ଶ୍ୟାମ ଅପବାଦ ମୋତେ ଲାଗିଥାଉ

ଉଇକିପାଠାଗାର‌ରୁ
ଶ୍ୟାମ ଅପବାଦ ମୋତେ ଲାଗିଥାଉ
ଲେଖକ/କବି: ଗୋପାଳକୃଷ୍ଣ ପଟ୍ଟନାୟକ

ଶ୍ୟାମ ଅପବାଦ ମୋତେ ଲାଗିଥାଉ
(ରାଗ: ଝଞ୍ଜୋଟୀ- ମିଶ୍ରଚାପ )


ଶ୍ୟାମ ଅପବାଦ ମୋତେ ଲାଗିଥାଉ ରେ ପ୍ରାଣସହି!
ନିତି ସେହି ଚିନ୍ତାରେ ମୋ ଦିନ ଯାଉ ରେ। ପଦ।

ଚାହିଁ ଦେଲେ ଥରେ ସେ ଶ୍ରୀମୁଖ
କୋଟିଏ କୋଟି ଜନ୍ମର ଦୁଃଖ
ଲିଭି ଯାଇଛିରେ ପରାଣମିତଣି
ଯେ ଯେତେ ବୋଲିବ ବୋଲୁଥାଉ। ୧।

ବିନୟ ବାରାଧି ମୃଦୁ ବାଣୀ
ଶ୍ରୁତି ପଥରେ ଯେ ଥିବ ଶୁଣି
ପୀୟୂଷାଶନ ଜନଙ୍କୁ ଧନ୍ୟ ବୋଲି
ବୋଲିବ କି ତା ମୁଖରେ ଥାଉ। ୨।

ବାଡ଼ ଭିତ୍ତିକି ବୋଇଲା ପରି
ବୋଲୁଥିଲେ ହେଲେ ବ୍ରଜନାରୀ
ଶୁଣି ନ ଶୁଣିଲା ପରି ମୁଁ ଯାଉଛି
ଆଡ଼ ଉହାଡରେ ଶବଦାଉ। ୩।

ଗୋପାଳକୃଷ୍ଣ ବୋଲଇ ଧୀରେ
ବାଚାଳୀ କୁଟିଳ ଚାପଲ୍ଯ ରେ
ବରଜନଗର ଯାକ ସ୍ଫୁଟହେଲା
ସଦାବେଳେ ହେଉ ରାଉ ରାଉ। ୪।