Jump to content

ଲାବଣ୍ୟବତୀ/ଶୁଣ ହେ ସୁଜନେ ରସ କର୍ଣ୍ଣ ମନଲୋଭା

ଉଇକିପାଠାଗାର‌ରୁ
ଲାବଣ୍ୟବତୀ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଦ୍ୱିତୀୟ ଛାନ୍ଦ: ଶୁଣ ହେ ସୁଜନେ ରସ କର୍ଣ୍ଣ ମନଲୋଭା

(ରାଗ-ପଟହ ମଞ୍ଜରୀ)
ଶୁଣ ହେ ସୁଜନେ ରସ କର୍ଣ୍ଣ ମନଲୋଭା
ରତ୍ନାକର ମଧ୍ୟରେ ସିଂହଳ ଦ୍ୱୀପ ଶୋଭା ଯେ ।୧।
କହିବାର ନୋହେ ସେ କଟକ ଛଟକକୁ
ରତ୍ନ ଝଟକରେ ହସେ ଆନ କଟକକୁ ଯେ ।୨।
ଅଛନ୍ତି ଧନଦସମ ଧନବନ୍ତମାନେ ।
କର୍ଣ୍ଣେ ଶୁଣା ଅଛି ସମାନକୁ ଏକା ଦାନେ ଯେ ।୩।
ଯେତେ କୋଟି ସୁବର୍ଣ୍ଣ ଜାହାକୁ ମିଳେ ତହିଁ
ତେତେ ଗୋଟି କଲଶ ସେ ମନ୍ଦିରେ ବସାଇ ଯେ ।୪।
ଗୋରୋଚନା ପ୍ରାକାରେ ଯହିଁରେ ମୃଗମଦ
ନିତି ହୀର୍ଣ୍ଣ ବସନକୁ ଯାଚନ୍ତି ପୁଳିନ୍ଦ ଯେ ।୫।
କୁଙ୍କୁମ ଉକୁଟାଇ ହୁଅନ୍ତି ନାରୀ ଯହିଁ
ହରିଦ୍ରାରେ ଆଦର କରିବେ କାହିଁ ପାଇଁ ଯେ ।୬।
ମାର୍ଗ ମାର୍ଜନେ ରଜନିକର ଆଣି ଯାଇ
ରଜନୀକର ଆଣନ୍ତି ଶକଟରେ ବହି ଯେ ।୭।
ହରୀତକୀ ପାଇଁ ତିଆରିଲେ ବୈଦ୍ୟକୁଳ ।
ଭାରବାହେ ଭାରରେ ଆଣନ୍ତାଜାତିଫଳ ଯେ ।୮।
ଶବରୀ ଶର୍ବରୀ ଶେଷୁ ଅରଣ୍ୟକୁ ଯାଇ
ହରି-ବିଦାରିତ-କରି-ମୋତି ପଡ଼ିଥାଇ ଯେ ।୯।
ବଦରୀ ଆଦରି ନେଇ ସରୋବରେ ଧୋଇ
ବିକା ତ ନ ଯିବ ବୋଲି ଆସନ୍ତି ପକାଇ ଯେ ।୧୦ ।
ଖଣ୍ଡପରଶୁଧାରଣ ପୁର ପରିଷ୍କାରେ - - -
ନ ଦହନ୍ତି ଶାମୁକ ମୁକୁତା ବିହୀନରେ ଯେ ।୧୧।
ଯଉଁ ହେମ କମନୀୟ କମ କରେ ହୋଇ
ସେ ଗ୍ରହଣ ବାରବାନେ ଦୃକପାତ ନାହିଁ ଯେ ।୧୨।
ଶିଶୁକାଳୁ ମେଧାବିନି ମଦନଶଳାକା
ଭକ୍ଷନ୍ତି ଲବଙ୍ଗ ନାଗବଲ୍ଲୀ ଦଳ ଏକା ଯେ ।୧୩।
ଏଣୁ କଣ୍ଠରୋଧ ବାଧହୀନ ଦିବ୍ୟତାନ
ଶିଖି ବିଷ୍ଣୁ ଚରିତ କରନ୍ତି ଭ୍ରମି ଗାନ ଯେ ।୧୪।
ମାଳୀଆଳି ଦକ୍ଷିଣାବର୍ତ୍ତକ ବିନା କମ୍ଭୁ
ନ ଘେନନ୍ତି ଦେବାକୁ ହରଚରଣେ ଅମ୍ବୁ ଯେ ।୧୯।
ଏକମୁଖୀ ରୁଦ୍ରାକ୍ଷ ଗ୍ରହଣ ଯୋଗୀ କରେ
ବାଳକେ କିଣନ୍ତି ଦ୍ରାକ୍ଷା କେବଳ କୋଳିରେ ଯେ ।୨୦ ।
ଖଡ଼ଗ ଚର୍ମ ଆଡ଼େଣୀ ଧାରଣର ପାଇ
ଖଡ଼ଗ ଚର୍ମରୁ ଆନ ଚର୍ମ ନ ଯୋଗାଇ ଯେ ।୨୧।
ଯହିଁ ବ୍ରହ୍ମଜାତି ବଜ୍ରକବାଚ ମିଳଇ
ବଜ୍ର କବଚରେ ଅନୁରାଗ ଥିବ କାହିଁ ଯେ ।୨୨।
ପଦ୍ମିନୀ ଜନମସ୍ଥାନ ପଦ୍ମାକର ପୋରୀ
ଆନ ଜାତି ନାରୀଏ ଯହିଁରେ ପରିଚାରୀ ଯେ ।୨୩।
କିନ୍ନରୀ ଗୀତ ଶ୍ରବଣ ଯହିଁ ନିତି ନିତି
ମହୀ ମଧ୍ୟେ ସ୍ୱର୍ଗ ସେ ହୋଇଛି ଉତପତ୍ତ ଯେ ।୨୪।
ସ୍ୱ ନଗର ନରବର ନାମ ରତ୍ନେଶ୍ୱର ।
ବିଦ୍ୟୁଲ୍ଲତା ନାମେ ପଟ୍ଟମହିଷୀ ତାହାର ଯେ ।୨୫।
ପଞ୍ଚଶର ସମେ ପଞ୍ଚସୁତ କଲେ ଜାତ
ଦିବ୍ୟ କୁମାରୀ ପ୍ରାପତେ କରେ ନାନା ବ୍ରତ ଯେ ।୨୬।
ଚଇତ୍ର ମଙ୍ଗଳବାରେ ଆରମ୍ଭି ପୂଜାକୁ
ପଞ୍ଚମ ପାଳିରେ ତୋଷ କଲା ଗିରିଜାଙ୍କୁ ଯେ ।୨୭।
ବାଞ୍ଛାବତୀ ପଣ୍ଡ ଥିଲା ଅଗମ୍ୟ କାନନ
ଆପଣେ ଅମ୍ବିକା ଯାଇଁ କରି ସଂଜୀବନ ଯେ ।୨୮।
ବୋଇଲେ ସୁନ୍ଦରୀ ହୁଅ ରସାଳର ଫଳ
ଆଜ୍ଞା ଅବଧାରିଲା ସେ ରାମା ତତକାଳ ଯେ ।୨୯।
କରେ ଘେନି ସ୍ୱପ୍ନବେଶେ ମହାଦେବୀ କରେ ।
ଦେଇଗଲେ ସେ ଆମ୍ଭକୁ ପାର୍ବତୀ ସତ୍ୱରେ ଯେ ।୩୦ ।
ଚେତି ଯୁବତୀ ଦେଖିଲା ହସ୍ତେ ଅଛି ଚୁତ
ତାହା ଭକ୍ଷି ମୃଗାକ୍ଷୀ ନାୟକ ସଙ୍ଗେ ରତ ଯେ ।୩୧।
ଶୁଭବେଳେ ଗର୍ଭ ଦର୍ଭହାସୀ ଶୁଭ୍ରକେଶୀ
କେତେ ଦିନେ ଶୋଭା ତାର ଆନ ଆନ ଦିଶି ଯେ ।୩୨।
କାନ୍ତି ସୁବର୍ଣ୍ଣେ ଦୋହଦ ପାରଦ ମିଶିଲା
ରଜତ ପିତୁଳା ତୁଳା ଅବଳା ଦିଶିଲା ଯେ ।୩୩।
କ୍ଷୀଣ ଯାଇ ପୀନ ହେଲା ରେକ ସଂଖ୍ୟା କଟୀ
ଖସି ନିତମ୍ବ ବିମ୍ବକୁ ଆଶ୍ରେ କଲା ଶାଟୀ ଯେ ।୩୪।
ବେଶରେ ଆବେଶ ହେବା କ୍ରମରେ ତୁଟିଲା ।
ଆହାରେ ବିମନା ହୋଇ ଗମନେ ଫୁଟିଲା ଯେ ।୩୫।
ବାହାର ହୋଇଲା ପତିବିହାରରୁ ମତି
ମହିଳା ମହୀ ଶୟନେ ବଳାଇଲା ପ୍ରୀତି ଯେ ।୩୬।
ଦିବ୍ୟରୁଚିକି ରୁଚିଲା ମୃତ୍ତକା ଭକ୍ଷଣ ।
ଚଞ୍ଚଳ ଚଲନମାନ ଛାଡ଼ିଲା ଈକ୍ଷଣ ।୩୭।
ପୃଥୁରୋମାନୟନୀ ଉଦର ପୃଥୁତର
ଅତି ଶୋଭା ନାଭି ଲେଉଟିଲା ପରକାର ।୩୮।
ନିଷ୍ଠୁର ଦିଶିଲା ଓଷ୍ଠ ତୁଟିଯାଇ ରଙ୍ଗ ଯେ
ଘନ ଘନ ଜୃମ୍ଭା ପୁନଃ ପୁନଃ ମୋଡ଼େ ଅଙ୍ଗ ଯେ ।୩୯।
ଶ୍ୟାମଳ କୋମଳଅଙ୍ଗୀ ସ୍ତନ ଅଗ୍ର ବହି ।
ହରଧର ଶୃଙ୍ଗେ ଜଳଧର ପରା ଶୋହି ଯେ ।୪୦ ।
ଦଶମାସ ଶେଷେ ରସବତୀ ଅଶକତ ।
ଉତ୍ତମ ଲଗ୍ନ ମଗ୍ନରେ ସୁତା ପ୍ରସବିତ ଯେ ।୪୧।
କବି ବିଚାର କି ଚାରିମୁଖ ସଙ୍ଗେ ବାଦ ।
ଆଚରି ମଦନ ବଳି ସର୍ପରଜ୍ଜୁ ଯୋଗେ ।୪୩।
ତହିଁରୁ ଜାତ ଜଗତମୋହିନୀ ସ୍ୱଭାବେ ।
ଅବଶ୍ୟ ହୋଇବେ ହର ତପଭଙ୍ଗ ଏବେ ଯେ ।୪୪।
ଧାତ୍ରୀ ଧରିତ୍ରୀଭୂଷାକୁ ନାଭିଚ୍ଛେଦ କରି ।
ଗଣକଗଣ ବସିଣ ଜାତକ ବିଚାରି ଯେ ।୪୫।
ସୂତିକାଗୃହରେ ଯେତେ ବିଧି ଶେଷ କଲେ ।
ଦଶ ବିଂଶ ଦିନେ ଦୋଳି ଶୟନ ବିହିଲେ ଯେ ।୪୬।
ଆସିଥିଲେ ବ୍ରହ୍ମଋଷି ଶୋଭାରାଶି ଚାହିଁ ।
ବିଚାରିଲେ କେତେ କଳ୍ପ ଶ୍ରମ କଲା ବିହି ଯେ ।୪୭।
ମୁଖ ହେବ ଏମନ୍ତ ବିଚାରି ପଦ୍ମ ବିଧୁ ।
ହସ୍ତ ବଳା କରି ଆଗୁଁ ଗଢ଼ିଥିଲା ସାଧୁ ।୪୮।
ତହୁଁ ବାସ ଆହାଲାଦ ଦର୍ପଣରୁ ଝଳି ।
ଲହରୀରୁ କୁଟିଳ ଅଞ୍ଜନପୁଞ୍ଜୁ କାଳି ।୪୯।
କୁରଙ୍ଗରୁ ତରଙ୍ଗ ବିଦ୍ରୁମୁ ରଙ୍ଗ ହରି ।
ଲବଣୀ ଶିରୀଷରୁ କୋମଳ ବଳେ ଜୁରି ଯେ ।୫୦ ।
ସୁବର୍ଣ୍ଣରୁ ବର୍ଣ୍ଣ ରାଜହଂସଠାରୁ ଗତି ।
ଏରୂପେ ଉପମାବର୍ଗ ଯେତେକ ଅଛନ୍ତି ଯେ ।୫୧।
ସବୁଠାରୁ ସାର ସାର ଭାଗ ଆଗ ଆଣି ।
ପୁରଟ ପ୍ରତିମା ପରି ରଚିଲା ରମଣୀ ଯେ ।୫୨।
କବି ଯେତେ ଥିଲେ ସୀଉକାର ତା ନ କଲେ ।
ବିଧାତା ବିଧାନ କାହୁଁ ହେବ ଏ ବୋଇଲେ ଯେ ।୫୩।
ଦେଖ ପଦ୍ମ ଲପନଶୋଭାକୁ ଯାର ହାରି ।
ଚରଣତଳେ ଶରଣ ପଶିଅଛି ଡ଼ରି ଯେ ।୫୪।
ପଦ୍ମଜାତ ସିନା ବିହି ବିହିଲା କେମନ୍ତେ ।
ଏମନ୍ତ ସନ୍ନତ ହେଲା ସମସ୍ତଙ୍କ ଚିତ୍ତେ ଯେ ।୫୫।
ସର୍ବମତେ ସର୍ବ ଶୋଭା ସ୍ଥାନ ବୋଲି ବାଳୀ ।
ଲାବଣ୍ୟବତୀ ନାମକୁ ଦେଲେ ଭାଳି ଭାଳି ଯେ ।୫୬।
ବଳକ୍ଷ ପକ୍ଷର କଳାକର କଳା ପରି
ଦିନୁଦିନୁ ଶୋଭାବୃଦ୍ଧି ନରେନ୍ଦ୍ରକୁମାରି ।୫୭।
କେତେ ଦିନେ ଉଭା ଭିତ୍ତି ଧରି ବିମ୍ବାଧରୀ ।
କରିଗମନରେ ପୁଣି ମହୀ ଶୋଭା କରି ଯେ ।୫୮।
ରଜନୀକରବଦନା ରଜ-ନିକରରେ ।
କରଇ ଖେଳ ରଚନା ଶିଶୁଙ୍କ ସଙ୍ଗରେ ଯେ ।୫୯।
ରବି ରଥ ରଖେ ବଶ ହୋଇ ତା ସୁଷମେ ।
ଏଣୁକରି ଦୀର୍ଘ ଦିନ ଜାଣିଲି ଗ୍ରୀଷମେ ଯେ ।୬୦ ।
ବିଶ୍ବସୃକ ବିଶ୍ବକର୍ମା ଶିଳ୍ପୀହୋଇ ଗୋପ୍ୟେ ।
ନିର୍ମାଣି ବାରଣଦନ୍ତପିତୁଳା ତା ରୁପେ ଯେ ।୬୧।
ଉପି ଲେପି କୁଙ୍କୁମ ଦିଅନ୍ତି ନେଇ କରେ ।
ହେବ କି ନୋହିବ ସମ ଏମନ୍ତ ଶଙ୍କାରେ ଯେ ।୬୨।
ମନକୁ ନ ଆସି ଆରଦିନ ଚିତ୍ରକର ।
ହୋଇ ଚିତ୍ରେ ବିଚିତ୍ର ଲେଖନ୍ତେ ଶୋଭା ତାର ଯେ ।୬୩।
ତଥାପି ସୁଷମା ସମା ପ୍ରତିମା ତ ନୋହି ।
ଶୋଭାକୁ ବର୍ଣ୍ଣନ୍ତି କବି ବୃତ୍ତ କରି ତହିଁଯେ ।୬୪।
ଏମନ୍ତ ଯଶ ଜେମାର ଜଗତେ ଶୁଭିଲା ।
ଯୋଗୀ ଜୟ ମୋହନାସ୍ତ୍ର ମାର ଭିଆଇଲା ଯେ ।୬୫।
ଏ ବିଚାରେ ମହେଶ ପାଷାଣ ହେଲେ କିବା ।
ଯୁବା ହେବାଯାଏ ଆଉ ଶରିରେ ନ ଥିବା ଯେ ।୬୬।
ପଢ଼ାଶୁକେ ଶିଳାଧୂପ କୋକିଳେ ବରଷା
ହୋଇଲା ପାଠ ପଠନ କାଳ ମୃଦୁ ଭାଷା ଯେ ।୬୭।
ସରସ୍ୱତୀ ଗୋଚରରେ ବିଦ୍ୟା ଥିଲା ଯେତେ ।
ଦେଲେ କହି ଶୋଭା ଦ୍ୱନ୍ଦ୍ୱ ନ କରିବୁ ମୋତେ ଯେ ।୬୮।
ଲଜ୍ଜାପଟ୍ଟମହିଷୀକି ଘେନି ଯଉବନ -
ରାଜା ଆସି ଆକର୍ଷିଲା ଅଙ୍ଗଦେଶମାନ ଯେ ।୬୯।
ପାତ୍ର ଉର ନିତମ୍ବ ଜଘନ ଉରୁ ସତ
ଶାଢ଼ୀ ପାଇ ଏମାନେ ହୋଇଲେ କୂତକୃତ୍ୟ ଯେ ।୭୦ ।
କୁଚ ଅଙ୍କୁରିବାରେ ବସନ ଉଚ୍ଚ ଦିଶେ
ହୃଦୟବେଦୀରେ ଅଭିଷେକ କୁମ୍ଭ କି ସେ ଯେ ।୭୧।
ଏ ସମୟ ମାହୁନ୍ତ ସୁନ୍ଦରୀ-ମତ୍ତକରୀ
ଅନ୍ତପୁର ଟୋପରେ ରଖିଲା ବଳେ ଧରି ଯେ ।୭୨।
ନେତ୍ରାଞ୍ଚଳେ ଚଞ୍ଚଳ ପ୍ରବେଶ ହେଲା ଆସି
ଚତୁରୀ ଚିଲ୍ଲୀ ଚାତୁରୀମାନଙ୍କୁ ପ୍ରକାଶି ।୭୩।
ଏ ପ୍ରତୀତି ଯୁବାଜିତ ଇଚ୍ଛା କରି ଭୀରୁ
ଶର ବିନ୍ଧ ଶିଖେ କି ସଂସାର-ଗୁରୁଠାରୁ ଯେ ।୭୪।
ସୁନ୍ଦରୀ ସଂସାରେ ସେ ହେବାରୁ ଚକ୍ରବର୍ତ୍ତୀ
ଦେଲା କି ପ୍ରତିଅଙ୍ଗରେ ଭୂପତି ସମ୍ପତ୍ତ ଯେ ।୭୫।
କୁନ୍ତଳ ଦେଶରେ ଚୁଡ଼ା ଶୋଭା କରାଇଲା ।
ବିଦର୍ଭରେ ହାସକୁ ପ୍ରଭୁତ୍ୱ ପଣ ଦେଲା ଯେ ।୭୬।
ମାଳବରେ କଣ୍ଠକୁ ମଣ୍ଡତ କଲା ନେଇ
ଚୋଳରେ ଶୋଭିତ କଲା ଉରଜକୁ ଯହିଁ ଯେ ।୭୭।
କାଞ୍ଚୀରେ ରଞ୍ଜନ କଲା ମଧ୍ୟକୁ ନିରତ
କନକ କଟକେ କଲା ପାଦକୁ ପୂଜିତ ଯେ ।୭୮।
ମଣି ରମଣୀମଣିକି ଶାଣ ଯଉବନ
ବହୁମୁଲ୍ୟ ପ୍ରଭାକୁ ବଢ଼ାଇ ଦିନୁ ଦିନ ଯେ ।୭୯।
ଉପମା ଆଣିବ କାହୁଁ ମହାକବି ହେଲେ
ସୁନ୍ଦରେ ଯାହା ଅଙ୍ଗରେ ସୁନ୍ଦର ହୋଇଲେ ଯେ ।୮୦ ।
ଜୟ ଜଗନ୍ନାଥ ରାମ ଶ୍ରେୟର ନିଳୟ
ମୁନିଗଣ କାମଦାୟ ପଦ୍ମବାସୀ ପ୍ରିୟ ହେ ।୮୧।
ଉପଇନ୍ଦ୍ର ଭଞ୍ଜ ବୀରବରର ଭାବିତ
ନିର୍ଦ୍ଦୋଷରେ ଏହି ଗୀତ ହୋଉ ସମାପତ ।୮୨।