ଲାବଣ୍ୟବତୀ/ମନ ଦେଇ ଶୁଣ କୋବିଦେ
←ଏହି ସମୟରେ ସୁନ୍ଦରୀ ଛାମୁରେ | ଲାବଣ୍ୟବତୀ ଲେଖକ/କବି: ଷଷ୍ଠ ଛାନ୍ଦ: ମନ ଦେଇ ଶୁଣ କୋବିଦେ |
ମନ ଦେଇ ଶୁଣ କୋବିଦେ ନୃପସୁତା ସୁକେଶୀ ।
କୂଳରେ ବକୁଳମୂଳରେ ପୀଠ ଉପରେ ବସି ।୧।
ସରସୀ ଶୋଭିତ ଅନାଇଁ ମନ ନେତ୍ର ଲୋଭିତ ।
ତଟଘଟନା ବିଦ୍ରୁମରେ ପକ୍ଷୀପନ୍ତି ବିମ୍ବିତ ।୨।
କି ନୀଳଶାଢୀ ରଙ୍ଗଧଡି ହଂସାବଳୀ ହୋଇଛି ।
ଅବନୀ ବନିତା ବିସ୍ତାରେ କିବା କିଣିବା ଇଚ୍ଛି ।୩।
ପାବଚ୍ଛ ସ୍ୱଚ୍ଛ ସ୍ଫଟିକରେ ନୀରତୀର ପ୍ରତୀତ ।
ସୁବେଣୀ ସ୍ପରଶ ଭାବି କି ତହିଁ ତ୍ରିବେଣୀ ଖ୍ୟାତ ।୪।
ଦୀପ ଦଣ୍ଡୀ ଲଭି ମରାଳପନ୍ତି ଦିଏ ଭଉଁରୀ ।
ବଡ ବଡଭୀକି ବେଢିକି ଶୋଭା ଚୂର୍ଣ୍ଣ ଚଉଁରୀ ।୫।
ଜଳ ଜମ୍ୱାଳ ଆବିଳରେ ହୀନ ମନ ହରୁଛି ।
ଜଳ ନିର୍ମଳରେ ଆଦର ଆଦରଶୁଁ ସାରୁଛି ।୬।
ଗଭୀର ଗୁଣକୁ ପଣ୍ଡିତଠାରୁ ଗୃହୀତ କରି ।
ନର୍ତ୍ତକୀଠାବରୁ ଭଉଁରୀ ଶିକ୍ଷା ପରା ଏହାରି ।୭।
ଅମୃତ ସଙ୍ଗତେ ହୋଇଛି ମିତ ମଧୁର ପଣେ ।
ବିଧୁର ସ୍ନେହକୁ ବିଧୂର କରେ ଶୀତଳ ଗୁଣେ ।୮।
କାମଶରାଳୀରେ ପ୍ରକାଶ ମାନ ସୁଖଦାନରେ ।
କୁମୁଦରେ ଯେଣୁ ବିଦିତ ତେଣୁ ହରି ପ୍ରକାରେ ।୯।
ସର ଶୋଭା ଦେଖୁଁ ଦେଖୁଁ ସେ ସରେ ମର୍ଦ୍ଦନବିଧି ।
ବକ୍ଷପ୍ରମାଣ ଜଳେ ଯାଇଁ ବିଜେ ଲାବଣ୍ୟନିଧି। ।୧୦।
କବି ବିଚାରିଲା ବିଚିତ୍ର ହେଲା ତୁମ୍ୱୀ ବୁଡିଲା ।
ନ ବୁଡି ଶଇଳ ସଲିଳ ଉପରରେ ରହିଲା ।୧୧।
କିସ ପୁଣି ଦେଖା ନ ଯାଇ ଯେବେ ଥାଇ ଜୀବରେ ।
ବିଷମ ସମସ୍ୟା ପୁରଣ ହେଲା ଏହି ଠାବରେ ।୧୨।
ଅପୂର୍ବ ଅମ୍ୱୁଜ ମୁଖକୁ ଭାବି ଭୃଙ୍ଗ ଚକୋର ।
ଚୁମ୍ବିବା ଲୋଭରେ ଧାଇଁଲେ ଶ୍ରୁତି ଚାହି କାତର ।୧୩।
କେଶ ଦରଶନେ ରଥାଙ୍ଗ ଥାଇଁ ଆହାର ବଶେ ।
ବିଚ୍ଛେଦ ଭୟରୁ ପଳାଇ ଗଲେ ନ ରହି ପାଶେ ।୧୪।
ନୟନ ଉଜ୍ଜ୍ୱଳ କଜ୍ଜ୍ୱଳ ଲାଞ୍ଜୀ ଅନାଇ ଦେଇ ।
ଗଭୀର ଜଳରେ ପଶିଲେ ମୀନ ଭୟକୁ ପାଇ ।୧୫।
ଭୁରୁ ନୟନ ଅଞ୍ଜନକୁ ଚାହିଁ ଖଞ୍ଜନମାନେ ।
କୁରଙ୍ଗ ହୋ ଆମ୍ଭେ ମଲାଇ ବୋଲି ଡାକିଲେ ସ୍ୱନେ ।୧୬।
ସମ୍ଭରେ ସଜନୀ ଅମ୍ଭରେ ସେହିକାଳେ ପଶିଲେ ।
ହାସ ପରିହାସ ସରସ ଉକ୍ତିମାନ ଭାଷିଲେ ।୧୭।
ଦେଖ ରେ ନଳିନି ନଳିନୀ ନଳିନୀରେ ପୂରିତ ।
ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରେ ଏ ଶୋଭିତ ।୧୮।
ବି-ରାଜି ବିରାଜି ଅଛନ୍ତି ମୀନ ଭକ୍ଷଣ ପାଇଁ ।
ରାଜୀବ ରାଜୀବନୟନା ଏଥି ଖେଳା କରଇ ।୧୯।
ସଲିଳେ ଉଡୁପ ଦେଖ ରେ ହୋଇଅଛି ଶୋଭନ ।
ସଲୀଳେ ଉଡୁପବଦନି ଖିଳିବାକୁ ମୋ ମନ ।୨୦।
ନବୀନ ଜୀମୂତ ଜୀମୂତସ୍ତନା କି ଏ ଉଦିତ ।
ଏ ନୀଳ କମଳ କମଳବିନ୍ଦୁ ବହି ତେମନ୍ତ ।୨୧।
ଭୁବନ ଏଥିରେ ପୂରିତ ମୋହେ ସର୍ବ ଭୁବନ ।
ଜୀବନବନ୍ଧୁ ଏ ନିଶ୍ଚୟେ ପ୍ରାଣୀଙ୍କର ଜୀବନ ।୨୨।
ଅହି-ମକର ତାପ ନାଶେ ଶୋଭା ସାରସ ଚକ୍ରେ ।
ଅହି ମକର ତାପ ନାଶେ ଶୋଭା ସାରସ ଚକ୍ରେ ।୨୩।
ବଶ ପ୍ରକାଶିବ ସୁମନ-ସର ସୁମନଶର ।
ମହୀକି ଆଣିଲା ସୁମନ-ସର ସୁମନସର ।୨୪।