ସବୁରି ସବୁ ଅଛି

ଉଇକିପାଠାଗାର‌ରୁ
ସବୁରି ସବୁ ଅଛି
ଲେଖକ/କବି: ରଘୁ ଅରକ୍ଷିତ

ସବୁରି ସବୁ ଅଛି

 

ସବୁରି ସବୁ ଅଛି ମୋହର କେହି ନାହିଁ
ଏକା ମୋ ପ୍ରଭୁ ଜଗନ୍ନାଥ ।
ତୁମ୍ଭରି ନାମ ଧରି ବିଷ ମୁଁ ଭକ୍ଷି ଅଛି
ସେ ମୋତେ ହୋଇଛି ଅମୃତ, ହେ ମହାବାହୁ ।୧।

ବାଲିରେ ପଡ଼ିଥାଇ ନୀଳଚକ୍ରକୁ ଚାହିଁ
ପ୍ରାଣ ମୋ ଶେଷ ହେଉଥାଇ ।
ବାଲିରେ ପଡ଼ିକରି ମାଂସକୁ ମିଳାଇବି
ଚକ୍ର ଉହାଡ଼ି ଥିବ ଧ୍ୟାୟି, ହେ ମହାପ୍ରଭୁ ।୨।

ସାଧୁମାନଙ୍କ ସଙ୍ଗେ ଦିନ ବଞ୍ଚିବି ରଙ୍ଗେ
ତୁମ୍ଭ ଚରଣେ ଚିତ୍ତ ଥାଉ ।
ଛଡ଼ାତୁଳସୀ ମୁଣ୍ଡେ ନିର୍ମାଲ୍ୟ ଥିବ ତୁଣ୍ଡେ
ହା-କୃଷ୍ଣ ବୋଲି ପ୍ରାଣ ଯାଉ, ହେ ମହାପ୍ରଭୁ ।୩।

ବଗଡ଼ା ଅନ୍ନ ସଙ୍ଗେ ବଡ଼ି ମହୁର ରଙ୍ଗେ
ସେବାରେ ପୁରାଇବି ପେଟ ।
କଳାରାହାଟଠାରେ ଦର୍ଶନ କରୁଥିବି
ଛାମୁରେ ଧରି ମୁଁ ଆଲଟ, ହେ ମହାପ୍ରଭୁ ।୪।

ୟେମନ୍ତେ କହୁ ଅଛି ଶୁଣ ହେ ଶିରୀବତ୍ସି
ରୁକୁଣା ଦେବୀଙ୍କର କାନ୍ତ ।
ରଘୁ ଅର୍କ୍ଷିତ ଏହୁ ଭାବରେ ଭଣିଲେ
ଏଥୁ ଉଦ୍ଧର ଜଗନ୍ନାଥ, ହେ ମହାପ୍ରଭୁ ।୫।