ରାଧାଷ୍ଟମୀ ବ୍ରତ
ଓଁ ଶ୍ରୀ ଶ୍ରୀ ପରଂବ୍ରହ୍ମଣେ ନମଃ
ଶ୍ରୀ ଶ୍ରୀ ରାଧାଷ୍ଟମୀ ବ୍ରତ
ଭାଦ୍ରେମାସିସୀତେପକ୍ଷେ, ଋକ୍ଷାନୁରାଧାସଂଜ୍ଞାନେ ।
ଅଷ୍ଟମ୍ୟାଂ ଭାନୁବାରେ ଚ ଦିନମଧ୍ୟେତି ଶୋଭନେ ।।
ବୃଷଭାନୁ ଗୃହେ ଜନ୍ମଂ ରାଧାୟା ସୁମନୋହରଂ ।
ଅଦୌ ଘଟେ ବରୁଣପୂଜାଂ କୁର୍ଯ୍ୟାତ୍ ତଦନନ୍ତରଂ ସଂକଳ୍ପ
ବିଧିମାଚରେତ୍ ତତ୍ ଯଥା- ଓଁ ର୍ବିଷ୍ଣୋ ନମଃହେତ୍ୟାଦି ଏବ ପୂର୍ବୋକ୍ତ ବିଧିବିଶେଷଣ ଅମୁକସ୍ୟଗୋତ୍ର ଶ୍ରୀମାନ୍ ଅନୁକ ଦେବଶର୍ମ୍ମଣେ ଶ୍ରୀରାଧାଷ୍ଟମୀ ବ୍ରତ ମହଂ କରିଷ୍ୟେ ।
-ଧ୍ୟାନଂ-
ପ୍ରଥମ ଅଧ୍ୟାୟ
[ସମ୍ପାଦନା]ଓଁ- ଶ୍ରୀରାଧିକାଂ ସମୃଦ୍ଦିଶ୍ୟ ସର୍ବପାପ ପ୍ରଶାନ୍ତୟେ
ଉପବାସଂ କରିଷ୍ୟାମି ରାଧାଷ୍ଟମ୍ୟାଂ ନଭସ୍ୟାହଂ ।
ଆଜନ୍ମ ମରଣଂ ଯାବତ୍ ଜନ୍ମୟାଦୁଷ୍କୃତଂ କୃତ୍ୟଂ
ତୁତ୍ ପ୍ରାଣାଶାୟ ରାଧିକେ ପ୍ରସାଦ ପରମେଶ୍ୱରୀ ।
ଏହି ମନ୍ତ୍ରରେ ଧ୍ୟାନ କରି ଶ୍ରୀରାଧାଷ୍ଟମୀ ବ୍ରତ ଗୀତ ଗାୟନ କରିବ ।
ଶୁଣ ଶୁଣ ସୁଜନେ ଦେଇ ମନ । କହିବା ଅପୂର୍ବ ବିଧାନ ।।
ରାଧାଙ୍କ ଜନ୍ମ ସମାଚାର । ଶ୍ରବଣ କରି ତର ନର ।।
ଏକଇ ଦିନ ଦ୍ୱାରକାରେ । ରତନ ସିଂହାସନ ପରେ ।।
ବସିଣ ଥିଲେ ଜଗନ୍ନାଥ । ମନରେ ହୋଇ ଆନନ୍ଦିତ ।।
ଏହି ସମୟେ ତାଙ୍କ ପାଶ । ରୁକ୍ମଣୀ ହୋଇଲେ ପ୍ରବେଶ ।।
ଆବର ସର୍ବ ପାଟ ବଂଶୀ । ମିଳିଲେ ଏକ ଏକ ଆସି ।।
ତାହାଙ୍କୁ ଦେଖି ଜନାର୍ଦ୍ଦନ । ପୁଚ୍ଛିଲେ ଗମନ କାରଣ ।।
ରୁକ୍ମଣୀ ଯୋଡ଼ି ବେନିକର । ବୋଇଲେ ବଚନ ମଧୁର ।।
ଭୋ ପ୍ରାଣନାଥ ଆମ୍ଭପରେ । ଦୟା ବହିଣ କୁହବାରେ ।।
ଆଜି ଯେ ରାଧାଷ୍ଟମୀ ବ୍ରତ । ରାଜ୍ୟରେ ହୁଅଇ ପାଳିତ ।।
ତାହାର ସର୍ବ ବିବରଣ । ଶୁଣିବା ପାଇଁ ବଳେ ମନ ।।
ସେ ରାଧା ଦେବୀ କାହାଘରେ । ଜନ୍ମ ଲଭିଲେ କେଉଁଠାରେ ।।
କାହିଁକି ମର୍ତ୍ତ୍ୟେ ହେଲେ ଜାତ । ତାହା ବିସ୍ତାରି କୁହ ନାଥ ।।
କେବଣ ମହିମା ତାଙ୍କର । କେଉଁ ଅଂଶରେ ଅବତାର ।।
ଶୁଣିବା ପାଇଁ ବଳେ ମନ । ଦାସରେ ସଦୟ ହୋଇଣ ।
କୁହନ୍ତୁ ସକଳ ବିଷୟ । ମନରୁ ଛାଡ଼ିବ ସନ୍ଦେହ ।।
ଏମନ୍ତ କହିଣ ରୁକ୍ମଣୀ । ମଉନ ହେଲେ କ୍ଷେତ୍ର ମଣି ।।
ଶ୍ରୀକୃଷ୍ଣ ଉବାଚ
ରୁକ୍ମଣୀ ବଚନେ ଗୋବିନ୍ଦ । ମନରେ ହୋଇଣ ଆନନ୍ଦ ।।
ବୋଇଲେ ଶୁଣ ପାଟବଂଶୀ । ଯାହା ପୁଚ୍ଛିଲ ହେଲି ଖୁସି ।।
ରାଧାଙ୍କ ଜନ୍ମ ସମାଚାର । ଆବର ମହିମା ତାଙ୍କର ।।
ବର୍ଣ୍ଣନା କରିବାର ପାଇଁ । ବିଧାତା ସକ୍ଷମ ନୁହଇ ।।
ଶଙ୍କର ସଦା କରି ତପ । ନଜାଣେ ରାଧାଙ୍କ ସ୍ୱରୂପ ।।
ତୁମ୍ଭେ ଯଦ୍ୟପି ଜାଣିବାକୁ । ଆସିଛ ମୋହର ପାଶକୁ ।।
ତା' ହେଲେ ଯାହା ଜାଣେ ମୁହିଁ । କହିବି ଶୁଣ ମନଦେଇ ।।
ରାଧା ବୋଲି ଯେ ଦିଅକ୍ଷର । ସକଳ ପରେ ଅଟେ ସାର ।।
ସେ ରାଧାଠାରୁ ସର୍ବ ସୃଷ୍ଟି । ଜନମିଛନ୍ତି ପରମେଷ୍ଠି ।।
ଦେଖ ଏ ଯେତେ ଜଳସ୍ଥଳ । ରାଧାଙ୍କଠାରୁ ଏ ସକଳ ।।
ଉତ୍ପତ୍ତି ହୋଇଅଛି ଜାଣ । ଆକାଶ ଅନଳ ପବନ ।।
ଆବର ଚନ୍ଦ୍ର ଦିବାକର । ଇନ୍ଦ୍ରାଦି ସକଳ ଅମର ।।
ରାଧା ରାଣୀଙ୍କଠାରୁ ଜାତ । ଜନମିଛନ୍ତି ପଞ୍ଚଭୂତ ।।
ଏହି ପ୍ରକାରେ ତୁମ୍ଭ ନେତ୍ରେ । ଜଗତେ ଦେଖୁଅଛ ଯେତେ ।।
ସମସ୍ତ ସୃଷ୍ଟି ତାହାଙ୍କର । ବର୍ଣ୍ଣିବି କି ଗୁଣ ତାଙ୍କର ।।
ଶୂନ୍ୟ ଶୂନ୍ୟ ଯେ ମହାଶୂନ୍ୟ । ତା ମଧ୍ୟେ ବିଜେ ନିରଞ୍ଜନ ।।
ସେ ନିରଞ୍ଜନ ପରେ ଜାଣ । ନିରାକାରଙ୍କର ଆସ୍ଥାନ ।।
ନିରାକାରଙ୍କ ପରେ ସେହି । ଶୁକ୍ଳାମ୍ବର ଯେ ଛନ୍ତି ରହି ।।
ତାପରେ ଶଶୀ ବର୍ଣ୍ଣିଛନ୍ତି । ନାହିଁ ତାଙ୍କର ରୂପକାନ୍ତି ।।
ଅରୂପେ କରନ୍ତି ବିହାର । ଅବନା ମଣ୍ଡଳ ମଧ୍ୟର ।।
ସେଠାରେ ଯେଉଁପୂର ଅଛି । ବରଣି ନ ପାରିବି କିଛି ।।
ତହିଁରେ ଅରୂପ ବିହାରି । ଅଛନ୍ତି ଜାଣ ବିଜେ କରି ।।
ସେ ପୁର ମହିମା ଅପାର । ବର୍ଣ୍ଣିବା ଶକ୍ତି ନାହିଁକାର ।।
ତାମଧ୍ୟେ ବିଜେ ପୂର୍ଣ୍ଣ ବ୍ରହ୍ମ । ପୁରୁଷମାନଙ୍କ ଉତ୍ତମ ।।
ବିଜୟ କହିଛନ୍ତି ଜାଣ । ସର୍ବଦା ଲାଗିଛି ଭଜନ ।।
ରୋଗ ଶୋକ ଯେ ଜରା ମୃତ । ସେଠାରେ ନାହିଁ ତିଳେମାତ୍ର ।।
ଆବର ଦିବସ ରଜନୀ । ନ ହୁଏ ସେଠାବରେ ଜାଣି ।।
ମଳୟ ବହେ ଅବିରତ । କୁସୁମେ ଭୃଙ୍ଗ ହୋନ୍ତି ମର ।।
ଚନ୍ଦ୍ର ଉଦିଆ ଜଳେ ତହିଁ । ମାଣିକ୍ୟ ଦ୍ୱୀପ ଯେ ଜଳଇ ।।
ଆବର ରତନର ପୁର । ଖୁମ୍ବ ନ ଥାଇ ସେ ତିଆର ।।
ଆଡ଼ଦୀର୍ଘ ତା ନୋହେ କଳି । ମଧ୍ୟେ ଅଛଇ ରାସସ୍ଥଳି ।।
ସେ ରାସ ସ୍ଥଳିର ମହିମା । ବରଣି ନ ପାରିବେ ବ୍ରହ୍ମା ।।
ତା ମଧ୍ୟେ ରତ୍ନବେଦୀ ସାର । ବିଚିତ୍ର ଭାବେ ସେ ତିୟାର ।।
ହୀରା ନୀଳା ଯେ ବଇଡୁର୍ଯ୍ୟ । ହୋଇଛି ନାନା କାରୁକାର୍ଯ୍ୟ ।।
କେବଣ ବିନ୍ଧାଣ ତାହାରେ । ଗଢ଼ିଛି କେବଣ ଯନ୍ତ୍ରରେ ।।
କିପରି କରିଛି ତୟାର । ଦେଖିଲେ ଚକ୍ଷୁ ହେବ ସ୍ଥିର ।।
ଏମନ୍ତ ଯେଉଁ ବେଦୀ ଗୋଟି । ତହିଁ ବିଜୟ ପରମେଷ୍ଟି ।।
ଶୂନ୍ୟେ ଆସନେ ବିଜେ କରି । ଅଛନ୍ତି ଶ୍ରୀରାଧାଙ୍କୁ ଧରି ।।
ଯୋଗମାୟା ଯେ ତାହାଙ୍କର । ବହନ କରିଛନ୍ତି ଭାର ।।
ଅଷ୍ଟକାଳରେ ଅଷ୍ଟସହି । ସେବା କରନ୍ତି ତହିଁ ଯାଇଁ ।।
ଶାରଳା ବୀଣା ଯନ୍ତ୍ର ଧରି । ବଜାନ୍ତି ଦିବସ ଶର୍ବରୀ ।।
ମାର୍ଦ୍ଦଳ ବଜାନ୍ତି ଶଙ୍କର । ଚାମର ଢାଳେ ସୁନାଶିର ।।
ସେହି ମଣ୍ଡଳ ଅଧିଶ୍ୱରୀ । ଅଟନ୍ତି ଶ୍ରୀରାଧା ସୁନ୍ଦରୀ ।।
ଏକଇ ଅଙ୍ଗେ ବେନିଜନ । ଖେଳନ୍ତି ମହାନିତ୍ୟେ ଜାଣ ।।
ତାହାଙ୍କ ଦର୍ଶନ ନିମନ୍ତେ । କେ କେତେ ଭାବି ହୃଦଗତେ ।।
ଥୋକାଏ ଦୂର ଛନ୍ତି ଯାଇ । ପାବଚ୍ଛ ତଳେ ଛନ୍ତି ରହି ।।
ଜପି ତପି ଯେ ସୁରଗଣ । ଦର୍ଶନ ଆଶାରେ ଯାଇଣ ।।
ଅର୍ଦ୍ଧ ପଥରେ ରହିଛନ୍ତି । ଯିବାକୁ ଆଦେଶ ନ ପାନ୍ତି ।।
ଏମନ୍ତ ଯେଉଁ ରାଧାରଣୀ । କହିବି କିସ ତାଙ୍କ ବାଣୀ ।।
ଏହା କହିଣ ଜନାର୍ଦ୍ଦନ । ଚାହିଁଲେ ରକ୍ମଣୀ ବଦନ ।।
ଏହାପରେ ଯେ ସମାଚାର । କହିବି ଶୁଣ ସୁଜ୍ଞନର ।।
ଶ୍ରବଣେ ହୋଇବ ମୁକତା । କ୍ଷେତ୍ରମୋହନ ଲେଖେ ଗୀତା ।।
ଶୁଣ ସୁଜନେ ଦେଇ ଚିତ୍ତ । ରାଧାଅଷ୍ଟମୀ ଜନ୍ମଗତ ।।
ଶ୍ରବଣ କରିଲେ କର୍ଣ୍ଣରେ । ବସିବ ବଇକୁଣ୍ଠ ପୁରେ ।।
ପାଳନ କରିବେ ଯେ ଜନ । କହି ନୁହଇ ତାର ପୁଣ୍ୟ ।।
ଶ୍ରୀକୃଷ୍ଣ ନିତ୍ୟ ସମାଚାର । ଭାଷନ୍ତେ ରାଣୀଙ୍କ ଆଗର ।।
ଉଠିଣ ସତ୍ୟଭାମା ତହିଁ । ପାଦରେ ପ୍ରଣିପାତ ହୋଇ ।।
ବୋଇଲେ ଆହେ ପ୍ରାଣେଶ୍ୱର । ସନ୍ଦେହ ହୁଏ ମୋ ମନର ।।
କହିଲ ରାଧା ନିତ୍ୟଶ୍ୱରୀ । ରାସ ମଣ୍ଡଳ ଅଧିକାରୀ ।।
ଆବର କହିଲେ ଆମ୍ଭରେ । ବିଜୟ ରତ୍ନ ବେଦୀ ପରେ ।।
ଏକଇ ଅଙ୍ଗେ ରାଧାକୃଷ୍ଣ । ହୋଇଣ ଛନ୍ତି ପ୍ରତିଷ୍ଠିତ ।।
ସର୍ବଦା ରାହାସ କରନ୍ତି । ଦିବା ରଜନୀ ନ ଜାଣନ୍ତି ।।
ଏମନ୍ତ ଯେଉଁ ରାସେଶ୍ୱରୀ । ଶ୍ରୀରାଧା ନାମ ଯେ ତାଙ୍କରି ।।
ଆବର କୃଷ୍ଣ ସଙ୍ଗେ ଛନ୍ତି । ତିଳେହେଁ ଅଲଗା ନୁହନ୍ତି ।।
ଏଣେ କିପରି ଗୋପରୁରେ । ଜନ୍ମିଲେ ବୃଷଭାନୁ ଘରେ ।।
ଚନ୍ଦ୍ରସେଣାକୁ ବିଭା ଦେଲେ । ତୁମ୍ଭର ମାଇଁ ବୋଲାଇଲେ ।।
ମାଇଁ ଭଣଜା କେଉଁପରି । ବିହାର କଲେ ହେ ମୁରାରି ।।
ଷୋଳ ସହସ୍ର ଗୋପୀ ସଙ୍ଗେ । ରମିଲେ ରାଧା ନେଇ ରଙ୍ଗେ ।।
ଏହା କିପରି କଲ ନାଥ । ଶୁଣି ମୁଁ ହୁଏ ଆଚମ୍ବିତ ।
ସେ ମହାନିତ୍ୟ ରାଧା ସହ । ଏ ରାଧା ସମ୍ବନ୍ଧ କି କହ ।।
କିପରି ଭାବେ କେଉଁଦିନ । ମର୍ତ୍ତ୍ୟେ ହୋଇଲେ ଉତପନ୍ନ ।।
କାହିଁକି ଜନମିଲେ ସେହି । କହନ୍ତୁ ଆମ୍ଭରେ ବୁଝାଇ ।।
ପୁଣି ସେ ଅନ୍ୟାନ୍ୟ କୂଳରେ । ନ ଜନ୍ମି କିମ୍ପା ଗୋପପୁରେ ।।
ଗଉଡ଼ ଘରେ ହେଲେ ଜାତ । ବୁଝାଇ କହ ପ୍ରାଣନାଥ ।।
ଆବର କାହା ଜନ୍ମଦିନ । ସକଳେ କରନ୍ତି ପାଳନ ।।
ଏ ଛାର ଗଉଡ଼ୁଣୀଟାର । ବ୍ରତ ପାଳନ୍ତି କିବା ନର ।।
କି ଅବା ନିତ୍ୟ ରାସେଶ୍ୱରୀ । ବ୍ରତ ପାଳନ୍ତି ନର ନାରୀ ।।
ତାହା ଶୁଣାଇ ଆମ୍ଭ ଚିତ୍ତ । ତୃପତ କର ଆହେ ନାଥ ।।
ଏମନ୍ତ ଭାଷିଣ ବଚନ । ସତ୍ୟ ଯେ ହୋଇଲେ ମଉନ ।।
କ୍ଷେତ୍ରମୋହନ ଯୋଡ଼ିକର । ବୋଲଇ ଶୁଣ ସମାଚାର ।।
ସେ ରାଧାକୃଷ୍ଣଙ୍କ ପୟରେ । ଶରଣ ପଶ ସର୍ବନରେ ।।
ଶ୍ରୀକୃଷ୍ଣଙ୍କର ସତ୍ୟଭାମାଙ୍କୁ ଉତ୍ତର ପ୍ରଦାନ
ଶୁଣ ହେ ସତୀ ଶିରୋମଣି । ପୁଚ୍ଛିଲେ ତୁମ୍ଭେ ଯେଉଁ ବାଣୀ ।।
ତାହା ହେ ଅତ୍ୟନ୍ତ ଗହନ । ଶ୍ରବଣେ ହୋଇବ ମୋଚନ ।।
ମର୍ତ୍ତ୍ୟରେ ଯେଉଁ ରାଧାରାଣୀ । ଜନ୍ମିଲେ ଗୋପପୁରେ ପୁଣି ।।
ସେ ରାଧା ନିତ୍ୟ ରାଧାଙ୍କର । ପ୍ରଭେଦ ନାହିଁ ତିଳେମାତ୍ର ।।
ମୋ ସଙ୍ଗେ ତାହାଙ୍କର ଭାବ । ସଂସାରେ ଅଟଇ ଦୁର୍ଲ୍ଲଭ ।।
କହିଲ ମାଇଁ ମୋର ସେହି । ଲୋକେ ଦେଖାଣ ଯେ ଅଟଇ ।।
ପ୍ରକୃତ ଘଟଣା ଜାଣିଲେ । ପୁଛିବ ନାହିଁ କେବେ ହେଲେ ।।
କହିଛି ଆଗରୁ ବୁଝାଇ । ରାଧାଙ୍କ ଗୁଣ କହିନୋହି ।।
ତାହାଙ୍କ ପାଦରେଣୁ ସାଥେ । ସମନୋହିବେ କେହି ମର୍ତ୍ତ୍ୟେ ।।
ସେ ରାସେଶ୍ୱରୀ କାହିଁ ପାଇଁ । ଜନ୍ମିଲେ ଶୁଣ ମନ ଦେଇ ।।
ଯୁଗକୁ ଯୁଗ ମହୀ ତଳେ । ଜନମୁଁ ଆମ୍ଭେ ବେନିହଳେ ।
ଆପଣା କାର୍ଯ୍ୟ ଶେଷ କରି । ନିତ୍ୟକୁ ଯାଉ ଯେ ବାହାରି ।।
ସତ୍ୟଯୁଗରେ ଜାଣ ମୁହିଁ । ନୃସିଂହ ରୂପ ଥିଲି ବହି ।।
ରାଧା ଜେ ମାଳତୀ ନାମରେ । ଆସିଣ ଥିଲେ ମୋ ସଙ୍ଗରେ ।।
ଦାନବ ବଳ କରି ଧ୍ୱଂସ । ନିତ୍ୟେ ହୋଇଲୁ ପରବେଶ ।।
ତାପରେ ତ୍ରେତୟା ଯୁଗରେ । ଆମ୍ଭେ ଜନ୍ମିଲୁ ଅଯୋଧ୍ୟାରେ ।।
ରାମ ଅବତାର ଥିଲୁ ହୋଇ । ସେ ଥିଲେ ସୀତା ନାମ ବହି ।।
ସେ ଯୁଗେ ଅପାର କଷଣ । ଲଭିଲୁ ଆମ୍ଭେ ଦୁଇଜଣ ।।
ତାପରେ ନିଜ ପୁରେ ଗଲୁ । ରାସ ଉତ୍ସବେ ମନ ଦେଲୁ ।।
ଏହି ସମୟେ କଂସାସୁର । ଜନ୍ମ ଲଭିଲା ମଥୁରାର ।।
ଦେବଙ୍କୁ ବହୁତ ଦଣ୍ଡିଲା । ପାଦରେ ଆଣି ଖଟାଇଲା ।।
ଦେବେ ତାହାର ଅତ୍ୟାଚାରେ । ବ୍ୟଥିତ ହୋଇ ଆକୁଳରେ ।।
ଧାତାଙ୍କୁ ସଙ୍ଗତରେ ନେଇ । ମିଳିଲେ କ୍ଷୀରାବ୍ଧିରେ ଯାଇ ।।
ତା ତଟେ ବସିଣ ଅମରେ । ଡାକିଲେ ମୋତେ ଆକୁଳରେ ।।
ତାହାଙ୍କ କଷଣ ନ ସହି । ପ୍ରବେଶ ହେଲି ତହିଁ ଯାଇଁ ।।
ପୁଛିଲେ ତାହାଙ୍କ କାରଣ । କହିଲେ ଧାତା ବୁଝାଇଣ ।।
କଂସାସୁରର ଅତ୍ୟାଚାର । ବଢ଼ୁଛି ଭୋ ପ୍ରଭୁ ଅପାର ।।
ଆପଣ ଯେବେ ନ ବୁଝିବେ । ସକଳ ଅମରେ ମରିବେ ।।
ଏପରି କୁହନ୍ତେ ବିଧାତା । ଆମ୍ଭେ ବୋଇଲୁ କ୍ରୋଧେ କଥା ।।
ତ୍ରେତୟା ଯୁଗେ ତୁମ୍ଭ ପାଇଁ । ଅପାର କଷ୍ଟ ଆମେ ପାଇ ।।
ମାଇଲୁ ଦୁର୍ଦ୍ଦାନ୍ତ ରାବଣ । ନାଶିଲୁ ସର୍ବ ଦୈତ୍ୟଗଣ ।।
ତଥାପି ତୁମେ ନ ବୁଝିଲ । ବ୍ରହ୍ମ ହତ୍ୟାରେ ଦାୟୀକଲ ।।
ଏକ୍ଷଣି କଂସ ଅତ୍ୟାଚାର । ଭୟରେ ହୋଇ ଜର ଜର ।।
ଆମ୍ଭଙ୍କୁ କରୁଛି ଆପତ୍ତି । ପଛରେ ଶୁଣି ଦେବ ଶାସ୍ତି ।।
ଏପରି କହନ୍ତି କ୍ରୋଧରେ । ଅମରେ ପଡ଼ିଲେ ପୟରେ ।।
ବିଧାତା କହିଲେ ବୁଝାଇ । ଏ ଜନ୍ମ ତୋଷ ହେବ ସାଇଁ ।।
ଷୋଳ ସହସ୍ର ରମଣୀଙ୍କୁ । ପେଶିବୁ ଆମେ ଯେ ଗୋପକୁ ।।
ତାହାଙ୍କ ସଙ୍ଗେ ବିହରିବ । ମର୍ତ୍ତ୍ୟରେ ରାହାସ କରିବ ।।
ତାପରେ ମଧୁପୁରେ ରାଜା । ହୋଇଣ ପାଳିବ ପରଜା ।।
ଅପାର ଆନନ୍ଦ ପାଇବ । ସୁଖରେ ମର୍ତ୍ତ୍ୟେ ବିହରିବ ।।
ଏମନ୍ତ ଧାତା ବୁଝାବନ୍ତେ । କିଞ୍ଚିତ ତୋଷ ହେଲୁ ଚିତ୍ତେ ।।
ବୋଇଲୁ ଭାବନା ନକର । ଜନ୍ମିବୁ ଆମ୍ଭେ ନିକଟର ।।
ମଥୁରାପୁରେ ବସୁଦେବ । ଆମର ଜନକ ହୋଇବ ।।
ଦେବକୀ ହେବେ ଆମ୍ଭ ମାତା । ସର୍ବଦା କରୁଛନ୍ତି ଚିନ୍ତା ।।
ସପ୍ତମ ଗର୍ଭ ତାହାଙ୍କର । ସେ ଦୁଷ୍ଟ କରିବ ସଂହାର ।।
ଅଷ୍ଟମ ଗର୍ଭେ ଆମ୍ଭେ ଯାଇ । ଜନ୍ମିବୁ ବନ୍ଦୀଘରେ ତହିଁ ।।
ବଢ଼ିବୁ ନନ୍ଦର ମନ୍ଦିରେ । ଯଶୋଦା ମାତାଙ୍କ କୋଳରେ ।।
ଅନନ୍ତ ଆମ ସଙ୍ଗେ ଯିବେ । ବଳରାମ ସେ ବୋଲାଇବେ ।।
ଅପରେ ଦାନବ ବଳଙ୍କୁ । ବିନାଶି ଫେରିବୁ ପୁରକୁ ।।
ଏମନ୍ତ କହି ସେ ଠାବରେ । ବିଜୟ କଲୁ ନିଜପୁରେ ।।
ରାଧାଙ୍କୁ ଗୋଟି ଗୋଟି କରି । କହିଲୁ ସକଳ ବିଚାରି ।।
ତା ଶୁଣି ରାସେଶ୍ୱରୀ ଦୁଃଖେ । ବୋଇଲେ ଆମର ସମୀପେ ।।
ହେ ପ୍ରାଣନାଥ ଦୟାବହି । ଦାସୀଙ୍କୁ ସଙ୍ଗେ ଯାନ୍ତୁ ନେଇ ।।
କାୟାକୁ ଛାଡ଼ି ଦଣ୍ଡେ ମାତ୍ର । ଛାୟା କି ହୋଇବ ବଞ୍ଚିତ ।।
ତେଣୁ ଜଣାଏ ଶ୍ରୀ ପୟରେ । ମୋତେ ନିଅନ୍ତୁ ସଙ୍ଗତରେ ।।
ସେବା କରିଣ ଦିନ ନେବି । ପୁନଶ୍ଚ ସଙ୍ଗତେ ଫେରିବି ।।
ଆବର ଏକ କଥା ମୋର । ଭୋ ନାଥ ପଡ଼ୁଛି ମନର ।।
ଦିନେ ତ୍ରେତୟା ଯୁଗେ ମୁହିଁ । ଅନ୍ନ ପରଶୁଥିଲି ତହିଁ ।।
ନର ବାନର ଋଷିଦେବ । ଏକତ୍ରେ ଭୁଞ୍ଜୁଥିଲେ ସର୍ବ ।।
ଏକାଳେ ଆମ ପ୍ରିୟ ଭୃତ୍ୟ । ଯାହାର ନାମ ହନୁମନ୍ତ ।।
ସେ ମୋର ପାଦକୁ ଅନାଇଁ । ମନରେ ବିଚାରିଲା ତହିଁ ।।
ଏପରି ଏକ ନାରୀବର । ଯେବେ ଘରଣୀ ହୋନ୍ତା ମୋର ।।
ସର୍ବଦା ପରଶି ଦିଅନ୍ତା । ମନରେ କେଡ଼େ ସୁଖ ହୋନ୍ତା ।।
ତାହାର ମନ ଜାଣି ମୁହିଁ । ବୋଇଲି ସ୍ନେହଭରେ ତହିଁ ।।
ଆହାରେ ବାବୁ ହନୁମାନ । ଯାହା ତୁ ବିଚାରିଛୁ ମନ ।।
ଏ ଯୁଗେ ପୂରଣ ନୋହିବ । ଦ୍ୱାପରେ କାମନା ପୁରିବ ।।
ମୁଁ ରାଧା ନାମ ଥିବି ବହି । ତୁ ଥିବୁ ଚନ୍ଦ୍ରସେଣ ହୋଇ ।।
ଗୋପାଳ କୁଳେ ହେବୁ ଜାତ । ନ ଥିବ ତୋର ପୁରୁଷତ୍ୱ ।।
କେବଳ ଜଗି ରହିଥିବୁ । ପ୍ରଭୁ ଆସିଲେ ଛାଡ଼ିଦେବୁ ।।
ଏପରି ତାହାକୁ କହିଛି । ଭୋ ନାଥ ଚରଣ ଧରୁଛି ।।
ଯଦ୍ୟପି ସଙ୍ଗରେ ନ ନେବ । ମୋ କଥା ଅନ୍ୟଥା ହୋଇବ ।।
ଆଦର ଛାଡ଼ି କ୍ଷଣେ ମାତ୍ର । ଦାସୀ ନ ହୋଇବ ଜୀବୀତ ।।
ଏପରି କହନ୍ତେ ବୁଝାଇ । ରାଧାଙ୍କୁ ଆଶ୍ୱାସନା ଦେଇ ।।
ବୋଇଲୁ ଆମ୍ଭେ ଦରହସି । ଦୁଃଖ ନ କର ଶୁଭ୍ରକେଶୀ ।।
ଆମ୍ଭ ସଙ୍ଗତେ ତୁମ୍ଭେ ଯିବ । ମର୍ତ୍ତ୍ୟରେ ଲୀଳା ଆରମ୍ଭିବ ।।
ଏହା କହିଣ ସାଥେ ସାଥେ । ତାହାଙ୍କୁ ପଠାଇଲୁ ମର୍ତ୍ତ୍ୟେ ।।
ବୋଇଲୁ ଆଗେ ତୁମ୍ଭେ ଯାଅ । ଆମ୍ଭଙ୍କୁ ଅନାଇଣ ରୁହ ।।
ବୃଷଭାନୁ ଯେ ବହୁଦିନ । ହେଲାଣି କରୁଛି ଭଜନ ।।
ତାହାର ପୁତ୍ର ପୌତ୍ରୀ ନାହିଁ । ଅଛି ସେ ସଦା ପଥଚାହିଁ ।।
ବହନ ତାର ଘରେ ଯାଇ । ପ୍ରବେଶ ହୁଅ ଚାନ୍ଦମୁହିଁ ।।
ଏମନ୍ତ କହି ସେହିକ୍ଷଣ । ପେଶିଲୁ ତାହାଙ୍କୁ ମର୍ତ୍ତ୍ୟେଣ ।।
ଭାଦ୍ରବ ମାସ ଯେ ଅଟଇ । ଶୁକଳ ପକ୍ଷ ଥିଲା ହୋଇ ।।
ଅଷ୍ଟମୀ ତିଥି ମଧ୍ୟେ ଜାଣ । ରବିଙ୍କ ବାର ଯେ ପ୍ରମାଣ ।।
ଅନୁରାଧା ଯେ ନକ୍ଷତ୍ରରେ । ଦିବସ ମଧ୍ୟାହ୍ନ ଭାଗରେ ।।
ମର୍ତ୍ତ୍ୟକୁ ଗମନ କରିଲେ । କାଳିନ୍ଦୀ ହ୍ରଦେ ପ୍ରବେଶିଲେ ।।
ବାଳିକା ରୂପେ ହୋଇ ତହିଁ । ପଦ୍ମପତ୍ରରେ ଗଲେ ଶୋଇ ।।
ସେ ଦିନ ଶୁଭ ଗ୍ରହମାନେ । ରହିଣ ଥିଲେ ଉଚ୍ଚ ସ୍ଥାନେ ।।
ବିନ୍ଦୁ ଲଗ୍ନର ଆଦ୍ୟ ଭାଗେ । ବୃହସ୍ପତିଙ୍କ ଶୁଭଯୋଗେ ।।
ରାଧା ହୋଇଲେ ଆବିର୍ଭୁତା । ଶୁଣ ତା ପରେ ଆଜ ଗାଥା ।।
ସେ କାଳେ ବୃଷଭାନୁ ରାୟ । ସୈନ୍ୟ ସାମନ୍ତଙ୍କର ସହ ।।
ମୃଗୟା ଲାଗି ଯାଉଥିଲେ । କାଳିନ୍ଦୀ କୂଳରେ ମିଳିଲେ ।।
ସେ ହ୍ରଦେ ବହୁ ପଦ୍ମ ପୁଷ୍ପ । ଫୁଟିଣ ଚହଟେ ସୁବାସ ।।
ନୀଳ ଧବଳ ପୁଷ୍ପେ ଭରା । ହୋଇଣ ଦୁରେ ଦିଶେ ତୋରା ।।
ତା ଦେଖି ଆନନ୍ଦେ ରାଜନ । ଭୃତ୍ୟକୁ ବୋଲଇ ବଚନ ।।
ଆମ୍ଭର ବୋଲ ମାନି ତୁହି । ଥୋକାଏ ପୁଷ୍ପ ଆଣ ଯାଇ ।।
ରାଣୀ ଦେଖିଲେ ତୋଷ ହେବେ । ଲକ୍ଷ୍ମୀଙ୍କ ପୟରେ ପୂଜିବେ ।।
ପଦ୍ମ ପୁଷ୍ପକୁ ନାରାୟଣୀ । ସ୍ନେହ କରନ୍ତି ଅଛି ଜାଣି ।।
ଏମନ୍ତ ରାଜନ କହନ୍ତେ । ଭୃତ୍ୟ ଚଳିଲେ ପାଞ୍ଚ ସାତେ ।।
କାଳିନ୍ଦୀ ହ୍ରଦରେ ପଶିଲେ । ଥୋକାଏ କୁସୁମ ତୋଳିଲେ ।।
ଏହି ସମୟେ ଜଣେ ଭୃତ୍ୟ । ନିରେଖି ଦେଖିଲା ସେ ନେତ୍ର ।।
ଏକଇ ନୀଳ ପଦ୍ମ ପରେ । ଶିଶୁ ଶୋଇଛି ନିଶ୍ଚିନ୍ତରେ ।।
ତା ଦେହୁଁ ଜ୍ୟୋତି ପରକାଶି । ନିନ୍ଦା କରଇ ରବି ଶଶୀ ।।
ଏହା ଦେଖିଣ ସେହି ଭୃତ୍ୟ । ଆନନ୍ଦେ ହୋଇ ପୁଲକିତ ।।
ନୃପତି ସନିଧ୍ୟକୁ ଯାଇ । କହିଲା ସମସ୍ତ ବୁଝାଇ ।।
ଶୁଣି ଆନନ୍ଦ ନରନାଥ । ଭୃତ୍ୟକୁ ବୋଇଲେ ତଦନ୍ତ ।।
ସେ ଶିଶୁ ଅଛି କେଉଁସ୍ଥାନ । ଦେଖାଅ ମୋତେ ଯେ ବହନ ।।
ଏହା କହନ୍ତେ ନୃପବର । ଭୃତ୍ୟ ଚଳିଲା ଅଗ୍ରତର ।।
ଜଳରେ ପଶି ନରନାଥ । ଥୋକାଏ ଦୂର ଯାନ୍ତେ ପଥ ।।
ଦେଖିଲେ ନୟନରେ ଚାହିଁ । ଅପୂର୍ବ ଜ୍ୟୋତି ପ୍ରକାଶଇ ।।
ଏକଇ ପଦ୍ମପୁଷ୍ପ ପରେ । ବାଳିକା ଶୋଇଛି ଶାନ୍ତିରେ ।।
ଯେସନ ହୀରାର କଣ୍ଢେଇ । ତେମନ୍ତ ରୂପ ଶୋଭାପାଇ ।।
ଏହା ଦେଖିଣ ନରନାଥ । ମନରେ ହୋଇ ଆନନ୍ଦିତ ।।
ସେ ଶିଶୁ ପାଶରେ ମିଳିଲେ । ପ୍ରବେଶ ହୋଇଲେ କୂଳରେ ।।
କୋଳେ ବସାଇ ଆନନ୍ଦରେ । ପ୍ରବେଶ ହୋଇଲେ ବଳରେ ।।
ସେ ବେଳେ ବୃଷଭାନୁଙ୍କର । ଆନନ୍ଦ ନ ଧରିଲା ଘର ।।
ଦରିଦ୍ର କୋଟିନିଧି ପାଇ । ଯେମନ୍ତେ ଆନନ୍ଦ ହୁଅଇ ।।
ଅନ୍ଧ ପାଇଲେ ଚକ୍ଷୁଦାନ । ଯେସନେ ହୁଏ ତା'ର ମନ ।।
ସେହି ପ୍ରକାରେ ନରସାଇଁ । ନାଚିଲେ କନ୍ୟାମୁଖ ଚାହିଁ ।।
ସତେ କି କୋଟି ଦିନନାଥ । ହୋଇଛି ତାଙ୍କ କରଗତ ।।
ଏମନ୍ତ ମଣି ନରସାଇଁ । ଫେରିଲେ ମୃଗୟା ନ ଯାଇ ।।
ନବରେ ପ୍ରବେଶ ହୋଇଲେ । ରାଣୀଙ୍କୁ ତୁହାଇ ଡାକିଲେ ।।
ବୋଇଲେ ଆସ ଆସ ସହୀ । ଅମୂଲ୍ୟ ରତ୍ନ ଅଛି ପାଇ ।।
ଯାହାକୁ ପାଇବା ନିମନ୍ତେ । ଅପାର ଦୁଃଖ ଥିଲା ଚିତ୍ତେ ।।
ତାହା ପ୍ରପାତ କଲେ ସାଇଁ । ଦହନ ଆସି ଯାଅ ନେଇ ।।
ଯତନ କରି ପ୍ରତିପାଳ । ଲଭିବ ବହୁ ପୁଣ୍ୟଫଳ ।।
ଏମନ୍ତ ରାଜନଙ୍କ ବାଣୀ । ଶୁଣି ଆସିଲେ ଧାଇଁ ରାଣୀ ।।
କନ୍ୟାକୁ ଦେଖୁ ଦେଖୁ ନେତ୍ରେ । ଅତି ଅନନ୍ଦ ହୋଇ ଚିତ୍ତେ ।।
କୋଳକୁ ସ୍ନେହେ ତୋଳିନେଇ । ଲଲାଟେ ଚୁମା ଦେଲେ ଛାଇ ।।
ସେ ବେଳେ ଆନନ୍ଦ ତାଙ୍କର । ବରଣି ନ ହେବ ମୁଖର ।।
କନ୍ୟାର ରୂପକୁ ନିରେଖି । ଚାହିଁଣ ରାଣୀ ହେଲେ ସୁଖୀ ।।
ଚନ୍ଦ୍ରକିରଣ ପ୍ରାୟ ଜ୍ୟୋତି । ନିର୍ଧୂମାନଳ ସମକାନ୍ତି ।।
କୋଟିଏ ରତି ହେଲେ ମେଳେ । ସମ ନୋହିବ ପାଦତଳେ ।।
ଆବର ବହୁ ଶୁଭ ଚିହ୍ନ । କନ୍ୟାର ଦେହେଁ ବିଦ୍ୟାମାନ ।।
ଦେଖିଣ ଚଞ୍ଚଳା ଚତୁରି । ଦାସୀଙ୍କୁ ବୋଇଲେ ହକାରି ।।
ଆସଲୋ ଆସଲୋ ବହନ । ମୋ ରତ୍ନେ କରାଅ ମାର୍ଜନ ।।
ପଦ୍ମବନରୁ ଅଛି ପାଇ । ରାଧିକା ନାମ ଦେବି ମୁହିଁ ।।
ଏମନ୍ତ ମହାଦେଈ ବାଣୀ । ଶୁଣିଣ ସକଳ ତରୁଣୀ ।।
କନ୍ୟାକୁ ମାର୍ଜନା କରାଇ । ରତ୍ନଦୋଳିରେ ଦେଲେଶୋଇ ।।
ରତନ ଚାନ୍ଦୁଆ ଆଣିଲେ । ଯତନେ ଉପରେ ଟାଣିଲେ ।।
ଉତ୍ତ୍ୱାନଶାୟୀ ହୋଇ ବାଳୀ । ଶୋଇଲା ଚଞ୍ଚଳା ଦୁଲାଲୀ ।।
ମଳମୂତ୍ର ଯେ ତା'ର ନାହିଁ । କ୍ଷୀର ନୀର ସେ ନଛୁଅଁଇ ।।
ତା ଶୁଣି ସକଳ ଗୋପାଳ । ଗୋପୀଙ୍କ ସହ ହୋଇ ମେଳ ।।
ନାନାଦି ଉପଚାର ମାନ । ଘେନି ମିଳିଲେ ଯେ ବହନ ।।
କନ୍ୟାକୁ ଦରଶନ ମାତ୍ରେ । ଆନନ୍ଦେ ହେଲେ ସର୍ବେଚିତ୍ତେ ।।
ତାପରେ ରାଜା ତୋଷ ଦେଇ । ଭଣ୍ଡାର ମାନ ଖୋଲିଦେଇ ।।
ଦୁଃଖୀ ଦରିଦ୍ର ବ୍ରାହ୍ମଣଙ୍କୁ । ଡକାଇ ଆପଣା ପୁରକୁ ।।
ବହୁତ ଧନ ଦାନ କଲେ । ଯେ ଯାହା ଇଚ୍ଛାମତେ ନେଲେ ।।
ସେଦିନ ପ୍ରତ୍ୟେକ ଗୃହରେ । ବ୍ରତ ପାଳିଲେ ଆନନ୍ଦରେ ।।
ଘୃତ ପ୍ରଦୀପ ଜାଳିଦେଲେ । ସୁବର୍ଣ୍ଣ କୁମ୍ଭ ବସାଇଲେ ।।
ସେ କାଳେ ଆନନ୍ଦ ଉତ୍ସବ । ମୁଖରେ ବରଣି ନ ହେବ ।।
ଏମନ୍ତେ ଜନ୍ମ ରାଧାଙ୍କର । କହିଲି କରିଣ ବିସ୍ତାର ।।
ୟପରେ ଆନଗାଥାମାନ । କରିବି ସଂକ୍ଷେପରେ ବର୍ଣ୍ଣନ ।।
ରାଧାଙ୍କ ଜନ୍ମ ସମାଚାର । ସମ୍ପୂର୍ଣ୍ଣ ହୋଇଲା ଏଠାର ।।
ତୁମ୍ଭେ ଯେଣୁ ମୋ ପ୍ରିୟବତୀ । କହିଲି ଶୁଣ ଆହେ ସତୀ ।।
ଏମନ୍ତ କହି ନାରାୟଣ । ବସିଲେ ମଉନ ହୋଇଣ ।।
ଅଧମ କ୍ଷେତ୍ର ଯୋଡ଼ିକର । କହଇ ମୋ ଦୁଃଖ ନିବାର ।।
ସତ୍ୟଭାମା ଉବାଚ
ଭୋ ନାଥ ନମୁଛି ପୟରେ । ସଂଶୟ ରହିଲା ମନରେ ।।
ରାଧାତ ମର୍ତ୍ତ୍ୟେ ହେଲେ ଜାତ । ନ ଖାଇ ବଞ୍ଚିବେ କମନ୍ତେ ।।
ତା'ପରେ କେଉଁ ପରକାରେ । ବରିଲେ ସେ ଚନ୍ଦ୍ର ସେଣାରେ ।।
ସେ ଚନ୍ଦ୍ରସେଣା ଅଟେ କିଏ । ଶୁଣାଅ ପଡ଼ୁଅଛି ପାଏ ।।
ସେହୁ ରାଧାଙ୍କୁ ବିଭାହେଲା । କିମ୍ପାଇଁ ମିଳନ ନୋହିଲା ।।
ତୁମ୍ଭେ କିପରି ମର୍ତ୍ତ୍ୟେପୁର । ଆସିଲ କୁହ ପ୍ରାଣେଶ୍ୱର ।।
ଏହ ଶୁଣାଇ ଦୟାମୟ । ତୁଟାଅ ଆମ୍ଭର ସଂଶୟ ।।
ଶୁଣିବା ପାଇଁ ବଳେ ଚିତ୍ତ । କ୍ଷେତ୍ରମୋହନ ରଚେ ଗୀତ ।।
ଶ୍ରୀକୃଷ୍ଣ ଉବାଚ
ପାଟ ବଂଶୀଙ୍କ ମୁଖ ଚାହିଁ । କହନ୍ତି ଦ୍ୱାରକାରେ ଯାଇ ।।
ଯାଇ ପୁଚ୍ଛିଲେ ତୁମ୍ଭେ ମୋତେ । ପୂର୍ବରୁ କହିଅଛି କେତେ ।।
ତ୍ରେତୟା ଯୁଗେ ହନୁ ଯେହି । ଦ୍ୱାପରେ ଚନ୍ଦ ସେଣା ସେହି ।।
ରାଧା ଯେ ଥିଲେ ସୀତା ସତୀ । ଅତି ସୁନ୍ଦର ରୂପ କାନ୍ତି ।।
ତେଣୁ ସେ ହନୁମନ୍ତ ବୀର । ଚନ୍ଦ୍ରସେଣା ଯେ ଦ୍ୱାପରର ।।
ତାହାଙ୍କୁ ରାଧା ଯେଉଁପରି । ବିବାହ କଲେ ଶୁଣ ଗୋରୀ ।।
ବୃଷଭାନୁଙ୍କ ଗୃହେ ସତୀ । ହୋଇଣଥାନ୍ତି ଶିଶୁ ମୂର୍ତ୍ତି ।।
କୌଣସି ଖାଦ୍ୟ ନ ଛୁଅନ୍ତି । ବଚନ କାରେ ନ ଭାସନ୍ତି ।।
ମୋହର ପାଦେ ମନଦେଇ । ରତ୍ନଦୋଳିରେ ଥାନ୍ତି ଶୋଇ ।।
ଏମନ୍ତ ବହୁକାଳ ଗଲା । ଦୋଳିରୁ ସତୀ ନ ଉଠିଲା ।।
କଟିଲା ନାହିଁ ବାଲ୍ୟଭାବ । ବଚନ ନ କହିଲେ ଲବ ।।
ଏହା ଦେଖିଣ ରାଜାରାଣୀ । ଅପାର ଦୁଃଖହେଲେ ପୁଣି ।।
ବହୁ ପ୍ରକାର ଚେଷ୍ଟା କଲେ । ତାଙ୍କୁ ଭୁଞ୍ଜାଇ ନ ପାରିଲେ ।।
ଶୁଣି ନ ପାରିଲେ ବଚନ । ଦୁଃଖରେ କଟାଇଲେ ଦିନ ।।
ୟାପରେ ଏକ ଦିନକର । ମିଳିଲେ ଧାତାଙ୍କ କୁମର ।।
ତାହାଙ୍କୁ ଦେଖି ନରନାଥ । ପାଦରେ ହୋଇ ପ୍ରଣିପାତ ।।
ରତ୍ନ ଆସନେ ବସାଇଲେ । ସମସ୍ତ ବର୍ଣ୍ଣନ କରିଲେ ।।
ଆଦ୍ୟଠୁଁ ପ୍ରାନ୍ତ ଯାଏ ପୁଣି । ଭାଷିଲେ ସର୍ବ ନର ମଣି ।।
ଶୁଣି ନାରଦ ହସି ହସି । କହିଲେ ରାଜାଙ୍କୁ ଆଶ୍ୱାସୀ ।।
ତୁମ୍ଭ ପରାୟେ ଭାଗ୍ୟବାନ । ନାହାନ୍ତି ଏ ତିନି ଭୁବନ ।।
ସ୍ୱୟଂ କମଳା ତୁମ୍ଭ ପରେ । ଅଛନ୍ତି ସନ୍ତତ ଭାବରେ ।।
ପରମ ବ୍ରହ୍ମେ ଲୟ ରଖି । ଶୋଇ ଅଛନ୍ତି ପଦ୍ମମୁଖି ।।
ଯେବେ ଜନ୍ମିବେ ନାରାୟଣ । ତୁଟିବ ତୁମ୍ଭର କଷଣ ।।
ଫିଟିବ ଦେବୀଙ୍କର ମୁଖ । ଯୌବନ ବିକଶିବ ଭୂପ ।।
ସେ ପାଇଁ ଭାବନା ନ କର । ବଢ଼ିବ ସୁପୁଣ୍ୟ ଅପାର ।।
ଏହା କଁହିଣ ଧାତାସୁତ । ରାଜାଙ୍କୁ କହିଲେ ତଦନ୍ତ ।।
ଶୋଇଛି କନ୍ୟା ଯେଉଁଠାରେ । ଦେଖାଅ ନେଇ ମତେ ଥରେ ।।
ମାତ୍ର ମୁଁ କହୁଛି ଚେତାଇ । ମୋ ଥିବାଯାଏ ତହିଁ କେହି ।।
ନ ଯିବେ ଜାଣ ଜଣେ ମାତ୍ର । ତୁମ୍ଭେ ବି ନ ଯିବଟି ସେଥ ।।
ଏମନ୍ତ କହିଣ ଦେବର୍ଷି । ଗୃହ ଭିତରେ ଗଲେ ପଶି ।।
ଦେଖିଲେ ରତ୍ନ ଦୋଳି ପରେ । କନ୍ୟା ଶୋଇଛି ନିଶ୍ଚିନ୍ତରେ ।।
ଦିବ୍ୟ ଜ୍ୟୋତି ସେ ଅଙ୍ଗତାର । ଚହଟି ବିକଶଇ ପୁର ।।
ଦେଖିଣ ନାରଦ ମହର୍ଷି । ମନ ମଧ୍ୟରେ ହୋଇ ଖୁସି ।।
ବୋଇଲେ ବିନୟ ହୋଇଣ । ଭୋମାତା କିମ୍ପା ଏ ଭାବେଣ ।।
ଶୋଇଛୁ ବଚନ ନ କହି । କ୍ଷୀର ନୀର ଯେ ନ ଛୁଅଇଁ ।।
ହୋଇଣ ତ୍ରିଜଗତ ମାତ । ମାୟା ଭିଆଇଛୁ କେମନ୍ତ ।।
ଭୋ ମାତା ବାରେ ଦୟା ବହି । ରାଜା କଷଣ ନାଶ ତୁହି ।।
ତୋ ଲାଗି ଦିବସ ରଜନୀ । କାନ୍ଦନ୍ତି ରାଜାରାଣୀ ବେନି ।।
ଆଉ ମା' ଏମନ୍ତେ ନ ଶୋଇ । ବଚନ ଭାଗ କ୍ଷୀର ଖାଇ ।।
ବାଳ ସ୍ୱଭାବ ତ୍ୟାଗ କର । ଜଗତେ ନବ ଭାବ ଧର ।।
ଯାହା ନିମନ୍ତେ ତୁହି ମାତ । ଶୟନ କରିଛୁ ଏମନ୍ତ ।।
ସେ ପ୍ରଭୁ ଆଉ ଅଳ୍ପଦିନେ । ଜନ୍ମିବେ ଯେ ମଧୁଭୂବନେ ।।
କଂସକୁ ବିନାଶିବା ପାଇଁ । ଦେବଙ୍କୁ ଛନ୍ତି କଥା ଦେଇ ।।
ଦେବକୀ ଗର୍ଭରେ ଏକ୍ଷଣି । ପ୍ରଭୁ ଯେ ଆସି ରହିଲେଣି ।।
ଆଉ ଅଳ୍ପଦିନକେ ମାତ୍ର । ଜନମ ହେବେ ଜଗନ୍ନାଥ ।।
ଏ ଗୋପ ପୁରରେ ବଢ଼ିବେ । ଅପାର ଦାନବ ନାଶିବେ ।।
ପୂର୍ବରୁ ବହୁ ସୁରାସୁରୀ । ଗୋପରେ ଛନ୍ତି ଅବତରୀ ।।
ପ୍ରଭୁଙ୍କ ପଥ ଛନ୍ତି ଚାହିଁ । ଭାବନା ତେଜ ଚାନ୍ଦମୁହିଁ ।।
ତୋତେ ତେଜିଣ କ୍ଷଣେମାତ୍ର । ପ୍ରଭୁ କି ହୋଇବେ ନିଶ୍ଚିତ ।।
ଏମନ୍ତେ ନାରଦଙ୍କ ବାଣୀ । କର୍ଣ୍ଣରେ ରାଧା ଦେବୀ ଶୁଣି ।।
ବୋଇଲେ ନାରଦଙ୍କୁ ଚାହିଁ । ମନରେ ହରଷିତ ହୋଇ ।।
ତା ହେଲେ ମୋର ପ୍ରାଣକାନ୍ତ । ମର୍ତ୍ତ୍ୟେ ହେଲେଣି ଉପଗତ ।।
ଚାଲ ଦେବଶ୍ରୀ ଅଗ୍ରତରେ । ଜଣାଅ ମୋ ମାତା ପିଅରେ ।।
ଭୋଜନ ଆଣିଦ୍ୟନ୍ତୁ ବେଗେ । କ୍ଷୁଧାରେ ଜଳେ ମୋର ଅଙ୍ଗ ।।
ଶୁଣି ନାରଦ ଆନନ୍ଦରେ । ମଳିଲେ ନୃପତି ପାଶରେ ।।
ବୋଇଲେ ସର୍ବ ସମାଚାର । ଶୁଣି ଆନନ୍ଦ ନୃପବର ।।
ଚଞ୍ଚଳାରାଣୀଙ୍କୁ ଡକାଇ । ବୋଇଲା ବେଗେ ଆସ ଧାଇଁ ।।
କନ୍ୟା ମୋ କଥା କହିଲାଣି । ଭକ୍ଷିବା ପାଇଁ ମାଗେ ପୁଣି ।।
ଶୁଣିଣ ରାଣୀ ରାଜା ଗିର । ଧାଇଁଲା ହୋଇ ତର ତର ।।
ଅପୂର୍ବ ଷଡ଼ରସମାନ । ଘେନିଣ ଧାଇଁଲେ ବହନ ।।
ଦେଖିଲେ ଦୋଳି ମଧ୍ୟୁ ବାଳି । ଉଠିଣ ହୁଏ କୁତୁହଳି ।।
ମାତା ପିତାଙ୍କୁ ଦେଖି ନେତ୍ରେ । ଧାଇଁ ଆସିଣ ତତ୍କ୍ଷଣାତେ ।।
ମାତାଙ୍କୁ କୁଣ୍ଢାଇ ଧରିଲା । ଅମୀୟ ବଚନ ଭାଷିଲା ।।
ଦେଖିଲା ଚଞ୍ଚଳା ସୁନ୍ଦରୀ । ଶୋଇଣ ଥିଲା ଯେ କୁମାରୀ ।।
କ୍ଷୁଦ୍ର ବାଳିକା ରୂପ ଥିଲା । ତକ୍ଷଣେ ଯୁବତୀ ହୋଇଲା ।।
ନମିଣ ଦେବର୍ଷି ପୟରେ । ବସିଲା ମାତାଙ୍କ କୋଳରେ ।।
ବିଦାୟ ନେଇଣ ନାରଦ । ଚଳିଲେ ହୋଇଣ ଆନନ୍ଦ ।।
ସେ ଦିନଠାରୁ ନରପତି । ଖୋଜିଲେ କନ୍ୟା ଲାଗି ପତି ।।
ଗୋପରେ ଚନ୍ଦନ୍ରସେଣା ଥିଲା । ନୃପତିକୁଳେ ଜନ୍ମିଥିଲା ।।
ଉତ୍ତମ ବଂଶ ଅଟେ ତାର । ଧନ ଧାନ୍ୟରେ ଭରପୁର ।।
ଗୋଧନ ଗୁହାଳ ଗୁହାଳ । ଦେଖିଣ ବୃଷଭାନୁ ପାଳ ।।
କନ୍ୟାର ଉପଯୁକ୍ତ ପତି । ଭାବିଣ ମନେ ନରପତି ।।
ରାଧାଙ୍କୁ ତାହା ସଙ୍ଗତରେ । ବିବାହ କଲେ ଆଡ଼ମ୍ବରେ ।।
ସେ ଚନ୍ଦ୍ରସେଣା ମୋ ମାତାର । ଲେଖାରେ ଭାଇ ଯେ ଧର୍ମର ।।
ଏହି ପ୍ରକାରେ ମାମୁଁ ସେହି । ମୋର ତା ସଙ୍ଗେ ଭାବ ଏହି ।।
ନନ୍ଦ ଆବର ଯଶୋବନ୍ତି । ଶାଳକ ମୋହର ଅଟନ୍ତି ।।
ତାଙ୍କରି ଲେଖା ଯୋଖା ଭାଇ । ସେ ଚନ୍ଦ୍ରସେଣା ଯେ ଅଟଇ ।।
ତା'ପରେ ଆମ୍ଭେ ଗୋପପୁରେ । ବଢ଼ିଲୁ ଜନ୍ମି ମଥୁରାରେ ।।
ଆମ୍ଭଙ୍କୁ ପାଇବା ନିମନ୍ତେ । ରାଧା ସର୍ବଦା ହୃଦଗତେ ।।
ଭାବନା କରି ଦିନରାତି । ସୂର୍ଯ୍ୟକୁ ପୂଜା କଲା ସତୀ ।।
ଷୋଳ ସହସ୍ର ଗୋପୀ ମେଳେ । ମୋତେ ପାଇବାପାଇଁ ହେଳେ ।।
ବହୁତ ଜପ ତପ କଲା । ଶେଷେ ଦୁହିଁଙ୍କ ଭେଟ ହେଲା ।।
ବୃନ୍ଦାବନରେ ରାସ କେଳି । କରିଲୁ ରାଧା ସହ ମିଳି ।।
ପୂର୍ବରୁ ସର୍ବ ଗୋପୀମାନେ । ଜନମିଥିଲେ ସେ ଭୂବନେ ।।
ତାଙ୍କ କାମନା ପୂର୍ଣ୍ଣକରି । ଆମ୍ଭେ ଯେ ଆସିଲୁ ବାହାରି ।।
ସେ ଖେଳା ସେଠାରେ ରହିଲା । ତବ ସହିତ ଖେଳା ହେଲା ।।
ରାଧାଙ୍କ ଜନ୍ମ ସମାଚାର । କହିଲି ତୁମ୍ଭ ଅଗ୍ରତର ।।
ଏମନ୍ତ କହି ଗୋପୀନାଥ । ମଉନ ହେଲେ ଭଣେ କ୍ଷେତ୍ର ।।
ବ୍ରତ ସୂଚନା
[ସମ୍ପାଦନା]ଶୁଣ ସୁଜନେ ମନ ଦେଇ । ଶ୍ରୀକୃଷ୍ଣ ମୁଖୁ ଶୁଣି ସହୀ ।।
ମନରେ ହୋଇ ଆନନ୍ଦିତ । ପାଳିଲେ ରାଧାଷ୍ଟମୀ ବ୍ରତ ।।
ରୁକ୍ମଣୀ ସତ୍ୟଭାମା ସାଥେ । ସେ ପାଟବଂଶୀ ସେ ସମସ୍ତେ ।।
ଭକତିଭରେ କୃଷ୍ଣଙ୍କର । ପୂଜିଲେ ସକଳ ପୟର ।।
ତାହାଙ୍କୁ ଦେଖି ଦ୍ୱାରକାରେ । ବ୍ରତ ପାଳିଲେ ଘରେ ଘରେ ।।
ଏମନ୍ତେ ରାଧାଷ୍ଟମୀ ବ୍ରତ । ପାଳନ କରିଲେ ସମସ୍ତ ।।
ଏ ବ୍ରତ ନୁହେଁ ତ ସାମାନ୍ୟ । ପାଳନ କଲେ ବଢ଼େ ପୁଣ୍ୟ ।।
ଅପୁତ୍ରୀ ନାରୀ କଲେ ବ୍ରତ । ପୁତ୍ର ପୌତ୍ରୀ ଯେ ହୋନ୍ତିପ୍ରାପ୍ତ ।।
ନିର୍ଦ୍ଧନୀ ଏ ବ୍ରତ ପାଳିଲେ । ଅପାର ଧନ ବଢ଼େ ହେଳେ ।।
ଆବର ବ୍ୟାଧିବନ୍ତ ନର । ଏ ବ୍ରତ ପାଳିଲେ ଭକ୍ତିର ।।
ସକଳ ବ୍ୟାଧି ହୁଏ ନାଶ । ଅନ୍ତେ ବୈକୁଣ୍ଠେ ଲଭେବାସ ।।
ରାଧା ଅଷ୍ଟମୀ ବ୍ରତ ଦିନ । ଯେମନ୍ତେ କରିବ ପାଳନ ।।
ତାହାର ବିଧି ଶୁଣ ଧିରେ । ଭଣଇକ୍ଷେତ୍ରର ଗୀତରେ ।।
ବ୍ରତ ବିଧାନ
[ସମ୍ପାଦନା]ରାଧା ଅଷ୍ଟମୀ ଜନ୍ମବ୍ରତ । ଯେ ଜନ କରିବ ପାଳିତ ।।
ନୂତନ ବସ୍ତ୍ର ଅଳଙ୍କାର । ମଣ୍ଡିବ ହୃଦୟେ ଯତ୍ନର ।।
ନାନାଦି ଉପହାରମାନ । କରିବ ଯତ୍ନେ ଆୟୋଜନ ।।
ବାସ ଚନ୍ଦନ ସହିତର । କୁଙ୍କୁମ କସ୍ତୁରୀ ସିନ୍ଦୂର ।।
ହରଦ୍ରା ମିଶାଇ ତହିଁରେ । ଲାଗି କରିବ ରାଧିକାରେ ।।
ନାନାଦି ସୁବାସ କୁସୁମ । ମଣ୍ଡିବ ଶ୍ରୀରାଧାଙ୍କ ଅଙ୍ଗ ।।
ବିବିଧ ବାଦ୍ୟ ନାଦ ଛଳେ । ପୂଜା କରିବ ଭକ୍ତିଭୋଳେ ।।
ଦୁର୍ବା ଅକ୍ଷତ ବା ଶ୍ରୀଫଳ । ସୁବାସ ବିଡ଼ିଆ ତାମ୍ବୁଳ ।।
କୁଙ୍କୁମ ବିଲେପନ କର । ଭକତି ଭାବ ହୃଦେ ଧରି ।।
ସେ ଦିନ କରି ଉପବାସ । ଅନ୍ୟାୟ ନ କରିବ ଲେଶ ।।
ଭକତି ଭାବେ ଯେ ସମସ୍ତ । ଅର୍ପିବ ରାଧା ପାଦଗତ ।।
ଏମନ୍ତେ କରିଲେ ପାଳନ । ରାଧିକା ହେବେ ସୁପ୍ରସନ୍ନ ।।
ଆବର କୃଷ୍ଣଙ୍କର ସାଥେ । ପୂଜିବ ତାହାଙ୍କୁ ସମସ୍ତେ ।।
ନୋହିଲେ ଫଳ ନ ପାଇବ । କାର୍ଯ୍ୟ ସେ ଅସମ୍ପୂର୍ଣ୍ଣ ହେବ ।।
ରାଧା କୃଷ୍ଣ ଯେ ବେନି ଜନ । କେଭେ ନୁହନ୍ତି ଭିନ୍ନା ଭିନ୍ନ ।।
ଯେଉଁଠି କୃଷ୍ଣ ରାଧା ତହିଁ । ତାହାଙ୍କ ଭିନ୍ନ ଭିନ୍ନା ନାହିଁ ।।
କୃଷ୍ଣ ତାଙ୍କରି ପ୍ରାଣପତି । ପ୍ରେମ ଭକ୍ତିରେ ବନ୍ଧାଥାନ୍ତି ।।
ପରମ ଭକ୍ତ ଭାବ ଭୋଳେ । ରାଧା ଅଷ୍ଟମୀ ବ୍ରତ କଲେ ।।
ବହୁତ ସୁଫଳ ପାଇବ । ଅନ୍ତେ ଯେ ବୈକୁଣ୍ଠେ ବସିବ ।।
ହେ ଭାଇ ଭଗ୍ନିମାନେ ଶୁଣ । ଶ୍ରୀରାଧା କୃଷ୍ଣଙ୍କ ପାଦେଣ ।।
ଭକତି କର ଅପ୍ରମିତେ । ସଂସାରୁ ପାର ହେବା ଅର୍ଥେ ।।
ଜଗତ ଜନନୀଙ୍କୁ ଧ୍ୟାୟୀ । ଏ ରାଧାଷ୍ଟମୀ ଲେଖେଲଇଁ ।।
ସୂଜନ ଜନଙ୍କ ପୟରେ । ମୋ ମନ ରହୁ ନିରନ୍ତରେ ।।
ଏ ଗୀତ ହୋଇଲା ସମ୍ପୂର୍ଣ୍ଣ । ରାଧାକୃଷ୍ଣଙ୍କୁ ଭଜ ଜନ ।।
କହଇ କ୍ଷେତ୍ରବାସୀ ଛାର । ଶ୍ରୀରାଧା ଗୋବିନ୍ଦ ଉଦ୍ଧାର ।।
ଇତି ଶ୍ରୀ ହରିବଂଶେ ଶ୍ରୀ ରାଧା ଜନ୍ମ କଥନେ ସଦା ଜୟେ ସମ୍ପୂର୍ଣ୍ଣ ।