ସାବିତ୍ରୀ ଓଷା

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ସାବିତ୍ରୀ ଓଷା
ଲେଖକ/କବି: ବୁଦ୍ଧିଆ

       
ବନ୍ଦଇ ଦେବ ନାରାୟଣ । ଅନାଦି ପରମ କାରଣ ॥
ଜଗତ ହିତେ ଦେହଧାରୀ । ଧରାରେ ଧର୍ମ ରକ୍ଷାକାରୀ ॥
ସକଳ ବ୍ରତର କାରଣ । ଶ୍ରୀକୃଷ୍ଣ ସ୍ୱୟଂ ଭଗବାନ ॥
କୃଷ୍ଣଙ୍କୁ ଯୁଧିଷ୍ଠିର ଦିନେ । ପଚାରି ଦେଲେ ସଖାପଣେ ॥
କୁହ ହେ ଜଗତ ଗୋସାଇଁ । ଜଗତ ହିତେ ଦୟାବହ ॥
କି ବ୍ରତ କଲେ ନାରୀମାନେ । ହୋଇବେ ସୁଖୀ ସବୁଦିନେ ॥
ଶଙ୍ଖା ସିନ୍ଦୂର ବଜ୍ର ହେବ । କୋଳରେ ଶିଶୁ ଖେଳୁଥିବ ॥
ସୌଭାଗ୍ୟବତୀ ଧନବତୀ । ହେବେ ସେ ପତିବ୍ରତା ସତୀ ॥
ବୈଧବ୍ୟ ଦଶା ନଭୋଗିବେ । ମରଣେ ସ୍ୱର୍ଗ ପ୍ରାପ୍ତ ହେବେ ॥
ଧର୍ମରାଜଙ୍କ ବାକ୍ୟ ଶୁଣି । ହସି କହନ୍ତି ଚକ୍ରପାଣି ॥
ସଧବା ନାରୀମାନଙ୍କର । ସକଳ ବ୍ରତ ମଧ୍ୟେ ସାର ॥
ସାବତ୍ରୀ ବ୍ରତ ଅଟେ ସେହି । ସେ କଥା ଶୁଣ ମନ ଦେଇ ॥
ଜ୍ୟେଷ୍ଠମାସର କୃଷ୍ଣପକ୍ଷ । ଅମାବାସ୍ୟାକୁ କର ଲକ୍ଷ୍ୟ ॥
ସାବିତ୍ରୀ ଉଆଁସଟି ସେହି । ସେ ଦିନ ବ୍ରତ ଯେ ଅଟଇ ॥
ବ୍ରତର ଫଳ ସ୍ୱରୂପରେ । ଯେ ସୁଖ ମିଳଇ ମର୍ତ୍ତ୍ୟରେ ॥
ତାହାର ନାହିଁ ପଟ୍ଟାନ୍ତର । ଶୁଣ ହେ ପା¨ବ ପ୍ରବର ॥
ମଦ୍ର ଦେଶର ନରପତି । ତାହାଙ୍କ ନାମ ଅଶ୍ୱପତି ॥
କୌଶଲ୍ୟା ରାଣୀଙ୍କର ନାମ । ଧନଧାନ୍ୟରେ ରାଜ୍ୟ ପୂର୍ଣ୍ଣ ॥
ପ୍ରଜାବତ୍ସଳ ଅଶ୍ୱପତି । ନ୍ୟାୟରେ ରାଇଜ ପାଳନ୍ତି ॥
ରାଜାରାଣୀଙ୍କ ବଡ଼ ଚିନ୍ତା । ନଥାଏ ପୁତ୍ର କି ଦୁହିତା ॥
କୋଳରେ ନଥିଲେ ସନ୍ତାନ । ପୂର୍ଣ୍ଣତା ନଲଭେ ଜୀବନ ॥
ରାଜାରାଣୀ ଯେ ଦୁଃଖେ ଥିଲେ । ଏଥକୁ ଉପାୟ ଚିନ୍ତିଲେ ॥
ସାଧୁ ପଣ୍ଡିତ ମତ ନେଲେ । ସାବିତ୍ରୀ ଯଜ୍ଞ ଆରମ୍ଭିଲେ ॥
ଅଠର ବର୍ଷ ଅବିରତ । ଚାଲିଲା ହୋମାହୁତି ମନ୍ତ୍ର ॥
ପୂର୍ଣ୍ଣାହୁତିର ପୂର୍ବ ନିଶି । ସପନେ ରାଣୀ ହେଲେ ଖୁସି ॥
ସୁନ୍ଦର ଝିଅଟିଏ କେହି । ମାଆ ମାଆ ବୋଲି ଡାକଦେଇ ॥
ରାଣୀଙ୍କ କୋଳରେ ଖେଳୁଥିଲା । ପନ ଶେଷେ ଚାଲିଗଲା ॥
ପ୍ରଭାତେ ରାଜାପାଶେ ରାଣୀ । କହିଲେ ଏସନ କାହାଣୀ ॥
ଉଭୟେ ଚିନ୍ତାମଗ୍ନ ଥାଇ । ଚଳିଲେ ପୂର୍ଣ୍ଣାହୁତି ପାଇଁ ॥
ଅନ୍ତିମ ଆହୁତି କାଳରେ । ଦିଶିଲେ ଯଜ୍ଞ ଅନଳରେ ॥
ଅପୂର୍ବ ଜ୍ୟୋତିର୍ମୟୀ ଦେବୀ । ତେଜରେ କପିଂଲା ପୃଥିବୀ ॥
କହିଲେ ଶୁଣ ରାଜାରାଣୀ । ମୁଁ ଏହି ଯଜ୍ଞ ସ୍ୱରୂପିଣୀ ॥
ମୋ ନାମ ଅଟେ ଯେ ସାବିତ୍ରୀ । ହେବାକୁ ତୁମ ବରଦାତ୍ରୀ ॥
ନିର୍ଦ୍ଦେଶ ଦେଲେ ମୋତେ ସ୍ରଷ୍ଟା । ଧନ୍ୟ ହେ ତୁମ ଭକ୍ତିନିଷ୍ଠା ॥
ନିଜେ ମୁଁ ଅତ୍ୟନ୍ତ ପ୍ରସନ୍ନ । ସେଲାଗି କଲି ବରଦାନ ॥
ଲଭିବ ତୁମେ କନ୍ୟାରତ୍ନ । ପୁତ୍ରକୁ ନରକରିବ ମନ ॥
ଶତପୁତ୍ରର ସୁଖଶିରୀ । ସେ କନ୍ୟା ଏକ ଦେବ ଭରି ॥
ଚକିତେ ସର୍ବେ ଚାହିଁଥିଲେ । ସାବିତ୍ରୀ ଅନ୍ତର୍ଦ୍ଧାନ ହେଲେ ॥
ଯଜ୍ଞରେ ପୂର୍ଣ୍ଣାହୁତି ସାରି । ଯେ ଯାହା ଗୃହେ ଗଲେ ଫେରି ॥
ସପନେ ଦେଖିଥିଲେ ରାଣୀ । ସେଥିଲା ସପନ କାହାଣୀ ॥
ଘଟିଲା ଯଜ୍ଞଶାଳେ ଯାହା । ଅସତ୍ୟ କେ କହିବ ତାହା ॥
ଯାଇଛି ଅଳ୍ପଦିନ ବିତି । ରାଣୀ ଯେ ହୋଇଲେ ରଜୋବତୀ ॥
ରାଜାଙ୍କୁ ଚାହିଁ ଦେଲେ ହସି । ପ୍ରୀତିର ଅମୃତ ବରଷି ॥
ଆସିଲା ମନେ ଆଶାକଳି । ମରୁରେ ମାରିଲା ବିଜୁଳି ॥
ଉଚିତ ସମୟ ଅନ୍ତରେ । ସେ ଏକ ଅମୃତ ଲଗ୍ନରେ ॥
ସ୍ୱର୍ଗ ସୁନ୍ଦରୀ କନ୍ୟାରତ୍ନ । ରାଣୀଙ୍କ କେଳେ ନେଲା ଜନ୍ମ ॥
ସାବିତ୍ରୀ ଯଜ୍ଞ ପୁଣ୍ୟ ଫଳେ । ସେ କନ୍ୟ ଜନମିଲା କୋଳେ ॥
ପିତାମାତା ଯେ ପାତ୍ରମନ୍ତ୍ରୀ । ତା ନାମ ରଖିଲେ ସାବିତ୍ରୀ ॥
ଶୁକ୍ଲପକ୍ଷର ଶଶୀ ପରି । ବଢ଼ିଲା ସାବିତ୍ରୀ କୁମାରୀ ॥
ଛୁଇଁଲା ଯେବେ ଯଉବନ । ପିତାମାତା ଯେ ଚିନ୍ତାମଗ୍ନ ॥
ନଖୋଜି କନ୍ୟା ପାଇଁ ବର । ଡକାଇ ଦେଲେ ସ୍ୱୟମ୍ୱର ॥
ଆସିଲେ ଯେତେ ଯୁବରାଜ । ବାହୁଡ଼ି ଗଲେ ପାଇ ଲାଜ ॥
ସାବିତ୍ରୀଙ୍କର ତେଜ ଜ୍ୟୋତି । ମନରେ ତାଙ୍କ ଦେଲା ଭୀତି ॥
ନିଜକୁ ଅଯୋଗ୍ୟ ବିଚାରି । ଯେ ଯାହା ବାଟେ ଗଲେ ଫେରି ॥
ସ୍ୱୟମ୍ୱର ଯେ ଭାଙ୍ଗିଗଲା । ଏ ବଡ଼ ପ୍ରମାଦ ହୋଇଲା ॥
ଉପାୟ ନପାରିଲେ ଜାଣି । ଚିନ୍ତାରେ ଥିଲେ ରାଜାରାଣୀ ॥
ବିନେ ମା¨ବ୍ୟ ଋଷିବର । ପ୍ରବେଶି ରାଜାଙ୍କ ନଅର ॥
କୁଶଳ ବାର୍ତ୍ତା ପଚାରିଲେ । ସକଳ ବିଷୟ ଶୁଣିଲେ ॥
ଉପାୟ ଏକ ଭାବିଚିନ୍ତି । କହିଲେ ଶୁଣ ଅଶ୍ୱପତି ॥
ନିଜର ସ୍ୱାମୀ ନିଜେ ବାଛି । କହିବ ତୁମକୁ ସାବିତ୍ରୀ ॥
ଦିଅ ବିହିତ ଅନୁମତି । ସାବିତ୍ରୀ ଖୋଜୁ ନିଜ ପତି ॥
ରାଜା ଯେ ଅନୁମତି ଦେଲେ । ବିହିତତ ଆୟୋଜନ କଲେ ॥
ସଖୀମାନଙ୍କୁ ସଙ୍ଗେ ଧରି । ରଥରେ ଚଳିଲେ ସାବିତ୍ରୀ ॥
ଭୂମି ନଗର ଗିରିଜନ । ଦେଖିଲେ ରମ୍ୟ ତପୋବନ ॥
ସେ ତପୋବନ ଆଶ୍ରମରେ । ଋଷି ତପସ୍ୱୀ ଗହଣରେ ॥
ଥିଲେ ଯୁବକ ଜଣେ କେହି । ଦେବ ସୁଲଭ ରୂପ ବହି ॥
ତପୋବନେ ସେ ତପୋଧନ । ତେଜରେ ସମ୍ଭ୍ରାନ୍ତ ଲକ୍ଷଣ ॥
ଦେଖି ସେ ଯୁବକମଣିକ । ପ୍ରୀତି ଛୁଇଁଲା ସାବିତ୍ରୀକୁ ॥
ଦେଲା ସେ ମନପ୍ରାଣ ବିକି । କହିଲା ଫେରିଚାଲ ସଖୀ ॥
ସର୍ବ ଶୁଭରେ ବାହୁଡ଼ିଲେ । ପ୍ରାସାଦେ ପ୍ରବେଶ ହୋଇଲେ ॥
ଏ କାଳେ କରି ବୀଣାବାଦ୍ୟ । ପ୍ରବେଶ ହୋଇଲେ ନାରଦ ॥
ତାହାଙ୍କ ପାଦେ ଢାଳି ମତି । ନମିଲେ ରାଜା ଅଶ୍ୱପତି ॥
ସାବିତ୍ରୀ କଲେ ପ୍ରଣିପାତ । ନାରଦ ଦିଶିଲେ ଚିନ୍ତିତ ॥
କହିଲେ ଶୁଣ ଅଶ୍ୱପତି । ଉଚିତ ନୁହେଁ ତୁମ ନୀତି ॥
ଏହି ଯେ ବିଧିର ବିଧାନ । ଦେବାକୁ ହେବ କନ୍ୟାଦାନ ॥
ତୁରନ୍ତ ଦାନ ମହାପୁଣ୍ୟ । ହୁଅ ହେ ରାଜା ସାବଧାନ ॥
କହିିଲେ ରାଜ ଯୋଡ଼ି ହାତ । ମୁନିଙ୍କୁ ସକଳ ବୃତ୍ତାନ୍ତ ॥
ସାବିତ୍ରୀ ଇଚ୍ଛା ଜାଣିବାକୁ । ନାରଦ ଚାହିଁଲେ ତାହାକୁ ॥
ସାବିତ୍ରୀ ହୋଇ ମଥାନତ । ତତ୍‌କ୍ଷଣେ ଦେଲେ ନିଜମତ ॥
ନିମିଷ ମାତ୍ର ହୋଇ ସ୍ଥିର । ବିବ୍ରତ ହେଲେ ମୁନିବର ॥
କହିଲେ ପତି ନାହୁଁ ବରି । ନିଜ ଦୁର୍ଭାଗ୍ୟ ଅଛୁ ବରି ॥
ଏବେ ବି ଅଛି ପ୍ରତିକାର । ସେ କଥା ମନୁ କର ଦୂର ॥
ନୋହିଲେ ବରଷ ଅନ୍ତରେ । ଯିବ ସେ ସ୍ୱାମୀ ଯମପୁରେ ॥
ସକଳ ଶିରୀ ହରାଇବୁ । ନିଶ୍ଚୟ ବିଧବା ହୋଇବୁ ॥
ଶୁଣି ଚକିତ ଅଶ୍ୱପତି । ମୁନିଙ୍କୁ କରିଲେ ମିନତି ॥
ଫିଟାଇ କୁହ ହେ ମହର୍ଷି । ତୁମେ ତ ତିନିକାଳଦର୍ଶୀ ॥
କିଏ ଯେ ଅଟେ ସେ ଯୁବକ । କି ପ୍ରତିକାରେ ଯିବ ଦୁଃଖ ॥
ନାରଦ କହିଲେ ବୁଝାଇ । ଶୁଣ ହେ ରାଜା ମନଦେଇ ॥
ଶାଲ୍ୱ ଦେଶର ରାଜା ସେହି । ଦ୍ୟୁମତସେନ ନାମ କହି ॥
ରାଣୀଙ୍କ ନାମ ମାଳବିକା । କରମ ବାମ ଭାଗ୍ୟ ବଙ୍କା ॥
ସେ ରାଜା ଚକ୍ଷୁ ହରାଇଲେ । ରାଜ୍ୟରୁ ବିତାଡ଼ିତ ହେଲେ ॥
ପୁତ୍ରର ନାମ ସତ୍ୟବାନ । କେ ବୋଲେ ପୁଣି ଚିତ୍ରସେନ ॥
ସର୍ବ ଲକ୍ଷଣେ ସୁପୁରୁଷ । ମାତ୍ର ଯେ ସେ ଅଳ୍ପାୟୁଷ ॥
ଆଜିଠୁ ମାତ୍ର ଏକ ବର୍ଷ । ରହିଛି ତାହାର ଆୟୁଷ ॥
ଆୟୁଷ ଯେବେ ଯିବ ପୂରି । କି ହେବ ପ୍ରତିକାର କରି ॥
ଶୁଣ ହେ ରାଜା ଅଶ୍ୱପତି । ଯାହାକୁ ବରିଛି ସାବିତ୍ରୀ ॥
ରାଜାଙ୍କ ମଥା ଗଲା ଘୂରି । ଝିଅକୁ କହିଲେ ସେ ଧରି ॥
ଜାଣୁ ଜାଣୁ ମୁଁ ତୋ ସିନ୍ଦୂର । ଦେଖିବି ନାହିଁ ଲିଭିବାର ॥
ଏଥିକୁ କର ପ୍ରତିକାର । ସିଦ୍ଧାନ୍ତ କର ଅନ୍ୟ ବର ॥
ନାରଦ ମୁନିଙ୍କୁ ସାବିତ୍ରୀ । କହିଲେ ଶୁଣ ମୋ ନିଷ୍ପତ୍ତି ॥
ମନରେ ଯାହାଙ୍କୁ ବରିଛି । ତାଙ୍କୁ ମୁଁ ସ୍ୱାମୀ ବିଚାରିଛି ॥
ମାତ୍ରକ ଅଛି ଲୋକାଚାର । ମୁଁ ହେବି କନ୍ୟା ସିଏ ବର ॥
ଅନ୍ୟ ପୁରୁଷେ ମନ ଦେଲେ । ଦୋଚାରୁଣୀ ମୁଁ ହେବି ଭଲେ ॥
ବିଧବା ପଛେ ହେବି ମୁହିଁ । ଅସତୀ କେବେ ହେବି ନାହିଁ ॥
ସାବତ୍ରୀ ବାକ୍ୟ ଶୁଣି ଯତି । ହୋଇଲେ ଆନନ୍ଦିତ ଅତି ॥
କହିଲେ, ହୁଅ ମହାସତୀ । ଜଗତେ ରହୁ ସତୀ ଖ୍ୟାତି ॥
ଶୁଣ ହେରାଜା ଅଶ୍ୱପତି । ଅନ୍ୟରେ ନବଳାଅ ମତି ॥
ସାବିତ୍ରୀ ସଙ୍ଗେ ସତ୍ୟବାନ । କର ବିବାହ ଆୟୋଜନ ॥
ସର୍ବ କୁଶଳେ ଥାଅ ରହି । ନାରଦ ଗଲେ ଦୂର ହୋଇ ॥
ଶୁଭ ଲଗ୍ନରେ ଆନନ୍ଦରେ । ସତ୍ୟବାନଙ୍କ ସଙ୍ଗତରେ ॥
ସାବିତ୍ରୀଙ୍କର ହସ୍ତଗଣ୍ଠି । ପଡ଼ିଲା ଧର୍ମ ସାକ୍ଷୀ ରଖି ॥
ବିତାଇ ତହିଁ କେତେ ଦିନ । ସାବିତ୍ରୀ ସଙ୍ଗେ ସତ୍ୟବାନ ॥
ଗୁରୁଜନଙ୍କୁ ପ୍ରଣମିଲେ । ବନ ପଥରେ ଚଳିଗଲେ ॥
ଶାଶୁ ଶ୍ୱଶୁର ସେବା କରି । ସ୍ୱାମୀ ସଙ୍ଗତେ ସୁକୁମାରୀ ॥
ଆନନ୍ଦେ ଦିନ ବିତାଇଲେ । ସ୍ନେହ ପ୍ରେମରେ ବୁଡ଼ିଗଲେ ॥
ଏମିତି କିଛିଦିନ ଗଲା । ଶେଷ ସମୟ ଆସି ହେଲା ॥
ନାରଦ ଯାହା କହିଥିଲେ । ସାବିତ୍ରୀ ମନେ ରଖିଥିଲେ ॥
ରହିଲା ଆଉ ଚାରି ଦିନ । ମୃତ୍ୟୁ ଲଭିବେ ସତ୍ୟବାନ ॥
ସତୀ ନାରୀର ପ୍ରଭୁ ସାହା । ବିପଦେ ବନ୍ଧୁ ଚଉବାହା ॥
ସୂର୍ଯ୍ୟ ଚନ୍ଦ୍ରମା ନବଗ୍ରହ । ମାଗନ୍ତି ଯାର ଅନୁଗ୍ରହ ॥
ସେ ପ୍ରଭୁ ଜୀବର ରକ୍ଷକ । ଜନ୍ମ ମରଣ ନିୟନ୍ତ୍ରକ ॥
ଚିତ୍ତେ ସାବିତ୍ରୀ କରି ଧ୍ୟାନ । ପୂଜିଲେ ଲକ୍ଷ୍ମୀ ନରାୟଣ ॥
ବଣରୁ ଫଳମୂଳ ଆଣି । ସାବିତ୍ରୀ ଛଡ଼ାଇଲେ ପାଣି ॥
ଦେଲେ ସେ ବ୍ରାହ୍ମଣ ଭୋଜନ । ଦାନ ଦକ୍ଷିଣା ବିଧିମାନ ॥
ସପରିବାର ଭୁଞ୍ଜାଇଲେ । ନିଜେ ସେ ଉପବାସ କଲେ ॥
ତୁେ¨ ଉଚ୍ଚାରି ପ୍ରଭୁ ନାମ । ଦେଲେ ବିତାଇ ତିନିଦିନ ॥
ହୋଇଲା ଜ୍ୟେଷ୍ଠ ଅମାବାସ୍ୟା । ସାବିତ୍ରୀ ମୁଖେ ନାହିଁ ଭାଷା ॥
କୁଠାର ହସ୍ତେ ସତ୍ୟବାନ । କହିଲେ ବନେ ଯିବି ଜାଣ ॥
ସଂଗ୍ରହ କଲେ କାଠଭାର । ଚଳିବା ସିନା ଏ ସଂସାର ॥
କହିଲେ ସାବିତ୍ରୀ ବୁଝାଇ । ଏକାକୀ ଆଜି ଯାଅ ନାହିଁ ॥
ଆଦେଶ କର ଏ ଦାସୀରେ । ଯିବାକୁ ତମ ସଙ୍ଗତରେ ॥
ହସି କହିଲେ ସତ୍ୟବାନ । ବଡ଼ ଦୁର୍ଗମ ଘୋର ବନ ॥
ଉପାସେ ତୁମେ ଅଛ ରହି । ଯିବାକୁ ତୁମ ଶାକ୍ତିନାହିଁ ॥
କହିଲେ ସାବିତ୍ରୀ ବୁଝାଇ । ତୁମେ ଶରୀର ମୁଁ ଯେ ଛାଇ ॥
ଶରୀର ମଧ୍ୟେ ଶକ୍ତି ଥାଏ । ଛାଇ ତା' ସାଥେ ସାଥେ ଯାଏ ॥
ନୀରବ ହେଲେ ସତ୍ୟବାନ । ମଉନ ସମ୍ମତି ଲକ୍ଷଣ ॥
ଶାଶୁ ଶ୍ୱଶୁର ଆଜ୍ଞା ନେଇ । ସାବିତ୍ରୀ ଗଲେ ସାଥି ହୋଇ ॥
ଘୋର ବନରେ ସତ୍ୟବାନ । କରିଲେ ବୃକ୍ଷ ଆରୋହଣ ॥
କାଠ ହାଣିବା ସରି ନାହିଁ । ଆସିଲେ ବୃକ୍ଷରୁ ଓହ୍ଲାଇ ॥
କହିଲେ ଶୁଣ ପ୍ରାଣ ସହି । ମଥା ମୋ ଦେଉଛି ଘୂରାଇ ॥
ଦିଶୁଛି ସବୁ ଅନ୍ଧକାର । ଚାଲିବା ଶକ୍ତି ନାହିଁ ମୋର ॥
ଶୁଣି ସାବିତ୍ରୀ ହେଲେ ବ୍ୟସ୍ତ । ଭୂମିରେ ପାରିଲେ ପଣତ ॥
ସ୍ୱାମୀଙ୍କ ମଥା କୋଳେ ରଖି । ବସି ନିମିଷେ ଗଲେ ଶଙ୍କି ॥
ସହଜେ ଘୋରବନ ସେହି । ସାହା ଭରସା ନାହିଁ କେହି ॥
ହେବ କି ମୁନି ବାକ୍ୟ ସତ୍ୟ । ହେବ କି ଶୂନ୍ୟ ଏ ସୀମନ୍ତ ॥
ଏକାଳେ ପୁଣି ସ୍ୟବାନ । ନୀରବେ ମୁଦିଲେ ନୟନ ॥
ଡାକିଲେ ନଦେଲେ ଉତ୍ତର । ନାହିଁ ଲକ୍ଷଣ ଜୀବନର ॥
ସାବିତ୍ରୀ କରିଲେ ରୋଦନ । କମ୍ପିଲଲା ବିଜନ କାନନ ॥
ସ୍ୱାମୀଙ୍କ ଗୁଣ ନ ବାହୁନି । ଡାକିଲେ ରଖ ଚକ୍ରପାଣି ॥
ଏକାଳେ ଦେବ ମୂର୍ତ୍ତିଟିଏ । ହୋଇଲେ ଉଭା ଛାୟା ପ୍ରାୟେ ॥
ଚକିତେ ସାବିତ୍ରୀ ଚାହିଁଲେ । କିଏ ସେ ବୋଲି ପଚାରିଲେ ॥
କହିଲେ ଜ୍ୟୋତିର୍ମୟ ମୂର୍ତ୍ତି । ମୁଁ ଅଟେ ନିଜେ ଜନ୍ତୁପତି ॥
ଯମ ମୁଁ ମୃତ୍ୟୁର ଦେବତା । ଅସହ୍ୟ ମୋର ନିଷ୍ଠୁରତା ॥
ଯାହାର ଆୟୁ ଶେଷ ହୁଏ । ପୁରକୁ ମୋର ଯାଏ ସିଏ ॥
ପଠାଇ ମୋର ଦୂତଗଣ । ନିଏ ମୁଁ ତାକୁ ତତକ୍ଷଣ ॥
ଯେହେତୁ ତୁମେ ମହାସତୀ । କୋଳେ ଧରିଛ ମୃତ ପତି ॥
ତୁମକୁ ଡରି ଦୂତ ମୋର । ବାହୁଡ଼ି ଗଲେ ମୋର ପୁର ॥
ସତ୍ୟବାନର ପ୍ରାଣ ପାଇଁ । ଆସିଛି ଏବେ ନିଜେ ମୁହିଁ ॥
ଆୟୁଷ ତାର ହେଲା ଶେଷ । ନେବାରେ ମୋର ନାହିଁ ଦୋଷ ॥
ସାବିତ୍ରୀ କରିଲେ ମିନତି । ଦୟା କର ହେ ଜନ୍ତୁପତି ॥
ସ୍ୱାମୀଙ୍କ ପ୍ରାଣ ଗଲେ ନେଇ । ବଞ୍ଚିବି କାହା ମୁଖ ଚାହିଁ ॥
ଯମ କହିଲେ ଶୁଣ ସତୀ । ଜନ୍ମିଥିଲେ ତ ମୃତ୍ୟୁ ଅଛି ॥
ସହଜେ ମୃତ୍ୟୁଦେବ ମୁହିଁ । ଦୟାର ମାନେ ନଜାଣଇ ॥
ସତ୍ୟବାନଙ୍କ ପ୍ରାଣ ନେଇ । ଗଲେ ଯେ ଯମ ଦୂର ହୋଇ ॥
ଫେରି ଚାହିଁଲେ ଖେ¨ ଦୂରେ । ସାବିତ୍ରୀ ଆସନ୍ତି ପଛରେ ॥
ଯମ କହିଲେ ହେଲ ବାଇ । ବୃଥାରେ ଆସ କାହିଁପାଇଁ ॥
ସାବିତ୍ରୀ କହିଲେ ଗୋସାଇଁ । ସ୍ୱାମୀଙ୍କ ପଥେ ଯାତ୍ରୀ ମୁହିଁ ॥
ସତୀନାରୀ ମୁଁ ପତିବ୍ରତା । ନାହିଁ ମୋ ଆଉ ଅନ୍ୟ ରାସ୍ତା ॥
ତୁମେ ତ ନିଜେ ର୍ମରାଜ । ଏତିକି କଥା ମନେ ହେଜ ॥
ଯମ କହିଲେ ଶୁଣ ସତୀ । ସନ୍ତୁଷ୍ଟ ହେଲି ତୁମ ପ୍ରତି ॥
ସତ୍ୟବାନର ପ୍ରାଣ ବିନା । ଯେ ବର ମାଗ ହେବ ଘେନା ॥
ସାବିତ୍ରୀ ମାଗିନେଲେ ବର । ଅନ୍ଧ ଅଟନ୍ତି ମୋ ଶ୍ୱଶୁର ॥
ଲଭନ୍ତୁ ଦୃଷ୍ଟି ଶକ୍ତି ସେହି । ମାଗୁଛି ଏହି ବର ମୁହିଁ ॥
'ତଥାସ୍ତୁ' କହି ଯମ ଧୀରେ । ଚଳିଲେ ମଇଁଷି ପିଠିରେ ॥
ଦେଖିଲେ କିଛି ବାଟ ଯାଇ । ସାବିତ୍ରୀ ପିଛା ଛାଡୁନାହିଁ ॥
କହିଲେ ଯମ ଦେଲି ବର । ପୁଣି କିମ୍ପାସଇଁ ପିଛା କର ॥
ସାବିତ୍ରୀ କହିଲେ ଗୋସାଇଁ । କି ପୁଣ୍ୟ କରିଥିଲି ମୁହିଁ ॥
ଦେଖିଲି ତୁମକୁ ନୟନେ । ଧନ୍ୟ ହୋଇଲି ଏ ଜୀବନେ ॥
ତୁମକୁ ଛାଡ଼ି ଯିବାପାଇଁ । ମନ ତ ମୋର ବଳୁନାହିଁ ॥
ସେପାଇଁ ଚାଲିଛି ମୁଁ ପଛେ । ଦୋଷ ଦେଉଛ ମୋତେ ମିଛେ ॥
ଶୁଣି ଆନନ୍ଦେ ଯମଦେବ । କହିଲେ ଆନ ବର ମାଗ ॥
ସତ୍ୟବାନର ପ୍ରାଣ ବିନା । ଯେ ବର ମାଗ ହେବ ଘେନା ॥
ସାବିତ୍ରୀ କହିଲେ ହେ ଦେବ । ଶ୍ୱଶୁରଙ୍କ ହେଉ ରାଜ୍ୟଲାଭ ॥
'ତଥାସ୍ତୁ' କହି ଯମ ଗଲେ । ସାବିତ୍ରୀ ପୁଣି ପିଛା କଲେ ॥
ପଛକୁ ପୁଣି ଚାହିଁ ଯମ । କହିଲେ ଏ ବଡ଼ ବିଷମ ॥
ଦେଲି ତୁମକୁ ବେନି ବର । କାହିଁକି ପୁଣି ପିଛା କର ॥
ବିନୟେ କହିଲେ ସାବିତ୍ରୀ । ତୁମେ ଯେ ନ୍ୟାୟବନ୍ତ ଅତି ॥
ନ୍ୟାୟ ତ ଦେଲନାହିଁ ମୋତେ । ତୁମକୁ ଛାଡ଼ିବି କେମନ୍ତେ ॥
ଶ୍ୱଶୁର ସିନା ହେବେ ସୁଖୀ । ପିତା ଯେ ମୋର ବଡ଼ ଦୁଃଖୀ ॥
ଦୁହିତା ଦୁଇ କୁଳେ ହିତା । ସେ ପାଇଁ ମୋର ବଡ଼ ଚିନ୍ତା ॥
ତାଙ୍କ ଔରସୁ ଶତପୁତ୍ର । ଜନ୍ମି ରଖନ୍ତୁ ବଂଶ ଗୋତ୍ର ॥
ମାଗୁଛି ଏହି ବର ମୁହିଁ । ବିଚାର ନ୍ୟାୟ ଧର୍ମ ତୁହି ॥
ପିତା ଶ୍ୱଶୁର ଦୁହେଁ ଏକା । ମାଗୁଛି ତେଣୁ ଏହି ଭିକ୍ଷା ॥
'ତଥାସ୍ତୁ' କହି ଯମ ଗଲେ । ସାବିତ୍ରୀ ନଛାଡ଼ନ୍ତି ଭଲେ ॥
ପୁଣି ଚାଲିଲେ ପଛେ ପଛେ । ଛାୟା ଯେମିତି କାୟା ସାଥେ ॥
ପଚକୁ ଚାହିଁ ଯମ ରାଜା । କହିଲେ ଏବେ ଯା ଫେରିଯା' ॥
ସତୀତ୍ୱ ବଳେ ଏତେ ପଥ । ଆସିଲ ତୁମେ ଏହା ସତ୍ୟ ॥
ଏପାରି ଶେଷ ସୀମା ଏହି । ତୁମେ ହେଲ ମରଦେହୀ ॥
ସେପାରି ସୀମା ଛୁଇଁବାକୁ । କେହି ଯେ ନଦେବେ ତୁମକୁ ॥
ଏଠାରୁ ହେବି ଅନ୍ତର୍ଦ୍ଧାନ । ସେ ପାରି ଅଟେ ମହାଶୂନ୍ୟ ॥
ପାଇବ ନାହିଁ ଆଉ ମୋତେ । ଫେରିଯା' ସତୀ ନିଜ ପଥେ ॥
ସାବିତ୍ରୀ କହିଲେ ଠାକୁରେ । କିଲାଭ ଏହି ଜୀବନରେ ॥
ବୁଝେନା ଏପାରି ସେପାରି । କାହିଁକି ଅବା ଯିବି ଫେରି ॥
ସୂର୍ଯ୍ୟଙ୍କ ପୁତ୍ର ତୁମେ ନିଜେ । ଦିଅ ହେ ଜାଳି ତୁମ ତେଜେ ॥
ନହେଲେ ହୋଇବ ପ୍ରଘଟ । ଆଣିଲ ତୁମେ ଏତେ ବାଟ ॥
ଗୋଟିକୁ ଗୋଟି ବର ଦେଇ । ମାୟାରେ ଆଣିଲ କଢ଼ାଇ ॥
ଅବଳା ପ୍ରତି ଅବିଚାର । ନୁହେଁ ତ ଉଚିତ ବେଭାର ॥
ଶୁଣି ବିଚାର କଲେ ଯମ । ଏ କଥା ହେଲାଣି ବିଷମ ॥
କହିଲେ ଶୁଣ ନାରୀବର । ଚତୁର୍ଥ ବର ମାଗିପାର ॥
ସତ୍ୟବାନର ପ୍ରାଣ ବିନା । ଯାହା ମାଗିବ ହେବ ଘେନା ॥
ଆଉ ମୁଁ କିଛି ନଶୁଣିବି । ତୁରନ୍ତ ମାଗ ଚାଲିଯିବି ॥
ଯମ ଯେ ହେଲେ ତରବର । ସାବିତ୍ରୀ ମାଗି ଦେଲେ ବର ॥
ସ୍ୱାମୀଙ୍କ ଔରସରୁ ମୋର । ହୁଅନ୍ତୁ ଶହେଟି କୁମର ॥
'ତଥାସ୍ତୁ' ବୋଲି ଯମ କହି । ଚାଲିଲେ ଆଗକୁ ମୁହାଁଇ ॥
ପଛରେ ଧାଇଁଲେ ସାବିତ୍ରୀ । ଚକିତ ହେଲେ ଯମ ଦେଖି ॥
କ୍ତ୍ସୋରାଧରେ କହିଲେ ବଚନ । ସରିଛି ମୋର ବରଦାନ ॥
ବୃଥାରେ ଆସ କାହିଁପାଇଁ । ମୋଠାରେ ପ୍ରୟୋଜନ ନାହିଁ ॥
କହୁଛି ଶେଷକଥା ମୋର । ତୁରନ୍ତ ଫେରିଯାଅ ଘର ॥
ମୋ କଥା କରିଲେ ଅମାନ୍ୟ । ଭୋଗିବ ତାର ପରିଣାମ ॥
ବିନୟେ ସାବିତ୍ରୀ କହିଲେ । ମୋ କଥା ଶୁଣଟିକେ ଭଲେ ॥
ତୁମେ ଯେ ସଂଯମୀ ପୁରୁଷ । ଶୋଭେନା ତୁମଠାରେ ରୋଷ ॥
ବିଜ ବଚନ ନିଜେ ଭୁଲି । କହୁଛ ଯିବାପାଇଁ ଚାଲି ॥
ସତ୍ୟ ହାରିବ ତୁମେ ଯେବେ । କି ଯଶ ଅରଯିବ ତେବେ ॥
ସ୍ୱାମୀଙ୍କ ଔରସରୁ ମୋର । ଜନ୍ମ ନେବେ ଶହେ କୁମର ॥
ଏ ବର ତୁମେ ତ ଦେଇଛ । ସ୍ୱାମୀଙ୍କ ପ୍ରାଣ ନେଉଅଛ ॥
ମୁଁ ଯେ ଅଟଇ ସତୀନାରୀ । ସମ୍ଭବ ହୋଇବ କିପରି ॥
ବରିବି କିବା ଆନ ପତି । ଉତ୍ତର ଦିଅ ଜନ୍ତୁପତି ॥
ଯମ ଯେ ହୋଇଲେ ଚକିତ । କେମିତି ହାରିବେ ସେ ସତ୍ୟ ॥
ସେହି ସତ୍ୟର ରକ୍ଷାପାଇଁ । ଯମ ଯେ ନିରୁପାୟ ହୋଇ ॥
କହିଲେ ସାବିତ୍ରୀଙ୍କୁ ଚାହିଁ । ତୁମର ଜୟ ଅଛି ହୋଇ ॥
ତୁମର ସତୀତ୍ୱ ବଳରେ । ଜିତିଲ ଏ ମହୀ ତଳରେ ॥
ବିଷ୍ଣୁ ଯେମିତି ମାୟା ବଳେ । ମୋହିତ କରନ୍ତି ସକଳେ ॥
ସେମିତି ସତୀତ୍ୱ ମାୟାରେ । ମୋହିତ ହେଲି ତୁମଠାରେ ॥
ପରୋକ୍ଷେ ସତ୍ୟବାନ ପ୍ରାଣ । ତୁମେ ତ ମାଗିନେଲ ଜାଣ ॥
ମୁଁ ଯେ ନିଷ୍ଠୁର କାଳ ଯମ । ଲଙ୍ଘିଲି ବିଧିର ନିୟମ ॥
ତୁମର ସତୀତ୍ୱକୁ ଧନ୍ୟ । ହେଲି ମୁଁ ଅତ୍ୟନ୍ତ ପ୍ରସନ୍ନ ॥
ଖୋଲିଲି ଚର୍ମଫାଶ ମୋର । ଦୀଘାୟୁ ବୋଲି ଦେଲି ବର ॥
ନିଦ୍ରାରୁ ଯେମିତି ଉଠନ୍ତି । ଉଠି ବସିବେ ତୁମ ପତି ॥
ସତ୍ୟବାନଙ୍କ ମରଦେହେ । ପ୍ରାଣ ଭରିବ ପୁନରାୟେ ॥
ସେ ସ୍ଥାନେ ଯାଅ ବେଗେ ଚଳି । ସ୍ୱାମୀଙ୍କୁ ନିଅ କୋଳେ ତୋଳି ॥
ସତୀ ପତ୍ନୀର ପରଶରେ । ରୋପିବ ପ୍ରାଣ ସଶରୀରେ ॥
ଏ ତୁମ ଅମର କାହାଣୀ । ଯୁଗ ଯୁଗକୁ ଥିବ ପୁଣି ॥
ସତୀ ପତିବ୍ରତା ଶକ୍ତି । ମୃତ୍ୟୁକୁ ଗଲା ଆଜି ଜିତି ॥
ଯମ ଯେ ହେଲେ ଅନ୍ତର୍ଦ୍ଧାନ । ସାବିତ୍ରୀ କରିଲେ ପ୍ରଣାମ ॥
ଫେରିଲେ ମୃତ ସ୍ୱାମୀ ପାଶେ । କୋଳକୁ ଆଣିଲେ ସନ୍ତୋଷେ ॥
ସତେକି କାଉଁରୀ ପରଶେ । ଜହ୍ନକି ଉଠିଲା ଉଆଁସେ ॥
ସତେକି ନିଦରୁ ଉଠିଲେ । କହିଲେ ସ୍ୱପ୍ନ ଦେଖୁଥିଲେ ॥
ସେମିତି ଉଠି ସତ୍ୟବାନ । ନିରେଖି ସାବିତ୍ରୀ ବଦନ ॥
କହିଲେ ଏତେବେଳେ ମୁହିଁ । ଶୋଇ ରହିଲି କାହିଁ ପାଇଁ ॥
ନପାଇ ଆମର ବାରତା । କି କରୁଥିବେ ପିତାମାତା ॥
ଅରମା ପଥେ ସୁକୁମାରୀ । ଆସ ମୋ ବାମ କର ଧରି ॥
ଏ ବନ ମୋର ପରିଚିତ । ପଥ ଯେ ହେବ ଅନୁମିତ ॥
ସାବିତ୍ରୀ କହିଲେ ହେ ନାଥ । ଆଜି ମୋ ପଥ ଆଲୋକିତ ॥
ତୁମେ ମୋ ସୀମନ୍ତର ଜହ୍ନ । ଚାନ୍ଦିନୀ ତୁମେ ମନ ବନ ॥
ଏ ବନେ ତେଣୁ ନାହିଁ ଭୟ । ମୋ ପାଇଁ ନହୁଅ ଅଥୟ ॥
ତୁମକୁ ପାଇଛି ମୁଁ ଫେରି । ଆଉ କାହାକୁ ଯିବି ଡରି ॥
ସେ ବନପଥରେ ଦମ୍ପଁତ୍ତି । ଚଳିଲେ ଆନନ୍ଦରେ ଅତି ॥
ପ୍ରବେଶ ହେଲେ ଆଶ୍ରମରେ । ଆଶ୍ରମେ ଆନନ୍ଦ କି ଝରେ ॥
ରାଜ୍ୟ ପ୍ରାପ୍ତିକୁ ଚକ୍ଷୁ ପ୍ରାପ୍ତି । ଦ୍ୟୁମତସେନ ତୋଷ ଅତି ॥
ପୁଅବୋହୂଙ୍କୁ ଦେଖିପାରି । ଆନନ୍ଦେ ଲୁହ ଗଲା ଝରି ॥
ଆଶ୍ରମବାସୀ ଗଲେ ଘେରି । ବୁଝିଲେ ସମସ୍ତ ପଚାରି ॥
ସାବିତ୍ରୀ କହିଲେ ବୁଝାଇ । ଯମଙ୍କ ବରଦାନ ଏହି ॥
କହିଲେ ସକଳ ବୃତ୍ତାନ୍ତ । ସଭିଏଁ ହୋଇଲେ ଚକିତ ॥
ଧନ୍ୟ ସାବିତ୍ରୀ ଧନ୍ୟ ବୋଲି । ଆଶ୍ରମ ଉଠିଲା ଉଛୁଳି ॥
ତହୁଁ ରାଜ୍ୟକୁ ଫେରିଗଲେ । ଦ୍ୟୁମତସେନ ରାଜା ହେଲେ ॥
ଯୁବରାଜ ଯେ ସତ୍ୟବାନ । ଜିଣିଲେ ପ୍ରଜାକୁଳ ମନ ॥
ରାଜ୍ୟବାସୀଏ ହେଲେ ଗୁଣୀ । ସାବିତ୍ରୀ ସତୀଙ୍କ କାହାଣୀ ॥
ଏମନ୍ତେ ଦିନ ମାସ ଗଲା । ପୁନଶ୍ଚ ଜ୍ୟେଷ୍ଠ ଅମା ହେଲା ॥
ସୁମରି ଲକ୍ଷ୍ମୀ ନାରାୟଣ । ସାବିତ୍ରୀ କରିଲେ ବିଧାନ ॥
ପ୍ରଭାତୁ ସ୍ନାହାନ ସାରିଲେ । ଘର ଅଗଣା ଶୌଚ କଲେ ॥
ନଡ଼ିଆ କଦଳୀ ଖଜୁରୀ । ଆମ୍ୱ ପଣସ ଡାଲା ଭରି ॥
ବିଭିନ୍ନ ପ୍ରକାର ଫଳରେ । ଭୋଗ ବାଢ଼ିଲେ ଭକ୍ତିଭରେ ॥
ଦୂବରେ ବରକୋଳି ପତ୍ର । ରଚିଲେ ସାତକେରି ମାତ୍ର ॥
ହଳଦୀ ରଙ୍ଗ ନବସୂତା । ସାତ ଖିଅରେ କଲେ ଗୁନ୍ଥା ॥
ରଚିଲେ ଗଣ୍ଠି ସାତଗୋଟି । ଲକ୍ଷ୍ମୀନାରାୟଣେ ସମର୍ପି ॥
ଦକ୍ଷିଣ ବାହୁରେ ବାନ୍ଧିଲେ । ଅଭୟ ବାହୁଟିର ତୁଲେ ॥
ଶଙ୍ଖା ସିନ୍ଦୂର ନୂଆଶାଢ଼ୀ । ବିପ୍ରେ ଗାୟତ୍ରୀ ମନ୍ତପଢ଼ି ॥
ଦେଲେ ଯେ ତାହା ମନ୍ତୁରାଇ । ସାବିତ୍ରୀ ଅଙ୍ଗେ ଶୋଭାପାଇ ॥
ସ୍ୱାମୀ ସମେତ ଗୁରୁଜନେ । ପ୍ରଣାମ କରି ଶୁଦ୍ଧ ମନେ ॥
ସଭିଙ୍କୁ ପ୍ରସାଦ ବାଣ୍ଟିଲେ । ସୁଚିତ୍ତେ ଫଳାହାର କଲେ ॥
ଏ ବ୍ରତ ଆଚରି ସେ ସତୀ । ହୋଇଲେ ଶତ ପୁତ୍ରବତୀ ॥
ଲଭିଲେ ଅଷ୍ଟ ଅଇଶ୍ୱର୍ଯ୍ୟ । ଜୀବନ କଲେ ଉପଭୋଗ ॥
ବାହୁଡ଼ି ଶଙ୍ଖା ସିନ୍ଦୂରରେ । ବାସ ଲଭିଲେ ସ୍ୱର୍ଗପୁରେ ॥
ସଧବା ନାରୀ କେହି କେବେ । ଏ ଓଷା ଆରମ୍ଭିବେ ଯେବେ ॥
ସାବିତ୍ରୀ ପରି ଭାଗ୍ୟବତୀ । ହୋଇ ସେ ଲଭିବେ ସୁଖ୍ୟାତି ॥
କୃଷ୍ଣଙ୍କ ମୁଖୁ ଏହା ଶୁଣି । ଯୁଧିଷ୍ଠିର ଯେ ଯୋଡ଼ି ପାଣି ॥
ଭକ୍ତିରେ କଲେ ପ୍ରଣିପାତ । ସଂସାରେ ଖ୍ୟାତ ହେଲା ବ୍ରତ ॥
ସାବିତ୍ରୀ ଓଷା କଥା ଏହି । ସର୍ବେ ଶୁଣିବେ ଶୁଣିବେ ମନଦେଇ ॥
ସୁମରି ଲକ୍ଷ୍ମୀ ନରାୟଣ । ହୁଳହୁଳି ଯେ ଦେବ ଜାଣ ॥
ସାବିତ୍ରୀ ଓଷା କଥା ଶେଷ । ପଠନେ ଶ୍ରବଣେ ସନ୍ତୋଷ ॥
ଚିତ୍ତ ନିବେଶି ବିଷ୍ଣୁ ପାଦେ । ବୁଦ୍ଧିଆ କହେ ଗୀତ ଛନ୍ଦେ ॥

ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ