୍ଷୋଭେ ଆକୁଳ ମରାଳସ୍ୱନ, ଶୁଭିବ କାଞ୍ଚିଶବ୍ଦ ପ୍ରାୟେ ମୋହ‌ନ ।
ଆବର୍ତ୍ତରୂପେ ନାଭି ନେତ୍ର ମୋହିବ, ତୋଠାରେ ନ‌ଦୀ ସ୍ନେହ ସେହି ସୂଚିବ,
ରସିକ ତୁ ଜଳଦ କ‌ହିବି କେତେ, କାମିନୀ ପ୍ରକାଶନ୍ତି ଭାବସଙ୍କେତେ ।
କୃଶସଲିଳରେଖା ବେଣୀ ପରାୟେ, ଦିଶଇ ପୁଣି ନ‌ଦୀପୁଳିନ‌କାୟେ,
ସ୍ଖଳିତ ତୀର-ତରୁ-ପର୍ଣ୍ଣ-ନିବ‌ହ, ତେଣୁ ପାଣ୍ଡୁରକାନ୍ତି ନ‌ଦୀ ବିଗ୍ରହ ।
ଶୈବଳିନୀ ବିରହ ଦଶା ପ୍ରକାଶି, ସୂଚିବ ତୋଠାରେ ସେ କେଡ଼େ ପ୍ରୟାସୀ,
ଯେଉଁ ଉପାୟେ ପୂର୍ବ ରୂପ ଲଭିବ, ନିଦାନେ ସେ ବିଧାନ ଘନ କରିବ ।
ଅଗ୍ରେ ବିରାଜେ ତାର ଅବନ୍ତୀପୁରୀ, ଯେ ପୁରେ ଉଦୟନ କଥା ମାଧୁରୀ,
ଗଳ୍ପ‌ପ୍ରିୟ ସ୍ଥବିର ତୁଣ୍ଡୁ ଝରଇ, ତା ପରେ ଉଜ୍ଜୟିନୀ ପୁରୀ ରାଜଇ ।
ବର୍ଣ୍ଣି ନୁହଁଇ ତାର ଚାରୁ ଉପମା, ଭୁତଳେ ନାହିଁ ଘନ ତାର ଉପମା,
ସ୍ୱର୍ଗର କାନ୍ତିମାନ ଖଣ୍ଡ ସ୍ଖଳିତ, ପ୍ରାୟେ ଦିଶନ୍ତି ପୁରୀ ସୌଧରାଜିତ ।
ଯହିଁ ପ୍ରତ୍ୟୁଷେ ଶିପ୍ରାନ‌ଦୀ ପବନ, ଦ୍ୱିଗୁଣିତ କରଇ ହଂସ କୂଜନ,
ପ୍ରଫୁଲ୍ଲ ସରସିକ ସୌରଭ ହରି, ସେବଇ ଅଙ୍ଗନାଙ୍କୁ ମନ୍ଦେ ସଞ୍ଚରି ।
କ୍ଳାନ୍ତ କାମିନୀକୁଳ ନିଶି ଜାଗରେ, ଅନୂକୁଳ ସମୀର ସେ କ୍ଳାନ୍ତି ହରେ,
ନିତମ୍ବ-ନୀଳାମ୍ବର ମ୍ବଦ ଧୂନଇ, ଦୟିତ ପରାୟେ କେତେ ଚାଟୁ କରଇ ।
କେଶ ସଂସ୍କାର ଧୂପ ଗବାକ୍ଷଦ୍ୱାରେ, ବାହାରି ମିଶୁଥିବ ତୋହ କାୟାରେ,
ନାଚିବେ ତୋ ଦର୍ଶନେ ଗୃହ ମୟୁର, ଗଭୀର କେକାରବେ ପୂରିବ ପୁର ।
କୁସୁମ-ଶୋଭି-ସୌଧପୃଷ୍ଠ-ଆସନେ, ପଥଶ୍ରମ ଶ୍ରମିବୁ ସୁଖ-ଶୟନେ,
ସୀମନ୍ତିନୀ-ପଦାଙ୍କ ତ‌ହିଁ ଉପରେ, ଦେଖିବୁ ହର୍ମ୍ମ୍ୟେ ଯେହ୍ନେ ରକ୍ତିମା ଝରେ ।

  ପୃଷ୍ଠା ୬

ଉଜ୍ଜୟିନୀ ସନ୍ନିଧେ ଶିବସଦନ, ଅତି ପବିତ୍ର ଧାମ ଲୋକପାବନ,
ଗନ୍ଧବତୀ ତଟିନୀ ବ‌ହଇ ପାଶେ, କୁବଳୟ ସୁରଭି ସମୀର ଶ୍ୱାସେ ।
ଜଳେ କ୍ରିଡ଼ନ୍ତି ତ‌ହିଁ କେତେ ସୁନ୍ଦରୀ, ନୀଳ ତମାଳେ ଯହିଁ ସ୍ୱର୍ଣ୍ଣ ବଲ୍ଲରୀ,
ହରକଣ୍ଠ-ବରଣ ରାଜେ ତୋ ଦେହେ, ଚାହିଁବେ ଶିବଗଣ ତୁମ୍ଭକୁ ସ୍ନେହେ ।
ପୂର୍ବ କଥିତ ମହାକାଳ-ନିଳୟେ, ହେବୁ ପ୍ରବେଶ ଯେବେ ଆନ ସମୟେ,
ନଳିନୀସଖାଙ୍କର ଅସ୍ତଗମନ, ଯାଏ ଅନାଇ ତ‌ହିଁ ରହିବୁ ଘନ ।
ସନ୍ଧ୍ୟା ଆଗମେ ତୋର ଧ୍ୱନି ଗଭୀର, ପୂଜାପଟ‌ହ ପ୍ରାୟେ ମନ୍ଦ୍ରେ ମନ୍ଦିର,
ଝଙ୍କାରି ସନ୍ତୋଷିବ ଶିବଶ୍ରବଣ, {{Hover|ପ୍ରଶଂସା|ଶ୍ଳାଘ୍ୟ]] ସଫଳ ତ‌ହୁଁ ହେବ ଗର୍ଜନ ।
ମନ୍ଦିର ପାର୍ଶ୍ୱେ ବାରବାଳା ନିକର, ରତ୍ନ ଛାୟା ଖଚିତ ଗରୁ ଚାମର,
ଘେନିଣ ବିଞ୍ଚୁଥିବେ ଲୀଳାବ୍ୟଜନେ, ସିଞ୍ଚିବୁ ତାଙ୍କୁ ନବ ସଲିଳ-କଣେ ।
ଭ୍ରମର-ରାଜି ରମ୍ୟ ନୟନେ ଚାହିଁ, ତୋ ମନ ନୀରଧର ନେବେ ଭୁଲାଇ,
ତୋ ଶ୍ରବଣ ତୋଷିବ ରମ୍ୟ ଶିଞ୍ଜିତ, ବୀଣା ଝଙ୍କାର ଗଞ୍ଜି ମଧୁସଙ୍ଗୀତ ।
ମଣ୍ଡଳାକାରେ ଘେରି ତରୁ କାନନ, ଶୋଭିବ ଉଚ୍ଚେ ତ‌ହିଁ ଘୋଟି ଗ‌ଗନ,
ସନ୍ଧ୍ୟା ସିନ୍ଦୁର ରାଗେ ହୋଇ ରଞ୍ଜିତ, ଦିଶିବ ନବଜବା ପ୍ରାୟେ ଲୋହିତ ।
ନର୍ତ୍ତନ କାଳେ ଶିବ ତୋତେ ଚାହିଁବେ, ଆର୍ଦ୍ର-ଗଜ-ଅଜିନ ଲାଜେ ତ୍ୟଜିବେ,
ଭବ-ସୁନ୍ଦରୀ ଦେଖି ତୋର ଭକତି, ସୁଆଶିଷ କରିବେ ହରଷେ ସତୀ ।
ରଜନୀକାଳେ ଦାଣ୍ଡେ କେତେ ଯୁବତୀ, ଉଦ୍‌ବେହେ ଯାଉଥିବେ କାନ୍ତ ବସତି,
ଘୋର ଅନ୍ଧାରେ ମାର୍ଗ ଦିଶିବ ନାହିଁ, କମ୍ପିବେ ଭୟେ ଚଉଦିଗେ ଅନାଇ ।
ତୋ ସଙ୍ଗେ ଥିବ ପ୍ରଭାମୟୀ ତଡ଼ୀତ, ଏକାଳେ ବାଳାଙ୍କର ସାଧିବେ ହିତ,
ଘନ ମୁଞ୍ଚିବ ନାହିଁ ଭୀମ ନିନାଦ, ନାଦ ମଣିବେ ବାମା ଘୋର ପ୍ରମାଦ ।
କ୍ଳାନ୍ତ ହେଲେ ତଡ଼ିତ ଚିର ନର୍ତ୍ତନେ, ଥୋଇବୁ ଅବଳାକୁ କ୍ରୋଡ଼ ଶୟନେ,
ଚନ୍ଦ୍ରଶାଳାରେ ଯାପି ଶେଷ ରଜନୀ, ଶେଯ ତ୍ୟଜିବୁ ଶୁଣି କପୋତ ଧ୍ୱନି ।
ଫିଟାଇ ପୂର୍ବଆଶା-ସ୍ୱର୍ଣ୍ଣତୋରଣ, ମୌକ୍ତିକବ୍ରଜେ ପଦ୍ମକରେ ବ‌ହ‌ନ,
ବୁଣିବ ରଙ୍ଗେ ଯେବେ ଉଷାରଙ୍ଗଣୀ, ସେ ସମୟ ଛାଡ଼ିବୁ ତୁ ଉଜ୍ଜୟିନୀ ।
ପ୍ରାତେ ଖଣ୍ଡିତା ପାଶେ ନାୟକ ଆସି, ସ୍ନେହେ ପୋଛନ୍ତି ନେତ୍ର-ସଲିଳ ରାଶି,
ଏଣୁ ନଳିନୀ ପଦ ନୟନ ନୀର, ପୋଛିବେ ନିଜ କରେ କାନ୍ତ ମିହିର ।
ଏକାଳେ ତାଙ୍କ ମାର୍ଗ ରୋଧିବୁ ନାହିଁ, ନତି କରିବା ବ‌ହୁ ଦୂରରୁ ଥାଇ,
ମାର୍ଗ ରୋଧିଲେ ନିଶ୍ଚେ ରୋଷିବେ ହରି, ଏଣୁ କରିବୁ କାର୍ଯ୍ୟ ମୋ ବାଣୀ ସ୍ମରି ।
ସୁଗଭୀର ଗମ୍ଭୀର ନ‌ଦୀ ଜୀବନ, ନିତ୍ୟ ପ୍ରସନ୍ନ ଯେହ୍ନେ ମହତ ଜନ,
ଦେଖୁବୁ ଘନ ନ‌ଦୀ ଦର୍ପଣ ଜଳେ, ନିଜ ମୂରତି ବ‌ହୁ ଯୋଜନ ତଳେ ।

  ପୃଷ୍ଠା ୭

ମାର୍ଜିତ ହୀରାଖଣ୍ଡ ପ୍ରାୟେ ସଫରୀ, ଚ‌ଞ୍ଚଳେ ଖେଳୁଥିବ ନୀରେ ସଞ୍ଚରି,
ତଟିନୀ ନେତ୍ରମାଳ ପ୍ରାୟେ ଦିଶିବେ, ଉନ୍ମେଷ କଲା ପ୍ରାୟେ ବୁଡ଼ି ଭାଷିବେ ।
ତୀର ଜଘନୁ ନୀଳ ସଲିଳ ବାସ, ସ୍ରସ୍ର ଦେଖି ଅନ୍ତରେ ହେବ ଉଲ୍ଲାସ,
ଲମ୍ବମାନ ହୋଇଣ ନ‌ଦୀ ଉପରେ, ଧରିବ ନୀଳବାସ ବେତସ-କରେ ।
ବନ୍ଧୁ ମାଗୁଣି ପୁଣି ହେଲେ ସ୍ମରଣ, ହୋଇବ ଅତି କଷ୍ଟେ ତ‌ହୁଁ ଗମନ,
ଯେହୁ ଲଭିଛି ଘନ ସେ ରସ ସ୍ୱାଦ, ପ୍ରସ୍ତୁତ ରସେ ବିଘ୍ନ ଗଣେ ପ୍ରମାଦ ।
ସମ୍ପ୍ରତି ଦେବଗିରି ଦିଶେ ଅଗ୍ରତେ, ବେଗେ ଯାଅ ଜଳଦ ସେ ପରବତେ,
ନବ ଆସାର-ସିକ୍ତ ମୃତ୍ତିକା ବାସେ, ସୁରଭି ଶୀତ ବାୟୁ ସନ୍ତାପ ନାସେ ।
ଶୁଣ୍ଢେ ପିଅନ୍ତି ଦନ୍ତୀ ସେ ସମୀରଣ, ତ‌ହୁଁ ଉପୁଜି ସ୍ୱନ ତୋଷେ ଶ୍ରବଣ,
ଉଡୁମ୍ବର ଫଳ ଏ ବାୟୁ ପରଶେ, ପରିପୂର୍ଣ୍ଣ ହୁଅଇ ମଧୂର ରସେ ।
ସେ ନ‌ଗ୍ରେ ନିବସନ୍ତି କାନ୍ତ କୁମାର, ପୁଷ୍ପମିଶ୍ରିତ-ବ୍ୟୋମ-ଗଙ୍ଗା ଆସାର,
ବରଷି ଧୋଇବୁ ତୁ ସେ କଳେବର, ସୁଲଳିତ ଚମ୍ପକ ପ୍ରାୟେ ସୁନ୍ଦର ।
ବାସବୀସୈନ୍ୟଦଳ ରକ୍ଷା କାରଣେ, ଶଙ୍କର ବିସର୍ଜିଲେ ତେଜ ଦ‌ହ‌ନେ,
ତ‌ହୁଁ ସମ୍ଭବି ଶୂର ଶିଖିବାହ‌ନ, କୋଦଣ୍ଡ ଧରି କଲେ ଦୈତ୍ୟ ନିଧନ ।
ବାହ‌ନ-ଶିଖୀ ବସିଥିବ ଶିଖରେ, ଧଳା ଅପାଙ୍ଗ ହର-ଚନ୍ଦ୍ରମା କରେ,
ପୁତ୍ରବତ୍ସଳା ଯାର ଚନ୍ଦକ ଘେନି, ଭୂଷନ୍ତି ହୈମ‌ମତୀ ଶ୍ରବଣ ବେନି ।
କାନ୍ତ-ବଳୟ-ଚାରୁ ଚନ୍ଦ୍ରକ ଧରି, ଦିଶନ୍ତି ରମ୍ୟତର ହର-ସୁନ୍ଦରୀ,
ନୀଳ କୁମୁଦ ପ୍ରାୟେ ବର୍ହ ଲମ୍ବଇ, ଇନ୍ଦ୍ରନୀଳ ଭୂଷଣ ଶୋଭା କଳଇ ।
ନୀରଦ ମନ୍ଦ୍ରନାଦ ଶୁଣି ତୋହର, ନାଚିବ ପୁଚ୍ଛ ଟେକି ସେ ଶିଖିବର ।
ଶୈଳ କନ୍ଦରେ ପଶି ସେ ନାଦ ପୁଣ, ଗମ୍ଭୀର ପ୍ରତିନାଦେ ହେବ ଦ୍ୱିଗୁଣ ।
କୁମାର ପୂଜା ଅନ୍ତେ ନଭପ୍ରାଙ୍ଗଣେ, ଉଠ ଜୀମୂତ ଚନ୍ଦ୍ର ମନ୍ଦ୍ର ନିଃସ୍ୱନେ,
ହେମ‌ବିମାନ‌ଚାରୀ ସିଦ୍ଧ‌ଯୁଗଳ, ପଥ ଛାଡ଼ିବେ ଜଳ ଭୟେ ବିହ୍ୱଳ ।
ସିଦ୍ଧରଙ୍ଗିଣୀ-ବୀଣା-ତନ୍ତ୍ରୀ-ଝଙ୍କାର, ଶୁଣି ଲଭିବ ନଭେ ମୁଦ ଅପାର,
ରନ୍ତି-ଭୂପତି-କୀର୍ତ୍ତୀ ଗୋତୀ ନଈ, ସଲିଳ ରେଖା ଏବେ ନେତ୍ର ହରଇ ।
କ‌ଜ୍ଜଳନିଭ ଅଟେ ତୋହୋ ଶରୀର, ବିମଳ ଶୁକ୍ରକାନ୍ତି ଗୋମତୀ ନୀର,
ଅବତରିବୁ ଯେବେ ସେ ନ‌ଦୀଜଳେ, ସୁରେ ଦେଖିବେ ଥାଇ ଗ‌ଗନ ତଳେ ।
ବିଦ୍ୟାଧରୀ ନିକର ଦୂରୁ ଚାହିଁବେ, ବାମନୟନା ନିଶ୍ଚେ ଏହା ମଣିବେ,
ଧରା ଉପରେ ମୋତିହାର ରାଜିତ, ସେ ହାର ମଧ୍ୟେ ଇନ୍ଦ୍ରମଣି ଗୁମ୍ଫିତ ।
ଯାଅ ଉତ୍ତରେ ରମ୍ୟ ଗୋମତୀ ତରି, ବରବର୍ଣ୍ଣିନୀ ଦଶପୁର ନାଗରୀ,
କୁତୁହଳେ ଚାହିଁବେ ତୋତେ ଆକାଶେ, ମୋହିବେ ଚିତ୍ତ ତୋର ମଧୁର ହାସେ ।

  ପୃଷ୍ଠା ୮

ପକ୍ଷ୍ମ ବିକ୍ଷେପ ସ୍ନିଗ୍‌ଧ ନୀଳିମା, କଳିବ କୃଷ୍ଣସାର ପ୍ରଭା ଗରିମା,
କଳା ଡୋଳା ଲଳିତ ବାଳା ଲୋଚନେ, ଦିଶିବ କୁନ୍ଦ ଦଳେ ଭୃଙ୍ଗ ଯେସନେ ।
ବ୍ରହ୍ମାବରତେ ନଭେ ହୋଇ ଉଡ୍ଡୀନ, କୃଷୀବଳଙ୍କୁ ଛାୟାଦାନେ ତୋଷିଣ,
ତ‌ହୁଁ କୌରବ କ୍ଷେତ୍ରେ ଯିବୁ ତ୍ୱରିତେ, ଧରା ଲୋହିତ ଯହିଁ କ୍ଷେତ୍ର ଶୋଣିତେ ।
ଗର୍ଜି ପ୍ରଚଣ୍ଡେ ସିଞ୍ଚି ଘନ ଅସାର, ଯେହ୍ନେ କମଳବଂଶ କରୁ ସଂହାର,
ଗାଣ୍ଡବୀ ସେହି ରୂପେ କୁରୁ ସମରେ, ସିଞ୍ଚିଲେ ନୃପକୁଳ ଆନନ ଶରେ ।
ସରସ୍ୱତୀ ସରିତ ସୁସ୍ୱାଦୁ ଜଳ, ସେବି ହୋଇବ ତୋର ହୃଦ ନିର୍ମଳ,
ସରସ୍ୱତୀ ମହିମା ଲୋକେ ବିଦିତ, ସରସ୍ୱତୀ ମୋହିଲା ମୂଷଳି ଚିତ୍ତ ।
ରେବତୀ ସଙ୍ଗେ ସେହୁ ମଦିରାରସ, ପାନେ ନିରତେ ହେଉଥିଲେ ହରଷ,
ବିମୁଖ ହୋଇଣ ସେ ଭାରତ ରଣେ, ବସିଲେ ଏ ତଟିନୀ ତୀର କାନନେ ।
କନ‌ଖଳ ପ୍ରଦେଶ ଛାଡ଼ି ଉତ୍ତରେ, କର ନୀରଦ ଗତି ଖର ଅମ୍ବରେ,
ପର୍ବତରାଜ ହିମ ପର୍ବତୁ ଯହିଁ, ଧବଳ ଗଙ୍ଗା ସ୍ରୋତ ଅବତରଇ ।
ସଗରବଂଶ ସ୍ୱର୍ଗ ସୋପାନରାଜି, ପ୍ରାୟେ ଦିଶଇ ଗଙ୍ଗା ନ‌ଗେ ବିରାଜି,
ଧୂର୍ଜଟି ଜଟାକୂଟେ ବ‌ହି ଝର୍ଝରେ, ଧରଇ ବାଳଚନ୍ଦ୍ର ତରଙ୍ଗ କରେ ।
ତ‌ହୁଁ ଭ୍ରୂକୁଟି ବ‌ହେ ଉମା ଆନନ, ରୁଷ୍ଟ ସପତ୍ନୀ ସୁଖେ ସପତ୍ନୀ ମନ,
ଧବଳ ଫେନ ଛଳେ ଜାହ୍ନବୀ ହସେ, ଈର୍ଷା ଅନଳେ ଜଳେ ଉମା ମାନସେ ।
ସ୍ୱଚ୍ଛ ସ୍ଫଟିକ ପ୍ରାୟେ ଜାହ୍ନବୀ ବାରି, ଆକାଶୁ ପିଇବୁ ତୁ କାୟା ପ୍ରସାରି,
ପିଅଇ ନୀର ସୁରକରୀ ଯେସନେ, ବକ୍ର ଭାବରେ ଝୁଲୁଥିବୁ ଗ‌ଗନେ ।
ଲହରୀ ଖେଳୁଥିବ ମନ୍ଦ ଅନିଳେ, ପଡ଼ିବ ତୋର ଶ୍ୟାମ ଛବି ସଲିଳେ,
ଆସ୍ଥାନେ ଭାନୁସୁତା ଲହରୀ ହାର, ମିଶିଲା ପ୍ରାୟେ ଶୋଭା ବ‌ହେ ଉଦାର ।
ତୁଷାର ଗୌର ହିମଗିରି ମସ୍ତକେ, ବସି ଶ୍ରମିବୁ ମାର୍ଗଶ୍ରମ ପୁଲକେ,
କସ୍ତୂରିକା କୁରଙ୍ଗ ଆଙ୍ଗ ପରଶେ, ସୁରଭିତ ଶିଳା ସେ ଶୈଳ ଉରସେ ।
ଶଶିଶେଖର-ଶ୍ୱେତ-ବୃକ୍ଷ ବିଷାଣ, ଦେହେ ଉତ୍‌ଖାତ ଯେହ୍ନେ ପଙ୍କପିଧାନ,
ମୂରତି ତୋର ନୀଳ କଜ୍ଜ୍ୱଳନିଭ, ଶିଖରେ ବିରାଜି ସେ ଶୋଭା ବାଜିବ ।
ସରଳ ଦ୍ରୁମେ ଯେବେ ଶାଖା ଘର୍ଷଣେ, ଜ୍ୱଳିବ ବ‌ହ୍ନି, ବାୟୁ ବ‌ହି ଭୀଷଣେ,
କନ‌କ‌କାନ୍ତି ଅଗ୍ନି ଶିଖା ଦୀପିବେ, ଗ‌ହ୍ୱରୁ ଚମରୀଙ୍କୁ ବେଗେ ତଡ଼ିବେ ।
ଅନଳ ଯୋଗେ ଚାରୁ ପୁଚ୍ଛ ଚାମର, ଜ୍ୱଳି କରିବା ତାଙ୍କୁ ତ୍ରାସେ କାତର,
ଡେଇଁ ପଡ଼ିଲା ପ୍ରାୟେ ଦାବଦ‌ହ‌ନ, ଦ୍ରୁମୁଁ ଦ୍ରୁମେ ଲଗନ ହେବେ ବ‌ହ୍ନ ।
ବ‌ହ୍ନି ଉପରେ ସିଞ୍ଚି ନବ ଆସାର, ଗିରିପ୍ରାଣୀ ଜୀବନ କର ଉଦ୍ଧାର,
ଦୋଷହୀନ ଜନର ହେଲେ ବିପଦ, ବିପଦୁଁ ନିସ୍ତାରଇ ସାଧୂ ସମ୍ପଦ ।

  ପୃଷ୍ଠା ୯
  
ଗାତ୍ର ଭଙ୍ଗ ସକାଶେ ତ‌ହିଁ ଶରଭେ, ଶିଖରିଶୃଙ୍ଗେ ଡେଉଁଥିବେ ଗରବେ,
ଧରିବା ପାଇଁ ତୋତେ ହେବେ ଉତ୍ସୁକ, ତ୍ୱରିତେ କରିବୁ ତୁ ତାଙ୍କୁ ବିମୁଖ ।
ଅବ‌ହେଳେ ଧବଳ କରକା ହାସେ, ପଳାଇବେ ଶରଭେ ଦୂରୂ ତରାସେ,
ନିଷ୍ଫଳ କର୍ମେ ଯାର ମ୍ବନ ଦୀକ୍ଷିତ, ପରଠାରେ ନିଶ୍ଚେ ସେ ସବୁ ଲଜ୍ଜିତ ।
ତ୍ରିଶୂଳ ପଦଚିହ୍ନ ତ‌ହିଁ ପ୍ରସ୍ତରେ, ବିମଣ୍ଡିତ କାନନ ଜାତ ପୁଷ୍ପରେ,
ଦେଖି ବାରିଦପତି କରିବୁ ନତି, ବିଫଳ ନୋହେ ଶିବ ପାଦେ ଭକତି ।
ଗିରିନିବାସି ମୂନି ହର ଚରଣ, ପୂଜନ୍ତି ନିତ୍ୟ ଶାନ୍ତିରସେ ମଗନ,
ଏ ପାଦେ ଭକ୍ତି ଥିଲେ କଳୁଷ ନାଶ, ହୋଇ ସୁଖରେ ଅନ୍ତେ ସ୍ୱରଗେ ବାସ ।
ଘନ କୀଚକରାଜି ବାୟ ପୂରିତ, ବଂଶୀ ବାଜିଲା ପ୍ରାୟେ ହୁଏ ନାଦିତ,
ତ୍ରିପୁର ଜୟ ଗୀତ ମଧୁର ସ୍ୱରେ, କିନ୍ନରୀକୁଳ କଳକଣ୍ଠୁ ନିଃସରେ ।
ତୋ ନାଦେ ମୁଖରିତ କନ୍ଦର ବ୍ରଜ, ମୁଞ୍ଚିବ ମନ୍ଦ୍ରନାଦ ଯେହ୍ନେ ମୂରଜ,
ସଙ୍ଗୀତ ଅଭିଳାଷ ବାମଦେବର, ଚରିତାର୍ଥ କରିଣ ଲଭିବୁ ବର ।
ହିମାଦ୍ରି ତଟେ ସବୁ କରି ଦର୍ଶନ, ଶୀଘ୍ର କର ଉଦୀଚି ଅନୁସରଣ,
କ୍ରୌଞ୍ଚ-ରନ୍ଧ୍ର ଭେଦିଣ ଶୈଳଶରୀରେ, ଲଭିଲେ ରାମ ନିତେ ଯଶଃ ମହୀରେ ।
ମାନସରକୁ ବେତଗେ ବରଷାଗମେ, ଏ ମାର୍ଗେ ହଂସେ ଯା'ନ୍ତି ଉଡ଼ି ସମ୍ଭ୍ରମେ,
ତିର୍ଯ୍ୟକେ ରନ୍ଧ୍ର ଦେଇ ଉତ୍ତରେ ଯିବ, ହଂସ ଅଗ୍ରତେ ଦେଖି ମାର୍ଗ କଳିବ ।
ବଳି ଦଳନ ବେଳେ ପ୍ରଭୁ ବାମନ, ଯେ ପାଦ ବିସ୍ତାରିଲ ଘୋଟି ଗ‌ଗନ,
ସେ ପାଦ ବରଶୋଭା ଲଭିବୁ ଭଲେ, ସେ ରନ୍ଧ୍ର ମାର୍ଗେ ଯେବେ ଯିବୁ ଚଞ୍ଚଳେ ।
ତ‌ହିଁ ଊର୍ଦ୍ଧ୍ୱେ ରାଜଇ କୈଳାସ ଗିରି, ନବ ପ୍ରଫୁଲ୍ଲ ଶ୍ୱେତ କୁମୁଦ ଶିରୀ,
କି ଅବା ରାଣୀଭୁତ ତ୍ର୍ୟମ୍ବକ ହାସ, ତାରାମାଳ ଚୂମ୍ବଇ ବ୍ୟାପି ଆକାଶ ।
ଦୁର୍ଦ୍ଦଣ୍ଡ ଦଶଗ୍ରୀବ ରୋଷେ ହୁଙ୍କାରି, ଝିଙ୍କିଲା ଶୈଳ ଯେବେ ଭୁଜ ପ୍ରସାରି,
ନାଗେ ନରେ ଅମର କମ୍ପିଲେ ତ୍ରାସେ, ମିଳିଲା ଅମ୍ବୁରାଶି ଊର୍ମି ଆକାଶେ ।
ଗମ୍ଭୀର ବଜ୍ର ଘୋଷେ ଘୋଷି କନ୍ଦର, ପଳାଇଲେ ଜୀମୂତେ ଛାଡ଼ି ଭୁଧର,
ଗର୍ଜିଲେ ପ୍ରଭଞ୍ଜନ ହେଲା ଅନ୍ଧାର, ଉଡ଼ିଲା ସ୍ତୁପାକାର ସାନ୍ଦ୍ର ତୁଷାର ।
ଆତଙ୍କେ ଗିରିବାସୀ ଗଉରୀସାଇଁ, ପାଦେ ଶରଣ ବେଗେ ପଶିଲେ ଯାଇଁ,
ହସିଲେ ତ‌ହୁଁ ପ୍ରଭୁ ଭକ୍ତ ବତ୍ସଳ, ଅଚଳ ପୂର୍ବ ପରି ହେଲା ଅଚଳ ।
ସୁରବନିତାବ୍ରଜ ନଭୋମଣ୍ଡଳେ, ଭ୍ରମନ୍ତି ଯେବେ ଗିରି ମୁକୁଳ ତଳେ,
ପଡ଼ଇ ପ୍ରତିବିମ୍ବ ନେତ୍ରରଞ୍ଜନ, ସେ ଦର୍ପଣେ ସ୍ୱମୁଖ ଦେଖିବୁ ଘନ ।
ଦଳାଞ୍ଜନ-ପ୍ରଭା ବୋଳା ପରାୟେ, ତୋ ଦେହ ନୀଳ କାନ୍ତି ପ୍ରକାଶୁଥାଏ,
ଧଳା କୈଳାସ ଦେହେ ହେଲେ ଲଗନ, ଦିଶିବ ଧରାଧର ଶୋଭା ଯତନ ।

  ପୃଷ୍ଠା ୧୦

ଅମରେ ସ୍ଥିର ନେତ୍ରେ ଥିବା ଅନାଇ, ଏଡ଼େ ବିଚିତ୍ର ଦୃଶ୍ୟ ଭୁବନେ କାହିଁ,
ନୀଳ ବସନେ ହଳିସ୍କନ୍ଦ ଯେସନ, ଦିଶିବ ହରଶୈଳ ରମ୍ୟ ତେସନ ।
ପାର୍ବତୀ କାନ୍ତ କର ଧରି ସ୍ୱକରେ, ପଦବ୍ରଜରେ ଚଢ଼ୁଥିବେ ଭୁଧରେ,
ସ୍ତମ୍ଭତ କରି ନିଜ ସଲିଳରାଶି, ତଦ୍‌ଗତ‌ହୃଦୟରେ ଭକ୍ତି ପ୍ରକାଶି ।
ଅଗ୍ରତେ ଗାତ୍ରଭଙ୍ଗେ ହୋଇ ଶୟାନ, ସେବିବୁ ଯେହ୍ନେ ଇନ୍ଦ୍ରନୀଳ ସୋପାନ,
ନ‌ଗେନ୍ଦ-ବାଳା ପଦ ପାଦ‌ଯୁଗଳ, ଛୁଇଁ ଦେହ ଧାରଣ ହେବ ସଫଳ ।
ତ‌ହିଁ ସୁର‌ଯୁବତୀ ନିତ୍ୟ ଚପଳା, ଘସି ତୋ ଦେହେ ଚାରୁ ହୀରକବାଳା,
ତୋ ଶରୀରୁ ନିଃସୃତ ନୀର ଲଭିବେ, ଜଳ‌ଯନ୍ତ୍ର ପରାୟେ ତୋତେ ମଣିବେ ।
ଛାଡ଼ି ନ ଦେବେ ଯେବେ ବାଳାନିକର, ଅଲିଳଦାନେ ଯେବେ ହେବେ କାତର,
ମୁଞ୍ଚିବ ହେ ନୀରଦ ଗମ୍ଭୀର ନାଦ, ଅବଳା ପଳାଇବେ ଗଣି ପ୍ରମାଦ ।
ହେମକମଳଛନ୍ନ ମାନସନୀର, ଘେନି ହୋଇବେ ତୋର ଚାରୁ ଶରୀର,
ସୁରେନ୍ଦ୍ର କରି କର ରଙ୍ଗେ ଘୋଡ଼ାଇ, ନବ ସଲିଳେ ତାର ପ୍ରିତୀ ବଢ଼ାଇ ।
ଶୀକରସୁଶୀତଳ ମନ୍ଦ ପବନେ, କିମ୍ପାଇ କଳ୍ପତରୁ ପଲ୍ଲବ ବନେ,
ସ୍ଫଟିକ ଗୌର ତନୁ ସେ ମହୀଧରେ, ପ୍ରବେଶିବୁ ନୀରଦ ପରମାଦରେ ।
ନାଗର ଉତ୍ସଙ୍ଗେ ଯେହ୍ନେ ନାଗରୀ, ସେ ଗିରି ଉରସେ ରମ୍ୟ ନ‌ଗରୀ,
ଜାହ୍ନବୀ-ଦୁକୁଳ-ସ୍ରସ୍ତ-ଜଘନେ, ଅଳକା ଅଗ୍ରତେ ଦିଶେ ନୟନେ ।
ଭବେ ଅତୁଳ ସେ ପୁରୀ ହେ, ନିଶ୍ଚେ ବୋମୋହିତ ହେବ ତୋ ଚିତ୍ତ,
ଦେହି ତା ରୂପମାଧୁରୀ ହେ, ଜଳଧରକାଳେ ଘନନିକର, ଆବରି ଅଳକା ସୌଧଶିଖର ।
କାମିନୀ ଚିକୁର ଶ୍ୟାମମୂରତି, ମୁଞ୍ଚି ନବନୀରବିନ୍ଦୁ ପଙ୍କତି,
ଅଳକାଶିର ଭୁଷଇ ହେ, ମୁକୁତା ଖଚିତ ରୁଚି ରଚିତ, ବାମା ଅଳକ କଳଇ ହେ ।

  ସମାପ୍ତ

  ଉତ୍ତରମେଘ

  (ରାଗ‌- କଳହଂସକେଦାର)

ଅଳକା ହର୍ମ୍ୟରାଜେ ନବ ଘୋଷିତ, ତୋ ଅଙ୍ଗେ ନୀରଧର ସ୍ୱର୍ଣ୍ଣ ତଡ଼ିତ ।
ଅଳକା ସୌଧେ ଚିତ୍ର ମୋହେ ନୟନ, ଇନ୍ଦ୍ରକୋଦଣ୍ଡ ତୋର ଅଙ୍ଗେ ଯେସନ ।
ତୋ ସ୍ନିଗ୍‌ଧ ମନ୍ଦ୍ରନାଦ ପରାୟେ ତ‌ହିଁ, ମୂରଜ ମନ୍ଦ୍ରନାଦ ନିତ୍ୟ ସ୍ଫୁରଇ ।
ଉଜ୍ଜ୍ୱଳ ମଣି ରଶ୍ମି ପ୍ରାଙ୍ଗଣେ ତାର, ଯେସନ ଗର୍ଭେ ତୋର ଶୁକ୍ଳ ଆଶାର ।
ପୁଷ୍ପଭୂଷଣପ୍ରିୟ ନାଗରୀ ଦଳ, କରେ ଶୋଭଇ ଯେହ୍ନେ ଲୀଳା କମଳ ।
ଅଳକେ କୁନ୍ଦକଳୀ ରାଜେ ମୋହ‌ନ, ଲୋଧ୍ର ପରାଗେ ପାଣ୍ଡୁଚାରୁ ଆନନ ।
ରମ୍ୟ ଶିରିଷେ ଶୋହେ ଶ୍ରବଣମୂଳ, ସୀମନ୍ତେ ଶୋହେ ନବ କଦମ୍ବ ଫୁଲ ।
ବକୁଳମାଳ ଶୋଭି ଘନ‌ଜଘନ, ମନ୍ଦାରଶୋଭି କେଶ ଚୁମ୍ବେ ଚରଣ ।
ମିତ୍ୟ କୁସୁମ ଯହିଁ ତରୁ ନିକରେ, ନିତ୍ୟ ମୁଖର ମଧୂକର ଗୁଞ୍ଜରେ ।
ରାଜ‌ହଂସ ରସନା ସରସୀକୁଳ, ଫୁଲ୍ଲ-ପଙ୍କଜ ବ୍ରଜେ ନିତ୍ୟ ମଞ୍ଜୁଳ ।
ଉଦ୍‌ଗ୍ରୀବ ହୋଇ ନିତ୍ୟ ଗୃହ ମୟୁର, ଗମ୍ଭୀର କେକାରବେ ପୁରନ୍ତି ପୁର ।
ସୁଧାକର କିରଣେ ନିତ୍ୟ ତିମିର, ଦୂର ହୋଇ ପ୍ରଦୋଷ ଦିଶେ ରୁଚିର ।
ଅଳକାରେ ଲୋତକ ମୁଖରୁ ବ‌ହେ, ଆନ ପୀଡ଼ା ଅଭାବେ ଅନଙ୍ଗ ଦ‌ହେ ।
ଅନଙ୍ଗ ପୀଡ଼ା ପ୍ରତିକାର ପ୍ରଚୁର, ଅଛି ତ‌ହିଁ ତେଣୁ ସେ ପୀଡ଼ା ମଧୁର ।
ମୀନ ବିହୁନେ ନାହିଁ ଆନ କଳହ, ମାନ‌କ ବିନୁ ନାହିଁ ଆନ ବିରହ ।
ଆନ ବୟସ ନାହିଁ ବିନା ଯୌବନ, ଏକତ୍ରେ ସର୍ବ ଋତୁ ସୁଖ ମିଳନ ।
କୁସୁମ ତାରକିତ ମଣି ପ୍ରାସାଦେ, ମଧୁ ପିଅନ୍ତି ଯକ୍ଷେ ମନପ୍ରସାଦେ ।
ଅବସର ଲଭିଣ ମୀନ‌କେତନ, ପୁଷ୍ପବିଶିଖେ ଅଙ୍ଗ ବିନ୍ଧେ ବ‌ହ‌ନ ।
ବରଯୁବତୀବ୍ରଜ ବସନ୍ତି ପାଶେ, ରସାଇ ସମ ରଣ ସୁରହି ଶ୍ୱାସେ ।
ମୁରୁ ମନ୍ଦ୍ରନାଦ ପୂରଇ ପୁର, କାମିନୀ କଳକଣ୍ଠ ଶୁଭେ ମଧୁର ।
ମନ୍ଦାକିନୀ ପୁଳିନେ ମନ୍ଦାର ତଳେ, ଖେଳନ୍ତି ବାଳବ୍ରଜ ବସି କୁଶଳେ ।
ନିର୍ମଳ ବାରିବିନ୍ଦୁ ବ‌ହି ପବନ, ସେବନ ଛଳେ ବକ୍ତ୍ର ପରଶେ ଘନ ।
କନ‌କ ସିକତାରେ ଲୁଚାଇ ମଣି, ଲୋଡ଼ନ୍ତି କଉତୁକେ ବରବରନୀ ।
ରଙ୍ଗ ଅମ୍ବରେ ବପୁ ଶୋହେ ସୁନ୍ଦର, ରଙ୍ଗ ଅମ୍ବୁଜେ ଯେହ୍ନେ ପୀତ କେଶର ।
କାମେ ଉନ୍ମତ୍ତ କାନ୍ତ ଦୂକୁଲ ହରେ, ସୁନ୍ଦରୀ ଦିଗମ୍ବରୀ ଥରେ ଲାଜରେ ।
ସମ୍ମୁଖେ ରତ୍ନ‌ଦୀପ ଉଜ୍ଜ୍ୱଳ ଜଳେ, ନିର୍ବାଣ ଆଶେ ହିମରଜ ବିଫଳେ ।
ଫିଙ୍ଗଇ ବରାଙ୍ଗନା ପ୍ରଦୀପ ପ୍ରତି, ବ୍ୟର୍ଥ ଯତନ ଦେଖି କୌତୁକୀ ପତି ।
ଭଷନ୍ତି ପ୍ରେମନୀରେ ତ‌ହୁଁ ଉଭୟେ, ଭିଡ଼ନ୍ତି ପରଷ୍ପର ଅଙ୍ଗ ନିର୍ଭ‌ୟେ ।
ସରସେ ରସବତୀ ରମଣ ଚିତ୍ତ, ରସାଇ ଅନୁରାଗ କରେ ଦୀପିତ ।
ସରମେ ଶଶିମୁଖି ମୁଖମାଧୁରୀ, ଧୈର୍ଯ୍ୟ ଅଙ୍କୁରକୁ ସେ କାମ କତୁରୀ ।
ପଦ୍ମୋଦର ସୋଦର ବର ବଦନେ, ଲାଜରାଗ ଉଜଳେ ରାଗ ରମଣେ ।
ସୁନ୍ଦର ଦରସ୍ମିତ ତା ସଙ୍ଗେ ମିଶେ, କମଳେ ରବି ବିଭା ତା ସରି କି ସେ ।
ଜଳଦମାଳ ତ‌ହିଁ ପବନ ଚଳେ, ତୁଙ୍ଗ ସୌଧ ଗବାକ୍ଷେ ପଶି ଚଞ୍ଚଳେ ।
ତିନ୍ତାଇ ଭିତ୍ତି ଚିତ୍ର ପଳାନ୍ତି ତ୍ରାସେ, ଧୂମରାଶି ପରାୟେ ଦିଶେ ଆକାଶେ ।
ସୂତ୍ରଲମ୍ବିତ ଚନ୍ଦ୍ରକାନ୍ତ ନିକର, ଯହିଁ ନିଶିରେ ଲଭି ଚନ୍ଦ୍ରମା କର ।
କରଇ ମୁଞ୍ଚି ଜଳବିନ୍ଦୁ ବିମଳ, ଅଙ୍ଗନା ରତିଖିନ୍ନ ଅଙ୍ଗ ଶୀତଳ ।

  ପୃଷ୍ଠା ୨

କୁବେର ଯଶଗୀତ ଗାଇ କୌତୁକେ, କଳକଣ୍ଠେ କିନ୍ନର ଭ୍ରମନ୍ତି ସୁଖେ ।
ଯକ୍ଷବିଳାସିଦଳ ବୈଭ୍ରାଜ ବନେ, ସୁକାମିନୀ ସଙ୍ଗେ ଅନଙ୍ଗ ରଣେ ।
ମାତନ୍ତି ନାଦେ ପିକ, ନାଦେ ଭ୍ରମର, ଅଳଙ୍କାର ଝଙ୍କାର ମିଶେ ସୁନ୍ଦର ।
ଲାଜେ ନିକୁଞ୍ଜେ ଥରେ କୁଞ୍ଜବଲ୍ଲରୀ, ଦୋଳେ ମଞ୍ଜୁଳେ ଫୁଲ, ଫୁଲମଞ୍ଜରୀ ।
ଅଭିସାରିକାକୁଳ କାନ୍ତ ସଦନେ, ନିଶା ଅନ୍ଧାରେ ଯହିଁ ଯାନ୍ତି ବିଜନେ ।
କମ୍ପଇ ଅଙ୍ଗଲତା ବେଗେ ସାଧ୍ୱସେ, କୁଟିଳ କୁନ୍ତଳରୁ ମନ୍ଦାର ଖସେ ।
ଚାହାନ୍ତି ଚଉଦିଗେ ଭୟେ ବିକଳ, ଖସଇ କର୍ଣ୍ଣିଶୋଭି ସ୍ୱର୍ଣ୍ଣକମଳ ।
ଘନ ଉରଜୁ ଛିଣ୍ଡି ମୁକୁତାହାର, ସୂଚଇ ପ୍ରାତେ ବାଳା ନିଶା ବେଭାର ।
ଅଳକାପୁରେ ଛନ୍ତି ଶଶିଶେଖର, ଅଳି ଶିଞ୍ଜିନୀ-ଧନୁ କୁସୁମଶର ।
ନ ଧରେ ତ୍ରାସେ ତ‌ହୁଁ ଲାବଣ୍ୟମୟୀ, ବାଳା କଟାକ୍ଷ ତାର କାର୍ଯ୍ୟ କରଇ ।
କାମିନୀ ଭୁରୁ କାମକୋଦଣ୍ଡପରି, କାମିନୀ ବାମନେତ୍ର ବିଶିଖ ସରି ।
ଅନ‌ଙ୍ଗର ପ୍ରୟାସ ତେଣୁ ସଫଳ, ଅସ୍ତ୍ରେ କି କାର୍ଯ୍ୟ ଯାର ଅବଳା ବଳ ।
ନବଦୁକୁଳ ନାନା ରାଗେ ରଞ୍ଜିତ, ନେତ୍ର ବିଳାସକର ମଧୁବାସିତ ।
ସପଲ୍ଲବକୁସୁମ ରମ୍ୟ ଭୁଷଣ, ଅଳତା ଲଳିତାଙ୍ଗୀ ପାଦ ମଣ୍ଡନ ।
କଳ୍ପତରୁ ଦେହରୁ ସବୁ ପ୍ରସୁତ, ଇଚ୍ଛ ମାତ୍ରକେ ହୁଏ ସବୁ ପ୍ରସ୍ତୁତ ।
ସେ ତରୁ କୁଞ୍ଜେ ବସି କୁଞ୍ଜରଗତି, ଲେଖନ୍ତି ପ୍ରେମ ଲିପି ପ୍ରେମିକ ପ୍ରତି ।
ଧନପତି ବସତି ଛାଡ଼ି ଉତ୍ତରେ, ଇନ୍ଦ୍ରଧନୁ ତୋରଣ ନୟନ ହରେ ।
ସେ ଅଟେ ନିରଧର ମୋର ନିଳୟ, ଦୂରୁ ଦିଶଇ ଚାରୁ ସୁଷମା ମୟ ।
ତ‌ହିଁ ଉଦ୍ୟାନେ ରାଜେ ଶିଶୁମନ୍ଦାର, ତାଠାରେ ପୁତ୍ରପ୍ରାୟେ ସ୍ନେହ ପ୍ରିୟାର ।
କନ‌କ ପୁଷ୍ପରାଜି ଶୋହେ ସ୍ତବକେ, ତରୁଣ ରବିକରେ ଚାରୁ ଝଟକେ ।
ମରକତ ସୋପାନ ତ‌ହିଁ ସରସୀ, ନୀଳଘନବେଷ୍ଟିତ ଯେସନ ଶଶୀ ।
ହେମ କମଳ କଳୀ ବ‌ହୁ ବିକଶେ, ନୀଳକାନ୍ତ ବୃନ୍ତରେ ଉଜ୍ଜ୍ୱଳ ହସେ ।
ସୁଖେ ବସନ୍ତି ତ‌ହିଁ ହଂସ, ସାରସ, ବର୍ଷାଗମେ ମାନସେ ନାହିଁ ମାନସ ।
ବାରି ବିହ‌ଙ୍ଗେ ନୀଳ ଲହରୀ ପରେ, ଦୋଳନ୍ତି ସରୋବର ପରି ରାବରେ ।
ସରସୀ ତୀରେ ଇନ୍ଦ୍ରନୀଳ ଶିଖର, କ୍ରିଡ଼ା ପର୍ବତ ରାଜେ କେଡ଼େ ସୁନ୍ଦର ।
ସ୍ୱର୍ଣ୍ଣ କଦଳୀ ଦଳ ଚଉଦିଗରେ, ଶୋହେ ବିଜୁଳି ଯେହ୍ନେ ତୋ କଳେବରେ ।
ପ୍ରିୟା ବିହାର ସ୍ଥଳ ସେହୁ ଅଟଇ, ତୋ ଦରଶନେ ଘନ ମନେ ପଡ଼ଇ ।
ନୟନୁ ନୀର ଝରେ ତାର ସ୍ମରଣେ, ଝରୁଥିବ ପ୍ରେୟସୀ ନିକି ବଜନେ ।
ରକ୍ତ ଅଶୋକ ତରୁ ସେ ଉପବନେ, ନବ ପଲ୍ଲବ ନିତ୍ୟ କମ୍ପେ ପବନେ ।
ମାଧବୀ ବିମଣ୍ଡିତ ମଣ୍ଡପ ତ‌ହିଁ, ରମ୍ୟକୁଞ୍ଜେ ମଧୁପ ମଧୁ ପିଅଇ ।
କୁରୁବକ ବେଷ୍ଟନ ସେ ମଣ୍ଡପର, ରାଜେ ପାଶେ ପୁଷ୍ପିତ କାନ୍ତ କେଶର ।
ସ୍ୱନ୍ଦୀ ଅଟଇ ମୋର ତରୁଯୁଗଳ, ନିତ୍ୟ କରଇ ମନ ଈର୍ଷାଚଞ୍ଚଳ ।

  ପୃଷ୍ଠା ୩

ବାଞ୍ଛେ ଅଶୋକ ପ୍ରିୟା ପଦ ପରଶ, ବାଞ୍ଛେ ବକୁଳ ମୁଖମଦିରା ରସ ।
ଏକାନ୍ତେ କାନ୍ତା ତ‌ହିଁ ପ୍ରଦୋଷେ ବସେ, ବାୟୁ ବାରିଜ ସଙ୍ଗେ ବକ୍ତ୍ର ପରଶେ ।
କନ‌କ ଯଷ୍ଟି ତ‌ହିଁ ରାଜେ ଉଜ୍ଜ୍ୱଳ, ଶିରେ ସୁନ୍ଦର ଶୋହେ ସ୍ଫଟିକ ଫଳ ।
ମୂଳ ମଣ୍ଡଣୀ ତାର ଇନ୍ଦ୍ରନୀଳରେ, ତୋ ମିତ୍ର ନୀଳକଣ୍ଠ ତ‌ହିଁ ବିହରେ ।
ସରୋଜ-ବନ୍ଧୁ ଚଢ଼ି ଚରଣାଚଳେ, ସ୍ୱର୍ଣ୍ଣ କିରଣେ ତରୁଶିର ଉଜଳେ ।
ସରୋଜନେତ୍ରୀ ବାଳା ତ‌ହିଁ ବିଳାସେ, କରତାଳି ଦିଅଇ ମୟୁର ପାଶେ ।
ବାଜଇ ରଣରଣ ବାଜେଣୀ ବାଳା, ନାଚଇ ଘନ ଘନ କେକୀ ଉତ୍ତଳା ।
ତାଳେ ବାଜଇ କରେ ଶିଞ୍ଜା ଭୁଷଣ, ତାଳେ ମୟୁର ରାବେ ରଞ୍ଜି ଶ୍ରବଣ ।
ନୀଳ କମଳ ରଞ୍ଜି କଳାପ ଟେକି, କୌତୁକେ ଉପବନେ ନାଚଇ କେକୀ ।
ଉରେ ଏ ଛବି ଘେନି ନାଚେ ତରଙ୍ଗ, ଝୁରେ ନୟନ ଘନ ସ୍ମରି ସେ ରଙ୍ଗ ।
ଏ ଲକ୍ଷଣୁ ଜାଣିବୁ ମୋହୋ ଆଗାର, ଖୋଦିତ ଶଙ୍ଖପଦେ ଶୋଭେ ତା ଦ୍ୱାର ।
ନାହିଁ ସେ ପୂର୍ବ ଭାବ ପୂର୍ବ ମାଧୁରୀ, ରବି ବିହୁନେ ପଦ୍ମ ପରାଏ ଝୁରି ।
କରଭ ପ୍ରାୟେ କରି ଶରୀର କ୍ଷୀଣ, କ୍ରୀଡ଼ା-ଶଇଳେ ସୁଖ ହୋଇ ଆସୀନ ।
ଭେଟିବ ନାଗରୀକୁ ଆଗାରେ ତ‌ହିଁ, ଖଦ୍ୟୋତ ପ୍ରାୟ କାନ୍ତି ନିଭି ଜଳଇ ।
ମଳିନ ସୁଷମା ଦେଖି ହେ ଘନ, କରୁଣା ଉପୁଜିବ, ଦ୍ରବିବ ମନ ।
ସ୍ଫୁରିବ ସୌଦାମିନୀ ନଭେ ଉଜ୍ଜ୍ୱଳେ, ଚମକି ଚାରୁନତ୍ରୀ ଚାହିଁବ ଭଲେ ।
କୃଶାଙ୍ଗୀ କୃଶୋଦରରୀ କୁନ୍ଦ‌ଦଶନା, ଗୁରୁ ଜଘନ ଭାରେ ମନ୍ଦଗମନା ।
ଚକିତ ମୃଗନେତ୍ରୀ, ଜବାଅଧରୀ, ଉଠି ଉରଜେ ନତ ଗାତ୍ରବଲ୍ଲରୀ ।
ତପ୍ତ-କନ‌କ-କାନ୍ତି-କାନ୍ତ ଶରୀର, ମୃଣାଳ-ଗଞ୍ଜି-ଭୁଜ ନାଭି ଗଭୀର ।
ଯୁବତୀକୁଳେ ଶ୍ରେଷ୍ଠ ସେହି ସଙ୍ଗିନୀ, କୁସୁମକୁଳେ ଶ୍ରେଷ୍ଠ ଯେହ୍ନେ ନଳିନୀ ।
ବିଳାସ ପଦ୍ମାକର ହଂସୀ ନବୀନା, ରସାଳସୀ ସୁକେଳି କଳା ପ୍ରବୀନା ।
ମଞ୍ଜୁ ବାଦିନୀ ମଞ୍ଜୁ କଞ୍ଜ ବଦନୀ, ରୁପ ଖଣିରେ ନାହିଁ ତା ତୁଲେ ମଣି ।
ସେ ଅଟେ ନୀରଧର ! ମୋହୋ ନ‌ଗରୀ, ପ୍ରେମ-ପ୍ରତିମା ମୋର ପରାଣ ସରି ।
ଚକ୍ରବାକୀ ପରାୟେ ମୋହୋ ବିଚ୍ଛେଦେ, ମଉନେ ଥିବ ଝୁରି ହୃଦୟ-ଖେଦେ ।
ନୀହାରପାତେ ପଦ୍ମ ପ୍ରାୟେ ପ୍ରେୟସୀ, ନିରାଶେ ଝୁରୁଥିବ ନିଭୃତେ ବସି ।
ରବି-ପ୍ରଖର-କର ପ୍ରାୟେ କମଳେ, ନ ଥିବ ପୂର୍ବ ଜ୍ୟୋତି ନେତ୍ର ଯୁଗଳେ ।
ନୀଳ ନଳିନ-ନେତ୍ର ରୋଦନେ ସ୍ଫୀତ, ଲୋତକେ ହୋଇଥିବ ନିଶ୍ଚେ ଲୋହିତ ।
ବିମ୍ବାଧରୀ ଅଧର ଉଷ୍ମ ନିଶ୍ୱାସେ, ବିବର୍ଣ୍ଣ ହୋଇଥିବ ଘନ ! ନିରାଶେ ।
କରେ ବଦନ ଥୋଇଥିବା ବସିଣ, ଶ୍ଳଥ କୁନ୍ତଳ ପଡ଼ିଥିବ ଲମ୍ବିଣ ।
ତୋ ଗ୍ରାସେ ଶଶଧର ପରାଏ, ଘନ, ଦୀନ ଦିଶିବ କାନ୍ତା କାନ୍ତ ବଦନ ।
ମିଳନ କାମନାରେ କାନ୍ତା ମୋହର, ମଗୁଣ ଥିବ ଇଷ୍ଟଦେବଙ୍କୁ ବର ।
ନବ ବିରହେ କୃଶ ମୋର ମୂରତି, ଯତରେ ନିକି ଚିତ୍ରୁଥିବ ଯୁବତୀ ।

  ପୃଷ୍ଠା ୪

ପିଞ୍ଜରେ ଅବା ସାରୀ ମୁହଁକୁ ଚାହିଁ, ଭାଷୁଥିବା ତା ଶୋକେ ଶୋକ ମିଶାଇ-
'କାନ୍ତକୁ ସ୍ମରି କିଲୋ ହେଇ ବିକଳ ?, ତୋଠାରେ ସ୍ନହ ତାର ଥିଲା ଅଟଳ ।
ବାମନୟନା ମନ୍ଦ ମଳିନ ବାସ, ଉଡ଼ୌଥିବ ଉଷ୍ମ ଶୋକ-ଉଚ୍ଛ୍ୱାସ ।
ଗାଉଣଥିବ ବୀଣା ଉତ୍ସଙ୍ଗେ ଘେନି, ଚୁମ୍ବି ଅବନୀ ଲମ୍ବିଥିବ ତା ବେଣୀ ।
ତାର ସ୍ୱରେ ମୋ ନାମ ସଙ୍ଗୀତ ଗାଇ, ନୟନ ନୀରେ ବୀଣା ତାର ତିନ୍ତାଇ ।
ପୋଛି ପଣତେ ବୀଣା ଗାଆନ୍ତେ ପୁଣି, ମୂର୍ଚ୍ଚନା ପାଶୋରିବ ବେଗେ ତରୁଣୀ ।
ବିରହ-ବ‌ହ୍ନି ଶୋଷୁଥିବ ଜୀବନ, ଭୁତଳେ ଗୋଟି ଗୋଟି ଥୋଇ ସୁମନ ।
ଶେଷ ବିରହ ମାସ ଦୁଆରେ ବସି, ବିମନା ହୋଇ ଗଣୁଥିବ ପ୍ରେୟସୀ ।
କାନ୍ତ ସଙ୍ଗେ ସଙ୍ଗମ କଳ୍ପନା-ବଳେ, ହୃୟେ ଲଭୁଥିବ ବସି ବିରଳେ ।
କାମିନୀଏ ଏରୂପେ ବିରହ‌ କ୍ଳେଶ, ବାହ‌ନ୍ତି, ବାରିଦ ! ତୁ ଜାଣୁ ବିଶେଷ ।
ଦିବସେ ଗୃହକର୍ମେ ଥିବ ସେ ରତ, ଦିବସେ ଶୋକ ତାର ଥିବ ଗୁପତ ।
ବାସର ଅନ୍ତେ ଅବସର ଲଭିଣ, ବାରିଜମୂଖୀ ମନ କରିଣ କ୍ଷୀଣ ।
କାତରେ ଥିବ ଶୋଇ ଭୂମିଶୟନେ, ବିରହ ଦିନୁ ନାହିଁ ନିଦ୍ରା ନୟନେ ।
ନିଶିରେ ବାତାୟନ ସନ୍ନିଧେ ରହି, ପ୍ରବୋଧିବୁ ବାଳାକୁ ବାରତା କ‌ହି ।
ବିରହ-ଶୟ୍ୟ ପରେ ଆନଙ୍ଗ-ଶର, ଙ୍ଗନା-କ୍ଷୀଣ ଅଙ୍ଗ କରେ ଜର୍ଜ୍ଜର ।
ବିକଳେ ପଡ଼ିଥିବ ଏକା ସେ ତ‌ହିଁ, ଚରମା ଚନ୍ଦ୍ରକଳା କୃଶତା ବ‌ହି ।
ଯେ ରଜନୀ ସଜନୀ ମୋହ ସଙ୍ଗତେ, ବିଳାସେ ବିଞ୍ଚୁଥିଲା ଇଚ୍ଛୁ-ସୁରତେ ।
ଏକାଳେ ସେ ରଜନୀ ହୋଇବ କାଳ, ବୁଡ଼ାଇବ ଲୋଚନେ ନେତ୍ର ବିଶାଳ ।
କପୋଲ‌ଲମ୍ବିତ-ନୀଳ-ଚୂର୍ଣ୍ଣକୁନ୍ତଳ, କରୁଥିଲା ପୂର୍ବେ ଯା ସ୍ନେହ ଉଜ୍ଜ୍ୱଳ ।
ରୁକ୍ଷ ସ୍ନାନରେ ହୋଇଥିବ କର୍କଶ, ଉଷ୍ମ ନିଃଶ୍ୱାସେ ଉଡ଼ୁଥିବ ଅବଶ୍ୟ ।
ସେ ଶ୍ୱାସେ ବିମ୍ବାଧରୀ-ବିମ୍ବ ଅଧର, ବିବର୍ଣ୍ଣ ଦେଖି ହେବ ହୃଦ କାତର ।
ସ୍ୱପନେ ସୀମନ୍ତିନୀ ମୋ ଆଲିଙ୍ଗନ, ଲଭିବା ଆଶେ ଲୋଡ଼ୁଥିବ ବ‌ହ‌ନ ।
ନିଦ୍ରାକୁ ନିଦ୍ରାପଥ ନୟନ ନୀର, ରୋଧିଣ କରୁଥିବେ ମନ ଅସ୍ଥିର ।
ସୁଖ ସମୟେ ସେହୁ ନ ଲୋଡ଼ି ମିଳେ, ନ ମିଳଇ ଯତନେ ଦୁଃଖେ ଲୋଡ଼ିଲେ ।
ମେଲାଣି କାଳେ ଫୁଲମାଳ ଖସାଇ, ବାନ୍ଧିଲି ଯେ ବେଣୀ ମୁଁ ଆବାସେ ଥାଇ ।
ଶାପ ଅନ୍ତେ ଯେ ବେଣୀ ବାନ୍ଧିବି ପୁଣି, ଅରଞ୍ଜିତ ନ‌ଖର-କରେ ତରୁଣୀ ।
କ୍ଷଣେ କ୍ଷଣେ କପୋଳୁ ଘୁଞ୍ଚୌଥିବ। ଛାର ଅଦୃଷ୍ଟେ ଏହା କଲା ଦଇବ ।
ନାହିଁ ସେ ପୂର୍ବ ଶୋଭା ପୂର୍ବ ଯତନ, କଳିନ୍ଦ-କନ୍ୟା-କାନ୍ତି ପୂର୍ବ ବରଣ ।
ଗବାକ୍ଷ ମାର୍ଗେ ସୌମ୍ୟ ସୁଧଂଶୁ-ଜର, ପଡ଼ି ଉଜଳୁଥିବ ସୌଧ ଅନ୍ତର ।
ପୂର୍ବ ପ୍ରୀତିରୁ ଭୀରୁ ଅନାଇ ଥରେ, ଶଶିକୁ ବୁଲାଇବ ନେତ୍ର ସତ୍ତ୍ୱରେ ।
ପୀୟୁଷ-କର ତାହା ପକ୍ଷେ ଗରଳ, ତେଣୁ ଝରିବ ନେତ୍ରୁ ଲୋତକ ଜଳ ।
ଅବରିବ ଅବଳା ପକ୍ଷ୍ମେ ବ‌ହ‌ନ, ଦୁର୍ଦ୍ଦିନ ପଦ୍ମ‌ପ୍ରାୟେ ଆର୍ଦ୍ରନୟନ ।
ଭୂଷଣହୀନ ମୃଦୁ ଅଙ୍ଗ ଅଙ୍ଗନା, ଧୋଉଥିବ ଶୟନେ ଶୋକେ ଉନ୍ମନା ।
ନ ଦେଖି ନୀର-ଅଶ୍ରୁ ମୁଞ୍ଚିବୁ ଘନ, ପର ଦୁଃଖେ କାତର ମହତ ଜନ ।

  ପୃଷ୍ଠା ୫

ସ୍ନେହ‌ମୟ ମୋ ପ୍ରତି ପ୍ରେୟସୀ ଚିତ୍ତ, ତେଣୁ ଏ ଦଶା ତାର ହୁଏ ପ୍ରତୀତ ।
ଆପଣାଠାରୁ ପକ୍ଷ‌ପାତିତା ଏତେ, କ‌ହିଲି ଘନ ପୁଣି ନ ଘେନ ଚିତ୍ତେ ।
ଯା କ‌ହିଲି ଝଟକେ ନେତ୍ର-ଗୋଚର, ହେବ ଭବନ ମୋର ହେ କାମଚୋର ।
ଅନୁମାନ ଚିତ୍ରଇ ଏବେ ଯେ ଛବି, ନୋହିବ ତ‌ହୁଁ ଆନ ପ୍ରାଣ ବାନ୍ଧବୀ ।
ସୁସନ୍ଦେଶ ବ‌ହି ତୁ ହେଲେ ପ୍ରବେଶ, ଉପୁଜିବ ହରଷ ହୃଦେ ଅଶେଷ ।
ମୀନ ଗ‌ହଳେ ଚଳ କମଳ ପରି, ସ୍ଫୁରିବ ବାମନେତ୍ର ବେଗେ ସଞ୍ଚରି ।
କଜ୍ଜଳକେଶୀ ନେତ୍ରେ ନାହିଁ କନ୍ଦଳ, ଅପାଙ୍ଗେ ଲମ୍ବିଥିବ ଶ୍ଳଥ କୁନ୍ତଳ ।
ମଧୁ ତିଆଗୁ ଆଗ ଭୁରୁ ବିଳାସ, ନ ଥିବ ସେ ପୂରୁବ ବକ୍ତ ବିକାଶ ।
ଅନ‌ଖ-କ୍ଷତ ବାମ ଊରୁ ବର୍ତ୍ତୁଳ, କନ‌କ-ରମ୍ଭାତରୁ-ଗଞ୍ଜି ମଞ୍ଜୁଳ ।
ନ ଶୋହେ ଯହିଁ ଏବେ ମୁକୁତା ହାର, ବିରହେ ହାରେ ଲୋଡ଼ା କାହିଁ ବାଳାର ।
ସଂବାହ‌ନେ ଯାହାର ସୁରତ ପରେ, କୃତାର୍ଥ ହେଉଥିଲି ଶେଯ ଉପରେ ।
ତୋ ମିଳନେ ସେ ଊରୁ ସ୍ଫୁରିବ ଘନ, ଭାଳିବ ଦୁଃଖ ପରା ହେବ ଖଣ୍ଡନ ।
ସେ କାଳେ ବାଳା ଯେବେ ଥିବ ନିଦ୍ରିତ, ଅନାଇ ଅବସର ଥିବ ସ୍ତମ୍ଭିତ ।
ଦୁଃଖୀ ପକ୍ଷେ ନିରଦ ନିଦ୍ରା ଶରଣ, ନିଦ୍ରା ଦିଅଇ ସ୍ୱପ୍ନ, ସ୍ୱପ୍ନ ରମଣ ।
ସ୍ୱପ୍ନ ବଳେ ଅବଳା ମୋହ ଉତ୍ସଙ୍ଗେ, ବିହରୁଥିବ ସୁଖ ସୁରତ ରଙ୍ଗେ ।
ନିଦ୍ରାଭଙ୍ଗେ ଅଙ୍ଗନା ହେବ ଆକୁଳ, ତିନ୍ତାଇବ ଲୋତକେ ମଳଦୁକୁଳ ।
କାଳେ ଅବଳା ନେତ୍ର ମୁଦିବ ଡରି, ରଖିବୁ ଚଫଳାକୁ କୋଳେ ଆବରି ।
ପେଷି ଶୀକର ସ୍ନିଗଧ ମଧୁ ସମୀର, ନବମାଳତୀ ସଙ୍ଗେ ସୁସ୍ଥ ଶରୀର ।
କରି କାନ୍ତାକୁ ସୌଧ ଗବାକ୍ଷେ ବସି, ତୋଷିବୁ ତ‌ହୁଁ ବାକ୍ୟ ସୁଧା ବରଷି ।
ହେବ ହରସ ମୋହେ ସନ୍ଦେଶ ଲଭି, କରେ ଶଶୀ ଲଭିଲା ପ୍ରାୟେ ବଲ୍ଲଭୀ ।
କ‌ହିବୁ କାମିନୀକୁ ଘନ ଏସନ, ଜୀବନେ ଅଛି ବାଳା ତୋ ଜୀବଧନ ।
ମୁଁ ଅଟେ ନୀରଧର ଚାର ତାହାର, ଆଣିଅଛି ତୋ ପ୍ରତି ସୁସମାଚାର ।
ସୀମନ୍ତିନୀ କୁନ୍ତଳ ବନ୍ଧନ ଆଶେ, ପ୍ରବାସୁଁ କାନ୍ତ ଯେବେ ଆସଇ ବାସେ ।
ମାର୍ଗେ ନିନାଦ ମନ୍ଦ୍ର ଶୁଣି ମୋହର, ଭବନ ଲଭିବାକୁ ହୁଏ ସତ୍ତ୍ୱର ।
ଏ ବାଣୀ ଶୁଣି ବାଳା ଉତ୍କଣ୍ଠାଭରେ, ବେଗେ ଚାହିଁବ ତୋତେ ଘନ ଅମ୍ବରେ ।
ଅଶୋକ ଉପବନେ ଅଶୋକ ମୂଳେ, ରାମରମଣ ଯେହ୍ନେ ଉତ୍କଣ୍ଠାକୁଳେ ।
ସମ୍ଭାଷିଲେ ହ‌ନୁକୁ ତରୁ ଉପରେ, ତେସନେ ତୋତେ ସମ୍ଭାଷିବ ଆଦରେ ।
କନ୍ତ ବାରତା କାନ୍ତ ମିତ୍ର ମୁଖରୁ, ଊଣା ନୁହଇ କାନ୍ତ ସଙ୍ଗ ସୁଖରୁ ।
ଫର ଦୁଃଖ ଫେଡ଼ିଲେ ମହତ ମନ, ପରମ ପ୍ରିତୀ ରସେ ହୁଏ ମଗନ ।
ପ୍ରିୟା ହରଷ ସୁଖ ହେବ ଅଶେଷ, କ‌ହି ଏ ସୁବାରତା ବାର ତା କ୍ଳେଶ ।
ରାମଗିରିରେ ଥାଇ ଶୋକେ ବିକଳ, ତୋ ନାଥ ପଚାରଇ ତୋହୋ କୁଶଳ ।
କ୍ଷଣ ଭଙ୍ଗୁର ଭବେ ପ୍ରାଣୀ-ପରାଣ, ତେଣୁ ଏ ପ୍ରଶ୍ନ ଆଦ୍ୟ ସମ୍ଭାଷ ଜାଣ ।
ତୋ ପ୍ରାୟେ କ୍ଷୀଣ ବାଳା ତୋ ନାଥା ତନୁ, ନିତ୍ୟ ବିନ୍ଧଇ ପୁଷ୍ପଶରେ ଅତନୁ ।
ନୟନୁ ଅଶ୍ରୁ ଧାର ବ‌ହେ ନିୟତ, ଉଷ୍ମ ନିଶ୍ୱାସେ ଦେହ ଦ‌ହେ ସନ୍ତ‌ତ ।

  ପୃଷ୍ଠା ୬

ଉତ୍କଳିକା ଆକୁଳ ନିତ୍ୟ ହୃଦୟ, ରୋଧିଲା ମାର୍ଗ ବାମ ବିଧି ନିର୍ଦ୍ଦୟ ।
ସଂକଳ୍ପେ ଅଳ୍ପୋଦରି ଦୂରେ ସେ ଥାଇ, ଲଭେ ତୋ ସଙ୍ଗ ଅଙ୍ଗେ ଅଙ୍ଗ ମିଶାଇ ।
ବଦନ ଅରବିନ୍ଦ ପରଶ ଆଶେ, କୌତୁକେ କାନ୍ତ ତୋର ସଖୀ ସକାଶେ ।
ନିଗୂଢ଼ କଥା ବୋଲି ଡାକି ବିଜନେ, ହସଇ ଆନ କଥା ଭାଷି ଶ୍ରବଣେ ।
ଏବେ ସେ କାନ୍ତ ତୋର ଘୋର ପ୍ରବାସେ, ଦିନ ଗମଇ ବ‌ହି ଖେଦ ହୁତାଶେ ।
ଆକୁଳ ହୋଇ ମୋତେ ଦେଲା ମେଲାଣି, ପେଷିଲା ତୋ ସକାଶେ ଶୁଣ ଯେ ବାଣୀ ।
ବିରହେ କ୍ଷିପ୍ତ ପ୍ରାୟେ ଭ୍ରମଇ ଗିରି, ଶ୍ୟାମା ଅଙ୍ଗେ ଦେଖଇ ତୋ ଅଙ୍ଗ ଶିରି ।
ଚକିତ-ମୃଗୀ-ନେତ୍ରେ ଚାରୁ ନୟନ, ଚନ୍ଦ୍ରେ ଚନ୍ଦ୍ରମା ମୁହିଁ ବରବଦନ ।
ନୀଳକଣ୍ଠ-ପୁଚ୍ଛେ ତୋ ନୀଳକୁନ୍ତଳ, ନୀଳ ତରଙ୍ଗେ ଭୁରୁ ଭଙ୍ଗୀ ଚଞ୍ଚଳ ।
ଏକତ୍ରେ ଦେଖିବାର ଏ ଶୋଭାମାନ, ନାହିଁ ନୋହିବ ଅନ୍ୟ ତୋ ବିନୁ ପ୍ରାଣ ।
ମାନବତୀ ମୂରତି ତୋର ଏ ବନେ, ଧାତୁରାରେ ଶିଳାରେ ଚିତ୍ରି ଯତନେ ।
ପାଦେ ପଡ଼ିଲା ବେଳେ ନୟନ-ଜଳ, ଦୃଷ୍ଟି ରୋଧି କରଇ ମନ ବିହ୍ୱଳ ।
କ୍ରୁର ଦଇବ ବାଳା କଲା ଏସନ, ନ ସ‌ହିଲା ଚିତ୍ରେ ତୋ ସଙ୍ଗେ ମିଳନ ।
ଏଥୁ ବଳି କଷଣ କାହିଁ ମହୀରେ, ନାହିଁ କରୁଣା ଲେଶ ବିହି ଶରୀରେ ।
ତୋ ବିରହେ ଏ ଦେହ ନିତ୍ୟ ଜର୍ଜର, ପୁଣି ବିନ୍ଧଇ ମୁହୁଃ ଅନଙ୍ଗ ଶର ।
ଜଳଦ କାଳ ଆସି ହେଲା ପ୍ରବେଶ, ନୀଳ ଘନ ଘୋଟିଲା ଅମ୍ଭର ଦେଶ ।
ଗ‌ଗନେ ସୌଦାମିନୀ ଘନ ଝଟକେ, ଦମ୍ଭୋଳି ଭୀମନାଦେ ମନ ଚମକେ ।
କି ରୂପେ ଗମିବି ମୁଁ ଏ ଘୋର କାଳ, ଭାବ ଭାବିନି କଷ୍ଟ କେଡ଼େ କରାଳ ।
ସ୍ୱପନେ ବାଳା ତୋହୋ ଲାଭ ସକାଶେ, ପ୍ରସାରି ବେନି ବାହୁ ଆଶ୍ଳେଷ ଆଶେ ।
ଶୂନ୍ୟକୁ ଭଡ଼ି ମୁଁ ତା ଦେଖି ଧନ, ବର୍ଷଇ ଅଶ୍ରୁ ବନ‌ଦେବୀ ନୟନ ।
ଅଶ୍ରୁ ବିନ୍ଦୁ ମୁକୁତାପନ୍ତି ସୁନ୍ଦର, ପ୍ରାତେ ପାଦପ ପର୍ଣ୍ଣେ ଝରେ ବିସ୍ତର ।
ମୋ ଦୁଃଖେ ବିଳପନ୍ତି ଗିରି କାତରେ, ଅଶ୍ରୁ ଛଳେ ଦେହରୁ ନିର୍ଝର ଝରେ ।
ହିମଗିରିରୁ ବ‌ହେ ଶୀତ ସମୀର, ଦେବଦାରୁ ପାଦପ ସୁରଭି କ୍ଷୀର-
ସୌରଭ ହରି ତରୁପତ୍ରେ ମର୍ମରି, ଦକ୍ଷିଣେ ହିମ-ପକ୍ଷେ ବେଗେ ପ୍ରସରି ।
ବ‌ହଇ ବାଳା ସେ ତୋ ଦେହ ସୌରଭ, ସେ ସୌରଭ ମନ୍ଦାରେ ନୁହେଁ ସୁଲଭ ।
ସେ ସୌରଭ ଆଶେ ମୁଁ ଗନ୍ଧବ‌ହେ, ସେବଇ ସୀମନ୍ତିନି ସଦା ଆଗ୍ରହେ ।
ତୋ ବିରହ ସନ୍ତାପେ ସଦା ତପତ, କିରୂପେ କ୍ଷଣପ୍ରାୟେ କ୍ଷଣଦା ଗତ ।
ହୋଇବ ମନ୍ଦ ହେବ ମିହିର କର, କରଇ ଏ କାମନା ନିତ୍ୟ ମନର ।
ଶାପ ମୋଚନେ ପୂର୍ବ ସୁଖ ପ୍ରାପତି, ନିଶ୍ଚେ ହୋଇବ ଏହି ଆଶେ ଯୁବତି ।
ସମ୍ଭାଳିଛି ହୃଦୟ ତେଣୁ କାତର, ନ ହୁଅ ଭବିଷ୍ୟତେ କର ନିର୍ଭର ।

  ପୃଷ୍ଠା ୭

ସୁଖ ଦୁଃଖ ଜଗତେ ନୁହଇ ଚିର, ଚକ୍ରଗତି ପରାଏ ଚିର ଅସ୍ଥିର ।
ସୁଖ ଅନ୍ତେ ଆସିଲା ଏ ଦୁଃଖ ଦିନ, ପୁଣି ଲଭିବା କାଳେ ଖସୁ ନବୀନ ।
ଭୁଜଙ୍ଗ ଶେଯୁ ଯେବେ ଉଠିବେ ହରି, ଲଭିବ ବାସେ ପୁଣି ତୋତେ ସୁନ୍ଦରୀ ।
ଗମ ଏ ଚାରିମାସ ମୁଦି ଲୋଚନ, ଏ ଅନ୍ତେ ନିଶ୍ଚେ ମୋର ଶାପମୋଚନ ।
ବିରହେ ବାଞ୍ଛା ଯେବେ ଉପୁଜେ ମନେ, ଶରତପୂର୍ଣ୍ଣ କଳାକାର କିରଣେ ।
ସାଧ୍ୱୀ ତୋ ସଙ୍ଗେ ଥିବି ସାଧିବି ବାସେ, ନିହିବି ହୃଦ-ଶଶୀ ହୃଦ ଆକାଶେ ।
ଫୁଟିବେ ତାରାବଳୀ ନୀଳ ଗ‌ଗନେ, ଫୁଟିବ ଫୁଲ କଳୀ ଫୁଲ କାନନେ ।
କୌମୁଦୀ ହସୁଥିବ କୁମୁଦ ସଙ୍ଗେ, ପ୍ରମୋଦେ ଭାସୁଥିବ ସରସୀ ଅଙ୍ଗେ ।
ସୌଧେ ଭୁଧରେ ସରେ ସ୍ୱର୍ଣ୍ଣଦୀ-ନୀରେ, ବିରାଜିବ ରଜତ ଜ୍ୟୋତ୍ସ୍ନା ରୁଚିରେ ।
ନିର୍ଭର ବିକସିତ ରଙ୍ଗବଧୂଲି, ବନୁ ପରାଗ ପଡ଼ୁଥିବ ଉଛୁଳି ।
ଦିଗବିଦିଗ ଦିଶୁଥିବ ଲଳିତ, କରୁଣେ ଗାଉଥିବେ ଚିଟ୍ଟିଭେ ଗୀତ ।
ଦୂରେ ମାନସ ନୀରେ ଶଶୀ ନର୍ତ୍ତନ, ସୌଧ ଶିଖରୁ ଦିଶୁଥିବ ଯତନ ।
ଶଶୀଙ୍କୁ ଚାହିଁ ଧୀରବାତେ ଅଥୟ, ଶିଶିର ପୂଉଥିବେ ମୁକୁଳଚୟ ।
ଲଳିତା ତୋ ସଙ୍ଗତେ ରଙ୍ଗେ ଭ୍ରମିବି, ଲଳିତ ତୋ ସଙ୍ଗୀତେ ଚିତ୍ତ ରମିବି ।
ପଡ଼ଇ କିରେ ମନେ ପରାଣମିତ, ଭିଡ଼ି ଭୁଜ ମୋ କଣ୍ଠେ ଥିଲୁ ନିଦ୍ରିତ ।
ଜାଗି କାନ୍ଦିଲୁ ଦିନେ କାତର ସ୍ୱରେ, ପଚାରନ୍ତେ କ‌ହିଲୁ ହସି ଉତ୍ତରେ ।
ଦେଖଲି ଅପରୂପ, ଶଠ ! ସ୍ୱପନେ, ଆନ ରଙ୍ଗିଣୀ ତୁମ୍ଭ ସଙ୍ଗେ ଶୟନେ ।
ସ୍ମିତ-ଲଳିତ ଚାରୁ ଚନ୍ଦ୍ର ବଦନ, ସୁରଭ ଚନ୍ଦ୍ରାନନି ! ମନ ବ‌ହ‌ନ ।
ଅଭିଜ୍ଞାନ ଲଭି ଏ ଚାରିମାସ, ଗମିବୁ ନ ହୋଇବୁ ଖେଦେ ହତାଶ ।
ଅଳୀକ ପ୍ରବାଦକୁ ନ ଯିବୁ ପ୍ରତେ, ଜୀବନେ ଅଛି ଧନ ଜାଣିବୁ ସତେ ।
ଦୀର୍ଘ ବିରହ ଅଟେ ସ୍ନେହ ନାଶକ, ଭୋଗ ଅଭାବେ ସେହୁ ସ୍ନେହ-ପୋଷକ ।
ଭୋଗ ଅଭାବେ ପ୍ରିୟା ପ୍ରେମସରିତ, ପ୍ଳାବନେ ପ୍ରିୟା ପାଶେ ହୁଏ ଧାବିତ ।
ମଉନେ ଅଛି ଘନ ନାହିଁ ମୋ ଭୟ, ଫଳିବ ମୋ ଅଭୀଷ୍ଟ ନାହିଁ ସଂଶୟ ।
ଚାତକ ଜଳ ମାଗେ ପ୍ରତି ଉତ୍ତର, ନ ଦେଇ ନୀର ତାକୁ ଦିଅ ସତ୍ତ୍ୱର ।
ମହତ ଜନର ଏ ରୀତି ଅଟଇ, ଅଭୀଷ୍ଟ ଦାନ ପ୍ରତିବାଣୀ କେବଳ ।
ବଚନେ ଲୋଡ଼ା ନାହିଁ ମୋର ଜଳଦ, ମଉନେ ଇଷ୍ଟ ଲାଭ ପରମ ପଦ ।
ବିରହିଣୀ କାନ୍ତାକୁ ଦେଇ ଆଶ୍ୱାସ, ଶଙ୍କର‌ ବୃକ୍ଷ ଖୂର କ୍ଷତ କୈଳାସ ।
ଛାଡ଼ି, ନେଉଟି ଏଥି ପ୍ରିୟା ସନ୍ଦେଶେ, ଅଭିଜ୍ଞାନେ ତୋଷିବ ମୋତେ ବିଦେଶେ ।
ପ୍ରାତେ ଶିଥିଳ ଯେହ୍ନେ କୁନ୍ଦ ସୁମନ, ଶିଥିଳ ତ‌ହୁଁ ଘ ମୋହୋ ଜୀବନ ।
ଜୀବଧାରଣ ହେବ ବାରତା ଲାଭେ, ବାରତା ଲଭିବି ମୁଁ ତୋହୋ ପ୍ରଭାବେ ।
ରାଗ - ରସକୁଲ୍ୟା
ଦୀନ ଅଟଇ ମୁଁ ତୁମ୍ଭେ ମହତ, ଏଣୁ ଏ ମାଗୁଣି ନୋହେ ସଙ୍ଗତ ।
ମାତ୍ର ଅଟ ଘନ ଦୟା ଆକର, ଦୟା ନ ଜାଣଇ ଶ୍ରେଷ୍ଠ ଇତର ।
ଏଣୁ କ‌ହିଲି ଏସନ ହେ ।
ଦାରୁ ଦୂବଙ୍କର ସମ ହିତକର, ଅଟ, ତେଣୁ ଏ ଯାଚନ ହେ ।
କାତର ଜନର ହୋଇ ବାନ୍ଧବ, ଜଗତେ ପ୍ରକଟି ନିଜ ଗୌରବ ।
ଅଳକା ପ୍ରବେଶି ପ୍ରୟା ସଦନେ, ଦେଇ ମୋ ବାରତା ହରଷ ମନେ,
ଘନ ଯାଅ ଇଷ୍ଟ ଦେଶ ହେ, ତଡ଼ିତ ସଙ୍ଗତେ ବିରହ ନିରତେ,
ମୋ ପ୍ରାୟେ ନୋହୁ ବିଶ୍ଳେଷ ହେ ।

  ସମାପ୍ତ