ସୁଦଶା ବ୍ରତ

ଉଇକିପାଠାଗାର ରୁ
Jump to navigation Jump to search
ସୁଦଶା ବ୍ରତ

ଦମୟନ୍ତୀଙ୍କର ଶ୍ରୀ ସୁଦଶା ବ୍ରତ କଥା ଆରମ୍ଭ
ବନ୍ଦଇ ପରମାଲକ୍ଷ୍ମୀ ଜଗତ ତାରେଣୀ ।
ସମୁଦ୍ର ମନ୍ଥନୁ ଜାତ ହୋଇଲୁ ତୁ ଜାଣି ।୧।
ତେଣୁ କରି ନାମ ହେଲା ଲକ୍ଷ୍ମୀନାରାୟଣୀ ।
ବିଷ୍ଣୁଙ୍କ ଘରଣୀ ମାଗୋ ଅଟୁ କମଳିନୀ ।୨।
ଏଥୁ ଅନନ୍ତରେ ଦିନେ ଏମନ୍ତ ସମୟେ ।
ନାରଦମହର୍ଷି ଇନ୍ଦ୍ରଭୁବନେ ବିଜୟେ ।୩।
ଷଡ଼ ଅର୍ଘ୍ୟ ଦେଇ ଇନ୍ଦ୍ରପାଦ ପୂଜା କଲେ ।
ବସିବା ନିମନ୍ତେ ଦିବ୍ୟ ଆସନେକ ଦେଲେ ।୪।

ଇନ୍ଦ୍ର ଉବାଚ
କେବଣ ବ୍ରତ କଲେ କେବଣ ଫଳ ପାଇ ।
ଘରଣୀ ପୁତ୍ର ଦୁହିତା କେମନ୍ତେ ମିଲଇ ।୧।
ଏହା ମୋତେ ସଂକ୍ଷେପିଣ କ‌ହିବା ଗୋସାଇଁ ।
ତବ ମୁଖୁଁ ଶୁଣିଲେ ପରତେ ଯିବି ମୁହିଁ ।୨।

ନାରଦ ଉବାଚ
ଶୁଣ ଏବେ ଇନ୍ଦ୍ର ସେହି ବ୍ରତର ମହିମା ।
ଯହିଁରେ ସନ୍ତୋଷ ହୋନ୍ତି ମହାଲକ୍ଷ୍ମୀ ଉମା ।୧।
ମର୍ତ୍ତମଣ୍ଡଳରେ ସାର ଅବନ୍ତୀ ନ‌ଗର ।
ତ‌ହିଁ ବିଷ୍ଣୁ କର ବୋଲି ଅଟେ ଦ୍ୱିଜବର ।୨।
ତାହାରି ଭାରିଯା ନାମ ଅଟେ ଲକ୍ଷ୍ମୀବତୀ ।
ସେ ବ୍ରାହ୍ମଣୀ ଲକ୍ଷ୍ମୀବ୍ରତ ସର୍ବଦା କରନ୍ତି ।୩।
ଲକ୍ଷ୍ମୀଙ୍କର ଦୟା ଯେଣୁ ହେଲା ତା'ଉପରେ ।
ଅଚଳା ସମ୍ପତ୍ତି ଭୋଗକରେ ମର୍ତ୍ତ୍ୟପୁରେ ।୪।
ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ମନ ଦେଇ ।
ଲକ୍ଷ୍ମୀଙ୍କର ବ୍ରତ ତୋତେ କ‌ହିବା ବୁଝାଇ ।୫।
ମାଘ ମାସ ଶୁକ୍ଳପକ୍ଷ ଦଶମୀ ଗୁରୁବାର ।
ଶ୍ରୀସୁଦଶା ବ୍ରତଗୋଟି ପଡ଼େ ସେ ଦିନର ।୬।
ସେହି ଦିନ ବ୍ରାହ୍ମଣୀ ଯେ ପ୍ରଭାତୁ ଉଠିଲା ।
ଏକବଣ୍ଣି ଗାଈର ଯେ ଗୋବର ଆଣିଲା ।୭।
ସୁସଞ୍ଚ କରି ଘର ଦୁଆର ଲିପିଲା ।
ନ‌ଦୀରେ ସ୍ନାନ କରିଣ ଘରକୁ ଅଇଲା ।୮।
ତଣ୍ଡୁଳ ବାଟିଣ ଝୋଟି ଆଭରଣ ଦେଲା ।
ଶ୍ରୀ ପରମାଲକ୍ଷ୍ମୀଙ୍କୁ ସେ ସୁମରଣ କଲା ।୯।
ଦଶବର୍ଣ୍ଣ ମୁରୁଜରେ ପିତୁଳା ଲେଖିଲା ।
ଦଶ ଯେ ପାଖୁଡ଼ କରି ପଦ୍ମକେ ରଖିଲା ।୧୦।
ତ‌ହିଁର ଉପରେ ପୂର୍ଣ୍ଣ ଘଟକେ ସ୍ଥପିଲା ।
ଘଟର ଉପରେ ଚ୍ୟୂତ ଡାଳକେ ଥୋଇଲା ।୧୧।
ନାରୀକେଳ ଏକଗୋଟି ଘଟ ପରେ ଦେଲେ ।
ଦଶମୁଖୀ ଦୀପାବଳି ଜାଗର ଜାଳିଲେ ।୧୨।
ଦଶଖିଅ ଧଳା ସୂତ୍ରେ ବ୍ରତକୁ ଭାଙ୍ଗିଲେ ।
ଚଉଁରୀ ନାମେଣ ବେତ ପାଖରେ ଥୋଇଲେ ।୧୩।
ଦଶ ମୁଷ୍ଟିତଣ୍ଡୁଳ ଯେ ଘଟ ପାଖେ ଦେଲେ ।
ଦବରି ଫଳ ଗୋଟିଏ ଆଣିଣ ଯେ ଦେଲେ ।୧୪।
ଉପରେ ତନ୍ଦ୍ରାତାପ ଚାନ୍ଦୁଆ ଟଣାଇଲେ ।
ଦଶ ମେଞ୍ଚା ହଳଦୀ ଯେ ପୂର୍ଣ୍ଣକୁମ୍ଭେ ଦେଲେ ।୧୫।
ସିନ୍ଦୂର କଜଳ ନେଇ ଘଟ ପରେ ଦେଲେ ।
ଶ୍ରୀ ପରମା ଲକ୍ଷ୍ମୀଙ୍କୁ ଯେ ସୁମରଣା କଲେ ।୧୬।
ଛେନା କଦଳୀ ଯେ ସର ଘୃତ ଦେଲେ ।
ଦଶ ଗୋଟି ମଣ୍ଡା ନେଇ ଆଗରେ ଥୋଇଲେ ।୧୭।
କର୍ପୂରରେ ଯୁକ୍ତ କରି ଆଣିଣ ବାଢ଼ିଲେ ।
ନଇବେଦ୍ୟ ନେଇ ପୁଣି କଥା ଯେ ଶୁଣିଲେ ।୧୮।
ଶ୍ରୀ ମହାଲକ୍ଷ୍ମୀଙ୍କି ସେ ସୁମରଣା କଲେ ।
ଲକ୍ଷ୍ମୀଙ୍କର ଦଶନାମ ଧରି ବ୍ରତେ ଗଣ୍ଠି ଦେଲେ ।୧୯।
ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ ।
ଦ୍ୱତୀୟ ଗଣ୍ଠିର ନାମ ହେଲା କମଳିନୀ ।୨୦।
ତୃତୀୟ ଗଣ୍ଠିର ନାମ ଶ୍ରୀହରିହର ପ୍ରିୟା ।
ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା ।୨୧।
ପଞ୍ଚମ ଗଣ୍ଠିର ନାମ ଅଟଇ କମଳା ।
ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା ।୨୨।
ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ ।
ଅଷ୍ଟମ ଗଣ୍ଠିର ନାମ ସିନ୍ଧୁର ଦୁଲ୍ଲଣୀ ।୨୩।
ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ ।
ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ ।୨୪।
ଦଶନାମ ଧରିଣ ସେ ବ୍ରତ ଗଣ୍ଠି ଦେଲେ ।
ଲକ୍ଷ୍ମୀ ନାରାୟଣୀ ବୋଲି ମନେ ସୁମରିଲେ ।୨୫।
ସୂର୍ଯ୍ୟଙ୍କୁ ସେ ଅର୍ଘ୍ୟ ଦେଇ ବନ୍ଦାପନା କଲେ ।
ନ‌ଦୀକୁ ଯେ ପାଣି କୁମ୍ଭେ ଆଣିବାକୁ ଗଲେ ।୨୬।
ବ୍ରତ ହସ୍ତରୁ ଖସାଇ କୂଳରେ ରଖିଲେ ।
ଜଳ ଭିତରେ ଯାଇଣ ବ୍ରାହ୍ମଣୀ ପଶିଲେ ।୨୭।
ମାଂସ ମେଞ୍ଚା ପ୍ରାୟ ପାଟବ୍ରତ ଦିଶୁଥିଲା ।
ଚିଲ ପକ୍ଷୀ ଝାମ୍ପ ଦେଇ ବେଗେ ଘେନିଗଲା ।୨୮।
ସେ ବ୍ରାହ୍ମଣୀ ଜଳ ଘେନି କୂଳକୁ ଆଇଲା ।
ବ୍ରତ ନ ଦେଖିଣ ସେହୁ ବିସ୍ମୟ ହୋଇଲା ।୨୯।
ଚାରି ଦିଗକୁ ବ୍ରହ୍ମଣୀ ନିରେଖି ଚାହିଁଲା ।
ସେ ବ୍ରତକୁ ଚିଲ ଘେନି ଯାଉଛି ଦେଖିଲା ।୩୦।
ଚିଲ ପଛେ ପଛେ ସେ ବ୍ରାହ୍ମଣୀ ଗୋଡ଼ାଇଲା ।
ସେ ଚିଲ ଯାଇଣ ଏକ ବନସ୍ତେ ପଶିଲା ।୩୧।
ବ୍ରତ ନ ପାଇ ବ୍ରାହ୍ମଣୀ ବିକଳେ କାନ୍ଦିଲା ।
ଚିଲପକ୍ଷୀ ବନସ୍ତେ ଅଦୃଶ୍ୟ ହୋଇଗଲା ।୩୨।
ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ହେ ବୋଇଲା ।
ମୃଗୟା ବିନୋଦେ ନଳ ବନସ୍ତକୁ ଗଲା ।୩୩।
ବ୍ରାହ୍ମଣୀ ରୋଦନ ରାଜା କର୍ଣ୍ଣେ ଯେ ଶୁଣିଲେ ।
ବନସ୍ତେ କେ କାନ୍ଦୁଅଛି ବୋଲିଣ ବୋଇଲେ ।୩୪।
ସଇନିକ ସଖା ଘେନି ରାଜା ବିଜେ କଲେ ।
ବ୍ରହ୍ମଣୀ ପାଖରେ ଯାଇଁ ପ୍ରେବେଶ ହୋଇଇଲେ ।୩୫।
ବ୍ରହ୍ମଣୀକୁ ଦେଖି ରାଜା ବିସ୍ମୟ ହୋଇଲେ ।
କି ନିମନ୍ତେ କାନ୍ଦୁଅଛି ବୋଲିଣ ବୋଇଲେ ।୩୬।
ଏହା ଶୁଣି ବ୍ରାହ୍ମଣୀ ଯେ ରାଜାଙ୍କୁ କ‌ହଇ ।
ମୋହର ଦୁଃଖକୁ ବାବୁ ପାରିବ କି ଫେରେଇ ।୩୭।
ନଳ ରାଜା ବୋଇଲେ ଯେ କି ଦୁଃଖ ତୋହର ।
ମୋର ଆଗେ କ‌ହିଲେ ତାହା କରିବଇଁ ଦୂର ।୩୮।
ଏହା ଶୁଣି ବ୍ରାହ୍ମଣୀ ଯେ ବୋଲଇ ଉତ୍ତର ।
ସତ୍ୟ କର ତୁମ୍ଭେ ରାଜା କ‌ହିବି ଛାମୁର ।୩୯।
ବ୍ରାହ୍ମଣୀର ବାକ୍ୟ ଶୁଣି ରାଜା ସତ୍ୟ କଲେ ।
ଯାହା ତୁମ୍ଭେ ମାଗ ତାହା ଦେବଇଁ ବୋଇଲେ ।୪୦।
ଏହା ଶୁଣି ବ୍ରାହ୍ମଣୀ ଯେ ହରଷ ହୋଇଲା ।
ମୋହର ସୁଦଶା ବ୍ରତ ଚିଲ ଘେନି ଗଲା ।୪୧।
ତୁମ୍ଭର ମହାଦେଈ ବ୍ରତ କରୁଛନ୍ତି ।
ସେହି ବ୍ରତ ଗୋଟି ତୁମ୍ଭେ ଦେବ ହେ ନୃପତି ।୪୨।
ଏହାଶଣି ମହାରାଜା ସନମତ କଲେ ।
ବ୍ରାହ୍ମଣୀକୁ ଘେନି ନିଜ ରାଜ୍ୟେ ଚଳିଗଲେ ।୪୩।
ବ୍ରାହ୍ମଣୀକୁ ସିଂହଦ୍ୱାରେ ବସାଇ ନୃପତି।
ଅନ୍ତଃପୁରକୁ ଗମନ କରିଲେ ତଡ଼ତି ।୪୪।
ରାଣୀକୁ ଯାଇଣ ନଳ ରାଜା ଯେ କ‌ହିଲେ ।
ଆମ୍ଭଙ୍କୁ ଏକ ମାଗୁଣି ଦେବଇଁ ବୋଇଲେ ।୪୫।
ଏହା ଶୁଣି ମହାରାଣୀ ସ୍ତବ୍‌ଧା ହୋଇଗଲେ ।
ଆମ୍ଭଙ୍କୁ କିସ ମିଳିବ ଦେବଇ ବୋଇଲେ ।୪୬।
ନଳରାଜା ବୋଈଲେ ଗୋ ସତ୍ୟ ଏବେ କର ।
ତେବେ ମୁଁ କ‌ହିବି ସିନା ମାଗୁଣି ମୋହର ।୪୭।
ଏହାଶୁଣି ମହାଦେଈ ସତ୍ୟବାକ୍ୟ କଲେ ।
ଯେ ଇଚ୍ଛା ତୁମ୍ଭର ରାଜା ମାଗ ହୋ ବୋଇଲେ ।୪୮।
ସତ୍ୟ ବାକ୍ୟ ଶୁଣି ରାଜା ବୋଇଲେ ଉତ୍ତର ।
ଶ୍ରୀ ସୁଦଶାବ୍ରତ ଗୋଟି ଦିଅ ଗୋ ତୁମ୍ଭର ।୪୯।
ଏହା ଶୁଣି ମହାରାଣୀ ବିସ୍ମୟ ହୋଇଲେ ।
ଶ୍ରୀସୁଦଶା ବ୍ରତ ଦେବା ନୁହଁଇ ବୋଇଲେ ।୫୦।
ଏହି ବ୍ରତଗୋଟି ଅନ୍ୟକୁ ଯେ ନ ଦିଅନ୍ତି ।
ବ୍ରତ ଦେଲେ କାନ୍ଧରୁ ଯେ ଲକ୍ଷ୍ମୀ ଛାଡ଼ିଯାନ୍ତି ।୫୧।
ଦରିଦ୍ର ଭିକ୍ଷୁକ ବ୍ୟାଧିବନ୍ତ ଯେହୁ ହୋଇ ।
ଲକ୍ଷ୍ମୀଙ୍କର ବ୍ରତ ଏହି ଦେଇ ନ ପାରଇ ।୫୨।
ଜଞ୍ଜାଳ କରିଣ ରାଜା ପୁନଶ୍ଚ ମାଗିଲେ ।
ହସ୍ତରୁ ଖସାଇ ବ୍ରତ ରାଜା କଲେ ଦେଲେ ।୫୩।
ବ୍ରତ ପାଇ ମହାରାଜା ବେଗେ ଚଳିଗଲେ ।
ବ୍ରହ୍ମଣୀ ହସ୍ତରେ ବ୍ରତ ନେଇଣ ସେ ଦେଲେ ।୫୪।
ବ୍ରତ ପାଇ ବ୍ରହ୍ମଣୀ ଯେ ଆନନ୍ଦ ହୋଇଲା ।
ରାଜାଙ୍କୁ ଆଶିଷ କରି ନିଜପୁରେ ଗଲା ।୫୫।
ସେ ବ୍ରତ ନେଲା କଞ୍ଚା ଦୁଧରେ ଧୋଇଲା ।
ଦଶଗୋଟି ମଣ୍ଡା କରି ପାଣି ଛଡ଼ାଇଲା ।୫୬।
ଆପଣା ହସ୍ତରେ ନେଇ ବ୍ରତକୁ ବାନ୍ଧିଲା ।
ପଣା କରି ବ୍ରାହ୍ମଣୀ ଆନନ୍ଦେ ରହିଲା ।୫୭।
ନାରଦଙ୍କୁ ଚାହିଁ ଇନ୍ଦ୍ର ପୁଣି ପୁଚ୍ଛାକଲେ ।
ନଳରାଜାଙ୍କର କିସ ହୋଇଲା ବୋଇଲେ ।୫୮।
ନାରଦ ବୋଇଲେ ଶୁଣ ଇନ୍ଦ୍ର ମନ ଦେଇ ।
ନଳରାଜାଙ୍କ ବିପତ୍ତି ତୋତେ ଦେବା କ‌ହି ।୫୯।
ଚରିଯିବା ଗୋରୁ ଆଉ ଘରକୁ ନଇଲେ ।
ପୋତିଲାର ଧନ ସବୁ ବାସୁକୀ ହରିଲେ ।୬୦।
ଧାନ‌ଚାଉଳ ତ ସବୁ ବସି ଯେ ଖାଇଲେ ।
ଶତ୍ରୁ ଆସିଣ ରାଜ୍ୟରେ ଉପଗତ ହେଲେ ।୬୧।
ରାଜା ରାଣୀ ଅନ୍ନ‌ବସ୍ତ୍ର କିଛି ନ ପାଇଲେ ।
ରାଜାଙ୍କୁ ରାତ୍ରରେ କାଳପୁରୁଷ ଡାକିଲେ ।୬୨।
ରାଜ୍ୟ ଛାଡ଼କରି ରାଜା ପଳାଇଣ ଯାଆ ।
ରାଜ୍ୟେ ଥିଲେ ନିଶ୍ଚୟ ମରିବୁ ନୃପନାହା ।୬୩।
ଏହାଶୁଣି ନଳରାଜା ତେଜିଣ ଉଠିଲେ ।
ମହଦେଈ ପାଶେ ଯାଇ ସକଳ କ‌ହିଲେ ।୬୪।
ଚାଲ ତୁମ୍ଭେ ପିତାଘର ଯିବା ହେ ବୋଇଲେ ।
ଏହି ଶୁଣି ମହାଦେଈ ସନମତ କେଲ ।୬୫।
ସଭାଚନ୍ଦ୍ର କୁମରକୁ ହକାରି ଆଣିଲେ ।
ଗୃହକୁ ଛାଡ଼ିଣ ବିଜେ ରାଜାରାଣୀ ଗଲେ ।୬୬।
ପ୍ରଥମରେ ଯାଇ ଏକ ପୋଖରୀ ଦେଖିଲେ ।
ଏଠାରେ ସ୍ନାହାନ ରାଣୀ କରିବା ବୋଇଲେ ।୬୭।
ଏଠାରେ ସ୍ନାହାନ କରି ଯେ କିସ କରିବା ।
ପାଶରେ ତ କିଛି ନାହିଁ କଅଣ ଖାଇବା ।୬୮।
ଏହା କ‌ହି ରାଜା ରାଣୀ ଜଳରେ ପଶିଲେ ।
ଚାରୋଟି ଗଡ଼ିଶା ମାଛ ଧରିଣ ଆଣିଲେ ।୬୯।
ଏହି ମାଛ ପୋଡ଼ି ରାଣୀ ରଖି ଥାଅ ନେଇ ।
ପାଖେ ଅଛି ଗ୍ରାମେ ଭିକ୍ଷା ମାଗିଣ ଆଣଇ ।୭୦।
ଏହା କ‌ହି ମହାରାଜା ବିଜେ କରିଗଲେ ।
ବିଷ୍ଣୁକର ପଣ୍ଡା ଘରେ ପ୍ରବେଶ ହୋଇଲେ ।୭୧।
ଆମ୍ଭଙ୍କୁ ଭୋଜନ କିଛି ଦେବ କି ବୋଇଲେ ।
ଏହାଶୁଣି ବ୍ରାହ୍ମଣୀ ଯେ ଅନ୍ନ ଆଣୀ ଦେଲେ ।୭୨।
ହରଷ ହୋଇ ରାଜା ଲେଉଟି ଅଇଲେ ।
ଗୃହେ ପତ୍ନୀ କରେ ଅନ୍ନ ଦାନ‌କୁ ଥୋଇଲେ ।୭୩।
ଝାମ୍ପ ଦେଇ କାକପକ୍ଷୀ ଦାନ ଘେନିଗଲା ।
ତଳେ ପଡ଼ି ଅନ୍ନ ମାଟି ଧୂଳି ହୋଇଗଲା ।୭୪।
ବିରସ ହୋଇଣ ରାଜା ସେଠାରୁ ଆସିଲେ ।
ଏହା ଦେଖି ମହାରାଣୀ ସ୍ତମ୍ଭୀଭୂତ ହେଲେ ।୭୫।
ଯେଉଁ ମାଛ ପୋଡ଼ି ରାଣୀ ରଖିଥିଲେ ନେଇ ।
ସେହି ମାଛ ଜୀବ ପାଇ ଜଳେ ଗଲେ ଡେଇଁ ।୭୬।
ଆଚମ୍ବିତ ହୋଇ ରାଣୀ କଲେକ କ୍ରନ୍ଦନ ।
ପାଶେ ଆସି ମହାରାଜା ମିଳିଲେ ବ‌ହ‌ନ ।୭୭।
ମହାରାଣୀ ବୋଲେ ଲକ୍ଷ୍ମୀ ଛାଡ଼ିଲେ ଆମ୍ଭଙ୍କୁ ।
ପୋଡ଼ାମାଛ ଜୀବପାଇ ଡେଇଁଲେ ଜଳକୁ ।୭୮।
ଏହା ଦେଖି ମହାରାଜା ବିସ୍ମୟ ହୋଇଲେ ।
ଚାଲ ଏଠାବରୁ ରାଜା ବୋଲିଣ ବୋଇଲେ ।୭୯।
ଏତେକ‌ହି ରାଜାରାଣୀ ବିଜେ କରିଗେଲ ।
ବନସ୍ତ ଭିତରେ ଏକ ନ‌ଦୀ ଯେ ଦେଖିଲେ ।୮୦।
ସଭାଚନ୍ଦ୍ର କୁମରକୁ କୋଳରେ ଧଇଲେ ।
ନ‌ଦୀ ପାରହୋଇ ରାଜା ରାଣୀ ଯାଉଥିଲେ ।୮୧।
ଏମନ୍ତ ସମୟେ ଏକ କୁମ୍ଭୀର ମିଳିଲା ।
ସଭଚନ୍ଦ୍ର କୁମରକୁ ତଡ଼ତି ଗିଳିଲା ।୮୨।
ଏହା ଦେଖି ରାଜା ରାଣୀ ବେଗେ ପଳାଇଲେ ।
କାନ୍ଦି କାନ୍ଦିଣ ଯାଇ ଯେ ବନସ୍ତେ ପଶିଲେ ।୮୩।
ଭଙ୍ଗା ମନ୍ଦିର ଗୋଟାଏ ସେଠାରେ ଦେଖିଲେ ।
ରାଜାରାଣୀ ସେ ମନ୍ଦିର ଭିତରେ ରହିଲେ ।୮୪।
ଅଳଙ୍କାର ଖୋଲି ରାଣୀ ଅଞ୍ଚଳେ ବାନ୍ଧିଲେ ।
ସେହିଠାରେ ରାଜାରାଣୀ ଶ୍ରମେ ନିଦ୍ରା ଗଲେ ।୮୫।
ସେ ମନ୍ଦିର କାନ୍ଥେ ଚିତ୍ର ମୟୂର ଯେ ଥିଲା ।
ରାଣୀ ଅଳଙ୍କାରମାନ ସବୁ ଗିଳିଦେଲା ।୮୬।
ରାଣୀଙ୍କ ନୟନେ କାଳନିଦ୍ରା ଯେ ଘରିଲା ।
ରଣୀଙ୍କୁ ଛାଡ଼ିଣ ରାଜା ତ‌ହୁଁ ପଳାଇଲା ।୮୭।
ସେଠାବରୁ ନଳ ରାଜା ଭ୍ରମି ଭ୍ରମି ଗଲେ ।
ଭୀମ ରାଜା ରାଜ୍ୟେ ଯାଇଁ ପ୍ରବେଶ ହୋଇଲେ ।୮୮।
ଭୀମ ରାଜା ଆଗରେ ସେ ଜଣାଇଲେ ଯାଇ ।
ଆମ୍ଭଙ୍କୁ ରଖ ହେ ରାଜା କିଛି ପଣ ଦେଇ ।୮୯।
କେଉଁ ଦେଶେ ଘର ପୁଣି କେଉଁ ଜାତି ପୁଣ ।
କେଉଁ କେଉଁ ବିଦ୍ୟାମାନ କରିଛ ସାଧନ ।୯୦।
ନଳ ରାଜାଙ୍କର ସୂପକାର ଥିଲି ମୁହିଁ ।
ଗଉରୀ ସଉରୀ ବିଧି ରାନ୍ଧଣା ଜାଣଇ ।୯୧।
ଏହା ଶୁଣି ଭୀମରାଜା ହରଷ ହୋଇଲେ ।
ଆମ୍ଭ ସୂପକାର ହୋଇ ଥାଅ ହୋ ବୋଇଲେ ।୯୨।
ଆଜ୍ଞା ପାଇ ନଳରାଜା ସନମତ କଲେ ।
ରୋଷେଇ ଶାଳରେ ଯାଇ ପ୍ରବେଶ ହୋଇଲେ ।୯୩।
ରାତ୍ର ପାହିଲାରୁ ରାଣୀ ନିଦ୍ରାରୁ ଉଠିଲେ ।
ରାଜାଙ୍କୁ ନ‌ଦେଖି ରାଣୀ ଡାକ ଚାରି ଦେଲେ ।୯୪।
ରାଜାଙ୍କୁ ନ ପାଇ ରାଣୀ କାନ୍ଦି କନ୍ଦି ଗଲେ ।
ଛନ୍ନ ଛନ୍ନ ହୋଇ ସେ ସ୍ଥାନରୁ ଚଳିଗଲେ ।୯୫।
ବାଟେ ବାଟ ସେ ପଚାରି ପଚାରିଣ ଗଲା ।
ଭୀମରାଜା ରାଜ୍ୟେ ଯାଇ ପ୍ରବେଶ ହୋଇଲା ।୯୬।
ଭୀମସେନ ଅନ୍ତଃପୁରେ ଯାଇଣ ମିଳିଲା ।
ଲକ୍ଷ୍ମୀଙ୍କ ମାୟାରୁ ନିଜ ମାତା ନ ଚିହ୍ନିଲା ।୯୭।
ଦମୟନ୍ତୀ କ‌ହ‌ନ୍ତି ଯେ ମହାଦେଈ ପାଶ ।
ଭାତ ଲୁଗା ଦେଇରଖ ତୁମ୍ଭର ଉଆସ ।୯୮।
ନଳ ରାଜାଙ୍କର ଦାସୀ ହୋଇଥିଲି ମୁହିଁ ।
କର୍ମ ଅଭାଗ୍ୟରୁ ମୁହିଁ ସେଠାରୁ ଆସଇ ।୯୯।
ଏହାଶୁଣି ମହାଦେଈ ହରଷ ହୋଇଲେ ।
ଆମ୍ଭ ଅନ୍ତଃପୁରେ ଦାସୀ ହୋଇଥାଅ ଭଲେ ।୧୦୦।
ଏହାଶୁଣି ଦମୟନ୍ତୀ ସନମତ କଲେ ।
ନଳ ଦମୟନ୍ତୀ ଦୁହେଁ ସେଠାରେ ରହିଲେ ।୧୦୧।
ଏଥୁ ଅନନ୍ତରେ ଶୁଣଇନ୍ଦ୍ର ମନ‌ଦେଇ ।
ନଳରାଜାଙ୍କର ଶୁଭବାର୍ତ୍ତା ଦେବା କ‌ହି ।୧୦୨।
ଭାଦ୍ରମାସ ଶୁକ୍ଳପକ୍ଷ ଦଶମୀ ଗୁରୁବାର ।
ଶ୍ରୀ ସୁଦଶାବ୍ରତ ଗୋଟିପଡ଼େ ସେ ଦିନର ।୧୦୩।
ପାଟ ଜ୍ୟୋତିଷ ଯାଇଣ ରାଣୀଙ୍କୁ କ‌ହିଲା ।
କାଲିଠୁଁ ସୁଦଶା ବ୍ରତ ପଡ଼ୁଛି ବୋଇଲା ।୧୦୪।
ଜ୍ୟୋତିଷଙ୍କୁ ଧନରତ୍ନ‌ଦେଇ ବିଦାକଲା ।
ଦାସୀମାନଙ୍କୁ ଡାକିଣ ବୁଝାଇ କ‌ହିଲା ।୧୦୫।
ପ୍ରଭାତରୁ ଉଠି ଦାସୀମାନେ ଚଳିଗଲେ ।
ଏକବର୍ଣ୍ଣି ଗାଈର ଯେ ଗୋବର ଆଣିଲେ ।୧୦୬।
ସୁସଞ୍ଚ କରିଣ ଘର ଦୁଆର ଲିପିଲେ ।
ନ‌ଦୀରେ ସ୍ନାନ କରିଣ ଘରକୁ ଆସିଲେ ।୧୦୭।
ତଣ୍ଡୁଳ ବାଟିଣ ଝୁଣ୍ଟିଆଳ ପଣା ଦେଲେ ।
ଏହା ଦେଖି ଦମୟନ୍ତୀ ରାଣୀଙ୍କୁ କ‌ହିଲେ ।୧୦୮।
ମହାରାଣୀ ମୋହପ୍ରତି ଯେବେ ଦୟା ହେବ ।
ଓଷାର ଉପକରଣ ଯେବେ ମୋତେ ଦେବେ ।୧୦୯।
ଶ୍ରୀ ସୁଦଶା ବ୍ରତଟିକୁ କରନ୍ତି କ‌ହିଲେ ।
ଏହାଶୁଣି ମହାଦେଈ ସନ୍ତୋଷ ହୋଇଲେ ।୧୧୦।
ବ୍ରତ ଯେବେ କର ତୁମ୍ଭେ କର ଗୋ ବୋଇଲେ ।
ଦମୟନ୍ତୀ ଶୀଘ୍ର ସ୍ନାନ ସାରିଣ ଆସିଲେ ।୧୧୧।
ଅତି ଯତନରେ ନେଇ ଘଟକେ ସ୍ଥାପିଲେ ।
ହଳଦୀ ଚନ୍ଦନ ନେଇ ଘଟ ପରେ ଦେଲେ ।୧୧୨।
ଚ୍ୟୁତ ଡାଳ ଦେଇ ଦୀପମାନ ଲଗାଇଲେ ।
ଧୂପ ଦୀପ ନୈବେଦ୍ୟ ଯେ ଗନ୍ଧ ପୁଷ୍ପ ଦେଲେ ।୧୧୩।
ପୁର ମଣ୍ଡା ଦଶଗୋଟି ଆଗରେ ଥୋଇଲେ ।
ମହାଲକ୍ଷ୍ମୀଙ୍କୁ ସୁମରି ସେଠାରେ ବସିଲେ ।୧୧୪।
ଲକ୍ଷ୍ମୀ ଦଶ ନାମ ଧରି ବ୍ରତେ ଗଣ୍ଠି ଦେଲେ ।
ଆସ ଆସ ମହାଲକ୍ଷ୍ମୀ ହୃଦେ ସୁମରିଲେ ।୧୧୫।
ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀନାରାୟଣୀ ।
ଦ୍ୱତୀୟ ଗଣ୍ଠିର ନାମ ହେଲା କମଳିନୀ ।୧୧୬।
ତୃତୀୟ ଗଣ୍ଠିର ନାମ ଯେ ଶ୍ରୀ ହରିପ୍ରିୟା ।
ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା ।୧୧୭।
ପଞ୍ଚମ ଗଣ୍ଠିର ନାମ ଅଟଇ କମଳା ।
ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା ।୧୧୮।
ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ ।
ଅଷ୍ଟମ ଗଣ୍ଠିର ନାମ ସିନ୍ଧୁର ଦୁଲ୍ଲଣୀ ।୧୧୯।
ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ ।
ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ ।୧୨୦।
ଲକ୍ଷ୍ମୀ ଦଶନାମ ଧରି ବ୍ରତେ ଗଣ୍ଠି ଦେଲେ ।
ପରମାଲକ୍ଷ୍ମୀଙ୍କୁ ମନେ ସୁମରଣା କଲେ ।୧୨୧।
ହେ ପରମାଲକ୍ଷ୍ମୀ ମୋତେ ଅନୁଗ୍ରହ ହେଉ ।
ପୁତ୍ର ଗେରସ୍ତ ଆବର ରାଜ୍ୟ ପ୍ରାପ୍ତ ହେଉ ।୧୨୨।
ଏମନ୍ତ ଭାବନା କରି ମନେ ସୁମରିଲେ ।
ପ୍ରସନ୍ନ ହୋଇଣ ଲକ୍ଷ୍ମୀ ରାଣୀଙ୍କୁ କ‌ହିଲେ ।୧୨୩।
ଯାଆ ତୋର ପୁଅ ସ୍ୱାମୀ ପ୍ରପାତ ହୋଇବେ ।
ତାର ହସ୍ତେ ଶତ୍ରୁମାନେ ନିପାତ ହୋଇଲେ ।୧୨୪।
ନଳରାଜାଙ୍କୁ ସେ ଲକ୍ଷ୍ମୀ ସ‌ହୟ ହୋଇଲେ ।
ଏଣେ ନଳରାଜାଙ୍କର ମନ୍ତ୍ରୀ ବିଚାରିଲେ ।୧୨୫।
ଆମ୍ଭର ଯେ ମହାରାଜା କେଣେ ଚଳିଗଲେ ।
ରାଜ୍ୟରେ କାହାକୁ ରାଜା କରିବା ବୋଇଲେ ।୧୨୬।
ଏହାଶୁଣି କେହି ବୋଲେ ହେବି ମୁଁ ରାଜନ ।
ଆଉ କେହି ବୋଲେ ମୁହିଁ ହେବି ନୃପରାଣ ।୧୨୭।
ଏହିପରି ପରସ୍ପର କରିଲେକ ଗୋଳ ।
ତ‌ହିଁ ସୁବୁଦ୍ଧି ନାମରେ ଥିଲା ମନ୍ତ୍ରୀବର ।୧୨୮।
ମନ୍ତ୍ରୀ କ‌ହେ ଆମ୍ଭ ରାଜା କେଉଁଠି ଅଛନ୍ତି ।
ଆଉ ଜଣେ କେଉଁପରି ହୋଇବ ନୃପତି ।୧୨୯।
ମନ୍ତ୍ରୀ ବୋଲେ ଶୁଣ ସର୍ବେ ମୋହର ବିଚାର ।
ପାଟ‌ହସ୍ତୀକୁ ମଣ୍ଡିଣ ଛାଡ଼ିବା ସତ୍ୱଇ ।୧୩୦।
ସୁବର୍ଣ୍ଣ କଳସେ ଗଙ୍ଗା ଜଳ ଶିରେ ଦେଇ ।
ଛାଡ଼ିଦେବା ଯାହା ପରେ ଢାଳିବ ଯେ ସେହି ।୧୩୧।
ତାହାକୁ ରାଜ୍ୟରେ ରାଜା କରିବାଟି ଜାଣ ।
ପାଟ‌ହସ୍ତୀ ମଣ୍ଡି ଛାଡ଼ିଦେଲେ ତ‌ତକ୍ଷଣ ।୧୩୨
ମନ୍ତ୍ରୀ ପୁରୋହିତ ସ‌ହ ସକଳ ଚଳିଲେ ।
ରାଜ୍ୟର ପରଜାବୃନ୍ଦ ସର୍ବେ ଗୋଡ଼ାଇଲେ ।୧୩୩।
ନିଜ ଇଚ୍ଛାମନେ ହସ୍ତୀ ଦୃତଗାମୀ ହୋଇ ।
ଭୀମ ରାଜା ରାଜ୍ୟେ ପ୍ରବେଶିଲା ହସ୍ତୀ ଯାଇ ।୧୩୪।
ପାଟ‌ହସ୍ତୀ ଯାଇ ନଳରାଜାଙ୍କୁ ଭେଟିଲା ।
ସୁବର୍ଣ୍ଣ କଳସୀ ଜଳ ଶିରରେ ଢାଳିଲା ।୧୩୫।
ରାଜାଙ୍କୁ ନେଇଣ ହସ୍ତୀ ପୃଷ୍ଠେ ବସାଇଲେ ।
ଜୟ ନଳରାଜା ବୋଲି ଉଚ୍ଚେ ଡାକ ଦେଲେ ।୧୩୬।
ସେ ନ‌ଗ୍ରରେ ନରନାରୀମାନେ ଦେଖୁଥିଲେ ।
ରାଜାଙ୍କ ଆଗରେ ଯାଇ ସମସ୍ତେ କ‌ହିଲେ ।୧୩୭।
ଗୁପ୍ତେ ନଳରାଜା ସୂପକାର ପଣେ ଥିଲେ ।
ଏଥି ଥିବାଯାଏ ତାଙ୍କୁ କେହି ନ ଚିହ୍ନିଲେ ।୧୩୮।
ତାଙ୍କ ବାକ୍ୟେ ପାତ୍ରମନ୍ତ୍ରୀ ସମସ୍ତେ ଅଇଲେ ।
ନଳରାଜାଙ୍କୁ ହସ୍ତୀର ପୃଷ୍ଠେ ବସାଇଲେ ।୧୩୯।
ଏହାଶୁଣି ଭୀମ ରାଜା ହରଷ ହୋଇଲେ ।
ନଳରାଜାଙ୍କୁ ଗୌରବ କରି ଘେନିଗଲେ ।୧୪୦।
ଅନ୍ତଃପୁରେ ରାଣୀ ଦମୟନ୍ତୀଙ୍କୁ ଚିହ୍ନିଲେ ।
ଏତ ଆମ ଦମୟନ୍ତୀ ଦୁହିତା ବୋଇଲେ ।୧୪୧।
କି ନିମନ୍ତେ ଆସି ଏଠି ଗୁପରେ ରହିଲା ।
କି ନିମନ୍ତେ ଏ ବିରୂପ ରୂପ ହୋଇଥିଲା ।୧୪୨।
ଦମୟନ୍ତୀ ଏହ ଶୁଣି ବୁଝାଇ କ‌ହିଲେ ।
ଲକ୍ଷ୍ମୀ ଦ୍ରୋହ କରିବାରୁ ରାଜ୍ୟୁ ତଡ଼ାଇଲେ ।୧୪୩।
ବନସ୍ତ ମଧ୍ୟରେ ସଭାଚନ୍ଦ୍ରକୁ ହରାଇ ।
ମୋତେ ଛାଡ଼ିକରି ରାଜା ଗଲେକ ପଳାଇ ।୧୪୪।
ଏହାଶୁଣି ମହାଦେଈ ରାଜାଙ୍କୁ କ‌ହ‌ନ୍ତି ।
ଆମ୍ଭ ଗୃହେ ଦମୟନ୍ତୀ ଝିଅ ରହିଛନ୍ତି ।୧୪୫।
ଭୀମରାଜା କ‌ହ‌ନ୍ତି ଯେ ନଳ ଆସିଛନ୍ତି ।
ଏହା ଦେଖି ରାଜା ରାଣୀ ହରଷ ହୁଅନ୍ତି ।୧୪୬।
ଦମୟନ୍ତୀଙ୍କୁ ଧରିଣ ନଳ ପାଶେ ଗଲେ ।
ଦମୟନ୍ତୀଙ୍କୁ ଦଖିଣ ନଳ ଖୁସି ହୋଇଲେ ।୧୪୭।
ରାଜାରାଣୀଙ୍କର ପାଦତଳେ ପଡ଼ିଲେ ।
ମନବାଞ୍ଛା ପୂର୍ଣ୍ଣହେଉ ବୋଲିଣ ବୋଇଲେ ।୧୪୮।
କିଛିଦିନ ନଳ ପୁଣି ସେଠାରେ ରହିଲେ ।
ଏହା ଦେଖି ରାଜା ରାଣୀ ହରଷ ହୋଇଲେ ।୧୪୯।
ରାଜାଙ୍କ ଅଗ୍ରତେ ଯାଇଁ ନଳ ଜଣାଇଲେ ।
ନିଜ ରାଜ୍ୟକୁ ଚଳିବା ଆଜ୍ଞା ତୁମ୍ଭେ ଦେଲେ ।୧୫୦।
ବିଧିମତେ ସମ୍ମାନ ନଳରାଜାଙ୍କୁ କଲେ ।
ପାଟ ପୀତାମ୍ବରିମାନ ରାଜା ଯେ ପିନ୍ଧିଲେ ।୧୫୧।
ନାନା ଅଳଙ୍କାର ଦେଇ ଭୂଷଣ କରିଲେ ।
ବିନୟ ହୋଇଣ ରାଣୀ ମାତାଙ୍କୁ କ‌ହିଲେ ।୧୫୨।
ଦୟା ରଖିଥିବ ମାତା ପିତାଙ୍କୁ କ‌ହିଲେ ।
ଆଶିଷ କଲ୍ୟାଣ କରି ବିନୟ ହୋଇଲେ ।୧୫୩।
ରତ୍ନ ହୋନ୍ଦୋଳରେ ନେଇ ବିଜେ କରାଇଲେ ।
ବିନୟ ହୋଇଣ ରାଣୀ ଦାସୀଙ୍କୁ କ‌ହିଲେ ।୧୫୪।
ଏହି ସ୍ନେହ ସଦା ରଖିଥିବ ପ୍ରଜାମାନେ ।
ବିଦାୟ ଦିଅ ଯାଉଛି ନିଜ କର୍ମସ୍ଥାନେ ।୧୫୫।
ଶୁଭବେଳେ ରାଜରାଣୀ ରାଜ୍ୟକୁ ଗମିଲେ ।
ପାତ୍ରମନ୍ତ୍ରୀ ସର୍ବେ ତାଙ୍କ ସଙ୍ଗେ ଗୋଡ଼ାଇଲେ ।୧୫୬।
ଶଙ୍ଗ ଶବଦରେ ରାଜ୍ୟ ସାରା କମ୍ପାଇଲେ ।
ଶୁଭ ଅନୁକୁଳ କରି ବାହାର ହୋଇଲେ ।୧୫୭।
କିଛି ଦୂର ଗଲାପରେ ମନ୍ଦିର ଭେଟିଲେ ।
ଜୟ ଶଙ୍ଖ ବୀର ଶବ୍ଦ ତୂରୀ ବଜାଇଲେ ।୧୫୮।
ଯେଉଁ ମୟୂରଟି ରାଣୀ ମାଳା ଗିଳିଥିଲା ।
ରାଜା ରାଣୀଙ୍କୁ ଚିହ୍ନିଣ ଉଦ୍‌ଗାରିଣ ଦେଲା ।୧୫୯।
ଅଳଙ୍କାର ପାଇ ରାଣୀ ହରଷ ହୋଇଲେ ।
ସୁରଦେବ ରାଣୀ ଶାପମୁକ୍ତ ହୋଇଗଲେ ।୧୬୦।
ସେଠାବରୁ ପାତ୍ରମନ୍ତ୍ରୀ ବିଦାକରି ଦେଲେ ।
ତୁମ୍ଭେମାନେ ଯାଅ ଭଲେ ଆମ୍ଭେ ଯିବୁ ଭଲେ ।୧୬୧।
ସେଠାବରୁ ପାତ୍ରମନ୍ତ୍ରୀ ବିଦାୟ ହୋଇଲେ ।
ରାଜା ରାଣୀ ବ‌ହୁତ ଆଶିଷ ଯେ ବାଞ୍ଛିଲେ ।୧୬୨।
ହସ୍ତୀ ପୃଷ୍ଠେ ବସି ରାଜାରାଣୀ ଚାଲିଗଲେ ।
ବନସ୍ତ କନ୍ଦରେ ନ‌ଦୀ ନିକଟେ ମିଳିଲେ ।୧୬୩।
ଶଙ୍ଖଧ୍ୱନି ଶବଦରେ ନ‌ଦୀ କମ୍ପିଗଲା ।
ଶବ୍ଦ ଶୁଣିଣ କୁମ୍ଭୀର ତଡତି ଆସିଲା ।୧୬୪।
ସଙ୍ଗେ ସଙ୍ଗେ ସଭାଚନ୍ଦ୍ରକୁ ଯେ ଉଦ୍‌ଗାରିଲା ।
ଏହି ଜନମରୁ ମୁକ୍ତ କରନ୍ତୁ ବୋଇଲା ।୧୬୫।
ପୁତ୍ରକୁ ପାଇଣ ରାଣୀ ହରଷ ହୋଇଲେ ।
ଶୁରଦେବ ରାଜ୍ୟ ଶାପୁ ମୁକ୍ତ ହୁଅ ଭଲେ ।୧୬୬।
ସଭାଚନ୍ଦ୍ରକୁ ନେଇଣ କୋଳେ ବସାଇଲେ ।
ସେଠାବରୁ ରାଜାରାଣୀ ମନ୍ଦିରେ ଚଳିଲେ ।୧୬୭।
ମହାଲକ୍ଷ୍ମୀ ନଳକୁ ଯେ ସୁଦୟା କରିଲେ ।
ବେତାଳମାନଙ୍କୁ ଡାକି ତ‌ହୁଁ ଆଜ୍ଞାଦେଲେ ।୧୬୮।
ରାଜାରଭଣ୍ଡାର ସର୍ବ ପୂର୍ଣ୍ଣ କରି ଆସ ।
ପୂର୍ଣ୍ଣ କରି ଆସି ମୋତେ କ‌ହିବ ସନ୍ଦେଶ ।୧୬୯।
ଏହା ଶୁଣି ବେତାଳ ଯେ ଶୀଘ୍ର ଚଳିଗଲେ ।
ନଳରାଜାଙ୍କ ଭଣ୍ଡାଇ ସମ୍ପୂର୍ଣ୍ଣ କରିଲେ ।୧୭୦।
ଲେଉଟିଣ ଆସି ଲକ୍ଷ୍ମୀ ପାଶେ ଜଣାଇଲେ ।
ଭଣ୍ଡାଇ ପୂର୍ଣ୍ଣ ଶୁଣି ସନ୍ତୋଷ ହୋଇଲେ ।୧୭୧।
ଏ ସମୟେ ନଳରାଜା ରାଜ୍ୟେ ପ‌ହ‌ଞ୍ଚିଲେ ।
ସିଂହଦ୍ୱାରେ ପ‌ହଞ୍ଚି ହରଷ ହୋଇଲେ ।୧୭୨।
ରାଜା ରାଣୀ ପାତ୍ରମନ୍ତ୍ରୀ ଦେଖି ଧାଇଁଗଲେ ।
ସମାରୋହେ ପାଦତଳେ ସର୍ବେ ଲୋଟିଗଲେ ।୧୭୩।
ଉଠ ସର୍ବେ ରାଜାରାଣୀ ଏମନ୍ତ କ‌ହିଲେ ।
ଯେ ଯାହାର କାର୍ଯ୍ୟକ୍ରମେ ସର୍ବେ ଲିପ୍ତ ହେଲେ ।୧୭୪।
ଅଭିଷେକର ଯୋଗାଡ଼ ମନ୍ତ୍ରୀ କରାଇଲେ ।
ଶୁଭବେଳେ ରାଜାରାଣୀ ଅଭିଷେକ ହେଲେ ।୧୭୫।
ବାଦ୍ୟ ଶବଦରେ ରାଜ୍ୟେ ଆନନ୍ଦ ଲଭିଲେ ।
ନ‌ଗ୍ର ନ‌ଗ୍ର ବୁଲିରାଜା ବ‌ହୁ ଧନ ଦେଲେ ।୧୭୬।
ଆନନ୍ଦ ହୋଇଣ ରାଜା ପ୍ରଜାଙ୍କୁ ପାଳିଲେ ।
ରାଜା ପ୍ରଜା ଆନନ୍ଦରେ ସନ୍ତୋଷ ଲଭିଲେ ।୧୭୭।
ଏହା ପରେ ଶ୍ରୀ ସୁଦଶା ବ୍ରତ ହିଁ ପଡ଼ିଲା ।
ବ୍ରତକରିବାକୁ ରାଣୀ ରାଜାଙ୍କୁ କ‌ହିଲା ।୧୭୮।
ଏମନ୍ତ ଏ ବ୍ରତ ବୋଲି ଇନ୍ଦ୍ରଙ୍କୁ କ‌ହ‌ନ୍ତେ ।
ଇନ୍ଦ୍ର ସ‌ହିତରେ ଶଚୀ ଏ ବ୍ରତ କରନ୍ତେ ।୧୭୯।
ନାରଦ ଋଷିଙ୍କଠାରୁ କଥାକୁ ଶୁଣିଲେ ।
ବ୍ରତକୁ ସମ୍ପୂର୍ଣ୍ଣ କରି ଦକ୍ଷିଣାକୁ ଦେଲେ ।୧୮୦।
ଦକ୍ଷିଣା ପାଇ ନାରଦ ବିଜେ କରିଗଲେ ।
ଏ ବିଧିରେ ନର ନାରୀ ଲକ୍ଷ୍ମୀବ୍ରତ କଲେ ।୧୮୧।
ଯେଉଁ ନର ନାରୀ ଏହି ବ୍ରତକୁ କରନ୍ତି ।
ତାଙ୍କରି କନ୍ଧରୁ ଲକ୍ଷ୍ମୀ କେବେ ନ ଛାଡ଼ନ୍ତି ।୧୮୨।
ଏଣୁ ମହାଲକ୍ଷ୍ମୀ ପାଦେ ଥାଉ ମୋର ମତି ।
ସଦାଜୟେ ସମ୍ପୂର୍ଣ୍ଣ ହେ ସୁଦଶ ବ୍ରତଟି ।୧୮୩।
॥ ଇତି ଶ୍ରୀ ସୁଦଶାବ୍ରତ ସଦା ଜୟ ॥