ରୂପରେଖ ନାହିଁ ହେ ଶୂନ୍ୟଦେହୀ

ଉଇକିପାଠାଗାର‌ରୁ
Jump to navigation Jump to search
ରୂପରେଖ ନାହିଁ ହେ ଶୂନ୍ୟଦେହୀ ଲେଖକ/କବି: ଭୀମ ଭୋଇ
ରୂପରେଖ ନାହିଁ ହେ ଶୂନ୍ୟଦେହୀ

ରୂପରେଖ ନାହିଁ ହେ ଶୂନ୍ୟଦେହୀ

 
ରୂପରେଖ ନାହିଁ ହେ ଶୂନ୍ୟଦେହୀ
ଅଛ ଉଦେ ହୋଇ
ରୂପରେଖ ନାହିଁ ହେ ଶୂନ୍ୟଦେହୀ
ଅଛ ଉଦେ ହୋଇ ।୧।

ବରଷୁଛି ଜଳ ନ ଥାଇ ପବନ
ଅଣଚାଶ ବାୟୁ ବହେ ଘନଘନ
ବଢୁଅଛି ଜଳ ନାହିଁ ନଦୀକୂଳ
ଉଲକାପାଦଧାରା ବହି
ହେ ଶୂନ୍ୟଦେହୀ ଅଛ ଉଦେ ହୋଇ । ୨।

ଜକଜକ ଓଦା ଶୁଖିଲା ହୋଇଛି
କବାଟ ନଥିରୁ ନେତ୍ରରେ ଦିଶୁଛି
ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ
ଉଦେ ଅସ୍ତ ନାହିଁ ତହିଁ
ହେ ଶୂନ୍ୟଦେହୀ ଅଛ ଉଦେ ହୋଇ। ୩।

ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ
ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ
ଫୁଟିଛି ପତର ଡେମ୍ଫ ନାହିଁ ତାର
ଅସାଧନା ମାର୍ଗେ ପାଇ
ହେ ଶୂନ୍ୟଦେହୀ ଅଛ ଉଦେ ହୋଇ। ୪।