ଲାବଣ୍ୟବତୀ/ଏଥୁଅନ୍ତେ ଶୁଣ ରସିକ ଜନେ

ଉଇକିପାଠାଗାର ରୁ
Jump to navigation Jump to search
ଲାବଣ୍ୟବତୀ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଚତୁର୍ଥ ଛାନ୍ଦ:ଏଥୁଅନ୍ତେ ଶୁଣ ରସିକ ଜନେ

(ରସକୋଇଲା ବାଣୀ- ପ୍ରାନ୍ତାନୁପ୍ରାସ)

ଏଥୁଅନ୍ତେ ଶୁଣ ରସିକ ଜନେ । ଦିନେ ବିଚାର କଲେ ସଖୀମାନେ ।
ଆମ୍ଭ ସଜନୀ ଯେ ସୁନ୍ଦରୀ ସାର । ନାହିଁ ନ ଥିଲା ନୋହିବ ସଂସାର ।
ପୁଣି ତ ଶୋଭା ବୟସେ ଯେ ।
ଆମ୍ଭ ଲୋଚନକୁ କବିବଚନକୁ ପବିତ୍ର କରିବା ବେଶେ ଯେ । ୧।
ଏମନ୍ତ ଭାବି ଜଣାଇଲେ ଯାଇଁ । ଜନନୀ ତଜିଲେ ଆଜ ଡ଼କାଇ ।
କି କର ତୁମ୍ଭେ ଜେମା ପାଶେ ଥାଇ । ସୁବାଶ ନିତି ନ କର କିପାଇଁ ଗୋ ।
କେ ଜାଣେ କାହା ମାନସ ଗୋ ।
ତୋ ମନେ କରିଛୁ ଭୂଷଣଭୂଷା ମୁଁ କାହିଁକି ହୋଇବି ବେଶ ଗୋ ।୨।
ରସ ବିଷୟ ଶ୍ରବଣ କରିବା । ବନ୍ଧ ପଟଳ ପଟକୁ ଚାହିଁ ବା ।
ଦିବ୍ୟ ଅଳଙ୍କାରେ ମଣ୍ଡନ ହେବା । ଏତେ କଥାରେ ବଶ ହୋନ୍ତି ଯୁବା ଯେ
ଶୁଣି ସୀଉକାର କରି ଯେ ।
ବ୍ୟାଧିବନ୍ତର ବାଞ୍ଛିତ ଉପଚାର ବୈଦ୍ୟ ବିହିଲାର ପରି ଯେ ।୩।
ଭଙ୍ଗୀରୁ ଜାଣିଲେ ସଙ୍ଗିନୀବ୍ରାତ । ହେଲା କୋମଳ ଅଙ୍ଗୀ ଅଙ୍ଗୀକୃତ ।
ତାଙ୍କ ନୟନବିକାରରୁ ଜାଣି । ଚତୁରୀ ପରିବାରୀମାନେ ଆଣି ଯେ ।
ଚାଙ୍ଗଡ଼ି ଭୂଷଣପେଡ଼ି ଯେ ।
ଯତନ ରତନ ମଣ୍ଡନ ବସନ ବାଛିଲେ ସଜନ୍ଈ ଫେଡ଼ି ଯେ ।୪।
ମଞ୍ଜୁ ବିଜୁରାଜି ପରାୟେ ରାଜି । ଚାହିଁଲେ ନୟନ ହୋଇବ ବୁଜି ।
ଅଳକାକୋଷେ ଥିବ ଅବା ତୁଲ୍ୟ । ହେଜି କରିବ ଧାତା ଅବା ମୂଲ୍ୟ ସେ
ଏକାଳେ ସଜାଡ଼ି ଆଣି ଯେ ।
ଫୁଲଚାଙ୍ଗୁଡ଼ି ଚିତ୍ରକପେଡ଼ି ଫେଡ଼ି ସୁବାସ ତଇଳ ପୁଣି ଯେ ।୫।
ସଜବିଧି ସଜ ସଜନୀ ଦେଖି । ଆସନେ ବସାଇ ପ୍ରସନ୍ନମୁଖୀ ।
ଆଗେ ଦେଖାଇଲେ ମୁକୁର ମାଜି । ହାରି ନିର୍ମଳେ କି ଶରଣ ଭଜି ସେ
ଫେଡ଼ିଲେ କୋମଳ ବାଳ ଯେ ।
ବେଗରେ ତରଳ ଯୋଗରେ ଶଇଳସ୍ତନାୟେ କଲେ କୋମଳ ଯେ ।୬।
ଚରମେ ପଡ଼ି ମନୋରମ ଦିଶେ । ମଧେ କି ନିଶି ଦିନ ଦୁଇ ପାଶେ ।
ପ୍ରଭା ବୃଦ୍ଧି ଦେଖି ମୁଖଚନ୍ଦ୍ରର । ପଳାଇ ଯାଉଛି କି ଅନ୍ଧକାର ସେ ।
ସଖୀଏ ଜାଣନ୍ତି ବିଷେ ଯେ ।
ଚାମର ମୟୂର ପିଚ୍ଛ ଯା ଚାଳନ୍ତି ନିଉଛାଉଛନ୍ତି କେଶେ ଯେ ।୭।
ମର୍ଦ୍ଦଳାକାର କଙ୍କତିକା ଝଳି । କାଙ୍ଗୁଲା କମ ସୁଷମ ପିତୁଳି ।
ସୁସଞ୍ଚ ଘଞ୍ଚ ଦଶନ ଆବଳୀ । ଗଳିବ କି ନାହିଁ କୁନ୍ତଳ ଭାଳି ସେ
ଆଳୀ ଖଡ଼ିକା ଗଳାଇ ଯେ,
ନୁହେଁ ଟଙ୍କାରୀ ଦେଲେ ବେଶକାରୀ କି, ଦେଲା କେଶ କୁଣ୍ଡିଆଁଇ ଯେ ।୮।
ମାଙ୍ଗଭାଙ୍ଗ ରଖି ଉତ୍ତମାଙ୍ଗରେ । ଆୟତ୍ତ କରି ସାମଳିଲା ଧୀରେ ।
କରେ ଧରି ମୂଳେ ଭିଡ଼ା ଭିଡ଼ନ୍ତେ । ଅଦ୍ଭୁତଉପମା ଜନ୍ମିଲା ଚିତ୍ତେ ସେ ।
କି କୋକନଦ ମଧ୍ୟରୁ ଯେ ।
ସ୍ରବୁଛି କାଳିନ୍ଦୀ ଦ୍ରବୁଛି ଶୃଙ୍ଗାର ହା ହା ସେ ଅତ୍ୟନ୍ତ ଚାରୁ ଯେ ।୯।
ରଙ୍ଗଭଣ୍ଡି ଭରି ଦିବ୍ୟ ଜୂଡ଼ାକୁ । ସଜାଡ଼ିଲେ ଯୁବା ଜ୍ଞାନବୁଡ଼ାକୁ ।
ତମ ବିଦାରି କି ହୋୟେ ବାହାର । ପ୍ରଭାତେ ପ୍ରଭାବନ୍ତ ପ୍ରଭାକର ସେ ।
ବେନି ବିଧିପାଶ ସିଦ୍ଧି ଯେ ।
ଯୋଗୀଜନମନ ମୃଗବନ୍ଧନେ କି କଲେ କିଆପତ୍ରୀ ବାନ୍ଧାଯେ । ୧୦ ।
ସିନ୍ଦୂର ଗାର ସୀମନ୍ଥିରେ ଦେଲେ । ବିଧୁନ୍ତୁଦକୁ ବିଧୁ ହାଣିଥିଲେ ।
ଶୁଖି ନାହିଁ କି ସେ ରଥାଙ୍ଗ ଘାତ । ଆଜ ହୋଇଛି ରକତ ବ୍ୟକତ ସେ ।
ସେ କ୍ଷତ କ୍ଷତଜ ଚାହିଁ ଯେ,
ଲାଳସେ ଆସେ ବଦନ ବିଧୁପାଶେ ନ ଗରାସେ ଭୟ ପାଇ ଯେ । ୧୧।
ଜ୍ୟୋତିମୋତି ମଥା ଜାଲି ମଣ୍ଡିଲେ । ମଣ୍ଡିଲେ ନାହିଁ ଧଇର୍ଯ୍ୟ ଖଣ୍ଡିଲେ
କି ନୀଳମଣୀ ଧରଣୀରେ ଆସି । ଗବାକ୍ଷେ ଗଳି ପ୍ରକାଶିତ ଶଶୀ ସେ
ଜୂଡ଼ା ଜାଲି ଏ ସଦୃଶା ଯେ ।
ଶ୍ୟାମଳ କମଳ କଳିରେ କଲା କି ସେକ୍ଷଣ ସୁଧା ବରଷାଯେ । ୧୨।
ତାରତର ଚନ୍ଦ୍ରଝୁମ୍ପି ଖଞ୍ଜିଲେ । ଖଞ୍ଜିଲେ କି ଅବା ମନ ରଞ୍ଜିଲେ ।
ନବଘନରେ କି ଯାଉଛି ପଶି । ଏଣୁ ଅର୍ଦ୍ଧଚନ୍ଦ୍ର ରୁଚିର ଦିଶିସେ ।
ନୀଳ ପୀତ ରଙ୍ଗ ଫୁଲେ ଯେ ।
ଗଭା କଲେ ଶୋଭା ଇନ୍ଦ୍ରଧନୁ ପ୍ରଭା ଉପମେୟ ତାହା ତୁଲେ ଯେ । ୧୩।
ବକ୍ର ଡ଼ଉଁରା ହେମ ଦୁବଝରା । ଦେବାରୁ ଦିଶିଲ ଏମନ୍ତ ପରା ।
କାମ ଯମୁନା ଜଳକେଳି ଇଚ୍ଛି । ସୁବର୍ଣ୍ଣ ନାବ କ୍ଷେପଣୀ କରିଛି ସେ ।
ଦୁବ ଯା କମ୍ପିଲା ହୋଇ ସେ ।
ଠାରେ କି ନାକ ନର ନାଗ ନଗରେ ଏ ସମାନେ ଶୋଭା ନାହିଁ ଯେ । ୧୪।
ସହଯେ ତ କତୁରିତ ଅଳକା । ପକାଇଲେ ଭୃଙ୍ଗଶ୍ରେଣୀରେ ଡ଼କା ।
ଦମ୍ଭ ଆରମ୍ଭ ବିନାଶନ ଆଶେ । ମଞ୍ଜୁଳ କଲେ ଅବତଂସ ଶେଷ ।
ଏମନ୍ତ ଚିତ୍ତରେ ଭାଳି ଯେ ।
ମର୍କତ ନଳୀରୁ ବାହାରି ଯାଉଛି କି ଅତି ଜ୍ୱଳିତ ଗୁଳି ଯେ । ୧୫।
ଅଳିକ ଊର୍ଦ୍ଧ୍ୱେ ଝିଲିମିଲି ମାଳୀ । ଝଟକେ ଛଟକେ ଖଞ୍ଜିଲେ ଆଳୀ ।
ଏମନ୍ତ ଅଦ୍ଭୁତ ନ ଥିଲା ଦେଖା । ବିନା ମେଘରେ ସ୍ଥିର ବିଦ୍ୟୁରେଖା ।
ପାଶକେ ଧାଡ଼ିଏ ତାରା ଯେ ।
ଇଚ୍ଛାରେ ନେତ୍ର ବନ୍ଦୀ ହେବ ମଣ୍ଡିଲା ଅନଙ୍ଗ ବିଚିତ୍ର କାରା ଯେ । ୧୬।
ଲଲାଟପଟ ଅର୍ଦ୍ଧଫରି । ମୃଗମଦ ତହିଁ ତିଳକ କରି ।
ରାହୁ ବାଦ ଇଚ୍ଛି ନିଶାନାୟକ । ଭିଆଇ ଆଣି ଆଡ଼ଣି ସାୟକ ସେ ।
ରହିଛି ସଂଯତ ହୋଇ ଯେ ।
ଅଳକା ନିୟମ ସୀମାକୁ ଲଘିଂଲେ ହାଣିମ ସଂଶୟ ନାହିଁ ଯେ । ୧୭।
କର୍ଣ୍ଣେ ତାଟଙ୍କ ମଣ୍ଡଳେ ବିଚାରି । କବି ଗୀଷ୍ପତି ନାମୁଁ ଆଣି ଧରି ।
ଜୀବ ଭାର୍ଗବକୁ ବାନ୍ଧିଲା କି ସେ । ଆନନ ବେନିପାଶେ ବେନିପାଶେ ସେ
ନେତ୍ରାନ୍ତେ କରେ ତର୍ଜନ ଯେ ।
ଶ୍ରୁତିରେ ଉପମା ନାହିଁ ତ ବୋଲନ୍ତି ତୁମ୍ଭେ କର କି ବର୍ଣ୍ଣନ ହେ । ୧୮।
ରତନ ଫୁଲ ଅତିହିଁ ଯତନ । ଝଲକେ ଝଲକା ଏ ଅନୁମାନ ।
ହର ମାରକୁ ଭସ୍ମ କରି ଦେଲା । ଏ ତା ଛତ୍ରକ ରତିଠାରେ ଥିଲା ସେ
ଜିଣି ଶୋଭାରେ ତାହାକୁ ଯେ ।
ଲୋକେ ବଡ଼ାଇ ଜାଣିମାକୁ ଛଡ଼ାଇ ମଣ୍ଡନ କଲେ ଏହାକୁ ଯେ । ୧୯।
ମଲ୍ଲୀକଢ଼ିତ ପରଂପରା କହି । ମଣିଲି ବେନି ଖଞ୍ଜା ପରା ସେହି ।
ଖଞ୍ଜିଲେ ସଜନୀ ଏହି ବିବେକେ । ଭୁଲନ୍ତୁ ପୁଂସ ମନ ଚଞ୍ଚରୀକେ ସେ ।
ତହିଁ କେ ପଡ଼ିବ ପୁଣି ଯେ ।
ବାଳୀ ବୋଲି ବାଳୀ ଗୁପତ ଶାଙ୍କୋଳି ପାଶରେ ରଖିଲା ଆଣି ଯେ ।୨୦ ।
ନେତ୍ର ବାଣ ଭୂରୁ କମାଣ ଯୋଗେ । ମରମକୁ ଭେଦେ ବିନା ପ୍ରୟୋଗେ
ଯାହା କଜ୍ଜ୍ବଳ ଗୁଣ ତହିଁ ଦେଲେ । ଆଉ କି ସଖୀ ସୃଷ୍ଟି ରଖିଥିଲେ ସେ
ବଡ଼ ବିଜ୍ଞ ସୁକୁମାରୀ ଯେ ।
କୁତ୍ସିତ ଜୀବକୁ ଏ ଶସ୍ତ୍ରେ ମାରିବି ନ ବନ୍ଧେ ଏହା ବିଚାରି ଯେ ।୨୧।
ଶ୍ରବଣକୁ ଯାହା ଲାଞ୍ଜୀ ଲାଗିଛି । ସେ କି ଅକ୍ଷିକି ଡ଼ାକି ଶିଖାଉଛି ।
ବ୍ରହ୍ମହତ୍ୟା ହେବ ଧାତା ବଧରେ । ତୋ ଅରି କୁରଙ୍ଗ ହର ତା ଧରେ ସେ
ପାରିଲେ ତାହାକୁ ମାର ଯେ ।
କାହିଁଛି କାହିଁଛି ବୋଲି ଖୋଜିବାରେ ଚଞ୍ଚଳ ଗତିକି ତାର ଯେ ।୨୨।
ଘୋଣାରେ ଦେଲେ ମୋତି ନାକଚଣା । ଠିକଣା କଲି ଏ ଉପଲକ୍ଷଣା
ମାରି ନେବ ମନମୀନ ଓଟାରି । ଥୋପ ଲଗାଇ କି ବଡ଼ଣୀ ଧରି ସେ ।
ପୁଟକେ ମାଣିକ୍ୟ ଗୁଣା ଯେ ।
ଝଟକେ କି ଦିଶେ ଅନଳ ଜ୍ୟୋତି ସେ ଛଟକେ କରୁଛି ବଣା ଯେ ।୨୩।
ଗଣ୍ଡେ ଚାଣ୍ଡେ କରି ମକରୀ ଝଳି । ମୁକୁର ବିମ୍ବେ କି ତମାଳ ବଲ୍ଲୀ ।
ଚିବୁକେ ଭ୍ରମରୀ ଓଷ୍ଠ ବନ୍ଧୁକୁ । ମଧୁ ନ ପିଏ କି ଏହି ବିବେକୁ ସେ ।
ନାସାକୀର ଅଛି ଝାମ୍ପି ଯେ ।
ବିମ୍ବ ହୋଇଥିଲେ ଜମ୍ବୁ ଭାବି ମୋତେ ନ ପୁଣ ଚଞ୍ଚୁରେ ଚାପି ଯେ ।୨୪।
କଣ୍ଠେ ଦିଅନ୍ତେ ମୋତି ଚାପସରି । ରହିଲେ ଉପମାଏ ଅପସରି ।
କି କମ୍ବୁ ଜିଣିଲା ଯଶ ପ୍ରକାଶ । ମତ୍ତ କପୋତେ କି କରୁଛି ହାସ ସେ ।
ଯୋଡ଼ି-ମାଳି କାଚମାଳୀ ଯେ ।
ଆଉ ମାଳିଆଳି କେତକ କହିବା ଯେତେକ ମଣ୍ଡିଲେ ଆଳି ଯେ ।୨୫।
ପୁଲି ଲମ୍ବି କଲା ଚରମ ଶୋଭା । ଖେଳାଇବା ପାଇଁ ଭରମ ପ୍ରଭା ।
ଶରମେ କାମ କି ମଣ୍ଡନ କଲା । ନୀଳରଙ୍ଗ ପୀତବର୍ଣ୍ଣେ ଶୋଭିଲା ସେ ।
ବିଚିତ୍ର ଦୃଷ୍ଟି ପ୍ରକଟି ଯେ ।
କି ଇନ୍ଦୀବର ଶୋଣକଞ୍ଜ କୁମୁଦ ନିର୍ଜଳ ନଦୀରେ ପୁଟି ଯେ ।୨୬।
ରୋମାବଳି-କର ଅଛି ପ୍ରସାରି । ଯଉବନ ଗଜ କୁଚ ଅମାରୀ ।
ଚୋଳ ଘୋଡ଼ଣୀ କି ମଣ୍ଡଣୀ ହାରା । ପ୍ରବାଳମାଳା କି ବଉଳ ଝରା ସେ ।
ପଦକ ମାହୁନ୍ତ ସ୍ଥାନୀ ଯେ ।
ଧନ୍ୟ ଧନ୍ୟ ରାମା ସୁଷମା କଲେ ତା ଏହି ଉପମାକୁ ଘେନି ଯେ ।୨୭।
ବାହୁଟିସାର ଭାବି ଦେଲେ ତହିଁ । ଜ୍ଞାନ ତାଡ଼ନକୁ ତାଡ଼କୁ ବିହି ।
ଅତୁଲ୍ୟଠାରେ ମଣିବନ୍ଧ ପଛେ । ଅତୁଲ୍ୟ ମଣ୍ଡିଲେ ଅତ୍ୟନ୍ତ ସ୍ୱଚ୍ଛେ ସେ ।
ଦେଲେ ମରକତ ଚୁଡ଼ି ଯେ ।
କର ଚମ୍ପାଦାମ ଭ୍ରମରେ ଭ୍ରମରେ ଭ୍ରମରେ କି ଅବା ଜଡ଼ି ଯେ ।୨୮।
ସଖୀମାନେ ପାଞ୍ଚ ଅଙ୍ଗୁଳି ଚାହିଁ । କଲେ ପାଞ୍ଚ ପାଞ୍ଚ ନାରାଚ ଏହି ।
ପାଞ୍ଚନାରାଚ ଭସ୍ମ ହେଲା ଦିନ । ଥୋଇଲା କି ଦେଖି ଏ ରମ୍ୟ ସ୍ଥାନ ସେ
ଭେଦିବ ପଞ୍ଚ-ମନକୁ ଯେ ।
ପଞ୍ଚରତ୍ନ ଦେଇ ପୂଜା କରିବା କି ବୋଲି ମୁଦି ଦେଲେ ତାକୁ ଯେ ।୨୯।
ହରିତାଳି କାଳୀ ଘେନି ବନିତା । ପଦ ଉଅପରେ ଉକୁଟିଲା ଚିତା ।
ସୁନା କଚ୍ଛପ ବିଧି ବିରଚନା । ପୁଙ୍କିଲେ ତହିଁ ମରକତ ମୀନ ସେ ।
ବେଢ଼ରେ ସରୁ ଅଳତା ଯେ ।
ପାଟସୂତ୍ର ଫାନ୍ଦେ ଫାନ୍ଦିଲା ତାହାକୁ କିବା କଉତୁକୀ ଧାତା ଯେ ।୩୦ ।
ହଂସକ ଯାହାଟି ଖଞ୍ଜିଲେ ପାଦେ । ହଂସକୁ ଏମନ୍ତ କହିବ ନାଦେ ।
ଇଚ୍ଛାରେ ତ ସମ ନୋହେ ଗତିକି । ଭୀତି ନ ଲଭିବ କିଛି ଏଥିକି ସେ ।
ତୁମ୍ଭେ ତ ପୋଷିଲା ପକ୍ଷୀ ଯେ ।
ଅକ୍ଷି ନ ଥିବାର ମିତ୍ରେ ଲକ୍ଷିବାକୁ ତୁମ୍ଭର କି ଦୋଷ ଅଛି ଯେ ।୩୧।
ବଳା ପାଦେ ଅଛି ଅବଳା କେହି । ଏହି ବିଚାରେ କି ଖଞ୍ଜିଲେ ସହୀ ।
ହୋଇଅଛି ପୁଣି ଅତି ଝମକ । ଯୁବା ଚେତନା ଚମକ ଟମକ ସେ ।
ମଣ୍ଡିଲେ ମଞ୍ଜୁ ମଞ୍ଜୀର ଯେ ।
ତ୍ରିପୁର ତ୍ରିପୁରପର ଆତୁରକୁ ସ୍ମର କି ସାଜିଲା ତୂର ଯେ ।୩୨।