ଶୂନ୍ୟ ବ୍ରହ୍ମକୁ ହେ
ଶୂନ୍ୟ ବ୍ରହ୍ମକୁ ହେ
ଭୀମ ଭୋଇ
ଶୂନ୍ୟ ବ୍ରହ୍ମକୁ ହେ,
ଦେଖିବ ଯେମନ୍ତେ ଜ୍ଞାନ ଡୋଳେ ।
କଳ୍ପନାକୁ କାଟି ଜନ୍ମ ମୃତ୍ୟୁ ମେଣ୍ଟି
ଏକ୍ୱୈଶ ପୁରକୁ ଜିଣିଗଲେ । ଘୋଷା ।
ଅନନ୍ତ ବାସୁକୀ ଅଷ୍ଚକୁଳା ନାଗ ସପତ ସିନ୍ଧୁକୁ ଡେଇଁଗଲେ । ଚଉଦ ବ୍ରହ୍ମାଣ୍ଡ ପୃଥ୍ୱୀ ନବଖଣ୍ଡ ଅନୁଭବ ସୂତ୍ରେ ବୁଝିଥିଲେ ।୧।
ତିନି ସତାଇଶ ଏକ୍ୱୈଶ ଭୁବନ ସେ ଜିଣି ପାରିବ ଏକାବେଳେ । କାଳିବାସୀ ନୁହେଁ ଏକ ବ୍ରହ୍ମପାଦ ସ୍ୱଦେହରେ ମିଳେ ତତକାଳେ ।୨।
ଦାରୁ ପ୍ରତିମା ମୂର୍ତ୍ତି ଦେବୀ ଦେବତା ସବୁଠାରୁ ଚିତ୍ତ ଛାଡିଦେଲେ । ମନ୍ତ୍ର ଯନ୍ତ୍ର ତନ୍ତ୍ର ଚାରିବେଦ ସବୁ ଏମାନଙ୍କୁ ଏଡି ଚାଲିଗଲେ ।୩।
ନବଲକ୍ଷ ତାରା ବିରାଟ ସୁରାଟ ମହାରାଟ ସବୁ ପଛ କଲେ । ପୃଥ୍ୱୀ ଆପ ତେଜ ବାୟୁ ଯେ ଆକାଶ ଏମାନଙ୍କୁ ଟିକେ ନ ଚାହିଁଲେ ।୪।
ପଡିଅଛି ବଜ୍ର କିଳଣୀ କବାଟ ସକାମ ନିଷ୍କାମ ଦୁଇ ମେଳେ । କାମନା କଳ୍ପନା ସେଠାରୁ ଛିଡିଛି ସକାମରେ ନ ପଡିଲେ ଭୋଳେ ।୫।
ଠୁଳ ଶୂନ୍ୟପରେ ଅମନ ମନ୍ଦିରେ ତହିଁକି ବଚନ ନାହିଁ ଚଳେ । ତର ତର ହୋଇ ବୋଲେ ଭୀମ ଭୋଇ ପଡି ଶ୍ରୀଗୁରୁଙ୍କ ପାଦ ତଳେ ।୬।