ମୋ ଘର ଶ୍ରୀଜଙ୍ଗ

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ନାମ ଥିବା ଅନ୍ୟ ରଚନାଗୁଡ଼ିକ ପାଇଁ ମୋ ଘର ଶ୍ରୀଜଙ୍ଗ (ହରେକୃଷ୍ଣ ମହତାବ) ଆଉ ମୋ ଘର ଶ୍ରୀଜଙ୍ଗ ଦେଖନ୍ତୁ ।
ମୋ ଘର ଶ୍ରୀଜଙ୍ଗ
ଲେଖକ/କବି: ହରେକୃଷ୍ଣ ମହତାବ

ଅଫିସ୍ ବେଳ ହୋଇଗଲାଣି, ହରିମୋହନ ତରତର ହେଲେଣି ଅଫିସ୍‌କୁ ଯିବା ପାଇଁ । ମୋଟରଗାଡ଼ି ଆସି ପୋର୍ଟିକୋରେ ଲାଗିଗଲାଣି । ମନ୍ତ୍ରୀଙ୍କ ସହିତ ଅଫିସ୍‌ରେ ସହଜରେ ଦେଖା ହୋଇପାରେ ନାହିଁ ବୋଲି ଅନେକ ଚାଲି ଆସନ୍ତି ଘରକୁ । ନିର୍ବାଚିତ ପ୍ରତିନିଧି ହୋଇଥିବାରୁ ମନ୍ତ୍ରୀ ମଧ୍ୟ କାହାରିକୁ ମନା କରି ପାରନ୍ତି ନାହିଁ । ଯେଉଁମାନେ ନିର୍ବାଚନରେ ମନ୍ତ୍ରୀଙ୍କୁ ଏବଂ ତାଙ୍କ ଦଳକୁ ସାହାଯ୍ୟ କରିଛନ୍ତି, ସେମାନଙ୍କୁ ତ ନିଶ୍ଚୟ ଦେଖା ଦେବାକୁ ହେବ । ଏ ଶ୍ରେଣୀର ଲୋକେ ସାଧାରଣତଃ ବ୍ୟବସାୟୀ, କଣ୍ଟ୍ରାକ୍ଟର ବା ଶିଳ୍ପପତି । ଏମାନଙ୍କ ଛଡ଼ା ଆଉ ଏକ ଶ୍ରେଣୀର ଲୋକ ମଧ୍ୟ ଧାଇଁ ଆସନ୍ତି ମନ୍ତ୍ରୀଙ୍କ ଘରକୁ, ନିଜ ଦୁଃଖ ଜଣାଇବା ପାଇଁ, ଏମାନଙ୍କୁ ସଚିବାଳୟ ମଧ୍ୟରେ ପଶିବାକୁ ସହଜରେ ପାସ୍‌ ମିଳେ ନାହିଁ, କାରଣ ଏମାନଙ୍କ ବେଶଭୂଷା, ଚାଲିଚଳଣ ସଚିବାଳୟକୁ ଯିବା ଯୋଗ୍ୟ ନୁହେଁ ବୋଲି ଅଭ୍ୟର୍ଥନାକାରୀ ମନେ କରନ୍ତି । ଅନ୍ୟମାନଙ୍କୁ ମନ୍ତ୍ରୀ ବେଶି ସମୟ ଦେଲେ ମଧ୍ୟ ଏମାନଙ୍କୁ ପଦେଅଧେ କଥା କହନ୍ତି । ଏହି ଶ୍ରେଣୀର ଜଣେ ଲୋକ ଆସି ହଠାତ୍‌ ହରିମୋହନଙ୍କ ହାତ ଧରିପକାଇଲା, ଯେପରି ବହୁ କାଳପରେ ଦେଖା ହୋଇଥିବା ଜଣେ ବନ୍ଧୁ ଆନନ୍ଦରେ କରିଥାଆନ୍ତି ।

ଲୋକଟିର ବୟସ ପ୍ରାୟ ଷାଠିଏ ହେବ, ଖଦଡ଼ ଧୋତି, କଷ୍ଟରେ ଆଣ୍ଠୁ ଲୁଚୁଛି । କୁରୁତା ଖଣ୍ଡେ ଦେହରେ ଝୁଲୁଛି । ଚେହେରାରେ ପ୍ରସନ୍ନତା ଫୁଟି ଉଠୁଛି, ଜଣେ ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇଛି ବୋଲି । କିନ୍ତୁ ହରିମୋହନ ଅଫିସ୍‌କୁ ଯିବା ପାଇଁ ତରତର । ତା’ଛଡ଼ା ଜଣେ ଇତର ଲୋକ ହାତ ଧରି ପକାଇବାଟା ସେ ପସନ୍ଦ କଲେ ନାହିଁ । ବିରକ୍ତ ହୋଇ ହାତ ଛାଟିଦେଲେ, ତରତର ହୋଇ ମଟର ଭିତରକୁ ଚାଲିଗଲେ । ଲୋକଟି ବିସ୍ମିତ ହୋଇ କ’ଣ କହିଲା ଶୁଣାଗଲା ନାହିଁ । ହରିମୋହନ ଉଚ୍ଚ ସ୍ବରରେ କହିଲେ, ‘ପରେ ଦେଖା ହେବ’, କିନ୍ତୁ ଲୋକଟି ତଥାପି ମଟର ଖିଡ଼ିକି ବାଟେ ମୁଣ୍ଡ ଗଳାଇ ପୁଣି କିଛି କହିବ ବୋଲି ଚେଷ୍ଟା କରିବାରୁ ମନ୍ତ୍ରୀଙ୍କ ଦେହରକ୍ଷୀ ଲୋକଟିକୁ ଟାଣିଆଣି ଦୁଇ ଧକ୍କା ଦେଇ ଦୂରକୁ ଠେଲିଦେଲେ । ଲୋକଟି ଟିକିଏ ଦୂରରେ ହାମୁଡ଼େଇ ପଡ଼ିଲା । ଇତିମଧ୍ୟରେ ହରିମୋହନଙ୍କ ମଟରକାର୍‌ ବାହାରି ଚାଲିଗଲା । ଲୋକଟି ତଳୁ ଉଠି କିଛିକ୍ଷଣ ବସି ରହିଲା । ମନ୍ତ୍ରୀଙ୍କ ଘର ଜଗୁଥିବା ଜଣେ କନେଷ୍ଟବଳ ଆସି ‘ଏଠି ବସିଛୁ କାହିଁକି, ଯା, ହତା ବାହାରକୁ’ ବୋଲି ରୁକ୍ଷ ସ୍ବରରେ କହିଲା । ଲୋକଟି ଚାହିଁଲା କନେଷ୍ଟବଳ ମୁହଁକୁ । ‘ଉଠ୍‌, ବାହାରିଯାଅ’ କହି କନେଷ୍ଟବଳ ଲୋକଟିର ହାତଧରି ଉଠାଇବାକୁ ଯିବାରୁ ଲୋକଟି ଧୀରେ ଧୀରେ ଉଠି, ‘ଯାଉଛି ବାବୁ, ଏହିପରି ଚାଳିଶ ବର୍ଷ ପୂର୍ବେ ମୁଁ ମାଡ଼ ଖାଇଥିଲି, ଆଜି ମଧ୍ୟ ଖାଇଲି’, ହଉ ଏତିକି କହି ସେ ଧୀରେ ଧୀରେ ଫାଟକ ବାହାରକୁ ବାହାରିଗଲା ।

କିଛି ଦୂରରେ ଗୋଟିଏ ଗଛମୂଳେ ଲୋକଟି ବସିରହି କ’ଣ ଭାବିଲା କେଜାଣି, ଧୀରେ ଧୀରେ ତା’ର ଦୁଇ ଆଖିରୁ ଲୁହ ଝରି ପଡ଼ିଲା । ଭାବାବେଗ କ୍ରମେ ଏପରି ବୃଦ୍ଧି ପାଇଲା ଯେ ସେ କଇଁ କଇଁ ହୋଇ କାନ୍ଦି ପକାଇଲା ମଧ୍ୟ । ଏଇଥିରେ ତା’ର ମନର ସମସ୍ତ ବେଦନା ବୋଧହୁଏ ଧୋଇ ହୋଇଗଲା । ଆଖିର ଲୁହକୁ ପୋଛି ସିଧା ହୋଇ ବସି ସେ ଚାରିଆଡ଼କୁ ଏପରି ଆଖିରେ ଚାହିଁଲା ମନେହେବ ସତେ ଯେପରି ସେ ସଦମ୍ଭ ସାରା ଦୁନିଆଁକୁ ତରାଟି ଚାହିଁବାକୁ ବସିଛି । ସେ ଝାଡ଼ିଝୁଡ଼ି ହୋଇ ଉଠିଲା, ସତ୍ୟାଗ୍ରହ ସମୟରେ କବି ବୀରକିଶୋରଙ୍କର ଯେଉଁ ଏକ ଗୀତ ବୋଲା ହେଉଥିଲା ସେୟାକୁ ସ୍ବର ଧରି ଗାଇ ଗାଇ ଚାଲିଗଲା, ‘‘ଅରି ଫେରିନାହିଁ ଯୁଦ୍ଧ ସରିନାହିଁ, ଆସ ମୋ ଶିବିରରେ ଆସ ଭାଇ । ’’ ସିଧା ସେ ଗଲା ଏକ ସମ୍ମିଳନୀରେ ଯୋଗ ଦେବା ପାଇଁ, ସମ୍ମିଳନୀଟି ହେଉଛି ସ୍ବାଧୀନତା ସଂଗ୍ରାମୀମାନଙ୍କର । ସରକାରଙ୍କଠାରୁ ଭତ୍ତା ପାଇବା ପାଇଁ ଯେଉଁ ଘୋଷଣା କରାଯାଇଛି ତାହାରି ବିଚାର ପାଇଁ ଏ ସମ୍ମିଳନୀ ଆହୂତ ହୋଇଛି । ସ୍ବାଧୀନତା ଆନ୍ଦୋଳନରେ ଯେଉଁମାନେ ନିର୍ଯାତନା ଭୋଗ କରିଥିଲେ, ସେହିମାନଙ୍କର ଏ ସମ୍ମିଳନୀ । ଏହି ସମ୍ମିଳନୀରେ ଉପରୋକ୍ତ ଲୋକଟି ଯୋଗ ଦେବା ପାଇଁ ଆସିଥିଲେ । ସ୍ବାଧୀନତା ଆନ୍ଦୋଳନ ସମୟରେ ହରିମୋହନଙ୍କ ସହିତ ଏ ଲୋକଟିର ପରିଚୟ ଥିଲା, କେବଳ ସାଧାରଣ ପରିଚୟ ନୁହେଁ, ଦୁହେଁ ଏକସଙ୍ଗରେ କାର୍ଯ୍ୟ କରୁଥିଲେ । ସେହି ପୂର୍ବ ସମ୍ପର୍କ ମନେପକାଇ ସେ ହରିମୋହନଙ୍କ ସହିତ ଦେଖା କରିବାକୁ ଯାଇଥିଲେ । ଲୋକଟିର ନାମ ଲୋକନାଥ । କଲେଜ ପଢ଼ା ଛାଡ଼ି ସତ୍ୟାଗ୍ରହରେ ମାତି ସେ ବହୁବାର ଜେଲ୍‌ ଯାଇଛି । ଜେଲ୍‌ ଭିତରେ ବେତମାଡ଼ ମଧ୍ୟ ଖାଇଛି । ସାଧାରଣ ଗ୍ରାମବାସୀ ହୋଇ ରହିବାକୁ ସେ ପସନ୍ଦ କଲା । ସ୍ବାଧୀନତା ପରେ ସେ ନିଜ ଗାଁରେ କଷ୍ଟେମଷ୍ଟେ ଜୀବିକା ନିର୍ବାହ କରୁଛି । କିଛି କିଛି ଲୋକସେବା ମଧ୍ୟ କରୁଛି । ତ୍ୟାଗର ସୁବିଧା ଉଠାଇ କିଛି ଗୋଟାଏ ହେବା ପାଇଁ, ସରପଞ୍ଚ, ଏମ୍‌.ଏଲ୍‌.ଏ. ବା ଆଉ କିଛି ହେବା ପାଇଁ ତା’ ମନ ଚାହିଁ ନାହିଁ । ସେ ସମୟର ଅସଂଖ୍ୟ ଲୋକଙ୍କର ସେ ଦିଗରେ ସ୍ପୃହା ଜାତ ହୋଇନାହିଁ । ଲୋକନାଥର ମଧ୍ୟ ହୋଇନାହିଁ । ଆଗକୁ ପଛକୁ ନ ଚାହିଁ ଅଗଣିତ ଜନତା ଯେ ‘ମହାତ୍ମା ଗାନ୍ଧୀଙ୍କ ଜୟ’ ସ୍ବର ଉଠାଇଥିଲେ ସେମାନେ କେବେ ଭାବି ନ ଥିଲେ ଯେ ପରେ ସେମାନଙ୍କ କିଛି ବ୍ୟକ୍ତିଗତ ସୁବିଧା ହେବ । ପରେ ଯେତେବେଳେ ସୁବିଧା ସବୁ ଆସି ଜୁଟିଲା, ସେତେବେଳକୁ ଚକ ଏପରି ଘୂରି ଯାଇଥିଲା ଯେ ଲୋକ ସମ୍ପର୍କ ଓଜନ୍‌ ଥିବା ଏକ ଯୋଗ୍ୟତା ବୋଲି ବିବେଚିତ ହେଲା ନାହିଁ । ଇଂରେଜୀ ପଢ଼ା, ସଭା ସମିତିରେ ଭାଷଣ, ଚତୁରତା, ମାରପେଞ୍ଚ ଏସବୁ ଯୋଗ୍ୟତା ସାଧାରଣଙ୍କ ତ ନାହିଁ, ତେଣୁ ସେମାନେ ଅତୀତର ସ୍ମୃତିକୁ ଅବଚେତନ ସ୍ତରକୁ ଠେଲିଦେଇ ପୂର୍ବ ଜୀବନକୁ ଫେରି ଯାଇଥିଲେ । ସେମାନଙ୍କୁ ଦେଶ ମଧ୍ୟ ଭୁଲିଯାଇଥିଲା, କିନ୍ତୁ ସ୍ବାଧୀନତାର ରଜତ ଜୟନ୍ତୀ ଉପଲକ୍ଷେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ତାମ୍ରପତ୍ର ଓ ମାସିକ ଭତ୍ତା ଦେବାର ଘୋଷଣା ଯେତେବେଳେ ପ୍ରଚାରିତ ହେଲା, ସେତେବେଳେ ସ୍ବାଧୀନତାରେ ଯୋଗ ଦେଇଥିବା ଯେ କେଉଁଠି ଥିଲେ, ଏପରିକି ସେମାନଙ୍କର ପରିବାରବର୍ଗଙ୍କର ମଧ୍ୟ ବହୁ ବର୍ଷ ପୂର୍ବର ସ୍ମୃତି ଅବଚେତନ ସ୍ତରରୁ ଚେତନ ସ୍ତରକୁ ଆସିଗଲା । ସ୍ବାଧୀନତା ପରେ ଚତୁର୍ଦିଗରେ ଯେଉଁ କୋଳାହଳ ସୃଷ୍ଟି ହେଲା ସେଥିରେ ଯେ ସେ କାଳର ସତ୍ୟାଗ୍ରହୀମାନଙ୍କୁ ସ୍ମରଣ କରାଯାଇଛି, ଏଥିରେ ସମସ୍ତେ ଉତ୍‌ଫୁଲ୍ଲ । ଅବହେଳିତ ଅବସ୍ଥାରେ ମୁଣ୍ଡ ଯେ, ତଳକୁ ନଇଁ ଯାଇଥିଲା, ଟିକିଏ ଉପରକୁ ଉଠିଲା ଉତ୍ସାହରେ ସେମାନେ ଏକ ସମ୍ମିଳନୀର ଆୟୋଜନ କଲେ । ଏହି ସମ୍ମିଳନୀକୁ ଲୋକନାଥ ଯୋଗଦେବା ପାଇଁ ଆସିଥିଲେ । ସମ୍ମିଳନୀରେ ସଭାପତିତ୍ବ କରିବେ ହରିମୋହନ । ଘରୁ ଅଫିସ୍‌କୁ ଯାଇ ସେଠାରେ ଜରୁରି କାମ ଶେଷ କରି ସମ୍ମିଳନୀକୁ ଯିବେ । ଏଥିପାଇଁ ହରିମୋହନ ତରତର ହୋଇ ଅଫିସ୍‌ ବାହାରିଗଲେ ।

ହରିମୋହନଙ୍କ ମଟରକାର୍‌ ସେକ୍ରେଟାରୀଏଟ୍‌ ଫାଟକରେ ପହଞ୍ଚିବା ମାତ୍ରେ ଦୁଇଆଡ଼ୁ ଦୁଇଦଳ ବିକ୍ଷୋଭକାରୀ ଗାଡ଼ିକୁ ଘେରିଗଲେ । ଗୋଟିଏ ଦଳ ହେଉଛି ଶିକ୍ଷକମାନଙ୍କର, ଅନ୍ୟ ଦଳଟି ହେଉଛି ଅଣଗେଜେଟେଡ଼୍‌ କର୍ମଚାରୀମାନଙ୍କର । ପାଟିଗୋଳ ଭିତରେ କିଏ ଯେ କ’ଣ କହୁଛି ବା କାହାର କି ଅଭିଯୋଗ, ମନ୍ତ୍ରୀଙ୍କ ପାଖରୁ କିଏ କ’ଣ ଆଶା କରୁଛି କିଛି ଜଣାପଡ଼ୁ ନ ଥାଏ । ସାହସ କରି ହରିମୋହନ ଗାଡ଼ିରୁ ଓହ୍ଲାଇ କାହାର କ’ଣ କହିବାକୁ ଅଛି ପଚାରିବାକୁ ଚେଷ୍ଟା କଲେ । ଭିଡ଼ ଭିତରେ ତ କୌଣସି ଲୋକ ଚିନ୍ତା କରି କାର୍ଯ୍ୟ କରୁ ନଥାଏ । ପାଟିତୁଣ୍ଡ କରୁ କରୁ ଠେଲାପେଲା ଆରମ୍ଭ ହୋଇଗଲା । ଠେଲାପେଲା ଭିତରେ ହରିମୋହନଙ୍କ କୁରୁତା ମଧ୍ୟ ଚିରିଗଲା । ଶେଷରେ ଲାଠିଧାରୀ ପୋଲିସ୍‌ ଆସି ମୃଦୁ ଲାଠି ଚାଳନା କରି ଭିଡ଼ ଭାଙ୍ଗିଦେଲେ । ହରିମୋହନ ସେକ୍ରେଟାରୀଏଟ୍‌ ଭିତରକୁ ଗଲେ । ତାଙ୍କର ସ୍ନାୟୁ ଦୁର୍ବଳ ହୋଇ ଯାଇଥାଏ । ଗୋଡ଼ ଠିକ୍‌ ଭାବରେ ପଡ଼ୁ ନ ଥାଏ । ଏପରି ଭିଡ଼ରେ ପଡ଼ିଯିବେ ବୋଲି ସେ ଭାବି ନ ଥିଲେ । ନିଜ ଅଫିସ୍‌ରେ କିଛି ସମୟ ଚୁପ୍‌ ହୋଇ ବସି ରହିଲେ । ଘରୁ ଆଉ ଗୋଟିଏ କୁରୁତା ଅଣାଇ ନେଲେ । କେତେକ ଅଫିସର୍‌ ଦେଖା କରିବାକୁ ଚାହିଁବାରୁ ସେ ମନା କରିଦେଲେ ଏବଂ ପରେ ଆସିବା ପାଇଁ କହିଲେ । ତେଣେ ଯେ ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ମିଳନୀରେ ସଭାପତିତ୍ବ କରିବାକୁ ହେବ ସେ ଭୁଲିଗଲେ ।

ପ୍ରାୟ ଘଣ୍ଟାକ ପରେ ତାଙ୍କ ପି.ଏ. ଭୟେ ଭୟେ ଆଗ କବାଟ ଫାଙ୍କରେ ଚାହିଁ ଧୀରେ ଧୀରେ କବାଟ ଖୋଲି ଘର ଭିତରକୁ ଆସି ଏକ ସ୍ଲିପ୍‌ ଆଗରେ ରଖିଦେଲେ । ସେତେବେଳ ପର୍ଯ୍ୟନ୍ତ ହରିମୋହନ ନିରବ, ନିସ୍ତବ୍ଧ, ଅନ୍ୟମନସ୍କ ହୋଇ ବସିଥା’ନ୍ତି । ହରିମୋହନ ସ୍ଲିପ୍‌କୁ ଉଠାଇ ଦେଖିଲେ ସମ୍ମିଳନୀକୁ ଯିବାକୁ ହେବ, ସେଠାରେ ଲୋକ ଅସ୍ଥିର ହେଲେଣି । ହରିମୋହନ ପି.ଏ.ଙ୍କୁ ପଚାରିଲେ, ‘ବାହାରେ ଭିଡ଼ ଭାଙ୍ଗିଲାଣି?’ ‘ହଁ, କେ କୁଅଡ଼େ ପଳାଇ ଗଲେଣି, ପୋଲିସ୍‌ ଅଛନ୍ତି । ’ ଏତେକ ଶୁଣି ହରିମୋହନ ଉଠିଲେ ସମ୍ମିଳନୀରେ ଯୋଗଦେବା ପାଇଁ । ଭାବିଥିଲେ ଦଶ ପନ୍ଦର ମିନିଟ୍‌ ଭାଷଣ ଦେଇ ସେ ଚାଲି ଆସିବେ; କିନ୍ତୁ ତାହା ହେଲା ନାହିଁ । ସେତେବେଳକୁ ସମ୍ମିଳନୀରେ ରାଷ୍ଟ୍ର ହୋଇଗଲାଣି ଯେ ସେକ୍ରେଟାରୀଏଟ୍‌ ସାମନାରେ ହରିମୋହନଙ୍କୁ ମାଡ଼ ହୋଇଛି, ସେ ଆସିବେ କି ନା ସନ୍ଦେହ । ଏ ଖବର ପହଞ୍ଚିବା ସଙ୍ଗେ ସଙ୍ଗେ ଗୋଳମାଳ ଆରମ୍ଭ ହୋଇଗଲା । ସଭାପତି କେହି ନ ଥିଲେ ମଧ୍ୟ ଜଣକ ପରେ ଜଣେ ଉଠି ବକ୍ତୃତା ଆରମ୍ଭ କରିଦେଲେ । ଆନ୍ଦୋଳନ ସମୟର କର୍ମୀମାନେ ଭଲ ବକ୍ତୃତା ଦେଇ ଜାଣନ୍ତି । କ୍ଷେତ୍ରମୋହନ ଠିଆ ହୋଇପଡ଼ି ମନ୍ତ୍ରୀଙ୍କୁ ଶୋଧିବାରେ ଲାଗିଲେ- ‘ଅଯୋଗ୍ୟ, ଅସମର୍ଥ’ ଇତ୍ୟାଦି ନାନା କଥା କହିଗଲେ । ରବୀନ୍ଦ୍ର ଛିଡ଼ାହୋଇ କ୍ଷେତ୍ରମୋହନଙ୍କୁ ସମାଲୋଚନା କରି କହିଲେ, ‘ଏ ଜଣେ କଣ୍ଟ୍ରାକ୍ଟର୍‌ । ୟା’ଙ୍କ କଥା ନ ରହିବାରୁ ମନ୍ତ୍ରୀଙ୍କୁ ଗାଳି ଦେଉଛନ୍ତି । ’ ନିତ୍ୟାନନ୍ଦ ଉଠି ଭାଷଣ ଦେଲେ, ଏ ଯେଉଁ ସମ୍ମଳିନୀ ଏ କାହାର? ସ୍ବାଧୀନତା ଆନ୍ଦୋଳନରେ ଯେଉଁମାନେ ଯୋଗ ଦେଇଥିଲେ ସେମାନଙ୍କ ମଧ୍ୟରୁ କେତେକ ବର୍ତ୍ତମାନ ସରକାରୀ କର୍ମଚାରୀ, ଉଚ୍ଚପଦସ୍ଥ ଅଫିସର୍‌, କେତେକ ବ୍ୟବସାୟୀ, କେତେକ ଓକିଲ, ଆଉ କିଏ କ’ଣ ହେଲାଣି । ଆମେ ଯେ ପଡ଼ି ରହିଛୁ, ଆନ୍ଦୋଳନରେ ପଢ଼ା ଛାଡ଼ିଛୁ, ଇଂରେଜୀ ପଢ଼ିନାହୁଁ । ଇଂରେଜ ଗଲେ, କିନ୍ତୁ ଇଂରେଜୀ ରହିଗଲା, ଆମେ ତ ଇଂରେଜଙ୍କୁ ବାହାର କଲୁ, ହେଲେ କ’ଣ ହେଲା? ଆମକୁ ତ ଇଂରେଜୀ ଛାଡ଼ୁନାହିଁ । ଇତ୍ୟାଦି ଇତ୍ୟାଦି ।

ଇତିମଧ୍ୟରେ ହରିମୋହନ ଆସି ପହଞ୍ଚିଗଲେ । ସମସ୍ତେ ଶାନ୍ତ ହୋଇଗଲେ । କିଛି ସମୟ ଆସନରେ ବସି ହରିମୋହନ ଛିଡ଼ା ହୋଇ କହିଲେ, ‘‘ମୋର ଆସିବା ବିଳମ୍ବ ହେଲା, ସେଥିପାଇଁ ମୁଁ ଦୁଖିତଃ । ଠିକ୍‌ ସମୟରେ ମୁଁ ଆସିଥା’ନ୍ତି, ମାତ୍ର ଚାରିଆଡ଼େ ଏତେ ବିଶୃଙ୍ଖଳା ସେଥିରେ ନିରୂପିତ ସମୟରେ କାର୍ଯ୍ୟ ସମ୍ପାଦନ କରିବା କଷ୍ଟକର ହେଉଛି । ତା’ପରେ ସେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଉଚ୍ଚ ପ୍ରଶଂସା କରି ସେମାନଙ୍କ ତ୍ୟାଗ ଫଳରେ ଦେଶ କିପରି ସ୍ବାଧୀନ ହୋଇଛି ସେ ବର୍ଣ୍ଣନା କଲେ । ଏହି ବର୍ଣ୍ଣନା ଭିତରେ ସେ ନିଜର ସଂଗ୍ରାମୀ ଜୀବନରୁ କିଛି କହିଲେ । ଲବଣ ସତ୍ୟାଗ୍ରହ ବେଳେ ଶ୍ରୀଜଙ୍ଗରେ କିପରି ଲୋକେ ଶୃଙ୍ଖଳାବଦ୍ଧ ହୋଇ ପୋଲିସ୍‌ ବା କୌଣସି ସରକାରୀ କର୍ମଚାରୀଙ୍କୁ ଗ୍ରାମକୁ ଛାଡ଼ିଦେଇ ନଥିଲେ, କିପରି ଘରଦ୍ବାର ଲୁଟ୍‌ ହୋଇଗଲେ ମଧ୍ୟ ଲାଠିମାଡ଼ ଖାଇ ଜେଲ୍‌ ଯାଇ ଲୋକ ଦବିଲେ ନାହିଁ, ସେ ଘଟନା ସବୁ ବିସ୍ତୀର୍ଣ୍ଣ ଭାବରେ ବର୍ଣ୍ଣନା କଲେ । ଶେଷରେ ସେ କହିଲେ, ‘‘ମୁଁ ଆସିଛି ମୋର ସାଥୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ପାଇଁ । ଆପଣଙ୍କ ସମ୍ମିଳନୀ ଚାଲୁ । ଯାହା ସବୁ ପ୍ରସ୍ତାବ ହେବ ମୋ ପାଖକୁ ପଠାଇ ଦେବେ । ମୁଁ ବେଶି ସମୟ ରହିପାରୁ ନାହିଁ । ମୋତେ ଅଫିସ୍‌ ଯିବାକୁ ହେବ । ମୋତେ କ୍ଷମା କରିବେ । ’’ ଏତକ କହି ହରିମୋହନ ଚାଲିଯିବାକୁ ବାହାରିବାରୁ ଦୁଇ ତିନିଜଣ ଉଠିପଡ଼ି ଉଚ୍ଚ ସ୍ବରରେ କହିଲେ, ‘‘ଯିବେ କୁଆଡ଼େ ଏଠି ବସିବାକୁ ହେବ, ଆମ କଥା ଶୁଣିବାକୁ ହେବ । ଆମେ ଖାଲି କଥା ଶୁଣିବାକୁ ଆସିନାହୁଁ, କଥା ଶୁଣାଇବାକୁ ମଧ୍ୟ ଆସିଛୁ । ’’ ଏକେତ ହରିମୋହନ ବିବ୍ରତ ଅବସ୍ଥାରେ ସମ୍ମିଳନୀକୁ ଆସିଥିଲେ, ବସିରହି ଶୁଣିବା ପାଇଁ ପାଟିତୁଣ୍ଡ ହେବାରୁ ସେ ବାଧ୍ୟ ହେଇ ବସିପଡ଼ିଲେ । ପାଟିତୁଣ୍ଡ ବନ୍ଦ ହୋଇଯିବା ପରେ ଲୋକନାଥ ଛିଡ଼ାହେଲେ କିଛି କହିବା ପାଇଁ । ତାଙ୍କର ସ୍ବର ଏପରି ଗମ୍ଭୀର ଥିଲା ଏବଂ ତାଙ୍କ ଚେହେରାରେ ଆନ୍ତରିକତା ଏପରି ପରିସ୍ଫୁଟ ଥିଲା ଯେ ସମସ୍ତେ ନିରବ ହୋଇଯାଇ ତାଙ୍କ କଥା ଶୁଣିଲେ ।

ଲୋକନାଥ କହିଲେ, ‘‘ଆମେମାନେ ନିଜକୁ ସ୍ବାଧୀନତା ସଂଗ୍ରାମୀ ବୋଲି କହୁଛୁ । ଏଠାକୁ ଆସିଛୁ ମଧ୍ୟ ସେହି ନାମରେ । ଆମ୍ଭେମାନେ ସରକାରଙ୍କଠାରୁ ଭତ୍ତା ପାଇବା ପାଇଁ ଦାବି କରୁଛୁଁ । ଯେଉଁମାନେ ଭତ୍ତା ପାଇଗଲେଣି ସେମାନେ ସରକାରଙ୍କଠାରେ କୃତଜ୍ଞ । ଅନ୍ୟମାନେ ପ୍ରାର୍ଥୀ ହୋଇ ରହିଛନ୍ତି । କିନ୍ତୁ ସରକାର ପ୍ରକୃତରେ ଆମ ଜନସାଧାରଣଙ୍କର ହେଲାଣି କି ? ଗୋରାଙ୍କ ଜାଗାରେ କଳା ବସିଗଲେ ସରକାରଟା ଯେ ଆମର ହୋଇଗଲା ତା’ ନୁହେଁ । ଇଂରେଜମାନଙ୍କ ସମୟରେ ମଧ୍ୟ ଶାସନ ଗାଦିରେ କଳା ଲୋକ ବସୁଥିଲେ, ଇଂରେଜ ଶାସନ ଓ ସ୍ବରାଜ୍ୟ ଭିତରେ କ’ଣ କେବଳ ଏତିକି ପ୍ରଭେଦ ଯେ ଚୌକିରେ ଗୋରା କେତେ ବସିଲେ ଓ କଳା କେତେ ବସିଲେ । ଆନ୍ଦୋଳନ ବେଳେ ଆମେ କହୁଥିଲେ, ମୂଲିଆ ମାଲିକ ହେଲା ଦେଶରେ ସ୍ବରାଜ୍ୟ ହେବ । ଲୋକଙ୍କ ପାଖରୁ ଖଜଣା ଟିକସ୍‌ ଆଦାୟ ହୋଇ ସେଥିରୁ କର୍ମଚାରୀ, ମନ୍ତ୍ରୀ ସମସ୍ତେ ଦରମା ପାଉଛନ୍ତି । ସେମାନେ ହେଲେ ମୂଲିଆ । ଖଜଣା ଟିକସ ଦେଇଥିବା ଲୋକ ହେଲେ ମାଲିକ । କିନ୍ତୁ ଇଂରେଜ ସମୟରେ ଯେ ପ୍ରକୃତରେ ମାଲିକ, ସେମାନେ ମୂଲିଆ ହୋଇ ପଡ଼ିଥିଲେ, ଯେ ପ୍ରକୃତରେ ମୂଲିଆ ସେମାନେ ମାଲିକ ହୋଇ ବସିଥିଲେ । ଆଜି ମଧ୍ୟ ସେହି ସ୍ଥିତି ରହିଛି । ମନ୍ତ୍ରୀ ହୁଅନ୍ତୁ ଯେ ହୁଅନ୍ତୁ, ଗାଁର ତହସିଲଦାର୍‌ ପଛେ ହୁଅନ୍ତୁ, କେହି ନିଜର ଲୋକଙ୍କର ଚାକର ବୋଲି ମନେ କରୁଛନ୍ତି କି? ସମସ୍ତେ ତ ଲୋକଙ୍କର ପ୍ରଭୁ । ପ୍ରଭୁ ସୃଷ୍ଟି କରିବା ପାଇଁ ଆମ୍ଭେମାନେ ସ୍ବାଧୀନତା ସଂଗ୍ରାମ କରି ନଥିଲୁ । ପ୍ରଭୁଙ୍କଠାରୁ ଭତ୍ତା ନେବା ଦ୍ବାରା ଆମ୍ଭେମାନେ ଆମ୍ଭମାନଙ୍କର ପୁଣ୍ୟ ବିକ୍ରି କରିଦେଇଛୁ । ଯେତେ କଷ୍ଟ ହେଉ ପଛକେ ଆମ୍ଭେ ଅର୍ଜିଥିବା ପୁଣ୍ୟ ବିକିବା ନାହିଁ- ସ୍ବରାଜ୍ୟ କାମ ଶେଷ ହୋଇନାହିଁ । ସ୍ବରାଜ୍ୟ ହେଲେ ଆମେ ବା ଆମ ବଂଶଧର ଭତ୍ତା କଥା ଚିନ୍ତା କରିବେ । ’’ ଏପରି ଭାବପ୍ରବଣ ସ୍ବରରେ ଲୋକନାଥ ଭାଷଣ ଦେଲେ ଯେ, ସମସ୍ତେ କିଛିକ୍ଷଣ ତଳକୁ ନଇଁ ବସିଗଲେ । ସମ୍ମିଳନୀର ବାୟୁମଣ୍ଡଳ ବଦଳିଗଲା । ହରିମୋହନ ପଚାରିଲେ, ‘‘ଆପଣଙ୍କ ଘର?’’

‘‘ମୋ ଘର ଶ୍ରୀଜଙ୍ଗ, ଯେଉଁ ଶ୍ରୀଜଙ୍ଗ ଅତ୍ୟାଚାର ସମ୍ବନ୍ଧରେ ଆପଣ କହୁଥିଲେ । ଦିନେ ଥିଲେ ଆମେ ସହକର୍ମୀ, ଆଜି ଆପଣ ପ୍ରଭୁ, ମୁଁ ଜଣେ ଚାକର ଶ୍ରେଣୀର । ଆଜି ସକାଳେ ଆପଣଙ୍କ ଘରୁ ପୋଲିସ୍‌ ହାତରୁ ମାଡ଼ ଖାଇ ସାରିଛି’’, ଗମ୍ଭୀର ହୋଇ ଲୋକନାଥ ଏତିକି କହିଲେ । ବିବ୍ରତ ହୋଇ ଲୋକନାଥଙ୍କୁ ଚାହିଁ ରହିଲେ । ସଭାରେ ଅନେକ ଚିତ୍କାର କଲେ ଯେ, ପୋଲିସ୍‌କୁ ଦଣ୍ଡ ଦିଆଯାଉ, କିଏ କହିଲା ‘ମନ୍ତ୍ରୀ ଇସ୍ତଫା ଦିଅନ୍ତୁ’ । ଲୋକନାଥ କିନ୍ତୁ ନମ୍ର ଭାବରେ କହିଲେ, ‘‘ଆପଣ ଯାଆନ୍ତୁ । ସଂଗ୍ରାମର ଦ୍ବିତୀୟ ପର୍ଯ୍ୟାୟ ଆମ୍ଭେମାନେ ଆଲୋଚନା କରୁ । ’’ ହରିମୋହନ ନିତାନ୍ତ ଲଜ୍ଜିତ ହୋଇ ଧୀରେ ଧୀରେ ଗାଡ଼ି ପାଖକୁ ଗଲେ । ମନ୍ତ୍ରିତ୍ବର ଗରମ ନାହିଁ, ତାଙ୍କ ପ୍ରତି ସମ୍ମାନସୂଚକ ଦୃଷ୍ଟି ମଧ୍ୟ କାହାରି ନାହିଁ ।

ହରିମୋହନ ବିବଶ ମନରେ ସେକ୍ରେଟେରୀଏଟ୍‌କୁ ଫେରିଗଲେ । ଅଫିସ୍‌ରେ ଗୁମ୍‌ ମାରି ବହୁ କ୍ଷଣ ବସି ରହିଲେ, ସ୍ମୃତି ଚାଳନା କରିବାରେ ଲାଗିଲେ ସେ ଶ୍ରୀଜଙ୍ଗ ଲୋକଟିର ନାମ । କହିଲା, ‘ଏକ ସଙ୍ଗରେ କାମ କରିଥିଲୁଁ । ଏହି ଗତ ଚାଳିଶ ବର୍ଷ ଭିତରେ ସେ ସବୁ ଭୁଲି ଯାଇଛନ୍ତି । କେବଳ ମନେଅଛି ଶ୍ରୀଜଙ୍ଗ ଅତ୍ୟାଚାର । କେବଳ ଆନୁଷ୍ଠାନିକ ଭାବରେ ସେକଥା କହିବା ଛଡ଼ା ଆଉ କିଛି ତାଙ୍କର ମନେ ପଡ଼ୁନାହିଁ । ଟେବୁଲ୍‌ ପାଖରେ ଥିବା ସୁଇଚ୍‌କୁ ଟିପି ନିଜର ପି.ଏ.ଙ୍କୁ ଡାକିଲେ । ଅନ୍ୟମନସ୍କ, କ’ଣ କହିବେ କହିବେ ହୋଇ ମନକୁ ମନ କହିଲେ, ‘‘ମୁଁ ସବୁ ଭୁଲିଯାଇଛି’’, ତା’ପରେ ପି.ଏ.ଙ୍କୁ କହିଲେ, ‘‘ତୁମେ ଯାଅ । ଯେଉଁଠି ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ମିଳନୀ ହେଉଛି, ସେଠାରେ ପଚାରି ବୁଝିବ ଶ୍ରୀଜଙ୍ଗରୁ ଜଣେ ଯେ ସେଠାରେ ବକ୍ତୃତା ଦେଲେ ତାଙ୍କ ନାମ କ’ଣ? ତାଙ୍କୁ ତୁମ ସଙ୍ଗରେ ନେଇ ଆସିବ, ବୁଝିଲ?’’ ପି.ଏ. ଗଲେ ସମ୍ମିଳନୀ ସ୍ଥଳକୁ । ସେଠାରେ ଯାଇ ଶୁଣନ୍ତି ହରିମୋହନଙ୍କ ଉପରେ ତିରସ୍କାର ବୃଷ୍ଟି ହେଉଛି । ଲୋକନାଥ ସେଦିନକର ସକାଳ ଘଟନା କହିବା ପରେ ସଭା ସରଗରମ ହେଲା, ସେହି କଥା ମୁଖ୍ୟ ଆଲୋଚନାର ବିଷୟ ହେଲା । କିଏ କହୁଛି ହରିମୋହନ ସଭାରେ ଆସି କ୍ଷମା ପ୍ରାର୍ଥନା କରନ୍ତୁ, କିଏ କହୁଛି ସେ ଇସ୍ତଫା ଦିଅନ୍ତୁ । ଏ ଆଲୋଚନା ଚାଲିଥିବାବେଳେ ଲୋକନାଥ ଆଉ ସଭାରେ ନ ରହି ଚାଲିଗଲେଣି । କୁଆଡ଼େ ଗଲେ? ନାମ ଲୋକନାଥ ବୋଲି ଜଣାପଡ଼ିଲା । କିନ୍ତୁ ସେ ଗଲେ କୁଆଡ଼େ, କେହି କହିପାରିଲେ ନାହିଁ ।

ପି.ଏ. ବୁଦ୍ଧି ଖର୍ଚ୍ଚ କରି ନିକଟବର୍ତ୍ତୀ ଧର୍ମଶାଳାରେ ଆସି ପଚାରି ବୁଝିଲେ ଶ୍ରୀଜଙ୍ଗର ଜଣେ ଲୋକ ଅଛନ୍ତି । ମନ୍ତ୍ରୀଙ୍କ ଗାଡ଼ି ଦେଇ ଆଖପାଖ ଲୋକେ ବିସ୍ମିତ ହେଲେ, ଧର୍ମଶାଳାରେ ମନ୍ତ୍ରୀଙ୍କର କି କାମ । ଲୋକନାଥଙ୍କ ନାମ ପଚାରି ବୁଝି ଧର୍ମଶାଳାରେ ପି.ଏ. କହିଲେ,- ‘‘ମନ୍ତ୍ରୀ ଆପଣଙ୍କୁ ଚିହ୍ନି ପାରିଲେ ନାହିଁ । ସେ ମୋତେ ପଠାଇଛନ୍ତି ଆପଣଙ୍କୁ ନେଇଯିବା ପାଇଁ… କଅଣ କଥାବର୍ତ୍ତା ହେବେ । ’’ କୌଣସି ପ୍ରକାର ଉତ୍ତେଜନା ଭାବ ପ୍ରକାଶ ନ କରି ଲୋକନାଥ କହିଲେ- ‘‘ମନ୍ତ୍ରୀ ଭୁଲିଯାଇ ଠିକ୍‌ କରିଛନ୍ତି, ମୁଁ ନ ଭୁଲି ଭୁଲ୍‌ କରିଛି । ଏ ଭୁଲ୍‌ ପାଇଁ ମୁଁ କ୍ଷମା ମାଗୁଛି କହିବେ । ସେ ମୋତେ ଭୁଲିଯାଆନ୍ତୁ ପଛକେ, ସେ ଶ୍ରୀଜଙ୍ଗକୁ ଭୁଲିନାହାନ୍ତି ଆନନ୍ଦର ବିଷୟ । ଶ୍ରୀଜଙ୍ଗ କିନ୍ତୁ ତାଙ୍କୁ ସମ୍ପୂର୍ଣ୍ଣ ଭୁଲିଯାଇଛି । କାରଣ ସେ ବର୍ତ୍ତମାନ ମନ୍ତ୍ରୀ, ଶ୍ରୀଜଙ୍ଗର ସମସ୍ତ ଗ୍ରାମବାସୀ ପ୍ରଜା । ସେ ଗ୍ରାମବାସୀ ସ୍ତରକୁ ଆସି କେବେ ଶ୍ରୀଜଙ୍ଗ ଆସିଲେ ସେଇଠି ମୋର ଦେଖାହେବ । ଏଠି ତାଙ୍କଠି ମୋର କିଛି କାମ ନାହିଁ । ଅକାରଣ ମୁଁ ଯିବି କାହିଁକି? କହିଦେବ ତାଙ୍କୁ ଶ୍ରୀଜଙ୍ଗ ସ୍ତରକୁ ପୁଣି ଆସିବାକୁ ହେବ । ’’ ପି.ଏ. ମଧ୍ୟ ରାଜନୀତି କିଛି ବୁଝନ୍ତି, କାହିଁକି, ଭଲ ବୁଝନ୍ତି । ‘ଥରେ ମନ୍ତ୍ରୀ ହେଲା ପରେ ଆଉ ଯିବେ ଗାଁକୁ । ’ ଏତିକି କହି ସେ ଲୋକନାଥଙ୍କୁ ନମସ୍କାର କରି ଚାଲିଗଲେ ।