Jump to content

ହରିବଂଶ/ଦ୍ୱିତୀୟ ଖଣ୍ଡ

ଉଇକିପାଠାଗାର‌ରୁ
ହରିବଂଶ ଲେଖକ/କବି: ଅଚ୍ୟୁତାନନ୍ଦ ଦାସ
ଦ୍ୱିତୀୟ ଖଣ୍ଡ

ମଙ୍ଗଳାଚରଣ

[ସମ୍ପାଦନା]

ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟ ମୁଦିରୟେତ୍।
ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିଂ
ଯତ୍‌କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ
ବେଦାନୁଦ୍ଧରତେ ଜଗନ୍ତି ବହତେ ଭୂଗୋଳମୁଦ୍‌ବିଭ୍ରତେ,
ଦୈତ୍ୟାନ୍ ଦାରୟତେ ବଳିଂ ଛଳୟତେ କ୍ଷତ୍ରିକ୍ଷୟଂ କୁର୍ବତେ
ପୌଲସ୍ତ୍ୟଂ ଜୟତେ ହଳଂ କଳୟତେ କାରୁଣ୍ୟ ମାତନ୍ୱତେ,
ମ୍ଲେଚ୍ଛାନ୍ ମୂର୍ଚ୍ଛୟତେ ଦଶାକୃତି କୃତେ କୃଷ୍ଣାୟ ତୁଭ୍ୟଂ ନମଃ
ବ୍ୟାସ ବଶିଷ୍ଠନପ୍ତାରଂ ଶକ୍ତେଃ ପୈତ୍ରମକଳ୍ମଷଂ
ପରାଶରାତ୍ମଜଂ ବନ୍ଦେ ଶୁକତାତଂ ତପୋନିଧିଂ

ମେରୁ ଜନ୍ମ

[ସମ୍ପାଦନା]

ଜୟ ତୁ ଶାରଦା ମାଗୋ ଅପର୍ଣ୍ଣା ପାର୍ବତୀ
ଜୟ ଶାରଦା ଅଜ୍ଞାନଜନ ଜ୍ଞାନଦାତ୍ରୀ
ଅଗାଧ ସାଗର ଏହି ହରିବଂଶ ପୋଥି
ତବ କୃପା ହେଲେ ସିନା କରିବି ଉକତି।
ଜୟ ତୁ ଜଗନ୍ନାଥ ହେ କାମି କାମଦାନୀ
ଅନାଦି ଅଚଳ ସ୍ୱାମୀ ପରତତ୍ତ୍ୱଜ୍ଞାନୀ
ଦେବାଧି ଦେବଙ୍କର ତୁ ଅଟୁ ଅଗ୍ରଲେଖା
ଆଦି ଅନ୍ତ ମଧ୍ୟ ନାହିଁ ନାହିଁ ଲେଖାଯୋଖା
କିରୀଟ କୁଣ୍ଡଳ ତୋର ସାରଙ୍ଗ ଯେ ଧନୁ
ଅଭେଦ୍ୟ ବଜ୍ର ଅଟଇ ସ୍ୱାମୀ ତୋର ତନୁ
ଶୟଳର ଲାଭ ହାନି ହରତା କରତା
ଲକ୍ଷ୍ମୀ ସରସ୍ୱତୀଙ୍କର ଅଟ ତୁମ୍ଭେ ଭର୍ତ୍ତା
ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରିଭୁଜ
କରୁଣାନିଧି ଦେବାଧି ଦେବଙ୍କର ରାଜ
ବ୍ରହ୍ମାଆଦି ରୁଦ୍ର ଦେବେ ପଢ଼ନ୍ତି ତୋ ସ୍ତୁତି
ତୁମ୍ଭେ ଯୋଗନିଦ୍ରା ପିଣ୍ଡ ବ୍ରହ୍ମାଣ୍ଡର ପତି
ଅଦେହ ଅଶ୍ରୁତ ଅଣାକାର ଅବ୍ୟକତ
ତୋର ଖେଳ କଉତୁକେ ହୋଏ ଏ ଜଗତ
ଘଟଣ ତୁ ଅଘଟଣା ଚତୁର୍ଦ୍ଧା ମୂରତି
ଆପେ ସମ୍ଭୂତ ହୋଇ ତୁ ରଖୁ ବସୁମତୀ
ଧର୍ମ ଅର୍ଥ କାମ ମୋକ୍ଷ ଚଉବର୍ଗ ଗୁରୁ
ଶରଣ ରକ୍ଷଣ ନାଥ ବାଞ୍ଛା କଳ୍ପତରୁ
ତୀର୍ଥରାଜ ବୃକ୍ଷରାଜ ପକ୍ଷରାଜ ମୂଳେ
ଗିରିରାଜ ଲିଙ୍ଗରାଜ ତୋର ପାଦ ତଳେ
ବାରେ ତୋର ଦରଶନେ ବଇକୁଣ୍ଠ ଲଭି
ଆଉ ତାର ପୁନର୍ଜନ୍ମ ନାହିଁ ଦିବି ଭୁବି
ଅପାର ମହିମା ତୋର କହି ନ ସରଇ
ମୁଁ କିସ କହିବି ତାହା ନରଦେହ ବହି
ଦ୍ୱିତୀୟ ଖଣ୍ଡକୁ ବାକ୍ୟ ଦେବୀ ପରସନ୍ନେ
ଲେଖଇ ଯାହା କହଇ ମୋର ବିଦ୍ୟମାନେ
ମୋତେ ଗୋଚର ନୁହଇ ଏ ବିଷ୍ଣୁର ବାଣୀ
ପାଠ ଶାଠ ଶାସ୍ତ୍ର ବିଦ୍ୟା ମୁହିଁ ତ ନ ଜାଣି
ଏଣୁ ପଣ୍ଡିତ ଗୋଷ୍ଠୀକି ନୁହଇ ମୁଁ ସରି
ହେତୁ ପାଇଲି ଶାରଦା ଦେବୀ ଅନୁସରି
ସୁଜ୍ଞଜନମାନଙ୍କର ଦାସର ମୁଁ ଦାସ
ବାଳୁତମତି ମୋହର ନ ଧରିବା ଦୋଷ
ଯେ ହରିବଂଶ ବ୍ରହ୍ମାଦି ଦେବେ ଅଗୋଚର
ସେ ଗ୍ରନ୍ଥ କହିବାକୁ କି ଭରସା ମୋହର
କେବଳ ହରିଚରିତ ଉଚ୍ଚାର ନିମନ୍ତେ
ମୁକତି ବାଟ ଦେଖାଉଅଛି ଜନହିତେ
ଯହୁଁ ବାଞ୍ଛିତ ବଚନମାନ ଠିକ କଲି
ହରିନାମ ହୃଦେ ଧରି କେବଳ ବଞ୍ଚିଲି
ଶ୍ରୀ ଜଗନ୍ନାଥଙ୍କର ଚରଣେ ମୋର ସେବା
ବିଶେଷ ଜନେ ଏ ଭାଗବତକୁ ଶୁଣିମା
ଶୁଣ ହୋ ପରୀକ୍ଷ ରାଜା ମେରୁ ଜନ୍ମବାଣୀ
ଲକ୍ଷେ ଶୃଙ୍ଗ ବହି ଯେହୁ ଧରିଛି ଧରଣୀ
ଯେବଣ ପ୍ରକାରେ ହେଲା ମେରୁ ଉତପତ୍ତି
ତା ତୁମ୍ଭ ଆଗେ କହିବା ପଣ୍ଡୁପଣନାତି
ଯେ ବେଳେ ସଙ୍କେତ ନାମେ ସତ୍ୟଯୁଗ ହେଲା
ଆରୋହ ନାମରେ ମନୁ ଅଧିକାରୀ ଥିଲା
ନର ଶେଖର ନାମରେ ବ୍ରହ୍ମା ଦେହଧାରୀ
ମାନବ ଆଦି ଜୀବର ସୃଷ୍ଟି ଅଧିକାରୀ
ଧାର୍ମିକ ବିବେକୀ ଅଟେ ସେହି ବେଦବର
ଚତୁର୍ମୁଖେ ବେଦ ପଢ଼େ ଚାରିମୁଣ୍ଡ ତାର
ସେ ନରଶେଖର ବ୍ରହ୍ମା ଦିବସେକ ଅନ୍ତେ
ଅଠର ଲକ୍ଷ ଅଠାଶୀ ସହସ୍ର ଲେଖନ୍ତେ
ଏ ବିଧିରେ ଜୀଇଁ ବ୍ରହ୍ମା ଶତେ ବର୍ଷ ଯାଏ
ଏ ବ୍ରହ୍ମା ନାଶ ଗଲେଟି ଆନ ବ୍ରହ୍ମା ହୋଏ
ସେ ବ୍ରହ୍ମାର ଶତେଗୁଣେ ତାର ବଇଭୋଗ
ତାକୁ ସମୟେକ ପୁଣି ଘଟେ ମୃତ୍ୟୁଯୋଗ
ସେ ବ୍ରହ୍ମା ନାଶ ଗଲେଟି ନିରାକାର ସ୍ୱାମୀ
ତା ତହୁଁ ଅଧିକ ଗୁଣେ ବ୍ରହ୍ମା ସୃଜେ ଆଣି
ଏ ବିଧି ଶତେକ ବ୍ରହ୍ମା ଏକୁ ଏକ ଶ୍ରେଷ୍ଠ
ବିଷ୍ଣୁର ଆଜ୍ଞା ପ୍ରମାଣେ ସମେ ପାଳେ ରାଷ୍ଟ୍ର
ଏହି ପରମାଣେ ଜାତ ଶତେ ବ୍ରହ୍ମା ଯାଇ
କୋଟିମୁଖ ହୋଇ ଏକ ବ୍ରହ୍ମା ଉପୁଜଇ
ସେ କୋଟିମୁଖ ବ୍ରହ୍ମାର ଦିବସେକ ଯେତେ
ଲେଖନ୍ତେ ଅନ୍ତ କରି ମୁଁ କହିବଇଁ କେତେ
ଅଦୃଷ୍ଟ ସେ ଅସମ୍ଭବ ଅଗୋଚର ବାଣୀ
ମନ ବଚନରେ ତାହା ନୋହେ ପରିମାଣି
ସେ ବ୍ରହ୍ମାର ଦିବସେକ ସୃଷ୍ଟି ହୁଏ କ୍ଷୟ
ଦ୍ୱାଦଶ ଲୋକ ପର୍ଯ୍ୟନ୍ତ ଘୋଟଇ ପ୍ରଳୟ
ଅନନ୍ତ କୋଟି ବ୍ରହ୍ମାଣ୍ଡେ ଜୀବଜନ୍ତୁ ଥାନ୍ତି
ବ୍ରହ୍ମା ନାଶଗଲେ ସେହି ସବୁ ନାଶଯାନ୍ତି
ସ୍ୱର୍ଗମଣ୍ଡଳଯାକ ତ ଘୋଟେ ମହାଜଳ
ତେତିଶକୋଟି ଦେବତା ମରନ୍ତି ସକଳ
ରାତ୍ର ଯେତେ ଦିବସହିଁ ତେତେ ବ୍ରହ୍ମା ଥାନ୍ତେ
କହନ୍ତେ ତା ଅସମ୍ଭବ ଅଗୋଚର ମୋତେ
ଦିବସଯାକ ସେ ବ୍ରହ୍ମା ସର୍ଜଇ ଜଗତ
ରାତ୍ର ହୋଇଲେ ସେ ବ୍ରହ୍ମା ନିଦ୍ରାରେ ମୋହିତ
ମେରୁ ମନ୍ଦର ଗିରି ଯେ ଅଷ୍ଟଗିରି ମୂଳେ
ସର୍ବନାଶ ଯାନ୍ତି ବ୍ରହ୍ମା ରାତ୍ରେ ନିଦ୍ରା ଗଲେ
ଦେବ ଦାନବ ମାନବ ଆଦି ଯେ ଅଛନ୍ତି
ଦେହଧାରୀମାନେ କେହି ନ ଥାନ୍ତି ବରତି
ବ୍ରହ୍ମ ଲୋକେ ଜଳ ଲାଗିଯାଏ ଯହୁଁ କ୍ଷୟେ
ସବୁ ଜଗତ ବଡ଼ବା ଅନଳ ପରାୟେ
ବ୍ରହ୍ମାଙ୍କ ଯୁଗ ରାତ୍ରକ ଏହିରୂପେ ଗଲେ
ଦିବସ ହୋଇ ବ୍ରହ୍ମାର ରଜନୀ ପାହିଲେ
ଯେତେବେଳେ ରବିଙ୍କର କିରଣ ଲାଗଇ
ନିଦ୍ରା ଭଙ୍ଗ ହୋଇ ବ୍ରହ୍ମା ଉଠିଣ ବସଇ
ନୟନ ମଳିଣ ତହୁଁ ଦେଖଇ ସେକାଳେ
ସଚରାଚର ବ୍ରହ୍ମାଣ୍ଡ ବୁଡ଼ିଅଛି ଜଳେ
ଜନ ଜନ୍ତୁଏ ନ ଥାନ୍ତି କେହି ଦେହ ଧରି
କଇଳାସ ଆଦି ମେରୁ ମନ୍ଦର ଯେ ଗିରି
ଜଗତଯାକ ଲହରୀମୟ ମହାଜଳ
ଅଶେଷ ପ୍ରବଳେ ଭେଦି ତଳ ମହାତଳ
ସେ ମହାଜଳରେ ସ୍ନାନ କରି ପରମେଷ୍ଠୀ
ଦେଖଇ ସେ ଶୂନ୍ୟମୟ ହୋଇଅଛି ସୃଷ୍ଟି
ଜନଜନ୍ତୁ ମାତ୍ର କେହି ନାହିଁ ସଙ୍ଗେ ସଖା
ପ୍ରଳୟ ଜଳରେ ଆପେ ରହିଅଛି ଏକା
ରୁଦ୍ରରୂପୀ ଅଟଇ ଯେ ବିଷ୍ଣୁ ରୂପ ସେହି
ସର୍ବଦେହେ ବ୍ରହ୍ମା ହୋଇଅଛି ଏକଦେହି
ବେଦମୟ ଆତ୍ମା ସେହୁ ବେଦ ତାର ସଖା
ଆଦ୍ୟ ଅନ୍ତ ମଧ୍ୟ ଯାର ନାହିଁ ପୁଣି ଲେଖା
ସଂସାରକୁ ଶୂନ୍ୟମୟ ଦେଖନ୍ତେ ବିଧାତା
ମଧୁକଇଟଭ ଜାତ କଲା ବିଶ୍ୱକର୍ତ୍ତା
ତାଙ୍କର ସଙ୍ଗରେ ବିଷ୍ଣୁ କରି ମହାଯୁଦ୍ଧ
ବିଶ୍ୱରୂପ ଧରି କଲେ ସେ ଦୁହିଁଙ୍କୁ ବଧ
ଅଶେଷ କୋଟି ଯୋଜନ ସେ ଅସୁର ବପୁ
ରଙ୍ଗ କୁତୂହଳେ ତାଙ୍କୁ ନାଶି ମଧିୁରିପୁ
ମଧୁ ଦଇତ୍ୟକୁ ଯହୁଁ ମାଇଲେ ଶ୍ରୀହରି
ତେଣୁ ତାହାଙ୍କର ନାମ ହେଲା ମଧୁହାରୀ
ଦାନବ ଶରୀର ଦେବ ଧରି ନିଜକରେ
ଅସ୍ଥି ରକତ ମାଏଁସ ମର୍ଦ୍ଦି ରୋଷଭରେ
କୁରାଳ ମାଟି ପରାୟ ମର୍ଦ୍ଦିକଲେ ଲୋଚା
ଦାନବଙ୍କୁ ମାରି ପ୍ରଭୁ କଲେକ ଭଙ୍ଗିଚା
ଖଣ୍ଡ ଖଣ୍ଡ କରି ସ୍ୱାମୀ ଧରି କରତଳେ
ସାତଖଣ୍ଡ ପକାଇଲେ ଦିଗ ବାରି ଜଳେ
ଅସ୍ଥି ମାଂସ ସେହୁ ଯହୁଁ ସଞ୍ଚିଲେକ ସ୍ୱାମୀ
ତେଣୁ ବସୁନ୍ଧରା ନାମ ରଖିଲେ ମେଦିନୀ
ସେ ମେଦ ମେଦିଲେ ଧାତା ଜଳର ଭିତରେ
ଭାସିଲା ସେ ଥଲ ଥଲ ହୋଇ ଲହରୀରେ
ତାହା ଦେଖିଣ ବିଧାତା ହୋଇଲେ ହତାଶ
ବିଚାରି ବୋଇଲା ଏହା କରିବି ମୁଁ କିସ
ବେନିକରେ ତୋଳି ତାକୁ ଆକର୍ଷି ଧଇଲା
ଅସମ୍ଭାଳ ହୋଇ ତହୁଁ ତାକୁ ଛାଡ଼ିଦେଲା
ଧରୁ ଧରୁ ସେ ମେଦିନୀ ହେଲା ଯହୁଁ ଆଣି
ସେଦିନୁ ତାହାର ନାମ ହୋଇଲା ଧରଣୀ
କେବେହେଁ ଆୟତ୍ତ ଯହୁଁ ନୋହିଲା ବ୍ରହ୍ମାଣ୍ଡ
ବ୍ରହ୍ମଦଣ୍ଡ ଖଣ୍ଡି ଧାତା କଲା ବେନି ଖଣ୍ଡ
ପଞ୍ଚଭୂତ ଆତ୍ମାକୁ ସେ ପାଞ୍ଚଖଣ୍ଡ କଲା
କରେ ଧରି ବ୍ରହ୍ମଦଣ୍ଡ ପବେକ ଭାଙ୍ଗିଲା
ଉପରେ ପବକ ବ୍ରହ୍ମା ଘେନି ନିଜକରେ
ଗାଢ଼ କରିଣ ପୋତିଲା ଜଳର ଭିତରେ
ସାତକୋଟି ଯୋଜନ ସେ ଫୁଟି ତଳେ ଗଲା
ଉପରେ ଚଉଦ କୋଟି ଉତ୍ସର୍ଗ ରହିଲା
ଏହି ଏକୋଇଶ କୋଟି ଯୋଜନ ପ୍ରସିଦ୍ଧି
ଏକୋଇଶ ବ୍ରହ୍ମାଣ୍ଡକୁ ସ୍ଥାପିଲା ଏ ବିଧି
ଉପରେ ଚଉଦଲୋକ ତଳେ ଲୋକ ସାତ
ଏମନ୍ତ ଏ ଏକୋଇଶ ଲୋକ ସର୍ଜିଲା ତ
ଅଚଳ କରି ଥୋଇଲା ସପତ ମେଦିନୀ
ସେ ଦିନୁ ଅଚଳା ନାମ ହେଲା ପଦ୍ମଯୋନି
ବ୍ରହ୍ମଦଣ୍ଡ ଅଗପବ ମାଡ଼ିବସି ପୋତି
ମେରୁଦଣ୍ଡ ନାମ ତାର ଦେଲା ପ୍ରଜାପତି
ମେରୁ ମହିମା କହିବା ତୋତେ ମହାଜ୍ଞାତା
ମିଳେ ତହିଁ ଏକୋଇଶ ପୁରର ବାରତା
ତଳ ସାତଲୋକର ଯେ ବାରତା ତୁ ଶୁଣ
ଲଭିବୁ ତୁ ସଦଗତି ପାଇବୁ କାରଣ
ତଳକୁ ହିଁ ନାଗଲୋକ କୂର୍ମଲୋକ ମୂଳେ
ମୀନ ମଣ୍ଡୁକୀଲୋକ ଯେ ଅଛଇ ପାତାଳେ
ଅନନ୍ତ ପ୍ରଭୁ ଏ ବିଶ୍ୱଯାକ ଅଛି ବହି
ଶଉଚ ହୋଇ ଆତ୍ମାରେ ମନଦେଇ ଥୋଇ
ତହିଁର ତଳେ ଅଛଇ ପୁର ସ୍ୱର୍ଣ୍ଣମୟେ
ସାତକୋଟି ଯୋଜନ ତା ଆୟତନ ହୁଏ
ପାତାଳ ବୋଲିଣ ସେହି ପୁରର ନିର୍ମାଣ
ଯାହା ଧରିଛି ମଣ୍ଡୁକୀ ନାମେ ନାରାୟଣ
ତହିଁର ତଳେ ଅଛଇ ପୁରେକ ବିସ୍ତାର
ଏଗାର କୋଟି ଯୋଜନ ଆୟତନ ତାର
ଅତଳ ପାତାଳ ବୋଲି ଅଟଇ ସେ ଭୂମି
ତାହାକୁ ଧରିଅଛନ୍ତି କୂର୍ମରୂପୀ ସ୍ୱାମୀ
ତହିଁର ତଳେ ଅଛଇ ପୁର ଅନୁପମ
ତେରକୋଟି ଯୋଜନ ଯେ ତାର ଆୟତନ
ରସାତଳ ନାମ ସେହି ପୁରର ପ୍ରସିଦ୍ଧି
ଧରିଅଛନ୍ତି ମୁକୁଦ ନାମେ ମହାଯୋଧୀ
ତା ତଳେ ଅଛି ପୁରେକ ଜାଣି ହେମପ୍ରଭା
ଚନ୍ଦ୍ରକିରଣ ତାହାର ପଟାନ୍ତର ଶୋଭା
ବ୍ରହ୍ମ ପାତାଳ ବୋଲି ସେ ପୁର ଶୁଦ୍ଧଜ୍ୟୋତି
ପନ୍ଦର କୋଟି ଯୋଜନ ତାର ଦୀର୍ଘ ପ୍ରତି
ଆପେ ନିରଞ୍ଜନ ତହିଁ ଦିବ୍ୟରୂପ ହୋଇ
ବିଶ୍ୱ ବଳଭଦ୍ର ରୂପେ ଅଛନ୍ତି ତା ବହି
ତା ତଳେ ଅଛି ପୁରେକ ନାମ ବେଲ୍ଲାବଳି
ସତରକୋଟି ଯୋଜନ ଅଟଇ ସେ ସ୍ଥଳି
ତା ନାମ ଅଟେ ପାତାଳ ବଇକୁଣ୍ଠପୁର
ପ୍ରତ୍ୟକ୍ଷେ ସେ ନାରାୟଣ ଦେବତାର ଘର
ବହୁମୂଲ୍ୟ ରତନରେ ସେ ପୁର ନିର୍ମାଣ
ଧରିଅଛନ୍ତି ସହସ୍ରବାହୁ ନାରାୟଣ
ସପତଲୋକ ଯେ ଶେଷ ହୋଇଛନ୍ତି ତହିଁ
ସେଠାରୁ ଜାଣ ତଳକୁ ପୁର ଆଉ ନାହିଁ
ନିର୍ମଳ ଜଳ କେବଳ ଆବୋରିଛି ଏକା
ଜନଜନ୍ତୁ ଆତଯାତ ହେବା ନାହିଁ ଲେଖା
ଶୁଣନ୍ତି ରାଜ ପରୀକ୍ଷ ବଦୟନ୍ତି ମୁନି
ଶ୍ରୀହରିବଂଶ ପୁରାଣବାଣୀ ପୁଣ୍ୟଧ୍ୱନି
ଅଶେଷ ଗଭୀର ବାରାନିଧି ଏହୁ ଗ୍ରନ୍ଥ
ସଂକ୍ଷେପି କହିବାକୁ ମୁଁ ନୁହେଁ ସାମରଥ
ବ୍ରହ୍ମାଣ୍ଡ ପାତନା ଏ ଯେ ଶ୍ରୀବିଷ୍ଣୁର ବାଣୀ
ଅପାର ଗହନ କଥା ନୁହେଁ ଏକାଜାଣି
ତୁମ୍ଭେ ମୋତେ ପୁଚ୍ଛାକଲ ମେରୁ ଜନ୍ମବିଧି
ପୁରାଣବାଣୀ କହିଲୁ ଜାଣୁ ଯଥାବିଧି
ଏସନ ବିଧିରେ ହେଲା ମେରୁ ଅବତାର
ସେହି ସିନା ଆବୋରିଛି ବିଶ୍ୱ ଭାରାଭର
ବ୍ରହ୍ମା ତା ତ୍ରିଦଣ୍ଡ ଗୋଟି ଭାଙ୍ଗି ମେରୁ କଲା
ସକଳ ବ୍ରହ୍ମାଣ୍ଡ ବ୍ରହ୍ମା ତହିଁ ଖଟାଇଲା
ଅମୂଲ୍ୟ କନକାବତୀ ପୋଡ଼ା ପିଟା ସୁନା
ଅଷ୍ଟାଦଶ ପୁରାଣେ ମୁଁ ଶୁଣିଅଛି ସିନା
ଯେବଣ ମେରୁ ଅଟଇ ବ୍ରହ୍ମାର ତ୍ରିଦଣ୍ଡି
ସେ ବ୍ରହ୍ମାପାଦେ ଅଚ୍ୟୁତ ଦାସ ଶିର ମଣ୍ଡି
କହନ୍ତି ଯେ ଶୁକମୁନି ଶୁଣନ୍ତି ନୃପନ୍ତି
ପଦ ପଦକେ ମଧୁର ଅମୃତ ଭାରତୀ
ମେରୁକୁ ବେଢ଼ି ଅଛଇ ଯେଉଁ ଅଷ୍ଟଗିରି
ସେ ଯେମନ୍ତେ ଜାତହେଲେ ଶୁମ ଦଣ୍ଡଧାରୀ
କହିବା ତୋତେ ବ୍ରହ୍ମାଣ୍ଡ ପାତାଳର କଥା
ଛେଦିବୁ ତୁ ଅପମୃତ୍ୟୁ ରୋଗ ଶୋକ ବ୍ୟଥା
ଯେତେବେଳେ ମେଦମେଦା ହୋଇଲା ବ୍ରହ୍ମାଣ୍ଡ
ସ୍ଥିର ନୋହିବାରୁ ବ୍ରହ୍ମା ପୋତିଲା ତ୍ରିଦଣ୍ଡ
ମେରୁଦଣ୍ଡ ଖଟାଇଲେ ସବୁ ବସୁନ୍ଧରୀ
ପବନ ବିଘାତେ ତହିଁ ବାଜିଲା ଲହରୀ
ସେ ଲହରୀଘାତେ ଦଲ ଦଲ ହେଲା ପୃଥ୍ୱୀ
ତାହା ଦେଖି ଅମରଷ କଲେ ବେଦପତି
ଓଁକାର ଧ୍ୱନି କରିଣ ମହାମନ୍ତ୍ର ପଢ଼ି
ଧାତିକାରେ ପୋତିଲେ ସେ ରୋମ ଯୋଡ଼ି ଯୋଡ଼ି
କହିବା ତୋତେ ହୋ ଏକା ଏକା ରୋମଗୁଣ
ସାବଧାନ ହୋଇ ଏବେ ଭାଗବତ ଶୁଣ
ନଉସହସ୍ର ଯୋଜନ ଅଟଇ ଉତ୍ସର୍ଗ
ଚଉରାଶୀ ଯୋଜନା ତା ଅଟେ ପ୍ରତିଦୀର୍ଘ
ନାଗଲୋକଠାରୁ ଶୂନ୍ୟ ଭୁବନ ପର୍ଯ୍ୟନ୍ତ
ମେରୁର ପାବଚ୍ଛଯାଏ ରୋମଶିଖା ଅନ୍ତ
ପ୍ରଥମ ରୋମଗୋଟି ସେ ପୋତିଲେକ ଯାହା
ରଖିଲେ ମନ୍ଦର ଗିରି ବୋଲି ନାମ ତାହା
ଆବର ପୋତିଲେ ଯେଉଁ ରୋମ ଅନୁପମ
ପାରିପାତ୍ର ବୋଲି ବ୍ରହ୍ମା ଦେଲେ ତାର ନାମ
ପୋତିଲେ ଯେଉଁ ତୃତୀୟ ରୋମ ବେଦବର
ମହେନ୍ଦ୍ର ଗିରି ହୋଇଲା ନାମହିଁ ତାହାର
ପୁଣି ପୋତିଲେ ଆରେକ ରୋମ ଆଣ୍ଟକରି
ସେ ରୋମ ପଶ୍ଚିମ ଭାଗେ ନାମ ବିନ୍ଧ୍ୟଗିରି
ମାଲ୍ୟବାନ ସୁପାରୁଶ ହିମବାନ ତିନି
ଏକାବେଳକେ ପୋତିଲେ ତିନି ରୋମ ଘେନି
ଏକୁ ଯେ ଆରେକ ରୋମ ଅଟଇ ସୁସଞ୍ଚ
ଘୋଟିଲା ପାତାଳ ଆଦି କରି ସ୍ୱର୍ଗ ମଞ୍ଚ
ଏ ବିଧି ପୋତିଲେ ଅଷ୍ଟରୋମ କୁଶକେତୁ
ତେଣୁ ପୃଥିବୀ ଅଚଳ ହେଲା ଜାଣ ତତ୍ତ୍ୱୁ
ରୋମ ଯାହା ପୋତିଲେ ସେ ହେଲା ଅଷ୍ଟଗିରି
ଚାରିକୋଣେ ଚାରିଦିଗେ ମେରୁକୁ ଆବୋରି
ଶୁଣ ତୁ ପରୀକ୍ଷ ମେରୁ ପ୍ରଥମ ପାବଚ୍ଛ
ଚୌରାଶି ଲକ୍ଷ ଯୋଜନ ଉଚ୍ଚ ସମ କଚ୍ଛ
ତହିଁ ଉପରେ ସୁଧର୍ମା ନାମେ ଅଛି ସଭା
ଦେବତାମାନଙ୍କୁ ଘେନି ବସଇ ମଘବା
ଅପସରୀ ବିଦ୍ୟାଧରୀ ଗନ୍ଧର୍ବ କିନ୍ନରୀ
ସ୍ୱର୍ଗର ଉପରେ ସବୁ ଦେବତାଙ୍କ ପୁରୀ
ମର୍ତ୍ତ୍ୟ ଲୋକଙ୍କର ଯେବେ ଯୁଗକ୍ଷୟ ଯାଇ
ସ୍ୱର୍ଗ ଦେବତାମାନଙ୍କୁ ଦିବସେ ହୁଅଇ
ଏ ବିଧି ଶତେ ବରଷ ଦେବଙ୍କ ଆୟୁଷ
କାଳ ସମାପତେ ପୁଣି ଦେବେ ଯାନ୍ତି ନାଶ
ଶୁଣିଲ ପରୀକ୍ଷ ରାଜା ଦେବଙ୍କ ପାତନା
ଏହି ପ୍ରକାରେ ଚଉଦ ଲୋକେ ଜାଣ ସିନା
ସ୍ୱର୍ଗବାସୀ ଯେ ତେତିଶ କୋଟି ଦେବଗଣ
ଚରଣ ତଳେ ଅଚ୍ୟୁତ ପଶିଲା ଶରଣ

ତ୍ରିପୁରା ଚାଣ୍ଡାଳ ଚରିତ

[ସମ୍ପାଦନା]

ଏମନ୍ତ ଶୁଣି ପରୀକ୍ଷ ନାମ ଯମରାଜା
ଶୁକମୁନିର ଚରଣେ କଲେ ଦିବ୍ୟପୂଜା
ଭୋ ମୁନି ମେରୁର ଜନ୍ମ ଶୁଣି ତବମୁଖେ
ପାପ କ୍ଷୟ ଗଲା ଅନ୍ତେ ଯିବି ପୁଣ୍ୟଲୋକେ
ଆବର କଥାଏ ମୋର ଅଛଇ ସନ୍ଦେହ
ତୁମ୍ଭେ ତ ମହାପଣ୍ଡିତ ବୁଝାଇଣ କହ
ପାତାଳ ବଇକୁଣ୍ଠକୁ ଦେବତାଏ ଗଲେ
ଶ୍ରୀବିଷ୍ଣୁନାଥ ଛାମୁରେ ଗୁହାରିଆ ହେଲେ
ସ୍ୱାମୀ ଶ୍ରୀହସ୍ତରେ ତୋଳିଦେଲେ ରୋମବେନି
ପ୍ରମାଣ ଆଜ୍ଞା ପାଇ ତା ଅଇଲେକ ଘେନି
ସେ ରୋମ ନେଇ ଦେବତା କଲେ କିସ କିସ
ଏ କଥା ସଂକ୍ଷେପି ମୋତେ କହ ବ୍ୟାସଶିଷ୍ୟ
ଶ୍ରୀହରିବଂଶ ଅମୃତ ରସମୟ ନିଧି
ମହପାତକ ଦହଇ କରେ କାର୍ଯ୍ୟସିଦ୍ଧି
ରାଜା ବଚନେ ବୋଲନ୍ତି ଶୁକ ମୁନିବର
ଶୁଣ ଏକମନେ ଅଭିମନ୍ୟୁର କୁମର
ରୋମ ଘେନି ଦେବତାଏ ଗଲେ ଶୂନ୍ୟମାର୍ଗେ
ସମସ୍ତେ ମିଳିଲେ ଯାଇ ମେରୁଗିରି ଶୃଙ୍ଗେ
ମନେ ପରମ ଆନନ୍ଦ ହୋଇ ଦେବଗଣେ
ସୁଧର୍ମା ସଭାରେ ଆସି ବସିଲେ ଆସ୍ଥାନେ
ତେତିଶ କୋଟି ଦେବତା ଆବର ମଘବା
ଯେ ଯାହା ଆସନ ମାଡ଼ି ବସି କଲେ ସଭା
ସଭାର ମଧ୍ୟ ମଣ୍ଡପଗୋଟି ଶୁଦ୍ଧ ହେମ
ଅଷ୍ଟରତନ ଜଡ଼ିତ ଅଛି ନାନା କମ
ଅପୂର୍ବ ରତ୍ନ ପଲ୍ୟଙ୍କେ ସୁପାତି ଶେଯାଇ
ସୁବାସ ଜଳ ସିଞ୍ଚିଲେ ଦେବେ ତହିଁ ନେଇ
କର୍ପୁର କସ୍ତୁରୀ ଗନ୍ଧ ପରିମଳ ପାଣି
ନେତର ଶେଯ ଉପରେ ସିଞ୍ଚିଦେଲେ ଆଣି
କଳା ଶୁକ୍ଲ ରୋମ ଧାତା ଶ୍ରୀହସ୍ତରେ ଘେନି
ନିଜେ କରାଇଲେ ତହିଁ ବିଷ୍ଣୁ ରୋମ ବେନି
ସକଳ ଦେବତାମାନେ ହୋଇଣ ବିନୟୀ
ପାରୁଶରେ ଉଭାହେଲେ କାଖେ ହସ୍ତଦେଇ
ଏ ସମୟେ କଥା ତୁ ହୋ ଶୁଣ ନୃପସାଇଁ
ଇନ୍ଦ୍ରଦେବ ପୁଚ୍ଛାକଲେ ବ୍ରହ୍ମା ମୁଖ ଚାହିଁ
ଭୋ ଦେବ ସୃଷ୍ଟିକରତା ଆଦି ସିଦ୍ଧଯତି
ବିହନ୍ତା ନିହନ୍ତା ତୁମ୍ଭେ ଅଟ ବେଦପତି
ସକଳ ପ୍ରାଣୀଙ୍କର ଯେ ହାନି ଲାଭ କର୍ତ୍ତା
ଚାରିଖାନି ଜୀବଜନ୍ତୁ ଉପରେ ଦେବତା
ତୁମ୍ଭ ବୁଦ୍ଧିବଳେ ହୁଏ ଏ ସଂସାର ରକ୍ଷା
ମନ ପବନ ଚୈତନ୍ୟ ଅଟେ ତୁମ୍ଭ ଶାଖା
କଳପୀ ପୁରୁଷ ତୁମ୍ଭେ ଏ ସଂସାରେ ଲେଖା
ସମସ୍ତ ଦେବ କେବଳ ଅଟେ ତବସଖା
ତୁମ୍ଭଙ୍କୁ ଆଶ୍ରା କରିଣ ତରନ୍ତି ପରାଣୀ
ଅଜ୍ରାମର ତୁ ଅଚିନ୍ତ୍ୟ ଜନ ଚିନ୍ତାମଣି
ସ୍ୱାମୀ ସଂଶୟ ଲାଗିଲା ଏ କଥାରେ ମୋତେ
କଳା ଶୁକ୍ଲ ରୋମକଥା ଜାଣିବି କେମନ୍ତେ
ଶ୍ରୀବିଷ୍ଣୁନାଥ ପାଖକୁ ଗଲେ ଦିଗପାଳ
ପ୍ରତ୍ୟକ୍ଷ ଦେଖିଲେ ଆମ୍ଭମାନଙ୍କ ବିକଳ
କଂସର ଭୟେ ପାଇଲୁଁ ଆମ୍ଭେ କେତେ ବ୍ୟଥା
ଜଣାଇଲୁ ନାରାୟଣ ଛାମୁରେ ସେ କଥା
ଆମ୍ଭ ଗୁହାରି ଶୁଣିଲେ ଦେବ ନାରାୟଣ
ଏଥକୁ କଲେ ସେ ଅବା କେବଣ କାରଣ
ଶ୍ରୀଅଙ୍ଗରୁ ରୋମ ବେନି ଉପାଡ଼ିଣ ଦେଲେ
ଏହା ଘେନି ପୃଥ୍ୱୀଭାରା ନିବାର ବୋଇଲେ
ଏ ବେନି ରୋମ ଅବା କି କରିବେ ଆମ୍ଭନ୍ତ
ଦେହଧାରୀ ନ ହୋଇଲେ ଆପେ ଜଗନ୍ନାଥ
ବସୁଧାର ମହାଭାରା କାହୁଁ ହେବ ହତ
କହ ଚତୁର୍ମୁଖ ମୋତେ ଏଥିର ତଦନ୍ତ
ଏ କଥା ସଂକ୍ଷେପି ମୋତେ କହ ପିତାମହ
ଶୁଣାଇ ହିତବଚନ ଭ୍ରାନ୍ତି ମୋର ଦହ
ଇନ୍ଦ୍ର ମୁଖରୁ ଶୁଣିଣ ଏମନ୍ତ ବଚନ
ଭବିଷ୍ୟତ କହନ୍ତି ଶ୍ରୀ ଚତୁର ବଦନ
ଶୁଣ ସାବଧାନେ ତୁମ୍ଭେ ଶଚୀର ବଲ୍ଲଭ
ପୂର୍ବରୁ ବଚନ ତୋତେ କହିବା ଦୁର୍ଲଭ
ନିଦା ବିଷ୍ଣୁର ଦର୍ଶନ ତୋତେ କରାଇଲି
ରୋମ ଘେନିଣ ସନ୍ତୋଷ ହୋଇଣ ଅଇଲି
ଆଉ ତାଙ୍କୁ ଅଧିକ ମୁଁ କିସ ନ ମାଗିଲି
ଅକ୍ଷୟ ଅଜ୍ରାମର ତ ତୁମ୍ଭଙ୍କୁ ନ କଲି
ଅତି ଲୋଭ ଅନାଚାର କରନ୍ତି ଯେ ପ୍ରାଣୀ
ସମୂଳେ ସେ ନାଶଯାନ୍ତି ବୁଝ ପରିମାଣି
ଅତିହିଁ କୁଟୁମ୍ବ ଯାର ଅତି ପୁତ୍ରନାତି
ଅନେକ ଚିନ୍ତା ତାହାର ଜାଣ ସୁରପତି
ଅତିହିଁ ପଢ଼ିଲେ ବିଦ୍ୟା ହୁଅନ୍ତି ନା ବାଇ
ଅତି ତପ କଲେ ପ୍ରାଣୀ ଅଳ୍ପେ ନାଶ ଯାଇ
ଅତିହିଁ ଗୁଣ ଯହିଁରେ ତହିଁ ଥାଇ ଦୋଷ
ଅତିହିଁ ନିୟମ କଲେ ବଂଶ ଯାଏ ନାଶ
ଅତିହିଁ କୃପଣ କଲେ ନ ମିଳଇ ଗ୍ରାସ
ଅତି ଗୁରୁ ନିନ୍ଦା କଲେ ଭାଙ୍ଗିଯାଇ ବାସ
ଅତି ଭାବ କଲେ ପୁଣି ପଛେ ଭାଙ୍ଗେ ଶ୍ରଦ୍ଧା
ଅତି ମାଗିଲେ ଲାଗଇ ଦରିଦ୍ରର ବାଧା
ଅତିହିଁ ମୁହାଁସ ହେଲେ ପୌରୁଷ ନ ପାଇ
ଅତିହିଁ ବଢ଼ିଲେ ଫଣୀ କ୍ଷୁଦ୍ର ସେ ହୁଅଇ
ଅତିହିଁ ଉତ୍କଟ ହେଲେ ଅଳପକ ଜୀବ
ଅତିହିଁ କଳହେ ଲକ୍ଷ୍ମୀ କହୁଁ କହୁଁ ଯିବ
ଅତି କର୍ମ କଲେ ତାକୁ ନ ସହଇ ଧର୍ମ
ଅତିହିଁ ପାପରୁ ନାଶ ଯାଇ ସର୍ବ କର୍ମ
ପୂର୍ବର କଥା ତୁ ଏବେ ଶୁଣ ସୁରପତି
କେମନ୍ତ କଲେ ହୁଅଇ ଅତି ଲୋଭମତି
ତ୍ରିପୁର ବୋଲି ବ୍ରାହ୍ମଣ ଦୁର୍ବାର ଯେ ବାଳୀ
ତାହାର କଥା ତୋ ଆଗେ କହିବା ନିରୋଳି
ଶିବ ପୁରାଣେ ଉକତ ଶୁଣ ଦଣ୍ଡଧାରୀ
ଦେବନଗ୍ର ଜନନଗ୍ର ବୋଲି ମଞ୍ଚପୁରୀ
ଭରତଖଣ୍ଡ ଉତ୍କଳ ବୈତରଣୀ ତୀରେ
ଯାଜପୁର ନାମେ ନଗ୍ର ତହିଁର ମଧ୍ୟରେ
ଶ୍ରୀକଣ୍ଠପତି ବୋଲି ଯେ ବ୍ରାହ୍ମଣ ଉତ୍ପନ୍ନ
ଦୁହିତାଏ ଜାତହେଲା କୁନ୍ତଳା ତା ନାମ
ତୁଳମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନ
ଚିତ୍ରାନାମେ ନକ୍ଷତ୍ରର ଭୋଗ ଦିନମାନ
ଅମଙ୍ଗଳ ଯୋଗେ ଜାତ ହୋଇଲାକ ସେହି
ଉଆଁସୀ ବୋଲି ନୋହିଲେ ତାକୁ ବିଭା କେହି
କନ୍ୟା ନାମ ଧରି ପିତା ଯାହାକୁ ବରଇ
ମାଳ ଚନ୍ଦନ ଅକ୍ଷତ ପାଇ ସେ ମରଇ
ଏମନ୍ତ ଚଉଦ ବର କଣ୍ଠପତି ବରି
କୁନ୍ତଳା ନାମ ଧରନ୍ତେ ସବୁ ଗଲେ ମରି
ଏ ବିପରୀତ ଦେଖିଣ କଣ୍ଠ ଦ୍ୱିଜବର
ବ୍ରହ୍ମ ହତ୍ୟାକୁ ଡରିଣ ନ ବରିଲା ବର
ଜାଣି କୁନ୍ତଳାକୁ କେହି ନୋହିଲେକ ବିଭା
ସମ୍ପୂର୍ଣ୍ଣ ଷୋଳ ବରଷେ ହୋଇଲା ସେ ଯୁବା
ମଦନ ଘାଏ ଉନ୍ମତ୍ତ ହୋଇଲା ସୁନ୍ଦରୀ
ପର ପୁରଷକୁ ଲୋଡ଼ୁଥାଏ ଅନୁସରି
ସୁନ୍ଦର ଯେତେକ ଯୁବା ପୁରୁଷ ସେମାନେ
ଲୁଚି ପଶନ୍ତି ତାହାର ଘରେ ରାତ୍ରମାନେ
କୁନ୍ତଳା ସଙ୍ଗେ ଯେତେକ କରନ୍ତି ବିହାର
ଅଳପ ଦିନେ ସେ ମରି ଯାନ୍ତି ଯମପୁର
ନ ଜାଣିମାପଣେ ବିପ୍ରଘରେ ପଶୁଥିଲେ
ଛୁଇଁଲେ ମରନ୍ତି ଜାଣି ତା ପାଖେ ନ ଗଲେ
ଏସନକ ପରପଞ୍ଚ ପରଦାରା ଗତି
କେହି ଭୟେ ନ ଗଲେ ସେ କୁନ୍ତଳାର କତି
ଯେବଣ ବାଟେ ଚାଲଇ କୁନ୍ତଳା ସୁମୁଖୀ
ଦୂରହୁଁ ଲୋକେ ଅନ୍ତର ହୋନ୍ତି ତାକୁ ଦେଖି
ଜାଣି ନ ଜାଣି କରନ୍ତି ଯେ ବା ସହବାସ
ଦଣ୍ଡେ ନିମିଷେ ନ ରହି ଯାନ୍ତି ପ୍ରାଣେ ନାଶ
ଏହା ଜାଣି ସେ ବାଟେ କେ ନ ହୁଅଇ ଠିଆ
କାମ ଆତୁରେ କୁନ୍ତଳା ହେଲା ଅଚାବୁଆ
ଦିନେ କନ୍ୟା ରାତ୍ର ଦେଢ଼ ପହର ଭିତରେ
ଘରୁ ବାହାରି ଭ୍ରମଇ କାମରସଭାରେ
ବେଶ ହୋଇ ଢଳି ଢଳି ଚାଲେ ଗେଲେ ଗେଲେ
ନଗ୍ରୁ ଦଣ୍ଡୁଆସୀ ବାଟେ ଭେଟି ତାକୁ ଭଲେ
ବିକଳା ନାମେ ଚାଣ୍ଡାଳ ଏକ ମତୁଆଳ
ଦଣ୍ଡୁଆସୀ ପଣେ ବୁଲେ ରାତ୍ରେ ଘର ଘର
ନଗ୍ର ବୁଲି ସେ ଚାଣ୍ଡାଳ ଏକେଶ୍ୱରେ ଯାନ୍ତେ
ତିନ୍ତୁଳି ବୃକ୍ଷ ଛାଇରେ ଏକାକେ ଦେଖନ୍ତେ
କାମେ ଆରତ ହୋଇ ସେ କୁନ୍ତଳା ସୁକେଶୀ
ସେ ବିକଳା ଚାଣ୍ଡାଳକୁ ଧଇଲା ଆକର୍ଷି
ତିନିଦିନେ ସେ ଚାଣ୍ଡାଳ ଗଲା ପ୍ରାଣେ ନାଶ
ଚାଣ୍ଡାଳ ବୀର୍ଯ୍ୟେ କୁନ୍ତଳା ହେଲା ଗର୍ଭବାସ
ଆହେ ଇନ୍ଦ୍ର ଦଇବର ଦେଖ ଘଟସୂତ୍ର
ଦଶମାସେ କୁନ୍ତଳାର ହେଲା ଏକ ପୁତ୍ର
ଚାଣ୍ଡାଳ ଦୂଷିତା ଯୋଗୁଁ ପିତା ହେଲା ବର୍ଜ୍ୟା
ନଗ୍ର ନରନାରୀ ଜାଣି ଚାଣ୍ଡାଳ ଭାରିଯା
ଛି ଛା କରି କରି ଗ୍ରାମୁ କଲେକ ଅନ୍ତର
ମାଗି ଯାଚି ଖାଏ ଗଛମୂଳେ କରି ଘର
ଦିନେ ଦିନେ ପୁତ୍ରଗୋଟି ବଢ଼ଇ ବିଶେଷି
ବାର ବରଷ ସମ୍ପୂର୍ଣ୍ଣ ହୋଇଲାକ ଆସି
ନାଟ ନଟ ଆଦି ଖେଳ ଖେଳେ ନାନାରଙ୍ଗେ
ନଗ୍ରେ ବୁଲି ବୁଲି ଯାଏ ପୁଅଙ୍କର ସଙ୍ଗେ
ଖେଳ କଉତୁକେ ଯହୁଁ ହେଲେ ପରିତାଳି
ଏକ ଆରେକ ପୁଅଙ୍କ ସଙ୍ଗେ କଲା କଳି
ଏକ ଆରେକ ସେ ଗାଳି ଦିଅନ୍ତି ଅନେକ
ରେ ପାପୀ ଚାଣ୍ଡାଳ ମୂଢ଼ ନ ଚାହିଁ ତୋ ମୁଖ
ତୋର ଜନନୀ ପାପିଷ୍ଠୀ ଚାଣ୍ଡାଳୀ ଯେ ମୋଢ଼ୀ
ଚାଣ୍ଡାଳ ପୁତ୍ର ହୋଇ ତୁ କହୁ ଆଗ ବଢ଼ି
ତୋହର ଦେହ ଛୁଇଁଲେ ପାଲଟିବୁ ବାସ
ନ ଗାଧୋଇଲେ ତ ନ ଛାଡ଼ଇ ଛୁଆଁଦୋଷ
ତୋ ମୁଖ ଚାହିଁଲେ ନାଶ ଯିବ ପୁଣ୍ୟ ଯଶ
କଳି କରୁ ଅଲାଜୁକ ମନେ ବହି ରୋଷ
ତୁ ହୀନ ପାମର କାହିଁ ଆମ୍ଭ ସଙ୍ଗେ ଲେଖା
ଜନ୍ମ ବିଟାଳ ହୋଇ ତୁ ବୁଲୁଥାଉ ଏକା
କେ ବୋଲଇ ଏ ନଗ୍ରେ ନ ଥାଉ ଏ ପାପିଷ୍ଠ
ଏହାଯୋଗୁଁ ଏ ବ୍ରାହ୍ମଣକୁଳ ହେଲା ନଷ୍ଟ
ଗ୍ରାମେ ଡେଙ୍ଗୁରା ଦିଅ ଏ ନଗ୍ରୁ ହେଉ ଦୂର
ଏହାର ଥିଲେ ହୋଇବ ସିନା ଅନାଚାର
କେ ବୋଲଇ ଏ ଆମ୍ଭର ଗ୍ରାମରେ ନ ଥାଉ
ଚୂନ କଳା ଗାଲେ ମାଥେ ଘେନି ଏଥିୁ ଯାଉ
ଏମନ୍ତ ବିଚାରି ସର୍ବେ ହୋଇ ଏକମେଳି
ଆଗ ପଛ ଗାଳିରେ ଯେ କୁରୁମ ଉଛୁଳି
ଅପମାନ ପାଇ ପାପୀ କୁନ୍ତଳାର ବଳା
ଯାଜନଗ୍ରରୁ ବାହାର ହୋଇ ଚାଲିଗଲା
ନିର୍ମୋହ ହୋଇଣ ଛାଡ଼ି ଗଲା ନିଜ ଦେଶ
ଗଙ୍ଗାନଦୀ ତୀରେ ଯାଇଁ ହେଲା ପରବେଶ
ନଦୀରେ ସ୍ନାନ କରିଣ ବାଞ୍ଛିଲାକ ତପ
ବିଚାରଇ ଛାଡ଼ିଯିବ କେମନ୍ତ ଏ ପାପ
ଗଙ୍ଗାରେ ଝାସି ଏ ଦେହ କରିବି ବିନାଶ
ଏଥିରେ ଲାଗିବ ମୋତେ ଆତ୍ମଘାତୀ ଦୋଷ
ଲଭିବି ମୁଁ ଈଶ୍ୱରଙ୍କୁ କରି ଘୋର ସେବା
ଏ ବିଧିରେ ମୁକତି ମୁଁ ହୋଇପାରେ ଅବା
ଏତେ କହି ସେ ଈଶ୍ୱରେ ପଶିଲା ଶରଣ
କରଇ ସେ ଘୋର ତପ ନାମ ଉଚ୍ଚାରଣ
ରହିଲା ପାଣିପବନ ଭକ୍ଷି ଉର୍ଦ୍ଧ୍ୱମୁଖେ
ହେଠ ବଦନରେ ତପ କରେ ମନଦୁଃଖେ
ଶତେ କୁଢ଼ ଅଗ୍ନି ଚାରିପାରୁଶରେ ଜାଳି
ଗୀତ ଗାଇ ନୃତ୍ୟ କରେ ମାରି କରତାଳି
ଆପଣା ଦେହରୁ ମାଂସ କାଟଇ ବିରଳି
ଅଗ୍ନିରେ ପକାଏ ଖଣ୍ଡ ଖଣ୍ଡ କରି ତୋଳି
ନହୁରୂଣୀ ଘେନି ଚକ୍ଷୁ ଖୋଳି ନିଜକରେ
ପୁଷ୍ପ କରି ଦିଅଇ ତା ବାଲୁକା ଉପରେ
ଖଡ଼ଗ ଧରି ଅଙ୍ଗୁଳି କାଟେ ନିଜ କରେ
ମୃତ୍ତିକା ଶଙ୍କର କରି ଦିଏ ତାଙ୍କ ଶିରେ
କତୁରି ଘେନି କାୟାକୁ କରି ଖଣ୍ଡ ଖଣ୍ଡ
ଟୋପରା ପରାୟେ ଖୋଳି ପୋତେ ତହିଁ ମୁଣ୍ଡ
ଏସନକ ଘୋର ତପ କରଇ ବିଶେଷ
କଇଳାସ କନ୍ଦରେ ତା ଜାଣି ବିଶ୍ୱବାସ
ବୃଷଭ ଆରୋହି ଶୂନ୍ୟେ ବିଜେ ଧାତିକାରେ
ତପୀର ପାରୁଶେ ଆସି ମିଳିଲେ ଶଙ୍କରେ
ଡିବି ଡିବି ଡମ୍ବରୁ ତ ବାଜେ ନବ କୋଟି
ବାମ ଡାହାଣେ ଅଛନ୍ତି ନନ୍ଦୀ ଭୁରୁକୁଟୀ
ଈଶ୍ୱର ବୋଇଲେ ତୋର କାହିଁପାଇଁ ସେବା
ଯେ ତୋହର ଇଚ୍ଛାବର ମାଗ ତୋତେଦେବା
ଦୁଃସହ କଠୋର ତପ କଲୁ ମହାଘୋର
ତୋହର ତପେ ଉଚ୍ଚାଟ ହେଲା ତିନିପୁର
ତିନିପୁର ଉଚ୍ଚାଟ ତୁ କଲୁ ଯଥାବିଧି
ତ୍ରିପୁରା ନାମରେ ତୁହି ହେବୁ ପରସିଦ୍ଧି
ଦର୍ହସିତ ହୋଇ ସ୍ୱାମୀ ବୋଲନ୍ତି ଈଶ୍ୱର
ଯେ ତୋହର ଇଚ୍ଛା ପୁତ୍ର ମାଗୁ କିନା ବର
ତ୍ରିପୁରା ବୋଇଲା ଯେବେ ବରଦେବ ସ୍ୱାମୀ
ତ୍ରିବାର ସତ୍ୟ ମୁଖରେ ଉଚ୍ଚାରିବା ପୁଣି
ଈଶ୍ୱର ବୋଇଲେ ସତ୍ୟ କଲୁ ଆରେ ବାବୁ
ଯାହା ତୁ ମାଗିବୁ ଆମ୍ଭେ ଅବଶ୍ୟ ତା ଦେବୁ
ତ୍ରିପୁରା ବୋଇଲା ସ୍ୱାମୀ ଦେବୁ ଯେବେ ବର
ବ୍ରହ୍ମାଣ୍ଡ ଭିତରେ ମୋତେ ଈଶ୍ୱର ତୁ କର
ଈଶ୍ୱର ବୋଇଲେ ବର ମାଗିଲୁ ତୁ ମୋତେ
ଦ୍ୱିତୀୟ ଈଶ୍ୱର ପଦ ପ୍ରାପ୍ତ ହେଉ ତୋତେ
ତ୍ରିପୁରା ବୋଇଲା ବର ଦେବା ଯେବେ ସତ
ଏ ତୋର ବୃଷଭ ମୋତେ ଦିଅ ବିଶ୍ୱନାଥ
ପୁଣି ସ୍ୱାମୀ ସଦାଶିବ ପ୍ରସନ୍ନ ହୋଇଲେ
ଚଢ଼ିବା ବୃଷଭଗୋଟି ତ୍ରିପୁରାକୁ ଦେଲେ
ବୃଷଭ ଚଢ଼ି ତ୍ରିପୁରା ବୋଲେ ମୃଦୁବାଣୀ
ତ୍ରିଶୂଳ ଡମ୍ବରୁ ମୋତେ ଦିଅ ଶୂଳପାଣି
ଏମନ୍ତ ଶୁଣି ଭୋଳରେ ଭୋଳା ମହେଶ୍ୱର
ତ୍ରିଶୂଳ ଡମ୍ବରୁ ତାକୁ ଦେଲେ ଧାତିକାର
ତ୍ରିପୁରା ବୋଇଲା ଯେବେ ଘେନିଲୁ ମୋ ସେବା
ବିଭୂତି ପିନାକ ଧନୁ ପାଶୁପତ ଦେବା
ଭୋଳାମହେଶ୍ୱର ତାକୁ ଦେଲେ ଭୋଳ ହୋଇ
ସିଂହନାଦ କଉପନୀ ହାଡ଼ମାଳା ଦେଇ
ନନ୍ଦୀ ଭ୍ରୁକୁଟି ଏ ବେନି ପାରୁଶରେ ଥିଲେ
ଅନ୍ତର୍ଗତେ ସରସ୍ୱତୀ ଦେବୀ ସୁମରିଲେ
ଭୋ ଦେବୀ ସରସ୍ୱତୀ ଗୋ ପ୍ରତିକାର କର
ତୁ ଯାଇଁ ପୁଣି ତ୍ରିପୁରା କଣ୍ଠେ ବାସକର
ସଂସାର ଉପକାର ତୁ କର ମାଗୋ ଏତେ
ଗଙ୍ଗାଦେବୀ ପାର୍ବତୀକି ନ ମାଗେ ଯେମନ୍ତେ
ମୋହେ ଭୋଳ ହୋଇଲେଣି ଦେବ ସଦାଶିବେ
ଭାରିଯାକୁ ମାଗିଲେ ସେ ଏହିକ୍ଷଣେ ଦେବେ
ନନ୍ଦି ଭ୍ରୁକୁଟି ବିନୟ ଶୁଣି ସରସ୍ୱତୀ
ତ୍ରିପୁରା କଣ୍ଠରେ ଯାଇଁ ବସିଲେ ତଡ଼ତି
ଭାରିଯା ଛାଡ଼ି ମାଗିଲା ଆନଦ୍ରବ୍ୟମାନ
ସନ୍ତୋଷ ହୋଇଣ ଯାଚିଦେଲେ ପଞ୍ଚାନନ
ଈଶ୍ୱର ପଦେ ଯେତେକ ଅଛଇ ବେଭାର
କପିଳାସ ପୁର ଆଦି ଦେଲେକ ଈଶ୍ୱର
ଭାରିଯା ଘେନି ରହିଲେ ଦେବ ତହିଁ ଏକା
ଦେଖିଣ ଦେବତାମାନେ ପାଇଲେକ ଶଙ୍କା
ବିଚାରି ବୋଇଲେ ହେଲା ଏ କେଉଁ ଭବିଷ୍ୟ
ତ୍ରିପୁରା ଚାଣ୍ଡାଳେ ଦେଲେ ପୁର କଇଳାସ
ଈଶ୍ୱର ଦେବତା ଏଡ଼େ ହୋଇଲେକ ବାଇ
ତ୍ରିପୁରା ଦେବ ସଭାରେ ମିଳିଲାକ ଯାଇ
ବୋଇଲା ଦେବତାମାନେ ଆମ୍ଭ ବୋଲକର
ବେଗେ ଉଠିଆସି ତୁମ୍ଭେ କର ନମସ୍କାର
ଦ୍ୱିତୀୟ ଈଶ୍ୱର ଆମ୍ଭେ ହେଲୁ ଆଦିଦେବା
ଆମ୍ଭଙ୍କୁ କିପାଁ ଦେବତା ନ କରୁଛ ସେବା
ଏହିକ୍ଷଣି ଛେଦିବି ମୁଁ ଜାଣ ତୁମ୍ଭ ଶିର
ଏତେକ ବୋଲି ତ୍ରିଶୂଳ ଧଇଲାକ କର
ଦେଖିଣ ଦେବତାମାନେ ପାଇଲେକ ଭୀତି
ଅକାରଣେ କୋପ ତୁ ନକର ପଶୁପତି
ଆମ୍ଭମାନଙ୍କର ଏଥେ ନାହିଁ କିଛି ଦୋଷ
ଈଶ୍ୱର ଭଣ୍ଡିଲା ତୋତେ କିପାଁ କରୁ ରୋଷ
ନିଶ୍ଚୟ ଦ୍ୱିତୀ ଈଶ୍ୱର ଯେବେ ତୋତେ କଲା
ଗଙ୍ଗା ଗିରିଜା ଭାରିଯା କିପାଇଁ ନ ଦେଲା
ତେଣୁ ଉଠି ନ କଲୁ ଯେ ଆମ୍ଭେ ନମସ୍କାର
ତୋ ଅନ୍ତର୍ଗତେ ବିଚାର ଏବେ ତୁହି କର
ଏବେ ଆମ୍ଭର ବଚନେ ବାହୁଡ଼ିଣ ଯା ଯା
ପାର୍ବତୀ ଆଣିଲେ ସିନା ହେବୁ ଦେବରାଜା
ଯଦ୍ୟପି ମାଗିଲେ ତୋତେ ନ ଦେବେ ଘରଣୀ
ସଂଗ୍ରାମେ ତୋତେ ଈଶ୍ୱର ନ ପାରିବେ ଜିଣି
ବୃଷଭ ଆଦି ସକଳ ଅସ୍ତ୍ର ତୋତେ ଦେଲା
ଶ୍ମଶାନେ ଯାଇ ଈଶ୍ୱର ଏକାକେ ବୁଲିଲା
ରୁଦ୍ରଗଣହିଁ କେହି ତ ନାହିଁ ତାର ସଖା
ସଦଭାବେ ନ ଦେଲେ ତୁ ବେଗେ ମାରିପକା
ଏହା ଶୁଣିଣ ତ୍ରିପୁରା ବାହୁଡ଼ିଲା ବେଗେ
ତୁରିତେ ମିଳିଲା ଯାଇ ସଦାଶିବ ଆଗେ
ତ୍ରିପୁରା ବୋଇଲା କୂଟ କଲ କିପାଁ ମୋତେ
ଦ୍ୱିତୀୟ ଈଶ୍ୱର ମୁହିଁ ହୋଇଲି କେମନ୍ତେ
ଏମନ୍ତ ଛଦ୍ମ ମୋଠାରେ କଲ ତପୋନିଧି
ପାର୍ବତୀ ନ ଦେଲେ କାହୁଁ ହେଲା ତପ ସିଦ୍ଧି
ଏବେ ମୋତେ ପାର୍ବତୀଙ୍କୁ ଦେବୁ ଏହିକ୍ଷଣି
ଭଲେ ନ ଦେଲେ ସଂଗ୍ରାମେ ନେବି ତୋତେ ଜିଣି
ପାର୍ବତୀର ସ୍ନେହ ଏବେ ଛାଡ଼ ତ୍ରିଲୋଚନ
ଜୀବନକୁ ଆଶା ଥିଲେ ଦିଅ ତୁ ବହନ
ଏମନ୍ତ ବୋଲି ଧଇଲା ଶୂଳ ବାମକରେ
ଈଶ୍ୱରଙ୍କୁ ମାଇଲା ସେ ଅତି କୋପଭରେ
ଦେଖି ସଦାଶିବ ଡରେ ଆଡ଼ ହୋଇଗଲେ
ଭୂମିରେ ପଡ଼ି ସେ ଶୂଳ ଭେଦିଲା ପାତାଳେ
ଏମନ୍ତ ରୂପ ତାହାର ଦେଖି ଦେବ ଶୂଳୀ
ଭୂମିରୁ ଉପାଡ଼ି ଶୂଳ ଧଇଲେକ ତୋଳି
ସର୍ବଶସ୍ତ୍ର ଦେଇ କାଶୀବାସୀ ହୋଇଥିଲେ
ତ୍ରିପୁରା ମାଇଲା ଶୂଳ ଶ୍ରୀକରେ ଘେନିଲେ
ତାହା ଦେଖିଣ ତ୍ରିପୁରା ହୋଇ ବିକରାଳି
ପିନାକ ଧନୁକୁ କରେ ଧଇଲାକ ତୋଳି
ଶତେକ ସହସ୍ର ବାଣ ମାଇଲା ତୁହାଇ
ଈଶ୍ୱର ହେହେ ନାରାଜ ପଡ଼ିଲାକ ଯାଇ
ଜ୍ୱାଳାବଳି ବାଣ ତ୍ରାସ ସହି ନ ପାରିଲେ
ଅସାଷ୍ଟମ ହୋଇ ସ୍ୱାମୀ ଭୂମିରେ ପଡ଼ିଲେ
ସନ୍ନିଧିରେ ଥିଲେ ନନ୍ଦୀ ଭୃକୁଟି ଏ ବେନି
ଈଶ୍ୱରଙ୍କୁ ଆବୋରିଲେ କରେ ଶୂଳ ଘେନି
ଦେଖି ତ୍ରିପୁରା ପାଇଲା ମନେ ଅତିଖଙ୍ଗ
କତୁରୀ ନାରାଚଗୋଟା ବିନ୍ଧେ କରି ରାଗ
ନାରାଚ ଆସନ୍ତେ ଦୂରୁ ଦେଖିଲା ଭ୍ରୁକୁଟି
ଶୂଳ ବୁଲାଇ ତ୍ରିପୁରା ଶିରେ ନେଇ ପିଟି
ଧାତିକାରେ ଶକତିଏ ବୁଲାଇ ଉଭାରି
ଗର୍ଜ୍ଜନ ଘାତରେ ବାଣେ ପଳାଇଲେ ଡରି
ପୁଣି ସହସ୍ରେକ ବାଣ ବିନ୍ଧିଲା ତ୍ରିପୁରା
ଶୂନ୍ୟ ଭୁବନ ଘୋଟିଲା ନାରାଚର ଧାରା
ତାହା ଦେଖି ନନ୍ଦୀବୀର ଧାଇଁଲା କ୍ରୋଧରେ
ମୁଠାକରି ବାଣମାନ ଧରି ବାମକରେ
କହୁ କହୁ ଘୋଟିଲାକ ବାଣ ଜ୍ୱାଳାବଳି
ଶୂନ୍ୟ ଭୁବନରେ ଶରେ ଶର ପରିତାଳି
ଲକ୍ଷେ ଛୟାଣୋଇ ସସ୍ର ରୁଦ୍ରଗଣ ଘେନି
କାର୍ତ୍ତିକେୟ ବିନାୟକ ସେନାପତି ବେନି
ଶବଦ ଶୁଣି ମିଳିଲେ ଈଶ୍ୱରଙ୍କ କତି
ଅସିଫଳାମାନ କରେ ଘେନି ଧାଇଁଛନ୍ତି
ଛେଲ ଚକ୍ର ଗଦା ଖଡ଼୍ଗ ଶକତି ମୁଦ୍‌ଗର
ତ୍ରିଶୂଳ ପରିଘ କୁନ୍ତ ଯଷ୍ଟି ବଜ୍ରଶର
କୋଦଣ୍ଡ କାଣ୍ଡ ଖଣ୍ଡା ଯେ ସଙ୍କୁମୁନା ବାଣ
ଏକ ମୁଖରେ ମାରନ୍ତି ବେଢ଼ି ରୁଦ୍ରଗଣ
ଶତ ସହସ୍ର ଅୟୁତ ଲକ୍ଷ କୋଟି ଧରି
ଯେ ଯାହା ସୁଖେ ମାରନ୍ତି ମନେ ରୋଷଭରି
ଦେବଶସ୍ତ୍ର ମାରନ୍ତି ସେ ମାତି ରଣରଙ୍ଗେ
ଶସ୍ତ୍ର ନ କାଟଇ ସେହି ତ୍ରିପୁରାର ଅଙ୍ଗେ
ବାଣମାନ ପଡ଼ି ଦେହେ ପଡ଼ଇ ଉପୁଡ଼ି
ଥୋକେ ଭାଙ୍ଗିଯାନ୍ତି ଥୋକେ ଧୂଳି ହୋଇଉଡ଼ି
ଯେତେବେଳେ ସଦାଶିବ ଦେଲେ ତାକୁ ବର
ବଜ୍ର ବିଭୂତି ବୋଳିଲେ ତ୍ରିପୁରା ଶରୀର
ଈଶ୍ୱର ରେତ ବିଭୂତି ଲାଗିଲାକ ଯହୁଁ
ତ୍ରିପୁରା ବଜ୍ରଅଙ୍ଗ ହୋଇଲାକ ତହୁଁ
ତେଣୁ ଶସ୍ତ୍ରମାନେ ଅଙ୍ଗେ ନ କାଟନ୍ତି କେହି
ବଜ୍ରହୁଁ ଆଣ୍ଟ ହୋଇଛି ତ୍ରିପୁରାର ଦେହୀ
ମାରନ୍ତି ଯେ କୋଟି କୋଟି ବାଣ ଜ୍ୱଳାବଳି
ଅନ୍ଧକାରରେ ଅଦୃଶ୍ୟ ହେଲେ ଅଂଶୁମାଳି
ଶ୍ରାବଣ ମାସେ ଯେସନ ବରଷଇ ପାଣି
ମାରନ୍ତେ ପଡ଼ନ୍ତି ବାଣେ ତେସନକ ଜାଣି
ଅଚଳ ହୋଇ ତ୍ରିପୁରା ରହିଅଛି ଏକା
ବେଢ଼ି ମାରୁଛନ୍ତି ତାର ନାହିଁ ମନେ ଶଙ୍କା
ମାରୁଛନ୍ତି ରୁଦ୍ରଗଣ ଅତିଅନ୍ତ କୋହେ
ଦେବଶର ନ କାଟଇ ତ୍ରିପୁରାର ଦେହେ
ଅଚଳ ସମାନ ବୀର ନୋହିଲା ବିଭଙ୍ଗ
ରହିଲା ରୁଦ୍ରଗଣଙ୍କ ହାତର ଯେ ବେଗ
ବିନାୟକ କାର୍ତ୍ତିକେୟ ପାଇଲେ ବିମୁଖ
ପାଲଟି ଚାହିଁଲେ ହର ବିନାୟକ ମୁଖ
ମହାଘୋର ସଂଗ୍ରାମ ତ ଏବେ ବଢ଼ିଲାଣି
କେବଣ ପ୍ରକାରେ ଆମ୍ଭେ ନ ପାରିଲେ ଜିଣି
ପରମ ପଣ୍ଡିତ ପୁତ୍ର ଅଟୁ ଗୁଣନିଧି
ତ୍ରିପୁରାକୁ ଜିଣିବାକୁ ଅଛି କି ତୋ ବୁଦ୍ଧି
କହନ୍ତି ଗଣପତି ଯେ ଈଶ୍ୱରଙ୍କ ବାକ୍ୟେ
ସ୍ୱାମୀ ଅସମ୍ଭବ ବର ଦେଲେ ବିନା ହକେ
କର୍ମ ଚାଣ୍ଡାଳ ତାହାର ନ ଚାହିଁ ବଦନ
ତାହାକୁ ଏଡ଼େ ଭାଜନ କଲ ତ୍ରିଲୋଚନ
ଏଡ଼େ ବରପାଇ ସେହି ନୋହିଲା ଶାନ୍ତି
ଦ୍ୱିତୀୟ ଈଶ୍ୱର ବର ପାଇଲା ଏ ଘାନ୍ତି
ବୃଷଭ ଆରୋହି ମୂଢ଼ାସୁର ପୁରେ ଗଲା
ଦେବତାମାନଙ୍କୁ ଯାଇ ଓଳଗି ମାଗିଲା
ସେ ଦେବେ କୂଟବୁଦ୍ଧିଏ ରଚିଲେ ଏଥିକି
ବୋଇଲେ ଈଶ୍ୱର ଯେବେ ମାଗ ପାର୍ବତୀଙ୍କି
ପର କେ ଆପଣା ଜାଣି ନ ପାରି ପାପିଷ୍ଠ
ପାର୍ବତୀ ମାଗିଲା ତୋତେ ଆସି ଏ ଦର୍ପିଷ୍ଠ
ଅତିଲୋଭ କରି ପୁଣି ଲୋଭ କଲା ଏତେ
ଏଥକୁ ବିଧାତା ଅବା ସହିବ କେମନ୍ତେ
ସ୍ୱାମୀ ପ୍ରସନ୍ନେ ବିଭୂତି ଲାଗିଛି ତା ଅଙ୍ଗ
ତେଣୁ ଏହାର ଶରୀର ହୋଇଛି ବିଭଙ୍ଗ
ଯେତେକ ସ୍ଥାନେ ବିଭୂତି ଲାଗିଛି ତା ଗାତ୍ରେ
ସେ ଅଙ୍ଗଯାକ ତାହାର ନ କାଟଇ ଶସ୍ତ୍ରେ
ଏକା ମାତ୍ରକ କଥାଏ ଅଛଇ ଗୋସାଇଁ
ନାଭିମଣ୍ଡଳ ଗଭୀର ତହିଁ ଲାଗି ନାହିଁ
ନାଭିମଣ୍ଡଳକୁ ବିନ୍ଧିପାରୁ ଯେବେ ଶର
ଏହିକ୍ଷଣି ଚାଣ୍ଡାଳର ତୁଟିବ ଶରୀର
ଶୁଣି ଈଶ୍ୱର ତ୍ରିଶୂଳ ଘେନିଲେ ହସ୍ତରେ
ବୁଲାଇ ମାଇଲେ ସ୍ୱାମୀ ତ୍ରିପୁରା ଉପରେ
ନାଭିକୁ ଲାଖ କରିଣ ମାଇଲେ ତୁହାଇ
ପାର୍ବତୀକୁ ବୋଇଲେ ତୁ ମାଡ଼ିବସ ଯାଇ
ତ୍ରିପୁରା ନାଭିକମଳେ ପଡ଼ିଲା ତ୍ରିଶୂଳ
ହୃଦରେ ବାଜନ୍ତେ ମୋହେ ପଡ଼ିଲା ଚଣ୍ଡାଳ
ତିନି ଯୋଜନ ପର୍ଯ୍ୟନ୍ତ ଆଚ୍ଛାଦିଲା ଭୂଇଁ
ତ୍ରିପୁରା ପଡ଼ନ୍ତେ ତିନିଭୁବନ କମ୍ପଇ
ତାହା ଦେଖି ଅତି ବେଗେ ଉଠିଣ ପାର୍ବତୀ
ସେ ଶୂଳ ଉପରେ ମାଡ଼ି ବସିଲେ ତଡ଼ତି
କ୍ରମେ କ୍ରମେ ଭିତରକୁ ଚଳିଯାଇ ଶୂଳ
ତ୍ରିପୁରା ଶରୀରେ ଭେଦି ଭେଦିଲା ପାତାଳ
ତ୍ରିପୁରା ଯେ ହଲଚଲ ହୋଇ ନ ପାରିଲା
ମରଣ ଭୟେ ତା ନେତ୍ରୁ ଲୋତକ ଗଳିଲା
ସେ ଦୁଷ୍ଟ ଚାଣ୍ଡାଳ ତହିଁ ଗର୍ଜି ଗର୍ଜି ମଲା
ଦେବତାମାନଙ୍କ ଦେହୁଁ କଣ୍ଟା ଛାଡ଼ିଗଲା
ଦେବକଣ୍ଟକ ତ୍ରିପୁରା ଗଲା ଯହୁଁ କ୍ଷୟ
ତା ଦେଖି ଅମର ଗଣେ କଲେ ଜୟ ଜୟ
ଶୁଣିଲୁ ତ ସୁରପତି ଅତିଲୋଭ କଥା
ଅତିଲୋଭ କଲେ ପାଇ ଶରୀରରେ ବ୍ୟଥା
ସେ ହର ପାର୍ବତୀଙ୍କର ଅଭୟ ଚରଣ
ଦୀନ ଅଚ୍ୟୁତ ନିରତେ ମାଗଇ ଶରଣ

ବିଷ୍ଣୁ ରୋମ ମହିମା କଥନ

[ସମ୍ପାଦନା]

ଏଥୁଅନ୍ତେ ଶୁକମୁନି ବୋଲନ୍ତି ରାଜନ
ତହିଁପରେ ଯାହା ହେଲା ମନଦେଇ ଶୁଣ
ସୁଧର୍ମା ସଭାରେ ବସି ବିଧାତା କହନ୍ତି
ଏଥିୁ ଅନନ୍ତରେ ତୁ ହୋ ଶୁଣ ଶଚୀପତି
ଯେବେ ବୋଲ ଶ୍ରୀକୃଷ୍ଣକୁ ପ୍ରସନ୍ନ କରାଇ
କିଛି ନ ମାଗି ଏ ରୋମ ଆଣିଲ କିପାଇଁ
ଗୁହାରି କରିବା ପାଇଁ ଗଲ ଯେ ନିମନ୍ତେ
ବାଞ୍ଛା ସିଦ୍ଧ ହେଲା ବୋଲି ଜାଣିଲ କେମନ୍ତେ
ଶ୍ରୀକରେ ଦେଇ ବୋଇଲେ ଅଟଇ ଏ ଶ୍ରେଷ୍ଠ
ଏ ରୋମ ବେନି ହରିବେ ତୁମ୍ଭର ଯେ କଷ୍ଟ
ତୁମ୍ଭେ ବୋଲିବ ଅଇଲ କିପାଁ ରୋମ ଘେନି
ରୋମ ମହିମା କହିବା ତୋତେ ସସ୍ରଯୋନି
ବ୍ରହ୍ମାର ଦିବସେ ଆଠସସ୍ର ଯୁଗ ଗଲା
ଏତେକାଳ ଯେ ଦ୍ୱାଦଶ ରୂପ ତାଙ୍କ ହେଲା
ମୀନ କଚ୍ଛପ ବରାହ ନୃସିଂହ ମରୂତି
ବାମନ ପରଶୁରାମ ରଘୁକୁଳପତି
ବଳଦେବ ବଉଦ୍ଧ ଯେ କଳ୍‌କୀରୂପ ବହି
ମାଳତୀ କନ୍ୟା ଶ୍ରୀକୃଷ୍ଣ ବାରରୂପ ଏହି
ଯୋନିମାର୍ଗେ ହେବେ ସେହି ତିନି ଅବତାର
ସେ କଥା କହିବା ତୁହୋ ଶୁଣ ସୁରେଶ୍ୱର
ଯେତେବେଳେ ଏ ପୃଥିବୀ ହେଲା ଜଳମୟ
ଜଳ ଅନଳ ଅନିଳ ବିନୁ ସବୁ କ୍ଷୟ
ବ୍ରହ୍ମାରୁଦ୍ର ଆଦିକରି ଯେତେ ଦେବଦେହୀ
ନିରଞ୍ଜନ ପ୍ରଳୟରେ ନ ଥାନ୍ତି ଏ କେହି
ମହାଶୂନ୍ୟ ଭିତରେ ଯେ ଶୁକ୍ଲାମ୍ବର ଶାଖା
ସମସ୍ତେ ନାଶଗଲେ ସେ ରହିଥାନ୍ତି ଏକା
ମହାଶୂନ୍ୟ ପୁରୁଷ ଯେ ଅନାଦି ସମ୍ଭୂତ
ଆଦି ଅପୂର୍ଣ୍ଣା ଦେବୀ ଯେ ଏ ସମୟେ ଜାତ
ନଚ ସ୍ତ୍ରୀ ନଚ ପୁରୁଷ ଅଟଇ ସେ କାୟା
ମହା ପ୍ରଳୟ ତାରିଣୀ ତାର ମହାମାୟା
ଶିବ ଶକ୍ତି ଦୁଇ ରୂପ ଅଟଇ ସେ ଦେହୀ
ଲିଙ୍ଗଯୋନି ଚିହ୍ନ ଭିନ୍ନ ଆଉ କିଛି ନାହିଁ
ତେତେବେଳେ ସେ କନ୍ୟାର ହେଲା ଅବତାର
ଆପଣେ ଯେ ଠୁଳରୂପୀ ହେଲେ ନିରାକାର
ଆଦି ଅପର୍ଣ୍ଣା ଦେବୀଙ୍କି ଦେଖି ଦେବସ୍ୱାମୀ
ଅସାଷ୍ଚମ ହେଲେ ପରଂବ୍ରହ୍ମ ମହାଜ୍ଞାନୀ
ଯେ ପରମ ନିରଞ୍ଜନ କାମବାଣ ଭୋଳେ
ନାଡ଼ୀ ଧରି ଅପର୍ଣ୍ଣାକୁ ବସାଇଲେ କୋଳେ
ଆଲିଙ୍ଗନ କରନ୍ତେ ଯେ ଗାତ୍ର ପୁଲକିତ
ଅନାଦି ଦେବ ଶରୀରୁ ଖସିଲାକ ରେତ
କୋଟି କୋଟି ଚନ୍ଦ୍ର ସୂର୍ଯ୍ୟଜିଣି ତାର ପ୍ରଭା
ଶୁଦ୍ଧ ଶୁକଳ ଜ୍ୟୋତି ସେ ପାଇ ଦିବ୍ୟଶୋଭା
ସେ ଅମୋଘ ରେତ ପଡ଼େ ଅପର୍ଣ୍ଣା ଶରୀରେ
ଦେଖିଣ ଅନାଦି ଦେବ ଧରି ତାହା କରେ
କାଣି ଅଙ୍ଗୁଳିରେ କାଟି ଦେଲେ ତିନିରେଖା
ସେ ଅମୋଘ ମହାରେତ ହେଲା ତିନିଶାଖା
ତିନି ଭାଗ କରି ପ୍ରଭୁ କାଟିଲେ ତା ବେଗେ
ତିନିପୁତ୍ର ଜନ୍ମ ହେଲେ ସେହି ଶୂନ୍ୟମାର୍ଗେ
ଜଗତ କାରଣ ହେଲେ ସେହି ପୁତ୍ର ତିନି
ଏହି ଚରାଚର ସୃଷ୍ଟି ଭିଆଇଲେ ପୁଣି
ବ୍ରହ୍ମାବିଷ୍ଣୁ ମହେଶ୍ୱର ବୋଲି ଦେଲେ ନାମ
ଅନାଦି ଦେବ ଆଜ୍ଞାରେ କଲେକ ଭିଆଣ
ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏ ଚାରି
ଭିଆଇଲେ ବୁଦ୍ଧିବଳ ଜ୍ଞାନମାର୍ଗ ଧରି
ତାହାଙ୍କ ମହିମା ଏବେ ଶୁଣ ସୁରନାଥ
ବ୍ରହ୍ମା ବୋଇଲେ ଯେବଣ ପୁତ୍ର ହେଲା ଜାତ
ଋକ ଯଜୁ ସାମ ଏହିରୂପେ ବେଦ ତିନି
ଏକତ୍ୱ କରି ମନ୍ଥିଲା ବ୍ରହ୍ମଦଣ୍ଡ ଘେନି
ସହସ୍ରେ ଯୁଗ ପର୍ଯ୍ୟନ୍ତ ମନ୍ଥନ ସେ କଲା
ଅର୍ଥବ ନାମରେ ବେଦ ତହୁଁ ଜନମିଲା
ଏ ବିଧିରେ ଚାରିବେଦ ହେଲେ ଉତପନ୍ନ
ଶିଶୁବେଦ ବୋଲି ଅଛି ଏହା ତହୁଁ ଭିନ୍ନ
ଏ ପଞ୍ଚବେଦ ଯେ ହେଲା ପୃଥ୍ୱୀକୁ ଧାରଣା
ଦେଖି ଅନାଦି ପୁରୁଷ ହେଲେ ଜଗଜ୍ଜିଣା
ନ୍ୟାୟ ନଇଷଧ କାବ୍ୟ ପୁରାଣ ବେଦାନ୍ତ
ବ୍ୟାକରଣ ମୀମାଂସା ଏ ଆଦି ଷଡ଼ଶାସ୍ତ୍ର
ଅମର ଜୁମର ଆଦି ଜ୍ୟୋତିଷ ସହିତେ
ଅକ୍ଷର ମୂଳମାତ୍ରାଦି ଗ୍ରନ୍ଥ ଅଛି ଯେତେ
ସକଳ ଗ୍ରନ୍ଥ ଶାସ୍ତ୍ର ଯେ ବଖାଣିଲା ମୁଖେ
କୁଶବଟୁ ଭୁବନରେ ରହିଲାକ ସୁଖେ
ଈଶ୍ୱର ବୋଲି ଯେବଣ ପୁରୁଷେକ ଜାତ
ଅଷ୍ଟାଙ୍ଗ ଯୋଗ ସାଧନେ ହୋଇଲା ସେ ରତ
ଚଉରାଶୀ ଜ୍ଞାନନିଧି ସିଦ୍ଧିଆଦି ଯେତେ
ପବନ ଉଜାଣି ଟେକି ସାଧିଲା ଏକାନ୍ତେ
ବ୍ରହ୍ମବିଦ୍ୟା ଅଧିକାରୀ କାମବିଦ୍ୟା ତ୍ୟାଗୀ
ଅକ୍ଷୟ ଭୋଳାନାଥ ସେ ହେଲା ମହାଯୋଗୀ
ସମାଧି ସିଦ୍ଧ ହୋଇଲା ଆତ୍ମାପ୍ରୀତି ଆଶେ
ରହିଲାକ ରୁଦ୍ରଗଣ ଘେନି କଇଳାସେ
ସଂସାର ଲାଭ ହାନିରେ ନାହିଁ ତାର ଇଚ୍ଛା
ଶୂନ୍ୟକୁ ସେ ଲୟକଲା ଘେନି ଯୋଗୀଦୀକ୍ଷା
ବୋଲନ୍ତି ଯେ ବେଦପତି ଶୁଣ ପୁରନ୍ଦର
ବିଷ୍ଣୁ ବୋଲି ସେ ପୁରୁଷ ହେଲା ଅବତାର
ଦେବାଧିଦେବଙ୍କର ସେ ଅଟେ ଶିରୋମଣି
ତାଙ୍କର ସ୍ଥାପିଲା ଏହି ସକଳ ଧରଣୀ
ପ୍ରଳୟରେ ବଟପୁଟେ ସେ ଉତ୍ତାନଶାୟୀ
ଅନନ୍ତ ନାଗ ଉପରେ ଯୋଗନିଦ୍ରାଯାଇ
ପାତାଳ ବୈକୁଣ୍ଠପୁରେ ବିଜେ ଦେବସ୍ୱାମୀ
ସଚରାଚର ସଞ୍ଚି ସେ ଜଳ ସର୍ବ ଭୂମି
ବ୍ରହ୍ମା ବୋଲନ୍ତି ହୋ ବାବୁ ଶୁଣ ସୁରନାଥ
ଯେ ବିଷ୍ଣୁ ନାଭିକମଳୁଁ ହେଲୁ ଆମ୍ଭେ ଜାତ
ସେ ଆମ୍ଭଙ୍କୁ ଯେତେବେଳେ ଜାଣ ଜାତ କଲା
ଅଶେଷ ବ୍ରହ୍ମାଣ୍ଡ ତୁମ୍ଭେ ଭିଆଅ ବୋଇଲା
ସେ ବିଷ୍ଣୁ ଆଜ୍ଞାରେ ଆମ୍ଭେ ରଚି ନବସୃଷ୍ଟି
ଦେଖି ନିଦାବିଷ୍ଣୁଙ୍କର ଚିତ୍ତେ ମହାତୁଷ୍ଟି
ଆଶ୍ୱାସନା କରି ମୋତେ ପାଶେ ହକାରିଲେ
ଅବଶ୍ୟ ଅସୁର ଭୟ ଲାଗିବ ବୋଇଲେ
ଦେବ ଦାନବ ମାନବ କଲ ତିନିଭଳି
ଏକ ଆରେକ ଅବଶ୍ୟ କରିବେ ତ କଳି
ଅସୁରେ ତୁ ବଡ଼ ଦୁଷ୍ଟ କରି ମହାରୋଷ
ସ୍ୱର୍ଗ ଭାଙ୍ଗି ଦେବତାଙ୍କୁ କରିବେ ବିନାଶ
ପୃଥିବୀକୁ ମହାଭାରା ଅବଶ୍ୟ ଲାଗିବ
ଦାନବଙ୍କ ଯୋଗେ ଜାଣ ପୃଥ୍ୱୀ ନାଶଯିବ
ବ୍ରହ୍ମାଙ୍କର ତପସୂତ୍ର ତପୀ ତପଫଳ
ଅନାଚାରୀ ଭାଙ୍ଗିବେ ତ କରି ମହାଗୋଳ
କେବଣ ପ୍ରକାରେ ପୃଥ୍ୱୀ ପାଇବ ସୁରକ୍ଷା
ଏତେ ବୋଲି ନିଦାବିଷ୍ଣୁ ଦେଲେ ତାଙ୍କୁ ଦୀକ୍ଷା
ଆପଣା ଆତ୍ମାକୁ ଲୟ କଲେ ପରମେଷ୍ଠୀ
ଶରୀରୁ ଉପାଡ଼ି ଦେଲେ ବେନି ରୋମ ଗୋଟି
ସମାଧିରେ ଦୃଢ଼ ହେଲେ ପାଇ ବିଷ୍ଣୁ ତେଜ
ବେନି ରୋମ ମଧ୍ୟେ ଆତ୍ମାଖଣ୍ଡି ଦେବରାଜ
ମୋତେ ବୋଇଲେଧାତା ଏରୋମଘେନି ଯାଯା
ଦେବ ଆସନେ ବସାଇ କର ଏହା ପୂଜା
ଏ ବେନି ରୋମ ପ୍ରତ୍ୟକ୍ଷେ ଜାଣ ବିଶ୍ୱବାସ
ପୃଥିବୀର ଭାରାଭର କରିବ ଏ ନାଶ
ବ୍ରହ୍ମା ବୋଇଲେ ହେ ଇନ୍ଦ୍ର ରୋମ ଅନୁପମ
ଦ୍ୱାଦଶ ଅବତାର ତ ଭୁଞ୍ଜନ୍ତି ଏ ରୋମ
ଏ ରୋମର ବଳେ ଆମ୍ଭେ ରଚିଲୁ ସଂସାର
ପନ୍ନଗ ନାରାୟଣ ଏ ବେନି ଅବତାର
ଜଗତର ଉଦ୍ଧାରଣ ଏହି ରୋମ ବେନି
ଦେବକାର୍ଯ୍ୟ କରିବାକୁ ଆମ୍ଭେ ଏହା ଘେନି
ଆମ୍ଭ ଦିବସେ ଏ ରୋମ ବାରବେଳ ନେଇ
ଭାରା ନିବାରିଣ ରୋମ ବାହୁଡ଼ାଇ ଦେଇ
ତୁମ୍ଭେ ନ ଜାଣ ଏ ରୋମ ମହିମାର ବିଧି
ଏବେ ତୁମ୍ଭ କାର୍ଯ୍ୟ ସିଦ୍ଧ ହେଲା ଜମ୍ଭଭେଦୀ
ଏବେ ଆଣିଲୁ ପୁଣି ସେ ରୋମ ଦେବରାଜ
ସକଳ ଶୁଭ ତୁମ୍ଭର ହେବ ଦେବକାର୍ଯ୍ୟ
ବହୁତ କାଳରୁ ଆମ୍ଭେ ଥିଲୁ ବାଟ ଚାହିଁ
ଆଜ ନିସ୍ତରିଲୁ ସେହି ବେନି ରୋମ ପାଇ
ପ୍ରତ୍ୟକ୍ଷେ ହୋଇବେ ରାମକୃଷ୍ଣ ଏଥୁ ଜାତ
ଅନେକ ଦୁଷ୍ଟ ଦାନବ କରିବେ ନିପାତ
ବାଣା ନାରକା ଯେ କଂସ ବଜ୍ରନାଭ ଜରା
ଏମାନେ ହୋଇ ଅଛନ୍ତି ପୃଥିବୀକୁ ଭାରା
ରୁକ୍ମିଣ ଯେ ଦନ୍ତବକ୍ର ଶମ୍ବର ସହିତେ
ଦୁଷ୍ଟବୁଦ୍ଧି ଆଚରଣ ଏହାଙ୍କର ନିତ୍ୟେ
ଏମାନେ ଥିଲେ ତ ନାହିଁ ପୃଥ୍ୱୀ କେବେ ରକ୍ଷା
ମାରିବେ ଦୁଷ୍ଟଦାନବ ପୂରାଇବେ ବାଞ୍ଛା
ଅନେକ ଭାଗ୍ୟ ଥିଲେ ଏ ରୋମ ଦେଖିପାରି
ଶୁଣ ତୁହୋ ଏକମନେ ସ୍ୱର୍ଗ ଦଣ୍ଡଧାରୀ
ଆବର କଥାଏ ଆମ୍ଭେ ତୋ ଆଗେ କହିବୁ
ପାପାଧି ପାପମାନ ଯେ ଧ୍ୱଂସ ହେଉ ସବୁ
ପୂର୍ବର ଉକତ ଶିରୀ ଭାଗବତ ବାଣୀ
ମୁକତି ପାଇବୁ ତୁହି ଏହି କଥା ଶୁଣି
ଆମ୍ଭଙ୍କୁ ତ ଯେତେବେଳେ ଦିବସେକ ହୋଇ
ମେରୁ ଆଦି ଚରାଚର ମହୀ ନାଶ ଯାଇ
ପୁଣି ଏପରି ନୂତନ ସଞ୍ଚରୁ ମେରୁ ମେଦିନୀ
ଚରାଚର ଆଦିକରି ଜୀବ ଚାରିଖାନି
ତ୍ରେତା ଯୁଗେ ଆମ୍ଭେ ଏହି ରୋମ ନେଇଥିଲୁ
ରାମ ଲକ୍ଷ୍ମଣ ମୂରତି ଆଦି ଭିଆଇଲୁ
ଯେ ବେଳେ ରାବଣ ଦୈତ୍ୟ ହୋଇଲା ବିନାଶ
ବାହୁଡ଼ାଇ ଦେଲୁ ରୋମ ସ୍ୱାମୀଙ୍କର ପାଶ
ପୁଣି ହିଁ କାର୍ଯ୍ୟ ପଡ଼ିଲେ ଆଣୁ ଏହି ରୋମ
ମୀନ କଚ୍ଛପ ବରାହ ନୃସିଂହ ଜନମ
ଏହିରୂପେ ଅବତାର ହୋଇଲାଣି ଯେତେ
ସଂକ୍ଷେପ କରି ତାହା ମୁଁ କହିବଇଁ କେତେ
ହରିବଂଶ ଭାଗବତ ପୁରାଣ ଭାରତ
ରାମାୟଣ ଆଦି କଲେ ହୋଇ ଆତଯାତ
ଏହି ଦେହେ ଦେଖୁ ଆମ୍ଭେ ସକଳ ସଂଗ୍ରାମ
ସଂଖ୍ୟାକରି କହିବା ଭୋ କେତେ ତାର ନାମ
ହରିନାମେ ଦ୍ୱାପରରେ ହେଲା ହରିବଂଶ
ମହାପ୍ରତାପୀ ହୋଇଣ ଜାଣ ହେଲା କଂସ
କୃଷ୍ଣ ସୋଦର ମାଉସୀପୁଅ ଦୁଇ ଭାଇ
ଏ ବେନି ରୋମରେ ଆମ୍ଭେ ସଂହାରିଛୁ ତହିଁ
ପୁଣିହିଁ ଦ୍ୱାପରଯୁଗ ହେଲା ଲାଗେ ଲାଗେ
ଦୁର୍ବାର ହୋଇଲା କଂସରାଜା ଆମ୍ଭ ଆଗେ
ଏହି ରୋମ ଘେନି ଆମ୍ଭେ କଲୁ ତାକୁ ହତ
କୃଷ୍ଣ ବଳରାମ ରୂପେ କରାଇ ସମ୍ଭୂତ
ବିଧୁନାମେ ଦ୍ୱାପରେକ ପୁଣି ଉତପତ୍ତି
ରାମକୃଷ୍ଣ ଉପୁଜିଲେ କଂସ ନରପତି
ଏହି ରୋମ ଆଣି ଆମ୍ଭେ କରାଇଲୁ ଜାତ
ତିନି ଦିବସର ମଧ୍ୟେ କଂସ ହେଲା ହତ
ଅନେକ ଦ୍ୱାପର ଗଲା ଅନେକ ସଂଗ୍ରାମ
କଉଶିକ ବଂଶେ ଜାତ ରୂପ ଅନୁପମ
ଏହି ବେନି ରୋମ ଜାଣ ରାମ କୃଷ୍ଣ ରୂପେ
ବାଳକ୍ରୀଡ଼ା କରୁ ତାକୁ ମାଇଲେକ ଗୋପେ
ଆହୁରି ଦ୍ୱାପର ହେଲା ତାହାର ନିକଟେ
କଂସରାଜା ଉପୁଜିଲା ଗିରି ଚିତ୍ରକୂଟେ
ରାମକୃଷ୍ଣ ରୂପେ ଦେହେ ଏ ରୋମ ପ୍ରକାଶ
ବାରଦିନେ ବାଳକୃଷ୍ଣ ହସ୍ତେ ଗଲା ନାଶ
ଶାନ୍ତି ନାମରେ ଦ୍ୱାପର ଯୁଗେକ ହୋଇଲା
ଉର୍ମିଳା କନ୍ୟାର ଗର୍ଭେ କଂସ ଉପୁଜିଲା
ସେ ହରିବଂଶର କଥା ଅଟେ ଅଗୋଚର
ରାମ କୃଷ୍ଣ ସଙ୍ଗେ ଯୁଦ୍ଧ ହେଲା ବହୁବାର
ଦ୍ୱାଦଶ ବରଷାଯାଏ ଲାଗିଲାକ ରଣ
ପଡ଼ିଲେ ସେ ହାତୀ ରଥୀ ଥାଟ ଅପ୍ରମାଣ
ଦଶସହସ୍ର କବନ୍ଧ ନାଚୁଥିଲେ ରଙ୍ଗେ
ନାରାଚ ବୃଷ୍ଟି ଯେ ହେଲା ଯୋଦ୍ଧାଙ୍କର ସଙ୍ଗେ
ଏହି ରୋମ ବେନି ତହିଁ ବିଶ୍ୱରୂପ ଧରି
ଦ୍ୱାଦଶ ବର୍ଷେ କଂସକୁ ମାରି ଦେବହରି
ଏରୂପେ ଅନେକ କାଳ ନେଲୁ ଏହି ରୋମ
ଦିବସେ ଦ୍ୱାଦଶ ବେଳ କରୁ ଆମ୍ଭେ ଜନ୍ମ
ପ୍ରତ୍ୟକ୍ଷେ ନିଦାବିଷ୍ଣୁ ଏ ରୋମ ତେଜୋମୟ
ପୃଥିବୀର ଭାରାଭର କରନ୍ତି ଏ କ୍ଷୟ
ଜାଣିଲ ଏ ବେନି ରୋମ କଥା ସସ୍ରଯୋନି
ତେଣୁ ଆମ୍ଭେ ଅଇଲୁ ଏ ରୋମ ବେନି ଘେନି
ନିରଞ୍ଜନ ପୁରୁଷ ଯେ ଅଛି ଜନ୍ମ ପାଇ
ବେଳେ ବେଳେ ଏହି ରୋମ ବେନି ଆମ୍ଭେ ଆଣୁ
ଅନେକ ଯେ ହରିବଂଶ ଭାଗବତ ଜାଣୁ
ଆମ୍ଭର ଦିବସେ ହୋଏ ଅନେକ ଯେ ଯୁଦ୍ଧ
ରାମାୟଣ ଭାରତ ଏ ଆଦି ନାନାବିଧ
ବ୍ରହ୍ମା ସମକ୍ଷରେ ଶତେକ ବରଷ ଥାଉ
ଏ ବିଧି ବେଳ ଯେ ଆଣି ଜନମ କରାଉ
ପୃଥ୍ୱୀ ଭାରାଭର ଏଥେ କରାଉ ବିନାଶ
ବାହୁଡ଼ାଇ ଦେଉ ପୁଣି ନିଦାବିଷ୍ଣୁ ପାଶ
ସୁବାହୁ ଦ୍ୱାପର ଯୁଗେ ଅଇଲୁ ତା ଘେନି
ଏ ରୋମରୁ ଉପୁଜିବେ ରାମକୃଷ୍ଣ ବେନି
ଇଦଂ ପ୍ରତିବାକ୍ୟ ତୁମ୍ଭେ ଶୁଣ ସୁରେଶ୍ୱର
ଏ ରୋମ ବେନି ପ୍ରତ୍ୟକ୍ଷେ ଜାଣ ନିରାକାର
ଏହାକୁ ଘେନିଣ ଏବେ କରିବା ଉପାୟ
ପୃଥ୍ୱୀ ଭାରାଭର ଯିବ ଉପେକ୍ଷ ତୁ ଭୟ
ଆଝୁଁ ଦେବତାମାନଙ୍କ କଷ୍ଟ ଗଲା ଦୂର
ଯେ ଯାହା ଇଚ୍ଛାରେ ତୁମ୍ଭେ ସ୍ୱର୍ଗ ଭୋଗକର
ଅନେକ ଦୁଃଖ ପାଇଛ ଅସୁରଙ୍କ ଡରେ
ଅଚିନ୍ତେ ବସ ହୋ ଏବେ ଅମର ନଗରେ
ଏମନ୍ତ କହିଣ ବ୍ରହ୍ମା ହୋଇଲେ ମଉନ
ଭଜଇ ଅଚ୍ୟୁତ ଦାସ ଶ୍ରୀହରି ଚରଣ
କହିଲେ ଯହୁଁ ଏସନ ବାଣୀ ବେଦବର
କରପତ୍ର ଯୋଡ଼ି ପୁଣି ଦେବ ପୁରନ୍ଦର
ବୋଇଲେ ଭୋ ପିତାମହ ଫିଟିଲାକ ଭ୍ରାନ୍ତି
ତଦନ୍ତ କରି ଜାଣିଲୁ ଆମ୍ଭେ ଯେ ଏ ଘାନ୍ତି
ପ୍ରତ୍ୟକ୍ଷେ ବିଷ୍ଣୁ ଈଶ୍ୱର ଅଟନ୍ତି ଏ ବେନି
ପୃଥ୍ୱୀ ଭାରାଭର ଅର୍ଥେ ଅଇଲ ତା ଘେନି
ଏ ବେନି ରୋମ ନେଇଣ କି କରିବୁ ଅବା
ଏ କଥା ଭୋ ବ୍ରହ୍ମା ମୋତେ ସଂକ୍ଷେପି କହିବା
ପୂର୍ବେ ଯେତେ ହରିବଂଶ ତୁ ତ ଜାଣୁ ସବୁ
ଏବେ କହ ସ୍ୱାମୀ ଆମ୍ଭେ କି ବୁଦ୍ଧି କରିବୁ
କେଉଁ ପ୍ରକାରେ ଏହାକୁ କରିବୁ ତୁ ଜାତ
ଏ ବେନି ରୋମ ଅନାଦି ଅବ୍ୟକ୍ତ ଅଚ୍ୟୁତ
ବୋଲଇ ଜଗତ ଭାରା ହୋଇବାକ କ୍ଷୟ
ଏବେ କରିବୁ ଏହାକୁ କେବଣ ଉପାୟ
ମହାବଳିଷ୍ଠ ଅସୁରେ ହେଲେ ଅପ୍ରମିତ
ନିକଟେ କେମନ୍ତେ ହେବେ ସେମାନେ ନିହତ
ଏଥିର ତଦନ୍ତ ସ୍ୱାମୀ କହିବାକ ମୋତେ
ଆଉ ଦେବଲୋକେ କଷ୍ଟ ପାଇବେ ବା କେତେ
ଇନ୍ଦ୍ରର ବଚନ ଶୁଣି ବୋଲନ୍ତି ବିଧାତା
ଯାହା ତୁମ୍ଭେ ପଚାରିଲ ଶୁଣ ଶଚୀକାନ୍ତ
ଅନେକ କାଳ ପୂର୍ବର କଥା ଦିବ୍ୟବାଣୀ
ମହାପାତକ ଦହନ କର ଏହା ଶୁଣି
ମରୀଚି ମହାଋଷିର କୋଳେ ଉତପତ୍ତି
ବେଦ ମନ୍ତ୍ରରେ ନିର୍ଜିତ କଶ୍ୟପ ଯେ ଯତି
ଦିତି ଅଦିତି ବିନତା କଦ୍ରୁର ସହିତେ
ତେର ଭାରିଯା ତାଙ୍କର ଅଟଇ ଯୁକତେ
ଦେବ ଦାନବ ମାନବ ଭୂତ ପ୍ରେତ ମେଳେ
ଏ ସମସ୍ତ ଉତପତ୍ତି କଶ୍ୟପର କୋଳେ
ସେ କଶ୍ୟପ ଋଷି ଏବେ ନବରୂପ ଧରି
ସୁବାହୁ ଦ୍ୱାପର ଯୁଗେ ମର୍ତ୍ତ୍ୟେ ଅବତରି
ମଧୁବନ କଟକରେ ଯଦୁବଂଶେ ଯାଇ
ଗୋପନରେ ବସୁଦେବ ରୂପେ ଜନ୍ମ ହୋଇ
ଦେବକୀ ନାମେ ତାଙ୍କର ଯେବଣ ବନିତା
ପୂର୍ବେ ଥିଲେ ସେହି ସବୁ ଦେବତାଙ୍କ ମାତା
ସେ ଦୁଇ ପୂର୍ବର ଶାପେ ମଞ୍ଚେ ଅବତରି
ସେ ଦେବୀ ଗର୍ଭୁ ଜନମ ହେବେ ଦେବ ହରି
ବସୁଦେବ ଯେ କଶ୍ୟପ ଅଦିତି ଯେ ବାମା
ଆଗହୁଁ ଆମ୍ଭେ ଏ କଥା କରିଛୁ ସର୍ଜନା
ଏବେ ବିଷ୍ଣୁ ନାଥ ଦେଲେ ଆମ୍ଭଙ୍କୁ ଯେ ରୋମ
ଦେବକୀ ଦେବୀର ଗର୍ଭେ କରାଇବା ଜନ୍ମ
ସୋଦର ଭଉଣୀ ଅଟେ ସେ କଂସରାଜାର
ଇନ୍ଦୁମତୀ ରାଣୀ ଗର୍ଭୁ ଜନ୍ମ ଦୁହିଁଙ୍କର
ଉଗ୍ରସେନ ନୃପତିର ସେ ଜ୍ୟେଷ୍ଠ ଦୁହିତା
ଦୃମିଳ ଅସୁର ଅଟେ କଂସରାଜା ପିତା
ଏମନ୍ତ ଶୁଣି ବାସବ ବ୍ରହ୍ମାଙ୍କୁ ବୋଇଲେ
କଥାଏ ପୁଚ୍ଛିବି ତାତ ଆଜ୍ଞା ମୋତେ ହେଲେ
ବ୍ରହ୍ମା ବୋଇଲେ ପଚାରୁ କିନା ଦେବରାୟ
ଯାହା କିଛି ତୋ ମନରେ ହେଉଛି ସଂଶୟ
ଇନ୍ଦ୍ର ବୋଇଲେ କଶ୍ୟପ ମୁନି ପୁଣ୍ୟମୟ
ଯାହା ତହୁଁ ଚରାଚର ପ୍ରାଣୀର ଉଦୟ
ତୋହ ସମାନ ଅଷ୍ଟାଙ୍ଗ ଯୋଗ ସିଦ୍ଧ ପୁଣି
ଯାହାର ପିତା ମରୀଚି ନାମେ ମହାମୁନି
ବେଦ ବିଦ୍ୟାରେ ସମ୍ପନ୍ନ ବ୍ରହ୍ମତତ୍ତ୍ୱଜ୍ଞାତା
ଚଉଦ ଭୁବନରେ ଯେ ଅଟଇ କରତା
ତାହାଙ୍କ ଭାରିଯା ନାମ ଅଦିତି ସୁନ୍ଦରୀ
ତାହାର ମହିମା ମୁଖେ କେବା କହିପାରି
ତେତିଶକୋଟି ଦେବତା କଲା ଯେହୁ ଜାତ
ପ୍ରତ୍ୟକ୍ଷେ ଅପର୍ଣ୍ଣା ଦେବୀ ଆଦି ବୃଦ୍ଧମାତ
ଅମର ବଇକୁଣ୍ଠର ଅଟଇ କାରିଣୀ
ତାହାର ଭିଆଣ ସିନା ଚରାଚର ପ୍ରାଣୀ
ସେ କେମନ୍ତେ ପାଇଲେ ହେ ଏଡ଼େବଡ଼ ଶାପ
ମର୍ତ୍ତ୍ୟମଣ୍ଡଳେ ଧଇଲେ ମାନବ ସ୍ୱରୂପ
ଏ କଥା ସଂକ୍ଷେପି ମୋତେ କହିବା ଗୋସାଇଁ
ଏତେ ବୋଲି ବ୍ରହ୍ମାପାଦେ ଇନ୍ଦ୍ର ପଡ଼େ ଶୋଇ
ପୁଣି କୃତାଞ୍ଜଳି ହୋଇ ପୁଚ୍ଛିଲେ ବାରତା
ଫିଟୁ ମନୋଭ୍ରାନ୍ତି ମୋର କହ ତଥ୍ୟ କଥା
ଜୟ ତୁ ଜୟ ତୁ ରୋମ ଶ୍ରୀବିଷ୍ଣୁ ମୂରତି
ଜୟ ତୁ ଜୟ ତୁ ରୋମ ଜଗଜ୍ଜନ ଜ୍ୟୋତି
ଜୟ ତୁ ଜୟ ତୁ ରୋମ ସଂସାର କାରଣ
ଜୟ ତୁ ଜୟ ତୁ ରୋମ ଦୁଷ୍ଟ ନିବାରଣ
ଜୟ ତୁ ଜୟ ତୁ ରୋମ ଅନନ୍ତ ମୂରତି
ଜୟ ତୁ ଜୟ ତୁ ରୋମ ଶୂନ୍ୟବ୍ରହ୍ମ ଜ୍ୟୋତି
ଜୟ ତୁ ଜୟ ତୁ ରୋମ ବ୍ରହ୍ମାଣ୍ଡ ଧାରଣ
ଜୟ ତୁ ଜୟ ତୁ ରୋମ ଜଗତ କାରଣ
ମୁଁ ଦୀନ ଅଚ୍ୟୁତ ଦାସ ତୁମ୍ଭର ଶରଣ
ଅନ୍ତଃକାଳେ ମୋତେ ନାଥ କରିବ କାରଣ।
କଶ୍ୟପ ଓ ଅଦିତିର ଶାପ ବୃତ୍ତାନ୍ତ
ବ୍ରହ୍ମା ବୋଇଲେ ତୁ ଇନ୍ଦ୍ର ପୁଚ୍ଛା କଲୁ ଯାହା
ସାବଧାନ ହୋଇ ଏବେ ଶୁଣ ତୁହୋ ତାହା
ଭୁବନଲୋକ ଉପରେ ସ୍ୱର୍ଗ ହିଁ ସୁସଞ୍ଚ
ଦେବତାଙ୍କର ଭୁବନ ଅଟେ ଅତି ଉଚ୍ଚ
ମହଲୋକ ଲକ୍ଷେ ଯୁଣ ପରେ ମନୁଲୋକ
ମନୁଲୋକ ପରେ ଲକ୍ଷଯୋଜନ ସନକ
ସନକ ଉପରେ ଲକ୍ଷଯୁଣ ବ୍ରହ୍ମଲୋକ
ବ୍ରହ୍ମଲୋକ ପରେ ଲକ୍ଷଯୁଣ ରୁଦ୍ରଲୋକ
ଲକ୍ଷେ ଯୁଣେ ରୁଦ୍ରଲୋକ ପରେ ନିରଞ୍ଜନ
ଜ୍ୟୋତିର୍ମୟ ପୁର ତହିଁ ଅଟେ ମହାଶୂନ୍ୟ
ଶୁଣ ସୁରପତି ନିରଞ୍ଜନ ଲୋକ ବିଧି
ଯେ ବେଳେ ଯାହା ବାଞ୍ଛନ୍ତି ହୁଏ ତାହା ସିଦ୍ଧି
ଅନାମ ଅନୁପମ ଯେ ଅକଥନ ପୁର
ଅଦୃଷ୍ଟ ଦୁର୍ଲ୍ଲଭ ସେହୁ ଶ୍ରୁତି ଅଗୋଚର
ସବୁ ଭୁବନ ଉପରେ ଅତି ପୁଣ୍ୟମୟ
ଚନ୍ଦ୍ର ସୂର୍ଯ୍ୟ ଗ୍ରହ ତାରା ନୁହନ୍ତି ଉଦୟ
କୋଟି କୋଟି ପ୍ରଳୟଟି ହୋଇବାକ ଯଦି
ଏ ଭୁବନେ କେବେ ଜଳ ନ ପାରଇ ଭେଦି
ସେହି ଭୁବନେ ବସନ୍ତି କେତେ ପୁଣ୍ୟଦେହୀ
ଜନମ ମରଣ ବାଧା ତାଙ୍କୁ ନ ଲାଗଇ
ଅଜୟ ଅଜ୍ରାମର ସେ ଲୋକଙ୍କର କାୟ
ଇନ୍ଦ୍ର ନୈର୍ଋତ ଦିଶନ୍ତି ତିରଣର ପ୍ରାୟ
ଚଉଦପୁର ଉପରେ ନିରଞ୍ଜନ ପୁର
ଛୟାଣୋଇସସ୍ର ଯୂଣ ତାହାର ବିସ୍ତାର
ଅମୂଲ୍ୟ ରତ୍ନେ ନିର୍ମାଣ ହୋଇଛି ସେ ଭୂମି
ପ୍ରତ୍ୟକ୍ଷେ ବିଜୟ ତହିଁ ନାରାୟଣ ସ୍ୱାମୀ
ଅଲେଖ ପୁରୁଷ ସେହି ପୁର ଅଧିକାରୀ
ଦିଗପାଳ ପଦମାନ ତାକୁ ନୁହେଁ ସରି
ଅଦେହ ଅଣାକାର ଯେ ଅଦୃଷ୍ଟି ଅଶ୍ରୁତି
ପରମାନନ୍ଦ ସ୍ୱାମୀ ଯେ ଏକା ବିହରନ୍ତି
ସେହି ନିଦାବିଷ୍ଣୁଙ୍କର ପୁର ସିଂହଦ୍ୱାରେ
ଦେବନାଶନ ବୃକ୍ଷେକ ଅଛି କିଛିଦୂରେ
ତାହାର ମହିମା ମୁଖେ କହି ନ ସରଇ
ଠିକ ଠିକକରି ପଦ କେତେ କହିଲଇଁ
ଯାହା ଯାହା ଦୃଶ୍ୟ ତାହା କହେ ଜମ୍ଭଭେଦୀ
ଅମୃତ ଅମୋହ ତହିଁ ହୁଅଇ ସମ୍ପାଦି
ଅମୋହ ଅକଳନ ସେ ତରୁ କାମନିଧି
ହେତୁ ଅହେତୁ ଅଛନ୍ତି ତହିଁ ଗୁଣଭେଦୀ
ଶାନ୍ତ ଶୀଳ ସତ୍ୟ ଦୟା ବିବେକ ଅକାମ
ଏ ଷଡ଼ପ୍ରକାରେ ଜାଣ ତରୁ ଡାଳ ନାମ
ଲକ୍ଷ ଲକ୍ଷ ଯୋଜନ ସେ ତରୁ ଡାଳମାନ
ପତ୍ର ଫଳ ପୁଷ୍ପ ତହିଁ ନାହିଁ ବିଦ୍ୟମାନ
ରବି ଶଶୀ ଅଗ୍ନି ଅନ୍ଧକାର ଚାରି ଜାତି
ଏ ଚାରି ଜାଣ ଅଟନ୍ତି ତରୁ ଚାରିମୂର୍ତ୍ତି
ଦେବତାମାନଙ୍କ ମୃତ୍ୟୁ ଅଟଇ ସେ ବୃକ୍ଷ
ସେ ଛାଇ ମାଡ଼ିଲେ ଦେବେ ମରନ୍ତି ପ୍ରତ୍ୟକ୍ଷ
ଲକ୍ଷ ଲକ୍ଷ ଯୋଜନ ହିଁ ସାନ ସାନ ଡାଳ
ତାହାକୁ ବେଢ଼ି ଅଛଇ ସପତ ବକଳ
ଯେତେକ ଦେବତା ସେହି ବଟତଳେ ଯାନ୍ତି
ସିଦ୍ଧ ସାଧକ ହେଲେ ସେ ଅବଶ୍ୟ ମରନ୍ତି
ଛାଇ ମାଡ଼ିଲେ କଦାପି ନ ଯାଇ ପାଲଟି
ତକ୍ଷଣେ ମୂର୍ଦ୍ଧନା ଯାଏ ତାହାଙ୍କର ଫାଟି
ଅନେକ ଦେବତାଙ୍କର ମୁଣ୍ଡ ହାଡ଼ମାଳ
ନିରତେ ପଡ଼ିଅଛନ୍ତି ସେହି ବଟତଳ
ଷଡ଼ ଯୋଜନ ଓସାର ଶତଯୁଗ ଉଚ୍ଚ
ଦେବତାଙ୍କ ଅସ୍ଥି ପଡ଼ି ହୋଇଛି ସୁସଞ୍ଚ
ବ୍ରହ୍ମା ଇନ୍ଦ୍ର ଦିଗପାଳ ଆଦି ଦେବଗୋଷ୍ଠୀ
ରବି ଚନ୍ଦ୍ର ଶିର ପଡ଼ିଅଛି କୋଟି କୋଟି
ମହାମହିମା ତରୁ ସେ ଅନନ୍ତ ତା କାୟା
ଅନେକ ଦିନରୁ ସେହି ବିସ୍ତାରିଛି ମାୟା
ଶତେ ଯୋଜନ ବିସ୍ତାର ଶତେଯୂଣ ଉଚ୍ଚ
ବିସ୍ତାର ତରୁ ଅଟଇ ଡାଳେ ବଡ଼ଘଞ୍ଚ
ସେ ତରୁର ତିନିକୋଟି ଯୋଜନ ଅନ୍ତରେ
ବାଞ୍ଛାବଟ ନାମେ ବଟ ଅଛି ଏତେ ଦୂରେ
ସେ ବଟର ମହିମା ତୁ ଶୁଣ ସୁରରାୟେ
ତା ତଳ ଆହ୍ଲାଦ ଲାଗେ ଦେବଲୋକ ପ୍ରାୟେ
କଳ୍ପାନ୍ତର ତରୁ ସେହି ସୁରସିଦ୍ଧି ବାସ
କୋଟି କୋଟି ପ୍ରଳୟରେ ତରୁ ନୁହେଁ ନାଶ
ଲକ୍ଷେ ସତୁରି ସହସ୍ର ଯୋଜନ ସେ ତରୁ
ଉଚ୍ଚ ଅଠାଣୋଇସସ୍ର ଯୂଣ ଅତି ଭୀରୁ
ସେ ବଟର ତଳେ ଉଭା ହେଲେ ଜଣାଯାଇ
ସହସ୍ରେ ଯୁଗ ପର୍ଯ୍ୟନ୍ତ ମୃତ୍ୟୁ ତାକୁ ନାହିଁ
ଦଶମୁଖ ବ୍ରହ୍ମା ଅଷ୍ଟପୁତ୍ର ଆଣିଥିଲେ
ତହିଁରେ ସେ ଆଠ ବଟ କରି ନିର୍ମାଣଲେ
ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନ ଭିତରେ
ସାତଗୋଟି କଳ୍ପବଟ ଅଛି ତରୁସାରେ
ଯେଉଁ ଆଠଗୋଟି ବଟ ପୁରାଣେ ବଖାଣି
ବାଞ୍ଛାନାମେ ଆଠବଟ ସର୍ଜିଲା ସେ ଆଣି
ଲଙ୍କାପୁରେ ନିକୁମ୍ଭିଲା ନାମେ ଅଛି ବଟ
ଅମୃତ ନାମରେ ବଟ ପାତାଳ ନିକଟ
ସଙ୍କେତ ନାମରେ ବଟ ଯଶୋଦନ୍ତୀ ପୁରେ
ବାଞ୍ଛାବଟ ଅଛି ଚିତ୍ରକୂଟ ନିକଟରେ
କଳ୍ପନା ବଟ ଅଛଇ ଶ୍ରୀନୀଳଶଇଳେ
ନୀଳନାମେ ବଟ ଅଛି ମେରୁଗିରି ତଳେ
ନିର୍ମଳ ବଟ ସାକ୍ଷାତେ ମେରୁଗିରି ପ୍ରଭା
ଅମର ଭୁବନେ ସେହି ପାଉଅଛି ଶୋଭା
ଦେବନାଶନ ସେ ବଟ ନିରଞ୍ଜନପୁରେ
ଏରୂପେ ଏ ଆଠବଟ ଅଛି ତ୍ରିଲୋକରେ
ବ୍ରହ୍ମା ବୋଇଲେ ତୁ ଶୁଣ ଆହେ ଶଚୀନାଥ
ବାଞ୍ଛାବଟ ଆଠପତ୍ର ଆଠବଟ ଜାତ
ସେ ବାଞ୍ଛାବଟର ମୂଳେ ଗୋମାତାର ବାସ
ସଚରାଚର ବୁଲି ସେ ହୋଇଲା ନିରାଶ
ସୁରଭୀ କପିଳା ଆଦି ଅଶୀସସ୍ର ମୂଳେ
ଇଚ୍ଛାସୁଖେ ବିହରନ୍ତି ବାଞ୍ଛାବଟ ତଳେ
ମନୋହର ବନ ତହିଁ ଅଛି ତରୁସାର
ଶୋଭାରେ ସେ ବଇକୁଣ୍ଠପୁର ପଟାନ୍ତର
ସୁସଞ୍ଚ ଶୀତଳ ପରିମଳ ଦିବ୍ୟ ସ୍ଥାନ
ସଦା ବହେ ମଧୁ ମୃଦୁ ମଳୟ ପବନ
ଷଡ଼ରସର ଭୋଜନ ଲୋଡୁଥାନ୍ତି ସେହି
ମନେ ଚିନ୍ତାକରି ବାଞ୍ଛା କଲେ ପାଇ ତହିଁ
ବାଞ୍ଛା କଲାମାତ୍ରେ ସିଦ୍ଧ ହୁଏ ମନସ୍କାମ
ତେଣୁକରି ସେ ତରୁର ବାଞ୍ଛାବଟ ନାମ
ଅନାଦି ଦେବୀ ସେ ତିନିପୁର ଠାକୁରାଣୀ
ତରୁମୂଳରେ ଶୋଇଲେ ଦେବୀ ଗୋସାମଣୀ
ଏଥୁ ଅନନ୍ତରେ ପୁଣି କେତକ ଦିନରେ
କଶ୍ୟପ ଋଷି ସ୍ୱର୍ଗକୁ ବିଜେ ଧାତିକାରେ
ମନପବନ ତ୍ରିଦଣ୍ଡୀ ଆରୋହିଣ ଗଲେ
ତୁରିତେ ମିଳିଲେ ଯାଇ ବଇକୁଣ୍ଠଆଳେ
ଅଦିତି ଦେବୀଙ୍କୁ ସଙ୍ଗେ ଯାଇଛନ୍ତି ଘେନି
ବିଷ୍ଣୁର ଭୁବନେ ଚଳିଯାନ୍ତି ମହାମୁନି
ଥୋକାଏ ଅନୁସରି ସେ ଯାଇଣ ନିକଟେ
ଯାଉଁ ଯାଉଁ ଗୋମାତାଙ୍କୁ ଦେଖିଲେକ ବାଟେ
ମନୋବାଞ୍ଛା କରି ଦେବୀ ବାଞ୍ଛାବଟ ତଳେ
ଆତ୍ମାରେ ଲୟ ଲଗାଇଛନ୍ତି କୁତୂହଳେ
ଏ ସମୟେ ଚାହିଁଲେ ସେ ଗିରି ସ୍ଥିର ଦୃଷ୍ଟି
ଅଧୋମୁଖେ ମୁନି ସଙ୍ଗେ ହେଲେ ଭେଟା ଭେଟି
ଦେଖି ଅଦିତି ମୁନିର ଗର୍ବହିଁ ଅପାର
ଗାୟତ୍ରୀ ଦେବୀକି ସେ ନ କଲେ ନମସ୍କାର
ଥୋକାଏକ ବାଟ ଚାଲି ଗଲେ ଆଡ଼ ହୋଇ
ଗୋମାତା ମୁଖ ଟେକିଣ ଦେଲେ ତାକୁ ଚାହିଁ
ଅନ୍ତର୍ଗତେ ବିଚାରନ୍ତି ପୁଣି ମହାମାୟା
ଆରେ ଆରେ କଶ୍ୟପ ତୁ ଏଡ଼େକ ନିର୍ଦ୍ଦୟା
ଆମ୍ଭେ ଯେ ଜଗତମାତା ସଂସାର କାରେଣୀ
ଆମ୍ଭ ଭିଆଣ ସଚରାଚର ଏ ଧରଣୀ
ଦେବତାଙ୍କ ମାତା ଆମ୍ଭେ ଅଟୁଁ ଅଗ୍ରଲେଖା
ଚାରିଖାନି ଜୀବଜନ୍ତୁ ଆମ୍ଭେ କରୁ ରକ୍ଷା
ତୁ ମୁନି କିପାଁ ଆମ୍ଭଙ୍କୁ କରୁ ଅମାନନା
ଅଦିତି ସଙ୍ଗେ ଥିବାରୁ ଏଡ଼େ ଗର୍ବ ସିନା
ଆମ୍ଭଙ୍କୁ ଦେଖି ତୁ ଯେବେ ବାଟଭାଙ୍ଗି ଗଲୁ
ଅନେକ ମହାପାପ ହିଁ ଆମ୍ଭେ ଅରଜିଲୁ
ଏଡ଼େକ ଗର୍ବ ବହିଲୁ ନ ଚିହ୍ନିଲୁ ମୋତେ
ଆମ୍ଭେ ତ ତୋହର ମାତା ଅଟୁରେ ଯୁକତେ
ତୁମ୍ଭେ ବିଚାରିଲେ ଆମ୍ଭେ ଜଗତର ପିତା
ମୋର ଉପରେ ଆନ କେ ଅଛଇ ଦେବତା
ମୋର ପୁତ୍ର ଆତଯାତ ହେଉଛନ୍ତି ମହୀ
ବଡ଼ିମାପଣେ ବଢ଼ିଲୁ ବିଚାର ତୋ ଏହି
ତେଣୁକରି ଆମ୍ଭଙ୍କୁ ନ କଲୁ ମାନ୍ୟଧର୍ମ
ଯାହା ଅର୍ଜିଲୁ ଭୁଞ୍ଜିବୁ ସିନା ସେହି କର୍ମ
ଜାଣୁ ଜାଣୁ ଧଇଲୁ ତୁ ଯେବେ ପାପବୁଦ୍ଧି
ଆମ୍ଭର ଏ ଶାପ ତୋତେ ପଡ଼ୁ ଯଥାବିଧି
ଆମ୍ଭ ଶାପେ ଜାତ ହୁଅ ଯାଇଁ ମର୍ତ୍ତ୍ୟଲୋକେ
ମୋହର ଶାପ ମେଣ୍ଟିଣ ନ ଯାଉରେ ଥୋକେ
ମର୍ତ୍ତ୍ୟପୁରେ ଜାତ ହୁଅ ସସ୍ରେ ଜନ୍ମଯାଏ
ଯାଅ ଯାଅ ଜାତହୁଅ ମାନବର କାୟେ
ଏ ଯେ ଅଦିତି ଭାରିଯା ତୋର ପ୍ରିୟବତୀ
ଏ ଯେ ମାନବ ଦେହରେ ହେବ ଉତପତ୍ତି
ଏତେକ କହି ଗୋମାତା ରହେ ତୁନିହୋଇ
କରପତ୍ର ଯୋଡ଼ି ମୁନି ମିଳି ଆଗେ ଯାଇ
ଡରେ କମ୍ପମାନ ହେଉଅଛି ମହାଋଷି
ଗୋମାତା ଚରଣତଳେ ଶିରକୁ ନିବେଶି
ସାଷ୍ଟାଙ୍ଗେ ଛାମୁରେ ପଡ଼ି ଶୁତି ଗଡ଼ଘାଲି
ନୟନୁ ଲୋତକ ଝରି ପଡ଼େ ମହୀସ୍ଥଳୀ
ଏଥକୁ କାରଣ ମୋତେ ଗୋମାତା ଗୋ କହ
ଶାପର କାରଣ କରି ମୁକ୍ତି ମୋତେ ଦିଅ
ମତ୍ତଗର୍ବ ଆଚରି ମୁଁ ଅର୍ଜିଲଇଁ ଯଶ
ଏ ମୋହର କର୍ମରେ ସେ ଫଳିଲା ଅବଶ୍ୟ
ଏ ଘୋର ଶାପରୁ ମୋତେ ଉଦ୍ଧାର ଗୋ ମାଏ
ମୁହିଁ ଶରଣ ପଶିଲି ଡରେ ତୋର ପାୟେ
ଗୋମାତା ବୋଇଲେ ତୁ ଯେ ଜ୍ଞାନବନ୍ତହୋଇ
ଦୋଷ ଅନୁକ୍ରମେ ଆମ୍ଭ କୋପ ଜାତହୋଇ
ଆମ୍ଭେ ଜଗତଜନନୀ ଅଟୁ ପୁଣି ଶ୍ରେଷ୍ଠ
ଆମ୍ଭଙ୍କୁ ତୁ ନମସ୍କାର ନ କଲୁ ପାପିଷ୍ଠ
ତେଣୁ ତୋତେ ଦେଲୁ ଆମ୍ଭେ ମହାଘୋରଶାପ
ଦୋଷ ଅନୁକ୍ରମେ ଜାତହେଲା ଆମ୍ଭ କୋପ
ମୁକତ ହୋଇବୁ ଯେବେ ହୋଇଲୁ କାର୍ପଣ୍ୟ
ତହିଁର ତଦନ୍ତ କଥା ଶୁଣ ସାବଧାନ
କୃତାନ୍ତେ ତ୍ରେତା ଦ୍ୱାପର ଆଦି ତିନିଯୁଗେ
ଉପୁଜିବ ତିନିରୂପ ଧରି ମହୀଭାଗେ
ଆମ୍ଭର ଶାପ ନୋହିବ ତୋତେ ଅକାରଣ
ଗର୍ଭେ ତୋର ଉପୁଜିବେ ଦେବ ନାରାୟଣ
ପୃଥିବୀର ମହାଭାରା ନିବାରିବା ପାଇଁ
ଯୋନିଜାତ ହେବେ ବିଷ୍ଣୁ ନରଦେହ ବହି
ପୂର୍ବର ହେତୁ ଘେନି ତୁ ହେବୁ ମହାଯୋଗ୍ୟ
ବିଷ୍ଣୁନାଥଙ୍କୁ କୋଳରେ ଧରିବୁ ତୋ ଭାଗ୍ୟ
ଏ ଶାପ ତୋତେ ଅହିତ ନୁହେଁ ମୁନିବର
ବାଞ୍ଛା ସିଦ୍ଧି ହେଲା ମନେ ଆନ ତୁ ନ ଧର
ଯେବଣ ବିଷ୍ଣୁଙ୍କୁ ଚିନ୍ତା କରୁଅଛି ଧ୍ୟାନେ
ସେ ତୋହର କୋଳେପୁତ୍ରହେବେ ବିଦ୍ୟମାନେ
ଏ ତୋହର ପ୍ରିୟବତୀ ଭାରିଯା ଯୁବତୀ
ଏ ତୋର ସଙ୍ଗେ ମାନବେ ହେବ ଉତପତ୍ତି
ପ୍ରଥମେ ସତ୍ୟଯୁଗରେ ହେବୁ ଅବତାର
ଯମଦଗ୍ନି ବୋଲି ନାମ ହୋଇବ ତୋହର
ରୁଚିକ ମୁନିଙ୍କଠାରୁ ହେବୁ ଉତପତ୍ତି
ରେଣୁକା ନାମେ ତୋ ଭାର୍ଯ୍ୟା ହେବ ଏ ଅଦିତି
ତାହାର ଗର୍ଭରେ ପୁତ୍ର ହୋଇବ ଜନମ
ସ୍ୱୟଂ ବିଷ୍ଣୁ ସେହି ତାଙ୍କ ନାମ ପର୍ଶୁରାମ
ତ୍ରେତୟା ଯୁଗରେ ପୁଣି ରଘୁବଂଶେ ଜାତ
ହୋଇବୁ ତୋହର ନାମ ହେବ ଦଶରଥ
ଅଦିତି କୌଶଲ୍ୟା ନାମେ ହେବ ତୋର ନାରୀ
ତା ଗର୍ଭରୁ ରାମରୂପେ ଜନ୍ମିବେ ଶ୍ରୀହରି
ରାବଣକୁ ବଧକରି ବିଧ୍ୱଂସିବେ ଲଙ୍କା
ଖଣ୍ଡିବେ ସ୍ୱର୍ଗର ଭୟ ଦେବତାଙ୍କ ଶଙ୍କା
ଦ୍ୱାପର ଯୁଗରେ ଜାତ ହୋଇବୁ ତୁ ଯାଇ
ବସୁଦେବ ବୋଲି ନାମ ବୋଲାଇବୁ ତହିଁ
ଅଦିତି ଉପୁଜିବ ଦେବକୀ ରୂପ ହୋଇ
ପାଇବୁ କାରଣ ରାମକୃଷ୍ଣ ଉପୁଜାଇ
ତିନିଯୁଗେ ଏହିପରି ତିନିରୂପ ହେବୁ
ତଦଅନ୍ତେ ମୋର ଏହି ଶାପରୁ ତରିବୁ
ତେବେଯାଇ ନିଜ ଭୂମି ପାଇବୁ କଶ୍ୟପ
ହରିବୁ ଯେତେ ତୋହର ପୂର୍ବଜନ୍ମ ପାପ
କଶ୍ୟପ ବୋଇଲେ ମାଗୋ ଯେ ତୋହର ଇଚ୍ଛା
ନିଅନ୍ତା ବିହନ୍ତା ଜନମାତା କର ରକ୍ଷା
ତୁମ୍ଭେ ଯାହା ବୋଇଲ ସେ ନୋହିବ ଅନ୍ୟଥା
ଯୋନିଜାତ କଲେ ମୋତେ ପାଇବି ଅବସ୍ଥା
ଗୋମାତା ଚରଣ ତଳେ ମୋର ନିତ୍ୟ ସେବା
ଦୀନ ଅଚ୍ୟୁତାନନ୍ଦ ମୁଁ ମୋତେ ନିସ୍ତରିବା

ଶ୍ରୀବିଷ୍ଣୁଙ୍କର ଯୋନି ଜନ୍ମର କାରଣ

[ସମ୍ପାଦନା]

କଶ୍ୟପ ମୁନି ବୋଇଲେ ଶୁଣ ତୁ ଗୋ ମାତ
ବଡ଼ ସଂଶୟ ମୋ ମନେ ହୋଇବାରୁ ଜାତ
ପଚାରୁଛି ମୋତେ ଯାହା ସଂକ୍ଷେପି କହିବା
ଏ ତୋହର ପାଦତଳେ କରୁଛି ମୁଁ ସେବା
ଅଗୋଚର କଥା ମୋତେ କହିଲ କାହିଁକି
ସଂପ୍ରତେ ନ ଗଲା ମୋର ମନରେ ତହିଁକି
ତୁମ୍ଭେ ବୋଇଲ ଶ୍ରୀ ବିଷ୍ଣୁ ନରଦେହ ବହି
ଯୋନିରେ ଜାତ ହୋଇଣ ଉଦ୍ଧାରିବେ ମହୀ
ମଞ୍ଚର କଥା ସଂପ୍ରତେ କରିବି କେମନ୍ତେ
ଏ କଥା ବଡ଼ ସନ୍ଦେହ ଲାଗୁଅଛି ମୋତେ
ବ୍ରହ୍ମା ଶଙ୍କର କରନ୍ତି ସେ ସ୍ୱାମୀଙ୍କୁ ଲୟେ
ଶିବ ବ୍ରହ୍ମା ଯାର ପାଦ ଉଦକ ନ ପାଏ
ଦେବଧିଦେବଙ୍କର ଯେ ଅଟେ ଆଦିମୂଳ
ରେଖ ରୂପ ବର୍ଣ୍ଣ ଯାର ନାହିଁ ଶୂନ୍ୟଠୂଳ
ଅଦୃଷ୍ଟ ଅଶ୍ରୁତ ସେହୁ ଅଣାକାର ସ୍ୱାମୀ
ଚିହ୍ନ ବର୍ଣ୍ଣ ଯାର ନାହିଁ ସେହି ଅନ୍ତର୍ଯ୍ୟାମୀ
ଦେବେ ଅଗୋଚର ବୋଲି ଯାହାକୁ ବୋଲନ୍ତି
ଗର୍ଭୁ ଜାତହୋଇ ନର୍କ ଭୋଗିବେ କେମନ୍ତି
ଏଥିର କାରଣ ମୋତେ କହ ତୁ ଗୋ ମାଏ
ଶ୍ରୀହରି କଥା ଶୁଣି ମୋ ପାପ ଯାଉ କ୍ଷୟେ
ଗାୟତ୍ରୀ ବୋଇଲେ ଶୁଣ ତୁ କଶ୍ୟପ ମୁନି
ବହୁତ କାଳର କଥା ବେଦାନ୍ତର ବାଣୀ
ତାହା ସଦଭାବେ ତୋତେ କହିବା କଶ୍ୟପ
ଶାପ ନିବାରିବା ତୋର ଖଣ୍ଡିବାନା ପାପ
ଯେତେବେଳେ ଏ ପୃଥ୍ୱୀରେ ନ ଥିଲେ କେ ଆନ
ବ୍ରହ୍ମା ବିଷ୍ଣୁ ମହେଶ୍ୱର ଥିଲେ ତିନିଜଣ
ବିନ୍ଦୁ ନ ଥାଇ ତିନିହେଁ ହୋଇଲେ ସମ୍ଭୂତ
ଅନାଦି ତାହାଙ୍କ ପିତା ଆଦି ତାଙ୍କ ମାତ
ତିନିଭାଗ କରିବିନ୍ଦୁ ବାଣ୍ଟିଲେ ଅନାଦି
ତିନି ପୁତ୍ର ହୋଇ ଏହି ପୃଥିବୀ ସମ୍ପାଦି
ବ୍ରହ୍ମା ବିଷ୍ଣୁ ମହେଶ୍ୱର ନାମ ଏହାଙ୍କର
ପ୍ରଳୟ ଜଳୁ ଏ ତିନି ହେଲେ ଅବତାର
ପ୍ରଥମ ପୁତ୍ର ଯେ ତାର ବ୍ରହ୍ମା ନାମ ଦେଲା
ସକଳ ବ୍ରହ୍ମାଣ୍ଡ ବୁଦ୍ଧିବଳେ ସେ ସର୍ଜିଲା
ଓଁକାର ମୂଳମନ୍ତ୍ର ଯେ ଶିଶୁ ବେଦ ବାଣୀ
ଏ ସଂସାରଯାକ ତାହା ସଞ୍ଚିଲାକ ଆଣି
ବେଦ ବିଦ୍ୟାଦି ଯାବତ କର୍ମ ଧର୍ମ ବିଧି
ମନ୍ତ୍ରର ବାସନା ହେତୁ କଲା ସର୍ବସିଦ୍ଧି
ଦ୍ୱିତୀୟ ପୁତ୍ର ଯେ ହେଲେ ବିଷ୍ଣୁ ଅବତାର
ସଂସାର ରକ୍ଷଣକାରୀ ମଦନ ଗୋପାଳ
ଦୁଷ୍ଟ ଜନ ସଂହାରିଣ ସନ୍ଥ ପ୍ରତିପାଳି
ସକଳ ଅଧିକାରୀ ତା ନାମ ବନମାଳୀ
ତୃତୀୟ ପୁତ୍ର ଈଶ୍ୱର ମହାଦେବ ସ୍ୱାମୀ
ମାତାର ରୂପ ଦେଖିଣ ହେଲେ ମହାକାମୀ
ଯୁକତେ ଉଲଗ୍ନ ସେହି ଅଟେ ଯୋଗେଶ୍ୱର
ଆଦିମାତାର ସଙ୍ଗତେ କଲେକ ବିହାର
ବିଷ୍ଣୁ ଏମନ୍ତ ଦେଖିଣ କଲେ ମହାରୋଷ
ଆହେ ମହେଶ୍ୱର ତୁମ୍ଭେ କଲ ବଡ଼ ଦୋଷ
ଏଡ଼େ ବଡ଼ ଅନୀତି ତୁ କଲୁ ମତ୍ତଭୋଳେ
ଜାଣୁ ଜାଣୁ ମାତାକୁ ତୁ ହରିଲୁ ଏକାଳେ
ମାତାକୁ ହରଣ କରି ହେଲୁ ମହାପାପୀ
ତୋର ମୁଖ ନ ଚାହିଁବୁ ଆମ୍ଭେ ଯେ କଦାପି
ଶ୍ରୀ ବିଷ୍ଣୁ ଦେବତା ମୁଖୁ ଏସନକ ଶୁଣି
ହତଜ୍ଞାନ ହୋଇଲେକ ଦେବ ଶୂଳପାଣି
ଛାଡ଼ି ଅଲଗା ହୋଇଲେ ଶିବ ତତକ୍ଷଣ
ଲାଜେ ତଳେ ମଥା ପୋତି ହେଲେ ବିଡ଼ମ୍ବନ
ଖଣ୍ଡଦୂର ଯାଇ ଉଭା ହେଲେ ଶୂଳଧାରୀ
ଦେବତାଙ୍କୁ ନ ଚାହିଁଲେ ମୁଖ ତୋଳିକରି
ଏହାଦେଖି ବିଷ୍ଣୁନାଥ ବହି ମହାରୋଷ
ଆଦି ଅପର୍ଣ୍ଣାକୁ ଚାହିଁ ବୋଇଲେ ଏ ଭାଷ
ତୁ ମହାମାୟୀ ସବୁରି ଅଟୁ ଠାକୁରାଣୀ
ଏଡ଼େ ଅନୀତି କଥା ତୁ ଆଚରିଲୁ ପୁଣି
ବୃଦ୍ଧମାତା ହୋଇ ତୋର ଏଡ଼େକ ଶରଧା
କେମନ୍ତେ ତେଜିଲୁ ତୁହି ଲାଜଭୟ ବାଧା
ବାଳୁତ ପୁଅକୁ ଏହିକ୍ଷଣି ଜାତକଲୁ
ସେ ଅଜ୍ଞାନ କେମନ୍ତେ ତୁ ତାକୁ ଦେହ ଦେଲୁ
ଅନାଦି ପରା ପତିକି କଲୁ ତୁ ଲୋ ତ୍ୟଜା
କାମଗରବେ ଛାଡ଼ିଲୁ ଜାତି କୁଳ ଲଜ୍ଜା
ତେବେକି ବୋଲିବା ତୋର ପ୍ରକୃତିର ଦୋଷ
ଅଯୋଗ୍ୟପଣେ ତୋହର ଧର୍ମ ଗଲା ନାଶ
ଯଦ୍ୟପି ଏଯୋନିଗୋଟା ନଥାନ୍ତା ତୋଦେହୀ
ଏତେବଡ଼ ଅନୀତି ତୁ କରନ୍ତୁ କିପାଇଁ
ଅନେକ ଝିଙ୍ଗାସ ଯହୁଁ କଲେ ବିଷ୍ଣୁନାଥ
ଶୁଣିଣ ଆଦି ଅପର୍ଣ୍ଣା ଲୁଚାଇଲେ ମାଥ
ବିଷ୍ଣୁଙ୍କୁ ବୋଇଲେ ତୁରେ ଜ୍ଞାନବନ୍ତ ହୋଇ
ମୋତେ ଝିଙ୍ଗାସ ବଚନ କହିଲୁ କିପାଇଁ
ପ୍ରାଣୀ ଉପରେ ପ୍ରକୃତି ଅଟେ ବଳିୟାର
ଏ ପ୍ରକୃତି କରୁଅଛି ସବୁ ଅନାଚାର
ପାପ ପୁଣ୍ୟ ଭୋଗେ ପ୍ରାଣୀ ପ୍ରକୃତିର ବଳେ
ପ୍ରକୃତିକି ବଳି ଆଉ ନାହିଁ ଏ ଶୟଳେ
ଏ ମୋର ପ୍ରକୃତି ଯହୁଁ ବଳାଇଲା ମୋତେ
ତେଣୁ ଦୂଷିତା ହୋଇଲି ସିନା ଏ ଜଗତେ
ପ୍ରକୃତି କଲା ମୋହର ପୁତ୍ରଠାରେ ଆଶ
ମୁଁ ଅବା ନ ଜାଣିଲି ମୋ ଯୋନିର କିଦୋଷ
ତୁ ଯେ ଜ୍ଞାନବନ୍ତ ହୋଇ ପାପ ନ ଜାଣିଲୁ
ଯହୁଁ ଜାତହୋଇ ସେହି ଯୋନିକି ନିନ୍ଦିଲୁ
ଯହିଁରୁ ଜାତ ହୁଅନ୍ତି ପ୍ରାଣୀ ଚରାଚର
ତାକୁ ନିନ୍ଦୁ ତହୁଁ ଜାତ ହୁଅ ଲକ୍ଷେବାର
ରଜବୀର୍ଯ୍ୟ କୁମ୍ଭୀପାକେ ଦଶମାସ ରହି
ଜନମ ହୁଅ ମାନବ ଦେହ ତୁହି ବହି
ଶୁଣ ହୋ କଶ୍ୟପ ତୁମ୍ଭେ ପଚାରିଲ ଯାହା
ସଂକ୍ଷେପି କହିଲୁଁ ଆମ୍ଭେ ତୁମ୍ଭ ଆଗେ ତାହା
ସେ ଅନାଦି ଅପର୍ଣ୍ଣାର ପୂର୍ବ ଶାପ ଯୋଗେ
ଶ୍ରୀ ବିଷ୍ଣୁନାଥ ଜନମ ହେବେ ଯୋନିମାର୍ଗେ
ଏଥକୁ ଭ୍ରାନ୍ତି ତୁ ମନେ ନ କର ହୋ ମୁନି
କାରଣ ହେବ ମାନବ ଜନ୍ମ ତୁମ୍ଭେ ଘେନି
ଆମ୍ଭ ଅଭିଶାପ ତୋତେ ହୋଇବ କାରଣ
ତୁମ୍ଭ ଯୋଗୁଁ ପୃଥ୍ୱୀଭାର ହେବ ନିବାରଣ
ଏମନ୍ତ କହିଣ ଦେବୀ ମହାଯୋଗବଳେ
ସାମଧିରେ ନିଦ୍ରାଗଲେ ବାଞ୍ଛାବଟ ତଳେ
ଶାପପାଇ କଶ୍ୟପ ଯେ ବାହୁଡ଼ି ଅଇଲେ
ଇନ୍ଦ୍ର ଦେବତାଙ୍କ ଆଗେ ବିଧାତା କହିଲେ
ଶୁଣ ସୁଜ୍ଞଜନେ ଏହି ସୁଧାରସ ବାଣୀ
ଅନେକ ଜନ୍ମର ପାପ କ୍ଷୟ ଯିବ ଶୁଣି
ଏ ସୁଧର୍ମା ସଭାପର୍ବ ଦିବ୍ୟ ରସମୟେ
ଯାହାର ଶ୍ରବଣ ମାତ୍ରେ ପାପ କ୍ଷୟ ହୁଏ
ଗୋହତ୍ୟା ଯେ ବ୍ରହ୍ମହତ୍ୟା ସବୁ ହୁଏ ଧ୍ୱଂସ
ଶ୍ରୀକୃଷ୍ଣ ନାମାମୃତଟି ଯହିଁରେ ପ୍ରକାଶ
ମାତୃହରଣର ଦୋଷ ଯାଏ ଏହା ଶୁଣି
ଶ୍ରୀକୃଷ୍ଣ ଚରିତଗାଥା ପୁଣ୍ୟମୟ ବାଣୀ
ଏ ପୁଣ୍ୟପୁରାଣ ବେଦ ବେଦାନ୍ତର ଶାଖା
ମୁକତି ମାର୍ଗ ପାଇବ ଶୁଣି ଜନେ ଏକା
ପଢ଼ନ୍ତେ ଶୁଣନ୍ତେ ଜନେ ପାଇ ମହାପୁଣ୍ୟ
ଭୁଞ୍ଜିବ ବିପୁଳ ଭୋଗ ପାଇ ସ୍ୱର୍ଗେ ସ୍ଥାନ
ଅପୁତ୍ରକ ଜନ ପୁତ୍ର ପାଏ ଏହା ଶୁଣି
ଧନ ସମ୍ପଦ ଅର୍ଜିବ ଦୁଃଖ ଯିବ ଜିଣି
ଯେବଣ ପ୍ରାଣୀ ମନରେ ବାଞ୍ଛିବ ଯେ ବିଧି
ଏହି ପୁରାଣ ଶୁଣନ୍ତେ ହେବ କାର୍ଯ୍ୟସିଦ୍ଧି
ଜୟ ତୁମ୍ଭେ ଜଗନ୍ନାଥ କାମୀ କାମଦାନୀ
ଅନାଦି ଅଚଳ ତୁମ୍ଭେ ପରଂତତ୍ତ୍ୱଜ୍ଞାନୀ
ଦେବାଧିଦେବଙ୍କର ତୁ ଅଟୁ ଅଗ୍ରଲେଖା
ଆଦି ଅନ୍ତ ମଧ୍ୟେ ତୋର ନାହିଁ ପୁଣ୍ୟସଖା
କିରୀଟ ମୁକୁଟ ଶିରେ ଶାରଙ୍ଗ ଯେ ଧନୁ
ଅଭେଦ୍ୟ ବଜ୍ରସେହ୍ନା ତୁ ଅକଳିତ ତନୁ
ଶୟଳରେ ଲାଭ ହାନି ବିଧାନ କରତା
ଲକ୍ଷ୍ମୀ ସରସ୍ୱତୀଙ୍କର ସ୍ୱାମୀ ଅଟୁ କର୍ତ୍ତା
ଶଙ୍ଖ ଚକ୍ର ଗଦା ପଦ୍ମେ ଶୋହେ ଚତୁର୍ଭୁଜ
କରୁଣାନିଧି ଦେବାଧିଦେବଙ୍କର ରାଜ
ବ୍ରହ୍ମା ସହିତେ କରନ୍ତି ଦେବେ ଯାକୁ ସ୍ତୁତି
ଅଦେହ ଅଣାକାର ତୁ ଅଗତିର ଗତି
ଖେଳ କଉତୁକେ ଯାର ହୋଇଛି ଜଗତ
ଆଜ୍ଞା ପରମାଣେ ଥାଇ ସକଳ ଜୀବିତ
ଘଟ ଅଘଟ ଅପୂର୍ବ ଚତୁର୍ଦ୍ଧା ମୂରତି
ବିଜେ ଜଗବନ୍ଧୁ ଯହିଁ ମୁକତି ଦିଅନ୍ତି
ଧର୍ମାଧର୍ମ କାମ ମୋକ୍ଷ ଯାକୁ ନୁହେ ସରି
ଶରଣ ରକ୍ଷଣ କଳ୍ପତରୁ ରୂପଧାରୀ
ମହୋଦଧି ତୀର ନୀଳସୁନ୍ଦର କନ୍ଦରେ
ବିଜେ ଜଗବନ୍ଧୁ ଯହିଁ ଚତୁର୍ଦ୍ଧାରୂପରେ
ତୀର୍ଥରାଜ ପକ୍ଷୀରାଜ ବୃକ୍ଷରାଜ ମୂଳେ
ଗିରିରାଜ ଦେବରାଜ ଯାର ପାଦତଳେ
ବାରେ ଦରଶନେ ପୁର ବଇକୁଣ୍ଠ ଲଭି
ପୁନରପି ଜନମ ସେ ନୁହଇ ଏ ଭୁବି
ଅପାରୁ ଅପାର ଯାର ମହିମା ଅନନ୍ତ
ମାନବ ଦେହେ ମୁଁ କିସ କରିବି ତଦନ୍ତ
ଏ ହରିବଂଶ ମୁଁ ବାକ୍ୟଦେହୀ ପରସନ୍ନେ
ସେ ଯାହା କହଇ ତାହା ଲେଖେ ରଖି ମନେ
ମୋତେ ଗୋଚର ନୁହଇ ଏହି ବିଷ୍ଣୁବାଣୀ
ପାଠ ଶାଠ ବେଦ ବିଦ୍ୟା କିଛି ନାହିଁ ଜାଣି
ପଣ୍ଡିତ ଗୋଷ୍ଠୀକୁ ମୁହିଁ ନୁହଇ ତ ସରି
ପାଇଲି ପୂର୍ବର ହେତୁ ଶାରଦା ସୁମରି
ବାଳୁତମତି ମୋହର ନ ଧରିବ ଦୋଷ
ଯେବଣ ଚରିତ ବ୍ରହ୍ମା ଶିବେ ଅଗୋଚର
ସେ ଗ୍ରନ୍ଥ କହିବାମୁଖେ ଭରସା କାହାର
କେବଳ ଶ୍ରୀହରି ନାମ ଉଚ୍ଚାର କରନ୍ତେ
ମୁକତି ବାଟ ପାଇବେ ସୁଜନେ ଯେମନ୍ତେ
ଯତକିଞ୍ଚିତ ବଚନ ଠିକ ଠିକ କରି
ତାହା ମୁଁ ଲେଖିଲି ହରିନାମ ହୃଦେ ଧରି
ଶ୍ରୀଜଗନ୍ନାଥଦେବଙ୍କ ଚରଣେ ମୋ ସେବା
ଦାସ ଅଚ୍ୟୁତ ମାଗଇ ଗତି ମୁକ୍ତି ଦେବା

ମହାଦେବଙ୍କର ଅନାଦିଙ୍କଠାରୁ ଶାପପ୍ରତି ପ୍ରାୟଶ୍ଚିତ୍ତ ଶ୍ରବଣ

[ସମ୍ପାଦନା]

ଶୁକମୁନି ଚରଣରେ କରି ଦିବ୍ୟପୂଜା
ପୁନରପି ପଚାରନ୍ତି ପରୀକ୍ଷିତ ରାଜା
କଶ୍ୟପ ଋଷିକୁ ଦେଲେ ଗୋମାତା ଯେ ଶାପ
ସେହି ମହାଋଷି ପୁଣି କଲେ କିସ ତପ
ସେ କଶ୍ୟପ ମହାମୁନି ନରଦେହ ବହି
ମର୍ତ୍ତ୍ୟ ମଣ୍ଡଳରେ ଜାତ ହେଲେ ଅବା କାହିଁ
ଈଶ୍ୱର ଦେବତା ନିଜ ମାତାକୁ ହରିଲେ
ଧର୍ମ ଅଧର୍ମ ସେ କିଛି ବିଚାର ନ କଲେ
ବିଷମ ସନ୍ଧି ଛଡ଼ାଇ ଦିଅ ମୋର ଶ୍ରଦ୍ଧା
ତବ ମୁଖରୁ ଶୁଣିଲେ ଛାଡ଼ିଯିବ ବାଧା
ତହିଁରେ ପ୍ରସ୍ତାବ ମୋତେ କହ ଜ୍ଞାନମୟ
ଅନେକ ଜନ୍ମ ପାତକ ଯାଉ ମୋର କ୍ଷୟ
ଏମନ୍ତ ବଚନ ତହୁଁ କହିଲେ ନୃପତି
କହନ୍ତି ଯେ ଇଦଂ ପ୍ରତିବାକ୍ୟ ଶୁକଯତି
ଶୁଣ ହେତୁକରି ପଣ୍ଡୁକୁଳ ନରନାହା
କହିବଇଁ ହରିବଂଶ ଶୁଣିଅଛି ଯାହା
ଈଶ୍ୱର ମାତା ହରିଲେ ପୀଡ଼ିବାରୁ କାମ
ତେଣୁ ସେ ସିନା ପାଇଲେ ମହେଶ୍ୱର ନାମ
ମାତାହରଣେ ଯେ ଦୋଷ ହୋଇଲା ପ୍ରସିଦ୍ଧି
ଦିନେ ଦିନେ ଶଙ୍କରଙ୍କୁ ଘୋଟେ ପାପବ୍ୟାଧି
ଏକଦିନେ ସଦାଶିବ ବୃଷଭ ଆରୋହି
ସ୍ୱର୍ଗ ଭୁବେନ ପ୍ରବେଶ ହୋଇଲେକ ଯାଇ
ସକଳ ଦେବତା ବସି ଅଛନ୍ତି ଆସ୍ଥାନେ
ତହିଁ ପ୍ରବେଶ ହୋଇଲେ ଯାଇ ପଞ୍ଚାନନେ
ସଭା ମଧ୍ୟରେ ବିଜୟ ଦେବ କାଶୀବସୀ
ବସାଇ ନ ଦେଲେ ତାଙ୍କୁ ଦେବତାଏ ମିଶି
ହେଠ ବଦନେ ସଭାରେ ବସିଲେ କପାଳୀ
ଈଶ୍ୱରଙ୍କ ମୁଖ କେହି ନ ଚାହିଁଲେ ତୋଳି
ଚକ୍ଷୁ ବୁଜିଣ ସମସ୍ତେ ପୋତିଲେକ ମଥା
ଦେଖି ତ୍ରିଅମ୍ବକ ପାଇ ମନେ ମହାବ୍ୟଥା
ସଭାର ମଧ୍ୟରେ ଉଭା ତ୍ରିଦଶର ସାଇଁ
ଦେବଗଣ ବସିଛନ୍ତି ହେଠ ମୁଖ ହୋଇ
ନବଘଡ଼ି ପରିଯନ୍ତେ ଶିବ ଉଭାହେଲେ
ବସବୋଲି ଦେବତାଏ ଜଣେ ନ ବୋଇଲେ
ଆବର ବିଶେଷେ କେହି ନ ଚାହାନ୍ତି ମୁଖ
ଏହା ଦେଖି ଶୂଳପାଣି ପାଇ ମନେ ଦୁଃଖ
ଆପଣାର ଅନ୍ତର୍ଗତେ ବିଚାରିଲେ ବସି
ଦେବତାମାନେ ମୋତେ ନ କହିବେ ଆଶ୍ୱାସି
ତେଣୁ ଜାଣିଲେ ମୁହିଁତ ଅଟେ ବଡ଼ଦୋଷୀ
ଏରୂପେ ଭାଳନ୍ତି ମନେ ମନେ କାଶୀବାସୀ
ଆବର ବିଶେଷେ ମୁଁ ଯେ ବ୍ରହ୍ମାକୁ ମାଇଲି
ବ୍ରହ୍ମହତ୍ୟା କରି ପୁଣି ମାତାକୁ ହରିଲି
ଦକ୍ଷ ପ୍ରଜାପତି ଅଟେ ବ୍ରହ୍ମାର କୁମର
ପାର୍ବତୀର ପିଅର ସେ ମୋହର ଶ୍ୱଶୁର
ମହାଯାଗ କରି ମୋତେ ପାଇଲା ବିଖଣ୍ଡ
ଚାପୋଡ଼େ ମାରି ମୁଁ ତାର ଛିଣ୍ଡାଇଲି ମୁଣ୍ଡ
ଏତେକ ପାପ ମୁଁ ପୁଣି କରିଅଛି ପୂର୍ବେ
କେମନ୍ତେ ଦେବତା ମୋତେ ପାଶେ ବସାଇବେ
ଆବର ବିଶେଷେ ମୁହିଁ ଅଟଇ ଉଲଗ୍ନ
ଏଥେ ଦେବେ କିପାଁ ଉଣା ନ ଧରିବେ ମନ
ବିଦ୍ୟାଧରୀ ଗନ୍ଧର୍ବୀ ଯେ ଅପସରୀବୃନ୍ଦ
ଶଚୀ ସହିତରେ ଘେନି ସଭା କରେ ଇନ୍ଦ୍ର
ସ୍ତିରୀଙ୍କୁ ଘେନି ଆସ୍ଥାନେ ବସଇ ମଘବା
ଏ ପାପୀକୁ ବସ ବୋଲି କାହିୁଁ ବୋଲିବେ ବା
ବିଚାରିଲେ ଦେବତାଏ ନୁହନ୍ତି ତ ଦୋଷୀ
ଏସନକ ମନେ ମନେ ଭାଳି କାଶୀବାସୀ
ବିଡ଼ମ୍ବନ ହୋଇଲା ଏ ବଡ଼ ଲାଜ କଥା
ଏତେ ବିଚାରି ପାଇଲେ ମନେ ବଡ଼ବ୍ୟଥା
କେମନ୍ତେ ଏ ଦୋଷମାନ ମୋର ଯିବ କ୍ଷୟେ
ଅନ୍ତର୍ଗତେ ଭାଳନ୍ତି ଯେ ଏହା ଦେବରାୟେ
ଏତେକ ବିଚାରି ଶିବ ଧାତିକାରେ ଗଲେ
ଅଲେଖ ଭୁବନେ ଯାଇ ଅନାଦି ଭେଟିଲେ
ମହାଶୂନ୍ୟ ଆସନରେ ଛନ୍ତି ବିଜେକରି
ଏମନ୍ତ ସମୟେ ଭେଟ ହେଲେ ତ୍ରିପୁରାରି
ଅନ୍ତରୀକ୍ଷରେ ଡମ୍ବରୁ ବାଜେ କୋଟି କୋଟି
ବାମ ଡାହାଣେ ଅଛନ୍ତି ନନ୍ଦୀ ଯେ ଭ୍ରୁକୁଟି
କଟିତଟେ ଚିରକୁଟି ଲେଙ୍ଗୁଟି କାଛଟା
ଦିଗମ୍ବର ବେଶ ଶିରେ ଜଟା ପାଞ୍ଚଗୋଟା
ମନେ ବିଚାରନ୍ତି ସ୍ୱାମୀ ଆଗରେ କହିବି
ପାପପଥେ ପ୍ରାୟଶ୍ଚିତ୍ତ କରିଣ ତରିବି
ଜ୍ଞାନ ଅଜ୍ଞାନରେ ପାପ କରନ୍ତି ବା ଯେହୁଁ
ପ୍ରାୟଶ୍ଚିତ୍ତ କଲେ ପୁଣ ଦୋଷ ଯାଏ ତହୁଁ
ଏ ଯେ ଜଗତେ ଅଟନ୍ତି ପୂର୍ଣ୍ଣବ୍ରହ୍ମମୟ
ଜାଣନ୍ତି ଯେମନ୍ତେ ଶାପମାନ ଯିବ କ୍ଷୟ
ଏମନ୍ତ ବିଚାର କରି ଦେବ ପଶୁପତି
ଅନାଦି ସନ୍ନିଧେ ଯାଇ ମିଳିଲେ ତଡ଼ତି
ଗୁରୁଙ୍କୁ ଯେ ନମସ୍କାର କରିଲେ ତୁରିତେ
ଅନାଦି ବୋଲନ୍ତି ଆସିଅଛୁ କି ନିମନ୍ତେ
ମନେ ତୋର ମହାଚିନ୍ତା ପାଉଅଛୁ ଖେଦ
ଏଥିର କଥା ତୁ ମୋତେ କହି କର ମୋଦ
ଅନାଦି ମୁଖରୁ ଶିବ ଏ ବଚନ ଶୁଣି
ବିନୟ ଭାବେ କହନ୍ତି ପୁଣି ଶୂଳପାଣି
ଜଗତ ଈଶ୍ୱର ସ୍ୱାମୀ ନ ଜାଣ କି ତାହା
ମହାପାପ ଅରଜିଲି ହୋଇବ କେ ସାହା
ମାତୃହରଣ ଦୋଷ ମୋ ଯିବ କେହ୍ନେ କ୍ଷୟ
କରସି କାରଣ ମୋତେ କହିଣ ଉପାୟ
କେମନ୍ତ ପ୍ରକାରେ ସ୍ୱାମୀ ଖଣ୍ଡିବି ଏ ଦୋଷ
କହିଲେ ମୁଁ ପ୍ରାୟଶ୍ଚିତ କରିବି ଅବଶ୍ୟ
ଜଗତଧାରଣ ତୋତେ ଶୟଳର ଚିନ୍ତା
ଦେବ ଦାନବ ମାନବ ସବୁରି ତୁ ପିତା
ଏଥିର କାରଣ ମୋତେ କହ ବିଶ୍ୱବାସ
ସଞ୍ଚିତ ପାତକ ଯିବ କେମନ୍ତ ମୋ ନାଶ
ଈଶ୍ୱର କହିଲେ ଯହୁଁ ଏସନ ଉତ୍ତର
ପ୍ରତିବାକ୍ୟ ଦିଅନ୍ତି ଯେ ପ୍ରଭୁ ନିରାକାର
ଶୁଣ ଈଶ୍ୱର କହିବା ତୋତେ ସଦଭାବ
ସଂସାରେ ଜନ୍ମ ହୋଇଲେ ଅଛି ହାନିଲାଭ
ପାପ ପୁଣ୍ୟରେ ଜଡ଼ିତ ସର୍ବଦା ଏ କାୟା
ସର୍ବଦା ଘୋଟି ଅଛଇ ସଂସାରକୁ ମାୟା
ଅର୍ଥ ଯହିଁ ଅଛି ତହିଁ ଅନର୍ଥହିଁ ଅଛି
ଲାଭ ହୋଇଲେ ଅବଶ୍ୟ ହାନି ହୋଇ କିଛି
ଯହିଁ ଗୁଣ ଅବଶ୍ୟ ତ ଦୋଷ ତହିଁ ଥାଇ
ଦୁଃଖ ପାଉଥିଲେ ପୁଣି ସୁଖ ସେହି ପାଇ
ଏଥକୁ କିପାଇଁ ଚିନ୍ତା କରୁଛ ହୋ ଶିବ
ପାପକୁ ଯେ ପ୍ରାୟଶ୍ଚିତ୍ତ ଅଛି କଲେ ଯିବ
ସାବଧାନେ ଶୁଣ ତୁ ଯେ କହିବା ଉପାୟ
ଯେଡ଼େ ପାପକୁ ଯେତେକ କଲେ ଯିବ କ୍ଷୟ
ଅନାଦି ବୋଇଲେ ଶିବ ବ୍ରହ୍ମହତ୍ୟା କଲେ
ସେ ପାପ ଛାଡ଼ଇ କୋଟି ଅଶ୍ୱମେଧ କଲେ
ଅନାଦି ବୋଇଲେ ଶିବ ବିଶ୍ୱାସ ଘାତକା
ସେ ପାପକୁ ଅନଳରେ ଜିଭ ପୋଡ଼ିପକା
ଅନାଦି ବୋଇଲେ ଶିବ ସୁନା ଚୋରିକଲେ
ଅନାଦି ବୋଇଲେ ଶିବ ତରୁଚ୍ଛେଦ ପାପ
କ୍ଷୟ ଯିବାପାଇଁ ତରୁ ଶଏ ଏକ ରୋପ
ଅନାଦି ବୋଇଲେ ପର ଭୂମିକି ହରିଲେ
ସେ ପାପ ଛାଡ଼ଇ ଅନ୍ୟ ଭୂମି ଦାନ କଲେ
ଅନାଦି ବୋଇଲେ ଶିବ ଉତ୍କଟ ଯେ ପାପ
ସେହି କ୍ଷୟ ଯାଇ ରାମ ନାମ କଲେ ଜପ
ଅନାଦି ବୋଇଲେ ଶିବ ଗୁରୁ ନିନ୍ଦାକଲେ
ସେ ପାପ ଯାଇ ବିଦେଶେ ତୀର୍ଥ ମାଡ଼ିଗଲେ
ଅନାଦି ବୋଇଲେ ଶିବ ଅପୁତ୍ରକ ଜନ
ଦୋଷମାନ କ୍ଷୟଯାଇ କଲେ ତୀର୍ଥ ସ୍ନାନ
ଅନାଦି ବୋଇଲେ ଶିବ ତୀର୍ଥଭଗ୍ନ କଲେ
ସେ ପାପ ଯାଇ ଈଶ୍ୱର ଶିରେ ଗୋ ଦୁହିଁଲେ
ଅନାଦି ବୋଇଲେ ଶିବ ପୁରାଣ ନିନ୍ଦିଲେ
ସେ ପାପ ଯାଇ ଗୋମୁଖୀ ସୁନା ଦାନ ଦେଲେ
ଅନାଦି ବୋଇଲେ ଶିବ ଜନ୍ମକୁ ନିନ୍ଦିଲେ
ସେ ପାପ କ୍ଷୟ ଯାଇଟି ପ୍ରୟାଗେ ଝାସିଲେ
ଅନାଦି ବୋଇଲେ ଶିବ କଲେ ପରଦାର
ଅଣ୍ଡ କାଟିଲେ ସେ ପାପ କ୍ଷୟ ଯାଇ ତାର
ଅନାଦି ବୋଇଲେ ଶିବ ଜଳ ନିନ୍ଦା କଲେ
ସେ ପାପ କ୍ଷୟ ଯାଇଟି ଜଳ ଦାନ ଦେଲେ
ଅନାଦି ବୋଇଲେ ଶିବ କନ୍ୟାକୁ ନିନ୍ଦିଲେ
ସେ ପାପ କ୍ଷୟ ଯାଇଟି କନ୍ୟାଦାନ ଦେଲେ
ଅନାଦି ବୋଇଲେ ଶିବ ରାଜା ନିନ୍ଦାକଲେ
ସେହି ପାପ କ୍ଷୟ ଯାଇ ଶିର କାଟିଦେଲେ
ଅନାଦି ବୋଇଲେ ଶିବ ଅଭକ୍ଷ ଭକ୍ଷିଲେ
ସେ ପାପ ଯାଇ ଶ୍ରୀବିଷ୍ଣୁ ପାଦୁକା ପିଇଲେ
ଅନାଦି ବୋଇଲେ ଶିବ ଗୁପ୍ତ ପାପକଲେ
ସେ ପାପ ଯାଇ ଅଗ୍ନିରେ ମାଂସ କାଟିଦେଲେ
ଅନାଦି ବୋଇଲେ ଶିବ ସଦନ ନାଶିଲେ
ସେହି ଦୋଷ କ୍ଷୟ ଯାଇ ପିତୃଶ୍ରାଦ୍ଧ କଲେ
ଅନାଦି ବୋଇଲେ ଶିବ ଦରିଦ୍ର ହୋଇଲେ
ସେହି ପାପ କ୍ଷୟ ଯାଇ ବାଲୁକା ପୂଜିଲେ
ଅନାଦି ବୋଇଲେ ରଜୋବତୀକି ଛୁଇଁଲେ
ସେ ପାପ ଯାଇ ଈଶ୍ୱରେ ଲକ୍ଷେ ଚମ୍ପା ଦେଲେ
ଅନାଦି ବୋଇଲେ ମହାବନ୍ଧକୁ କାଟିଲେ
ସେ ଦୋଷ ଯାଇ ତରାଇପଣ ଜଳେ କଲେ
ଅନାଦି ବୋଇଲେ ମିତ୍ର ଦ୍ରୋହକାରୀ ଜନ
ପାପ କ୍ଷୟ ଯାଇ କଲେ ମକର ସ୍ନାହାନ
ଅନାଦି ବୋଇଲେ ଶିବ ମାତାକୁ ହରିଲେ
ସେହି ପାପ ଯାଇ ବ୍ରହ୍ମଜ୍ଞାନକୁ ସାଧିଲେ
ଅନାଦି ବୋଇଲେ ପାପ ଏକ ଏକ କରି
ପାପର ଯେ ପ୍ରାୟଶ୍ଚିତ କହିଲେ ନ ସରି
ଅଜ୍ଞାନେ ଜ୍ଞାନ ନ ଜାଣି ଜାଣି ପାପ କଲେ
ସବୁ କ୍ଷୟ ଯାଇ ହରିବଂଶକୁ ପଢ଼ିଲେ
ଶ୍ରୀ ଭାଗବତହୁଁ ପୁଣ୍ୟ ଗ୍ରନ୍ଥ ନାହିଁ ଆନ
ସବୁ ଧର୍ମର ଉପରେ ମୋକ୍ଷ ସେହି ଜାଣ
ଯେ ଶୁଣଇ ଶୁଣାଇ ସେ ଭାଗ୍ୟବନ୍ତ ଜନ
ବିଷ୍ଣୁର ଚରିତ ଗଙ୍ଗାଜଳର ସମାନ
ସାବଧାନେ ଶୁଣିଲୁ ତ ତୁ ହୋ ତ୍ରିଲୋଚନ
ପାପକୁ ହେ ପ୍ରାୟଶ୍ଚିତ୍ତ ଯେବଣ ବିଧାନ
ପୁଣ୍ୟକଥା ଆଚରଣ କର ଯଥାବିଧି
ଆଚାରରୁ ପ୍ରାଣୀଙ୍କର ହୁଏ ସର୍ବସିଦ୍ଧି
ତୁହି ଯେଣୁ ମହାପାପୀ ହୋଇଲୁ ଈଶାନ
ସେ ତୋହର କ୍ଷୟ ଯିବ ହେଲେ ସାବଧାନ
ବ୍ରହ୍ମଜ୍ଞାନଗୋଟା ଯେବେ ନ ପାରିବୁ ସାଧି
ଆବର ବଚନ ତୋତେ କହିବା ଯେ ବିଧି
ହରିବଂଶ ପୋଥି ଶୁଣିପାରୁ ଯେବେ ଶିବ
ସକଳ ପାପ ତୋହର ନିଶ୍ଚେ ନାଶଯିବ
ଈଶ୍ୱର ବୋଇଲେ ହରିବଂଶ ହିଁ ଶୁଣିବା
ପାପଧ୍ୱଂସ ପାଇଁ ବ୍ରହ୍ମଜ୍ଞାନ ହିଁ ସାଧିବା
ଅନାଦିଠାରୁ ଏ ଜ୍ଞାନ ପାଇ ଶୂଳପାଣି
ସଂକଳ୍ପ କରି ଶୁଣିଲେ ହରିବଂଶ ବାଣୀ
ବିଶେଷେ ପୁଣି ସାଧିଲେ ବସି ବ୍ରହ୍ମଜ୍ଞାନ
ଖଣ୍ଡିଲେ ମାତୃହରଣ ଆଦି ପାପମାନ
ଅଚ୍ୟୁତାନନ୍ଦକୁ ରକ୍ଷାକର ତ୍ରିଲୋଚନ
ତବ ଶ୍ରୀଚରଣେ ସଦା ରହୁ ମୋର ମନ
ଏମନ୍ତ ବଚନ ଶୁଣି ଅରଜୁନ ନାତି
ଶୁକମୁନି ମୁଖ ଚାହିଁ ପୁଣି ପଚାରନ୍ତି
ଭୋ ମୁନି କହିବା ମୋତେ ହରିବଂଶ ବାଣୀ
ଅନେକ ଜନ୍ମର ପାପ ଧ୍ୱଂସିବି ତା ଶୁଣି
ବ୍ରହ୍ମଜ୍ଞାନ ବୋଲି ପୁଣି କେସନକ ବିଧି
ସେ କଥା ସଂକ୍ଷେପି ମୋତେ କହ ତପୋନିଧି
ଯେବଣ ବ୍ରହ୍ମଜ୍ଞାନହିଁ ଦେବଙ୍କୁ ଦୁର୍ଲ୍ଲଭ
ଏହାଠାରୁ ବଡ଼ ଆଉ ଅଛି କି ସୁଲଭ
ବ୍ରହ୍ମଜ୍ଞାନ ବୋଲି ଯେହୁ ଉଚ୍ଚାରଇ ମୁଖେ
ଛେଦଇ କର୍ମବନ୍ଧନ ବସେ ବ୍ରହ୍ମଲୋକେ
ସିଦ୍ଧ ତନୁ ଶୁଦ୍ଧତନୁ ଅନ୍ତେ ମୋକ୍ଷ ପାଇ
ଏ କଥା କେମନ୍ତେ ଅବା ନ ଶୁଣିବି ମୁହିଁ
ଶୁଣିବି ବିଷ୍ଣୁ ପୁରାଣ ଆଦି ବ୍ରହ୍ମଜ୍ଞାନ
ଆବର କି ଏ ଶରୀରେ ଥିବ ପାପମାନ
ଅମୃତ ଘଟେ ଯେସନେ ଶର୍କରା ମିଶାଇ
କ୍ଷୁଧାବଳରେ ଯଦ୍ୟପି ଭକ୍ଷିଲା ତା ନେଇ
ତହିଁରେ ଅବା ସୁଆଦ ଯେତେକ ମଣିଲେ
ତେସନ ସଂଜାତ ହରିବଂଶକୁ ଶୁଣିଲେ
ଏତେକ ବୋଲିଣ ରାଜା ପ୍ରତିପାତ କଲେ
ଭୋ ମୁନି ଏକଥା ମୋତେ କହିବୁ ବୋଇଲେ
ଶୁକ ମୁନି ବୋଲନ୍ତି ହୋ ଶୁଣ ନରନାହା
ଆମ୍ଭଙ୍କୁ ତ କଥାମାନ ପଚାରିଲୁ ଯାହା
ଦେବତାଙ୍କୁ ଅଗୋଚର ଯେଉଁ ବ୍ରହ୍ମଜ୍ଞାନ
ଅତ୍ୟନ୍ତ ଦୁର୍ଲ୍ଲଭ ଏହା ନ ଜାଣନ୍ତି ଆନ
ଚଉଦ ଜଣ ଜାଣନ୍ତି ଜାଣ ତିନିପୁରେ
ଆବର କେ ନ ଜାଣନ୍ତି ବ୍ରହ୍ମାଣ୍ଡ ଭିତରେ
ତହିଁ ସନକ ବଶିଷ୍ଠ ମୁନି ବିଶ୍ୱାମିତ୍ର
ଅଙ୍ଗିରା ମୁନି ଜନକ ରାଜା ତପୋବନ୍ତ
ଅନନ୍ତ ନାଗରାଜନ ଜାଣଇ ପାତାଳେ
ଏଣୁ ଏ ଶୟଳ ବହିଛନ୍ତି ଅବହେଳେ
ମଚ୍ଛ ଇନ୍ଦ୍ର ଗୋରେଖ ଏ ଆଦି ତିନିଜଣ
ଏ ତିନି ଜାଣନ୍ତି ମଞ୍ଚଭୁବନରେ ଜାଣ
ବ୍ରହ୍ମା ବିଷ୍ଣୁ ମହେଶ୍ୱର ଗୋମାତାଏ ଚାରି
ଜାଣନ୍ତି ଏକା ସ୍ୱର୍ଗ ଏ ବଇକୁଣ୍ଠପୁରୀ
ବାରମାତ୍ରା ପଞ୍ଚାଶତ ଅକ୍ଷର ବାହାରେ
ଅଲେଖ ଅବ୍ୟାହୁତି ଯେ ଅଛଇ ତହିଁରେ
ଯାହା ଜାଣିଲେ ଜନମ ମରଣ ହିଁ ନାହିଁ
ଅଧରେ ସେ ନ ପଶଇ କହିବା ତା କାହିଁ
ଚୌରାଶୀଖଣ୍ଡ ଅଷ୍ଟାଙ୍ଗଯୋଗେ ଯଥାବିଧି
ଏହା ସାଧି ପ୍ରାଣୀମାନେ ହେଉଛନ୍ତି ସିଦ୍ଧି
ନବନାଟକ ଯେ ବିଦ୍ୟା ଅଛି ଏହା ତଳେ
ସଂସାରରୁ ତରିଯିବ ଏହି ବିଦ୍ୟାବଳେ
ଶୁକ ବୋଲନ୍ତି ରାଜନ ବ୍ରହ୍ମଜ୍ଞାନ ବିଧି
ସାଧନେ ନୁହଇ ସେହୁ ଅସାଧନେ ସିଦ୍ଧି
ଏକ ଏକ କରି ତୋତେ କହିବାକ ହୋ ଶୁଣ
ଶ୍ରୀଗୁରୁଙ୍କ ଉପଦେଶ ବିଦ୍ୟାର ଯେ ଗୁଣ
ମାତାର ଗର୍ଭେ ଛପନ ସହସ୍ର ବରଷ
ରହି ଯାହା ଯାହା ଆମ୍ଭେ କରିଛୁ ଅଭ୍ୟାସ
ସେ କଥା କହିବା ତୋତେ ସଂକ୍ଷେପି ବିଶେଷି
ଅଜ୍ରାମର ହେବୁ ଯେଣେ ଅପମୃତ୍ୟୁ ଧ୍ୱଂସି
ମୂଳ କମଳଦଳକୁ ଚାପିବ ଚରଣେ
ସୁଷୁମୁନାକୁ ରୁନ୍ଧିବ ରୁଧିର ପ୍ରୟାଣେ
ତ୍ରିବେଣୀ ତ୍ରିକୁଟ ଘାଟ କାଉଁରୀ ମଣ୍ଡଳେ
ଅଷ୍ଟଗିରି ମଧ୍ୟେ ପଶି ଜାଳିବ ଅନଳେ
ଇଅଁଳା ପିଅଁଳା ରୁନ୍ଧି ନବଦ୍ୱାର ବାଟେ
ଭେଦି ପ୍ରଖର ମରୁତ ଟେକି ପୁଣ୍ୟ ଘାଟେ
ଗଗନ ଗମ୍ଭୀର ସରେ ଶଙ୍ଖନାଳ ଖୋଳି
ନ ରହିବ ନବଦ୍ୱାର ଅମୃତ ନିକିଳି
ଅମର ସରୋବରରେ ପୂରାଇଣ ପାଣି
ଖେଳିବ ପରମହଂସ ପାଇବ ଊଜାଣି
ଉର୍ଦ୍ଧ୍ୱ ତୀର୍ଯ୍ୟକ ଉରଗେ ପିଇବ ପ୍ରୟାଣେ
ଚିଆଁ ଚୈତନ୍ୟ ଚେତନା ଖୋଜିବ ନୟନେ
ସହସ୍ର କମଳଦଳ ମଧ୍ୟେ ରମ୍ୟଭୂମି
ଯହିଛନ୍ତି ଅଲେଖ ଯେ ନାରାୟଣ ସ୍ୱାମୀ
ଷୋଳ ଡମ୍ବରୁ ମଧ୍ୟରେ ବତିଷ ଦିହୁଡ଼ି
ଷଡ଼ କମଳ ଚାପିବ ମେରୁଦଣ୍ଡ ମାଡ଼ି
ରହିବ ମହାରସ ଯେ ବହିବ ପାଲଟି
ଶୋଷିବ ପାଣିକି ସୁଷୁମୁନା ନାଳ ଭେଟି
ଷଡ଼ଚକ୍ର ଭେଦି ଯିବ ଊର୍ଦ୍ଧ୍ୱକୁ ବଳାଇ
ଦ୍ୱାର ରୁନ୍ଧିବ ସେ ହଂସ ନ ଯିବ ପଳାଇ
ପ୍ରାଣ ପବନ ଭିତରେ ଅପାନ ପବନ
ତ୍ରିବେଣୀ ସଙ୍ଗେ ଏକତ୍ୱ କରିବ ତା ପୁଣ
ଲମ୍ବିତ କଣ୍ଠ ତାଳୁକା କପୋଳ ଏ ତିନି
ଶୋଧିବ ସଂଘରଷଣେ ସନ୍ଧି ଚକ୍ର ଘେନି
ପ୍ରକୃତି ଚିଆଁ ଚେତନା ମନ ଏକ କଲେ
ଅଲେଖ ପୁରୁଷ ରୂପ ଦିଶିବ ଚାହିଁଲେ
ଶବଦ ନାଦ ବିନ୍ଦୁ ଯେ ଅନାହତ ସନ୍ଧି
ପଦ ପଦରେ ମିଶାଇ ଏକାନ୍ତର ବାନ୍ଧି
ଆପଣାର ଅନୁଭବ ଗୁରୁଜନ କଥା
ତନୁ ଶୋଧିବ ବେଦାନ୍ତ ବିଧି ଅଛି ଯଥା
ପୃଥିବୀ ଯେ ଆପ ତେଜ ବାୟବ୍ୟ ଆକାଶ
ପଞ୍ଚଭୂତ ଆତ୍ମା ଘେନି କର ତୁମ୍ଭେ ବାସ
ଚିନ୍ତି ନିରଞ୍ଜନ ରୂପ ପରମ ସହିତେ
କୀଟୁଁ ବ୍ରହ୍ମ ପରିଯନ୍ତେ ଜାତ ପ୍ରାଣୀ ଯେତେ
ସବୁ ଦେଖିବ ସମାନ କରି ସବୁ ଆଣି
ଶ୍ରୀହଟ୍ଟପୁର ପାଟଣା ଯିବ ତହୁଁ ଜିଣି
ଶ୍ରୀହଟ୍ଟ ଫିଟାଇ ଯାଇଁ ଲାଗିବ ଗଗନ
ତେବେ ସେ ଶାନ୍ତ ହୋଇବ ଜାଣ ପଞ୍ଚମନ
କାଳବେଳ ଜାଣିକରି କରିବ ଆହାର
ରହିବ ଯେ ମହାରସ ଅମୀୟ ଅପାର
ଚଳିବ ବ୍ରହ୍ମରନ୍ଧ୍ରକୁ ବାନ୍ଧି ମହାବନ୍ଧ
ନ ଚଳିବ ବିନ୍ଦୁ ତେବେ ନ ଟଳିବ ବନ୍ଧ
ପଛିଆଣି ପବନ ଯେ ବହିବ ଉଜାଣି
ସହଜରେ ବୁହାଇବ ଶୂନ୍ୟ ନଦୀପାଣି
ଶିବଲିଙ୍ଗ ଶକ୍ତି ସମ କରି ଏକବାଗେ
ମନକୁ ଥୋଇବ ନେଇ ପବନର ଲାଗେ
ବନ୍ଧ ଭେଦିଣ ମୁଦ୍ରାର ହେବ ଯେବେ ଦେଖା
ବ୍ରହ୍ମଲୋକକୁ ଜିଣିଲେ ଲାଗେ ଅଗ୍ନିଶିଖା
କାଳ କମଳ ନିଦ୍ରାକୁ ପାରେ ଯେବେ ଦହି
ତେବେ ସିନା ଯୁଗେ ଯୁଗେ ଅମର ଏ ଦେହୀ
କାୟା ମହାବିନ୍ଧ୍ୟଗିରି ବନସ୍ତ ପାଟଣା
ଅଗମ୍ୟ ଭୂମିରେ ବସି ନ ହୋଇବ ବଣା
ଶୁଣ ପରୀକ୍ଷିତ ଯୋଗ ଏସନକ ବିଧି
ଏହାକୁ ସାଧି ପାରିଲେ ଜନ୍ମ ମୃତ୍ୟୁ ଛେଦି
ସେ କଥା ମଣାଇ ତୋତେ କହିଲି ସ୍ୱରୂପ
ଛେଦ ତୁ ହୋ ମହାଭାଗ କୋଟିଜନ୍ମ ପାପ
କହିଲୁ ତୋତେ ବୁଝାଇ ସଦଗୁରୁ ବାଣୀ
ଏମାନ ସବୁ ସାଧନ ଯୋଗ ସଙ୍ଗେ ଗଣି
ଜନମ ମରଣ ବାଧା ନ ଲାଗଇ କେହି
ଅକ୍ଷୟ ଅଜରାମର ହେବ ନିଜ ଦେହି
ଶରୀରର ସାଧନା ଯେ ପୁଣ୍ୟର ଏ ମାର୍ଗ
ଅଷ୍ଟାଙ୍ଗ ଯୋଗ କହିବା ଏବେ ତୋର ଆଗ
ଜଗନ୍ନାଥ ନାମ ଏକା ତାର ପ୍ରତିକାର
ଧ୍ୟାନ ଧାରଣା ଯେ ଯୋଗ ସମାଧି ବିଚାର
ଏ ଯେ ଅଷ୍ଟାଙ୍ଗ ସାଧକ ଯୋଗ ଶୁଦ୍ଧ ସ୍ତୁତି
ଚଉରାଶୀ ଖଣ୍ଡ ଜ୍ଞାନ ଭିନ୍ନ ଭିନ୍ନ ପ୍ରତି
ଅମର ଘଟ ପରତେ ନିସ୍ୱତି ଯେ କଳା
ସହଜ ସୁମନା ଶୁଦ୍ଧ ଅଷ୍ଟ ଏ ଯେ ମେଳା
ଶୂନ୍ୟର ଭିତରେ ମହାଶୂନ୍ୟ ଅଛି ପଶି
ମହାଶୂନ୍ୟର ଭିତରେ ନିରାମୟ ମିଶି
ପରମ ଶୂନ୍ୟ ସେ ନିରାମୟ ମଧ୍ୟେ ସ୍ଥିତି
ପରମ ଶୂନ୍ୟ ଭିତରେ ଅଛି ମହାଜ୍ୟୋତି
ସମାଧି ଆତ୍ମାର ଭେଟ ଏହି ସାତ ଜାତି
ଏ ସେ ବ୍ରହ୍ମଜ୍ଞାନ ଶୁଣ ପରୀକ୍ଷ ନୃପତି
ଅକାର ଉକାର ଆଦି ମକାର ଯେ ଏହି
ଓଁକାରକୁ ସଙ୍ଗେ ଘେନି ରହିଛି ସେ ଦେହୀ
ମନ ପବନ ବିନ୍ଦୁ ଏ ଦେହକୁ ଧାରଣ
ଏହାଙ୍କ ଉପରେ ଆତ୍ମା ଅଟଇ କାରଣ
ଆତ୍ମା ଏ ଜଗତଯାକେ ହୋଇଅଛି ଏକା
ଆତ୍ମା ଅଟେ ସବୁଙ୍କରି ଜାଣ ତତ୍ତ୍ୱ ଶାଖା
ଆତ୍ମା ଅଭାବେ ଏମାନେ ନୁହନ୍ତି ତ କେହି
ଆତ୍ମା ପରଚେ ହୋଇଲେ ବ୍ରହ୍ମଜ୍ଞାନ ପାଇ
ଆତ୍ମାର ସଙ୍ଗତେ ଯେବେ ହୋଇପାରେ ଗୋଷ୍ଠୀ
ବଞ୍ଚିବ ନା ଦିନକାଳ ସଞ୍ଛି ନବସୃଷ୍ଟି
ଶୁଣ ତୁ ହୋ ପରୀକ୍ଷିତ ବ୍ରହ୍ମଜ୍ଞାନ ବାଣୀ
ଅକଥନ ଭୂମି ଜ୍ଞାନ ଦେଖାଇଲୁ ଆଣି
ସିଦ୍ଧ ସାଧକର କଥା କହିଲୁ ସୁଲଭ
ଜ୍ଞାନ ବନ୍ଦିବାର କଥା ବହୁତ ଦୁର୍ଲ୍ଲଭ
ସାଧନ୍ତେ ସକଳ ସିଦ୍ଧ ହୋଇବ ଯେ ଏକା
ଶୁଣିମା ମାତ୍ରେକ ତୋର ଶାପ ଛେଦିପକା
ଶ୍ରୀଗୁରୁ ବଚନ ଏ ଯେ ଅସମ୍ଭବ କଥା
ଅଧର ଚାଳି ଉଚ୍ଚାରି ନୁହଇ ସର୍ବଥା
ମନକୁ ତ ଅଗୋଚର ବଚନରେ ନାହିଁ
ମନ ହୋଇଲେ ସେ ପୁଣ ବ୍ରହ୍ମଜ୍ଞାନ ପାଇ
ସାବଧାନେ ଶୁଣିଲ ତ ଅଭିମନ୍ୟୁ ଶିଷ୍ୟ
ପୂର୍ବ ଅନୁଭବ ବିଧି ବହୁତର ଦୃଶ୍ୟ
ଶୁଣିବା ସୁଲଭ ସିନା ବନ୍ଦିବା ଦୁର୍ଲ୍ଲଭ
ଜୟ ତୁମ୍ଭେ ନିରଞ୍ଜନ ଜୟ ପଦ୍ମନାଭ
ତୁମ୍ଭେ ଅତି ତେଜୋବନ୍ତ ଅନଳହୁଁ ସ୍ୱାମୀ
ତିମିର ବିଦାରଣ ତୁ ଶୂନ୍ୟପଥଗାମୀ
ମଣ୍ଡନ ସର୍ବଦା ତୋର ଏକଚକ୍ର ରଥ
ଚଉଦ ଭୁବନ କୋଟି ଗଣଙ୍କର ନାଥ
ଚଣ୍ଡ ପ୍ରଚଣ୍ଡ ଅଗଣ୍ଡ ଗହଳ ଚଞ୍ଚଳ
ଜଟିଳ ଉଚ୍ଚୈଃଶ୍ରବା ଯେ ନୀଳ ମହାନୀଳ
ଏମନ୍ତ ସପତ ଅଶ୍ୱ ଅଟନ୍ତି ତ ଯୋଧୀ
ବିନତା ସୁତ ଅରୁଣ ସାରଥୀ ପ୍ରସିଦ୍ଧି
ପୂର୍ବରେ ହେଉ ଉଦେ ତୁ ପଶ୍ଚିମରେ ଅସ୍ତ
ସକଳ ଦେବ ଉପରେ ଅଟୁ ଅଧିନାଥ
କୋଟିଏ କିରଣ ଘେନି ହେଲୁ ତୁ ଉଦୟେ
ତ୍ରଇଲୋକ୍ୟ ସରୋବରେ ଜଳ ଗଲା କ୍ଷୟେ
ସପତ ସମୁଦ୍ର ଜଳ ଯିବାରୁ ଯେ ଜଳି
କାନନ ପର୍ବତ ଭୂମି ସବୁ ଜ୍ୱାଳାବଳି
ଶୂନ୍ୟଲୋକମାନେ କଲେ ଗୁହାରି ଯେ ଆସି
ଭୋ ଦେବ ତୋହର ତେଜ ପକାଇବ ନାଶି
ବିଚାରି ତୁ ଅନୁଗ୍ରହ କର ଦେବ ସ୍ୱାମୀ
ଜୟ ତୁମ୍ଭେ ଜଗତର ଅନ୍ତର୍ଭୂତଗାମୀ
ତୁମ୍ଭେ ଯେ ଶାନ୍ତ ନ ହେଲେ ସରିଲା ସଂସାର
ଜଳ ସ୍ଥଳ ଆଦି ଜନଜନ୍ତୁ ଚରାଚର
ଦେବଙ୍କ ଗୁହାରି ଶୁଣି ବସିଲାକ ଦୟା
କୁନ୍ଦେ ବସି ତୁ ଛେଦନ କଲୁ ତୋର କାୟା
ସଜଳ କରିଣ ତେଜି ହୋଇଲୁ ନିଶାଖା
ଷୋଳକଳା କିରଣ ତୁ ମାତ୍ର ଥୋଇ ଏକା
ସେ ଘେନି ଏ ଷଡ଼ଋତୁ ହୁଏ ଆତଯାତ
ତେଣୁ ରକ୍ଷା ହୋଇଛି ଏ ଜାଣ ତ୍ରିଜଗତ
ବରଷା ଗ୍ରୀଷମ ଶୀତ ଆଦି ଷଡ଼ଋତୁ
ସବୁପ୍ରାଣୀଙ୍କର ସିନା ଜ୍ଞାନତତ୍ତ୍ୱ ହେତୁ
କାଳବେଳ ସଂଯୋଗ ତୁ ଦେବ ପ୍ରତି ଲେଖୁ
ସବୁ ପ୍ରାଣୀଙ୍କର ସ୍ୱାମୀ ଜୀବଦାନ ଚକ୍ଷୁ
ଜ୍ୟୋତି ଜ୍ୱାଳାବଳି ତୋର କିରଣ ପ୍ରଚଣ୍ଡ
ତେଜ ତୋହର ପ୍ରଖର ନାମ ମାରଦଣ୍ଡ
ସକଳ ପାଳନେ ସ୍ୱାମୀ ଶରୀରେ ତୋ ଶୋଭା
ଅନଳ ଜ୍ୱାଳା ବିଷମ ଜ୍ୟୋତି ଦିବ୍ୟପ୍ରଭା
ତୁହି ସକଳ ପ୍ରାଣୀଙ୍କି ଦେଉ ଜୀବଦାନ
ଜଗତ କରତା ନାଥ ତୁହି ଭଗବାନ
ଭଗତବତ୍ସଳ ନାଥ ବାଞ୍ଛା ଗୁଣନିଧି
ଯାହାର ଯଶ ବାଞ୍ଛନ୍ତେ ହୁଏ ସର୍ବସିଦ୍ଧି
ଭୂତପତି ନାଥ ତୁ ଯେ ସର୍ବ କରିପାରୁ
ଠାକୁର ଶିରୋମଣି ତୁ ବାଞ୍ଛା କଳ୍ପତରୁ
ଅନ୍ଧ ଚକ୍ଷୁପାଏ କୁଷ୍ଠ କୁଜ ଭଲ ହୁଏ
ଅଶେଷ କରୁଣା ନାଥ ବାଞ୍ଛା ପୂର୍ଣ୍ଣମୟେ
ଅପୁତ୍ରକ ପୁତ୍ର ଲଭେ ତୋର ଯଶ ଗାଇ
ଅନାଦି ପୁରୁଷ ତୋର ଜନ୍ମ ମୃତ୍ୟୁ ନାହିଁ
ପୃଥ୍ୱୀ ଆପ ତେଜ ପୁଣ ବାୟବ୍ୟ ଆକାଶ
ଏ ପଞ୍ଛଭୂତ ତୋହର ହୁଅଇ ପ୍ରକାଶ
ଅଷ୍ଟାଙ୍ଗଯୋଗେ ନିର୍ଜିତ ଅଟ ପରମେଷ୍ଠୀ
ଦିବା ଗଗନଗାମୀ ତୁ ପବନ ତୋ ଗୋଷ୍ଠୀ
କରୁଣା କରି ଭୋ ସ୍ୱାମୀ ସଦବୁଦ୍ଧି ଦେବା
ଜନ୍ମେ ଜନ୍ମେ ମୋର ତୋର ପାଦତଳେ ସେବା
ତୁମ୍ଭେ ପ୍ରସନ୍ନ ହୁଅ ହେ ଗଗନର ଲିଙ୍ଗ
ମୁଁ ତୁମ୍ଭର ଦାସ ମୋତେ ଦିଅ ପୁଣ୍ୟସଙ୍ଗ
ତୁମ୍ଭେ ନ ଜାଣ ମୋହର ପୂର୍ବଜନ୍ମ କଥା
ତାହା ଶୁଣିଲେ ମନକୁ ଲାଗେ ବଡ଼ ବ୍ୟଥା
ପାପରୁ ମୁକତ ମୋତେ କର ଦେବ ସ୍ୱାମୀ
ତୋହର ଚରଣେ ମୁଁ ନିରତେ ପ୍ରଣମି
ଶ୍ରୀବିରଞ୍ଚିନାଥଙ୍କର ପାଦପଦ୍ମ ତଳେ
ଅଚ୍ୟୁତ ଦାସର ଚିତ୍ତ ରହୁ ସବୁକାଳେ
ଏଥୁ ଅନ୍ତରେ ଶୁଣିମା ତୁ ହୋ ନୃପମଣି
ଭାଗବତ ପୁରାଣ ପୁଣ୍ୟରସ ବାଣୀ
ବିଷ୍ଣୁର ଚରିତ ମହାବାକ୍ୟ ପୁଣ୍ୟମୟ
ଶୁଣିଲେ ପାପାଧି ମହାପାପ ଯିବ କ୍ଷୟ
ଧର୍ମ ଅର୍ଥ କାମ ମୋକ୍ଷେ ଅଛି ଯାର ଶ୍ରଦ୍ଧା
ରୋଗ ଶୋକ ଭୟ ଆଦି ଖଣ୍ଡେ ସର୍ବ ବାଧା
ଦେବସଭା ପରି ମୁଖେ ସକଳ ଦେବତା
ବ୍ରହ୍ମାଙ୍କ ମୁଖୁଁ ଶୁଣିଲେ ବେନି ରୋମ କଥା
ଇନ୍ଦ୍ର ବରୁଣ ମରୁତ ଯମ ଦିଗପାଳ
ପ୍ରଭୁଙ୍କ କଥା ଶୁଣିଣ ଛାଡ଼ିଲେ ବିକଳ
ଦେବଗଣ ବୋଇଲେ ଯେ ଆମ୍ଭେ ନିସ୍ତରିଲୁ
ଅସୁରଙ୍କ ଭୟରୁ ଯେ ଏବେ ପାରି ହେଲୁ
ସ୍ୱର୍ଗଭୁବନ ଏଥର ପାଇଲା ନିସ୍ତାର
ବସୁମତୀ ଦେବୀର ଯେ ଗଲା ଶୋକଭାର
ଚନ୍ଦ୍ର ସୂର୍ଯ୍ୟ ନିରାପଦେ ଉଇଁବେକ ନଭେ
ତପସ୍ୱୀମାନେ ଯେ ଏବେ ତପ ଆଚରିବେ
ଯେ ଯାହାରେ ମେଘମାନେ ବରଷିବେ ଜଳ
ପୃଥିବୀରେ ଉପୁଜିବେ ନାନା ସ୍ୱାଦୁଫଳ
ଷଡ଼ଋତୁ ହେବ ଏବେ ବେଳକାଳ ଜାଣି
ଯେ ଯାହା ଆଚରୁଥିବେ ପୁଣ ପରିମାଣି
ମାନବ ଆଦିକରି ଯେ ବ୍ରହ୍ମଲୋକ ଯାଏ
ରୋମର ପ୍ରସାଦେ ସର୍ବେ ରହିବେ ନିର୍ଭୟେ
ଇନ୍ଦ୍ର ଦେବତା ବୋଇଲେ ଶୁଣ ପିତାମହ
ଯେମନ୍ତେ ରୋମ ଜନ୍ମିବେ କର ସେ ଉପାୟ
ତୁମ୍ଭେ ସର୍ବବୁଦ୍ଧି ଜାଣ ଆହେ ବେଦବର
ଏ ରୋମ ତହିଁରେ ନେଇ ନିଯୋଜିତ କର
ଯେବେ ଆମ୍ଭ ପୁଣ୍ୟବଳ ହୋଇଲାକ ଆସି
ଅସୁରଙ୍କ ହସ୍ତେ କେତେ ହୋଇବାକ ଧ୍ୱଂସି
ଯେବଣ ଉପାୟେ ବିଷ୍ଣୁ ହୋଇବେ ତ ଜାତ
ଏଥିର ବିଧାନ କର ଜଗତର ତାତ
ବୋଲନ୍ତି ଇନ୍ଦ୍ରର ବୋଲ ଶୁଣି ବେଦବର
ସକଳ ଦେବତା ତୁମ୍ଭେ ଦୁର୍ଗାଙ୍କୁ ସୁମର
ସେ ମହାଭାରା ନାଶିନୀ ସଂସାର ପାଳିନୀ
ଅନାଦି ଅପର୍ଣ୍ଣା ତିନିପୁର ଠାକୁରାଣୀ
ତାଙ୍କ ଯୋଗୁଁ ନାଶଯିବ ନ ରହିବ ଭୟ
ଦୁର୍ଗାଙ୍କୁ ଘେନି କରିବ ସକଳ ଉପାୟ
ରଣେ ବଣେ ଭୟ ନାହିଁ ଦୁର୍ଗା ସୁମରିଲେ
ଅଶୁଭ ଶୁଭ ହୁଅଇ ଯା ନାମ ଧଇଲେ
ମଧୁବନ ଦେଶରେ ଯେ ବସୁଦେବ ଘର
କୃଷ୍ଣର ଯେ ପିତା ଅଛି ମଥୁରା ନଗର
ଦେବକୀ ନାମେ ତାହାର ଭାରିଯା ସୁଦନ୍ତୀ
ଯେ ବେଦ ମାତା ପ୍ରତ୍ୟକ୍ଷେ ଅଟଇ ଅଦିତି
କଂସର ଅଟଇ ଜ୍ୟେଷ୍ଠ ସୋଦର ଭଗିନୀ
ସ୍ତୁତି କରିବା ହୋ ଆମ୍ଭେ ଚାଲ ରୋମ ଘେନି
ପୂର୍ବୁ କଂସରାଜାକୁ ଯେ ଅଛି ଶାପ ଭୋଗ
ନିଜ ଭଣଜାର ହସ୍ତେ ତାର ମୃତ୍ୟୁଯୋଗ
ମଧୁବନର ନିକଟେ କଟକ କୁସୁମ
ନଗ୍ର ଏକା ଅଛି ଗୋପପୁର ତାର ନାମ
ଗୋମତ ଗିରି ଯମୁନା ଉତ୍ତର ଯେ ତଟ
ମଥୁରାପୁରକୁ ସେହି ବାରଯୁଣ ବାଟ
ପବିତ୍ର ଭୂମି ତହିଁକି ପଟାନ୍ତର ନାହିଁ
ଅନେକ ସିଦ୍ଧ ସାଧକ ଥିଲେ ତହିଁ ରହି
ସକଳ ଗୁଣରେ ପୂର୍ଣ୍ଣ ଅଟଇ ସେ ସ୍ଥାନ
ସହସ୍ରଗୁଣ ଲକ୍ଷଣେ ଅମରଭୂବନ
ମଧୁ ନାମରେ ଦାନବ ପୂର୍ବେ ତହିଁ ଥିଲା
ସପତଦ୍ୱୀପେ ସେ ଭୂମିଖଣ୍ଡିକ ବାଛିଲା
କୋଟିମୁଖେ ବ୍ରହ୍ମମନ୍ତ୍ର କୋଟିଏ ଉଚ୍ଚାରି
ଅଙ୍ଗୁଳକେ ଅଶ୍ୱମେଧ ଯାଗ ଅଛି କରି
ସବୁ ଭୁମିଠାରୁ ଭୂମିଖଣ୍ଡ ଅନୁପମ
ମଧୁ ନାମେ ଦାନବର ସେହି ମଧୁବନ
ମଥୁରାପୁରକୁ ଲାଗିଅଛି ସେହି ବନ
ଗୋମତ ଗିରି ପଶ୍ଚିମେ ଗୋପନଗ୍ର ଜାଣ
ସେ ଗୋପନଗ୍ରକୁ ଆନ ପଟାନ୍ତର ନାହିଁ
ଅସଂଖ୍ୟ ଅସଂଖ୍ୟ ଯହିଁ ଛନ୍ତି ଗୋରୁଗାଈ
ନନ୍ଦନାମରେ ଗୋପାଳ ତହିଁ ଅଧିପତି
ଯଶୋଦା ନାମେ ତାହାର ଭାରିଯା ସୁଦନ୍ତୀ
ତାହା ଗର୍ଭେ ଦୁର୍ଗାଦେବୀ ଜାତହେବେ ଯାଇଁ
ବସୁଦେବ ଯେ ଆଣିବ ତାଙ୍କୁ ପାଲଟାଇ
ଏହି ପ୍ରକାରେ ଖଣ୍ଡିବ ପୃଥିବୀର ଭୟ
ଦେବସଭାରେ କହିଲେ ବ୍ରହ୍ମା କରି ଲୟ
ବ୍ରହ୍ମା ମୁଖୁ ଏସନକ ଶୁଣି ପୁରନ୍ଦର
କୃତ ଅଞ୍ଜଳି ହୋଇଣ ଯୋଡ଼ି ବେନିକର
ବୋଇଲେ ଭୋ ଧାତାଲାଗେ ମୋତେ ତ ସନ୍ଦେହ
ଗୋପନଗ୍ର ବାର୍ତ୍ତା ମୋତେ ସଂକ୍ଷେପିଣ କହ
ଯେବଣ ଶ୍ରୀ ନାରାୟଣ କ୍ଷୀରୋଦନିବାସୀ
ସେ କେମନ୍ତ ଗୋପନଗ୍ରେ ବିଳସିବେ ଆସି
ଗଉଡ଼ ବାଉଡ଼ ପୁଣି ହାଉଡ଼ ବୋଲାନ୍ତି
ଗୋରୁ ଚରାଇଣ ବନେ ବନେ ବୁଲୁଥାନ୍ତି
ଅଜାତ ସେ ଅମର୍ଯ୍ୟାଦା ଅମହତ୍ତ୍ୱ ସଙ୍ଗେ
କେମନ୍ତେ ବଢ଼ିବେ ଦେହ ଲାଗିହୋଇ ରଙ୍ଗେ
ଏତେକ ପୁଣ୍ୟ କେମନ୍ତେ ପାଇଲେ ଗୋପାଳେ
ବିଷ୍ଣୁ ଦିବ୍ୟରୂପ ନିତ୍ୟ ଦେଖୁଥିବେ ଡୋଳେ
ଅପୂର୍ବ ପରି ଲାଗିଲା ମୋତେ ପିତାମହ
ଗୋପର ବାରତା ଏଣୁ ସଂକ୍ଷେପିଣ କହ
ଶୁକ ସନକାଦି ଧ୍ୟାନେ ଯାହାକୁ ଚିନ୍ତନ୍ତି
ଛାର ଗୋପାଳ ପାଇବେ ତାହାଙ୍କ ସଙ୍ଗତି
କେମନ୍ତେ ମୁଁ ଏଡ଼େବଡ଼ କଥା ନ ଶୁଣିବି
ଯୋଗୀ ତପୀ ନ ପାନ୍ତି ଯା ଧ୍ୟାନେ ଭ୍ରମି ଭ୍ରମି
ଇନ୍ଦ୍ରର ମୁଖୁ ଏସନ ଶୁଣିଣ ଉତ୍ତର
ପ୍ରସନ୍ନ ହୋଇ ବୋଲନ୍ତି ସ୍ୱାମୀ ବେଦବର
ଶୁଣ ତୁ ହୋ ସୁରପତି ପଚାରିଲୁ ଯାହା
ବ୍ରହ୍ମାଣ୍ଡ ପୁରାଣ ଉକ୍ତି କହିବା ନା ତାହା
ପୂର୍ବେ ଯହୁଁ ଗୋପନଗ୍ର ହୋଇଲାକ ଜାତ
ତହିଁର କଥା କହିବା ତୋତେ ଶଚୀନାଥ
ରୁଦ୍ରଧର ବୋଲି ପୂର୍ବେ ବ୍ରହ୍ମା ଏକ ଥିଲା
ଦ୍ୱିତୀବିଷ୍ଣୁ ହେବ ବୋଲି ବହୁତପ କଲା
ଅଠାଣୋଇ ସସ୍ର ବର୍ଷ ଉର୍ଦ୍ଧ୍ୱବାହୁ ହୋଇ
ନିରପେକ୍ଷ ହୋଇ ଏକା ପରମାତ୍ମା ଧ୍ୟାୟୀ
ଯେତେବେଳେ ତା ତପସ୍ୟା ହେଲା ବର୍ଦ୍ଧମାନ
ନିଦା ବିଷ୍ଣୁ ସ୍ୱାମୀଙ୍କର କମ୍ପିଲା ଆସନ
ଧ୍ୟାନରେ ଜାଣିଲେ ତପ କରେ ତପୋନିଷ୍ଠୀ
ରୁଦ୍ରଧର ତପବଳେ କମ୍ପଇ ବଇଠି
ବ୍ରହ୍ମାପଣ ପାଇ ତାର ଏଡ଼େକ ଭରସା
ବିଷ୍ଣୁପଦ ଘେନିବାକୁ ବଳାଇଛି ଆଶା
ଏସନ ବିଚାରି ସ୍ୱାମୀ ମନେ ବହି ତାପ
ଆରେ ରୁଦ୍ରଧର ତୁହି ଅରଜିଲୁ ପାପ
ଆମ୍ଭ ସଙ୍ଗତରେ କିପାଁ ହୋଇଲୁ ବିବାଦୀ
ଜ୍ଞାନବନ୍ତ ପୁରୁଷ କି ଘେନୁ ଦୁଷ୍ଟ ବୁଦ୍ଧି
ଚକ୍ରକୁହିଁ ଆଜ୍ଞାଦେଲେ ସ୍ୱାମୀ ଚକ୍ରଧର
ରୁଦ୍ରଧର ବ୍ରହ୍ମାଙ୍କୁ ତୁ ବେଗେ ଯାଇ ମାର
ପ୍ରାଣର ବିକଳେ ଉଠି ପଳାଇଲେ ବେଗେ
ରୁଦ୍ରଧର ବ୍ରହ୍ମା ତାହା ଜାଣିପାରି ଯୋଗେ
ତାର ପଛକତି ଧରି ଚକ୍ର ଗୋଡ଼ାଇଛି
ଦେଖି ରୁଦ୍ରଧରକୁ ଯେ ନ ସ୍ପୁରଇ କିଛି
ଶୁଣ ସୁଜ୍ଞଜନ ଏହି ସୁଧାରସ ବାଣୀ
ଅନେକ ଜନ୍ମର ପାପ କ୍ଷୟ କର ଶୁଣି
ସୁଧର୍ମା ସଭା କଥା ଏ ପବିତ୍ର କାହାଣୀ
ଚକ୍ରକୁ ଭୟ କରିଣ ଧାଏଁ କୁଶପାଣି
ସାତମନୁ ପରିଯନ୍ତେ ପଳାଇଣ ଯାଇ
ଗୋମାତା ପାଦେ ଶରଣ ପଶିଣ ପଡ଼ଇ
ରୁଦ୍ରଧରକୁ ଗୋମାତା ଦୂରହୁଁ ଦେଖିଲେ
କାହା ଭୟେ ରୁଦ୍ରଧର ପଳାଉ ବୋଇଲେ
ରୁଦ୍ରଧର ବୋଲେ କୋପ କଲେ ନାରାୟଣ
ଏଣୁ ଭୋ ମାତା ତୋହର ଚରଣେ ଶରଣ
ତୁହି ନ ରଖିଲେ ମୋତେ ନାହିଁ ଆନ ବୁଦ୍ଧି
ଏହିକ୍ଷଣି ବିଷ୍ଣୁଚକ୍ର ପକାଇବ ଛେଦି
ଗୋମାତା ବୋଇଲେ ଯେବେ ମାଗିଲୁ ଶରଣ
ତୋତେ ନ ରଖିଲେ ମୋର ଜୀବ ଅକାରଣ
କହୁଁ କହୁଁ ବିଷ୍ଣୁଚକ୍ର କଟାଳିଲା ବେଗେ
ଚକ୍ରହିଁ ମିଳିଲା ଆସି ଗୋମାତାର ଆଗେ
ରୁଦ୍ରଧରକୁ ରଖିଲୁ କିପାଁ ଠାକୁରାଣୀ
ବିଷ୍ଣୁ ନାଥଠାରେ ଦ୍ରୋହ ବୁଦ୍ଧି କଲା ପୁଣି
ଛାଡ଼ ରୁଦ୍ରଧରକୁ ମୁଁ ପକାଇବି ଛେଦି
ନ ଛାଡ଼ିବୁ ଯେଣୁ ବିଷ୍ଣୁନାଥର ବିରେଧୀ
ଗୋମାତାଙ୍କ ତୁଲେ ଚକ୍ର କରନ୍ତେ ଉତ୍ତର
ଗାୟତ୍ରୀ ପାଦରେ ପଡ଼ିଅଛି ବେଦବର
ଦେଖି ଗୋ ମାତାର ହୃଦେ ବସିଲାକ ଦୟା
ବୋଲୁଛନ୍ତି ଚକ୍ର ମୁଖ ଚାହିଁ ମହାମାୟା
ଆମ୍ଭେ ଯେ ମାତା ତୁମ୍ଭର କର ଉପକାର
ଶରଣଜନକୁ ଚକ୍ର କେଭେ ତୁ ନ ମାର
ଚକ୍ର ବୋଇଲା ବିଷ୍ଣୁର ମୁହିଁ ଅଧିକାରୀ
ନାରାୟଣ ଆଜ୍ଞାରେ ମୁଁ ପକାଇବି ମାରି
ଅନାଦିଦେବୀ ଜଗତ ଜନ ଠାକୁରାଣୀ
ତୁମ୍ଭେ ରଖିଲେ ତାହାକୁ ମାରିବ କେ ପୁଣି
ନ ପୁଣ କୋପ କରନ୍ତି ମୋତେ ନାରାୟଣ
ଏଥକୁ ତୋତେ ଯେ ମାତା ମାଗଇ କାରଣ
ଗୋମାତା ବୋଇଲେ ତୋତେ ଭୟ କିଛିନାହିଁ
ଆମ୍ଭେ ରଖିଲୁ ବିଷ୍ଣୁଙ୍କୁ କହ ତୁହି ଯାଇଁ
ମହାଭୟ ପାଇଣ ଯେ ପଶିଲା ଶରଣ
ଗୋମାତା କରିଅଛଇ ଏଥକୁ କାରଣ
ଏସନକ ବୋଇଲେ ସେ ଦେବୀ ଦୟାଚିତ୍ତେ
ଚକ୍ର ବୋଲେ ରଖିଲୁ ତୁ ମାରିବି କେମନ୍ତେ
କଥାଏ କହିବି କର ଶିରରେ ନିବେଶି
ବଇକୁଣ୍ଠ ଭୁବନକୁ ଯାଉ ଏହି ଦୋଷୀ
ଯେବେ ରୁଦ୍ରଧର ଏଥୁ ପାଇବ କାରଣ
ନୋହିଲେ ଲୁଚାଇ ରଖ ଗୁପତ କରିଣ
ଏତେ କହି ଚକ୍ରଧର ଲେଉଟିଣ ଗଲା
ଶ୍ରୀବିଷ୍ଣୁ ନାଥ ଅଗ୍ରତେ ସକଳ କହିଲା
ଶୁଣି ପରମ ସନ୍ତୋଷ ହେଲେ ଦେବ ହରି
ମହା ଆନନ୍ଦେ ରହିଲେ ଆପଣାର ପୁରୀ
ଏଥୁ ଅନନ୍ତରେ ଦେବୀ ଗୋମାତା ଅଇଲେ
ରୁଦ୍ରଧର ବ୍ରହ୍ମାଙ୍କୁ ସେ ସଙ୍ଗତେ ଆଣିଲେ
ଅଛନ୍ତି ଷାଠିଏ କୋଟି ବତ୍ସା ସଙ୍ଗତରେ
ମିଳିଲେକ ଆସି ପଦ୍ମବନର ଭିତରେ
ଯମୁନା ଉତ୍ତରତୀରେ ରୁଦ୍ରଧର ଘେନି
ଥୋକାଏ ଦିନ ରହିଲେ ମାତା ଠାକୁରାଣୀ
ରୁଦ୍ରଧରକୁ ବୋଇଲେ ବଇକୁଣ୍ଠେ ଯିବୁଁ
ଏ ମର୍ତ୍ତ୍ୟମଣ୍ଡଳେ ଆମ୍ଭେ କେତେଦିନ ଥିବୁଁ
ରୁଦ୍ରଧର ବୋଲେ ତୁମ୍ଭେ ହୋଇଲେ ବାହାର
ଅବଶ୍ୟ ଚକ୍ରେ ଛେଦିବ ବିଷ୍ଣୁମୋର ଶିର
ଗୋମାତା ବୋଇଲେ ଥାଅ ତୁ ଏଥେ ନିର୍ଭୟେ
ମଧିୁପୁର ଆୟତନ ତ୍ରିଂଶ ଯୁଣଯାଏ
ମଧୁନାମେ ଦୈତ୍ୟ ପୂର୍ବେ ଏଥେ ରହିଥିଲା
ତେଣୁ ଏ କାନନ ମଧୁବନ ବୋଲାଇଲା
ଏ ପୁର ମହିମା କହି ନୁହଇ ବଚନେ
କୋଟିଏ ବଦନ ବ୍ରହ୍ମା ଥିଲା ବିଦ୍ୟମାନେ
ଏଥିର ମଧ୍ୟରେ ଅଷ୍ଟଯୋଜନ ଯେ ସାର
ଏ ଅଷ୍ଟଯୋଜନ ଗୁଣ ଅପାରୁ ଅପାର
ଅଙ୍ଗୁଳିମାପକେ ଅଷ୍ଟ ଅଶ୍ୱମେଧ ଏତେ
ତେଣୁ ଏହା ପଟାନ୍ତର ନାହିଁ ଭୂମି ଯେତେ
ଅନେକ ସିଦ୍ଧ ସାଧକ କରି ଏଥେ ବାସ
ପ୍ରଳୟ କାଳରେ ଏହି ନୁହଇ ବିନାଶ
ବ୍ରହ୍ମାର ଦିନେ ଦ୍ୱାଦଶ ରୂପ ଜଗନ୍ନାଥ
ସମସ୍ତ ରୂପ ହୁଅଇ ଏଥୁ ଆତଯାତ
ସନକ ସନାତନ ଯେ ଭୃଗୁ ମହାଯତି
ବରୁଣ ନୈର୍ଋତ ଇନ୍ଦ୍ର ଯମ ବେଦପତି
ଧ୍ରୁବ ଆଦିକରି ସିଦ୍ଧ ସାଧକ ଯେମାନେ
ଏଠାରେ ବର ଲଭନ୍ତି ବିଷ୍ଣୁର ପ୍ରସନ୍ନେ
ତୁ ରୁଦ୍ରଧର ଏଠାରେ ଗୁପ୍ତ ହୋଇ ଥିବୁ
ପୁଣ ସମୟକେ ବ୍ରହ୍ମାପଦ ତୁ ପାଇବୁ
ଏବେ ସମୟକେ ଏଥେ ଥାଅ ତୁ ଗୁପତେ
ପାଇବୁ ତୁ ବ୍ରହ୍ମାପଦ ସ୍ୱାମୀ ତୋଷଚିତ୍ତେ
ଆମ୍ଭେ ଏଥେ ଛାଡ଼ିଯିବୁ ପାଞ୍ଚଗୋଟି ବତ୍ସା
ଅରଜିବେ ପୁତ୍ରପୌତ୍ର ଯେ ଯାହାର ଇଚ୍ଛା
ମାଈ ଅଣ୍ଡିର ହୋଇବେ ଗାଈ ଅପ୍ରମିତା
ଏମନ୍ତ ବୋଲିଣ ଆଜ୍ଞା ଦେଲେ ସେ ଗୋମାତା
ଏତେକ ବୋଲି ଗୋମାତା ଅନ୍ତରୀକ୍ଷେ ଗଲେ
ବଇକୁଣ୍ଠ ଭୁବନରେ ପ୍ରବେଶ ହୋଇଲେ
ରୁଦ୍ରଧର ବ୍ରହ୍ମା ତହିଁ ଗୋମାତା ବଚନେ
ମଧୁବନ କଟକରେ ରହିଲେ ଗୋପନେ
ଗୁପତେ ରହିଲେ ଯହୁଁ ବ୍ରହ୍ମା ରୁଦ୍ରଧର
ତେଣୁ ତା ନାମ ହୋଇଲା ଜାଣ ଗୋପପୁର
ପାଞ୍ଚଗୋଟି ବତ୍ସା ଗଲେ ଗୋମାତା ଯେ ଛାଡ଼ି
ଅପ୍ରମିତ ହୋଇ ଗୋରୁପଲ ହୋଇ ବଢ଼ି
ଗୋମତ ଗିରିରୁ ଚିତ୍ରକୂଟ ଗିରିଯାଏ
ଛତିଶ ଯୋଜନ ସ୍ଥାନ ସବୁ ଗୋରୁମୟେ
ଅପ୍ରମିତ ସେ ଗୋଧନ ନୁହଇ ତା କଳି
ହମ୍ବାରାବରେ ସମୁଦ୍ର କୁରୁମ ଉଛୁଳି
ଦିବସେ ଚରନ୍ତି ବନ ପରବତ ମାଡ଼ି
ରାତ୍ରରେ ରହନ୍ତି ଗୋପ ନଗରକୁ ବେଢ଼ି
ଯମୁନା ନଦୀ ଉତ୍ତରକୂଳ ତଟ ଘାଟେ
ଯୋଜନ ପର୍ଯ୍ୟନ୍ତେ ଧୂଳି ଉଠେ ଯିବାବାଟେ
ଅପ୍ରମିତ ଗୋରୁ ଖୁରା ବଜ୍ରାଘାତ ଜାଣି
ଶାଲ ଶିଳ ଭାଙ୍ଗି ମସିଗୁଣ୍ଡା ହୁଏ ପୁଣି
କହନ୍ତି ପରୀକ୍ଷ ରାଜା ଆଗେ ଶୁକ ବ୍ରହ୍ମା
ଏମନ୍ତ ଜାଣ ସେ ଗୋପପୁରର ମହିମା
ବିଷ୍ଣୁ ବିବାଦେ ଲୁଚିଛି ବ୍ରହ୍ମା ଚକ୍ର ଡରେ
ଗୋମାତା ବଚନେ ରୁଦ୍ରଧର ବେଦବରେ
ସେ ସ୍ଥାନେ ଯେଣୁ ଗୋପନ ବ୍ରହ୍ମାର ଶରୀର
ତେଣୁ ସେ ଭୂମିର ନାମ ହେଲା ଗୋପପୁର
ପ୍ରତ୍ୟକ୍ଷେ ବ୍ରହ୍ମାର ଦେବ ଅଟଇ ସେ ଭୂମି
ଆବର ବିଜେ କରିବେ ହରିହର ସ୍ୱାମୀ
ରାମକୃଷ୍ଣ ରୂପେ ତହିଁ କରି ନାନାରଙ୍ଗ
ଅନେକ ଗୋପ ତରୁଣୀ ସଙ୍ଗେ ହେବେ ସଙ୍ଗ
ଆବର ତହିଁ କପିଳା ଧେନୁ ମଳମୂତ୍ର
ନିରନ୍ତର ପଡ଼ିବାରୁ ସେ ଭୂମି ପବିତ୍ର
କୋଟିବଦନ ବ୍ରହ୍ମା ଯେ ତହିଁ ପୁଣି ଥିଲା
ଅଙ୍ଗୁଳି ମାପିଣ ଅଶ୍ୱମେଧ ଯାଗକଲା
ଅନେକ ସିଦ୍ଧ ସାଧକ ଭଗବନ୍ତ ଋଷି
ଯୁଗେ ଯୁଗେ ରହି ତପ କରୁଛନ୍ତି ବସି
ଗୁପତ ପୁଣ୍ୟଭୂମି ତା ନ ଜାଣନ୍ତି କେହି
ରୁଦ୍ରଧର ବ୍ରହ୍ମାଙ୍କର ଅଟେ ପୁଣି ଦେହି
ବାରେ ଦରଶନ କଲେ ଦେହ ପରିମଳ
ତା ବେନି ଶତ ପୁରୁଷ ଯାନ୍ତି ସ୍ୱର୍ଗଆଳ
ସେ ଭୂମିର ମାଟି ଚିତା ଘେନନ୍ତେଣ ଅଙ୍ଗେ
ବସନ୍ତି ସେ ବଇକୁଣ୍ଠେ ସୁରଲୋକ ସଙ୍ଗେ।
ସେ ବ୍ରହ୍ମା ପୁତ୍ରେ ଯୁବତୀ ରୂପେ ଅବତରି
ବିଷ୍ଣୁସଙ୍ଗେ କ୍ରୀଡ଼ା କରି ସ୍ୱାମୀରୂପେ ବରି
ଯେତେକ ଗୋପୀଗୋପାଳ ପୋଏଗୋପପୁର
କୁବେର ସମାନ ଧନୀ ଏକୁଁ ଏକ ଆର
ସନକ ଜନକ ମୁନି ଅଛନ୍ତି ସେ ପୁରେ
ବିଷ୍ଣୁଙ୍କ ଦର୍ଶନ ପାଇ ଅତି ଗୋପନରେ
ବିଷ୍ଣୁଙ୍କର ଦିବ୍ୟରୂପ ଦେଖିବାର ପାଇଁ
ମୁନିମାନେ ଗୋପ ଗୋପୀ ରୂପ ଛନ୍ତି ହୋଇ
ନନ୍ଦ ନାମରେ ଗୋପାଳ ସବୁଙ୍କରି ରାଜା
ନବଲକ୍ଷ ଗୋପାଳ ସେ ନନ୍ଦର ପରଜା
ବସୁନନ୍ଦ ସୁନନ୍ଦ ଏ ନନ୍ଦ ସାନଭାଇ
ନଗ୍ର ଅଧିକାରୀ ହାନି ଲାଭ ବୁଝୁଥାଇ
ନଗ୍ର ଭିତରେ ଗୋମତ ନାମେ ଗିରିବର
ଦଶଯୁଣ ପ୍ରତି ଲମ୍ବ ଯୋଜନ ପନ୍ଦର
ବେନି ଯୋଜନ ପର୍ଯ୍ୟନ୍ତ ଅଟଇ ତା ଉଚ୍ଚ
ଶୁଦ୍ଧ ସ୍ଫଟିକ ବରନ ଦିଶଇ ସୁସଞ୍ଚ
ଗୋମତ ମହା ଋଷିର ଅଟଇ ଆଶ୍ରମ
ତେଣୁ ଗୋମତ ପର୍ବତ ବୋଲି ତାର ନାମ
ମୃଗୟା ନିମନ୍ତେ ମଧୁଦୈତ୍ୟ ଯାଇଥିଲା
ମନ୍ଦର ପର୍ବତୁ ଶିଳା ଖଣ୍ଡିଏ ଆଣିଲା
ଦୀର୍ଘ ପ୍ରତି ଦଶଯୁଣ ଉତ୍ସର୍ଗ ଗିରିର
କିଞ୍ଚିତେ ମୁଷ୍ଟି ପ୍ରହାରି ଆଣିଲା ଅସୁର
ନଗ୍ର ପଶ୍ଚିମ ପାରୁଶେ ଦୈତ୍ୟ ଉଭା ହୋଇ
କିଞ୍ଚିତ ପ୍ରକାରେ ଦେଲା ତାକୁ ଫୋପଡ଼ାଇ
ସେ ଶିଳା ନାମ ହୋଇଲା ଗିରି ଗୋବର୍ଦ୍ଧନ
ଏଣୁ ସେ ଗୋପନଗର ଅତି ପୁଣ୍ୟସ୍ଥାନ
ଗୋପର ପଶ୍ଚିମଭାଗେ ଅଛି କୁଞ୍ଜବନ
ତାହା ନିକଟେ ମନ୍ଦର ଗିରି ବିଦ୍ୟମାନ
କୋଟିଏ ବ୍ରହ୍ମାଣ୍ଡ ନୁହେଁ ତା ତୁଲେ ସମାନ
ଅତି ଶୋଭନୀୟ ଦିଶେ ସେହି ବୃନ୍ଦାବନ
ମଲ୍ଲୀ ମାଳତୀ ସେବତୀ ମାଧବୀ ବକୁଳ
କୁରୁଆଁ ଗଙ୍ଗଶିଉଳୀ ଚମ୍ପକ ତମାଳ
ଜାଈ ଯୁଈ କେତକୀ ଯେ କଞ୍ଚନ ମନ୍ଦାର
ତଗର ମରୁଆ ରଙ୍ଗବାଣ ନାଗେଶ୍ୱର
ଦୟଣା ତୁଳସୀ ନୀପ ଆଦି ଯେତେ ମୁଖ୍ୟ
ପୁଷ୍ପମାନ ତହିଁ ଛନ୍ତି ହୋଇ ରେଖ ରେଖ
ପାଟଳି ପାଳଧୁଆ ଯେ ନୀଳୋତ୍ପଳ ପୁଷ୍ପ
ଅବସନ୍ତେ ବସନ୍ତ ଯେ ପ୍ରକଟିତ ବାସ
ସୁଗନ୍ଧ ଆମୋଦ କୁଞ୍ଜବନର ଭିତରେ
ମଧୁ ଲୋଭେ ମଧୁକର ଭ୍ରମନ୍ତି ମତ୍ତରେ
ଝିଙ୍କାରି ଝିଙ୍କାର ଅଳି ପିକ ଶୁକ ରାବ
ଶୁଭଇ କରନ୍ତି କେଳି ସର୍ବେ ଠାବ ଠାବ
ଡାହୁକ ମୟୂର ବନ କୁକ୍ କୁଟ ମରୁଆ
ଆନନ୍ଦେ ବୁଲନ୍ତି ଶବ୍ଦ କରେ କୁମ୍ଭାଟୁଆ
ଗୁବାକ ପଣସ ଆମ୍ବ ରମ୍ଭା ନଟିକାଳ
ଲେମ୍ବାଉ ଜମ୍ବିଳ ଲେମ୍ବୁ କରମଙ୍ଗା ତାଳ
ଭଦ୍ରସାର ଗଣ୍ଠିଅନା ଗୁଗ୍‌ଗୁଳ ଅଗୁରୁ
ସପ୍ତଚ୍ଛଦ କୋବିଦାର ଶାଳ ଆଦି ତରୁ
ସରଳ ଲବଙ୍ଗ ଦେବଦାରୁ ରାମଗୁଆ
ସାହାଡ଼ା ବାହାଡ଼ା ଆମଳକୀ ପାଳଧୁଆ
ପିଆଳ ମହୁଲ ଆଦି ତରୁଙ୍କର ପ୍ରଭା
କୁଞ୍ଜ ବିପିନକୁ ବେଢ଼ି ଦିଶୁଅଛି ଶୋଭା
ନ ଦିଶେ ଆକାଶପଥ ଦିବସେ ଅନ୍ଧାର
ଫଳିତ ଲମ୍ବିତ ତରୁ ଅତି ମନୋହର
ସୂର୍ଯ୍ୟତେଜ ନ ପଡ଼ଇ ସେ କୁଞ୍ଜବିପିନେ
ପାଚିଲା ପତର ଉଡ଼ି ପଳାଏ ପବନେ
ତଳେ ସୁସଞ୍ଜିତ ବୋଲି ଉର୍ଦ୍ଧ୍ୱେ ଲତା ବନ
ଶୋଭା ବୃଦ୍ଧି କରେ ତହିଁ ନାନା କୁଞ୍ଜମାନ
ସୁବର୍ଣ୍ଣ ଚୁରିଲା ପରି ଦିଶଇ ବାଲୁକା
ସେ ବନରେ ନାହିଁ ହିଂସ୍ର ଜୀବଠାରୁ ଶଙ୍କା
କଦମ୍ବ ବୃକ୍ଷେକ ଅଛି ତହିଁ କେତେଦୂରେ
ଉଦ୍ଧାରଣ କରଇ ସେ ମହାପ୍ରଳୟରେ
ବଦୟନ୍ତି ଶୁକମୁନି ଶୁଣ ମହାତମା
ସଂକ୍ଷେପି କହିବା ତୋତେ ସେ ନୀପ ମହିମା
ସଂକ୍ଷେପି କହିବା ତୋତେ ସେ ବୃକ୍ଷର ମୂଳ
ଦଶ ଦିଗପାଳମାନେ ତାର ଦଶ ଡାଳ
ବିଦ୍ୟାଧରୀ ଅପସରୀ ଗନ୍ଧର୍ବୀ କିନ୍ନରୀ
ତହିଁ ବାସ କରିଛନ୍ତି ପତ୍ରରୂପ ଧରି
ଷଡ଼ଋତୁ ଭୋଗ କରି ମଦନ ମତ୍ତରେ
ବାରମାସଯାକେ ଫୁଲ ଫୁଟନ୍ତି ତହିଁରେ
ତା ମୂଳେ ଚଉଁରା ଅଷ୍ଟରତ୍ନରେ ଜଡ଼ିତ
ଜ୍ୟୋତି ବିରାଜଇ ଯେହ୍ନେ ମଧ୍ୟାହ୍ନ ଆଦିତ୍ୟ
ସେ କୁଞ୍ଜବନରେ ଯେତେ ତରୁଲତା ଅଛି
ଗୋଟି ଗୋଟି କରି କେତେ କହିବି ମୁଁ ବାଛି
ଏକ ଏକ ବୃକ୍ଷର ଯେ କୋଟି କୋଟି ଗୁଣ
କେ କହି ପାରିବ ଅବା ତଦନ୍ତ କରିଣ
ନିଜେ ତହିଁ ବିଶ୍ୱକର୍ମା ରହି ଅନୁବ୍ରତେ
ନିକୁଞ୍ଜବନେ ନିର୍ମାଣ କରୁଥାଇ ନିତ୍ୟେ
ରୋପିଲା ମର୍କତ ଶୁଦ୍ଧ ସୁବର୍ଣ୍ଣ ଚଉଁରୀ
ରସାଣିଲା ତାକୁ ଯତ୍ନେ ଉଚ୍ଚ ସଞ୍ଚ କରି
କର୍ପୂର କସ୍ତୁରୀ ଗନ୍ଧ ପନିଅର ଗୋଳି
ଜଳରେ ମିଶାଇ ବୃକ୍ଷମୂଳେ ଦିଏ ଢାଳି
ତରୁମାନଙ୍କରେ ତଳେ ସସ୍ରେବାନ ସୁନା
ଏକ ଏକ ଚଉଁରି ଯେ କରିଛି ରଚନା
ନିଜ କରେ ପୁଷ୍ପଚାପ ଘେନି ନରପତି
ଆକ୍ରୋଶିଣ ପଞ୍ଚବାଣ ବିଜେ ଚଉକତି
ପୁଷ୍ପଗନ୍ଧ ସଙ୍ଗେ ଘେନି କୋମଳ ସମୀର
ଯମୁନାର ଆହାଲାଦେ ବହେ ଧୀର ଧୀର
ଫଳନ୍ତି ପାଦପମାନେ ଦିବ୍ୟ ସ୍ୱାଦୁ ଫଳ
ପଡ଼ନ୍ତି ସେ ଯଥାକାଳେ ପାଚି ବୃକ୍ଷତଳ
ଚନ୍ଦ୍ରକାନ୍ତି ପରି ଦିଶେ ବୃକ୍ଷଙ୍କର ଶୋଭା
ଅପ୍ରମେୟ ଜ୍ୟୋତି ଯେହ୍ନେ କନକର ପ୍ରଭା
ଶୁଣ ପରୀକ୍ଷ ରାଜା ବଦନ୍ତି ଶୁକବ୍ରହ୍ମା
କହନ୍ତେ ନ ସରେ କୁଞ୍ଜବନର ମହିମା
ସେ ଦେଶରେ ବୃଦ୍ଧାବସ୍ଥା ପାଏ ଯେଉଁଲୋକ
କୁଞ୍ଜବନେ ପଶିଲେ ସେ ହୁଅଇ ଯୁବକ
ସିଦ୍ଧ ସାଧ୍ୟ ଯତି ମୁନି ଦାରୁଶିଳା ଦେହୀ
ଏହାଙ୍କର ଧାତୁଚ୍ୟୁତ ହୁଏ ଗଲେ ତହିଁ
କୁଞ୍ଜବନ ନିକଟରେ ଅଛି ଅଳ୍ପ ଦୂରେ
ଏକ ପଦ୍ମବନ ଅଛି ଯମୁନା ଜଳରେ
ଗରୁଡ଼ ଭୟରେ ନିଜସ୍ଥାନ ଛାଡ଼ିଦେଇ
ସେ ପଦ୍ମ ବନରେ ଆସି କରିଅଛି ବାସ
ପ୍ରଳୟ ଅନଳଠାରୁ ବଳେ ତାର ବିଷ
ଯମୁନାର କୂଳଘାଟେ ବେନି କ୍ରୋଶଯାଏ
ନ ଯାନ୍ତି ସେ ବାଟେ କେହି କାଳୀୟର ଭୟେ
ନାଗମାଙ୍କର ବିଷ ବିଷମ ଜ୍ୱାଳାରେ
ପୋଡ଼ିଯାନ୍ତି ପକ୍ଷୀମାନେ ଉଡ଼ିଲେ ଉପରେ
ଚଣ୍ଡାଂଶୁକିରଣ ତୁଲ୍ୟ ପ୍ରଚଣ୍ଡ ସେ ବିଷ
ନିର୍ଧୂମ ଅନଳ ପ୍ରାୟ ବହେ ଦଶଦିଶ
ତେଣୁ କୁଞ୍ଜବନେ କେହି ନ ପାରନ୍ତି ଯାଇ
ଆଗହୁଁ ନିର୍ମାଣ ଏହା କରିଅଛି ବିହି
ଯହିଁରେ କରିବେ କେଳି ନାରାୟଣ ଆପେ
ମାନବେ ପଶିବେ ଅବା ତହିଁରେ କି ରୂପେ
ଗୋପପୁରେ ବସିଅଛି ନବଲକ୍ଷ ଘର
କୁବେରଙ୍କ ସମାନରେ ସର୍ବେ ଧନେଶ୍ୱର
ସୁବର୍ଣ୍ଣ କଳସମାନ ବସି ଘରେ ଘରେ
ଦିଶଇ ବିଜୁଳି ଯେହ୍ମେ ଚହଟେ ଶୂନ୍ୟରେ
କଳସ ଉପରେ ଉଡ଼ି ବିଚିତ୍ର ଚିରାଳ
ସମୁଦ୍ର ଲହରୀ ପ୍ରାୟ ଦିଶେ ଝଲମଲ
ଝିଙ୍କର ଛାଏଣି ଘର ଜ୍ୟୋତି ଅପ୍ରମେୟ
ନିରନ୍ତର ଚନ୍ଦ୍ର କିବା ହୋଇଛି ଉଦୟ
ସେ ନଗ୍ରେ ଅଛନ୍ତି ଯେତେ ଗୋପାଳଙ୍କ ନାରୀ
ସମାନ ନୋହିବେ ତାଙ୍କୁ ରୂପେ ବିଦ୍ୟାଧରୀ
ଗନ୍ଧର୍ବଠାରୁ ରୂପେ ଅଧିକେ ଗୋପାଳେ
ଗୋପପୁରେ ଜନ୍ମିଛନ୍ତି ପୂର୍ବ ପୁଣ୍ୟବଳେ
ରୂପ ଗୁଣେ ପରିପୂର୍ଣ୍ଣ ସର୍ବେ ନବଯୁବା
ରତି ରତିପତି ପରି ଦିଶେ ତାଙ୍କ ଶୋଭା
ଧନ ଜନ ବୟସରେ ଗବିତ ସକଳେ
ଅଚିନ୍ତା ଅପାପୀ ହୋଇଥାନ୍ତି ସେ ଗୋପାଳେ
ସ୍ୱର୍ଗପୁରୀ ଗୋପ ସଙ୍ଗେ ତୁଳନା ନୁହଇ
ଅକାଳରେ ମୃତ୍ୟୁବାଧା ତହିଁ ନ ଲାଗଇ
ଦୁର୍ଦ୍ଦାନ୍ତ ଅଟଇ ଯେଉଁ କଂସ ଜଗତରେ
ଗୋପଲୋକଙ୍କର ନାମ ଶୁଣିଲେ ସେ ଡରେ
କଂସରାଜାର ପ୍ରତାପ ନ ଲାଗେ ଯହିଁକି
ଆନ ପଟାନ୍ତର କିସ ଦେବା ଯେ ତହିଁକି
ଯେ ଯାହା ସୁଖରେ ଗୋପେ ସକଳ ଆନନ୍ଦ
ସବୁରି ଉପରେ ମୁଖ୍ୟତମ ଅଟେ ନନ୍ଦ
ନବଲକ୍ଷ ବସତିରେ ସେହି ନନ୍ଦରାଜା
ସମସ୍ତ ଗୋପାଳମାନେ ନନ୍ଦର ପରଜା
ଭୋଇ ପୁଣି ମହାଭୋଇ ମଲ୍ଲ ଯେ ଗୁଆଳ
ଖୁଡ଼ ମହାଖୁଡ଼ ଗୋଷ୍ଠ୍ୟ ଝାଙ୍କ୍ୟ ମାଳ ମାଳ
ଏ ବିଧିରେ ଅଷ୍ଟଗୋପ ଗୋପରେ ବସନ୍ତି
ଯେ ଯାହାର ଯେତେ ଗୋରୁ ପାଳନ କରନ୍ତି
ସହସ୍ରେ ଗାଈରେ ଏକ ଗୁଆଳ ହୁଅଇ
ଦଶ ଗୁଆଳରେ ଏକ ଝାଙ୍କ୍ୟ ବୋଲି କହି
ଏ ବିଧିରେ ଦଶ ଝାଙ୍କ୍ୟେ ଏକ ପଲ୍ଲ ହୁଏ
ଦଶପଲ୍ଲେ ଏକଭୋଇ ନାମ ଦେଖାଯାଏ
ଏ ପ୍ରକାରେ ଦଶଭୋଇ ଗୋଧନ ଯାହାର
ମହାଭୋଇ ବୋଲି ନାମ ଅଟଇ ତାହାର
ଦଶ ମହାଭୋଇ ହେଲେ ହୁଏ ଏକଖୁଡ଼
ଦଶଖୁଡ଼ ଗାଈପୂର୍ଣ୍ଣ ହେଲେ ମହାଖୁଡ଼
ଏକ ମହାଖୁଡ଼େ ଗୋରୁ ହୋଇଲାକ ଯେତେ
ଲେଖ ହେ ପଣ୍ଡିତଗଣେ ନନ୍ଦ ଗାଈ କେତେ
ମହାଖୁଡ଼େ ଗାଈ ଯେଣୁ ଅଛି ଅନୁପମ
ତେଣୁ ନନ୍ଦ ମହାଖୁଡ଼ ବୋଲି ତାର ନାମ
ନନ୍ଦ ମହାଖୁଡ଼ ସେହି ଗୋପନଗ୍ରେ ରାଜା
ଆବର ଯେତେ ଅଛନ୍ତି ତାହାର ପରଜା
ଯଶୋବନ୍ତୀ ନାମେ ତାର ଭାର୍ଯ୍ୟା ପ୍ରିୟବତୀ
ସୁରୂପିଣୀ ସୁଲକ୍ଷଣୀ ପତିଭକ୍ତା ସତୀ
ପୃଥ୍ୱୀଭାରା ନିବାରଣେ ଜନ୍ନିଅଛି ସେହି
ଯତନେ ପାଳିବ ରାମକୃଷ୍ଣ ବେନିଭାଇ
ଧନ ଜନ ଗୋଧନରେ ଗହଳ ସେ ପୁର
ଚତୁର୍ଦ୍ଦଶ ଭୁବନରେ ନାହିଁ ପଟାନ୍ତର
ଦଧି ଦୁଧ ଅଧା ଛେନା ନବନୀତ ସର
ଘୃତଆଦି ଗୋରସ ଯେ ଅନେକ ପ୍ରକାର
ହାଣ୍ଡିରେ ଗୋରସ ଭରି ମୁଣ୍ଡାଇ ମସ୍ତକେ
ବିକନ୍ତି ଗୋପିଏ ନେଇ ମଥୁରା କଟକେ
ରୂପଗୁଣେ ସୁଲକ୍ଷଣୀ ସେ ସକଳ ନାରୀ
ସମାନ ନୁହନ୍ତି ତାଙ୍କୁ ସ୍ୱର୍ଗ ଅପସରୀ
ଶ୍ରୀକୃଷ୍ଣର ଅଙ୍ଗସଙ୍ଗ ହୋଇବାର ପାଇଁ
ମୁନିଗଣେ ଜନ୍ମିଛନ୍ତି ଗୋପୀରୂପ ବହି
ଗତଜନ୍ମର ବାରତା ଚିତ୍ତୋଇ ମନରେ
ପୀରତି ସେ ନ କରନ୍ତି ଅନ୍ୟ ଜନଠାରେ
ଗୋପକୁ ମଥୁରା ଅଟେ ଦ୍ୱାଦଶ ଯୋଜନ
ଦିନରାତି ସେ ପଥରେ କରିନ୍ତି ଗମନ
ସର୍ବଦା ଗହଳ ହୁଏ ତେଣୁ ସେହି ବାଟ
କାହାର ମନରେ କିଛି ନ ଆସଇ କଷ୍ଟ
ନବଲକ୍ଷ ଗୁଆଳଙ୍କୁ କ୍ଷୀର ହୁଏ ଯେତେ
ତଦନ୍ତ କରିଣ ଅବା କହିବା ତା କେତେ
ଭାଇ ମହାଭୋଇ ପଲ୍ଲ ପାଳକ ଗୁଆଳ
ଖୁଡ଼ ମହାଖୁଡ଼ ତୁଲେ ଝାଙ୍କି ମାଳ ମାଳ
ଏପରି ଅନେକ ଗୋରୁ ଛନ୍ତି ଅପ୍ରମିତ
ନବଲକ୍ଷ ଗୁଆଳଙ୍କ ଏ ପ୍ରକାର ବିତ୍ତ
ଏତେ ଏତେ ବୋଲି ସଂଖ୍ୟା ନୁହେଁ ପରିକଳି
ସମୁଦ୍ର ଗର୍ଜ୍ଜନ ପ୍ରାୟ ଶୁଭେ ହାଲହୋଳି
ହମ୍ବାରବ ଶବଦ ଯେ ଗହ ଗହ ଧ୍ୱନି
ଟଳ ଟଳ ହୋଇଣ ଯେ କମ୍ପଇ ମେଦିନୀ
କ୍ଷୁରାଘାତେ ଭାଙ୍ଗି ଖାଲ ଟିକର ପାଷାଣ
ଧୂଳି ହୋଇ ଆକାଶରେ ଉଡ଼େ ଅନୁକ୍ଷଣ
ଛତିଶ ଯୋଜନଯାକ ଗୋରୁପଲ୍ଲ ମୟେ
ଯେବେ ସେ ଗୋପାଳ ଗାଈଦୋହନ କରନ୍ତି
ପ୍ରଥମୁଁ ଚିରେକ ଦୁହିଁ ଭୂମିରେ ପକାନ୍ତି
ପ୍ରତି ଗାଈଠାରୁ କ୍ଷୀର ଚିରେ ଚିରେ ପଡ଼ି
ଯମୁନା ଜଳରେ ମିଶେ ନଦୀ ପ୍ରାୟ ବଢ଼ି
ଦଣ୍ଡେ ରାତ୍ର ଥାଉଁ ବେଳ ପାଞ୍ଚଘଡ଼ି ଯାଏ
ପାଣି ସଙ୍ଗେ କ୍ଷୀର ମିଶି ବହେ ଶ୍ୱେତମୟେ
ମତେ ମତୁଆଳ ହୋଇ ଗଉଡ଼େ ଉତ୍କଟା
ଗାଆନ୍ତି ଢମାଳି ଗୀତ ନାଚନ୍ତି ଖେମଟା
ଘୁମୁରା ମର୍ଦ୍ଦଳ ଶିଙ୍ଗା ପତର କାହାଳି
ବଜାନ୍ତି ଆନନ୍ଦ ମନେ ଠାବେ ଠବେ ମିଳି
ସୁସ୍ୱରେ ବଇଁଶୀ ନାଦ କେ କରଇ ରଙ୍ଗେ
ପର୍ବତର ରଙ୍ଗ ମାଟି ବୋଳିଥାନ୍ତି ଅଙ୍ଗେ
କା ଶିରେ ଗୁଞ୍ଜର ମୁଣ୍ଡମାଳା ପାଏ ଶୋଭା
ତଲାରି ଉପରେ ତାର ଶିଖୀପୁଚ୍ଛ ଗଭା
କେନ୍ଦୁ ସରଳ ଲଉଡ଼ି ଶୋହେ କାହା କରେ
ରୁଞ୍ଜ ଗୁଞ୍ଜମାଳା ଗୁନ୍ଥି ଲମ୍ବାନ୍ତି ଗଳାରେ
ନାନାଜାତି ବନଜାତି ପୁଷ୍ପ ମଣ୍ଡିହୋଇ
ବନେ ବନେ ଖେଳାକରି ଚରାଅନ୍ତି ଗାଈ
ଏହିମତେ ନବଲକ୍ଷ ଗୋପାଳ ଉନ୍ମତ୍ତା
ସର୍ବେ ବଳବାନ ଏକୁ ଆରେକ ଶକତା
ଅଳକା ଭୁବନ ଯେହ୍ନେ ତେହ୍ନେ ଗୋପପୁରୀ
ଦିଶନ୍ତି ଗୋପାଳ ଗୋପୀ ଦେବ ଦେବୀପରି
ଏସନେ ଗୋପାଳେ ଥାନ୍ତି ସହାସୁଖ ପାଇ
ନନ୍ଦ ବିନୁ ତାଙ୍କର ଯେ ଆନେ ଭୟ ନାହିଁ
ସେ ନନ୍ଦ ଗୃହରେ ହରି ବାଳକ ସ୍ୱରୂପେ
ବଢ଼ିବେ ମଥୁରାପୁରେ ଜନ୍ମ ଲଭି ଗୋପେ
ଆଗହୁଁ ବିଧାତା ଏହା କରିଛି ନିର୍ମାଣ
ବୋଲନ୍ତି ଶ୍ରୀଶୁକ ମୁନି ପରୀକ୍ଷିତ ଜାଣ
ସୁଧର୍ମା ସଭାରେ ଇନ୍ଦ୍ର ଦେବତାଙ୍କ ଆଗେ
ଭବିଷ୍ୟ ପୁରାଣ ବ୍ରହ୍ମା କହି ଶାସ୍ତ୍ରଯୋଗେ
ସେ କଥା କହିଲୁ ଆମ୍ଭେ ତୋତେ ରାଜନିଧି
ଏକମନେ ଶୁଣ ତୋର ବାଞ୍ଛା ହେଉ ସିଦ୍ଧି
ଜୟ ଶ୍ରୀଗୋପାଳ ବାଳ ଶ୍ରୀମଧୁସୂଦନ
ଅଚ୍ୟୁତ ଦାସକୁ ଦିଅ ତବ ପାଦେ ସ୍ଥାନ
ବୋଲନ୍ତି ଯେ ପରୀକ୍ଷିତ ଶୁଣ ତପୀସାଇଁ
ଦେବସଭାରେ ଏମନ୍ତ ବିଚାର ପଡ଼ଇ
ସେ କଥାମାନ ମୋ ଆଗେ କହ ତପୋନିଧି
ଏକମନ ହୋଇ ଶୁଣେ ହେଉ ବାଞ୍ଛା ସିଦ୍ଧି
ଏମନ୍ତ ପରୀକ୍ଷରାଜ ଶୁକଙ୍କୁ ପଚାରି
କହନ୍ତି ତାହାଙ୍କ ଆଗେ ଶୁକ ବ୍ରହ୍ମଚାରୀ
ବ୍ରହ୍ମାଙ୍କ ବଚନ ଶୁଣି ସବୁ ଦିଗପାଳେ
ଦୁର୍ଗାଙ୍କୁ ସ୍ତୁତି କରିଣ କହନ୍ତି ବିକଳେ
ଜୟ ତୁ ଜୟ ତୁ ଦୁର୍ଗେ ଦୁର୍ଗତିନାଶିନୀ
ପରମ ଯୋଗେଶ୍ୱରୀ ଗୋ ସଂସାରମୋହିନୀ
ଅନାଦି ଶକ୍ତି ତୁ ମାଗୋ ଅଟୁ ମହାମାୟା
ଓଁ କାର ମୂଳମନ୍ତ୍ରରୁ ଜାତ ତୋର କାୟା
ସଚରାଚର ତୋ ଗର୍ଭୁ କଲୁ ମାଗୋ ଜାତ
ସକଳ ଲୋକପାଳିନୀ ଆଦି ବୁଦ୍ଧିମାତ
ଅଶୁଭ ଶୁଭ କର୍ମର ଅଟୁ ତୁ କାରିଣୀ
ଭାରା ନିବାରଣେ ଦୈତ୍ୟକୁଳ ସଂହାରିଣୀ
ଡମ୍ବରୁ ଖଟ୍ୱାଙ୍ଗକରେ ଶୂଳ ଚକ୍ର କାତି
ଗଦା ମୁଦୁଗର ଧନୁ ତୀର କୁନ୍ତ ଶକ୍ତି
ପରିଘ କୁଠାର ଆଦି ଶସ୍ତ୍ର ପାଏ ଶୋଭା
ଫଳାଆଢ଼େଣି ଯଷ୍ଟି କନକ କମ୍ବୁ ପ୍ରଭା
ଅପ୍ରମିତ ଆୟୁଧରେ ଶୋଭା ଭୁଜଦଣ୍ଡ
ଗର୍ଭରେ ଧରିଛୁ ମାଗୋ ଅନନ୍ତ ବ୍ରହ୍ମାଣ୍ଡ
କାତି ଖପର ଖଣ୍ଡା ତୋ ଗଳେ ମୁଣ୍ଡମାଳି
ଶ୍ମଶାନବାସିନୀ ମାତା ତୁ ଯେ ଭଦ୍ରକାଳୀ
ଖକାଭ୍ର କେଶ ତୋହର ଆକାଶରେ ଶିଖା
ଅନନ୍ତା ଯେ ଦେବମାତା ତୁହି ଅଟୁ ଏକା
କଙ୍କାଳୀ ବେତାଳୀ ତୁ ଗୋ ଭୈରବୀମାତଙ୍ଗୀ
ରୁଧିର ଲେପନ ତୁ ଗୋ ଯୋଗ୍ନୀଗଣ ସଙ୍ଗୀ
ଚଣ୍ଡୀ ତୁ ଚାମୁଣ୍ଡା ମାଗୋ ଚଣ୍ଡଘଣ୍ଟ କାଳୀ
ମତ୍ତମାତଙ୍ଗିନୀ ତୋର ରଣରଙ୍ଗେ କେଳି
ଆଦିଗୁପ୍ତ ନାମ ତୋର ଅମ୍ବା ଅମ୍ବାଳିକା
ତୋ ରୂପକୁ ଦେଖି ଦେଖି ଦୈତ୍ୟଙ୍କର ଶଙ୍କା
କାଳିକା କରାଳି ମାଗୋ ଭୟଙ୍କର ବେଶ
ବିକଟ ବଦନ ତୋର ମୁକୁଳିତ କେଶ
ଲହ ଲହ ଜିଭ ତୋର ସିନ୍ଦୁରରେ ମଣ୍ଡି
ଚାଚିକା ଚନ୍ଦ୍ର ଘଣ୍ଟା ତୋ ନାମ ରଣଚଣ୍ଡୀ
ମହାମତ୍ତ କେଶରୀ ତୋ ବାହନ ଅଟଇ
ଏକା ନିଃଶ୍ୱାସକେ ସେ ଯେ ଜଗତ ଘୋଟାଇ
ମେଦମେଦାମାଂସେ ମାଗୋତୃପ୍ତି ତୋରକାୟା
ନ ଜାଣନ୍ତି ସନକାଦି ଋଷି ତୋର ମାୟା
ଶୁମ୍ଭ ଯେ ନିଶୁମ୍ଭ ଚଣ୍ଡ ରକ୍ତବୀର୍ଯ୍ୟ ବୀର
ଧରଣୀ ନ ସହେ ମା ଗୋ ତାଙ୍କ ପାଦଭାର
ମହିଷାସୁର ସହିତେ ଦୈତ୍ୟ ମହାବଳୀ
କିଞ୍ଚିତ ସମରେ ସଂହାରିଲ ଭଦ୍ରକାଳୀ
ତୁହି ସେ ଜଗତ ଭାରାଭର ଉଦ୍ଧାରନ୍ତା
ଭକତବତ୍ସଳା ତୁ ଗୋ ଭକ୍ତିମୁକ୍ତି ଦାତା
ଅପାରୁ ଅପାର ମାଗୋ ତୋହର ମହିମା
ଦଇତମର୍ଦ୍ଦନୀ ତୋର ନାମ ଅଟେ ଉମା
ସ୍ଥାବର ଜଙ୍ଗମ କୀଟ ଆଦି ଯେ ପତଙ୍ଗ
ସକଳେ ତୋ ତହୁଁ ଜାତ ତୁହିଁ ତାଙ୍କ ଅଙ୍ଗ
ହବି ହୋମ ସନ୍ଧ୍ୟାଦିର ତୁହିଁ ସେ କାରିଣୀ
ଅଯୋନିସମ୍ଭୂତା ମା ଗୋ ତୁହି ଠାକୁରାଣୀ
ରକ୍ଷଣୀ ଭକ୍ଷଣୀ ମାଗୋ କୋପାନଳ ଶାନ୍ତି
କାପିନୀ ତାପିନୀ ମାଗୋ ତୁହି ଚନ୍ଦ୍ରକାନ୍ତି
ଭାବେ ଈଶ୍ୱରଙ୍କୁ ଯହୁଁ ବରିଲୁ ତୁ ବର
ତେଣୁ ଈଶ୍ୱରଙ୍କୁ ବୋଲି ଭବାନୀ ଶଙ୍କର
ଶିବ ଶକ୍ତି ସମ ଯୋଗେ ସୃଷ୍ଟି ଆତଯାତ
ଅଭୟା ଅପର୍ଣ୍ଣା ମାଗୋ ଆଦି ବୃଦ୍ଧମାତ
ପ୍ରାଣୀମାନଙ୍କର ମାତ ତୁହି ଅଟୁ ପ୍ରାଣ
ଅନାଥ ବାନ୍ଧବ ଅକାରଣକୁ କାରଣ
ଅପାର ମହିମା ତୋର ନୁହେଁ ଶେଷ କରି
କର ଅନୁଗ୍ରହ ମା ଗୋ ପରମଈଶ୍ୱରୀ
କଣ୍ଠେ ଆଭରଣ ହୁଅ ମୋର ଭଗବତୀ
ତବ ପ୍ରସାଦରୁ ଯାଉ ସକଳ ଦୁର୍ଗତି
ଧର୍ମ ଅର୍ଥ କାମ ମୋକ୍ଷ ଚାରି ଗତି ଦେବା
ଜନ୍ମେ ଜନ୍ମେ ତବପାଦେ ହେଉ ମୋର ସେବା
ତୋର ପ୍ରସନ୍ନେ ତରିବି ମାଗୋ ହରିବଂଶ
ଯା ଶ୍ରବଣେ ଧ୍ୱଂସ ହେବ କଳି କଳମଷ
ମାଗଇ ଅଚ୍ୟୁତ ଦାସ ତୋ ପାଦେ ଭକତି
ସୁଦୟା କରିଣ ମାତ ଫେଡ଼ ମୋ ଦୁର୍ଗତି
ଏସନକ ସ୍ତୁତି ଯହୁଁ କଲେ ସ୍ୱର୍ଗବାସୀ
ପ୍ରସନ୍ନ ହୋଇଲେ ଦୁର୍ଗା ତତକ୍ଷଣେ ଆସି
ମହାମତ୍ତ ସିଂହ ପରେ ଚଢ଼ି ଅତି ବେଗେ
ଧାତିକାରେ ମିଳିଲେ ସେ ଦେବତାଙ୍କ ଆଗେ
ପାରୁଶେ ଅନେକ କୋଟି ଦେବୀ ଛନ୍ତି ମିଳି
ବନ୍ଦାନ୍ତି ଯୋଗିନୀଗଣେ ଘେନି ଅର୍ଘ୍ୟସ୍ଥାଳୀ
ଚଉଷଠି ପିଶାଚୁଣୀ ଧରିଣ ଚାମର
ଏସନକ ଗହଣରେ ଦେବୀ ଅଗ୍ରସର
କରତାଳ ହୁଳହୁଳି ମର୍ଦ୍ଦଳ ଘୁମୁରା
ପାଟଛତ୍ର ଆଲମ୍ବ ଧରନ୍ତି ଉଗ୍ରତାରା
ତାମ୍ବୁଳ ବିଟିକା ଦେବ ଅଙ୍ଗବସ୍ତ୍ର ଘେନି
ପଛରେ ଗୋଡ଼ାଇଛନ୍ତି ଦେବୀ କାତ୍ୟାୟିନୀ
ସହସ୍ର କୋଟି ଅପ୍‌ସରୀ ଇନ୍ଦ୍ର ବିଳାସିନୀ
ଅଧାସ୍ୱର୍ଗେ ପୁଷ୍ପବୃଷ୍ଟି କରୁଛନ୍ତି ଆଣି
କେତେ ଦେବୀ ରଥ ଗଜ ଅଶ୍ୱର ଉପରେ
କେତେ ଦେବୀ ବସିଛନ୍ତି ସିଂହ ବାହନରେ
କେହି ଭୟଙ୍କରୀ ଶାନ୍ତ ବଦନ ପ୍ରକାଶି
ଦେବତାଙ୍କ ଛାମୁରେ ସେ ମିଳିଲେକ ଆସି
ଦୁର୍ଗା ପ୍ରସନ୍ନ ବଦନ ଦେଖି ସୁରନାଥେ
ବିନୟରେ କୃତାଞ୍ଜଳି ହୋଇଲେ ସମସ୍ତେ
ଗନ୍ଧର୍ବ ଯେ ବିଦ୍ୟାଧର ଦେବତା ସକଳ
ଦୁର୍ଗାଙ୍କ ମୁଖ ଚାହିଁଣ ହୁଅନ୍ତି ବିକଳ
ବେଳେବେଳେ ମାଗୋ କରୁ ଆମ୍ଭଙ୍କୁ ତୁ ରକ୍ଷା
ଧ୍ୱଂସମୁଖୀ ପୃଥ୍ୱୀ ହେଲା ଦେଲା ତେବେ ଦେଖା
ମାଗୋ ତୁମ୍ଭର ସଞ୍ଚିଲା ସିନା ବସୁନ୍ଧରୀ
କେମନ୍ତେ ଏ କଂସ ଉପଦ୍ରବୁ ହେବୁ ପାରି
ତୁହି ମାତ ଅନୁଗ୍ରହ କରି ଏତେବେଳେ
ନୋହିଲେ ପଡ଼ିବ ନିଶ୍ଚେଁ ପୃଥ୍ୱୀ ରସାତଳେ
ଅନେକ ବ୍ୟାକୁଳ ଯହୁଁ ହେଲେ ଶଚୀପତି
ପ୍ରସନ୍ନ ହୋଇ ବୋଲନ୍ତି ଦେବୀ ଭଗବତୀ
ଏହି ପ୍ରତିବାକ୍ୟ ଦ୍ୟନ୍ତି ଦେବୀ ମହାମାୟେ
ଆହୋ ଦେବେ କାହାକୁ ଯେ ଏଡ଼େ ତୁମ୍ଭଭୟେ
କିପାଁଇ ସକଳ ଦେବେ ହେଉଛ ଉଚ୍ଚାଟ
ତୁମ୍ଭର ଭକତି ଘେନି ଫେଡ଼ିବୁ ଏ କଷ୍ଟ
ଦେବେ ବୋଇଲେ ଗୋ ମାତ ସାବଧାନେ ଶୁଣ
ମଥୁରା ନଗରେ ରାଜା ଅଟେ ଉଗ୍ରସେନ
ତାର ପାଟ ମହାଦେଇ ନାମ ଇନ୍ଦୁମତୀ
ରତିସମ ସୁନ୍ଦରୀ ସେ ଅଟେ ମହାସତୀ
ଋତୁସ୍ନାନ ଅର୍ଥେ ସେ ଯେ ଗଲା ଯମୁନାକୁ
ଦୃମିଳ ଅସୁର ବଳେ ଧଇଲା ତାହାକୁ
କାମରୂପୀ ଅସୁର ସେ ଆଚରିଣ ମାୟା
କପଟେ ଧଇଲା ଦୁଷ୍ଟ ଉଗ୍ରସେନ କାୟା
ପତିବ୍ରତା ଅଟଇ ସେ ଇନ୍ଦୁମତୀ ନାରୀ
ଅସୁର ମାୟା ନ ଜାଣି ପାରିଲା ସୁନ୍ଦରୀ
ଯୁକତେ ସେ ରଜୋବତୀ ଶୁଦ୍ଧସ୍ନାନଦିନ
ନିଜ ସ୍ୱାମୀ ମଣି କଲା ଶରୀର ଅର୍ପଣ
ଶୃଙ୍ଗାର ପ୍ରବନ୍ଧେ ମାତି ହୋଇଣ ହରଷ
ବିବିଧ ବିନୋଦେ ଦୁହେଁ କଲେ ରତିରସ
ଅସୁର ଭାର ନ ସହି ଅସାଷ୍ଟମ ହେଲା
ଢଳି ପଡ଼ିଣ ମହୀରେ ରାଣୀ ମୂର୍ଚ୍ଛା ଗଲା
କ୍ଷଣକେ ଚେତା ପାଇଣ ବସିଲାକ ଉଠି
ଅସୁର ମୁଖକୁ ରାଣୀ ଚାହିଁଲା ଲେଉଟି
ସର୍ବାଙ୍ଗ ଶରୀର ତାର ନିରୋପିଣ ଚାହିଁ
ଉଗ୍ରସେନର ରୂପକୁ ନ ଦେଖିଣ ତହିଁ
ବେଳୁଁ ବେଳ ମନରେ ସେ ପାଇଣ ବିଖଣ୍ଡ
ଦାନବକୁ ଚାହିଁ ରାଣୀ କୋପରେ ପ୍ରଚଣ୍ଡ
ନୋହୁ ଉଗ୍ରସେନ ତୁରେ ନୋହୁ ପ୍ରାଣନାଥ
କେବଣ ପାମର ତୁରେ କହ ମୋତେ ସତ୍ୟ
ସ୍ୱାମୀର ରୂପକୁ ମୋର ଧଇଲୁ କପଟେ
ବଳେ ବିଡ଼ମ୍ବନା ଆସି କଲୁ ଜଳଘାଟେ
ରାଜାର ବଲ୍ଲଭୀ ମୁହିଁ ରାଜାର ଦୁଲାଳୀ
ପବିତ୍ର କୁଳରେ ମୂଢ଼ ଲଗାଇଲୁ କାଳି
ଭାଙ୍ଗିଲୁ ମୋ ପତିବ୍ରତ ବିଧ୍ୱଂସିଲୁ ମୋତେ
ସରିଲା କଥାରେ ଆଉ କି ବୋଲିବି ତୋତେ
ଭୋ ଧର୍ମଦେବତା ତୁମ୍ଭେ ଏଥେ ହୁଅ ସାକ୍ଷୀ
ଶାପ ଦେଉଅଛି ଏହା ଦୋଷ ମୁହିଁ ଦେଖି
ମୁଁ ଯେବେ ଏହାକୁ ଜାଣି ଦେଇଥିବି ରତି
ଏ ଜନ୍ମରୁ ପ୍ରତିଜନ୍ମେ ହେବି ବେଶ୍ୟାଜାତି
ଆହେ ଚନ୍ଦ୍ରସୂର୍ଯ୍ୟ ମୋର ଏଥେ ଦୋଷନାହିଁ
ଏଡ଼େ କପଟ ଚରିତ୍ର ନ ଜାଣଇ ମୁହିଁ
ଆରେରେ ପାମର ଶାପ ଘେନସି ମୋହର
ଯେଉଁ ରେତ ମୋ ଗର୍ଭରେ ରହିଲା ତୋହର
ଏହି ପୁତ୍ର ବଳେ ତୋର ପ୍ରାଣନାଶ କରୁ
ମୁହିଁ ଯେବେ ସତୀ ମୋର ଶାପ ତୋତେଫଳୁ
ଶୁଣିଲୁ ତୁ ମହାମାୟା କଂସ ଆଦିକଥା
ଏକାଙ୍ଗ ଚକ୍ରବର୍ତ୍ତୀ ସେ ହେଲା ମହାରଥା
ଗୋମତ ପର୍ବତେ ଥିଲା ଦୃମିଳ ରାକ୍ଷସ
ଦିଗ୍‌ବିଜୟ କାଳେ ତାକୁ ବଧ କଲା କଂସ
ସେ ଦୁରାତ୍ମା ମହାସତୀ ଶାପେ ନାଶଗଲା
ତା ବୀର୍ଯ୍ୟରୁ ଜନ୍ମି କଂସ ରାକ୍ଷସ ହୋଇଲା
ସ୍ୱର୍ଗ ମର୍ତ୍ତ୍ୟ ପାତାଳେ କେ ନ ପାରିଲେ ରହି
ତେଣୁ ତୋତେ ଜଣାଇଲୁ ଆମ୍ଭେ ଭୟପାଇ
ଉପାୟ ତୁହି କରିବୁ ଯେବେ ଭଗବତୀ
ତୋ ଯୋଗୁଁ ପାଇବ ରକ୍ଷା ଚରାଚର ପୃଥ୍ୱୀ
ମାଗୋ ଆମ୍ଭର ବଚନ କହୁଁ ତୋର ଆଗେ
କଂସ ମରଣ ପାଇବ ଯେବଣହିଁ ବାଗେ
ଭବିଷ୍ୟ ପୁରାଣେ ଉକ୍ତି ଅଛି ଯେଉଁ ବାଣୀ
ବେଦ ବେଦାନ୍ତ ଶଙ୍କର ମୁଖୁଁ ଅଛୁ ଶୁଣି
ଶ୍ରୀକୃଷ୍ଣ ଜନ୍ମ ହୋଇବେ ବସୁଦେବ ଘରେ
ବଢ଼ିବେ ଗୋପରେ ବାଳ ଗୋପାଳ ସଙ୍ଗରେ
ଗୋଗୋଷ୍ଠେ ନନ୍ଦଗଉଡ଼ ଅଟେ ଅଧିକାରୀ
ଯଶୋଦା ନାମେ ତାହାର ଅଟେ ମନୋହାରୀ
ପୂର୍ବ ହେତୁ ଘେନି ସେହି ଅଛି ଅବତରୀ
ରାମକୃଷ୍ଣଙ୍କୁ ପାଳିବ ପୁତ୍ରସମ କରି
ମାଗୋ ତୁମ୍ଭେ ଯଶୋବନ୍ତୀ ଗର୍ଭେ ହେବଜାତ
ବିଜୁଳି ସଂଜାତ ରୂପ ହୋଇବ ଗୋ ମାତ
କପଟରେ ବସୁଦେବ ନେବ ପାଲଟାଇ
ତୁମ୍ଭଙ୍କୁ ସେ ଘେନିଯିବ ଶ୍ରୀକୃଷ୍ଣଙ୍କୁ ଥୋଇ
ତୋ ପାଦ ଧରିଣ କଂସ ପିଟିବ ଶିଳାରେ
ତା ହସ୍ତରୁ ଖସିଯାଇ ରହିବୁ ଶୂନ୍ୟରେ
ଉଚ୍ଚାଟ କରିଣ କଂସେ ଆସିବୁ ଗୋ ମାଏ
ଅମର କଣ୍ଟକ କଂସ ଯେଣେ ଯିବ କ୍ଷୟେ
ଯଦି ଆମ୍ଭଠାରେ ମାତ ଅଛି ତୋର ଦୟା
ପୃଥ୍ୱୀଭାର ନିବାରଣ କର ମହାମାୟା
ବିନୟ ହୋଇଣ ଦେବେ ବୋଲନ୍ତି ଗୋ ମାଏ
କହ କେମନ୍ତେ ରହିବୁ ଆମ୍ଭେ ଦେବତାଏ
ଦେବୀ ବୋଇଲେ ତୁମ୍ଭେ ନ ଭାଳ କଦାଚିତେ
ଅବଶ୍ୟ ହୋଇବୁ ଆମ୍ଭେ ଜାତ ତୁମ୍ଭ ହିତେ
ବଳଭଦ୍ର ହୁଅନ୍ତୁ ଯେ ଆଗେ ଅବତାର
ତଦନ୍ତେ ଆମ୍ଭେ ଜନ୍ମିବୁ ଯଶୋଦା ଗର୍ଭର
ଯେମନ୍ତେ ପ୍ରାଣେ ବିନାଶ ହେବ କଂସ ରାୟେ
ଅମର କଟକ ରକ୍ଷା କରିବୁ ଉପାୟେ
ଏତେ କହି ଦେବୀ ତହୁଁ ଗଲେ ଶୂନ୍ୟମାର୍ଗେ
ଗୋପନଗରେ ପ୍ରବେଶ ହେଲେ ଯାଇ ବେଗେ
ଦେଖିଲେ ଯମୁନା ନଦୀ ଜଳ ପରିମଳ
ଅପୂର୍ବ କୁଞ୍ଜବନକୁ ନାହିଁ ପଟାନ୍ତର
କରିଲେକ ମାହେଶ୍ୱରୀ ପ୍ରଶଂସା ଅପାର
ନନ୍ଦନବନୁ ଅଧିକ ପାଉଛି ସୁନ୍ଦର
ନନ୍ଦନ ବନରୁ ତରୁ ବିଶ୍ୱକର୍ମା ଆଣି
ଗୋବିନ୍ଦ ଜାତ ନିମନ୍ତେ ଅଛଇ ନିର୍ମାଣି
ପରମ ଆନନ୍ଦ ହେଲେ ବନ ଦେଖି ଉମା
ବୋଇଲେ ଧନ୍ୟ ଏ ଗୋପପୁରର ମହିମା
ଏମନ୍ତ ପ୍ରଶଂସା କରି ଦେବୀ ଶାକମ୍ଭରୀ
ଅନ୍ତର୍ଦ୍ଧାନେ ଗଲେ ତହୁଁ ବେଳକାଳ ଧରି
ପ୍ରଥମେ ତ ବଳରାମ ହୋଇଲେ ସମ୍ଭୂତ
ଦେବକୀ ଦେବୀର ଗର୍ଭେ କୃଷ୍ଣ ହେବେ ଜାତ
ଯଶୋବନ୍ତୀ ଗର୍ଭୁ ଦୁର୍ଗା ଜନମ ହୋଇବେ
ଏମନ୍ତ ସଞ୍ଚିତ କଲେ ମିଳି ସର୍ବଦେବେ
ଶୁକ ବୋଲନ୍ତି ଶୁଣିଲ ପରୀକ୍ଷ ନୃମଣି
ଏ ଅଟଇ ହରିବଂଶ ପବିତ୍ର କାହାଣୀ
ଦେବ ସଭାପର୍ବ ଏ ଯେ ପୁଣ୍ୟମୟ ଗୀତ
ଶୁଣିଲେ ହରଇ ପାପ କହଇ ଅଚ୍ୟୁତ
ଶୁଣ ପରୀକ୍ଷିତ ରାଜା ପୂର୍ବର ଯେ କଥା
ବଳଦେବଙ୍କର ଆଦ୍ୟଜନ୍ମର ବାରତା
ଶତେ ସପତ ଉତ୍ତର ବସୁଦେବ ରାଣୀ
ସବୁହୁଁ ଜ୍ୟେଷ୍ଠ ଭାରିଯା ଅଟଇ ରୋହିଣୀ
ବୃହ ନାମରେ ଯାଦବ ଅନ୍ଧବଂଶେ ଜାତ
ତା ଜ୍ୟେଷ୍ଠ ଦୁହିତା ନାମ ରୋହିଣୀ ବିଦିତ
ବୃଷ୍ଣିବଂଶୀ ସୁଦେବର ବସୁଦେବ ବଳା
ପବିତ୍ର କୁଳ ଦେଖିଣ କନ୍ୟା ତାକୁ ଦେଲା
ଭୋଜବଂଶ ଉଗ୍ରସେନ ମଥୁରା ରାଜନ
ଦେବକୀ ନାମେ କନ୍ୟାକୁ ପଛେ କଲା ଦାନ
ନନ୍ଦନାମେ ଗୋପାଳ ଗୋଗୋଷ୍ଠେ ଅଧିକାରୀ
ଯଶୋଦା ନାମେ ଭାରିଯା ଅଟଇ ତାହାରି
ରୋହିଣୀର ସଙ୍ଗାତ ସେ ଅଟେ ବାଳକାଳେ
ପିତାଘରେ ଥାଇ ଅବିବାହୀ ଥିବାବେଳେ
ବସୁଦେବ ରୂପେ ଜାତ କଶ୍ୟପ ଯେ ମୁନି
ମଥୁରାରେ ଜାତ ସଙ୍ଗେ ଅଦିତିକୁ ଘେନି
ଦେବକୀ ରୂପେ ଅଦିତି ଦେବୀ ଜାଣ ଜାତ
ଉଗ୍ରସେନର ଦୁହିତା ଅଟେ ଦେବମାତ
ସେ ଦେବୀର ଗର୍ଭେଜାତ ହେବେ ବେନିରୋମ
ରାମକୃଷ୍ଣ ରୂପେ ବ୍ରହ୍ମା କରାଇଲେ ଜନ୍ମ
ବିଷ୍ଣୁର ଆର୍ଦ୍ଦୋଳି ସହିବାକୁ ସେ ଭାଜନ
ତା ବିନୁ ବିଷ୍ଣୁଙ୍କୁ ଗର୍ଭେ ଧରିବ କେ ଆନ
ମଧୁବନ କଟକେ ସେ ଅଛି ଜାତ ହୋଇ
ସଂସାରେ ଜାତ ଗୋମାତାଠାରୁ ଶାପ ପାଇ
ପରୀକ୍ଷିତ ବୋଲେ ମୁନି ଅଗୋଚର କଥା
ଅଦିତି ଦେବୀ କେମନ୍ତେ ଉଗ୍ରସେନ ସୁତା
ଦେବଙ୍କୁ ଯେବଣ ଆଦିମାତା ଜାତକଲା
ସେ କେମନ୍ତେ ଉଗ୍ରସେନ ଦୁହିତା ହୋଇଲା
ଉଗ୍ରସେନ ନୃପ ପୂର୍ବୁ ହୋଇଥିଲା ଜାତ
ଏ କଥା ସଂକ୍ଷେପି ମୋତେ କହ ତପୋବନ୍ତ
ଫିଟିବ ଭ୍ରାନ୍ତି ମୋ ମନୁ ଛାଡ଼ିଯିବ ବ୍ୟଥା
ମଳୟ ବନେ ଲାଗିବା ପ୍ରାୟ ଏହି କଥା
ଶୁକମୁନି ବୋଇଲେ ତୁ ଶୁଣ ନୃପବର
ଶଙ୍କର ନାମରେ ପୂର୍ବେ ରୁଦ୍ର ଅବତାର
ଏକାଦଶ ରୁଦ୍ରଙ୍କର ଅଟେ ଅଗ୍ରଲେଖା
ଇଶ୍ୱର ଦେବତାଙ୍କର ଅଟେ ଏକଶାଖା
ପଶ୍ଚିମ ଦ୍ୱାରପାଳ ସେ କପିଳାସବାସୀ
ଅନେକ ଦୟା କରନ୍ତି ତାକୁ କାଶୀବାସୀ
ଅକ୍ଷୟ ପୁରୁଷ ଅଜ୍ରାମର ଯୋଗେଶ୍ୱର
ଅଷ୍ଟଧାତୁ ନବନାଟ ବିଦ୍ୟା ଅଟେ ଯାର
ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ ବିଧି
ନୟନ ଅଞ୍ଜନ ଜାଣେ ପାଦୁକା ଔଷଧି
ଜଡ଼ି ଔଷଧି ମୂଳିକା ମନ୍ତ୍ର ଆଦି ଯେତେ
ସର୍ବଗୁଣେ ସମ୍ପନ୍ନ ତା କହିବି ମୁଁ କେତେ
କେବଣ ଦିନେ ଶଙ୍କର ରୁଦ୍ରଦେବ ସ୍ୱାମୀ
ସ୍ୱର୍ଗ ଭୁବନକୁ ଗଲେ ହୋଇ ବୃଷଗାମୀ
ଡିବିଡିବି ଡମ୍ବରକୁ ବଜାନ୍ତି ଯେ ଯୋଗୀ
କଣ୍ଠେ ମୁଣ୍ଡମାଳ ଶିରେ ଶୋହେ ମହାଭୋଗୀ
କେତେହେଁକ ଦୂରେ ସୁରନଦୀର ନିକଟେ
ଦେଖିଲେ ଅଦିତିଦେବୀ ବସି ଜଳଘାଟେ
ବାଲୁକା ଲିଙ୍ଗ ସ୍ଥାପିଣ ମୌନବ୍ରତ ହୋଇ
ପୂଜଇ ସେ ଧୂପ ଦୀପ ନଇବେଦ୍ୟ ଦେଇ
ଷୋଡ଼ଶ ଉପଚାରରେ ପୂଜାବିଧି ସାରି
ଜପେ ଏକମନ ଦଶଇନ୍ଦ୍ରି ରୋଧକରି
ଏ ସମୟେ ରୁଦ୍ରଦେବ ବାଟେ ଯାଉଥିଲେ
ସୁନ୍ଦରୀର ଘୋର ତପ ଦେଖିଣ ରହିଲେ
ଖଣ୍ଡେଦୂରେ ଥାଇ ଦେଲେ ଦେବୀପରେ ଦୃଷ୍ଟି
ପୂର୍ବେ ମହାମନ୍ତ୍ରେ ବାମା ଲଭି ମହାତୁଷ୍ଟି
ଷୋଡ଼ଶ ମହାମନ୍ତ୍ରେ ସେ ଷୋଳପୂଜା ସାରି
ଗଡ଼ଘାଲି ଶୁଏ ବାମା ପ୍ରଦକ୍ଷିଣ କରି
ସୁନ୍ଦରୀର ଏ ଭକତି ଦେଖି ଯୋଗେଶ୍ୱର
ଧାତିକାରେ ସୁପ୍ରସନ୍ନ ହୋଇଲେ ଶଙ୍କର
ଅଦିତିକୁ ବୋଲନ୍ତି ଯେ ଦେବ ପଶୁପତି
କେବଣ କାରଣେ ତପ କରୁଛୁ ଯୁବତୀ
ସୁକୁମାରୀ ସୁନ୍ଦରୀ ତୁ ସୁଲକ୍ଷଣୀ ବାଳୀ
ତପ କରିବାର କାଳ ନୁହଇ ତୋହରି
ପତି ତୋହର କଶ୍ୟପ ଅଟେ ମହାତେଜା
ପତି ଜୀବିତ ଥାଉ ତୁ ଆନେ କରୁ ପୂଜା
ଏ କଥା ତ ନ ଯୋଗାଇ ଯାଅ ନିଜପୁରେ
ସ୍ୱାମୀର ପାଦସେବା ତୁ କର ନିରନ୍ତରେ
ବ୍ରାହ୍ମଣ ଶାସନ କିବା ଆନେ ଦାନଦେବା
ଏ ବିଚାର ନ କରି ତୁ ପୁଜୁ ଆନଦେବା
ବିଦ୍ୟାବନ୍ତ ଥାଉ କିଗୋ ଆନେ ମାନ୍ୟକରି
ମାତା ଥାଉ ମାଉସୀକୁ ପୁତ୍ର କି ଆଦରି
ପୃଥ୍ୱୀ ଥାଉ ସମୁଦ୍ରରେ ବରଷେ କି ପାଣି
ଭୋଜନ ଛାଡ଼ି କେହି କି ପିଏ ପଣାପାଣି
ଧନବନ୍ତ ଲୋକକୁ କେ ଯାଚିଦେଇ ଅନ୍ନ
ଭାଗବତ ଛାଡ଼ି ଶୁଣେ କେ ଆନ ପୁରାଣ
ଆପେ ଦୁଃଖି କୁଟୁମ୍ବେ କି ଆଶା ରଖିଥାଇ
ଶଙ୍କର ବୋଲନ୍ତି ଏଥେ କିଛି ପୁଣ୍ୟ ନାହିଁ
ସୁଲକ୍ଷଣ ସୁନ୍ଦରୀ ତୁ ସଦା ନବଯୁବା
କଶ୍ୟପ ପତି ତୁ ପାଇ ହେବୁ କି ବିଧବା
ଅକାରଣେ କାହିଁପାଇଁ କରୁଅଛୁ ତପ
ଆମ୍ଭ ଆଗରେ ତୁ କହ ଏଥିର ସ୍ୱରୂପ
ଅଦିତି ବୋଇଲେ ତୁମ୍ଭେ ଶୁଣ ଶୂଳପାଣି
ତୁମ୍ଭେ ଜାଣ ମୋର ତେରଗୋଟା ସପତଣୀ
ସ୍ତୀରୀଙ୍କୁ ତ ସପତଣୀ ଜ୍ୱଳା ବଡ଼ କଷ୍ଟ
ପତ୍ନୀଭ୍ରଷ୍ଟା ହେଲେ ପତି ଜାଣ ଯାଇ ନଷ୍ଟ
ସପତଣୀ ଜ୍ୱାଳା ସହି ନ ପାରିଲି ଆଉ
କାଷ୍ଠ ପାଷାଣ ନୁହେଁତ ସହ୍ୟ ହେବ କାହୁଁ
ଏଡ଼େ ସେ ଚାଣ୍ଡାଳ ମୁନି ପାଶେ ନ ରଖିଲେ
କିଛି ଦୋଷ ନାହିଁ ମୋତେ ଅଭାଗିନୀ କଲେ
ତେଣୁ ଈଶ୍ୱରଙ୍କୁ ମୁହିଁ କରୁଅଛି ସେବା
ଏହା କଲେ ମୁନି ମୋତେ ଭଲପାନ୍ତି ଅବା
ତୁମ୍ଭେ ଯେ ଏ କଥା ଗୋଟା ବୁଝ ତଥ୍ୟକରି
ମୋର ଦୋଷ ହେଲେ ମୋତେ ଦଣ୍ଡ ତ୍ରିପୁରାରି
ରୁଦ୍ର ବୋଇଲେ ଯେ ତୋର କିଛି ଦୋଷନାହିଁ
ଆମ୍ଭେ ତ ଭେଟିଲୁ ତୋତେ କରିବାକୁ ତ୍ରାହି
ତୋହର ପୂଜାରେ ଆମ୍ଭେ କଲୁ ତୋତେସ୍ନେହ
ସତ୍ୟ କହୁଅଛି ନିଶ୍ଚେଁ ସ୍ୱାମୀ ହେବ ପ୍ରିୟ
ଅଷ୍ଟଧାତୁ ନବନାଟ ସକଳ ଔଷଧି
ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ ସିଦ୍ଧି
ଜାଣୁ ଆମ୍ଭେ କପିଳାସ କନ୍ଦରେ ତ ବୈଦ୍ୟ
ଔଷଧି ମୌଷଧି ସବୁ ଅଟେ ଆମ୍ଭ ସାଧ୍ୟ
ନିର୍ଦ୍ଦୋଷେ କଶ୍ୟପ ତୋତେ ଦୂର କରିଛନ୍ତି
ଏକାଙ୍ଗ ପ୍ରିୟବତୀ ତୁ ହୋଇବୁ ଏ ଘାନ୍ତି
ଧନ ପୁତ୍ରବତୀ ତୁଗୋ ହୋଇବୁ ଏଥର
ସପତଣୀଙ୍କୁ ଯେ ମୁନି କରିବେ ଅନ୍ତର
ଏଥକୁ ଯେ ଅଊଷଧି ଦେବୁ ମହାସତୀ
ଆଜହୁଁ ତୁ ମୁନିଙ୍କର ହେବୁ ପ୍ରିୟବତୀ
ଯେବଣ ଔଷଧି ଦୁର୍ଗା ଇଶ୍ୱରେ ମୋହିଲେ
ନାରାୟଣଙ୍କୁ ଯହିରେ ଲକ୍ଷ୍ମୀ ବଶ କଲେ
ଇନ୍ଦ୍ରଙ୍କୁ ମୋହିଲେ ଯେଉଁ ଅଉଷଧେ ଶଚୀ
ସେହି ଅଉଷଧିମାନ ଆମ୍ଭ ତହିଁ ଅଛି
ଆମ୍ଭେ ତୋତେ ସୁପ୍ରସନ୍ନ ହୋଇଲୁ ଗୋ ଆଜ
ଉଦଯୋଗ କରନ୍ତେ ସେ ସିଦ୍ଧ ହେବ କାର୍ଯ୍ୟ
ଏତେ ବୋଲି ମୂଳଖଣ୍ଡି କାଢ଼ିଲେ ଶଙ୍କର
ଦେଲେ ସୁପ୍ରସନ୍ନ ହୋଇ ଅଦିତିର କର
ବୋଇଲେ ଏ ମୂଳଖଣ୍ଡି ଘେନ ତୁ ଗୋ ବାଳେ
ଗୋଚିନାମିଶାଇ ଏହା ବାଟିବୁ ତୁ ଶିଳେ
ଖଣ୍ଡ ଲବଣୀ ମିଶାଇ ଘେନିବୁ କପାଳେ
ଚାହିଁବାମାତ୍ରେ ତୋ ବଶ ହେବେ ମୁନିବରେ
ଏ ଚିତା ଘେନି ଗୋ ଚାହିଁ ମୁନିଙ୍କର ମୁଖ
ତକ୍ଷଣେ ଖଣ୍ଡିବୁ ତୋର ଅଭାଗିନୀ ଦୁଃଖ
ଔଷଧି ପ୍ରସାଦେ ତୋର କଷ୍ଟ ଯିବ କ୍ଷୟେ
ଏକାଙ୍ଗ ମୁନୀ ଭାରିଯା ହେବୁ ତୁ ଗୋ ମାଏ
କହିବା ଗୁପତ ତୋତେ କରିଣ ବିଶ୍ୱାସ
ସ୍ତିରୀ ଘେନିଲେ ପୁରୁଷ ହେବ ତାର ବଶ
ପୁରୁଷ ୟା ଘେନି ଚାହେଁ ଯେବେ ସ୍ତିରୀମୁଖ
ଅନ୍ତଃପୁର ଛାଡ଼ି ନାରୀ ଆସିବ ତା ପାଖ
ପ୍ରତ୍ୟକ୍ଷେ ମୋହିନୀ ଜାଣ ଔଷଧି ମହିମା
ସକଳ ବାଞ୍ଛା ତୋ ସିଦ୍ଧ ହେଲା ଜାଣ ବାମା
ଆମ୍ଭେ ଯେ ଗୁରୁ ତୋହର ହୋଇଲୁ ଗୋମାତ
ଗୁରୁ ଦକ୍ଷିଣା ଆମ୍ଭଙ୍କୁ କିସ ଦେବୁ ତୁ ତ
ଦିଅ ବା ନ ଦିଅ ତୋତେ କହି ଯଥାବିଧି
ତୋହର କାର୍ଯ୍ୟ ଏଥିରେ ହୋଇଲାକ ସିଦ୍ଧି
ଅଦିତି ବୋଇଲେ ମୁଁ ଯେ ଯାଉଥିଲି ନାଶ
ତୁମ୍ଭ ଦୟାରେ ପାଇଲି ସିନା ଗୃହବାସ
ଏବେ କିପାଁ ମୋରେ ଧରୁ ପୁଣ ଆନ ଚିତ୍ତ
ତୁ ଯାହା ମାଗିବୁ ଦେବି ତ୍ରିବାର ମୋ ସତ୍ୟ
ଏତେ ବୋଲି ବାମା ବେଗେ ସଂକଳପ କଲା
କୁଶହସ୍ତ ହୋଇ ପାଣି ଶଙ୍ଖରେ ତୋଳିଲା
ଶଙ୍କର ବୋଇଲେ ଏହା ମାଗୁଅଛୁଁ ତୋତେ
ଆମ୍ଭର ଦୁହିତା ତୁହି ହୋଇବୁ କି ସତେ
ଅଦିତି ବୋଇଲେ ସତ୍ୟ କଲି ମୁଁ ଯହିଁକି
ଏବେ ଆଉ ନାସ୍ତି ପୁଣ କରିବା କାହିଁକି
ତୋହର ଦୁହିତା ମୁହିଁ ହେବି ଶତଜନ୍ମ
ଏଥକୁ ମହାତ୍ମା ତୁ ନ ଧର ମନେ ଆନ
ଜୟ ମହାରୁଦ୍ର ସୁତ ଯୋଗାଧି ପୁରୁଷ
ତନ୍ତ୍ରବିଦ୍ୟା ବିଶାରଦ ଅଟୁ ବ୍ୟୋମକେଶ
ରୁଦ୍ରଆତ୍ମା ରୁଦ୍ରରୂପା ଶିବ ଦ୍ୱାରପାଳ
ଭସ୍ମ ବିଲେପନ କନ୍ଧେ ନୃକରୋଟିମାଳ
ଅପାର ମହିମା ପ୍ରଭୁ ଅଟଇ ତୋହର
ଲାଙ୍ଗଳ ମୂଷଳେ ଶୋଭାପାଏ ବେନିକର
ମୁଁ ଦୀନ ଅଚ୍ୟୁତ ଦାସ ତୋ ପାଦେ ଶରଣ
ରକ୍ଷାକର ପ୍ରଭୁ ମୋତେ ସୁଦୟା କରିଣ
ଶଙ୍କର ଉଗ୍ରସେନ ରୂପେ ଜନ୍ମହେବା ବୃତ୍ତାନ୍ତ
କହନ୍ତି ଯେ ଶୁକମୁନି ଶୁଣ ନରପତି
ତେଣୁ ଉଗ୍ରସେନ ସୁତା ହେଲେ ସେ ଅଦିତି
ସେହି ଉଗ୍ରସେନ ସ୍ୱୟଂ ରୁଦ୍ରଦେବ ଦେହୀ
ଈଶ୍ୱର ଶାପରେ ଅଛି ନରତନୁ ବହି
ଶଙ୍କର ରୁଦ୍ରକୁ ଶିବ ପୂର୍ବେ କଲେ କୋପ
ତେଣୁ ଧଇଲେ ଶଙ୍କର ଉଗ୍ରସେନ ରୂପ
ଯେଉଁ ପ୍ରକାରେ ଶଙ୍କର ମାନବ ହୋଇଲେ
ସେ କଥା ସଂକ୍ଷେପି ତୋତେ କହିବାନା ଭଲେ
ଏକଦିନେ ଉଦ୍ୟାନରେ ଶଙ୍କର ଗିରିଜା
କୋମଳ ପତ୍ର ବିଛାଇ ତଳେ କଲେ ଶଯ୍ୟା
ସେ ପତ୍ର ଶଯ୍ୟାରେ ସ୍ୱାମୀ ଶୁତିଲେକ ଭୋଳେ
ବିପରୀତରେ ମାତିଲେ ଦେବୀ କୁତୁହଳେ
ସୁଶୀତଳ ପବନ ଯେ ବହେ ଘନଘନ
ମୁନିଜନମାନଙ୍କର ମୋହୁଅଛି ମନ
ଶୁକ ପିକ ଝିଙ୍କାରିଙ୍କ ରାବ କୋଳାହଳ
ସୁଗନ୍ଧ ପୁଷ୍ପର ଗନ୍ଧ ବହେ ପରିମଳ
ଏହି ସମୟେ ଶଙ୍କର ରୁଦ୍ର ଯାଉ ଯାଉ
ହର ଗଉରୀଙ୍କ କ୍ରୀଡ଼ା ଦେଖିଲେକ ଯହୁଁ
ବିଡ଼ମ୍ବନା ଦେଖି ସ୍ୱାମୀ ଶଙ୍କର ହସିଲେ
ରୁଦ୍ରଗଣ ସଙ୍ଗେଥିଲେ ପରିହାସ କଲେ
ରୁଦ୍ରଗଣ ପରିହାସ ଦେଖି କାଶୀବାସୀ
ପାର୍ବତୀଙ୍କୁ ପେଲି ଦେଇ ଲାଜେ ଉଠିବସି
ବୋଇଲେ ଶଙ୍କର ତୁରେ କଲୁ ମନ୍ଦକୃତ୍ୟ
ପିତାଠାରେ ପରିହାସ ତୋର କି ଉଚିତ
ଆମ୍ଭେ ଜ୍ୟେଷ୍ଠନନ୍ଦନ ତୁ ରୁଦ୍ରଗଣେ ଶ୍ରେଷ୍ଠ
ଜାଣୁ ଜାଣୁ କେମନ୍ତେ ତୁ ହେଲୁ ଜ୍ଞାନଭ୍ରଷ୍ଟ
ସ୍ୱାମୀକି ଦୂଷଣ କଲୁ ଅର୍ଜି ମହାପାପ
ତେଣୁ ତୋତେ ଶାପ ଦେବି ଦୋଷ ଅନୁରୂପ
ଆମ୍ଭଙ୍କୁ ତୁ ଉପହାସ କଲୁରେ ଦୋରେହା
ଶତଜନ୍ମ ପରିଯନ୍ତେ ହୁଅ ନରଦେହା
ପୁତ୍ର ହୋଇ ଆମ୍ଭଙ୍କୁ ତୁ ଜିଙ୍ଘାସିଲୁ ଏତେ
ଜିଙ୍ଘାସ ପାଇବୁ ତୁହି ତୋର ପୁତ୍ର ହାତେ
ବଳତ୍କାରେ ପୁତ୍ର ତୋର ଘେନୁ ରାଜ୍ୟଭାର
ଏ ମୋ ଶାପଯୋଗୁଁ କଷ୍ଟ ପାଇବୁ ଅପାର
ଶତେଜନ୍ମ ଅନ୍ତେ ପୁଣ ଶାପ ମୁକ୍ତ ହୋଇ
ଲଭିବୁ ରୁଦ୍ରଶରୀର କପିଳାସ ଭୂଇଁ
ଶୁକ ବୋଲନ୍ତି ଶୁଣିବା ହେଉ ଦଣ୍ଡଧାରୀ
ତେଣୁ ସେ ଶଙ୍କର ଉଗ୍ରସେନ ରୂପ ଧରି
ଇଶ୍ୱରଙ୍କ କୋପରେ ସେ ମାନବ ସ୍ୱରୂପେ
ଜନ୍ମିଲେ ମଥୁରାପୁରେ ଉଗ୍ରସେନ ରୂପେ
ପ୍ରତ୍ୟକ୍ଷେ ସେ ଉଗ୍ରସେନ ରୁଦ୍ରଦେବ ଦେହା
ଶୁଣିଲୁ ତ ଏସନକ ବାଣୀ ନରନାହା
ତୁମ୍ଭେ ମୋତେ ପୁଚ୍ଛାକଲ ଦେବକୀ ଉତ୍ପତ୍ତି
ସେହି ଯେ ଦେବକୀ ଜାଣ ପ୍ରତ୍ୟକ୍ଷେ ଅଦିତି
ଶଙ୍କର ରୁଦ୍ର ଯେ ଉଗ୍ରସେନ ରୂପ ଧରି
ମଥୁରା କଟକେ ହୋଇଅଛି ଦଣ୍ଡଧାରୀ
ଦେବକୀ ନାମେ ଯେ ଉଗ୍ରସେନର ଦୁଲାଳୀ
ପବିତ୍ର ପାଟବଂଶୀ ସେ ଅଟେ ଶୁଦ୍ଧଶାଳୀ
ସପ୍ତଅଧିକ ଶତ ଯେ ବସୁଦେବ ବାମା
ସୁନ୍ଦରୀ ସୁକୁମାରୀ ସେ ନାରୀଙ୍କ ଉତ୍ତମା
ସବୁହିଁ ଜ୍ୟେଷ୍ଠ ଭାରିଯା ଅଟଇ ରୋହିଣୀ
ଦେବକୀ ପ୍ରିୟା ସେ ଯହୁଁ ରାଜାର ଦୁଲଣୀ
ବ୍ରହ୍ମା ବୋଇଲେ ଆମ୍ଭର ବଚନକୁ ଶୁଣ
ସକଳ ଦେବତାଙ୍କର ହୋଇବ କାରଣ
ସ୍ୱର୍ଗର ଭାରାଭର ଯେ ଏହିଠାରେ ସରୁ
ଅମର କଣ୍ଟକ କଂସ ନିକଟରେ ମରୁ
ଏହି ସମୟେ ଦେବକୀ ହେବ ଗର୍ଭଧାରୀ
ତହିଁକି ଦେବତାମାନେ ଥିବେ ଲୟକରି
ପ୍ରଥମେ ଯେ ବଳରାମ ରୋହିଣୀ ଉଦରେ
ଗୁପତେ ଜାତ ହୋଇବେ ବସୁଦେବ ଘରେ
ତଦନ୍ତେ କୃଷ୍ଣ ଜନ୍ମିବେ ଦେବକୀ ଉଦରେ
ଭାରା ନିବାରଣ ଅର୍ଥେ ଆଠମାସ ପରେ
ଏମନ୍ତ ବିଚାର କରି ସକଳ ଦେବତା
ବିଶ୍ୱାବସୁକୁ ଡାକିଣ ବୋଇଲେ ଏ କଥା
ଆହେ ବିଶ୍ୱାବସୁ ତୁମ୍ଭେ ଶୁଣ ଆମ୍ଭ ବାଣୀ
ମଧୁବନ କଟକକୁ ଚଳ ଏହିକ୍ଷଣି
ଅନ୍ତରୀକ୍ଷମାର୍ଗେ ଏହି ବେନି ରୋମ ଥୋଇ
ଦୁନ୍ଦୁଭି ଶବ୍ଦ କରିଣ ଆସ ବେଗ ହୋଇ
ବିଶ୍ୱକର୍ମାକୁ ହକାରି ବୋଲେ ଦେବରାଜା
ବିଶ୍ୱାବସୁ ସଙ୍ଗରେ ତୁ ମଥୁରାକୁ ଯା ଯା
ଆକାଶରେ ମନୋହର ପୁର ନିର୍ଭା କରି
ନିରଞ୍ଜନ ତୁଲ୍ୟ ରୋମ ରଖ ସେହି ପୁରୀ
ଯେବଣ ଦିନେ ଦେବକୀ ପାକାସ୍ପରଶନ
ଏ ବେନି ରୋମ ତହିଁରେ ହେବେ ବିଷ୍ଣୁ ଜାଣ
ଏ ରୋମୁଁ ଜାତ ହୋଇବେ ଦେବ ନାରାୟଣ
ସଚରାଚର ପୃଥ୍ୱୀର ହୋଇବ କାରଣ
ମଥୁରାରେ ଜାତହେବେ ବଢ଼ିବେ ସେ ଗୋପେ
ଆନକୁ ହିଁ ଅଗୋଚର ହୋଇବେ ସ୍ୱରୂପେ
ଦେବତାଙ୍କ ହିତ ପାଇଁ ହୋଇବେ ଗୁପତ
କହିଲେ ସେହି ଦେବତା ଏହି ପରମାର୍ଥ
ବେଗେ ବିଶ୍ୱକର୍ମା ଚଳ ଏବେ ଆମ୍ଭ ବୋଲେ
ଚିତ୍ରସେନ ଗନ୍ଧର୍ବ ହିଁ ଯାଉ ତୁମ୍ଭ ତୁଲେ
ସ୍ୱର୍ଣ୍ଣମୟ ବିମାନରେ ବସା ରୋମ ବେନି
ଅନ୍ତରୀକ୍ଷ ଭୁବନକୁ ଚଳୁ ଏହା ଘେନି
ବୋଲନ୍ତି ଯେ ଶୁକ ଶୁଣ ପରୀକ୍ଷିତ ରାୟେ
ଏସନକ ଆଜ୍ଞା ଯହୁଁ ଦେଲେ ଦେବତାଏ
ବିଶ୍ୱାବସୁ ବିଶ୍ୱକର୍ମା ଚିତ୍ରସେନ ଘେନି
ବିମାନେ ବିଜେ କରାଇ ନେଲେ ରୋମବେନି
ତେତିଶକୋଟି ଦେବତା ଶୁଭବାଞ୍ଛା କରି
ପାଦେ ଗମନ କରନ୍ତି ଘେନି ପଟୋଆରୀ
ପାଟଛତ୍ର ଲମ୍ବଇ ଯେ ଉଡ଼ଇ ଚିରାଳ
ଉଦଣ୍ଡ ପତାକା ଏକଲକ୍ଷ ପରିମଳ
ଢୋଲ ଦମା ଟମକ ଯେ ନିଶାଣ ମହୁରୀ
ଭେରୀ ମୃଦଙ୍ଗ କାହାଳୀ ଦୋସରା ଭଉଁରୀ
ଗନ୍ଧର୍ବୀ ବିଦ୍ୟାଧରୀଏ ନୃତ୍ୟରଙ୍ଗ ରସେ
ଏ ବିଧିରେ ଖଟିଛନ୍ତି ଦେବ ଚଉପାଶେ
ସଭ୍ରମେ ପାଛୋଟି ଗଲେ ସ୍ୱର୍ଗଗଙ୍ଗା ଯାଏ
ନନ୍ଦନବନ ନିକଟେ ରହି ଦେବତାଏ
ବିଶ୍ୱାବସୁ ବିଶ୍ୱକର୍ମା ଚିତ୍ରସେନ ତିନି
ଶୂନ୍ୟ ଭୁବେନେ ଚଳିଲେ ବେନି ରୋମ ଘେନି
ଆକାଶ ମଣ୍ଡଳେ ଥାଇ ମଥୁରା ଉପରେ
ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣିଲେ ଦିବ୍ୟପୁରେ
ଗଜଦନ୍ତ ପଲଙ୍କରେ ଶଯ୍ୟାଏ ଶେଯାଇ
ସେ ବେନି ରୋମକୁ ବିଜେ କରାଇଲେ ନେଇ
ଆପେ ବିଶ୍ୱକର୍ମା ହେଲେ ଦ୍ୱାରେ ଦ୍ୱାରପାଳ
ସହସ୍ର ଗନ୍ଧର୍ବ ତହିଁ ହେଲେ ରଖୁଆଳ
ଅନାଦି ସମ୍ଭୂତ ରୋମ ରହି ଶୂନ୍ୟପଥେ
ଦେବତାଙ୍କ କାର୍ଯ୍ୟ ଭାରା ନିବାରଣ ଅର୍ଥେ
ବଦୟନ୍ତି ଶୁକମୁନି ଶୁଣ ହେ ପରୀକ୍ଷ
ଇତି ଶିରୀ ଭାଗବତ ସଭାପର୍ବ ମୁଖ୍ୟ
ଏକଚିତ୍ତ ହୋଇ ଯେହୁ ଶୁଣେ ମହାରାୟେ
ସଂଗ୍ରାମେ ଜିଣଇ ସଭାମଧ୍ୟେ ଜୟ ପାଏ
ଧନ ଜନ ଅଇଶ୍ୱର୍ଯ୍ୟ ଯାର ଯେବା ଇଚ୍ଛା
ଶୁଣନ୍ତେ ଏ ସଭାପର୍ବ ପୂରେ ମନୋବାଞ୍ଛା
ବିଶ୍ୱକର୍ମାକୁ ଯେ ରୋମ ଦେଇ ଦେବଗଣ
ସନ୍ତୋଷେ ଚଳିଣ ଗଲେ ନିଜ ନିଜ ସ୍ଥାନ
ବିଷ୍ଣୁଙ୍କ ଛାମୁରେ କରି ସମସ୍ତେ ପ୍ରଣାମ
ଆନନ୍ଦ ମନରେ ଚଳିଗଲେ ଯେଝା ସ୍ଥାନ
ସରିଲା ଯେ ପରିତାପ ଅସୁରଙ୍କ ଭୟ
ମନେ ଆନନ୍ଦ ହୋଇଲେ ପ୍ରଭୁ ଦେବରାୟ
ଜୟ ତ୍ରିଅମ୍ବକ ଦେବ କପିଳାସବାସୀ
ତୁ ଅନ୍ଧକ ନିସୂଦନ ସ୍ଥାନ ତୋର କାଶୀ
ସମାଧି ଯୋଗରେ ବସି ହେଲୁ ଜଗଜ୍ଜିତା
କପାଳପାଣି ତୁ ଦେବ ଶୁଭାଶୁଭ ଦାତା
ଧବଳ ଶୁଦ୍ଧ ସ୍ପଟିକ ଜାଣି ତେଜ ରାଜେ
ମଦନ ଦହନ ସ୍ୱାମୀ ସଦା ଯୋଗେ ବିଜେ
ତ୍ରିଶୂଳ ଡମ୍ବରୁ କରେ ତକ୍ଷକ ଯେ ମୁଷ୍ଟି
ଦିଗମ୍ବର କଟିରେ ତୋ ଶୋହେ ଚିରୁକୁଟୀ
ଘୋର ସିଂହନାଦ ତୋର ସଦା କୋଳାହଳ
କଣ୍ଠ ଆଭରଣ କାଳୀ ଗଳେ ମୁଣ୍ଡମାଳ
କପିଳା ମଳ ବିଭୂତି ଶୋହେ ଯାର ଅଙ୍ଗେ
ବିହରନ୍ତି ରୁଦ୍ରଗଣ ଯାର ସଙ୍ଗେ ସଙ୍ଗେ
ଚଞ୍ଚପୁଟ ଚାଞ୍ଚପୁଟ ତାଣ୍ଡବାଧିକାରୀ
ବାଜଇ ଡମ୍ବରୁ ଘଣ୍ଟା ଘାଗୁଡ଼ି ଖୁମୁରୀ
ବୃଷଭବାହନେ ନାମ ଚଳି ଧୀରେ ଧୀରେ
ସିତାଂଶୁ ଖଣ୍ଡ୍ୟ ହିମାଦ୍ରି ସୁତା ଶୋହେ ଶିରେ
ଖଟ୍ୱାଙ୍ଗ ଆଦି ଆୟୁଧେ ଶୋଭା ନିଜକାୟ
ତିନିନେତ୍ରେ ଜଳେ ଚନ୍ଦ୍ର ସୂର୍ଯ୍ୟ ଅଗ୍ନି ପ୍ରାୟ
ଗଳିତ ଗଙ୍ଗାଜଳରେ ଲଳିତ ଶ୍ରୀ ଅଙ୍ଗ
ମଉଳିଜଟାରେ ଲୁଳେ ବାସୁକୀ ପନ୍ନଗ
ଅନନ୍ତ ହଳାହଳ ଯେ ଶୋହେ କଣ୍ଠତଟେ
ସହସ୍ରଦଳ ପଙ୍କଜ ମଥାଜଳେ ଫୁଟେ
ବାମେ ଉମାଦେବୀ ଘୋର ତପ ପୂର୍ବମୁଖେ
ବିରାଜନ୍ତି ଭୂତଗଣ ତୋର ଚଉପାଖେ
ଅକ୍ଷୟ ପୁରୁଷ ଅଟୁ ଅଜ୍ରାମର ଯୋଗୀ
ପବନ ଆହାର ସଦା ଆନନ୍ଦ ନିରୋଗୀ
ରେଖରୂପ ବିବର୍ଜିତ ପରମ ଈଶ୍ୱର
ନିରାକାର ନିରଞ୍ଜନ ପ୍ରଭୁ ନିର୍ବିକାର
ସ୍ଥାବର ଜଙ୍ଗମ କୀଟ ପକ୍ଷୀ ଚାରିଜାତି
ଅଣ୍ଡଜ ଉଦ୍ଭିଜ ଜରାୟୁଜ ଜ୍ୟୋତିମୂର୍ତ୍ତି
ଶିବ ଶକ୍ତି ସଂଯୋଗରେ ସୃଷ୍ଟି ଆତଯାତ
ନିହନ୍ତା ବିହନ୍ତା ତୁମ୍ଭେ ପାଳନ୍ତା ଜଗତ
କିଞ୍ଚିତ ଭକତି ତୋତେ କରେ ଯେହୁ ଅବା
ଇନ୍ଦ୍ର ଆଦି ପଦ ଦେଉ ଘେନି ତୋର ସେବା
ଦରିଦ୍ରଜନ ଦାରିଦ୍ର୍ୟ ତୁମ୍ଭେ କର କ୍ଷୟ
କଳପୀ ଆଦି ପୁରୁଷ ଦେଉ ସେ ଅଭୟ
ଯେବଣ ନାରୀ ପୂଜଇ ତୋତେ ଏକମନେ
ଭୁଞ୍ଜଇ ବିପୁଳ ଭୋଗ ବସଇ ସୁସ୍ଥାନେ
ଶିବ ନାମଗୋଟି ତୋର ଅଟେ ଅଗ୍ରଲେଖା
ଶିବ ନାମଗୋଟି ଜାଣ ସମସ୍ତଙ୍କ ଶାଖା
ନମସ୍ତେ ଶ୍ରୀତ୍ରିଅମ୍ବକ ଉମା ପ୍ରାଣ ବନ୍ଧୁ
ନମସ୍ତେ ଶ୍ରୀ ତ୍ରିପୁରାରି ଜୟାମୟ ସିନ୍ଧୁ
ସ୍ୱାମୀ ସଂସାର ସମୁଦ୍ରେ ହେଉଅଛି ଘାରି
ଅନୁଗ୍ରହ କରି ପ୍ରଭୁ କର ମୋତେ ପାରି
ଜନ୍ମେ ଜନ୍ମେ ମୋର ତୁମ୍ଭ ଚରଣରେ ସେବା
ପାର୍ବତୀ ବଲ୍ଲଭ ମୋତେ ଗତି ମୁକ୍ତି ଦେବା
ଶ୍ରୀବିଶ୍ୱନାଥ ଚରଣେ ମୋର ସଦା ମତି
କର ଅନୁଗ୍ରହ ମୋତେ ଦେବ ବିଶ୍ୱପତି
ଶୁଣନ୍ତି ପରୀକ୍ଷ ରାଜା ବଦୟନ୍ତି ମୁନି
ଶ୍ରୀଭାଗବତ ପୁରାଣ ଅଟେ ପୁଣ୍ୟଧ୍ୱନି
ତେତିଶକୋଟି ଦେବତା ବସିଣ ସକଳ
ପୃଥ୍ୱୀ ହାନିଲାଭ ତହିଁ ବିଚାରନ୍ତି ମୂଳ
ବିନୟେ ସେଠାରୁ ଦୁର୍ଗା ଦେବୀଙ୍କୁ ମଣାଇ
ବିଶ୍ୱକର୍ମାର ଗୋଚର ଦେଲେ ପଠିଆଇ
ତ୍ରିଦଶ ବଚନେ ଦୁର୍ଗା ମଥୁରାକୁ ଗଲେ
ଅନ୍ତରୀକ୍ଷ ମାର୍ଗରେ ସେ ଯାଇଣ ରହିଲେ
ସନ୍ତୋଷ ହୋଇଲେ ବ୍ରହ୍ମା ଆଦି ଦେବଗଣ
ସଭା ଭଙ୍ଗ କରିଗଲେ ଅମର ଭୁବନ
ଦେବସଭା ମଉଳିଲା ସରିଲା ବିଚାର
ନିତ୍ୟକର୍ମମାନ କଲେ ଦେବେ ଯେ ଯାହାର
ଏ ସଭାପର୍ବର ବାଣୀ ପୁଣ୍ୟମୟ ରସ
ସାଧୁଜନେ ପାନକର ହୋଇଣ ହରଷ
ଅଚ୍ୟୁତାନନ୍ଦ ଶ୍ରୀହରି ଚରଣେ ଶରଣ
ସେ ପ୍ରଭୁର ଦୟାବଳେ ଲେଖଇ ପୁରାଣ

ଦେବକୀର ଷଡ଼ପୁତ୍ର ଜନ୍ମ ଓ କଂସଦ୍ୱାରା ନିଧନ

[ସମ୍ପାଦନା]

ଏଥୁ ଅନନ୍ତରେ ଶୁଣ ରାୟେ ଦିବ୍ୟବାଣୀ
ଗର୍ଭବତୀ ହେଲେ ପୁଣି ଦେବକୀ ତରୁଣୀ
କନ୍ୟା ଶୁକ୍ଳସପ୍ତମୀ ଯେ ତିଥି ଗୁରୁବାର
ଆରଦ୍ରା ନାମେ ନକ୍ଷତ୍ର ଅଟେ ସେ ଦିନର
ମିଥୁନଚନ୍ଦ୍ର ଷାଠିଏ ଦଣ୍ଡକରେ ଭୋଗ
ବିଷ୍ଟି ନାମରେ କରଣ ବ୍ୟତୀପାତ ଯୋଗ
ସେଦିନ ଦେବକୀ ଦେବୀ ଶୁଦ୍ଧସ୍ନାନକଲେ
ନିଶାକାଳେ ବସୁଦେବ ସଙ୍ଗେ ସଙ୍ଗେ ହେଲେ
ସେ ଦିନ ଗର୍ଭବତୀ ଯେ ହେଲା ରାଜଜେମା
ବସିଲାଠାରୁ ନ ଉଠେ ବସୁଦେବବାମା
ପାଞ୍ଚମାସ ଗର୍ଭ ହ୍ୱନ୍ତେ ବଢ଼ିଲା ଉଦର
ମୁଦୁସୁଲୀ ଜଣାଇଲେ କଂସର ଆଗର
ଭୋ ଦେବ ଭୋଜବଂଶର ନୃପତି-ବାରଣ
ନବର ବାରତା ଏବେ ସାବଧାନେ ଶୁଣ
ତୁମ୍ଭ ଭଗିନୀ ଦେବକୀ ଗର୍ଭ ପାଞ୍ଚମାସ
ଭୋ ଦେବ ଆଜ୍ଞା ହୋଇବେ କରିବା ନା କିସ
ଏହା ଶୁଣି କଂସାସୁର ବୋଇଲାକ ବାଣୀ
ବନ୍ଦିଘରେ ଦେବକୀକୁ ରଖ ବେଗେ ଆଣି
ସୁଦେବ ନନ୍ଦନ ବସୁଦେବ ଆଦିକରି
କ୍ଷଣେ ନ ଛାଡ଼ିବ ଜଗିଥିବ ଯତ୍ନକରି
ପ୍ରସବ କଲେ ଜଣାଅ ଆସି ଧାତିକାରେ
ପ୍ରାଣ ପଣକରି ଜଗିଥିବ ଯେ ଯାହାରେ
ଆଜ୍ଞାଭ୍ରଷ୍ଟ କଲେ କ୍ଷଣେ ନ ବଞ୍ଚିବ କେହି
ଶିର କାଟି ବିଶାବଳି ଦେବି ବେଗେ ନେଇ
ଆଜ୍ଞା ପରମାଣେ ପତି ପତ୍ନୀ ଧରିନେଲେ
ପଥର ଘରେ ଭରିଣ ବାହାରେ ଜଗିଲେ
ସହସ୍ରେପୁର କରିଣ ଜଗି ନିରନ୍ତରେ
ଚାଲିଚଳଣ ଜଣାନ୍ତି କଂସର ଛାମୁରେ
ଏ ପ୍ରକାରେ ଦଶମାସ ସମ୍ପୂର୍ଣ୍ଣ ହୋଇଲା
ମିଥୁନ ସପ୍ତମୀ ଦିନ ପୁତ୍ର ଉପୁଜିଲା
କଂସର ଛାମୁରେ ଯାଇ ଜଣାନ୍ତି ଡଗରେ
ଶୁଣି ମହାରାଜା ଧାଇଁ ଯାଇ ଧାତିକାରେ
ପଥର ଘର କବାଟ ଫେଡ଼ି ନିଜ କରେ
ତୁରିତେ ମିଳିଲା ଯାଇ ଦେବକୀ ଅଗ୍ରରେ
ଦେବକୀ କୋଳରୁ ପୁତ୍ର ଆଣିଲା ଉଛୁଡ଼ି
ଶିଳା ଉପରେ କଚାଡ଼େ ଅଧର କାମୁଡ଼ି
ଦେବକୀ ବସୁଦେବର ହୃଦୟ ବିକଳ
ଢଳଢଳ ନୟନରୁ ବହେ ଅଶ୍ରୁଜଳ
ଗର୍ଭକଷ୍ଟ ବଡ଼ ତାହା ନ ପାରଇ ଚଳି
ହା ହା ପୁତ୍ର ବୋଲି ଉଚ୍ଚେ ପାରଇ ବୋବାଳି
ଅନ୍ତର୍ଗତେ ଭାଳଇ ସେ ଦେବୀ ଶୁଭ୍ରକେଶୀ
ଏ ମୋହର କର୍ମଫଳ ଫଳିଲାକ ଆସି
ସ୍ୱହସ୍ତେ ଅର୍ଜି ଅଛଇ ଯାହା ମୁହିଁ ପୂର୍ବେ
ସେ କଥା ଆସି ପ୍ରାପତ ହେଲା ମୋତେ ଏବେ
ଅଷ୍ଟମ ଗର୍ଭ ପର୍ଯ୍ୟନ୍ତେ ଦେବି ବୋଲି ଅଛି
ଏଥକୁ ବିମନ ପୁଣ ଧରିବି କି ବାଛି
ଧର୍ମକୁ ସାକ୍ଷୀ କରିଣ ତେଜିଲା ବିରସ
ପୁଣିହିଁ ଥୋକାଏ ଦିନେ ହେଲା ଗର୍ଭବାସ
ପୁତ୍ର ଏକ ଜନମିଲା ମକରକେତନ
ଦର୍ପଣ ଶିଳା ଉପରେ ପିଟିଲା ରାଜନ
ପୁନରପି ଅଳ୍ପଦିନେ ହେଲା ଗର୍ଭବତୀ
ଦଶମାସ ଚାହୁଁ ଚାହୁଁ ଗଲା ତହୁଁ ବିତି
ପୁତ୍ର ଏକ ଉପୁଜିଲା ଜାଣି ଦିବାକର
ପ୍ରତ୍ୟକ୍ଷେ ଇନ୍ଦ୍ର ସଦୃଶ ଅତି ଶୋଭାକର
ସେ ପୁତ୍ର ଗୋଟିର କଂସ ଚରଣ ଧଇଲା
ଦର୍ପଣ ଶିଳା ଉପରେ ନେଇ କଚାଡ଼ିଲା
ଦଇବ ସୁମରି ଦୁହେଁ ରହିଲେ ବନ୍ଦିରେ
ଶୁଣ ଶୁଣ ମହାରାଜା ଏଥୁ ଅନନ୍ତରେ
ଦେବକୀ ଦେବୀ ଯେ ପୁଣି ହେଲେ ଗର୍ଭବତୀ
ଦଶମାସ ଅନ୍ତେ ପୁତ୍ର ହୋଇଲା ଉତ୍ପତ୍ତି
ଶୁଣିପାରି କଂସରାଜା ଧାଇଁଲା ବେଗରେ
ପୁତ୍ରକୁ ନେଇ କଚାଡ଼େ ଦର୍ପଣ ଶିଳାରେ
ଏମନ୍ତ ଯେ ଚାରିପୁତ୍ର ତାହାର ମରନ୍ତେ
ପୁଣି ଗର୍ଭବତୀ ହେଲା ବରଷକ ଅନ୍ତେ
ତୁଳ ଶୁକଳ ପୂର୍ଣ୍ଣମୀ ବୃହସ୍ପତି ବାର
କୃତ୍ତିକା ନକ୍ଷତ୍ରେ ଭୋଗ ଅଟେ ସେ ଦିନର
ଶୁଦ୍ଧସ୍ନାନ କରି ବାଳୀ ହେଲା ଗର୍ଭବତୀ
ଦଶମାସ ଦଶଦିନ ଅନ୍ତେ ସେ ଯୁବତୀ
ଜାଆଁଳା ପୁତ୍ର ସେ ବେନି କଲା ଗର୍ଭୁ ଜାତ
ଚାରଗଣ ଜଣାନ୍ତେ ସେ ଜାଣିଲା ଦଇତ୍ୟ
ଏକାବେଳେ ବେନିପୁତ୍ର ଜାତ ହୋଇଛନ୍ତି
ପ୍ରତ୍ୟକ୍ଷେ ଦେଖିଲା ଯାଇଁ କଂସ ନରପତି
ଦେବକୀର ମୁଖ ଚାହିଁ ବୋଲେ ମହାବୀର
ବେନିପୁତ୍ର ବଢ଼ାଇ ତୁ ଦିଅ ଧାତିକାର
କଂସ ରାଜାର ସେ ରୂପ ଭୟଙ୍କର ଦେଖି
ବେନି ପୁତ୍ରଙ୍କୁ ବଢ଼ାଇଦେଲା ଚନ୍ଦ୍ରମୁଖୀ
ପୁତ୍ର ଘେନି କଂସ ଧାଇଁଯାଇଁ ରୋଷଭରେ
କଚାଡ଼ିଲା ଦରପଣ ଶିଳାର ଉପରେ
ଏମନ୍ତେ ଷଡ଼ବରଷ ହୁଅନ୍ତେଣ ଶେଷ
ସ୍ୱହସ୍ତେ ଷଡ଼ପୁତ୍ରଙ୍କୁ କଚାଡ଼ିଲା କଂସ
ନିର୍ଦ୍ଦୟ ଅସୁର ନିରପେକ୍ଷ ଦୁଷ୍ଟବୁଦ୍ଧି
ଷଡ଼ପୁତ୍ର ମାରି ତାର ନୋହିଲା ସୁବୁଦ୍ଧି
ଆପଣାର ସହୋଦରା ଭଗିନୀ ତନୟ
ଜାଣି ସ୍ୱହସ୍ତେ ମାଇଲା କଂସାସୁର ରାୟ
କେବେହେଁ ହୃଦେ ତାହାର ନ ବସିଲା ଦୟା
ପ୍ରତ୍ୟକ୍ଷେ ପାଷାଣେ ଜାଣ କଂସାସୁର ହିଆ
ଏକଥା ଶୁଣିଣ ବୋଲେ ରାଜା ପରୀକ୍ଷିତ
ସଂଶୟ ହେଲା ମୋହର ମନ ମଧ୍ୟେ ଜାତ
ବାଳୁତ ପୋଏ କାହାର କଲେ କେଉଁଦୋଷ
ବିନା ଅପରାଧେ କିପାଁ ହେଲେ ପ୍ରାଣେନାଶ
ଜନ୍ମହେବା ମାତ୍ରେ କଂସ କଚାଡ଼ିଲା ନେଇ
ବିଶେଷରେ ମଉଳା ସେ ପିତାସମ ହୋଇ
ସେ କିପାଁମାଇଲା ଦୁଷ୍ଟବୁଦ୍ଧିକୁ ଆଚରି
ନିରାଶ ମନ ତାହାର ହୋଇଲା କି କରି
ଏତେ ବୋଲି ପଚାରିଲା ପରୀକ୍ଷିତ ରାଜା
ଧୂପ ଦୀପ ନଇବେଦ୍ୟ କରି ପାଦପୂଜା
ଭୋ ମୁନି ଅଟ ସାକ୍ଷାତେ କୁହି ଜ୍ଞାନମୟ
ଶୁଣନ୍ତେ ପାପାଧିପାପମାନ ଯିବ କ୍ଷୟ
ଶୁକମୁନି ଦେଖି ଯହୁଁ ରାଜାର ଭକତି
ବେଦବ୍ୟାସଙ୍କୁ ସୁମରି କହେ ମହାଯତି
ଶୁଣ ଆହୋ ପରୀକ୍ଷିତ ପଚାରିଲ କିସ
ପୂର୍ବେ କାଳନେମି ବୋଲି ଯେବଣ ରାକ୍ଷସ
ଷଡ଼ପୁତ୍ର ଜାତ ହେଲେ ଆସି ତାର ଘର
ଷଡ଼କୁମର ରୂପରେ ହେଲେ ଅବତାର
ସେ କାଳନେମି ପ୍ରତ୍ୟକ୍ଷେ ଅଟେ ରତିପତି
ଏ କଥା ତୁମ୍ଭଙ୍କୁ କହିଥିଲୁ ନରପତି
ସେ କାଳନେମି ଦୈତ୍ୟର ସେହି ଷଡ଼ପୁତ୍ର
ଷଡ଼ପୁତ୍ର ଅବତାର ହୋଇଲେ ଯୁକତ
ସେ ରାଜପୁତ୍ର ଅନେକ ବିଦ୍ୟା ଗଲେ ପଢ଼ି
ଦୁର୍ଗାଙ୍କୁ ସେବା କରନ୍ତି ପ୍ରତିମା ଯେ ଗଢ଼ି
ରାତିଦିନ ନାହିଁ ଲୟ ପାଦେ ଅନୁକ୍ଷଣ
ଚଉଦ ବରଷଯାଏ ଯୋଗେ କଲେ ମନ
କ୍ଷୁଧା ତୃଷ୍ଣାଆଦି ସବୁ କଲେ ପରିତ୍ୟାଜ୍ୟା
ଶରୀରୁ ମାଂସ କାଟିଣ ଦେଲେ ବଳିଭୋଜା
ଅଷ୍ଟମୀ ଯେ ଚତୁର୍ଦ୍ଦଶୀ ନିଶାରେ ଭକତି
କରି ମହାମାୟା ପାଦପଦ୍ମକୁ ପୂଜନ୍ତି
ମସ୍ତକରେ ଦିବ୍ୟ ଜଟା ବିଭୂତି ଲେପନ
ଅଷ୍ଟାଦଶ ଅକ୍ଷର ଯେ ପଢ଼ି ଅନୁକ୍ଷଣ
ରଙ୍ଗକଇଁ ଚମ୍ପା ରଙ୍ଗମନ୍ଦାରର ଧଣ୍ଡା
ଖଣ୍ଡ ମଧୁର ମିଶ୍ରିତେ ଦ୍ୟନ୍ତି ଗଜମଣ୍ଡା
ଶରୀରୁ ମାଂସ କାଟିଣ ଜ୍ୱଳନ୍ତା ଅଗ୍ନିରେ
ମନ୍ତ୍ର ଉଚ୍ଚାରିଣ ଦ୍ୟନ୍ତି ଦୁର୍ଗାର ଖପରେ
ସ୍ନାହାନ ସାରିଣ ରକ୍ତବସନ ପିନ୍ଧିଣ
ଆପଣା ରୁଧିରେ ପୁତ୍ରେ କରନ୍ତି ତର୍ପଣ
ଛାଗଳ ପୋଢ଼ୁଆ ଦେଇ ପୂଜି ଶାକମ୍ଭରୀ
ଅତି ଦୁଃଖେ ପୂଜନ୍ତି ସେ ଦୁର୍ଗାଙ୍କୁ ସୁମରି
ମନ ବଚନ କର୍ତ୍ତବ୍ୟେ ଦୁର୍ଗା ଉପାସନା
ପଢ଼ନ୍ତି ଅପରାଜିତା ଚଣ୍ଡୀସ୍ତୁତି ନାନା
ତପରେ ଦୀକ୍ଷିତ ହୋଇ ସର୍ବେ ଏକମନେ
ରାତ୍ର ଦିବା ଭକ୍ତିକରି ପୂରି ଏକାସନେ
ଏହିପରି ସେ ଚଉଦ ବର୍ଷ କଲେ ସ୍ତୁତି
ପ୍ରସନ୍ନ ହୋଇଲେ ଦେବୀ ଅଭୟା ପାର୍ବତୀ
ନିର୍ଧୂମ ଅନଳ ଜିଣି ଦିଶେ ଦେହ ଜ୍ୟୋତି
ପ୍ରସନ୍ନ ମୁଖେ ଆସନ୍ତି ଧରି ଦିବ୍ୟମୂର୍ତ୍ତି
କୁମାରଙ୍କ ସନ୍ନିଧିରେ ମିଳିଲେ ଚାମୁଣ୍ଡା
କରେ ଶୋଭଇ ତ୍ରିଶୂଳ ଖପର ଯେ ଖଣ୍ଡା
ସିଂହବାହୀନି ଯେ ଦୁର୍ଗା ଅଭୟା ପାର୍ବତୀ
ନିର୍ଧୂମ ଅନଳ ଜିଣି ଦିଶେ ଦେହକାନ୍ତି
ବୋଲନ୍ତି ଯେ ଘୋର ତପ ଦେଖି ମହାମାୟା
ବର ମାଗରେ କୁମର କଲୁ ଆମ୍ଭେ ଦୟା
ଯହିଁର ନିମନ୍ତେ କରୁଅଛ ପୂଜାବିଧି
ସେ ବାଞ୍ଛା ତୁମ୍ଭର ଏବେ ହୋଇଲା ଯେ ସିଦ୍ଧି
କୁମର ବୋଇଲେ ମାଗୋ କଲୁ ଯେବେ ଦୟା
ଯୁଗେ ଯୁଗେ ଅଜ୍ରାମର ହେଉ ଆମ୍ଭ କାୟା
ଜଳେ ନ ବୁଡ଼ିବୁ ଅଗ୍ନି ମଧ୍ୟେ ନ ପୋଡ଼ିବୁ
ସଂଗ୍ରାମରେ ନ ପଡ଼ିବୁ ଖଡ଼୍‌ଗେ ନ ଛିଡ଼ିବୁ
ଦେବ ଦାନବ ମାନବ ରଣେ କଲି ସାଧ୍ୟ
କେବେ ମେଦିନୀରେ କାୟା ନୋହିବାକ ବଧ
ପୂର୍ବେ ଆମ୍ଭ ପିତା କାଳନେମି ରାଜା ଥିଲା
ବିଷ୍ଣୁର ତୁଲେ ସଂଗ୍ରାମ କରି ପ୍ରାଣ ଦେଲା
ସେ ଦିନୁ ବିଷ୍ଣୁଙ୍କୁ ବଡ଼ ଡର ଯେ ଆମ୍ଭର
ପାତାଳେ ଲୁଚିଲୁ ଆମ୍ଭେ ଭୟରେ ତାଙ୍କର
ବିଷ୍ଣୁବିନେ କାହାକୁ ଯେ ନାହିଁ ଆମ୍ଭ ଶଙ୍କା
ବିଷ୍ଣୁହସ୍ତେ ନ ମରିବୁ ଏହା ମାଗୁ ଏକା
ମାଗୋ ସକଳ ଅସୁର ମାରେ ବିଷ୍ଣୁନାଥ
ଦାନବଦଳନ ବାନା ଶଙ୍ଖ ଚକ୍ର ହସ୍ତ
ସେହି ବିଷ୍ଣୁ ହସ୍ତରେ ଗୋ ନ ମରିବୁ କେବେ
ମାଗୋ ସୁପ୍ରସନ୍ନେ ଏହି ଆଜ୍ଞା ହେଉ ଏବେ
କୁମାରଙ୍କ ମୁଖୁଁ ଦେବୀ ଏ ବଚନ ଶୁଣି
ବୋଲନ୍ତି ଦରହସିତ ମୁଖେ ଗୋସାମଣୀ
ଆରେରେ କୁମର ମାଗ ଯେ ତୁମ୍ଭର ଇଚ୍ଛା
ତୁମ୍ଭଙ୍କୁ ପ୍ରାପତ ହେଉ ତୁମ୍ଭ ମନୋବାଞ୍ଛା
ଅକ୍ଷୟ ଅଜାରାମର ହେଉ ତୁମ୍ଭ ଦେହୀ
ଦେବ ଦାନବେ ମାନବେ ନ ଜିଣନ୍ତୁ କେହି
କୁବେର ସମାନ ତୁମ୍ଭେ ହୁଅ ଧନବନ୍ତ
ଇନ୍ଦ୍ରର ସମାନ ଲକ୍ଷ୍ମୀ ଭୁଞ୍ଜରେ ନିରତ
ଏତେବୋଲି ଅନ୍ତର୍ଦ୍ଧାନେ ଗଲେ ଭଗବତୀ
ବିନ୍ଧ୍ୟଗିରି ସନ୍ନିଧିରେ ଯାଇଣ ମିଳନ୍ତି
ବର ପାଇଣ କୁମାରେ ହୋଇଲେ ହରଷ
ସନ୍ତୋଷେ ରହିଲେ ପୁଣ ଆପଣାର ବାସ
ଅଚିରେ ଖଟିଲା ଅଇଶ୍ୱର୍ଯ୍ୟ ପାଦତଳେ
ଏକଛତ୍ର ରାଜଭୋଗ ଭୁଞ୍ଜି ବାହୁବଳେ
ଏହି ରୂପ କେତେ କେତେ ଯୁଗ ଗଲା ବହି
ଚଉଦ ବ୍ରହ୍ମାଣ୍ଡେ ତାଙ୍କୁ ସମ ନାହିଁ କେହି
ଅତି ଉଗ୍ର ହୋଇଲେ ସେ କାଳନେମି ପୁତ୍ରେ
ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ କଲେକ ନିକ୍ଷତ୍ରେ
କୁମରକୁ ଏହି ବର ଦେଲେ ଗୋସାମଣୀ
ସକଳ ଦେବତା ତାଙ୍କୁ ଶଙ୍କା କଲେ ଜାଣି
ଦେବତାଏ ବିଚାରନ୍ତି କରିବା କି ବୁଦ୍ଧି
ଦୁର୍ଗାଦେବୀ ଯୋଗୁଁ ଗଲା ଆମର ସମୃଦ୍ଧି
ଯୁକତେ କାଳନେମିକୁ କୂଟେ ମରାଇଲୁ
ନାରାୟଣ ସଙ୍ଗେ ମିଶି କପଟ ଯେ କଲୁ
ସହସ୍ରେ ବରଷ ଯୁଦ୍ଧ କାଳନେମି ସଙ୍ଗେ
ହୟଗ୍ରୀବ ରୂପେ ହରି ମାରି ରଣରଙ୍ଗେ
ତା ପୁତ୍ରକୁ ଦୁର୍ଗା ଦେଲେ ଏସନକ ବର
ଜାଣୁ ଜାଣୁ ଭାଙ୍ଗିବେ ତ ଆମ୍ଭ ସ୍ୱର୍ଗ ପୁର
ଏତେ ବୋଲି ବହୁ ଚିନ୍ତା ପାଇଲେ ତ୍ରିଦଶ
ବୃହସ୍ପତିଙ୍କୁ ପୁଚ୍ଛିଲେ କରିବାକ କିସ
ବୃହସ୍ପତି ବୋଇଲେ ଯେ ଅଛଇ ଉପାୟ
ତୁମ୍ଭେ ଦେବତାମାନେ ନ କର କିଛି ଭୟ
ସରସ୍ୱତୀଙ୍କୁ ପଠାଅ ତାଙ୍କ ମନ ମୋହୁ
କଣ୍ଠରେ ବସିଣ ତାଙ୍କୁ ଆନ ବୁଦ୍ଧି ଦେଉ
ପୁଣି ହିଁ ଦୁର୍ଗାଙ୍କୁ ଦେବେ କହନ୍ତୁ ବିନୟେ
ମୃତ୍ୟୁଭେଦ ପଚାରିଲେ ଯିବେ ସିନା କ୍ଷୟେ
ସରସ୍ୱତୀଙ୍କୁ ଦେବତାମାନେ ହକାରିଲେ
ଯେମନ୍ତେ ଅସୁର କ୍ଷୟ ଯିବେ ପଚାରିଲେ
ଦେବଗଣ ସରସ୍ୱତୀ ଦେବୀଙ୍କୁ ବୋଇଲେ
ଅସୁରଙ୍କ କଣ୍ଠେ ବିଜେ କର ମାଗୋ ଭଲେ
ଦୂରନ୍ତ ଅସୁର ଯିବେ ଯେମନ୍ତ ଗୋ କ୍ଷୟ
କର ବେଗେ ମାଗୋ ଯାଇ ତହିଁର ଉପାୟ
ଦେବଙ୍କ ନିମନ୍ତେ ଚଳିଗଲେ ସରସ୍ୱତୀ
ଷଡ଼ପୁତ୍ରଙ୍କ କଣ୍ଠରେ ବସିଲେ ତଡ଼ତି
ଏଥୁ ଅନନ୍ତରେ ପୁଣି ଗଲା କେତେଦିନ
ଆପଣା ମଧ୍ୟେ କୁମର ହେଲେ ଭିନ୍ନ ଭିନ୍ନ
ରୁଣ୍ଡ ହୋଇଣ ପାଞ୍ଚନ୍ତି ବସି କୂଟବୁଦ୍ଧି
ଦୁର୍ଗା ସେବାକଲୁ ଆମ୍ଭେ ହେଲା ସବୁ ସିଦ୍ଧି
ପ୍ରସନ୍ନେ ଆମ୍ଭଙ୍କୁ ବର ଦେଲେ ମହାମାୟା
ଅକ୍ଷୟ ଅଜରାମର ହେଲା ଆମ୍ଭ କାୟା
ବର ପ୍ରତିକାର ପୁଣି କେହି ନ ମାଗିଲ
ମୃତ୍ୟୁଭେଦ ଯେ ଆମ୍ଭର କେହି ନ ଜାଣିଲ
ରକ୍ତମାଂସ ଦେହ ବହି ମର୍ତ୍ତ୍ୟେ ଜାତ ହୋଇ
ଅଜର ଅମର ହୋଇ ଜଣେ କେହି ନାହିଁ
ସିଦ୍ଧ ସାଧକ ସମୟେ ଯାନ୍ତି ପୁଣ ନାଶ
ଜାତ ହୋଇଲେ ତ ମୃତ୍ୟୁ ହୋଇବ ଅବଶ୍ୟ
ପାପ ପୁଣ୍ୟ ଘେନି ଜାତ ହୁଅଇ ଏ ଦେହୀ
ମରିବ ନିଶ୍ଚେଁ ଜନମ ଲଭିଲେ ଏ ମହୀ
ମଲେ ହୋଇବ ଜନମ ଜନମିଲେ ମରି
ସାଙ୍ଗେ ସାଙ୍ଗେ ସାକ୍ଷୀ ପାପ ପୁଣ୍ୟ ଯେତେକ ହି
କେହି କାହାରି ନୋହିବେ ଜାଣ ଅନ୍ତଃକାଳେ
ପାପ ପୁଣ୍ୟ ସାକ୍ଷୀ ଏକା ମରଣର ବେଳେ
ନ ଜାଣି ତା ପ୍ରାଣୀମାନେ ହେଉଛନ୍ତି ବଣା
ଆପଣାର କଥାଗୋଟି ଆପଣାକୁ ଜଣା
ଆମ୍ଭେମାନେ ପୁଣି ଏବେ ଲେଉଟିଣ ଯିବା
ନିଜ ନିଜ ମୃତ୍ୟୁଭେଦମାନ ପଚାରିବା
ମରଣ ଜାଣିବା ଯେବେ ସିନା ହେତୁକରି
ସେ କଥାମାନ ମନରେ ଧରି ଅପସରି
ଏମନ୍ତ ବିଚାରି ପୁତ୍ରେ କଲେ ପୁଣି ତପ
ତେଜି ସୁଖ ସମ୍ପଦହିଁ ଧନଜନ ଗୋପ
ତଳେ ଅନଳ ଜାଳିଲେ ହେଲେ ଅଧୋମୁଖ
ପବନ ପାଣି ଖାଇଣ ସହିଲେ ସେ ଦୁଃଖ
ଆହୁତିରେ ପକାନ୍ତି ସେ ଦେହୁ ମାଂସ କାଟି
ଶୀତେ ଦେହ ଥରଥର ବାଜେ ବେନି ପାଟି
ନୟନ ଖୋଳି ପୂଜନ୍ତି ପୁଷ୍ପ କରେ ଦେଇ
ଉର୍ଦ୍ଧ୍ୱରେତା ହୋଇ ବେନିକରେ ଶିରେଥୋଇ
ଏପରି କୁମରେ ଯହୁଁ ଘୋରତପ କଲେ
ପରମ ମାହେଶ୍ୱରୀ ସେ ପ୍ରସନ୍ନ ହୋଇଲେ
କୁମାରଙ୍କୁ ବୋଇଲେରେ କଟାଳ ନ କର
ଦେଲି ତୁମ୍ଭଙ୍କୁରେ ପୁରେ ମନୋବାଞ୍ଛା ବର
ଆଉ ତୁମ୍ଭର ଧନକୁ କିରେ ଆଶା ଅଛି
ମାଗିଲେ ଅବଶ୍ୟ ଦେବୁ ସତ୍ୟ ମନେ ବାଞ୍ଛି
କୁମର ବୋଇଲେ ଦେଲୁ ଯେବେ ସିଦ୍ଧପ୍ରଦ
ନ କହିଲୁ କିପାଁ ମାଗୋ ଆମ୍ଭ ମୃତ୍ୟୁଭେଦ
ଜାତ ହୋଇଲେ ଅବଶ୍ୟ ମରିବ ନା ବେଳେ
ଦେହ ଅଜ୍ରାମର ନୁହେଁ କଉଣସି କାଳେ
ଅସମ୍ଭବ ଲାଗିଲା ଯେ ମନରେ ସନ୍ଦେହ
ଏବେ ଠାକୁରାଣୀ ଆମ୍ଭ ମୃତ୍ୟୁଭେଦ କହ
ମୃତ୍ୟୁଭେଦ ନ ପାଇଣ ହେଉଛୁ ଉଚ୍ଚାଟ
ତବ ମୁଖରୁ ଶୁଣିଲେ ଯିବ ଆମ୍ଭ କଷ୍ଟ
ଦେବୀ ବୋଇଲେ ଆମ୍ଭେ ଯେ ପ୍ରସନ୍ନ ହୋଇଲୁ
କେବେ ନ ମରିବ ବୋଲି ଅଜ୍ରାମର କଲୁ
ଏବେ ଇଚ୍ଛାସୁଖେ ଯେବେ ଲୋଡ଼ ମୃତ୍ୟୁଭେଦ
ତୁମ୍ଭେ ସୁଖେ ଛାଡ଼ିଲରେ କୁମର ସମ୍ପଦ
କୁମର ବୋଇଲେ ମାଗୋ ମରଣକୁ ଭୟ
ଅମର ହୋଇବୁ ବୋଲି କରିଛୁ ଉପାୟ
ତୁମ୍ଭେ ବରଦେଲେ ଭ୍ରାନ୍ତି ଆମ୍ଭର ଯେ ସରୁ
ଆମ୍ଭ ପିତାହସ୍ତେ ଆମ୍ଭେ ସ୍ୱଇଚ୍ଛାରେ ମରୁ
ନିଜ ପିତା ହସ୍ତେ ଆମ୍ଭେ ଲଭିବୁ ମରଣ
ଯେବେ ବରଦେଲ ମାଗୋ ପାଇବୁ କାରଣ
ଆବର କଥାଏ ମାଗୁଁ ପ୍ରସନ୍ନ ହୋଇବା
ଆମ୍ଭର କଥାଏ ମାଗୋ ଆନ ନ କରିବା
ଏ ବଚନ ସିଦ୍ଧ ଯେବେ ଅଟଇ ତୋ ଢାଳେ
ଆମ୍ଭ ସଙ୍ଗେ ତୁ ମରିବୁ ମାଗୋ ଏକାବେଳେ
ଆମ୍ଭ ସଙ୍ଗେ ମରଣ ତୁ ଲଭ ମହାମାୟା
ଦିଅ ମାଗୋ ଏହି ବର କଲ ଯେବେ ଦୟା
ଦଶସହସ୍ର ବରଷ ଲଭି ସୁଖ ଭୋଗ
ନିଦ୍ରା ଆହାର ମୈଥୁନ ତେଜି ସର୍ବ ରୋଗ
ନିଦ୍ରା ମଇଥୁନ ମାଗୋ କରିବୁ ସ୍ୱଇଚ୍ଛା
ଯେତେବେଳେ ସୁମରିବୁ ସିଦ୍ଧ ହେବ ବାଞ୍ଛା
ଆମ୍ଭଙ୍କୁ କରିବ ଯେବେ ଆମ୍ଭ ପିତା ସାଧ୍ୟ
ତେବେ ନିଶ୍ଚୟ ହୋଇବୁ ଆମ୍ଭେ ପ୍ରାଣେ ବଧ
ପାତାଳେ ନିଶ୍ଚିନ୍ତେ ଆମ୍ଭେ ଏବେ ନିଦ୍ରା ଯିବୁ
ନିଦ୍ରା ଭାଙ୍ଗିଗଲେ ପଛେ ବୈଭୋଗ କରିବୁ
ଦେବୀ ବୋଇଲେକ ଯାହା ମାଗିଲରେ ବାବୁ
ତୁମ୍ଭଙ୍କୁ ପ୍ରାପତ ହେଉ ତୁମ୍ଭ ବାଞ୍ଛାସବୁ
ଏତେ ବୋଲି ଦେବୀ ବିନ୍ଧ୍ୟଗିରିକୁ ଚଳିଲେ
ପାତାଳ ପୁରେ କୁମରେ ସୁଖେ ନିଦ୍ରାଗଲେ
ତ୍ରିଭୁବନ ସୁଖତ୍ୟଜ୍ୟା କଲେ ସର୍ବଯୋଦ୍ଧି
ସରସ୍ୱତୀ ଦେବୀ କରିବାର କୂଟବୁଦ୍ଧି
ଅନେକ କାଳରୁ ଥିଲେ ସେ ଉନ୍ନିଦ୍ର ହୋଇ
ଭୟ ଭ୍ରାନ୍ତି ତେଜି ସୁଖେ ନିଶ୍ଚିନ୍ତରେ ଶୋଇ
ଶୁଣିଲୁ ତ ପରୀକ୍ଷିତ ପଚାରିଲୁ ଯିସ
ଦେବକୀର ଷଡ଼ପୁତ୍ର ପୂର୍ବର ଭବିଷ୍ୟ
କାଳନେମି ଷଡ଼ପୁତ୍ରେ ବାଞ୍ଛା କଲେ ସିଦ୍ଧ
ଆପଣାର ପିତାହସ୍ତେ ହେଲେ ପ୍ରାଣେ ବଧ
ପ୍ରତ୍ୟକ୍ଷେ ସେ କାଳନେମି କଂସ ଦଣ୍ଡଧାରୀ
ତେଣୁ ବାଳୁତ ପୁତ୍ରଙ୍କୁ ପକାଇଲା ମାରି
ଜନ୍ମହେଲା ମାତ୍ରକେ ସେ କ୍ଷଣେ ନ ଛାଡ଼ଇ
ଦର୍ପଣ ଶିଳା ଉପରେ ନେଇ କଚାଡ଼ଇ
ମାୟାମୋହେ ପଡ଼ିଅଛି କଂସ ମହାରାଣ
ଆପଣା ପୁତ୍ରକୁ ନେଇ କଚାଡ଼େ ଆପଣ
ଏ ଷଡ଼ପୁତ୍ରେ ପାତାଳେ ଥିଲେ ସୁଖେ ରହି
ବିହନ୍ତା ପୁରୁଷ ତାହା ଥୋଇଥିଲା ନେଇ
ଯେତେବେଳେ ସେ ଦେବକୀ ହୁଏ ରଜୋବତୀ
ଗୋଟି ଗୋଟି କରି ବହି ଗର୍ଭେ କଲେ ସ୍ଥିତି
ଷଡ଼ଗର୍ଭେ ଷଡ଼ଗୋଟି ପୁତ୍ର ମରାଇଲେ
ତେବେ ଯାଇ ସ୍ୱର୍ଗେ ଦେବେ ନିଶ୍ଚିନ୍ତେ ରହିଲେ
ଶୁଣ ହୋ ପରୀକ୍ଷା ରାଜା ପଚାରିଲୁ ଯାହା
ବହୁତ କାଳର କଥା କହିଲୁ ଯେ ତାହା
ଦେବକୀର ଷଡ଼ଗର୍ଭୁ ଏ ପୂର୍ବ ଭବିଷ୍ୟ
ତେଣୁକରି ସେ ବାଳୁତ ପୁତ୍ରେ ହେଲେ ନାଶ
ତୋଷେ ତାଙ୍କୁ ମହାମାୟା ଦେଇଥିଲେ ବର
ଏହା ସିଦ୍ଧି ହେଲେ କାହୁଁ ରହନ୍ତା ସଂସାର
ବିଚାରି ଦେବତାମାନେ କୂଟ ଆଚରିଲେ
କଂସହାତେ ଷଡ଼ପୁତ୍ର ବଧ କରାଇଲେ
ତାହା ଶୁଣିଣ ପରୀକ୍ଷ ନୃପତି ବୋଇଲା
ଭୋ ମୁନି ମୋ ମନକୁ ଏ କଥା ପ୍ରତେ ଗଲା
ଏଥି ଉତ୍ତାରେ ଯେ ପୁଣି ହେଲା ଆନ କିସ
ସେ କଥା ସଂକ୍ଷେପି ମୋତେ କହ ବ୍ୟାସଶିଷ
ଷଡ଼ପୁତ୍ର ଦେବକୀର ଗର୍ଭୁ ଉପୁଜିଲା
ଗର୍ଭର କଷ୍ଟ ସେ ଦେବୀ କେମନ୍ତେ ସହିଲା
ସୁନ୍ଦର ସେ ସୁକୁମାର ପୁତ୍ର ଜାତ କରି
ମରନ୍ତେ କେମନ୍ତେ ଦେହ ଧରେ ଗର୍ଭଧାରୀ
ଷଡ଼ପୁତ୍ର ଦେବକୀ ଯେ ଦେଲା କଂସ ହାତେ
ତଦନ୍ତେ କି ହେଲା ମୁନି କହିବାକୁ ମୋତେ
ଆଦ୍ୟପ୍ରାନ୍ତ କରି ମୋତେ କହ ବିପ୍ରଗୁରୁ
ଏ ପୁଣ୍ୟଧ୍ୱନି ଶୁଣିଣ ଭ୍ରାନ୍ତି ମନୁ ସରୁ
ଜୟ ଜୟ ଦୁର୍ଗେ ମାଗୋ ଦୁର୍ଗତିନାଶିନୀ
ଚଣ୍ଡମୁଣ୍ଡ ଆଦି ଦୁଷ୍ଟ ଦୈତ୍ୟ ନିସୁଦନୀ
ଦେବତାଙ୍କୁ ଅଭୟ ତୁ ଦେଉ କାଳେ କାଳେ
ରକ୍ତବୀର୍ଯ୍ୟ ବଂଶ ନାଶକଲୁ ଅବହେଳେ
ଚରାଚର ଜୀବଜନ୍ତୁ ତୋ ଗର୍ଭରୁ ଜାତ
ତେଣୁ ଏ ଜଗତ ମଧ୍ୟେ ତୁହି ଆଦି ମାତ
ମୁଁ ଦୀନ ଅଚ୍ୟୁତ ଦାସ ତୋ ପାଦେ ପ୍ରଣତି
ବିନୟରେ କରୁଅଛି ଆଗୋ ଭଗବତୀ
ମୋର କେତେ ବୁଦ୍ଧିବଳ ବିଚାର ବା କେତେ
ଲେଖୁଛି ଏ ହରିବଂଶ ଆଶ୍ରା କରି ତୋତେ

କଂସ ସଭା

[ସମ୍ପାଦନା]

ଶୁକ ବୋଇଲେ ଭୋ ରାଜା ସାବଧାନେ ଶୁଣ
ଏଥୁ ଉତ୍ତାରେ ଯେମନ୍ତେ କଲା କଂସରାଣ
ଭଣଜାମାନଙ୍କୁ ବଧକରି କଂସବୀର
ଶତ୍ରୁ କ୍ଷୟଗଲା ବୋଲି ହରଷ ଅପାର
ଦିନେ କଂସରାଜା ସମଦଣ୍ଡକୁ ଅଣାଇ
ସଭା ଆସ୍ଥାନରେ ବିଜେକଲେ ନୃପସାଇଁ
ପାତ୍ରମନ୍ତ୍ରୀ ପୁରୋହିତ ଆଦି ବିଦ୍ୱଜ୍ଜନ
ଭାଇବନ୍ଧୁ ସହୋଦର ସକଳ ସଇନ୍ୟ
ଅଷ୍ଟମଲ୍ଲ ଆଦିକରି ସୁନାସ ସହିତେ
ସଖା ଅମାତ୍ୟ ବିଶୋଇ କରଣ ହିଁ ଯେତେ
ସନ୍ନିଧେ ବସାଇ ସଭାକରି ନୃପମଣି
କରେ ଖଡ଼ଗ ଧରିଣ ଝମକାଇ ପୁଣି
ବୋଇଲେ ନାରଦା ଯାହା କହିଗଲେ ମୋତେ
ନିରତେ ମୁହିଁ ସେ କଥା ଧରିଥାଇ ଚିତ୍ତେ
ମୋହର ଭଗ୍ନୀ ଦେବକୀ ନାମେ ଯେଉଁ ନାରୀ
ଆଠପୁତ୍ର ଦେବ ବୋଲି ଅଛି ସତ୍ୟକରି
ଆଠ ଭଣଜା ମୁଁ ବଧିପାରେ ଯେବେ ଧରି
ଦେବ ଦାନବେ ନୋହିବେ କେହିମୋତେ ସରି
ଯୁଗେ ଯୁଗେ ଅଜ୍ରାମର ହେବ ମୋର ଦେହୀ
ଏମନ୍ତ ବୋଲି ନାରଦ ମୁନି ଗଲେ କହି
ଏକେ ତାର ଷଡ଼ପୁତ୍ର ଆମ୍ଭେ କଲୁ କ୍ଷୟ
ଆଉ ବେନିପୁତ୍ର ମାରି ହୋଇବୁ ନିର୍ଭୟ
ଉଗ୍ରସେନ ରାଇ ଆଜ୍ଞା ଦେଲା ନୃପବର
ଭୋ ତାତ ଏକଥାରେ ତ ପ୍ରତେ ନାହିଁ ମୋର
ଯେବେ ପିତା ତୋର ମୋତେ ଅଛଇ ସୁଦୟା
ଯତନେ ଜଗିଥିବୁ ନ କରି ମୋତେ ମାୟା
ତୁମ୍ଭେ ପିଅର ପରମ ଗୁରୁ ଯେ ଦେବତା
ଯଦ୍ୟପି ତବ ଚରଣ ସେବେ ମୁହିଁ ପିତା
ଅନୁଗ୍ରହ ଯେବେ ତୋର ଅଛି ଦେବସ୍ୱାମୀ
ଝିଅ ଜୋଇଁଙ୍କ ସ୍ନେହରେ ନ ହୁଅ ତୁ ଭ୍ରମି
ପୁତ୍ର ହତ୍ୟାରେ ଲାଗିବ ତୋତେ ମହାପାପ
ଉଗ୍ରସେନ ବୋଲେ ଶୁଣି ବଢ଼ୁଛି ସନ୍ତାପ
ତୁ ମୋହର ପଞ୍ଚଭୂତ ଆତ୍ମାକୁ ଯେ ସାହା
ଆଶ୍ରାକରି ଅଛି ବାବୁ ତୋର ଦୁଇବାହା
ଏ ଯଦୁ ଭୋଜବଂଶର ଚନ୍ଦ୍ରମା ତୁ ବାବୁ
ଅନେକ ପୁଣ୍ୟେ ପାଇଛି ପୁତ୍ର ତୁ ମୋ ସବୁ
ଏ ତୋର ପ୍ରସାଦେ ଆମ୍ଭେ ରାଜରାଜେଶ୍ୱର
ସପତଦ୍ୱୀପା ପୃଥ୍ୱୀର ଅଟଇ ଠାକୁର
ଏକା ଏ ମଥୁରା ରାଜ୍ୟେ ମୁଁ ସିନା କାରେଣି
ସ୍ୱର୍ଗେ ମର୍ତ୍ତ୍ୟ ପାତାଳେ ତୁ ହେଲୁ ନୃପମଣି
ସକଳ ଦେବତା ତୋତେ କରନ୍ତି ସମ୍ମାନ
ଏହାହୁଁ ଅର୍ଜିବି ଆଉ କହ କେଉଁ ପୁଣ୍ୟ
ନିଶ୍ଚିନ୍ତ ହୋଇଲି ଏବେ ତୋର ପରସାଦେ
ପୂର୍ବରୁ ମୋ ତପସିଦ୍ଧ ହୋଇଲାକ ଏବେ
ତୋପରା ପୁତ୍ର କି ବିନା ତପେ ଅର୍ଜିପାରି
ତ୍ରଇଲୋକ ଭିତରେ ତୁ ଏକ ଦଣ୍ଡଧାରୀ
ଯେବେ ମୋର ଅନ୍ତର୍ଗତେ ଥିବ ତୋତେମାୟା
ରଉରବ ନରକରେ ପଡ଼ିବ ମୋ କାୟା
ବାବୁ ତୋ ଜୀବନ୍ତେ ମୋର ସବୁ ସୁଖ ଅଛି
ତୋର ଅଭାବେ ଆମ୍ଭର କାହିଁ ନାହିଁ କିଛି
ପିତାର ଛାମୁରେ ଯେବେ ପୁତ୍ର ହୋଏ ଦକ୍ଷ
ସଂସାର ଭିତରେ ନାହିଁ ତାର ସମକକ୍ଷ
କଂସ ବୋଲଇ ଭୋ ତାତ ତବ ପରସାଦେ
ଅନ୍ୟ ପରମାଦ ମୋତେ ନାହିଁ କାହିଁ ହାଦେ
ଏକ ମାତ୍ରକ ଏ କଥା ହୋଇଛି ଅସାଧ୍ୟ
ଦେବକୀ ପୁତ୍ର କରିବ ମୋତେ ପ୍ରାଣେ ବଧ
ନାରଦ ମହାମୁନି ଯେ କହିଛନ୍ତି ମୋତେ
ଦେବକୀ ଅଷ୍ଟମ ପୁତ୍ର ମାରିବ ଯେ ତୋତେ
ତୁମ୍ଭ ବିନା ଆନକୁ ମୋ ପ୍ରତେ ନାହିଁ ତାତ
ତେଣୁ ବିଚାରି ବିଚାର କହଇ ତୁମ୍ଭନ୍ତ
ଏବେ ଏ ବେନିପୁତ୍ରଙ୍କୁ ଦୃଢ଼କରି ରଖ
ଏହା ନିବାରି ପାରିଲେ ପ୍ରତିଜ୍ଞା ମୋ ଦେଖ
ସକଳ ବ୍ରହ୍ମାଣ୍ଡ ସାଧ୍ୟ କରିବି ସମରେ
ଇନ୍ଦ୍ର ଆଦି ଦିଗପାଳ ନ ଥିବେ ସ୍ୱର୍ଗରେ
ସକଳ ଦେବତାଙ୍କୁ ମୁଁ ଦେବଇଁ ଘଉଡ଼ି
ବଳେ ସୁର ସିଂହାସନ ବସିବି ମୁଁ ମାଡ଼ି
ଏ ମର୍ତ୍ତ୍ୟମଣ୍ଡଳେ ତାତ ହେବୁ ମହାରାଜା
ଦିଗପାଳ ସମାନେ ତୁ ପାଉଥିବୁ ପୂଜା
ଯେବେ ଜାଣ ଏ ବଚନ ଗୋଟା ଲଙ୍ଘିବଇଁ
ଭୋ ପିତା ତୋହର ପାଦେ ଦୋରେହା ହେବଇଁ
ଏତେ ବୋଲି ପିତାପାଦେ ନମସ୍କାର କରି
ବାହୁଡ଼ି ଅନ୍ତଃପୁରକୁ ଗଲା ଦଣ୍ଡଧାରୀ
କଂସ ଉଠିଯାନ୍ତେ ସଭା ଗୋଟି ମଉଳିଲା
ଯେ ଯାହାର ପୁରକୁ ତ ସୁଖେ ଚଳିଗଲା
କଂସର ପ୍ରତାପପଣ ଜଗତେ ବିଖ୍ୟାତ
ଶ୍ରୀହରିବଂଶ ପୁରାଣଯାକ ପୁଣ୍ୟମୟେ
ଦଶମେ ଦଶମ ଅଧ୍ୟା ସମାପତ ହୁଏ
ବନ୍ଦଇ ଯେ ବେଦବ୍ୟାସ ପରମ ଈଶ୍ୱର
ଅଠର ଖଣ୍ଡ ପୁରାଣ ଆଜ୍ଞାରେ ଯାହାର
ଶୋଭିତ କୃଷ୍ଣ ପିଙ୍ଗଳ ଜଟା ଯାର ମାଥେ
ପଞ୍ଚମୁଦ୍ରା ବ୍ରହ୍ମଦଣ୍ଡ ଶୋଭିତ ଯା ହସ୍ତେ
କପିଳାମଳ ବିଭୂତି ଭୂଷଣ ଯା ଅଙ୍ଗ
ଭ୍ରମନ୍ତି ଅନେକ ଶିଷ୍ୟ ସଦା ଯାର ସଙ୍ଗ
ମର୍କତ କୁଣ୍ଡଳ ବେନି ଶୋହେ ଗଣ୍ଡସ୍ଥଳେ
ମଧ୍ୟାହ୍ନ ଆଦିତ୍ୟ ଜ୍ୟୋତି ବଦନ ମଣ୍ଡଳେ
କଟିତଟେ ଶୋଭାପାଏ ସରୁ ଝୀନବାସ
ଅଶେଷ ବ୍ରହ୍ମାଣ୍ଡ କଥା ଯାର ଗର୍ଭେ ବାସ
ପରମ ପଣ୍ଡିତ ସ୍ୱାମୀ ଶୋଭା ଅନୁପମ
ବେଦ ଭାଗକରି ବେଦବ୍ୟାସ ଯାର ନାମ
ଅନନ୍ତ କୋଟି ବିଦ୍ୟାର ତହିଁ ଯାହା ବିଧି
ସକଳ ଗ୍ରନ୍ଥମାନଙ୍କୁ ଅଛ ତୁମ୍ଭେ ସାଧି
ଷାଠିଏ କୋଟି ଯେ ଗ୍ରନ୍ଥ ମୁଖେ ବଖାଣିଲ
ସକଳ ଶାସ୍ତ୍ର ପୁରାଣ ସ୍ୱଇଚ୍ଛାରେ କଲ
ସ୍ୱାମୀ ଯେ ବିଦ୍ୟା ନାଟକ କଲ ଯଥାବିଧି
ଚଉଦ ଲୋକେ ସେ ଗ୍ରନ୍ଥ ହୋଇଲା ପ୍ରସିଦ୍ଧି
ସକଳ ବିଦ୍ୟା ତୁମ୍ଭର ଅସାଧନେ ସାଧ୍ୟ
ଅବ୍ୟକ୍ତ ପୁରୁଷ ତୁମ୍ଭେ ଅବୋଧକୁ ବୋଧ୍ୟ
ନମୋ କବିକୁଳ ଇନ୍ଦ୍ର ନମୋ ବେଦବ୍ୟାସ
ପଣ୍ଡିତ ଲୋକ ମଣ୍ଡିତ ପରମ ପୁରୁଷ
ବିଷ୍ଣୁ କୀର୍ତ୍ତି ବଖାଣିଲ ଦିବ୍ୟମୂର୍ତ୍ତି ଧରି
ତୁମ୍ଭଙ୍କୁ ଏ ସଂସାରରେ ନାହିଁ କେହି ସରି
ଓଁକାରେ ତୁ ବର୍ତ୍ତମାନ ଲଜାର ପର୍ଯ୍ୟନ୍ତେ
ଦିବ୍ୟ ଚକ୍ଷୁରେ ପ୍ରସନ୍ନେ ଦୃଷ୍ଟି ଦିଅ ମୋତେ
ତୁମ୍ଭେ ମୋତେ ସୁପ୍ରସନ୍ନ ହୁଅ ବିଦ୍ୟାବନ୍ତ
କହିବି ମୁଁ ପୁଣ୍ୟ ଧ୍ୱନି ଶିରୀ ଭାଗବତ
ତୁମ୍ଭେ ପୁରାଣ କରିଛ ଯାହା ଶୁଦ୍ଧଚିତ୍ତେ
ମୁଁ ଲେଖଇ ଲୋକମନ ରଞ୍ଜନ ନିମନ୍ତେ
ସକଳ ପ୍ରାଣୀ ସଂସାରେ ମୋହେ ଛନ୍ତି ରହି
ପୁଣ୍ୟ ବୋଲି ବିଚାର ତ ନ କରନ୍ତି କେହି
ଛାଡ଼ି ପୁଣି ସଦମାର୍ଗ ବୁଡ଼ି ଭବଜଳେ
ଗୋବିନ୍ଦ ନାମ ଗୋଟିକି ପାସୋରି ସକଳେ
ଶାରଦାଙ୍କ ଅନୁଗ୍ରହେ ଭାଗବତ ବାଣୀ
ସଂସାର ଜନ ମୁକତ ହେବେ ଏହା ଶୁଣି
ଏ ଯେ ହରିବଂଶ ଗ୍ରନ୍ଥ ଅଟେ ପୁଣ୍ୟମୟ
ଶୁଣି ଏ ଗ୍ରନ୍ଥକୁ ଜନେ ପାପ କର କ୍ଷୟ
ଜନ୍ମେ ଜନ୍ମେ ଅପୁତ୍ରକ ଅଟଇ ଯେ ପ୍ରାଣୀ
ପାଇବେ ଅବଶ୍ୟ ପୁତ୍ର ଏ ପୁରାଣ ଶୁଣି
ଧନ ଜନ ଗୋପଲକ୍ଷ୍ମୀ ଯେ ଯାହାର ଇଚ୍ଛା
ଏ ଗ୍ରନ୍ଥ ଶୁଣି ପୂରିବ ତାଙ୍କ ମନୋବାଞ୍ଛା
ଶ୍ରୀକୃଷ୍ଣ ଚରଣ ତଳେ ଦେଇ ନିଜ ମନ
କହଇ ଅଚ୍ୟୁତାନନ୍ଦ ଦାସ ଏ ପୁରାଣ

ଦେବକୀର ଶୋକ ଓ ଯମୁନାକୂଳେ ଯଶୋଦା ସଙ୍ଗେ ଭେଟ

[ସମ୍ପାଦନା]

ଏଥୁଅନ୍ତେ କହନ୍ତି ଯେ ପୁଣି ଶୁକଯତି
ଶୁଣ ସାବଧାନେ ତୁହୋ ପରୀକ୍ଷ ନୃପତି
ଶ୍ରୀଭାଗବତ ପୁରାଣ ସାର ପୁଣ୍ୟନିଧି
ମନୋବାଞ୍ଛା ପୂର୍ଣ୍ଣ କରେ ଦିଏ ସର୍ବସିଦ୍ଧି
ସୁଦେବର ପୁତ୍ର ଯେଉଁ ବସୁଦେବ ବୀର
ବଶିଷ୍ଠ ଯେ ପଣ୍ଡିତ ଧାର୍ମିକ ସୁଧୀର
ପବିତ୍ର ବିଷ୍ଣୁ ବଂଶଜ ଅତି ଶୁଦ୍ଧଶାଳୀ
ସଂଗ୍ରାମରେ ମହାଜିତା ଅଟେ ମହାବଳୀ
ମଧୁବନ କଟକରେ ମନ୍ତ୍ରୀ ଶିରୋମଣି
ଗୋମାତା ଦେବୀର ଶାପେ କଶ୍ୟପ ଯେ ମୁନି
ପୃଥ୍ୱୀଭାର ନିବାରଣେ ସେ କଶ୍ୟପ ମୁନି
ବସୁଦେବ ରୂପେ ଜନ୍ମ ହୋଇଛି ଅବନୀ
ଯେ ଅଦିତି ସେ ଦେବକୀ ହୋଇଛନ୍ତି ଜାତ
ତା ଗର୍ଭରୁ ନାରାୟଣ ହୋଇବେ ସମ୍ଭୁତ
ବସୁଦେବର ଭାରିଯା ପ୍ରିୟବତୀ ଶ୍ରେଷ୍ଠ
କେତେ ଜିଙ୍ଘାସଇ ତାକୁ ଅସୁର ପାପିଷ୍ଠ
ଷଡ଼ପୁତ୍ରକୁ ମାଇଲା ଧରି ମହାପାପୀ
ସେ କଥା ଭାଳି ଦେବକୀ ହୁଅଇ ସନ୍ତାପି
ଶଏ ସାତ ଭାରିଯାରେ ରୋହିଣୀ ଯେ ଶ୍ରେଷ୍ଠ
ଏତେ କଷ୍ଟ ଦେଲା ମୋତେ ଭାଇ ଯେ ପାପିଷ୍ଠ
ସ୍ୱଭାବେ ଜ୍ୟେଷ୍ଠ ଭାରିଯା ଅଟଇ ରୋହିଣୀ
ମୁହିଁ ସଉଭାଗୀ ଯେଣୁ ରାଜାର ଭଉଣୀ
ଶଏସାତ ଭାରିଯାରେ ଶ୍ରେଷ୍ଠ ଆମ୍ଭେ ବେନି
ପରୀକ୍ଷ ନୃପତି ଆଗେ କହେ ଶୁକ ମୁନି
ଏଥୁ ଅନନ୍ତରେ ପୁଣି କେତେ ଦିନ ଗଲା
ଦେବକୀ ଦେବୀ ଯେ ପାକାସ୍ପରଶ ହୋଇଲା
ମାର୍ଗଶିର ଶୁକ୍ଳ ତ୍ରୟୋଦଶୀ ଗୁରୁବାର
ରୋହିଣୀ ନାମେ ନକ୍ଷତ୍ର ଅଟେ ସେ ଦିନର
ବୃଷଚନ୍ଦ୍ରର ଷାଠିଏ ଦଣ୍ଡ ପରା ଭୋଗ
ବୃଷଚନ୍ଦ୍ରର ଷାଠିଏ ଦଣ୍ଡ ତହିଁ ଭୋଗ
ତୈଳିଳ ନାମେ କରଣ ଶିବ ନାମେ ଯୋଗ
ସେଦିନ ଦେବକୀ ଦେବୀ ଶୁଦ୍ଧସ୍ନାନ ପାଳି
ଯମୁନା ନଦୀକୁ ଦେବୀ ଗଲେ ସ୍ନାନକରି
ରୋହିଣୀ ସଙ୍ଗେ ଅନେକ ପରିବାରୀ ମେଳେ
ବେନି ମହାଦେଈ ରବି ଉଦୟର ବେଳେ
ନଦୀର ତୀରେ ପ୍ରବେଶ ହେଲେ ଯାଇ ବାଳୀ
ଜଳର ଭିତରେ ଯାଇ ପଶିଲେ ସୁନ୍ଦରୀ
ତଇଳ ଅଏଁଳାମାନ ଅଙ୍ଗେ କରି ଲେପ
ପୁତ୍ରମାନଙ୍କୁ ସୁମରି କଲେ ଗୁରୁତାପ
ନଦୀର ଭିତରେ ଦେବୀ ହୋଇଲେ ଏକାନ୍ତ
ଗତକଥା ସୁମରିଣ କାନ୍ଦନ୍ତି ବହୁତ
ଲୋକ ବ୍ୟବହାରେ ମୁହିଁ ହେଲି ଯେତେ ଦୁଃଖୀ
ଧର୍ମ ବିନା ଶୁଣିବାକୁ ନାହିଁ ଅନ୍ୟସାକ୍ଷୀ
ରୂପବନ୍ତ ଷଡ଼ପୁତ୍ର କଷ୍ଟେ ଜାତ କଲି
ଗର୍ଭରେ ବହିଲି କିନ୍ତୁ କୋଳେ ନ ଧଇଲି
ମୋହର କନିଷ୍ଠ ଭାଇ ଅଟେ ଯେଉଁ କଂସ
ବାଳହତ୍ୟା କଲା ତାକୁ ନ ଲାଗଇ ଦୋଷ
ପାପକୁ ମନରେ ଭୟ ନ କରି ସେ ରାଜା
ଅଦୋଷରେ କଚାଡ଼ିଲା ଛ ଗୋଟି ଭଣଜା
ଏମନ୍ତେ ମନେ ବିଚାରି କରଇ ରୋଦନ
ନୟନରୁ ଅଶ୍ରୁ ଜଳ ବହେ ଘନ ଘନ
ପୁତ୍ରଙ୍କ ରୂପ ବାହୁନି କାନ୍ଦେ ରାଜାଜେମା
ଶୋକଭରେ ନଦୀତୀରେ ବସୁଦେବ ବାମା
ଆହାରେ ଦଇବ ମୋତେ ଦେଲୁ ପୁତ୍ର କଷ୍ଟ
କେତେ ଘଞ୍ଚାଳ ନ କରେ ଦୁଷ୍ଟ କଂସ ନଷ୍ଟ
ଷଡ଼ପୁତ୍ର ଅରଜିଲି ମାଇଲା ସେ ପାପୀ
ସୋଦର ସମ୍ପଦ ମୋର ବିପଦ ସ୍ୱରୂପୀ
କେବଣ ପୁରୁଷ ପୂର୍ବେ ଦେଲା ଅଭିଶାପ
ଏତେକାଳେ ମୋତେ ଆସି ଘୋଟିଲା ସେ ପାପ
ଭୋ ଧର୍ମଦେବତା ଏବେ ପ୍ରତିକାର କର
ଶୋକଜଳେ ବୁଡ଼ିଲି ମୁଁ ଉଦ୍ଧରିଣ ଧର
ପବିତ୍ର ଭୋଜବଂଶରେ ହୋଇଲି ମୁଁ ଜାତ
ଇନ୍ଦୁମତୀ ଦେବୀ ମୋର ଅଟେ ନିଜ ମାତ
ନୃପତି ଉଗ୍ରସେନ ଯେ ଅଟେ ମହାବଳୀ
ତାହାର ଜ୍ୟେଷ୍ଠଦୁହିତା ମୁହିଁ ଶୁଦ୍ଧଶାଳୀ
ଦେବଦଳନ ଯେ କଂସ ସାନଭାଇ ମୋର
ଦାରୁଣ ଦୁଃଖ ଦେଇଛି ଆପଣା ସୋଦର
ଏ ସଂସାର ମଧ୍ୟରେ ମୁଁ ଏକା ମନ୍ଦଭାଗ୍ୟ
ଅପୁତ୍ରକୀ ହେଲି ମୋତେ ଥିଲା ଏହି ଯୋଗ
କାହା ଆଗେ କହିବଇଁ ମୋର ଦୁଃଖକଥା
ଭୋ ଧର୍ମଦେବତା ଫେଡ଼ ମୋ ଦୁଃଖ ଅବସ୍ଥା
ଏତେ ବୋଲି ଦେବତାଙ୍କୁ ଦେବୀ ସୁମରିଲେ
ଉଚ୍ଚେ ସୁନ୍ଦରୀ ବହୁତ ରୋଦନ ଯେ କଲେ
ସପତ ସମୁଦ୍ରେ ପଶି ନ ତିନ୍ତିଲା ପାଦ
ରାଜାର କୁମାରୀ ହୋଇ ନ ଗଲା ମୋ ଖେଦ
କେତେ ମୁଁ ସହିବି ଗର୍ଭକଷ୍ଟ ମନ କୋହ
ନିଶ୍ଚୟେ ଅନଳେ ପଶି ତେଜିବି ଏ ଦେହ
ନୋହିଲେ ମୋର ତଣ୍ଟି ମୁଁ କାଟିବି କଟାରେ
ହେବି ପଛେ ଆତ୍ମଘାତୀ ଝାସିବି ସାଗରେ
ଦେବକୀ ବିକଳ ଦେଖି ରୋହିଣୀ ବକଳ
କମଳ ନୟନ ଫାଟି ବହେ ଅଶ୍ରୁଜଳ
ଦେବକୀ ପାରୁଶେ ଯେତେ ପରିବାରୀ ଥିଲେ
ଜେମାଙ୍କ ରୋଦନ ଶୁଣି ରୋଦନ ସେ କଲେ
ଏକାଳେ ଯମୁନା ନଦୀ ଦକ୍ଷିଣର କୂଳେ
ଯଶୋଦା ଗୁଆଳୀ ସ୍ନାନ କରୁଥିଲା ଜଳେ
ନନ୍ଦନାମେ ଗୋପାଳ ଯେ ଗୋପ ନୃପମଣି
ଯଶୋଦା ନାମେ ତାହାର ଅଟଇ ଘରଣୀ
ଅଛନ୍ତି ସେହି ଅନେକ ଗଉଡ଼ୁଣୀ ମେଳେ
ଦଧି ବିକି ଆସି ସ୍ନାନ କରୁଥିଲେ ଜଳେ
ଉତ୍ତର କୂଳରେ ରହି କାନ୍ଦନ୍ତି ଦେବକୀ
ସର୍ବ ଗୋପାଳୁଣୀ ମେଳେ ଗଲେ ତାକୁ ଦେଖି
ଦେବକୀଙ୍କୁ ବେଢ଼ିଲେ ସେ ଶତେପୁର କରି
ଏକୁଁ ଏକ ପ୍ରବୋଧନ୍ତି ମିଳି ସର୍ବନାରୀ
ଯଶୋବନ୍ତୀ ବୋଇଲେ ଗୋ ଶୁଣ ପ୍ରାଣ ସହି
କିପାଁ ସନ୍ତାପ କରୁ ଗୋ ବଥାଇବ ଦେହୀ
ଆଗେ ଯାହା ଅର୍ଜିଥାଇ ପଛେ ତାହା ଭୁଞ୍ଜି
ଚିତ୍ରଗୁପ୍ତ ଲେଖିକରି ରଖିଥାନ୍ତି ପାଞ୍ଜି
ଯାହା ଅର୍ଜିଅଛ ତୁମ୍ଭେ ଭୁଞ୍ଜିବ ନା ବଳେ
ବିଧାତା ତୁମ୍ଭଙ୍କୁ ଖଞ୍ଜିଅଛି ସଦାକାଳେ
ଯାବତ କଥା ତୁମ୍ଭର ଜାଣେ ମୁଁ ସକଳ
ସମ୍ଭାଳ ତୋ ଶୋକମନ ନୁହ ଗୋ ବିକଳ
ପ୍ରସ୍ତାବେ କହନ୍ତି ଲୋକେ ଏବେ ତୁମ୍ଭ କଥା
ତାହା ଶୁଣି ମନେ ମୋର ପାଇ ବଡ଼ବ୍ୟଥା
ଏକା ପୁତ୍ର ମଲେ ଜାଣ ଗର୍ଭକଷ୍ଟ ଯେତେ
ଗର୍ଭବତୀ ସ୍ତିରୀମାନେ ଜାଣନ୍ତି ସମସ୍ତେ
ଷଡ଼ଗୋଟା ପୁତ୍ର ତୋର ଅନିମିତ୍ତେ ଗଲେ
ଏ ବେଦନା କାହା ଆଗେ କି ହେବ କହିଲେ
ସୋଦର ଭାଇ ତୁମ୍ଭର ଏଡ଼େକ ନିରାଶ
ସ୍ୱହସ୍ତେ ଭଣଜାମାନ କଲା ସବୁ ନାଶ
ଏଡ଼େକ ଅନୀତି କିପାଁ କରେ କଂସରାୟ
ପାପକୁ କି ତାହାର ଗୋ ଚିତ୍ତେ ନାହିଁ ଭୟ
ଭାଇ ହୋଇ ତୋତେ କିପାଁ ନ କଲା ସେ ଦୟା
ଏଥକୁ ଚିନ୍ତା ନ କର ତୁ ଗୋ ରାଜଜାୟା
ଏ ତୁମ୍ଭ ଅର୍ଜିଲା କର୍ମ ଆନେ ଦୋଷ ନ ଦେ
ଦୁଃଖ ତୁମ୍ଭର ଅଳପ ଦିନେ ଯିବ ହାଦେ
ପିତା ପ୍ରସାଦେ ଅପୂର୍ବ ଅଛି ତୋତେ କିସ
ଏ ଛାର କଥାକୁ କିପାଁ ହେଉ ଅସନ୍ତୋଷ
ଯେତେକ ଶୋକ କରିବ ଦେହେ ପାଇବ୍ୟଥା
ଗଞ୍ଜିସିନା ହୋଇବ ଗୋ ନ କହିବା କଥା
ଏ ମୋର ପ୍ରବୋଧ ଘେନି ହୁଅ ମାତ ତୁନି
ଦେବକୀ ଲୁହ ପୋଛନ୍ତି କରେ ବସ୍ତ୍ର ଘେନି
ଦେବକୀ ବୋଇଲେ ସଖି ଦେଖ ମୋର କଷ୍ଟ
ଏତେ ଜିଙ୍ଘାସ କରୁଛି ମୋର ଭାଇ ଦୁଷ୍ଟ
ପୁତ୍ରଙ୍କର ଶୋକ ମୁଁ ଗୋ ନ ପାରଇ ସହି
ଯମୁନା ଜଳରେ ଝାସଦେବି ଆଜ ଦେହି
କାହିଁଥିଲା ମୋହର ଗୋ ଏହି ଘଟସୂତ୍ର
ଦେଖୁ ଦେଖୁ ମରାଇଲି ଷଡ଼ଗୋଟା ପୁତ୍ର
ସ୍ତିରୀ ସଂସାରେ ମୋତେ କି ଏଥୁ ଅଛି ଲଜ୍ଜା
ନିଶ୍ଚୟେ କରିବି ଏହି ଦେହୁ ପ୍ରାଣତ୍ୟଜ୍ୟା
ଯଶୋବନ୍ତୀ ବୋଇଲେ ମୁଁ ଭାଳଇ ଗୋ ମନେ
ମୋତେ ଦୃଶ୍ୟ ହେଉଅଛି ଦୁର୍ଲ୍ଲଭ ଶକୁନେ
ବାମ ନୟନ ମୋହର ସ୍ଫୁରୁଅଛି ଢାଳେ
ଦେଖ ଆମ୍ଭ ଆଗରେ ଗୋ ଉଡ଼େ ଶଙ୍ଖଚିଲେ
ଦଧିମାଛ ପୂର୍ଣ୍ଣକୁମ୍ଭ ସବୁ ଶୁଭ ଦେଖି
ଏବେ ଏ ତୁମ୍ଭର ଆତ୍ମା ସ୍ଥିର କର ସଖି
ସକଳ ଦୁଃଖ ଆଜହୁଁ ଯିବ ତୋର କ୍ଷୟେ
ଏସନକ ଦୃଶ୍ୟ ମୋତେ ହୋଇଲା ଗୋ ମାଏ
ଷଡ଼ପୁତ୍ର ନାଶକଲେ ନ ଭାଳ ତୁ ମନ
ଶକୁନେ ଜାଣିଲି ତୋର ଦିଶିଲା ଗୋ ପୁଣ୍ୟ
ଏ କଥା ପ୍ରତେ ଯେବେ ନ କରୁ ସଙ୍ଗାତୁଣୀ
ମୋହର ପୁତ୍ର ହୋଇଲେ ଦେବି ତୋତେ ରାଣୀ
ମୋର ତିନିବାର ସତ୍ୟ ସତ୍ୟ ଏହି କଥା
ଆଉ ସଖି ମନରେ ଗୋ ନ ପାଅ ତୁ ବ୍ୟଥା
ବିନୟ କରି ବୋଲୁଛି ତୋତେ ଶୁଭ୍ରକେଶୀ
ବାହୁଡ଼ି ନିଜ ନବରେ ଯାଅ ଘେନି ଦାସୀ
ଜଗତ ତାରଣ ପୁତ୍ର ତୁମ୍ଭର ଉଦରେ
ଜାତହେବେ ଦିଶେ ମୋତେ ଏହା ଶକୁନରେ
ସବୁକାଳେ ପ୍ରାଣୀଙ୍କର ନ ଥାଇଟି ଦୁଃଖ
ସମୟେ କଷ୍ଟ ପାଇଲେ ସମୟେକ ସୁଖ
ରାତ୍ରକ ହୋଇଲେ ପୁଣ ଦିବସେକ ହୋଇ
ଶୁଭ ଥିଲେ ଅଶୁଭ ହିଁ ପାଖେ ପାଖେ ଥାଇ
ସ୍ତିରୀ ଏକ ହୋଇଲେ ଯେ ପୁରୁଷେକ ହୋଇ
ଚିନ୍ତା ନ କର ଗୋ ତୁମ୍ଭେ ଆଉ ଏଥିପାଇଁ
ଭଲ ମନ୍ଦ ଏକଠାବ ହୁଅଇ ସଂଯୋଗ
ପୁଣ୍ୟ କରିଥିଲେ ମଧ୍ୟ ଥାଇ ପାପ ଯୋଗ
ତୁ ରାଜଦୁହିତା ମାଗୋ ଜନ୍ମକାଳୁ ସୁଖୀ
ପ୍ରକାରାନ୍ତେ ଧାତା ସିନା କରୁଅଛି ଦୁଃଖୀ
ଏବେ ନିଶ୍ଚୟ ଦିଶିଲା ମାଗୋ ଶୁଭକଥା
ଆଜହୁଁ ମନରୁ ମାଗୋ ଛାଡ଼ ତୋର ବ୍ୟଥା
ଅନେକ ପ୍ରକାରେ ପୁଣ୍ୟ ଯଶୋଦା ତିଆରି
ଯମୁନାକୁ ପାରି ହୋଇ ଗଲେ ଯେଝା ପୁରୀ
ଦେବକୀକୁ ଯଶୋଦା ଯେ କହି ଆଗବଢ଼ି
ଯଶୋଦା ବଚନେ ଦେବୀ ସବୁ ଚିନ୍ତା ଛାଡ଼ି
ବସୁଦେବର ଭବନେ ଦେବକୀ ପ୍ରବେଶ
ଯଶୋଦା ଦେବୀ ଯେ ଗଲେ ଆପଣା ଆବାସ
ଯେ ଯାହାର ନିତ୍ୟାଚାରେ ରହିଲେ ସକଳ
ଏକମାତ୍ର ଦେବକୀ ଯା ହୁଅନ୍ତି ବିକଳ
ଭୋଜନ ଶୟନ ଗୃହ ଧନ୍ଦାମାନ ଆଦି
ନିତ୍ୟ ଆଚାର ଯେମନ୍ତେ ଥାଇ ଯଥାବିଧି
ଜୟ ତୁ ଶାରଦା ମାଗୋ ଝଙ୍କଡ଼ ବାସିନୀ
ବାଣପୁରେ ଭଗବତୀ ନାମ ଅଛୁ ଘେନି
ମହୋଦଧି ତୀରେ ନାମ ଅଟଇ ବିମଳା
ଭୈରବୀ ରୂପକୁ ଧରି ବୋଲାଉ ହିଙ୍ଗୁଳା
ଯାଜପୁରେ ହୋଇଅଛି ତୋ ନାମ ବିରଜା
ଆଶ୍ୱିନ ମାସରେ ପାଉ ନାନା ବଳିଭୋଜା
ସୁକୃତୀମାନଙ୍କ ଗୃହେ ବୋଲାଉ ତୁ ଲକ୍ଷ୍ମୀ
ପାପୀମାନଙ୍କର ଘରେ ତୁ ପୁଣି ଅଲକ୍ଷ୍ମୀ
ସାଧୁ ହୃଦେ ଶ୍ରଦ୍ଧା ତୁହି ଜ୍ଞାନୀ ହୃଦେ ଜ୍ଞାନ
କୁଳୀନ ହୃଦରେ ଲଜ୍ଜାରୂପେ ଥାଉ ପୁଣ
ତୋ ପାଦରେ ନମସ୍କାର କରୁଅଛି ମୁହିଁ
ଜଗତକୁ ରକ୍ଷା କର ମାଗୋ ମହାମାୟୀ
ମୁଁ ମୂର୍ଖ ଅଚ୍ୟୁତ ଦାସ ନ ଜାଣଇ କିଛି
କେବଳ ତୋ ପାଦପଦ୍ମେ ଚିତ୍ତ ରଖିଅଛି
ପୁଣ୍ୟମୟ ଚରିତ ଏ ହରିବଂଶ ଗ୍ରନ୍ଥ
ଏଥୁଅନ୍ତେ ଦିନେ ବସୁଦେବର ଘରଣୀ
ପଲ୍ୟଙ୍କରେ ନିଦ୍ରା ଯାଇଥିଲେ ଏକାକିନୀ
ଘୋଟିଅଛି ଅନ୍ଧକାର ନିଶା ନବଘଡ଼ି
ଉତ୍ତାନ ଶୟନେ ବାମା ପଲ୍ୟଙ୍କେ ପହୁଡ଼ି
ସବୁବେଳେ ଦୁଃଖାନଳ ଦହୁଥାଏ ମନ
ଅଚେଷ୍ଟ ନିଦ୍ରାରେ ତହିଁ ଦେଖିଲ ସ୍ୱପନ
ଅଶେଷ ଲୋକର ଶୋଭା ଅଙ୍ଗେ ପରକାଶି
ନୀଳାମ୍ବର ପ୍ରଭୁ ଆଗେ ବିଜେ କଲେ ଆସି
କଳ୍ପାନ୍ତ ବୃଷଭ ପୃଷ୍ଠେ ବସି ଯୋଗେଶ୍ୱର
ରେବତୀଙ୍କୁ ଧରିଛନ୍ତି ଆପଣା କୋଳର
ଆକାଶରେ ଦେବଗଣ କରୁଛନ୍ତି ସ୍ତୁତି
ଚଉପାଶେ ପାରିଷଦଗଣ ବେଢ଼ିଛନ୍ତି
ଏମନ୍ତ ଅପୂର୍ବ ରୂପ ଧରି ଦେବ କାଶୀ
ସ୍ୱପ୍ନରେ ଦେବକୀ ଆଗେ ପ୍ରବେଶିଲେ ଆସି
ଧରଣୀର ଭାରାଭର ଉଶ୍ୱାସିବା ପାଇଁ
ଦେବକୀ ଗର୍ଭରେ ଠାବ ମାଗନ୍ତି ଗୋସାଇଁ
ଅନ୍ନପୂର୍ଣ୍ଣା ବିଷ୍ଣୁଙ୍କର ଶାପେ ଅନୁକ୍ରମ
ଶ୍ରୀବିଷ୍ଣୁ ବୋଲନ୍ତି ଶିବ ମର୍ତ୍ତ୍ୟଯୋନି ଘେନ
ଶାପ ପରାପତ ମୁହିଁ ହେଲି ତୁମ୍ଭ ଯୋଗେ
ମର୍ତ୍ତ୍ୟପୁରେ ଜନ୍ମ ହେବ ତୁମ୍ଭେ ମୋର ସଙ୍ଗେ
ଦେବକୀ ଗର୍ଭରେ ବାସ ଈଶ୍ୱର ମାଗନ୍ତି
ସ୍ଫଟିକ ପରାୟେ ଶୁକ୍ଳ ଯାର ଦେହ ଜ୍ୟୋତି
ଶିରେ ଶୋହେ ସପ୍ତଫେଣି ସୁସଂଯତ ଜଟ
ରତନ କୁଣ୍ଡଳ କର୍ଣ୍ଣେ ଦିଶେ ଝଟଝଟ
କପିଳାମଳ ବିଭୂତି ସର୍ବାଙ୍ଗେ ଲେପନ
ବିକଚ କମଳନେତ୍ର ଅତି ଶୋଭାବନ
ହୃଦୟ ବିଶାଳ ଦିଶେ ମେରୁ ଖମ୍ବ ଜିଣି
ବେନିଭୁଜେ ଶୋହେ ହଳ ମୁଷଳ ଯେ ପୁଣି
ଡମ୍ବରୁ ସଦୃଶ କଟି ବୃଷାଳ ଜଘନ
ଅଙ୍ଗ ପ୍ରତ୍ୟଙ୍ଗର ଶୋଭା ଦିଶେ ଆନୁଆନ
ଏମନ୍ତ ସ୍ୱରୂପ ଧରି ପ୍ରଭୁ ଦିଗବାସ
ଦେବକୀ ସନ୍ନିଧେ ଆସି ହେଲେ ପରବେଶ
ଆଶ୍ୱାସି ବୋଲନ୍ତି ଶୁଣ ବସୁଦେବ ନାରୀ
ଜଗତ କାରଣ ଅଟୁ ଆମ୍ଭେ ତ୍ରିପୁରାରୀ
ପ୍ରାଣୀମାନଙ୍କର ଆମ୍ଭେ ଆରତ ଭଞ୍ଜନ
ତୋ ଆରତ ଦେଖି ଆଜ ହୋଇଲୁଁ ପ୍ରସନ୍ନ
ଉଠ ଉଠ ଦେବକୀ ଗୋ କେତେ ନିଦ୍ରା ଯାଅ
ମୃତପୁତ୍ର ସୁମରି ତୁ ଆରତ ନ ହୁଅ
ପ୍ରତ୍ୟକ୍ଷେ ଅନାଦି ଶିବ ମଞ୍ଚେ ହେବୁଁ ଜାତ
ପ୍ରସନ୍ନ ହୋଇଲୁ ଗର୍ଭେ ଠାବ ଦିଅ ମାତ
ପୃଥ୍ୱୀଭାରା ନିବାରଣେ ନିଶାଚରଗଣ
ସଂହରିବୁ ତୋ ଗର୍ଭରୁ ଜନ୍ମ ହୋଇ ଜାଣ
ଗୁହାରି କରିଲେ ଦେବ ବହୁତ ବିକଳେ
ଅସୁରଙ୍କ ଭାରେ ପୃଥ୍ୱୀ ଯିବ ରସାତଳେ
ଦେବଙ୍କ ଗୁହାରି ଶୁଣି ଚିତ୍ତେ ହେଲା ଦୟା
ତେଣୁ ହରିହର ଦୁହେଁ ଧରି ନରକାୟା
ଅସୁରଙ୍କୁ ବଧକରି ରଖିବୁଁ ଜଗତ
ଏ କଥା ପୂର୍ବରୁ ଜାଣ ହୋଇଛି ନିଶ୍ଚିତ
କଶ୍ୟପ ଅଦିତି ତୁମ୍ଭେ ପତି ପତ୍ନୀ ବେନି
ମଞ୍ଚପୁରେ ଜନ୍ମିଅଛ ପୂର୍ବ ଶାପ ଘେନି
ଗାୟତ୍ରୀ ଦେବୀଙ୍କ ଶାପେ ମାନବ ଶରୀର
ପାଇଅଛ ଆମ୍ଭ ଯୋଗେ କରିବ ନିସ୍ତାର
ଏ କଥା ମିଥ୍ୟା ବୋଲି ନ ବିଚାର ଚିତ୍ତେ
ତୋ ଗର୍ଭଗୃହରେ ମାତ ଠାବ ଦିଅ ମୋତେ
ଦୟା ମୟ ଶିବଙ୍କର ଦିବ୍ୟରୂପ ଦେଖି
ନିଦ୍ରାରେ ଦେବକୀ ଦେବୀ ଚାହିଁଲେ ନିରେଖି
ଅପୂର୍ବ ସୁନ୍ଦର ରୂପ ତେଜରେ ପ୍ରବଳ
ବେନିକର ଶୋଭାପାଏ ଲଙ୍ଗଳ ମୁଷଳ
ସାକ୍ଷାତେ ଈଶ୍ୱର ରୂପ ଆଗେ ଦେଖି ରାଣୀ
ବିନୟରେ ଜଣାଇଲା ଯୋଡ଼ି ବେନିପାଣି
ଯୋଗାଧି ପୁରୁଷ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ
କି କାରଣେ ମୋର ପୁରେ ବିଜେ କଲ ସ୍ୱାମୀ
ରାଣୀର ବଚନ ଶୁଣି ପ୍ରଭୁ ବଳରାମ
ବୋଲନ୍ତି ତୋ ଗର୍ଭେ ଆମ୍ଭେ ହୋଇବୁ ଜନମ
ଦେବତା ମାନଙ୍କ ହିତେ ମର୍ତ୍ତ୍ୟେ ଅବତରି
ପୃଥ୍ୱୀଯାକ ଉଶ୍ୱାସିବୁ ଅସୁରଙ୍କୁ ମାରି
କଂସ ଆଦି ଅଷ୍ଟମଲ୍ଲ କରିବୁ ନିଧନ
ଏ କଥା ତୁ ଜାଣି ମାତ ଗର୍ଭେ ଦିଅ ସ୍ଥାନ
ପୁତ୍ରରୂପେ ଜାତ ହୋଇ ଫେଡ଼ିବୁ ତୋ ଦୁଃଖ
ଆଜଠାରୁ ମନେ ଆଉ ନ ହୁଅ ବିମୁଖ
ଦେବକୀ ବୋଇଲେ ବାବୁ ତା ମୋତେ ନ କହ
କି ପାଇ ନାଶିବୁ ତୋର ଏ ସୁନ୍ଦର ଦେହ
କନ୍ଦର୍ପ ନୁହଇ ସମ ତୋ ରୂପକୁ ତିଳେ
ତୁ କିପାଇଁ ନାଶଯିବୁ ମୋ କର୍ମ ଦୁର୍ବଳେ
ପୋଡ଼ୁ ପୋଡ଼ୁ କର୍ମ ମୋର ନ କହ ଏକଥା
ତୋ ଅମୃତ ବଚନରେ ଲାଗୁଅଛି ବ୍ୟଥା
ଯେ ମୋ ଗର୍ଭରେ ଜାତହେବୁ ଆପେ ଲୋଡ଼ି
ଜନ୍ମିବା ମାତ୍ରକେ କଂସ ମାରିବ କଚାଡ଼ି
ଚାଣ୍ଡାଳ ନିର୍ଦ୍ଦୟ ମୋର ଭାଇ ବଡ଼ ଦୁଷ୍ଟ
ଷଡ଼ପୁତ୍ର ମୋର ବଧ କଲା ସେ ପାପିଷ୍ଠ
ଆଉ ବେନି ପୁତ୍ର ଯାଏ ସେ ନିଶ୍ଚେ ମାରିବ
ପଣ କରିଅଛି କଂସ ଅହନ୍ତା ସାଧିବ
ମୁହିଁ ଅଭାଗିନୀ ବାବୁ ନ ଲୋଡ଼ଇ ତୋତେ
ବିଧାତା ପୁରୁଷ ଦଣ୍ଡ ଦେଉଅଛି ମୋତେ
ଏତେ କହି ଦେବୀ ତହୁଁ ହୋଇଲେ ମଉନ
ଆଶ୍ୱାସି କହନ୍ତି ପୁଣି ତାଙ୍କୁ ବଳରାମ
ଶାପ ପାଇଅଛୁ ଆମ୍ଭେ ମର୍ତ୍ତ୍ୟେ ହେବୁ ଜାତ
ଏଣୁ ତୋ ଗର୍ଭରେ ମୋତେ ଠାବଦିଅ ମାତ
ଦେବକୀ ବୋଇଲେ ମୋର ସନମତ ନାହିଁ
କଂସ ହସ୍ତେ କିପାଁ ଦେବି ଗର୍ଭକଷ୍ଟ ସହି
ଷଡ଼ପୁତ୍ର ଦେଇ ଦୁଃଖ ପାଇଲିଣି ଯେତେ
ସେ କଥାତୋ ଆଗେ ଫେଡ଼ି କହିବି ମୁଁ କେତେ
ବଳରାମ ବୋଇଲେ ତୁ ନ ଜାଣୁ ଗୋ ମାତ
ଛାର କଂସାସୁର ବଳେ ମୁଁ ନୁହଇ ହତ
କଂସ ଆଦି ଅସୁରଙ୍କ ଭାରା ନ ସହିଣ
ଭୂଦେବୀ ପଶିଲା ବ୍ରହ୍ମା ପାଦରେ ଶରଣ
ପୁଣି ଦୁଃଖ ଜଣାଇଲେ ଦେବତା ସକଳେ
ମର୍ତ୍ତ୍ୟପୁରେ ଜନ୍ମହେବୁ ଆମ୍ଭେ ସେହି ଛଳେ
ତ୍ରେତା ଯୁଗେ ହୋଇଥିଲୁ ଶ୍ରୀରାମ ଲକ୍ଷ୍ମଣ
ପୃଥ୍ୱୀଭାର ହରିବାକୁ ବଧିଲୁ ରାବଣ
ରାବଣକୁ ମାରି ସ୍ୱର୍ଗେ ହେଉ ପରବେଶ
ବ୍ରହ୍ମହତ୍ୟା ଦୋଷ ଦେଲେ ସକଳ ତ୍ରିଦଶ
ତେଣୁ ହରିହର ଦୁହେଁ ପାଇ ଅପମାନ
ଅନନ୍ତ ଶଯ୍ୟାରେ ଯାଇ କରିଲୁ ଶୟନ
କଳା ଶୁକ୍ଳ ବେନି ରୋମ ଅଟୁ ଜାଣ ଆମ୍ଭେ
ବେନି ଆତ୍ମା ଜାତହେବୁ ଏବେ ତୁମ୍ଭ ଗର୍ଭେ
ଅବତାର ଛଳେ ବଧ କରିବୁ ଦାନବ
ପୂର୍ବରୁ ଘଟଣା ଏହା କରିଛି ଦଇବ
ଆମ୍ଭଙ୍କୁ ତୁ ପୁତ୍ର ରୂପେ ଧରିବୁ ଯେ କୋଳେ
ଯେଣୁ ଘୋର ତପ କରିଥିଲୁ ପୂର୍ବକାଳେ
ଦେବକୀ ବୋଇଲେ ତୁ ଯେ ଅଯୋନି ସମ୍ଭୁତ
ମାନବ ଯୋନିରେ କିପାଁ ମର୍ତ୍ତ୍ୟେହେବୁ ଜାତ
କାହାର ଅପ୍ରାଧ ପୂର୍ବେ କଲୁ ଯୋଗେଶ୍ୱର
ମର୍ତ୍ତ୍ୟେ କିପାଁ ହୋଇବୁ ତୁ ମାନବ ଶରୀର
ଈଶ୍ୱର ବୋଇଲେ ମାଗୋ ପୂର୍ବ ଘଟସୂତ୍ର
ମେଣ୍ଟଣ ନୋହିଲେ ନିଶ୍ଚେଁ ହେବୁ ତୋର ପୁତ୍ର
ମମ ଅର୍ଥେ ଅନ୍ନପୂର୍ଣ୍ଣା ବିଷ୍ଣୁଙ୍କୁ କୋପିଲେ
ମର୍ତ୍ତ୍ୟପୁରେ ଜନ୍ମ ହୁଅ ବୋଲି ଶାପ ଦେଲେ
ମୋ ସକାଶେ ନାରାୟଣ ପାଇ ଅଭିଶାପ
ସେହି ମଧ୍ୟ କୋପକରି ଦେଲେ ମୋତେ ଶାପ
ବୋଇଲେ ତୁ ମର୍ତ୍ତ୍ୟଲୋକେ ଜନ୍ମିବୁ ଈଶାନ
ଦୁଷ୍ଟଦୈତ୍ୟ ସଂହରିବା ଆମ୍ଭେ ବେନିଜନ
ବାରମ୍ବାର ଜନ୍ମ ହେବି ମୁହିଁ ଭୂମିଭାଗେ
ତୁ ମଧ୍ୟ ସହାୟ ହୋଇଥିବୁ ମୋର ସଙ୍ଗେ
ତେଣୁ ଆମ୍ଭେ ଦୁହେଁ ହେବୁ ନରରୂପେ ଜାତ
ପ୍ରତିଜନ୍ମେ ହେଉଥିବୁ ତୁ ଆମ୍ଭର ମାତ
ଏତେ କହି ରାଣୀ ଆଗେ ପ୍ରଭୁ ହଳପାଣି
ଚାହୁଁ ଚାହୁଁ ଅନ୍ତର୍ଦ୍ଧାନ ହେଲେ ସେହିକ୍ଷଣି
ପୁଣି ହିଁ ଦେବକୀ ଦେବୀ ନିଦ୍ରାରେ ମୋହିତ
ଦେଖିବାର କଥାମାନ ଭୁଲିଲା ତୁରିତ
ଦଇବ ମାୟାରେ ଦେବୀ ମୋହିତ ଯେ ପୁଣି
ମନ ତାର ଭୁଲାଇଲେ ପ୍ରଭୁ ହଳପାଣି
ଯେବଣ ଚରିତ ଦେବୀ ଦେଖିଲା ସ୍ୱପନେ
ଦୈବୀ ମାୟାବଳେ ତାହା ନ ରହିଲା ମନେ
କହନ୍ତି ଶ୍ରୀ ଶୁକମୁନି ଶୁଣ ମହାରାଜା
ଆର ଦିନ ପତି ପତ୍ନୀ କଲେ ଏକଶଯ୍ୟା
ବିଧାତାର ଘଟସୂତ୍ର ପୂର୍ବର ଲିଖନ
କାଳେ ଆସି ଭୋଗ ହୁଏ ନ ହୁଅଇ ଆନ
ନିହନ୍ତା ବିହନ୍ତା ଯାହା ଅଛି ନିକି ଭାଇ
ପୂର୍ବ ସଞ୍ଚିତ କର୍ମ ସେ କେବେ ଆନ ନୋହି
ବଢ଼ିଲା ପୀରତି ଦୁହେଁ ହୋଇଲେ ହରଷ
ସେ ଦିନ ଦେବକୀ ଦେବୀ ହେଲେ ଗର୍ଭବାସ
ଦିନକୁ ଦିନ ଉଦର ହେଲା ବର୍ଦ୍ଧମାନ
ବେଳୁବେଳ ଅଙ୍ଗଶୋଭା ଦିଶେ ଭିନ୍ନ ଭିନ୍ନ
ନୀଳାମ୍ବର ପ୍ରଭୁ ଗର୍ଭେ ବିଜେ କଲେ ଆସି
କୋଟିଏ ବ୍ରହ୍ମାଣ୍ଡ ଶୋଭା ଯାର ରୂପରାଶି
ନିରଞ୍ଜନ ସ୍ୱାମୀ ସେ ଯେ ମହାଯୋଗେଶ୍ୱର
କୁନ୍ଦ ଇନ୍ଦୁପରି ଦିଶେ ଶରୀର ଯାହାର
ଯା ରୂପକୁ କୋଟି କାମ ନୁହେଁ ସମସରି
ଯାଗ ହୋମ କାର୍ଯ୍ୟେ ଯାକୁ ପ୍ରଥମରୁ ବରି
ସେ ସ୍ୱାମୀ ଧରଣୀ ଭାରା ନିବାରଣ ଅର୍ଥେ
ବିଜେକଲେ ଦେବକୀର ଗର୍ଭ ଅନ୍ତର୍ଗତେ
ତେଣୁ ସେ ଦେବକୀ ଦେବୀ ଦିଶିଲେ ସୁସଞ୍ଚ
ତୁଳନା ନାହିଁ ସ୍ୱର୍ଗ ଯେ ରସାତଳ ମଞ୍ଚ
ଯାର ନାମ କାମପାଳ ଅଟଇ ଯୁକତେ
ଚରାଚର ପୃଥ୍ୱୀ ତୋଳି ପାରଇ କିଞ୍ଚିତେ
ଅଙ୍ଗେ ପୂରିଥିବାରୁଟି ବଳପରାକ୍ରମ
ଅତିବଳେ ବଳରାମ ବୋଲି ଯାର ନାମ
ସଦାନନ୍ଦ ପୁରୁଷ ଯେ ଯୋଗୀଙ୍କର ଗତି
ସେ ଯହୁଁ ଦେବକୀ ଗର୍ଭେ କଲେ ଅବସ୍ଥିତି
ସୁନ୍ଦର ଦିଶିଲା ତେଣୁ ବସୁଦେବ ବାମା
ବେଳୁବେଳ ବୃଦ୍ଧି ହେଲା ଅଙ୍ଗରେ ସୁଷମା
ଏଥୁ ଅନନ୍ତରେ ଶୁଣ ପରୀକ୍ଷ ରାଜନ
ପୁଣି ସେ ଦେବକୀ ଦେବୀ ଦେଖିଲା ସ୍ୱପନ
ପଲ୍ୟଙ୍କରେ ଶୋଇଥିଲା ନିଶା ଅର୍ଦ୍ଧମାନେ
ବଳରାମ ରୂପ ପୁଣି ଦେଖିଲା ସ୍ୱପନେ
କାମପାଳ ରୂପ ଦେଖି ପୂର୍ବର ସ୍ୱପନ
ଚିତ୍ତରେ ଚିତ୍ତୋଇ ବାମା ଉଠିଲା ବହନ
ତଦଅନ୍ତେ ବିଚାରିଣ ଦେବୀ ହୃଦଗତେ
ମଣାଇ କହିଲେ ବସୁଦେବଙ୍କ ଅଗ୍ରତେ
ସାବଧାନେ ଯେ ଶୁଣିମା ହେଉ ପ୍ରାଣନାହା
ଆଜ ରଜନୀରେ ସ୍ୱପ୍ନ ଦେଖିଲି ମୁଁ ଯାହା
ଅଦଭୂତେ ଆକାଶରୁ ଖସିଲା କି ଶଶୀ
ଶୁକାମ୍ବର ଶରୀର ମୋ ଗର୍ଭେ ଗଲେ ପଶି
ଯେତେବେଳେ ମୋ ଗର୍ଭରେ ପ୍ରବେଶିଲା ଝାସି
ଉପରେ ପର୍ବତ ମାଡ଼ି ପଡ଼ିଲା ଆକର୍ଷି
କ୍ଷଣକ ସମୟ ହେଲା ନ ପାରଇ ସହି
ଅସମ୍ଭାଳ ହୋଇ ନାଥ ଅଇଲି ମୁଁ କହି
ବସୁଦେବ କହିଲେ ଗୋ ସ୍ୱପ୍ନ କାହୁଁ ସତ୍ୟ
ହୃଦେ ଚିନ୍ତା ଥିବାରୁ ଗୋ ଦେଖୁଛ ଏମନ୍ତ
ଏଥକୁ ଭ୍ରାନ୍ତି ନ କର ଆଗୋ ଶୁଭ୍ରକେଶୀ
ବାହୁଡ଼ି ତୋର ପଲ୍ୟଙ୍କ ଶୁଅ ତୁ ଗୋ ଆସି
ବସୁଦେବ ବାଣୀ ଶୁଣି ଦେବକୀ ଯେ ଗଲେ
ଆପଣାର ପଲ୍ୟଙ୍କରେ ଯାଇଁ ପହୁଡ଼ିଲେ
ଶୁଣ ପରୀକ୍ଷ ରାଜନ କହେ ଶୁକଯତି
ବଳରାମ ପୁଣ୍ୟକଥା ଶୁଦ୍ଧ ପୁଣ୍ୟକୀର୍ତ୍ତି
ଦେବକୀର ଗର୍ଭେ ଦେବ କଲେକ ବିଶ୍ରାମ
ପୃଥ୍ୱୀଭାରା ନିବାରଣ ଅର୍ଥେ ବଳରାମ
ଯହୁଁ ଗର୍ଭରେ ରହିଲେ ହେଲା ବେନିମାସ
ଦିନୁଦିନ ଦେବକୀର ଶରୀର ଅଳସ
ଆହାର ନ ରୁଚଇ ଯେ ନ ମାଡ଼ଇ ନିଦ
ଛନ୍ନ ଛନ୍ନ ମନ ପୁଣି ବଢ଼ୁଥାଇ ଖେଦ
ପ୍ରଖର ନିଃଶ୍ୱାସ ତାର ବହେ ଅହର୍ନିଶି
କ୍ଷଣେହେଁ ସୁସ୍ଥିର ହୋଇ ନ ପାରଇ ବସି
ସଖୀଜନମାନ ସଙ୍ଗ ଛାଡ଼ିଲା ସକଳ
ଗର୍ଭର ଭାରା ନ ସହି ଖୋଜଇ ଶୀତଳ
ଅଳସରେ ଅସମ୍ଭାଳ ହେଲା ଭୂମିଗତେ
ବିଧାତା ସୁମରି ପୀଡ଼ା ନ ସହି ଆରତେ
ଏହିମତି ହୋଇ ପୁଣି କେତେ ଦିନ ଯାନ୍ତେ
ରୋହିଣୀ ଅଗ୍ରତେ ବାଳୀ କହଇ ଏକାନ୍ତେ
ଭୋ ପ୍ରାଣସଖି ପାଖକୁ ମୋର ବେଗେ ଆସ
ତୋ ତହୁଁ ଅଧିକ ମୋର ନାହିଁ କେ ବିଶ୍ୱାସ
ଏ ତୋର ଛାମୁରେ ମୁହିଁ କହିବି କଥାଏ
ସାବଧାନ ହୋଇ ଶୁଣ ମୋର ବଡ଼ଯାଏ
ପୂର୍ବ ଜନମରେ ମୁଁ ଗୋ କଲଇଁ କି ପାପ
କେବଣ ବିଧାତା ମୋତେ ଦେଲା ଅଭିଶାପ
ପାପିଷ୍ଠ ସୋଦର ଭାଇ ମୋର ଦୁଷ୍ଟନଷ୍ଟ
ପ୍ରାଣେ ନ ମାରି କିପାଇଁ ଦେଉଅଛି କଷ୍ଟ
ରାକ୍ଷସେ ପୁତ୍ରଦେଇ କେ ସହେ ଗର୍ଭ ଶାସ୍ତି
ଭୋ ଧର୍ମ ଦେବତା ମୋର ଫେଡ଼ ମନୋଭ୍ରାନ୍ତି
ଆବର ଗୁପତ କରି କହିବି କଥାଏ
ସାବଧାନ ହୋଇ ତାହା ଶୁଣ ବଡ଼ପାଏ
ବିଚାରିଣ କହ ଏବେ କି ବୃଦ୍ଧି କରିବି
ଏ ଘାନ୍ତି ଗର୍ଭର ଭାରା ସହି ନ ପାରିବି
କେବଣ ପୁରୁଷ ଆସି ମୋତେ ଆଶ୍ରାକଲା
ପ୍ରଥମ ମାସରୁ ଭାରା ଏଡ଼େକ ହୋଇଲା
ଏ ଭାରା ସଖି ମୁଁ ପୁଣ ନ ପାରଇ ସହି
ଅତି ଅଶକତ ହେଲା ମୋହର ଏ ଦେହୀ
ପିମ୍ପୁଡ଼ି ଉପରେ ଯେହ୍ନେ ଗିରି ପଡ଼େ ମାଡ଼ି
କଣ୍ଠାଗ୍ରତ ହୋଇ ପ୍ରାଣ ଯାଉଅଛି ଛାଡ଼ି
ରକ୍ତପିଣ୍ଡ ଦିନୁମୋତେ ଦିଏ ବଡ଼ ଦୁଃଖ
ଏ ପୁତ୍ର ଥାଆନ୍ତେ କିବା ଅଛି ମୋତେ ସୁଖ
କେବଣ ପ୍ରକାରେ ପେଟୁ ପକାଇବି କାଢ଼ି
ଏଥକୁ ଉପାୟ ମୋତେ କହ ସର୍ବ ଛାଡ଼ି
ଏ ପୁତ୍ରର ଭାରା ମୁହିଁ ସହି ନ ପାରିବି
ସ୍ୱରୂପ କହିଲି ମୁହିଁ ନିଶ୍ଚେ ନାଶଯିବି
ଆବର ବଚନ ମୋତେ କହ କରି ବୋଧ
ଜାତ ହୋଇଲେ କରଇ କଂସ ପ୍ରାଣେ ବଧ
ଏତେ ଦୁଃଖ ସହିବି ମୁଁ ସିନା ଗର୍ଭଗତେ
ଯେବେ ପ୍ରାପତ ନୋହିବ କାଳେ ଏହି ମୋତେ
ଚାଣ୍ଡାଳ ଭାଇ ଯେ ମୋର କଚାଡ଼ିବ ନେଇ
ପ୍ରାପତ ଯେବେ ନୋହିବ କିପାଁ ଦୁଃଖ ସହି
ଏତେ ବିଚାରି ଦେବୀ ଗୋ କହ ସାଧ୍ୟ କଥା
କାଢ଼ି ପକାଇବି ସହି ନ ପାରିବି ବ୍ୟଥା
ଦେବକୀ ବଚନ ଶୁଣି ବୋଲଇ ରୋହିଣୀ
ଯାହା ବୋଇଲୁ ସ୍ୱରୂପ ଅଟେ ସଙ୍ଗାତୁଣୀ
ସୋଦର ଭାଇ ତୋହର ଏଡ଼େକ ଚାଣ୍ଡାଳ
ଶିଳେ ଧରି କଚାଡ଼ଇ ଜାତହେବା ବାଳ
ଷଡ଼ଗୋଟା ପୁତ୍ର ତୋର ଏମନ୍ତେ ମାଇଲା
ଏତେକେ ଯେ ମନ ତାର ସନ୍ତୋଷ ନୋହିଲା
ଯେବେ ଏହି ପୁତ୍ର ଜନ୍ମ କରୁ ଦୁଃଖ ପାଇ
ଏହାକୁ ଦେଖିଣ କଂସ କଚାଡ଼ିବ ନେଇ
ଏତେ ଦୁଃଖ ସହିବାର ନୁହେଁ କାର୍ଯ୍ୟ କିଛି
ଅଷ୍ଟପୁତ୍ର ମାରିବ ସେ ଦୁଷ୍ଟ କହିଅଛି
ଦେବକୀ କହିଲେ ସଖୀ ଶୁଣ ମୋର ବାଣୀ
ପ୍ରଥମ ମାସରୁ ଦୁଃଖ ଦେଲାଣି ଏ ଆଣି
ଅତି ଅସକତ ସଖି ହେଲା ମୋର କାୟେ
କେମନ୍ତେ ରହିବି ଆଉ ଦଶମାସ ଯାଏ
ରୋହଣୀ ବୋଇଲେ ମାଗୋ ଅଛି ମୋର ବୁଦ୍ଧି
ଗର୍ଭୁ ପୁତ୍ର ନାଶକରେ ଜାଣ ମଉଷଧି
ନିଶ୍ଚୟ ଅଶ୍ରଦ୍ଧା ଯେବେ ହେଲା ସଙ୍ଗାତୁଣୀ
ମୂଳ ଖଣ୍ଡିଏ ମୁଁ ଖୋଳିଆଣେ ଏହିକ୍ଷଣି
ସେ ମୂଳଖଣ୍ଡିଏ ମଥାରେ ଥିବୁ ତୁ ଗୋ ଖୋଷି
ନବ ଦିନରେ ପଡ଼ିବ ଗର୍ଭୁ ପୁତ୍ର ଖସି
ତୁ ଯେବେ ଗର୍ଭ ବେଦନା ନ ସହିଲୁ ମାଏ
ଘେନ ଔଷଧି ମୋଠାରୁ ଖସିପଡ଼ୁ ପୋଏ
ଏତେ ବୋଲି ମୂଳଖଣ୍ଡି ରୋହିଣୀ ଆଣିଲେ
ହାତରେ ଧରି ଦେବକୀ ମଥାରେ ଖୋସିଲେ
ଦିନକୁ ଦିନ ଶରୀର ଦୁର୍ବଳ ଦିଶିଲା
ପାଟି ଗନ୍ଧାଇଲା ତାକୁ ଭାତ ନ ରୁଚିଲା
ଏଥୁ ଅନନ୍ତରେ ତିନି ଦିବସ ଅନ୍ତରେ
ରୋହିଣୀ ଦେବକୀ ଗଲେ ଯମୁନାର ତୀରେ
ନଦୀର ଜଳେ ମିଳିଲେ ଯାଇ ବେନି ନାରୀ
ତକ୍ଷଣେ ଦେବକୀ ଦେବୀ ଗର୍ଭ ହେଲା ଭାରି
କେ ଆନ କରିପାରିବ ଦଇବ ଘଟଣ
ସେ ବିଧାତା ବେଳୁବେଳ ଦେଉଛି କଷଣ
ନଦୀକୂଳରେ ଦେବକୀ ବସିଲେ ଆକୁଳେ
ରକତ ପିଣ୍ଡୁଳା ଖସି ପଡ଼ିଲାକ ତଳେ
ଶୁଦ୍ଧ ସ୍ଫଟିକ ବରନ ପୂର୍ଣ୍ଣ ଜ୍ୟୋତିର୍ମୟ
କୋଟିଏ ଚନ୍ଦ୍ର କି ତହିଁ ହୋଇଛି ଉଦୟ
ଯେତେ ବେଳେ ଶଙ୍କର୍ଷଣ ପଡ଼ିଲେ ଭୂତଳେ
ବ୍ରହ୍ମାଣ୍ଡ ଖଣ୍ଡ ଦିଶିଲା ଶୋଭା ସେତେବେଳେ
ଜାଜ୍ୱଲ୍ୟମାନରେ ଶୋଭାପାଏ ମହୀତଳ
ପ୍ରକଟିତ ବଦନ ସେ ଦେବ କାମପାଳ
ସୁଶୀତଳ ପବନ ସେ ବହିଲା ସୁସଞ୍ଚ
ସାନନ୍ଦ ହେଲେ ପାତାଳପୁର ସ୍ୱର୍ଗ ମଞ୍ଚ
ଦେବେ ଦୁନ୍ଦୁଭି ଶବଦ କଲେ ଘନ ଘନ
ସକଳ ଭୁବନେ ପୁଣ ଆନନ୍ଦିତ ମନ
ଶୁକମୁନି ବୋଲନ୍ତି ଯେ ଶୁଣ ପରୀକ୍ଷିତ
ଶ୍ରୀଭାଗବତ ଶୁଣିଣ ହୁଅ ତୁମ୍ଭେ ମୁକ୍ତ
ଯେତେବେଳେ ପକାଇଲେ ଦେବକୀ ସେ ସୁତ
ରଜବୀର୍ଯ୍ୟ ପିଣ୍ଡ ତୋଳି ଛାଡ଼ନ୍ତେ ବନସ୍ତ
ଯମୁନା ଜଳରେ ସ୍ନାନ କରି ଶୌଚ ହେଲେ
ଦିବ୍ୟବେଶ ହୋଇଣ ସେ ବାହୁଡ଼ି ଅଇଲେ
ସେଠାରେ ସଙ୍କର୍ଷଣଙ୍କୁ ଗଲେକ ପକାଇ
ପୁଣି ବେନି ସଖୀ ଆସି ମିଳିଲେକ ତହିଁ
ରୋହିଣୀ ବୋଇଲେ ସଖି ବିଚାର ହୃଦୟେ
କେମନ୍ତେ ଛାଡ଼ିଯିବା ଗୋ ଏହାପରା ପୋଏ
ମୋହର ମନ ମୋହିତ ହେଲା ୟାକୁ ଦେଖି
କେସନେ ମୁରୁଛି ଏହା ଛାଡ଼ିଯିବ ସଖି
ଏସନକ ବିଚାରନ୍ତେ ଦେବକୀ ରୋହିଣୀ
ଅଦଭୂତେ ଆକାଶରୁ ଶୁଭିଲା ଏ ବାଣୀ
ଆଗୋ ରୋହିଣୀ ଦେବୀ ତୁ ଶୁଣ ସାବଧାନେ
ପୂର୍ବଫଳେ ତୋତେ ଧାତା ଦେଲେ ଏ ବିଧାନେ
ଏବେ ଅନ୍ୟ ବିଚାର ଗୋ ନ କର ତୁ କିଛି
ଆମ୍ଭର ବଚନ ମାଗୋ ଶୁଣ ତୁ ମୃଗାକ୍ଷି
ଦେବକୀ ଅବା ଛାଡ଼ିଲା ମହାଭାରା ପାଇ
ତୁ ଏହା ନ ଛାଡ଼ ଏଥେ କିଛି ଦୋଷ ନାହିଁ
ଏ ପୁତ୍ର ଯୋଗୁ ହୋଇବ ତୋତେ ବଡ଼ ଯଶ
ପୃଥ୍ୱୀର ଭାରାଭାର ଏ କରିବେ ଉଶ୍ୱାସ
ଦେବାଧି ଦେବ ଉପରେ ଏହି ଶିରୋମଣି
ଅଶେଷ କୋଟି ବ୍ରହ୍ମାଣ୍ଡେ ଅଟଇ କାରେଣୀ
ପରମ ନିରଞ୍ଜନ ଏ ଅଟେ ପୁଣ୍ୟଦେହୀ
ଅକ୍ଷୟ ଅଜରାମର ମହାତମା ଏହି
ଯେବେ ୟାକୁ ଉପେକ୍ଷି ନ ଯିବ ତୁମ୍ଭେ ଆଜ
ମୁକତି ଗତି ପାଇବ ହେବ ଦେବକାର୍ଯ୍ୟ
ଅଳପ ଦିନେ ଏ କଥା ଦେଖିବ ପ୍ରତ୍ୟକ୍ଷ
ଶୁଭମଙ୍ଗଳ ଯୋଗେ ଏ ପିଣ୍ଡ ଗର୍ଭେ ରଖ
ତୁମ୍ଭ ଯୋଗୁ ପୃଥ୍ୱୀଭାରା ହୋଇବଟି କ୍ଷୟେ
ବିଳମ୍ବ ନ କରି ବେଗେ ଘେନସି ଗୋ ମାଏ
ଆକାଶୁ ଶୁଭିଲା ଯହୁଁ ଏସନକ ବାଣୀ
ବସୁଦେବ ରୋହିଣୀ ଯେ ତୋଷ ହେଲେ ଶୁଣି
ଦେବକୀ ଦେବୀ ଉଦ୍‌ଗାରି ଯାହା ପକାଇଲେ
ଭୂମିରୁ ସାଉଁଟି ତାହା ରୋହିଣୀ ଘେନିଲେ
ବିଧାତା ସୁମରି ଦୃଷ୍ଟି ଆକାଶକୁ ଦେଲେ
ଅମୋଘ ମହାପିଣ୍ଡକୁ ଗର୍ଭେ ସାଇତିଲେ
ରୋହିଣୀ ଗର୍ଭରେ କଲେ ବଳରାମ ବିଜେ
ତକ୍ଷଣେ ତାଙ୍କ ଶରୀରୁ ବିରାଜିଲେ ତେଜେ
ଦେବକୀ ଦେବୀ ଅପୂର୍ବ ମଣିଲେ ତା ଦେଖି
ବୋଇଲେ ତୁମ୍ଭ ଶରୀର ଚାହିଁ ନୋହେ ସଖି
ଜାଜ୍ୱଲ୍ୟମାନ ଦିଶିଲା ଏବେ ଜ୍ୟୋତିର୍ମୟ
ଅନେକ ସୂର୍ଯ୍ୟ କି ଆସି ହୋଇଲେ ଉଦୟ
ଦେଖୁ ଦେଖୁ ଶରୀର ଯେ ଦିଶେ ଅତି ଶୋଭା
ତୋତେ ବିଧାତାର ଅନୁରାଗ ହେଲା ଅବା
ଏସନ ଅପୂର୍ବ ରୂପ ଦିଶିଲା କିପାଇଁ
ମୋତେ ଅଗୋଚର ହେଲା ତୋର ରୂପ ଚାହିଁ
ରୋହିଣୀ ବୋଇଲେ ସଖି ନ ବୋଲ ଗୋ କିଛି
ବିଧାତା ପୁଣି କାହାକୁ କିସ କରୁଅଛି
ନିଜ ଭୁବନକୁ ଚାଲ ବାହୁଡ଼ିଣ ଯିବା
ନଦୀର କୂଳରେ ଆଉ କେତେକାଳ ଥିବା
ଏମନ୍ତ ବିଚାରି ଦୁହେଁ ନିତ୍ୟକର୍ମ ସାରି
ତକ୍ଷଣେ ତହୁଁ ବାହୁଡ଼ିଲେ ବେନି ନାରୀ
ଆପଣା ମନ୍ଦିରେ ଯାଇ ମିଳି ବେନି ସଖୀ
କହିଲେ ବସୁଦେବଙ୍କୁ ବେନିଜନ ଦେଖି
ଦେବକୀଦେବୀ ବୋଇଲେ ଶୁଣ ପ୍ରାଣନାହା
ଆଜିର ଯୋଗ ହୋଇଲା ପୁଣ ମୋତେ ଯାହା
ସ୍ୱାମୀ ଏ ଋତୁରେ ଥିଲା ଯେଉଁ ପୁତ୍ରଗୋଟି
ପରାକ୍ରମେ ନୋହିବେ ଯେ ସରି ସିଂହକୋଟି
ତାହାର ମହାଭାରା ମୁଁ ସହି ନ ପାରିଲି
ଗର୍ଭରୁ ଖସାଇ ଆଣି ତଳେ ପକାଇଲି
ପ୍ରଥମ ମାସରୁ ପୀଡ଼ା ହୋଇଲାକ ମୋତେ
ଦଶମାସ ପରିଯନ୍ତେ ସହନ୍ତି ମୁଁ କେତେ
ତେଣୁକରି ଗର୍ଭରୁ ମୁଁ ପକାଇଲି କାଢ଼ି
ଯମୁନା ନଦୀର କୂଳେ ଆସୁଥିଲି ଛାଡ଼ି
ଦେବଙ୍କ ବଚନେ ଗର୍ଭ ଧଇଲେ ରୋହିଣୀ
ରୋହିଣୀ ଗର୍ଭରେ ଯାଇ ରହିଲା ସେ ପୁତ୍ର
ବିଧାତାର ଏମନ୍ତ ଯେ ଜାଣ ଘଟସୂତ୍ର
ଦେବକୀ ବଚନ ଶୁଣି ବସୁଦେବ ବୀର
ବୋଇଲା ଏ କଥା ଦେବୀ ପ୍ରଘଟ ନକର
ଯଦ୍ୟପି କଂସ ରାଜନ ଶୁଣିବ ଏ ଘାନ୍ତି
ଅବଶ୍ୟ ଶିଳେ କଚାଡ଼ି ଦେବ ବହୁ ଶାସ୍ତି
ଯେବଣ ପ୍ରକାରେ ହେଲେ ପୁତ୍ର ହେଉ ଆଗ
ସ୍ୱରୂପ ଜାଣିଲେ ପଛେ କରି ବୁଦ୍ଧି ଯୋଗ
ରୋହିଣୀ ବୋଇଲେ ରହୁ ପୁତ୍ରର ଯେ ପ୍ରାଣ
ଏ କଥା ସ୍ୱରୂପ ସ୍ୱାମୀ ତଥ୍ୟ କରି ଜାଣ
ଏଥୁ ଅନନ୍ତରେ ଦିନେ କଂସର ଆସ୍ଥାନେ
ବାରତା ଜଣାଇ ଯାଇ ମୁଦୁସୁଲୀମାନେ
ଭୋ ଦେବ ମହାରାଜା ହେ ସାବଧାନେ ଶୁଣ
ଦେବକୀର ଗର୍ଭୁ ପୁତ୍ର ଗଲା ହୋଇ ଶୂନ୍ୟ
ଏକ ମାସକରେ ପୁତ୍ର ହେଲା ଅନର୍ଗଳ
କର ଚରଣ ନାସିକା ହୋଇଲା ସକଳ
ଅଦଭୁତେ ପ୍ରକାଶିଲା ତାର ସର୍ବକାୟା
ଯେହ୍ନେ ବଢ଼ିଲା ଛିଡ଼ିଲା ଦୈବ କଲା ମାୟା
ନିଶ୍ଚେ ଦେବ ଏହା ଆମ୍ଭେ ଅଇଲୁ ତ ଜାଣି
କଂସ ରାଜନ ହରଷ ହେଲା ଏହା ଶୁଣି
ଜାଣିଲି ପୁଣ୍ୟ ମୋହର ଦିଶିଲା ଏ ଘାନ୍ତି
ଯେହୁ ଅଳ୍ପଆୟୁ ସେହି ତତକ୍ଷଣେ ଯାନ୍ତି
ତାହା କର୍ମେ ନାଶଗଲା ହତ୍ୟା ନାହିଁ ମୋତେ
ଏମନ୍ତ ବିଚାର ରାଜା କଲା ହୃଦଗତେ
ଏବେ ମନରୁ ଭ୍ରାନ୍ତି ଛାଡ଼ିଲା ଥୋକାଏ
ନିଶରେ ହସ୍ତ ଦେଇଣ କହେ କଂସରାୟେ
ମୁଁ ଯାହା ମାରନ୍ତି ସେହୁ ଆପେ ନାଶଗଲା
ଜାଣିଲି ସୁକର୍ମଦଶା ମୋହର ପଡ଼ିଲା
ମୁଦୁସୁଲୀମାନଙ୍କୁ ସେ ସନ୍ନିଧେ ହକାରି
ଆଚମ୍ବିତ ହୋଇ ତାଙ୍କୁ ବୋଲେ ଦଣ୍ଡଧାରୀ
ଦେବକୀ ଆଗରେ କହ ଏସନକ କଥା
ଆବର ପୁତ୍ରେକ ତୋର ମଲେ ଯିବ ବ୍ୟଥା
ମାତା ତୁଲ୍ୟ ଅଟେ ମୋର ସେ ଜ୍ୟେଷ୍ଠ ଭଗିନୀ
ଘଟିଲା ଏ କଥାମାନ କର୍ମଦୋଷ ଘେନି
ତାହାଙ୍କର ପୁତ୍ର ହସ୍ତେ ମୋର ମୃତ୍ୟୁ ସାଧ୍ୟ
ତେଣୁ ତାଙ୍କ ପୁତ୍ରଙ୍କୁ ମୁଁ କରୁଅଛି ବଧ
ମୋ ସମାନ ଭାଇ ଯେବେ ପ୍ରାଣେ ଯିବ ନାଶ
କି କରିବ ଥାଇ ତାକୁ ଯଦୁ ଭୋଜବଂଶ
ମୋହର ଜୀବନ୍ତେ ଥିଲେ ତାର ସବୁ ଅଛି
ମୁଁ ଅଭାବ ହେଲେ ସେ ଯେ ନୁହେ ପୁଣ କିଛି
ପୂର୍ବେ ସତ୍ୟ କରିଅଛି ଯେ ମୋହର ପାଇଁ
ପୃଥ୍ୱୀକି କାରଣ ହେବ ଅଷ୍ଟପୁତ୍ର ଦେଇ
ସେ ମୋର ପରମଗୁରୁ ଆତ୍ମା ସହୋଦର
ଭୃତ୍ୟପ୍ରାୟେ ସେବା ମୁଁ ଯେ କରିବ ତାହାର
ଷଡ଼ପୁତ୍ର ସମର୍ପଣ କରିଛି ମୋ ଆଗେ
ଏବେ ଏକପୁତ୍ର ଗର୍ଭୁ ପଡ଼ିଲା ବିଯୋଗେ
ଏହିରୂପେ ସାତପୁତ୍ର କଲି ମୁହିଁ ଲେଖା
ଆଉ ଏକ ପୁତ୍ର ଦେଇ ଛଡ଼ାଉ ମୋ ଶଙ୍କା
ସେ ମୋହର ଜ୍ୟେଷ୍ଠ ଭଗ୍ନୀ ମାତାର ସମାନ
କର୍ମର ବିଯୋଗେ ପୁଣି ହୋଇଲା ଏସନ
ଅନେକ ଯେ ଧନରତ୍ନ ଦେଲା ନୃପସାଇଁ
ଦେବକୀ ଛାମୁରେ ଏହା ବେଗେ ଦିଅ ନେଇ
ମୁହିଁ ତ ଜୀବନ୍ତେ ଥିଲେ ତାର କିସ ଚିନ୍ତା
ମୁହିଁ ସିନା ସର୍ବଦୁଃଖ ହରଣକରତା
ଏସନ ବାରତା ଘେନି ପରିବାରୀ ଗଲେ
ଦେବକୀ ଦେବୀ ଛାମୁରେ ପ୍ରବେଶ ହୋଇଲେ
ଯେତେ ଧନରତ୍ନ କଂସ ଥିଲା ପୁଣ ଦେଇ
ଛାମୁରେ ପ୍ରବେଶ କଲେ ସବୁ ଦ୍ରବ୍ୟ ନେଇ
ଦେବକୀ ଦେବୀ ତା ଦେଖି ହୋଇଲେ ମଉନ
ଆହାରେ ଦଇବ ମୋର କର୍ମର ଲିଖନ
ମୁହିଁ ଏହା ନ ରଖିଲେ କରି ଅମରିଷ
ନିସତ ହୋଇ ରହିଲେ ଛାଡ଼ିବ କି କଂସ
ଏତେ ବୋଲି ଦେବୀ ଖର ନିଃଶ୍ୱାସକୁ ଛାଡ଼ି
ବୋଲଇ ବିଧାତା ଏହା ଅଛୁ ତୁ ନିବାଡ଼ି
ଜୟ ଜୟ ଗଣନାଥ ହରପୁତ୍ର ଶ୍ରେଷ୍ଠ
ଅଶେଷ କୋଟି ବିଦ୍ୟାରେ ତୁ ଅଟୁ ଗରିଷ୍ଠ
ମାନବ ଶରୀର ତୋର ଗଜମୁଖ ପ୍ରଭା
ସିନ୍ଦୁର ମଣ୍ଡିତ ହୋଇ ଦିଶେ ଅତିଶୋଭା
ହସ୍ତରେ ବିନ୍ୟସ୍ତ ଥୋର ପ୍ରଳମ୍ବ ନାସିକା
ତେଜପୁଞ୍ଜ ବିରାଜଇ ଜିଣି ଅଗ୍ନିଶିଖା
ବିକଟ ଉଦ୍ଭଟ ମୂର୍ତ୍ତି ଭଗ୍ନ ଏକଦନ୍ତ
ନାହିଁ ତୋର ଜନ୍ମ ମୃତ୍ୟୁ କିବା ଆଦିଅନ୍ତ
ଥନ୍ତଲ ଉଦର ନାଥ ସୁଧାରସ ଭୋଗୀ
ଅଷ୍ଟାଙ୍ଗ ସାଧନା କରି ଅଟ ମହାଯୋଗୀ
କପୋଳୁ ଅମୃତ ଜଳ ଗଳେ ଝରଝର
ନିରଞ୍ଜନ ସ୍ୱାମୀ ପ୍ରଭୁ ତୁହି ନିରାକାର
ପାଶ ଅଙ୍କୁଶ କରେ ଅମୃତ ଲଡ଼ୁ ଶୋହେ
ବରାଭୟ ସହିତରେ ତିନିପୁର ମୋହେ
ଅଷ୍ଟରତ୍ନ ମୁକୁଟ ଯେ ଶୋଭାପାଏ ଶିରେ
ଇନ୍ଦୁର ବାହନେ ସ୍ୱାମୀ ଚଳୁ ଧୀରେ ଧୀରେ
ଚାଲନ୍ତେ ନୂପୁର ଧ୍ୱନି ଶୁଭେ ରୁଣ ଝୁଣ
ଶ୍ରୀଅଙ୍ଗରେ ବିରାଜଇ ନାନା ଆଭରଣ
ସୁନ୍ଦର ମନ୍ଦାର ହାରେ ଶୋଭାପାଏ ଗଳା
ବୁଦ୍ଧି ବିଦ୍ୟା ବିଶାରଦ ଅଟୁ ହରବଳା
ବିଘ୍ନମାନଙ୍କର ଯେଣୁ ଅଟୁ ଅଧିପତି
ତେଣୁ ତୋତେ ବିଘ୍ନରାଜ ସକଳେ ବୋଲନ୍ତି
ଶୋହଇ ତକ୍ଷକ ନାଗ ତୋର ବାମଭୁଜେ
ଦକ୍ଷିଣେ ଡମ୍ବୁରୁ ଗୋଟି ଡିବି ଡିବି ବାଜେ
ଦେବାଧିଦେବଙ୍କ ପରେ ତୁ ଯେ ଦେବରାଜା
ଚତୁର୍ଦ୍ଦଶ ଭୁବନରେ ଆଗ ତୋର ପୂଜା
ଅକ୍ଷୟ ଅଜ୍ରାମର ପୁରୁଷ ଜଗଦାନୀ
ନିହନ୍ତା ବିହନ୍ତା ତୁ କରନ୍ତା ଲାଭ ହାନି
ତୋ ନାମ ଧରନ୍ତେ ନାଥ ତୁଟେ ଘୋରବ୍ୟାଧି
ଅନାୟାସେ ପରାପତ ହୁଏ ସର୍ବସିଦ୍ଧି
ନମସ୍ତେ ନମସ୍ତେ ଗଜାନନ ଲମ୍ବୋଦର
ନମସ୍ତେ ନମସ୍ତେ ସ୍ୱାମୀ ଗିରିଜା କୁମର
ନମୋ ନମୋ ଗଣପତି କଳ୍ପରୂପୀ କାଳ
ନମୋ ଦୈତ୍ୟ ବିନାଶନକାରୀ ମହାବଳ
ସୁମନେ ପ୍ରସନ୍ନ ମୋତେ ହୁଅ ଗଣନାଥ
ତୋ ପ୍ରସାଦେ ଲେଖୁ ଅଛି ମୁହିଁ ପୁଣ୍ୟଅର୍ଥ
କହିବି ଶ୍ରୀହରି କୀର୍ତ୍ତି ସାଧୁଜନ ହିତେ
ଇତି ଶ୍ରୀ ଏ ଭାଗବତ ପୁରାଣ ଚରିତେ
ତୁ ନାଥ ସୁଦୟା ମୋତେ ନ କରିବୁ ଯେବେ
ରକ୍ଷା ନ ପାଇବି ନିଶ୍ଚେ ପଡ଼ି ଭବାର୍ଣ୍ଣବେ
କହଇ ଅଚ୍ୟୁତ ଦାସ ଆହେ ଗଣନାଥ
ଆଜ୍ଞାଦିଅ ପୂର୍ଣ୍ଣହେଉ ହରିବଂଶ ଗ୍ରନ୍ଥ

ବଳରାମଙ୍କର ଜନ୍ମ

[ସମ୍ପାଦନା]

ଏଥୁ ଅନନ୍ତରେ କଥା ଶୁଣ ଦିବ୍ୟରସ
ବୋଲନ୍ତି ଯେ ଅଭିମନ୍ୟୁ ପୁତ୍ରେ ବ୍ୟାସବତ୍ସ
ଶ୍ରୀଭାଗବତର ବଳଦେବ ଜନ୍ମବାଣୀ
ପାପାଧିପାପମାନ ତୁ ଦହ ଏହା ଶୁଣି
ବସୁଦେବ ପାଟ ରାଣୀ ରୋହିଣୀ ବନିତା
ଦଇବର ଘଟସୁତ୍ରେ ହେଲା ଅନ୍ତଃସତ୍ତ୍ୱା
ଦିନୁଦିନେ ପ୍ରଫୁଲ୍ଲିତ ଉଦର ତାହାର
ଜଠରେ ରହିବାକୁ ସେ ପ୍ରଭୁ ନୀଳାମ୍ବର
ଦେବଗଣ ପାଇକରି ଏସନ ବାରତା
ଇନ୍ଦ୍ର ଆଗେ ବୃହସ୍ପତି କହନ୍ତି ଏ କଥା
ସାବଧାନ ହୋଇ ତୁମ୍ଭେ ଶୁଣ ଶଚୀସାଇଁ
ରୋହିଣୀ ଗର୍ଭରେ ବଳରାମ ବିଜେ ଯାଇ
ଦେବକୀ ଗର୍ଭରେ ପ୍ରଭୁ ଦେଢ଼ମାସ ଥିଲେ
ତଦନ୍ତେ ପୁଣି ରୋହିଣୀ ଗର୍ଭକୁ ଅଇଲେ
ମହାଭାରା ପାଇ ଗର୍ଭୁ ପକାଇଲେ କାଢ଼ି
ଯମୁନା ନଦୀର କୂଳେ ଆସୁଥିଲେ ଛାଡ଼ି
ଶୂନ୍ୟ ଶବଦ ଶୁଭିଲା ଯହୁଁ ଦୈବବାଣୀ
ଦେବକାର୍ଯ୍ୟ ପାଇଁ ଗର୍ଭେ ଧଇଲେ ରୋହିଣୀ
ଆଦ୍ୟ ମାର୍ଗଶିର ମାସ ଶୁକ୍ଳପକ୍ଷ ରାତି
ଶୁଭଯୋଗେ ଦେବୀ ହୋଇଥିଲେ ଗର୍ଭବତୀ
ପରଂବ୍ରହ୍ମଙ୍କୁ ରୋହିଣୀ ସାଇତି ବାହୁଡ଼ି
ତାର ଗର୍ଭେ ବଳଦେବ ରହି ଏବେ ବଢ଼ି
ଦିନୁଦିନ ରୋହିଣୀର ଗର୍ଭେ ବର୍ଦ୍ଧମାନ
ଅକ୍ଷୟ ରୂପ ଗର୍ଭରେ ହୋଇଲା ସମ୍ପୂର୍ଣ୍ଣ
ପୃଥିବୀର ଭାରାଭର କରିବେ ଉଶ୍ୱାସ
ଦେବକାର୍ଯ୍ୟ ପାଇଁ ସ୍ୱାମୀ ଗର୍ଭେ କଲେ ବାସ
ଧନୁ ମକର ଆବର କୁମ୍ଭ ମୀନ ଅନ୍ତେ
ସମ୍ପୂର୍ଣ୍ଣ ଚାରିମାସ ଯେ ହୋଇଲା ଲେଖନ୍ତେ
ମେଷ ବୃଷ ମିଥୁନ ଯେ କକଡ଼ାର ଶେଷ
ମିଶାଇଲେ ଏ ବିଧିରେ ହେଲା ଅଷ୍ଟମାସ
ଦେବକୀ ଉଦରେ ପ୍ରଭୁ ଦେଢ଼ମାସ ଥିଲେ
ଛଅମାସ ଏକ ପକ୍ଷ ରୋହିଣୀ ବହିଲେ
ଲେଖିବାର ଅଷ୍ଟମାସ ହୋଇଲା ସମାନ
ଶୁଣ ତୁ ହୋ ପୁରନ୍ଦର ଅମର ରାଜନ
ଆନ କେହି ନ ଜାଣନ୍ତି ଏସନକ କଥା
କଂସ ଡରେ ଗୋପ୍ୟ କରିଅଛନ୍ତି ସର୍ବଥା
ଦେବକୀ ଦେବୀ ଯେ କାଳେ ଗର୍ଭବାସ ହୋନ୍ତି
ତେବେ ଶୁଣି କଂସ ରାଜା ଆକଟ କରନ୍ତି
ଯେ ଦିନୁ ରୋହିଣୀ ଦେବୀ ହେଲେ ଗର୍ଭଧାରୀ
ଲିହି ବିହି ପୁରୁଷ ତା ଛନ୍ତି ଗୋପ୍ୟ କରି
ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃମଣି
ଅଷ୍ଟମାସ ପୂର୍ଣ୍ଣଯାଏ ବହିଲେ ରୋହିଣୀ
ଆଳସ୍ୟରେ ଅସମ୍ଭାଳ ଅଶକତ ଚିତ୍ତ
ନିଦ୍ରା ଆହାର ଭୂଷଣ ତେଜିଲା ସମସ୍ତ
ସୁଶୀତଳ ପବନରୁ ସଦା ଖୋଜୁଥାଇ
ଛନ୍ନ ଛନ୍ନ ବେଳେ ବେଳେ ନିଶ୍ଚେଷ୍ଟ ହୁଅଇ
କ୍ଷଣକେ ଘୁମାଇ ପୁଣି କ୍ଷଣେ ପଡ଼େ ଲୋଟି
ସୁନ୍ଦର ଦେହ ଭୂମିରେ ପଡ଼ି ହୋଏ ମାଟି
ଅନେକ ପରିଜନ ଯେ ଖଟି ମନ ହରି
ବିଞ୍ଚଣୀ ଧରି ବିଞ୍ଚନ୍ତି ଆଲଟ କେ ଧରି
ଏଥୁଅନ୍ତେ ଏହିରୂପେ କେତେ ଦିନ ଗଲା
କହୁ କହୁ ରୋହିଣୀର ପେଟ ବ୍ୟଥାକଲା
ଶ୍ରାବଣ ଶୁକ୍ଳ ପୂର୍ଣ୍ଣିମାଦିନ ଶୁକ୍ରବାର
ଶ୍ରବଣା ନାମେ ନକ୍ଷତ୍ର ଭୋଗ ସେ ଦିନର
ନାଗ ନାମରେ କରଣ ସଉଭାଗ୍ୟ ଯୋଗ
ମକର ଚନ୍ଦ୍ର ଷାଠିଏ ଦଣ୍ଡଯାକେ ଭୋଗ
ସିଂହ ସଙ୍କରାନ୍ତି ଦିନ ପଚିଶର ଅନ୍ତେ
ବଳରାମ ଜନମିଲେ ଦିନମାନ ଗତେ
ପାଞ୍ଚଦଣ୍ଡ ଅନ୍ତେ ସିଂହଲଗ୍ନ ଉତପତ୍ତି
ଚନ୍ଦ୍ର ବୁଧ ବୃହସ୍ପତି ଭୃଗୁ ଲଗ୍ନେ ସ୍ଥିତି
ପଞ୍ଚମ ଘରେ ରାହୁ ନବମେ ଶନୈଶ୍ଚର
ସପ୍ତମ ଘରେ ମଙ୍ଗଳ ଭୂମିର କୁମର
ଅଷ୍ଟମ ଘରେ ଆଦିତ୍ୟ ଷଷ୍ଠେ ଚନ୍ଦ୍ର ଅଛି
ସକଳ ଶୁଭ ବିଗୁଣ ନାହିଁ ତହିଁ କିଛି
ଏହି ଶୁଭଯୋଗେ ବଳରାମଙ୍କ ଜନମ
ଭାରାଭର ଅର୍ଥେ ଜାତହେଲେ ଦେବ ପୁଣ
ଅପୂର୍ବ ସୁନ୍ଦର ରୂପ ଶୁକ୍ଳାମ୍ବର କାୟ
ଅଶେଷ କୋଟି ଚନ୍ଦ୍ରମା ହେଲା କି ଉଦୟ
ଶୁଦ୍ଧ ସ୍ଫଟିକ ପରାୟ ଦେହ ଦିଶେ ଫୁଟି
ଦେବାଧି ଦେବଙ୍କ ରାଜା ମାନବେ ପ୍ରକଟି
ମହୀନ୍ଦ୍ର ନାମେ ବାସୁକୀ ଶିରେ ସପ୍ତଫେଣି
ଲୋହିତ ପିଙ୍ଗଳ ଜଟା ବିରାଜଇ ବେଣୀ
ଅଶେଷ କୋଟି କନ୍ଦର୍ପ ଯାକୁ ନୋହେ ସରି
ନିରଞ୍ଜନ ପୁରୁଷ ସେ ଆଗେ ଦେହଧାରୀ
ଅଶ୍ରୁତ ଅବର୍ଣ୍ଣ ପୁଣି ଅଲେଖ ଅଦେହ
ଦେବକାର୍ଯ୍ୟ ପାଇଁ ବହି ମାନବର ଦେହ
ଅପୂର୍ବ ଶୋଭା ଶୁକଳ ବର୍ଣ୍ଣ ଦିବ୍ୟକାୟ
କୋଟି ଚନ୍ଦ୍ର ଦେବତା କି ହୋଇଲା ଉଦୟ
ଯେତେବେଳେ ଦେବ ପୁଣି ପଡ଼ିଲେ ଭୂମିରେ
ପ୍ରମୋଦିତ ଆନନ୍ଦିତ ମାନବ ଅମରେ
ଅଶେଷ ବ୍ରହ୍ମାଣ୍ଡଯାକ ହେଲା ତେଜୋମୟ
ବାସୁକି ଯେ ଫଣା ଟେକି କରେ ଜୟ ଜୟ
ଗନ୍ଧ ଆମୋଦଇ ପୁଣ ଚଉଦଭୁବନ
ତପୀମାନଙ୍କର ତପ ହେଲା ସର୍ବ ସିଦ୍ଧି
ଅଶୁଭ ଶୁଭ ହୋଇଲା ଥିଲା ଯଥାବିଧି
କଂସରାଜା କଟକରେ ହେଲା ଉତପାତ
ଦିବସେ ତାରା ଉଦୟ ମେଘେ ବଜ୍ରାଘାତ
ଜଗତୀ ଉପରେ ଉଡ଼ିବସେ ଗୃଧ୍ରପକ୍ଷୀ
ଶୃଗାଳେ ରାବନ୍ତି ସିଂହଦ୍ୱାରେ ମୁଖ ଟେକି
ମେଢ଼ ମଣ୍ଡପ ଜଗତୀ ପଡ଼ିଲାକ ଭାଜି
ଅକାରଣେ ପୃଥିବୀ ଯେ ଉଠିଲା ଗରଜି
ଟଳ ଟଳ ହୋଇ ପୁଣି କମ୍ପିଲା ଧରଣୀ
ପାଣ୍ଡୁର ବର୍ଣ୍ଣ ଦିଶିଲା ନଭେ ଦିନମଣି
ଗଗନୁ ଅସ୍ଥି ପଞ୍ଜରାମାଂସ ପଡ଼େ ଖସି
ସୁସ୍ୱାଦୁ ପଦାର୍ଥମାନ ତିକ୍ତ ଲାଗେ ବେଶି
ଉତ୍ପାତମୟ ଆକାଶ ଦିଶେ ଦଶଦିଶ
ତାହା ଦେଖି ଦଶଦିଗ ଚାହେଁ ରାଜାକଂସ
କେଶୀକି ହକାରି ବୋଲେ କରିବା ହୋ କିସ
କି ଉଚ୍ଛନ୍ନ ଆସି ହେଲା ଦେଖ ଏ ଭବିଷ୍ୟ
ଏମନ୍ତ ଉତ୍ପାତମାନ ହେଲା କିସ ପାଇଁ
ଅନେକ କାଳରୁ ଏହା ମୁଁ ଦେଖିଲା ନାହିଁ
ଦେଖ ମଥୁରାରେ ନିଶ୍ଚେ ପଡ଼ିବ ପ୍ରମାଦ
ଏତେ ବୋଲି କଂସ ମନେ ପାଇଲା ବିଷାଦ
କେଶୀ ବୋଇଲା ତୁମ୍ଭେ ତ ରାଜ ରାଜେଶ୍ୱର
ସ୍ୱର୍ଗ ମଞ୍ଚ ପାତାଳରେ ଅଟ ଦଣ୍ଡଧର
ଦେବ ଦାନବ ଜିଣିଲ ସଂଗ୍ରାମର ରୋଳେ
ମେରୁ ତାଡ଼ିଲ ଦକ୍ଷିଣକରେ ଭୁଜବଳେ
ନୃପ ଶିରୋମଣି ଦେବ ଦାନବଙ୍କ ପ୍ରଭୁ
ଛାର କଥାରେ ବିଷାଦ ପାଇ କିପାଁ ଭାବୁ
ରାଜ୍ୟର କାରେଣି ହେଲେ ହୋଏ ନାନା ଦ୍ୱନ୍ଦ୍ୱ
ସମୟେକ ଭଲ ପୁଣି ସମୟେକ ମନ୍ଦ
ଏଥକୁ ଶୋଚନା ତୁହୋ ନ କର ନୃପତି
ତୁମ୍ଭ ଅପରାଧୀ ହୋଇ ରହିବ କେ କ୍ଷିତି
ଇନ୍ଦ୍ର ବରୁଣ କୁବେର କରି ତୁମ୍ଭ ସେବା
ଏଥେ ଶୋଚନା ତୁମ୍ଭର କି ନିମନ୍ତେ ଅବା
ରାଜ୍ୟ ଯେବେ ଆପେ ଆପେ ହୋଇବ ଉଚ୍ଛନ୍ନ
ଋଷି ବ୍ରାହ୍ମଣଙ୍କୁ ବରି ଦେବା ଧନ ଦାନ
ଅରିଷ୍ଟ ଶାନ୍ତି ନିମନ୍ତେ କରି କୋଟି ହୋମ
ଖଣ୍ଡିବା ଏ ଉପଦ୍ରବ ଉଦେ ହେବ ଧର୍ମ
ଯେତେ ଭାଙ୍ଗିପଡ଼େ ମେଢ଼ ମଣ୍ଡପ ଅଟ୍ଟାଳି
ବିନ୍ଧାଣିଙ୍କି ଆଜ୍ଞାଦିଅ ଦିଅନ୍ତୁ ସେ ତୋଳି
ମେଷ ମଇଁଷି ବଳି ଯେ ଦେବୀ ଆଗେ ଦେବା
ଗୋଦୋହନ ଈଶ୍ୱରଙ୍କ ଶିରେ କରାଇବା
କେଶୀର ମୁଖୁ ଏସନ ବଚନ ସେ ଶୁଣି
କରାଇଲା ଯେ ଅରିଷ୍ଟି ଶାନ୍ତି ନୃପମଣି
ଏଥୁ ଅନ୍ତରେ ଅମର ସ୍ୱର୍ଗ ଭୁବନରେ
ବୃହସ୍ପତି ଜଣାଇଲେ ଇନ୍ଦ୍ରଙ୍କ ଛାମୁରେ
ସାବଧାନ ହୋଇ ତୁମ୍ଭେ ଶୁଣ ସୁରରାୟ
ଏବେ ଯେ ସରିଲା ସ୍ୱର୍ଗ ପୁର ମହାଭୟ
ରୋହିଣୀ ଗର୍ଭରୁ ଜାତ ହେଲେ ହଳଧର
ପୃଥିବୀ ଦେବୀର କଷ୍ଟ ଆଝୁ ଗଲା ପାର
ତ୍ରିଦଶକଣ୍ଟକ କଂସ ଯିବ ପ୍ରାଣେ ନାଶ
ତପୀ ତପ ସିଦ୍ଧ ହେବ ଉପୁଜିବ ଯଶ
ଅପ୍ରମିତ ଅସୁରେ ତ ଛନ୍ତି ଅବତରି
ସଂସାର ନଷ୍ଟ କରନ୍ତି ଗୋ ବ୍ରାହ୍ମଣ ମାରି
ଦେବତାମାନେ ଯେ ଦୁଃଖ ପାଇଛନ୍ତି ଯେତେ
ସ୍ୱର୍ଗ ଭୋଗ କରିବେ ସେ ଯେ ଯାହାର ମତେ
ଆବର ପୁଣି କେତେକ ଦିବସର ଅନ୍ତେ
କୃଷ୍ଣ ଅବତାର ହେବେ ବସୁଦେବ ଗୋତ୍ରେ
ଗୋପେ ନନ୍ଦ ଘରେ ବଢ଼ି ଅଷ୍ଟବର୍ଷ ଯାଏ
ମୁନିଜନେ ଦେଖି ମୁକ୍ତ ହେବେ ଦିବ୍ୟକାୟେ
ଯମୁନା ନଦୀର କୂଳେ ନିକୁଞ୍ଜ କାନନ
କଦମ୍ବ ବୃକ୍ଷ ତା ପାଖେ ଅତି ଶୋଭାବନ
ଦେଖିବା ପୁଣି ହରିର ମାନବ ସ୍ୱରୂପ
ବିହରିବେ ତହିଁ ହୋଇ କୋଟିଏ କନ୍ଦର୍ପ
ଗୋପାଳ ପୁଅଙ୍କ ସଙ୍ଗେ ରଖିବେ ବାଛୁରୀ
ବୃନ୍ଦାବନେ ଚରାଇବେ ଗୋରୁପଲ ଘେରି
ଅଷ୍ଟମଲ୍ଲଙ୍କ ସହିତେ ନାଶ ଯିବ କଂସ
ଅନେକ ଅସୁର ହରି କରିବେ ବିନାଶ
ବୋଲନ୍ତି ଯେ ବୃହସ୍ପତି ଶୁଣନ୍ତି ବାସବ
ଏକେ ଦେଖିଲି ଧବଳ ମୂରତି ମାନବ
ଆଉ ଦେବତାମାନେ ନ କର କିଛି ଭୟ
ଏବେ ଯେ କଷ୍ଟ ତୁମ୍ଭର ହୋଇବ ଯେ କ୍ଷୟ
କହିଲେ ଯହୁଁ ଏମନ୍ତ କଥା ବୃହସ୍ପତି
ଶୁଣି ତାହା ଦେବଗଣ ହରଷ ହୁଅନ୍ତି
ଏଥୁ ଅନନ୍ତରେ ଶୁକ ଯତି ଯେ କହନ୍ତି
ସାବଧାନ ହୋଇ ଶୁଣ ପଣ୍ଡୁ ଅଣନାତି
ବଳରାମ ଜନ୍ମକଥା ପୁଣ୍ୟମୟ ବାଣୀ
ଅପୁତ୍ରକ ପୁତ୍ର ଲଭେ କର୍ଣ୍ଣେ ଏହା ଶୁଣି
ଜୟ ବଳରାମ ସ୍ୱାମୀ ଜୟ ହଳଧର
ପୃଥ୍ୱୀଭାରା ନିବାରଣେ ହେଲୁ ଅବତାର
ମୁଷଳରେ ଟାଳିପାରୁ କ୍ଷଣକେ ଜଗତ
ତୋର କ୍ରୋଧ ଦେଖି ଭୟ କରେ ପୁରୁହୂତ
ତୁ ଦେବ ପରମ ଆତ୍ମା ଅନାଦି କାରଣ
ତୋ ପାଦେ ଅଚ୍ୟୁତ ଦାସ ପଶଇ ଶରଣ

ବସୁଦେବ ଅଗ୍ରତେ ଗାର୍ଗ୍ୟ ମୁନିଙ୍କର ବଳରାମଙ୍କ ଭବିଷ୍ୟତ କଥନ

[ସମ୍ପାଦନା]

ଶୁକ କହୁଛନ୍ତି ତୁହୋ ଶୁଣ ନୃପମଣି
ଯେତେବେଳେ ଜାତ କଲା ପୁତ୍ରକୁ ରୋହିଣୀ
ଜାଜ୍ୱଲ୍ୟମାନ ଶରୀର ଅଟେ ଜ୍ୟୋତିର୍ମୟ
କୋଟି କୋଟି ଚନ୍ଦ୍ରମା କି ହୋଇଛି ଉଦୟ
ଛଅମାସ ଏକପକ୍ଷ ରୋହିଣୀ ଉଦରେ
ଅବଲୀଳେ ଅବତରି ପଡ଼ିଲେ ଭୂମିରେ
ଲାଳେ ଜରଜର ହୋଇ ପ୍ରତିମା ସୁସଞ୍ଚ
ନାଭି ନାଡ଼ଗୋଟି ଲମ୍ବି ଦିଶୁଅଛି କଞ୍ଚ
ଧବଳ ସ୍ଫଟିକ ଦେହେ ଅଧରର ପ୍ରଭା
ଅଙ୍ଗୁଷ୍ଠି ଚମ୍ପାକଢ଼ିର ଆକାର ସୁଶୋଭା
ସୁଲଳିତ ଗଣ୍ଡସ୍ଥଳ ପ୍ରଲମ୍ବିତ ବାହୁ
ତେଜେ ବଦନ ମଣ୍ଡଳ ଦିଶେ ଦାଉ ଦାଉ
ହର ଡମ୍ବରୁ ଆକାର ଶୋଭା ମଝିକଟି
ମଦନ ସିଂହାସନ କି ନିତମ୍ବ ପ୍ରକଟି
କହନ୍ତେ ନ ସରଇ ସେ ରାମର ମହିମା
ଆପେ ଘଟନ ତହିଁରେ ପ୍ରଭୁ ବିଶ୍ୱକର୍ମା
ପୁରୁଷବର ସୁନ୍ଦର ସେହି ବଳରାମ
କାମଦେବ ଗଞ୍ଜି ରୂପେ ବଳଦାବ ନାମ
ଦ୍ୱାପରେ ଜାତ ହୋଇଲେ କଳା ଶୁକ୍ଳ ଦୁଇ
କର ଚରଣ ହଲାଇ ଭୂମିରେ ଯେ ପଡ଼ି
କୁଆଁ କୁଆଁ ହୋଇ ରାବ ଛାଡ଼ି ଘୋରରଡ଼ି
ଅଣ୍ଡିର କୋକିଳ ଯେହ୍ନେ ଭାଷଇ ବସନ୍ତେ
ତେସନ ସଞ୍ଜାତ ରାମ ରୋଦନ କରନ୍ତେ
ଧାଈମାନେ ଦେଖି ତହୁଁ ବେଗେ ଧାଇଁଗଲେ
ବସୁଦେବର ଛାମୁରେ ଯାଇ ଜଣାଇଲେ
ଭୋ ସ୍ୱାମୀ ବସୁଦେବ ହେ ଶୁଣ ଆମ୍ଭ ବାଣୀ
ରୋହିଣୀ ଗର୍ଭରୁ ପୁତ୍ର ଜାତ ଏହିକ୍ଷଣି
ପୁତ୍ରକୁ ତ ତ୍ରିଭୁବନେ ନାହିଁ ପଟାନ୍ତର
କୋଟିଗୁଣେ କାମଠାରୁ ଦିଶଇ ସୁନ୍ଦର
ଶୁଣି ବସୁଦେବ କ୍ଷଣେ ରହିଲେ ବିସ୍ମୟେ
ସବୁଙ୍କୁ କୋମଳ କରି କହନ୍ତି ବିନୟେ
ଚାଣ୍ଡାଳ କଂସ ମୋଠାରେ କରିଛି ଅମର୍ଷ
ଦେବକୀ ପୁତ୍ର ବୋଲି ନ ପୁଣ କରେ ନାଶ
ଏ କଥା ତୁମ୍ଭେ ପ୍ରକାଶ ନ କର କାହାରେ
ପୁତ୍ରଜାତ ହେବା କଥା ନ କହ ବାହାରେ
ଯଦ୍ୟପି କଂସରାଜନ ବାରତା ପାଇବ
ରଖନ୍ତା ନୋହିବ କେହି ମାରି ପକାଇବ
ଏମନ୍ତ ସେ ବସୁଦେବ ସବୁଙ୍କୁ ତିଆରି
ଅନ୍ତଃପୁରେ ଗଲା ପୁଣି ମନ ବୋଧକରି
ଅନ୍ତୁଡ଼ି ଶାଳେ ଦେଖିଲା ଯାଇ ପୁତ୍ରଗୋଟି
ବଦନ ନିରୂପି ଆସି ହୋଇଲାକ ତୁଷ୍ଟି
କଂସର ଡରେ ସେ କଥା ପ୍ରଘଟ ନ କଲେ
ଅତି ଯତନେ ଗୁପତ କରି ଲୁଚାଇଲେ
କୋଟି ବ୍ରାହ୍ମଣଙ୍କ ହାତେ ସୁନାଦାନ ଦେଲେ
ଈଶ୍ୱର ଆଳେ କୋଟିଏ ଗୋଦାହନ କଲେ
ଅପରାଜିତା ନୃସିଂହ କବଚ ଯେ ଚଣ୍ଡୀ
ବରଣ କରାଇ ନାନା ବିଘ୍ନମାନ ଖଣ୍ଡି
ଦେବୀଙ୍କୁ ଯେ ବଳି ଦେଲେ ମହିଷ ଛାଗଳ
ଜଉତିଷେ ଶାନ୍ତି କଲେ ତହିଁ ଗ୍ରହକୁଳ
ଏକାନ୍ତେ ଗାର୍ଗ୍ୟମୁନିଙ୍କୁ ଡାକି ବସୁଦେବ
କୃତାଞ୍ଜଳି ହୋଇ ଜଣାଇଲେ ସଦଭାବ
ଭୋ ମୁନି ଗାର୍ଗବ ତୁମ୍ଭେ ମୋ ଇଷ୍ଟଦେବତା
ତୁମ୍ଭ ଆଗେ ଗୁପତରେ କହିବି ଏ କଥା
ମହାବଳୀ କଂସରାଜା ନିରାପକ୍ଷ ହୋଇ
ଷଡ଼ଗୋଟି ପୁତ୍ର ମୋର କଚାଡ଼ିଲା ନେଇ
ନୃପତି ଅନ୍ୟାୟ କଲେ କାହାକୁ କହିବା
ଅପଣାକର୍ମକୁ ସିନା ଆପେ ସୁମରିବା
ଏବେ ସେ ରୋହିଣୀ ଦେବୀ ହେଲେ ଗର୍ଭବତୀ
ଏକପୁତ୍ର ତାଙ୍କ ଗର୍ଭୁ ହେଲା ଉତପତ୍ତି
ତୁମ୍ଭେ ମୋର କୁଳଗୁରୁ ଅଟ ବ୍ରହ୍ମଜ୍ଞାତା
ତେଣୁ ତୁମ୍ଭ ଆଗେ ଗୁପ୍ତ ନାହିଁ ମୋର କଥା
ଯେପରି ଏ ପୁତ୍ରଗୋଟି ହେବ ମୋର ରକ୍ଷା
ଭୋ ମୁନି ସେପରି ମୋତେ ଦିଅ ପୁଣ୍ୟଦୀକ୍ଷା
ଦେବକୀ ପୁତ୍ରକୁ କଂସ ମାରିଅଛି ଆପେ
ଏ ପୁତ୍ରକୁ ସେହିପରି ସଂହାରିବ କୋପେ
ଏତେ ବୋଲି ବସୁଦେବ ଅତ୍ୟନ୍ତ ବିଷାଦେ
ବାରମ୍ବାର ପ୍ରଣମିଲା ଗର୍ଗ୍ୟମୁନି ପାଦେ
ରାଜାର ବିକଳ ଦେଖି ଗର୍ଗ୍ୟ ମହାଋଷି
ବୋଇଲେ ହେ ବସୁଦେବ ବିକଳ ନୁହସି
ଏ ପୁତ୍ର ଜନ୍ମିବାଠାରୁ ଗଲାଣି ତୋ କଷ୍ଟ
ନିଶ୍ଚିନ୍ତେ କରିବୁ ଭୋଗ ଏବେ ସମରାଷ୍ଟ୍ର
ଆହୋ ବସୁଦେବ ତୁ ହୋ ଶୁଣ ତଥ୍ୟ କଥା
ଏ କୁମର ଗୋଟି ଅଟେ ତୋ ଇଷ୍ଟଦେବତା
ପନ୍ନଗ ନାରାୟଣ ଏ ସ୍ୱଂୟ ଅବତାର
କିଞ୍ଚିତରେ ନିବାରିବେ ପୃଥ୍ୱୀ ଭାରାଭର
ବାହୁବଳେ ଦାନବଙ୍କୁ କରିବେ ଏ ନାଶ
ସ୍ୱର୍ଗରେ ରହିବେ ସୁଖେ ସକଳ ତ୍ରିଦଶ
ପରମ ପୁରୁଷ ଏ ଯେ ଅତି ପୁଣ୍ୟମୟ
କଂସକୁ କରିବେ ଅଷ୍ଟମଲ୍ଲ ତୁଲେ କ୍ଷୟ
ଅବିନାଶୀ ପୁରୁଷକୁ ନାହିଁ ମୃତ୍ୟୁଯୋଗ
ଅନେକ ସମ୍ପଦ ଏ ଯେ କରିବେ ବୈଭୋଗ
କଂସର ବଳେ ଏହାକୁ ବିହି ନୁହେ ନାଶ
ନ ପାଅ ତୁ ବସୁଦେବ ମନେ କିଛି ତ୍ରାସ
ବିଶ୍ୱାସ କଥାଏ ଏବେ ତୋତେ ଥିବା କହି
ସେ କଥା କାହାରି ଆଗେ କହିବୁ ତୁ ନାହିଁ
ତୋ ବଳରେ ଏ କୁମର ନୁହେଁ ପ୍ରତିପାଳି
ବଳୀଙ୍କ ଉପରେ ଏ ଯେ ଅଟେ ମହାବଳୀ
ପୃଥ୍ୱୀ ସହି ନ ପାରିବ ଏହା ପାଦଭାର
ସାକ୍ଷାତରେ ରୁଦ୍ରଦେବ ମଞ୍ଚେ ଅବତାର
ପୂର୍ବରୁ ଦେବତା ଏହା କରିଛି ନିର୍ମାଣ
ନନ୍ଦଘରେ ଆଠବର୍ଷ ବଢ଼ିବ ଏ ଜାଣ
ଦୁର୍ବାର ବଳବନ୍ତ ଏ କଂସାସୁର ରାଜା
ଦେବଗଣେ କରୁଛନ୍ତି ଯା ପାଦରେ ପୂଜା
ତିନିପୁର ଜୟ କଲା ଜିଣି ବାହୁବଳେ
କେ ତାହାକୁ ସମ ଆଉ ଅଛି ରବିତଳେ
କେବଳ ସେ ଗୋପପୁର ନ ପାରଇ ପଶି
ପୂର୍ବେ ତାକୁ ଅଭିଶାପ ଦେଇଛନ୍ତି ଋଷି
ଗୋମତ ପର୍ବତ ତଳେ ଗୋପନଗ୍ର ନାମ
ସକଳ ଗୁଣରେ ଅଟେ ସ୍ୱର୍ଗ ସଙ୍ଗେ ସମ
ସେ ପବିତ୍ର ଭୂମିକୁ ଯେ ପଟାନ୍ତର ନାହିଁ
ଅଙ୍ଗୁଳିକେ ଅଶ୍ୱମେଧ ହୋଇଅଛି ତହିଁ
ସିଦ୍ଧଯୋଗୀ ବ୍ରହ୍ମଚାରୀ ତପୀ ମହାଋଷି
କଳ୍ପାନ୍ତ କାଳରୁ ତପ କରୁଛନ୍ତି ବସି
ତେଣୁ ସେ ଭୂମିକୁ ମାଡ଼ି ନ ପାରଇ କଂସ
ଯଦ୍ୟପି ମାଡ଼ିବ ଯାଇ ପ୍ରାଣେ ହେବ ନାଶ
ଗୋମତ ମହର୍ଷି ତାକୁ ଶାପ ଛନ୍ତି ଦେଇ
ଗୋପନଗ୍ରେ କଂସାସୁର ପଶି ନ ପାରଇ
ସେ ଗୋପରେ ତୋ କୁମର ଆଠବର୍ଷ ଥିବେ
ତଦନ୍ତେ ମଥୁରା ଆସି କଂସକୁ ବଧିବେ
ଭୃଗୁମୁନି ମୁଖୁଁ ଏହା ପୂର୍ବେ ଥିଲୁ ଶୁଣି
ତୋ ଆଗେ କହିଲୁ ଏବେ ଭବିଷ୍ୟତ ବାଣୀ
ଏଥକୁ ମନରେ ଚିନ୍ତା ନ କର ତୁ କିଛି
ପୂର୍ବରୁ ବିଧାତା ଏହା ନିର୍ମାଣ କରିଛି
ଧରଣୀ ଭାରାଭର ନିବାରିବା ପାଇଁ
ବ୍ରହ୍ମାଦି ଦେବତାମାନେ ଜନ୍ମିଛନ୍ତି ଭୂଇଁ
ଆବର କଥାଏ ଦେବ ଶୁଣ ଦୃଢ଼ବାଣୀ
ଏ କଥାକୁ ନ କହି ତୁ ଆପେ ଥିବୁ ଜାଣି
ପ୍ରଳମ୍ବା ନାମରେ ଦୈତ୍ୟ ଚୌର୍ଯ୍ୟପଣ କରି
ତୋର ପୁତ୍ରକୁ ଅବଶ୍ୟ ନେବ ଚୋରିକରି
ଆତ୍ମାର ବଇରୀ ବୋଲି ମାରି ତ ଲୋଡ଼ିବ
ତା ମୁଖ ଦେଖି ଯେ ମୋହ ହୋଇଣ ପଡ଼ିବ
ଅକ୍ଷୟ ପୁରୁଷ ଏ ଯେ ନୁହେ କେବେ ନାଶ
ଦାନବ ମାତ୍ରକ ୟାକୁ କରିବଟି କିସ
ଆକ୍ରୋଶି ଧରିଣ ବଳେ ଫିଙ୍ଗିଦେବ ଦୂରେ
ଏ ପୁତ୍ର ପଡ଼ିବ ଯାଇ ଗୋପ ଗୋଗୋଷ୍ଠରେ
ନନ୍ଦନାମେ ମହାଖୁଡ଼ ଗୋପ ଦଣ୍ଡଧାରୀ
ସେ ଦେଖି ପାଳିବ ନେଇ ଅତି ଯତ୍ନକରି
ଏସନ ଅଦ୍ଭୂତ କଥା ହୋଇବ ଅବଶ୍ୟ
ତୁ ତହିଁକି ବସୁଦେବ ନୋହିବୁ ବିରସ
ବଳବନ୍ତ ପୁତ୍ର ତୋର ବଳେ ଅନୁପମ
ପ୍ରତ୍ୟକ୍ଷେ ଈଶ୍ୱର ଏହୁ ଅଭିନବ କାମ
ଆବର ବରଷେ ଯାଏ ରହ ତୁ ସୁସ୍ଥିରେ
ନାରାୟଣ ଜନ୍ମ ହେବେ ଆସି ତୋର ଘରେ
ଏ ପୁତ୍ର ନ ଦେଖି ମନେ ନ ପାଇବୁ ତ୍ରାସ
ଅବ୍ୟକ୍ତ ପୁରୁଷ ଏ ଯେ ନୁହେ ପୁଣି ନାଶ
ଏତେ କହି ଗାର୍ଗ୍ୟମୁନି ଗଲେ ନିଜ ସ୍ଥାନେ
ବସୁଦେବ ଶୁଣି ଗୃହେ ରହିଲା ମଉନେ
ପରୀକ୍ଷ ନୃପତି ଆଗେ ଶୁକ ମହାଯତି
ଶ୍ରୀହରି ଚରିତ କଥା ବିସ୍ତାରି କହନ୍ତି
କହଇ ଅଚ୍ୟୁତ ଦାସ ଶୁଣି ଏ ପୁରାଣ
ବୈକୁଣ୍ଠ ସୋପାନେ ସୁଖେ କର ଆରୋହଣ

ପ୍ରଳମ୍ବାସୁର ବଳରାମଙ୍କୁ ଫୋପାଡ଼ି ଦେବା ଓ ତାଙ୍କର ଗୋଗୋଷ୍ଠରେ ପ୍ରବେଶ

[ସମ୍ପାଦନା]

ପଚାରନ୍ତି ପରୀକ୍ଷିତ କହ ମୁନିବର
ଏଥୁଅନ୍ତେ ବସୁଦେବ କଲେ କି ବିଚାର
ଏମନ୍ତ ଶୁଣି ବୋଇଲେ ପୁଣି ଶୁକ ବ୍ରହ୍ମା
ବ୍ରହ୍ମାର ପୁତ୍ର ନାରଦ ମୁନି ମହାତମା
ଆପଣାର ହୃଦଗତେ ବିଚାରି ମହର୍ଷି
ତ୍ରିଦଣ୍ଡ ବୁଲାଇ ମୁନି ପ୍ରବେଶିଲେ ଆସି
କଳହ ପ୍ରିୟ ସେ ମୁନି ବିଚାରନ୍ତି ମନେ
ଅନେକ ସଂଗ୍ରାମ ଆମ୍ଭେ ଦେଖିବା ନୟନେ
ପୃଥିବୀର ଭାରାଭର ହୋଇବ ଉଶ୍ୱାସ
ଦୁଷ୍ଟଦାନବମାନେ ଯେ ଯିବେ ପ୍ରାଣେ ନାଶ
ପରମ ନିର୍ବିକାର ସେ ନିରାକାର ସ୍ୱାମୀ
ବାଳୁତ ଭାବରେ ପଡ଼ିଅଛନ୍ତି ମେଦିନୀ
ମାୟାମୋହେ ପଡ଼ି ହୋଇଅଛନ୍ତି ଜ୍ଞାନଧ୍ୱଂସ
କେମନ୍ତେ ଫେଡ଼ିବେ ଦୁଃଖ କଂସ କରି ନାଶ
ବସୁଦେବ ପୁତ୍ରବୋଲି ଜାଣିଲେ ସେ କଂସ
ଦୁଷ୍ଟ ବୁଦ୍ଧି ତାର ଶିଳେ ପିଟିବ ଅବଶ୍ୟ
ଆଜହୁଁ ଅଯଶ ଯେବେ ପାଇବେକ ହଳୀ
ଆବର କି ଘେନି ଆମ୍ଭେ କରାଇବା କଳି
ଉପାୟେ ବଳରାମଙ୍କୁ ଏଥୁ ନେବା ଆଜ
ତେବେ ସଂଗ୍ରାମ ଦେଖିବା ହେବ ଦେବକାର୍ଯ୍ୟ
ଏତେ ବୋଲି ମୁନିବର ଗଲେ ହାଦେ ଖରେ
ଧାତିକାରେ ପ୍ରବେଶିଲା ମଞ୍ଚ ମଣ୍ଡଳରେ
କାଖରେ କଳିଧୂକୁଡ଼ି କରେଣ ତ୍ରିଦଣ୍ଡି
ଶୁକଳ ଧୋତି ଉତ୍ତରୀ ହସ୍ତେ ବେଦକାଣ୍ଡି
ମନ ପବନ ଯାନରେ ଯାନ୍ତି ମହାମୁନି
ଓଁକାର ନାଦେ କରନ୍ତି ଉଚ୍ଚେ ବେଦଧ୍ୱନି
ଥୋକାଏ ଦୂର ଗମନ କରନ୍ତି ନିକଟେ
ପ୍ରଳମ୍ବା ଦାନବ ମୁନି ଦେଖି ଯାଉଁ ବାଟେ
ନାରଦେ ବୋଇଲେ ଯତ୍ନେ ଲୋଡ଼ୁଥିଲୁ ଯାକୁ
ଆମ୍ଭେ ମଣାଇ କହିବା ପ୍ରଳମ୍ବାସୁରକୁ
ଯେବଣ ପ୍ରକାରେ ନେବ ଚୋରାଇଣ ପୁତ୍ର
ତେମନ୍ତ କହିବା ଆମ୍ଭେ କରି ଘଟସୂତ୍ର
ଏମନ୍ତ ବିଚାର କରି ଗଲେ ମହାମୁନି
ପ୍ରଳମ୍ବା ଛାମୁରେ ଯାଇ କଲେ ବେଦଧ୍ୱନି
ନାରଦଙ୍କ ଆଗମନ ଦେଖିଣ ଦଇତ
ଆସନକୁ ତେଜିକରି ଉଠିଲା ତୁରିତ
କୃତାଞ୍ଜଳି ହୋଇ ବୀର କଲା ନମସ୍କାର
ପୁଣ ପୁଣ ପ୍ରଣମଇ ପାଦେ ଶତେବାର
ପବିତ୍ର ଗଙ୍ଗାଜଳରେ ଚରଣ ପଖାଳି଼
ପାଦ ଉଦକ ଘେନଇ ଶିରେ ମହାବଳୀ
ଗନ୍ଧପୁଷ୍ପ ପାଦାସନ ଆବର ଆସନ
ଧୂପ ଦୀପ ନଇବେଦ୍ୟ ଦେଇ କଲା ମାନ୍ୟ
ବାରତା ପୁଚ୍ଛେ ଦାନବ ଯୋଡ଼ି କରପତ୍ର
କି ପାଇଁ ଏ ଅନୁରାଗ କହ ତୁ ଯଥାର୍ଥ
କେବଣ କାରଣେ ମୁନି କଲ ଅନୁଗ୍ରହ
ସେ କଥା ସଂକ୍ଷେପି କରି ମୋର ଆଗେକହ
ମୁନି ବୋଇଲେ ଯେ ଆମ୍ଭେ ସ୍ୱର୍ଗପୁରେ ଥିଲୁ
ଅପୂର୍ବ ବାରତା ତୋତେ କହିଣ ଅଇଲୁ
ସଦାକାଳେ ତୁ ଆମ୍ଭଙ୍କୁ କରୁଥାଉ ସେବା
କେମନ୍ତେ ଏଡ଼େକ କଥା ତୋତେ ନ କହିବା
ଆମ୍ଭର ହୃଦୟେ ଅଛି ଯେଣୁ ତୋତେ ଦୟା
ଜାଣୁ ଜାଣୁ କରିବା କି ଆମ୍ଭେ ଏଡ଼େ ମାୟା
ଦେବସଭା ପରିମୁଖେ ପାଇଲୁ ବାରତା
ଇନ୍ଦ୍ର ଆଗେ ବୃହସ୍ପତି କହୁଥିଲେ ଯଥା
ଶୂରବନ୍ତ ଶକତା ତୁ ଅଟୁ ମହାବଳୀ
ଅଖଡ଼େ ନାଶ ଯାଉଛି ବୀର ତୋହ ଭଳି
ଦେବ ଦାନବେ ଜିଣନ୍ତା ନାହିଁ ତୋତେରଣେ
ନବଖଣ୍ଡ ମେଦିନୀ ତୁ ସାଧିପାରୁ ଜଣେ
ଏତେକାଳେ ପୁଣ ତୋତେ ହୋଇଲା ଅଯଶ
ବସୁଦେବ ପୁତ୍ର ତୋତେ କରିବ ବିନାଶ
ଆନପ୍ରକାରେ ତୋହର ନାହିଁ ମୃତ୍ୟୁଯୋଗ
ଏଥୁ ଉତୁରିଲେ ସିନା କରିବୁ ବିଭୋଗ
ଉପାୟ କରି ତାହାକୁ ସଂହାର ତୁ ଯାଇ
ବସୁଦେବ ପୁତ୍ର ମଲେ ତୋର ଆନ ନାହିଁ
ପୁଣ ଏକାଙ୍ଗେ ଭୋଗ ତୁ କର ବସୁନ୍ଧରୀ
ଏତେ ବୋଲି ଅନ୍ତର୍ଦ୍ଧାନ ହେଲେ ତପଚାରୀ
ନାରଦ ମୁଖରୁ ବୀର ଏସନକ ଶୁଣି
ପ୍ରଖର କରି ନିଃଶ୍ୱାସ ଛାଡ଼ିଲାକ ପୁଣି
ମହାଭୟ ପାଇ ସେହି ଭାଳେ ହୃଦଗତେ
ଅପମୃତ୍ୟୁ ବାଧାରୁ ମୁଁ ତରିବି କେମନ୍ତେ
କେବଣ ଉପାୟ କରି ରଖିବି ଜୀବନ
ଆତ୍ମା ଉତ୍ସର୍ଗ ମୋହର ବିଚଳିତ ମନ
ଅକାଳେ ମରଣ ଆସି ନିକଟ ହୋଇଲା
ଧର୍ମଦେବତା ଏଥକୁ ଅଟେ ସାକ୍ଷୀ ଭଲା
ପୁଣି ପୁଣି ଅନ୍ତର୍ଗତେ ଭାଳେ ହେତୁ କରି
ଉପାୟ କରି ପୁତ୍ରକୁ ପକାଇବା ମାରି
ବସୁଦେବ ଘରେ ଶତ୍ରୁ ଅଛି ଜାତହୋଇ
କପଟେ ନାଶ କରିବି ଆଜ ତାକୁ ଯାଇ
ଯଦ୍ୟପି ସେ ବସୁଦେବ କରିବଟି ଯୁଦ୍ଧ
ଯେତେ ଯାଦବ ଆସିବେ କରିବଇଁ ବଧ
ଏମନ୍ତେ ବିଚାରନ୍ତେ ଯେ ରଜନୀ ପ୍ରବେଶ
ଭାଳଇ ପ୍ରଳମ୍ବା ଏବେ କରିବଇଁ କିସ
ଅସୁର ମହାବଳୀ ସେ ଜାଣେ ନାନା ମାୟା
ଉଲୁକମନ୍ତ୍ର ସୁମରି ଗୁପ୍ତ କଲା କାୟା
ଇଷ୍ଟ ଦେବତା ସୁମରି ଗଲା ଧାତିକାରେ
ତୁରିତେ ମିଳିଲା ଯାଇ ବସୁଦେବ ଘରେ
ସାତଘଡ଼ି ଯେ ପ୍ରବେଶ ହୋଇଛି ରଜନୀ
ବସୁଦେବ ଘରେ ଆସି ମିଳିଲାକ ପୁଣି
ଅନ୍ତୁଢ଼ିଶାଳେ ରୋହିଣୀ ପୁତ୍ର ଘେନି ଶୋଇ
ନିଶ୍ଚେଷ୍ଟ ହୋଇ ଅଛନ୍ତି ଅନ୍ତୁଡ଼ି ଲଗାଇ
ଏମନ୍ତ ସମୟେ ଯାଇ ମିଳିଲା ଅସୁର
ଦେଖେ ଅନ୍ତୁଡ଼ିଶାଳରେ ଉତ୍ତମ କୁମର
ବଳଦେବଙ୍କୁ ଆକର୍ଷି ଧରେ ମହାବଳୀ
ତିଳେମାତ୍ର ଭୂମିରୁ ସେ ନ ପାରିଲା ଚାଳି
ହୁଙ୍କାର ନାଦ କରିଣ ହିଆରେ ଠେଲିଲା
ବେନିହସ୍ତେ ପୁଣି ଧରି ଅସୁର ତୋଳିଲା
ବିକ୍ରମି ଦରାଣ୍ଡି ପୁଣ ବାହାନାଦ କରି
ଚରଣ ଦୁଇ ଧରିଣ ଅତି ଆଣ୍ଟେ ତୋଳି
ପିମ୍ପୁଡ଼ି ପରାକ୍ରମେ କି ଉଠଇ ପର୍ବତ
ମଶାର ଶଉର୍ଯ୍ୟେ କାହିଁ ଚଳେ ମଦମତ୍ତ
ପୁଣ ପୁଣ ଦାନବ ଯେ ଝାମ୍ପେ ଅନ୍ତରାଳେ
ଶରୀରୁ ତ୍ରିପଣ୍ଡ୍ର ହୋଇ ଶ୍ରମଝାଳ ଗଳେ
ବାଳଲୀଳାରେ ଭୂମିରେ ଶୋଇଛନ୍ତି ସ୍ୱାମୀ
ମେରୁଠାରୁ ଗରୁ ସେହି ଶୋଇଥିବା ଭୂମି
ଆକର୍ଷି ଧରିଣ ରାଗେ ଝାମ୍ପେ ପୁଣ ପୁଣି
ଟଳମଳ ହୋଇଣ ଯେ କମ୍ପଇ ଧରଣୀ
କଉଣସିମତେ ଦୈତ୍ୟ ନ ପାରିଲା ତୋଳି
ମୁଖ ନାସିକା ବାଟରେ ରୁଧିର ନିକିଳି
ମନେ ମନେ ବିଚାରଇ ଦୈତ୍ୟ ଅନର୍ଗଳ
ବାଳପୁଅ ନୁହେଁ ଏହି ମନ୍ଦର ଶଇଳ
ଜାଣିଲି ମୁନିର କଥା ନୁହଇ ତ ଆନ
ନିଶ୍ଚୟ ଏହାର ହାତେ ମୋହର ଜୀବନ
ଏମନ୍ତ ଚରିତ ଜାଣି ସକଳ ଦେବତା
ଅନ୍ତର୍ଗତେ ରାମଙ୍କୁ ସେ ଧ୍ୟାନେ କରି ଚିନ୍ତା
ଭୋ ଦେବ ବଳଦେବ ତୁ ହୁଅ ଅବହେଳ
ନେଉ ପ୍ରଳମ୍ବା ଅସୁର ଆପେ ଆପେ ଚଳ
ଅକ୍ଷୟ ପୁରୁଷ ତୁମ୍ଭେ ଅଟ ବିଶ୍ୱବାସ
ଦାନବ ମାତ୍ର ତୁମ୍ଭର କରିବାକ କିସ
ଆମ୍ଭେ ତ୍ରିଦଶ ଦେବତା ବୋଲୁଛୁ ତୁମ୍ଭଙ୍କୁ
ଭୃତ୍ୟପଣେ ସେବା ଆମ୍ଭେ କରୁ ଆପଣଙ୍କୁ
ପ୍ରଳମ୍ବା ନାମେ ଦଇତ ଚୌର୍ଯ୍ୟପଣେ ନେଇ
ଚରଣ ଧରି ତୁମ୍ଭଙ୍କୁ ଦେଉ ଫୋପଡ଼ାଇ
ନନ୍ଦ ଗୋପନଗ୍ରେ ଯାଇ ହୁଅ ଅବତାର
ତେବେ ସେ ଉଶ୍ୱାସ ହେବ ପୃଥିବୀର ଭାର
ଆମ୍ଭେ ସର୍ବଦେବ ଗୋପୀ ଗୋପ ଗୋପେ ହୋଇ
ଜନମ ହୋଇବୁ ଯାଇଁ ତୁମ୍ଭ ସୁଖ ପାଇଁ
ତୁମ୍ଭେ ଏବେ ଗୋପନଗ୍ରେ ବିଜେକରି ଯାଅ
ଉଦ୍ଧର ତ୍ରିଦଶ ଦେବେ ରୋହିଣୀ ତନୟ
ଏସନକ ସ୍ତୁତି ଯହୁଁ କଲେ ଦେବଗଣ
ଶୁଣି ସାନନ୍ଦ ହୋଇଲେ ପ୍ରଭୁ ସଙ୍କର୍ଷଣ
ବୋଲନ୍ତି ଯେ ଶୁକମୁନି ଶୁଣ ତୁ ରାଜନ
ଶ୍ରୀଭାଗବତ ପୁରାଣ ପୁଣ୍ୟତମ ଜାଣ
ଅସୁର ପୁଣି ମନରେ କରଇ ବିଚାର
ଦୁର୍ଗାଦେବୀ ଦେଇଛନ୍ତି ମୋତେ ସିନା ବର
ତାହାଙ୍କୁ ମନରେ ମୁହିଁ କରେ ସୁମରଣ
ଏମନ୍ତ ଭାଳି କରକୁ ଶିରେ ନିବେଶିଣ
ଦୁର୍ଗା ଦୁର୍ଗା ସୁମରନ୍ତେ ହେଲା ବଳବନ୍ତ
ଅସୁର ସାହସ କରି ଉଠିଲା ତୁରିତ
ପ୍ରଳମ୍ବା ଅସୁର ରାମ ପାଦ ଦୁଇ ଧରି
ବିକ୍ରମକେଶରୀ ଯେହ୍ନେ ଝାମ୍ପେ ଆଣ୍ଟକରି
ସୁର ସିଦ୍ଧ ମୁନି ଧ୍ୟାନେ ଯାହାକୁ ଚିନ୍ତନ୍ତି
ହସ୍ତେ ଧରି ସେ ପାଦକୁ ଝାମ୍ପେ ଦୈତ୍ୟପତି
ଭକ୍ତଜନବନ୍ଧୁ ସ୍ୱାମୀ ଅଟେ କଳେବର
ଚରଣ ଧରନ୍ତେ ହେଲେ ଉଶ୍ୱାସ ଶରୀର
ବସୁଦେବ ଭୁବନରେ ନ ଜାଣନ୍ତି କେହି
ଉଲ୍ଲୁକ ମନ୍ତ୍ରେ ଲୁଚାଇ ଦାନବର ଦେହୀ
ଅଚେଷ୍ଟ ହୋଇ ଅଛନ୍ତି ସର୍ବେ ନିଦ୍ରାଯାଇ
ମୋହିଛି ସେ ନିଦ୍ରାବତୀ କାରେ ଜ୍ଞାନ ନାହିଁ
ବିଶେଷରେ ନବଘଡ଼ି ହୋଇଛି ରଜନୀ
ଏସନ ବେଳେ ପ୍ରଳମ୍ବା ପୁତ୍ର କରେ ଘେନି
ମଥୁରା କଟକୁ ରାତ୍ରେ ହୋଇଲା ବାହାର
ଯମୁନା ନଦୀର କୂଳେ ମିଳିଲା ସତ୍ୱର
ମନ ଉଦବେଗେ ଧାଏଁ ପବନ ବିଘାତେ
ବଳରାମଙ୍କ ଚରଣ ଧରିଅଛି ହାତେ
ଶ୍ରୀମୁଖକୁ ଚାହିଁ ଭାଳେ ପ୍ରଳମ୍ବା ଅସୁର
ନାରଦ କହେ ତୋ ହସ୍ତେ ମରଣ ମୋହର
ଏହିକ୍ଷଣି ତୋତେ ମୁହିଁ କରିନ୍ତି ଯେ କ୍ଷୟ
ସରନ୍ତା ସିନା ମୋହର ମରଣର ଭୟ
କହିଅଛନ୍ତି ଏକାନ୍ତେ ମୋତେ ସେ ନାରଦ
ତୋତେ ନ ମାଇଲେ ମୁହିଁ ହେବି ପ୍ରାଣେବଧ
ଏହା ଭାଳି ବଳରାମ ମୁଖକୁ ଚାହିଁଲା
ଅପୂର୍ବ ମୁଖ ଦେଖିଣ ମୋହିତ ହୋଇଲା
କୋଟି କନ୍ଦର୍ପ ମୁଖକୁ ନୋହେ ସରିସମ
ଅପୂର୍ବ ସୁନ୍ଦର ସ୍ୱାମୀ ଅଟେ ବଳରାମ
ଧବଳ ରୂପ ଦେହକୁ ଦିଶେ ଅତି ଶୋଭା
ଶରଦ ଶରୀର ପ୍ରାୟ ବଦନର ପ୍ରଭା
ତାହା ଦେଖିଣ ଦାନବ ହୋଇଲାକ ବଶ
ବିଚାରେ ଏ ପୁରୁଷକୁ କରିବି କି ନାଶ
ବାଳୁତ ପୁତ୍ର କେମନ୍ତେ ଉପ୍ରୋଧ ଉପେକ୍ଷି
ମାରିବାକୁ ମନ ମୋର ହେଉଅଛି ଦୁଖୀ
ପୁଣି ବିଚାରଇ ମୋତେ କହିଲେ ନାରଦ
ଏହି ବାଳକ ଅଟଇ ମୋର ମୃତ୍ୟୁଭେଦ
ଏହାକୁ ନ ମାଇଲେ ମୁଁ ହୋଇବି ବିନାଶ
ଏହାକୁ ଛାଡ଼ିବାରେ ମୋ ପ୍ରୟୋଜନ କିସ
ଏହା ହସ୍ତେ ମୃତ୍ୟୁମୋର ଅଟଇ ନିୟତ
ଜୀବନ୍ତେ ଥିଲେ ମାରିବ ଏ ଦୁଷ୍ଟ ବାଳୁତ
ଏହିରୂପ ଦେଖି ଏବେ ହୋଇଛି ମୁଁ ବଶ
ଉଭୟ ସଙ୍କଟ ହେଲା କରିବି ଯେ କିସ
ଏହାକୁ ନ ମାଇଲେ ମୁଁ ନିଶ୍ଚେଁ ନାଶଯିବି
କେବଣ ପ୍ରକାରେ ଦୁଇ କଥାରୁ ତରିବି
ପୁଣ ବିଚାରେ ଏହାକୁ ପ୍ରାଣେ ନ ଥୋଇବି
ହସ୍ତରେ ନ ମାରି ଧରି ଫୋପାଡ଼ାଇ ଦେବି
ବିଶେଷ ବାଳୁତ ମୋର ଛାମୁରେ ନ ମରୁ
ଫୋପାଡ଼ିଦେଲେ ଏ ପଡ଼ି ମରୁ ଅବା ତରୁ
ଏତେ ବୋଲି ଦୈତ୍ୟ ରାମ ଚରଣକୁ ଧରି
ଆକର୍ଷି ବୁଲାଇଲା ସେ ବାହାନାଦ କରି
କୁରାଳ ଚକ୍ର ପରାୟେ ବୁଲାଇ ବୁଲାଇ
ଅନ୍ତରୀକ୍ଷେ ଫିଙ୍ଗିଦେଲା ମହାବଳୀ ସେହି
ହୁଙ୍କାର ଶବଦ କରି ଫିଙ୍ଗେ ଉର୍ଦ୍ଧଗତି
ଚରଣ ବାଜି ପ୍ରଳମ୍ବା ପଡ଼ିଲାକ ଧାତି
ବଜ୍ରହୁଁ କଠିନ ଅଟେ ପ୍ରଭୁଙ୍କ ଚରଣ
ବାଜନ୍ତେ ପ୍ରଳମ୍ବାସୁର ତେଜିଲା ପରାଣ
ଆକାଶରେ ବଳରାମ ବିକାଶିଲେ ଜ୍ୟୋତି
ଗଗନରେ ଉଦେ ହେଲେ କିବା ନିଶାପତି
ଯୁକତେ ବଳରାମର ଶୁକ୍ଳାମ୍ବର କାୟ
ଅର୍ଦ୍ଧ ଆକାଶେ ଦିଶିଲେ ପୂର୍ଣ୍ଣଚନ୍ଦ୍ର ପ୍ରାୟ
ଏସନ ରୂପ ଦେଖିଣ ଶୂନ୍ୟେ ପରମେଷ୍ଠୀ
ବଳରାମଙ୍କ ଉପରେ କଲେ ପୁଷ୍ପବୃଷ୍ଟି
ଛତ୍ର ଚାମର ଧରନ୍ତି ରହି ଯେ ଯାହାରେ
କହୁଛନ୍ତି ବୃହସ୍ପତି ଆଗେ ପୁରନ୍ଦରେ
ଏବେ ସ୍ୱର୍ଗ ଭୟ ପୁଣ ସରିଲା ଆମ୍ଭର
ବଳରାମ ଗୋଗୋଷ୍ଠରେ ହେବେ ଅବତାର
କଂସ କେଶୀ ସଂହାରିବେ ଗୋପରୂପ ଧରି
ଦେବତାଙ୍କ ହିତେ ଆସି ଗୋପେ ଅବତରି
ବୋଇଲେ ଯେ ପବନକୁ ଡାକି ସସ୍ରଯୋନି
ତୁମ୍ଭ ପବନ ଦେବତା ଚଳ ଏହିକ୍ଷଣି
ପ୍ରଳମ୍ବ ବଳରାମଙ୍କୁ ଦେଲା ଫୋପାଡ଼ାଇ
ଆକାଶେ ଯାଉଅଛନ୍ତି ପ୍ରଭୁ ଭାବଗ୍ରାହୀ
ତୁ ଯାଇଁ କାମପାଳଙ୍କୁ ଧୀରେ ଧୀରେ ନେବୁ
ନନ୍ଦ ଗୋଗୋଷ୍ଠରେ ନେଇ ଛାଡ଼ିଣ ଆସିବୁ
ଯେମନ୍ତେ ବଳରାମଙ୍କୁ ନ ଲାଗଇ ପ୍ରାସ
ତେସନ ପ୍ରକାରେ ଗୋପ ନଗ୍ରେ ରଖି ଆସ
ଇନ୍ଦ୍ର ବଚନେ ପବନ ଗଲା ବେଗହୋଇ
ଅର୍ଦ୍ଧ ଆକାଶେ ରାମଙ୍କୁ ଓଗାଳିଲା ଯାଇ
ଧୀରେ ଧୀରେ କରି ଶୂନ୍ୟ ଗଡ଼ାଇ ଆଣିଲା
ଗୋପ ନଗର ସୀମାରେ ନେଇଣ ଛାଡ଼ିଲା
ଏକଦୃଷ୍ଟି କରି ଚାହିଁଛନ୍ତି ଦେବଗଣ
ଗୋଗୋଷ୍ଠେ ପ୍ରବେଶ ଯାଇ ହେଲେ ସଙ୍କର୍ଷଣ
ପରମ ପୁରୁଷ ସ୍ୱାମୀ ଠୁଳ ବ୍ରହ୍ମରାଶି
ଗୋଗୋଷ୍ଠ ଭିତରେ ପ୍ରଭୁ ବିଜେ କଲେ ଆସି
ପାହିବାକୁ ରାତ୍ର ଆଉ ଅଛି ବେନି ଘଡ଼ି
ବାଳୁତ ଭାବେ ଛାଡ଼ିଲେ ସ୍ୱାମୀ ସିଂହରଡ଼ି
ଅଣ୍ଡିର କୋକିଳ ଯେହ୍ନେ ରାବଇ ବସନ୍ତେ
ତେସନେକ ସ୍ୱର ଶୁଭେ ସ୍ୱାମୀ ଯେ କାନ୍ଦନ୍ତେ
ଇତି ଶିରୀ ଭାଗବତ ପୁଣ୍ୟମୟ ବାଣୀ
ସଂସାରୁ ମୁକତ ହୁଅ ସାଧୁଜନେ ଶୁଣି
ବଳରାମ ପାଦପଦ୍ମେ ନିବେଶିଣ ଚିତ୍ତ
ଲେଖଇ ଏ ହରିବଂଶ ମୁଁ ଦୀନ ଅଚ୍ୟୁତ

ଗୋପପୁରେ ବଳରାମଙ୍କ ଆବିର୍ଭାବ ଏବଂ ନନ୍ଦରାଜାର ପୁତ୍ର ପ୍ରାପ୍ତି

[ସମ୍ପାଦନା]

ଶୁକମୁନି ବୋଇଲେକ ଶୁଣ ପରୀକ୍ଷିତ
ପବିତ୍ର ଅଟଇ ହରିବଂଶର ଚରିତ
ଗୋଗୋଷ୍ଠେ ରହିଲେ ରାମ ପାହିଲା ରଜନୀ
ଗଗନରେ ଉଦେ ହେଲେ ପ୍ରଭୁ ଦିନମଣି
ଗାଈଙ୍କି ତଡ଼ି ଗୋପାଳେ ଗୁହାଳକୁ ପୋଛି
ନାମ ଧରି ଗାଈମାନେ ଦୁହନ୍ତି ଯେ ବାଛି
କେହି ଗୋପାଳେ ଦୁହନ୍ତି ଗାଈ ଛନ୍ଦିକରି
କେବଣ ଗୋପୀ ଦୁହନ୍ତି ଗାଈ ଚୁଚୁକରି
କେଉଁ ଗୋପାଳେ ଖେମଟା ନାଚି ଗୀତଗାଇ
କେବଣ ଗୋପୀ ନାଚଇ କରତାଳି ଦେଇ
କେହି ବଜାଇ ବାଉଁଶନଳର କାହାଳୀ
କଡ଼ା ଘୁମୁରା ବଜାଇ ଦେଇ ହୁଳୁହୁଳି
ଅପ୍ରମିତ ଯେ ଗୋଧନ ନ ଯାଇ କଳନା
ଏକୁ ଆରେକ ଗୋପାଳ ରୂପେ ଜଗଜ୍ଜିଣା
କେନ୍ଦୁ ଲଉଡ଼ି ପିଙ୍ଗଳବର୍ଣ୍ଣ ଦିଶେ ନିଶ
କଟିରେ ଘଣ୍ଟି ଘାଗୁଡ଼ି ଭୟଙ୍କର ବେଶ
ମାଥେ ପତର ଖୋଲାରି ଦିବ୍ୟ ପୁଷ୍ପ ନାଇ
ନାନା ରୂପରେ ଗୋପାଳେ ବିହରନ୍ତି ତହିଁ
କେହୁ ବାଳବୃଦ୍ଧ କେହୁ ତରୁଣ କେ ଯୁବା
ଏହି ପ୍ରକାରେ ଗୋପାଳେ ପାଉଛନ୍ତି ଶୋଭା
କଂସ ନୃପତିର ତ୍ରାସ ଗୋପପୁରେ ନାହିଁ
ତେଣୁ ସେ ଗୋପାଳମାନେ ସୁଖେ ଛନ୍ତି ରହି
ଅରଖୁଆ ଅପ୍ରବାସୀ ଅଟନ୍ତି ସମସ୍ତେ
ଇଚ୍ଛାସୁଖେ ବିହରନ୍ତି ଯେ ଯାହାର ମତେ
ସ୍ୱର୍ଗପୁର ସମାନ ସେ ଗୋପନଗ୍ର ଭୂମି
ପ୍ରତ୍ୟକ୍ଷେ ବିଜୟ ହେବେ ନାରାୟଣସ୍ୱାମୀ
କୋଟିପାଦେ ଲକ୍ଷ୍ମୀ ବିଜେ କରିଛନ୍ତି ତହିଁ
ଗୋପାଳଙ୍କ ସମ୍ପଦକୁ ପଟାନ୍ତର ନାହିଁ
ଅନେକ ଗୋପବଧୂ ସେ ସମସ୍ତେ ସୁନ୍ଦରୀ
ରମ୍ଭା ଉର୍ବଶୀ ତାହାଙ୍କୁ ରୂପେ ନୋହେ ସରି
ସୁକୁମାରି ସୁନ୍ଦରୀ ସେ ସର୍ବେ ନବଯୁବା
ଚତୁର୍ଦ୍ଦଶ ଭୁବନେ କି ପଟାନ୍ତର ଦେବା
ସତୁରି ପଦ୍ମ ଗାଈ ଯେ ଦୁହାଁଳ ଗଣତି
ବୟାଣୋଇ ପଦ୍ମ ଗାଈ ବରଡ଼ ଅଛନ୍ତି
ତିନିପଦ୍ମ ଷଣ୍ଢ ଚଉରାଶୀ ପଦ୍ମ ବତ୍ସା
ସମସ୍ତେ ବନେ ଚରନ୍ତି ଯେଝା ମନଇଚ୍ଛା
ଯେତେବେଳେ ଗାଈ ଦୁହେଁ ଗୋପାଳେବସନ୍ତି
ପ୍ରଥମ ଚିରକୁ ଦୁହିଁ ଭୂମିରେ ପକାନ୍ତି
ଗାଈକେ ଚିରେ ଲେଖାଏଁ ପକାନ୍ତି ଯେ ତଳେ
ସାତଘଡ଼ି ପରିଯନ୍ତେ ଦୁହଁନ୍ତି ସକଳେ
ଯମୁନା ନଦୀ ବହଇ ଦ୍ୱାଦଶ ଯୋଜନ
ଚରନ୍ତି ଗୋବତ୍ସା ବନ ପର୍ବତ ମାଡ଼ିଣ
କହନ୍ତେ ଯେ ନ ସରଇ ଗୋପନଗ୍ର ବିଧି
ଯାହା ବାଞ୍ଛାକରିବ ତା ସବୁ ହେବ ସିଦ୍ଧି
ଏକମୁଖେ ବିହରନ୍ତି ଚରନ୍ତି ସକଳେ
କୁବେର ସମାନ ଧନୀ ଗୋପରେ ଗୋପାଳେ
ଶୁଣ ଆହୋ ପରୀକ୍ଷିତ କହେ ଶୁକଯତି
ଯହୁଁ ପୁଣି ପାହିଗଲା ସେ ଦିନର ରାତି
ତିମିର ବିଦାରଣ ଯେ ଉଦେ ଦିନକର
ଛନ୍ଦ ଘେନିଣ ଗୋପାଳେ ହୋଇଲେ ବାହାର
କେଉଁ ଗୋପାଳେ ଦେଖିଲେ ଦୂରେ ରହିଥାଇ
ଅପୂର୍ବ ପୁତ୍ରେକ ଅଛି ଗୋଗୋଷ୍ଠରେ ଶୋଇ
ଶ୍ୱେତକାନ୍ତି ଚନ୍ଦ୍ର ପ୍ରାୟ ଦିଶେ ଦିବ୍ୟ ଶୋଭା
ଧବଳ ବରନ ଜ୍ୟୋତି ସ୍ଫଟିକର ପ୍ରଭା
ପାଶେ କେହିଁ ନାହିଁ ପୁତ୍ର ପଡ଼ିଛି ଭୂମିରେ
କର ଚରଣ ହଲାଇ କାନ୍ଦଇ ଉଚ୍ଚରେ
ଗୋପାଳମାନେ ଗୋଠରେ ଏସନକ ଦେଖି
ଚାହିଁଛନ୍ତି ଅଭିମୁଖେ ନୟନ ନିରେଖି
ଏକକୁ ଆରେକ ଚାହିଁ କହନ୍ତି ଅନେକ
ଏ କାହାର ପୁତ୍ର କାନ୍ଦେ ବେଗେ ଯାଇ ଦେଖ
ଏହା ଶୁଣିଣ ଗୋପାଳେ ଧାଇଁଲେ ହରଷେ
ସମସ୍ତେ ମିଳିଲେ ଯାଇ ବଳରାମ ପାଶେ
ଆନନ୍ଦେ ଉସତ ହୋଇ ମିଳି ସବୁ ଗାଈ
ଶତେକ ପୁର କରିଣ ବେଢ଼ିଛନ୍ତି ଯାଇ
ସମସ୍ତ ଗୋପାଳ ତହିଁ ପୁତ୍ରମୁଖ ଦେଖି
ବିଚାରି ବୋଇଲେ କୋଟି କାମରୂପ ଏକି
ଏକ ଏକ କରି ଗୁଣ କି କହିବା ପୁଣ
ବାଳକାଳୁ ୟାର ଏଡ଼େ ସଉଦର୍ଯ୍ୟ ପଣ
ଭ୍ରୁଲତା ଫୁଲାଇ ପୁଣ ଚାହେଁ ଟେକି ଆଖି
ହୃଦୟ ବିଦାରେ ଏହା କଟାକ୍ଷକୁ ଦେଖି
ଅଣ୍ଡିର କୋକିଳ ଯେହ୍ନେ ରାବେ ମତ୍ତଭୋଳେ
ତେସନ ରାବେ ବାଳକ ଗୋଟି ଇଚ୍ଚସ୍ୱରେ
ନୟନ ବାଙ୍କ କରିଣ ଯେଣେ ଦିଏ ଦୃଷ୍ଟି
କାଷ୍ଠ ପାଷାଣ ହେଲେହେଁ ନିଶ୍ଚେ ଯିବ ଫାଟି
କେ ବୋଲଇ ଏହା ଆମ୍ଭେ ଜାଣି ତ ନ ପାରି
ନିରଞ୍ଜନ ପୁରୁଷ କି ହେଲା ଦେହଧାରୀ
କେ ବୋଲଇ ଏଥକୁ ଏ ଅଇଲାକ କାହୁଁ
ସଂସାରଜନ ମୋହିଲା ଏ ଯେ ଚାହୁଁ ଚାହୁଁ
କେ ବୋଲେ ୟାକୁ ଗଢ଼ିଲା କେବଣ ଦେବତା
କେ ବୋଲଇ ଏହାର ତ ଧନ୍ୟ ପିତା ମାତା
ସଂସାର ଭିତରେ ଏହା ଦେଖିଲା ତ ନାହିଁ
ପୁରୁଷ ଉତ୍ତମ ଏ ଯେ ପ୍ରଭୁ ଭାବଗ୍ରାହୀ
ଗୋପପୁର ପୁଣ୍ୟ ନିଶ୍ଚେ ଦିଶିଲାକ ଆସି
ଭୂମିରେ ତ ଉପଗତ ଗଗନର ଶଶୀ
କେ ବୋଲନ୍ତି ଏ ସିଦ୍ଧାନ୍ତ ପୁରୁଷର ରୂପ
ପ୍ରତ୍ୟକ୍ଷରେ ଈଶ୍ୱର ଏ ଗଣେଶଙ୍କ ବାପ
ଧବଳ କମଳ ଏହି ଦିଶେ ତେଜୋମୟ
ତିମିର ବିଦାରିଣ କି ହୋଇଛି ଉଦୟ
କେହୁ ବୋଲନ୍ତି ଏହାକୁ ମୂରୁଛି ନ ପାରି
ଘର ବର ଉପେକ୍ଷିଣ ଏହା ସେବା କରି
କେ ବୋଲଇ ଏହାର ଲୋ ଚାହିଁ ଚନ୍ଦ୍ରମୁଖ
ଦୂର ହୋଇଗଲା ଜନ୍ମ ଜନ୍ମାନ୍ତର ଦୁଃଖ
କେବଣ ଗୋପାଳ ପୁଣି ବୋଲେ ଆଗସରି
କାହାର ଏ ପୁତ୍ର ତାହା ବୁଝ ତଥ୍ୟକରି
ଏହା ଗୁଣ ରୂପ ବସି ବିଚାରୁଛ କେତେ
କହନ୍ତେ ତ ନ ସରଇ ରୂପ ଗୁଣ ଯେତେ
କଥା ବିଚାରିଣ ପୁଣି ବୁଝସି ନିୟତ
କାହାର କୋଳେ ଏ ପୁତ୍ର ହୋଇଲାକ ଜାତ
ଏ ପୁତ୍ର ଆମ୍ଭର ପୁଣ ମନକୁ ମୋହିଲା
ମୋର ପୁତ୍ର ବୋଲି କେହି ଜଣେ ନ କହିଲା
ସଭିଁଏ ବୋଇଲେ କଥା ଅଟଇ ନିୟତ
ନଗରେ ଘୋଷଣା ଦିଅ କାହାର ଏ ସୁତ
କେବଣ ପାମର ଗଲା ଏହାକୁ ମୂରୁଛି
ନିର୍ମାକ୍ଷୀ ହୋଇ ଭୂମିରେ ପୁତ୍ର ପଡ଼ିଅଛି
କାଟୁଛି ଦେଖିଣ ଲୋକମାନଙ୍କର ହିଆ
ଗର୍ଭେ ଧରି କେ ପାପିଷ୍ଠ ମୂରୁଛିଲା ଏହା
ଏତେବୋଲି ଗୋପନଗ୍ରେ ଘୋଷଣା ସେ ଦେଲେ
ନବଲକ୍ଷ ଗୃହ ଗୋଟି ଗୋଟି ପଚାରିଲେ
ଜଣେ ଜଣେ ହକାରିଣ ସବୁଙ୍କୁ ପୁଚ୍ଛନ୍ତି
ମୋର ପୁତ୍ର ବୋଲି କେହି ଜଣେ ନ ବୋଲନ୍ତି
ପୁଣି ଗୋପାଳେ ବିଚାରି ବୋଲନ୍ତି ଏ ବାଣୀ
ଅଦଭୂତେ ଏ ପୁତ୍ରକୁ ଧାତା ଦେଲା ଆଣି
ଏ ଗୋପ ଗୋପୀଙ୍କ ଭାଗ୍ୟ ଦିଶିଲାକ ଏବେ
ଭକ୍ତ ଉଦ୍ଧାରଣ ଜାତ ଆସି ପୁତ୍ରଭାବେ
ନନ୍ଦ ବସୁନନ୍ଦ ପୁଣି ଉପନନ୍ଦ ମୂଳେ
ଏକମୁଖ ହୋଇ ବସି ଭାଳନ୍ତି ସକଳେ
ନଗ୍ରେ ବୃଦ୍ଧ ନରନାରୀ ଥିଲେ ଯେତେ ଜାଣ
ସମସ୍ତେ ମିଳି ବସିଲେ ଆସି ଏକସ୍ଥାନ
ଅଦଭୂତେ ପୁତ୍ରଗୋଟି ଅଇଲା ଗୋ ଏଥେ
ସମସ୍ତେ ବିଚାର କର ବଞ୍ଚିବ କେମନ୍ତେ
କାହୁଁ ଅଇଲା ଏ ପୁତ୍ର କାହାର ଅଟଇ
କାହା ପୁତ୍ର ବୋଲି ଜଣେ ନ କହିଲେ କେହି
ନଗର ଚାରିପାଶରେ ଦେଲଇଁ ଘୋଷଣା
ଆବର ବିଶେଷ ପୁଣି ନ ଗଲାକ ଜଣା
କେହି ନ ପୁଣ ବୋଲଇ ମୋହର ଏ ପୁତ୍ର
ନିଶ୍ଚୟ ଜାଣିଲୁ ଆମ୍ଭେ ଦୈବ ଘଟସୂତ୍ର
ତିନିପୁର ମଧ୍ୟେ ଯେତେ ଛନ୍ତି ଜନ ଅବା
ଏହାର ରୂପକୁ କିସ ପଟାନ୍ତର ଦେବା
ଧବଳ ରୂପ କମଳ ନେତ୍ର ଚାରୁମୁଖ
ସବୁରି ମନ ମୋହୁଛି ଏକୁ ଏକ ଦେଖ
ସ୍ୱଭାବେ ବାଳୁତ ଯାର ପିତାମାତା ନାହିଁ
ଅନେକ କାରଣ ଅଛି ପ୍ରତିପାଳ ନେଇ
କେବଣ ଉପାୟ କରି ଜାଣିବା ସନ୍ଦେହ
ସକଳ ଗୋପାଳେ ଏହା ବିଚାରିଣ କହ
ନନ୍ଦ ଗୋପାଳ ବୋଲନ୍ତେ ଏସନକ ବାଣୀ
ବସୁନନ୍ଦ ପ୍ରତ୍ୟୁତ୍ତର ଦେଲା ତାହା ଶୁଣି
ଭୋ ସ୍ୱାମୀ ନନ୍ଦ ତୁମ୍ଭେ ସବୁରି ଯେ ପ୍ରଭୁ
ତୁମ୍ଭ ବିଚାର ଆମ୍ଭଙ୍କୁ କିପାଁ ନ କହିବୁ
ସମସ୍ତଙ୍କ ଉପରେ ତ ତୁମ୍ଭେ ଶିରୋମଣି
ଏ ଗୋପନଗ୍ରକୁ ଏକା ତୁମ୍ଭେ ଯେ କାରେଣି
ଆମ୍ଭେ ସମସ୍ତେ ତ ଅନ୍ଧ ତୁମ୍ଭେ ଆମ୍ଭ ଚକ୍ଷୁ
ଆମ୍ଭେ ସମସ୍ତେ ତ ଗୋରୁ ତୁ ଆମ୍ଭଙ୍କୁ ରଖୁ
ତୋର ଯାହା ଆଜ୍ଞା ମୁଖେ କହିବୁ ବିଚାରି
ଗୋପାଳେ ଆମ୍ଭେ ତାହା କି ପାରୁ ଆନକରି
ଅମୂଲ୍ୟ ପୁତ୍ର ଗୋଟିଏ ପ୍ରାପ୍ତ ହେଲା ଆସି
ଲଭିବୁ ଯଶ ତୁ ପାରୁ ପୁତ୍ର ଯେବେ ପୋଷି
ବିଶେଷେ ତୁ ଅପୁତ୍ରକ ଅଟୁ ନୃପମଣି
ବିଧାତା ପୁରୁଷ ତୋତେ ଦେଲା ଅବା ଆଣି
ପୁତ୍ର ପ୍ରତିପାଳ ମନେ ନ ଧର ତୁ କିଛି
ଏହାର ପ୍ରସାଦେ ଦେବୁ ଅବିଗୁଣ ପୋଛି
ଏ ପୁତ୍ର ପ୍ରତିପାଳିଲେ ହେବ ବହୁ କାର୍ଯ୍ୟ
ପରଦାରା ପୁତ୍ର ବୋଲି ନ ଯାଅ ତୁ ଲାଜ
ଆପଣା ବୀର୍ଯ୍ୟେ ଯାହାର ପୁତ୍ର ନ ହୁଅଇ
ଏ ଷଡ଼ ପ୍ରକାରେ ପୁତ୍ର ଶାସ୍ତ୍ରେ ଅଛି କହି
ଯାହାର ବୀର୍ଯ୍ୟରେ ପୁତ୍ର ନ ହୁଅଇ ଜାତ
ପୁତ୍ରର ନିମନ୍ତେ ସେହି କରାଇବେ ବ୍ରତ
ତଥାପି ପୁତ୍ର ନୋହିବେ ଯେବେ ପରାପତ
ବାଳୁତ ପୁତ୍ର ଗୋଟିଏ ପାଳିବ ତୁରିତ
ଆପଣା ଗୋତ୍ରେ କରିବ ତାକୁ ବ୍ରତ ବିଭା
ତେବେ ବଂଶକୁ ଦିଶିବ ସିନା ଦିବ୍ୟ ଶୋଭା
ପୋଷିଲା ପୁତ୍ର ଯଦ୍ୟପି ପ୍ରାପତ ନୋହିବ
ଦୁହିତା ଗୋଟିଏ ଥିଲେ କନ୍ୟାଦାନ ଦେବ
ସେ କନ୍ୟାର ଗର୍ଭେ ଜାତ ଯେବଣ ସନ୍ତତି
ବଂଶକୁ କାରଣ ହୋଇ କରିବ ମୁକତି
କନ୍ୟାଗୋଟି ଦାନ ଦେଇ ଯେବେ ନ ପାରିବ
ପରଗୃହେ ଥୋଇଦେଇ ତାହାକୁ ଆସିବ
ନୋହିଲେ ତ ପୋଷ୍ୟପୁତ୍ର ଗୋଟିଏ କରିବ
ଜାତ ପୁତ୍ରପ୍ରାୟ ପାଠ ଶାଠ ପଢ଼ାଇବ
ସେ ପୁତ୍ରଗୋଟି ଯଦ୍ୟପି ପଣ୍ଡିତ ହୋଇବ
ବଂଶ ମୋକ୍ଷ କରି ପୁତ୍ର କାରଣ କରିବ
ବିଦ୍ୟାହିଁ ଯେବେ ପଢ଼ାଇ ନ ପାରିବ ଅବା
ବୁଦ୍ଧି ସୁକୃତ ଥିଲେ ସେ ପୁତ୍ର ପାଏ ଶୋଭା
ଭଗ୍ନୀପୁତ୍ର ଥିଲେ ତାକୁ କରାଇବ ବିଭା
କୁଳ ସଦବୃତ୍ତି ଥିଲେ କୁଳ ବଢ଼େ ବାବା
ଭଣଜାର ବ୍ରତ କୁଳବଢ଼ା ସଙ୍ଗେ ସରି
ପିତୃ ପିତାମହମାନେ ଯାଆନ୍ତି ଉଦ୍ଧରି
ବସୁନନ୍ଦ କହିଲା ଯେ ନନ୍ଦର ଅଗ୍ରତେ
ଏସନକ କାର୍ଯ୍ୟଜାଣ ଅଛି ଷଡ଼ପୁତ୍ରେ
ଛେଦି ଅପୁତ୍ରକ ଦୋଷ ଷଡ଼ପୁତ୍ର ପାଇ
ପୁରାଣ ଉକତ କଥା ମିଥ୍ୟାହିଁ ନୁହଇ
ଏ ପୁତ୍ର ଗୋଟି ମିଳିଲା ତୋତେ ଶୁଭଯୋଗେ
ଏ ଶିଶୁଗୋଟି ତୁ ପାଳ ନେଇ ଅତିବେଗେ
ପୁତ୍ର ପ୍ରସାଦେ ସଂସାରେ ହୋଇବୁ କାରେଣି
ବଇକୁଣ୍ଠ ପୁରେ ପୂଜା ପାଇବୁ ତୁ ପୁଣି
ଜଗଦ୍‌ ବନ୍ଦନ ପୁରୁଷ ଅଟଇ ଯୁକତେ
ଏପରି ପୁତ୍ରକୁ ଭାଇ ମୂର୍ଚ୍ଛିବା କେମନ୍ତେ
ଏ ଗୋପନଗ୍ର ପ୍ରତିଷ୍ଠା ହୋଇଲାକ ଯହୁଁ
ଅଚଳାଚଳ ଲକ୍ଷ୍ମୀ ଯେ ନ ଛାଡ଼ିବେ ଆଉ
ଏ ଗୋପନଗର ମଧ୍ୟେ ନବଲକ୍ଷ ଘର
ସବୁରି ଉପରେ ତୁମ୍ଭେ ଅଟତ ଠାକୁର
ତୁମ୍ଭର ବଚନ କେହୁ କରିବ ଅବଜ୍ଞା
ଆମ୍ଭେ ସମସ୍ତେ ପାଳିଛୁ ଆପଣଙ୍କ ଆଜ୍ଞା
ସମସ୍ତେ ତୁମ୍ଭ କଥାକୁ ଅଛୁ ବାଟ ଚାହିଁ
ସଙ୍କୋଚ ପାଇ ତୁମ୍ଭଙ୍କୁ ନ କହନ୍ତି କେହି
ଆସ୍ତି ନାସ୍ତି ବଚନକୁ କହ ଦେବ ମୋତେ
ଏହା ପରା ପୁତ୍ର ଦୁଃଖ ପାଉଅଛି କେତେ
ନନ୍ଦବୋଲେ ମୋତେ ତୁମ୍ଭେ ନ ବୋଲ ହୋ କିଛି
ମୁହିଁ ତୁମ୍ଭମାନଙ୍କୁ ଯେ ବାଟ ଚାହିଁଅଛି
ଯୁକତେ ମୁଁ ଅପୁତ୍ରକ ପୁତ୍ର ମୋର ନାହିଁ
ପ୍ରାଣ ପଛେ ଯାଉ ମୋର ଏ ପୁତ୍ରର ପାଇଁ
ଯତ୍ନେ ତାହା ଲୋଡ଼ୁଥିଲି ମିଳିଲା ତ ଏବେ
ବିଧାତା ଆଣି ଘଟଣା କଲା ମୋର ଭାଗ୍ୟେ
ପୁତ୍ରନିଧି ଅଟେ ଏହା ମୂର୍ଚ୍ଛିବା କେମନ୍ତେ
ଇଷ୍ଟଦେବତା ପରାୟେ ଦିଶୁଅଛି ମୋତେ
ଏ ପୁତ୍ରକୁ ନେଇ ପ୍ରତିପାଳିବଇଁ ଆଜ
ଲଭିବି ପୁତ୍ର ଗୋଟିଏ ହେବ ଶୁଭକାର୍ଯ୍ୟ
ଯାବତ ସମ୍ପଦେ ପୁତ୍ର ଅଟଇ କାରେଣି
ଏହାଯୋଗୁ ବଂଶରେ ମୁଁ ହୋଇବି ବରଣି
ଏ ପୁତ୍ର ପ୍ରସାଦେ ମୋତେ ଅଛି ବହୁଯଶ
ଏ ପୁତ୍ର ପ୍ରଭୁ ଦେଲେଣି ନାହିଁ ଅପଯଶ
ଏ ପୁତ୍ର ଫେଡ଼ିବ ଦୁଃଖ ମୋହର ଯେତେକ
ଏତେକ କହିଣ ନନ୍ଦ ହୋଇଣ ଉତ୍ସୁକ
ଯଶୋବନ୍ତୀ ନାମେ ପୁଣ ନନ୍ଦର ଘରଣୀ
ତାହାକୁ ଡାକି ବୋଇଲେ ନନ୍ଦ ଧୀରେ ବାଣୀ
ତୁହି ଯଶୋବନ୍ତୀ ମୋର ପ୍ରାଣର ବଲ୍ଲଭା
ଜାତି କୁଳ ଦେଖି ତୋତେ ହେଲି ମୁହିଁ ବିଭା
ତୋହର ମୋହର ପୁଣି ସମୟେକ ଗଲା
ଗର୍ଭରୁ ତୋହରପୁତ୍ର ଜାତ ନ ହୋଇଲା
ତୋର ଉପ୍ରୋଧେ ମୁଁ ଆନ ଭାରିଯା ନ କଲି
ତେଣୁ କରି ଆଜଯାଏ ଅପୁତ୍ରକ ହେଲି
ପୁତ୍ର ନ ଥିବାର ଜନ ଅଟେ ମହାପାପୀ
ଅପୁତ୍ରକ ମୁଖ ଚାହିଁ ହୁଅନ୍ତି ସନ୍ତାପି
ଅଚଳାଚଳ ଲକ୍ଷ୍ମୀ ଯେ ଅଛି ଧନଧାନ୍ୟ
ଆମ୍ଭଅନ୍ତେ ଏହା ଭୋଗ କରିବ ଯେ ଆନ
ଆବର ଗୋଷ୍ଠେ ଅଛନ୍ତି ମହାଖୁଡ଼ ଗାଈ
ବେନିଶତ ଭାର ଘୃତ ନିତ୍ୟ ଜାତ ହୋଇ
ବିପୁଳ ଳକ୍ଷ୍ମୀଥିଲେ ବି ଶମଶାନ ଘର
ଆମ୍ଭ ଅନ୍ତେ ଦ୍ରବ୍ୟ ଭୋଗ କରିବ ଯେ ପର
ଏ ସଂସାରେ ଜାତ ହୋଇ ନିଶ୍ଚୟ ମରିବା
ପୁତ୍ର ବିହୀନେ ଏ ଧନ କିପାଇଁ ସଞ୍ଚିବା
ପୁତ୍ର ବିହୁନେ ଏ ମୁଖ ନ ପାରଇ ଟେକି
ଏଣୁ ମନେ ଆମ୍ଭେ ଦୁଃଖ ପାଉଥାଉଁ ସଖି
ଅପୁତ୍ରକ ହୋଇଲେ ଯେ ଲାଗେ ପାପବାଧା
ପୁରାଣବାକ୍ୟ ଗୋ ତୋତେ ଶୁଣାଇ ଯଶୋଦା
ଅପୁତ୍ରକ ଜନ ମୁଖ ଚାହିଁ ଯେତେ ଦୋଷ
ବାରମାଢ଼ ସୁନା ଦେଲେ ଯାଇ ସେହି ନାଶ
ଅପୁତ୍ରକଠାରୁ ନାହିଁ ସଂସାରେ କେ ପାପୀ
କର୍ମଚାଣ୍ଡାଳ ତାହାକୁ ବୋଲନ୍ତି ଅଦ୍ୟାପି
ଇହଲୋକ ଗୃହଶୂନ୍ୟ ପରଲୋକେ ଦୁଃଖ
ଯମଧର୍ମ ବିଚାରିଣ ନ ଚାହାନ୍ତି ମୁଖ
ଅପୁତ୍ରକ ହୋଇ ପ୍ରାଣୀ ଯେତେବେଳେ ମରି
ଯମଦୂତ ନିଅନ୍ତି ତା କେଶ ବେଗେ ଧରି
ଚର୍ମ ଦଉଡ଼ି ଧରିଣ ବାନ୍ଧି ତାର ମୁଣ୍ଡେ
କଣ୍ଟାଛାଟ ତୁଲେ ଭରି ବିଛୁଆତି ତୁଣ୍ଡେ
ବେନିପାଦେ ପିଟୁଥାନ୍ତି ତାକୁ ଆଣ୍ଟକରି
ରୁଧିରରେ ଜର ଜର ହେଉଥାଇ ଝରି
ମାଂସ ଖଣ୍ଡ ଖଣ୍ଡ ହୋଇ ପଡ଼ୁଥାଇ ଝଡ଼ି
ଆହା ଆହା ମଲି ମଲି ପାରୁଥାଇ ରଡ଼ି
ତତଲା ପାଣିରେ ଲୁଣ ବେସର ମିଶାଇ
ଯମଦୂତେ ନିଉଡ଼ନ୍ତି ଶିରେ ତାର ନେଇ
ତପତ ପାଣିରେ ପୁଣ ତାହାକୁ ପକାଇ
ଉର୍ଦ୍ଧ୍ୱମୁଖେ ଘେନିଯାନ୍ତି ଗାଳି ମାଡ଼ ଦେଇ
କ୍ଷୁଧା ତୃଷାରେ ସେ ପାପୀ ଚାଲୁଥାଇ ଦୁଃଖେ
ତପତ ଲୁଣ ଖପରା ଘଷୁଥାନ୍ତି ମୁଖେ
ଦେଖାଉ ଥାନ୍ତି ପନୀର ଗୋଳାପାଣି ଆଣି
ଗଣ୍ଡୁଷ ମାତ୍ର ମାଗିଲେ ନ ଦିଅନ୍ତି ପୁଣି
ଦଣ୍ଡଛତ୍ର ଅଶ୍ୱ ଗଜ ସିଂହାସନ ଆଗେ
ଦେଖାଇ ଦିଅଇ ନାବଭେଳା ଆଣି ବେଗେ
ଅଗ୍ନିରେ ମିଳାଇ ଗୋଡ଼ ପଡ଼ୁଥାଇ ଛିଡ଼ି
ପାଟିକରେ ପିଟନ୍ତି ସେ ଘେନି ଲୁହା ବାଡ଼ି
ତପତ ବଇତରଣୀ ନଦୀ ଆସେ ବଢ଼ି
ମହାତପତ ପାଣି ସେ ବେନିକୂଳ ମାଡ଼ି
ସେ ନଦୀରେ ପହଁରନ୍ତି କାଳ ଯେ ବିକାଳ
ଆପଣେ ନାବେ ବସନ୍ତି ଧରି ତାର ବାଳ
ଯେ ଅବା ଯାନ ବାହନ ଦେଇଥାଇ ବିତ୍ତ
ସେମାନେ ଯାନ ବାହନେ ତରନ୍ତି ସେ ପଥ
ଅନ୍ନ ବସ୍ତ୍ର ଜଳଦାନ ଯେହୁ ଦେଇଥାଇ
ଯମପଥେ ଯିବାବେଳେ ଅବଶ୍ୟ ତା ପାଇ
ଏଥି ହୋଇଥିଲେ ତାହା ଦେଇଥାଇ ଥୁଆ
ଜ୍ୱାଳାବଳି ନଦୀରେ ସେ ଦୁହେଁ କୁଆବୁଆ
ଏମନ୍ତ ଦୁଃଖ ଦେଇଣ ନିଅନ୍ତି ସେ ବେଗେ
ଧାତିକାରେ ପକାନ୍ତି ଯେ କୃତାନ୍ତକ ଆଗେ
ଆସ୍ଥାନ ତଳେ କହନ୍ତି କରିଣ ବିଖଣ୍ଡ
ଅପୁତ୍ରକ ପ୍ରାଣୀକୁ ସେ ଦିଅନ୍ତି ଯେ ଦଣ୍ଡ
ଶତେ ବରଷ ପକାନ୍ତି ପୂତିଗନ୍ଧ ଜଳେ
ପୁଣି ଶତବର୍ଷ ଯାଏ ପକାନ୍ତି ଅନଳେ
ଶତବର୍ଷ ଗଲେ ଅଗ୍ନିମଧ୍ୟୁ ଧରି କାଢ଼ି
ରଉରବ ନର୍କେ ନେଇ ପକାନ୍ତି ବାହୁଡ଼ି
ସେ ନର୍କେ ସେ ପଡ଼ିଥାଇ ଶତଜନ୍ମ ଯାଏ
ଗଗନ ପଥର ପରି ମିଳାଇ ତା କାୟେ
ଅଙ୍ଗେକ ମିଳାଇ ପୁଣି ଅଙ୍ଗେ କଅଁଳଇ
ଅଗ୍ନି ମହାକୋପେ ଉଠି ଜାଳି ଦେଉଥାଇ
ପୁଣ ଜ୍ୱାଳାବଳି ନର୍କେ ପକାନ୍ତି ତା ନେଇ
ରହ ରହ ବୋଲି ତାକୁ ନ ବୋଲନ୍ତି କେହି
ଟକମକ ହୋଇ ତଳେ ପଡ଼ୁଥାନ୍ତି ଧାସେ
ଶତେକ ଯୋଜନଯାଏ ନ ରହନ୍ତି ତ୍ରାସେ
ମହାଦୁସ୍ତର ମଳ ଯେ ଦୁର୍ଗନ୍ଧ ଅନେକ
ପକାନ୍ତି ନେଇ ତାହାର ମଧ୍ୟେ ଅପୁତ୍ରକ
ସେ ନର୍କକୁଣ୍ଡର ମଧ୍ୟେ ପଡ଼ଇ ଯେ ଯାଇ
ତତକ୍ଷଣେ ହାଡ଼ ମାଂସ ତାହାର ମିଳାଇ
ଶୁଣିଲୁ ତ ଯଶୋବନ୍ତୀ ଅପୁତ୍ରକ କଥା
ପୁତ୍ର ନ ଥିବା ପ୍ରାଣୀର ଏମନ୍ତ ଅବସ୍ଥା
ଅପୁତ୍ରକ ପ୍ରାଣୀକୁ ଯେ କେଭେ ନାହିଁ ପାର
ଜୀବନ ଯେ ଅକାରଣ ଅଟଇ ତାହାର
ଏକଜନ୍ମେ ଅପୁତ୍ରକ ହୋଇ ଯେବେ ପ୍ରାଣୀ
ସହସ୍ରେ ଜନ୍ମ ପର୍ଯ୍ୟନ୍ତ ଦଣ୍ଡ ପାଏ ପୁଣି
ଯେତେବେଳେ ଜ୍ୱାଳାଚଳି ନର୍କେ ଲିପ୍ତକାୟେ
ଗୃଧ୍ର ପକ୍ଷୀରୂପେ ଜାତ ସାତଜନ୍ମ ଯାଏ
ଗୃଧ୍ରପକ୍ଷୀ ପରେ ଜାତ କରଇ ଶୃଗାଳ
ତହୁଁ ଘୁଷୁରିରୂପେ ଜନ୍ମଇ ସାତବାର
ତହୁଁ କୀଟରୂପେ ତାର ହୁଏ ପରକାଶ
ତଦନ୍ତେ ଚାଣ୍ଡାଳରୂପେ କରଇ ସେ ବାସ
ଏମନ୍ତ ସେ କଷ୍ଟ କଥା କହିବି ଗୋ କେତେ
ଏ ସାମାନ୍ୟ ପୁତ୍ର ପ୍ରାୟ ଦିଶୁ ନାହିଁ ମୋତେ
ଏତେକାଳେ ଭାଗ୍ୟ ମୋର ଦିଶିଲାକ ଆସି
ପୁତ୍ର ଗୋଟିଏ ମିଳିଲା ପାରିବୁ କି ପୋଷି
ଅମୂଲ୍ୟ ପୁତ୍ର ଗୋଟିଏ ଧାତା ଦେଲା ଆଣି
ମୋ ପଞ୍ଚଭୂତ ଆତ୍ମାକୁ ହୋଇବ କାରେଣି
ଏ ପୁତ୍ରଯୋଗୁଁ ପାଇବା ଆମ୍ଭେ ବଡ଼ଯଶ
ମୋକ୍ଷଗତି ପାଇ ଏହା ପାରୁ ଯେବେ ପୋଷ
ନନ୍ଦ ବଚନ ଶୁଣିଣ ଯଶୋବନ୍ତୀ ମାଏ
ଆନନ୍ଦରେ ଜର୍ଜ୍ଜରିତ ପୁଲକିତ କାୟେ
ଯଶୋଦା ବୋଇଲେ ମୁହିଁ ଲୋଡ଼ୁଥିଲି ଯାହା
ଦଇବ ଆଣି ତ ମୋତେ ଘଟାଇଲା ତାହା
ଜନମ ସଫଳ ମୋର ହେଲା ଏତେ କାଳେ
ଏତେ ବୋଲି ବସାଇଲେ ପୁତ୍ର ଧରି କୋଳେ
ଶୁଭ ଅନୁକୂଳ ବେଳେ ପୁଣି ସେ କାମିନୀ
ପରମ ଆନନ୍ଦେ ଗଲେ ପୁତ୍ର କୋଳେ ଘେନି
ଦେବତାମାନେ ଯେ କଲେ ସ୍ୱର୍ଗୁ ପୁଷ୍ପବୃଷ୍ଟି
ଆନନ୍ଦରେ ସଉରଭ ଦିଶେ ନବସୃଷ୍ଟି
ପୁତ୍ରକୁ କୋଳରେ ଘେନି ଯଶୋଦା ହରଷ
ଆପଣା ମନ୍ଦିରେ ଯାଇ ହୋଇଲା ପ୍ରବେଶ
ନିରୁତା ଦୁଗ୍‌ଧରେ ଖଣ୍ଡ ଶାକର ମିଶାଇ
ଜାନୁରେ ବସାଇ ଦୁ‌ଗ୍‌ଧ ପିଆନ୍ତି ଶୁଆଇ
ଅପୂର୍ବ ରଙ୍ଗ ପାଟର ଶେଯ ପାଟଦୋଳି
ଅଷ୍ଟରତ୍ନରେ ନିର୍ମାଣ କଲେକ ଖଟୁଲି
ଅପୂର୍ବ ମାଣିକ୍ୟ ଲୋକେ ଚଉପାଶେ ତୋରା
ଖଞ୍ଜାମୂଳେ ଖଞ୍ଜାଇଲେ ଗଜମୋତି ହୀରା
ଗଜମୁକୁତା ଲମ୍ବାଇ ତାର ଚଉପାଶେ
ଆରଦ୍ରାବଳି ଯେସନେ ଉଦୟ ଆକାଶେ
ଦୋଳିର ଉପରେ ନେଇ ପାତିଲେ ସୁପାତି
କର୍ପୂର ଧୂଳି କସ୍ତୁରି ସିଞ୍ଚି ଚଉକତି
ସୁବାସିତ କୁସୁମ କୁମୁଦ ଶତଦଳ
ଲମ୍ବାଇଲେ ଦୋଳି ପରେ ଫୁଲ ମାଳ ମାଳ
ଚାଳର ଉପରେ ନେଇ ଖଞ୍ଜିଲେ ଚାନ୍ଦୁଆ
ବସନ୍ତ କମ ଯେ ଇନ୍ଦ୍ର ଗୋବିନ୍ଦ ଖଣ୍ଡୁଆ
ଦୋଳି ଉପରେ ଶୁଆଇ ଦେଲେ ଯଶୋବନ୍ତୀ
ନିକଟରେ ଥାଇ ଆପେ ଦୋଳି ପହୁଞ୍ଚାନ୍ତି
ଗୋରସ ଆଣି ଦିଅନ୍ତି କାମପାଳ ମୁଖେ
ଯୋଗାଧିପୁରୁଷ ପାନ କରନ୍ତି ତା ସୁଖେ
ନିଶ୍ଚିନ୍ତେ ରହିଲେ ରାମ ନନ୍ଦର ମନ୍ଦିରେ
ଗୋପ ଗୋପୀମାନେ ଚଳିଗଲେ ଯେଝାଘରେ
ଅଚିନ୍ତ୍ୟ ଅବ୍ୟକ୍ତ ରୂପ ପ୍ରଭୁ କାମପାଳ
ଗୋପେ ବଢ଼ି ପୃଥିବୀର କରିବେ ମଙ୍ଗଳ
ନ ଜାଣନ୍ତି ସୁରଗଣେ ତୋର ଆଦିଅନ୍ତ
ତୁହି ସେ ପରମ ଯୋଗୀ ଅନାଦି ଅଚ୍ୟୁତ
ଦେବତାଙ୍କ ଛଳେ ଜନ୍ମହେଲୁ ନରରୂପେ
ଅସୁର ବଧିବାପାଇଁ ବଢ଼ୁଅଛୁ ଗୋପେ
ମୁଁ ଦୀନ ଅଚ୍ୟୁତଦାସ ମୁରୁଖ ଅଧମ
ତୋ ପାଦେ ଶରଣ ମୋତେ ରଖ ବଳରାମ
ଏଥୁଅନ୍ତେ ବଦନ୍ତି ଯେ ଶୁକ ମହାମୁନି
ଶୁଣ ପରୀକ୍ଷିତ ରାଜା ଭାରତର ବାଣୀ
ପ୍ରଳମ୍ବା ଦାନବ ଘେନି ବଳରାମ ଗଲା
ବସୁଦେବ ଭୁବନେ କେ ଜାଣି ନ ପାରିଲା
ଦେବକାର୍ଯ୍ୟେ ସବୁ ମୋହନିଦେ ଥିଲେ ଶୋଇ
ପ୍ରଳମ୍ବା ଯେ ଘେନିଗଲା ଦେହେ ଜ୍ଞାନ ନାହିଁ
ନିଶ୍ଚେଷ୍ଟ ହୋଇ ରୋହିଣୀ ସୁଖେ ଥିଲେ ଶୋଇ
ଚେତନା ହେବାରୁ ଦେବୀ ଉଠିଲେ ଚିଆଁଇଁ
ଅନ୍ତୁଡ଼ିକି ଉଣ୍ଡାଳିଲେ ନାହିଁ ପୁତ୍ରଗୋଟି
ଖୋଜି ନ ପାଇ ପଡ଼ିଲେ ଦେବୀ ମହୀଲୋଟି
ମୂର୍ଚ୍ଛାଗତେ ପଡ଼ି ବସୁଦେବର ଘରଣୀ
ପୁତ୍ର ପୁତ୍ର ବୋଲି ଦେବୀ ଲୋଟିଲେ ଧରଣୀ
ହାହା ପୁତ୍ରମଣି ମୋର ଗଲୁ ତୁରେ କାହିଁ
ଅଦଭୂତେ ଅନ୍ତୁଡ଼ିରେ ପୁତ୍ର ମୋର ନାହିଁ
କେହି ନ ଦେଖିଲା ମୋର ପୁତ୍ର ହେଲା କିସ
କପଟେ ପୁତ୍ରକୁ ହରିନେଲା ରାଜା କଂସ
ଅନାଥ ବାନ୍ଧବ ମୋର ସେହି ପୁତ୍ରଗୋଟି
ପଞ୍ଚଭୂତ ଆତ୍ମା ମୋର କିଏ ନେଲା ଲୁଟି
କଂସର ଡରରେ କଥା କଲି ମୁଁ ଗୁପତ
ତହିଁକି ମୋତେ ବିଧାତା କଲା ଏଡ଼େ କୃତ୍ୟ
ଚାଣ୍ଡାଳ ଆତ୍ମା ମୋହର କାହିଁକି ରହିଛି
ଶରୀର ଭିତରୁ ମୋର ହରିଲା କେ ଆଖି
କାହା ଆଗେ କହିବି ମୋ ହୃଦୟ ବେଦନା
ଭୋ ଧର୍ମଦେବତା ମୋତେ କଲୁ ଏହା ସିନା
କରେ ଦୀପାବଳୀ ଘେନି ଦେବୀ ମହାସତୀ
ଆପଣା ଗୃହେ ଲୋଡ଼ନ୍ତି ପୁତ୍ର ଚଉକତି
ଆଡ଼ ଉହାଡ଼େ ପଡ଼ିଛି ଅବା ପୁତ୍ର ଯୋଗେ
ମୋହର ବିକଳ ଦେଖି ପୁତ୍ର ମିଳୁ ଆଗେ
ଆହା ଦଇବରେ ମୋତେ କଲୁ ବିଡ଼ମ୍ବନ
ସ୍ତିରୀ ସଂସାରେ ଜନମି ହେଲି ଅକାରଣ
ଏତେକାଳେ ପୁତ୍ରଗୋଟି ହୋଇଲା ଯଦ୍ୟପି
ସେ ମୋତେ ପ୍ରାପତନୋହେ ମୁହିଁ ଏଡ଼େପାପୀ
କେବଣ ମହାପାପ ଏ ବସୁଦେବ କଲା
ସାତଗୋଟି ପୁତ୍ର ତାର ଜନ୍ମି ନାଶଗଲା
ଦେବକୀର ଷଡ଼ପୁତ୍ର କଂସ ବିନାଶିଲା
ଏଠାରୁ ମୋ ପୁତ୍ର ଆଜ କେହୁ ଘେନିଗଲା
ମୋ ପୁତ୍ର କେ ନେଲା ମୁହିଁଦେବି କାହା ଦୋଷ
ଦଇବ ବିନୁ କରନ୍ତା କେ ତାକୁ ବିନାଶ
ବସୁଦେବର ଶୋକ ତ ନୁହଇ ସମ୍ଭାଳି
କାନ୍ଦଇ ଯେ ବସୁଦେବ ଶିରେ କର ତାଡ଼ି
ଆପଣା କର୍ମ ସୁମରି ଭୂମିରେ ଲୋଟିଲା
ବିଧାତା ପୁରୁଷ ମୋତେ ଦଣ୍ଡ ଯେ ବିହିଲା
କେବଣ ଜନର ଅବା କଲି କେଉଁ ଦୋଷ
ରୂପବନ୍ତ ପୁତ୍ରମାନ ଗଲେ ମୋର ନାଶ
ଧାଈ ମୁଦୁସୁଲୀ ଆଦି ଯେତେ ପରିବାରୀ଼
ରୋଦନ କରନ୍ତି ଉଚ୍ଚେ ପୁତ୍ରକୁ ସୁମରି
ଶୁକ ବୋଲନ୍ତି ଶୁଣନ୍ତି ପରୀକ୍ଷ ନୃମଣି
ଏହି ସମୟେ ଶୁଭିଲା ଦେବତାଙ୍କ ବାଣୀ
ରୋହିଣୀ ତୁମ୍ଭେ ବିକଳ ହେବାନୋହେ କିଛି
ତୋର ପୁତ୍ର ଗୋଟି ଏବେ ସର୍ବଶୁଭେ ଅଛି
ମାଗୋ ତୁ ଯେବଣ ପୁତ୍ର ଗର୍ଭୁ କଲ ଜାତ
ସେ ପୁତ୍ରଗୋଟି ପ୍ରତ୍ୟକ୍ଷେ ଅଟେ ବିଶ୍ୱନାଥ
ସଂସାର ଭାରା ହରଣେ ଅଛି ଜାତ ହୋଇ
ଅବିନାଶୀ ପୁରୁଷ ସେ ଜନ୍ମ ମୃତ୍ୟୁନାହିଁ
ଅକ୍ଷୟ ସେ ନିରଞ୍ଜନ ଅଟେ ପୁଣ୍ୟମୟ
ପୃଥ୍ୱୀ ଦାନବ ଅନେକ କରିବ ସେ କ୍ଷୟ
ଏଥକୁ ଭ୍ରାନ୍ତି ମନେ ନ କର କିଛି ଆନ
ଫେଡ଼ିବ ସେ ତ୍ରିଦଶଙ୍କ ମାନ ଅପମାନ
ପ୍ରଳମ୍ବା ଦାନବ ଆସି ତାଙ୍କୁ ହରିନେଲା
ଆପଣାର ଶତ୍ରୁ ବୋଲି ଫୋପଡ଼ାଇ ଦେଲା
ନନ୍ଦର ଗୋଗୋଷ୍ଠେ ଯାଇଁ ପଡ଼ିଲା ସେ ପୁତ୍ର
ନନ୍ଦ ଯେ ପ୍ରତିପାଳିବ ଦୈବ ଘଟସୂତ୍ର
ଅତି ଗୁପତ କଥାଏ ଆନକୁ ଯେ ନ କହି
ଅଷ୍ଟବରଷ ସମ୍ପୂର୍ଣ୍ଣେ ପୁତ୍ର ତୁମ୍ଭେ ପାଇ
ଅନେକ ଦାନବ ହେବେ ଏ ପୃଥ୍ୱୀରୁ ଧ୍ୱଂସ
ଅଷ୍ଟମଲ୍ଲ ମୂଳେ କଂସ ହୋଇବ ବିନାଶ
ଭବିଷ୍ୟ ପୁରାଣ ଏହା କହି ଶାସ୍ତ୍ର ଯୋଗେ
ଏ କଥାକୁ ନ କହିବ ତୁମ୍ଭେ କାହାଆଗେ
ତୁମ୍ଭେ ଆହୋ ବସୁଦେବ ସ୍ଥିର ହୋଇ ବସ
ଧର୍ମର ବଳେ ପାଇବ ପୁତ୍ର ହୃଷୀକେଶ
ଗାର୍ଗଋଷି ତ ତୁମ୍ଭଙ୍କୁ କହିଛନ୍ତି ପୂର୍ବେ
ସେ କଥାମାନ କି ତୁମ୍ଭେ ପାସୋରିଲ ଏବେ
ଦେବବାଣୀ ଶୁଣି ତୁଟିଗଲା ମନୁ ଭ୍ରାନ୍ତି
ଶୋକସାଗରୁ ସନ୍ତରି ମନ କଲେ ଶାନ୍ତି
ଶ୍ରୀ ହରିବଂଶେ ଏ ବଳରାମ ଜନ୍ମକଥା
ଶୁଣି ଦେବତାମାନଙ୍କ ଛାଡ଼େ ମନୋବ୍ୟଥା
ପବିତ୍ର ଗଙ୍ଗାଜଳେ ଏ ଗ୍ରନ୍ଥ ପୁଣ୍ୟମୟେ
ଇଦଂ ଚତୁର୍ଦ୍ଦଶ ଅଧ୍ୟା ସମାପତ ହୁଏ
ବନ୍ଦଇ ଶ୍ରୀ ବଳଦେବ ଅବତୀର୍ଣ୍ଣ କାୟା
ଗୋକ୍ଷୀର ବର୍ଣ୍ଣେଶୋଭିତ ଅଶେଷ ତୋ ମାୟା
ଧବଳମୟ ତୋ ଜ୍ୟୋତି ଶରଦିନ୍ଦୁ ଜାଣି
କୁଟିଳ କୁନ୍ତଳ ଜଟା ଶିରେ ସପ୍ତଫେଣୀ
ନୀଳ ମହାନୀଳ ପଦ୍ମ ଶଙ୍ଖ ଯେ ଅନନ୍ତ
କର୍କୋଟକ ତକ୍ଷକ ଯେ ଅହି ସତ୍ୟବନ୍ତ
ବାମହସ୍ତରେ ଶୋଭିତ ସୌନନ୍ଦ ମୁଷଳ
ଦକ୍ଷିଣ କରେ ବିଦିତ ବୃହତ ଲଙ୍ଗଳ
ଅତି ବଳେ ବଳରାମ ନାମ ଗୋଟି ବହୁ
ଏ ଘୋର ସଂସାରୁ ପାରିକର ମହାବାହୁ
ଅଶେଷ କୋଟି ସିଂହର ପରାକ୍ରମ ଯାର
ନିରଞ୍ଜନ ପୁରୁଷ ତୁ ଅଟୁ ନିରାକାର
କାଦମ୍ବରୀ ରସ ପାନେ ଭୋଳ ଯାର ମତି
ନମସ୍ତେ ହେ ବଳଦେବ ରେବତୀର ପତି
ଗୋଗୋଷ୍ଠେ ପ୍ରବେଶି ସ୍ୱାମୀ ଗୋପାଳଙ୍କ ମେଳେ
ରଖିଲ ଗୋବତ୍ସା ତୁମ୍ଭେ କଦମ୍ବର ମୂଳେ
ଈଷିତ ସଂଗ୍ରାମେ ନାଶକରୁ ସର୍ବ ବୀର
ତୁମ୍ଭଯୋଗୁ ସୁସ୍ଥ ସିନା ହେବ ତିନିପୁର
ଅଶେଷ କୋଟି କନ୍ଦର୍ପ ରୂପେ ନୋହେ ସମ
ସର୍ବେଶ୍ୱର ଠାକୁର ଯେ ତୁମ୍ଭେ ଦେବଧର୍ମ
ଦୀକ୍ଷିତ ବେଷ୍ଟିତ ରଶ୍ମି ମହାତେଜ ଜାଣି
ରକତ କୁମୁଦ ପଦ୍ମଜିତ ପାଦପାଣି
ଚଉରାଶୀ ଖଣ୍ଡ ଯେଉଁ ଯୋଗ ଜ୍ଞାନବିଧି
ଅଶେଷ କୋଟି ବିଦ୍ୟା ଯେ ଅସାଧନେ ସାଧି
ଅକ୍ଷୟ ଅଜରାମର ଅଟୁ ପୁଣ୍ୟମୟ
ଶରଦ ଚନ୍ଦ୍ରମା ପ୍ରାୟ ବଦନ ଉଦୟ
ଦେବାଧି ଦେବ ଠାକୁର ଶିରେ ରତ୍ନମଣି
ଅଶେଷ ବ୍ରହ୍ମାଣ୍ଡକୁ ତୁ ଅଟୁ ଯେ କାରେଣି
ଆଦି ଅନ୍ତ ମଧ୍ୟ ତୋର ନାହିଁ ଗୁଣ ତିନି
ଭାରା ନିବାରଣ ଅର୍ଥେ ତୁ ମାନବ ଯୋନି
କଉରବ ନାଥ ସଙ୍ଗେ ବିବାଦ ଯେ ବେଳେ
ହସ୍ତିକା କଟକ ନାଥ ତାଡ଼ି ଅବହେଳେ
ମରକତ ବଇଦୁର୍ଯ୍ୟ ନାନାଜାତି ହୀରା
ବର୍ତ୍ତୁଳ ମୁକୁତା କଣ୍ଠେ ଲମ୍ବେ ଚଉସରା
କରେ କଙ୍କଣ କିଙ୍କିଣି କିଣି କିଣି ବାଜେ
ସୁବର୍ଣ୍ଣର କୁଣ୍ଡଳ ତୋ ବେନିକର୍ଣ୍ଣେ ସାଜେ
ଧୀରେ ଧୀରେ ଚାଲନ୍ତେ ଯେ କମ୍ପଇ ଧରଣୀ
କଟିରେ ତୋ ନୀଳବାସ ଶିରେ ସପ୍ତଫେଣୀ
ଅନେକ ଦୁଷ୍ଟଦାନବ ବଳୀ ମହାବଳୀ
ପୃଥ୍ୱୀ ଟଳ ଟଳ ଯାର ପାଦେ ହୋଇ ଦଳି
କିଞ୍ଚିତ ସଂଗ୍ରାମେ ତାଙ୍କୁ ପକାଇଲ ଧ୍ୱଂସି
ପୃଥ୍ୱୀ ସୁସ୍ଥ କଲ ମାରି ଭୋଜ କଂସ କେଶୀ
ନମସ୍ତେ ହେ କାମପାଳ ଭକ୍ତଜନ ବନ୍ଧୁ
ନମସ୍ତେ ହେ କାମପାଳ କୃପାମୟ ସିନ୍ଧୁ
ନମସ୍ତେ ହେ କାମପାଳ ତମୋରାଶି ନାଶି
ନମସ୍ତେ ହେ କାମପାଳ ଚଉବର୍ଗ ରାଶି
ତୁମ୍ଭେ ଯେ ମାନବ ଦେହ ଧର ଦେବ ସ୍ୱାମୀ
ନୋହିଲେ ନାଶ ଯାଆନ୍ତା ଚରାଚର ଭୂମି
ବଳରାମ ପାଦତଳେ ବାର ବାର ନମି
ଅଚ୍ୟୁତ ଦାସ କବିକି ଉଦ୍ଧର ଭୋ ସ୍ୱାମୀ
ଏଥୁ ଅନନ୍ତରେ ପୁଣି ପରୀକ୍ଷିତ ରାୟେ
ଶୁକମୁନି ଚରଣରେ ପଡ଼ିଣ ବିନୟେ
ବୋଲେ ଭୋ ମୁନି ଶୁଣିଲି ହରିବଂଶ ବାଣୀ
ଅନେକ ଜନ୍ମର ପାପ ଧ୍ୱଂସିଲି ୟା ଶୁଣି
ଏଥୁ ଅନନ୍ତରେ ହେଲା କଥା କିସ ଆନ
ବିଚାରି କହିବା ମୋତେ ବ୍ୟାସଙ୍କ ନନ୍ଦନ
ବଳଦେବଙ୍କୁ ପ୍ରଳମ୍ବା ଦୈତ୍ୟ ହରିନେଲା
ବାଳକ ଯୋଗୁଁ ନ ମାରି ଫୋପାଡ଼ାଇ ଦେଲା
ଯୋଗେ ସେ ପୁଣି ପଡ଼ିଲେ ଯାଇ ଗୋପପୁରେ
ନନ୍ଦ ମହାଖୁଡ଼ ଗୃହେ ଗୋଗୋଷ୍ଠ ଭିତରେ
ନନ୍ଦ ଗୃହରେ ପ୍ରବେଶ ଅକ୍ଷୟ ପୁରୁଷ
ତଦଅନ୍ତେ ଗୋପପୁରେ ପୁଣ କଲେ କିସ
ଏହା ସଂକ୍ଷେପିଣ ମୋତେ କହିବା ହେ ମୁନି
ମୋ ପାପ ନାଶ କରିବି ଶୁଣି ପୁଣ୍ୟ ଧ୍ୱନି
ରାଜା ବଚନେ କହନ୍ତି ପୁଣି ଶୁକବ୍ରହ୍ମା
ଶୁଣ ହେ ପରୀକ୍ଷ ବଳଦେବଙ୍କ ମହିମା
ଗୋଗୋଷ୍ଠରେ ଅଧିକାରୀ ନନ୍ଦ ମହାଖୁଡ଼
ଗୋପନଗ୍ର ମଧ୍ୟସ୍ଥାନ ଘର ତାର ବଡ଼
ଜୟ ମଙ୍ଗଳ ପୁତ୍ର ସେ ପାଇ ପୁଣ୍ୟବଳେ
ଅନେକ ଆନନ୍ଦେ ପ୍ରତିପାଳେ କୁତୂହଳେ
ନନ୍ଦ ବସୁନନ୍ଦ ଉପନନ୍ଦ ଆଦି ଜନ
ବଳରାମ ରୂପ ଦେଖି ହରଷିତ ମନ
କୋଟି କନ୍ଦର୍ପ ସ୍ୱରୁପ ବଳରାମ ସ୍ୱାମୀ
ମାୟା ମୋହରେ ଭୁଲାଇଛନ୍ତି ଅନ୍ତର୍ଯ୍ୟାମୀ
ବ୍ରହ୍ମାଣ୍ଡର ଠାକୁର ସେ ପ୍ରଭୁ ହଳପାଣି
ଯାବତ ଭୂତ ଆତ୍ମାକୁ ଅଟନ୍ତି କାରେଣି
ସଂସାର ଯେ ଖେଳଘର ଲୀଳା ଜାତହେବା
ବ୍ରହ୍ମା ଇନ୍ଦ୍ର ରୁଦ୍ର ଯାଙ୍କୁ କରୁଛନ୍ତି ସେବା
ମାନବ ମାତ୍ର ତାହାର କେ ବଶ ନୋହିବ
ଯାହାର ବଶ ସକଳ ସୁର ସିଦ୍ଧ ଦେବ
ମଙ୍ଗଳରୂପେ ସକଳ ମୋହି ହଳପାଣି
ଭାରାନାଶ ଅର୍ଥେ ଜାତ ମାଥେ ସପ୍ତଫେଣୀ
ଛଦ୍ରମ ବାଳୁତ ରୂପେ ନନ୍ଦ ଘରେ ଥାଇ
ଆନନ୍ଦରୂପେ ଦୋଳିରେ ନନ୍ଦଗୃହେ ଶୋଇ
ତହିଁ ଯେ ଅନେକ ଗୋପ ଗୋପାଳୁଣୀ ମିଳି
ଶରଧାରେ ଧୀରେ ଧୀରେ ପହଞ୍ଚାନ୍ତି ଦୋଳି
ଦଧି ଦୁଗ୍‌ଧ ଛେନା ସର ଗୋଟିକା ଲବଣୀ
ସାନନ୍ଦେ ଆଣି ଭୁଞ୍ଜାନ୍ତି ଯଶୋବନ୍ତୀ ରାଣୀ
ଯା ଉଦରେ ବିରାଜଇ ଚରାଚର ସୃଷ୍ଟି
ଗୋରସ ଆଧାରେ ସେହି ଦେବ ଲଭି ତୁଷ୍ଟି
ଦିନୁ ଦିନ ତେଜରାଶି ଦିଶେ ଅନୁପମ
ପରମ ପୁରୁଷ ସ୍ୱାମୀ ବଳେ ବଳରାମ
ପୁତ୍ର ପାଇ ଅପୁତ୍ରକ ନନ୍ଦ ଯଶୋବନ୍ତୀ
ଲକ୍ଷେକ ବ୍ରାହ୍ମଣ ବରି ଛାଗ ଦାନ ଦ୍ୟନ୍ତି
ଶିବଆଳେ ଲକ୍ଷେ ଧେନୁ ଦୋହନ ସେ କଲେ
ତିଳକାଞ୍ଚନ ସୁବର୍ଣ୍ଣ ବିପ୍ରେ ଦାନ ଦେଲେ
ପଢ଼ିଲେ ଅପରାଜିତା ଚଣ୍ଡୀ ଦ୍ୱିଜବର
ନରସିଂହ କବଚ କେ ପଢ଼େ ବାର ବାର
ଗ୍ରହ ଶାନ୍ତି କରାଇଲେ ଗ୍ରହବିପ୍ରଗଣ
ନବଗ୍ରହଙ୍କୁ ପୂଜିଲେ କୋଷ୍ଠିରେ କାଟିଣ
ପୂଜାବିଧି ଶେଷକଲେ ଯଥାବିଧି ଦେଇ
ଆସନ ପାଦଆସନ ନଇବେଦ୍ୟ ଥୋଇ
ଯେ ଗ୍ରହକୁ ଯେଉଁ ଦାନ ବିପ୍ର ଜଣ ଜଣ
ଦାନ ଘେନି ସନ୍ତୋଷରେ ଗମନ୍ତି ବ୍ରାହ୍ମଣ
ହୋମ ସମିଧ ରୋପିଲେ କଲେ ଅଗ୍ନିପୂଜା
ଅନେକ ସାନନ୍ଦ ଚିତ୍ତ ହୋଇ ନନ୍ଦରାଜା
ଏଥୁଅନ୍ତେ ନନ୍ଦ ଏକବିଂଶ ଦିନ ଗଣି
କରେ ବଳରାମଙ୍କର ଦୋଳି ଯେ ଶୁଆଣି
ଇକ୍ଷୁରସ ଖଣ୍ଡପଣା ସର କ୍ଷୀର ଘୃତ
ମଧୁ ପକ୍ୱ ଫେଣା ପିଠା ଦେଇ ଅନୁବ୍ରତ
ନବଲକ୍ଷ ଗୃହ କରିଛନ୍ତି ଗୋପପୁରେ
ଅର୍ଘ୍ୟ ଘେନିଣ ବନ୍ଦାନ୍ତି ଗୋପୀ ଯେ ବାହାରେ
ସୁବର୍ଣ୍ଣ ଥାଳିରେ ଅଷ୍ଟ ରତନ ପୂରାଇ
ବଳରାମଙ୍କୁ ବନ୍ଦାନ୍ତି ଏକମୁଖ ହୋଇ
ହୁଳହୁଳି ଦିଅନ୍ତି ଯେ ଦୀପାବଳୀ ଘେନି
ପବିତ୍ର ଦୋଳି ପଞ୍ଚାନ୍ତି ଅହ୍ୟ ସୁଲକ୍ଷଣୀ
ଢୋଲ ଦମା ମର୍ଦ୍ଦଳ ଯେ ବାଜେ ବିଜିଘୋଷ
ଶଙ୍ଖ ମହୁରୀ ଶବଦେ କମ୍ପଇ ଆକାଶ
ନନ୍ଦର ଘରକୁ କିସ ପଟାନ୍ତର ଦେବା
ସ୍ୱର୍ଗକୁ କି ଆସିଅଛି ସୁଧର୍ମା ଯେ ସଭା
ନେତପତନୀ ଚାନ୍ଦୁଆ ସରୁ ଝୀନବାସ
ମୁକୁତା ତୋରଣମାନ ଲମ୍ବେ ଚଉପାଶ
କର୍ପୂର ଗୁଣ୍ଡି ସୁଗନ୍ଧ ଚନ୍ଦନ ନିର୍ମଳ
ଚନ୍ଦନର ପିଚକାରୀ ପୁଷ୍ପ ମାଳ ମାଳ
ବଳରାମ ଦୋଳିଶୁଆ ଦେବତାଏ ଶୁଣି
ଅନ୍ତରୀକ୍ଷେ ଥାଇ ଅର୍ଘ୍ୟେ ବନ୍ଦାନ୍ତି ତରୁଣୀ
ଐରାବତ ଆରୋହଣ କରି ଦେବ ଇନ୍ଦ୍ର
ଛାମୁରେ ନାଚନ୍ତି ରଙ୍ଗେ ଅପସରା ବୃନ୍ଦ
ସାରି ଗାମା ତାନ ଧ୍ୱନି ସପ୍ତସ୍ୱର ବୀଣା
ବଜାନ୍ତି ନାରଦ ମୁନି ଧରି ଯନ୍ତ୍ର ବୀଣା
ସନକ ସନନ୍ଦ ଭୃଗୁ ଭାର୍ଗବ ମହର୍ଷି
ବଶିଷ୍ଠ ସୌନକ ଶୁକ ସହିତରେ ମିଶି
ଅପ୍ରମିତ ବାଳଖିଲ୍ୟା ଘେନି ମୁନିମାନେ
ପ୍ରବେଶିଲା ହଳୀଙ୍କର ମହୋତ୍ସବ ସ୍ଥାନେ
ଉଲୁକ ମନ୍ତ୍ରରେ ସର୍ବେ ଲୁଚାଇଲେ କାୟା
ନ ଜାଣନ୍ତି ଗୋପ ଗୋପୀ ଏସନକ ମାୟା
ଅଷ୍ଟକୁଳନାଗ ସଙ୍ଗେ ଘେନି ନାଗରାଜା
ବାସୁକୀ କରିଲେ ଆସି ବଳରାମେ ପୂଜା
ଆପେ ବିଶ୍ୱକର୍ମା ଆସି ମଣ୍ଡିଲେ ନବର
ସ୍ୱର୍ଗରୁ ଅଧିକ ଦିଶେ ନନ୍ଦରାଜା ଘର
ବଳଦେବଙ୍କର ଦୋଳିଶୁଆ ଯାତ୍ରା ଜାଣି
କନକ କୁସୁମ ବୃଷ୍ଟି କଲେ ଦେବଶ୍ରେଣୀ
ଏସନ ବାରତା ତେଣେ ବସୁଦେବ ପାଇ
ଗୁପତେ ଗାର୍ଗ୍ୟ ଋଷିଙ୍କି ଦେଲା ପଠିଆଇ
ଭୋ ମୁନି ଗାର୍ଗ୍ୟ କହିବି କଥାଏ ବିଶ୍ୱାସ
ଗୋପପୁର ବାର୍ତ୍ତା ବେଗେ ଯାଇ ଘେନିଆସ
ତୋର ବଚନେ ଛାଡ଼ିବି ସିନା ମନେ ଭ୍ରାନ୍ତି
ତୁ ମହାତ୍ମା କରାଇବୁ ମୋର ମନ ଶାନ୍ତି
ମୋର ପୁତ୍ରକୁ ପ୍ରଳମ୍ବାସୁର ଘେନିଗଲା
ଅନ୍ତରୀକ୍ଷେ ଧରି ତାକୁ ଫୋପଡ଼ାଇ ଦେଲା
ନନ୍ଦ ଗୋପନଗ୍ରେ ପୁତ୍ର ପଡ଼ିଲା କି ନାହିଁ
ଜୀବନ୍ତେ ଅଛି କି ନାହିଁ ଦେଖିଆସ ଯାଇ
ଯହୁଁ ସେ ଅସୁର ପିଙ୍ଗି ଦେଲା କୋପଭରେ
କୁମର ପଡ଼ିଲା ତହୁଁ ଯାଇଁ ଖଣ୍ଡେ ଦୂରେ
ଚାରଗଣ ମୁଖରୁ ମୁଁ ଶୁଣିଲି ଏକ୍ଷଣି
ନନ୍ଦର ଘରେ ତାହାର ଦୋଳି ଯେ ଶୁଆଣି
ତଦନ୍ତ କରି ମୁନି ତା ଖୋଜିଆସ ବେଗେ
ଗୁପତ କରି କଥାକୁ ବୁଝିଆସ ବେଗେ
ତୁମ୍ଭେ ଆମ୍ଭ ଇଷ୍ଟଦେବ କୁଳ ପୁରୋହିତ
ଦେବତାମାନେ ତୁମ୍ଭର ଶରଣ ଆଗତ
ଗାର୍ଗ୍ୟ ବୋଇଲେ ବାବୁରେ ବସୁଦେବ ଶୁଣ
ଯେ ତୋହର ପୁତ୍ର ସେହି ସ୍ୱଂୟ ନାରାୟଣ
ଜନ୍ମ ମରଣରେ ଭୟଭ୍ରାନ୍ତି ତାଙ୍କୁ ନାହିଁ
ଜାତ ହୋଇଛନ୍ତି ଭାରା ନିବାରିବା ପାଇଁ
ଗୋପ ନଗ୍ରଯାକ ତାର ହୋଇଲେଣି ବଶ
ସେ କଥା ସଙ୍ଖୋଳି ତୁମ୍ଭେ କରିବ କା କିସ
ଅନେକ ଭାବରେ ଯଶ ଅରଜିଲେ ପୁତ୍ରେ
ବିଧାତା ଭିଆଇଅଛି ଏହି ଘଟସୂତ୍ରେ
ଥୋକାଏ ଦିନ ଗୁପତ କରି ରଖିଥିବ
ଦେବ ନର ନାଗ କାହା ଆଗେ ନ କହିବ
ଏତେକ ବୋଲିଣ ଗାର୍ଗ୍ୟ ବେଗେ ଚଳିଗଲେ
ନନ୍ଦର ଘରେ ଯାଇଣ ପ୍ରବେଶ ହୋଇଲେ
ଦେଖିଲେ ସେ ଗୋପନଗ୍ରେ ଉତ୍ସବ ଚହଳ
ଏକ ଆରେକ ମିଳନ୍ତେ ହୋଇଛି ଗହଳ
ଏ ସମୟରେ ମିଳିଲେ ଯାଇ ମୁନିବର
ଗାର୍ଗ୍ୟଙ୍କୁ ଦେଖି ସମସ୍ତେ କଲେ ନମସ୍କାର
ନନ୍ଦ ନଗ୍ରେ ଯେତେ ଗୋପୀ ଗୋପାଳ ହିଁ ଥିଲେ
ସମସ୍ତେ ମୁନି ପାଦରେ ଓଳଗି ଶୁତିଲେ
ଗାର୍ଗ୍ୟଙ୍କୁ ଦେଖିଣ ନନ୍ଦ ହୋଇଲା ହରଷ
ଭୋ ମୁନି ଆଜ ମୋହର ସଫଳ ଦିବସ
ବିଧାତା ପୁତ୍ର ଗୋଟିଏ ଦେଲା ମୋତେ ଆଣି
ନବଲକ୍ଷ ଗୋପାଳଙ୍କ ମଧ୍ୟେ ଶିରୋମଣି
ବ୍ରହ୍ମାର ସମାନେ ତୁମ୍ଭେ ଅଟ ମହାତପୀ
ଅନେକ ଯତ୍ନେ ତୁମ୍ଭଙ୍କୁ ଲୋଡ଼ଇ ଅଦ୍ୟାପି
ଲୋଡ଼ୁଥିଲି ମୁନି ଆଜି ପାଇଲି ତୁମ୍ଭଙ୍କୁ
ଏବେ ଅଇଲ ପବିତ୍ର ପୁର କରିବାକୁ
ରାଜ ପୁରୋହିତ ତୁମ୍ଭେ ଜଗତ ବରଣି
ମୁନିମାନଙ୍କ ଉପରେ ଅଟ ଶିରୋମଣି
ତୁମ୍ଭେ ମହାମୁନି ମୋତେ କଲେ ଅନୁରାଗ
ତେବେ ସେ ଦିଶିବ ସିନା ମୋର ବଂଶଭାଗ୍ୟ
ତୁମ୍ଭ ବଚନକୁ ପ୍ରତିଆଶା କରିଅଛି
ଏ ପୁତ୍ର ଗୋଟିକ ନାମ ଦିଅ ମୁନି ବାଛି
ଗାର୍ଗ୍ୟ ବୋଇଲେ ଭୋ ନନ୍ଦ ମୋ ବଚନ ଶୁଣ
ଏ ପୁତ୍ରଗୋଟି ତୁମ୍ଭଙ୍କୁ ହୋଇବ କାରଣ
ଅରଜିଲୁ ବିଚକ୍ଷଣ ପୁତ୍ର ପୁଣ୍ୟବଳେ
ଏହାକୁ ସମ କେ ହୋଇପାରେ ରବିତଳେ
ଅଶେଷ ଗୁଣ ତୋର ଏ ପୁତ୍ରଠାରେ ଅଛି
ଅବିଗୁଣମାନ ଏହାଠାରେ ନାହିଁ କିଛି
ସତ୍ୟ ବଚନ କହିଲୁ ନନ୍ଦ ତୋର ଆଗେ
ତ୍ରଇଲୋକ୍ୟ ରକ୍ଷା ହେବ ଏ ପୁତ୍ରର ଯୋଗେ
ଅନେକ ତପ ଥିଲେ ଏ ପୁତ୍ରଗୋଟି ପାଇ
ଏ ପୁତ୍ର ମୁଖ ଚାହିଁଲେ ସବୁ ଦୁଃଖଯାଇ
ଏହାର ମହିମା କିସ କହିବାକ ତୋତେ
ପରମ ନିରଞ୍ଜନ ଏ ଦିଶୁଛି ତ ମୋତେ
ଏ ପୁତ୍ର ଗୋଟି ତୁମ୍ଭେ ନ କର ଅବହେଳା
ସଂସାରୁ ଏ ଉଦ୍ଧାରିବ ଭବସିନ୍ଧୁ ଭେଳା
ନିରାକାର ପୁରୁଷ ଏ ଅଟେ ପୁଣ୍ୟମୟ
ଅହର୍ନିଶି ଯୋଗୀଜନ ଚିନ୍ତନ୍ତି ଏ କାୟ
ସଦାନନ୍ଦ ପୁରୁଷ ଏ ଅଟେ ଅନୁପମ
ବେଦଶାସ୍ତ୍ରରେ ବଦନ୍ତି ବଳରାମ ନାମ
ଏତେ ବୋଲି ମୁନି ବେଦ ଅଧ୍ୟୟନ କରି
ଆଶିଷ ତଣ୍ଡୁଳ ଦେଲେ ମନ୍ତ୍ରକୁ ସୁମରି
ବଳରାମଙ୍କୁ ଯେ ମୁନି ହୃଦରେ ଲଗାଇ
ଅନ୍ତର୍ଗତେ ସ୍ତୁତିକଲେ ଶ୍ରୀମୁଖକୁ ଚାହିଁ
ସ୍ୱାମୀ ନାରାୟଣ ତୁମ୍ଭେ ପୁରୁଷ ଅକ୍ଷୟ
ମେଦିନୀର ଭାରାଭାର କର ଦେବ କ୍ଷୟ
ଏ ତୋର ଶ୍ରୀମୁଖ ଦେଖି ନିସ୍ତରିଲି ଆଜ
ଲଭିଲି ଗତି ମୁକତି ହେଲା ଦେବକାର୍ଯ୍ୟ
ଅନେକ କାଳୁ ତୁମ୍ଭଙ୍କୁ ଖୋଜି ଲୋଡ଼ୁଥିଲି
ଧନ୍ୟ ଧନ୍ୟ ଆଜଦିନ ଦେଖି ନିସ୍ତରିଲି
ବଳରାମଙ୍କୁ ହୃଦରେ ଘେନି ମୁନିବର
ବିନୟ ଭାବେ ଭକତି କଲେକ ଅପାର
ସ୍ୱାମୀ ନିରାକାର ତୁମ୍ଭେ ନିରଞ୍ଜନ ରୂପୀ
ଅଶେଷ କୋଟି ଉଦରେ ଅଛ ତୁମ୍ଭେ ବ୍ୟାପି
ବେଦମୟ ପୁରୁଷ ତୁ ଅବୟ ଏକାତ୍ମା
ଅଭ୍ୟାଗତ ରକ୍ଷଣ ତୁ ଅଚଳ ମାହାତ୍ମା
ତୁମ୍ଭ ନିଜ ରୂପ ଏବେ ଦେଖିଲା ନୟନ
ଲଭିଲି ପରମ ଗତି ପାଇଲି ସୁଜ୍ଞାନ
ଏ ଗୋପର ନରନାରୀ ଲଭି ପୁଣ୍ୟ କେତେ
ଦିବାନିଶି ଅନୁବ୍ରତେ ଦେଖୁଥିବେ ତୋତେ
ନିଶ୍ଚେଁ ଜାଣିଲି ଗୋପାଳେ ଅତି ପୁଣ୍ୟଦେହୀ
ଦିଗପାଳ ଦେବତାଏ ଅଟନ୍ତି ତ ଏହି
ନିଶ୍ଚେଁ ମୁକ୍ତିପ୍ରାପ୍ତ ନନ୍ଦ ହୋଇଲା ଏ ଘାନ୍ତି
ଧନଧାନ୍ୟେ ପୂର୍ଣ୍ଣ ହେବ ବଢ଼ିବ ସମ୍ପତ୍ତି
ଏ ପୁତ୍ର ଯୋଗେ ଅନେକ କାର୍ଯ୍ୟ ତୋତେ ଅଛି
ଏ କଥାକୁ ମନେ ଖେଦ ନ ଧର ତୁ କିଛି
ଜାରପୁତ୍ର ବୋଲି ମନେ ନ ଧରିବୁ ନନ୍ଦ
ସଂସାରେ ତୋତେରେ କେହି ନ ବୋଲିବେ ମନ୍ଦ
ଆବର ପୁତ୍ରେ ପାଇବ ତୁମ୍ଭେ କିଛିଦିନେ
ଏସନ ଲଲାଟେ ଧାତା ଲେଖିଛି ପ୍ରସନ୍ନେ
ଏତେ ବୋଲି ମୁନିବର ବାହୁଡ଼ିଣ ଗଲେ
ବସୁଦେବ ଆଗେ ଯାଇ ଗୁପତେ କହିଲେ
ଗାର୍ଗ୍ୟ ବଚନ ଶୁଣିଣ ବସୁଦେବ ତୋଷ
ସନ୍ଦେଶ ପାଇ ନନ୍ଦର ମନୁ ଗଲା ପ୍ରାସ
ଗୋପପୁରେ ମଧ୍ୟେ ଥିଲେ ଯେତେ ନରନାରୀ
ଆଜ୍ଞା ମାଗିଣ ନନ୍ଦକୁ ଗଲେ ଯେଝା ପୁରୀ
ନନ୍ଦ ସହିତ ଯଶୋଦା ଦେବୀ ହେଲେ ତୁଷ୍ଟି
ଅନେକ ଯତ୍ନେ ପାଳିଲେ ପାଇ ପୁତ୍ରଗୋଟି
ଏସନକ ଚରିତ ଯେ ନ ଜାଣନ୍ତି କେହି
ବଳଦେବଙ୍କ ପ୍ରସାଦେ ସର୍ବେ ପୁଣ୍ୟଦେହୀ
ନନ୍ଦର ଅନେକ ଶ୍ରଦ୍ଧା ବଢ଼େ ଦିନୁ ଦିନେ
ପୁତ୍ର କୋଳେ ଘେନି ନନ୍ଦ ଖେଳେ ଅନୁକ୍ଷଣେ
ଘୃତ ଲବଣୀ ଶାକର ଖଣ୍ଡକୁ ମିଶାଇ
ଆପଣେ ଭୁଞ୍ଜାନ୍ତି ନନ୍ଦ ଜାନୁରେ ବସାଇ
ଦିନୁଦିନ ସ୍ୱାମୀଙ୍କର ବଢ଼େ କଳେବର
କୋଟି କନ୍ଦର୍ପକୁ ଜିଣି ସୁନ୍ଦର ଶରୀର
ଯେବଣ ଦିନେ ଗୋଗୋଷ୍ଠେ ପ୍ରବେଶିଲେ ହଳୀ
ଗୋପାଳଙ୍କ ସଙ୍ଗତରେ କଉତୁକ ଖେଳି
ସହସ୍ର ଗୁଣରେ କ୍ଷୀର ଦିଅନ୍ତି ସେ ଗାଈ
ବିପୁଳ ଲକ୍ଷ୍ମୀ ରହିଲେ ଠାବ ଠାବ ହୋଇ
ଲୋଡ଼ନ୍ତି ଗୋପାଳେ ପୁଣ ଯେତେବେଳେ ଯାହା
ପ୍ରାପତ ହୁଅଇ ତାଙ୍କୁ ସେତେବେଳେ ତାହା
ବୁଢ଼ା ବୁଢ଼ୀ ଥିଲେ ଯେତେ ହେଲେ ନବଯୁବା
ସ୍ୱର୍ଗ ପ୍ରାୟ ଗୋପପୁର ହୋଇଲାକ ଶୋଭା
ଋତୁ ଘେନି ମେଘମାନେ ବରଷିଲେ ପାଣି
ବସନ୍ତ ପବନ ବହେ ବେଳକାଳ ଜାଣି
କୋଟିଏକ କମଳିନୀ ଘେନି ସତ୍ୟଶ୍ରୀୟା
ଆପେ ବିଜେ କଲେ ଆସି ଦେବୀ ହରିପ୍ରିୟା
ତେତିଶକୋଟି ଦେବତା ଗୋପରୂପ ଧରି
ଗୁପତେ ଗୋପନଗରେ ଛନ୍ତି ଅବତରୀ
ରାମକୃଷ୍ଣ ଅବତାର ହୋଇବାର ଜାଣି
ଆଗହୁଁ ସର୍ଜିଲା ଗୋପନଗ୍ରେ ଧାତା ଆଣି
ଜୟ ତୁ ଶାରଳା ମାଗୋ ଅଜ୍ଞାନ ଧ୍ୱଂସିନୀ
ତୋ ନାମ ଧରିଲେ ମୂର୍ଖ ହୁଏ ମହାଜ୍ଞାନୀ
ତୁ ଦେବୀ ଯାହାର କଣ୍ଠେ ହେଉ ସୁପ୍ରସନ୍ନ
କବିଗଣ ମଧ୍ୟେ ଶ୍ରେଷ୍ଠ ବୋଲାଏ ସେ ଜନ
ବିଷ୍ଣୁ ମହାମୋହିନୀ ତୁ ଅଟୁ ଆଦିମାତ
ତୋତେ ଆଶ୍ରା କରିଅଛି ମୁଁ ଦୀନ ଅଚ୍ୟୁତ
କୃପାକରି ମୋ କଣ୍ଠରେ ବିଜେକର ମାଏ
ତୋ ବିନା ଶରଣ ମୋର ନାହିଁ ଆଉ କିଏ

ଦେବକୀଙ୍କର ସ୍ୱପ୍ନ ଦର୍ଶନ

[ସମ୍ପାଦନା]

ଶୁକମୁନି ବୋଇଲେ ହେ ପରୀକ୍ଷ ନୃପତି
ଏଥୁ ଅନନ୍ତରେ ଶୁଣ କଥା ପୁଣ୍ୟକୀର୍ତ୍ତି
ପବିତ୍ର ଗଙ୍ଗାଜଳ ଶ୍ରୀଭାଗବତ ବାଣୀ
ଧନଧାନ୍ୟ ମନୋବାଞ୍ଛା ପ୍ରାପ୍ତ ହେବ ଶୁଣି
ଧନୁର କୃଷ୍ଣ ନବମୀ ତିଥି ଗୁରୁବାର
ତାର ଚନ୍ଦ୍ର ଶୁଭଯୋଗ ଅଟେ ସେ ଦିନର
ଗର ନାମେ କରଣ ଯେ ଶୁଭ ନାମେ ଯୋଗ
କନ୍ୟାଚନ୍ଦ୍ରର ଷାଠିଏ ଦଣ୍ଡଯାକ ଭୋଗ
ଧନୁ ସଂକ୍ରାନ୍ତି ସପତ ଦିନର ଅନ୍ତରେ
ଶୁଦ୍ଧସ୍ନାନ କଲେ ଦେବୀ ଦେବକୀ ନଦୀରେ
ସଙ୍ଗତେ ଅନେକ ପରିବାରୀ ଘେନି ଯାଇ
ପ୍ରଭାତୁ ଉଠି ଯମୁନା ଗଲେକ ଗାଧୋଇ
ନଦୀ ସ୍ନାନରେ ଦେବକୀ ମନେ ଚିନ୍ତାପାନ୍ତି
ଲେଉଟି ଶୁଭେ ଆପଣା ଘରକୁ ଆସନ୍ତି
ଗମ୍ଭରୀ କବାଟ କିଳି କଲେକ ଶୟନ
ନିଶା ଅର୍ଦ୍ଧରେ ଦେବକୀ ଦେଖିଲେ ସ୍ୱପନ
ସୀମସ୍ଥାନେ ବିଜେ କଲେ ପ୍ରଭୁ ଜନାର୍ଦ୍ଦନ
ପ୍ରବେଶ ହୋଇ ଦେବକୀ ଦେବୀ ସନ୍ନିଧାନ
ବାମ ପାରୁଶେ ଶାରଦା ଦେବୀ ଯନ୍ତ୍ର ଧରି
ଦକ୍ଷିଣ ପାରୁଶେ ଦେବୀ ବରୁଣକୁମାରୀ
ଛାମୁରେ ଯେ ଖଗେଶ୍ୱର କୃତାଞ୍ଜଳି ହୋଇ
ଏକ ଦୃଷ୍ଟିରେ ରହିଛି ଶ୍ରୀମୁଖକୁ ଚାହିଁ
ସେବକ ବିନୟ ଭାବେ ଶ୍ରୀପୟରେ ରହି
ପାରୁଶେ ଆବୋରିଛନ୍ତି ବିଷ୍ଣୁଗଣ ଚାହିଁ
ଏସନକ ଦିବ୍ୟରୂପ ଧରି ଦେବ ସ୍ୱାମୀ
ଦେବକୀଙ୍କ ସୀମସ୍ଥାନେ ବିଜେ ଅନ୍ତର୍ଯ୍ୟାମୀ
ଭକତ ଜନର ବନ୍ଧୁ କମଳାର ସାଇଁ
ଆଦି ଅପର୍ଣ୍ଣାଙ୍କ ଶାପ ଅନୁରୂପେ ପୂର୍ବେ
ତେଣୁ ପ୍ରଭୁ ଆପେ ଆସି ଯୋନିଜନ୍ମା ହେବେ
ଅନ୍ତରୀକ୍ଷେ ବିଜେକରି ସ୍ୱାମୀ ଅନ୍ତର୍ଯ୍ୟାମୀ
ପାରୁଶେ ଦେବଗଣଙ୍କୁ ଅଛନ୍ତି ସେ ଘେନି
ଅନ୍ତରୀକ୍ଷ ଆସନରେ ବିଜେ ପୀତବାସ
ଦେବକୀଙ୍କୁ ସ୍ୱପନରେ ହୋଇଲେକ ଦୃଶ୍ୟ
ଆଶ୍ୱାସି ବଚନ ଧୀରେ ବୋଲି ଜଗବନ୍ଧୁ
ଆମ୍ଭେ ଅଟୁ ନାରାୟଣ କୃପାଜଳ ସିନ୍ଧୁ
ଆରତ ଜନ ରକ୍ଷଣ ଅଟେ ଆମ୍ଭ ବାନା
ଆରତରେ ସୁମରିଲେ ରକ୍ଷା କରୁ ସିନା
ଶୁଣ ମାଗୋ ଦେବକୀ ତୁ କେତେଦିନେ ଅନ୍ତେ
ପୁତ୍ରନ୍ତ ସୁମରି ମନେ ଚିନ୍ତା କରୁ କେତେ
ଏ ଦିବ୍ୟରୂପେ ପ୍ରସନ୍ନ ହେଲୁ ଆମ୍ଭେ ତୋତେ
ତୁମ୍ଭର ଗର୍ଭରେ ମାଗୋ ଠାବଦିଅ ମୋତେ
ପ୍ରେତ ଭୂତପ୍ରାୟ ହୋଇ ବୁଲୁଅଛି ମୁହିଁ
ମାନବରୂପେ ଉଦ୍ଧାର କରିବି ଏ ମହୀ
ତୁମ୍ଭର ଉଦରେ ମାଗୋ ହେବି ମୁହିଁ ଜାତ
ଗର୍ଭରେ ଠାବ ଦିଅସି ମୋତେ ତୁ ଗୋ ମାତ
ପ୍ରତ୍ୟକ୍ଷେ ବିଷ୍ଣୁ ମାନବେ ହେବି ଅବତାର
ଦୈତ୍ୟ ମାରି ଉଶ୍ୱାସିବି ଏହି ମହୀଭାର
ପ୍ରତ୍ୟକ୍ଷେ ଅଦିତି ଅଟ ତୁମ୍ଭେ ମହାମାୟେ
କଶ୍ୟପ ଯେ ବସୁଦେବ ରୂପରେ ବିଜୟେ
ଦେବତା ଜାତ ହୁଅନ୍ତି ତୁମ୍ଭର ଗର୍ଭରେ
ପାସୋରିଲ କି ଗୋ ମାତ ମାନବୀ ଜନ୍ମରେ
ପୂର୍ବ କଥା ସ୍ମରି ରଖ ଗର୍ଭରେ ସାଇତି
ବସୁଦେବ ପୁରେ ବିଜେ କର ମା ତଡ଼ତି
ଏଥିରୁ ମା ବଡ଼ ପୁଣ୍ୟ ଅର୍ଜିବୁ କି ଅବା
ଆମ୍ଭେ ଯେ ବିଷ୍ଣୁ ତୁମ୍ଭଙ୍କୁ କରୁଅଛୁ ସେବା
ଆବର ବିଶେଷ ତୁମ୍ଭେ ପାଇଅଛ କଷ୍ଟ
ଛ ପୁତ୍ର ମାଇଲା ନେଇ କଂସାସୁର ଦୁଷ୍ଟ
ତେଣୁକରି ଆମ୍ଭେ କଲୁ ତୁମ୍ଭଙ୍କୁ ସୁଦୟା
ସଂହାରିବୁ ଅସୁରଙ୍କୁ ଧରି ନରକାୟା
ଅନେକ ରାକ୍ଷସ ଆମ୍ଭେ ପୃଥ୍ୱୀରୁ ମାରିବୁ
ଦେବକଣ୍ଟକ ଯେତେକ ଶତ୍ରୁ ସଂହାରିବୁ
ଅନେକ ଦାନବ ଏଥେ ହୋଇ ଅବତାର
ଗଞ୍ଜିଲେ ତ୍ରିଦଶ ଦେବ ଭାଙ୍ଗି ସ୍ୱର୍ଗପୁର
ଅସୁରଙ୍କ ପାଦଭାରା ନ ସହିଲା ପୃଥ୍ୱୀ
ଦେବତାମାନେ ମୋ ଆଗେ ଗୁହାରି କରନ୍ତି
ତେତିଶକୋଟି ଦେବତା କହିଲେ ବିକଳେ
ବୋଇଲେ ସମ୍ଭାଳ ପୃଥ୍ୱୀ ଗଲା ରସାତଳେ
ଦେବଙ୍କ ବିକଳ ଦେଖି ବସେ ଆମ୍ଭ ଦୟା
ତେଣୁ ଯୋନିଜନ୍ମା ହେବୁଁ ଧରି ନରକାୟା
ତୁମ୍ଭେ ଯେ ମାନବୀରୂପେ ହୋଇଅଛ ଜାତ
ଶାପୁଁ ପାର ହେବାପାଇଁ ହେବୁ ତୁମ୍ଭ ପୁତ୍ର
ପୂର୍ବେ ତୁମଙ୍କୁ ଗୋମାତା ଦେବୀ କଲେ କୋପ
ନମସ୍କାର ନ କଲ ଯେ ଦେଲେ ତେଣୁ ଶାପ
କଶ୍ୟପ ଅଦିତି ତୁମ୍ଭେ ପତିପତ୍ନୀ ଦୁଇ
ଗୋମାତା ଶାପେ ମାନବ ଦେହ ଅଛ ବହି
ଅଧିକ ମୁଁ ତୁମ୍ଭ ଆଗେ କହିବଇଁ କେତେ
ତୁମ୍ଭ ଗର୍ଭେ ଏବେ ମାଗୋ ଠାବ ଦିଅମୋତେ
କହନ୍ତି ଯେ ଇଦଂ ପ୍ରତିବାକ୍ୟ ଶୁକମୁନି
ଶୁଣ ହୋ ପରୀକ୍ଷ ରାଜା ଭାଗବତ ବାଣୀ
ବିଷ୍ଣୁନାଥଙ୍କ ଏମନ୍ତ ମାୟାରୂପ ଦେଖି
ଦେବକୀ ଘୋର ନିଦ୍ରାରୁ ଚେତି ମଳି ଆଖି
ନୟନ ତରାଟି ଦେବୀ ଚାହିଁ ଅତିବେଗେ
ଦେଖିଲେ ବିଷ୍ଣୁଦେବତା ବିଜେ ନିଜ ଆଗେ
ଆଦିତ୍ୟ ଦେବତା ଜିଣି ବିରାଜଇ ତେଜ
ନାରାୟଣ ଜ୍ୟୋତିକୁ କି ପଟାନ୍ତର ଦେବା
ଠୁଳବ୍ରହ୍ମା ଜ୍ୟୋତିରୂପେ ଯେଉଁ ଦେବ ଶୋଭା
ଏମନ୍ତ ରୂପ ଦେଖିଣ ଦଇବକୀ ନାରୀ
ପ୍ରଣିପାତ କଲେ ଅନ୍ତର୍ଗତରେ ବିଚାରି
କେବଳ ଚେତନା ଆସି ବସିବାରୁ ଦେହେ
ଦେଖୁ ଦେଖୁ ଜ୍ଞାନହାରି ପଡ଼ିଲେକ ମୋହେ
ଘାରିଲାକ ନିଦ୍ରାବତୀ ପଡ଼ିଲେକ ଶୋଇ
ପ୍ରତ୍ୟକ୍ଷେ ଦେଖି ସ୍ୱପନେ ପାସୋରିଲା ସେହି
କେବଳ କ୍ଷଣକମାତ୍ର ଚେତନା ବସିଲା
ସ୍ୱପ୍ନପ୍ରାୟ ମଣି ବାଳୀ ପୁଣି ନିଦ୍ରାଗଲା
ଲେଉଟି ଯହୁଁ ନିଦ୍ରାରେ ପଡ଼ିଲା ଘୁମାଇ
ପୁଣି ସୀମସ୍ଥାନେ ବିଜେକଲେ ବିଷ୍ଣୁ ଯାଇ
ଚୂଳରେ ବରହିପୁଚ୍ଛ ଶୋଭା ଦିବ୍ୟବେଣୀ
କୁସୁମ ଗଭାଏ ବାନ୍ଧି ଅଛନ୍ତି ସେ ପୁଣି
ବାମରେ ବିରହ ବେଣୁ ଦକ୍ଷିଣରେ ଯଷ୍ଟି
ସୁସଞ୍ଚ ପୀତବସନ ଶୋଭାପାଏ କଟି
ନୀଳ ଇନ୍ଦିବର ଦଳ ତନୁ ଦିବ୍ୟଶୋଭା
ମଦନ ସୁନ୍ଦର ରୂପ ସ୍ୱାମୀ ନବଯୁବା
ବିକଚ କଦମ୍ବମାଳା ଲମ୍ବଇ ଗଳାଏ
କନକ କଠଉ ମାଡ଼ିଛନ୍ତି ବେନି ପାୟେ
ନାସାରେ ମୁକୁତା ଫଳ ଲମ୍ବେ ଗଜମୋତି
କଣ୍ଠେ ନବରତ୍ନ ହାର ମାରାଗର ଜ୍ୟୋତି
କଙ୍କଣ ବାହୁଟି ବିଦମୁଦୀ ଜଗଦ୍‌ବଳା
ମଣିମୟ ପଦକରେ ବିରାଜଇ ଗଳା
ନୀଳାମ୍ବରେ ଉଦୟ କି ଶାରଦୀୟ ଶଶୀ
ଦେବକୀର ସୀମସ୍ଥାନେ ପୁଣି ବିଜେ ଆସି
ଉଠ ଉଠ ମାତା ଆଗୋ ନିଦ୍ରାଯାଉ କେତେ
ପୂର୍ବର ସେ ଘଟସୂତ୍ର ଶାପ ଅଛି ତୋତେ
ତୁମ୍ଭେ ଆମ୍ଭରି ମାତା ଗୋ ଆମ୍ଭେ ତୁମ୍ଭ ପୁତ୍ର
ଦୁଃଖ ନିବାରଣ ହେଲା ବିମନା ନୁହ ତ
ନିର୍ଭୟରେ ଗର୍ଭେ ଠାବ ତୁ ମୋତେ ଦିଅସି
ଏତେ ବୋଲି ଗୋପୀନାଥ କହନ୍ତି ଆଶ୍ୱାସି
ନାରାୟଣ ଭୁଜ ଲାଗି ଦେବକୀର ଅଙ୍ଗ
ତକ୍ଷଣେ ଚେତା ପଶିଲା ହୋଇ ନିଦ୍ରାଭଙ୍ଗ
ନୟନ ମଳିଣ ଦେବୀ ଚାହିଲା ହରଷେ
ଦେଖିଲା ସେ ବିଷ୍ଣୁବିଜେ କରିଛନ୍ତି ପାଶେ
ବାଳ ଗୋପାଳ ରୂପକୁ ଧରି ହୃଷୀକେଶ
ଦେବକୀର ସୀମସ୍ଥାନେ ବିଜେ ପୀତବାସ
ଏସନ ସ୍ୱରୂପ ଦେବୀ ଦେଖିଲେ ନୟନେ
ଆପେ ଆପେ ବିଚାରଣ କରୁଛନ୍ତି ମନେ
ଏ ଅପୂର୍ବ କଥାଗୋଟି ଜାଣିବା କେମନ୍ତେ
କେବଣ ମାୟା ହୋଇଲା ମୋତେ ଅଦଭୂତେ
ପୁତ୍ରଙ୍କର କଷ୍ଟେ ମୁହିଁ ଚିନ୍ତାଭର ହୋଇ
ଏକା ଗମ୍ଭିରୀ ଭିତରେ ଅଛଇ ତ ଶୋଇ
ନବଯୁବା ପୁରୁଷେକ ପଶିଲାକ କାହୁଁ
ପଞ୍ଚଭୂତେ ଆତ୍ମା ମୋର ଦହେ ଚାହୁଁ ଚାହୁଁ
ଅନ୍ତପୁରେ ମୋର ଆସି ପଶିଲା କେମନ୍ତେ
ଦୁଃସହ ଦୁର୍ଗମ ପରି ଲାଗୁଅଛି ମୋତେ
ପ୍ରତ୍ୟକ୍ଷେ ମୁଁ କିଳିଅଛି ଗମ୍ଭିରୀ କବାଟ
ପିମ୍ପୁଡ଼ି ଗଳିବାକୁ ତ ନାହିଁ ଏଥି ବାଟ
ଏଡ଼େ ଦୁଃସହ ସ୍ଥାନକୁ କେମନ୍ତେ ଅଇଲା
ଏଡ଼େ ସାହସ ତାର ମୋ ଶଯ୍ୟାରେ ବସିଲା
ପବିତ୍ର ପାଟବଂଶୀ ମୁଁ ବସୁଦେବ ରାଣୀ
ଉଗ୍ରସେନ ରାଜାର ମୁଁ ଅଟଇ ଦୁଲଣୀ
ଭାଇ ମୋର କଂସରାଜା ଜଗତରେ ଜିତା
ଇନ୍ଦୁମତୀ ମାତା ମୋର ଅଟେ ନିଜ ମାତା
ଚୋର କି ତସ୍କର ଏ ଯେ ପ୍ରତ୍ୟକ୍ଷେ ଦେବତା
କେମନ୍ତେ ଜାଣିବି ପୁଣି ମୁଁ ଏହାର କଥା
ମାନବ ନୁହଇ ଦେବଲୋକ ଏ ହେବଟି
ଅଦ୍ଭୁତେ ପଶୁଁ କବାଟ ଗୋଟା ଗଲା ଫିଟି
ପୁଣି ବିଚାରନ୍ତି ଚୋର ଯେବେ ସେ ହୁଅନ୍ତା
ଅନେକ ତ ଧନ ଅଛି ଥୋକାଏ ନିଅନ୍ତା
ପ୍ରଥମ ପ୍ରହରେ ମୋତେ ରଚିଲାକ ମାୟା
ଦେଖାଇଲା ଶଙ୍ଖଚକ୍ର ଚତୁର୍ଭୁଜ କାୟା
ପୁଣି ଦେଖାଏ ଗୋପାଳ ରୂପକୁ ପ୍ରକାଶି
ନିର୍ଭୟରେ ସୀମସ୍ଥାନେ ଅଛି ମୋର ବସି
ଆବର ବିଶେଷ କରି କହଇ ସଦ୍ଭାବ
ବୋଲେ ତୋର ପୁତ୍ର ହେବି ଗର୍ଭେ ଦିଅ ଠାବ
ଏମନ୍ତ ବିଚାର ରହି କରନ୍ତି ଦେବକୀ
ପୁଣି ସ୍ୱାମୀଙ୍କୁ ଚାହିଁଲେ ଦେବୀ ମଥା ଟେକି
ଦେବକୀ ବୋଇଲେ ଚୋର କାହିଁର ତୁ ଆସି
ନିଦ୍ରା ଭାଙ୍ଗିଲୁ ମୋହର ପଲ୍ୟଙ୍କରେ ବସି
ବାରେକ ଏଥୁ ଜୀବନ ଘେନି ପଳା ଯା ଯା
ଜାଣିଲେ ତୁ ନାଶଯିବୁ ଦୁଷ୍ଟ କଂସରାଜା
କଂସର ପ୍ରତାପ ତୁ କି ଶୁଣିନାହୁଁ କର୍ଣ୍ଣେ
ଯମ ଦେବତା ଭୁବନେ ପଶିଲୁ କେସନେ
ଦେବ ଦାନବ ମାନବ ଜିଣି ଭୁଜବଳେ
ଏକାଙ୍ଗ ଚକ୍ରବର୍ତ୍ତୀ ଯେ ଅଟେ ରବିତଳେ
ମୋର କନିଷ୍ଠ ଭାଇ ସେ କଂସ ନ ଜାଣୁ କି
ନିର୍ଭୟ ହୋଇ ଅଇଲୁ କେମନ୍ତେ ଏଥିକି
ନିଜ ଆୟୁଷ ଥାଉ କି ମରିବୁରେ ବଳା
ମୋ ଭାଇ ନ ଜାଣୁ ଏଥୁ ବହନ ତୁ ପଳା
ଦେବକୀ ବଚନ ଶୁଣି ଦେବ ଜଗନ୍ନାଥ
ବୋଲନ୍ତି ଅଳପ ହସି ଶୁଣସି ଗୋ ମାତା
ଆମ୍ଭେ ଯେ ବିଷ୍ଣୁ ମାନବ ଦେହ ଗୋଟା ବହି
ଦେବକାର୍ଯ୍ୟେ ଆମ୍ଭେଜାତ ହେବୁ ତୋରତହିଁ
ମାରିବୁ ଅସୁରବଳ ହେବ ଦେବକାର୍ଯ୍ୟ
ଏ ତୁମ୍ଭ ଗର୍ଭେ ପଶିବୁ ଜାଣ ମାତା ଆଜ
ମାଗୋ ଏ କଥାକୁ ମନେ ନ ଧରିବ ଆନ
ଆମ୍ଭେ ତୋରପୁତ୍ରହୋଇ ଉଦ୍ଧାରିବୁ ଆନ
ଦେବକୀ ବୋଇଲେ ମୋତେ ଏ କଥା ନ କହ
କିପାଇଁ ନାଶ କରିବୁ ଏ ସୁନ୍ଦର ଦେହ
କୋଟି କନ୍ଦର୍ପ ସମାନ ଅଟେ ଯେଉଁ ରୂପ
ତୁ କିପାଇଁ ନାଶଯିବୁ ମୋହ ଗର୍ଭେ ବାପ
ପୋଡ଼ୁ ପୋଡ଼ୁବାପ ମୋର ଗର୍ଭ ହେବା କଥା
ଏ ତୋର ବଚନ ଶୁଣି ଲାଗେ ବଡ଼ବ୍ୟଥା
ତୁ ଯେ ପୁତ୍ର ମୋର ହେବାପାଇଁ ଅଛୁ ଲୋଡ଼ି
ଜନ୍ମ ହେବା ମାତ୍ରେ କଂସ ଦେବତ କଚାଡ଼ି
ଚାଣ୍ଡାଳ ନିଷ୍ଠୁର ଭାଇ ମୋର ବଡ଼ ଦୁଷ୍ଟ
ଷଡ଼ପୁତ୍ର କଚାଡ଼ିଲା ମୋହର ପାପିଷ୍ଠ
ଆବର ଯେ ବେନିପୁତ୍ର ଅବଶ୍ୟ ମାରିବ
ସତ୍ୟ ମନାଇ ନେଇଛି ଅହନ୍ତା କରିବ
ମୁହିଁ ମନ୍ଦ ଅଭାଗିନୀ ନ ଲୋଡ଼ଇ ତୋତେ
ବିଧାତା ପୁରୁଷ ଦଣ୍ଡୁ ଅଛଇ ଯେ ମୋତେ
ତୋହର ପରା ସୁନ୍ଦର ପୁତ୍ର ପରିପାଟି
ମୋତେ କାହୁଁପ୍ରାପ୍ତ ହେବ ଅଟେ ମୁଁ ପାପିଷ୍ଠୀ
ତୁ ଯେ ବୋଲୁଛୁ କଂସକୁ ମୁହିଁ ମାରିବଇଁ
କଂସକୁ ତିନିଭୁବନେ ସମ ନାହିଁ କେହି
ଦେବ ଦାନବ ଗର୍ନ୍ଧବ ନାଗ ଆଦିକରି
ଇନ୍ଦ୍ର କୁବେର କଂସକୁ କେହି ନୁହେ ସରି
ସମସ୍ତେ କଂସର ଡରେ ଛାଡ଼ି ସ୍ୱର୍ଗପୁର
ଦେବେ ଅଜୟ ଅଟଇ କଂସ ନୃପବର
ଅଷ୍ଟମଲ୍ଲ ଆଦି ତାର ଅଛନ୍ତି ତା ସଖା
କ୍ଷଣକେ ସହସ୍ରେ ଇନ୍ଦ୍ର ଜିଣନ୍ତି ସେ ଏକା
ନବଦ୍ୱୀପ ପୃଥିବୀରେ ଯେତେ ଯେତେ ରାଜା
ଆଜ୍ଞା ପ୍ରମାଣେ କରନ୍ତି ତାର ପାଦପୂଜା
ମେରୁ ପ୍ରଦକ୍ଷିଣ କରି ଜିଣେ କ୍ଷତ୍ରପଣେ
ବଡ଼ ବଡ଼ ରାଜାଙ୍କୁ ସେ ଧରି ଜିତେ ରଣେ
ଦିଗବିଜେକାଳେ ଦେବେ ହାରିଲେ ତାହାକୁ
ତୁହି ବୋଲୁଅଛୁ ମୁଁ ଯେ ମାରିବି କଂସକୁ
ଶ୍ରୀକୃଷ୍ଣ ବୋଇଲେ ମାତା ତ୍ୟଜ ଗୁରୁତାପ
ଏବେ ମାତା ଗୋ ଖଣ୍ଡନ ହେଲା ତବ ପାପ
ତୁ ଯେ ବୋଲୁ ମୋର ଷଡ଼ ପୁତ୍ରଙ୍କୁ ମାଇଲେ
ସେ ପୁତ୍ରମାନେ ତାହାଙ୍କ ପୂର୍ବଦୋଷେ ମଲେ
ସେ କଥା ଶୋଚନା କଲେ ହେବ ଏବେ କିସ
ପୂର୍ବର ସଞ୍ଚିତ ଫଳ ଫଳଇ ଅବଶ୍ୟ
ମାଗୋ ଆମ୍ଭେ ନିରାକାର ଅଯୋନି ସମ୍ଭୂତ
ଏବେ ତୁମ୍ଭ ଯୋନିମାର୍ଗେ ହେବୁ ଆମ୍ଭେ ଜାତ
ଅନେକ ଯେ ପୁତ୍ରକଷ୍ଟ ପାଇଲଇଁ ମୁହିଁ
ଗୋବିନ୍ଦ ବୋଇଲେ ମୋର ନାମ ଦଇତାରି
କଂସରବଳେ କେବେହେଁ ମୋତେ ନୁହେଁ ମାରି
କଂସ ପାଦଭାରା ପୃଥ୍ୱୀ ନ ପାରିଲ ସହି
ଆକୁଳେ ତେତିଶକୋଟି ଦେବେ ଗଲେକହି
ବୋଇଲେ କଂସର ଡରେ ନ ପାରୁ ଗୋ ରହି
ତୁମ୍ଭେ ଜନମ ମାନବ ଦେହଗୋଟା ବହି
ଏଣୁ ଅବତାର ଆମ୍ଭେ ହେବୁ ରବିତଳେ
ଋଷି ମୁନି ଗୋରୁ ବିପ୍ର ଦେବତାଙ୍କ ଛଳେ
ରାକ୍ଷସ ନାଶ କରିବୁ ଆମ୍ଭେ ଭୁଜବଳେ
ନିଶ୍ଚୟ ତେତିଶକୋଟି ଦେବତାଙ୍କ ବୋଲେ
ଏଥକୁ ନାସ୍ତି ନ କର ଛାଡ଼ ଅଭିଯାନ
ପୁଣ ପୁଣ କରୁଅଛୁ ପ୍ରବୋଧ ବଚନ
ଗୋମାତା ଶାପେ ମାନବୀ ଦେହ ତୁମ୍ଭେ ବହି
କଶ୍ୟପ ଅଦିତୀ ବେନି ଅଛ ଜନ୍ମପାଇ
ତେଣୁ ଆମ୍ଭେ ଅବତାର ହେବୁ ତବ ଗର୍ଭେ
ତୁମ୍ଭ ମନୁ ଭ୍ରାନ୍ତି ମାଏ ଛାଡ଼ସି ଗୋ ଏବେ
ଦେବକୀ ବୋଇଲେ ଯେବେ ନାରାୟଣ ସତ୍ୟ
ମହାବଳ କଂସକୁ ତୁ କରିବୁ ନିହତ
ପୃଥ୍ୱୀ ଭାରାଭାର ଯେବେ ନିବାରିବୁ ଏକା
ଏ ତୋହର ବିଶ୍ୱରୂପ ବାରେ ମୋତେ ଦେଖା
ଏହା ଶୁଣି ଭଗବାନ ଅଳପ ହସିଲେ
ଜନନୀ ପାଶରେ ନିଜ ମୂର୍ତ୍ତି ଦେଖାଇଲେ
ନିର୍ଧୂମ ବହ୍ନିରେ ଯେହ୍ନେ ବିକାଶଇ କାୟା
ମହାଯୋଗ ମୂର୍ତ୍ତି ଧରି ଦେଖାଇଲେ ମାୟା
ବିକଟ ବଦନ ଦନ୍ତ ରଟ ମଟ ପାଟି
ଚଉଦ ଭୁବନ ଯାକ ଶରୀର ଯେ ଘୋଟି
ଟହ ଟହ କୁହୁକୁହୁ ବିକରାଳମୟ
ତଳାତଳ ପରିଯନ୍ତେ ପୂରିଛି ସେ କାୟ
ଜଳ ସ୍ଥଳ ପାଷାଣରେ ହୋଇଛି ଉଦୟ
ଦେଖିଣ ଦେବକୀଦେବୀ ପାଇ ମହାଭୟ
ବୋଇଲେ ତୋ ବିଶ୍ୱରୂପ ଆଉ ଅଛି କେତେ
ଏହି ରୂପ ଦେଖି ଭୟ ଲାଗିଲାକ ମୋତେ
ଆଉ ଅଧିକ ରୂପ ତୁ କଲେକ ପ୍ରକାଶ
ସ୍ତିରୀମାତ୍ର ସିନା ମୁହିଁ ଯିବି ପ୍ରାଣେ ନାଶ
ଯୋଗୀଜନେ ଅଗୋଚର ଯେଉଁ ବିଶ୍ୱମୂର୍ତ୍ତି
ସେ ରୂପ ଦେଖିଲି ମୋତେ ଅଛି ସଦଗତି
ଯେଉଁରୂପ ଦେଖାଇଲୁ ମୋତେ ପୀତବାସ
ସେ ରୂପ ଦେଖିଲେ କଂସ ଯିବ ପ୍ରାଣେ ନାଶ
ଆବର ବଚନ ଏକ ପଚାରିବି ଯାହା
ସ୍ୱରୂପ କହିବୁ ମୋତେ ନ କରିବୁ ମାୟା
ନିରଞ୍ଜନ ପୁରୁଷ ତୁ ଶୂନ୍ୟ ଜ୍ୟୋତିର୍ମୟ
ଅନାଦି ଅଣାକାର ତୁ ପ୍ରତ୍ୟକ୍ଷେ ଉଦୟ
ବେଦ ବର୍ଣ୍ଣିଛି ଯାହାର ଜନ୍ମମୃତ୍ୟୁ ନାହିଁ
ଯୋନିଯୋଗେ ଜନ୍ମ ନାଥ ହେବୁ କିସପାଇଁ
ଅଯୋନି ସମ୍ଭୁତ ବୋଲି ବୋଲୁଛନ୍ତି ତୋତେ
କୁମ୍ଭୀପାକ ନର୍କବାସ କରିବୁ କେମନ୍ତେ
କେବଣ ଦୋଷ ଯାହାର କଲୁ ପୂର୍ବଯୋଗେ
ଏ କଥା ସଂକ୍ଷେପି ନାଥ କହ ମୋର ଆଗେ
ଦେବତାଙ୍କ ଉପରେ ତୁ ଦେବ ଦେବ ହରି
ତୁ କେମନ୍ତେ ହୋଇବୁ ଏ ନର୍କେ ଦେହଧାରୀ
ଦେବକୀ ବଚନ ଶୁଣି ଭଣି ଚଉବାହା
ଶୁଣସି ଗୋ ମାତ ଏବେ ପଚାରିଲି ଯାହା
ପ୍ରଥମେ ସୃଷ୍ଟି ସଞ୍ଚାର ହେଲା ଯେତେବେଳେ
ମଧୁ କଇଟଭ ଜାତ ମହାର୍ଣ୍ଣବ ଜଳେ
ଆପଣେ ବିଷ୍ଣୁ ଯେ ତାକୁ ସ୍ୱଂୟ କଲେ ନାଶ
ଅସ୍ଥିରକତ ସହିତେ ମେଦ ହାଡ଼ ମାଂସ
ମରଦିଲେ ଅତି ଯତ୍ନେ କରି ତାହା ଘେନି
ତେଣୁକରି ପୃଥ୍ୱୀ ନାମ ଦେଲେଟି ମେଦିନୀ
ମେଦ ମେଦା ମାଂସ ମେଦି ପାଣିର ଭିତର
ମେଦିନୀ ନାମ ତାହାର ଦେଲେ ନିରାକାର
ପ୍ରଥମେ ଆଦି ଅପର୍ଣ୍ଣା ଦେବୀ ହେଲେ ଜାତ
ହୋଇଲେ ସେ ପୁଣି ସ୍ତିରୀ ପୁରୁଷ ସଂଜାତ
ସେ ଯୁବତୀ ରୂପ ଦେଖି ଅନାଦି ପୁରୁଷ
ମଦନ ଅସାଷ୍ଟମେ ସେ ହେଲେ କାମବିଶ
ବ୍ରହ୍ମଚର୍ଯ୍ୟ ଉଛୁଳିଣ ପଡ଼ିଲା ଭୂମିର
ଆଦିମାତା ରଜ ମିଶି ତାର ସଙ୍ଗତର
ସେ ମହାରେତକୁ କର ପଲ୍ଲବରେ ଘେନି
ନଖରେ ଚିରି ତାହାକୁ କଲେ ଭାଗ ତିନି
ମୃତ ସଞ୍ଜୀବନୀ ମନ୍ତ୍ର ପଢ଼ୁ ନିରାକାର
ଆମ୍ଭେ ତିନି ପୁରୁଷ ଯେ ହେଲୁ ଅବତାର
ଅନାଦିର ତିନିପୁତ୍ର ଆମ୍ଭେ ଅନୁପମ
ବ୍ରହ୍ମା ବିଷ୍ଣୁ ମହେଶ୍ୱର ଦେଲେ ଆମ୍ଭ ନାମ
ଈଶ୍ୱର ବୋଲି ମାତା ଗୋ ଯେଉଁ ପୁତ୍ର ଗୋଟି
ନିଜ ମାତାକୁ ହରିଣ ପାପେ ହେଲେ ଘାଣ୍ଟି
ମଦନରେ ଅସାଷ୍ଟମ ହୋଇ ପଶୁପତି
ନବ ସହସ୍ର ବରଷ ମାତା ସଙ୍ଗେ ମାତି
ତଦନ୍ତେ ଦେବତାମାନେ କଲେ ପରିତାପ
ଆହୋ ମହାଦେବ ମାତା ହରି କଲ ପାପ
ଦେବଙ୍କ ବଚନେ ହର କଲେ ତାଙ୍କୁ ତ୍ୟାଜା
ମାତାଙ୍କ ଛାଡ଼ି ପାଇଲେ ମନେ ମନେ ଲଜ୍ଜା
ମାତାଙ୍କୁ ହରଣ ଯହୁଁ କଲେ ତ୍ରିପୁରାରି
ଦେବେ ଛି ଛାକର କଲେ ଲାଜେ ଗଲେ ସରି
ଶୁଣ ଦେବକୀ ବୋଇଲେ ଦେବ ନାରାୟଣ
ମୋ ଛାମୁରେ ଆଦିମାତା ହେଲେ ବିଡ଼ମ୍ବନ
ମାତାଙ୍କ ଅନୀତି ମୁହିଁ ସହି ନ ପାରିଲି
ଅନେକ ଝିଙ୍ଘାସି ଆଦି ମାତାଙ୍କୁ ବୋଇଲି
ତୁମ୍ଭେ ଆଦି ମାତା ହୋଇ ହେଲ ଜ୍ଞାନଭ୍ରଷ୍ଟ
ଜାତକଲା ପୁତ୍ରଗୋଟି କଲ ପାପେ ନଷ୍ଟ
ସେ ବାଳୁତ ପୁଅ ତାର ହୋଇନାହିଁ ଜ୍ଞାନ
ତୁମ୍ଭେ ଜାଣୁ ଜାଣୁ କିପାଁ ହେଲ ହତଜ୍ଞାନ
ମୋର ପ୍ରାୟ ଉଦ୍ଧାରଣ ପୁତ୍ର ଉପୁଜିଲୁ
ଅନାଦି ପରା ସ୍ୱାମୀକି କିପାଁ ନ ଭଜିଲୁ
ବିଚାରିଲେ ତ ଏଥିରେ ନାହିଁ ତୋର ଦୋଷ
ଯୋନି ଯେ କରାଉଅଛି ଏସନ ଭବିଷ୍ୟ
ଏ ଯୋନି ଯୋଗୁଁ ଛାଡ଼ିଲ ତୁମ୍ଭେ ଜାତ ଲଜ୍ଜା
ଧିକ ସେ ଯୋନି ତୁମ୍ଭର କର ପରିତ୍ୟାଜା
ଯୋନି ନିଦ୍ରା କରୁ କରୁ ଅରଜିଲି ପାପ
ତେଣୁକରି ଆଦିମାତା ଦେଲେମୋତେ ଶାପ
ଆଦିମାତା ବୋଲେ ବିଷ୍ଣୁ ମନ୍ଦକୃତ୍ୟ କଲୁ
ଯୋନିଜାତ ହୋଇ କିପାଁ ଯୋନିକି ନିନ୍ଦିଲୁ
ଅନାଦି ଶକ୍ତିକି ନିନ୍ଦା କଲୁ ଅନିମିତ୍ତେ
ଯୋନିଜନ୍ମ ହୁଅ ଶତଜନ୍ମ ପରିଯନ୍ତେ
ତୁମ୍ଭେ ଯୋନି ନିନ୍ଦାକଲ ଆହେ ବିଷ୍ଣୁ ନାଥ
ଜନମ ମରଣ ଲଭ ମର୍ତ୍ତ୍ୟେ ହୋଇ ଜାତ
ଯାବତ ଥିବ ସଚରାଚର ଏ ମେଦିନୀ
ତାବତ ଜନ୍ମ ମରଣେ ହେଉଥିବ ଭ୍ରମି
ପ୍ରଭାତ ମଧ୍ୟାହ୍ନ ସନ୍ଧ୍ୟା ଏମନ୍ତ ତ୍ରିକାଳ
ବ୍ରହ୍ମାର ଦିବସେ ଜାତ ହେବୁଁ ତିନିବେଳ
ଶୁଣ ଆଗୋ ମାତା ପୂର୍ବୁ ଅଛି ଏହି ବିଧି
ଆଦିମାତା ଶାପ କାହୁଁ ହୋଇବ ଅସିଦ୍ଧି
ଏତେ କହି ଅନ୍ତର୍ଦ୍ଧାନ ହେଲେ ଜଗନ୍ନାଥ
ପୁଣି ଦେବକୀ ଦେବୀ ଯେ ନିଦ୍ରାରେ ମୋହିତ
ବିଷ୍ଣୁ ମାୟାରେ ମୋହିତ ହୋଇଲେକ ପୁଣ
ମୋହଗତ କରାଇଲେ ଦେବ ନାରାୟଣ
ପ୍ରତ୍ୟକ୍ଷେ ଯେଉଁ ଚରିତମାନ ଦେଖୁଥିଲା
ଦଇବୀ ମାୟାରେ ତାହା ପୁଣି ପାସୋରିଲା
ଜୟ ନୀଳାଚଳବାସୀ ଜଗତଜୀବନ
ପୂତନା ଶକଟା କଂସ କେଶୀ ନିସୂଦନ
ଠୁଳ ବ୍ରହ୍ମା ନିରାକାର ଅଜ ବିଶ୍ୱବାସ
ଗୋପିକା ହୃଦୟ ହ୍ରଦ ଖେଳା ରାଜହଂସ
ରାଧାମୁଖ ପଦ୍ମ ବିକାଶକ ପୂର୍ଣ୍ଣ ଇନ୍ଦୁ
ଅରକ୍ଷ ରକ୍ଷଣକାରୀ ଦୀନଜନବନ୍ଧୁ
କୁରୁକୁଳ ବିଧ୍ୱଂସନ ବିଶ୍ୱରୂପଧାରୀ
ନବ ଜଳଧର ଶ୍ୟାମ ମୋହନ ମୁରାରି
ଦେବଦୈତ୍ୟ ନ ଜାଣନ୍ତି ପ୍ରଭୁ ତୁମ୍ଭ ମାୟା
ଜଗତେ ଘୋଟଇ ଯେହ୍ନେ ଜଳଧର ଛାୟା
ସେ ମାୟାପାଶରେ ସ୍ୱାମୀ ନ ପକାଅ ମୋତେ
ମୁଁ ଦୀନ ଅଚ୍ୟୁତ ଦାସ ମାଗୁଅଛି ଏତେ

ଦେବକୀର ଅଷ୍ଟମ ଗର୍ଭ ସଞ୍ଚାର ଓ କଂସର ଅଦ୍ଭୁତ ସ୍ୱପ୍ନ ଦର୍ଶନ

[ସମ୍ପାଦନା]

ଏଥିୁ ଅନନ୍ତରେ ଶୁଣ ପରୀକ୍ଷିତ ରାଜା
ଦେବକୀ ବସୁଦେବର ହେଲା ଏକଶଯ୍ୟା
ବିଧାତାର ନିର୍ମାଣ ଯେ ପୂର୍ବର ଲିଖନ
ଯା ହେବାର ହେବ କେଭେ ନ ହୋଇବ ଆନ
ବିହନ୍ତା ପୁରୁଷ ଯାହା ଅଛନ୍ତି ଭିଆଇ
କାହାରବଳେ ସେ କଥା ଆନ କି ହୁଅଇ
ସଞ୍ଚିତ କର୍ମମାନେ ସେ କେଭେ ଆନ ନୁହେଁ
ପୁଣ ଦେବକୀ ଦେବୀ ଯେ ଗର୍ଭବାସ ହୁଏ
ଦିନୁଦିନ ଶରୀର ତା ହୋଇଲା ଆଳସ୍ୟ
ଦଇବର ଘଟସୂତ୍ର ଯେମନ୍ତ ଭବିଷ୍ୟ
ସକଳ ବ୍ରହ୍ମାଣ୍ଡ ଯେହୁ ଗର୍ଭେ ଛନ୍ତି ବହି
ସେ ବିଷ୍ଣୁ ଆସି ଦେବକୀ ଗର୍ଭ ମଧ୍ୟେ ରହି
ତେଣୁ ଦିଶିଲେ ଦେବକୀ ଦେବୀ ଦିବ୍ୟଶୋଭା
ଆଦିତ୍ୟର ତେଜ ପ୍ରାୟ ବିକାଶଇ ଆଭା
ବେଭାରେ ରାଜଦୁହିତା ସୁକୁମାରୀ ଜେମା
ଆଳସ୍ୟ ଯୋଗୁଁ ସୁନ୍ଦରୀ ଦିଶେ ଅନୁପମା
ଶ୍ରୀବିଷ୍ଣୁ ଯହୁଁ ତାହାର ଗର୍ଭେ କଲେ ବାସ
ପୂର୍ବ ପୁତ୍ରକଷ୍ଟ ଛାଡ଼ି ହୋଇଲା ହରଷ
ଦେବକୀ ମନ ମୋହିଲେ ପ୍ରଭୁ ଲକ୍ଷ୍ମୀପତି
ମକର ମାସରେ ଦେବୀ ହେଲେ ଗର୍ଭବତୀ
ମକର ଆଦ୍ୟେ ଦେବକୀ ଦେବୀ ରଜ କ୍ଷରି
ମେଷ ମାସ ପ୍ରବେଶରେ ହେଲା ମାସ ଚାରି
ଦେବକୀ ଦେବୀର କ୍ରମେ ବଢ଼ିଲା ଉଦର
ବଦନ୍ତି ଯେ ଶୁକମୁନି ଶୁଣ ନୃପବର
କଂସରାଜା ଆଗେ ଯାଇ କହନ୍ତି ଡଗର
ସାବଧାନେ ଶୁଣ ଭୋଜ ନୃପତି ଶେଖର
ଦେବକୀର ଗର୍ଭକଥା ଜଣାଉ ଆସ୍ଥାନେ
ଶୁଣ ତାହା ନୃପତି ତୁ ହୋଇ ସାବଧାନେ
ମାଘ ତ୍ରୟୋଦଶୀ ଦିନ ଋତୁସ୍ନାନ କଲା
ମେଷ ପ୍ରବେଶକୁ ଚାରିମାସ ତ ହୋଇଲା
ଷଡ଼ପୁତ୍ର ଆଣି ଦେଲା ତୁମ୍ଭଙ୍କୁ ସେ ଯାଚି
ଦେଢ଼ମାସର ପୁତ୍ରକେ ଗର୍ଭୁ ଯାଇଅଛି
ଏବେ ଆସି ଗର୍ଭ ତାର ହେଲା ମାସ ଚାରି
ଏଥକୁ କେବଣ ଆଜ୍ଞା ଦିଅ ଦଣ୍ଡଧାରୀ
ଏତିକିରେ ସମାପତ ହେବ ଗର୍ଭକଷ୍ଟ
ଏହିଠାରୁ ଗଲା ତାର ଜାଣ ଗର୍ଭଅଷ୍ଟ
ଶୁଣ ତୁମ୍ଭେ ସାବଧାନେ ନୃପ ଭୋଜରାଜ
ଜାଣିଲୁ ଦେବକୀ ଗର୍ଭେ ଚାରିମାସ ଆଜ
ପରିଜନଙ୍କ ମୁଖରୁ ଶୁଣି କଂସରାୟେ
ଆତ୍ମାକୁ ଭୟ ଲାଗିଲା କମ୍ପଇ ତା କାୟେ
ଆସ୍ଥାନେ ବସିଣ ରାୟେ ବୋଇଲାକ ବାଣୀ
ଆମ୍ଭର ମନକୁ ଭୟ ଲାଗିଲାକ ପୁଣି
ଷଡ଼ପୁତ୍ର ତାର ଶିଳେ ପକାଇଲି ଛେଚି
ଏଥକୁ ମୋହର ମନେ ବିଷାଦ ଲାଗୁଛି
ଦଇବୀ ମାୟାରେ ଗର୍ଭ ହୋଇଲା କେମନ୍ତେ
ମନେ ଭ୍ରାନ୍ତି ଉପୁଜିଲା ଭୟ ଜାତ ଚିତ୍ତେ
ଛନ୍ନ ଛନ୍ନ ମୋର ଆତ୍ମା କାତର ହେଉଛି
ଅସାଷ୍ଟମ ହେଲି ଶୁଣି ଗର୍ଭନୋହୁ କିଛି
ଗତ ଆତ୍ମା ପ୍ରାୟ ଏବେ ହେଲା ମୋର ଦେହ
ଏଥିର ତଦନ୍ତ ମୋତେ ବିଚାରିଣ କହ
ମୋର ମନରେ ଏମନ୍ତ କଥାକଲି ସିଦ୍ଧ
ଥୋକାଏ ଦିନେ ପଡ଼ିବ ମୋର ପରମାଦ
ପୂର୍ବେ ନାରଦ ଆସିଣ କହିଛି ସମ୍ବାଦ
ଭଣଜା ହସ୍ତେ ତୋହର ଜାଣ ମୃତ୍ୟୁଭେଦ
ଦେଖି ମରିବୁ ନିଶ୍ଚୟ କହିଲି ଏ ଭେଦ
ଏ କଥାରେ ଆନ ତୁ ନ ବିଚାରିବୁ ହୃଦ
ସେ କଥାମାନ ତ ଦୃଶ୍ୟ ହେଉଅଛି ମୋତେ
ଏ କଥା ବିଚାର କର ଆସ୍ଥାନରେ ଯେତେ
ଭଣଜା ବିନା କେ ଆନ ନ ପାରଇ ଜିଣି
ପ୍ରତ୍ୟକ୍ଷେ କହିଅଛନ୍ତି ଯେ ନାରଦ ମୁନି
ତେଣୁ ଭଣଜାମାନଙ୍କୁ ମାଇଲି ସ୍ୱହସ୍ତେ
ସେ କେବେହେଁ ଆନ ହେବ ନାହିଁନା ପରତେ
ଆତ୍ମା ବଇରୀ ବୋଲି ମୁଁ ତାଙ୍କୁ ନ ଛାଡ଼ଇ
ଜନମ ହେବା ମାତ୍ରକେ ଶିଳେ କଚାଡ଼ଇ
ଛପୁତ୍ର ମାଇଲି ପୁତ୍ରେ ସଂକ୍ରମିଣ ଗଲା
ଏମନ୍ତେ ସାତପୁତ୍ର ମୋ ଗଣନାରେ ହେଲା
ଏବେହେଁ ପୁଣି ହୋଇଲା ଅଷ୍ଟଗର୍ଭ ଯୋଗ
ଯେ ଯାହା ଖଞ୍ଜରେ ରହି ନିର୍ବନ୍ଧେଣ ଜଗ
ଏ ପୁତ୍ରକୁ ବଧକଲେ ଯିବ ମୋର ଭ୍ରାନ୍ତି
ନିର୍ବନ୍ଧ କରିଣ ସର୍ବେ ଜଗିବ ଏ ଘାନ୍ତି
ମୋତେ ଯାହାର ଶରୀରେ ନିଶ୍ଚେଁ ଅଛି ଭୟ
ନିରନ୍ତର ଜଗିଥିବ ନ କରି ସଂଶୟ
ଏ ପୁତ୍ରକୁ ନିବାରିଲେ ନାହିଁ ଆଉ ଚିନ୍ତା
ଆବର ତ୍ରୈଲୋକ୍ୟ ମୋତେ ନାହିଁ କେ ଜାଣନ୍ତା
ଯଦ୍ୟପି ଏ ପୁତ୍ରଗୋଟି ଉଛୁଡ଼ିଣ ଯିବ
ସର୍ବେ ଜାଣିଥାଅ ନିଶ୍ଚେଁ ସେ ମୋତେ ମାରିବ
ଆହେ ଅଷ୍ଟମଲ୍ଲ ତୁମ୍ଭେ ମୋର ପ୍ରାଣସଖା
ଯେ ଯାହାର ଯତ୍ନ କରି ରଖିଥିବ ଏକା
କେଶୀ ବୋଲେ ଦେବ ଛାଡ଼ ହୃଦୟରୁ ଭ୍ରାନ୍ତି
ଏ ପୁତ୍ରର କଥା ମୋତେ ଲାଗିଲା ଏ ଘାନ୍ତି
କେଶୀର ବଚନେ କଂସ ହରଷ ହୋଇଲା
ପ୍ରହରୀ ମାନଙ୍କୁ ରାଇ ପୁଣି ଆଜ୍ଞାଦେଲା
ଶୁଣ ହେ ପ୍ରହରୀମାନେ ସର୍ବେ ମୋର ବାଣୀ
ପଥର ଘରେ ଦେବକୀ ବେଗେ ଭର ଆଣି
ଯେ ଯାହା ପାଳିରେ ଯତ୍ନେ ଜଗିବ ପ୍ରହରା
ରବି ଅସ୍ତେ କରୁଥିବ ବାଟେ ଲୋକ ଧରା
ଯାହାର ଶରୀରେ ସଦା ମୋତେ ଭୟ ଅଛି
କ୍ଷୁଧା ତୃଷ୍ଣା ନିଦ୍ରା ଛାଡ଼ ଜଗ ମୁଁ କହୁଛି
ହେଳାରେ କରିବ ଯେହୁ ମୋ ଆଜ୍ଞା ଲଙ୍ଘନ
ନିଶ୍ଚୟ କରିବି ମୁହିଁ ତା ଶିର ଛେଦନ
ଏତେ ବୋଲି ଧନରତ୍ନ ଭଣ୍ଡାରୁ ଅଣାଇ
ସନମାନ କଲା ତାହା ପ୍ରହରୀଙ୍କୁ ଦେଇ
କଂସ ଆଜ୍ଞା ପ୍ରମାଣେ ସେ ଗଲେ ଧାତିକାରେ
ଦେବକୀ ବସୁଦେବକୁ ଭରି ବନ୍ଦୀଘରେ
ବଜ୍ରହୁଁ କଠିନ କରି କିଳିଲେ କବାଟ
ପିମ୍ପୁଡ଼ି ଗଳିବାପାଇଁ ନ ରହିଲା ବାଟ
ଜଗିଲେ ସକଳେ ରହି ଯେ ଯାହା ଖଞ୍ଜରେ
ଅଶ୍ୱାରୋହୀ ଯୋଦ୍ଧାଗଣେ ଜଗିଲେ ବାହାରେ
ରାଉତକୁ ଆବୋରିଲେ ମଦମତ୍ତ ହସ୍ତୀ
ତଦନ୍ତେ ରହିଲେ ପୁଣି ରଥୀ ମହାରଥୀ
ବଜ୍ରରୁ ନିବାଡ଼ ଗଡ଼ ନ ପଶଇ ମାଛି
ଆକାଶରେ ଉଡ଼ି ଯାଇ ନ ପାରନ୍ତି ପକ୍ଷୀ
ରାତ୍ର ଦିବସରେ ଜଗି ରହିଲେ ପାହାରୀ
ଯେ ଯାହାର ଖଞ୍ଜା ପାଳିମାନଙ୍କୁ ଆବୋରି
ଦିନକୁ ଦିନ ଯେ ଆଦି ଉପାଧି ବାରତା
କଂସଆଗେ କହୁଛନ୍ତି ଯାଇ ସର୍ବକଥା
ବଦନ୍ତି ଯେ ଶୁକମୁନି ଶୁଣ ତୁ ରାଜନ
କକଡ଼ା ମାସରେ ଅମାବାସ୍ୟା ଚନ୍ଦ୍ରବାର
ପୁନର୍ବସୁ ନକ୍ଷତ୍ର ଯେ ଭୋଗ ସେ ଦିନର
ଚନ୍ଦ୍ରଶାଳାପୁରେ କଂସରାଜା ଶୋଇଥିଲା
ରାତ୍ର ଅର୍ଦ୍ଧମାନେ ସେ ଯେ ସ୍ୱପନ ଦେଖିଲା
ଜରାସନ୍ଧ ସୁତା ହେତି ପ୍ରହେତି ଯେ ରାଣୀ
କଂସର ଯେ ପ୍ରିୟବତୀ ଅଟନ୍ତି ସେ ବେନି
ଶୁଭ୍ରକେଶୀ ସୁନ୍ଦରୀ ସେ ଚାରୁ ଅନୁପମା
ନାହିଁ ତାଙ୍କୁ ପଟାନ୍ତର ଯେତେ ରାଜଜେମା
ହେତି ନାମେ ଯେଉଁ ନାରୀ ସେ ସୁବେଶ ହୋଇ
କଂସ ରାଜାର ପାଖରେ ଥିଲା ରାତ୍ରେ ଶୋଇ
ଏମନ୍ତ ସମୟେ କଂସ ଦେଖିଲା ସ୍ୱପନ
ଆପଣାର ଅନ୍ତର୍ଗତେ ଭାଳଇ ରାଜନ
ସୁସଙ୍ଗରେ ସୁଶଯ୍ୟାରେ କୁମନ୍ତ୍ରଣା ବୁଦ୍ଧି
ଏକାବେଳେ ଚାରିକଥା ଦେଖେ ନୃପନିଧି
ସ୍ୱପନ ଦେଖିଲା ବେଳୁ ନ ମାଡ଼ଇ ନିଦ
ବାହାର ଅବକାଶରେ ବିଜେ ମନେ ଖେଦ
ପାତ୍ର ମନ୍ତ୍ରାମାନଙ୍କୁ ସେ କତିରେ ବସାଇ
ଗାର୍ଗ୍ୟ ମହାଋଷିଙ୍କୁ ସେ ଆଣେ ହକରାଇ
ମୁନି ଦେଖି ସନମାନ ଗଉରବ କରି
ପଚାରଇ ଆଶ୍ୱାସନା କରି ଦଣ୍ଡଧାରୀ
ଭୋ ମୁନିବର ଗାର୍ଗ ତୁ ମୋ ଇଷ୍ଟଦେବତା
ତିନି ଭୁବନେ ବିଦିତ ତୋହର ଯେ କଥା
ଯଦୁ ଭୋଜବଂଶେ ମୁହିଁ ଅଟେ ଶିରୋମଣି
ମୋ ଇଷ୍ଟଦେବତା ତୁହି ସଂସାର ବରଣି
ସନ୍ଦେହ କଥାଏ ତୋତେ ପଚାରିବି ଯାହା
ଉପ୍ରୋଧ ନ ରଖି ମୋତେ କହିବୁ ତୁ ତାହା
ଭୋ ମୁନି କାଲି ରଜନୀ ରାତ୍ର ଅର୍ଦ୍ଧମାନେ
ଶୟନେ ପଲ୍ୟଙ୍କେ ଯାହା ଦେଖିଲି ସ୍ୱପନେ
ମୁହିଁ ତୋହ ଆଗେ ତାହା କହିବଇଁ ଫେଡ଼ି
ସ୍ୱପ୍ନ ହାନି ଲାଭ ଶୁଣି ଭ୍ରାନ୍ତି ଯିବ ଛାଡ଼ି
ମୋହର ଜ୍ୟେଷ୍ଠ ଭଗିନୀ ଦେବକୀ ଯେ ବାମା
ବସୁଦେବର ଅଟଇ ପ୍ରିୟା ମନୋରମା
ଇନ୍ଦୁମତୀ ରାଣୀ କଲା ଆମ୍ଭଙ୍କୁ ଜନମ
ଦଇବ ଯୋଗୁଁ ଆମ୍ଭର କର୍ମ ହେଲା ବାମ
ଏସନକ ମନ୍ଦକର୍ମ ପୂର୍ବାଜିତ ଦୋଷ
ନିଜ ଭଣଜାର ହସ୍ତେ ହେବି ପ୍ରାଣେ ନାଶ
ଦେବକୀ ବସୁଦେବକୁ ରଖି ବନ୍ଦିଘରେ
ସୈନ୍ୟ ଜଗାଇ ରଖିଛି ଅନେକ ଯତ୍ନରେ
ଦେଖିଲି ଆଜ ଏମନ୍ତ ସ୍ୱପନ ବିକାର
ଅଦଭୂତେ ବସୁଦେବ ହୋଇଲା ବାହାର
ଯେବଣ ପୁତ୍ର ଦେବକୀ ଜନ୍ମ ତହିଁ କଲା
ମହା ନିଶାକାଳେ ଘେନି ବସୁଦେବ ଗଲା
ଏମନ୍ତ ସ୍ୱପନ ଆଜ ଦେଖିଲି ଏ ନିଶି
ଏଥିରେ ତଦନ୍ତ କଥା ବିଚାରି କହସି
ଗାର୍ଗ୍ୟ କହିଲେ ଭୋ ରାଜା ଶୁଣ ସାବଧାନେ
ଏଥୁ ବଡ଼ ବଡ଼ କଥା ଦେଖନ୍ତି ସ୍ୱପନେ
ସ୍ୱପନେ ଦେଖିବ ଯାହା ସେ କି ହୋଏ ସତ
ଉଦ୍‌ଯୋଗ ନ କଲେ କାର୍ଯ୍ୟ ବିଫଳ ଯେମନ୍ତ
ବାଟରେ ପ୍ରାପତ କାହିଁ ହୋଏ ଅଷ୍ଟନିଧି
ଅସାଧ୍ୟ ବିଦ୍ୟାକୁ କେହି ପାରଇ କି ସାଧି
ନିଶୁଣୀ ଲଗାଇ କେହି ସ୍ୱର୍ଗେ ଯାଇପାରି
ଭେଳାରେ ଯାଇ କି ସାତ ସମୁଦ୍ରକୁ ତରି
ଫାନ୍ଦ ପାତିଲେ ବନ୍ଦିରେ ପଡ଼େ କି ପବନ
ଦୁର୍ଲ୍ଲଭ ପରେ ଦୁର୍ଲ୍ଲଭ ଏ ମାନବ ଜନ୍ମ
ଧାର୍ମିକ ମହାପଣ୍ଡିତ ଅଟୁ ମହାରାୟ
ସ୍ୱପନ କଥାକୁ କିପାଁ ଏଡ଼େ ତୋର ଭୟ
ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତୁ କଉତୁକେ ଜିଣୁ
ପଣ୍ଡିତ ଅଭିଜ୍ଞ ହୋଇ ଯିସ ତିସ ଶୁଣୁ
ଗାର୍ଗ୍ୟ କହିଲେକ ଯହୁଁ ଏସନକ ବାଣୀ
ଇଦଂ ପ୍ରତିବାକ୍ୟ କହେ କଂସ ନୃପମଣି
ଭୋଦେବ ଆଉ କଥାଏ ପଚାରିବା ଯାହା
ସ୍ୱପ୍ନ ହାନି ଲାଭ କହ ବିଚାରିଣ ତାହା
ଯେଉଁ ସ୍ୱପନ ଦେଖିଲେ ଯେଉଁ ଫଳଶ୍ରୁତି
ତହିଁର ତଦନ୍ତ ମୋତେ କହ ମହାଯତି
ଭବିଷ୍ୟତ ସ୍ୱପ୍ନମାନ ଦେଖିଲି ଏ ରାତି
ଏଥିରେ ହୋଇବ ମୋତେ କେଉଁ ଫଳଶ୍ରୁତି
ବଦୟନ୍ତି ମହାବ୍ରହ୍ମବେତ୍ତା ଗାର୍ଗ୍ୟ ଯତି
ଶୁଣ ତୁମ୍ଭେ ସାବଧାନେ କଂସ ନରପତି
ବ୍ରହ୍ମାନନ୍ଦନ ବଶିଷ୍ଠ ନାମେ ମହାଋଷି
ସେହି ମୋତେ ସ୍ୱପ୍ନକଥା କହିଲେ ବିଶେଷି
ବଶିଷ୍ଠ ପୁରାଣେ ଅଛି ଯେବଣ ଭିଆଣ
ଯେଉଁ ସ୍ୱପନ ଦେଖିଲେ ଯେ ଫଳ ପ୍ରମାଣ
ଯେବଣ ସ୍ନପ୍ନ ଦେଖିବ ପ୍ରଥମ ପ୍ରହରେ
ତହିଁ କିଛି ହାନି ଲାଭ ନ ହୁଏ ବିଚାରେ
ରାତ୍ର ଦ୍ୱିତୀୟ ପ୍ରହରେ ଯେ ସ୍ୱପ୍ନ ଦର୍ଶନ
ପୁଣି ନିଦ୍ରାଗଲେ ଜାମ ସେହି ଅକାରଣ
ତୃତୀୟ ପ୍ରହର ଅନ୍ତେ ଯେଉଁ ସ୍ନପ୍ନ ଦେଖି
ତହିଁର ଯେ ହାନିଲାଭ ପ୍ରାପ୍ତ ହୋଏ ଦେଖି
ସୁଲଭ ଦେଖିଲେ ବେଗେ ଉଠିଣ ବସିବ
ପିନ୍ଧିଲା ବସ୍ତ୍ର ପାଲଟି ତଳେ ପକାଇବ
ଶଯ୍ୟା ଛାଡ଼ିଣ ବସିବ ଆସନକୁ ମାଡ଼ି
କର ଚରଣ ପଖାଳି ବାଳଗଣ୍ଠି ଫେଡ଼ି
ଶ୍ରୀବିଷ୍ଣୁ ପ୍ରସାଦ ଆଣି ଘେନିବ ମଥାରେ
ରଜନୀ ପ୍ରଭାତେ ସ୍ନାନ କରିବ ଜଳରେ
ଫଳ ଏକ କରେ ଘେନି ଯିବ ଦେବଆଳେ
ସାଷ୍ଟାଙ୍ଗ ହୋଇ ପଡ଼ିବ ବିଷ୍ଣୁ ପାଦତଳେ
ନିଶିରେ ସ୍ୱପନ ଗୋଟା ଦେଖିଥିବ ଯାହା
ଦେବତା ଆଗେ କହିବ ଫେଡ଼ି ଶୁଣ ତାହା
ପଣ୍ଡିତ ବା ପ୍ରିୟଲୋକ ଦେଖିବ ଯାହାକୁ
ସ୍ୱପ୍ନ କଥାମାନ ଫେଡ଼ି କହିବ ତାହାଙ୍କୁ
ଅପ୍ରିୟ ଅସହଣୀ ଯେ କୁଟିଳ ଯା ବୁଦ୍ଧି
ତା ଆଗରେ ନ କହିବ ସ୍ୱପ୍ନ ଯଥାବିଧି
ଏମନ୍ତ କହିବ ଦେଖି ମଙ୍ଗଳ ସ୍ୱପନ
ଲଭଇ ସେ ରାଜଲକ୍ଷ୍ମୀ ବଢ଼େ ଧନଧାନ୍ୟ
ଯେବେ ମନ୍ଦସ୍ୱପ୍ନ ପ୍ରାଣୀ ଦେଖିବ ଅଶୁଭ
ସେ ସ୍ୱପ୍ନ ମନେ ନ କରି ନିଦେ ଘୁମାଇବ
ଯାହା କି ଦେଖି ତାହା ପାସୋରିବ ଢାଳେ
ବିଷ୍ଣୁ ବିଷ୍ଣୁ ବୋଲି ପାଣି ସିଞ୍ଚିବ ଶଯ୍ୟାରେ
ଯେ ସ୍ୱପ୍ନରେ ଯେଉଁ ଫଳ ଲଭଇ ତା ଶୁଣ
କହୁଛନ୍ତି କଂସ ଆଗେ ଗାର୍ଗ୍ୟ ତପୋଧନ
ସ୍ୱପ୍ନରେ ଦେଖିଲେ ମେଢ଼ ମଣ୍ଡପ ଜଗତୀ
ଦେଉଳ ପ୍ରସାଦ ଆଦି ଅଟ୍ଟାଳିକା ଛତ୍ରୀ
ଉଚ୍ଚ ଆସନ କଳସ ବାସ ଚକ୍ର ଧ୍ୱଜା
ଏ ସ୍ୱପ୍ନ ଦେଖିଲେ ଜାଣ ପାଇ ରାଜପୂଜା
ସ୍ୱପନରେ ଶିରଶ୍ଥଦ ଦେଖନ୍ତି ଯେ ପ୍ରାଣୀ
ପାଆନ୍ତି ସେ ରାଜଲକ୍ଷ୍ମୀ ନୃପ ସମ ଜାଣି
ସ୍ୱପନେ ଯାହାର ଦେହ ହେବ ଅସ୍ତ୍ରାଘାତ
ଅଳପ ଦିନେ କାଞ୍ଚନ ମିଳଇ ବହୁତ
ସ୍ୱପ୍ନେ ମତ୍ତହସ୍ତୀ ଯାକୁ ପ୍ରହାରଇ ଦନ୍ତେ
ପୁତ୍ର ପ୍ରାପ୍ତ ହୁଏ ତାକୁ ବରଷକ ଅନ୍ତେ
କାଳ ସର୍ପ ଆସି ଯାକୁ ଦଂଶଇ ସ୍ୱପନେ
ସୁନା ନୋଳି ରୂପେ ବଳା ପାଇ କିଛିଦିନେ
ସ୍ୱପନରେ ଜାଣ ଯେହୁ ଜଳେ ମରେ ବୁଡ଼ି
ଶରୀରୁ ସକଳ ବ୍ୟାଧିମାନ ଯାଏ ଛାଡ଼ି
ସ୍ୱପନେ ଅନଳେ ଯାର ଦଗ୍‌ଧ ହୁଏ କାୟେ
ପାଇବ ଉତ୍ତମ ଗ୍ରାସ ଜୀବ ଥିବା ଯାଏ
ସ୍ୱପନରେ ଯେଉଁ ନର ରହେ ବନ୍ଦିଘରେ
ପାଇବ ବିଶେଷ ଯୋଗା ଛମାସ ଭିତରେ
ଯେଉଁ ପ୍ରାଣୀ ସ୍ୱପନରେ ପାଇ ପଥଶ୍ରମ
ନିଶ୍ଚେଁ ତାହାକୁ ପ୍ରପାତ ହୁଏ ସବୁ ଧର୍ମ
ସ୍ୱପନରେ ନିଜଗୃହ ପୋଡ଼ିଯାଏ ଯାର
ନିଶ୍ଚେଁ କୁଷ୍ଠବ୍ୟାଧି ହେବ ତାହାର ଶରୀର
ଗନ୍ଧ ଚନ୍ଦନ କସ୍ତୁରୀ ଲିପନ୍ତି ଯା ଅଙ୍ଗେ
ତାମ୍ବୁଳ ଭୁଞ୍ଜି ବସନ୍ତି ନୃପତିଙ୍କ ସଙ୍ଗେ
ଶରୀରେ ତାଙ୍କର ବର୍ଦ୍ଧମାନ ହୁଏ ରୋଗ
ନିଶିରେ ସ୍ୱପ୍ନେ ଦେଖିଲେ ଏହି ଫଳ ଭୋଗ
ଘୃତ ବ୍ୟଞ୍ଜନ ସଙ୍ଗତେ ଯେହୁ ଅନ୍ନ ଭୁଞ୍ଜି
କୁଣ୍ଡୁ ବ୍ୟାଧିରେ ଶରୀର ହୁଏ ତାର ଗଞ୍ଜି
ଶାଢ଼ୀ ସୁନାବଳା ପିନ୍ଧି ଫେରୁ ଆରୋହିଣ
କିଛିଦିନେ ନିଶ୍ଚେଁ ତାକୁ ହୋଇବ ମରଣ
ସ୍ୱପନେ ଧନ ପ୍ରାପତ ହୋଇବ ଯାହାକୁ
ଦରିଦ୍ର ବାଧା ଲାଗଇ କହୁଁ କହୁଁ ତାକୁ
ସ୍ୱପନେ ଯେବଣ ପ୍ରାଣୀ ପାନ୍ତି ରାଜପୂଜା
ଅବଶ୍ୟ ମରଇ ତାର ପ୍ରିୟବତୀ ଭାର୍ଯ୍ୟା
ଗର୍ଦ୍ଦଭ ବାହନେ ଯେହୁ ଗମନ୍ତି ସ୍ୱପନେ
ନାସା ଛେଦନ ଅବଶ୍ୟ ହୁଏ ତିନିଦିନେ
ନିଶିରେ ଯେବଣ ପ୍ରାଣୀ ଦେଖନ୍ତି ସ୍ନପନ
ନିଦ୍ରାରେ ମୁଖ ଦେଖଇ ଧରିଣ ଦର୍ପଣ
ବହୁତ କଷ୍ଟ ପାଇବ ସେହି ଅଳ୍ପଦିନ
ଚକ୍ଷୁ ହୀନହିଁ ବଧିର ହୁଏ ତାର କାନ
ସ୍ୱପନରେ କଳିକରି ହାରନ୍ତି ଯେ ସଭା
ସୁନ୍ଦରୀ କନ୍ୟା ଅଳପ ଦିନେ ହ୍ୱନ୍ତି ବିଭା
ସୁବର୍ଣ୍ଣ ପାତ୍ରେ ପିଅଇ ଯେହୁ ହାତେ କ୍ଷୀର
ଅଜୀର୍ଣ୍ଣ ମନ୍ଦାଗ୍ନି ରୋଗ ଜାତ ତା ଶରୀର
ଶୁକ୍ଳବସ୍ତ୍ର ପିନ୍ଧି ଯେହୁ ଦେବପୂଜା କରି
ଅବଶ୍ୟ ମିଳିବ ତାକୁ ଅଇଶ୍ୱର୍ଯ୍ୟ ଶିରୀ
ସ୍ୱପନେ ଅଙ୍ଗ ଯାହାର କାଟେ ଲୁହା ଅସ୍ତ୍ର
ଅବଶ୍ୟ ତାକୁ ପ୍ରାପତ ହେବ ଯାନ ଛତ୍ର
ଉଚ୍ଚ ଆସନେ ବସି ଯେ କରଇ ରୋଦନ
ବିଦେଶରେ ଥିବା ଶତ୍ରୁ ଆସଇ ସେ ଦିନ
ସ୍ୱପନେ ବ୍ରାହ୍ମଣ ଯାକୁ କରଇ ଆଶିଷ
ରାଜ ଗ୍ରହପୀଡ଼ା ତାକୁ ହୋଇବ ଅବଶ୍ୟ
ଗୀତ ଗାଇ କରନ୍ତି ଯେ ସ୍ତିରୀ ସ୍ୱପ୍ନେ ନାଟ
ଅଦ୍ଭୁତେ ତାହାର ହୋଏ ଜାଣ ପୁତ୍ରକଷ୍ଟ
ସ୍ୱପନେ ପଶା ଶକଟା ଜୁଆ ଯେହୁ ଖେଳି
ଅବଶ୍ୟ ବନ୍ଧୁ ସଙ୍ଗରେ ଲାଗେ ତାର କଳି
ସ୍ନପନେ କାଳସର୍ପ ଯେ ବାନ୍ଧଇ ଗଳାଏ
ପାଇବ ଅତୁଟ ଗ୍ରାମ ଜୀବ ଥିବାଯାଏ
ସ୍ନପନେ ଭୂଷଣ ଯାର ଶରୀରେ କନକ
ତାକୁ ହାନି ଅପଚୟ ପଡ଼ଇ ଅନେକ
ଯେତେକ ଶୁକ୍ଳ ପଦାର୍ଥ ଦେଖିବ ସେ ଶୁଭ
ପାଉଁଶ କପାଳ ଅସ୍ଥି ଛାଡ଼ି ତିନି ଦ୍ରବ୍ୟ
ଯେତେ କଳା ଦ୍ରବ୍ୟ ସ୍ୱପ୍ନେ ଦେଖିବ ଅଶୁଭ
ପରବତ ମେଘ ଭୂମି ଛାଡ଼ି ତିନି ଦ୍ରବ୍ୟ
କୁତ୍ସିତ ସ୍ୱପ୍ନ ଦେଖିଲେ ପୁଣି ଯିବ ନିଦ୍ରା
ଖଣ୍ଡିବ ସକଳ ଦୋଷ ନ ଲାଗିବ ବାଧା
ସୁସ୍ୱପ୍ନ ଦେଖି ଉନ୍ନିଦ୍ରେ ହେବ ଉଜାଗର
ଶୁଚି ହୋଇ କହିବ ତା ଦେବଙ୍କ ଆଗର
କଂସ ବୋଲେ ଦାନ ଧର୍ମ ଏଥକୁ କରିବା
ହୋମ ଯାଗ କରି ଦୋଷ ତହିଁର ଖଣ୍ଡିବା
ଗାର୍ଗ୍ୟ ବୋଇଲେରେ ବାବୁ ଶୁଣ ନୃପନିଧି
ଯେ ତୋହର ମନୋବାଞ୍ଛା କର ହେବ ସିଦ୍ଧି
ଶୂରବନ୍ତା ଶକତା ତୁ ଅଟୁ ମହାରାୟ
ତ୍ରଇଲୋକ୍ୟ ମଧ୍ୟେ ତୋର କାହାକୁ ଯେ ଭୟ
ବସୁଦେବ ପୁତ୍ର ତୋର କରିବେ ବା କିସ
ଅକାରଣ କଥାରେ ନ ପାଅ ତୁ ଅମର୍ଷ
ଅନ୍ତର୍ଗତରେ ବିଚାର କରନ୍ତି ସେ ମୁନି
କଂସର ନିମନ୍ତେ ଦେବେ ଅଛନ୍ତି ନିର୍ମାଣି
ମୁନିଙ୍କ ବଚନ ଶୁଣି ବୋଲେ କଂସରାୟେ
ଭୋ ମୁନି ଜଗିଅଛି ମୁଁ ଅଷ୍ଟଗର୍ଭ ଯାଏ
ନାରଦ ମୁନି କହିଲେ ମୋତେ ପୂର୍ବକଥା
ସେ କଥା ଶୁଣି ମୋହର ମନେ ପଡ଼େ ବ୍ୟଥା
ନାନାପ୍ରକାରେ ତା ପୁତ୍ର ପାରେ ଯେବେମାରି
ରବିତଳେ ମୋତେ କେହି ନୋହିବେକ ସରି
ଦେବ ଦାନବଙ୍କୁ ଅଛି ସମରେ ମୁଁ ଗଞ୍ଜି
ଅକଣ୍ଟକ ହୋଇବି ମୁଁ ଶତ୍ରୁ ଗଲେ ଭାଜି
ଏତେ କହିଣ ସେ କଂସାସୁର ମହାବଳୀ
ବୋଲେ ଭଗ୍ନୀଭିଣୋଇଙ୍କୁ ଦିଅ ହେ ଶାଙ୍କୋଳି
ନିବିଡ଼ ଲୁହାର ଦଣ୍ଡ ଯତନେ ଖଞ୍ଜାଇ
ଦଶ ଦଶଗୋଟି କରି ଦିଅ ତାଙ୍କୁ ନେଇ
ରାଜା ଆଜ୍ଞାରେ କମାରମାନେ ଚଳିଗଲେ
ଦେବକୀ ବସୁଦେବଙ୍କ ଶାଙ୍କୋଳି ଗଢ଼ିଲେ
ବଳୟ ଲୁହାରେ ଦଣ୍ଡା ଗଢ଼ି ଖଞ୍ଜା ମୋଟା
ସେ ପତି ପତ୍ନୀଙ୍କୁ ଦେଲେ ଦଶ ଦଶ ଗୋଟା
କହନ୍ତି ପରୀକ୍ଷ ଆଗେ ଶୁକ ମହାମୁନି
ଏମନ୍ତ ଦୁଃଖ ପାଇଲେ ପତି ପତ୍ନୀ ବେନି
ପୂର୍ବହୁଁ ବିଧାତା ଯାହା କରିଛି ନିର୍ମାଣ
କେ ତାହା ଅନ୍ୟଥା ଏବେ କରିବାକ ପୁଣ
ସଂସାରର ଖେଳ ଜଗନ୍ନାଥଙ୍କ ରଚନା
ଆର୍ତ୍ତକାଳେ ସୁମରିଲେ ହ୍ୱନ୍ତି ବଜ୍ରସେହ୍ନା
ସେ ପ୍ରଭୁଙ୍କ ପାଦପଦ୍ମ ନିବେଶି ମାନସ
କହଇ ଅଚ୍ୟୁତାନନ୍ଦ ଦାସ ହରିବଂଶ

ଦେବକୀର ଶାଙ୍କୁଳି ବନ୍ଧନେ ସର୍ବମଙ୍ଗଳା ସ୍ତୁତି

[ସମ୍ପାଦନା]

ପରୀକ୍ଷ ନୃପତି ଆଗେ ଶୁକ ତପୋଧନ
ବୋଲନ୍ତି କହିବା ନୃପ ଶୁଣ ଦେଇ ମନ
ଏ ରୂପରେ ଆଜ୍ଞାଦେଇ କଂସ ନରପତି
ନାରଦ ମୁନି ବଚନ ଭାଳି ପାଇ ଭୀତି
ଭାଳୁ ଭାଳୁ ତେର ଘଡ଼ି ହୋଇଲା ରଜନୀ
ଏକା ଅଷ୍ଟମଲ୍ଲ ଘେନି ଭାଳେ ଉଗ୍ରସେନୀ
ଆପଣା ପୁରକୁ ଗଲେ ଗାର୍ଗ୍ୟ ମହାଋଷି
କଂସବୋଲେ ମୋ ଛାମୁକୁ ଆସ ତୁହୋ କେଶି
ଷଡ଼ମନ୍ତ୍ରୀ ଅଷ୍ଟମଲ୍ଲ ମୋ ପାଖରେ ବସ
ଅମଙ୍ଗଳ ସ୍ୱପନ ତ କରିବା ହୋ କିସ
ଦେବକୀ ଅଷ୍ଟମ ଗର୍ଭ ସମାପତ ହୁଏ
ବେଳୁବେଳ ମନକୁ ମୋ ଲାଗେ ବଡ଼ ଭୟେ
କେଶୀମୁଖ ଚାହିଁ ପୁଣି ବୋଲେ ନୃପନାହା
ଏ ଗର୍ଭକୁ କେଶୀ ମୋତେ ହୋଇଥିବ ସାହା
ବସୁଦେବ ଦେବକୀ ଏ ନ ପାରନ୍ତି ଚଳି
ଦେଇଆସ ବଜ୍ରଦଣ୍ଡ ଲୁହାର ଶାଙ୍କୋଳି
ହୁଳା ଦିହୁଡ଼ି ପ୍ରଦୀପ ଜାଳି ନିରନ୍ତରେ
ରଜନୀ ହୋଇଲେ ରଜ୍ଜୁ ବାନ୍ଧିବ ନିର୍ଭରେ
ଜଗିବ ସମସ୍ତେ ତୁମ୍ଭେ ଦେଇଣ ପହରା
ପିମ୍ପୁଡ଼ି ଗଲେ ଯେସନେ ପଡ଼ିବଟି ଧରା
ମଥୁରା କଟକଯାକ କରିବ ମୁରାଟ
ପ୍ରଥମ ସନ୍ଧ୍ୟାରୁ କେହି ନ ଚାଲିବେ ବାଟ
ଜାଣି ନ ଜାଣି ଯେ ଘରୁ ହୋଇବ ବାହାର
କ୍ଷଣେ ନ ରହିବ ଶିର ଛେଦିବ ତାହାର
ଜନ ଗହଳ ନଗ୍ରରେ ନ ଶୁଭିବ କିଛି
ତଇଳ ଭିତରେ ଯେହ୍ନେ ପଡ଼େ କୀଟମାଛି
ବନ୍ଦିଘର ଆବୋରିବ ଅନିଦ୍ରାରେ ରାତି
ଡେମ୍ଫ ନାଗରା ବଜାଉଥିବ ଚଉକତି
ସୂଚି ମାଛି ପରୀକ୍ଷ ଯେ ହେବ କ୍ଷଣେ କ୍ଷଣେ
ନିର୍ବନ୍ଧରେ ଜଗି ବସିଥିବ ଜଣେ ଜଣେ
ଉଗ୍ରସେନକୁ ହକାରି ବୋଲେ କଂସରାୟ
ଭୋ ପିତା ତୋହର ଯେବେ ଅଛଇ ସଦୟ
ଏ ପୁତ୍ର ବିନାଶ ହେବାଯାଏ ଯେବେ ଜଗି
ତେବେ ପିତା ସିନା ହେବି ସମ୍ପଦ ବିଭୋଗୀ
ରାତ୍ର ଦିବସରେ ଜାଣ ଥିବ ଉଜାଗର
ତୁମ୍ଭଠାରୁ ବିଶ୍ୱାସୀ କେ ନାହିଁ ନା ମୋହର
ଉଗ୍ରସେନ ବୋଲେ ବାବୁ ନ କହ ତୁ ମୋତେ
ତୋରଆଜ୍ଞା ଭ୍ରଷ୍ଟ ମୁହିଁ କରିବି କେମନ୍ତେ
ଏଥୁ ଅନନ୍ତରେ କେଶୀ ଧାତିକାରେ ଗଲା
ଦେବକୀ ବସୁଦେବଙ୍କୁ ଆକଟେ ରଖିଲା
ପାଷାଣ ବନ୍ଦିଘରକୁ ଜଗିଲା ଯତନେ
ରାତ୍ର ଦିବସେ ପହରା ଦେଇ ଅନୁକ୍ଷଣେ
ପଞ୍ଚାଶ କୋଟି ସଇନ୍ୟ ଚତୁରଙ୍ଗ ଥାଟ
ଖଞ୍ଜା ମୂଳକୁ ଆବୋରି ଜଗି ସର୍ବବାଟ
ବେଳଦଣ୍ଡେ ଥାଉଁ ସର୍ବେ ଗୃହକର୍ମ ସାରି
ଘରେ କବାଟ କିଳନ୍ତି ପୁର ନରନାରୀ
ଘର ଭିତରୁ ଡରି କେ ନୁହନ୍ତି ବାହାର
ଏମନ୍ତ ଆଜ୍ଞା ଚଳାଏ କଂସ ମହାବୀର
ପୁରୁଷ ସ୍ତିରୀ ବାଳକେ ରହିଥାନ୍ତି ଭୟେ
ବେଳ ଘଡ଼ିଏ ଥାଉ ଯେ ରାତ୍ର ଶେଷଯାଏ
ଭେରୀ ମୃଦଙ୍ଗ କାହାଳୀ ଟମକ ନିଶାଣ
ବିଜିଘୋଷ ମହୁରୀ ଯେ ବାଜେ ଅନୁକ୍ଷଣ
ଦିନକୁ ଦଶ ସହସ୍ର ମରେ ଗଛବାଣ
ପ୍ରଳୟ କାଳରେ ଯେହ୍ନେ ସମୁଦ୍ର ଗର୍ଜନ
ଉପରେ ଯେ ପକ୍ଷୀ ଉଡ଼ି ନ ଯାନ୍ତି ତା ଡରେ
ପ୍ରଦୀପ ଦିହୁଡ଼ି ହୁଳା ଜଳେ ନିରନ୍ତରେ
ଅଷ୍ଟମଲ୍ଲ ରାଜାମାନେ ଜଗିଥାନ୍ତି କତି
ଦିବସରୁ ଅଧିକରେ ବିରାଜଇ ରାତି
ପଞ୍ଚାଶ ସହସ୍ର ଯୋଦ୍ଧା ଚାରିପାଖେ ମାଡ଼ି
ରାତ୍ର କି ଦିବସ ତହିଁ ନ ହୁଅଇ ବାରି
କଂସ ନୃପତିର ପିତା ରାଜା ଉଗ୍ରସେନ
କରେ ଖଡ଼ଗ ଧରିଣ ବୁଲେ ଅନୁକ୍ଷଣ
ରେରେକାର କରନ୍ତେ ଯେ ଶୁଭେ ମୁଖଧ୍ୱନି
ଗହଳ ଚହଳ ତିନି ବ୍ରହ୍ମାଣ୍ଡକୁ ଘେନି
ଯେତେବେଳେ ଯାହା ହୁଏ ଯେବଣ ବାରତା
କଂସ ଆଗରେ ଡଗରେ କହନ୍ତି ସେ କଥା
ଜଗିଲେ ପ୍ରାଣୁ ଅଧିକ କରି ବନ୍ଦିଘର
ଶୁକମୁନି ବୋଲନ୍ତି ଯେ ପରୀକ୍ଷ ଆଗର
ଏଥୁ ଅନନ୍ତରେ ତୁ ହୋ ଶୁଣ ମହୀପାଳ
ଦେବକୀ ଦେବୀର ଚିତ୍ତ ନିରତେ ବିକଳ
ସବୁବେଳେ ନୟନରୁ ବହୁଥାଏ ନୀର
ବିଶେଷରେ ପାଉଅଛି ଗର୍ଭ ମହାଭାର
ଯୁକତେ ସେ ରାଜଜେମା ପୁଣି ଗର୍ଭବାସ
ମୃତପୁତ୍ରଙ୍କୁ ସୁମରି ମନେ ବଡ଼ ପ୍ରାସ
ଆହାରେ ବିଧାତା ମୋତେ ଦେଲୁ ପୁତ୍ରକଷ୍ଟ
ଜିଙ୍ଘାସି ପ୍ରାଣ ଘେନିଲା ଭାଇ ମୋର ନଷ୍ଟ
କେଉଁ ଦୋଷ ପୂର୍ବରେ ମୁଁ କଲଇଁ ରାଢ଼େଣୀ
ପ୍ରାଣେ ନ ମାରିଣ ପୁଣି ଜିଙ୍ଘାସଇ ପୁଣି
କେଉଁ ପାତକ କଲଇଁ ମୁହିଁ କେଉଁକାଳେ
ଆତ୍ମାପୁରୁଷ ଛାଡ଼ି ନ ଯାଇ ଏତେବେଳେ
ନିର୍ଜୀବ ହୋଇ ରହିବା କେତେକାଳ ଆଉ
ମରିଗଲେ ବିଷ ଖାଇ କଂସ ଶଲ ଯାଉ
ପଥର ଘର ବନ୍ଦିରେ ଭରିଲାକ ଆଣି
ପଞ୍ଚାଶ ସହସ୍ର ଯୋଦ୍ଧା ଜଗାଇଛି ପୁଣି
ଲୁହାର ଯନ୍ତ୍ରକିଳିଣୀ କିଳିଲେ ବାହାରେ
ଖଞ୍ଜାମୂଳେ ପାହାରିଆ ଜଗି ଯେ ଯାହାରେ
ପାଦେ ଦେଇ ଲୋହଦଣ୍ଡ ଶାଙ୍କୋଳି ତହିଁକି
ଏତେ ଆକଟ କରିଛି ଯିବି ମୁଁ କେଣିକି
ଚନ୍ଦନ କସ୍ତୁରୀ ଦେହେ ଲେପଇ ମୁଁ ନିତ୍ୟେ
ରାଜନନ୍ଦିନୀ ହୋଇ ମୁଁ ସହିବଇଁ କେତେ
ଏ ଦୁଃଖେ ଜାତ କରିବି ମୁଁ ଯେବଣ ପୁତ୍ର
କଂସ ଶିଳେ କଚାଡ଼ିବ ଜନ୍ମହେବା ମାତ୍ର
ଛପୁଅ ମାଇଲା ଭାଇ ବୋଲିବି ମୁଁ କିସ
ଏ ଗର୍ଭକାଳେ ବିହିଲା ମୋତେ ଏ ଅମର୍ଷ
ବନ୍ଦିଘର ଦ୍ୱାରେ ଜଗିଛନ୍ତି ଜଗୁଆଳି
ଆବର ଦେଇଛି ପାଏ ବଜ୍ରର ଶାଙ୍କୁଳି
ଏଥି ମଧ୍ୟରୁ ମୁକତ ହୋଇବି କେମନ୍ତେ
ଦୁଃସହ ସଙ୍କଟ ଆସି ପଡ଼ିଲାକ ମୋତେ
ଜୟ ତୁ ଜୟ ତୁ ମାଗୋ ମଙ୍ଗଳା ଶ୍ରୀଚଣ୍ଡୀ
ଯା ନାମ ଧରୁଁ ଆପଦମାନ ଯାଏ ଖଣ୍ଡି
ବୁଡ଼ିଲା ମୋ ଭେଳା ମୋତେ ଉଦ୍ଧରି ମା ଧରି
ଏ ଘୋର କଷ୍ଟରୁ ମାଗୋ କର ମୋତେ ପାରି
ଅରିଷ୍ଟ ଉତ୍ପାତ ଯେତେ ଗ୍ରହ ରୋଗ ଭୟ
ଆର୍ତ୍ତଜନ ନିସ୍ତାରିଣୀ କର ଶତ୍ରୁକ୍ଷୟ
ସର୍ବମଙ୍ଗଳଦାୟିନୀ ମଙ୍ଗଳା ତୋ ନାମ
ଈଶ୍ୱର ଘରଣୀ ତୋର ରୂପ ଅନୁପମ
ଅପୁତ୍ରିକ ପୁତ୍ର ଦେଉ ନିର୍ଦ୍ଧନକୁ ଧନ
ସମ୍ପଦକାରିଣୀ କରୁ ଦାନବ ନିଧନ
କାମନାଦାୟିନୀ ଭଗବତୀ ମହାମାୟା
ମହାଭୟ ନିବାରିଣୀ କର ମୋତେ ଦୟା
ସ୍ତିରୀଙ୍କ ବେଦନା ମାଗୋ ଆପଣେ ତ ଜାଣୁ
ଅନାଦି ଶକତି ବୋଲି ଗୁହାରି ମୋ ତେଣୁ
ଏ ମୋହର କଷ୍ଟ ତୁମ୍ଭେ ଫେଡ଼ସି ଗୋ ମାଏ
ସାହାହେବୁ ମୋତେ ପୁତ୍ର ପ୍ରସବିବା ଯାଏ
ଦୁର୍ଗତି ଖଣ୍ଡିନୀ ତୁମ୍ଭେ କଲି ତେଣୁ ଆଶ
ଏ ମହାଦୁଃଖ ତୁ ମୋର କର ଗୋ ଉଶ୍ୱାସ
ଶୋକ ସନ୍ତାପ ନାଶିନୀ ସାହା ହୁଅ ମୋତେ
ମହାଭୟ ପାଇ ଚିନ୍ତା କରେ ହୃଦଗତେ
ନିର୍ମାକ୍ଷୀ ନାରୀ ମୁଁ ମାଗୋ ଉଦ୍ଧର ତୁ ମୋତେ
ତୋବିନା ମୋ ସାହା କେହିନାହିଁ ଏ ଜଗତେ
କଷ୍ଟ ଉପରେ ବିହିଲା ମୋତେ ଏତେ କଷ୍ଟ
ଦୁଷ୍ଟଭାଇ ମୋହର ଯେ କଂସାସୁର ନଷ୍ଟ
ତ୍ରାହି ସର୍ବମଙ୍ଗଳା ଗୋ କର ପ୍ରତିକାର
ସ୍ତିରୀକୁଳରେ ଜିଙ୍ଘାସ ପାଇଲି ଅପାର
କେତେ ମୁଁ ସହିବି ଏହି ଦୁସ୍ତର ବେଦନା
ଏ ଘୋର ଦୁଃଖରୁ ତ୍ରାହି କରୁ ମାତ କିନା
ଭଜନ୍ତି ପୂଜନ୍ତି ଯେହୁ ଅଭୟ ତୁ ଦେଉ
ରାଜ ବହିଣୀ ତସ୍କର ଭୟ ଦୂର ହେଉ
ଦେବକୀ ଦେବୀ ଏସନ ସ୍ତୁତୀ ଯହୁଁ କଲା
ସର୍ବ ମଙ୍ଗଳାଙ୍କ ଦୃଦେ ଦୟା ଯେ ବସିଲା
ଦେବକୀକୁ ସୁପ୍ରସନ୍ନ ହେଲେ ମହାମାୟା
ବୋଇଲେ ମାଗୋ ଦେବକୀ ହୁଅ ତୁ ନିର୍ଭୟା
ନାରାୟଣ ଦେବ ତୋର ଗର୍ଭରେ ଉଦୟ
ଛାଡ଼ ଛାଡ଼ ମାଗୋ ମନୁ ଦୁଃଖ ମହାଭୟ
ନ ଜାଣି କଂସରାଜନ ଆକଟ କରିଛି
ଆପେ ନାଶଯିବ କାର୍ଯ୍ୟ ନୋହିବାକ କିଛି
ସନକାଦିଏ କରନ୍ତି ଯେ ବିଷ୍ଣୁଙ୍କୁ ଧ୍ୟାନ
ସେ ନିରାକାର ପୁରୁଷ ହେବେ ତୋ ନନ୍ଦନ
ଏଠାରୁ କଷ୍ଟ ତୁମ୍ଭର ହୋଇବ ଗୋ ପାର
ଏଥକୁ ତୁମ୍ଭର ମନେ ଭ୍ରାନ୍ତି ଗୋ ନ କର
ଆମ୍ଭେ ତୁମ୍ଭଙ୍କୁ ଗୋ ସାହା ହୋଇଲୁ ଆଜହୁଁ
ଅକଣ୍ଟକ ଲକ୍ଷ୍ମୀ ପ୍ରାପ୍ତ ହେବ କହୁଁ କହୁଁ
ଆବର ପାଞ୍ଚଦିନରେ କରିବୁ ପ୍ରସବ
ସେ ପୁତ୍ରହେବ ପ୍ରତ୍ୟକ୍ଷେ ସେହି ବାସୁଦେବ
ମନରୁ ସନ୍ତାପ ମାଗୋ ଛାଡ଼ ସର୍ବଚିନ୍ତା
ଆଜହୁଁ ଦେବକୀ ଦେବୀ ଛାଡ଼ ମନୋବ୍ୟଥା
ଏତେ କହି ଅନ୍ତର୍ଦ୍ଧାନ ଗଲେ ମଙ୍ଗଳାଏ
ଅଚ୍ୟୁତାନନ୍ଦ ଶରଣ ସେ ଦେବୀଙ୍କ ପାଏ
କହନ୍ତି ଯେ ଶୁକମୁନି ଶୁଣ ମହାଶୟ
ଏ ହରିବଂଶ ପୁରାଣ ଅଟେ ପୁଣ୍ୟମୟ
ଏଥୁ ଅନନ୍ତରେ କଥା ସୁଧାରସ ବାଣୀ
ବାଞ୍ଛାସିଦ୍ଧ ହେବ ଏହି ଭାଗବତ ଶୁଣି
ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥି ଗୁରୁବାର
ଅଶ୍ୱିନୀ ନାମେ ନକ୍ଷତ୍ର ଅଟେ ସେ ଦିନର
ଆସ୍ଥାନ ଉପରେ ବିଜେ ହେଲେ ସୁରପତି
ତେତିଶକୋଟି ଦେବତା ହକାରିଣ କତି
ବୁଧ ଚନ୍ଦ୍ର ପବନ ଯେ ଅଗ୍ନି ଦିବାକର
ଯମ ନଇର୍ଋତ ଆଦି ବରୁଣ କୁବେର
ତାର ବାର ନକ୍ଷତ୍ର ହିଁ ଗ୍ରହଗଣ ତିଥି
ଅଙ୍ଗିରା ଗୁରୁ ବଶିଷ୍ଠ ଶୁକ୍ର ବୃହସ୍ପତି
ଅଷ୍ଟବସୁ ନବଗ୍ରହ ଦଶଦିଗ ପାଳେ
ଗଣଗନ୍ଧର୍ବ ଆଦି ଯେ ମିଳିଲେ ସକଳେ
ଯଥାକ୍ରମେ ସମସ୍ତଙ୍କୁ ଆସନେ ବସାଇ
ଦେବଇନ୍ଦ୍ର ପଚାରିଲେ ଗୁରୁମୁଖ ଚାହିଁ
ଭୋ ଗୁରୁ ବୃହସ୍ପତି ହେ ସାବଧାନେ ଶୁଣ
ଦେବକୀ ଦେବୀର କଷ୍ଟ ଜାଣତ ଆପଣ
କଂସର ଡଗରଠାରୁ ପାଇ ଯେତେ ବ୍ୟଥା
ଅନନ୍ତ ଶଯ୍ୟାରେ ଯାଇ ଜଣାଇ ସେ କଥା
କଳା ଶୁକ୍ଳ ବେନିରୋମ ଦେଲେ ବିଶ୍ୱଯୋନି
ବ୍ରହ୍ମା ବଚନେ ଅଇଲୁ ଆମ୍ଭେ ତାହା ଘେନି
ଶୁକ୍ଲ ରୋମ ଗୋଟି ଜନ୍ମ ବଳରାମ ରୂପେ
କଉତୁକେ ଅବତାର ହେଲେ ଯାଇ ଗୋପେ
ନନ୍ଦ ଗୋପାଳ ତାହାଙ୍କୁ ପାଳୁଅଛି ଏବେ
କଳାରୋମ ଗୋଟି କୃଷ୍ଣ ରୂପେ ଜନ୍ମ ହେବେ
ଏହା ସଂକ୍ଷେପି କହିବା ହେଉ ଦେବଗୁରୁ
ତବ ମୁଖୁଁ ଶୁଣି ଭ୍ରାନ୍ତି ସରୁ ମୋ ମନରୁ
ବୃହସ୍ପତି ଭଣି ଶୁଣ ଆହେ ଶଚୀନାଥ
ଅପୂର୍ବ କଥା ଗୋଟାତ ପଚାରୁ ଯଥାର୍ଥ
ଦେବକୀ ଦେବୀ ହୃଦରେ ବିଜେ ହୃଷୀକେଶ
ନିକଟ ହେଲାଣି ଆସି ଜନମ ଦିବସ
ଆବର ଯେ ତିନିଦିନ ଅଛଇ ଲେଖନ୍ତେ
ବିଷ୍ଣୁନାଥ ବିକାଶିବେ ତିନିଦିନ ଅନ୍ତେ
ମାନବ ଅବତାର ସେ ଧରି ଦିବ୍ୟରୂପ
ଦେଖି ଜଗବନ୍ଧୁ ରୂପ ଖଣ୍ଡ ସର୍ବପାପ
ପୂରିଲା ଏବେ ଅସୁରମାନଙ୍କର କାଳ
ମେଘମାନେ ଋତୁଯୋଗ ବରଷିବେ ଜଳ
ପୃଥିବୀ ଶସ୍ୟପ୍ରଦାନୀ ହେବ ପାଇ ଶୋଭା
ଚନ୍ଦ୍ର ସୂର୍ଯ୍ୟର କିରଣ ହେବ ମହାପ୍ରଭା
କାଳବଳେ ସଂଯୋଗରେ ହେବ ପୁଣ୍ୟମୟ
ଗ୍ରହପୀଡ଼ା ଆଦି ରୋଗମାନ ଯିବ କ୍ଷୟ
ପୃଥ୍ୱୀଦେବୀ ଭାରାଭର ପାଇବ ଯେ ଅସ୍ତ
ସକଳ ପ୍ରାଣୀ ହୋଇବେ ମହାପୁଣ୍ୟବନ୍ତ
ପ୍ରତ୍ୟକ୍ଷେ ବିଷ୍ଣୁଙ୍କୁ ଚର୍ମନୟନେ ଦେଖିବା
ଜନମ ମରଣ ବାଧାସବୁ ଉପେକ୍ଷିବା
ଚତୁର୍ଦ୍ଧା ରୂପରେ ପ୍ରଭୁ ହେବେ ଅବତାର
ଅଲେଖ ଯେ ଅବ୍ୟକତ ପୁରୁଷ ଆକାର
ସେ ପ୍ରଭୁ ମାନବ ରୂପ ଧରିବେକ ଆସି
ତୁମ୍ଭର କଷ୍ଟ ଫିଟିବ ଏବେ ସ୍ୱର୍ଗବାସୀ
ବୋଲନ୍ତି ଯେ ଦେବଗୁରୁ ଶୁଣ ଦେବରାୟେ
ବ୍ରହ୍ମାଣ୍ଡ ପୁରାଣ ମଧ୍ୟୁ କହିବା କଥାଏ
କଂସରୂପେ କାଳନେମି ହୋଇଅଛି ଜାତ
ଯାହାର ପାଦଭାରାରେ କମ୍ପଇ ଜଗତ
ବାଣା ନାରକା ଶମ୍ବର ବଜ୍ରନାଭ ରୁକ୍ମ
ଗୋଶିଙ୍ଘ କାଳଦମନ ନିର୍ଘାତ ଯେ ବ୍ୟୋମ
ଶିଶୁପାଳ ଦନ୍ତବକ୍ର ଜରାସନ୍ଧ ମୂଳେ
ଅନେକ ଅସୁରଦଳ ଜାତ ରବିତଳେ
କଳିଯୁଗର ପ୍ରବେଶ ହୋଇବ ନିକଟେ
ଅବଶ୍ୟ ପ୍ରାଣୀ ଚଳିବେ ଘୋର ମନ୍ଦବାଟେ
ବେଦଶାସ୍ତ୍ର ନିନ୍ଦିବେ ଛାଡ଼ି ପୁଣ୍ୟକଥା
ଏକକୁ ଆରେକ ପୁଣି ବହିବେ ଅହନ୍ତା
ତପୀ ତପ ବିଚଳିତ ହେବ ଧର୍ମନାଶ
ପୁରୁଷମାନେ ଯେ ହେବେ ନାରୀଙ୍କର ବଶ
ନାରୀମାନେ ଯେ ଚଞ୍ଚଳ ହେବେ ମନ୍ଦାଚରୀ
ଭର୍ତ୍ତାକୁ ଭର୍ତ୍ସନା କରି ମାରି ବାଳ ଧରି
ବ୍ରାହ୍ମଣେ ବେଦକୁ ଛାଡ଼ି ହେବେ ବିଡ଼ମ୍ବନ
ବିକିବେ ଦୁହିତା ଲାଖକରି ବୈଦ୍ୟପଣ
ଦିନୁ ଦିନ ପ୍ରାଣୀମାନେ ହେବେ କୃଶଗାତ୍ର
ମହୀରେ ବହିବ ଗୋରୁ ଛାଗଳ ରକତ
ଅସୁରେ ଯେ ଅନର୍ଗଳ ହେବେ ମହାତୋରା
ଭୟଙ୍କର ରୂପ ଧରି ହେବେ ମହାଭାରା
ଖଣ୍ଡଗିରି ଯାଏ ପୂର୍ଣ୍ଣ ଅସୁରଙ୍କ କାୟେ
ମାନବେ ତାଙ୍କୁ ଦିଶିବେ ପିମ୍ପୁଡ଼ି ପରାୟେ
ଗୋବିନ୍ଦ ଏମାନଙ୍କୁ ନ କଲେ ପ୍ରାଣେ ବଧ
ଗୁପତ ହେବେ ଧାର୍ମିକେ ବନଗିରି ମଧ୍ୟ
ଏବେ ନାରାୟଣ ଧରି ମାନବ ସ୍ୱରୂପ
ମଥୁରାରେ ଜାତ ହୋଇ ଯିବେ ପୁର ଗୋପ
ଦ୍ୱାପର ଯୁଗ ଭିତରେ ଅସୁରେ ଯେ ଥିବେ
କଳିଯୁଗରେ ସେ ପ୍ରାଣୀରୂପେ ଜାତ ହେବେ
ତେଣୁକରି ହରି ହେବେ ସ୍ୱରୂପ ମାନବ
କରିବେ ଯୁଗାନ୍ତ ପୁଣି ମାରିବେ ଦାନବ
ବସୁଦେବର ତେଜରେ ଦେବକୀ ଉଦରେ
ଜାତ ହୋଇଣ ବଢ଼ିବେ ଯାଇ ଗୋପପୁରେ
ସମ୍ପୂର୍ଣ୍ଣ ହେଲାଣି ଏବେ ଦେବକୀର ମାସ
ଷଡ଼ପୁତ୍ର ମରାଇଣ ହୋଇଛି ନିରାଶ
ଆକଟ କରି ଅଛଇ ଏବେ କଂସ ଯେତେ
ଏଥକୁ ଗୋ ଉଦଯୋଗୀ ହୁଅ ଯେଝାମତେ
ପଥର ଘରେ ବନ୍ଧନ କରିଅଛି ନେଇ
ଦଶଗୋଟି ଶାଙ୍କୁଳି ତ ପାଦେ ଅଛି ଦେଇ
ନିର୍ବନ୍ଧ କରିଣ କଂସ ପୁଣି ଜଗାଇଛି
ଦିବସେ ଗଗନେ ଉଡ଼ି ନ ପାରଇ ମାଛି
ଦଶମାସ ହେଲା ହରି ଗର୍ଭରେ ସମ୍ଭୂତ
କେମନ୍ତେ ରକ୍ଷା ପାଇବେ ଆକଟ ବହୁତ
ଏଥକୁ ଉପାୟ ତୁମ୍ଭେ କର ସ୍ୱର୍ଗବାସୀ
ଜନ୍ମଦିବସ ନିକଟ ହୋଇଲାଣି ଆସି
କୁମ୍ଭୀପାକ ନର୍କେ ହରି ହେଲେ ଜ୍ଞାନଧ୍ୱଂସ
ସେ ଦିବ୍ୟ ଦେହକୁ କଂସ କରିବ ବିନାଶ
ଦେବକୀ ଷଡ଼ପୁତ୍ରଙ୍କୁ କଚାଡ଼ିଛି ପୂର୍ବେ
ବିଷ୍ଣୁନାଥଙ୍କୁ ପ୍ରମାଦ ପଡ଼େନିକି ଏବେ
ଇନ୍ଦ୍ରଦେବ ଆଜ୍ଞାଦେଲେ ନିଦ୍ରାବତୀ ରାଇ
ପଞ୍ଚାଶସସ୍ର ପାହାରୀ ନିଦ୍ରା କର ଯାଇ
ଗୋପ ନଗର ମଥୁରାପୁର ଆଦିକରି
ଏଥି ଭିତରେ ଅଛନ୍ତି ଯେତେ ନରନାରୀ
ଜଳଚର ସ୍ଥଳଚର ଆଦି ଯେତେ ଦେହୀ
ଆଗୋ ନିଦ୍ରାବତୀ ଯାଇ ସବୁ ପକା ମୋହି
ବସୁଦେବ ଶ୍ରୀକୃଷ୍ଣଙ୍କୁ ଗୋପେ ଘେନିଯିବ
ନନ୍ଦଘରେ ଛାଡ଼ି ପୁଣି ମଥୁରା ଆସିବ
ପୁନରପି ବନ୍ଦିଘରେ ପ୍ରବେଶିବା ଯାଏ
ଚେତନା ନଥିବ ଜାଣ କାହାର ହୃଦୟେ
ନିଦ୍ରାରେ ଅଚେତ ହୋଇ ସର୍ବେ ଥିବେ ଶୋଇ
ବଜ୍ରାଘାତ ହୋଇଲେହେଁ ନ ଜାଣିବେ ଏହି
ଦେବକୀ ଯଶୋବନ୍ତୀ ଯେ ନ ଜାଣିବେ ଏହା
ମୋହିନୀରେ ମୋହିଥିବୁ ସବୁଙ୍କରି କାୟା
ବସୁଦେବ ଉଗ୍ରସେନ ଗାର୍ଗ୍ୟ ମହାମୁନି
କେବଳ ମାତ୍ର ଜାଗିବେ ଜାଣ ଏହି ତିନି
ବିଶ୍ୱକର୍ମାକୁ ହକାରି ବୋଲେ ସସ୍ରଯୋନି
ମଧୁବନ କଟକକୁ ଯିବୁ ଏହିକ୍ଷଣି
ଦେବକୀ ବସୁଦେବର ଶାଙ୍କୁଳିକୁ ଭାଙ୍ଗ
ଗୋପ ନଗ୍ରଯାକ ସବୁ କରି ନବରଙ୍ଗ
ସ୍ୱର୍ଗକୁ ଅଧିକ ଯେହ୍ନେ ଦିଶୁ ଗୋପପୁରୀ
ମେଢ଼ ମଣ୍ଡପ ଦେଉଳ ଘର ଆଦି କରି
ବସୁଦେବ ନେଲାବେଳେ ଚନ୍ଦନର ଛରା
ଅଷ୍ଟରତ୍ନମାନ ସବୁ କରିବୁ ପାଏରା
ନବରତନ ଛାଏଣି ମରକତ ମୟେ
ବନ୍ଦିଘରୁ ନିର୍ମାଣିବୁ ନନ୍ଦ ଘରଯାଏ
ଗୋବିନ୍ଦଙ୍କୁ ଘେନି ବସୁଦେବ ଯାଉଥିବ
ସୁବର୍ଣ୍ଣ ଚମ୍ପା କୁବେର ଶିରେ ବରଷିବ
ଅଷ୍ଟବସୁଏ ଧରିବେ ଶିରେ ଦଣ୍ଡଛତ୍ର
ଆନ କେହି ନ ଜାଣିବେ ଏସନ ଚରିତ
କୃଷ୍ଣ ଗୋପେ ଯିବାଯାଏ ସର୍ବେ ତହିଁ ଥିବ
ନନ୍ଦଘରେ ପ୍ରବେଶିଲେ ସମସ୍ତେ ଆସିବ
ମେଘମାନଙ୍କୁ ହକାରି ବୋଲେ ସୁରପତି
ଚତୁର୍ଦ୍ଦିଗ ଅନ୍ଧକାର କର ଦିବା ରାତି
ଇନ୍ଦ୍ର ଆଜ୍ଞା ଦେଲେ ପୁଣ ପବନକୁ ଚାହିଁ
ମଳୟ ପବନ ଧୀରେ ବହୁଥିବ ଯାଇ
ଚିତ୍ରସେନକୁ ହକାରି ବୋଲେ ସସ୍ରଯୋନି
ମଥୁରା ଚଳ ଜୟନ୍ତୀ ମାଳା କରେ ଘେନି
ପୁଷ୍ପବିମାନ ଆରୋହି ଶୂନ୍ୟପୁରେ ଥିବ
କୃଷ୍ଣ ଜନ୍ମହେବା ମାତ୍ରେ ଗଳେ ମାଳା ଦେବ
ବସୁଦେବ ଅଛଇ ଯେ ଜ୍ଞାନଧ୍ୱଂସ ହୋଇ
ସକଳ ବୃତ୍ତାନ୍ତ ତାକୁ କହିବ ବୁଝାଇ
ଗୋପପୁରକୁ ଯେମନ୍ତେ ଘେନିଯିବ ପୁତ୍ର
ଯଦ୍ୟପି ପାହାରୀମାନେ ବୁଝନ୍ତି ଏ ଗୁପ୍ତ
ପାହାରିଆମାନେ ଆସି ଯୁଝନ୍ତି ଚିଆଇଁ
ସଂଗ୍ରାମେ ତୁ ସଂହାରିବୁ କିଛି ଭୟ ନାହିଁ
ତୁମ୍ଭର ସଂଗ୍ରାମେ ଯେବେ ନୋହିବ ଆୟତ୍ତ
ଆମ୍ଭେ ବିଜେ କରିଯିବୁ ଚଢ଼ି ଐରାବତ
ପୁଷ୍କର ଦେବତା ଡାକି ବୋଲେ ଆଖଣ୍ଡଳ
ଥୋପି ଥୋପି କରି ବର୍ଷ ଆଣି ତୀର୍ଥଜଳ
ଶୁଣେ ପରୀକ୍ଷ ନୃପତି କହେ ଶୁକଯତି
ଇନ୍ଦ୍ର ଆଜ୍ଞା ପରମାଣେ ଆସେ ନିଦ୍ରାବତୀ
ପଞ୍ଚାଶସସ୍ର ପାହାରୀ ଯେତେ ଜଗିଥିଲେ
ସମସ୍ତେ ଯେ ଅଚେତନ ହୋଇ ନିଦ୍ରାଗଲେ
ଅଶ୍ୱ ଗଜ ରଥ ରଥୀ ରାଉତ ପଦାତି
ଆଳସ୍ୟ ଘାରିଲା ତହିଁ ସର୍ବେ ନିଦ୍ରା ଯାନ୍ତି
ମଥୁରା ଗୋପ ନଗରେ ଛନ୍ତି ଯେତେ ଜନ
କୀଟ ପତଙ୍ଗ ତହିଁରେ ହେଲେ ଅଚେତନ
ମୃତଶବ ପ୍ରାୟ ହୋଇ ପଡ଼ି ମହୀଲୋଟି
ନ ବାରିଲେ ଜଣେ କେହି ତହିଁ ଧୂଳିମାଟି
ନିରନ୍ତର ଚାରିମେଘ ଚଉଦିଗ ଘୋଟି
ଝିପି ଝିପି କରି ପୁଷ୍ପ ପ୍ରାୟ କଲେ ବୃଷ୍ଟି
ବନ୍ଦିଘରଠାରୁ ପୁଣି ନନ୍ଦ ଘରଯାଏ
ବିଶ୍ୱକର୍ମା ଛାମୁଣ୍ଡିଆ ଆକାଶରେ ଶୋହେ
ବଦନ୍ତି ଶୁକ ତୁ ଶୁଣ ପରୀକ୍ଷ ନୃପମଣି
ଇତି ଶ୍ରୀ ଏ ଭାଗବତ କୃଷ୍ଣଜନ୍ମ ବାଣୀ
ପଥର ଘର କବାଟ ଦୃଢ଼େ କିଳିଥିଲା
ଅଦଭୂତେ ସେ କବାଟ କିଳିଣି ଭାଙ୍ଗିଲା
ବିଶ୍ୱକର୍ମା ମାୟାରେ ତ ଫିଟିଲା କବାଟ
ବିଜୁଳି ତେଜରେ ପୁଣି ଦିଶେ ଦିବ୍ୟବାଟ
ଲୁହାର ଶାଙ୍କୁଳି ପଡ଼େ ଖଣ୍ଡ ଖଣ୍ଡ ହୋଇ
ଅଗ୍ନିକି ଦେଖିଣ ଜଉ ଯେସନ ମିଳାଇ
ବସୁଦେବର ଆତ୍ମାରୁ ଛାଡ଼େ ଭୟ ବ୍ୟଥା
ଦେବକୀ ଅଗ୍ରେ କହନ୍ତି ବସି ହିତକଥା
କେବଣ କଥା ଗୋ ସଖି ବୁଝି ତ ନ ପାରି
ବଡ଼ ହରଷ ମନକୁ ଲାଗୁଛି ମୋହରି
ଅଦ୍ଭୂତ ଶାଙ୍କୁଳି ମାନ ପାଦରୁ ମିଳାଇ
ପରମ ହରଷ ମନ ହେଉଛି କିପାଇଁ
ବିଧାତା ନିଶ୍ଚୟ ମୋତେ କଲେ ଅନୁରାଗ
ପାପ କ୍ଷୟ ଗଲା ମୋର ଦିଶିଲା ସୁଯୋଗ
ଆବର ବିପରୀତ ଗୋ ଦେଖ ସୁକୁମାରୀ
ଡାକହାକ କରୁଥିଲେ ଜଗନ୍ତା ପ୍ରହରୀ
ଦିହୁଡ଼ି ହୁଳା ଦ୍ୱୀପହିଁ ଲଭିଲା ସକଳ
ଅଚେଷ୍ଟ ନିଦ୍ରା ଗଲେ ଯେ ପାହାରିଆ କୁଳ
ପଞ୍ଚାଶ ସହସ୍ର ଯୋଦ୍ଧା ସର୍ବେ ଗଲେ ଶୋଇ
ବିଜୁଳି ତେଜେ କାହାରି ତିଳେ ଜ୍ଞାନ ନାହିଁ
ପହରା ବାଜଣା ଦେଖ ଯେତେ ବାଜୁଥିଲା
ଏକାବେଳେକେ ଗୋ ଦେଖ ସବୁ କେଣେ ଗଲା
ଏସନ ବିଚାର ତହୁଁ କରୁ ପତି ପତ୍ନୀ
ପନ୍ଦର ଦଣ୍ଡ ହୋଇଲା ଆସି ନିଶାରାତି
ପବିତ୍ର ମଙ୍ଗଳବେଳା ଘଟାଇଲା ବିଧି
ଶୁଭେ ଦେବତାମାନଙ୍କ କାର୍ଯ୍ୟ ହେବ ସିଦ୍ଧି
ବସୁଦେବ ମୁଖ ଚାହିଁ ବେଗେ ସେ ବୋଇଲା
ଦୁଃସହ ଗର୍ଭର ଭାରା ଆସି ମୋତେ ହେଲା
ଭୋ ନାଥ ଶରୀର ମୋର ହେଲା ଅଶକତ
ଏ କଥାଗୋଟି ଭୋ ନାଥ ବିଚାର ତୋ ଚିତ୍ତ
ବିକଳେ ଆତ୍ମା ମୋହର ହୁଏ ଛଟପଟ
ପ୍ରସବର ବେଳ ଆସି ହୋଇଲା ନିକଟ
ତୁ ନାଥ ମୋ ଅର୍ଦ୍ଧଅଙ୍ଗ ମୋ କତିରେ ବସ
ଅସମ୍ଭାଳ ହୋଇଲି ମୁଁ କରିବଇଁ କିସ
ଧାଇ ପରିବାରୀ ମୋର କତିରେ ଯେ ଥିଲେ
କଂସର ଡରେ କତିରେ କେହି ନ ପଶିଲେ
କହୁଁ କହୁଁ ଗର୍ଭ ମୋର ପଡ଼ୁଛି ଲେଉଟି
ବିକ୍ରମ କେଶରୀ ଗର୍ଭ ପକାଉଛି ଘାଣ୍ଟି
ଶୁଣ ତୁ ପରୀକ୍ଷରାଜା କହେ ବ୍ୟାସ ଶିଷ୍ୟ
ଦେବକୀ ଅଷ୍ଟମ ଗର୍ଭ ହେଲା ଆଠମାସ
ଧନୁକୃଷ୍ଣ ତ୍ରୟୋଦଶୀ ଶୁଦ୍ଧସ୍ନାନ କଲା
ସିଂହ ପ୍ରବେଶ ହୁଅନ୍ତେ ଅଷ୍ଟମାସ ହେଲା
ଭାଦ୍ରବ କୃଷ୍ଣ ଅଷ୍ଟମୀ ବୃହସ୍ପତି ବାର
ବାଳବ ନାମେ କରଣ ଶୋଭନ ଯେ ଯୋଗ
ସିଂହ ସଙ୍କରାନ୍ତିର ଯେ ଚଉଦ ଦିବସେ
ଶ୍ରୀ ନାରାଯଣ ଜନ୍ମିଲେ ପୂରା ଆଠମାସେ
ଦେବକୀ ଉଦରୁ ଦେବ ପଡ଼ିଲେକ ଖସି
ନିର୍ମଳ ଗଗନେ ଯେହ୍ନେ ଉଦେ ପୂର୍ଣ୍ଣଶଶୀ
ଅପୂର୍ବ ନୀଳ ବଦନ ପାଇଲାକ ଶୋଭା
ମଧ୍ୟାହ୍ନ ଆଦିତ୍ୟ ପ୍ରାୟେ ଦିଶେ ଜ୍ୟୋତିପ୍ରଭା
ଉତ୍ସର୍ଗ ଗଜ କପୋଳ ବିସ୍ତାର ଚାଖଣ୍ଡ
ସୁଲଳିତ ଭୁଜଦଣ୍ଡ ଆକର୍ଷଣ ପିଣ୍ଡ
ବିକଚ ଶତଦଳ କି ବିରାଜଇ ନେତ୍ର
ରୋପିଲା ମାରାଗ ପ୍ରାୟ ଦିଶେ ନବଗାତ୍ର
ତିଳ କୁସୁମ ଯେସନ ଶୋଭିତ ନାସିକା
କୁନ୍ତଳରାଜି କି ନୀଳଜୀମୂତ ମାଳିକା
ମଦନ ଧନୁ ପରାୟ ଶୋଭିତ ଭ୍ରୁଲତା
ତହିଁକି ଅପୂର୍ବ ଶୋଭା ଆଖି ବେନିପତା
ଡାଳିମ୍ବ ପୁଷ୍ପ ପରାୟ ଦିଶଇ ଅଧର
ମୁଖ ଶୋଭା ଶାରଦୀୟ ପୂର୍ଣ୍ଣ ଶଶଧର
ଲଳିତ ଶ୍ରବଣ ବେନି କମଳକୁ ଜିଣି
ରାବ ପଞ୍ଚମସ୍ୱର କି କୋକିଳର ବାଣୀ
ସମ୍ପନ୍ନ ବିଶାଳ ବୃକ୍ଷ ଶୋଭା ମଝାଝୀନା
ଚମ୍ପାକଢ଼ି ଜାଣି କରଅଙ୍ଗୁଳି ଶୋଭନା
ଅଶେଷ କୋଟି କନ୍ଦର୍ପ ରୂପ ହେବ ସ୍ୱାମୀ
ଭୂମିରେ ପଡ଼ି ଅଛନ୍ତି ପ୍ରଭୁ ଅନ୍ତର୍ଯ୍ୟାମୀ
ପରମାନନ୍ଦ ସ୍ୱାମୀ ସେ ଭକ୍ତଭାବେ ଭୋଳା
କରଚରଣ ହଲାଇ କରୁଛନ୍ତି ଲୀଳା
ସକଳ ବ୍ରହ୍ମାଣ୍ଡ ସେହୁ କରିଛି ରଚନା
ଶରଣ ଉଦ୍ଧାରଣ ସେ ଉଡ଼ାଇଛି ବାନା
ଯାବତ ପ୍ରାଣୀର ଆତ୍ମା ଅଟଇ ସେ ଯହୁଁ
କଉତୁକରେ ମାନବ ରୂପ ଧରି ସେହୁ
ତାହାକୁ ସୁନ୍ଦରପଣେ ତୁଲାଇବେ କାହା
ସଂସାର ମଧ୍ୟେ ବ୍ୟାପିଛି ଜଗଜ୍ଜନନାହା
କହୁଛନ୍ତି ଶୁକପତି ଶୁଣନ୍ତି ନୃପତି
ଶ୍ରୀଭାଗବତ ପୁରାଣ ପୁଣ୍ୟମୟ କୀର୍ତ୍ତି
ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟେ
ଇଦଂ ଷଟପଶ ଅଧ୍ୟା ସମାପତ ହୁଏ
ଆନନ୍ଦେ ଅଚ୍ୟୁତ ଦାସ ଲେଖି ଏ ପୁରାଣ
ବାଳମୁକୁନ୍ଦର ପାଦେ ପଶଇ ଶରଣ

ଶ୍ରୀକୃଷ୍ଣଙ୍କୁ ଘେନି ବସୁଦେବର ଗୋପପୁର ଗମନ, କୃଷ୍ଣଙ୍କୁ ରଖି ବିଜୁଳି କନ୍ୟା ଆଣିବା ଓ ବିଜୁଳି କନ୍ୟାଦ୍ୱାରା କଂସର ମୃତ୍ୟୁଭେଦ କଥନ

[ସମ୍ପାଦନା]

ଏଥୁ ଅନନ୍ତରେ ଶୁଣ ଦେବକୀର କଥା
ପୁତ୍ର ଜନମ ହେବାରୁ ତୁଟେ ମନବ୍ୟଥା
ବିଷ୍ଣୁ ମାୟାରେ ଦେବକୀ ପଡ଼େ ମୋହ ଯାଇ
ଅଚେଷ୍ଟା ହୋଇ ନିଦ୍ରାରେ ପଡ଼ିଗଲେ ଶୋଇ
ପୁତ୍ରକରି ଶ୍ରୀକୃଷ୍ଣଙ୍କୁ ଗର୍ଭୁଜାତ କଲା
ଘାରିଲାକ ନିଦ୍ରାବତୀ ପୁଣି ନିଦ୍ରାଗଲା
ନେତର ପଣତକାନି ଭୂମିତଳେ ପାରି
ଦେବେ ମାୟା କଲେ ଶୋଇ ପଡ଼େ ମୁହଁ ମାଡ଼ି
ପଞ୍ଚାଶସସ୍ର ପାହାରୀ ଜ୍ଞାନଶୂନ୍ୟ ହୋଇ
ସମସ୍ତେ ଅଛନ୍ତି ମୃତଶବ ପ୍ରାୟ ହୋଇ
ଏକା ବସୁଦେବ ଦେହେ ଚେତାମାନ ଥାଇ
ପୁତ୍ରମୁଖ ଦେଖି ମନେ କାତର ହୁଅଇ
ଯେତେବେଳେ ଦେବୀ ଜାତକରି ନିଦ୍ରାଗଲା
ଆଶ୍ୱାସନା କରି ବସୁଦେବ ଯେ ବସିଲା
ବିଷ୍ଣୁର ଅପୂର୍ବ ବାଳଲୀଳା ରୂପ ଦେଖି
ଆନନ୍ଦରେ ବସୁଦେବ ବୁକେ ବେନି ଆଖି
ଆପଣା ହୃଦେ ବିଚାରେ ସୁଦେବର ଶିଷ୍ୟ
ଉଭୟ ସଙ୍କଟ ମୁହିଁ କରିବଇଁ କିସ
ଗୁଣବନ୍ତ ପୁରୁଷ ତ ହେଲା କର୍ମଯୋଗେ
ଅପୁତ୍ରକ ଦୋଷୁଁ ପାର ହେବି କେଉଁ ବାଗେ
ନିର୍ଦ୍ଦୟ ନିଦାରୁଣ ତ ଅଟେ କଂସରାୟେ
ଅବଶ୍ୟ କଚାଡ଼ିବ ସେ ଅଷ୍ଟପୁତ୍ର ଯାଏ
ନାରଦଙ୍କ ବଚନେ ମୁଁ ଅଛି ସତ୍ୟକରି
ଜାଣିଲେ ନିଶ୍ଚେଁ ଦଇତ ନେବେ ବଳେ ଧରି
ପ୍ରତିଜ୍ଞାରେ ସାମରଥ କଂସ ମହାରଥା
ଦିଗପାଳ ସମ ବିଧି ବିଧାନାହିଁ ଯଥା
ନିଜ ଭୁଜବଳେ କଲା ତିନିପୁର ସାଧ୍ୟ
କଂସକୁ ସମାନ ନାହିଁ ଏ ସଂସାର ମଧ୍ୟ
ଏ ପୁତ୍ରଗୋଟିକୁ ସେହି ସଂହାରିବା ପାଇଁ
ଏଥି ନିମନ୍ତେ ଆକଟ ବନ୍ଦୀ କରିଛଇ
ପଞ୍ଚାଶ ସହସ୍ର ଯୋଦ୍ଧା ଅଛନ୍ତି ବାହାରେ
ତିଳେ ପହରା ନ ଛାଡ଼ି ଯାଇ ଯେ ଯାହାରେ
ଦୁଃସହ ମେଘ ଅନ୍ଧାର ବର୍ଷା କାଳରାତି
ହାଟବାଟରେ ପାଇକମାନେ ବୁଲୁଥାନ୍ତି
ମେଘର ଘୋର ଗର୍ଜ୍ଜନ ବଜ୍ରାଘାତ ଜାଣି
ଟୋପି ଟୋପି ହୋଇ ପୁଣି ବରଷନ୍ତି ପାଣି
ମେଘ ଅନ୍ଧାର ନିଶା ଯେ ଘୋଟିଛି ଜଗତ
ବିଜୁଳି ଝଟକିବାରୁ ଦିଶେ ବାଟମାତ୍ର
ଦେବକୀ ତ ପୁତ୍ର ଜାତକରି ନିଦ୍ରା ଗଲା
ବିଶେଷେ ଅବଳାସ୍ତିରୀ ଉଶ୍ୱାସ ପାଇଲା
ସଙ୍ଗତେ କେହି ନାହିଁ ମୁଁ ହୋଇଲଇଁ ଏକା
ଭୋମାତ ଦୁର୍ଗାଗୋ ମୋତେ ହେଉକି ନା ସାହା
ମୁଦୁସୁଲୀ ଯେ ପୋଇଲୀ ଧାଈ ପରିବାରୀ
ସମସ୍ତେ ଅଚେତ ନିଦ୍ରାଦେବୀ ଅଛି ଘାରି
କଂସ ରାଜାର ଯେତେକ ସେନା ପରଚଣ୍ଡା
ମାଛି ପଡ଼ିଲେ କରିନ୍ତି ପୁଣ ଧୂଳିଗୁଣ୍ଡା
ଏଡ଼େ ବଡ଼ ଆକଟୁ କାହୁଁ ପଳାଇବି
କଂସରାଜା ଜାଣିଲେ ତ ନିଶ୍ଚେ ନାଶଯିବି
ପଞ୍ଚାଶ ସହସ୍ର ଯୋଦ୍ଧା ପାଖେ ଜଗିଛନ୍ତି
ଖଞ୍ଜାମୂଳେ ଯେ ଯାହାର ପାହାରୀ ଜଗନ୍ତି
ଏଥୁ ପାରହୋଇ ଅବା ଯିବଇଁ କେମନ୍ତେ
ଏ ମହାଦୁସ୍ତର କଥା ଲାଗୁଅଛି ମୋତେ
ଯେବେ ଏଥୁ ପୁତ୍ରଗୋଟି ନେବଇଁ ଚୋରାଇ
କେବଣ ଭୁବନେ ଏହା ଆସିବଇଁ ଥୋଇ
ପୁଣି ବିଚାରଇ ମୋରେ ଗୃହେ ନାହିଁ କାର୍ଯ୍ୟ
ଏ ପୁତ୍ର ଘେନି କରିବି ଦେଶାନ୍ତର ଆଜ
ଏହାପାଇଁ ପଛେ ମୋର ଏ ଜୀବନ ଯାଉ
ଯାବତ କାଳକୁ ଏହି କଥା ରହିଥାଉ
ଶୁଣ ତୁ ପରୀକ୍ଷ ରାଜା କହେ ଶୁକମୁନି
ଶ୍ରୀଭାଗବତ ପୁରାଣ ପୁଣ୍ୟମୟ ଧ୍ୱନି
ଏମନ୍ତ ବିଚାର ବସି କରେ ବସୁଦେବ
ଚିତ୍ରସେନ ନାମଧାରୀ ଯେବଣ ଗନ୍ଧର୍ବ
ବୈଜୟନ୍ତି ମାଳଦେଇ ଇନ୍ଦ୍ର ଦେଲେ ପେଷି
ପୁଷ୍ପକ ରଥରେ ବସି ବନ୍ଦିଘରେ ପଶି
ଗନ୍ଧର୍ବକୁ ଦେଖି କଲା ବସୁଦେବ ଭୟ
ଭାବିଲା ସେ କଂସରାଜା ଅଇଲା ପରାୟ
ସ୍ୱଭାବେ ଅନ୍ଧାର ଘର ଦୀପ ଜଳୁନାହିଁ
ଦେଖୁ ଦେଖୁ ଚିତ୍ରସେନ ପ୍ରବେଶିଲା ଯାଇ
କଂସ ପ୍ରାୟ ମଣି ତ୍ରସ୍ତ ବସୁଦେବ କାୟ
କମ୍ପଇ ତା କଳେବର ରମ୍ଭାପତ୍ର ପ୍ରାୟ
ବସୁଦେବ ଭୟ ଦେଖି ବୋଲେ ଚିତ୍ରସେନ
ଭୟ ତେଜି ବସୁଦେବ ଶୁଣ ମୋ ବଚନ
ସ୍ୱର୍ଗର ଗନ୍ଧର୍ବ ମୁହିଁ ଇନ୍ଦ୍ର ଆଜ୍ଞା ପାଇ
ବୈଜୟନ୍ତି ମାଳା ଘେନି ଧାଇଁ ଅଇଲଇଁ
ତୁମ୍ଭେ ବସୁଦେବ କିପାଁ ହୋଇଲ ଅଜ୍ଞାନ
ପ୍ରତ୍ୟକ୍ଷେ ଏ ନାରାୟଣ ତୁମ୍ଭର ନନ୍ଦନ
କେମନ୍ତେ ତା ପାସୋରିଲ ପୂର୍ବର ଯେ କଥା
ବୁଦ୍ଧିହୀନ ତ ତୁମ୍ଭର ହୋଇଲା ସର୍ବଥା
ନାରାୟଣ ଏ ମାନବ ଦେହଗୋଟା ଧରି
ଭାରା ନିବାରଣ ଅର୍ଥେ ଛନ୍ତି ଅବତରି
ପ୍ରତ୍ୟକ୍ଷ ରୂପକୁ ଦେଖି ନ ଚିହ୍ନିଲ ଏହା
ନିରଞ୍ଜନ ପୁରୁଷ ଯେ ପ୍ରଭୁ ଚଉବାହା
ତେତିଶକୋଟି ଦେବତା ଦେଲେ ପଠିଆଇ
ବୋଇଲେ ବସୁଦେବକୁ କହିବୁ ମଣାଇ
ଦୁର୍ବାର ଦାନବ କଂସ ଅଟେ ଅନର୍ଗଳା
ଜାଣିଲେ ମାରିବ ପୁତ୍ର ବେଗେ ଘେନିପଳା
ରକ୍ଷାପାଳ ସମସ୍ତେ ତ ଛନ୍ତି ନିଦ୍ରାଯାଇ
ଚେତନା ଦେଖ କାହାର ଦେହେ ବସିନାହିଁ
ବିଷ୍ଣୁର ମାୟାରେ ମୋହ ହୋଇଲେ ସକଳ
ନିବିଡ଼ରେ ଘୋଟିଅଛି ମହାନିଶାକାଳ
ଏହି ବେଳେ ତୁମ୍ଭେ ଯେବେ ନେଇ ନ ପାରିବ
ଦେବକାର୍ଯ୍ୟ ନୋହିବ ତ କେବେ ନ ବର୍ତ୍ତିବ
ବିଳମ୍ବ ନ କରି ପୁତ୍ର ବେଗେ ଘେନି ଆସି
ଗୋପପୁରେ ନନ୍ଦଘରେ ପ୍ରବେଶ ହୁଅସି
ତୁମ୍ଭେ ନ ବୋଲିବ ହୋଇଅଛି ମହାନିଶା
କାଳ ଘୋଟିଛି ଦୃମିଳାସୁର ସୁତ କଂସା
ଏଣୁ ବସୁଦେବ ତୁମ୍ଭେ ଯାଅ ବେଗ ହୋଇ
ନନ୍ଦ ଗୋପାଳୁଣୀ ସୁତା ଆଣ ପାଲଟାଇ
ଏ ତୁମ୍ଭ ପୁତ୍ର ଯଶୋଦା କୋଳେ ଦେବ ଥୋଇ
ଯଶୋଦା କୋଳରୁ କନ୍ୟା ଗୋଟିଆଣ ଯାଇ
ତୁମ୍ଭେ ମନେ ଭ୍ରାନ୍ତି ଅବା ନ କରୁଛ ଜାଣି
ବିଧାତା ପୁରୁଷ ଏହା ଅଛଇ ନିର୍ମାଣି
ଦୁହିତା ପ୍ରସବି ସେହି ନିଦେ ଥିବ ଶୋଇ
ନନ୍ଦ ଦକ୍ଷିଣ ମେଲାରେ ପ୍ରସୂତି ଯେ ହୋଇ
ଏହି କଥାମାନ ଜାଣ ନ ଜାଣନ୍ତି ଆନ
ମୋତେ ପେଷିଲେ ତୁମ୍ଭର ପାଶେ ମଘବାନ
ଏ ପୁତ୍ର ଯୋଗେ ତୁମ୍ଭଙ୍କୁ ଅଛି ବହୁ ପୂଜା
ବିଳମ୍ବ ନ କରି ତୁମ୍ଭେ ବେଗ ହୋଇ ଯା ଯା
ଆଗୁଁ ବଳରାମ ଛନ୍ତି ସେହିଠାରେ ରହି
ତାହାଙ୍କୁ ପାଶରେ ଏବେ କୃଷ୍ଣ ଆସ ଥୋଇ
ଏହା କହିଣ ଗନ୍ଧର୍ବ ହେଲା ଅନ୍ତର୍ଦ୍ଧାନ
ଶୁଣିଣ ସେ ବସୁଦେବ ଭାଳେ ମନେ ମନ
ଚିତ୍ରସେନ କହିଲା ଯା ଅଟେ ସତକଥା
ଭାଳି ଭାଳି ବସୁଦେବ ଛାଡ଼ି ମନୁବ୍ୟଥା
ମଙ୍ଗଳା ଶ୍ରୀବିନାୟକ ଦୁର୍ଗାଙ୍କୁ ସୁମରି
ଆପଣା ଇଷ୍ଟଦେବତା ସୁମରଣା କରି
ତମ୍ବାର ଖପରା ଗୋଟି ଧରି ନିଜ କରେ
ପୁତ୍ର ଗୋଟିକୁ ଶୁଆଇ ତହିଁର ଭିତରେ
ଝୀନପତନୀ ଉପରେ ଉପରାଣ ଦେଇ
ବନ୍ଦୀଘରୁ ବାହାରିଲା ତରତର ହୋଇ
ବିଷ୍ଣୁ ମାୟାରେ ଫିଟିଲା ଲୁହାର କବାଟ
ବିଜୁଳରି ଝଟକରେ ଦିଶୁଅଛି ବାଟ
ଯେତେବେଳେ ବସୁଦେବ ବାହାର ହୋଇଲା
ସୁବର୍ଣ୍ଣର ଛାମୁଡ଼ିଆ ବିଶ୍ୱକର୍ମା ଦେଲା
ଗୋବିନ୍ଦର ଆଜ୍ଞା ସବୁ ଦେବଇନ୍ଦ୍ର ପାଇ
ଯେ ଯାହାର ନିଯୋଗରେ ଖଟିଲେ ସେ ଯାଇ
ବସୁଦେବକୁ ଏମାନ ନ ଦିଶଇ କିଛି
ପୁତ୍ର ଘେନି ବସୁଦେବ କାତର ହୋଇଛି
କଂସର ଡରେ ହେଉଛି ତନୁ ଥରଥର
ଜୀବନର ଆଶା ଛାଡ଼ି ହୋଇଲା ବାହାର
ଯୁକତେ ଭାଦ୍ରବ ମାସ ଦୁଃସହ ବରଷା
ମେଘ ଅନ୍ଧାର ଘୋଟିଛି ପୁଣି ମହାନିଶା
ପାଞ୍ଚ ସହସ୍ର ପାହାରୀ ଅଛନ୍ତି ତ ଜଗି
ପୁତ୍ର ଘେନି ବସୁଦେବ ଚଳେ ବେଗି ବେଗି
ଶୋଇଥିବା ପାହାରୀଙ୍କ ପୃଷ୍ଠେ ଗୋଡ଼ଦେଇ
ବସୁଦେବଙ୍କୁ ଅଦୃଶ୍ୟ ନ ଦିଶନ୍ତି କେହି
ଅତିବେଗେ ବସୁଦେବ ଚାଲି ଯାଉଅଛି
ଜନଜନ୍ତୁ ଜୀବମାତ୍ର ନ ଦେଖଇ କିଛି
ରଥୀ ରାଉତ ପଦାତି ଗଜ ଅଶ୍ୱଗଣେ
ସମସ୍ତେ ମୋହ ନିଦ୍ରାରେ ଶୋଇ ଅଚେତନେ
ଏକପାଦରେ ଆରେକ ପାଦ ଛନ୍ତି ଦେଇ
ବିଷ ଖାଇଲା ପରାୟ ଯାଇଛନ୍ତି ଶୋଇ
କୃଷ୍ଣ ଘେନି ବସୁଦେବ ଚାଲେ ବେଗହୋଇ
ମନ ମଧ୍ୟରେ ଭାଳଇ କି କରିବି ମୁହିଁ
ବିଜୁଳି ତରାଟେ ଝଟ ଝଟ ଦିଶେ ପଥ
ଆରେତ ଡାକଇ ମୋତେ ରଖ ଜଗନ୍ନାଥ
କୋଟିଏ ଗନ୍ଧର୍ବ ସଙ୍ଗେ ଘେନି ଚିତ୍ରସେନ
ପଛେ ପଛେ ଗୋଡ଼ାଇଛି ହୋଇଣ ଗୋପନ
ଅନନ୍ତ ବାସୁକି ଶିରେ ଟେକିଅଛି ଫଣୀ
ଗୋବିନ୍ଦଙ୍କ ଶିରରେ ସେ ହୋଇଛି ଡାଙ୍କୁଣୀ
ବସୁଦେବ ଅଗୋଚର ଏସନକ ମାୟା
ବିଶେଷେ ଚଉର୍ଯ୍ୟପଣେ କମ୍ପେ ନିଜକାୟା
ବାଳଲୀଳା ଚରିତ ଏ ଶ୍ରୀକୃଷ୍ଣ କୀରତି
ଅଶେଷ ବ୍ରହ୍ମାଣ୍ଡ ରୋମେ ଅଛନ୍ତି ଯେ ବହି
ବସୁଦେବ ମଥାପରେ ଅଛନ୍ତି ଯେ ରହି
ବାଳୀକି ଦାନ ମାଗିଲେ ପ୍ରଭୁ ଯେତେବେଳେ
ଅଶେଷ ଜଗତ ଲୁଚିଗଲା ପାଦତଳେ
ଚଉରାଶୀ କାଠି ଗଙ୍ଗା ଲୁଚେ ପାଦେ ପଡ଼ି
ଦରାଣ୍ଡି ଦରାଣ୍ଡି ବ୍ରହ୍ମା ନ ପାଇଲେ ଲୋଡ଼ି
ଚୌରାଶୀଯୂଣ ହିରଣ୍ୟକଶିପୁର କାୟେ
କାଣି ଆଙ୍ଗୁଠିର ନଖେ ରହି କାଳଯାଏ
ଦେବାଧି ଦେବ ଉପରେ ଦେବ ଦେବ ହରି
ତମ୍ବା ଖପରା ଭିତରେ ଅଛି ଲୁଚି କରି
ବ୍ରହ୍ମା ଈଶ୍ୱରଙ୍କୁ ଆଦିକରି କୀଟଯାଏ
ଯେ ବିଷ୍ଣୁ ଶରୀରୁ ହୋଇଅଛନ୍ତି ଉଦୟେ
ଜ୍ୟେଷ୍ଠ ରୂପହିଁ କନିଷ୍ଠ ରୂପ ପୁଣ ସେହି
ଚାଣ୍ଡାଳୁ ବ୍ରହ୍ମ ପର୍ଯ୍ୟନ୍ତ ସବୁଙ୍କରି ଦେହି
ଅନନ୍ତ ମାୟାଧର ସେ ପ୍ରଭୁ ଶିରୋମଣି
ତାହାର ପରମଲୀଳା ଆନେ ନୋହେ ଜିଣି
ଚଳଇ ଯେ ବସୁଦେବ ବାସୁଦେବ ଘେନି
ସମ୍ପୂର୍ଣ୍ଣ ଅଷ୍ଟମଘଡ଼ି ହୋଇଛି ରଜନୀ
ତମ୍ବା ଖପରାରେ ଯତ୍ନେ ରଖିଅଛି ଭରି
ତହିଁ ଭିତରେ ଅଛନ୍ତି ସ୍ୱାମୀ ବିଜେକରି
ପବନ ଆଘାତେ ଚାଲେ ବସୁଦେବ ବେଗେ
ଯାଉଁ ଯାଉଁ ପଡ଼ିଲା ସେ ଉଗ୍ରସେନ ଆଗେ
କଂସର ଯେ ନିଜ ପିତା ରାଜା ଉଗ୍ରସେନ
ନଗ୍ରେ ଚଉକିଆ ହୋଇ ବୁଲେ ସବୁଦିନ
ଭୟଙ୍କର ବୀରବେଶ ହସ୍ତେ ଧରି ଖଣ୍ଡା
ନଗ୍ରେ ବୁଲୁଥାନ୍ତି ସେହି ନୃପତି ପ୍ରଚଣ୍ଡା
ରାଜ୍ୟର ଚଳ ଅଚଳ ଯେତେକ ବାରତା
ଅନ୍ଧାରିବିଜେ କରି ସେ ଶୁଣେ ସବୁ କଥା
ଆବର ବିଶେଷେ କଂସ ଦେଇଅଛି ଶିକ୍ଷା
ଦିବସେ ରାଜା ସେ ରାତ୍ରେ କଟୁଆଳ ଦୀକ୍ଷା
ବିକ୍ରମେ କେଶରୀ ଯେହ୍ନେ କ୍ଷେପେ ବନ ହେରି
ତେସନ କ୍ଷେପଇ ଉଗ୍ରସେନ ଦଣ୍ଡଧାରୀ
ଚନ୍ଦ୍ରକୁ ଚାହିଁଣ ରାହୁ ଗ୍ରାସଇ ଯେସନ
ତେସନେ ବାସୁଦେବକୁ ରାଜା ଉଗ୍ରସେନ
ରହ ରହ ବୋଲି ଯାଇ ଓଗାଳଇ ବାଟ
ଅଧରେ ଦନ୍ତ ଚାପିଣ କରେ ରଟ ମଟ
ପ୍ରତିଜ୍ଞା ସାମରଥା ସେ ନୃପତି ପ୍ରଚଣ୍ଡା
କାଳନୟନ ତରାଟି ଝମକାଇ ଖଣ୍ଡା
ବସୁଦେବକୁ ଅନାଇ ବୋଲେ ମହାରାୟ
କଂସର ପ୍ରତିଜ୍ଞା ଜାଣି ଶୁଣି ନାହିଁ ଭୟ
ନିଶ୍ଚେଁ ଜ୍ଞାନଧ୍ୱଂସ ହୋଇଗଲୁ କିରେ ବାଇ
ଯମର ଭୁବନକୁ ତୁ କିପାଁ ଲୋଡ଼ୁ ଯାଇ
ଜାଣିଲି ଜୀବନକୁ ତ ନାହିଁ ତୋର ଆଶ
ପୁତ୍ର ଚୋରାଇ ନେଉ ଏ କି ତୋର ସାହସ
ରାଜାଠାରେ ଦ୍ରୋହକଲୁ ହେଲୁ ମହାପାପୀ
କିପାଁ ଜ୍ଞାନଧ୍ୱଂସ ହେଲୁ କହ ତ ସଂକ୍ଷେପି
ମୂଳଚ୍ଛେଦ କରି କଂସ ନ ପାଇଲା ତୋତେ
ତହିଁର କି ଉପକାର କରୁଅଛୁ ଏତେ
ଆପେ ଜାଣୁ ଜାଣୁ କଂସରାଜା ଏହା କଲା
ଆଶ୍ୱାସିଲା ଶ୍ୱାନ ଆସି ମୁଖେ ଚୁମ୍ବ ଦେଲା
ତୁମ୍ଭ ଶିର ଛେଦିଥାନ୍ତା ନିଶ୍ଚେଁ ସେ ଆଗହୁଁ
ଭଉଣୀ ଭିଣୋଇ ବୋଲି ନ ମାରିଲା ଯହୁଁ
ଉପକାରୀ ଅପକାରୀ ବୁଝିଲୁ ଯେ ତୁହି
ତାହାର ମହିମା ତୋର ଶୁଣିଲା କି ନାହିଁ
ଦିଗପାଳମାନଙ୍କୁ ଯେ ଦ୍ୱାରେ ବାନ୍ଧି ରଖି
କଂସର ପ୍ରତିଜ୍ଞା ଅଛୁ ପ୍ରତ୍ୟକ୍ଷରେ ଦେଖି
କିପାଁ ଏଡ଼େ ଦୁଷ୍ଟପଣ ଏ ରାଜ୍ୟେ କରୁଛୁ
ଦେଖୁ ଦେଖୁ ଅନ୍ଧ କିରେ ହେଲା ତୋର ଚକ୍ଷୁ
ତସ୍କର ରୂପେ ପୁତ୍ରକୁ ନେଉଛୁ ଚୋରାଇ
କଂସ ଏହା ଜଣିଲେ ତ କେହି ଜୀଇ ନାହିଁ
ଦିଗପାଳଙ୍କୁ ଜିଣିଲା କଂସ ଜାଣ ରୋଳେ
ତାହାର ତେଜ ବିଦିତ ଏହି ରବିତଳେ
ତୁ କିପାଇଁ ରାଜା ତୁଲେ ବିବାଦୀ ହୋଇଲୁ
ଆପଣା ଗଳାରେ ଆପେ ଫାଶ ଲଗାଇଲୁ
ଜୀବନ୍ତେ ରଖିବା ତୋତେ ନ ଯୋଗାଇ କ୍ଷଣେ
ଏମନ୍ତ ବଚନ ରାଜା ବୋଇଲେ ଆପଣେ
ଏବେ ମୋ ମୁଖେ ପଡ଼ିଲୁ ଯିବୁ ଆଜ କାହିଁ
ଏକ୍ଷଣି ମାରିବି ତୋତେ ବିଶାବଳି ଦେଇ
ଏଥିରୁ ବାହାର ହେଲେ ମାଛି ବେନି ଖଣ୍ଡ
କିପାଁ ରାତ୍ରେ ବାହାରିଲୁ କଟାଯିବ ମୁଣ୍ଡ
କେବଣ ଭରସାରେ ତୁ ଆଣିଲୁ ଚୋରାଇ
ନିବିଡ଼ ପଥର ଘର ବଜ୍ରକିଳା ଯହିଁ
ଏସନକ ବନ୍ଦିଘରେ ଥିଲାକ ପୁରାଇ
ଦଶ ଦଶା ଶାଙ୍କୁଳି ଯେ ପତି ପତ୍ନୀ ଦେଇ
ଏଥୁଁ ବାହାର ହୋଇଲୁ କେବଣ ପ୍ରକାରେ
ପଞ୍ଚାଶ ସସ୍ର ପାହାରୀ ଜଗନ୍ତି ବାହାରେ
ରାତ୍ର ପ୍ରଭାତେ ଜାଣିବ କଂସ ନରନାହା
ଏ ଲୋକମାନେ ହୋଇବେ ସମସ୍ତେ ଦୋରେହା
ସକୁଟୁମ୍ବଯାକ କଂସ ମାରିବଟି ଯେତେ
ସେ ସମସ୍ତ ହତ୍ୟାଦୋଷ ଲାଗିବ ନା ତୋତେ
ବେଳୁଁବେଳ ଉଗ୍ରସେନ କଲା ଗରୁ କୋପ
କରେ ଖଡ଼୍‌ଗ ଝମକାଇ କରେ ମହାତାପ
କହୁଁ କହୁଁ ଉଗ୍ରସେନ ଉପ୍ରୋଧ ଛାଡ଼ିଲା
ବସୁଦେବର କେଶକୁ ଆକର୍ଷି ଧଇଲା
ଏସନ କଟାଳ ଯହୁଁ ଦେଖିଲେ ଶ୍ରୀହରି
ପିତାର ଆଦେଶେ ପୁତ୍ର ନିଜରୂପ ଧରି
ତମ୍ବା ଖପରାରେ ଥାଇ ବଢ଼ାଇଲେ କାୟା
ଅବ୍ୟକ୍ତ ପୁରୁଷ ତହିଁ କଲେ ବିଷ୍ଣୁ ମାୟା
ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଦିବ୍ୟତେଜ
ଉଗ୍ରସେନ ହିଁ ଦେଖିଲା ତାଙ୍କ ଚତୁର୍ଭୁଜ
ବେନି ଶ୍ରବଣେ ବିରାଜେ ମର୍କତ କୁଣ୍ଡଳ
ନିଦାଘେ ତେଜ ଯେସନେ ଆଦିତ୍ୟ ମଣ୍ଡଳ
କଙ୍କଣ ବାହୁଟି ବିଦମୁଦି ଜଗଦ୍‌ବଳା
ହୃଦରେ ଲମ୍ବଇ ପୁଣ ତୁଳସୀର ମାଳା
ଲକ୍ଷ୍ମୀ ସରସ୍ୱତୀ ବାମ ଡାହାଣରେ ବିଜେ
ଅପୂର୍ବ ରୂପ ଧରିଲେ ସେହି ଦେବରାଜେ
ଏସନକ ମହିମା ଯେ ଦେଖି ପରମେଷ୍ଠୀ
ଅର୍ଦ୍ଧ ଆକାଶେ ରହିଣ କଲେ ପୁଷ୍ପ ବୃଷ୍ଟି
ଗନ୍ଧର୍ବ ଯେ ବିଦ୍ୟାଧର କରୁଛନ୍ତି ନୃତ୍ୟ
ଦେବବାଦ୍ୟ ଯେ ଦୁନ୍ଦୁଭି ବାଜେ ଅପ୍ରମିତ
ଶ୍ରୀବତ୍ସ ଲାଞ୍ଛନ ହୃଦେ କଉସ୍ତୁଭ ମଣି
ଚାରିମୁଖେ ବ୍ରହ୍ମା ବସି କରେ ବେଦଧ୍ୱନି
ତମ୍ବା ଖପରା ଭିତରେ ସ୍ୱାମୀଙ୍କର କାୟା
ବସୁଦେବ ନ ଜାଣଇ ଏସନକ ମାୟା
ଏକମାତ୍ର ଉଗ୍ରସେନ ଦେଖେ ଦେବଦେହୀ
ତ୍ରୈଲୋକ୍ୟ ଭିତରେ ତାହା ନ ଜାଣନ୍ତି କେହି
ଏସନକ ରୂପ ଦେଖି ରାଜା ଉଗ୍ରସେନ
ନିସ୍ତରିଲି ନିସ୍ତରିଲି ବୋଇଲା ବଚନ
ଖଡ଼ଗଫଳା ପକାଇ ଆନନ୍ଦରେ ବୁଡ଼ି
ବାସୁଦେବ ପାଦତଳେ ଶୁତି ଗଡ଼ଘାଲି
କରପତ୍ର ଯୋଡ଼ି ପୁଣି କରଇ ଦଇନୀ
ମୋ ଭାବ ଜାଣିଣ ରକ୍ଷାକର ବେଣୁପାଣି
ତୁ ନାରାୟଣ ପରମାନନ୍ଦମୟ ଜ୍ୟୋତି
ଅଖିଳ ବ୍ରହ୍ମାଣ୍ଡର ତୁ ଠାକୁର ଶ୍ରୀପତି
ଅକାରଣ ଜନ୍ମ ମୋର ହେଲା ଆଜି ଧନ୍ୟ
ଦେଖିଲି ପୁରୁଷୋତ୍ତମ ରୂପ ବର୍ଣ୍ଣ ଚିହ୍ନ
ଧନ୍ୟ ମୋର ମାତା ପୁଣ ଧନ୍ୟ ମୋର ପିତା
ଧନ୍ୟ ମୋର ଇଷ୍ଟ କୁଳବାନ୍ଧବ ଦେବତା
ସ୍ୱାମୀ ଚର୍ମ ନୟନେ ଦେଖିଲି ତୁମ୍ଭ ରୂପ
ଲଭିଲି ମୁକତି ଗତି ଖଣ୍ଡି ମହାପାପ
ଧରଣୀର ମହାଭାର ନିବାରିବା ଅର୍ଥେ
ତୁମ୍ଭେ ନାଥ ଅବତାର ହେଲ ସିନା ଏଥେ
ସଂସାରଯାକ ତୁମ୍ଭର ଖେଳଘର ଲୀଳା
ସଂସାର ତରିବାକୁ ତୋ ନାମ ଅଟେ ଭେଳା
ଯେବଣ ରୂପକୁ ଯୋଗୀ କରୁଛନ୍ତି ଧ୍ୟାନ
ସେ ରୂପ ଦେଖିଲି ଧନ୍ୟ ମୋହର ଜୀବନ
ପୁଣି ଉଗ୍ରସେନ କରଯୋଡ଼ି ସ୍ତୁତି ବୋଲି
ଶତେବାର ପରିଯନ୍ତେ ଶୁତି ଗଡ଼ଘାଲି
ଶ୍ରୀମୁଖ ଚାହିଁ ବହୁତ କରେ ପୁଣି ସ୍ତୁତି
ପ୍ରସନ୍ନ ମୁଖେ କହନ୍ତି ଲକ୍ଷ୍ମୀଦେବୀ ପତି।
ଆହୋ ଉଗ୍ରସେନ ତୁମ୍ଭେ ଆମ୍ଭ ନିଜ ଆତ୍ମା
ପୁଣ୍ୟବନ୍ତ ପୁରୁଷ ତୁ ଅଟୁ ଯେ ମହାତ୍ମା
ପାମର ପୁତ୍ର ତୁମ୍ଭଙ୍କୁ କଲା ରାଜ୍ୟଭ୍ରଷ୍ଟ
ଆପେ ରାଜା ହୋଇ ଦେଲା ତୁମ୍ଭଙ୍କୁ ଏ କଷ୍ଟ
ତୁମ୍ଭର ଦୁଃଖ ଅଳପ ଦିନେ ଯିବ କ୍ଷୟ
ତୁ ଏକାଙ୍ଗ-ଚକ୍ରବର୍ତ୍ତୀ ହେବୁ ମହାରାୟ
ତୁମ୍ଭଙ୍କୁ ଘେନି କରିବୁଁ ପୃଥ୍ୱୀଭାରା ନାଶ
ତୁମ୍ଭଙ୍କୁ ଯେ ଅପଚୟ ଦେଲା ରାଜା କଂସ
ଆବର ଆଠବରଷ ପାଇବ ନା କଷ୍ଟ
ପୃଥିବୀଯାକରେ ତୁମ୍ଭେ ହେବ ସମରାଟ
ଅଷ୍ଟମଲ୍ଲ ସହିତରେ କଂସ ଯିବ କ୍ଷୟେ
ଗୋଗୋଷ୍ଠରେ ଥିବୁ ଆମ୍ଭେ ଅଷ୍ଟବର୍ଷଯାଏ
ନନ୍ଦ ଘରେ ଗୋପନଗ୍ରେ ରହିବୁଁ ଗୁପତେ
ତହିଁକି ତୁ ଅବଧାନ କରିଥିବୁ ଚିତ୍ତେ
ଏତେ ବୋଲି ସ୍ୱାମୀ ଶାଢ଼ୀ ଶ୍ରୀହସ୍ତରେଦେଲେ
ଆଜହୁଁ ଏକାଙ୍ଗ ରାଜା ହୁଅ ତୁ ବୋଇଲେ
ଦେଇଥିଲେ ବୈଜୟନ୍ତୀମାଳା ଚିତ୍ରସେନ
ଆପଣା କଣ୍ଠରୁ ତାହା କାଢ଼ି ଭଗବାନ
ପ୍ରସନ୍ନ ହୋଇ ଉସତେ ଦେବ ବନମାଳୀ
ଉଗ୍ରସେନ ରାଜାକୁ ତ କରେ ଦେଲେ ତୋଳି
ଶୁଣ ପରୀକ୍ଷ ନୃପତି ବୋଲେ ଶୁକଯତି
ଶ୍ରୀଭାଗବତ ପବିତ୍ର ପୁଣ୍ୟମୟ କୀର୍ତ୍ତି
ଉଗ୍ରସେନ ଶ୍ରୀହରିର ଉଚ୍ଚବାଚ ବାଣୀ
ମାୟାରେ ତା ବସୁଦେବ ନ ପାରିଲା ଜାଣି
ବିଷ୍ଣୁର ଦଇବୀ ମାୟାଜାଲେ ଭ୍ରମୁଅଛି
ଦିବ୍ୟରୂପ ନ ଦେଖିଲା ନ ଶୁଣିଲା କିଛି
ଉଗ୍ରସେନ ରାଜାକୁ ସେ ଏକା ଚାହିଁ ରହେ
ଓଷ୍ଠ ତାଳୁକା ଶୁଣିଲା ଚିତ୍ତେ ଲାଗେ ଭୟେ
ପ୍ରତ୍ୟକ୍ଷେ ଦେଖଇ ଉଗ୍ରସେନ କୋପଭର
ଦଣ୍ଡୁଆସି ଆଗେ ପଡ଼ି ହୁଏ ଯେହ୍ନେ ଚୋର
ଉଭୟ ସଙ୍କଟେ ଯହୁଁ ପଡ଼ିଲା କାତର
ବେଳୁଁବେଳ ଉଗ୍ରସେନ ତୋଡ଼ ଭୟଙ୍କର
କାତର ଦେଖିଣ କହେ ଉଗ୍ରସେନ ରାୟ
କିପାଇଁ ଅସ୍ଥିର ହେଉ ସୁଦେବ ତନୟ
ତୁମ୍ଭେ ବସୁଦେବ ମନେ ନ କର ଯେ ଭୀତି
ତୁମ୍ଭ ମନୋବାଞ୍ଛା ସିଦ୍ଧ ହୋଇଲା ଏ ଘାନ୍ତି
ପ୍ରତ୍ୟକ୍ଷେ ଶ୍ରୀବିଷ୍ଣୁନାଥ ହେଲେ ତବ ପୁତ୍ର
ଏତେ କାଳରେ ଖଣ୍ଡିଲେ ତୁମ୍ଭ କଷ୍ଟ ମାତ୍ର
ଅଧିକ କହନ୍ତେ ବେଳ ହୋଇବ ଉଛୁର
ଏ ପୁତ୍ରକୁ ଘେନି ତୁମ୍ଭେ ବେଗ ବେଗ ଚଳ
ଧନ୍ୟ ମୋହର ଦୁହିତା ଅଟେ ପୁଣ୍ୟମୟୀ
ନିରାକାର ପୁରୁଷକୁ ଗର୍ଭୁ ଉପୁଜାଇ
ଯୋଗୀଜନ ଧ୍ୟାନ ପୁଣ କରନ୍ତି ଯାହାକୁ
ମୋହର ଦୁହିତା ଗର୍ଭେ ଧଇଲା ତାହାକୁ
ଚଳ ତୁମ୍ଭେ ବସୁଦେବ ବିଳମ୍ବ ନକର
ଏ ପୁତ୍ରକୁ ନେଇ ଛାଡ଼ ନନ୍ଦର ମନ୍ଦିର
ତୁମ୍ଭେ ମୋର ଜ୍ୟେଷ୍ଠ ଜ୍ୱାଇଁ ଇଷ୍ଟଦେବ ସମ
ଦୁହିତା ପତି ପୂଜିବ ଶାସ୍ତ୍ରରେ ଏ ଧର୍ମ
ଦୁହିତା ପୁତ୍ର ମୋ ଅନ୍ତେ ପିଣ୍ଡଦାନ ଦେବ
ପିତୃ ତିନି ପୁରୁଷଙ୍କୁ ଉଦ୍ଧାର କରିବ
ଏତେବୋଲି ବସୁଦେବ ପ୍ରଦକ୍ଷିଣ କରି
କହେ ଶୀଘ୍ର ହୋଇ ଚଳ ତୁମ୍ଭେ ଗୋପପୁରୀ
ହର୍ଷହେଲେ ବସୁଦେବ ଏ ବଚନ ଶୁଣି
ସୂର୍ଯ୍ୟ ଉଦେ ହେଲେ ଯେହ୍ନେ ବିକାଶ ନଳିନୀ
କୋପ ବଚନ ଶୁଣିଣ କରୁଥିଲା ଭୟ
ଆଶ୍ୱାସ ବଚନ ଶୁଣି ହରଷିତ କାୟ
ପୁତ୍ର ଘେନି ବସୁଦେବ ଚଳେ ବେଗେବେଗେ
ତୁରିତେ ମିଳିଲା ଯାଇଁ ଯମୁନାର ଲାଗେ
ନଦୀକୂଳେ ବସୁଦେବ ପ୍ରବେଶିଲା ଯାଇଁ
ଯମୁନା ନଦୀ ବଢ଼ିଛି ଦୁଇକୂଳ ଖାଇ
ବେଭାରେ ଭାଦ୍ରବ ମାସ ବରଷାର କାଳ
ମେଘ ଚଉଦିଗ ଘୋଟି ବରଷୁଛି ଜଳ
କୋଶେ ଓସାର ଯମୁନା ଆସୁଅଛି ମାଡ଼ି
ଲହଡ଼ି ଘାତରେ ଖସି ପଡ଼ଇ ଅତଡ଼ି
କଳ କଳ ଧ୍ୱନି ଶୁଭେ ଉଠଇ ଭଉଁରୀ
ସାପମୁଣ୍ଡ କାଟିଦେବ ସୁଅ ଏତେ ସରି
ସୁଶୁମ୍ବର ମଗର ଯେ ମାଛ କାଠମାଳା
ପ୍ରଖର ସ୍ରୋତରେ ଭାସିଯାଏ ଭେଳା ଭେଳା
ଘୋର ଶବଦ ଶୁଭୁଛି ସିନ୍ଧୁଘୋଷ ଜାଣି
ଚକ୍ରବତ ହୋଇ ବୁଲେ କେଉଁଠାରେ ପାଣି
ଫେଣ ସବୁ ଭାସିଯାଏ ହୋଇ ଭେଳା ଭେଳା
ସ୍ୱଭାବେ ଗଭୀର ଯୋଗୁଁ ଜଳ ଦିଶେ କଳା
ଭାସନ୍ତି ଯେ ବଡ଼ ବଡ଼ ସାପ ଫଣାଟେକି
କୂଳ ବୁଡ଼ିଯାଏ ପାଣି ଯହିଁକି ତହିଁକି
କୁମ୍ଭୀରେ ଖଗ ବୁଲାଇ ଆଉଜନ୍ତି କୂଳେ
ଖଣ୍ଡାମଗରେ ଖଣ୍ଡାକୁ ପିଟୁଛନ୍ତି ଜଳେ
ଶାଙ୍କୁଚେ ଲାଞ୍ଜ ମାରନ୍ତି ସ୍ରୋତରେ ଭାସନ୍ତି
ବାହାନିଆ ହୋଇ ମାଛେ କୂଳେ ଆଉଜନ୍ତି
ମୀନ ଫୁଟନ୍ତି ରହିଣ ଥିରପାଣି ଦେଖି
ଜଳେ ଉପୁଡ଼ି ପଡ଼ନ୍ତି କୂଳେ ଥିବା ଶାଖୀ
ଦ୍ୱାଦଶ ଯୋଜନ ଗର୍ଭ ଅଟେ ଯେଉଁ ନଦୀ
ମେରୁ ମନ୍ଦର ଗିରି କି ଆସୁଅଛି ଭେଦି
ନଦୀକୂଳେ ବସୁଦେବ ଉଭାହେଲେ ଯାଇଁ
ଦୁଃସହ ମେଘ ଅନ୍ଧାର କିଛି ଦିଶୁନାହିଁ
ବେଭାରେ ବରଷାକାଳ ଜଳ ଅକଳନା
ବିଚାରଇ ବସୁଦେବ ପଥ ହେଲି ବଣା
କୂଳ ବୁଡ଼ି ନଦୀଜଳ ଆସୁଅଛି ମାଡ଼ି
ଉଛୁଳି ପଡ଼ୁ ଅଛଇ କୂଳ ବନ୍ଧ ବୁଡ଼ି
କେଉଁ କତିରେ ଯେ ବନ୍ଧ ନ ପାରଇ ଇ ବାରି
ବିଚାରଇ ବସୁଦେବ ବାଟ ଗଲ ହୁଡ଼ି
ଏହା ଭାଳି ଚଉକତି ଲୋଡ଼ୁଅଛି ବାଟ
ବିଜୁଳିର ଝଟକରେ ଦିଶିଗଲା ଘାଟ
ଯମୁନାକୂଳେ ଭାଣ୍ଡୀର ବୃକ୍ଷ କଲା ଠାବ
ଦକ୍ଷିଣରେ କୁଞ୍ଜବନ ତରୁ ଯେ କଦମ୍ବ
ବସୁଦେବ ବିଚାରଇ ବାଟ ମୁଁ ପାଇଲି
କୂଳେ ଥିବା ଏହି ବେନି ବୃକ୍ଷକୁ ଦେଖିଲି
ଗୋପନଗ୍ରକୁ ଯିବାକୁ ପଡ଼ିଛି ଏ ବାଟ
ଏତେ ବିଚାରି ନଦୀରେ ପଶେ ଯାଇ ବେଗେ
ସୁଶୁମ୍ବର ମଗରକୁ ଦେଖେ କୂଳ ଲାଗେ
ଜଳଚରେ ଭାସୁଛନ୍ତି ଭେଳା ପ୍ରାୟ ହୋଇ
କାଷ୍ଠ ଉପରେ ଅଛନ୍ତି ସର୍ପମାନେ ଶୋଇ
ତାହା ଦେଖି ବସୁଦେବ ମନେ କରେ ଶଙ୍କା
ପୁତ୍ର ଶୋକରେ ସାହସ କରିଅଛି ଏକା
ଯମୁନା ନଦୀ ଭିତରେ ବୁଡ଼ିଲାକ କାୟେ
ପ୍ରଥମ ଭଡ଼ାରୁ ପାଣି ହେଲା ନାଭିଯାଏ
ଦ୍ୱିତୀୟ ଭଡ଼ା ପକାଇ ହୋଇଲାକ ଠିଆ
ସୁଦେବ ନନ୍ଦନର ଯେ ତିନ୍ତିଗଲା ହିଆ
ତୃତୀୟ ଭଡ଼ା ପାଣିକି ଆକ୍ରୋଶିଲା ପୁଣି
ସେଠାରେ ହେଲା ତାହାକୁ ବେକେଯାଏ ପୁଣି
ପୁଣି ବଢ଼ାଇଲା ପାଦ ଚତୁର୍ଥ ପହଣ୍ଡ
ବୁଡ଼ିଲାକ ନାକ ଆଖି କର୍ଣ୍ଣ ପାଟି ମୁଣ୍ଡ
ମୁଣ୍ଡ ବୁଡ଼ନ୍ତେ ବିକଳ ବସୁଦେବ ହେଲା
ଊର୍ଦ୍ଧ୍ୱବାହୁ ହୋଇ କରେ ପୁତ୍ରକୁ ଧଇଲା
ଶିର ଉପରେ ପୁତ୍ରକୁ ଧରିଛି ଆକର୍ଷି
ପ୍ରଖର ସ୍ରୋତ ଜଳରେ ଯାଉଅଛି ଭାସି
ଥୋକାଏକ ଦୂରେ ଭାସି ପଡ଼େ ଯାଇ ଧୀରେ
ତେବେହେଁ ପୁତ୍ରକୁ ଟେକି ବହିଛି ମୁଣ୍ଡରେ
ବଦନ୍ତି ଯେ ଶୁକମୁନି ଶୁଣ ଦଣ୍ଡଧାରୀ
ଖରସ୍ରୋତେ ବସୁଦେବ ଯାଉଛି ପହଁରି
ମନରେ ଭାଳଇ ମଲେ ମରିବି ମୁଁ ଜଳେ
ପ୍ରାଣୁଁ ଅଧିକ ପୁତ୍ରକୁ ଧରିଥିବି କରେ
ପିତାର ମନକୁ ପ୍ରଭୁ ବିଡ଼ିବାର ପାଇଁ
କପଟ ଭିଆଇଛନ୍ତି କମଳାର ସାଇଁ
ଯହୁଁ ବସୁଦେବ କଷ୍ଟ ପାଇଲା ଅନେକ
ଯମୁନା ନଦୀକି ଆଜ୍ଞା ଦେଲେ ପଦ୍ମମୁଖ
ତୁମ୍ଭେ ଯେ ଯମୁନା ନଦୀ ଅଟ ପୁଣ୍ୟବାରି
ବେଦ ପୁରାଣେ ତୁମ୍ଭଙ୍କୁ ପରଶଂସା କରି
ଜୟା ବିଜୟା ତୋ ନାମ ଅଟଇ ପ୍ରସିଦ୍ଧି
ମେରୁ ମନ୍ଦର ଗିରିରୁ ଆସୁଅଛୁ ଭେଦି
ଆମ୍ଭେ ଗୋପେ ଯିବୁ ବସୁଦେବ ମୁଣ୍ଡେ ଚଢ଼ି
ଆଜ ରାତିକ ତୋ ଗର୍ଭୁ ପାଣି ଯାଉ ଛାଡ଼ି
ସ୍ୱାମୀଙ୍କ ମୁଖୁଁ ଯମୁନା ଶୁଣିଣ ଏସନ
ବଢ଼ି ଯାଇଥିବା ପାଣି ଛାଡ଼ିଲା ତକ୍ଷଣ
ଦ୍ୱାଦଶ ତାଳ ଗଭୀର ଯମୁନାର ପାଣି
କୃଷ୍ଣ ଆଜ୍ଞାରେ ତକ୍ଷଣ ହେଲା ଆଣ୍ଠୁଆଣି
ତାହା ଦେଖି ବସୁଦେବ ମନେ ପାଇ ଶାନ୍ତି
ବୋଇଲା ଧର୍ମ ଦେବତା ସାହା ଯେ ଏ ଘାନ୍ତି
ଏ ଘୋର ବରଷାକାଳେ ଯମୁନାର ଥଳ
ଏବେ ଜାଣିଲି ଦିଶିଲା ମୋର ପୁଣ୍ୟବଳ
ଏମନ୍ତ ମନେ ବିଚାରି ଚାଲିଗଲା ବେଗେ
ନଦୀ ପାରହୋଇ ମିଳେ କୁଞ୍ଜବନ ଲାଗେ
କୃଷ୍ଣର ଦିବ୍ୟରୂପକୁ ଦେଖି କୁଞ୍ଜବନ
ଗୋପନେ ଯେ ତରୁ ଥିଲେ ଦିଶିଲେ ଶୋଭନ
ତରୁଏ ମନ ମଧ୍ୟରେ କରନ୍ତି ବିଚାର
ଏତେଦିନ ଆସି ଭାଗ୍ୟ ଦିଶିଲା ଆମ୍ଭର
ଅନେକ କାଳରୁ ତାକୁ ଆଶା କରୁଥିଲୁ
ଗଜ ଉଦ୍ଧାରଣ ସ୍ୱାମୀ ଦେଖି ନିସ୍ତରିଲୁ
ଏ ବନେ କ୍ରୀଡ଼ା କରିବେ ଦେବ ଭଗବାନ
ପାଇବୁ ପରମ ଗତି ଲଭିବୁଁ କାରଣ
ସ୍ଥାନର ରୂପେ ଚଉଦ ମନୁ ଗଲା ବହି
ଗୋବିନ୍ଦ ରୂପ ଦେଖିବୁଁ ଥିଲୁ ବାଟ ଚାହିଁ
ଏମନ୍ତ ବିଚାର କଲେ ଦେଖି କୁଞ୍ଜବନ
ପୁତ୍ର ଘେନି ବସୁଦେବ ଚଳଇ ବହନ
ତଦନ୍ତେ ଦେଖଇ ବସୁଦେବକୁ କଦମ୍ବ
ଶିର ଉପରେ ଅଛନ୍ତି ଦେବ ବାସୁଦେବ
ଗୋବିନ୍ଦଙ୍କୁ ଦେଖି ତରୁ ଦିଶିଲାକ ଶୋଭା
ମୂର୍ତ୍ତିମନ୍ତ ହୋଇଅଛି ଗୋବିନ୍ଦର ପ୍ରଭା
ଶତସହସ୍ର ପ୍ରଣାମ କରେ ତରୁ ବର
ଭକତି ଭାବ ଦେଖାଇ ବୋଲଇ ସ୍ଥାବର
ଭୋ ନାଥ ବିଷ୍ଣୁ ଆମ୍ଭଙ୍କୁ କଲ ତୁମ୍ଭେ ଦୟା
ଏତେକାଳେ ଦରଶନ ଦେଇ ଦିବ୍ୟକାୟା
ଅପାର କାଳୁଁ ଆଶାର୍ଥୀ ଆମ୍ଭେ ବନଭୂମି
ଏ ତୁମ୍ଭର ଦିବ୍ୟରୂପ ଦେଖିବାକୁ ସ୍ୱାମୀ
ତୁମ୍ଭେ ଜଗବନ୍ଧୁ ଏଥି କେଳି କୁତୂହଳେ
କ୍ରୀଡ଼ା କରିବ ଗୋପୀଙ୍କି ଘେନି ଆମ୍ଭ ମୂଳେ
ତୁମ୍ଭ ରାସରଙ୍ଗ ଦେଖି ହେବୁ ପୁଣ୍ୟମୟ
ଆମ୍ଭର ମହାପାପାଧି ପାପ ଯିବ କ୍ଷୟ
ଗୋବିନ୍ଦେ ବୋଇଲେ ଗୁପ୍ତ କର ଏହି କଥା
ଅଳପ ଦିନେ ଖଣ୍ଡିବୁଁ ତୁମ୍ଭ ଏ ଅବସ୍ଥା
ଯେ ଯାହାରେ ସ୍ଥିରରୂପେ ଥାଅ ଶାଖା ବହି
ଆମ୍ଭେ ଜନମ ହୋଇଛୁ ସିନା ତୁମ୍ଭ ପାଇଁ
ବୋଲନ୍ତି ଯେ ଶୁକ ଶୁଣ ଅଭିମନ୍ୟୁ ବତ୍ସ
ଏ କଥାମାନ ନ ଜାଣେ ସୁଦେବର ବତ୍ସ
ଉଦବେଗେ ପୁତ୍ର ଘେନି ଚଳଇ ବହନ
ଆନନ୍ଦରେ ପ୍ରଫୁଲ୍ଲିତ ହୋଇଛି ତ ମନ
ମିଳିଲା ଯାଇ ଯେ ଗୋପନଗରେ ସତ୍ୱରେ
ଅଚେତନ ହୋଇଛନ୍ତି ସକଳେ ନିଦ୍ରାରେ
ଜନ ଗହଳ ଚହଳ ରବ ତହିଁ ନାହିଁ
ଘୋଟିଅଛି ନିଦ୍ରାବତୀ ଯାଇଛନ୍ତି ଶୋଇ
ଦେବ ଦାନବ ମାନବ ଆଦି ଜୀବ ଯେତେ
ବିଷ୍ଣୁ ମାୟାରେ ସକଳ ମୋହିତ ଜଗତେ
ନଗର ଭିତରେ ପୁଣି ଖଣ୍ଡେ ଦୂର ଗଲା
ନନ୍ଦର ମନ୍ଦିରେ ଯାଇ ପ୍ରବେଶ ହୋଇଲା
ଦେଖିଲା ସଭିଙ୍କୁ ନିଦ୍ରାବତୀ ଅଛି ମୋହି
ଅଦଭୂତେ ତା କବାଟ ଫିଟିଅଛି ତହିଁ
ଗୃହ ଆୟତନ ମଧ୍ୟେ ପଶିଲାକ ଯାଇ
କୃଷ୍ଣଙ୍କୁ ଘେନିଛି ତମ୍ବା ଖପରାରେ ଲାଇ
ଦକ୍ଷିଣ ମେଲାରେ ଯାଇ ମିଳି ଅତି ବେଗେ
ଦେଖିଲାକ ଯଶୋବନ୍ତୀ ଶୋଇଛନ୍ତି ଆଗେ
ଦୁହିତା ଗୋଟିଏ ଦେବୀ କରିଛନ୍ତି ଜାତ
ଶରୀରରେ ଜ୍ଞାନ ନାହିଁ ନିଦ୍ରାରେ ମୋହିତ
ପିନ୍ଧିଲା ବସନଗୋଟି ଯାଇଅଛି ଫିଟି
ପଡ଼ିଛନ୍ତି ଯଶୋବନ୍ତୀ ଧରମୀରେ ଲୋଟି
ଯେବଣ ଦୁହିତା ଜନ୍ମ କରିଛନ୍ତି ସେହି
ପାଦତଳେ ପଡ଼ିଛି ସେ ଚରଣ ହଲାଇ
ତାହା ଦେଖି ବସୁଦେବ ହୋଇଣ ହରଷ
କୃଷ୍ଣଙ୍କୁ ଥୋଇଲା ନେଇ ଯଶୋବନ୍ତୀ ପାଶ
ଯେ ଦୁହିତା ଯଶୋବନ୍ତୀ ଜାତ କରିଥିଲା
ତାକୁ ଆଣି ବସୁଦେବ ଖପରେ ଭରିଲା
କୃଷ୍ଣ ମାୟାଗତ ପୂର୍ବୁଅଛି ଯେଉଁ ବାଣୀ
ବଦନ୍ତି ଯେ ଶୁକ ଶୁଣ ପରୀକ୍ଷ ନୃମଣି
ବାଳଭାବେ ନନ୍ଦଗୃହେ ଶ୍ରୀହରି ରହିଲେ
ବିହି ଘଟସୂତ୍ର ଆନ ହୁଅଇ କି ଭଲେ
ବସୁଦେବ ଭାଳେ ମନୁ ଫିଟିଲା ମୋ ଭ୍ରାନ୍ତି
ସର୍ବଶୁଭେ ପୁତ୍ର ମୋର ରହିଲା ଏ ଘାନ୍ତି
ପିତୃଲୋକେ ପିଣ୍ଡଦାନେ ହୋଇଲା କାରଣ
ପୁତ୍ରରକ୍ଷା ହେଉ ଯାଉ ପଛେ ମୋର ପ୍ରାଣ
ଏହା କହି ଯମୁନାକୁ ପାରିହେଲା ବେଗେ
ତୁରିତେ ମିଳିଲା ଯାଇ ବନ୍ଦୀଘର ଲାଗେ
ଯେତେବେଳେ ବସୁଦେବ ନଦୀ ପାରହୋଇ
ବାହୁଡ଼ି ବଢ଼ିଲା ପୁଣି ବେନିକୂଳ ଖାଇ
ବସୁଦେବର ଆସିବାଯାଏ ଥିଲା ଥଳ
ପୁନରପି ସାତତାଳ ଯମୁନାର ଜଳ
ଏ ବଚନ ଶୁଣି ପୁଣି ପରୀକ୍ଷିତ ରାଜା
ଶୁକ ମୁନିର ଚରଣେ କରି ଦିବ୍ୟପୂଜା
ବୋଲେ ଭୋଦେବ ଅପୂର୍ବ କଥା କହ ମୋତେ
ଯମୁନା ନଦୀ ଯେ ଥଳ ହେଲା କେଉଁମତେ
ନାବ ବୋଇତ ଭେଳାହିଁ କିଛି ତହିଁ ନାହିଁ
ଏଡ଼େ ଦୁସ୍ତର ନଦୀକି ପାର ହେଲା କାହିଁ
ଯୁକତେ ଯମୁନା ନଦୀ କୋଶେକ ଓସାର
ବେନିକୂଳ ବୁଡ଼ି ସ୍ରୋତ ବହେ ଖରତର
ସେ ଦୁସ୍ତର ନଦୀ ପାର ହୋଇଲା କେମନ୍ତେ
ଏ ସଂଶୟ କଥା ଫେଡ଼ି କହିବାକ ମୋତେ
ଶୁକ ବୋଇଲେ ଆହୋ ପରୀକ୍ଷ ମହାରଥା
ବିଷ୍ଣୁ ମାୟାରେ ନୁହଇ କହ କେଉଁ କଥା
ପ୍ରଖର ସ୍ରୋତ ସମୁଦ୍ରତୂଲ୍ୟ ମହାଜଳ
ଅଗମ୍ୟ ଅଗୋଚରହିଁ ଯେଉଁ ନଦୀକୂଳ
ତପତ ବଇତରଣୀ ଯମପଥ ନଦୀ
ଶତେ ସହସ୍ର ଯୋଜନ ଅଟେ ଶୂନ୍ୟଭେଦି
କେବଳ କଣ୍ଠେ ଗୋବିନ୍ଦ ନାମ ଉଚ୍ଚାରନ୍ତେ
ଏହି ନଦୀ ପାର ହୋଇ ଯାନ୍ତି ସ୍ୱର୍ଗପଥେ
ଯାହାର ନାମ ଜପନ୍ତେ ଭବନଦୀ ପାରି
ଯାଉଛନ୍ତି ବସୁଦେବ ତାଙ୍କୁ ଶିରେ ଧରି
ଯମୁନା ନଦୀ ତାହାଙ୍କୁ କେତେମାତ୍ର ପୁଣି
ବାସୁଦେବ ମନକଲେ ବ୍ରହ୍ମାଣ୍ଡକୁ ଜିଣି
ଯୋଗୀଜନମାନେ ମନେ ଚିନ୍ତନ୍ତି ଯାହାଙ୍କୁ
ବସୁଦେବ ପୁତ୍ରରୂପେ ପାଇଛି ତାହାଙ୍କୁ
ସକଳ ଫଳ ମିଳଇ ଯା ନାମ ଧରନ୍ତେ
କୋଶେ ଓସାର ଯମୁନା ଦୂର ଅବା କେତେ
ମଥୁରାକୁ ଗୋପପୁର ବାରଯୁଣ ଛଡ଼ା
ବସୁଦେବକୁ ଲାଗିଲା ତାହା ଦଶ ଭଡ଼ା
ଯେବଣ ମୁହୂର୍ତ୍ତେ ଘରୁ ହୋଇଲା ବାହାର
ସେହି ମୁହୂର୍ତ୍ତରେ ଆସି ମିଳେ ଧାତିକାର
ମଥୁରାକୁ ଗୋପପୁର ଦ୍ୱାଦଶ ଯୋଜନ
ପଥ ବାହି ଚାଲିଯାନ୍ତେ ଲାଗେ ଏକଦିନ
କୃଷ୍ଣଙ୍କୁ ମସ୍ତକେ ଧରି ବସୁଦେବ ଗଲା
ପଞ୍ଚାଶ ଭଡ଼ାରେ ତାହା କିଞ୍ଚିତେ ଲଙ୍ଘିଲା
ଯେବଣ କ୍ଷଣରେ ଘରୁ ହୋଇଲା ବାହାର
ସେହି ମୁହୂର୍ତ୍ତେକ ଫେରି ଅଇଲା ସତ୍ୱର
ସକଳ ପାହାରୀମାନେ ନିଦ୍ରା ଯାଇଛନ୍ତି
ବସୁଦେବ ଗତାୟାତ କେହି ନ ଜାଣନ୍ତି
କନ୍ୟା ଆଣି ନିଜପୁତ୍ର ନନ୍ଦଘରେ ଛାଡ଼ି
ବନ୍ଦୀଶାଳେ ବସୁଦେବ ମିଳିଲା ବାହୁଡ଼ି
ଦେଖିଲା ଦେବକୀ ଦେବୀ ନିଦେ ଅଚେତନ
ତା କୋଳରେ କନ୍ୟାଗୋଟି ଥୋଇଲା ବହନ
କୃଷ୍ଣର ଜନମ ଚିହ୍ନ ପଡ଼ିଥିଲା ତଳେ
ଜଡ଼ିଲା ବିଜୁଳିକନ୍ୟା ସେହି ରକ୍ତନାଳେ
ନିଦ୍ରାରେ ଦେବକୀ ଦେବୀ ଥିଲା ଅଚେତନ
ସେକ୍ଷଣି ଉଠିଲା ଆଙ୍ଗେ ପାଇ ନିଜ ଜ୍ଞାନ
ଶାଙ୍କୋଳି ଭାଙ୍ଗିଣ ତଳେ ପଡ଼ିଥିଲା ଛିଡ଼ି
ତକ୍ଷଣି ଦୁହିଙ୍କ ପାଦେ ଲାଗିଲା ବାହୁଡ଼ି
କବାଟ କିଳିଣିମାନ ରହିଥିଲା ଫିଟି
ଯେ ଯାହା ଖଞ୍ଜରେ ପୁଣି ଲାଗିଲା ପାଲଟି
ପାହାରୀଏ ଶୋଇଥିଲେ ଚେତନା ହରାଇ
ନିଦ୍ରାବତୀ ଛାଡ଼ିଯାନ୍ତେ ଉଠିଲେ ଚିଆଁଇ
ଯେ ଯାହା ଦିହୁଡ଼ି ଦୀପ ଲଗାଇ ସତ୍ୱରେ
ଠଣା ମୁଣ୍ଡମାନ ଜଗି ରହିଲେ ଯତ୍ନରେ
ମାର ମାର ଧର ଧର ଡାକନ୍ତି ପ୍ରଚଣ୍ଡେ
ଭୟଙ୍କର କୋଳାହଳ ପୂରିଲା ବ୍ରହ୍ମାଣ୍ଡେ
ବିଷ୍ଣୁର ମାୟାରେ ସର୍ବେ ହୋଇଥିଲେ ମୋହି
ଯେତେ କଥା ହେଲା ତାହା ନ ଜାଣନ୍ତି କେହି
ଜୟ ନିଦ୍ରାବତୀ ବିଶ୍ୱବିମୋହିନୀ ମାୟା
ଅଯୋନି ସମ୍ଭୂତା ତୋର ଅଟେ ନିଜ କାୟା
ରୂପ ରେଖ ବର୍ଣ୍ଣ ଚିହ୍ନ କିଛି ତୋର ନାହିଁ
ପଞ୍ଚାତ୍ମାରେ ପୂରିଅଛୁ ସରିସମ ହୋଇ
ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚୌଖାନି
ଓଁକାର ଆକାର ତୁମ୍ଭେ ମ କାରକୁ ଘେନି
ବ୍ରହ୍ମଠାରୁ କୀଟଯାଏ ଯେତେ ଦେହଧାରୀ
ଚରାଚର ଜଗତରେ ରହିଛନ୍ତି ପୂରି
ଆକାଶ ପବନ ଦିଗ ତେଜ କ୍ଷିତି ଜଳ
ଇନ୍ଦ୍ରଯମ ସହିତରେ ଦଶଦିଗପାଳ
ନିମିଷକେ ଏ ସକଳ ପାରୁ ମାଗୋ ମୋହି
ସମସ୍ତେ ଅଛନ୍ତି ତୋର ବଶୀଭୂତ ହୋଇ
ଚିଆଁ ଚଇତନ ମନ ବଚନ ସମାଧି
ମହାଶୂନ୍ୟ ପ୍ରକାଶ ଯେ ଅଟୁ ନଭଭେଦି
ବ୍ରହ୍ମାଦି କୀଟ ପତଙ୍ଗ ଗଜ ନର ଆଦି
ସଚରାଚର ଭିତରେ ହୋଇଅଛି ବୃଦ୍ଧି
କ୍ଷିତି ଜଳ ଆବୋରି ଅଛନ୍ତି ଦେବୀମାନେ
ଏତେ ତୀର୍ଥ ଦେଲେ ହୁଏ ଅଣୁ ପରମାଣେ
ନ ଜାଣନ୍ତି କେହି ତୋର ଆଦିଅନ୍ତ ସୀମା
କେ ବର୍ଣ୍ଣି କହିବ ଅବା ତୋ ଦିବ୍ୟ ମହିମା
ଅଦୃଶ୍ୟ ଅକ୍ଷୟ ଅଟେ ସଦା ତୋର ଦେହୀ
ତୁ ସର୍ବ ସଞ୍ଚିଲୁ ତୋତେ ନ ସଞ୍ଚିଲା କେହି
ଅନାଦି ଶକ୍ତି ତୁ ମାତ ଘେନ ମୋର ସେବା
ମୁଁ ଦୀନ ଅଚ୍ୟୁତ ମୋତେ ଗତି ମୁକ୍ତି ଦେବା
ଶୁକ ବୋଲନ୍ତି ତୁ ଶୁଣ ପରୀକ୍ଷ ନୃମଣି
ନିଦ୍ରାଭଙ୍ଗ ହ୍ୱନ୍ତେ ବସୁଦେବର ଘରଣୀ
ନୟନ ମଳି ଦେଇଣ ଉଠିଲାକ ବସି
ଛାମୁରେ ଦେଖେ ଦୁହିତାଗୋଟି ରୂପରାଶି
ଶରଦ ପୂର୍ଣ୍ଣିମାଦିନ ଦିଶେ ଯେହ୍ନେ ଜହ୍ନ
ତେସନ ତେଜ ବିକାଶେ ବିଜୁଳି ବଦନ
ରସାଣିଲା ସ୍ୱର୍ଣ୍ଣପ୍ରାୟ ବିରାଜଇ କାୟ
ଘୋର ଅନ୍ଧାରେ ଦିଶଇ ଆଲୁଅ ପରାୟ
ନିଦାଘେ ଉଦିତ ଯେହ୍ନେ ପ୍ରଚଣ୍ଡ ଆଦିତ୍ୟ
ବିଜୁଳି କାୟ ଦିଶୁଛି ତେସନ ସଂଜାତ
ଛଦ୍ରମେ ବାଳିକାରୂପେ ତଳେ ଅଛି ପଡ଼ି
କୁଆଁ କୁଆଁ ହୋଇ କାନ୍ଦେ ହାତ ଗୋଡ଼ଝାଡ଼ି
ପାଟି ବିସ୍ତାରି ଛାଡ଼ନ୍ତି ପୁଣି ଘୋର ରଡ଼ି
ଆକାଶରୁ ବଜ୍ରବାଣ ପଡ଼ଇ କି ଝଡ଼ି
ବିଜୁଳି ବାଳୁତକାଳ ରୋଦନକୁ ଶୁଣି
ଦଲ ଦଲ ହୋଇଣ ଯେ କମ୍ପଇ ଧରଣୀ
ବନ୍ଦୀଘରେ ପାହାରିଆ ଯେତେ ଜଗିଥିଲେ
ବାଳିକା ଦୀର୍ଘ ରୋଦନ ଶ୍ରବଣେ ଶୁଣିଲେ
ଏକକୁ ଆରେକ ଚାହିଁ କହନ୍ତି ସମ୍ଭର୍ବ
ରାଜାର ଭଗିନୀ ଆଜ କଲା କି ପ୍ରସବ
କେହୁ ବୋଲେ ଚାଲ ଚାଲ ମୁଦୁସୁଲୀ ପୁଚ୍ଛ
ପୁତ୍ର କି ଦୁହିତା ହେଲା ବୁଝିବା ପ୍ରତ୍ୟକ୍ଷ
କେହୁ ବୋଲଇ ସମ୍ପୂର୍ଣ୍ଣ ହେଲା ଆଠମାସ
ପଚାରିବାର ଆମ୍ଭର ପ୍ରୟୋଜନ କିସ
ଜଗି ରଖିବାର କଥା ଲାଗଇ ଆମ୍ଭଙ୍କୁ
ଡଗରାମାନେ ବାରତା କହନ୍ତି ରାଜାଙ୍କୁ
ଏସନକ ବିଚାରନ୍ତି ରାଜା ପଢ଼ିହାରୀ
ଉଚ୍ଚରେ ରୋଦନ କରେ ବିଜୁଳି କୁମାରୀ
ଏଥୁ ଉତ୍ତାରେ ଡଗରାମାନେ ତହୁଁ ଗଲେ
କଂସ ରାଜାର ଆଗରେ ବାରତା କହିଲେ
ସାବଧାନେ ଶୁଣିମା ଭୋ ଦେବ ନୃପମଣି
ଦେବକୀ ଦେବୀ ପ୍ରସବ କଲେ ଏହିକ୍ଷଣି
ପୁତ୍ର କି ଦୁହିତା ବୋଲି ନ ପାରିଲୁ ଚିହ୍ନି
ଶୁଭୁଅଛି ବାଳୁତର ରୋଦନ ଯେ ଧ୍ୱନି
ରଜନୀ ପ୍ରକଟ ହୋଇଅଛି ନବଘଡ଼ି
ଏସନ ବାର୍ତ୍ତା କହିଲେ ଚାରେ କରଯୋଡ଼ି
ଚାରଗଣ ମୁଖୁଁ ବାର୍ତ୍ତା ପାଇ କଂସରାୟ
ଅନ୍ତର୍ଗତେ ଜାଣି ରାଜା ହରଷ ବିସ୍ମୟ
ସେ ପ୍ରଚଣ୍ଡ ଊର୍ଦ୍ଧ୍ୱମୁଖ ହୋଇ କୋପ କରେ
ଗର୍ଜଇ ଅଧରେ ଦନ୍ତ ଚାପି ରୋଷଭରେ
ବାହାନାଦ କରି ଉଠେ ରାଜା ଉଗ୍ରସେନୀ
ବଜ୍ରସମ ଲୌହଗଦା କରେ ଅଛି ଘେନି
ଜଗତୀ ଉପରୁ ବୀର ପଡ଼ିଲାକ ଡେଇଁ
ବଳ ଗର୍ବରେ ବହୁତ ପ୍ରତିଜ୍ଞା କରଇ
କନକ ପାବଚ୍ଛ ତଳେ ଧାମେ ଖରତର
ଅସମ୍ଭାଳ ହୋଇ ବୀର ଝୁଣ୍ଟିଲା ଆବର
ଉଠିଲା ବେଳରେ ଚାଳ ବାଜିଲା ତା ମାଥେ
ପିନ୍ଧିଲା ବସନ ଛନ୍ଦିହେଲା ନିଜ ପାଦେ
ଛାମୁରେ କଳା ମଞ୍ଜାରୀ ଦୀର୍ଘରଡ଼ି ଛାଡ଼ି
ଉଲୁକ ଛାମୁରେ ଉଠେ କରି ଘୋରରଡ଼ି
ବାମ ଡାହାଣରେ ଝିଙ୍କ ପକ୍ଷୀ ଝାଡ଼େ ପଖା
ବେଗେ ଚାଲନ୍ତେ ଡିଅଇଁ ବାମ ଆଖି ରେଖା
ଏସନକ ଅଲକ୍ଷଣ ଦେଖେ କଂସରାୟ
ଆପଣାର ଶରୀରକୁ ଲାଗେ ବଡ଼ ଭୟ
ପ୍ରତିଜ୍ଞା କରି ଧାମଇଁ ସେହି ମହାରୋଷେ
ତୁରିତେ ଯାଇଁ ମିଳିଲା ବନ୍ଦୀଘର ପାଶେ
ଶ୍ରୀହସ୍ତେ ମୁଦ ଭାଙ୍ଗିଣ କବାଟକୁ ଫେଇ
ଭିତରେ ବେଗେ ପ୍ରବେଶ ହେଲା ବୀର ଯାଇଁ
ଦେବକୀ ଦେଖି ପ୍ରଣାମ କଲା ମହାରାୟ
ବୋଇଲା ଜାତ ହୋଇଛି କିନ୍ୟା କି ତନୟ
ଏଠାରୁ ତୋହର ଦୁଃଖ ସରିଲା ଭଗିନୀ
ଏବେ ପୁତ୍ର ଜାତକର କୁଳର କାରେଣୀ
ଏଠାରୁ ଅଷ୍ଟମ ଗର୍ଭ ହେଲା ସମାପତ
ବହନ କରି ପୁତ୍ରକୁ ଦିଅ ମାର ହସ୍ତ
ଦେବକୀ ବୋଲଇ ବାବୁ ପୁତ୍ର ଏ ନୁହଇ
ଏ ଘାନ୍ତି ଦେଖ ଦୁହିତା ଗୋଟା ଜାତହୋଇ
ମୁଁ ତୋର ଜ୍ୟେଷ୍ଠ ଭଗିନୀ ତୁ ମୋ ସାନଭାଇ
କେତେ ଜିଙ୍ଘାସ କରୁଛୁ ବାରେ କର ତ୍ରାହି
ଷଡ଼ଗୋଟା ପୁତ୍ର ମୋର ମାଇଲୁ ସ୍ୱହସ୍ତେ
ତହିଁକି କିସ ମୁଁ ପୁଣ ବୋଲୁଅଛି ତୋତେ
ଅନେକ ପୁଣ୍ୟ କଲେ ସେ ଚାହିଁ ପୁତ୍ରମୁଖ
ଭଣଜା ଉଦ୍ଧାର ଆମ୍ଭ ପିତୃଙ୍କୁ ନରକ
ବିଶେଷେ ତୁ ଚକ୍ରବର୍ତ୍ତୀ ତିନିପୁରେ ରାଜା
ତୁମ୍ଭଙ୍କୁ କରନ୍ତି ସର୍ବ ଦେବଗଣ ପୂଜା
ସପତ ସାଗର ନବଦ୍ୱୀପେ ତୁ କାରେଣୀ
ଭଣଜା ନ ଥିଲେ କିଏ ହୋଇବ ବରଣୀ
ଆଈର ନାତି ଯେ ପୁଣ ବିଷ୍ଣୁ ଦେବ ସମ
ଏହାକୁ ପୂଜା କଲେ ତ ପାଇ ବହୁ ଧର୍ମ
ଭାଇ କୋଟି କୋଟି ଲୋକ ଯେତେ ପୁଣ୍ୟପାଇ
ଏକ ଅତିଥି ଭୁଞ୍ଜିଲେ ତେବେ ପୁଣ୍ୟ ହୋଇ
କୋଟି ଅତିଥି ଭୁଞ୍ଜାଇ ଫଳ ପାଇ ଯେତେ
ଏକ ବ୍ରାହ୍ମଣ ଭୋଜନେ ଫଳ ହୋଏ ତେତେ
ଯଦ୍ୟପି ଭୋଜନ ଦେବ ବ୍ରାହ୍ମଣ କୋଟିଏ
ତେତେ ପୁଣ୍ୟ ତୃପ୍ତିକଲେ ଗୋରୁଙ୍କୁ ଗୋଟିଏ
କୋଟି ଗୋରୁ ତୃପ୍ତକଲେ ଯେତେ ପୁଣ୍ୟ ଅଛି
ଭଣଜାକୁ ଭୁଞ୍ଜାଇଲେ ତେତେ ପୁଣ୍ୟଲେଛି
ସହସ୍ରେକ ଶମ୍ଭୁଲିଙ୍ଗ ପୂଜା କରାଇବା
ତହୁଁ ଶତଗୁଣ ଫଳ ଭୋଜନରେ ଦେବା
ଭାଇ ହୋଇ ଭଣଜାଙ୍କ କଲପ୍ରାଣ ନାଶ
ସଂସାରରେ ଅପଖ୍ୟାତି ପାଇଲ ଅଯଶ
ଦେବକୀ ବଚନ ଶୁଣି ବୋଲେ ନରନାଥ
ତୁମ୍ଭେ ଯେଉଁ ଆଜ୍ଞାଦେଲ ଅଟେ ସେହୁ ସତ୍ୟ
ପବିତ୍ର ଭୋଜବଂଶେ ମୁଁ ଅଟେ ନୃପନିଧି
ମୁଁ କି ନ ଜାଣଇ ପାପ ପୁଣ୍ୟ ଯେତେ ବିଧି
ବିଧାତା ଲିଖନ ଏ ମୋତେ ଏସନକ ଭୋଗ
ଭଣଜା ହସ୍ତରେ ମୋତେ ଅଛି ମୃତ୍ୟୁଯୋଗ
ଦେବତାଙ୍କୁ ଜିଣିଲି ମୁଁ ନିଜ ଭୁଜବଳେ
ସରିସମ ଯୋଦ୍ଧା ମୋତେ ନାହିଁ ରବିତଳେ
ଇନ୍ଦ୍ର ଦେବତା ସହିତେ ସେବୁଛନ୍ତି ମୋତେ
ଆବର ବଡ଼ପଣହିଁ କରିବଇଁ କେତେ
ଅଳପକେ ଏଡ଼େ ବଡ଼ପଣ ନାଶଯିବ
ପିମ୍ପୁଡ଼ି ପରାକ୍ରମେ କି ହସ୍ତୀ ବନ୍ଦୀ ହେବ
ଜଣକର ଦୋଷେ ହେବେ ସର୍ବ ନାଶଯିବ
ପଣ୍ଡିତଙ୍କ ବିଚାରରେ ତାହାକୁ ତେଜିବ
ଯେବେ ଆପଣା ଆତ୍ମାକୁ ପ୍ରମାଦ ପଡ଼ିବ
ଗୋରୁ ବ୍ରାହ୍ମଣ ହୋଇଲେ ହତ୍ୟାହିଁ କରିବ
ନାନା ପାପ କରି ଆପେ ଆତ୍ମରକ୍ଷାକରି
ପଛେ ଛଡ଼ାଇବ ପାପ ଘେନି ତୀର୍ଥବାରି
ଏ ସମ୍ପଦ ଥିବ ସିନା ପିଣ୍ଡେ ପ୍ରାଣ ଥିଲେ
ଅଭାଗ୍ୟ ହୋଇବ ଜାଣ ମୋର ନାଶ ଗଲେ
ବେଭାରେ ମୁଁ ଧନବନ୍ତ ଅଟେ ମହାରାୟ
ଦାନ ଧ୍ୟାନରେ କରିବି ପଛେ ପାପ କ୍ଷୟ
ଦେବକୀ ବୋଇଲେ ଭାଇ ଆତ୍ମ ଶତ୍ରୁ ବୋଲି
ଜାତକରି ଷଡ଼ପୁତ୍ର ନେଇ ସମର୍ପିଲି
ସେ ପୁତ୍ର ମୋର ଜୀବନ୍ତେ ଯେବେ ରହିଥାନ୍ତେ
ଆମ୍ଭ ସହୋଦର ତୁମ୍ଭ ପ୍ରାଣ ସଖା ହ୍ୱନ୍ତେ
ଦୁର୍ବୁଦ୍ଧି ବିଚାରି କଲ ତୁମ୍ଭେ ତାଙ୍କୁ ନାଶ
କେବଳ ମାତ୍ର ଅର୍ଜିଲି ବତ୍ସଦ୍ରୋହ ଦୋଷ
ଆଗେ ପୁତ୍ର ତୁମ୍ଭର ଯେ ହୋଇଲେ ବଇରୀ
ସ୍ତିରୀ ନିଲକ୍ଷଣା କିସ ତୁମ୍ଭର ଯେ କରି
ପିଣ୍ଡକୁ ମାତ୍ର ମୋହର ଏହି ଶାଖା ହେଉ
ଥୋକାଏ ମୋହର ପୁତ୍ରକଷ୍ଟ ପାର ଯାଉ
କଂସ ବୋଇଲେ ଗୋ ଭଗ୍ନୀ ଆଠଗର୍ଭ ଯାଏ
ପୁତ୍ର ହେଉ କି ଦୁହିତା ତାକୁ ମୋର ଭୟେ
ବୋଇଲ ନିଲକ୍ଷଣୀ କି କରିବ ତୁମ୍ଭଙ୍କୁ
ସ୍ତିରୀରୂପେ ଜାତ ହେଲେ ପ୍ରମାଦ ଆମ୍ଭଙ୍କୁ
ମହିଷାସୁର ଅଧିପ ଅଟେ ତିନିପୁରେ
ତ୍ରିଦଶ ଦେବତା ସ୍ୱର୍ଗଛାଡ଼ି ଯାର ଡରେ
ସରିସମ ଯୋଦ୍ଧା କେହି ନାହିଁ ଯାର ଆଗେ
ତେଡ଼େ ଅସୁର ବିନାଶ ସ୍ତିରୀଙ୍କର ଯୋଗେ
ଶୁମ୍ଭ ନିଶୁମ୍ଭ ବିକ୍ଷୁର ରକ୍ତବୀର୍ଯ୍ୟ ବଳ
ମହାଦୁଷ୍ଟ ଦର୍ପିଷ୍ଠ ଏ ସବୁ ମହାବଳ
ତୁଚ୍ଛ ପରାୟେ ଦିଶଇ ପୃଥିବୀ ଯାହାକୁ
ସ୍ତିରୀରୂପେ ନାଶକରି ଅଛନ୍ତି ତାହାଙ୍କୁ
ବଳୀର ଯେ ନିଜ ପିତା ବୈଲାଚନ ବୀର
ସଂକ୍ଷେପି କହିବ କେହୁ ବଳବୀର୍ଯ୍ୟ ତାର
ନବଦ୍ୱୀପେ ବୁଲଇ ସେ ନବଘଡ଼ିମାନେ
ସପ୍ତ ସମୁଦ୍ରେ ତର୍ପଣ କରେ ପ୍ରତିଦିନେ
ତେତିଶକୋଟି ଦେବତା ବୈଲୋଚନ ଡରେ
ଅମ୍ବର ତେଜି ପଳାଇ ଗଲେ ଯେ ଯାହାରେ
ଅକ୍ଷୟ ସେ ଅଜ୍ରାମର ଶଙ୍କରଙ୍କୁ ତୋଷି
ଦିବସେ ନ ମରିବ ସେ ନ ମରିବ ନିଶି
ପବନେ ନ ଉଡ଼ି ପୋଡ଼ି ନ ଯିବ ଅନଳେ
ଖଡ଼ଗରେ ନ ଛିଡ଼ିବ ନ ବୁଡ଼ିବ ଜଳେ
ଏଡ଼େ ଅସୁର ଗୋଟା ସେ ଅକାରଣେ ମଲା
ଛାର ସ୍ତିରୀଯୋଗୁଁ ସିନା ପ୍ରାଣ ହରାଇଲା
ଲୋହାସୁର ବିକଟ ଏ ବେନି ମହାବଳୀ
ତ୍ରିଶିରା ଆଦି ଅସଂଖ୍ୟ ଦୈତ୍ୟବଳ ମିଳି
ବ୍ରହ୍ମାଣ୍ଡକୁ ତୁଚ୍ଛ କଲେ ନରଜୀବ ଗିଳି
ନବଦ୍ୱୀପ ନ ସହିଲା ତାହାଙ୍କ ଆର୍ଦ୍ଦୋଳି
ଦୁର୍ବାର ଅସୁର ବଳ ଅସଂଖ୍ୟ ରାକ୍ଷସ
ସେମାନେ ସ୍ତିରୀଙ୍କ ହସ୍ତେ ଗଲେ ପ୍ରାଣେ ନାଶ
ତୁମ୍ଭେ ବୋଇଲ ଦୁହିତା କି କରି ତୁମ୍ଭର
ସ୍ତିରୀରୂପେ ଜନ୍ମ ଜାଣ ମାୟା ଶ୍ରୀକୃଷ୍ଣର
ତୋହର ଗର୍ଭରେ ଅବା ସେ ଜାତ ହୋଇଛି
ନ ବୋଲ ଏ କଥା ମୋତେ ଥାଅ ମନୁ ମୁଚ୍ଛି
କହିଲେ ନାରଦ ମହାମୁନି ସତ୍ୟବାଣୀ
ତାହାଙ୍କର ବଚନ ମୁଁ ହୃଦମଧ୍ୟେ ଗୁଣି
ଷଡ଼ପୁତ୍ର ମାରିଲଇଁ ପୁତ୍ରେ ଶୂନ୍ୟେ ଗଲା
ଅଷ୍ଟମ ଗର୍ଭ ଏଠାରୁ ସମାପତ ହେଲା
ଏ ବାଳିକା ଗୋଟି ମୋତେ ସମର୍ପିଣ ଦେବା
ଯଦ୍ୟପି ଜ୍ୟେଷ୍ଠ ଭଗିନୀ ଘେନିଲ ମୋ ସେବା
ଏ ଉତ୍ତାରୁ ଯେବେ ତୋର ହେବ ପୁତ୍ର ଜାତ
ଏ ପୃଥ୍ୱୀର ଅଧିକାରୀ କରିବି ଏ ସତ୍ୟ
ଦେବକୀ ବୋଇଲେ ତୁମ୍ଭେ ରାଜରାଜେଶ୍ୱର
ଆବର ବଚନ ଏକ ଶୁଣସି ମୋହର
ଭାଇ ସ୍ୱୟଂ ବାଳହତ୍ୟା ବିଶେଷେଣ ସ୍ତିରୀ
ଅନେକ ପାପ ଅର୍ଜିବୁ ଏହାକୁ ତୁ ମାରି
ଭାଇ ଦୟାକରି ଏହା ନ ଦେଲେ ତୁ ମୋତେ
ସଂସାରରେ ଅପକୀର୍ତ୍ତି ଅରଜିବୁ କେତେ
କଂସ ବୋଲେ ନ ରୁଚଇ ମୋତେ ଯେ ଏମାନ
ଯାହା ଜାତ କରିଅଛୁ ଦିଅସି ବହନ
ପୁତ୍ର କି ଦୁହିତା ବୋଲି ନାହିଁ ମୋ ସରାଗ
ଧରଣୀରେ କଚାଡ଼ିବି ଦିଅ ମୋତେ ବେଗ
କହୁଁ କହୁଁ ରାଜା ତାକୁ ଛାଡ଼ିଲା ଉପ୍ରୋଧ
ଧାତିକାରେ ମିଳିଲା ସେ ଦେବକୀ ସନ୍ନିଧ
କୋପଭର ହୋଇ ବୋଲେ ରାଜା ଉଗ୍ରସେନି
କିପାଁ ବାଳିକା ତୁ ମୋତେ ନ ଦେଉ ଭଗିନୀ
ୟା ବୋଲି ଦେବକୀ କୋଳୁ ଆଣିଲା ଉଛୁଡ଼ି
ମୂର୍ଚ୍ଛା ଯାଇଣ ଦେବକୀ ଦେବୀ ତଳେ ପଡ଼ି
ଗଳଥା ମାରିଣ ରାଜା ଦେଲାକ ପକାଇ
ଉତ୍ତାନ ହୋଇ ପଡ଼ିଲେ ଦେବୀ ମୂର୍ଚ୍ଛାଯାଇ
ଘଡ଼ିକେ ଚେତନା ପାଇ କରନ୍ତି ରୋଦନ
ବେନି ନୟନୁ ଲୋତକ ବହେ ଘନ ଘନ
ଆହାରେ ବିଧାତା ମୁହିଁ କେଉଁ ପାପ କଲି
ଦିଗପାଳ ସମ ଷଡ଼ପୁତ୍ର ଜାତ କଲି
ଚାଣ୍ଡାଳ ଦାରୁଣ ଭାଇ ମୋର ଦୁଷ୍ଟ ନଷ୍ଟ
ସ୍ୱହସ୍ତରେ ଷଡ଼ପୁତ୍ର କଚାଡ଼େ ପାପିଷ୍ଠ
ପ୍ରାଣର ବଇରୀ ବୋଲି ପୁତ୍ରନ୍ତ ମାଇଲା
ଦୁହିତା ଗୋଟି କେବଣ ଦୋଷ ତାର କଲା
ପଣ୍ଡୁକୁ ଶାଖା ମୋହର ହୁଅନ୍ତା ସେ ମୋତେ
କି କୁବୁଦ୍ଧି ବିଚାରି ସେ ମାରଇ ଅଦ୍ଭୁତେ
ରକ୍ତ ମାଂସ ଦେହ ବହି ସହି କି ଏ ବ୍ୟଥା
ସ୍ତିରୀ ସଂସାରକୁ ଏହି ବିଡ଼ମ୍ବନା କଥା
କେବଣ ପୁରୁଷ ମୋତେ ଦେଲା ଏଡ଼େ ଶାପ
ସେ ଘେନି ଫଳିଲା ମୋତେ ଏସନ ସ୍ୱରୂପ
ଦେବକୀ କ୍ରୋଧ ବଦନ ବସୁଦେବ ଦେଖି
ବୋଲଇ ଶୋକ ଆଉ ନକର ଶଶୀମୁଖି
ବିଧାତା ପୁରୁଷ କର୍ମେ ଲେଖିଅଛି ଯାହା
ପୂର୍ବେ ଯାହା ଅର୍ଜିଅଛୁ ଭୁଞ୍ଜିବୁନା ତାହା
ଯେ ଥିଲା ଅର୍ଜିଲା ଦୋଷ ଆପେ ଭୋଗକରି
ମାୟାମୋହ ସଂସାର କେ ନୁହନ୍ତି କାହାରି
ପୁତ୍ରକୁ ସୁମରି ଆମ୍ଭେ ଯଦ୍ୟପି ମରିବା
ମଲାପୁତ୍ରକୁ ଆଉ କି ଜିଆଇଁ ପାରିବା
ଆମ୍ଭେ ଅର୍ଜିଥିଲେ ପୁତ୍ର ଦୁହିତା ସକଳ
କଥା ରହିବ କେବଳ ହୋଇବା ବିକଳ
ଦଇବ ଦଣ୍ଡୁଅଛି ଗୋ କାହାକୁ କହିବା
ଯେତେ ଦଣ୍ଡ ଅଛି ସବୁ କର୍ମକୁ ବୋଲିବା
କର୍ମରେ ଯେବେ ଅଛଇ ଦୋଷ ଅପୁତ୍ରକ
ଦେଖିବା କାହୁଁ ଗୋ ଆମ୍ଭେ ପୁତ୍ରଙ୍କର ମୁଖ
ପୁତ୍ର ଦେଇ ବସୁଦେବ ବିଜୁଳି ଆଣିଛି
ତେଣୁ ତାହା ମନେ ନାହିଁ ବିଷାଦ ଯେ କିଛି
ଦେବକୀ ନ ଜାଣେ ପୁତ୍ର ପାଲଟିବା କଥା
ତେଣୁ କରି ତାର ହୃଦେ ଜାତ ବଡ଼ ବ୍ୟଥା
ଏଥୁ ଅନନ୍ତରେ ସେହୁ କଂସାସୁର ବୀର
ବିଜୁଳି କନ୍ୟାକୁ ଘେନି ଚଳେ ଧାତିକାର
ଆଣ୍ଟକରି ଦୁହିତାର ଧରିଛି ଚରଣ
ବଦନ ଗୋଟି ତାହାର ଚାହେଁ କ୍ଷଣ କ୍ଷଣ
ବଜ୍ରଦଣ୍ଡ ଖଣ୍ଡା ବାମକରେ ଅଛି ଧରି
ହରଷ ହୋଇ ଚଳଇ ଭୀଷ୍ମରୂପଧାରୀ
ନଗ୍ର ସିଂହଦ୍ୱାରେ ଅଛି ଅକର୍ମା ଯେ ଶିଳ
ତହିଁ ନିକଟେ ମିଳିଲା ଯାଇ ମହୀପାଳ
ରେରେକାର କରି ଗର୍ଜିଉଠେ ରୋଷଭରେ
ବଜ୍ର ପଡ଼ଇ ଯେସନେ ପର୍ବତ ଉପରେ
ବୁଲାଇ କୁମାରୀ ପାଦ ଧରି ଅନ୍ତରୀକ୍ଷେ
ଦର୍ପଣ ଶିଳାରେ ନେଇ କଚାଡ଼େ ପ୍ରତ୍ୟକ୍ଷେ
କଚାଡ଼େ ହୁଂକାର ନାଦ କରି ମହାବଳୀ
ରଜକ ବସ୍ତ୍ର କାଚଇ ଯେସନେକ ତୋଳି
ତେସନକ କଚାଡ଼ଇ ଅତିବେଗେ ବୀର
ବିଶ୍ୱରୂପ ଧରି ଦେବୀ ଫିଟିଲେ ହସ୍ତର
ସ୍ୱଭାବେ ତ ମହାନିଶା ଘୋର ଅନ୍ଧକାର
ନିର୍ଧୂମ ଅନଳ ଜିଣି ଦିଶେ କାୟା ତାର
ଅତି ତେଜମୂର୍ତ୍ତି ଧରି ଉଦେ ଶୂନ୍ୟେ ମଧ୍ୟେ
କଂସ ଛାତିରେ ମାଇଲେ କୋପେ ବେନିପାଦେ
ରୁଧିର ବାହାରେ ମୁଖବାଟେ ବଢ଼ି ଜାଣି
ଶୂନ୍ୟେ ଛିଡ଼ା ହୋଇଛନ୍ତି ବିଜୁଳିକି ଜିଣି
ଅନ୍ଧ ପଟଳ ବାନ୍ଧିଲା ପରି ଉଗ୍ରସେନି
ଦଶଦିଗେ ଅନ୍ଧକାର ଘୂରେ ଚକ୍ର ଜାଣି
କଂସ ଦୁଇହାତେ ଅଛି ବେନିପାଦେ ମୁଷ୍ଟି
ଅନ୍ତରୀକ୍ଷେ ଯାଉଛନ୍ତି ଗଗନକୁ ଘୋଟି
ଲତା ବିଜୁଳି ପରାୟ କାୟା ଯେ ଦିଶିଲା
ଶୂନ୍ୟ ମଣ୍ଡଳେ ସେ ମହାତେଜ ବିକାଶିଲା
ବିକ୍ରମ ସିଂହ ପିଠିରେ ଆରୋହୀ ଚାମୁଣ୍ଡା
ଅନେକ ଆୟୁଧ କାତି ଖପର ଯେ ଖଣ୍ଡା
ତ୍ରିଶୂଳ ଡମ୍ବରୁ ପର୍ଶୁ ମୁଦ୍‌ଗର ଆବର
ତକ୍ଷକ ନାଗ ଅଙ୍କୁଶ ନାରାଚ କୁଠାର
ଆଢ଼େଣି ବଜ୍ର ଶକତି କୁନ୍ତ ବଜ୍ରମୁନା
ଅଭୟ ଖର୍ପର ହସ୍ତେ ଶୋହ ବଜ୍ରସେହ୍ନା
କିରୀଟ କୁଣ୍ଡଳ କର୍ଣ୍ଣେ ଗଳେ ମୁଣ୍ଡମାଳି
ଯୁକତେ ଖାଙ୍କର କେଶ ଭୟଙ୍କର କାଳୀ
ଶରଦ ଇନ୍ଦୁବଦନ ସିନ୍ଦୁରେଣ ମଣ୍ଡି
ଭୂଷିତ ମନ୍ଦାରମାଳା ଘୋରରୂପୀ ଚଣ୍ଡୀ
କିଳି କିଳି କୁହୁ କୁହୁ ନାଦ ଟହ ଟହ
ଅତି ଭୟଙ୍କର ରୂପ ଜିଭ ଲହ ଲହ
ଅନନ୍ତ କୋଟି ଚାମୁଣ୍ଡା ପାରୁଶରେ ମିଳି
ଅର୍ଦ୍ଧ ଆକାଶେ କରନ୍ତି ରହି ରଙ୍ଗେ କେଳି
ମେଷ ମହିଷ ଗର୍ଦ୍ଦଭ ବାହନରେ ଚଢ଼ି
ମଦିରା ମହୁମାଂସକୁ ଭକ୍ଷନ୍ତି କାମୁଡ଼ି
ମଧ୍ୟାହ୍ନ ଆଦିତ୍ୟ ଯେହ୍ନେ ଦିଶେ ତେଜୋମୟ
ପ୍ରଚଣ୍ଡ ଆଦିତ୍ୟ କିବା ହୋଇଛି ଉଦୟ
କଂସ ରାଜନ ଆଶ୍ଚର୍ଯ୍ୟ ହେଲା ତାହା ଦେଖି
କ୍ଷଣ କ୍ଷଣକେ ଚାହଁଇ ଉର୍ଦ୍ଧ୍ୱକୁ ନିରୀକ୍ଷି
ଆଦିତ୍ୟ ଜ୍ୟୋତିକି ଯେହ୍ନେ ଚାହିଁ କ୍ଷଣେ କ୍ଷଣେ
ଅନ୍ଧପଟଳ ଘୋଟଇ ନୟନେ ତେସନେ
ଯେ ବେଳେ କଂସ ବିଜୁଳି କନ୍ୟାକୁ ଚାହିଁଲା
ପୃଥିବୀଯାକ ତାହାକୁ ଅନ୍ଧାର ଦିଶିଲା
ଉର୍ଦ୍ଧ୍ୱମୁଖ ହୋଇ ଚାହିଁ ଆକାଶକୁ ରାୟେ
ବୋଲନ୍ତି ଦରହସିତ ବଦନରେ ମାଏ
ଆରେ କଂସରାଜା ତୋର ମତି ହେଲା ଛନ
ମାରିଅଛୁ ଦେବକୀର ବାଳୁତ ନନ୍ଦନ
ଆରେ ମୂଢ଼ ମଣୁଅଛୁ ଏବେ ସେହି ପ୍ରାୟେ
ଆମ୍ଭଙ୍କୁ ତୁ ମାରି ଲୋଡ଼ୁ କଚାଡ଼ି ଶିଳାଏ
ଅଜର ଅମର ଆମ୍ଭେ ଈଶ୍ୱର ଘରଣୀ
ଅନାଦି ଶକତି ଆମ୍ଭେ ଦୁର୍ଗା ଠାକୁରାଣୀ।
ଉତ୍ପତ୍ତି ପ୍ରଳୟ ଆଦି ଜାଣ ଆମ୍ଭ ତହିଁ
ଆମ୍ଭେ ଜଗତ ଭକ୍ଷିଲେ ରଖନ୍ତା କେ ନାହିଁ
ମତ୍ତଗର୍ବ ବୁଦ୍ଧିଧରି ହୋଇବୁ ବିନାଶ
ଆମ୍ଭଙ୍କୁ ପ୍ରମାଦ ଚିନ୍ତୁ ପାଇବୁ ତୁ କ୍ଲେଶ
ଯେ ବିଜ୍ଞ ପଣ୍ଡିତ ମହାଜ୍ଞାନବନ୍ତ ପ୍ରାଣୀ
ଏଡ଼େ ବଡ଼ ଅନାଚାର କରନ୍ତି ଯେ ପୁଣି
ଭଣଜାକୁ ମାଇଲୁ ତୁ ମୂଢ଼ ଅକାରଣେ
ଯେ ମାରିବ ତୋତେ ଜାତ ସେ ଗୋପଭୁବନେ
ଅଷ୍ଟମଲ୍ଲ ସହିତେ ତ ଯିବ ସର୍ବନାଶ
ତେବେ ଯେ ବସୁଧା ଦେବୀ ହୋଇବ ଉଶ୍ୱାସ
ଏତେ କହି ଅନ୍ତର୍ଦ୍ଧାନେ ଗଲେ ମହାମାଏ
ମହାଶୂନ୍ୟର ଭିତରେ ଲୁଚାଇଲେ କାୟେ
ଶୁକମୁନି ବୋଇଲେ ହେ ଶୁଣ ମହାରଥା
ବିଜୁଳି ମୁଖରୁ କଂସ ଶୁଣିଣ ଏ କଥା
ଗତଆତ୍ମା ପ୍ରଭୁ ହୋଇ କଂସାସୁର ରାୟ
ସନ୍ଦେଶ ବାରତା ପାଇ କଲା ମହାଭୟ
ନବଘଡ଼ି ଆସି ହେଲା ପ୍ରବେଶ ରଜନୀ
ବାହୁଡ଼ି ବିଜେ କଲାକ ରାଜା ଉଗ୍ରସେନି
ମନେ ତାର ଗରୁ ଚିନ୍ତା ଚିତ୍ତ ଛନ୍ନ ଛନ୍ନ
ଲଲାଟରେ ନିଜକର ତାଡ଼େ ଘନ ଘନ
ବିଚାରି ବୋଲେ ଅନେକ ପାପ ମୁଁ ଯେ କଲି
ଅଦୋଷେ ଭଣଜା ଷଡ଼ଗୋଟାଙ୍କୁ ମାଇଲି
ସୋଦର ଜନଙ୍କୁ ବଧ କଲି ଅକାରଣ
ପାପହିଁ ବଢ଼ିଲା କିଛି ନୋହିଲା କାରଣ
କେମନ୍ତେ ସତ କହନ୍ତି ନାରଦ ସେ ମୁନି
କହନ୍ତି ତାହାଙ୍କୁ ଲୋକେ ଭବିଷ୍ୟତ ଜ୍ଞାନୀ
ଏଡ଼େ ମାୟା କଥା ଗୋଟା ଯେବେ ଜାଣିଥାନ୍ତି
ସୋଦର ଭଣଜାଙ୍କୁ ମୁଁ କିପାଇଁ ଡରନ୍ତି
ଜ୍ୟେଷ୍ଠ ଭଗ୍ନୀଠାରେ କଲି ମୁହିଁ ମହାଦୋଷ
ନାରଦଙ୍କ କହିବାରେ କଲି ସିନା ରୋଷ
ପାପକୁ ତ କଳିପ୍ରିୟ ମୁନି ନ ଡରିଲା
ଷଡ଼ଗୋଟା ଭଣଜାଙ୍କୁ ମାର ଦୀକ୍ଷା ଦେଲା
ଏତେ ଭାଳି କଂସରାଜା ଚଳେ ଅତି ବେଗେ
ମିଳିଲା ଯାଇ ଭଗିନୀ ଭିଣୋଇର ଆଗେ
ଜ୍ୟେଷ୍ଠ ଭଗିନୀକି ଦେଖି ଦୂରୁ କଂସରାଜା
ପାଦରେ ପଡ଼ିଣ ଉଠି କଲା ପାଦପୂଜା
କଂସରାଜା ବୋଇଲା ତୁ ମୋର ଭଗ୍ନୀ ଜ୍ୟେଷ୍ଠ
ତୋଠାରେ ଅନେକ ଦୋଷ କଲି ମୁଁ ପାପିଷ୍ଠ
ବନ୍ଦୀଘରେ ରଖି ତୋତେ ବହୁ ଦୁଃଖ ଦେଲି
ଆବର ତୁମ୍ଭର ଷଡ଼ ପୁତ୍ରଙ୍କୁ ମାଇଲି
ନାରଦ ମୁନି କହିଲା ମୋତେ ମିଛବାଣୀ
ମୁଁ ଚାଣ୍ଡାଳ ତା ବଚନ କଲଇଁ ନ ଜାଣି
ଅଜ୍ଞାନେ ଦେଲଇଁ ମୁହିଁ ବହୁତ କଷଣ
ସ୍ୱହସ୍ତେ ଭଣଜାମାନ କଲଇଁ ନିଧନ
ପୁତ୍ର ଷଡ଼ଗୋଟା ହୋଇଥାନ୍ତେ ସମକଚ୍ଛ
ନ ଜାଣିମା ପଣେ ସିନା ମାଇଲଇଁ ବତ୍ସ
ବହୁତ ରାଗେ ମୁଁ କଲି ଏସନକ କର୍ମ
ବିଜୁଳି ମୁଖରୁ ଶୁଣି ଜାଣିଲି ସେ ଧର୍ମ
ସେ ବେଳୁ ଜାଣିଲି ସିନା ସେ କଥା ପ୍ରମାଦ
ଆକାଶରୁ ଅଦଭୂତେ ଶୁଭିଲା ଶବଦ
ସେ କଥା ଶୁଣି ମନକୁ ମୋର ପ୍ରତେ ଗଲା
ଯେ ମୋତେ ମାରିବ ସେହି ଗୋପେ ଜାତ ହେଲା
ତୁମ୍ଭେ ମୋର ଜ୍ୟେଷ୍ଠ ଭଗ୍ନୀ ମାତାର ସମାନ
ତୁମ୍ଭର ଦୃଦରୁ ଏବେ ଛାଡ଼ ଗୋ ସେ ମାନ
ସାନଭାଇ ବଡ଼କୁ ତ ଦୋଷ ଯେତେ କରି
ସାନ ଦୋଷ କଲେ ବଡ଼ ସେ ଦୋଷ ନ କରି
ଜନ୍ମ ହୋଇଲେ ଅବଶ୍ୟ ମରଣହିଁ ଗଚ୍ଛି
ପାପ କଲେ ପୁଣ୍ୟ ପୁଣ ତହିଁକି ଯେ ଅଛି
ରାତ୍ରେକ ହୋଇଲେ ପୁଣି ଦିବସ ପ୍ରକାଶ
ଦେହ ବହିଲେ ଅବଶ୍ୟ ପ୍ରାଣୀ ଯାନ୍ତି ନାଶ
ଗଲା କଥାକୁ ଶୋଚନା କଲେ ହେବ କିସ
ମୋର ଜୀଇଥିଲେ ଅଛି ତୁମ୍ଭଙ୍କୁ ତ ଯଶ
ଏତେ ବୋଲି ମହାରାଜା କରପତ୍ର ଯୋଡ଼ି
ପୁନରପି ଦେବକୀର ପାଦତଳେ ପଡ଼ି
ଦୋଷ ଉପେକ୍ଷା ନ କରି ଯେବେ କୋପ
ଯେ ତୁମ୍ଭର ଇଚ୍ଛା ସୁଖେ ଦିଅ ମୋତେ ଶାପ
କାକୁସ୍ଥ ବଚନେ ଦେବୀ ସନ୍ତୋଷ ହୋଇଲା
ଭାଇ ମୁଁ ଯାହା ଅର୍ଜିଲି ସେ ମୋତେ ଫଳିଲା
ମୋହର କର୍ମେ ଅଛଇ ଏସନ ଭବିଷ୍ୟ
ତୁମ୍ଭେ ମୋହର ସୋଦର ବୋଲିବି ମୁଁ କିସ
ରାଜାରାଜେଶ୍ୱର ତୁମ୍ଭେ ନୃପ ଚୂଡ଼ାମଣି
ସ୍ୱର୍ଗ ମଞ୍ଚ ପାତାଳରେ ଅଟ ଯେ କାରେଣି
ତୁମ୍ଭ ତୁଲ୍ୟ ସୋଦର ମୁଁ ପାଇଲି ମୋ ଭାଗ୍ୟ
ଯେଉଁ ଅପଚୟ ହେଲା ଏ ମୋ କର୍ମଯୋଗ
ତୁମ୍ଭେ ଭାଇଯେବେ ସ୍ନେହ ଛାଡ଼ିବ ଆମ୍ଭଙ୍କୁ
ତୁମ୍ଭେ ଦଣ୍ଡନ୍ତେ ଗୁହାରି କରିବୁ କାହାକୁ
ଜନନୀ ଯେବେ ଆପଣା ପୁତ୍ରେ ବିଷ ଦେବ
ଭର୍ତ୍ତା ହୋଇ ଭାରିଯାକୁ ଯେବେ ଉପେକ୍ଷିବ
ପିତା ହୋଇ ପୁତ୍ରୀ ବିକି ଯିବ ଧନ ଘେନି
ସମୁଦ୍ର ଯେବେ ଲଙ୍ଘିବ ସକଳ ମେଦିନୀ
ରାଜା ହୋଇ ଯେବେ ପୁଣି ଦଣ୍ଡିବ ପ୍ରଜାକୁ
କର୍ମକୁ ବୋଲିବା ସିନା ଏ କଥାମାନଙ୍କୁ
କଂସରାଜା ବୋଲଇ ଗୋ ନ କର ତୁ ଶୋକ
ଏବେ ତୋ ସେବା କରିବି ଦେଖୁଥିବେ ଲୋକ
ତୋ ଭୃତ୍ୟର ଭୃତ୍ୟହୋଇ କରିବି ମୁଁ ସେବା
ପାଦରେ ଖଟିବେ ତୋର ସ୍ୱର୍ଗ ସୁରଦେବା
ଆଉ ଯେଉଁ ପୁତ୍ର ଜାତ ହୋଇବ ତୋହର
ମଥୁରାରେ କରାଇବି ତାକୁ ନୃପବର
ଆଝୁଁ ତୋର ଆଜ୍ଞା ମାନି ସେବକ ପରାୟେ
ସେବା କରି ରହିଥିବି ଜୀବ ଥିବାଯାଏ
ଯୋଗଥିବା କଥା ହେଲା ତୁ ତାହା ନ ଘେନ
ହୃଦୟରୁ ଛାଡ଼ ଏବେ ମାନ ଅଭିମାନ
ଏରୂପେ ଆଶ୍ୱାସି କହେ କଂସ ମହାବଳୀ
ଦେବକୀ ବସୁଦେବର କଢ଼ାଇ ଶାଙ୍କୁଳି
ସନ୍ନିଧିକି ପରିଜନମାନଙ୍କୁ ହକାରି
ପ୍ରମାଣ ଆଜ୍ଞା ଦେଲାକ ଆପେ ଦଣ୍ଡଧାରୀ
ଦେବକୀ ଠାକୁରାଣୀକି ସ୍ନାନ କରା ନେଇ
ଘରକୁ ନିଅ ଉତ୍ତମ ବସନ ପିନ୍ଧାଇ
ରାଜା ଆଜ୍ଞା ପାଇ ପରିଜନମାନେ ଗଲେ
ତିଳ ଅଏଁଳା କୁଙ୍କୁମ ଘଷି ଗଙ୍ଗାଜଳେ
ସ୍ନାନ କରାଇଣ ଝୀନପାଟ ପିନ୍ଧାଇଲେ
ଆୟ ଅଳଙ୍କାରମାନ ଅଙ୍ଗରେ ଖଞ୍ଜିଲେ
ଇନ୍ଦ୍ର ଗୋବିନ୍ଦ ପତନୀ ଉପରାଣ ନେତ
ଶ୍ରୀହସ୍ତରେ ଶାଢ଼ୀ ଦେଲା ମଥୁରାର ନାଥ
ବସୁଦେବର ଛାମୁରେ ଆପେ ଉଭା ହୋଇ
ବିନୟ କରି ବଚନ ବୋଲେ ନୃପସାଇଁ
ତୁମ୍ଭେ ବସୁଦେବ ଅଟ ମୋ ଜ୍ୟେଷ୍ଠ ଭିଣୋଇ
ମଥୁରାପୁର କାରେଣି ପତିପତ୍ନୀ ଦୁଇ
ଅନେକ ଦୋଷ ତୁମ୍ଭର କଲଇଁ ନ ଜାଣି
ସେ ଦୋଷ ମୋ କ୍ଷମାକର ତୁମ୍ଭେ ଦୁଇ ପ୍ରାଣୀ
ଏତେ ବୋଲି ବସୁଦେବ ବହୁତ ବିନୟେ
ପୁଣ ପୁଣ କୃତାଞ୍ଜଳି ହୋଇ ମହାରାୟେ
ଦେଶ ଘୋଷ ଅଳଙ୍କାର ଦେଲା ଧନଧାନ୍ୟ
ଦେବତା ସମାନ ତାଙ୍କୁ କଲା ସନମାନ
ମଥୁରା କଟକେ ସେହି ହେଲେ ଅଧିକାରୀ
ବସୁଦେବଙ୍କୁ ସେ କଂସେ ଗଉରବ କରି
ହାନ୍ଦୋଳାରେ ଦେବକୀକୁ ଘେନି ପୁରେ ଗଲେ
ସକଳ ରାଣୀଏ ଆସି ଅର୍ଘ୍ୟ ବନ୍ଦାଇଲେ
ଉଗ୍ରସେନ ଇନ୍ଦୁମତୀ ଦୁହିତାଙ୍କୁ ଚାହିଁ
ଆଶ୍ୱାସନା କରି କୋଳେ ବସାଇଲେ ନେଇ
ପିତା ମାତା ଦେବକୀକୁ କହନ୍ତି ବଚନ
ଗଲା କଥାରେ ଶୋଚନା ନ କର ତୋ ମନ
ତୁହି ଆମ୍ଭର ଦୁହିତା ଜ୍ୟେଷ୍ଠ ଯେ ଦୁଲାଳୀ
ଅନେକ ଦୁଃଖେ ସହିଲୁ ଆମ୍ଭେ ତୋ ଆର୍ଦ୍ଦୋଳି
ସହୋଦର ଭାଇ ଯେତେ ଦେଲା ଅନୁତାପ
ସେ କଥା ମନରେ ଧରି ନ କର ସନ୍ତାପ
ଆମ୍ଭେ ତୋର ପିତା ମାତା ବୋଲୁଅଛୁ ତୋତେ
ଦୁଷ୍ଟ ଭାଇର ତୁ ଦୋଷ ନଧର କିଞ୍ଚିତେ
ଯେବଣ କଂସ ପ୍ରତାପେ ଜଗତ ବରଣି
ରବିତଳେ ଅଟେ ସେହି ବୀର ଚୂଡ଼ାମଣି
ଦିଗପାଳ ସମ ଭାଇ କଲା ଯେବେ ଦୋଷ
ତୁ ପରମ ମାହେଶ୍ୱରୀ ନ କର ମା ରୋଷ
ଆମ୍ଭେ ତୋର ପିତାମାତା ବୋଲି ହାତଧରି
ସାନଭାଇ ଦୋଷ କ୍ଷମ ଆମ୍ଭ ବୋଲକରି
କଂସ ଚଉଷଠିନାରୀ ହେତି ଆଦି ଯେତେ
ପାଦ ଧରି ପାୟେ ପଡ଼ି ଶୋଇଲେ ସମସ୍ତେ
ସବୁରି ବିନୟ ଶୁଣି ଦେବକୀ ଆନନ୍ଦ
ମନେ ମନେ ସୁମରଇ ଶ୍ରୀରାମ ଗୋବିନ୍ଦ
ରଜନୀ ଯେ ସାତଘଡ଼ି ଥିଲା ଅବଶେଷ
ସମସ୍ତେ ଚଳିଗଲେ ଯେ ଯାହାର ବାସ
ଇତି ଶ୍ରୀ ଭାବଗତ ଯେ ପୁରାଣ ପ୍ରସିଦ୍ଧ
ଦଶମସ୍କନ୍ଧର ଏହି ଆଦ୍ୟ ଖଣ୍ଡ ମଧ୍ୟ
ଜୟ ତୁମେ ଜଗନ୍ନାଥ ମତ୍ସ୍ୟ ଅବାତାର
ହେଳେ ପୂରିଲା ତୋ କାୟେ ସପତ ସାଗର
ତୋ ଚରଣ ସେବାକାରୀ ମୁଁ ଅଚ୍ୟୁତ ଦାସ
ଦୟାକରି ପ୍ରଭୁ ମୋର କ୍ଷମା କର ଦୋଷ
ବ୍ରଜମତେ ହରିଜନ୍ମ ଓ ନନ୍ଦୋତ୍ସବ
କୃତାଞ୍ଜଳି ହୋଇ ପୁଣି ବୋଲେ ନରନାଥ
ଭୋ ମୁନି ତୁମ୍ଭ ପ୍ରସାଦେ ହୋଇଲି କୃତାର୍ଥ
ଆବର କହିବା ହେଉ ମୋତେ ଜ୍ଞାନସାର
ପାପାଧି ପାପରୁ ମୋତେ କରିବା ଉଦ୍ଧାର
ଶ୍ରୀକୃଷ୍ଣଙ୍କୁ ବସୁଦେବ ନେଲାକ ଚୋରାଇ
କେହି ନ ଜାଣେ ବିଜୁଳି ଆଣେ ପାଲଟାଇ
ବିଷ୍ଣୁ ମାୟାରେ ପ୍ରାଣୀଏ ମୋହେ ଛନ୍ତି ରହି
ଦେବକୀ ଦେବୀ ସହିତେ ନ ଜାଣନ୍ତି କେହି
ବସୁଦେବ ଉଗ୍ରସେନ ଜାଣନ୍ତି ଏ ଦୁଇ
ଏରୂପେ ମାୟା କରିଛି ପ୍ରଭୁ ଭାବଗ୍ରାହୀ
ଚିତ୍ରସେନଙ୍କୁ ପଠାଇ ଦେଲା ସସ୍ରଯୋନି
ସେ ଜାଣେ ଜାଣନ୍ତି ପୁଣି ଗାର୍ଗ୍ୟ ମହାମୁନି
ମଥୁରା ଗୋପ ନଗରେ ବସନ୍ତି ଯେ ଜନେ
ମାୟା ମୋହେ ପଡ଼ି ରହିଛନ୍ତି ଅଚେତନେ
ଏ ପ୍ରକାରେ ବସୁଦେବ ଗୋପରେ ଛାଡ଼ିଲା
ତଦନ୍ତରେ କୃଷ୍ଣନାଥ କେଉଁ କୃତ୍ୟ କଲା
ଯଶୋଦା ଦେବୀ ନିଦ୍ରାରେ ଅଛନ୍ତି ମୋହିତ
ନିଦ୍ରା ଭାଙ୍ଗିଯାନ୍ତେ କଲେ ସେ କେବଣ କୃତ୍ୟ
ଏହା ସଂକ୍ଷେପି କହିବା ହେଉ ମହାମୁନି
ଲଭିବୁ ମୁକତି ମାର୍ଗ ଶୁଣି ପୁଣ୍ୟଧ୍ୱନି
ଏତେ ବୋଲି ପରୀକ୍ଷିତ କୃତାଞ୍ଜଳି ହୋଇ
ମୁନିଙ୍କର ପାଦତଳେ ପଡ଼ିଲାକ ଶୋଇ
ରାଜାର ବିନୟ ଶୁଣି ଦେଖିଣ ଭକତି
ପୁରାଣ ପୁସ୍ତକ ଫେଡ଼ି କହେ ଶୁକଯତି
ଶୁଣ ତୁହୋ ପରୀକ୍ଷିତ ଉତ୍ତରା ତନୟ
ଅତିଭାଗ୍ୟେ ଭାଗବତ ଶୁଣ ପୁଣ୍ୟମୟ
ଯେତେବେଳେ ବସୁଦେବ ପୁତ୍ର ଗଲା ଥୋଇ
ଯଶୋଦା ବିଜୁଳି ଜାତ କରିଅଛି ଶୋଇ
ବାଳୁତ ଦୁହିତା ଗୋଟି ପାଖେ ଶୋଇଥିଲା
ତାହା ଆଣି ବସୁଦେବ ପୁତ୍ର ଥୋଇଗଲା
ଯେବଣ ଶ୍ରୀଜଗନ୍ନାଥ ସଞ୍ଚିଲେ ଏ ସୃଷ୍ଟି
କୋଟି କୋଟି ବ୍ରହ୍ମାଣ୍ଡ ଯେ ବହେ ରୋମ ପିଠି
ସ୍ଥାବର ଜଙ୍ଗମ କୀଟ ଜୀବ ଚାରିଖାନି
ସକଳ ବ୍ରହ୍ମାଣ୍ଡ ଏହା ସଞ୍ଚିଲାକ ଆଣି
ଅଛିଦ୍ର ହୋଇ ଯେ ପୂରିଅଛି ଏକେ ଏକେ
ତା ମହିମା ସଂକ୍ଷେପି ମୁଁ କହିବଇଁ ଥୋକେ
ସକଳ ବ୍ରହ୍ମାଣ୍ଡକୁ ଯେ ଅଟଇ ଧାରଣା
ମହିମା ସାଗର ସ୍ୱାମୀ ଥିବାରୁ କରୁଣା
ପଞ୍ଚ ମହାଭୂତରେ ଯେ ରହିଛନ୍ତି ବ୍ୟାପି
ତ୍ରୈଲୋକ୍ୟ ଛଳେ ହୁଅନ୍ତି ସ୍ୱାମୀ ବାଳରୂପୀ
ଯାର ନାଭି କମଳରୁ ବ୍ରହ୍ମା ହେଲେ ଜାତ
ଆଦି ଅନ୍ତ ମଧ୍ୟ ଯାର ନାହିଁ ଯେ ଅଚ୍ୟୁତ
ଅପାର ମହିମା ଯାର ଅନନ୍ତ ଯେ ଲୀଳା
ଅବନୀର ଛଳେ ହେଲେ ଯଶୋଦାର ବଳା
ଘୋର ନିଦ୍ରାରେ ଯଶୋଦା ଥିଲେ ଗୋପେ ଶୋଇ
ପାଦତଳେ ଶୋଇଛନ୍ତି ତ୍ରୈଲୋକ୍ୟ ଗୋସାଇଁ
ପୂଜରକ୍ତ ମଳମୂତ୍ରେ ରହିଛନ୍ତି ଲୋଟି
ନୀଳମଣି ପ୍ରାୟ ତେଜ ଦିଶଇ ଚହଟି
ଶରଦ ଘନରେ ଯେହ୍ନେ ଉଦେ ଇନ୍ଦ୍ରଧନୁ
ତେସନକ ପଟାନ୍ତର ଦିଶେ ଦିବ୍ୟତନୁ
କୋଟି କୋଟି କାମ ନୁହେଁ ସେ ରୂପକୁ ସମ
ଜଗତ ମୋହନ ସ୍ୱାମୀ ତେଜ ଅନୁପମ
ତିଳପୁଷ୍ପ ତୁଲ୍ୟ ନାସା ଦିଶଇ ସୁସଞ୍ଚ
ବିମ୍ବାଧର ସୁକପୋଳ ମଥା ଅତିଘଞ୍ଚ
ଅନଳ କମଳ ପରି ଶୋହେ ଦୁଇନେତ୍ର
କଟାକ୍ଷ କରଇ ତିନି ଭୁବନ ପବିତ୍ର
ବିଲମ୍ବିତ ବେନିକର୍ଣ୍ଣ ନୀଳବର୍ଣ୍ଣ କେଶ
ରୋପିତ ମର୍କତ ଜାଣି ଶରୀର ସୁବେଶ
ସୁବିଶାଳ ବକ୍ଷସ୍ଥଳ ଦୀର୍ଘ ଭୁଜଦଣ୍ଡ
ମଧ୍ୟରେ ଉଦୟ କିବା ସପତ ବ୍ରହ୍ମାଣ୍ଡ
ଚମ୍ପକ କଳିକା ପରି ଅଙ୍ଗୁଳିର ଶୋଭା
ଓଲଟ କଦଳୀ ବୃକ୍ଷ ଜିଣି ଉରୁପ୍ରଭା
ସିଂହକଟି ପରି କଟି ଦିଶେ ଅତିସରୁ
ତା ଦେଖି ମନରେ ଲାଜ କରଇ ଡମ୍ବରୁ
ପାଖୁଡ଼ା ସେବତୀ ଜିଣି ତେସନକ ନଖ
ଚନ୍ଦ୍ର ଉଦେ ହୋଇଲା କି ଶରଦର ପକ୍ଷ
ହସ୍ତୀ ଥୋରହସ୍ତ ସମ ଦୀର୍ଘ ବେନି ବାହୁ
ଶତ୍ରୁଙ୍କୁ ଦିଶଇ ଯେହ୍ନେ ଭୟଙ୍କର ରାହୁ
ଶ୍ରୀଭାଗବତ ପୁରାଣ ପୁଣ୍ୟମୟଧ୍ୱନି
ଯୋଗୀଜନମାନେ ଯାକୁ କରିଛନ୍ତି ଲୟ
ମନ ବୁଦ୍ଧି ଚଇତନ ପରମ ଉଦୟ
ବ୍ରହ୍ମା ରୁଦ୍ର ଇନ୍ଦ୍ରସେବା କରନ୍ତି ଯାହାରେ
ସେ ସ୍ୱାମୀ ଆସି ଉଦୟ ହେଲେ ଗୋପପୁରେ
ପୃଥ୍ୱୀଦେବୀ ଭାରାଭର ଉଦ୍ଧାରିବା ପାଇଁ
ଯୋନିଜାତ ହେଲେ ପ୍ରଭୁ ବ୍ରହ୍ମାଣ୍ଡ ଗୋସାଇଁ
ଅପୂର୍ବ ସୁନ୍ଦର ଦେହ ସୁକୁମାର ସୃଷ୍ଟି
ମଳମୂତ୍ର ପୂଜ ସଙ୍ଗେ ପଡ଼ିଛନ୍ତି ଲୋଟି
ମୋହ ଅଚେତନ ନିଦେ ପଡ଼ୁଛନ୍ତି ଶୋଇ
ତାହା ନ ଜାଣେ ଯଶୋଦା ଅଚେତନ ହୋଇ
କୁଆଁ କୁଆଁ ବୋଲି କୃଷ୍ଣ ଦେଲେ ସିଂହ ରଡ଼ି
ବସନ୍ତ କାଳେ କୋକିଳ ବୋବାଏ କି ରଡ଼ି
ତେସନ ସ୍ୱାମୀ ରୋଦନ୍ତି ପଡ଼ି ଭୂମିତଳେ
ବ୍ରହ୍ମା କି ବୀଣା ବଜାଉଅଛି ସପ୍ତସ୍ୱରେ
ଉଲୁସି ଉଠିଲା ସ୍ୱର୍ଗ ପାତାଳ ଯେ ମଞ୍ଚ
ବ୍ରହ୍ମାଙ୍କର ବେଦଧ୍ୱନି ଗନ୍ଧର୍ବର ନାଚ
ଗୋପନଗ୍ରେ ନରନାରୀ ଛନ୍ତି ନିଦ୍ରାଯାଇ
ବାଳୁତ ରୋଦନ୍ତେ ଲୋକେ ଆସିଲେକ ଧାଇଁ
ଗୋପନଗ୍ର ନାରୀମାନେ ହୁଳହୁଳି ଦେଇ
ନନ୍ଦଖୁଡ଼ ପୁତ୍ର ଜାତ ଦେଖି ସର୍ବଗୋଈ
ଗୋପାଳୁଣୀଏ ଉଚ୍ଚାଟହେଲେ ଯେ ଯାହାରେ
ରୋଦନ ଶୁଣି ମିଳିଲେ ଯାଇ ନନ୍ଦଘରେ
ଜନ ଗହଳ ଚହଳ ଶୁଣିଣ ଯଶୋଦା
ଚେତି ଚାହିଁ ଦେଲେ ଭାଙ୍ଗିଗଲା ଯୋଗନିଦ୍ରା
ଚାହିଁଲେ ବେନିନୟନ ମଳି ନରନାରୀ
ଦେଖିଲେ ଅନେକ ଗୋପୀ ଗୃହେଛନ୍ତି ପୂରି
କେଶ ବାସ ଅସମ୍ଭାଳେ ଚାହିଁଲେକ ଉଠି
କୃଷ୍ଣ ମୁଖ ଗୋଟି ଦେବୀ ଚାହିଁଲେ ପାଲଟି
ଶରଦ ମେଘେ କି ପୂର୍ଣ୍ଣଚନ୍ଦ୍ର ହୋଇ ଉଦେ
ଲାଳେ ଜର ଜର ହୋଇଅଛନ୍ତି ଆନନ୍ଦେ
ବିରାଜୁଛନ୍ତି ମଧ୍ୟାହ୍ନ ଆଦିତ୍ୟ ପରାୟେ
ନୀଳ ଇନ୍ଦୀବର ପ୍ରାୟ ବିରାଜଇ କାୟେ
ପୁତ୍ରମୁଖ ଚାହିଁ ଉଭା ହୋଇଲେ ଯଶୋଦା
ବହୁ ଜନ୍ମର ଖଣ୍ଡିଲେ ଅପୁତ୍ରିକ ବାଧା
ଅପୁତ୍ରିକ ଘରେ ଯହୁଁ ହେଲା ପୁତ୍ରଜାତ
ଗୋପନଗ୍ରେ ନରନାରୀ ହୋଇଲେ ଉସତ
ଭୂମିରୁ ତୋଳି ପୁତ୍ରକୁ ମାଏ ଧରି କୋଳେ
ଶ୍ରୀଅଙ୍ଗ ମାର୍ଜନା କଲେ ସ୍ତିରୀଏ ସକଳେ
ତପତ ପାଣିରେ ପଞ୍ଚାମୃତ ନେଇ ଭରି
ଯହିଁରେ ଯେଉଁ ବିଧାନ କଲେ ଗୋପନାରୀ
ଦାନ ଭୋଜନ ସେ ଦେଲେ ଦରିଦ୍ର ସକଳେ
ବେଦ ପଠନ କରନ୍ତି ମିଳି ବିପ୍ରକୁଳେ
ବଦନ୍ତି ଶୁକ ଶୁଣ ତୁ ପରୀକ୍ଷ ନୃପମଣି
ଏହା ଶିରୀଭାଗବତ କୃଷ୍ଣ ଜନ୍ମ ବାଣୀ
ଗୋଷ୍ଠକୁ ଯେ ନନ୍ଦ ମହାଖୁଡ଼ ଯାଇଥିଲେ
ଚାରଗଣେ ଯେ ବାରତା ଯାଇଁ ଜଣାଇଲେ
ଶୁଣ ଦେବ ସାବଧାନେ ଗୋଷ୍ଠ ଅଧିକାରୀ
ଯଶୋବନ୍ତୀ ପ୍ରସବିଲେ ଏକ୍ଷଣି ତୁମ୍ଭରି
ଅତି ସୁନ୍ଦର ଲକ୍ଷଣବନ୍ତ ପୁତ୍ର ଗୋଟି
ରୂପେଣ ସେ ମୋହୁଅଛି ଚରାଚର ସୃଷ୍ଟି
ବିଳମ୍ବ ନ କର ସ୍ୱାମୀ ବେଗେ ଚାଲ ଯିବା
ବୃଦ୍ଧକାଳେ ପୁତ୍ର ହେଲା କର ହରସେବା
ନିଶ୍ଚେ ଏ ବାରତା ତୁମ୍ଭେ ଯିବ ଏହିକ୍ଷଣି
ଯଶୋଦା ପୁତ୍ରେକ ଜାତ କଲା ନୃପମଣି
ଦୂତ ମୁଖୁଁ ଏ ବାରତା ପାଇ ରାଜା ନନ୍ଦ
ଦରିଦ୍ର ନିଧି ପାଇଲା ପରାୟ ସାନନ୍ଦ
ଜନ୍ମ ଅନ୍ଧକୁ ପ୍ରାପତ ହେଲାକି ନୟନ
ଶୁଣି ଅତି ପୁଲକିତ ନନ୍ଦର ବଦନ
ପୁରରେ ଆସି ପ୍ରବେଶ ହୋଇ ତରବର
ନିସ୍ତରିଲି ନିସ୍ତରିଲି ବୋଲି ବାରମ୍ବାର
ଶଙ୍ଖ ଗୋକ୍ଷୀର ବର୍ଣ୍ଣର ସହସ୍ରେକ ଗାଈ
ବାଛୁରୀ ସହିତ ଦେଲେ ଦୂତକୁ ବଧାଇ
ଦଶସହସ୍ର କାଞ୍ଚନ ଦେଲେକ ସେକ୍ଷଣି
ପରମ ଆନନ୍ଦେ ଦେଲେ ପୁଣି ଆଣି ମଣି
ନନ୍ଦ ପ୍ରୀତିବନ୍ଧୁ ଯେତେ ଗୋପାଳହିଁ ଥିଲେ
ଯେ ଯାହା ମତେ ଦୂତକୁ ବଧାଇ ସେ ଦେଲେ
ହାଟ ବାଟ ପାଟଣାହିଁ ସବୁ କଲେ ଜୁର
ସବୁ ପୁରମାନଙ୍କରେ ବାଜେ ବୀରତୂର
ଦୁନ୍ଦୁଭି ବୀର ଦାଉଣ୍ଡି ବାଜଇ ବାଜଣା
ବିଜିଘୋଷର ବାଜଣା ସବୁଠାରୁ ଜିଣା
କମ କାହାଳି ବଇଁଶୀ ସଙ୍ଗେ ରଣେ ନାଟ
ଘରେ ଘରେ ତିଆରନ୍ତି ବୁଲି ହାଟ ହାଟ
ମଥାରେ ମୟୁରପୁଚ୍ଛ ଘଣ୍ଟି ପୁଣି ବାନ୍ଧି
ନେତପତନୀ କାଛଟା ବାନ୍ଧେ ଲୁଗା ପିନ୍ଧି
କେନ୍ଦୁ ଶର ଲଉଡ଼ିକି ଘେନିଣ ଗୋପାଳେ
ଅନେକ ଜାତିର ବାଦ୍ୟ ବାଜେ ନିଶାକାଳେ
ସମସ୍ତ ଗୋପାଳେ ଆସି ନନ୍ଦ ପାଖେ ବେଢ଼ି
ବେଢ଼ାଇଲା ବସ୍ତ୍ରକୁ କେ ନିଅନ୍ତି ଉଛୁଡ଼ି
ବଧାଇ ଦିଅ ବୋଲି କେ ଅଳଙ୍କାର କାଢ଼ି
କେହି କେହି ନାଚି ନାଚି ଯାନ୍ତି ଆଗ ବଢ଼ି
କେ ବୋଲନ୍ତି ନନ୍ଦ ତୁମ୍ଭ ଜୀବନହିଁ ଧନ୍ୟ
ଏ ବୟସେ ପୁତ୍ର ହେଲା କୁଳ ବର୍ଦ୍ଧମାନ
ଅପୁତ୍ରକ ଦୋଷୁଁ ତୁମ୍ଭେ ହେଲ ଆଝୁଁ ପାର
ଆଜହୁଁ ଜାଣ ସଫଳ ଜନମ ତୁମ୍ଭର
ପୂର୍ବୁ ଏହି ମତେ କାହୁଁ ପୁତ୍ର ଏକ ଆସି
ଗୋଗୋଷ୍ଠରେ ଉପଗତ ହେଲା ଶୂନ୍ୟୁ ଖସି
ସେ ପୁତ୍ର ଖେଳାନ୍ତେ ତୋର ପୁଣ୍ୟ ଦେଖାଗଲା
ତା ଯୋଗୁ ତୋହର ପୁତ୍ର ଏବେ ଜାତହେଲା
କେ ଗୋପାଳ ବୋଲେ ନନ୍ଦ ଏହିଠାରେ ଥାଉ
କେ ବୋଲେ ବଧାଇ ଦେଲେ ଆମ୍ଭଙ୍କୁସେଯାଉ
କେ ଗୋପୀ ବୋଲଇ ଆଣ ନନ୍ଦକୁ ଗୋ ଧରି
ଜଣ ଜଣକେ ବଧାଇ ଦେଉ ଗଣିକରି
ଗୋପୀମାନେ ରୁଣ୍ଡହୋଇ ହଳଦୀ ଯେ ବୋଳି
ନନ୍ଦର ଉପରେ ପାଣି ନିହୁଡ଼ନ୍ତି ବାଳୀ
ରାଧିକା ବୋଲି ଯେ ବାଳୀ ଚନ୍ଦ୍ରସେଣା ବାମା
ଚନ୍ଦ୍ରକୁ ସେ ପଟାନ୍ତର ଶୋଭା ଅନୁପମା
ନନ୍ଦର ଶଳାଭାଉଜ ଅଟଇ ସେ ନାରୀ
ନନ୍ଦ ମହାଖୁଡ଼ ଦାଢ଼ି ଉଛୁଡ଼ଇ ଧରି
ଏହି ମତେ ଗୋପୀମାନେ କରି ଉପହାସ
କେହି ଧରି ଓଟାରନ୍ତି ପିନ୍ଧା ଝୀନବାସ
ଆନନ୍ଦେ ନନ୍ଦ ଗୋପାଳ ବାଜଣା ବଜାଇ
କୃଷ୍ଣ ଫଳ ଫୁଲ ଦେଖି ଗଲେ ବେଗ ହୋଇ
ଜୟ ମଙ୍ଗଳ ଯେ ଇଷ୍ଟଦେବ ସୁମରିଣ
ତାର ବାର ତିଥି ଦିନ ବୁଝନ୍ତି ଯାଇଣ
କୋଷ୍ଠି କାଟି ଜଉତିଷେ ଗ୍ରହଙ୍କୁ ବସାଇ
ଅମୃତ ଯୋଗ ଧରିଣ ଯାତ୍ରା କର କେହି
ବାଳଲୀଳାରେ କୃଷ୍ଣଙ୍କୁ ଦେଖିଲେ ହରଷେ
ନିର୍ମଳ ମେଘେ ଯେସନେ ଚନ୍ଦ୍ରମା ପ୍ରକାଶେ
ଦେବାଧିଦେବ ଠାକୁର ରତ୍ନ ଶିରୋମଣି
ଅବଲୀଳାରେ ଶୟନ କରି ଦେବସ୍ୱାମୀ
ମୁନିଜନମାନଙ୍କୁ ସେ ଅଗୋଚର ସେହି
ଅପୂର୍ବ ରୂପ ଦେଖିଣ ନନ୍ଦ ହେଲା ମୋହି
ଅପୁଅଘରେ ପୁତ୍ରେକ ହୋଇଛି ଜନମ
ତେଣୁ ଅତ୍ୟନ୍ତ ହରଷ ନନ୍ଦ ପଞ୍ଚମନ
ତିଳ ଅଏଁଳା କୁଙ୍କୁମ ଘୋଟି ଦେହେ ବୋଳି
ଜଙ୍ଘ ଉପରେ ବସାଇ ପୋଛନ୍ତି ଯେ ବାଳୀ
ସୁବର୍ଣ୍ଣ ଶାମୁକା ଘେନି କାଟି ନାଭିଗୋଟି
ଯେ ନାଭି କମଳୁ ଜାତ ବ୍ରହ୍ମା କୋଟି କୋଟି
ସରଳ ଦେବଦାରୁ ଯେ ଅଗୁରୁ ଚନ୍ଦନ
ଅନ୍ତୁଡ଼ିଶାଳେ ସମିଧ ଲଗାଇ ବହନ
ସୁଗନ୍ଧି ତଇଳ କରେ ଘେନି ଧାତ୍ରୀମାଏ
ଅନଳ ତେଜେ ସେକନ୍ତି ଶ୍ରୀକୃଷ୍ଣର କାୟେ
ନେତର ସୁପାତିଶେଯ ଭୂମିରେ ଶେଯାଇ
ଅନ୍ତୁଡ଼ିଶାଳେ ସ୍ୱମୀଙ୍କି ଶୁଆଇଲେ ନେଇ
ଯେ ଯାହା ପ୍ରମୁଖେ ଖଞ୍ଜାମୂଳେ ଧାଈ ରହି
ଅନ୍ତୁଡ଼ିଶାଳେ ଜଗିଲେ ବାଳୀ ବେଢ଼ି ତହିଁ
ସମବୟସୀ ସୁନ୍ଦରୀ ନବୀନା ଯୁବତୀ
ଯେ ଯାହାର ବିଧିରେ ସେବା କରୁଛନ୍ତି
ଅନ୍ତୁଡ଼ିରେ ଶୋଇଦେଲେ ପୁତ୍ରକୁ ଜନନୀ
ସ୍ତନୁ କ୍ଷୀର ଚିପୁଡ଼ନ୍ତି ଶାମୁକାଏ ଘେନି
ଅଶେଷ ବ୍ରହ୍ମାଣ୍ଡ ଅଛି ଯେବଣ ଉଦରେ
ମାତାର କ୍ଷୀର ପିଅନ୍ତି ତୋଷେ ଦାମୋଦରେ
ଅଶେଷ କୋଟି ବ୍ରହ୍ମାଣ୍ଡେ ସମର୍ଥ ଯେ ଅତି
ତାଙ୍କ ମହିମା ବର୍ଣ୍ଣନେ କ୍ଷମ କେ ଅଛନ୍ତି
ତାହାଙ୍କର ଖେଳଘର ସିନା ନବସୃଷ୍ଟି
ଜନନୀର କ୍ଷୀରପାନେ ହୋଇଲେକ ତୁଷ୍ଟି
ଜଗତ ଜନର ପ୍ରଭୁ ଗରିଷ୍ଠ ବରିଷ୍ଠ
ସକଳ ବ୍ରହ୍ମାଣ୍ଡେ ପୂରି ଅଛି ଘଟେ ଘଟ
ପୁତ୍ରକୁ କୋଳ କରିଣ ଦେବୀ ଗଲେ ନିଦ୍ରା
ପୁତ୍ରକୁ ଯେ କ୍ଷୀରପାନ କରାଇ ଯଶୋଦା
ଚନ୍ଦ୍ରସେଣା ଗଉଡ଼ ଯେ ନନ୍ଦ ଜ୍ୟେଷ୍ଠ ଶଳା
ଯଶୋଦା ଦେବୀଙ୍କ ଭାଇ ଶ୍ରୀକୃଷ୍ଣ ମଉଳା
ସଙ୍ଗତରେ ଘେନି ସେହି ଶତେକ ଗୋପାଳ
ଲଉଡ଼ି ଘେନି ଜଗିଲେ ଅନ୍ତୁଡ଼ି ଯେ ଶାଳ
ଶୁକମୁନି ବୋଲେ ଶୁଣ ପରୀକ୍ଷ ନୃପତି
କୃଷ୍ଣଜନ୍ମ କଥା ଇନ୍ଦ୍ରେ କହି ବୃହସ୍ପତି
ବୃହସ୍ପତି ବୋଲୁଛନ୍ତି ଶୁଣ ପୁରନ୍ଦର
ଶ୍ରୀକୃଷ୍ଣ ହୋଇଲେ ଗୋପପୁରେ ଅବତାର
ଗୁପ୍ତେ ବସୁଦେବ ନେଲା କୃଷ୍ଣଙ୍କୁ ଚୋରାଇ
ବିଜୁଳି କନ୍ୟା ଆଣିଲା ରାତ୍ରେ ପାଲଟାଇ
ଏସନ ଚରିତ ଗୋଟି ନ ଜାଣନ୍ତି ଆନ
ଗାର୍ଗ୍ୟ ମୁନି ଜାଣନ୍ତି ଯେ ଜାଣେ ଉଗ୍ରସେନ
ଜନ ଜନ୍ତୁମାନେ କେହି ନ ଜାଣନ୍ତି ଆଉ
ଦେବକୀ ଦେବୀ ଯେ ମୋହେ ପଡ଼ିଥିଲେ ଯହୁଁ
ଦେବକୀ ଦେବୀ ମନରେ ସଂପ୍ରତେ ଯେ ଗଲା
ଏ ଅଷ୍ଟମ ଗର୍ଭେ ମୋର ଦୁହିତାଏ ହେଲା
କୃଷ୍ଣ ଦଇବୀ ମାୟାରେ ଅଛନ୍ତି ତ ଶୋଇ
ବିଷ୍ଣୁ କୂଟ ସନ୍ଧି ଏହା ନ ଜାଣନ୍ତି କେହି
ଅନ୍ତୁଡ଼ିଶାଳେ ଶ୍ରୀକୃଷ୍ଣ ଅଛନ୍ତି ଯେ ଶୋଇ
ଗୁପ୍ତେ ଦର୍ଶନ କରିବା ଚାଲ ଏବେ ଯାଇଁ
ଆଝୁ ସରିଲା ଆମ୍ଭର ସ୍ୱର୍ଗୁ ମହାଭୟ
ଅନେକ ଦାନବ ପ୍ରଭୁ କରିବେକ କ୍ଷୟ
ନିଶ୍ଚିନ୍ତେ ହୋଇଣ ତୁମ୍ଭେ ସ୍ୱର୍ଗ ଭୋଗ କର
ବୃହସ୍ପତି କହନ୍ତି ଯେ ଇନ୍ଦ୍ରର ଆଗର
ବିଚାର କରି ଉଠିଲେ ଇନ୍ଦ୍ର ବୃହସ୍ପତି
ମନ ପବନ ଚଢ଼ିଣ କଲେ ଶୀଘ୍ରଗତି
ରାତ୍ରି ଅଢ଼ାଇ ପ୍ରହରେ ଅଇଲେ ଓହ୍ଲାଇ
ଗୋପନଗ୍ରେ ନନ୍ଦଘରେ ପ୍ରବେଶିଲେ ଯାଇ
ନନ୍ଦ ଉଆସେ ନିକଟେ ମିଳିଲେ ବହନ
ଉଲୁକ ମନ୍ତ୍ରେ କଲେ ସେ ଶରୀର ଗୋପନ
ଭିତରେ ପଶିଲେ ବେନି ଜନେ ଧାତିକାରେ
ଦେଖିଲେ ବିଷ୍ଣୁ ନିଦ୍ରିତ ଅନ୍ତୁଡ଼ି ଶାଳରେ
ଯଶୋଦା ଦକ୍ଷିଣ ହସ୍ତ କୃଷ୍ଣ ଦେହେ ଦେଇ
ମାତା ପୁତ୍ର ଏକଠାବେ ଛନ୍ତି ନିଦ୍ରାଯାଇ
ତହୁଁ ପରିଜନ ଗୋପ ଗୋପାଳୁଣୀ ମେଳେ
ଜଗିଛନ୍ତି ଯେ ଯାହାର ମତେ ଅବହେଳେ
ଘୃମିତ ଲୋଚନ ସ୍ୱାମୀ ବେନି ଚକ୍ଷୁ ବୁଜି
ମାତା ପାଶେ ଶୋଇଛନ୍ତି ଜାଣୁଛନ୍ତି ହେଜି
ଜାନୁ ଭିତରେ ଶ୍ରୀହରି ଯୋଡ଼ି ପାଦ ଦୁଇ
ଛଦ୍ରମେ ବାଳକରୂପେ ଅଛନ୍ତି ଯେ ଶୋଇ
ଏସନକ ରୂପ ଦେଖି ବୃହସ୍ପତି ଇନ୍ଦ୍ର
ଅନେକ ସ୍ତୁତି କରିଣ ହୋଇଲେ ଆନନ୍ଦ
ବୃହସ୍ପତି ବୋଲେ ଇନ୍ଦ୍ର ଦେଖି ବ୍ରହ୍ମରୂପ
ସଂସାର ରକ୍ଷା ନିମନ୍ତେ ହୋଇଛନ୍ତି ଗୋପ୍ୟ
ଯେବଣ ଶ୍ରୀ ନାରାୟଣ କ୍ଷୀରାର୍ଣ୍ଣବ ଜଳେ
ଚତୁର୍ମୁଖ ବ୍ରହ୍ମା ଜାତ ଯା ନାଭି କମଳେ
ଯାର କିଞ୍ଚିତ ଆଜ୍ଞାରେ ହୋଇଛି ଧରଣୀ
ଅନନ୍ତ କୋଟି ଜୀବ ଯେ ସର୍ଜ୍ଜନା କାରେଣୀ
ଦେବାଧିଦେବ ଉପରେ ଅଟେ ଦେବସ୍ୱାମୀ
ତୁମ୍ଭ ହିତେ ନିଦ୍ରା ଯାଇଛନ୍ତି ଅନ୍ତର୍ଯ୍ୟାମୀ
ଜନମ ମରଣ ବାଧା ଯାହାକୁ ହିଁ ନାହିଁ
ବଡ଼ ଠାକୁର ଏହାଙ୍କଠାରୁ ଆଉ କାହିଁ
ଏ ଜନ୍ମ ସଫଳ ହେଲା ଦେଖି ନେତ୍ର ଭୂରୁ
ଦେଖିଲେ ଶ୍ରୀ ନାରାୟଣ ବାଞ୍ଛା କଳ୍ପତରୁ
ଏମନ୍ତ ବିଚାର କରି ଇନ୍ଦ୍ର ବୃହସ୍ପତି
ଅର୍ଦ୍ଧ ଆକାଶେ ଦେଖିଲେ ଏକ ଶିଳାମୂର୍ତ୍ତି
ଜୟ ମଙ୍ଗଳ ବୋଲି ଯେ ମଣି ତଳେ ଥୋଇ
ବାହୁଡ଼ିଲେ ବେନି ଜନେ ବିମାନ ଆରୋହି
ଇନ୍ଦ୍ର ବୋଲେ ବୃହସ୍ପତି ଗୋପନଗ୍ର ଧନ୍ୟ
ପରମାନନ୍ଦ ପୁରୁଷ ହେଲେ ଏଥେଁ ଜନ୍ମ
ନର ନାରୀଏ ଦେଖିଲେ ଏହି ରୂପ ଭଲେ
ନାହିଁ ଏ ବାଳ ଗୋପାଳ ରୂପ ସମତୁଲେ
ଖଣ୍ଡିଲେ ଗୋପୀ ଅନେକ ଜନ୍ମ ମହାପାପ
କହିଲେ ତ ନ ସରଇ ତାଙ୍କ ଭାଗ୍ୟ ତପ
ଯୋଗୀ ସନ୍ନ୍ୟାସୀ ଯେବଣ ରୂପ ଧ୍ୟାନ କରି
ସେ ସ୍ୱାମୀ ଏ ଅବତାରେ ହେଲେ ଦେହଧାରୀ
ଏ ମୋହର ବିଚାରକୁ ମଣିଲ ଏମନ୍ତ
ଏଥିରୁ ପ୍ରାଣୀ ସମସ୍ତେ ଜାଣ ପୁଣ୍ୟବନ୍ତ
ପୂର୍ବେ ବ୍ରହ୍ମାପୁତ୍ରମାନେ ଦୃଢ଼ ତପ କଲେ
ବିଷ୍ଣୁ ଦେହେଲୀନ ହେବୁ ବୋଲିଣ ବୋଇଲେ
ସେ ବ୍ରହ୍ମଋଷିଏ ଗୋପୀ ଗୋପାଳ ସ୍ୱରୂପେ
ବିଷ୍ଣୁ ଅଙ୍ଗ ସଙ୍ଗ ପାଇଁ ଜନ୍ମ ହେଲେ ଗୋପେ
ଗୋପୀ ଗୋପାଳଙ୍କ ସଙ୍ଗେ କରି ରଙ୍ଗ ଗେଲ
ମାରିବେ ରାକ୍ଷସବଳ ରଖିବେ ଗୋକୁଳ
କୁଞ୍ଜେ ଯମୁନାର କୂଳେ କଦମ୍ବର ମୂଳେ
ଗୋପୀଙ୍କ ସଙ୍ଗେ କରିବେ କ୍ରୀଡ଼ା କୁତୂହଳେ
ମହାପବିତ୍ର ଅଟଇ ଏହି ଭୂମିଖଣ୍ଡି
ଗୋରୁଙ୍କର ମଳମୂତ୍ରେ ଅଛି ନଗ୍ରମଣ୍ଡି
ସ୍ୱର୍ଗରୁ ଅଧିକ ଅଟେ ଏହି ଗୋପ ମଧ୍ୟ
ଅଙ୍ଗୁଳିକେ ହୋଇଅଛି ଯାଗ ଅଶ୍ୱମେଧ
ରୁଦ୍ରଧର ବ୍ରହ୍ମାର ଯେ ଅଟଇ ଏ ଭୂମି
ତେଣୁକରି ବିଜେ ଏଥେଁ ନାରାୟଣ ସ୍ୱାମୀ
ବୃହସ୍ପତି ବୋଇଲେ ହୋ ଶୁଣ ସୁରେଶ୍ୱର
ମହାପାତକ ବିନାଶ ହୋଇଲା ଆମ୍ଭର
ଜୟ ଜୟ ଗୋପବାଳ ମୋହନ ମୁରାରି
ରାଧିକା ଜୀବନ ଧନ ବୃନ୍ଦାବନଚାରୀ
ପୂତନା ଶକଟା ବକା କେଶୀ ନିସୂଦନ
ଗୋପୀଜନ ଚିତ୍ତଚୋର କାଳୀୟ ଗଞ୍ଜନ
ନବଜଳଧର କାନ୍ତି ଦିଶଇ ଶୋଭିତ
ମୋହନ ବଂଶୀରେ ନାଥ ମୋହିଲୁ ଜଗତ
ଗୋବର୍ଦ୍ଧନ ଗିରି ଟେକି ରଖିଲୁ ଗୋକୁଳ
ଶରଣ ପଶିଲା ତୋର ପାଦେ ଆଖଣ୍ଡଳ
ତୋ ଉଦରେ ପୂରିଅଛି ସକଳ ଜଗତ
ଦେବତାଙ୍କ ଛଳେ ହେଲୁ ଉଦରରୁ ଜାତ
ହରବ୍ରହ୍ମା ନ ଜାଣନ୍ତି ତୋ ମହିମା ଲେଶ
ଶରଣ ପଶଇ ତୋରେ ମୁଁ ଅଚ୍ୟୁତ ଦାସ

କାଳନେମିର ତପସ୍ୟା ଓ ଦର୍ପଣ ଶିଳା ବୃତ୍ତାନ୍ତ

[ସମ୍ପାଦନା]

ନିର୍ଦ୍ଧୂମ ଅନଳ ଜିଣି ଦିଶେ ଜ୍ୟୋତିର୍ମୟ
ନିଦାଘ ଆଦିତ୍ୟ କିବା ହୋଇଲା ଉଦୟ
ଷଡ଼ଗୋଟି ଶବସଞ୍ଚା ତହିଁରେ ଲାଗିଛି
ହିଙ୍ଗୁଳ ବୋଳିଲା ପ୍ରାୟ ବର୍ଣ୍ଣ ଦିଶୁଅଛି
ରକତରେ ଜରଜର ଭୟଙ୍କର ମୂର୍ତ୍ତି
ଅନ୍ତରାଳ ହୋଇ କରେ ଶୂନ୍ୟମାର୍ଗେ ଗତି
କଂସରାଜା ନବରରୁ ସିଂହଦ୍ୱାର ଛାଡ଼ି
ଆକାଶପଥରେ ଶିଳା ଯାଉଅଛି ଉଡ଼ି
ସ୍ୱଭାବରେ ମହାନିଶା ମେଘ ଅନ୍ଧକାର
ଦର୍ପଣର ଶିଳା ଯାନ୍ତେ ଦିଶେ ଭୟଙ୍କର
ଅତ୍ୟନ୍ତ ଚଞ୍ଚଳ ହୋଇ କରେ ଶୀଘ୍ର ଗତି
ପ୍ରତ୍ୟକ୍ଷେ ଦେଖନ୍ତେ ତାକୁ ଦେବ ଶଚୀପତି
ଗୁରୁଙ୍କ ମୁଖକୁ ଚାହିଁ ପୁଛିଲେ ବହନ
ପଥର ଗୋଟିଏ କରେ ଶୂନ୍ୟରେ ଗମନ
ରକତରେ ଜର ଜର ତେଜ ପରଚଣ୍ଡ
ଆବର ଲାଗିଛି ଷଡ଼ଗୋଟା ମୃତପିଣ୍ଡ
ପକ୍ଷୀପ୍ରାୟ ଗତି କରି ଉଡ଼େ ଶୂନ୍ୟପଥେ
ଏଥିର ତଦନ୍ତ କଥା କହ ଗୁରୁ ମୋତେ
ଇନ୍ଦ୍ରର ଏସନ ବାକ୍ୟ ଶୁଣି ବୃହସ୍ପତି
ବୋଲନ୍ତି କହିବା ତାହା ଶୁଣ ସୁରପତି
ଯେଉଁକାଳେ କଂସ କାଳନେମି ହୋଇଥିଲା
ଚୌରାଶୀ ବର୍ଷ ପର୍ଯ୍ୟନ୍ତେ ତପ ଆଚରିଲା
କନକ ପ୍ରଭା ବୋଲିଣ ନଦୀ ଏକଗୋଟି
ମନ୍ଦର ପର୍ବତ ଭେଦି ଦକ୍ଷିଣକୁ ଫୁଟି
ତପନ ପର୍ବତ ଅଛି ସେହି ନଦୀ କୂଳେ
ତହିଁ ବିଜେ କରିଛନ୍ତି ଦେବୀ ଯେ ମଙ୍ଗଳେ
ଚାମୁଣ୍ଡା ଦେବୀ ସେ କରିଅଛନ୍ତି ନବର
ଚାମୁଣ୍ଡା ଦେବୀ ଯେ ସେବା କଲା ସେ ଅସୁର
ଅନେକ କଠୋର ତପ କରେ ପ୍ରତିଦିନ
ପିନ୍ଧଇ ବକଳ ପୁଣ ଭକ୍ଷଇ ପବନ
ବାର ଆଙ୍ଗୁଳି ସ୍ଥାନରେ ରହି କାଳନେମି
ପୁଷ୍ପ ତୋଳିଲା ପରାୟ ତାଡ଼େ ଚକ୍ଷୁବେନି
ନହୁରୁଣୀ ଘେନି ଦେହ କାଟେ ଖଣ୍ଡେ ଖଣ୍ଡେ
ସେ ରୁଧିର ନିହୁଡ଼ଇ ନେଇ ଅଗ୍ନି କୁଣ୍ଡେ
ଶୁଖିଲା କାଷ୍ଠ ଜାଳିଣ ଗୁଆଘୃତ ଢାଳି
ଆପଣା ଅଙ୍ଗର ମାଂସ କାଟିଦିଏ ବଳି
ଖରା ବର୍ଷା ଶୀତ ସହେ ସବୁ ତାର ଅଙ୍ଗ
ଛାଡ଼ି କ୍ଷୁଧା ତୃଷା ନିଦ୍ରା ମଇଥୁନ ସଙ୍ଗ
ରଙ୍ଗ ମନ୍ଦାର ମାଳାଏ ଆଭରଣ ଶିରେ
ଜିହ୍ୱାକୁ କାଟି ପକାଏ ଦେବୀଙ୍କ ଖପରେ
କରତାଳି ମାରି ଗୀତ ଗାଇ ନୃତ୍ୟେ ଆସି
ଦୃଢ଼େ ଜପେ ଦୁର୍ଗାନାମ ହସି ହସି ବସି
ଏ ବିଧି ଅନେକ ତପ କଲା ମହାବଳୀ
ସନ୍ତୋଷ ହେଲେ ମାତଙ୍ଗୀ ଦେବୀ ଭଦ୍ରକାଳୀ
କଠୋର ତପ ଦେଖିଣ କଲେ ତାକୁ ଦୟା
ଅସୁରକୁ ସୁପ୍ରସନ୍ନ ହେଲେ ମହାମାୟା
କାତି ଖପର ଧରିଣ ଭୟଙ୍କର ବେଶ
ଜିହ୍ୱା ଲହ ଲହ କରି ମୁକୁଳିତ କେଶ
ଦେବୀଙ୍କ ପ୍ରସନ୍ନ ହେବା ଦେଖି କାଳନେମି
ଶତସସ୍ର ଦଣ୍ଡବତ ଚରଣେ ପ୍ରଣମି
କରପତ୍ର ଯୋଡ଼ି ପୁଣ ଆଗେ ହୋଇ ଉଭା
ଚାମୁଣ୍ଡା ବୋଲଇ ବର ମାଗ ଶୀଘ୍ର ଦେବା
ଏ ତୋହର ତପ ଦେଖି ହେଲୁ ଆମ୍ଭେ ତୁଷ୍ଟି
ଯାଅ ତୁ ହୋ ସାଧ୍ୟ କର ଚରାଚର ସୃଷ୍ଟି
ଦେବ ଦାନବ ମାନବ ଜିଣ ତୁହି ବଳେ
ପୃଥ୍ୱୀ ସାଧ୍ୟକର ତୁ ହୋ ନିଜ ଭୁଜ ବଳେ
ଯେତେ ଜନ୍ମ ପରିଯନ୍ତେ ଧରିଥିବୁ ଦେହି
ପୃଥିବୀରେ ତୋତେ ସମ ନ ହୋଇବେ କେହି
ଆମ୍ଭର ବର ତୁମ୍ଭଙ୍କୁ ପ୍ରାପ୍ତ ହେଉ ସବୁ
ଏବେ ଘୋର ତପ ଛାଡ଼ି ଯାଅ ଏଥୁ ବାବୁ
ଏ ମୋହର ବର ତୋତେ ପ୍ରାପ୍ତ ହେଉ ସବୁ
ତୁ ରାଜା ହୋଇଲେ କହ ମୋତେ କିସଦେବୁ
ଦେବୀଙ୍କ ବଚନ ଶୁଣି କହେ ଦୈତ୍ୟବର
ଯଦି ସନ୍ତୋଷରେ ମାତା ଦେଲୁ ମୋତେ ବର
ତୁ ଯାହା ମାଗିବୁ ତାହା ଦେବି ନିଶ୍ଚେ ମୁହିଁ
ଶିରକମଳ ମାଗିଲେ କିଛି ଭୟ ନାହିଁ
କାଳିକା ବୋଇଲେ ଯେବେ ଦେବା ଶ୍ରଦ୍ଧା ଅଛି
ଷଡ଼ଗୋଟି ପୁତ୍ର ତୁହି ଦେବୁ ମୋତେ ଯାଚି
ଆପଣେ ଜାତ କରିଣ ହେବୁ ଜ୍ଞାନ ଭ୍ରଷ୍ଟ
ମୁଁ ତାଙ୍କୁ ଖାଇଲେ ମୋର ପୂର୍ଣ୍ଣ ହେବ ପେଟ
ଏ ଜନ୍ମ ଅନ୍ତରେ କଂସ ହୋଇବୁ ତୁ ଯାଇ
ସେ କାଳେ ତୋଷିବୁ ମୋତେ ଷଡ଼ପୁତ୍ର ଦେଇ
ଭଣଜା ରୂପରେ ଜନ୍ମିଥିବେ ତୋର ସୁତେ
ତୁ ତାହାକୁ ମୋତେ ଦେବୁ ମାରି ନିଜ ହସ୍ତେ
ବୃହସ୍ପତି ବୋଇଲେ ହେ ଶୁଣ ଶଚୀନାଥ
ଦର୍ପଣ ଶିଳା ପ୍ରତ୍ୟକ୍ଷେ ଚାମୁଣ୍ଡା ଯେ ମାତ
କଂସ ରାଜାର ଛାମୁରେ ଥିଲା ଆସି ପଡ଼ି
ମରଣ କାଳେ କଂସକୁ ଯାଉଅଛି ଛାଡ଼ି
ଯେତେ ସମୟ ଯେ ଶିଳା ଥିଲା କଂସ କତି
ଦର୍ପଣ ଶିଳା ପ୍ରସାଦେ ତାକୁ ନାହିଁ ଭୀତି
ପ୍ରତ୍ୟକ୍ଷେ ଚାମୁଣ୍ଡା ରୂପେ ସେହି ଶିଳା ଗୋଟି
ଶୁମ୍ଭ ନିଶୁମ୍ଭଙ୍କୁ ପୂର୍ବେ ବଧ କଲା ସେଟି
ଏହାର ଯାଆନ୍ତେ କଂସ ହେଲା ହୀନବୀର୍ଯ୍ୟ
ନାଶ ହୋଇବ ଶରୀର ସରିଲାଣି କାର୍ଯ୍ୟ
ଅଷ୍ଟମଲ୍ଲ ସହିତରେ ନିଶ୍ଚେ ନାଶଯିବ
ଅକଣ୍ଟକ ହେବ ପୃଥ୍ୱୀଭାରହିଁ ସରିବ
ପୂର୍ବେ ସତ୍ୟ ମନାଇଣ ଥିଲା କଂସ ଯାହା
ମତ୍ତଗର୍ବପଣେ ଏବେ ପାସୋରିଲା ତାହା
ରାଜାର ଦ୍ରୋହ କରନ୍ତି ଯେବଣ ପରାଣୀ
ଏ ଦର୍ପଣ ଶିଳାପରେ କଚାଡ଼ନ୍ତି ଆଣି
ଯୁକତେ ଚାମୁଣ୍ଡାଦେବୀ ମଡ଼ାଭାଗ ପାଇ
ମଦିରା ରକତ ମାଂସେ ତୃପତି ତା ଦେହି
ମେଷ ମଇଁଷି ଛାଗଳ ନରବଳି ଯେତେ
ଦେବୀମାନଙ୍କୁ ଦିଅନ୍ତି ସମସ୍ତେ ଜଗତେ
ରାଜଦ୍ରୋହକାରୀ ଯେବେ ଶିରଶ୍ଚେଦ ପାନ୍ତି
ଶତେଜନ୍ମ ପରିଯନ୍ତେ ଚାମୁଣ୍ଡା ଚୋବାନ୍ତି
ସଂଗ୍ରାମରେ ପିଠିଦେଇ ପଡ଼ନ୍ତି ଯେ ଜନ
ଚାମୁଣ୍ଡା ଦାଢ଼େ ପଡ଼ନ୍ତି ଜାଣ ଏ ପ୍ରମାଣ
ଗଉରବ ସ୍ତିରୀ ସଙ୍ଗେ କରେ ଯେ ପୀରତି
ସେ ପୁରୁଷ ଚାମୁଣ୍ଡାର ମୁଖରେ ପଡ଼ନ୍ତି
ଦେବ ବିପ୍ରଙ୍କୁ କରନ୍ତି ଯେହୁ ଉପହାସ
ମତ୍ତଗର୍ବେ ନିନ୍ଦନ୍ତି ଯେ ବେଦ ଦୋଷାଦୋଷ
ଚାମୁଣ୍ଡାର ଦାଢ଼େ ପୁଣ ପଡ଼ନ୍ତି ସେ ଯାଇ
ଶୁଣ ତୁ ହୋ ସାବଧାନେ ଶଚୀଦେବୀସାଇଁ
ସତ୍ୟକରି ଦେବି ବୋଲି ନ ଦିଅନ୍ତି ଯାହା
ଚାମୁଣ୍ଡା ଦାଢ଼େ ପଡ଼ନ୍ତି ଦେବୀଙ୍କର ସ୍ଫୃହା
ସଂଗ୍ରାମେ ଯୁଦ୍ଧ ନ କରି ପଡ଼ନ୍ତି ଯେ ଜନ
ଚାମୁଣ୍ଡା ମୁଖେ ପଡ଼ନ୍ତି ଏ କଥା ପ୍ରମାଣ
ବୋଲନ୍ତି ଯେ ବୃହସ୍ପତି ଶୁଣ ଶଚୀସାଇଁ
ଚାମୁଣ୍ଡା ଜିହ୍ୱାକୁ ବଳି ରୁଧିର ହିଁ ନାହିଁ
ତେଣୁ ଚାମୁଣ୍ଡା ଗଗନମାର୍ଗେ ବୁଲୁଥାଇ
ଯହିଁ ସଂଗ୍ରାମ ହୁଅଇ ତହିଁ ବିଜେ ଯାଇଁ
କଡ଼ା ମର୍ଦ୍ଦଳ ଝୁମୁକା ଝୁମୁ ଝୁମୁ ବାଜେ
ଚାମୁଣ୍ଡା ବଜାଇ ନୃତ୍ୟ କରି ତହିଁ ବିଜେ
ଶୁଣ ହୋ ପରୀକ୍ଷ ରାଜା କହେ ଶୁକଯତି
ଯାନ ଆରୋହିଣ ଗଲେ ଇନ୍ଦ୍ର ବୃହସ୍ପତି
ସ୍ୱର୍ଗଭୁବନରେ ଯାଇ ହୋଇଲେ ପ୍ରବେଶ
ଗନ୍ଧର୍ବେ ବିଦ୍ୟାଧରୀଏ ଖଟିଲେକ ପାଶ
ଏଥୁ ଅନନ୍ତରେ ଶୁଣ ତୁମ୍ଭେ ପୂର୍ବବାଣୀ
ବାଞ୍ଛା ସିଦ୍ଧକର ନରେ ଭାଗବତ ଶୁଣି
ଯଶୋଦା କୃଷ୍ଣଙ୍କୁ କୋଳେ ଧରି ନିଦ୍ରାଯାଇ
ଚେତନା ପାଇଣ ଦେବୀ ଉଠିଲେ ଚିଆଇଁ
ଇନ୍ଦ୍ର ବୃହସ୍ପତି ଯେଉଁ ପ୍ରକାରେ ଆସିଲେ
ସେହି ପ୍ରକାରେ ଯଶୋଦା ସ୍ୱପନ ଦେଖିଲେ
ନନ୍ଦ ଆଗରେ କହିଲେ ସ୍ୱପନର ବାଣୀ
ସ୍ୱପ୍ନ ଭଲ ମନ୍ଦ ବୁଝ ଜଉତିଷ ଆଣି
ଭୋ ନାଥ ଏମନ୍ତ ସ୍ୱପ୍ନ ଦେଖିଲି ମୁଁ ଭଲେ
ଇନ୍ଦ୍ର ବୃହସ୍ପତି ମନବିମାନ ଚଢ଼ିଲେ
ଆମ୍ଭର ପୁତ୍ରକୁ ସ୍ତୁତି କରୁଥିଲେ ଚାହିଁ
ଜୟ ମଙ୍ଗଳ ମଣିଏ ପାଦତଳେ ଥୋଇ
ଗଲେ ବେନିଜନେ ଏହା ନିଦେ ଦେଖିଲଇଁ
ସତ ମିଛ ବୁଝ ସ୍ୱାମୀ ଦେଖ ଆପେ ଯାଇ
ନନ୍ଦ ଦେଖିଲେ ସେ ମଣି ଗୋଟି ବିରାଜଇ
କୋଟି କୋଟି ଦିନକର ତେଜକୁ ଗଞ୍ଜଇ
ଦେଖିଣ ନନ୍ଦ ଆଣିଲେ ସେହି ଦେବମଣି
ସ୍ୱପନ କଥା ତ ସତ ଦେଖ ତୁ ଗୋ ରାଣୀ
ଯଶୋଦା ମଣିକି ଦେଖି ହରଷ ହୋଇଲେ
କାହା ଆଗେ ନ କହିବା ବୋଲି ସତ୍ୟକଲେ
ବିଚାର କରନ୍ତେ ଦୁହେଁ ପାହିଲା ରଜନୀ
ଗଗନେ ଉଦେ ହୋଇଲେ ପ୍ରଭୁ ଦିନମଣି
ଭାଦ୍ରବ କୃଷ୍ଣଅଷ୍ଟମୀ ତିଥି ଗୁରୁବାର
ମୃଗଶିରା ନକ୍ଷତ୍ର ଯେ ଅଟେ ସେ ଦିନର
ସିଂହ ସଂକ୍ରାନ୍ତି ଚବିଶ ଦିନ ଯାଇ ଭୋଗ
ଏହି ଦିନ କୃଷ୍ଣ ହେଲେ ଗୋପରେ ଜନମ
ଭଜଇ ଅଚ୍ୟୁତାନନ୍ଦ ହରେ କୃଷ୍ଣ ନାମ
ଶୁକମୁନି ବୋଲେ ଶୁଣ ପରୀକ୍ଷ ରାଜନ
ଇଦଂ ପ୍ରତିବାକ୍ୟ ଭାଗବତର ବିଧାନ
ପ୍ରଭାତେ ଆସ୍ଥାନେ ବିଜେକଲା ବୀର କଂସ
ଛାମୁକୁ ଯେ ହକରାଇ ଆଣି ସାତବଂଶ
ବିଜୁଳି ବଚନ ଯହୁଁ କର୍ଣ୍ଣରେ ଶୁଣିଲା
ରାତ୍ରି ତିନିଘଡ଼ି ଥାଉଁ ଆସ୍ଥାନେ ବସିଲା
ସାତ୍ୟକି ଅନାଧୃଷ୍ଟ ଯେ ଉଦ୍ଧବ ଅକ୍ରୂର
ଶକ୍ରାଜିତ ଶତଧନୁ କୃତବର୍ମା ବୀର
ପାତ୍ର ଅମାତ୍ୟ ଯେତେକ ବନ୍ଧୁ ମିତ୍ରଜନେ
ସମସ୍ତେ ବସିଅଛନ୍ତି ରାଜା ସନ୍ନିଧାନେ
ଅମ୍ବା କଦମ୍ବା ଚାଣୁର ମୁଷ୍ଟିକ ଯେ କେଶୀ
ତୃଣା ବକା ସହିତରେ ପୂତନା ରାକ୍ଷସୀ
ବସୁଦେବ ଆଦିକରି ଯେତେ ତହିଁ ଥିଲେ
କଂସ ଆଜ୍ଞା ଶୁଣି ସର୍ବେ ସଭାରେ ବସିଲେ
ଛପନ କୋଟି ଯାଦବେ ରାଉତ ମାହୁନ୍ତେ
ଅପ୍ରମିତ ସୈନ୍ୟ ଗଣି କହିବ କେ କେତେ
ଭୂଇଁଆ ଭୋପାଳ ଦେଶୀ ବିଦେଶୀ ଯେ ବଳ
ସମସ୍ତେ ତ ପଟୋଆରୀ ଆସ୍ଥାନର ତଳ
ସବୁ ପାତ୍ର ମନ୍ତ୍ରୀଙ୍କି ସେ ଆସ୍ଥାନେ ବସାଇ
ସଭା ଗହ ଗହ ପୃଥ୍ୱୀ ପୁଣ ନ ଦିଶଇ
କଂସ ବୋଲେ ରଥୀ ମହାରଥୀ ଅଛ ପାଶ
ଅପୂର୍ବ କଥା କହିବି ଗୁପତ ବିଶ୍ୱାସ
ନାରଦ ମୁନି ଯେ ମୋତେ କହିଥିଲେ ଯାହା
ସ୍ୱରୂପ ନୋହିଲା ସେହୁ ହୋଇଲାକ ମାୟା
ମୁନି ବୋଇଲେ ଭଣଜା ହସ୍ତେ ପ୍ରାଣ ନାଶ
ତା ଜାଣି କଲି ଭଣଜାଠାରେ ଅମରଷ
ଷଡ଼ପୁତ୍ର ମାଇଲଇଁ ମୁହିଁ କୋପଚିତ୍ତେ
କେଉଁ ପାପଆତ୍ମା ମୋର ବଧ କଲା ଏତେ
ବିଶେଷେ ଭଣଜାକୁ ମୁଁ ସ୍ୱହସ୍ତେ ମାଇଲି
କଳହ ପ୍ରିୟ ମୁନିର କଥା ପ୍ରତେ ଗଲି
ଭଗିନୀପୁତ୍ର ମାଇଲି ସିନା ଏହିଭାବେ
ମୋତେ ଯେ ମାରିବ ଜାତ ଗୋପପୁରେ ଏବେ
ବିଜୁଳିକନ୍ୟା ଯେ ମୋତେ କହିଲା ସ୍ୱରୂପ
ଲାଗେ ମୋତେ ଭଗ୍ନୀପୁତ୍ର ବଧ ମହାପାପ
ଆକାଶୁ ଶୁଭିଲା ମୋତେ ଏସନକ ବାଣୀ
ମନରେ ଚିନ୍ତା ପଶିଲା ସେହି କଥା ଶୁଣି
ଯେତେବେଳୁ ଶୁଣିଲି ମୁଁ ବିଜୁଳି ବଚନ
ତେତେବେଳୁ ମନ ମୋର ହୁଏ ଛନ୍ନ ଛନ୍ନ
ଆତ୍ମାକୁ ଭୟ ମୋହର ହୋଇଲା ଅପାର
ଏଥକୁ ଉପାୟ ତୁମ୍ଭେ କର ଯେ ବାହାର
ଗୋମତ ଋଷି ଯେ ମୋତେ କରିଅଛି କୋପ
ଗୋପେ ଗଲେ ମୂର୍ଦ୍ଧା ଫାଟୁ ଦେଲା ଏହି ଶାପ
ତେଣୁ ଗୋପପୁରେ ମୁହିଁ ନ ପାରଇ ଯାଇ
ଗୋପପୁରେ ଗଲେ ମୋର ପ୍ରାଣ ପାଇ ନାହିଁ
ଜାଣୁ ଜାଣୁ ମୁଁ କେମନ୍ତେ କରିବି ଏ କଥା
ଶତ୍ରୁ ନାଶଗଲେ ପ୍ରାଣେ ପାଇ ସିନା ବ୍ୟଥା
ମୋ ଶରୀରେ ପ୍ରତିକାର ଅଛି ଅନୁଗ୍ରହ
କେ ମୋର ଶତ୍ରୁକୁ ମୋତେ ମାରିଦେବ କହ
ଯାର ପୁତ୍ର ହୋଇଥିବ ଆଜର ରଜନୀ
ସବୁ ବାଳପୁତ୍ର ଆସ ମୋ ଛାମୁକୁ ଘେନି
ଗୋପପୁରେ ଯାର ପୁତ୍ର ହୋଇଅଛି ଜାତ
ସବୁ ମାର ବୋଲି ଆଜ୍ଞା ଦେଲା ନରନାଥ
ରାଜା ଆଜ୍ଞା ପରମାଣେ ଧାତିକାରେ ଗଲେ
ସବୁ ଲୋକଘରେ ପଶି ପୁତ୍ରଙ୍କୁ ଆଣିଲେ
ସତୁରି ଅର୍ବୁଦ ସାହି ମଥୁରାରେ ଥାଇ
ନଗ୍ର ଆୟତନ ଅଷ୍ଟାଦଶ କୋଶ କହି
ଏହାର ଭିତରେ ଥିଲେ ଯେତେ ଯେତେବାଳ
ରାଜା ଆଜ୍ଞା ପରମାଣେ ଦୁଷ୍ଟ ଅନର୍ଗଳ
ବେନି ଲକ୍ଷ ନବଜାତ ଶିଶୁ ବଧ କରି
କଂସ ଆଗେ କୁଢ଼ାଇଲେ ପରବତ ପରି
ଅନେକ ବାଳକୁମାର ନଗ୍ରୁ ଆଣି କାଢ଼ି
କାନ୍ଦନ୍ତି ମାତା ପିତାଏ ଉରେ କର ତାଡ଼ି
କୋ ବୋଲଇ ପୋଡ଼ିଯାଉ ଏ ନଗ୍ରେ ନଥିବା
ସକଳ ସମ୍ପଦ ଛାଡ଼ି ଦେଶାନ୍ତରେ ଯିବା
ଆମ୍ଭେ ଥାଉଁ ଥାଉଁ ତୁମ୍ଭ ଶତ୍ରୁକୁ କି ଭୟେ
ରାଜାଧିରାଜା ଈଶ୍ୱର ଠାକୁର ତୁ ରାୟେ
ନିଃଶ୍ୱାସ ମାତ୍ରକେ ଦେବ ଯିବୁ ଗୋପପୁରେ
ଜୀବନ୍ତେ ଶତ୍ରୁକୁ ଧରି ଦେବୁ ତୋ ଛାମୁରେ
ଜାଣୁ ତ ପ୍ରଭୁ ଆମ୍ଭର ବଳବୀର୍ଯ୍ୟପଣ
କେ ଆମ୍ଭଙ୍କୁ ସମ ଅଛି ଏ ସଂସାରେ ପୁଣ
ଅଷ୍ଟମଲ୍ଲ କହିଲେକ ଏସନକ ବାଣୀ
କଂସରାଜନ ହରଷ ହୋଇଲା ତା ଶୁଣି
ଅଷ୍ଟମଲ୍ଲଙ୍କ ପ୍ରତିଜ୍ଞା ଶୁଣି ନୃପନିଧି
ବୋଲେ ଯେହ୍ନେ ଶତ୍ରୁ ହତ କର ସେହି ବୁଦ୍ଧି
ତୁମ୍ଭେ ମୋର ପ୍ରାଣସଖା ସକଳ ସମୟେ
ଏବେ କିପାଇଁ ନିର୍ଦ୍ଦୟ ହେବ ତୁମ୍ଭ ଦେହେ
ତୁମ୍ଭେମାନେ ଯାହା ସତ୍ୟ କହିଲ ବିଚାରି
ତୁମ୍ଭମାନଙ୍କ ବିଚାରେ ଶତ୍ରୁ ସାଧିପାରି
ତୁମ୍ଭର ବଚନ ନାସ୍ତି କରି ତ ନ ପାରି
ଏ ସଙ୍କଟ ସିନ୍ଧୁରେ ଯେ ହୁଅ ତୁମ୍ଭେ ତରୀ
ମାତ୍ର ଏକକଥା ମନେ ପାଞ୍ଚୁ ଅଛି ମୁହିଁ
ମୂଷା ମାରିବାକୁ ହାତୀ ସାଜିବ କିପାଇଁ
ସ୍ୱଭାବେ ବାଳୁତ ସେହି କିଞ୍ଚିତେ ମରିବ
ପଟୁଆର ସଂଗ୍ରାମ କି ତା ସଙ୍ଗେ କରିବ
ସିଂହ ଯୁଦ୍ଧ କରେ ଯେବେ ଶୃଗାଳର ତୁଲେ
କି ଯଶ ଲଭଇ ଶତଥରହିଁ ଜିଣିଲେ
ଗୁପତେ ଶତ୍ରୁ ଆମ୍ଭର ଯେବେ ଯିବ କ୍ଷୟେ
ତହିଁକି ବୁଦ୍ଧି ବିଚାର କରସି ଉପାୟେ
ଗୋମତଋଷି ଅଛନ୍ତି ମୋତେ ଶାପଦେଇ
ତେଣୁ ଗୋପନଗ୍ରକୁ ମୁଁ ନ ପାରଇ ଯାଇ
ଦୁର୍ଲ୍ଲଭ ଅଟଇ ଗୋପପୁର କଥା ମୋତେ
ଗୁଣ ଅବିଗୁଣ ଜାଣ ଅଛି ବେନି ମତେ
ଏବେ ମୋତେ ଶତ୍ରୁ ଭୟ ଲାଗିଅଛି ଏଥେ
ଏ ଭୟରୁ ଉଦ୍ଧାର ମୁଁ ହୋଇବି କେମନ୍ତେ
ଗଉଡ଼େ ମଲେ ତହିଁକି ନାହିଁ କିଛି ଚିନ୍ତା
ଗୋପନଗ୍ରକୁ ଧୂମାନ୍ତ କରିବି ସର୍ବଥା
କେଶୀ ବୋଲେ ଦେବ ମନେ ନ କର ତୁ ତାପ
ଗୋପାଳଙ୍କୁ ଛାଡ଼ ତୁମ୍ଭ ମନରୁ ସନ୍ତାପ
ସବୁଦିନେ ତାହାଙ୍କର ଗୋପନଗ୍ରେ ଘର
ତାଙ୍କ ପ୍ରସାଦେ ଅମୃତରସ ଭୋଗ କର
ଗଉଡ଼ର ଦୋଷ ଆମ୍ଭେ କେବେହେଁ ନ ଧରୁ
ଅନେକ ଅପ୍ରାଧ କଲେ କ୍ଷମା ଆମ୍ଭେ କରୁ
ଯେ ଆମ୍ଭର ଶତ୍ରୁ ତାକୁ ଗୁପତେ ମାରିବା
ମୋର ଜାଣିବାରେ ତାଙ୍କ ଦୋଷ ନ ଧରିବା
କେଶୀ ବୋଇଲେ ଭୋଦେବ ଯାହାକୁ ତୋ ଇଚ୍ଛା
ବିଳମ୍ବ ନ କରି ବେଗେ ଦିଅ ତାକୁ ଦୀକ୍ଷା
କଂସରାଜା ବୋଲେ ଶତ୍ରୁ ବାଳୁତ ସେ ସିନା
ସର୍ବେ କହିଲେ ପେଷିବା ଗୋପକୁ ପୂତନା
ସ୍ୱଭାବେ ସୁନ୍ଦରୀ ସେହି ପୁଣି ନବଯୁବା
ସ୍ତନ୍ୟ ପାନ କରାଇ ସେ ମାରିପାରେ ଅବା
ବିଚାରିଣ ପୂତନାକୁ ପାଶେ ହକାରିଲା
ଶାଢ଼ୀ ଚନ୍ଦନ ମାଳା ଦେଇଣ ବୋଇଲା
ତୁମ୍ଭେ ଗୋ ପ୍ରୋହିଣୀ ଦେବୀ ଶୁଣ ମୋର ବାଣୀ
ନନ୍ଦ ଗୋପନଗରକୁ ଚଳ ଏହିକ୍ଷଣି
ଯେଉଁ ପୁତ୍ର ନନ୍ଦଘରେ ହୋଇଅଛି ଜାତ
ନାନାଦି ଉପାୟ କରି କର ତାକୁ ହତ
ତୁମ୍ଭ ତହୁଁ ଆନ କେହି ନ ପାରଇ ମାରି
ମୋତେ ଯେବେ ସ୍ନେହ କର ସେ ମୋର ବଇରୀ
ନନ୍ଦର ପୁତ୍ରକୁ ଯେବେ କରିବୁ ବିନାଶ
ନିଶ୍ଚୟ ତୁହି ମୋହର ହୋଇବୁ ବିଶ୍ୱାସ
ବିଳମ୍ବ ନ କର ଏଥୁ ବହନ ତୁ ଯା ଯା
ଏତେ ବୋଲି ପୂତନାକୁ କହେ କଂସରାଜା
ପୂତନା ବୋଲଇ ରାଜା ତୁମ୍ଭେ ଆମ୍ଭ ଜ୍ୟେଷ୍ଠ
ଆମ୍ଭେ ଜୀବନରେ ଥିଲେ ତୁମ୍ଭର କି କଷ୍ଟ
ତୁମ୍ଭ ପରସାଦେ ଆମ୍ଭେ ଜଗତ ବରଣି
ଚତୁର୍ଦ୍ଦଶ ବ୍ରହ୍ମାଣ୍ଡରେ ହୋଇଛୁ କାରେଣି
ଦେବପୂଜା ପାଇଅଛୁ ତୁମ୍ଭ ପୁଣ୍ୟବଳେ
ଇନ୍ଦ୍ର ଚନ୍ଦ୍ରଙ୍କୁ ଜିଣିଲୁ ତୁମ୍ଭ ଭୁଜବଳେ
ତୁମ୍ଭେ ଜୀଇଁଥିଲେ ଅଛି ଅପୂର୍ବ ବା କିସ
ଅନିମିତ୍ତେ ପାଉଅଛ କିପାଁ ଅମରଷ
କିଞ୍ଚିତ ଶତ୍ରୁ ତୁମ୍ଭର ଏଡ଼େ କିପାଁ ଭୟ
ଦେବ ମାନବ କିଞ୍ଚିତେ କରିପାରୁ କ୍ଷୟ
ନନ୍ଦ ଯେ ଛାର ଗଉଡ଼ ଅଧମ ଅଟଇ
ବାଳୁତ ପୁତ୍ର ତାହାର ଘରେ ଜାତହୋଇ
ସେ ପୁତ୍ର ଛାରକୁ କିମ୍ପା ହେଲା ତୁମ୍ଭ ଶଙ୍କା
ମୁହିଁ ଯେ ବ୍ରହ୍ମଅସୁରୀ ଅଟେ ରଣରଙ୍କା
କେ ବୋଲେ ଏ କଥାଗୋଟା କାହିଁ ଶୁଣା ନାହିଁ
ବାଳପୁତ୍ରଙ୍କୁ ମରାଏ ରାଜା କିସସାଇଁ
ବାଳକ ସ୍ତିରୀ ଆବର ଗୋ ବ୍ରାହ୍ମଣ ହତ୍ୟା
ପାପ ମଧ୍ୟେ ମହାପାପ ଏହି ଚାରିକଥା
ଥୋକାଏ ଏ ଦାନବ ଥିଲେ ତହିଁ ପୁଣ୍ୟବନ୍ତ
ଏକକୁ ଆରେକ କେହି ବୋଲଇ ସିଦ୍ଧାନ୍ତ
ରାଜା ହୋଇ ଯେବେ ମନ୍ଦ ଚିନ୍ତିଲା ପ୍ରଜାଙ୍କୁ
କର୍ମଦୋଷ ବୋଲିବା ନା କହିବା କାହାକୁ
ମାତା ହୋଇଣ ପୁତ୍ରକୁ ଦେବ ଯେବେ ବିଷ
ପିତା ହୋଇ ପୁତ୍ରଠାରେ କଲେ ଅମରଷ
ଭର୍ତ୍ତା ହୋଇ ଦଣ୍ଡେ ଯେବେ ଆପଣା ପତ୍ନୀକି
ଧର୍ମାତ୍ମା ଲୋକେ ଏମନ୍ତ ବିଚାରି ତହିଁକି
ଏତେ ବିଚାରି ନଗରବାସୀ ଶାନ୍ତ ହେଲେ
ପରୀକ୍ଷ ଆଗରେ ଏହା ଶୁକ ଯେ କହିଲେ
ଏଥୁ ଅନନ୍ତରେ ପୁଣି ଶୁଣ ପରୀକ୍ଷିତ
ବିଷ୍ଣୁ ଜନ୍ମ କଥା ହରିବଂଶ ଭାଗବତ
ପୁଣି କଂସ ଆଜ୍ଞା ଦିଏ ଡଗରାନ୍ତ ରାଇ
ଗୋପନଗ୍ରେ କାର ପୁତ୍ର ଜାତ ଦେଖ ଯାଇ
ରାଜାର ଆଜ୍ଞାରେ ଚଳିଗଲେକ ଡଗରେ
ତୁରିତେ ମିଳିଲେ ତହିଁ ଯାଇ ଗୋପପୁରେ
ଘରେ ଘରେ ଖୋଜି ଯାଇ ପାଇଲେ ବାରତା
ନନ୍ଦଘରେ ପୁତ୍ର ଜାତ ହୋଇଅଛି ଯଥା
ଶୁଭମଙ୍ଗଳ ବଧାଇ ଦିଏ ଘରେ ଘରେ
ଅତି ଆନନ୍ଦେ ଅଛନ୍ତି ଗୋପପୁର ନରେ
ବ୍ରାହ୍ମଣ ଜ୍ୟୋତିଷ ନଟ ଭାଟ ଭିକ୍ଷାକାରୀ
ନନ୍ଦକୁ ବଧାଇ ମାଗି ଯାନ୍ତି ଯେ ବାହାରି
ଏ କଥାମାନ ଦେଖିଣ ବାହୁଡ଼ିଲେ ଚାରେ
ବାରତା କହିଲେ ଯାଇ କଂସର ଛାମୁରେ
ଭୋଦେବ ନରସାଇଁ ହେ ସାବଧାନେ ଶୁଣ
ନନ୍ଦଘରେ କାଲି ପୁତ୍ର ହୋଇଅଛି ଜନ୍ମ
ତାହା ଶୁଣି କଂସରାଜା ହୋଇଲା କାତର
ମଉନେ ରହିଲା କିଛି ନ ଦେଇ ଉତ୍ତର
ପୂତନା ବଧ
ଏଥୁ ଅନ୍ତେ ମଉଳିଲା ସଭାର ଆସ୍ଥାନ
ଯେ ଯାହାର ମନ୍ଦିରକୁ କଲେକ ଗମନ
କଂସ ମନରେ ପଶିଲା ଯହୁଁ ମହାଭୟ
କି ବୁଦ୍ଧି କରିବି ବୋଲି ଭାବେ କଂସରାୟ
ଏମନ୍ତେ ଅଷ୍ଟମଲ୍ଲଙ୍କୁ ସନ୍ନିଧ୍ୟେ ହକାରି
କୃତକୃତ୍ୟ ହୋଇ ପୁଣି ବୋଲେ ଦଣ୍ଡଧାରୀ
ଏଥିର ତଦନ୍ତ ଆହୋ ଜାଣିବା କେମନ୍ତେ
ମନକୁ ମୋହର ଭୟ ଲାଗୁଅଛି କେତେ
ନନ୍ଦର ଘରେ ହୋଇଛି ପୁତ୍ର ଅବତାର
ତାହାପାଇଁ ମନେ ଭୀତି ହୋଇଛି ମୋହର
ବିଜୁଳିକନ୍ୟା କହିବା ଲାଗୁଛି ଉଚ୍ଚାଟ
ଲାଖ କାଣ୍ଡ ଏକଠାବେ ହେଲା ପରିଭେଟ
ବସୁଦେବର ପୁତ୍ରଙ୍କୁ ନ ଜାଣି ମାଇଲି
ଗୋପନଗ୍ରେ ଶତ୍ରୁ ଜାତ ହେବାର ଶୁଣିଲି
ବିଜୁଳି ନାରଦ କଥା ଏତେକ ସଂକଟ
ବିଜୁଳିର କଥା ଶୁଣି ଲାଗଇ ଉଚ୍ଚାଟ
ଭଣଜାମାନଙ୍କୁ ଆମ୍ଭେ ନିଷ୍କାମେ ମାଇଲୁ
ଗୋପନଗ୍ରେ ଜାତ ହେଲା ଏବେ ସେ ଜାଣିଲୁ
ଆକାଶର ବାଣୀ ମୋତେ ନୋହିଲା ତ ମିଛ
ବାର ମୁଖରୁ ଶୁଣିଲି ବାରତା ପ୍ରତ୍ୟକ୍ଷ
ଯେତେକ ବାଳୁତ ପୁତ୍ର ପୁଣି କଲି ନାଶ
ପାପ ହୋଇଲା ଅର୍ଜିଲି କେବଳ ଅଯଶ
ଆହେ ତୁମ୍ଭେମାନେ ମୋର ସଖା ଅଷ୍ଟମଲ୍ଲ
କୋଟି ଇନ୍ଦ୍ର ସଂହାରିବା ଭଳି ତୁମ୍ଭ ବଳ
ତୁମ୍ଭ ମଧ୍ୟୁ ମୋ ଶତ୍ରୁକୁ ଯେ ପାରିବ ମାରି
ଶାଢ଼ୀ ଚନ୍ଦନ ମାଳା ସେ ଘେନୁ ଆଗୁସରି
ରାଜାର ଶ୍ରୀମୁଖ ଶୁଣି ଏମନ୍ତ ବଚନ
ବୋଲନ୍ତି ଯେ ଏକମୁଖ ହୋଇ ମାଲେ ପୁଣ
ତିନିପୁର ଜିଣିପାରୁ ଆମ୍ଭେ ଏକେ ଏକେ
ଆମ୍ଭଙ୍କୁ ଦେଖିଲେ ଦେବ ପଳାନ୍ତି ସଶଙ୍କେ
ବାଳୁତ ଛାର ଶତ୍ରୁକୁ ତୋର ଏତେ ଶଙ୍କା
ପୃଥିବୀ ମଧ୍ୟରେ ଆମ୍ଭେ ଅଟୁ ରଣରଙ୍କା
ମନରୁ ତୁ ପରିତାପ ଛାଡ଼ି ନୃପ ଏବେ
ଯାହାକୁ ମାରିବୁ ଆଜ୍ଞାଦିଅ ଯିବୁ ସର୍ବେ
ଭୋଦେବ ଆମ୍ଭେ ତୋ ଭୃତ୍ୟ ତୁ ଆମ୍ଭର ପ୍ରଭୁ
ଏ ଛାର କଥାକୁ କିମ୍ପା ବିଷାଦ ତୁ ଲଭୁ
ଶ୍ରୀମୁଖର ଆଜ୍ଞା ଯେବେ ହେବ ନୃପମଣି
ଏ ତୁମ୍ଭ ଶତ୍ରୁ ସଂହାରି ଆସିବୁ ଏକ୍ଷଣି
ଏହିକ୍ଷଣି ଶତ୍ରୁକୁ ମୁଁ ଆସିବି ସଂହାରି
ନିମିଷ ମାତ୍ରକେ ଆଜ୍ଞା ଦେଲେ ଦଣ୍ଡଧାରୀ
ରମ୍ଭା ମେନକା ନୁହନ୍ତି ମୋତେ ରୂପେ ସରି
ଜାଳନ୍ଧରି ବିଦ୍ୟା ମୁହିଁ ଜାଣେ ଭଲକରି
ତୁମ୍ଭେ କି ନ ଜାଣ ମୋର ବଳବନ୍ତ ପଣ
ନନ୍ଦପୁତ୍ର ମାରି ମୁହିଁ ଆସିବି ଏକ୍ଷଣ
ତୁମ୍ଭେ ନ କହୁଁ ଆଗରୁ ତାହା ଜାଣିଥିଲି
କିଞ୍ଚିତ ଆଜ୍ଞାକୁ ମୁହିଁ ବାଟ ଚାହୁଁଥିଲି
ଏତେକ ବୋଲି ଅସୁରୀ ରଚିଲାକ ମାୟା
ତକ୍ଷଣେ ଧରିଲା ରାମା ଅପସରା କାୟା
ଗନ୍ଧର୍ବୀ ରୂପକୁ ଜିଣି ଦିଶଇ ସୁନ୍ଦରୀ
ସ୍ୱର୍ଗ ନାୟିକା ତାହାକୁ ନୁହନ୍ତି ତ ସରି
ସୁବାସିତ କୁସୁମରେ ସଜାଇଲା କେଶ
କଟିରେ ପିନ୍ଧିଲା ରଙ୍ଗଝୀନ ପୀତବାସ
ଭୁଜେ ସୁବର୍ଣ୍ଣ ବାହୁଟି କଙ୍କଣହିଁ ଶୋହେ
କର୍ଣ୍ଣେ କନକର କାପ ଜଗଜ୍ଜନ ମୋହେ
ଶିରେ ସୀମନ୍ତ ମୁକୁତା ଜାଲି ଜଗଦ୍‌ବଳା
କଣ୍ଠତଟେ ଆଭରଣ ମୁକୁତାର ମାଳା
ଲଲାଟେ କସ୍ତୁରୀ ଚିତା ଇନ୍ଦ୍ରକୁହିଁ ଜିଣି
ନାକରେ ଯେ ନାକଚଣା ଶୋଭିତ ବସଣି
ସର୍ବାଙ୍ଗଯାକ କୁଙ୍କୁମ ଲେପିଣ ସୁନ୍ଦରୀ
ହରଡ଼ମ୍ବରୁ ମଝାକୁ ପୟୋଧର ଭାରି
ବେନି ଚରଣକୁ ବେନି ନୂପୁର ଯେ ସାଜେ
ଚରଣକୁ ବଢ଼ାନ୍ତେ ସେ ରୁଣୁଝୁଣୁ ବାଜେ
ସର୍ବ ସୁଲକ୍ଷଣ ରୂପ ଧରେ ସୁଲକ୍ଷଣୀ
ଅମର ବିଦ୍ୟାଧରୀ କି ପଟାନ୍ତର ଜାଣି
ଅନେକ ପ୍ରକାରେ ସେହି ହୋଇଲା ସୁବେଶ
ବେନି ସ୍ତନର ଭିତରେ ପୂରାଇଲା ବିଷ
ମହୁରା ଦାରୁ ଗରଳମିଶା କାଳକୂଟ
ବେନି କୁଚ ମଧ୍ୟେ ରଖେ କରିଣ କପଟ
ଅଷ୍ଟମଲ୍ଲଙ୍କୁ ପ୍ରଣାମ କରିଣ ସୁନ୍ଦରୀ
ଅପୂର୍ବ ବେଶେ ନବରୁ ବାହାରେ ଅସୁରୀ
ଏମନ୍ତ ଚରିତ କେହି ନ ଜାଣନ୍ତି ଆନ
ଅଷ୍ଟମଲ୍ଲେ ଜାଣନ୍ତି ତ ଜାଣଇ ରାଜନ
ଯାଦବ ବୀରମାନଙ୍କୁ ଅଗୋଚର ସେହି
ଛଦ୍ରମେ ଅସୁରୀ ମାୟାରୂପ ଅଛି ବହି
ଅମଙ୍ଗଳ ଯୋଗେ ବାଳୀ ହୋଇଲା ବାହାର
ନୀଳବର୍ଣ୍ଣ ମଞ୍ଜରୀଟି ଡେଇଁଲା ଆଗର
ତଦନ୍ତରେ ବାଳପୋଏ କରୁଛନ୍ତି କଳି
ତୁଚ୍ଛା କୁମ୍ଭ କାଖେ ଘେନି ଯାଉଛନ୍ତି ବାଳୀ
ଦୁଇ ପାରୁଶେ ମାନବ ଛିଙ୍କ ଶୁଭେ ଦୂରୁ
କାକ ଉଲୁକେ ଉଡ଼ନ୍ତି ରାବଇ ଯେ ଫେରୁ
ପୁଣି ଥୋକାଏକ ଦୂରେ ଝୁଣ୍ଟିଲା ସେ ଯାଇ
ପାଦର ଅଙ୍ଗୁଳି ଫାଟି ରୁଧିର ବହଇ
ଆକାଶେ ପକ୍ଷୀଙ୍କ ରାବ ଶୁଭେ ଅମଙ୍ଗଳ
ନଗ୍ରୁ ବାହାରନ୍ତେ ମୁଣ୍ଡେ ବାଜିଲାକ ଚାଳ
ଏତେ ବିଯୋଗେ ପୂତନା ବାହାର ହୋଇଲା
ଶିଶୁ ବଧ କରିବାକୁ ଉଦବେଗେ ଗଲା
ଛଦ୍ମବେଶ ଧରିଣ ଯେ ଚଳଇ ପୂତନା
ରୂପେ ପଟାନ୍ତର ନାହିଁ ସ୍ୱର୍ଗ ବାରାଙ୍ଗନା
ସୁରସିଦ୍ଧ ସାଧ୍ୟ ମନ ମୋହୁଅଛି ରୂପେ
ତ୍ୱରିତେ ପ୍ରବେଶ ଯାଇ ହେଲା ନନ୍ଦ ଗୋପେ
ଝୀନପତନୀ ଓଢ଼ଣି ଦେଇଅଛି ମାଥେ
ବିଷଲଡ଼ୁ ଥାଳି ଏକ ଘେନିଅଛି ହାତେ
କୁଳବଧୂ ତୁଲ୍ୟ ମନେ ହୋଇ ଲଜ୍ଜାଭର
ଗୋପପୁର ଦାଣ୍ଡ ମଧ୍ୟେ ଚାଲେ ଧୀର ଧୀର
ତଳକୁ ମସ୍ତକ ପୋତି ଲଜ୍ଜାଭର ହୋଇ
ଯୁବକମାନଙ୍କୁ ଦେଖି କଣିଆଇଁ ଚାହିଁ
ଗୋପାଳେ ପୂତନାରୂପ ଦେଖନ୍ତେ ପ୍ରତ୍ୟକ୍ଷେ
କାମୁକ ପୁରୁଷମାନେ ଗୋଡ଼ାଇଲେ ପଛେ
କେବଣ ଗୋପାଳମାନେ କରନ୍ତି ବିଚାର
କାହୁଁ ଅଇଲା ଏଠାକୁ ଏ ରମଣୀବର
ସୁରସିଦ୍ଧ ମୁନି ମନ ମୋହିପାରେ ଏହି
କେବେ ତ ଗୋପରେ ୟାର ଦେଖାଥିଲା ନାହିଁ
ସଲଜ୍ଜିତ ହୋଇ ବାମା ବକ୍ରକରି ଚାହେଁ
ଏ କାହାର କୁଳବଧୂ ବାରାଙ୍ଗନା ନୁହେଁ
କେ ବୋଇଲେ କେଉଁଠାରୁ କଲା ଆଗମନ
କେଉଁଆଡ଼େ ଯିବ ତାହା ଥୟକରି ଜାଣ
କେ ବୋଲନ୍ତି ଏ ପରର ଅଟଇ ଯୁବତୀ
ୟାଙ୍କୁ ପୁଚ୍ଛା କରିବାର ନୁହଇ ଯୁକତି
ପରନାରୀ ପରଧନେ ଯେ କରଇ ଆଶ
ନିଶ୍ଚୟ ଜାଣିମା ସେହୁ ଅଳ୍ପେ ଯାଏ ନାଶ
ଏହା ବିଚାରି ଗୋପାଳେ ଗଲେ ଯେ ଯାହାରେ
ନିର୍ମଳ ଦାଣ୍ଡେ ପୂତନା ଚାଲେ ଧୀରେ ଧୀରେ
ମତ୍ତମାତଙ୍ଗିନୀ ପରି ଚାଲଇ ଆଶ୍ୱାସି
ଯାଇ ମିଳେ ନନ୍ଦଖୁଡ଼ ଯହିଁ ଅଛି ବସି
ଦେଖନ୍ତେ କରେ ଧରିଛି ବିଷଲଡ଼ୁ ଥାଳି
ଝସାଇ ପଶେ ଭିତରେ ଅସୁରର ବାଳୀ
ଦେଖିଲା ନାରୀ ପୁଚ୍ଛନ୍ତି ତୁମ୍ଭେ ମାଗୋ କିଏ
କେବଣ ଦେଶୁଁ ଅଇଲ କି କାର୍ଯ୍ୟେ ଗୋମାଏ
ତୁମ୍ଭ ନାମ କିସ ତୁମ୍ଭେ କେଉଁ କୁଳେ ଜାତ
ଏ କଥା ସିଦ୍ଧାନ୍ତ କରି କହସି ଗୋ ମାତ
ଯଶୋଦାଙ୍କ ପରିବାରୀ ଘର ଅଛୁ ଜଗି
ନ କହି କିପାଁ ପଶିଲୁ ହୋଇ ଉଦବେଗୀ
ପୂତନା ବୋଇଲା ମୁହିଁ ରାଜାର ବହିଣୀ
ବାଳକାଳୁଁ ଯଶୋଦା ମୋ ସଙ୍ଗେ ସଙ୍ଗାତୁଣୀ
ପିତାମାତା ଘରେ ଆମ୍ଭେ ଥିଲୁ ଯେତେବେଳେ
ଏକା ସଙ୍ଗୀ ହୋଇ ଯାଉ ଯମୁନାର କୂଳେ
ଶୁଚି ହୋଇଣ ବାଲୁକା ଲିଙ୍ଗ ତହିଁ ଥାପି
ବାଲୁକା ପୂଜୁ ଯେ ମନ୍ତ୍ର ପଞ୍ଚାକ୍ଷର ଜପି
ଈଶ୍ୱର ଦେବତା ପୂଜା କରୁ ନାନାରଙ୍ଗେ
ସେ ଦିନୁ ସଙ୍ଗାତ ମୁହିଁ ଯଶୋଦାଙ୍କ ସଙ୍ଗେ
ଅପାର କାଳରୁ ଆମ୍ଭ ଦେଖାଦେଖି ନାହିଁ
ଆସିଅଛି ସଖୀକୁ ମୁଁ ଦେଖିବାର ପାଇଁ
ସେ ମୋର ପ୍ରାଣ ସଙ୍ଗାତ ପାସୋରିଲେ ମୋତେ
ମୁହିଁ ତାଙ୍କୁ ଜାଣୁ ଜାଣୁ ମୂର୍ଚ୍ଛିବି କେମନ୍ତେ
ନ ଗଲେ ନ ଅଇଲେ ତ ବନ୍ଧୁ ହୁଏ ପର
ଏହା ବିଚାରି ଅଇଲି ସଙ୍ଗାତଙ୍କ ଘର
ଆବର ସଖୀଙ୍କ ଶୁଭ ବାରତା ପାଇଲି
ଏତେ କାଳେ ପୁତ୍ର ଏକ ହୋଇଛି ଶୁଣିଲି
ସମ୍ପଦେ ବିପଦେ ରାଜଦ୍ୱାରେ ଶମଶାନେ
ଏ ଚାରି କଥାରେ ସିନା ଜାଣି ବନ୍ଧୁଜନେ
ଅନେକ ଶରଧା କରି ଆସିଅଛି ମୁହିଁ
ସ୍ୱରୂପ କହିଲି ସଖୀ ଅଛନ୍ତି ଗୋ କାହିଁ
ମୋର ଆସିବା ବାରତା ସଖୀ ଆଗେ କହ
ସଙ୍ଗାତରେ ମୋହଠାରେ ଅଛି କି ସେନେହ
ଶାଶୁ ନଣନ୍ଦର ଘର ଅଇଲି ମୁଁ ଛାଡ଼ି
ରନ୍ଧନ ଝଗଡ଼ମାନ ସବୁ ଥିବ ପଡ଼ି
ଅବେଳରେ ଆସିଅଛି ନ ପାରଇ ରହି
କେବଳ କଥାଏ କହି ଯିବି ବେଗ ହୋଇ
ମାୟାରେ ପୂତନା ଯହୁଁ କହିଲା ଏ ବାଣୀ
ପରିବାରୀମାନେ ତାହା ନ ପାରିଲେ ଜାଣି
ସ୍ୱରୂପ ପ୍ରାୟେକ ମଣି ବେଗ ହୋଇ ଗଲେ
ଯଶୋବନ୍ତୀ ଦେବୀ ଆଗେ ତାହା ଜଣାଇଲେ
ଭୋ ଦେବୀ ଶୁଣିମା ହେଉ ଆମ୍ଭର ଉଦନ୍ତ
ଦେଖିବାକୁ ଆସିଅଛି ତୁମ୍ଭର ସଙ୍ଗାତ
ସୁବର୍ଣ୍ଣ ଥାଳିରେ ଲଡ଼ୁ ଥାଳିଏ ପୂରାଇ
ଶ୍ରଦ୍ଧାକରି ଆସିଛନ୍ତି ଦେଖିବାର ପାଇଁ
ମାଗୋ କି ଆଜ୍ଞା ହୋଇବ କହସି ଆମ୍ଭଙ୍କୁ
ତୁମ୍ଭର ଆଜ୍ଞା ହୋଇଲେ ଆସିବେ ଛାମୁକୁ
ଯଶୋଦା ବୋଇଲେ ଯେବେ ବାଲ୍ୟକାଳ ସଖୀ
ଅପାରକାଳ ହେଲାଣି ନାହିଁ ଦେଖାଦେଖି
ତାଙ୍କ ମନେ ଅନୁରାଗ ଥିବାରୁ ମୋଠାରେ
ପୁତ୍ର ଜନ୍ମ ହେବା ଶୁଣି ଅଇଲେ ସ୍ନେହରେ
ଦେଖିବ ପୂର୍ବର ସଖୀ ଏ ମୋର ସୁଯୋଗ
ବିଳମ୍ବ ନ କରି ତାଙ୍କୁ ଡାକିଆଣ ବେଗ
ଯଶୋଦାଙ୍କ ଆଜ୍ଞାପାଇ ପରିବାରୀ ଗଲେ
ଛଦ୍ମ ଅସୁରୀକୁ ନେଇ ଛାମୁରେ ମିଳିଲେ
ଅନ୍ତୁଡ଼ି ଶାଳରେ ବସିଥିଲେ ଯଶୋବନ୍ତୀ
ପୂତନା ପ୍ରବେଶ ହେଲା ଯାଇ ତାଙ୍କ କତି
ଧରିଥିଲା ବିଷଲଡ଼ୁ ଥୋଇଣ ଛାମୁରେ
ଆସ୍ଥାନ ଉପରେ ମାଡ଼ି ବସିଲା ଆଗରେ
ବଚନେ ବୋଲଇ ମୁଁ ଯେ ନିସ୍ତରିଲି ଆଜ
ତୁମ୍ଭଙ୍କୁ ଦେଖିଲି ମୋର ହେଲା ସବୁକାର୍ଯ୍ୟ
ତୁମ୍ଭେ ଅବା ସଙ୍ଗାତୁଣି ପାସୋରିଲ ମୋତେ
ବାଳୁତର କାଳ କଥା ଅଛି ମୋର ଚିତ୍ତେ
ଅପାର କୁମାରୀମାନେ ହୋଇ ଏକମେଳି
ବନସ୍ତକୁ ଯାଉଥିଲେ ନିତି ଫୁଲ ତୋଳି
ସେ କାଳର କଥା ସଖି ମନରେ ଅଛଇ
ସୁଖ ଭୋଗ କରିବାରୁ ପାସୋରିଲୁ ତୁହି
ଆଗୋ ପ୍ରିୟସଖି ତୁ ଯେ କଲୁ ବାରବ୍ରତ
ତେଣୁ ପୁତ୍ର ଜନ୍ମକରି ଖଣ୍ଡିଲୁ ଦୁରିତ
ପୁତ୍ର ଥଲେ ଗତି ମୁକ୍ତି ପୁତ୍ରେ ପାପ କ୍ଷୟ
ପୁତ୍ର ପ୍ରସାଦରୁ ପ୍ରାଣୀ ହ୍ୱନ୍ତି ପୁଣ୍ୟମୟ
ଏତେକାଳେ ସଖି ତୋର ଦେଖାଗଲା କର୍ମ
ମୋର ମଧ୍ୟ ଏକ ପୁତ୍ର ହୋଇଛି ଜନମ
ପାଞ୍ଚମାସ ପୂର୍ଣ୍ଣ ହେଲା ମୋର ପୁତ୍ରଗୋଟି
ତୁମ୍ଭ ପୁତ୍ରକୁ ହୋଇଛି ଦିନ ଦୁଇଗୋଟି
ମୋର ପୁତ୍ରଗୋଟିକୁ ଗୋ ଦୋଳିରେ ଶୁଆଇ
ତୋ ଶୁଭ ବାରତା ଶୁଣି ଆସିଅଛି ଧାଇଁ
ପୁଣିହିଁ ବୋଲଇ ସଖି ମୋ ବୋଲ କରିବ
ମୋ ଆୟୁଷ ନେଉ ପୁତ୍ରେ କ୍ଷୀରମନ୍ଦେ ଦେବ
ଦୁଧଭାରା କଲାଣି ଅପାର ବେଳ ରହି
ସ୍ତନର ଭାରକୁ ମୁଁ ଯେ ସହି ନ ପାରଇ
ଏମନ୍ତ ଶୁଣି ଯଶୋଦା ଦେବୀ ଯେ ବୋଲଇ
ତୁମ୍ଭେ ମୋ ସଖି କିରୂପେ ଏହା ମନେ ନାହିଁ
ତୁମ୍ଭେ ଯେବେ ସଙ୍ଗାତ ଗୋ ହୋଇଛ ଆମ୍ଭର
ଏହା ଶୁଣି ଆତ୍ମା ମୋର ହେଉଛି ଅସ୍ଥିର
ଭୋ ସଖି ମୋହର ବୋଲ ଆଜକ କରିବା
ଆୟୁ ଘେନି ବର୍ତ୍ତୁ ପୁତ୍ର ମୁଖେ ଦୁଧଦେବା
ପୁଣିହିଁ ବୋଇଲେ ସଖି ଅଇଲ ସୁବେଳେ
ତିନିଘଡ଼ି ରାତ୍ର ହୋଇଅଛି ଏତେବେଳେ
ବେଭାରେ ମୋ ପୁତ୍ରଗୋଟି ହୋଇଛି ତ ଭୋଖୀ
ତୁମ୍ଭ ଦୟା ଥିଲେ କ୍ଷୀର ଦିଅ ଆଗୋ ସଖି
ଏତେକ ବୋଲି ଯଶୋଦା ପୁତ୍ରକୋଳେ ଦେଲେ
ପୂତନା କୋଳରେ ଧରି କ୍ଷୀର ଦାନ କଲେ
ଯଶୋଦା ତୋଳି ଦିଅନ୍ତେ ପାତିଲା ସେ କର
ଆକର୍ଷି ଧରି ନ ପାରୁ ପଡ଼ିଲା ଭୂମିର
ଭୂମିରୁ ସାଇଁଟି ପୁଣି ଧଇଲାକ ତୋଳି
କୋଳେ ନ ରହିଲା ପୁତ୍ର ପଡ଼ିଲାକ ଢଳି
କେଭେ ଆୟତ୍ତ ନୋହିଲେ ଯହୁଁ ବ୍ରହ୍ମରାଶି
ସପତ ବ୍ରହ୍ମାଣ୍ଡ ଅଛି ଯାର ଗର୍ଭେ ପଶି
ଚଉରାଶୀ ମତ୍ତହସ୍ତୀ ପୂତନାର ବଳ
ଯାହାର ନାମ ଧରନ୍ତେ କମ୍ପେ ଆଖଣ୍ଡଳ
ଯେ ବ୍ରହ୍ମଅରି ଅସୁରୀ ଅଟେ ମହାବଳୀ
ଭୂମିରୁ ପୁତ୍ରକୁ ଲିତା ନ ପାରିଲା ତୋଳି
ତୋଳନ୍ତେ ପୃଥ୍ୱୀ କମ୍ପୁଛି କମ୍ପଇ ବ୍ରହ୍ମାଣ୍ଡ
ଯହିଁର ନିମିତ୍ତେ ସ୍ୱାମୀ ବହିଛନ୍ତି ପିଣ୍ଡ
ଧରଣୀର ମହାଭାରା ନିବାରିବା ପାଇଁ
ଗୁପତେ ଅଛନ୍ତି ନନ୍ଦଘରେ ଜାତ ହୋଇ
ଅନ୍ତୁଡ଼ିଶାଳେ ଗୁପତେ ଅଛନ୍ତି ଯେ ଶୋଇ
ସୁରାସର ନର ତାଙ୍କୁ ନ ଜାଣନ୍ତି କେହି
ଅସୁରୀ ଅଇଲା ବେଳୁ ଜାଣି ଅନ୍ତର୍ଯ୍ୟମୀ
ଏ ମୋଢ଼ୀକି ବିନାଶ ମୁଁ କରିବି ଏକ୍ଷଣି
ଗୋବିନ୍ଦ ମନେ ଭାଳନ୍ତି ପୂତନା ଦାନବୀ
ସ୍ତନେ ବିଷ ଭରି ମୋତେ ମାରିବ ଯେ ଭାବି
ଏହା ପଞ୍ଚଭୂତ ଆତ୍ମା ଶୋଷିବି ମୁଁ ଧରି
ଏତେ ବୋଲି ବିଚାରନ୍ତି ମନେ ଦେବହରି
ଅଷ୍ଟମଲ୍ଲଙ୍କ ଉପରେ ଅଟେ ଅଗ୍ରଲେଖା
ମହା ପ୍ରତାପୀ ଅସୁରୀ କଂସ ପ୍ରାଣସଖା
ଏହାର ମରନ୍ତେ କଂସ ହେବ ହୀନବୀର୍ଯ୍ୟ
କପଟେ ପ୍ରାଣ ଏହାର ଶୋଷିବଇଁ ଆଜ
ଏମନ୍ତ ବିଚାର କଲେ ଦେବ ପୀତବାସ
ହୃଦପଦ୍ମେ ସ୍ୱାମୀଙ୍କର ଏ କଥା ପ୍ରକାଶ
ବୃଦ୍ଧ ବାଳକ ତରୁଣ ଦେବ କାମରୂପୀ
ଅଶେଷ କୋଟି ବ୍ରହ୍ମାଣ୍ଡେ ସବୁଠାରେ ବ୍ୟାପି
ଜନ୍ମ ମୃତ୍ୟୁ ବାଧା ସ୍ୱାମୀ ଖଣ୍ଡିବାର ପାଇଁ
ବିଷ ଭକ୍ଷିଲେ ପ୍ରମାଦ ଅଛି ତାଙ୍କୁ କାହିଁ
ପ୍ରଥମ ପିଇଲେ ସ୍ୱାମୀ ଆକର୍ଷିଣ ବିଷ
ଦ୍ୱିତୀୟେ ପିଇଲେ ପିଣ୍ଡୁ ରୁଧିର ମାଏଁସ
ରୁଧିର ପିଅନ୍ତେ ସେହି ପାଇଲାକ ବାଧା
ଛାଡ଼ ଛାଡ଼ ବୋଲି ମୁଖେ ମାଇଲାକ ଖୁନ୍ଦା
ସ୍ୱହସ୍ତରେ ଭିଡ଼ି ସ୍ୱାମୀ ନ ଛାଡ଼ିଲେ ଯହୁଁ
ହସ୍ତରେ ଧରି ଅସୁରୀ ପେଲଇ ଯେ ତହୁଁ
ଆଣ୍ଟକରି ପିଉଛନ୍ତି ସ୍ୱାମୀ ଶିର ଝୁଣି
ଆତ୍ମା ବିସର୍ଜନ ହେଉଅଛି ରାକ୍ଷାସୁଣୀ
ବେଳକୁ ବେଳ ଅସୁରୀ ବଇରାଗ ପାଇ
ଶ୍ରୀକୃଷ୍ଣଙ୍କ ଗାଲେ ଖୁନ୍ଦା ମାଇଲାକ ନେଇ
ଯେଉଁ ଶରୀରେ ବାଜିଲେ ଗିରି ହୁଏ ଚୂର
ପୂତନା ଖୁନ୍ଦାରେ କିସ ହୋଇବ ତାଙ୍କର
କୋଟି ମନ୍ଦର ପଡ଼ିଲେ ହୋଏ ଯହିଁ ଭଙ୍ଗ
ଅଭେଦ୍ୟ ବଜ୍ର କବଚ ଅଟେ ବଜ୍ରଅଙ୍ଗ
କିଞ୍ଚିତ ମାତ୍ରେ ଜଗତ ପାରନ୍ତି ଯେ ମୋହି
ବିଚାରିଲେ ତାଙ୍କ ବାଳ ରୂପ ଅଛି କାହିଁ
ପୁଣ ପୁଣ ସେ ଅସୁରୀ ପାଇ ବଇରାଗ
ଉଚ୍ଚସ୍ୱରେ ବୋଲେ ଛାଡ଼ଛାଡ଼ ମୋତେ ବେଗ
କ୍ରୋଟଅଗ୍ନି ପ୍ରାୟ ତାର ନୟନରେ ରାଗ
ଭୟେ ପୂତନା କହଇ କରି ମହାରାଗ
ଯଶୋଦାଙ୍କ ମୁଖ ଚାହିଁ ବୋଲଇ ଅସୁରୀ
ସଖି ତୋର ପୁତ୍ରକଥା ଜାଣି ତ ନ ପାରି
କ୍ଷୁଧା କରୁଥିଲା ବୋଲି ଦୁଧ ଦେଲି ମୁହିଁ
ସେ ମୋତେ ଧରିଅଛି ନ ଛାଡ଼େ କାହିଁପାଇଁ
ପେଟ ପୂରାଇଣ ଦୁଧ ପିଇଲାଣି ସବୁ
ଯଶୋବନ୍ତୀ ବୋଲନ୍ତି ଯେ ଛାଡ଼ ଛାଡ଼ ବାବୁ
ମାତାର ବଚନ ସ୍ୱାମୀ ଏମନ୍ତ ନ ଶୁଣି
ସ୍ତନ କାମୁଡ଼ି ଝୁଣନ୍ତି ଆଣ୍ଟେ ଚକ୍ରପାଣି
ଦର୍ଦ୍ଦୂର ଦେଖିଲେ ଯେହ୍ନେ ଭୁଜଙ୍ଗ ପ୍ରତାପ
ସ୍ତନ୍ୟପାନ କରନ୍ତି ସେ ସ୍ୱାମୀ କରି କୋପ
ବେଳୁବେଳ ସେ ଅସୁରୀ ହୋଇ ବିକରାଳୀ
ବିଧାଏ ଆକ୍ରୋଶୀ ପୁଣି ମାଇଲାକ ତୋଳି
ମୁଖରେ ଅଙ୍ଗୁଳି ଦେଇ ବୋଲେ ଛାଡ଼ ଛାଡ଼
କୋପଭରେ ମାରୁଅଛି ଅନେକ ଯେ ମାଡ଼
ବେଳୁ ବେଳ କୋପ କଲେ ଦେବ ନାରାୟଣ
କ୍ଷୀର ସଙ୍ଗତେ ଶୋଷିଲେ ପୂତନାର ପ୍ରାଣ
ପ୍ରାଣପାନ ବ୍ୟାନୋଦାନ ସମାନ ସହିତ
ଏକ ନିଃଶ୍ୱାସେ ଶୋଷିଲେ ଜଗତର ତାତ
ପ୍ରାଣ ଛାଡ଼ିଣ ଅସୁରୀ କଲା ଘୋର ରଡ଼ି
ମେରୁ ଉପରେ ମନ୍ଦର ପଡ଼ିଲା କି ଝଡ଼ି
ଯୁଗାନ୍ତକ ଶବଦ ଯେ ଶୁଭିଲା ପ୍ରଚଣ୍ଡ
କମ୍ପିଲା ସ୍ୱର୍ଗ ସହିତେ ସକଳ ବ୍ରହ୍ମାଣ୍ଡ
କହୁଁ କହୁଁ ସେ ଅସୁରୀ ଛାଡ଼ିଲାକ ମାୟା
ପର୍ବତ ସମାନ ଦୀର୍ଘ ପ୍ରତି ତାର କାୟା
ଚକ୍ଷୁ କର୍ଣ୍ଣ ନାସିକା ଯେ ଗଲାକ ନିକିଳି
ଭୂମି ଉପରେ ପ୍ରୋହିଣୀ ପଡ଼ିଲାକ ଢଳି
ତା ଉପରେ ଶୋଇଛନ୍ତି ପ୍ରଭୁ ଚକ୍ରପାଣି
ହିମ ପର୍ବତ ଉପରେ ଯେହ୍ନେ ନୀଳମଣି
ଆଣ୍ଟକରି ସ୍ୱାମୀ ମୁଖେ ଧରିଛନ୍ତି ସ୍ତନ
ଅସୁରୀ ଗଳାରେ ଲମ୍ବିଛନ୍ତି ଭଗବାନ
ଉତ୍ତାନଶାୟିନୀ ହୋଇ ପଡ଼ିଛି ରାକ୍ଷସୀ
ବକ୍ଷସ୍ଥଳେ ମାଡ଼ି ବସିଛନ୍ତି ବ୍ରହ୍ମରାଶି
ବଦନ୍ତି ଯେ ଶୁକମୁନି ଶୁଣ ମହାରଥା
ଇତି ଶିରି ଭାଗବତ ପୂତନାର କଥା
ନନ୍ଦର ଅରିଷ୍ଟ ଶାନ୍ତି
ଏଥୁ ଅନନ୍ତରେ ରାୟେ ଶୁଣ ଦିବ୍ୟବାଣୀ
ବାଳଲୀଳାରେ ବଧିଲେ ଅସୁରୀ ପ୍ରୋହିଣୀ
ପ୍ରାଣ ଛାଡ଼ନ୍ତେ ସେ ରଡ଼ି ଦେଲା ଉଚ୍ଚସ୍ୱରେ
ଚଉଦ ଭୁବନଯାକ କମ୍ପେ ଥରହରେ
ଭୟଙ୍କର ରୂପ ଧରି ଅସୁରୀ ଗର୍ଜ୍ଜିଲା
ମର୍ତ୍ତ୍ୟପୁରେ ଗିରିଶୃଙ୍ଗ ଝଡ଼ି କି ପଡ଼ିଲା
ଭୟଙ୍କର ଶବ୍ଦ ଶୁଣି ଗୋପ ନର ନାରୀ
ନନ୍ଦଗୃହକୁ ଧାଇଁଲେ ବେଗ ବେଗ କରି
ଏକ ଆରକ ବ୍ୟାକୁଳ ହୋଇ ଗୋପବାଳୀ
କରେ ଲଉଡ଼ି ଘେନିଣ ଗୋପାଳେ ଦଉଡ଼ି
କେଉଁ ଗୋପାଳେ ବୋଲନ୍ତି ଅଗୋଚରବାଣୀ
କିମ୍ଭୂତ ଶବଦଗୋଟା ଶୁଭିଲା ଏକ୍ଷଣି
କେ ବୋଲେ ପର୍ବତ ଅବା ପଡ଼ିଲା କି ଝଡ଼ି
କେହୁ ବୋଲଇ ମାରଇ ମେଘ ଘଡ଼ଘଡ଼ି
କେହୁ ବୋଲଇ ଉଲୁକ ପତନର ଧାପ
କେହି ବୋଲନ୍ତି ହୋଇଲା ଅବା ଭୂମିକମ୍ପ
କେହୁ ବୋଲଇ ଏ କଥା ଜାଣିବା କେମନ୍ତେ
ଦୁଃସହ ଶବଦଗୋଟା ଶୁଭିଲା ଜଗତେ
ଏସନକ ଖଳବଳ ଗୋପୀ ଗୋପବୃନ୍ଦ
ନିଶ୍ଚୟ ବାରତା ଆସି କହିଲାକ ନନ୍ଦ
ସମସ୍ତ ଗୋପାଳ ଏବେ ଶୁଣ ମୋର ବାଣୀ
ଅଦ୍ଭୂତ ଯୁବତୀ ଗୋଟା ଅଇଲା ଏକ୍ଷଣି
ତିନିପୁର ମୋହିନୀ ସେ ଅଟେ ଶଶୀମୁଖୀ
ଯଶୋଦାକୁ ବୋଲେ ତୁମ୍ଭେ ବାଳକାଳୁ ସଖୀ
ଯଶୋଦା ମନକୁ ପ୍ରତେ କେବେହେଁ ନ ଗଲା
ପ୍ରୀତି ବଚନ କହି ଯେ ପ୍ରତେ କରାଇଲା
ସ୍ତିରୀ ନିଲକ୍ଷଣୀ ସେହି ଏଡ଼େକ କପଟୀ
ଦୁଗ୍‌ଧ ଦେବବୋଲି ବଳେ ଧରେ ପୁତ୍ରଗୋଟି
ଦେଖୁ ଦେଖୁ ପ୍ରମାଦ ତ ପଡ଼ିଲା କେମନ୍ତେ
ଦୁଗ୍‌ଧ ଦେଉ ଦେଉ ମରି ପଡ଼େ ଭୂମିଗତେ
ପ୍ରାଣ ଯିବା ବେଳେ ଛାଡ଼େ ଏସନକ ରଡ଼ି
ମୃତ୍ୟୁଶବ ମୋ ଦୁଆରେ ଦେଖ ଅଛି ପଡ଼ି
ଏହା ଶୁଣିଣ ଗୋପାଳେ ଧାମନ୍ତି ହରଷେ
ସମସ୍ତେ ମିଳିଲେ ଯାଇ ନନ୍ଦଘର ପାଶେ
ନନ୍ଦ ଗୋପନଗ୍ରେ କ୍ଷୁଦ୍ର ପର୍ବତ ତ ଜାଣି
ସହସ୍ରେ ଭଡ଼ା ମାଡ଼ିଣ ପଡ଼ିଛି ପ୍ରୋହିଣୀ
ସ୍ତନପାନେ ତା ବୁକୁରେ ଗୋବିନ୍ଦ ଯେ ଶୋଇ
ଏସନ ରୂପ ଗୋପାଳେ ଦେଖିଲେକ ଯାଇ
ନନ୍ଦ ପ୍ରାଙ୍ଗଣେ ଅସୁରୀ ମରି ପଡ଼ିଅଛି
ଦେଖି ଗୋପାଳମାନଙ୍କୁ ନ ସ୍ଫୁରଇ କିଛି
ଏକ ଆରେକ ବିଚାରି ବିଷାଦ ପାଇଲେ
ନନ୍ଦର ମୁଖ ଚାହିଁଣ ବିଚାରି କହିଲେ
ଆହେ ଯୁବତୀକି କେହି ନ ଚିହ୍ନିଲେ କିନା
କଂସ ରାଜା ପ୍ରାଣସଖା ଅଟଇ ପୂତନା
କେଉଁ ପ୍ରକାରେ ଅସୁରୀ ଏଥକୁ ଅଇଲା
କେହି ନ ଜାଣିଲ ଏଥେ କେମନ୍ତେ ସେ ମଲା
ରାଜା ଜାଣିଲ ଏ କଥା ହେବ ବଡ଼ମନ୍ଦ
ଗୋପନଗ୍ର ଶିରୀ ନାଶକଲା ସବୁ ନନ୍ଦ
କେ ବୋଲଇ ଏ କଥାକୁ ପ୍ରକାଶ ନ କରି
ଏ କଥା କେହି ନ କହ ଆଗରେ କାହାରି
କେ ବୋଲେ ଏ କଥାମାନ ଲିଭୁ କେଉଁବାଗେ
ତୁଣ୍ଡ ବାରତା ଯାଇ ଯେ ପବନହୁଁ ବେଗେ
କେ ବୋଲେ ଛଡ଼ାଇ ଆଣ ପୁତ୍ରକୁହିଁ ଯାଇ
ମରୁ ପୂତନା ତହିଁକି ଭୟ କିଛି ନାହିଁ
ପୂତନା ମଲେ ଆମ୍ଭର ନ ଯାଇ ତ କିଛି
ଆମ୍ଭ ପୁତ୍ରଗୋଟି ସର୍ବଶୁଭେ ଜୀଇଁଅଛି
କେହୁ ବୋଲନ୍ତି ଏ ନନ୍ଦ ନୁହନ୍ତି ତ ପାପୀ
ତା ପୁତ୍ରକୁ ଏ ପ୍ରମାଦ ପଡ଼ିଲା ଅଦ୍ୟାପି
ବୃଦ୍ଧାକାଳେ ବିଧାତା ସେ ପୁତ୍ର ଦେଲା ସତ୍ୟେ
ଏଥକୁ ବିହି କଷଣ ଦେଲାଟି କେମନ୍ତେ
କେ ବୋଲେ ଦେଖ ପ୍ରୋହିଣୀ ଅବା ମରିନାହିଁ
ଆମ୍ଭ ମନ ବିଡ଼ିବାକୁ ମିଛେ ଅଛି ଶୋଇ
ଯେଉଁ ପୂତନାକୁ ଶଙ୍କା କଲେ ଦେବଗଣେ
କେମନ୍ତେ ଏଡ଼େକ ଶତ୍ରୁ ମଲା ଅକାରଣେ
ମହା ଘୋରରଣେ ଯାକୁ ନାହିଁ ଅପଚୟ
ବଡ଼ ଅଦ୍ଭୁତ କିଞ୍ଚିତେ ଗଲା ସେହି କ୍ଷୟ
କେ ବୋଲେ ମରଣକୁ ତ ବଡ଼ ସାନ ନାହିଁ
ଦେହ ବହି କେହି ଅଛି ଅଜ୍ରାମର ହୋଇ
କେ ବୋଲଇ ଏ ଅସୁରୀ କେଉଁ ବାଗେ ମଲା
ଏଡ଼େ ଅସୁରୀ ମରଣ ଜାଣି ତ ନୋହିଲା
ଶବଦ ମାତ୍ରକେ ଏକ ଶୁଭିଲା ବ୍ରହ୍ମାଣ୍ଡ
ବିନାଯୁଦ୍ଧେ ନାଶଗଲା ଏଡ଼େ ବଡ଼ ପିଣ୍ଡ
କେ ବୋଲଇ ଆକାଶୁ କି ପଡ଼ି ବଜ୍ରସୂଚୀ
କେ ବୋଲେ ଏହାର ଦେହେ କ୍ଷତ ନାହିଁ କିଛି
କେ ବୋଲଇ ଏ ନାରୀ ଯେ ଅଦଦ୍ଭୂତେ ମଲା
ଏଡ଼େ ବଡ଼କଥା ଗୋଟା ଜଣା ତ ନ ଗଲା
ଏମନ୍ତ ବିଚାରି ଖଳବଳ ଯେ ଗଉଡ଼େ
କୃଷ୍ଣ ଉଛୁଡ଼ି ଆଣିଲେ ନନ୍ଦ ମହାଖୁଡ଼େ
ପୂତନା ଥିଲେ ଉତ୍ତାନଶାୟୀ ହୋଇ ଶୋଇ
କୃଷ୍ଣଙ୍କୁ ଉଛୁଡ଼ି ନନ୍ଦ ବେନି ଭୁଜେ ନେଇ
ମୁଖେ ଚୁମ୍ବଦେଇ ନନ୍ଦ କର ମାରେ ଶିରେ
ଥିରିକରି ନେଇ ଦେଲା ଯଶୋଦା କୋଳରେ
ପୁତ୍ର ଘେନିଣ ଯଶୋଦା ଆସ୍ଥାନକୁ ଗଲା
ଶାସ୍ତ୍ରୋକ୍ତ ପ୍ରମାଣେ ଗ୍ରହଶାନ୍ତି ଦାନକଲା
ନୃସିଂହ କବଚ ଚଣ୍ଡୀପାଠ ଆଦିକରି
ରିଷ୍ଟଶାନ୍ତି କରାନ୍ତି ସେ ବ୍ରାହ୍ମଣଙ୍କୁ ବରି
କୋଟିଏ ବିପ୍ରେ ଭୋଜନ କଲେ ଗ୍ରହପୂଜା
ଶିବଶିରେ ଗୋଦୋହନ କଲେ ନନ୍ଦପୂଜା
ଆନ ସ୍ଥାନରେ ନେଇଣ ଲଗାଇ ଅନ୍ତୁଡ଼ି
ପୂତନା ମୃତଶବକୁ ପକାଇଲେ କାଢ଼ି
କର ଚରଣେ ଦଉଡ଼ି ନେଇ ଲଗାଇଲେ
ନନ୍ଦ ଭୁବନୁ ତାହାକୁ ଘୋଷାଡ଼ାଇ ନେଲେ
ସମ୍ପୂର୍ଣ୍ଣ ସାତଘଡ଼ି ଯେ ହୋଇଅଛି ରାତି
ଗୋବର ଖଣାରେ ନେଇ ପୂତନାକୁ ପୋତି
ବଦନ୍ତି ଯେ ଶୁକମୁନି ଶୁଣ ତୁ ପରୀକ୍ଷ
ପୂତନା ଗୋବିନ୍ଦେ କ୍ଷୀର ଦେଇ ହେଲା ମୋକ୍ଷ
ସ୍ୱର୍ଗ ବିଦ୍ୟାଧରୀ ସେହି ଗୋମାତାର ଶାପେ
ଦଶମନୁ ବଞ୍ଚିଲା ସେ ଅସୁରୀ ସ୍ୱରୂପେ
ଏବେ ଦ୍ୱାପର ଯୁଗରେ ହରି ହସ୍ତେ ମଲା
ଅଭିଶାପୁଁ ମୁକ୍ତ ହେଇ ସ୍ୱର୍ଗପୁରେ ଗଲା
ଅଷ୍ଟରତନ ନିର୍ମାଣ ବିମାନ ଆରୋହି
ସମସ୍ତେ ତ ଚାହୁଁ ଚାହୁଁ ଶୂନ୍ୟେ ଯାଏ ସେହି
ଇତିଶିରୀ ଭାଗବତ ପୁରାଣର ବାଣୀ
ଜନମନ ରଞ୍ଜନ ଏ ସୁଧାରସ ପୁଣି
ପୁରାଣ ବାକ୍ୟ ଏ ଗଙ୍ଗାଜଳ ପୁଣ୍ୟମୟେ
ଇଦଂ ସପ୍ତଦଶ ଅଧ୍ୟା ସମାପତ ହୁଏ
ନମାମି ଶ୍ରୀନାରାୟଣ କ୍ଷୀରସିନ୍ଧୁ ଶାୟୀ
ଅକାମ କାମଦାୟକ ପ୍ରଭୁ ଭାବଗ୍ରାହୀ
ଦେବାଧିଦେବମାନଙ୍କ ଉପରେ ଠାକୁର
ଅଲେଖ ପୁରୁଷ ଅବ୍ୟକତ ନିରାକାର
ଯାହାର ନାହିଁ ଜନମ ମରଣ ସଂସାରେ
କଉତୁକେ ଖେଳଘର କରଇ ରଙ୍ଗରେ
ତୁ ସର୍ବ ସଞ୍ଚିଲୁ ନାଥ ଆନ କେହି ନାହିଁ
ଆପେ ଆପଣାକୁ ସଞ୍ଚି ହେଲୁ ନରଦେହୀ
କେବଳ ଅନୁଭବରେ ତୋ ରୂପ ବର୍ଣ୍ଣନ
ନାହିଁ ତୋର ଜନ୍ମ ମୃତ୍ୟୁ ତୁହି ଠୁଳ ଶୂନ୍ୟ
ସଂସାର ପ୍ରଳୟ କରୁ ତୁ ଏକ ନିଃଶ୍ୱାସେ
ସର୍ବବ୍ୟାପୀ ନାଥ ଦୃଶ୍ୟ ଅଦୃଶ୍ୟ ବିଶ୍ୱାସେ
ଘଟ ଘଟଣ ମାୟା ତୋ ଜଗତେ ପ୍ରସିଦ୍ଧି
ଅଛିଦ୍ରପୂର୍ଣ୍ଣ ନାଥ ତୁ ବ୍ୟାପକ ସୁବୁଦ୍ଧି
ପୃଥ୍ୱୀ ଆପ ତେଜ ପୁଣି ବାୟବ୍ୟ ଆକାଶ
ଏ ପଞ୍ଚ ମହାଭୂତରେ ତୁ ବ୍ରହ୍ମ ପ୍ରକାଶ
କଳପ ମେରୁ ସଂସାର କଲ ତୁମ୍ଭେ ଜାତ
ଏମନ୍ତେ ଅତି ଅଦ୍ଭୂତ ଏ ତୁମ୍ଭର କୃତ୍ୟ
ତେଣୁ ତୁହି ଶୂନ୍ୟରୂପ ଧରୁ ଦେବ ସ୍ୱାମୀ
ସବୁପ୍ରାଣୀ ହୃଦୟରେ ଅଟୁ ଅନ୍ତର୍ଯ୍ୟାମୀ
ଦୁଷ୍ଟ ଦାନବ ମାନବ ଦୈତ୍ୟ ଅସୁରାଦି
ଭାଙ୍ଗନ୍ତି ସ୍ୱର୍ଗ ବାସବ ଅମରଙ୍କ ଆଧି
ଅସୁରମାନଙ୍କୁ ନାଶ କରିବା ନିମନ୍ତେ
ତୁମ୍ଭେ ଦେବ ଦେହଧାରୀ ସିନା ଜଗତେ
ଶଙ୍ଖ ଚକ୍ର ଗଦା ପଦ୍ମ ଶାର୍ଙ୍ଗ ଚତୁର୍ଭୁଜ
ଦେବଙ୍କ ଉପରେ ଦେବ ଅଟୁ ଦେବରାଜ
ଅନନ୍ତ ନାଗ ଉପରେ ତୁ ଉତ୍ତାନଶାୟୀ
ଯୋଗ ନିଦ୍ରାରେ ଯେ ଆପେ ଥିଲୁ ସିନା ଶୋଇ
କଂସ ପାଦଭାରା ପୃଥ୍ୱୀ ନ ପାରିଲା ସହି
ସକଳ ଦେବେ ତୁମ୍ଭଙ୍କୁ ଗଲେ ତହିଁ କହି
ପ୍ରତ୍ୟକ୍ଷେ ଦେଖିଲୁ ଯହୁଁ ଦେବତାଙ୍କ ଆର୍ତ୍ତ
ଦେବକୀ ଉଦରେ ଆସି ହେଲୁ ଦେହବନ୍ତ
ପ୍ରଭୁଙ୍କ ଅଭିଶାପେ ଯେ ଯଶୋଦା ଜନମି
ତୁମ୍ଭଙ୍କୁ ପାଳିଲେ ସେହି ପୂର୍ବପୂଣ୍ୟ ଘେନି
ବ୍ରହ୍ମାର ପୁତ୍ରେ ଗୋପାଳ ରୂପ ତହିଁ ହୋଇ
ଗୋଗୋଷ୍ଠରେ ଜନ୍ମ ହେଲେ ଦେଖିବାର ପାଇଁ
ପୃଥ୍ୱୀ ଭାରାଭର ନାଥ କର ତୁମ୍ଭେ ନାଶ
ନମସ୍ତେ ବାଳଗୋପାଳରୂପୀ ପୀତବାସ
ନମସ୍ତେ ହେ ଗୋପୀନାଥ ବାଳରୂପ ଦେହା
ନମସ୍ତେ ହେ ଗୋପୀନାଥ ଲକ୍ଷ୍ମୀ ପ୍ରାଣନାହା
ନମସ୍ତେ ହେ ଗୋପୀନାଥ କାମୀକାମଦାୟୀ
ନମସ୍ତେ ହେ ଗୋପୀନାଥ ଭକ୍ତ ଭାବଗ୍ରାହୀ
ନମସ୍ତେ ହେ ଗୋପୀନାଥ ଗତି ମୁକ୍ତିଦାତା
ନମସ୍ତେ ହେ ଗୋପୀନାଥ ନର୍କୁ ଉଦ୍ଧାରନ୍ତା
ନମସ୍ତେ ହେ ଗୋପୀନାଥ ସର୍ବ ଅନ୍ତର୍ଯ୍ୟାମୀ
ଗୋପୀନାଥ ସୁମରଇ ହୁଅ ସ୍ୱର୍ଗଗାମୀ
ସେହି ଗୋପୀନାଥଙ୍କର ପାଦପଦ୍ମ ତଳେ
ଅଚ୍ୟୁତଦାସର ମନ ରହୁ ସବୁକାଳେ

ପୂତନାର ଶାପ ବିମୋଚନ

[ସମ୍ପାଦନା]

ଏଥୁ ଅନନ୍ତରେ ପୁଣି ପରୀକ୍ଷ ପଚାରି
କହିଲ ତ ଦିବ୍ୟରସ କଥା ତପଚାରୀ
ସ୍ୱର୍ଗ ବିଦ୍ୟାଧରୀ ଯେବେ ଅଟଇ ପୂତନା
କେମନ୍ତେ ଅସୁର ସେହି ହେଲା ବାରାଙ୍ଗନା
କେଉଁ ଅପରାଧେ ତାକୁ କେ ଦେଲାକ ଶାପ
ପାଇଲା ଅସୁରୀ ଜନ୍ମ କେ ଧଇଲା ଏ ରୂପ
ଏ କଥା ସଂକ୍ଷେପି ମୋତେ କହି ମୁନିଗୁରୁ
ତବ ମୁଖରୁ ଶୁଣିଣ ଭ୍ରାନ୍ତି ମନୁ ସରୁ
ରାଜାର ବଚନେ ମୁନି କରି ପ୍ରତିଉକ୍ତି
ଆତ୍ମାକୁ ଲୟ କରିଣ ଶୁକ ମହାଯତି
ଶୁଣ ତୁମ୍ଭେ ସାବଧାନେ ନୃପତି ଗରିଷ୍ଠ
ଚିତ୍ରମତୀ ନାମେ ସ୍ୱର୍ଗ ବିଦ୍ୟାଧରୀ ଶ୍ରେଷ୍ଠ
ସୁନ୍ଦରୀ ସୁକୁମାରୀ ଯେ ସୁଲକ୍ଷଣା ବାମା
ମୟ ସେନାପତିର ସେ ଅଟେ ଜ୍ୟେଷ୍ଠ ଜେମା
ରମ୍ଭା ମେନକାଠାରୁ ସେ ଗୁଣରେ ଚତୁରୀ
ଅନେକ ସୁଦୟା ସ୍ନେହ ବିଶ୍ୱକର୍ମା କରି
ଜଗତଜନ ମୋହିନୀ ଅଟେ ଅତୁଲାଇ
ଦଶଲକ୍ଷ ଅପସରା ଖଟୁଥାନ୍ତି ରହି
ବିଶ୍ୱକର୍ମାର ଦୁହିତା ଅତି ମନୋହାରୀ
ତାହାର ମହିମା ଦେବେ କହି ତ ନ ପାରି
କେବଣ ଦିବସେ ବାଳୀ ପରିବାରୀ ମେଳେ
ନନ୍ଦନ ବନକୁ ଗଲା ଖେଳ କୁତୁହଳେ
ହସ୍ତରେ ଫିମ୍ପି ଶର ପରିଘ ବାଟୁଳି
ସଖୀଜନ ଘେନି କ୍ରୀଡ଼ା କରେ ବନମାଳୀ
କା ହସ୍ତେ ପୁଷ୍ପଧନୁ କା ହସ୍ତେ ପୁଷ୍ପ ଯଷ୍ଟି
କାର ହସ୍ତେ ପୁଷ୍ପବାଣୀ ପୁଷ୍ପ ଦରଫୁଟି
କେ ହସ୍ତେ ପୁଷ୍ପବିଞ୍ଚଣୀ ଧରିଛନ୍ତି ଆଣି
କେ ହସ୍ତେ ଧରିଅଛନ୍ତି ପନୀର ଯେ ପାଣି
ସ୍ୱଭାବେ ଚଇତ୍ରମାସ ପବନ ବସନ୍ତ
ମୃଦୁ ମୃଦୁ ଧୀରେ ଧୀରେ ଆମୋଦ ପୂରିତ
ଝିଙ୍କର କୋକିଳ ଶୁକ ଶାରୀ ମାଳ ମାଳ
ପୁଷ୍ପ ଭ୍ରମରେ ଚୁମ୍ବନ୍ତି ବସୁଛନ୍ତି ଡ଼ାଳ
ସ୍ତିରୀମତିରେ ଭ୍ରମନ୍ତି ଏସନକ ଯୋଗେ
ନନ୍ଦିନୀକି ଭେଟି ବାଟେ ଯେଉଁ ବେଗେ ବେଗେ
ଗୋଡ଼ାଇ ଅଛନ୍ତି ବେନିକୋଟି ବତ୍ସା ପଛେ
ତିରଣ ଚରୁଅଛନ୍ତି ସୁରନଦୀ ପଛେ
ନିକଟେ ସେ ଚିତ୍ରମତୀ ଗୋମାତା ଦେଖିଲା
ମତ୍ତଗର୍ବେ ଗୋମାତାଙ୍କୁ ଉପହାସ କଲା
ଧନୁରେ ଫିମ୍ପି ବାଟୁଳି ବସାଇଲା ଆଣି
ନନ୍ଦିନୀ ଚରୁଛି ଫିମ୍ପି ବିନ୍ଧିଲାକ ଟାଣି
ପବନୁ ବ୍ୟଗ୍ରେ ବାଟୁଳିଗୋଟା ଗଲା ଚଳି
ଗୋମାତାଙ୍କ ଚିରେ ଯାଇ ବାଜିଲା ବାଟୁଳି
ନିର୍ଭୟ ହୋଇଣ ଦେବୀ ତହିଁ ଚରୁଥିଲେ
ଚିରେ ବାଟୁଳି ବାଜନ୍ତେ ପଡ଼ି ମୂର୍ଚ୍ଛାଗଲେ
ଘଡ଼ିକେ ଚେତନା ପାଇ ଉଠିଲେ ଗୋମାତା
ସନ୍ନିଧିରେ ଚିତ୍ରମତୀ ବିଶ୍ୱକର୍ମା ସୁତା
ଗୁଳିଚା ଧନୁ ଗୋଟିଏ ଧରି ବାମକରେ
ସଧୀରେ ବାଟୁଳି ଗୋଟି ଚଳାଇ ନିର୍ଭରେ
ଗୋମାତାର ଆଡ଼କୁ ସେ ଅଙ୍ଗ ଢାଳିଦେଇ
ଅପସରି ଉଭାହେଲା ସୁରନଦୀ ଚାହିଁ
ଏହା ଦେଖିଣ ଗୋମାତା ପାଇ ଗୁରୁତାପ
ବୋଇଲେ ଲୋ ଚିତ୍ରମତୀ ଅର୍ଜିଲୁ ତୁ ପାପ
ଆମ୍ଭେ ଯେ ଅବୋଧ ଜନ ସ୍ୱଭାବେ ତ ଗୋରୁ
ପାପକୁ ଭୟ ନ କରି ଆମ୍ଭଙ୍କୁ ତୁ ମାରୁ
ଆମ୍ଭ ଇଚ୍ଛାସୁଖେ ଆମ୍ଭେ ଚରୁଅଛୁ ବନେ
ଏଥକୁ ଯେ ଅମରଷ ବହିଲୁ ତୁ ମନେ
ଆମ୍ଭେ ତ କିଛି ତୋହର ନୋହୁ ଦୋଷକାରୀ
ବାଟୁଳି ମାଇଲୁ ଅନିମିତ୍ତେ ନ ବିଚାରି
ଏ ତୋର ବାଟୁଳି ବାଜି ମୂର୍ଚ୍ଛାଗତ ହେଲୁ
ଶରୀର ତ ବ୍ୟଥା କଲା ଯୋଗେଣ ନ ମଲୁ
ତୁହି ମତ୍ତଗର୍ବେ ପୁଣି କଲୁ ମହାପାପ
ଆଲୋ ଆଲୋ ଚିତ୍ରମତୀ ଘେନ ମୋର ଶାପ
ଆମ୍ଭ ସ୍ତନକୁ ବାଟୁଳି ମାଇଲୁ ଅଜ୍ଞାନେ
ତୋହର ମରଣ ହେଉ ଏହି ସ୍ତନପାନେ
ସ୍ୱର୍ଗ ବିଦ୍ୟାଧରି ହୋଇ କଲୁ ଦୁଷ୍ଟବୁଦ୍ଧି
ଦ୍ୱାଦଶ ମନୁ ଅସୁରୀ ହୁଅ ଏହି ବିଧି
ଅସୁରୀରୂପେ ଜନମ ହେବୁ ଭୂମିଭାଗେ
ଦ୍ୱାଦଶ ମନୁ ପର୍ଯ୍ୟନ୍ତ ନ ରହିବୁ ସ୍ୱର୍ଗେ
ତୁହି ମୋହର ସ୍ତନରେ ଲଗାଇଲୁ କିନ୍ତୁ
ବାଳକର ସ୍ତନ୍ୟପାନେ ପାଅ ତୁହି ମୃତ୍ୟୁ
ଶୁଣ ଆହେ ପରୀକ୍ଷିତ ବଦନ୍ତି ଯେ ମୁନି
ପୂତନା ରୂପକୁ ଥିଲା ଚିତ୍ରମତୀ ଘେନି
ଦ୍ୱାଦଶମନୁ ପର୍ଯ୍ୟନ୍ତ ଅସୁରୀ ହୋଇଲା
ଗୋବିନ୍ଦ କ୍ଷୀର ପାନରେ ମୁକତି ପାଇଲା
ଅଷ୍ଟରତ୍ନର ବିମାନ ଆରୋହିଲା ବେଗେ
ନିଜ ଦେହ ପାଇ ପୁଣି ବସିଲାକ ସ୍ୱର୍ଗେ
ବନମାଳି କରେ ଘେନି ବସେ ଇନ୍ଦ୍ରପାଶ
ଚିତ୍ରମତୀ ଦେଖି ଇନ୍ଦ୍ର ହୋଇଲେ ହରଷ
ଯଥା ବିଧିରେ ସେ ପିନ୍ଧି ଅଳଙ୍କାର ଶାଢ଼ୀ
ଅଭିଶାପ ପାରକରି ବସେ ସ୍ୱର୍ଗେ ମାଡ଼ି
ତେଣୁ ସେ ରାକ୍ଷସୀ ହୋଇ ମର୍ତ୍ତ୍ୟପୁରେ ଥିଲେ
ଅନେକ କାଳରେ ଯାଇ ସ୍ୱର୍ଗରେ ବସିଲା
ପୂତନା ଶାପର କଥା ସୁଧାସମ ବାଣୀ
କଳୁଷ ଖଣ୍ଡନ କରି ସୁଖେ ତର ପ୍ରାଣୀ
ପରମ ପବିତ୍ର ଅଟେ ହରିବଂଶ ଗ୍ରନ୍ଥ
ପ୍ରଭୁଙ୍କ ଦୟାରୁ ଗୀତେ କହଇ ଅଚ୍ୟୁତ
ଶୁକମୁନିର ଚରଣେ କଲା ଦିବ୍ୟପୂଜା
ଭୋମୁନି ତୁମ୍ଭ ପ୍ରସାଦେ ହୋଇଲି କୃତାର୍ଥ
ପୂତନାର ଶାପ କଥା ସୁଧାମୟ ବାଣୀ
କୋଟିଯୁଗ ଶାପ ମୋର ଗଲା ଏହା ଶୁଣି
ତଦନ୍ତେ ହୋଇଲା ପୁଣ କଥା କିସ ଆନ
ବିସ୍ତାରିଣ କହ ବେଦବ୍ୟାସର ନନ୍ଦନ
ଭୋ ମୁନି ଭାଗ୍ୟରେ ଥିଲେ ଭାଗବତ ଶୁଣି
ପଞ୍ଚ ମହାପାପମାନ ଖଣ୍ଡିଯାଇ ପୁଣି
କୃତଘ୍ନ ମାତୃହରଣ ଗୋଘ୍ନ ପାପ ଯେତେ
ବ୍ରାହ୍ମଣ ନାଶନ ସୁରାପାନହିଁ ସହିତେ
ଜ୍ଞାନେ ବା ଅଜ୍ଞାନେ ଯେତେ ପାପମାନ କରି
ଭାଗବତ ଶୁଣନ୍ତେ ଯେ ସବୁ ପାପହରି
ଶତେ ଜନ୍ମ କାଶୀବିଶ୍ୱନାଥ ସେବାକଲେ
ସହସ୍ରେ ବାର ପ୍ରୟାଗ ଜଳେ ଝାସଦେଲେ
ମେରୁର ସମାନେ ଦେବ ସୁବର୍ଣ୍ଣ ଯେ ଦାନ
ଶ୍ରୀଭାଗବତ ଶୁଣିଲେ ହେବ ସେହି ପୁଣ୍ୟ
ଜାଣୁ ଜାଣୁ ତାହା ମୁଁ ନ ଶୁଣିବି କେମନ୍ତେ
ରାଗ ନ କରି କହିବା ହେଉ ମୁନି ମୋତେ
ରାଜା ବଚନେ କହନ୍ତି ମୁନି ସର୍ବବେତ୍ତା
ଶୁଣ ତୁ ହୋ ସାବଧାନେ ନୃପ ସର୍ବଜ୍ଞାତା
ଯେତେବେଳେ ସେ ପୂତନା ହେଲା ପ୍ରାଣ ନାଶ
ବିଚାରନ୍ତି ଗୋପାଳେ ଯେ କରିବାକ କିସ
ଅଦ୍ଭୂତ ଏଠାକୁ ଆସି ପୂତନା ଯେ ମଲା
ଆମ୍ଭର କି ଦୋଷ ଏହା ବିଧାତା ଯେ କଲା
ଯେଉଁ ପ୍ରାଣୀକି ଯେମନ୍ତ ଯୋଗ ଯହିଁ ଅଛି
ଲିହି ବିହନ୍ତା ପୁରୁଷ କରଇ ତା ବାଛି
ଆମ୍ଭେ କେମନ୍ତ ଜାଣିବା ମଲା ଯେ ପୂତନା
ଧର୍ମଦେବତା ବିଚାର କରୁ ଏକା କିନା
ଥୋକାଏ ଗୋପାଳ ପୁଣି ବୋଇଲେକ ଶୁଣି
କଂସ ରାଜାର ପ୍ରତାପ ଅଛ ସର୍ବେ ଜାଣି
ଦେବ ଦାନବ କଣ୍ଟକ ଅଟେ କଂସରାୟେ
ଯା ନାମେ ଧରନ୍ତେ ସ୍ୱର୍ଗେ କମ୍ପେ ଦେବରାୟେ
ଏବେ କଂସରାଜା ସଙ୍ଗେ ହୋଇବା ବଇରୀ
ଆମ୍ଭଙ୍କୁ ରଖିବାପାଇଁ ନାହିଁ କେ ତ୍ରିପୁରି
ରାଜାର ଦୋରେହା ହୋଇଥିବା ପୁଣ କାହିଁ
ନିଶ୍ଚେଁ ଏ ଗୋପନଗ୍ରକୁ ଭଲଗତି ନାହିଁ
ଅଷ୍ଟମଲ୍ଲଙ୍କର କଂସ ଅଟେ ପ୍ରାଣସଖା
ପୂତନା ସବୁରି ଶିରୋମଣି ବୋଲି ଲେଖା
ସେ ଆସି ଗୋପନଗରେ ହେଲା ପ୍ରାଣେ ନାଶ
ନ ବୁଝି କଂସ ଆମ୍ଭଙ୍କୁ ନିଶ୍ଚେଁ ଦେବ ଦୋଷ
ରାଜା ଅବିଚାର କଲେ କାହାକୁ କହିବା
ଥୋକେ ବୋଲନ୍ତି ଏଠାକୁ ଚାଲ ପଳାଇବା
ଦେଖ ଏହି କଂସରାଜା ଅଟେ ବଡ଼ ଦୁଷ୍ଟ
ଆଜ ତା ଶାଖା ତାହାର ହେଲା ପ୍ରାଣେ ନଷ୍ଟ
ଏ କଥାରେ କିପାଁ ସେହି କୋପ ନ କରିବ
ନିଶ୍ଚୟ ଏ ଗୋପନଗ୍ର ସମ୍ପଦ ସରିବ
କେହି ବୋଲେ ଏ କଥାକୁ ବିକଳେ ନ ଭାଳ
ପୂତନା ମଲା କଂସର ପୂରିଲାଣି କାଳ
ଅକାରଣେ ଏ ପୂତନା କିପାଁ ଏଥେ ମଲା
ନିଶ୍ଚୟ ଜାଣ କଂସର ଶିରୀହତ ହେଲା
ଏସନକ ଖଳବଳ ହୋନ୍ତେ ଗୋପବୃନ୍ଦ
ନନ୍ଦ ବୋଲଇ ପୁତ୍ରକୁ ରଖିଲେ ଗୋବିନ୍ଦ
ପୂତନା ମଲା ବିକଳ ନୁହଁ ତୁମ୍ଭେ କିଛି
ଆମ୍ଭର ପୁତ୍ରଗୋଟିକ ସର୍ବଶୁଭେ ଅଛି
ଆମ୍ଭର ଯେ ଅତିଭାଗ୍ୟ ଦିଶିଲାକ ଏବେ
ଏଡ଼େ ସଙ୍କଟୁ ତରିଲା ପୁତ୍ରଗୋଟି ଯେବେ
ପୁନରପି ଜନ୍ମ ପାଇ ଆମ୍ଭର ଯେ ପୁଅ
ପୂତନା ମଲା ଏଥକୁ ବିଷାଦ ନ ପାଅ
ଏ ମୋହର ବଚନକୁ କରସି ନିୟତ
ଗଲା ହଜିଲା ପୁତ୍ର ଯେ ହେଲା ପରାପତ
ସୁବର୍ଣ୍ଣର ହାନ୍ଦୋଳାରେ ପୁତ୍ରକୁ ବସାଇ
ସମସ୍ତେ ଆନନ୍ଦ ହେଲେ ନନ୍ଦ ମୁଖ ଚାହିଁ
ନଗ୍ର ନରନାରୀମାନେ ଦେଖି ପୁତ୍ରମୁଖ
ଲଭିଲେକ ମହାଭାଗ୍ୟ କ୍ଷୟଗଲା ଦୁଃଖ
ଆବର ବିଶେଷେ ଦିଶେ ନନ୍ଦ ପୁଣ୍ୟରାଶି
ଶତ୍ରୁ ମୁଖରୁ ପ୍ରାପତ ହେଲା ପୁତ୍ର ଆସି
ଏକଥା ଦେଖିଣ କିପାଁ ଆନନ୍ଦ ନୋହିବା
ସଜାଡ଼ ହାନ୍ଦୋଳା ଗୋଟି ନଗ୍ର ବୁଲାଇବା
ଏହା ବିଚାରି ଗୋପାଳେ ମଣ୍ଡି ଚଉଦୋଳି
ଲମ୍ବାନ୍ତି ଯେ ଜାଇ ଯୁଈ ମାଳତୀର ମାଳି
ଅପୂର୍ବ ଚାନ୍ଦୁଆ ପାଟଛତ୍ର ଝୀନବାସ
ଓହଳଇ ତୋରଣ ଯେ ହାର ଚଉପାଶ
ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ସୂଚିମୁନ ନୂଆ
ଗଜମୁକୁତାର ସଙ୍ଗେ ଶୋଭିତ ଚାନ୍ଦୁଆ
ସୁବର୍ଣ୍ଣ କଳଶ ପରେ ନେତ ପାଟ ଉଡ଼େ
ଆକାଶୁ ଯେହ୍ନେ ବିଜୁଳି ଖସି ଆସି ପଡ଼େ
ମଣି ମାଣିକ୍ୟ ଦର୍ପଣ ହୀରା ପନ୍ତି ପନ୍ତି
ବିଚିତ୍ର ଚାମରମାନ ସନ୍ନିଧ୍ୟେ ପଡ଼ନ୍ତି
ଦେବ ବିମାନ ଯେପରି ଆକାଶରୁ ଖସି
ମହାଭାରତ ଯୁଦ୍ଧେ କି ନନ୍ଦୀଘୋଷ ଆସି
ଶ୍ରୀକୃଷ୍ଣ ଲବଣୀ ଯାତ୍ରା ବାରତା ପାଇଲେ
ସ୍ୱର୍ଗ ତେଜି ବିଶ୍ୱକର୍ମା ମଞ୍ଚକୁ ଅଇଲେ
ଗୋପନଗ୍ରରେ ପ୍ରବେଶ ହେଲେ ବେଗେ ଯାଇଁ
ଚଉଦୋଳେକ ରଚିଲେ ଅନ୍ତର୍ଦ୍ଧାନେ ଥାଇ
ଗୋପାଳଙ୍କୁ ତ ଅଦୃଶ୍ୟ ସକଳ ଦେବତା
ଆକାଶରେ ଥାଇ ଦେଖି ଗୋବିନ୍ଦର ଯାତ୍ରା
ବାଜଇ ଢ଼ୋଲ ତାବଲା ମହୁରୀ ମର୍ଦ୍ଦଳ
ଉପାଙ୍ଗ ଦୋସରୀ ଭେରୀ ଭୁଜଙ୍ଗ କାହାଳ
ଶଙ୍ଖ ଦମାଲୁ ଘୁମୁରା ବାଜେ ବିଜିଘୋଷ
ଘର୍ଘରା ତାଳ ମୃଦଙ୍ଗ ଝାଞ୍ଜ ମହାଘୋଷ
କେନ୍ଦୁ ଲଉଡ଼ି ଗଉଡ଼େ ଧରି ଗୋଟାଗୋଟା
ଢଗ ଢମାଳି ଗାଇଣ ନାଚନ୍ତି ଖେମଟା
ଚଉଦୋଳ କନ୍ଧେ ଧରି କରି ପୁଷ୍ପବୃଷ୍ଟି
ଆଗପଛେ ପଟୁଆର ମଧ୍ୟେ ବ୍ରହ୍ମସୃଷ୍ଟି
କୃଷ୍ଣ ଲବଣୀ ଯାତ୍ରାକୁ ଦେଖିଣ କାମିନୀ
ମିଶିଗଲେ ବାଳବୃଦ୍ଧା ଗୋପାଳ ତରୁଣୀ
ଧାଇଁ ବସୁନନ୍ଦ ନନ୍ଦ ଉପନନ୍ଦ ତିନି
ପଛ ପଟୁଆରେ ଛନ୍ତି ସ୍ୱର୍ଣ୍ଣବେତ ଘେନି
ନବଲକ୍ଷ ଘର ପୁଣି ଅଛି ଗୋପପୁରେ
ସମସ୍ତଙ୍କ ପୁରମାନ ମଣ୍ଡି ଯେ ଯାହାରେ
କାନ୍ଥରେ ଚିତ୍ରପିତୁଳା ଚନ୍ଦନର ଛେରା
ଅଗଣାମାନଙ୍କେ ସର୍ବେ ପାରିଲେ ପାଏଡ଼ା
ସୁବର୍ଣ୍ଣ କୁମ୍ଭମାନଙ୍କେ ପୂର୍ଣ୍ଣ ତୀର୍ଥ ପାଣି
ବେଦୀମାନଙ୍କ ଉପରେ ବସାଇଲେ ଆଣି
ପୁଣି ବେଦୀ ଚାରିପାଖେ ପୋତିଲେ କଦଳୀ
ସେବତୀ ପାଖୁଡ଼ା ତହିଁ ଖୋସି ମାଳି ମାଳି।
ଅଧାମ ଗୋଟିକା ସର ଦୁଧ ଯେ ଲବଣୀ
ଇକ୍ଷୁପନୀର ପଇଡ଼ ବାଢ଼ିଲେକ ଆଣି।
ଗୋପାଳ ଗମନ୍ତି ଗେଲେ ଗେଲେ କରି ନାଟ
ଛାମୁରେ ଭାଙ୍ଗନ୍ତି କେହି ଆମି ଦଧିଘଟ
କେହି ଗୋପାଳ ଛାମୁରେ ପହରନ୍ତି ଦଣ୍ଡ
ଲବଣୀ ପସରା କେତେ କେତେ କ୍ଷୀରଭାଣ୍ଡ
ଘରେ ଘରେ ବୁଲି ଗୋପନଗ୍ର ଆୟତନ
ବହୁତ ଆନନ୍ଦ ଗୋପୀ ଗୋପାଳଙ୍କ ମନ
ସୁବର୍ଣ୍ଣ ବିମାନ ମଧ୍ୟେ ବିଜେ ଦେବରାୟେ
ଅର୍ଦ୍ଧଆକାଶେ ଦେଖନ୍ତି ଆସି ଦେବତାଏ
ଅପସରୀ ବିଦ୍ୟାଧରୀ ସୁରପୁର ନଟୀ
ଗାଆନ୍ତି ମଙ୍ଗଳଗୀତ କରି ପୁଷ୍ପବୃଷ୍ଟି
ବାଳବୃଦ୍ଧ ଯୁବା ଯେତେ ଗୋପୀଗୋପବୃନ୍ଦ
ସମସ୍ତଙ୍କୁ ସଙ୍ଗେ ଘେନି ଗୋଡ଼ାଇବି ନନ୍ଦ
ନନ୍ଦ ଉପନନ୍ଦ ପୁଣି ଚନ୍ଦ୍ରସେଣା ମୂଳେ
ବେନି ତାଳ ପଟୁଆର ବିମାନର ତଳେ
ଗହଳ ଧନ୍ଦୋଳ ଯାତ୍ରା ଦେଖୁଛନ୍ତି ଲୋକେ
ବଧାଇ ଦିଅନ୍ତି ଭାଟ କଏବାର ଥୋକେ
ବଶିଷ୍ଠ ଯେ ବିଶ୍ୱାମିତ୍ର ନାରଦ ମହର୍ଷି
ସନକ ଯେ ସନାତନ ମିଳିଲେକ ଆସି
ଅଷ୍ଟବକ୍ର ଗଉତମ ଅଙ୍ଗିରା ବାଲ୍ମୀକ
ଅଗସ୍ତି ପୌଲସ୍ତି ଜଇମିନି ସୁମନ୍ତକ
ଭୃଗୁ ଭାର୍ଗବ ଆବର ବିଶ୍ରବା ସାନ୍ତ୍ୱନୁ
କପିଳ ଯେ କାଳିଞ୍ଜନ ଗୋମତ କୃଶାନୁ
ଭରଦ୍ୱାଜ ବିଭାଣ୍ଡକ ଆଦି ତପଶାଳୀ
ଶ୍ରୀକୃଷ୍ଣ ଲବଣୀ ଯାତ୍ରା ଦେଖୁଛନ୍ତ ମିଳି
ବୃହତ୍ସାମ ବେଦ ଗାଇ ସ୍ୱସ୍ତିକ ବଖାଣି
ଭର ହରଷ ଛାମୁରେ କରନ୍ତି ଖଟଣୀ
ନବଲକ୍ଷ ଘର ବସେ ସେହି ଗୋପପୁରେ
ଉତ୍ସବ କରନ୍ତି ଅନୁରୂପେ ଘରେ ଘରେ
ବାଳବୃଦ୍ଧ ଯୁବା ସ୍ତିରୀ ପୁରୁଷହିଁ ଯେତେ
ଭାଙ୍ଗନ୍ତି ଯେ ଦଧି ଦୁଗ୍‌ଧ ଭାଣ୍ଡ ତୋଷଚିତ୍ତେ
ଗୋରସେ କର୍ଦ୍ଦମ ହେଲା ସେ ଦିନ ଧରଣୀ
କୌତୁକେ ଲବଣୀଯାତ୍ରା କଲେ ବେନୁପାଣି
ଅର୍ଦ୍ଧ ଆକାଶେ ଦେଖନ୍ତି ଆସି ଦେବତାଏ
ଆନନ୍ଦରେ ପୁଷ୍ପବୃଷ୍ଟି କରନ୍ତି ସଭିଏଁ
ନଗ୍ର ଆୟତନ ବୁଲି ଯାନ୍ତି ଘରେ ଘରେ
ଯାତ୍ରା ସାରିଣ ମିଳିଲେ ନନ୍ଦର ମନ୍ଦିରେ
ନନ୍ଦ ଯଶୋଦା ପ୍ରବେଶ ରାମକୃଷ୍ଣ ଘେନି
ଶୁଣନ୍ତି ପରୀକ୍ଷରାଜା କହି ଶୁକ ମୁନି
ଶୁକବ୍ରହ୍ମା ବୋଲେ ଶୁଣ ପରୀକ୍ଷିତ ରାୟ
ଗୋବିନ୍ଦର ବାଳଲୀଳା ସୁଧାର ସମୟ
ଧନ ପୁତ୍ର ପରାପତ ହୁଏ ଯାହା ଶୁଣି
ଅନ୍ତେ ସ୍ୱରଗ ପ୍ରାପତ ହେବ ସେହି ପ୍ରାଣୀ
ଲବଣୀ ଯାତ୍ରା ସାରିଲେ ରହି ଯେ ଯାହାରେ
ନନ୍ଦକୁ ଆଜ୍ଞା ମାଗିଣ ଗଲେ ଯେଝାଘରେ
କୋଟି କୋଟି କ୍ଷୀରଭାଣ୍ଡ ଦାଣ୍ଡେ ଦେଲେ ଭଙ୍ଗି
ଘରେ ଘରେ ଫୁଲ ମଣ୍ତି ଦାଣ୍ତେ ଫୁଲଫିଙ୍ଗି
ଯାତ୍ରାର ଗହଳେ ଦାଣ୍ଡେ ଚାଲନ୍ତେଣ ବାଟ
ଘୃତ ଦଧି ଲବଣୀରେ କାଦୁଅ ସଙ୍କଟ
ଯାନ୍ତେ ଗୋଡ଼ ଖସି କେହୁ ପଡ଼େ ମୁହଁ ମାଡ଼ି
ସାନନ୍ଦେ କ୍ଷୀର ସମୁଦ୍ର ଆସୁଛି କି ବଢ଼ି
ଦିନ ସାତ ଘଡ଼ିଠାରୁ ରାତି ଶେଷ ଯାଏ
ବହିଲା ଗୋରସ ନଦୀ ବଢ଼ି ଅତିଶୟେ
ଦ୍ୱାଦଶ ତାଳ ସମାନ ଅଟଇ ଗଭୀର
ବେନିକୂଳ ବୁଡ଼ାଇଣ ଦିଶେ ଭୟଙ୍କର
କେତେ ଗୋପ ଗୋପୀ ତହିଁ ପହଁରିଣ ଗଲେ
କେହି କେହି ସ୍ରୋତେ ପଡ଼ି ଟୁବୁଟୁବୁ ହେଲେ
କେଉଁମାନେ ଭେଳାଧରି ସୁଖେ ହେଲେ ପାର
କେ ବୋଲେ କେମନ୍ତେ ଯିବି ଲାଗୁଅଛି ଡର
କେ ଭାସିବା ଦେଖି କେହୁ କରତାଳି ଦେଇ
ଆନନ୍ଦରେ ନୃତ୍ୟକଲେ ଉତ୍ସାହିତ ହୋଇ
କେବଣ ଗୋପିକା ପଡ଼େ ଗୋଡ଼ ଖସିଯାନ୍ତେ
କେଶବାସ ଅସମ୍ଭାଳ ହୁଅଇ ତରସ୍ତେ
ବାଳକେ ଆନନ୍ଦେ ଗଡ଼ି କାଦୁଅ ପଙ୍କରେ
ହସନ୍ତି ନାଚନ୍ତି ପୁଣି ଉଠି ଯେ ଯାହାରେ
ଏମନ୍ତେ ଲବଣୀଯାତ୍ରା ସାରିଣ ଗୋପାଳେ
ଯେ ଯାହା ଘରକୁ ଗଲେ ମିଶି ଦଳେ ଦଳେ
କହଇ ଅଚ୍ୟୁତାନନ୍ଦ କୃଷ୍ଣଲୀଳା ରସ
ଶୁଣନ୍ତେ ନ ରହେ ପାପ ମିଳେ ସ୍ୱର୍ଗବାସ

ପୂତନାର ବଧବାର୍ତ୍ତା ଶୁଣି କଂସର ଖେଦ ଓ ତୃଣାବର୍ତ୍ତର ଗୋପପୁରେ ପ୍ରବେଶ

[ସମ୍ପାଦନା]

ଏଥୁ ଅନନ୍ତରେ ପୁଣି କଂସରାଜା ଆଗେ
ବାରତା କହିଲେ ଯାଇ ଦେଶାଉର ବେଗେ
ଭୋ ଦେବ ଶୁଣିମା ହେଉ ଭୋଜ ନୃପମଣି
ଏଥୁ ଯାଇଥିଲା ଗୋପନଗ୍ରକୁ ପ୍ରୋହିଣୀ
ଭୋଦେବ ନନ୍ଦର ଘରେ ବେନି ପୁତ୍ର ଜାତ
କହନ୍ତେ ନ ସରେ ତାଙ୍କ ମହିମା ବୃତ୍ତାନ୍ତ
ବଳଭଦ୍ର ବୋଲି ଦେବ ଯେବଣ ତା ପୁତ୍ର
ପ୍ରଳମ୍ବାକୁ ବଧ କଲା ପ୍ରାକର୍ମେ ସାମର୍ଥ
ସେ ପୁତ୍ରଙ୍କ ମହିଁମା ତ ଦେବଙ୍କୁ ଦୁର୍ଲ୍ଲଭ
କିସ କହିବି ତୁମ୍ଭଙ୍କୁ ଅରିଷ୍ଟ ଯେ ଲାଭ
ପୁଣ ସେହି ଏକ ପୁତ୍ର ପ୍ରାପତ ହୋଇଲା
କହନ୍ତେ ତ ନ ସରଇ ତା ମହିମା ଭଲା
ଜନ୍ମ ହୋଇ ବାସିଦିନ ପୂତନା ମାଇଲା
ତୁମ୍ଭର ସଖା ତ ସେହି ତାର ହସ୍ତେ ମଲା
ସକଳ ଗୋପାଳ ମିଳି ପୋତି ମୃତଶବ
ଆବର ଲବଣୀ ଯାତ୍ରା କଲେ ଅସମ୍ଭବ
ଚାରମୁଖୁଁ ବାର୍ତ୍ତା ଶୁଣି କଂସ ମହାବଳୀ
ମୂର୍ଚ୍ଛାଗତ ହୋଇଣ ସେ ପଡ଼ିଲାକ ଢ଼ଳି
ରାଜା ଅସାଷ୍ଟମେ ସର୍ବେ ହେଲେ ହାଲହୋଳି
ହାହାକାର କରି ଆସି ଧଇଲେକ ତୋଳି
ଶୀତଳ ଜଳକୁ କେହି ଶ୍ରୀମୁଖରେ ସିଞ୍ଚେ
ଖଦି ଚାମର ଆଲଟ ଧରି କେହି ବିଞ୍ଚେ
କେ କର୍ପୂର ଗୁଣ୍ଡ ସିଞ୍ଚେ କେ ପନୀର ପାଣି
ଚରଣ ଚାପଇ କେହି ଧୀରେ ଧରି ପୁଣି
କେହୁ ଚାଟୁ ବଚନରେ ମନ କରେ ତୋଷ
କେ ହସ୍ତ ଦୁଇ ଧରିଣ କରଇ ଆଶ୍ୱାସ
ନୟନକୁ ନିରୋପନ୍ତି କେହି କର ଘେନି
ଏସନକ ଅସାଷ୍ଟମ ହେଲା ଉଗ୍ରସେନି
କେତେ ସମୟେ ଶରୀରେ ପଶିଲାକ ଜ୍ଞାନ
କ୍ରୋଟରେ ଅଗ୍ନି ଜାଳିଣ ଦହେ ପଞ୍ଚମନ
ମରଣ ଶଙ୍କା କାହାର ମନରେ ନ ପଶି
ସମସ୍ତେ ମିଳି ରାଜାଙ୍କୁ କହନ୍ତି ଆଶ୍ୱାସି
ମନହିଁ ସିନା ଜାଣଇଁ ହୃଦର ଯେ ଦୁଃଖ
ମଳିନ ଦିଶିଲା ଚିନ୍ତାଭରେ ପଦ୍ମମୁଖ
ଉଚ୍ଚେ ରୋଦନ କରନ୍ତି ସ୍ୱର ଗଦଗଦ
ଓଷ୍ଠ କଣ୍ଠ ତାଳୁ ଶୁଖି ନ ଆସଇ ପଦ
ପଞ୍ଚଆତ୍ମା ଅନ୍ତରାଳ ଛନ୍ନ ଛନ୍ନ ମତି
ବାତୁଳ ପରାଏ ହେଲା ଚଞ୍ଚଳ ପ୍ରକୃତି
ବ୍ୟାକୁଳେ ବୋଲଇ ମୁଁ ଯେ କଲି କେଉଁପାପ
କେବଣ ମହାତ୍ମା ମୋତେ ଦେଲା ଅଭିଶାପ
ଭୁଜବଳେ ଜୟ କଲି ଭୂମଣ୍ଡଳ ରାଜା
ଦିଗପାଳେ କରୁଛନ୍ତି ମୋ ପାଦରେ ପୂଜା
ପିତା ଉଗ୍ରସେନ ମାତା ଇନ୍ଦୁମତୀ ନାରୀ
ପବିତ୍ର ଭୋଜ ବଂଶରେ ମୁହିଁ ଦଣ୍ଡଧାରୀ
କିଞ୍ଚିତରେ ଏହା ସବୁ ଯାଇଅଛି ନାଶ
ଯହିଁ ଗୁଣ ତହିଁ ନିଶ୍ଚେଁ ରହିଥାଏ ଦୋଷ
ଏହି ଭୁଜବଳେ କଲି ଶମନକୁ ସାଧ୍ୟ
ନନ୍ଦ ଗୋପାଳର ପୁତ୍ର ହାତେ ହେବି ବଧ
କା ଆଗେ କହିବି କେବା ହେବ ବଜ୍ରସେହ୍ନା
କେ ହରି ପାରିବ ମୋର ହୃଦୟ ବେଦନା
କେ ମୋର ଇଷ୍ଟଦେବତା ହେବ ପିତାମାତା
ଏ ଜନ୍ମ ସଂସାରେ ହେବ ମୋର ଜୀବଦାତା
ନାନାଦି ପ୍ରକାରେ ନନ୍ଦପୁତ୍ର ମାର ଯାଇ
ଭୃତ୍ୟପଣେ ସେବା ତାକୁ କରିଥିବି ମୁହିଁ
ଏ ରାଜ୍ୟରୁ ତାକୁ ମୁହିଁ ଅଧେଭାଗ ଦେବି
ମୋ ପାରୁଶେ ଅଭିଷେକ ତାକୁ କରାଇବି
ଏରୂପେ ଆତଙ୍କ ହୋଇ ଭାଳେ କଂସାସୁର
ପ୍ରଣାମ କରି ଛାମୁରେ ତୃଣାବର୍ତ୍ତ ବୀର
ନିଉଛାଳି ହୋଇ ପାୟେ ପଡ଼ିଣ ଶୋଇଲା
ଭୋ ଦେବ କି ନିମନ୍ତେ ତୋ ବିଷାଦ ହୋଇଲା
କଂସ ବୋଇଲା ତୁମ୍ଭଙ୍କୁ କହିବି ମୁଁ କିସ
ବିକ୍ରମ ସିଂହକୁ ଶଶା କରୁଅଛି ନାଶ
ପ୍ରତ୍ୟକ୍ଷେ ଫଳିଲା ଯାହା ବିଜୁଳି କହିଲା
ତୋତେ ଯେ ମାରିବ ସେହି ଗୋପରେ ଜନ୍ମିଲା
ମୋ କୁଳ ଭଣଜା ଦୁଃଖ କାଳକୁ ମୋ ହିତ
ଦୁଃଖ କାଳରେ ବିଧାତା କଲା ବିପରୀତ
ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଗଣିତା ମୁଁ ଜାଣେ
ଦେବ ଦାନବ ମାନବ ଜିଣିଲି ମୁଁ ରଣେ
ଏସନକ ବିଡ଼ମ୍ବନ ଦଇବେ ବିନାଶ
ପାମର ଗଉଡ଼ ହସ୍ତେ ଯିବି ପ୍ରାଣେ ନାଶ
ତୋହର ଜନନୀ ଅଟେ ପୂତନା ସୁନ୍ଦରୀ
ମୋ ପଞ୍ଚଭୂତ ଆତ୍ମାର ଅଟେ ଅଧିକାରୀ
ଅଷ୍ଟମଲ୍ଲଙ୍କ ମଧ୍ୟରେ ଅଟେ ଅଗ୍ରଲେଖା
ନିମିଷକେ ଲକ୍ଷେ ଇନ୍ଦ୍ର ଜିଣିପାରେ ଏକା
ତାହାର ଦର୍ପେ ମୋହର ରକ୍ଷା ରାଜଶିରୀ
ସର୍ବଗୁଣରେ ସମ୍ପନ୍ନ ମାୟାବୀ ଅସୁରୀ
ଏ ମୋହର ହିତେ ସେହି ଗୋପେ ଯାଇଥିଲା
ଶତ୍ରୁ ସଂହାରିବ ବୋଲି ସାହସ ସେ କଲା
ତାହା ବଚନକୁ ମୁହିଁ କରିଥିଲି ଆଶ
ଚାରଗଣ କହିଲେ ସେ ଗୋପେ ଗଲା ନାଶ
ନନ୍ଦର ଗୃହେ ଉପୁଜିଛନ୍ତି ବେନି ପୁତ୍ର
ତାହାଙ୍କର ହସ୍ତେ ମୋର ମରଣ ନିୟତ
କାହାକୁ ବୋଲିବି ନିଜ ଅର୍ଜିତ ମୋ କର୍ମ
କେବଣ ଯୋଗେ ସେ ହୋଇଅଛନ୍ତି ଜନମ
ଅନ୍ତୁଡ଼ିଶାଳେ ଏଡ଼େକ ପ୍ରାକର୍ମ ସେ ବହି
ବର୍ଦ୍ଧମାନ ହେଲେ ମୁହିଁ ବର୍ତ୍ତିବି ବା କାହିଁ
କେବଣ ପ୍ରକାରେ ତାକୁ କରିବି ମୁଁ ନାଶ
ସମସ୍ତେ ହୋଇ ବିଚାରି ଦିଅ ଉପଦେଶ
ସାମାନ୍ୟ ଶତ୍ରୁ ନୁହଇ ସେହି ନନ୍ଦବଳା
ସାମାନ୍ୟ କାଳୁତ ତାର ତେଜ ଅନର୍ଗଳା
ଯେ ଯାହାର ଅନୁରୂପେ ଛଦ୍ରମ ଭିଆଇ
ନାନାଦି ପ୍ରକାରେ ଶତ୍ରୁ ସଂହାର ହୋ ଯାଇ
ବୁଡ଼ିଲି ମୁଁ ଶୋକଜଳେ ଉଦ୍ଧରିଣ ଧର
କଣ୍ଠାଗ୍ରତ ହେଲା ମୋର ପ୍ରାଣ ରକ୍ଷା କର
ଏସନକ ବାକ୍ୟ କଂସରାଜା ମୁଖୁଁ ଶୁଣି
ପ୍ରତିଜ୍ଞା କରିଣ ତୃଣା ଉଠେ ଶିରଝୁଣି
ଛାଡ଼ ଚିନ୍ତା ତୁମ୍ଭେ ଆହେ ଭୋଜ ନୃପମଣି
ସ୍ୱର୍ଗ ମର୍ତ୍ତ୍ୟପାତାଳ ମୁଁ କ୍ଷଣେ ପାରେ ଜିଣି
ପାମର ନନ୍ଦପୁତ୍ର ସେ ବୟସରେ ସାନ
ଏ ଛାର କଥାକୁ କିପାଁ କହୁଛ ଏସନ
ଜନନୀ ଅଟେ ମୋହର ପୂତନା ରାକ୍ଷସୀ
ଅଖଡ଼େ ସେ ଅକାରଣେ ପ୍ରାଣ ତାର ନାଶି
ଦଇବେ ଅସୁରୀ ଜାତି ପ୍ରତିଜ୍ଞା ବା କାହିଁ
ସଂଗ୍ରାମର ଭଙ୍ଗି କାହୁଁ ଜାଣିବ ବା ସେହି
ମୋତେ ଯାଅ ବୋଲି ଆଜ୍ଞା ଦିଅ ନୃପସାଇଁ
ଏକ୍ଷଣି ଶତ୍ରୁ ତୁମ୍ଭର ସଂହାରିବି ଯାଇ
କଂସ ବୋଲେ ତୁହି କରି ପାରିଲେଟି ଏହା
ଏଥୁ ବଡ଼ ପୁଣ୍ୟ ବୋଲି ପାରିବି କି ତାହା
ବିଶେଷେ ମାତୃବଇରୀ ପାରିଲେ ତୁ ମାର
ଜୀବ ଥିବାଯାକେ ମନେ ରହିବ ମୋହର
ଏତେକ ବୋଲି ମୁକୁଟ ବାନ୍ଧିଲା ତା ଶିରେ
ଶ୍ରୀଖଣ୍ଡଚନ୍ଦନ ଗୋଳି ଲେପିଲା ଶରୀରେ
ଭଣ୍ଡାରରୁ ଅଳଙ୍କାର ଆଣିଲା ସତ୍ୱରେ
ସ୍ୱର୍ଣ୍ଣ କର୍ଣ୍ଣଫୁଲ ଦୁଇ ଖଞ୍ଜିଲା କର୍ଣ୍ଣରେ
ବାହୁଟି ଜଗଦ୍‌ବଳା ଯେ ଭୁଜକୁ ଭୂଷଣ
ମଣି ମାଣିକ୍ୟ ମର୍କତ ହୀରା ବିତପନ
ଦେବାଙ୍ଗ ସରୁ ବସନ ଗନ୍ଧପୁଷ୍ପ ଦେଇ
ଆଜ୍ଞା ଦେଲାକ ତକ୍ଷଣେ ନୃପକୁଳସାଇଁ
ବିଳମ୍ବ ନ କର ବାବୁ ବହନ ତୁ ଚଳ
ଯାଅ ତୋତେ ପରାପତ ହେଉ ଶୁଭଫଳ
ତୃଣାବର୍ତ୍ତ ବୋଇଲା ମୁଁ ଯାଉଅଛି କିନା
ଗଲା କଥାକୁ ନକର ଆଉ ତୁ ଶୋଚନା
ପୂର୍ବର କଥା ସୁମରି କାତର ହୋଇଲେ
ଶତ୍ରୁଛିଦ୍ର ଦେଖଇଟି ଭ୍ରାନ୍ତି ଦେବ କଲେ
ଏ ତୋହର ଭୁଜବଳେ ଶତ୍ରୁ ଜିଣିପାରୁ
ଏ ଛାର କଥାକୁ ମନେ କିପାଇଁ ତୁ ଡରୁ
ସ୍ୱପନ ଗଲା କଥା ଯେ ଶୁଣି କରେ ତ୍ରାସ
ବଳ ବୀର୍ଯ୍ୟ ଫଳ ଯାଇ ଅଳପକେ ନାଶ
ତୁମ୍ଭେ ତ ପଣ୍ଡିତ ଅବା ନ ଜାଣ ଯେ ତାହା
ଆଉ ବିଶେଷେ ତୁମ୍ଭଙ୍କୁ ଅଷ୍ଟମଲ୍ଲ ସାହା
ଆପଣେ ଜୀବନ୍ତେ ଥିଲେ କାହାକୁ ତ ଭୟେ
ଆଝୁଁ ତୁମ୍ଭେ ସର୍ବଚିନ୍ତା ଛାଡ଼ ଦେବରାୟେ
ଏକ୍ଷଣି ଶତ୍ରୁ ଜୀବନ୍ତେ ଧରି ଦେବି ଆଣି
ଛାମୁରେ ବଳି ଦେବାକ ତାହାକୁ ଯେ ପୁଣି
ଆବର ଯେତେକ ପୁତ୍ର ଗୋପପୁରେ ଅଛି
ସମସ୍ତ ବାନ୍ଧି ଛାମୁରେ ଦେବି ଆଣି ଯାଚି
ଏତେ ବୋଲି ବାହାସ୍ଫୋଟ ଦେଇଯାଇ ଡେଇଁ
ରହିଲା ଗଗନ ମାର୍ଗେ ଉର୍ଦ୍ଧ୍ୱମୁଖେ ଯାଇ
ଦଇବେ ଅସୁର ଜାଣେ ଅନେକ ଯେ ମାୟା
ଉଲୁକ ମନ୍ତ୍ର ପଢ଼ିଣ ଗୋପ୍ୟ କଲା କାୟା
ନିମିଷ ମାତ୍ରେ ମିଳିଲା ଗୋପପୁର ଲାଗେ
କୋପେ ଅନିଳ ଶରୀର ଧରି ଅଧାସ୍ୱର୍ଗେ
ଦେଖଇ କାଳନ୍ଦୀ ଦ୍ରଦ ମହାପୁଣ୍ୟ ଜଳ
ଦିବ୍ୟ ତରୁଏ ଅଛଇ ସେହି ନଦୀକୂଳ
ନାନାପକ୍ଷୀ ରାବ ଦ୍ୟନ୍ତି କୋଳାହଳ ଧ୍ୱନି
ନନ୍ଦବ ବନ ଅମର ବାରସ୍ୱତୀ ଜାଣି
ନାନାଜାତି ଛନ୍ତି ଗୋପେ ନବଲକ୍ଷେ ଘର
କୁବେର ସମାନ ତହିଁ ସର୍ବେ ଧନେଶ୍ୱର
ରୋଗ ଶୋକ ଚିନ୍ତା ସର୍ବ ବିବର୍ଜିତ ଜନ
ସମସ୍ତେ ତ ସୁକୁମାର ପୁଣ୍ୟବନ୍ତ ଧନ
ସ୍ତିରୀ ପୁରୁଷ ଯେତେକ ସର୍ବେ ନବଯୁବା
ବୃଦ୍ଧେ ପାଲଟି ଦିଶନ୍ତି ତହିଁ ମହାଶୋଭା
ପୂର୍ବେ ବାଳଖିଲ୍ୟା ପଞ୍ଚାଣୋଇସସ୍ର ଋଷି
ଈଶ୍ୱରଙ୍କୁ ସେବା କଲେ ଗଙ୍ଗାକୂଳେ ବସି
ଅନେକ ବାଞ୍ଛା କରିଣ ପୂଜି ସଦାଶିବ
କନ୍ଦମୂଳ ଫଳମୂଳ ଭୁଞ୍ଜି ମୁନିବେଦ
ରୁଦ୍ରାକ୍ଷ ମାଳା ଭୂଷଣ ମନ୍ତ୍ର କରି ଜପ
ପଞ୍ଚ ଇନ୍ଦ୍ରିୟ ନିଗ୍ରହ କରି ଘୋରତପ
କର୍ଣ୍ଣରେ ତମ୍ବାକୁଣ୍ତଳ ଅଙ୍ଗେ ପାଂଶଭୂଷା
କଟିତଟେ କଉପିନ ଡୋର ରଙ୍ଗକଷା
ତ୍ରିଦଣ୍ତ ଯେ କମଣ୍ତଳୁ ମାଥେ ଦିବ୍ୟଜଟା
କୃଷ୍ଣଜିନ ଛାଲ ବେଦକାଣ୍ତି ଯେ ପାଞ୍ଚଟା
କାୟାକୁ କଦର୍ଥ ସେହି କରି ବାରବ୍ରତ
ଥୋକାଏ ଦିନ ପାରଣା ଉପବାସେ ରତ
ଏମନ୍ତ ପ୍ରଥାରେ ସେହି କଲେ ଘୋରତପ
ସ୍ୱାହା ସ୍ୱାଧା ବଷଠ୍‌କାର ମୂଳମନ୍ତ୍ର ଜପ
ବନ୍ଧଭେଦ ମୁଦ୍ରାଭେଦ ଭେଦି ପଞ୍ଚମନ
ଛାମୁରେ ଆସି ପ୍ରବେଶ ହେଲେ ତ୍ରିଲୋଚନ
ବୋଲନ୍ତି ହୋ ବର ମାଗ ମାଗ ବାଳଖିଳ୍ୟା
ମୁକ୍ତ ହେବୁ ବୋଲି ବର ମାଗି ବ୍ରହ୍ମବଳା
ଈଶ୍ୱରେ ବୋଇଲେ ମୁକ୍ତି ଏ ଜନମେ ନାହିଁ
ଦ୍ୱାପରେ ମୁକତ ହେବ କୃଷ୍ଣ ମୁଖ ଚାହିଁ
ଗୋପାଳୁଣୀ ରୂପେ ତୁମ୍ଭେ ଗୋପେ ହେବ ଜାତ
କୃଷ୍ଣ ସଙ୍ଗେ କେଳିକରି ହୋଇବ ମୁକତ
ଏସନ ସଂଜାତ ଜାତ ହେଲେ ଗୋପୀମାନେ
ତ୍ରୈଲୋକ୍ୟ ମୋହିନୀ ରୂପେ ଅବତରି ପୁଣ୍ୟେ
ଚିତ୍ରକୂଟ ଗିରିଠାରୁ ଗୋପପୁର ଯାଏ
ମଧ୍ୟ ପାଞ୍ଚ କ୍ରୋଶରେ ଯେ ଅଛନ୍ତି ସଭିଏଁ
ଗୋରୁ ମଇଁଷିମାନେ ଯେ ସଙ୍ଗେ ଘେନି ବତ୍ସା
ବନ ପର୍ବତେ ଚରନ୍ତି ଯେ ଯାହାର ଇଚ୍ଛା
ଅପ୍ରମିତ ଗୋରୁପଲ ମଇଁଷି ବହୁତ
ବାଛୁରୀ ଗାଭିଲୀ ଛଡ଼ାକେ କରୁ ଗଣିତ
ଅକଳିତ ଗୋପପୁରେ ଲକ୍ଷ୍ମୀ ପୂରିଥାଏ
ସୁର ଅସୁରମାନଙ୍କୁ ନାହିଁ କିଛି ଭୟେ
ପ୍ରତ୍ୟକ୍ଷେ ଦେବତା ପ୍ରାୟ ଶୋଭା ନରନାରୀ
ସେ ଗୋପପୁର ମହିମା କହିତ କେ ପାରି
ସର୍ବଦା ବସନ୍ତ ତହିଁ ବହେ ଘନ ଘନ
ଚାହିଁଲେ ମୋହିପାରନ୍ତି ଏ ତିନିଭୁବନ
ତେତିଶକୋଟି ଦେବତା ଛନ୍ତି ଯେଝା ମତେ
ରାମକୃଷ୍ଣଙ୍କୁ ଦେଖନ୍ତି ଗୋପେ ଅବିରତେ
ନନ୍ଦ ଆନନ୍ଦ ଉତ୍ସବ ବଢା଼ଇଲା ପୁରେ
ଚୂତପତ୍ର ପୂର୍ଣ୍ଣ କୁମ୍ଭ ବସାଇ ଦୁଆରେ
ଅନେକ ଆନନ୍ଦ ଦେଖି ରାମ ଯେ କୃଷ୍ଣଙ୍କୁ
ପୁଣିହିଁ ନିତ୍ୟ ଆଚାର ଲାଗି ଯେ ଯାହାଙ୍କୁ
ଅନ୍ତୁଡ଼ି ନବରେ ବିଜେ ପ୍ରଭୁ ଦେବରାଜା
ଉତ୍ତାନଶାୟୀରେ ନିଦ୍ରା ଗଲେ ଦିବ୍ୟ ଶଯ୍ୟା
ଅନେକ ଧାଈ ଅଛନ୍ତି ପାରୁଶରେ ବେଢ଼ି
ଅଗୁରୁ ଚନ୍ଦନକାଠେ ଲାଗିଛି ଅନ୍ତୁଡ଼ି
ନିର୍ଧୂମ ଅଗ୍ନି ଲାଗିଛି ତହିଁର ମଧ୍ୟରେ
ତଥି ପାଖେ ଛନ୍ତି ବାଳ ମୁକୁନ୍ଦ ରୂପରେ
ପାରୁଶେ ଯଶୋଦା ଦିବ୍ୟ ଖଟେ ଛନ୍ତି ଶୋଇ
ଯଶୋଦା ପାରୁଶେ ବଳଭଦ୍ର ନିଦ୍ରାଯାଇ
ଅମର ଭୁବନ ପ୍ରାୟ ସେ ଅନ୍ତୁଡ଼ିଶାଳ
କାନ୍ଥ ପିତୁଳା କି ଗ୍ରହ ତାରା ମାଳ ମାଳ
ସେହି ଭୂମି ଦେଖିବାକୁ ହୋଇଅଛି ରମ୍ୟ
ବଇକୁଣ୍ଠେ ଯେସନେକ ଗୋମାତା ଆଶ୍ରମ
ଖଣ୍ଡେ ଦୂରୁ ତୃଣାବର୍ତ୍ତ ଦେଖି ନାନାବିଧି
କାମରୂପୀ ଅସୁର ସେ ଜାଣେ ମାୟା ବୁଦ୍ଧି
ବିଚାରେ କେମନ୍ତେ ମୁହିଁ କରିବି ବିନାଶ
ଉଲୁକ ବିଦ୍ୟାପଢ଼ିଣ ହୋଇଛି ଅଦୃଶ୍ୟ
ଜାଜ୍ୱଲ୍ୟମାନ ତେଜରେ ପଶି ନ ପାରଇ
ଦେବ ଇନ୍ଦ୍ରପ୍ରାୟ ତେଜ ରହିଣ ଦେଖଇ
ଏହିରୂପେ ବେନି ଦିନ ରହିଲା ଗୁପତେ
ରାତ୍ର ଦିବସ ସେ ଛିଦ୍ର ବିଚାରଇ ଚିତ୍ତେ
କଂସକୁ ତ ଆଶା ଦେଇଅଛି ମାତାଛଳେ
ସମରେ ସହସ୍ରେ ଇନ୍ଦ୍ର ଜିଣିପାରେ ବଳେ
ଯାହା ପାଦଭାରେ ନିତ୍ୟ କମ୍ପେ ବସୁନ୍ଧରୀ
ଯା ପାଇଁ ଦେବସଭାରେ ବସୁଧା ଗୁହାରୀ
ପ୍ରଚଣ୍ଡ ମହାବଳ ସେ ତୃଣାବର୍ତ୍ତ ବୀର
ଯାର ନାମେ ମନ୍ଦ ମନ୍ଦ ବହଇ ସମୀର
ସୁର ସିଦ୍ଧ ମୁନି ଯାକୁ କରୁଥାନ୍ତି ଶଙ୍କା
ପୂତନାର ନନ୍ଦନ ଯେ ଅଟେ ରଣ ରଙ୍କା
ଜନକ ତାହାର ଗୁଣ ଗମ୍ଭୀର ଗୁଣ ଗନ୍ଧର୍ବ
ପୂତନା କରିଛି ତୃଣ ବନରେ ପ୍ରସବ
କଂସଠାରୁ ଶତଗୁଣେ ସେହୁ ବଳୀୟାର
ଦେବ ଦାନବରେ ବଧ ନୁହେଁ ତା ଶରୀର
ବ୍ରହ୍ମାଙ୍କୁ ପ୍ରବୋଧ କରି ବର ଅଛି ପାଇ
ତେଣୁ ତୃଣାବର୍ତ୍ତ ବୀର ଅବଧ୍ୟ ଅଟଇ
ମନକଲେ ତିନିପୁର ଜିଣିପାରେ ଏକା
ସମାନ ନୁହନ୍ତି ତାକୁ କେଶୀ ଷଣ୍ଢା ବକା
ଅନ୍ତରୀକ୍ଷେ ମହାବୀର ରହିଛି ଆରମ୍ଭେ
ଖଗରାଜ ମଧ୍ୟେ ଲୁଚିଅଛି ଏକ ଖମ୍ବେ
ଏମନ୍ତ ଯେ ସାତଘଡ଼ି ହୋଇଛି ରଜନୀ
ଅନ୍ତୁଡ଼ିଶାଳେ ଅଛନ୍ତି ମାତା ପୁତ୍ର ଘେନି
ସରିଲା ଦୁଗ୍ଧ ତରଣ ଯାତ୍ରାର ବିଧାନ
ଶାନ୍ତି ନିମିତ୍ତ ଆହୁତି ଦେଲେ ଆରଦିନ
ଅନେକ ଦାନ ଦକ୍ଷିଣା ଦେଲେ ବ୍ରାହ୍ମଣଙ୍କୁ
ମିଷ୍ଟଅନ୍ନ ଭୁଞ୍ଜାଇଲେ ବନ୍ଧୁବାନ୍ଧବଙ୍କୁ
ତଦନ୍ତେ ହୋଇଲା ଆସି ପୁଞ୍ଚୁଆତି ଦିନ
ବେଦଶାସ୍ତ୍ର ମତେ କଲେ ସକଳ ବିଧାନ
ବିନାୟକ ଆଦି ପଞ୍ଚଦେବ ପୂଜାକଲେ
ଦ୍ୱାଦଶ ଦେବତା ବରି ମଣ୍ଡଳେ ପୂଜିଲେ
ଅଷ୍ଟକୁଳନାଗ ଦଶଦିଗପାଳ ବରି
ସାତବାର ସତାଇଶ ନକ୍ଷତ୍ରାଦି କରି
ଏହି ମତେ ଶେଷ କଲେ ପୂଜାର ବିଧାନ
ଆନନ୍ଦେ ପୂରିଲା ତହିଁ ସବୁଙ୍କରି ମନ
ପୋଖତୀକି ଶୈଚ କଲେ ଶୁଦ୍ଧ ପୂତ ଜଳେ
ଶୁଆଇଲେ ଆନ ଶେଯ ପକାଇଣ ତଳେ
ତହିଁପରେ ଧାତ୍ରୀମାନେ ଆନନ୍ଦିତ ହୋଇ
ଭିନ୍ନ ଶେଯେ ଶ୍ରୀକୃଷ୍ଣଙ୍କୁ ଶୁଣାଇଲେ ନେଇ
ଚନ୍ଦ୍ରସେଣା ନାମେ ଗୋପ କୃଷ୍ଣର ମଉଳା
ଯଶୋଦାର ଭ୍ରାତା ସେହି ନନ୍ଦରାଜା ଶଳା
ସହସ୍ରେ ଗୋପାଳ ଘେନି ଅନ୍ତୁଡ଼ିକି ବେଢ଼ି
ରୁଞ୍ଜ ଗୁଞ୍ଜମାଳି ତାଙ୍କ କରେ କେନ୍ଦୁବାଡ଼ି
ମାରନ୍ତି ସେ ମତୁଆଳି ହୋଇ କରତାଳି
ନାଚନ୍ତି ଖେମଟା ନାଚ କହନ୍ତି ଢମାଳି
ପଞ୍ଚୁଆତି ଦଉଡ଼ି ଯେ ଶଏ ପାଞ୍ଚ ଗଜ
ବଳି ଚନ୍ଦ୍ରସେଣା କଲା ଦଉଡ଼ିକି ସଜ
ପାରୁଶରେ ଦୀପାବଳି ଗୁଆଘୃତେ ଜଳେ
ନିର୍ବନ୍ଧ ଅନ୍ତୁଡ଼ିଶାଳ ପିମ୍ପୁଡ଼ି ନ ଗଳେ
ମଉଳା ବସି ଅଛଇ ଉଜାଗରା ହୋଇ
ଖେଳ ରଙ୍ଗରେ ଢମାଳି ଢଗ ଗୀତ ଗାଇ
କପିଳା ଗୋମାତା ଷଠୀଦୁଛି କଲା ପୂଜା
ପୁଷ୍ପ ନଇବେଦ୍ୟ ଭୋଗ ଦେଲା ଖଣ୍ଡଖଜା
ଊର୍ଦ୍ଧ୍ୱ ଭାଗେ ଚନ୍ଦ୍ରାତପ ମଣ୍ଡିଲେ ସୁସଞ୍ଚ
ନାହିଁ ପଟାନ୍ତର ସ୍ୱର୍ଗ ରସାତଳ ମଞ୍ଚ
କୁଙ୍କୁମ ଚନ୍ଦନେ ଲିପାଇଲେ ଷଷ୍ଠୀଘର
ଅମର ଭୁବନ ପ୍ରାୟ ଦିଶିଲା ସୁନ୍ଦର
ମଣି ରତ୍ନ ଶୁଦ୍ଧ ହେମ ଜାତି ହୀରା ନୀଳା
ଖଞ୍ଜନ୍ତେ ସୁଷମା ପାଏ ଯେହ୍ନେ ଚନ୍ଦ୍ରଶାଳା
ଷଷ୍ଠୀ ନିଉଛାଇ ରୂପ ଲିହିଲେ ଭିତରେ
ଉଭା ତ୍ରୋଣା ପୂର୍ଣ୍ଣକୁମ୍ଭ ମଣ୍ଡି ନିରନ୍ତର
ଚାମର ମାଣିଜ୍ୟ ପାଟଝୁମ୍ପା ମାଳି ମାଳି
ଝଲକଇ ଗଜଦନ୍ତ ପାତିଆ ପିତୁଳି
ବିଶ୍ୱକର୍ମା ସହସ୍ରେକ ରୂପ ଆପେ ଧରି
ଶ୍ରୀକୃଷ୍ଣ ଅନ୍ତୁଡ଼ିଶାଳ ଅତି ଯତ୍ନେ କରି
ପରିମଳ ପାଟଣା ଯେ ପବିତ୍ର ଭୁବନ
ମାନବେ ଦୃଶ୍ୟନୋହି ସେ ଦେବେ ଦୃଶ୍ୟମାନ
ଯେଉଁ ନାରାୟଣ ସ୍ୱାମୀ ଜଗତର ପତି
ଭାରା ନିବାରଣେ ବାଳମୁକୁନ୍ଦ ମୂରତି
ସ୍ଥାବର ଜଙ୍ଗମ କୀଟ ଆଦି ଚାରିଖାନି
ସବୁଦେବଙ୍ଗ ଠାକୁର ଶିରେ ରତ୍ନ ମଣି
ଲକ୍ଷ୍ମୀ ସରସ୍ୱତୀଙ୍କର ବଲ୍ଲଭ ଯେ ସ୍ୱାମୀ
ଜଳ ସ୍ଥଳ ଅନଳେ ଯେ ପ୍ରଭୁ ଅନ୍ତର୍ଯ୍ୟାମୀ
ଶୁଭାଶୁଭ କର୍ମ ଯେହୁ କରିପାରେ ଆନ
ଦେବାଧି ଦେବରାୟ ଯେ ଠାକୁର ପ୍ରଧାନ
ଯମ ଇନ୍ଦ୍ର ନଇର୍ଋତ କୁବେରର ପଦ
ଅବହେଳେ ଦେଇପାରେ ଅଚଳ ସମ୍ପଦ
ଯାହା ଲୋମକୁ ବ୍ରହ୍ମାଣ୍ଡ ଲୋକଙ୍କର ଲୟେ
ନିର୍ମଳ ନିରାକାର ଯେ ନିରଞ୍ଜନ ମୟେ
ମନ ବୁଦ୍ଧି ଅହଙ୍କାରେ ନାହିଁ ଯାର ଲେଶ
କାମରୂପୀ ଆଦିମୂଳ ଅନନ୍ତ ପୁରୁଷ
ସେ ସ୍ୱାମୀ ଅନ୍ତୁଡ଼ିଶାଳେ ନନ୍ଦର ମନ୍ଦିରେ
ନିଶ୍ଚିନ୍ତେ ନିଦ୍ରା ଯାଇଛି ସୁପାତି ଶେଯରେ
ଉତ୍ସବ ବେଭାରେ ରହି ଉଜାଗରେ ମାତି
ନିଦ୍ରା ଘାରନ୍ତେ ସରବେ ଶୋଇବାକୁ ଯାନ୍ତି
ଏ ବେଳକୁ ଥିଲା ଆଉ ତିନିଘଡ଼ି ରାତି
ଅଲସଭରେ ସକଳେ ନିଶ୍ଚିନ୍ତେ ଶୁଅନ୍ତି
ଏହି ଶିରୀ ଭାଗବତ ପୁଣ୍ୟମୟ ଧ୍ୱନି
ଭଜଇ ଅଚ୍ୟୁତାନନ୍ଦ ରାମକୃଷ୍ଣ ବେନି ।

ତୃଣାବର୍ତ୍ତ ବଧ

[ସମ୍ପାଦନା]

କହନ୍ତି ଯେ ଶୁକଯତି ପରୀକ୍ଷ ଶୁଣନ୍ତି
ଯାହା କି ଭିଆଣ କରିଅଛି ପ୍ରଜାପତି
ଏତେକ ଛିଦ୍ର ପାଇଣ ଉସତ ରାକ୍ଷସ
ସମସ୍ତଙ୍କ ନିଦ୍ରା ଦେଖି ହୋଇଲା ହରଷ
ମନେ ବିଚାରିଲା କଂସ ରାଜାର ତ ଭାଗ୍ୟ
ନନ୍ଦର ଯେ ବେନିପୁତ୍ର ପଡ଼ିଲେ ମୋ ଆଗ
ଏହିକ୍ଷଣି ଛାମୁରେ ମୁଁ ଦେବି ନେଇ ଧରି
ଛାଡ଼ିବ ଚିନ୍ତା ରାଜନ ୟାଙ୍କୁ ବଧ କରି
ଏମନ୍ତ ବିଚାରି ସେହି ଗଲା କୃଷ୍ଣ କତି
ସିଂହଛୁଆ ଧରିବାକୁ ଶ୍ୱାନ କରେ ଗତି
ବତିଶ ଅଙ୍କୁଶ ବଳ ତୃଣାବର୍ତ୍ତ କ୍ଷତ୍ରୀ
ବିଧାଘାତେ ଚୂର କରିପାରେ ବସୁମତୀ
ମନେ ବିଚାରିଣ ବୀର ହେଲା ଉନମତ୍ତ
ଏହାଙ୍କୁ ଧରି ମାରିବି କରିବି ଗୁପତ
ଯାଇ ତହିଁ ବୀର ବେଗେ ବାଳରୂପୀ ହରି
ପୁଣ ପୁଣ ଉଛୁଡ଼ଇ ଘୋର ନାଦ କରି
ପୁଣ ଆକର୍ଷଣ କରି ଲୋଡ଼ଇ ସେ ଧରି
ଶ୍ରମେ ଅସୁରର ଝାଲ ଗଳେ ଅଙ୍ଗଥରି
ଏହିରୂପେ ବିଚାରି ସେ କରଇ ସାହସ
ସପତ ବ୍ରହ୍ମାଣ୍ଡଯାକେ କମ୍ପୁଛି ବିଶେଷ
ହୁଙ୍କାର ନାଦ କରିଣ ଆକର୍ଷେ ଦଇତ
ପିମ୍ପୁଡ଼ି ପ୍ରାକର୍ମେ କାହିଁ ଟଳଇ ପର୍ବତ
ତେଡ଼େ ବଳବନ୍ତା ବାଳୁତର ଭୁଜଧରି
ପୁଣ ପୁଣ ଓଟାରଇ ନାନା ଭଙ୍ଗି କରି
ଏମନ୍ତେ ଅନେକ ମତେ କରଇ ସାହସ
ସପତ ବ୍ରହ୍ମାଣ୍ଡଯାକ ବଳହିଁ ଅଶେଷ
ଅସୁର ପ୍ରାକର୍ମେ କାହିଁ ପାରେ ତାକୁ ଚାଳି
ମନରେ ଅତି ବିଷାଦ ପାଇ ମହାବଳୀ
ଶରୀରରୁ ଶ୍ରମଝାଳ ଗଳେ ଝର ଝର
କର ଚରଣ ନ ଚଳେ ଶ୍ୱାସ ବହେ ଖର
ପୁଣି ମନେ ବିଚାରେ ମୁଁ କରିବଇଁ କିସ
ତୋ କାର୍ଯ୍ୟସାଧିବି ବୋଲି କଂସେ ଦେଲି ଆଶ
ମୋର ବଚନକୁ ରାଜା ଭରସା କରିଛି
ବିଚାରନ୍ତେ ମୋର କାର୍ଯ୍ୟ ନୋହିଲାକ କିଛି
କିଞ୍ଚିତେ ଭୂମିରୁ ଏହି ପୁତ୍ର ନ ଚଳିଲା
କେଉଁ ପ୍ରକାରେ ମାରିବି ମନେ ବିଚାରିଲା
ଯଦ୍ୟପି ମୁହିଁ ବାହୁଡ଼ି ଯିବି ଏଥୁ ଆଜ
ଜନମୁଖରେ ଗଞ୍ଜଣା ହେବ ପୁଣ ଲାଜ
ଜନ୍ମ ହେଲା ପଞ୍ଚରାତ୍ର ବାଳକ ବୟସ
ତୋଳି ନ ପାରି କି ବୋଲି ଯିବ ରାଜାପାଶ
ପାରିବି କି ନ ପାରିବି ଦେଖେ ଆଉ ଥରେ
ଏତେ ପାଞ୍ଚି ତୃଣାବର୍ତ୍ତ ଧଇଲା ଟାଣରେ
ଧାଈଗଣମାନେ ତହିଁ ଛନ୍ତି ନିଦ୍ରା ଯାଇ
ଯଶୋଦା ଆଦି ସକଳେ ଅଛନ୍ତି ତ ଶୋଇ
ଅନ୍ତର୍ଯ୍ୟାମୀ ପୁରୁଷ ସେ ଜାଣେ ସର୍ବବିଧି
ବିଚାରିଲେ ଦେବ କାର୍ଯ୍ୟ ଥୋକେ ହେବ ସିଦ୍ଧି
ଏ ଯେ ତୃଣାବର୍ତ୍ତ ବୀର କଂସ ନିଜ ସଖା
ପୂର୍ବେ ପିତାମହ ବର ଦେଇଛନ୍ତି ଭୋଳେ
ଅଗ୍ନିରେ ନ ପୋଡ଼ିବ ଏ ନ ବୁଡ଼ିବ ଜଳେ
ଦେବ ଦାନବ ମାନବ ଦୁର୍ଲ୍ଲଭ ୟା କଥା
ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ମୃତ୍ୟୁ ନାହିଁ ଯଥା
କୂଟରେ ପ୍ରାଣ ଏହାର ଘେନିବି ମୁଁ ଆଜ
ସ୍ଥିର ହେବ ବସୁନ୍ଧରୀ ହେବ ଦେବ କାର୍ଯ୍ୟ
ଏମନ୍ତ ବିଚାର କରି ଦେବଙ୍କର ରାଜା
ତିଳ ପୁଷ୍ପରୁ ଉଶ୍ୱାସ ହେଲେ ମହାତେଜା
ମହାବୀର ତୃଣାବର୍ତ୍ତ କୃଷ୍ଣ ଭୁଜ ଧରି
ଅବହେଲେ ନେଇ କାଖେ ଜାକେ ଆଣ୍ଟକରି
ଦକ୍ଷିଣ ହସ୍ତରେ ଗଦା ବାମହସ୍ତେ କାତି
ପ୍ରଚଣ୍ଡ କୋପାନଳ ସେ ଭୟଙ୍କର ମୂର୍ତ୍ତି
ତୃଣାବର୍ତ୍ତ କାଖେ ବିଜେ କଲେ କୃପାସିନ୍ଧୁ
ପ୍ରକାଶ ବାଳମୁକୁନ୍ଦ ରୂପ ଜଗବନ୍ଧୁ
ସେ ଅସୁର କାମରୂପୀ ଜାଣେ ନାନାମାୟା
କହୁ କହୁ ବିସ୍ତାରିଣ ଦେଲା ନିଜ କାୟା
ଆକାଶ ମଣ୍ଡଳେ ଶିର ଲାଗିଲାକ ଯାଇ
ଦେଖି ଦେବତାଏ ଭୟେ ନ ରହିଲେ କେହି
ବିକଟ ବଦନ ତାର ଭୟଙ୍କର ମୂର୍ତ୍ତି
ନୟନ ନିର୍ଧୂମ ଅଗ୍ନି ବିରାଜଇ ଜ୍ୟୋତି
ଉଡ଼ନ୍ତା ପକ୍ଷୀ ଯେପରି ଚଳେ ଶୂନ୍ୟମାର୍ଗେ
ମଥୁରାକୁ ଯିବ ବୋଲି ଯାଏ ବେଗେ ବେଗେ
ଦାନ୍ତ ରଟମଟ କରି ଚାପଇ ଅଧର
କିଳିକିଳା ନାଦ କରି ଚଳେ ମହାବୀର
ଆକାଶେ ଚଳଇ ମହାମେଘ ପ୍ରାୟ ଜାଣି
ଶୁକବ୍ରହ୍ମା ବୋଇଲେ ହୋ ପରୀକ୍ଷ ନୃମଣି
ଅନନ୍ତ ମାୟାଧର ସେ ପ୍ରଭୁ ପୀତବାସ
ଅଶେଷ କୋଟି ବ୍ରହ୍ମାଣ୍ଡ ଯା ରୋମୁଁ ପ୍ରକାଶ
ଭୂଲୋକ ଯେ ଭୁବଲୋକ ସୁରଲୋକ ମୂଳେ
ମହାଲୋକ ଜନ ତପ ସତ୍ୟ ଏ ମଣ୍ଡଳେ
ଉପରେ ତ ଛୟାଣୋଇ ଲୋକ ଯେ ପ୍ରସିଦ୍ଧ
ମନ୍ଦ ଛନ୍ଦ ବିବର୍ଜିତ ଅହଙ୍କାର ବାଦ
ପାତାଳରେ ଚଉରାଶୀ ନାଗକୁଳ ଯାଏ
ସଦାନନ୍ଦ ଜ୍ୟୋତି ସେହି ପୁଣ୍ୟ ହିତକାୟେ
ପୃଥିବୀର ଭାରାଭର ନିବାରଣ ଅର୍ଥେ
ଦେହ ବହି ଅବତାର ହୋଇ ପୁଣ୍ୟପଥେ
ଦାନବର ମାୟା ଜାଣି ପାରି ପଦ୍ମନେତ୍ର
ବିଶ୍ୱରୂପ ପ୍ରକାଶିଲେ ବ୍ୟାପେ ନିଜଗାତ୍ର
ପବନହୁଁ ବେଗେ ବେଗେ ଚଳି ମହାବଳୀ
ତାର ବକ୍ଷସ୍ଥାଳେ ମାଡ଼ି ବସି ବନମାଳୀ
ଅଙ୍କୁଶ ବାଜିଲେ ଯେହ୍ନେ ମତ୍ତଗଜ ଥୟ
ତେସନ ମାଡ଼ି ବସିଲେ ଅସୁରର କାୟ
ଯେହ୍ନେ ବିକ୍ରମକେଶରୀ ତେଜ ଅନର୍ଗଳ
ଆକର୍ଷିଣ ବିଦାରଇ ହସ୍ତୀ ବକ୍ଷସ୍ଥଳ
ବିନତାନନ୍ଦନ ଯେହ୍ନେ ଥଣ୍ଡେ ନାଗ ଧରେ
ଶ୍ୟାମଳ ବସେ ଯେସନ ବକର ଉପରେ
କିଳିକିଳା ରାବେ ଦୈତ୍ୟ ଗର୍ଜେ କୋପଭରେ
ମାଡ଼ି ବସିଲେକ ପ୍ରଭୁ ଅସୁର ଛାତିରେ
ପତଙ୍ଗ ଉପରେ ଯେହ୍ନେ ଚିଲ ମାଡ଼ିବସେ
ତେସନ ମାଡ଼ି ବସିଲେ ତାର ଉରଦେଶେ
ବଳବନ୍ତକୁ ନିର୍ବଳ ଡରେ ଯେହ୍ନେ ଭାଷେ
ଅତିଦୁଃଖେ ତୃଣାବର୍ତ୍ତ ଶିବ ଶିବ ଘୋଷେ
ମାଡ଼ି ବସିଲେକ ପ୍ରଭୁ ଭୟଙ୍କର ତେଜ
ଦନୁଜ ହେଲାକ ହୀନବଳ ହତବୀର୍ଯ୍ୟ
ନୃସିଂହରୂପ ଧଇଲେ ପ୍ରଭୁ ଯେତେବେଳେ
ବ୍ରହ୍ମାଣ୍ଡ ଦହନ କିବା ହେବ କୋପାନଳେ
ପୂର୍ବେ ହିରଣ୍ୟକଶିପୁ ମାଇଲେ ଯେସନ
କାଣି ଆଙ୍କୁଠିର କୋଣେ ହୋଇଲା ଗୋପନ
ବ୍ରହ୍ମଲୋକ ପରିଯନ୍ତେ ଲାଗେ କର୍ଣ୍ଣାଞ୍ଚଳ
ଭୟଙ୍କର ମୂରତି ସେ ପ୍ରଭୁ ଆଦିମୂଳ
ଲହ ଲହ ଜିହ୍ନା ସ୍ୱାମୀ ନେତ୍ର ଜ୍ୱଳାବଳୀ
ନିଃଶ୍ୱାସ ବାତେ ଉଠିଲା ମନ୍ଦର ମଉଳି
ସେହି ନୃସିଂହ ମୂରତି ଧଇଲେ ଆପଣେ
ଅର୍ଦ୍ଧଆକାଶେ ଦେଖନ୍ତି ଥାଇ ଦେବଗଣେ
ଗନ୍ଧର୍ବଗଣ ଦେଖିଣ ହେଲେ ଅତି ତୁଷ୍ଟି
ଦେଖୁଛନ୍ତି ବ୍ରହ୍ମରାଜ ଦେବ ଋଷି ଗୋଷ୍ଠୀ
ସମସ୍ତେ କରୁଅଛନ୍ତି ପ୍ରଭୁଙ୍କ ପ୍ରଶଂସା
ଶୁକ ସନକାଦିଙ୍କର ଶିବ ଶିବ ଭାଷା
ଭେରୀ ମର୍ଦ୍ଦଳ ମହୁରୀ ତୂରୀ ଶଙ୍ଖଧ୍ୱନି
ସାମଗାୟନ କରନ୍ତି ଦେବ ପଦ୍ମଯୋନି
ବୃହସ୍ପତି କହୁଛନ୍ତି ଇନ୍ଦ୍ରମୁଖ ଚାହିଁ
ନାରାୟଣ ବିଶ୍ୱମୂର୍ତ୍ତି ଦେଖ ଶଚୀସାଇଁ
ମଧୁକୈଟଭ ମାରିବାବେଳେ ଯେଉଁ ମୂର୍ତ୍ତି
ଏତେବେଳେ ସ୍ୱାମୀଙ୍କର ଦେଖ ସେହିଜ୍ୟୋତି
ଅର୍ଦ୍ଧ ଆକାଶରେ ଯାଇ ଲାଗିଅଛି ଶିର
ଘଡ଼ଘଡ଼ି ଶବ୍ଦ ପ୍ରାୟ ନାଦ ଗୁରୁତର
ଦୁର୍ବାର ଦାନବ ଜାକି ଥିଲାକ କାଖରେ
ଈଷିତେ ମାଡ଼ି ବସିଲେ ସ୍ୱାମୀ ତା ବେକରେ
କାନ୍ଧେ ପାଦ ଦେଇ ପ୍ରଭୁ ଅନ୍ତରୀକ୍ଷେ ଉଭା
ହିମ ପରବତେ ଯେହ୍ନେ ନୀଳକଣ୍ଠ ଶୋଭା
କାନ୍ଧେ ହସ୍ତ ମାଡ଼ି ଦେଇ ପଛକୁ ତା ମୁଣ୍ତ
ଶରୀରୁ ପ୍ରାଣ ଯାଆନ୍ତେ ହେଲା ବେନିଖଣ୍ତ
ମୃତପିଣ୍ତକୁ ହସ୍ତରେ ଧରି ଲକ୍ଷ୍ମୀସାଇଁ
କଂସରାଜା ସିଂହଦ୍ୱାରେ ଦେଲେ ଫୋପାଡ଼ାଇ
ପାହିବାକୁ ବେନି ଦଣ୍ତ ଅଛଇ ରଜନୀ
କଂସ ସିଂହଦ୍ୱାରେ ପଡ଼େ ଗଣ୍ତିମୁଣ୍ତ ବେନି
ଦାନବ ବଧ କରିଣ ଦେବ ବନମାଳୀ
ପୁଣ ବାଳୁତ ରୂପକୁ ଧରି କଲେ କେଳି
ଅନ୍ତୁଡ଼ି ଶାଳେ ଶଯ୍ୟାରେ କଲେକ ଶୟନ
ଏସନକ ମାୟା କେହି ନ ଜାଣନ୍ତି ଆନ
ତୃଣାବର୍ତ୍ତର ଶରୀରେ ପୁରୁଷେକ ଥିଲା
ସୁବର୍ଣ୍ଣ ବିମାନେ ବସି ସ୍ୱର୍ଗପୁରେ ଗଲା
ଗନ୍ଧର୍ବେ ନୃତ୍ୟ କରନ୍ତି ରହି ତା ଛାମୁରେ
ଏକଲକ୍ଷ ପାଟଛତ୍ର ଉଡ଼େ ନିରନ୍ତରେ
ଅମର ଦୁନ୍ଦୁଭି ବାଦ୍ୟ ଦେବବାଦ୍ୟ ବାଜେ
ସେ ଗନ୍ଧର୍ବ ଦିବ୍ୟବେଶ ହୋଇ କଲା ବିଜେ
ରାତ୍ର ବେନି ଦଣ୍ତ ଆଉ ଅଛି ପାହିବାକୁ
ଅଳସ ଘାରି ଅଛଇ ସକଳ ଜନଙ୍କୁ
ଧାଈ ପରିବାରୀ ସବୁ ଅଛନ୍ତି ଯେ ଶୋଇ
ଦଇବୀ ମାୟାରେ ତହିଁ ସବୁ ନିଦ୍ରା ଯାଇ
ମାତୁଳ ସେ ଚନ୍ଦ୍ରସେଣା ଗୋପାଳଙ୍କୁ ଘେନି
ଯେ ଯାହାରେ ଶୋଇଛନ୍ତି ଦେଇଣ ମୂର୍ଦ୍ଧନି
କଂସ ସିଂହଦ୍ୱାରେ ପଡ଼େ ତୃଣାବର୍ତ୍ତ ମୁଣ୍ତ
ଗିରିବର ସଦୃଶ ସେ ହୋଇ ବେନିଖଣ୍ତ।
ଧନ୍ୟ ସେହି ତୃଣାବର୍ତ୍ତ କୃଷ୍ଣ ହସ୍ତେ ମଲା
ପୁଷ୍ପକ ଯାନ ଆରୋହି ସ୍ୱର୍ଗପୁରେ ଗଲା
ଅମର ସଦୃଶ ବସେ ସିଂହାସନେ ଯାଇ
ଶଚୀ ସହ ସୁରସାଇଁ ଅର୍ଘ୍ୟରେ ବନ୍ଦାଇ
ଗନ୍ଧର୍ବ ବିଦ୍ୟାଧର ଏ ସବୁଙ୍କରେ ପୂଜ୍ୟ
ନିଜ ପଦ ପାଇଲା ସେ ଦାନବ ତନୁଜ
ଏହା ଶୁଣିଣ ନୃପତି ପରୀକ୍ଷ ପଚାରି
ବଡ଼ ରହସ୍ୟ କଥା ତ କହିଲ ବିଚାରି
ଯେବଣ ପ୍ରାଣୀ ସ୍ୱର୍ଗରେ ପୂଜା ପାଏ ଏତେ
ଅସୁର ରୂପରେ ସେହି ରହିଲା କେମନ୍ତେ
ଆବର କୃଷ୍ଣରେ କଲା ବିଶେଷ ସେ ଦ୍ରୋହ
ଏକଥା ବିସ୍ତାରି ଗୁରୁ ମୋତେ ତୁମ୍ଭେ କହ
ରାଜାର ଭକତି ଦେଖି ବ୍ୟାସର ତନୟ
ଆରମ୍ଭିଲେ କଥାମାନ ଅତି ପୁଣ୍ୟମୟ
ଶୁଣ ସାବଧାନେ ତୁମ୍ଭେ ସୁଭଦ୍ରାର ନାତି
ପବିତ୍ର ପୁରାତନ ଯେ ପୁରାଣ ଉକତି
ଦକ୍ଷ ପ୍ରଜାପତି ଯେବେ ମହାଯଜ୍ଞ କଲେ
ଚଉଦ ବ୍ରହ୍ମାଣ୍ତଯାକ ସେ ଯଜ୍ଞେ ବରିଲେ
ଭୁବଲୋକ ମର୍ତ୍ତ୍ୟଲୋକ ସ୍ୱର୍ଗଲୋକ ମୂଳେ
ମହଲୋକ ଜନଲୋକ ତପଲୋକ ମେଳେ
ମହଲୋକ ଜନଲୋକ ନକ୍ଷତ୍ର ଯେ ଆଦି
ଧର୍ମଲୋକ ସୁରଲୋକ ଯୁଗଲୋକ ଭେଦି
ସତ୍ୟଲୋକ ଧ୍ରୁବଲୋକ ସିନ୍ଧୁ ଯେ ସମସ୍ତେ
ବ୍ରହ୍ମଲୋକ ରୁଦ୍ରଲୋକ ବିଷ୍ଣୁଲୋକ ଯେତେ
ଏମନ୍ତ ଏ ଏକୋଇଶ ପୁର ଜନବାସୀ
ଏ ସମସ୍ତଙ୍କୁ ବରଣ କଲେ ଦକ୍ଷ ଆସି
ଆକାର ଉକାର ପୁଣି ମକାରକୁ ଧରି
ରକ ଯଜୁ ସାମବେଦ ଅଥର୍ବକୁ ବରି
ଯଥା ବିଧିରେ ବରଣ ସମସ୍ତଙ୍କୁ କରି
ସତ୍ୟ ତ୍ରେତା ଦ୍ୱାପର ଯେ କଳିଯୁଗ ଚାରି
ଭାଗବତ ଅଷ୍ଚାଦଶ ପୁରାଣକୁ ବରି
ମେରୁ ଦକ୍ଷିଣ ପାରୁଶେ ସୁମେରୁ ପର୍ବତ
ବିଷ୍ଣୁର କଳା ଗଣ୍ତୁକୀନଦୀ ଯେ ବିଦିତ
ସେ ନଦୀତଟେ ନିର୍ଧୂମନାମେ ମହାବନ
ବେନି ବେନି କୋଶ ଦୀର୍ଘ ପ୍ରତି ଆୟତନ
ଆତ୍ରେୟ ନାମରେ ଋଷି ତହିଁ ପୂର୍ବେ ଥିଲେ
ଅଶ୍ୱମେଧ ଯାଗକରି ଅରପଣ କଲେ
ବ୍ରହ୍ମାଙ୍କର ସର୍ଜ୍ଜନା ସେ ବନ ପୁଣ୍ୟମୟ
ପ୍ରତ୍ୟକ୍ଷେ ଚନ୍ଦ୍ର ସୂର୍ଯ୍ୟ କି ହୋଇଛି ଉଦୟ
ସେ ଭୂମିରେ ଆହରଣ କଲେ ହୋମକୁଣ୍ତ
ସୂତ୍ର ପକାଇ ସମସ୍ତେ ହୋଇ ଏକରୁଣ୍ତ
ଶତେ ଅଷ୍ଟୋତ୍ତର ଯୂଣ ଅଟେ କୁଣ୍ତସ୍ଥଳୀ
ଆପଣେ ବ୍ରହ୍ମା ଯେ ମହାମନ୍ତ୍ରେ ହୋମକରି
ପ୍ରଚଣ୍ତକାଳ ଅନଳ ଅତି ବିକରାଳ
ପ୍ରଜ୍ଜ୍ୱଳ ହୋଇ ଘୋଟିଲା ଆକାଶ ମଣ୍ତଳ
ଏମନ୍ତେ ସହସ୍ର ଶାଖା ହୋଇ ଏକମୂର୍ତ୍ତି
ପ୍ରତ୍ୟକ୍ଷେ ଦୋହରା ଅଗ୍ନି ଦାବାନଳ ଜ୍ୟୋତି
ସ୍ୱାହା ସ୍ୱଧା ବଷଟ୍‌କାର ଅଟଇ ସେ ଜିତା
ବୃହତ୍ସାମରେ ଆହୁତି ଦିଏ ବ୍ରହ୍ମବେତ୍ତା
ତିଳ ତଣ୍ତୁଳ ସମିଧ ଘୃତ ନାନାବିଧି
ଅଗ୍ନି ଭିତରେ ପକାନ୍ତି ନେଇ ତପୋନିଧି
ଅଶେଷଲୋକ ଜିଣିଣ ଉଠିଲାକ ଶିଖା
ରାତ୍ର ଦିବସ ବୋଲି ଯେ ନାହିଁ ତହିଁ ଲେଖା
କୋଟି ବ୍ରହ୍ମଋଷି ବାଳଖିଲ୍ୟାଙ୍କ ସହିତେ
ଆହୁତି ଦିଅନ୍ତି ଜଣେ ଜଣେ ମହାମନ୍ତ୍ରେ
ସମାରୋହରେ ଆହୁତି ଦିଅନ୍ତି ଯାଜ୍ଞିକେ
ବିବେକୀ ବିଚାରକାରୀ ନ୍ୟାୟବନ୍ତ ଲୋକେ
ମହାରମ୍ଭେ ଯାଗପୂଜା କଲେ ଦକ୍ଷରାଜା
ଯେ ଯାହାର ଅନୁକ୍ରମେ କଲେ ଦ୍ୱିଜପୂଜା
ଶୁଣ ହୋ ପରୀକ୍ଷ ରାଜା ବୋଲେ ଶୁକଯତି
ଏ ଶିବପୁରାଣ କଥା ଭାଗବତେ ସ୍ଥିତି
ଉଁକାରି ସାମ ଗାୟନ କରି ହରିଧ୍ୱନି
କପିଳାସରେ ମିଳିଲେ ନାରଦ ଯେ ମୁନି
ଦେଖିଲେ ଶୁଦ୍ଧ ସ୍ଫଟିକ ପୁର ଦିବ୍ୟଜ୍ୟୋତି
ରତ୍ନ ସିଂହାସନେ ବିଜେ ଶଙ୍କର ପାର୍ବତୀ
କାର୍ତ୍ତିକ ଜୟନ୍ତ ଅଜୟନ୍ତ ଗଣପତି
ବେଢ଼ିଣ ଅଛନ୍ତି ଚାରିପୁତ୍ରେ ଚଉକତି
ପାବଚ୍ଛର ତଳେ ନନ୍ଦି ଭ୍ରୁକୁଟି ଏ ବେନି
ଆବୋରି ଅଛନ୍ତି କରେ ଶୂଳଶସ୍ତ୍ର ଘେନି
ଭଇରବ ବିରୂପାକ୍ଷ ନାଗାର୍ଜ୍ଜୁନ ମେଳେ
ଏ ତିନିହେଁ ଉଭା ତହିଁ ପାବଚ୍ଛର ତଳେ
ଅପୂର୍ଣ୍ଣା ଗଙ୍ଗାଦେବୀ ଯେ ନିଧି ବସୁମତୀ
ଏ ଚାରିକୋଳେ ବସାଇଛନ୍ତି ପଶୁପତି
କରେ ତ୍ରିଶୂଳ ଡମ୍ବରୁ ପିନାକ କର୍ପଟ
ବହନ୍ତି କାଳଗରଳ ବିଷ କଣ୍ଠତଟ
ନାନାରତ୍ନରେ ଶୋଭିତ ଦିଶେ ଦିବ୍ୟହାର
ଲୋହିତ ପିଙ୍ଗଳ ପୁଣି ଜଟାଜୂଟ ଭାର
କପିଳା ମଳ ବିଭୂତି ବିଭୂଷଣ କାୟ
ଭେଦ ମୁଦ୍ରା ଲଗାଇଣ କନ୍ଧେ ନାଗରାୟ
କପିଳ ବୃଷଭ ସେ ଯେ ନନ୍ଦିନୀର ବଳା
ଛାମୁରେ ଉଭା ହୋଇଛି ତେଜେ ଅନର୍ଗଳା
ଅତିଶୋଭା ପାଉଅଛି ତିନିଗୋଟି ନେତ୍ର
ଶଙ୍ଖ ଗୋକ୍ଷୀର ବଦନ ବିରାଜଇ ଗାତ୍ର
ଅଠଣୋଇ କୋଟି ରୁଦ୍ରଗଣ ମହାସିଦ୍ଧ
ଅନାଦି ସାଧନ ଯୋଗୁଁ କରି ସିଂହନାଦ
ଏସନ ସ୍ୱରୂପେ ସେହି ସଦାନନ୍ଦ ସ୍ୱାମୀ
କପିଳାସେ ବିଜେ ଦେବ ମହାଯୋଗ ଭ୍ରମି
ଅଙ୍କେ ପାର୍ବତୀଙ୍କୁ ଘେନି ବିଜେ କାଶୀବାସୀ
ଏକାଳେ ଆସି ମିଳିଲେ ନାରଦ ମହର୍ଷି
ଖଣ୍ଡେ ଦୂରୁ ନାରଦ ଯେ ଈଶ୍ୱରଙ୍କୁ ଦେଖି
ସାଷ୍ଟାଙ୍ଗେ ପ୍ରଣାମ କଲେ ଦଣ୍ଡକୁ ଉପେକ୍ଷି
ନାରଦମୁନି ପ୍ରଣମି ଈଶ୍ୱରଙ୍କ ପାଦେ
ଦେଖି ଅତି ଆନନ୍ଦିତ ଦେବ ସଦାନନ୍ଦେ
ପାର୍ବତୀଙ୍କୁ ଦରଶନ କରି ଦେବଋଷି
ବୋଲନ୍ତି ତୁମ୍ଭର ପିତା ଯାଗ କଲେ ବସି
ଏକୋଇଶ ବ୍ରହ୍ମାଣ୍ଡେ ଯେ ଜୀବଜନ୍ତୁ ଥିଲେ
ଅକ୍ଷତ ତଣ୍ତୁଳ ଦେଇ ସମସ୍ତ ବରିଲେ
ଅନେକ ସମାରୋହେ ସେ ଘେନିଛନ୍ତି ଦୀକ୍ଷା
ମନ୍ତ୍ର ଅକ୍ଷତରେ ଦଶଦିଗ କରି ରକ୍ଷା
ତାହାଙ୍କ ଜ୍ୟେଷ୍ଠ ଦୁହିତା ତୁମ୍ଭେ ମାହେଶ୍ୱରୀ
ତ୍ରୈଲୋକ୍ୟ ଠାକୁରାଣୀ ତୁ ଶିବ ମନୋହାରୀ
ତୁମ୍ଭ ଭଳି ଲୋକଙ୍କୁ ତ ବିଡ଼ମ୍ବଣ ଏତେ
ତୁମ୍ଭଙ୍କୁ ନ ବରି ଆଉ ବରିଲା କେମନ୍ତେ
ପାର୍ବତୀ ପରି ଦୁହିତା ଈଶ୍ୱର ଜୁଆଇଁ
ଜାଣୁ ଜାଣୁ ଧର୍ମଛଡ଼ା ହେଲା ପ୍ରଭୁ ହୋଇ
ଯାତ୍ରା ଯାଗ ଉତ୍ସବାଦି ବିବାହ ଯେ କରି
ଧର୍ମଶାସ୍ତ୍ର ପ୍ରମାଣେ ତ ଜୁଆଇଁକୁ ବରି
ଆନ ଜ୍ୱାଇଁଠାରୁ ଜ୍ୟେଷ୍ଠଜ୍ୱାଇଁ ଅଗ୍ରବାସୀ
ଅବଧ୍ୟ ଦୁହିତାପତି ଶାସ୍ତ ଅଛି ଭାଷି
ଆବର ହୋଇଛି ପୂଜାକାଳ ଏ ସମୟେ
ଏଣୁ ବିଡ଼ମ୍ବନା ମୋତେ ଲାଗିଲା ଗୋ ମାଏ
ଅନନ୍ତ କୋଟି ବ୍ରହ୍ମାଣ୍ଡ ଈଶ୍ୱର ଯେ ପୁଣି
ତୁମ୍ଭେ ତାହାଙ୍କର ଅଙ୍ଗ ମାନଉଦ୍ଧାରିଣୀ
ନାରଦମୁନି ମୁଖରୁ ଏ ବଚନ ଶୁଣି
ମନେ ମନେ ମହାଲଜ୍ଜା ପାଇ ଠାକୁରାଣୀ
ଈଶ୍ୱରେ ପାର୍ବତୀ ମୁଖ ଚାହିଁ ହସ ହସ
କରତାଳି ମାଇଲେକ କାର୍ତ୍ତିକ ଗଣେଶ
ଗଙ୍ଗାଦେବୀ ଶୁଣିଲେକ ପାର୍ବତୀଙ୍କ କଥା
ତେଣୁ ପାର୍ବତୀ ପାଇଲେ ମନେ ବଡ଼ବ୍ୟଥା
କହନ୍ତି ସେ ଈଶ୍ୱରଙ୍କ ଆଗେ ମଞ୍ଜୁବାଣୀ
ପିତା ମୋର ଦକ୍ଷ ଅଟେ ସଂସାର କାରେଣୀ
ଜୀବଜନ୍ତୁ ପ୍ରାଣୀସବୁ ସର୍ଜିଲା ଆପଣେ
ସ୍ଥାପିଲା ଅନୁସନ୍ଧାନ କରି ଜଣେ ଜଣେ
ଆବର କରୁଅଛନ୍ତି ମହାଯାଗ ସଭା
କାର୍ଯ୍ୟେ ତତ୍ପର ପାସୋରି ଅଛନ୍ତି ସେ ଅବା
ନୋହିଲେ ଯେବଣ ଦୂତ ପଠାଇଲେ ବରି
ସେ ଅବା ପାସୋରି ଗଲା ବରଣ ନ କରି
କି ଅବା ଆସୁ ଆସୁ ସେ ନୋହିଛି ପ୍ରବେଶ
ଅପାର ଦୂର ଅଟଇ ପୁର କଇଳାସ
ବାଟେ ଆସୁ ଅବା ଦୂତ ଶତ୍ରୁ ଗଲା ମାରି
ବୋଇଲେ ଏସନ ରୂପେ ଦେବୀ ଶାକମ୍ଭରୀ
ଶୁଣି ବୋଇଲେ ଈଶ୍ୱରେ ଦେବୀ ମୁଖ ଚାହିଁ
ଏଥିର କଥା ଶଙ୍ଖୋଳି ଆସ ତୁମ୍ଭେ ଯାଇ
କିପାଁ ଶ୍ୱଶୁର ଆମ୍ଭଙ୍କୁ ନ ବରିଲେ ବୁଝ
ଏକେ ବନ୍ଧୁଶ୍ରେଷ୍ଠ ଆମ୍ଭେ ଅଟୁ ଦେବରାଜ
ଏଡ଼େ ଅପମାନ କିପାଁ ଶ୍ୱଶୁରେ ତ ଦେଲେ
ଆଜ୍ଞା ପାଇଣ ପାର୍ବତୀ ଧାତିକାରେ ଗଲେ
ମହାସିଂହ ଚଢ଼ି ଦେବୀ ଗଲେ ଗଗନରେ
ଯାଉଁ ଯାଉଁ ମନ୍ଦକଥା ଦେଖିଲେ ବାଟରେ
ସମାରୋହେ ଯାଗେ ବିଜେ ଦକ୍ଷ ପ୍ରଜାପତି
ପାର୍ବତୀ ଯାଇଣ ବିଜେ କଲେ ରାଜାକତି
ବ୍ରହ୍ମାର ମୂଳେ ଦେବତା ତେତିଶ ଯେ କୋଟି
ତିଳ ତଣ୍ଡୁଳ ପ୍ରୋକ୍ଷଣ ପ୍ରଣୀତ ଯେ ଘଟୀ
ବିଶ୍ୱକର୍ମା ନିର୍ମାଣିଛି ଯାଗଶାଳା ଘର
ସହସ୍ର ଯୋଜନ ଦୀର୍ଘ ପ୍ରତିର ଓସାର
ଯହିଁ ଯାଗ କରୁଥିଲେ ଦକ୍ଷ ପ୍ରଜାପତି
ସେ ସ୍ଥାନେ ସତ୍ୱର ଯାଇ ମିଳିଲେ ପାର୍ବତୀ
ବ୍ରହ୍ମାଆଦି ଦେବଗଣ ତ୍ରୟତ୍ରିଂଶ କୋଟି
ଯଜ୍ଞବିଧି କରୁଛନ୍ତି ସର୍ବେ ହୋଇ ଗୋଷ୍ଠୀ
ବିଶ୍ୱକର୍ମା ଯାଗଶାଳା କରିଛି ନିର୍ମାଣ
ସହସ୍ରେ ଯୋଜନ ଦୀର୍ଘ ପ୍ରତି ପାଞ୍ଚଯୁଣ
ଶାଳା ମଧ୍ୟେ ଗଜଦନ୍ତ ପଲ୍ୟଙ୍କ ସୁପାତି
ଝଟ ଝଟ ଦିଶୁଅଛି ମଣିଗଣ ଜ୍ୟୋତି
ନିଜେ ଦକ୍ଷ ପ୍ରଜାପତି କରୁଛନ୍ତି ହୋମ
ଋଷିଏ କରନ୍ତି ତହିଁ ନାନାବିଧି କର୍ମ
ଏମନ୍ତ ସମୟେ ଯାଇ ପାର୍ବତୀ ମିଳିଲେ
ପିତାଙ୍କ ଚରଣ ବନ୍ଦି ଆଗେ ଉଭାହେଲେ
ତାଙ୍କୁ ଦେଖି ଦକ୍ଷ କୋପେ ବୋଇଲେ କିକଲୁ
ଏ ମହା ଯଜ୍ଞକୁ ମୋର ତୁ କିପାଁ ଅଇଲୁ
ମା ଗୋ ରାଜଋଷି ଦେବଋଷି ଦେବଋଷି
ଦେବତା ବ୍ରାହ୍ମଣମାନେ ସର୍ବେ ଛନ୍ତି ବସି
ଭରସି ପଶିଲୁ ଆସି ଏଠାରେ କେମନ୍ତେ
ଯୋଗୀର ଭାରିଯା ତୁହି ଯୋଗିନୀ ଯୁକତେ
ବିଡ଼ମ୍ବନ ରୂପ ଦେଖି ଭର୍ତ୍ତାକୁ ତୋହର
ବରଣ ନ କଲି ଯଜ୍ଞଶାଳାକୁ ମୋହର
ଭସ୍ମ ବିଲେପନ ଅଙ୍ଗ ଦିଗମ୍ବର ବେଶ
ଦେଖିଲେ କରନ୍ତେ ନିଶ୍ଚେଁ ସର୍ବେ ଉପହାସ
ଛୁଇଁଲେ ଅଯାତ୍ରା କାର୍ଯ୍ୟ ନୁହଇ ଦେଖନ୍ତେ
ଅହନିଶି ଶୂଳଟାଏ ଧରିଥାଏ ହସ୍ତେ
ଦିବ୍ୟପୁର ଛାଡ଼ି କରେ ଶ୍ମଶାନରେ ବସା
ଦେବାଙ୍ଗ ବସନ ତେଜି ପିନ୍ଧିଥାଏ କଷା
ଚନ୍ଦନ କର୍ପୂର ଛାଡ଼ି ଭସ୍ମ ବୋଳେ ଅଙ୍ଗେ
ଦେବଗୋଷ୍ଠୀ ଛାଡ଼ି ବୁଲେ ଭୂତ ପ୍ରେତ ସଙ୍ଗେ
ସୁବାସ କୁସୁମ ତେଜି ମୁଣ୍ଡେ ବାନ୍ଧେ ଜଟା
ପାତ୍ର ବୋଲି ଧରିଥାଏ ଲାଉ ତୁମ୍ବା ଗୋଟା
ଗଜ ମୋତି ମଣି ରତ୍ନହାର ତ୍ୟାଗ କରି
ମନୁଷ୍ୟ ହାଡ଼ର ମାଳା କଣ୍ଠେ ଥାଏ ଭରି
ଅଳଙ୍କାର ଛାଡ଼ି କରେ ସର୍ପ ଆଭରଣ
ବୁଢ଼ା ବଦଳରେ ବସି କରଇ ଗମନ
ସମୟେ ସମୟେ ପୁଣି ଲଙ୍ଗଳା ସେ ହୁଏ
ବାତୁଳଙ୍କ ପ୍ରାୟେ ବୁଲି ଭିକ୍ଷା ମାଗି ଖାଏ
ଲଜ୍ଜା ବୋଲି ଲେଶମାତ୍ର ନ କରଇ ମନେ
ନାନାଦି ପ୍ରପଞ୍ଚ ରୂପ ଧରେ ଦିନେ ଦିନେ
କହୁଥିଲେ ନ ସରଇ ତୋ ସ୍ୱାମୀର ଗୁଣ
ତା ଅଙ୍ଗରେ ପୂରିଅଛି ସବୁ ଅଲକ୍ଷଣ
ସବୁଗୁଣେ ସୁଲକ୍ଷଣ ଅଟେ ମୋର ସଭା
ବିଡ଼ମ୍ବନା ଲୋକଗୋଟା କେମନ୍ତ ବରିବା
ତୁମ୍ଭେ ତାଙ୍କ ଭାରିଯା ତ ଅଟ ଶୁଭ୍ରକେଶି
ଯାଗଶାଳ ଅପବିତ୍ର ହେବ ତୁମ୍ଭେ ଯାସି
ଶୁଣିଣ ପାର୍ବତୀଦେବୀ ମନେ ପାଈ ଖଙ୍ଗ
ପିଣ୍ଡରୁ କି ପ୍ରାଣ ଛାଡ଼ିଯିବ ହୋଇ ବେଗ
ଆପଣାର ପିତା ହୋଇ ମାନହୀନ କଲା
ଜୀଇବାରୁ ମରିବାର କୋଟିଗୁଣ ଭଲା
ମୋ ଆଗେ ସ୍ୱାମୀକି ମୋର କହୁଛନ୍ତି ମନ୍ଦ
ଯେଉଁ ଦେବ ମହାଦେବ ସ୍ୱାମୀ ସଦାନନ୍ଦ
ଯେଉଁ ସ୍ୱାମୀର ବିଶ୍ୱ ଅଟେ ଖେଳଘର
ସର୍ବଦେବଙ୍କ ଉପରେ ବୋଲାଇ ଈଶ୍ୱର
ତାଙ୍କ ଗୋଡ଼ ଧୋଇଦେଇ ଦୁହିତାଏ ଦେଲେ
ଯାହାଙ୍କୁ ଜ୍ୟେଷ୍ଠ ଜଆଇଁ ବୋଲି ପୂଜାକଲେ
ଏଡ଼େ ପଣ୍ଡିତ ହୋଇଣ ହେଲେ ଜ୍ଞାନଧ୍ୱଂସ
ନିଶ୍ଚେଁ ଜାଣିଲି ତୋହର ବଂଶ ଯିବ ନାଶ
ଶରୀରରେ ପ୍ରାଣ ଥାଉ ଈଶ୍ୱର ନିନ୍ଦିଲ
ସେ ଯେବେ ଦୋଷୀ ପ୍ରଦାନ କିପାଁ ମୋତେ କଲ
ମୁଁ ତୁମ୍ଭ ଦୁହିତା ସର୍ବଗୁଣେ ସୁଲକ୍ଷଣୀ
ଠାକୁର ଭାରିଯା ମୋର ନାମ ଠାକୁରାଣୀ
ଲେଉଟି ଈଶ୍ୱର ମୁଖ କେମନ୍ତେ ଚାହିଁବି
କି ବୋଲିକରି ଈଶ୍ୱରେ ଯାଇଁ ଜଣାଇବି
ଏତେ କହି ଅଗ୍ନିକୁଣ୍ଡେ ପଡ଼ିଲେକ ଡେଇଁ
ପାତାଳେ ବୈକୁଣ୍ଠେ ବିଜେ କଲେ ଦେବୀ ଯାଇଁ
ରତ୍ନ ସିଂହାସନ ହୋଇ କନକେ ମଣ୍ଡଣି
ସୁପାତି ଶେଯରେ ବିଜେ କଲେ ଠାକୁରାଣୀ
ପ୍ରତ୍ୟକ୍ଷେ ହିଙ୍ଗୁଳା ସେହି ଅଛି ଜାତ ହୋଇ
ଅଗ୍ନିତେଜ ତାଙ୍କୁ ଧ୍ୱଂସ କରିବ ବା କାହିଁ
ଗ୍ରୀଷ୍ମକାଳେ ରୁଚେ ଯେହ୍ନେ ସୁଶୀତଳ ଜଳ
ତେସନ ଅଗ୍ନି ଲାଗଇ ଦେହକୁ ଶୀତଳ
କୋଇଲି ବଇକୁଣ୍ଠେ ସେ ବସିଲେକ ଯାଇଁ
ଦକ୍ଷ ପ୍ରଜାପତି ମନେ କିଛି ଭୟ ନାହିଁ
ନିର୍ଭୟରେ ଅବଧାରି ଯାଜ୍ଞିକମାନଙ୍କୁ
ଘୃତ ସମିଧ ଦେଉଛି ଅଗ୍ନି ଦେବତାଙ୍କୁ
ପାର୍ବତୀଙ୍କ ସଙ୍ଗେ ମୁନି ନାରଦ ଯେ ଥିଲେ
ଈଶ୍ୱରଙ୍କୁ ଏସନକ ବାରତା କହିଲେ
ଭୋଦେବ ହେ ସାବଧାନେ ଶୁଣିମା ଗୋସାଇଁ
ପାର୍ବତୀ ବିନାଶ ଦେଖି ଅଇଲଇଁ ମୁହିଁ
ସ୍ୱାମୀ ଦକ୍ଷପ୍ରଜାପତି ଯାଗ କରୁଥିଲେ
ଯାଗ ବ୍ୟର୍ଥହେବ ବୋଲି ତୋତେ ନ ବରିଲେ
ଜାଣିମା ନିମନ୍ତେ ଗଲେ ପାର୍ବତୀ ଯେ ବେଗେ
ଅନେକ ଭର୍ତ୍ସନା କଲେ ପାର୍ବତୀଙ୍କ ଆଗେ
ବୋଇଲେ ଯୋଗୀ ଭାରିଯା ଅଟୁ ଯୋଗିଆଣୀ
ଏ ଦେବସଭାକୁ କିପାଁ ଅଇଲୁ ନ ଜାଣି
ପାର୍ବତୀ ତୋ ଅର୍ଦ୍ଧ ଅଙ୍ଗ ସହିବ କେମନ୍ତେ
ତୁହି ମହାପ୍ରଭୁ ଏହି ବିଚାର ତୋ ଚିତ୍ତେ
ସେହି ଯାଗକୁଣ୍ଡେ ଦେବୀ ପଡ଼ିଲେକ ଡେଇଁ
ତକ୍ଷଣେ ମିଳାଇ ଗଲେ ଧୂଳିପାଂଶ ହୋଇ
ବ୍ରହ୍ମା ଆଦି ଦେବତାଏ ସର୍ବେ ତହିଁ ଥିଲେ
ଅଗ୍ନିରେ ପଡ଼ନ୍ତେ କେହି ରହ ନ ବୋଇଲେ
ଶୁଣି ଈଶ୍ୱର ଦେବର ଭାଙ୍ଗିଲା ସାହସ
କୋପ କ୍ରୋଟ ଅଗ୍ନି ପ୍ରାୟ ଦହଇ ମାନସ
ଆହା ପାର୍ବତୀ ବୋଲିଣ ଉଚ୍ଚେ ପଶୁପତି
ଗୁଣମାନ ସୁମରିଣ ବିଳାପ କରନ୍ତି
କୋପ ପ୍ରଜ୍ୱଳିତ ହୋଇ କମ୍ପେ ଦେବକାୟା
କେଣେ ଛାଡ଼ିଗଲ ମୋତେ ଦକ୍ଷର ତନୟା
ଅନ୍ତରୀକ୍ଷରେ ଡମ୍ବରୁ ବାଜେ ନବକୋଟି
ବାମ ଡାହାଣେ ଅଛନ୍ତି ନନ୍ଦୀ ଯେ ଭ୍ରୁକୁଟୀ
ବିନାୟକ ଅଜୟନ୍ତ ଜୟନ୍ତ କାର୍ତ୍ତିକ
ଚାରି କୁମରେ ଅଛନ୍ତି ବେଢ଼ି ଚାରିପାଖ
ପଛରେ ଅଛନ୍ତି ରୁଦ୍ର ଅଠାଣୋଇ ଗଣ
କୋପେ ବାହାରିଲେ ସ୍ୱାମୀ ଅମ୍ବିକା ରମଣ
ଶିଂଘାନାଦ ଆଦିକରି ଶଙ୍ଖ ବୀଣାଯନ୍ତ୍ର
ଅମର ଦୁନ୍ଦୁଭି ବାଜେ କୋଟି କୋଟି ଛତ୍ର
ଶଲ୍ୟ ଚକ୍ର କାତି ଗଦା ଶକ୍ତି ମୁଦୁଗର
ଅସିବର ପାଶୁପତ ପିନାକ ଆବର
ବିଭୂତି ଲେପନ ଅଙ୍ଗେ ନାନା ଶସ୍ତ୍ର ଧରି
ଧାମନ୍ତି ଯେ ଶିବଗଣ ଶିବଙ୍କୁ ଆବୋରି
ଧର ଧର ମାର ମାର ନିରତେ ଶବଦ
ଦେଖିଣ ଶୂନ୍ୟପୁରୁଷେ ହୋଇଲେ ସ୍ତବଧ
ପାର୍ବତୀ ଦହନ ଖେଦ ମନେ ମନେ ଧରି
ନିମିଷକେ ଆସିଲେ ସେ ଦକ୍ଷରାଜପୁରୀ
ଈଶ୍ୱର ବିଜୟ ଯହୁଁ କୋପଭର ହୋଇ
ଦେଖିଣ ଦେବ ଦାନବେ ପଳାଇଲେ ତହିଁ
ଇନ୍ଦ୍ର ବ୍ରହ୍ମା ଆଦି ଦେବ ବରୁଣ ଭାସ୍କର
ଗନ୍ଧର୍ବଗଣ ଦେବତା ଯକ୍ଷ ଯେ କିନ୍ନର
ତାର ବାର ଅଷ୍ଟବସୁ ଦଶ ଦିଗପାଳ
ଚଉଦ ବ୍ରହ୍ମାଣ୍ଡ ଦେବ ଦେବୀ ଯେ ସକଳ
କୋପେ ହର ଆସୁଛନ୍ତି ଅତିବେଗେ ବେଗେ
ଦିଗପାଳ ଦେବତାଏ ନ ମିଳନ୍ତି ଆଗେ
ବ୍ରାହ୍ମଣମାନେ ଅନଳେ ଆହୁତି ନ ଦେଇ
ଛିନ୍ନଛିତ୍ର ହୋଇଣ ସେ ଯାଆନ୍ତି ପଳାଇ
ଏକାଦକ୍ଷ ପ୍ରଜାପତି ଦମ୍ଭେ ଅଛି ରହି
ବନ୍ଧୁ ବାନ୍ଧବ ମିତ୍ରହିଁ ସଙ୍ଗେ କେହି ନାହିଁ
କହୁ କହୁ ଈଶ୍ୱର ଯେ କଟାଳିଲେ ରାଗେ
ଦେଖିଲେ ଯେ ପ୍ରଜାପତି ରହିଅଛି ଆଗେ
ପାର୍ବତୀଙ୍କି ନ ଦେଖିଣ କୋପେ ପରଚଣ୍ଡ
ଅଗ୍ନିରେ ପକାଇ ଛେଦି ପ୍ରଜାପତି ମୁଣ୍ଡ
ତଥାପି ଶାନ୍ତ ନୋହିଲେ ଦେବ ତ୍ରିପୁରାରି
ରାଗେ ଗର୍ଜନ କରନ୍ତି ଊର୍ଦ୍ଧ୍ୱମୁଖ କରି
ପାର୍ବତୀ ନ ଦେଖି ଦେବ ମନ ନୋହେ ସ୍ଥିର
ଅଗ୍ନି ଦେବଙ୍କୁ ଚାହିଁ ବୋଲନ୍ତି ଉତ୍ତର
ଆରେ ଆରେ ବୈଶ୍ୱାନର ଭକ୍ଷିଲୁ ମୋ ନାରୀ
ଜାଣୁ ପଞ୍ଚଆତ୍ମା ମୋର ଦକ୍ଷର କୁମାରୀ
ପ୍ରତ୍ୟକ୍ଷେ ହିଙ୍ଗୁଳା ଦେବୀ ସେହି ଠାକୁରଣୀ
ଦେଖୁ ଦେଖୁ ଦହିଲୁ ତୁ ମୋ କଥା ନ ଜାଣି
ରଖିଥିଲେ ପାର୍ବତୀକି ଦିଅ ମୋର ଆଗେ
ଆନ ଅଗ୍ନି ଜାତ ମୁହିଁ କରିବି ତ ରାଗେ
ଅଗ୍ନିଦେବ ବୋଲେ କୋପ ନ କର ଗୋସାଇଁ
ପାତାଳ ବୈକୁଣ୍ଠେ ଅଛି ତୋ ପାର୍ବତୀ ଥୋଇ
ବ୍ରହ୍ମାଣ୍ଡର ବ୍ରହ୍ମଅଗ୍ନି ଜାତ କଲା ସେହି
ତାକୁ ନାଶ କରିବାକୁ ମୋର ବଳ କାହିଁ
ଏତେବୋଲି ସନ୍ନିଧିରେ ପାର୍ବତୀଙ୍କି ଦେଲେ
ମହାଆନନ୍ଦରେ ଦେବ ବସାଇଲେ କୋଳେ
ସୁରସିଦ୍ଧଗଣ ମିଳି ଜୟ ଜୟ କଲେ
ସୁଗନ୍ଧ କୁସୁମ ପୁଷ୍ପ ଶିରେ ନେଇ ଦେଲେ
ଗନ୍ଧର୍ବେ ଗୀତ ଗାଇଲେ ବୀଣା ବଂଶୀ ଘେନି
ଈଶ୍ୱରଙ୍କ କୋପ ଶାନ୍ତ କଲେ ପଦ୍ମଯୋନି
ବେଭାରେ ତ ଭୋଳନାଥ ଦେବ କାଶୀବାସି
ପାର୍ବତୀଙ୍କି ଦେଖି ଦେବ ମନେ ମନେ ହସି
ଦକ୍ଷ ପ୍ରଜାପତି ନାରୀ ନାମ ଚନ୍ଦ୍ରକାନ୍ତି
ଦୁହିତା ଜ୍ୱାଇଁକି ଦେଖି ହୋଇ ତୋଷମତି
ନିଜ ଭର୍ତ୍ତା ମରଣକୁ କିଛି ଭୟ ନାହିଁ
ଜୟ ଶବଦେ ପାର୍ବତୀ ଦେବୀ ମୁଖ ଚାହିଁ
ସୁବର୍ଣ୍ଣ ଥାଳିରେ ଅଷ୍ଟରତନ ପୂରାଇ
ଅର୍ଘ୍ୟଥାଳି ଘେନି ଉଭା ହର ଆଗେ ଯାଇ
ଦେଖି ତାଙ୍କୁ ଉପହାସ କଲେ ଶୂଳସାଇଁ
ବୋଇଲେ ମୋ ଲିଙ୍ଗ ପୂଜାକର ଅର୍ଘ୍ୟଦେଇ
ଏହା ଶୁଣୁଛନ୍ତି ଦେବେ ଆଉ ଅଷ୍ଟଋଷି
ବୋଇଲେ ନ ଭାଙ୍ଗ ଆଜ୍ଞାଗୋଟି ଶୁଭ୍ରକେଶୀ
ଯେମନ୍ତ ତୋଷ ହୁଅନ୍ତି ମାଗୋ ତ୍ରିଲୋଚନ
ସେହି ପ୍ରକାରେ କର ନ ଧର ଆନ ମନ
ସେ ବଚନ ଶୁଣି ପ୍ରଜାପତିର ଭାରିଯା
ଗନ୍ଧ ପୁଷ୍ପ ଧୂପ ଦୀପ ଦେଇ କଲେ ପୂଜା
ତାହା ଦେଖିଣ ଈଶ୍ୱର ମନେ କଲେ ଭୀତି
ବୋଇଲେ ତୁ ମୋର ମାତା ଅଟୁ ଚନ୍ଦ୍ରକାନ୍ତି
ପ୍ରଜାପତିଠାରୁ ଶତଗୁଣେ ମହାଜ୍ଞାତା
ଆମ୍ଭର ନିଜ ଶାଶୁ ତୁ ପାର୍ବତୀର ମାତା
ତୁମ୍ଭର ଭକତି ଦେଖି ହେଲୁ ଆମ୍ଭେ ବଶ
ଯାହା ମାଗିବ ତାହା ମୁଁ ଦେବଇଁ ଅବଶ୍ୟ
ଚନ୍ଦ୍ରକାନ୍ତିବୋଲେ ଯେବେ ବରଦେବୁ ମୋତେ
ପାର୍ବତୀର ପିତା ପୁଣ ଜୀଇଁବ କେମନ୍ତେ
ସଦାଶିବ ବୋଲେ ଶିର ପକାଇଲି ପୋଡ଼ି
ପାଉଁଶ ହୋଇ ପବନେ ଗଲାଣି ତ ଉଡ଼ି
ଶିର ନ ଥିଲେ ଏ କାୟା କେମନ୍ତେ ହୋଇବ
ଶୁଖିଲା ସପତ ଧାତୁ କେମନ୍ତେ ବର୍ତ୍ତିବ
ଚନ୍ଦ୍ରକାନ୍ତି ବୋଲେ ତୁମ୍ଭେ ଦେବଙ୍କ ପ୍ରଧାନ
ନ ହେଲା କର୍ମକୁ ତୁମ୍ଭେ କରିପାର ଆନ
ନିଶ୍ଚେଁ ଯେବେ ମୋତେ ଦୟା କଲଦେବସ୍ୱାମୀ
ଏକ୍ଷଣି ଜୀଆଇ ଦେବୁ ପ୍ରଜାପତି ଆଣି
ଈଶ୍ୱର ବୋଇଲେ ଶିର ଦଗଧ ଅନଳେ
ଆନ ଶିର ଲଗାଇ ମୁଁ ଦେବି ବକ୍ଷସ୍ଥଳେ
ଚନ୍ଦ୍ରକାନ୍ତି ବୋଲେ ଶିର ଏଥି ପଡ଼ିନାହିଁ
ମୁଁ ଧବଳାସ୍ତିରୀ ଶିର ପାଇବଇଁ କାହିଁ
ଶିବ ଆଜ୍ଞା ଦେଲେ ପୂର୍ଣ୍ଣାହୁତି ଦେଲାବେଳେ
ଛାଗଳ ଗୋଟିଏ କାଟି ପକାଇ ଅନଳେ
ଦେଖ ଛାମୁରେ ପଡ଼ିଛି ଛାଗ ମୁଣ୍ଡଗୋଟି
ଶିରେ ଲଗା ପ୍ରଜାପତି ଅର୍ଘ୍ୟ ଘେନୁ ଉଠି
ଏହାର ଶିର ସାଉଁଟି ଆଣ ଧାତିକାରେ
ନେଇ ତାକୁ ଲଗା ପ୍ରଜାପତିର ବେକରେ
ଦେଖି ସାଉଁଟି ଆଣିଲେ ଛାଗଳର ଶିର
ଲଗାଇଲେ ପ୍ରଜାପତି ଶିରେ ଧାତିକାର
ଉଠିଲେ ସେ ପ୍ରଜାପତି ପୂର୍ବହେତୁ ପାଇ
ଶୁକବ୍ରହ୍ମା ବୋଲେ ଶୁଣ ପରୀକ୍ଷ ନୃସାଇଁ
ପୂର୍ବର ଯେ କଲାକର୍ମ ନୁହଇ ସେ ଆନ
ପ୍ରଜାପତି ଭଳି ଲୋକ ଏଡ଼େ ବିଡ଼ମ୍ବନ
ମାନବର ଛାଗମୁଖ ସ୍ୱଭାବେ ତ ଦୁଃଖ
ଆବର ବିଶେଷେ କଲେ ପଛକତି ମୁଖ
ଅଗ୍ରେ ଉଭା ହୋଇଥିଲେ ଗନ୍ଧର୍ବ ଦେବତା
ଅଙ୍ଗାରପନ୍ନଗ ବୋଲେ ବିପରୀତ କଥା
ଈଶ୍ୱର ଦେବତା ଏଡ଼େ ବପରୀତ କଲେ
ଆପଣା ଶାଶୁର ହାତେ ଲିଙ୍ଗ ପୂଜା କଲେ
ସେ ଭୋଳାନାଥ ଲିଙ୍ଗ ନ ଜାଣେ ଧର୍ମକର୍ମ
ଗୁରୁପତ୍ନୀ ହୋଇ କଲା ଏଡ଼େକ ଅଧର୍ମ
ଦକ୍ଷ ପ୍ରଜାପତି ଏହା ନ ଜାଣେ ଯୁକତେ
ଈଶ୍ୱରଙ୍କୁ ବରଣ ସେ ନ କଲେ କେମନ୍ତେ
ଜ୍ଞାନଧ୍ୱଂସ ହୋଇ ଦେବୀ କୁଣ୍ଡେ ଦେଲେ ଝାସ
ଏଡ଼େ ଯାଗ ପାର୍ବତୀର ଯୋଗୁଁ ଗଲା ନାଶ
ସ୍ୱରୂପ କହିଲୁ ଏହି ଚାରି ଏଥେ ଦୋଷୀ
ସବୁହୁଁ ଅକର୍ମ କଲେ ଦେବ କାଶୀବାସୀ
ଏହା ଶୁଣି ସଦାଶିବ କଲେ ମହାକୋପ
ଅଙ୍ଗାର ପନ୍ନଗେ ଚାହିଁ ବୋଇଲେରେ ପାପ
ଇନ୍ଦ୍ରର ଜ୍ୟେଷ୍ଠ ପୁତ୍ର ତୁ ସ୍ୱର୍ଗକୁ କାରେଣି
ବିଦ୍ୟାଧରଙ୍କ ଉପରେ ଅଟୁ ଶିରୋମଣି
ଧନ ଜନ ଯଉବନ ଗର୍ବେ ଦେଲୁ ବାଛି
ବାଳକ ପ୍ରାୟ ନଜାଣୁ ହାନିଲାଭ କିଛି
ଗୁରୁ ମହାଗୁରୁ ଆମ୍ଭେ ଆମ୍ଭଙ୍କୁ ନିନ୍ଦିଲୁ
ଶଚୀ ଗର୍ଭେ ଜନ୍ମି ମହାପାତକ ଅର୍ଜିଲୁ
ଜାଣୁ ଜାଣୁ ଆଚରିଲୁ ତୁହି ଦୁଷ୍ଟବୁଦ୍ଧି
ଯାଅ ତୁ ଅସୁର ହୁଅ ଆଜହୁ ଅବଧି
ପ୍ରଥମରୁ ଆଦ୍ୟ ଚାରିଜନ୍ମ ପରିଯନ୍ତେ
ମ୍ଲେଚ୍ଛଆଦି ନିଶାଚର ହେବୁ ଶୁଦ୍ଧଚିତ୍ତେ
ଶୁଣି ଇନ୍ଦ୍ରର ନନ୍ଦନ କଲା ମହାଭୀତି
ବୋଇଲା ଶାପ କାରଣ କହ ପଶୁପତି
ଈଶ୍ୱର ବୋଇଲେ ବହିଲୁ ତୁ ମତ୍ତଗର୍ବ
ମନୁ ଏକ ଏକସ୍ତରି ଗଣ୍ଡା ଯୁଗ ଯିବ
ତଦନ୍ତରେ ସ୍ୱାୟମ୍ଭୂବ ମନୁ ଯେ ହୋଇବ
ଏକସ୍ତରୀ ଗଣ୍ଡାଯୁଗ ସେ ଭୋଗ କରିବ
ତଦଅନ୍ତେ ହେବ ପୁଣି ବୈବସ୍ୱତ ମନୁ
ଏତେ ଯୁଗଯାଏ ରହିଥିବ ତୋର ତନୁ
ଦ୍ୱାପର ଯୁଗରେ ହେବ ଭାରତ ସମର
ଜଗନ୍ନାଥ ଜନ୍ମ ହେବେ ନନ୍ଦ ଗୋପ ଘର
କଂସ ପାଦଭାରା ସହି ନ ପାରି ମେଦିନୀ
ଗୁହାରି କରିବ ଯାଇ ଦେବଗଣ ଘେନି
ତୃଣାବର୍ତ୍ତ ରୂପେ ତୁହି ମଥୁରାରେ ସ୍ଥିତ
ଲୀଳା ବିନୋଦେ ମାରିବେ ତୋତେ ଜଗନ୍ନାଥ
ତେବେ ତୋତେ ଯେ ପ୍ରାପତ ହେବ ସ୍ୱର୍ଗବାସ
ଶ୍ରୀବିଷ୍ଣୁ ହସ୍ତରେ ମଲେ ଯିବ ସର୍ବ ଦୋଷ
ଏତେ ଯୋଗେ ନିଜପଦ ପାଇବୁ ଯେ ତୁହି
ଏସନକ ଆଜ୍ଞା ଦେଲେ ପାର୍ବତୀର ସାଇଁ
ଶୁଣ ହୋ ପରୀକ୍ଷ ରାଜା କହି ଶୁକଯତି
ଶ୍ରୀଭାଗବତ ପୁରାଣ ଅଟେ ପୁଣ୍ୟକୀର୍ତ୍ତି
ତୁ ଯେ ପଚାରିଲୁ ତୃଣାବର୍ତ୍ତ ପୂର୍ବ ବାଣୀ
ପାପାଧିପାପମାନ ତୁ କ୍ଷୟକର ଶୁଣି
ଏସନ ପ୍ରକାରେ ତୃଣାବର୍ତ୍ତ ହେବ ଜାତ
କୃଷ୍ଣହସ୍ତେ ପ୍ରାଣଦେଇ ଲଭି ସ୍ୱର୍ଗପଥ
ବାସବର ଜ୍ୟେଷ୍ଠପୁତ୍ର ସ୍ୱର୍ଗ ଅଧିକାରୀ
ବାମଦେବ ସୁତ ଶଚୀ ଗର୍ଭୁ ଅବତରି
କହଇ ଅଚ୍ୟୁତ ଦାସ ହରିବଂଶ ଶୁଣ
ଅପୁତ୍ରକ ଦୋଷ ନାଶ ହୋଇବ ତକ୍ଷଣ
ପଢ଼ିଲେ ସକଳ ପାପୁଁ ହେଳେ ଯିବ ତରି
ବୈକୁଣ୍ଠରେ ସ୍ଥାନ ଦେବେ ମୋହନ ମୁରାରି

ଶ୍ରୀକୃଷ୍ଣଙ୍କ ଉଠିଆରୀ ଉତ୍ସବ ଓ ତୃଣାବର୍ତ୍ତ ବଧେ କଂସର ଖେଦ

[ସମ୍ପାଦନା]

ଏଥୁ ଅନନ୍ତରେ ଶୁଣ ପାହିଲା ରଜନୀ
ଗଗନେ ଉଦୟ ହେଲେ ସ୍ୱାମୀ ଦିନମଣି
ନିତ୍ୟକର୍ମରେ ଲାଗିଲେ ଗୋପେ ସର୍ବଜନ
ନନ୍ଦର ଘରେ ଉତ୍ସବ ଉଠିଆରୀ ଦିନ
ଅନେକ ଦାନ ଦକ୍ଷିଣା ବ୍ରାହ୍ମଣକୁ ଦେଲେ
ଈଶ୍ୱର ଆଳେ ଲକ୍ଷେକ ଗୋଦୋହନ କଲେ
କାଳରାତ୍ରି ଦେବୀ ଆଗେ ଦେଲେ ବଳିଭୋଜା
ଅନେକ ସମ୍ଭାରେ କଲେ ଷଷ୍ଠୀଦେବୀ ପୂଜା
ଘରେ ଘରେ ଦେଲେ ପୁଣି ଚନ୍ଦନର ଛରା
ଦ୍ୱାରେ ତୋରଣ ଲମ୍ବାଇ ଦେଲେ କେରାକେରା
ସଞ୍ଚି ପୁଷ୍ପ ଧୂପଧୂଆଁ ନଇମିଷ ପ୍ରାୟେ
ଜମ୍ବିଳ କଦଳୀ ଖଣ୍ଡରସ ଖଜାମୟେ
ପଇଡ଼ ସରପଣା ଯେ ଅଧାମ ଲବଣୀ
ଅନ୍ତୁଡ଼ିର ଭସ୍ମମାନ ପକାଇଲେ ଆଣି
ଏଣେ କଂସ ସିଂହଦ୍ୱାରେ ଶବପଡ଼ୁ ପୁଣି
କଂସ ଚିଆଇଁ ଉଠିଲା ସେ ଶବଦ ଶୁଣି
ଏ କାହାର ଗଣ୍ଡି ମୁଣ୍ଡ ବୁଝି ଆସ ଯାଇ
ଏମନ୍ତ ଆଜ୍ଞା ଦିଅନ୍ତେ ଲୋକେ ଗଲେ ଧାଇଁ
ଦେଖିଲେ ପଡ଼ିଛି ତୃଣାବର୍ତ୍ତ ଗଣ୍ଡି ମୁଣ୍ଡ
ଗିରିମନ୍ଦର ପରାୟେ ଦିଶଇ ତା ପିଣ୍ଡ
ପର୍ବତ ଶିଖର ପ୍ରାୟ ଅସୁରର ଶିର
ଦେଖି ଥୟ କଲେ ଏହୁ ତୃଣାବର୍ତ୍ତ ବୀର
ନଗ୍ରଜନମାନେ ହେଲେ ଆଶ୍ଚର୍ଯ୍ୟ ତା ଦେଖି
ଶ୍ରବଣେ ହସ୍ତ ଦେଇଣ ବୁଜି ବେନି ଆଖି
କେ ବୋଲେ ଆମ୍ଭ ଦେଖନ୍ତେ ନ ଥିଲା ଏକଥା
ନୟନେ ଦେଖିଲି ନାହିଁ ଏସନ ବ୍ୟବସ୍ଥା
କେ ବୋଲୁଛନ୍ତି ଏହି ତ ଅକଣ୍ଟକ ପୁରୀ
ଏଡ଼େ କର୍ମ କେହୁ କଲା ଜନେ ନ ବିଚାରି
କେ ବୋଲେ ଏହାକୁ ଅବା କଂସରାଜା ଦଣ୍ଡି
ନୋହିଲେ ପଡ଼ନ୍ତା କାହୁଁ ଦ୍ୱାରେ ମୁଣ୍ଡ ଗଣ୍ଡି
କେ ବୋଲଇ ଏ ଅଟଇ କଂସ ପ୍ରାଣସଖା
ମାତା ଏହାର ପୂତନା ଗୋପେ ଯାଇଥିଲା
ପାଖେ ନାହିଁ ଏହା ମାତା ଅଦଭୂତେ ମଲା
ମାତା ପୁତ୍ରକୁ ଯେ ଥିସଲା ଏସନକ ଯୋଗ
ଲଲାଟ ଲେଖନ କଥା ଯାକୁ ଯାହା ଭୋଗ
ଏସନକ ବିଚାରନ୍ତେ ନଗ୍ରପୁର ଜନ
ଡଗରା ଯେ କଲା କଂସ ଛାମୁକୁ ଗମନ
ବୋଲେ ଦେବ ସାବଧାନେ ଶୁଣ ନରନାହା
ଅଗୋଚର ସିଂହଦ୍ୱାରେ ଦେଖିଲୁ ତ ଯାହା
ତୁମ୍ଭର ଭଣଜା ତୃଣାବର୍ତ୍ତ ମହାବୀର
ବେନିଖଣ୍ଡ ହୋଇ ପଡ଼ିଅଛି ସିଂହଦ୍ୱାର
କେ କଲା ଯେ ଏହି କୃତ୍ୟ ନ ଜାଣିଲୁ ତଥ୍ୟ
ଦେଖିଲୁ ପଡ଼ିଛି ତୃଣାବର୍ତ୍ତ ନରନାଥ
ପୂତନା ନାଶଯିବାର ଆଗୁ ଜାଣିଥିଲୁ
ତୃଣାବର୍ତ୍ତ ସିଂହଦ୍ୱାରେ ପଡ଼ିଛି ଦେଖିଲୁ
ଶୁଣି କଂସରାଜା ବେଗେ ପାଦେ ବିଜେକଲା
ନବର ସିଂହଦୁଆରେ ପ୍ରବେଶ ହୋଇଲା
ଆହା ଭଣଜା ମୋହର ବୋଲି ଶୋକକରି
ଚିତ୍ତ ଅନ୍ତରାଳ ହେଲା ଶୋକେ ଦଣ୍ଡଧାରୀ
ତୋହର ଜୀବନ୍ତେ ଥିଲେ ମୋର ସବୁ ଥିଲା
ଜାଣିଲି ତୋ ଅନ୍ତେ ମୋର ସବୁ ନାଶ ଗଲା
ଏବେ ଏ ମଥୁରା ଲୋକେ ହେଲେ ଅରକ୍ଷିତ
ତୁରେ ତୃଣାବର୍ତ୍ତ ବୀର ମୋର ପଞ୍ଚଭୂତ
କା ଆଗେ କହିବି ବତ୍ସ କଲା ଏଡ଼େ କର୍ମ
ଇଷ୍ଟ କୁଟୁମ୍ବ ମାଇଲା ଗୋପେ ହୋଇ ଜନ୍ମ
ନିଶ୍ଚୟ ଜାଣିଲି ହେଲା ବିପାକର କାଳ
ଦିନକୁ ଦିନ ପଡୁଛି ଅଧିକ କଟାଳ
ସାମାନ୍ୟ ଲୋକ କାହିଁକି କରିବାକୁ ଏହା
ଅସମୟ କାଳେ ଧାତା ହୋଇଲେ ଅସାହା
ଯେବଣ ବୀରଙ୍କ ନାମେ ଦେବେ କରି ତ୍ରାସ
ମୋହର କର୍ମ ଏମନ୍ତ ଗଲେ ପୁଣି ନାଶ
ବହୁ ଆକୁଳ ହୁଅଇ କଂସ ନରପତି
ଶ୍ମଶାନ ଭୂମିକି ମଡ଼ା ନେଲେକ ତଡ଼ତି
ପିଣ୍ଡ ଦହନ କରିଣ ସାରି ପ୍ରେତକର୍ମ
ଜ୍ଞାତିବନ୍ଧୁ ମିଳି ତହିଁ କରନ୍ତି ଭୋଜନ
ଶ୍ରୀକୃଷ୍ଣ ରହିଅଛନ୍ତି ନନ୍ଦର ମନ୍ଦିରେ
ଲକ୍ଷେକ ଧାତ୍ରୀ ଖଟନ୍ତି ପ୍ରଭୁ ଶ୍ରୀପୟରେ
ଦିନୁଦିନ ବର୍ଦ୍ଧମାନ ହେଲେ ଦେବ ହରି
ଗଜବୃନ୍ଦ ମଧ୍ୟେ ଯେହ୍ନେ ବିକ୍ରମ କେଶରୀ
ନନ୍ଦ ଦକ୍ଷିଣ ମେଲାରେ ସୁପାତି ଯେ ଶଯ୍ୟା
ତହିଁ ଉତ୍ତାନେ ଶୟନ ପ୍ରଭୁ ଦେବରାଜା
ପୂର୍ବେ କ୍ଷୀର ସମୁଦ୍ରରେ ଏହି ଅନ୍ତର୍ଯ୍ୟାମୀ
ଅନନ୍ତ ଶଯ୍ୟା ଉପରେ ଯୋଗନିଦ୍ରା ସ୍ୱାମୀ
ଏବେ ସେହିମତି ପ୍ରଭୁ ନନ୍ଦର ମନ୍ଦିରେ
ବାଳଲୀଳା ଅବକାଶେ ରହି ଦାମୋଦରେ
ମହାପ୍ରଳୟ ଶୟନେ ଯେହ୍ନେ କଳ୍ପବଟେ
ହେଠବୁଡେ ମାର୍କଣ୍ଡକୁ ଦେଖିଲେ ନିକଟେ
ଗର୍ଭର ଭିତରେ ରଖି କରାଇଲେ ଭ୍ରମ
ଗୋପନଗ୍ରେ ରହି ହରି ମାୟାହିଁ ତେସନ
ନନ୍ଦ ଯେ ଯଶୋଦା ଗୋପୀ ଗୋପାଳସକଳେ
ବିଶ୍ୱକୂଟ ମାୟା ରଚି ଶ୍ରୀବାଳ ଗୋପାଳେ
ତୃଣାବର୍ତ୍ତ ବଧକଥା କେହି ନ ଜାଣଇ
ପ୍ରୋହିଣୀ ମରଣ ସ୍ୱପ୍ନପ୍ରାୟ ମଣି ତହିଁ
ଯାର ମାୟାରେ ଜଗତଜନ ଅଛି ମୋହି
ଇନ୍ଦ୍ରାଦି ଗଙ୍ଗାଧର ଯା ନ ପାରନ୍ତି ଧ୍ୟାୟି
କପଟେ ବାଳୁତ ରୂପ ଧରି ଲକ୍ଷ୍ମୀନାହା
ସନକ ସନାତନହିଁ ଚିନ୍ତୁଥାନ୍ତି ଯାହା
ଶୁଭାଶୁଭ କର୍ମ ଯେହୁ ପାରେ ଆନ କରି
ଯା ନାମ ଧରି ସଂସାରେ ଜନେ ହୋନ୍ତି ପାରି
ଦେବାଧି ଦେବଙ୍କର ଯେ ଅଟେ ମୁଖ୍ୟବାନ
ନନ୍ଦ ମନ୍ଦିରେ ସେ ପ୍ରଭୁ କରିଛି ଶୟନ
ଅପୂର୍ବ ନୀଳେନ୍ଦୀଦଳ ପ୍ରାୟ ଅଟେ ତନୁ
ପୂର୍ବେ ପଶ୍ଚିମେ ଯେସନେ ଉଦେ ଇନ୍ଦ୍ରଧନୁ
ମାରାଗେ ସୁବର୍ଣ୍ଣ ଢାଳି ଗଢ଼ିଲାକ ଆଣି
ଧନ୍ୟ ବିଧାତା ଏସନ ରୂପକୁ ନିର୍ମାଣି
ଆଜାନୁଲମ୍ବିତ ଯାର ଅଟେ ଭୁଜଦଣ୍ଡ
ଉଦୟକାଳେ ଯେସନ ଦିଶେ ମାରତଣ୍ଡ
ବିମ୍ବଫଳ ଜାଣି ରଙ୍ଗ ଅଧରର ଶୋଭା
ରାଜୀବ ଲୋଚନ ସୁଧାକର ମୁଖପ୍ରଭା
ହସ୍ତୀ ଥୋର ହସ୍ତ ଜାଣି ଶୋଭା ବେନିଭୁଜ
ଦନୁଜ ଦେଖନ୍ତେ ବଢ଼େ ସ୍ୱାମୀବଳ ତେଜ
ବିସ୍ତାର ବକ୍ଷ ଡମ୍ବରୁ ଜାଣି କଟାକ୍ଷୀଣ
କୁଞ୍ଚିତ ସୁସଞ୍ଚ କେଶ ଲୋଳେ ବେନି କର୍ଣ୍ଣ
ଅଙ୍ଗେ ତୈଳ ଜର ଜର ଶିରେ ରଙ୍ଗ ଟୋପି
ଜାଜ୍ୱଲ୍ୟ ତେଜକୁ ଶୋଭା ପାଉଠି ଅଦ୍ୟାପି
ରାଜୀବଲୋଚନ ଚାରୁ କଜ୍ଜଳର ରେଖା
ଘୃମିତଲୋଚନ ସ୍ୱାମୀ ତ୍ରଇଲୋକ୍ୟ ସଖା
ପାରୁଶେ ଅଛନ୍ତି ଧାତ୍ରୀଗଣମାନେ ବେଢ଼ି
ସୁବର୍ଣ୍ଣ ଖଟେ ସୁପାତି ଉପରେ ପହୁଡ଼ି
ଅଧାମ ଯେ ଦୁଧସର ଗୋଟିକା ଲବଣୀ
ଭୋଜନ କରନ୍ତି ଷଡ଼ରସ ଚକ୍ରପାଣି
କୃଷ୍ଣ ରୂପ ଦେଖି ସର୍ବେ ଗୋପାଙ୍ଗନାଗଣେ
କ୍ଷଣେ ନ ଛାଡ଼ନ୍ତି ବସିଥାନ୍ତି ଅନୁକ୍ଷଣେ
ରୂପ ଗୁଣ ବାହୁନିଣ ଏକୁ ଆରେ କହି
ରେ ସଖି ଦେଖ ଏ କେଭେ ମାନବ ନୁହଇ
କେବଣ ଦେବତା କୂଟେ ହୋଇଅଛି ଜାତ
ଥୋକେ ବୋଲନ୍ତି ଅଟଇ ଏ ଯେ ମନମଥ
ଏସନ ଅପୂର୍ବ ରୂପ ଦେଖିଲା ତ ନାହିଁ
କେ ବୋଲେ ଚକ୍ଷୁ ନିର୍ମଳ ହେଲା ମୁଖଚାହିଁ
କେ ବୋଲଇ ଏହାକୁ ଯେ ବାଳୁତ ନବୋଲ
ବିରହିଣୀ ସ୍ତିରୀଙ୍କର ହୁଅଇ ଏ ଶଲ
ଜନ୍ମହେଲା ପୁତ୍ର ଗୋଟି କନ୍ଦର୍ପର ରୂପ
କେ ବୋଲେ ଗୋପନଗ୍ରର କ୍ଷୟ ଗଲା ପାପ
କେ ବୋଲେ ଧାତାକାରଣକରି ଯେବେଏତେ
ଏହାର ସଙ୍ଗରେ ସଙ୍ଗ ହୋଇବା କି ସତେ
କେ ବୋଲଇ ଏହାର ଯେ ହେବା ପରିଚାରୀ
ଈଶ୍ୱରଙ୍କ ସେବା କଲେ ଏହା ଲଭିପାରି
ଗୋପପୁର ଲୋକଙ୍କର ଭାଗ୍ୟ ଉଦେହେଲା
ମୁକ୍ତି ଗତି ଦାତା ଆସି ପାଖରେ ମିଳିଲା
ବାଟରେ ପ୍ରାପତ ଆସି ହେଲା ଅଷ୍ଟନିଧି
ଅସାଧନକୁ ସାଧନ କରିବ କି ବିଧି
ନନ୍ଦଯଶୋଦା ଗୋ ପୂର୍ବେ କେତେ ପୁଣ୍ୟକରି
ପରମାନନ୍ଦ ପୁରୁଷ ମିଳି ଦେହ ଧରି
ଗୋପନଗ୍ରେ ଛନ୍ତି ନବଲକ୍ଷ ଗୃହବାସୀ
ଯେ ଯାହା ଶ୍ରଦ୍ଧାରେ କୃଷ୍ଣ ଦେଖୁଛନ୍ତି ଆସି
ସମସ୍ତ ଗୋପୀଙ୍କ ମନ ମୋହି ନାରାୟଣ
ଘରେ ଘରେ ପୁରେ ପୁରେ ଭାଳି ଅନୁକ୍ଷଣ
ଅପୁତ୍ରିକ ଘରେ ହେଲା ଏହି ପୁତ୍ର ଜାତ
ତେଣୁ ନନ୍ଦ ଯଶୋଦାର ମନ ଆନନ୍ଦିତ
ଅନେକ ସାନନ୍ଦ ପୁଣି ନନ୍ଦ ଯଶୋବନ୍ତୀ
ନଟ ଭାଟ ଜଉତିଷେ ବଧାଇ ଦିଅନ୍ତି
ଦିନୁ ଦିନ ଆନନ୍ଦ ଯେ ବଢ଼େ ଗୋପପୁରେ
ବଡ଼ ଆନନ୍ଦ ଉତ୍ସବ ନନ୍ଦର ମନ୍ଦିରେ
କୋଟିପାଦେ କମଳିଣୀ ବିଜେକଲେ ଆସି
ଅମର ଭୁବନ ବାରସ୍ୱତୀ ପ୍ରାୟ ଦିଶି
ବୃଦ୍ଧମାନେ ପାଲଟିଣ ହେଲେ ନବଯୁବା
ଅଧିକେ ଗୋପନଗର ଦିଶିଲାକ ଶୋଭା
ଅବସନ୍ତରେ ବସନ୍ତ ବହେ ଘନଘନ
ଝିଙ୍କ ପକ୍ଷୀ ଶୁକସାରୀ କୋଳାହଳ ସ୍ୱନ
ରୋଗ ଶୋକ ଚିନ୍ତା ନାହିଁ କାହାରି ହିଁ ଅଙ୍ଗ
ଲଭିଲେ ଧର୍ମମାର୍ଗ ଶ୍ରୀକୃଷ୍ଣ ଅଙ୍ଗସଙ୍ଗ
ଇତି ଶିରୀ ଭାଗବତ ଗ୍ରନ୍ଥ ପୁଣ୍ୟଧ୍ୱନି
ଧର୍ମ ଅର୍ଥ କାମ ମୋକ୍ଷ ସିଦ୍ଧ ହୋଇ ପୁଣି
ପବିତ୍ର ଏ ଗଙ୍ଗାଜଳ ଗ୍ରନ୍ଥ ପୁଣ୍ୟମୟେ
ଅଷ୍ଟାଦଶ ଅଧ୍ୟା ଏଥେ ସମାପତ ହୁଏ
ଜୟ ଗୋପୀନାଥ ବାଳଗୋପାଳ ମୂରତି
ଅପାରୁ ଅପାର ଗୁଣ ନ ଜାଣଇ ଶ୍ରୁତି
ଏ ଦ୍ୱାପରେ ଭାରାଭର ନିବାରଣ ଅର୍ଥେ
ସଦୟେ ଉଦୟେ ଗୋପେ ଗୋପୀଙ୍କ ନିମନ୍ତେ
ରାମ ଅବତାରେ ପ୍ରଭୁ ପାଇଥିଲେ ଦୁଃଖ
ତେଣୁ ରଙ୍ଗା ଅବତାର ହେଲେ ପଦ୍ମମୁଖ
ଜନରଞ୍ଜନ ମୂରତି ବାଳୁତ ଏ ରୂପେ
ସମୟେକ ଦେହ ଗୋପ୍ୟ କରିଛନ୍ତି ଗୋପେ
ବାଣ ବଜ୍ରନାଭ ଆଦି ବହୁ ଦୁଷ୍ଟରାଜା
ପୃଥ୍ୱୀ ନ ସହଇ ଭାରା ଅତି ଉଗ୍ରତେଜା
ଶାଲ୍ୱ ଶିଶୁପାଳ ଦନ୍ତବକ୍ର ଦନ୍ତବକ୍ର ଯେ ରୁକ୍ମଣ
ଏହାଙ୍କ ନାମ ଧରନ୍ତେ ତ୍ରାସି ଦେବଗଣ
ଅନେକ ଦର୍ପିଷ୍ଠେ ଯହୁଁ ହେଲେ ପୃଥ୍ୱୀ ଜାତ
ଗୋ ବ୍ରହ୍ମାଣ ଋଷି ତପ ତ୍ରାସି ଅନୁବ୍ରତ
ସ୍ୱାହା ସ୍ୱଧା ବୈଶ୍ୱଦେବ ହୋମ ଜପମୂଳେ
ଧର୍ମ ଅର୍ଥ ସ୍ଥାପନ ନ ହେଲା ରବିତଳେ
ସକଳ ଦେବଙ୍କ ମନ ହୋଇଲା ଉଚ୍ଚାଟ
ବୁଡ଼ିଲାକ ଧର୍ମମାର୍ଗ ବଢ଼େ ପାପ ବାଟ
ତୁମ୍ଭେ ଯେବେ ନ ପାଳିବ ଏହୁ ବସୁନ୍ଧରୀ
ଆବର ଆନ ବଳେ କି ରକ୍ଷା କରିପାରି
ନମସ୍ତେ ବାଳମୁକୁନ୍ଦ ଯଶୋଦାଙ୍କ ବଳା
ଗୋବିନ୍ଦ ନାମ ସଂସାର ସାଗରକୁ ଭେଳା
ସେ ଦେବଙ୍କ ପଦ୍ମପାଦେ ଳୁଳୁ ମୋର ମାଥ
ଅଚ୍ୟୁତାନନ୍ଦ ଦାସ ମୁଁ ପ୍ରଭୁର ଭକତ

ଶ୍ରୀକୃଷ୍ଣଙ୍କ ଦୋଳି ଶୁଆଣୀ

[ସମ୍ପାଦନା]

ଏଥୁଅନ୍ତେ ଶୁକମୁନି ହରଷିତ ହୋଇ
ବୋଲନ୍ତି କହିବା ଶୁଣ କୁରୁ ନରସାଇଁ
ଶ୍ରୀକୃଷ୍ଣର ଦୋଳଳୀଳା କ୍ରୀଡ଼ାରସ ବାଣୀ
କୋଟିଏ ଜନ୍ମର ପାପ ଯିବ ଏହା ଶୁଣି
ସ୍ତମ୍ଭନ ମୋହନ ବିଦ୍ୟା ବଶ୍ୟ ଉଚ୍ଚାଟନ
ଧରଣ ଧାରଣ ପୁଣି କୁହୁକ ଅଞ୍ଜନ
ନୃତ୍ୟ ଗୀତ ତାଳ ଲୟ ରହସ୍ୟ ଜ୍ୟୋତିଷ
ନାଟକ ନାଟିକା ଯୋଗ ପୁରାଣ ଭବିଷ୍ୟ
ଋଦ୍ଧି ସିଦ୍ଧିଆଦି ବିଦ୍ୟା ସଂସାରେ ଯେ ଅଛି
ଦୋଳିକ୍ରୀଡ଼ା ବିନୋଦକୁ ସମ ନୁହେ କିଛି
ରଙ୍ଗା ଅବତାରେ ବିଷ୍ଣୁଙ୍କର ବାଳଲୀଳା
ଗୋପୀ ଗୋପାଳଙ୍କ ସଙ୍ଗେ କଲେ ନାନା ଖେଳା
ତ୍ରୟତ୍ରିଂଶକୋଟି ଦେବ ଗୋପୀରୂପ ଧରି
ଗୋବିନ୍ଦ ଚିତ୍ତ ରଞ୍ଜିବା ପାଇଁ ଅବତରି
ଯମୁନା ନିକୁଞ୍ଜ ବନେ ଯେତେ ବୃକ୍ଷଶୋଭା
ପାଉଛନ୍ତି ସେ ସକଳେ ସ୍ୱର୍ଗଦେବୀ ଦେବା
ନାରାୟଣ ଅବାତର ହୋଇଛନ୍ତି ଯହିଁ
ଦେବ ଅଗୋଚର ନରେ ଜାଣିବେ ତା କାହିଁ
ଦିନୁଦିନ ବର୍ଦ୍ଧମାନ ହେଲେ ଚକ୍ରପାଣି
ଏକୋଇଶ ଦିନେ କଲେ ଦୋଳିରେ ଶୁଆଣି
ଘରମାନ ମଣ୍ଡି ଦେଲେ ଚନ୍ଦନର ଛରା
ଅପୂର୍ବ ଝିନ ବାସରେ ପାରିଲେ ପାଏରା
ନେତପତନୀ ଝରାରେ ଶୋଭିଲା ମାଞ୍ଜିଷ୍ଠ
ଦୋସରା ଝିନବସନ ନାନାବର୍ଣ ପାଟ
ବାସନ୍ତୀ ମାଧବୀ ମଲ୍ଲୀ ବଣମଲ୍ଲୀ କଳା
କାହିଁ ଲମ୍ବିଛି ସୁଗନ୍ଧ କୁସୁମର ମାଳା
ଉଭା ତୋରଣ ଦର୍ପଣ ଲମ୍ବେ ପନ୍ତି ପନ୍ତି
ଗୋବିନ୍ଦ ଦୋଳିଶୁଆଣି ମନ୍ଦିରେ ମଣ୍ଡନ୍ତି
ଅମର ବୈକୁଣ୍ଠ ରମ୍ୟ ମନୋହର ସ୍ଥାନ
କପିଳାସ ପୁର କିବା ଅମର ଭୁବନ
କର୍ପୂର କସ୍ତୁରୀ ଗନ୍ଧ ପନୀଅର ପାଣି
ଶରୀର ଆମୋଦେ ମୁକ୍ତା ମନ୍ଦିର କି ଜାଣି
ଦେଖି ଗୋପନଗ୍ର ଲୋକେ ହୋଇଲେ ଉସତ
କେ ବୋଇଲେ ନୁହଇ ଏ ଜାଣ ନରକୃତ୍ୟ
କେବଣ ଦେବତା ଆସି କଲେ ଏଥି ବିଜେ
କେ ବୋଲଇ ନୂଆ ଏହି କଂସରାଜା ରାଜ୍ୟେ
କେ ବୋଲଇ ନନ୍ଦଘରେ ଦୋଳିଶୁଆ ଆଜ
ଅପୁତ୍ରୀ ପୁତ୍ର ପାଇଲା କରିବ ନା କାର୍ଯ୍ୟ
ସହସ୍ରେକ ବଖରା ଯେ ମଣ୍ଡିଲେ ସୁସଞ୍ଚ
ନାହିଁ ପଟାନ୍ତର ସ୍ୱର୍ଗ ପାତାଳ ଯେ ମଞ୍ଚ
ତହିଁ ଉପରେ ଶୋଭଇ ସୁବର୍ଣ୍ଣରଚାଳ
ଖଞ୍ଜିତ ଅଷ୍ଟରତନ ପତନି ଚିରାଳ
ବେଦୀର ଭିତରେ ଶୋଭା ଜାଣି ଖମ୍ବଗୋଟି
ଅଳଙ୍କାର ସବୁଙ୍କରି ଶରୀରେ ଚହଟି
ମଣି ମାଣିଜ୍ୟ ମୁକୁତା ଝରା ଝୁମ୍ପା ଲମ୍ବେ
ନନ୍ଦାବର୍ତ୍ତ କମରାଜି ବିରାଜଇ ଖମ୍ବେ
ଉପରେ ସୁବର୍ଣ୍ଣମୟ କଳସର ଶୋଭା
ମଧ୍ୟାହ୍ନ ଆଦିତ୍ୟ ପରି ଦିଶେ ତାର ଶୋଭା
ଆଙ୍କୋଡ଼ା ଆଙ୍କୋଡ଼ି ଶୁଦ୍ଧ ସୁବର୍ଣ୍ଣ ଶିକୁଳି
ହୀରା ନୀଳା କାଠି ଗଜଦନ୍ତର ପିତୁଳି
ରସାଣିଲା ପାନପତ୍ର ଚଉପାଶେ କମ
ବିଚିତ୍ର ପାଟ ପତନୀ ମରକତ ହେମ
ବଇଠିର ଚାରିକ୍ଷୁରେ ନାନାରତ୍ନ ଲମ୍ବେ
ଚିତ୍ରାଙ୍କିତ ପାଟମାନ ବିରାଜନ୍ତି ଖମ୍ବେ
କୁବେର ଭଣ୍ଡାରୁ ରତ୍ନ ନିଜେ ବାଛି ଆଣି
ବିଶ୍ୱକର୍ମା ଖଞ୍ଜିଅଛି ଯାହାକୁ ନିର୍ମାଣି
ତା ତୁଲେ ଉପମା ଆଉ ଦେବଇଁ ମୁଁ କିସ
ପଟାନ୍ତର ନାହିଁ ଯାକୁ ପୁର ଚତୁର୍ଦ୍ଦଶ
ଏକଇ ରତ୍ନର ମୂଲ୍ୟ କୋଟିଏ ଭଣ୍ଡାର
କେତେ ରତ୍ନ ଖଞ୍ଜିଅଛି ନାହିଁ ପାରାବାର
ରତ୍ନ ତେଜେ ତେଜୋବନ୍ତ ଦିଶଇ ସେ ଦୋଳି
ଅନ୍ଧାର ତୃଣକୁ ଦିଏ କିଞ୍ଚିତରେ ଜାଳି
ମଲ୍ଲୀ ମାଳତୀ ବକୁଳ ଚମ୍ପା ଜାତି ଜାତି
ପାଟଳୀପୁଷ୍ପ ପୁନ୍ନାଗ ଅଶୋକ ସେବତୀ
କୁରୁବଲ୍ଲୀ ଯେ ସୁଗନ୍ଧରାଜ ପନ୍ତି ପନ୍ତି
ଆମ୍ବ ଖର୍ଜୁଲି ପଣସ ବୃକ୍ଷହିଁ ଅଛନ୍ତି
ସୁବାସ ଶୀତଳ ପରିମଳ ପୁଷ୍ପମାଳି
ବିଚିତ୍ର ଲେଖନ ନାନାବର୍ଣ୍ଣର ପିତୁଳି
ଧନ୍ୟ ସେ ଚାନ୍ଦୁଆ ଖଟ ଦୋଳିପରେ ଶୋହେ
ଚାହିଁବା ମାତ୍ରକେ ମନ ଅବହେଳେ ମୋହେ
ତାରାଗଣ ସହିତରେ ଚନ୍ଦ୍ର ଅଛି ତହିଁ
ତ୍ରୈଲୋକ୍ୟ ଭିତରେ ତାକୁ ପଟାନ୍ତର ନାହିଁ
ଗୋବିନ୍ଦ ଦୋଳିଶୁଆଣି ବାରତାକୁ ଶୁଣି
ଦେବତା ଗନ୍ଧର୍ବଗଣ ଥିଲେ ଦିନୁ ଗଣି
ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ବିଜେ କଲେ ଯାଇ
ଗୁପତରେ ବିଶ୍ୱକର୍ମା ଆସି ମିଳେ ତହିଁ
ମାୟା ଭୁବନ ନୁହଇ ମାନବଙ୍କୁ ଦୃଶ୍ୟ
ଆପେ ଦୋଳି ଲାଗି ହେବେ ପରମ ପୁରୁଷ
ପଞ୍ଚୁଆତି କର୍ମ ପାଞ୍ଚଦିନେ ଥିଲେ ସାରି
ଷଠିଜିଉଛିଙ୍କୁ ଷଷ୍ଠୀଦିନ ପୂଜାକରି
ଏମନ୍ତେ ବିଂଶ ସଂସ୍କାର ହେଲା ଯହୁଁ ଶେଷ
ନାମକରଣ ସଂସ୍କାର ଦିନ ଏକୋଇଶ
ବିଚିତ୍ର ବେଦୀ ଉପରେ ସୁନା ଖଟ ଦୋଳି
ତଥିପରେ ଶେଯାଇଲେ ଦାସୀ ନେତ ତୂଳି
ନାନା ତରନେ ମଣ୍ଡଣି କଲେ ସେହି ଘର
ଭେରୀ ମୃଦଙ୍ଗ ଆଦି ଯେ ବାଜେ ବୀରତୂର
ବିଜିଘୋଷ ତାଳ ଶଙ୍ଖ ମର୍ଦ୍ଦଳ ମହୁରୀ
ଶିଙ୍ଘାରୀ ଶିଙ୍ଗବାଦ୍ୟ ଯେ ନାଗରା ଦୋସରୀ
କଡ଼ାଘୁମୁରା ଚାଙ୍ଗୁ ଯେ କଂସାଳ କାହାଳି
ଘଣ୍ଟି ରାମତାଳି ବାଦ୍ୟ ବାଜେ ଭଳି ଭଳି
କାମିନୀମାନେ ଗାବନ୍ତି ବସି ଦୋଳିଗୀତ
ଅଳାବେଣୀ ହୁଳହୁଳି ସୁସ୍ୱର ଲଳିତ
ନାନାବର୍ଣ୍ଣେ ପିଠା ଖଜା ସ୍ୱାଦୁ ପକ୍ୱଫଳ
ଆମ୍ବ ଜମ୍ବିଳ ପଣସ ରମ୍ଭା ନାରିକେଳ
ଦାରାକ୍ଷ ପେଣ୍ଡି ଖର୍ଜୁରୀ ବୃନ୍ଦାହୁଳ ଗୁଆ
ନାନାବର୍ଣ୍ଣ ପୁଷ୍ଣ ଏକଭଳି ନୂଆ ନୂଆ
ଦୂର୍ବା ଅକ୍ଷତ ତଣ୍ଡୁଳ ପୂର୍ଣ କୁମ୍ଭ ଆଣି
ଶ୍ରୀଫଳ ଯେ ଚୂତପତ୍ର ନାନାତାର୍ଥ ପାଣି
ମତ୍ତେ ମତୁଆଳ ଗୋପୀ ଗୋପ ଗୋପବେଟା
ଢଗଢ଼ମାଳିଆ ଗାଇ ନାଚନ୍ତି ଖେମଟା
ସିନ୍ଧୁଆ ପାଟ ବାସନ୍ତୀ ମାଧବୀ ଯେ ପିନ୍ଧି
ହସ୍ତରେ କେନ୍ଦୁ ଲଉଡ଼ି ପାଦେ ଘଣ୍ଟି ବାନ୍ଧି
ନନ୍ଦ ଉପନନ୍ଦ ପୁଣି ସୁନନ୍ଦ ସହିତେ
ସୁଷେଣ ଚନ୍ଦ୍ରସେଣାଦି ଗୋପବୃନ୍ଦ ଯେତେ
ଯେ ଯାହା ଯୋଗାଡ଼ ଘେନିଅର୍ଘ୍ୟଦ୍ୟନ୍ତିନିତ୍ୟେ
ଗୋପ ଗୋପାଳ ବାଳକେ ମାତି ନୃତ୍ୟଗୀତେ
ସମସ୍ତ ଗୋପାଳ ଆସି ମିଳି ନନ୍ଦଦ୍ୱାରେ
ଦେଖଣା ଯୋଗାଡ଼ମାନ ଘେନି ଯେ ଯାହାରେ
ଇଷ୍ଟବନ୍ଧୁ ସୁହୃଦ ଯେ ସଖା ନାନାଜାତି
ନନ୍ଦଘରେ ଦୋଳିଶୁଆ ସମସ୍ତ ଦେଖନ୍ତି
ଏକୁ ଆରେକ ମଣ୍ଡଣି ଦିଶେ ବିତପନ
କେହୁ ଯେ ବୋଲନ୍ତି ଧନ୍ୟ ଆମ୍ଭର ଜୀବନ
ନନ୍ଦପୁଅ ଦୋଳିଶୁଆ ଦେଖ ଦିବ୍ୟସଜ
ତହିଁ ବିଜୟେ ଦେବାଧିଦେବଙ୍କର ରାଜ
ପ୍ରତ୍ୟକ୍ଷେ ମାନବ କୀର୍ତ୍ତି ପ୍ରାୟ ଦିଶୁନାହିଁ
ବିଷ୍ଣୁର ଭୁବନ ପ୍ରାୟ ନିର୍ମଳ ଦିଶଇ
ବିଚିତ୍ର ଭାଗବତ ଏ ଶ୍ରୀକୃଷ୍ଣର ବାଣୀ
ଏ ସମୟେ ବସୁଦେବ କରଇ ବିଚାର
ନନ୍ଦଘରେ ଛାଡ଼ିଥିଲି ପୁତ୍ରକୁ ମୋହର
ଏକବିଂଶ ଦିନ ହେଲା ଆଜକୁ ଗଣନ୍ତେ
କିସ ନାମ ଦେବ ନନ୍ଦ ଜାଣିବି କେମନ୍ତେ
ଗୁରୁଙ୍କୁ ଗୁପତେ ପେଷି ବୁଝିବି ସକଳ
ସେ ଗଲେ ବାରତା ଆଣି କହିବେ ଚଞ୍ଚଳ
ଏତେ ବିଚାରି ଗାର୍ଗ୍ୟଙ୍କୁ ସନ୍ନିଧେ ହକାରି
ବହୁତ କାକୁସ୍ଥ ହୋଇ କହେ ପୁଃରସରି
ବୋଲଇ ହେ ଗାର୍ଗ୍ୟ ତମ୍ଭେ ଶୁଣ ମୋରକଥା
ତୁମ୍ଭଠାରୁ ସୁହୃଦ ମୋ ନାହିଁ ନା ସର୍ବଥା
ତୁମ୍ଭେ ତ ଜାଣ ମୋହର ବେଦନା ହିଁ ଯେତେ
ପରମବ୍ରହ୍ମ ମୁନି ତୁ କହିବଇଁ କେତେ
ତୁମ୍ଭେ ଆମ୍ଭ ପୁରୋହିତ ପଣ୍ଡିତ ଅଗ୍ରଣୀ
ଭୂତ ଭବିଷ୍ୟତ ଆଦି ତିନିକାଳ ଜାଣି
ଭୋ ମୁନି ତୁମ୍ଭର ମୁହିଁ କରିବି କି କାର୍ଯ୍ୟ
ଅତ୍ୟନ୍ତ ଗୁପତ କଥା କହିବଇଁ ଆଜି
ତୁମ୍ଭେ ଜାଣ କଂସ ଷଡପୁତ୍ର ବଧ କଲା
ପୁତ୍ରେକ ପୁଣି ଯେ ଗର୍ଭୁ ସଂକ୍ରମିଣ ଗଲା
ଏବେ ନନ୍ଦଘରେ ପୁତ୍ର ଅଇଲି ମୁଁ ଥୋଇ
ତୁମ୍ଭ ବିନୁ ସେ କଥା ମୁଁ ଆନେ କହି ନାହିଁ
ଆଜ ତାର ନନ୍ଦଗୃହେ ଦୋଳିଣୁଆ ପୁଣି
କି ନାମ ଦେଇ ଆସିବ ତୁମ୍ଭେ ପୁଣି ମୁନି
ଜାଣିଲେ ଲାଗିବ କଂସ ମନେ ବଡ଼ ବ୍ୟଥା
କେହି ନ ଜାଣିବେ ମୁନି ଯେମନ୍ତେ ଏ କଥା
ବାସୁଦେବ ବାକ୍ୟ ଣୁଣି ଗର୍ଗ୍ୟମୁନି ଖୁସି
ସେଠାବାକୁ ଯିବୁ ବୋଲି ଆମ୍ଭେ ଅଛୁ ଆସି
ସକଳ ଦେବତା ଥିବେ ସେଠାରେ ଗୁପତେ
ଆମ୍ଭ ଭଳି ଲୋକର ତ ଯିବାର ଯୁକତେ
ଶୁଣି ବସୁଦେବ ଅତି ସନ୍ତୋଷ ହୋଇଲେ
ସେହି ଅନୁକୂଳେ ଗାର୍ଗ ଗୋପପୁରେ ଗଲେ
ଆରୋହିଣ ମନଦଣ୍ଡ ଯାନ ମୁନିବର
ତକ୍ଷଣେ ପ୍ରବେଶ ଯାଇ ନନ୍ଦର ମନ୍ଦିର
ଦେଖିଲେ ଗୋପ ନଗରେ ଅତ୍ୟନ୍ତ ମଣ୍ଡନ
ସ୍ୱହସ୍ତରେ ବିଶ୍ୱକର୍ମା କରିଛି ନିର୍ମାଣ
ପ୍ରଶଂସା କରି ମିଳିଲେ ମୁନି ନନ୍ଦ ଆଗେ
ନମସ୍କାର କଲେ ନନ୍ଦ ଯଶୋଦା ଉଦ୍‌ବେଗେ
ରତ୍ନଝରିରେ ଯଶୋଦା ଦ୍ୟନ୍ତି ପାଣି ତୋଳି
ଆପଣେ ନନ୍ଦ ମୁନିଙ୍କ ଶ୍ରୀପାଦ ପଖାଳି
ଦୂର୍ବାକ୍ଷତ ଗନ୍ଧ ପୁଷ୍ପ ନଇବେଦ୍ୟ ଦେଲେ
ଭକତି ଭାବେ ମୁନିଙ୍କୁ ଗଉରବ କଲେ
ସୁବର୍ଣ୍ଣ ପିଢ଼ାରେ ପୁଣି କୃଷ୍ଣାଜିନ ପାଡ଼ି
ଗଉରବ ପାଇ ମୁନି ବସିଲେ ତା ମାଡ଼ି
ନନ୍ଦ ବୋଲେ ମୁନି ହେ ମୁଁ ଲୋଡ଼ୁଥିଲି ଯାହା
ବାଞ୍ଛା ସିଦ୍ଧ ହେଲା ଏବେ ପାଇଲଇଁ ତାହା
ପ୍ରତ୍ୟକ୍ଷେ ପ୍ରାହ୍ମଣ ତୁମ୍ଭେ ତପୀ ମୁଖ୍ୟବାନ
ବେଦବେଦିଙ୍କ ବିପ୍ରଙ୍କ ମଧ୍ୟରେ ପ୍ରଧାନ
ପ୍ରୟାଗ ତୀର୍ଥରେ ବଟ ଉପରକୁ ଯାଇ
ପ୍ରତ୍ୟକ୍ଷେ ମଣିକର୍ଣ୍ଣିକା ତୀର୍ଥେ ଝାସ ଦେଇ
ମହାପୁଣ୍ୟ କରିଥିଲେ ତୁମ୍ଭ ଭେଟ ହୋଇ
ପୂର୍ବଜନ୍ମର ପୁଣ୍ୟରୁ ତୁମ୍ଭଙ୍କୁ ମୁଁ ପାଇ
ଭୋ ମୁନି ଅପୁତ୍ରୀଘରେ ପୁତ୍ର ହୋଇ ଜାତ
କରିଛି ଦୋଳିଶୁଆଣି ଏକାଇଶ ରାତ୍ର
ଯେବେ ତପୋବନ୍ତ ମୋର ଘେନିଲଟି ସେବା
ବେଦଶାସ୍ତ୍ର ପ୍ରମାଣରେ ନାମ ବାଛି ଦେବା
ଗାର୍ଗ୍ୟ ବୋଇଲେ ହେ ନନ୍ଦ ଶୁଣ ମୋର ବାଣୀ
ଏ ବେନିପୁତ୍ର ତୁମ୍ଭର ଦେବ ଶିରୋମଣି
ନାରାୟଣ ଯେ ମନୁଷ୍ୟେ ଜନମି ଅଛଇ
ଲଭିବୁ ସୁଫଲଗତି ହେଲୁ ପୁଣ୍ୟମୟ
କୋଟିଏ ଜନ୍ମର ପାପ ଗଲା ତୋର କ୍ଷୟ
ସନକାଦି ଋଷି ଯାକୁ କରୁଛନ୍ତି ଧ୍ୟାନ
ସେ ବିଷ୍ଣୁ ହୋଇଲେ ଆସି ତୋହର ନନ୍ଦନ
ଏଥିରୁ ଅଧିକ ଲାଭ କି ଅଛି ବୋଲିବା
ପୂର୍ବଜନ୍ମେ କରିଥିଲୁ ଜପ ତପ ସେବା
ତେଣୁ ପୁତ୍ରରୂପେ ଏବେ ଲଭିଲୁ ଶ୍ରୀହରି
ତୋ ସମାନେ ଭାଗ୍ୟବନ୍ତ ନାହିଁ ତିନିପୁରୀ
ଏତେ ବୋଲି ଗାର୍ଗ୍ୟମୁନି ଆସନୁ ଉଠିଲେ
ବାଳଗୋପାଳଙ୍କୁ ଯାଇ ନିରୋପି ଦେଖିଲେ
ମାୟାବଳେ ମାୟାଧର ଶୋଇଛନ୍ତି ଶେଯେ
ମୋହନ ମୂରତି କରେ ଶଙ୍ଖ ଚକ୍ର ସାଜେ
ଦୀପ୍ତିମନ୍ତ ହୋଇ ତେଜ ଦିଶେ ମହାଶୋଭା
ପୂର୍ଣ୍ଣମୀ ଚନ୍ଦ୍ରମା ପ୍ରାୟ ବିରାଜଇ ପ୍ରଭା
ବିଷ୍ଣୁ ଦିବ୍ୟତେଜ ଦେଖି ଗାର୍ଗ୍ୟହେଲେ ମୋହି
ମନ ମଧ୍ୟେ ବିଚାରିଲେ ପରଂବ୍ରହ୍ମ ଏହି
ଏସନକ ଚିନ୍ତା ମୁନି ଅନ୍ତର୍ଗତେ କଲେ
ନିସ୍ତରିଲି ବୋଲି କହି କୃଷ୍ଣଙ୍କୁ ଧଇଲେ
ରୂପ ଦେଖି ଆନନ୍ଦରେ ମୁଖେ ଚୁମ୍ବଦେଇ
ବାଳମୁକୁନ୍ଦକୁ ଖଟେ ଶୁଆଇଲେ ନେଇ
ନନ୍ଦ ଯଶୋଦାଦି ଯେତେ ଗୋପ ଗୋପୀଥିଲେ
ତାହା ଦେଖି ଏକମୁଖେ ଜୟଧ୍ୱନି କଲେ
ସୁଲକ୍ଷଣୀ ନାରୀଗଣ ହୁଳହୁଳି ଦେଇ
ଆନନ୍ଦରେ ନୃତ୍ୟ କଲେ ଦୋଳିଗୀତ ଗାଇ
ସୁବର୍ଣ୍ଣ ଥାଳିରେ ପଞ୍ଚରତ୍ନ ସାଜି ଆଣି
ଶ୍ରୀକୃଷ୍ଣଙ୍କୁ ବନ୍ଦାଇଲେ ଯଶୋବନ୍ତୀ ରାଣୀ
କୌଶଲ୍ୟା କୋଳରେ ଯେହ୍ନେ ରାମଚନ୍ଦ୍ର ଶୋଭା
ରେଣୁକା କୋଳରେ ପର୍ଶୁରାମ ଅଛି ଅବା
ଅନସୂୟା କୋଳେ ଯେହ୍ନେ ଦେବାନ୍ତକ ମୁନି
ଯଶୋଦା ଦିଶନ୍ତି ତେହ୍ନେ କୃଷ୍ଣ କୋଳେ ଘେନି
ଭାଦ୍ର ଶୁକ୍ଲ ତ୍ରୟୋଦଶୀ ତିଥି ବୁଧବାର
ଶତଭିଷା ନାମେ ଋକ୍ଷ ଅଟେ ସେ ଦିନର
ବାଳବ ନାମେ କରଣ ବ୍ୟତିପାତ ଯୋଗ
କନ୍ୟା ସଂକ୍ରାନ୍ତିରୁ ପଞ୍ଚତ୍ରିଂଶ ଦିନ ଭୋଗ
ଏସନ ବାରତା ସ୍ୱର୍ଗେ ପାଇ ପୁରୁହୂତ
ଧାତିକାରେ ବିଜେ କଲେ ଚଢ଼ି ଐରାବତ
ଗନ୍ଧର୍ବ ଅପ୍‌ସରାଗଣ ଘେନି ସଙ୍ଗତରେ
ପ୍ରବେଶ ହୋଇଲେ ଆସି ଗୋପ ନିକଟରେ
ତାର ବାର ନକ୍ଷତ୍ର ଯେ ଗ୍ରହଗଣ ତିଥି
କେତୁ ମଙ୍ଗଳ ଯେ ରାହୁ ବୁଧ ବୃହସ୍ପତି
ଚନ୍ଦ୍ର ସୂର୍ଯ୍ୟ ଅଗ୍ନିଦେବ ଈଶାନ ସହିତେ
ଦ୍ୱାଦଶ ଯେ ବିଶ୍ୱେଦେବା ଅଷ୍ଟନାଗ ପୁତ୍ରେ
ନନ୍ଦପୁଅ ଦୋଳିଶୁଆ ଦେଖିବାର ପାଇଁ
ଏକଦୃଷ୍ଟିରେ ଚାହାଁନ୍ତି ଆକାଶରେ ଥାଇ
ଅଗସ୍ତି ଯେ ଅଙ୍ଗିରସ ଭୃଗୁ ଗାର୍ଗ୍ୟଋଷି
ସନକ ଯେ ସନାତନ ବିଶ୍ୱେଦେବା ଶିଷି
ଭରଦ୍ୱାଜ ଗଉତମ କଣ୍ୱ ବେଦବ୍ୟାସ
ବିଶ୍ୱାମିତ୍ର ପରାଶର ବଶିଷ୍ଠ ଲୋମଶ
ପ୍ରଚେତା ଦୁର୍ବାସା ଆଦି କପିଳ ଯେ ମୁନି
ପଉଲସ୍ତ୍ୟ ବିଭାଣ୍ଡକ ଋଷ୍ୟଶୃଙ୍ଗ ଜ୍ଞାନୀ
ବାଲମୀକ ବଇଶମ୍ପାୟନ ବ୍ରହ୍ମବେତ୍ତା
ରୋମାଞ୍ଚ ମରୀଚି ଅଷ୍ଟବକ୍ର ମହାଜ୍ଞାତା
କ୍ରତୁ ପୁଲହ ଯେ ମୁନି ଆବର ସୁକାନ୍ତି
ବିଶ୍ରବା ସହିତେ ସପ୍ତମୁନି ତହିଁ ଛନ୍ତି
ନବବ୍ରହ୍ମା ଆଦିକରି ବାଳଖିଲ୍ୟା ଯତି
ମିଳାଇ ବୃହତସାମ ଗାୟନ କରନ୍ତି
ଅନେକ ଶିଷ୍ୟ ଅଛନ୍ତି ସଙ୍ଗେ ବ୍ରହ୍ମଚାରୀ
ସ୍ୱସ୍ତି କଲ୍ୟାଣ ବଚନ ମୁଖରେ ଉଚ୍ଚାରି
ଗୋବିନ୍ଦର ଦୋଳିଯାତ୍ରା ଦେଖିବାର ପାଇଁ
ଅଲେଖ ଆସନ ଭିଡ଼ି ଶୂନ୍ୟଗାମୀ ହୋଇ
ରତ୍ନାକର କଟକରୁ ବରୁଣ ଅଇଲେ
ଆକାଶ ମାର୍ଗେ ଅନ୍ତର ହୋଇଣ ରହିଲେ
ସତ୍ୟଯୁଗ ଆସି ପୁଣି ମିଳିଲେ ତ କତି
ଶୁଦ୍ଧ ସ୍ଫଟିକରେ ରଥ ଆରୋହି ତଡ଼ତି
ଅମୃତଖଟ ଗୋଟିଏ ଘେନି ଦକ୍ଷକରେ
ବାମରେ ପୁସ୍ତକ ଶୋହେ ରୁଦ୍ରାକ୍ଷ କଣ୍ଠରେ
ଦରହସିତ ବଦନେ କରି ସ୍ତୋତ୍ର ଗାନ
ଉତ୍ତମ ବସ୍ତ୍ର ଧାରଣ ଦେହେ ଶୁକ୍ଳବର୍ଣ୍ଣ
ଶୋଭା ପାଉଛି ରତନକୁଣ୍ଡଳ ଶ୍ରବଣେ
କନ୍ଦେ ଉତ୍ତରୀ ବସନ ପଇତା ସୁବର୍ଣ୍ଣେ
ଅଷ୍ଟରତନେ ଜଡ଼ିତ ଅପାପୀ ଯା କାୟା
ପ୍ରତ୍ୟକ୍ଷେ ଧର୍ମ ପୁରୁଷ ସତ୍ୟଯୁଗୋଦୟା
ନବଲକ୍ଷ ସେନା ଘେନି ସେ ସତ୍ୟପୁରୁଷ
ଅର୍ଦ୍ଧ ଆକାଶେ ରହିଲେ ଦେବତାଙ୍କ ପାଶ
ତାଙ୍କ ସମୀପରେ ଆସି ତ୍ରେତା ନାମେ ଯୁଗ
ସମାରୋହେ ପହଞ୍ଚିଲେ ଚଢ଼ି ମତ୍ତନାଗ
ଉଦ୍ଦଣ୍ଡ ଧବଳଛତ୍ର ଚାମର ଶୋଭିତ
ଦିଶଇ ସେ କରୀବର ବଳେ ମଦମତ୍ତ
ରସାଣିଲା ସୁନାପରି ସେ ପୁରୁଷ ତନୁ
ବାମକରେ ବିରାଜଇ ସ୍ୱର୍ଣ୍ଣମୟ ଧନୁ
କଣ୍ଠେ ରତ୍ନହାର କଟିତଟେ ପୀତବାସ
ମୁକୁଟ କୁଣ୍ଡଳ ଆଭରଣ ବିଦ୍ୟବେଶ
ତାଡ଼ ତୋଡ଼ର କିରୀଟ ବଳୟ ଯେ ହାର
ମଣିମାଣିକ୍ୟ କଣ୍ଠରେ ଶୋହେ ସପ୍ତସ୍ୱର
ହସ୍ତରେ କାର୍ମୁକ ଧରି ପୂରାଇଛି ବାଣ
କନ୍ଧେ କାଳ କଳ୍ପାନ୍ତକ ନାମେ ବେନିତ୍ରୋଣ
ଛାମୁରେ ତୀକ୍ଷ୍‌ଣ ଖଡ଼ଗ ଶୂନ୍ୟେ ଅଛି ରହି
ଆଜ୍ଞାମାତ୍ରେ ଦେବଦୈତ୍ୟ ନରଙ୍କୁ ଛେଦଇ
ଆଠପଦ୍ମ ଗଜ ଚଢ଼ିଛନ୍ତି ଚଉପାଶେ
ନିମିଷକେ ବହୁଲୋକ ଲଙ୍ଘି ପାରଇ ସେ
ନିରପେକ୍ଷ ପୁରୁଷ ସେ ପୁଣ୍ୟମୟ କାୟେ
ଧର୍ମେ ଜୟକରି ପାପେ ପରାଭବ ଦିଏ
ଶତ୍ରୁ ମିତ୍ର ଉଦାସୀନ ତିନି ତାର ନାହିଁ
ନିରପେକ୍ଷ ପୁରୁଷ ସେ ପୁଣ ଗୁଣଗ୍ରାହୀ
ସତ୍ୟଯୁଗ ସମୀପରେ ସେ ତ୍ରେତୟା ଯୁଗ
ସମାରୋହେ ଉଭା ହେଲେ ଚଢ଼ି ମତ୍ତନାଗ
ତଦନ୍ତେ ଅଶ୍ୱରେ ବସି ଅଇଲା ଦ୍ୱାପର
ତା କଥା କହିବା ଏବେ ଶୁଣ ନୃପବର
ଦକ୍ଷିଣ ଭୁଜରେ ଖଣ୍ଡା ଧରିଛି ଉଭାରି
ଘୋଡ଼ାବାଗ ତୁଲେ କୁନ୍ତ ବାମକରେ ଧରି
ମଥାଏ ଅପୂର୍ବ ପାଗ ପାଏ ଦିବ୍ୟଶୋଭା
ବାଳାରୁଣ ପରି ଅଙ୍ଗେ ବିରାଜଇ ପ୍ରଭା
ନାନାମଣି ମାଣିକ୍ୟରେ ମଣ୍ଡି ଅଛି ଯାନ
ଶତେପଦ୍ମ ଅଶ୍ୱ ଯାନ ଅଛି ସନ୍ନିଧାନ
ଏକୁଁ ଏକ ବଳୀୟାର ସର୍ବେ ମହାଯୋଧୀ
ନିମିଷକେ ପୃଥ୍ୱୀଯାକ ପାରନ୍ତି ସେ ସାଧି
ଧବଳଛତ୍ର ଗୋଟାଏ ଧରାଇଛି ଆଗେ
ଲକ୍ଷେକ ମେଘ ଡମ୍ବରୁ ଆଣିଅଛି ସଙ୍ଗେ
ଶତ ଶତ ବିତପନ ଉପରେ ଉଡ଼ନ୍ତି
ନୀଳ ଜଳଧରେ ଯେହ୍ନେ ବିଜୁଳିର ଜ୍ୟୋତି
ଶଙ୍ଖ ମହୁରୀ ଭେରୀ ଯେ ବୀଣା ସପ୍ତସ୍ୱର
କଂସାଳକୁ ଆଦି ବାଜା ବାଜେ ନିରନ୍ତର
ଛାମୁରେ ନାନାଦି ଶାସ୍ତ୍ର ନୃତ୍ୟଗୀତ ବାଣୀ
ବିପୁଳ ସମ୍ପତ୍ତି ସେ ଅଚିନ୍ତ୍ୟ ଚିନ୍ତାମଣି
ଅଣିମା ଗରିମା ଆଦି ଯେତେ ରାଜବିଧି
ସହସ୍ରେ କୋଟି ଇନ୍ଦ୍ରର ଅଚଳ ସମୃଦ୍ଧି
ଲକ୍ଷ ଲକ୍ଷଣରେ ଯୁକ୍ତ ଅଟେ ଯେ ମହାତ୍ମା
ସାକ୍ଷାତରେ ଲକ୍ଷ୍ମୀଧର ଅପୂର୍ବ ମହିମା
ସହସ୍ର ପାଦରେ ଲକ୍ଷ୍ମୀ ବସାଇ ତା ଅଙ୍ଗେ
ସାତପଦ୍ମ ତୁରଙ୍ଗମ ବେଢ଼ିଛନ୍ତି ସଙ୍ଗେ
ଏହି ସେ ଦ୍ୱାପର ଯୁଗ ଶ୍ରୀମନ୍ତ ପୁରୁଷ
କାଳ ଜାଣି ବାହାରଇ କାର ନୁହେ ବଶ
କର୍ପୂର କସ୍ତୁରୀ ବିଦ୍ୟଗନ୍ଧ ଗଣ୍ଠି ଅନା
ଅଗୁରୁ ପନୀର ପାଣି ଆଉ ପୁଷ୍ପ ନାନା
ଏ ସକଳ ଭୋଗ ଭୁଞ୍ଜି ଅଷ୍ଟାଙ୍ଗରେ ଚିତା
ଆଗମ ନିଗମ ବେଦମନ୍ତ୍ର ତତ୍ତ୍ୱଜ୍ଞାତା
ଅଷ୍ଟନିଧି ତୁଲେ ନାନା ଭୋଗବସ୍ତୁ ଘେନି
ପାଦତଳେ ଖଟିଥାନ୍ତି କୋଟିଏ କାମିନୀ
ପୃଥିବୀର ଋଦ୍ଧି ସିଦ୍ଧି କରେ ଆତଯାତ
ଦ୍ୱାପରଯୁଗ ପୁରୁଷ ଶିରେ ଧଳାଛତ୍ର
ତ୍ରେତଯୁଗର ପାରୁଶେ ରହିଲା ଯେ ଆସି
ବ୍ୟାଘ୍ରେକ ଚଢ଼ିଣ ତହୁଁ କଳି ଯେ ପ୍ରବେଶି
ଶ୍ରୀହସ୍ତରେ ଲୋହଦଣ୍ଡ ଲେପନ ରୁଧିର
କେଶ ମୁକୁଳିତ ଦିଶେ ମହାଭୟଙ୍କର
ବିକଟ ଦନ୍ତ ଗର୍ଜ୍ଜନ ରଟମଟ ପାଟି
ବଦନ ଯେ ବିକରାଳ ନୟନ ତରାଟି
ପାଦରେ ଘୁଙ୍ଗୁର ମାଳ ଲମ୍ବାଇଛି ଗଳା
କାଳାନ୍ତକ ପୁରୁଷ ତା ତେଜ ଅନର୍ଗଳା
ଚଉବିଂଶ ସସ୍ର ସେନା ଘେନି ସଙ୍ଗତରେ
ଭୟଙ୍କର ନୀଳବସ୍ତ୍ର ଉତ୍ତରୀ ଶରୀରେ
ପାଶ ଅଙ୍କୁଶ ଖପର ଖଣ୍ଡା କାତି ଛୁରୀ
କାହାର ହସ୍ତେ ବାଙ୍କିଆ ଯମଦାଢ଼ ଫରୀ
କାହାର ହସ୍ତେ ଖଡ଼ଗ ଶକତି କଟାରୀ
କେହୁ ଭୟଙ୍କର ଗଦା କରେ ଅଛି ଧରି
ସୂଚୀ ଶୁଣ୍ଢ ଅସି ଚର୍ମରଜ୍ଜୁ କେହି ଘେନି
ଏମନ୍ତେ ନାନାଦି ଶସ୍ତ୍ର ଘେନିଣ ସଇନି
ଯେଣେ ଯାଏ ତେଣେ ପୁଣ ପଡ଼ୁଥାଇ ହୁରି
ନିର୍ବଳଠାରୁ ସେ ବଳେ ଘେନନ୍ତି ଉଛୁଡ଼ି
ମାର ମାର ଧର ଧର ଭୟଙ୍କର ବାଣୀ
ଚାଲିଲେ ସେ ଦଲ ଦଲ ହୁଅଇ ଧରଣୀ
ଧର୍ମକୁ ପଛ କରିଣ ପାପ ଆଗୁସାର
ଆଗରେ ଲାଭ ଦେଖିଲେ ନାହିଁ ନା ବିଚାର
ଅଧର୍ମକୁ ଆବୋରିଲେ ବଢ଼ାଇ ଯେ ଧନ
ତେଣୁ ଅଧର୍ମ ରଞ୍ଜଇ ପ୍ରାଣ ପଞ୍ଚମନ
ଧନ ପୁତ୍ର ସମ୍ପଦ ସେ ଦେଖି ଦିନାକେତେ
ପ୍ରଭାବ ଯାଇ ସେ ପଛେ ସ୍ୱପ୍ନ ଧନ ମତେ
ଏ ସେ କଳିଯୁଗ ଧର୍ମ ଯାକୁ କରେ ଶଙ୍କା
କୃତାନ୍ତକ ସମ୍ପଦରେ ତୁଟାଇ ସେ ଏକା
ନାନାଦି ଦ୍ୱନ୍ଦ୍ୱ ମନ୍ଦ ଯେ ଛନ୍ଦ ଅବିଚାର
ବନ୍ଧୁ ମିତ୍ର ପ୍ରିୟ ଧନ ମିଥ୍ୟାହିଁ ତାହାର
ମହାଭୟଙ୍କର କଳିଯୁଗାନ୍ତ ପୁରୁଷ
ତକ୍ଷଣେ ଦଣ୍ଡଇ ଦେଖି ଅନୁରୂପେ ଦୋଷ
ଧର୍ମାଧର୍ମର ବିଚାର କରଇ ତକ୍ଷଣ
ସଇନ୍ଦୁ ପୁରୁଷ ବୋଲି ଏହାକୁ ଯେ ଜାଣ
ତ୍ରେତା ଦ୍ୱାପର ଯୁଗକୁ ଆବୋରି ରହିଲେ
ଶୁଣ ହେ ପରୀକ୍ଷ ରାଜା ଶୁକ ଯେ କହିଲେ
କୁଶବଟୁ ଭୁବନେ ଯେ ଥିଲେ ବେଦବର
ମରାଳ ବାହନେ ଆସି ମିଳିଲେ ସତ୍ୱର
ଚଉରାଶୀ ବାଳଖିଲ୍ୟା ଛନ୍ତି ଆଗ ପଛ
ବେଦଧ୍ୱନି କରି କରି ଆସେ ଚତୁର୍ମୁଖ
ହସ୍ତେ ବେଦ କମଣ୍ଡଳୁ ଦଣ୍ଡ ଜପାମାଳି
ଧେନୁ ଘଣ୍ଟା ଷୋଳ ମୁଦ୍ରା କର ତପଶାଳୀ
ଅଙ୍ଗୁଷ୍ଠିରେ କୁଶବଟୁ ଦେହେ ଭସ୍ମଚିତା
ତମ୍ବାପତ୍ର ଉତ୍ତରୀୟ କନ୍ଧରେ ପଇତା
କର୍ଣ୍ଣରେ ତମ୍ବାକୁଣ୍ଡଳ ମରକତ ଗୁନ୍ଥା
କାଖରେ ଯେ ବେଦକାଣ୍ଡ ପୂର୍ଣ୍ଣ ବ୍ରହ୍ମବେତ୍ତା
ସମସ୍ତ ପଦାର୍ଥ ଥୋଇ ମରାଳ ପିଠିରେ
ଗୋପନଗ୍ରେ ବିଜେକଲେ ଯାଇ ବେଦବରେ
ତ୍ରିଗୁଣ ସମେତ ଋକ ଯଜୁ ସାମ ତିନି
ଅଥର୍ବ ବେଦର ଅର୍ଥ ପଢ଼ି ପଦ୍ମଯୋନି
କପିଳାସପୁରେ ବାର୍ତ୍ତା ପାଇ ସଦାଶିବ
ତତକ୍ଷଣେ ଆରୋହିଲେ କଳପୀ ବୃଷଭ
ଅନେକ ଯେ ରୁଦ୍ରଗଣ ଘେନି ଶୂଳପାଣି
ଶିଙ୍ଘନାଦ କରି ଆସି ମିଳିଲେ ତକ୍ଷଣି
ମେରୁ ପର୍ବତକୁ ଆଦିକରି ଅଷ୍ଟକିଳା
କୋଟିନାଗ ମୂଳେ କରେ ଅନନ୍ତ ସଙ୍ଖୋଳା
ବିହନ୍ତା ପୁରୁଷ ଅଣଚାଶ ଯେ ପବନ
ବ୍ରହ୍ମଋଷି ରାଜଋଷି ଦେବଋଷିଗଣ
ସାଧ୍ୟ ସାଧକ ଆବର ସିଦ୍ଧିଗଣ ମୂଳେ
କୃଷ୍ଣ ଦୋଳିଶୁଆ ଘରେ ସମସ୍ତେ ମିଳିଲେ
ଚନ୍ଦ୍ର ସୂର୍ଯ୍ୟ ବରୁଣ ଯେ ବିହନ୍ତା ପୁରୁଷ
ସପ୍ତବାର ସତାଇଶ ନକ୍ଷତ୍ର ବିଶେଷ
ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ଯେ ପୁଷ୍କର
ଅନନ୍ତ ରଥ ସଇନି ଘେନି ସଙ୍ଗତର
ବ୍ରହ୍ମାଣ୍ଡରେ ଭୂତ ପ୍ରେତ ପିଶାଚାଦି ଯେତେ
ଏକେ ଏକେ ନାମ ଧରି କହିବଇଁ କେତେ
ଶ୍ରୀକୃଷ୍ଣ ଚରିତ ଅତି ଗହନ ଏ ଗ୍ରନ୍ଥ
ପବିତ୍ର ପୁରାଣ ବେଦ ପଞ୍ଚମର ଅର୍ଥ
ଯେବଣ କୀର୍ତ୍ତିକୁ ବ୍ରହ୍ମା କହି ନ ପାରଇ
ଶ୍ରୀମୁଖେ ଶ୍ରୀଗୋପୀନାଥ ଯା ଦିଅନ୍ତି କହି
ତାଙ୍କ ମହିମା କହିବା ଶକ୍ୟ ମୋର କାହିଁ
ମୁଁ ମାନବ ଛାର ହୀନ ଜ୍ଞାନ ମୋର ନାହିଁ
ନ ପଢ଼ି ମୁଁ କାବ୍ୟଶାସ୍ତ୍ର ନ ଶୁଣି ପୁରାଣ
ଜନ୍ମେ ଜନ୍ମେ ମୂର୍ଖ ପୁଣି ଅଟଇ ମୁଁ ଜାଣ
ଅକ୍ଷର ଆଦି ନ ପଢ଼ି ନ ଚିହ୍ନିଲି ଗୁରୁ
ଶ୍ରୀକୃଷ୍ଣ ମହିମା ତେଣୁ ନ ସ୍ପୁରେ ମୁଖରୁ
କୃଷ୍ଣ ଅଙ୍ଗ କୀର୍ତ୍ତି ଶିରୀ ଭାଗବତ ସାର
ଦିନୁ ଦିନ କଥା ଲାଗେ ଅପାରୁ ଅପାର
କ୍ଷଣକେ ଶ୍ରୀକୃଷ୍ଣ ଯହିଁ ପୁଣ ଯାହା କଲେ
ବ୍ରହ୍ମାଙ୍କୁ ତା ଅଗୋଚର ମାନବ କି ବୋଲେ
ଦଶବିଂଶ ପଞ୍ଚାଶତ ସହସ୍ରକ ଛାଡ଼ି
ଠିକ ଠିକ ପଦ ଏଥୁ କହୁଅଛି ବାରି
ଯେତେ କହୁଅଛି ମୋତେ ଗୋଚର ସେ କାହିଁ
କଣ୍ଠେ ବସି ଗୋପୀନାଥ ଦିଅନ୍ତି ତା କହି
ଗହନ ସଂସାର ଏହି ଅନ୍ଧକାରମୟ
ମନ ବୁଦ୍ଧି ଅହଙ୍କାର ହେଉଛି ଉଦୟ
ପଞ୍ଚଭୂତ ଆତ୍ମା ଯେଉଁ ପ୍ରକାରେ ସମ୍ପାଦି
ପୃଥ୍ୱୀ ଆପ ତେଜ ବାୟୁ ଆକାଶ ଏ ବିଧି
ଏ ଯେ ପାଞ୍ଚଗୁଣ ଘେନି ପଚିଶ ପ୍ରକୃତି
ଜୀବ ପରମ ତ୍ରିଗୁଣ ସଂଖ୍ୟାରେ ପ୍ରବର୍ତ୍ତି
ଏହାନ୍ତ ଘେନିଣ ଆତ୍ମା ହେଲା ଯହୁଁ ଏକ
ସନ୍ଦେହମାନ ଜାଣଇ କେବଳ ବିବେକ
ଅନନ୍ତ ରୂପ ଧରିଣ କାୟା ଶେଷକରି
ତେଣୁ ଶୁଭାଶୁଭ କର୍ମ ଆପେ ଭୋଗକରି
ଅନନ୍ତ ସଂସାର ଏହି ଅଟେ ଅଗଣିତା
ପ୍ରତ୍ୟକ୍ଷେ ସେ ନାରାୟଣ ମନୁଷ୍ୟ ଦେବତା
ଏହି ମନୁଷ୍ୟ ରୂପେ ସେ ପାଳୁଛି ମେଦିନୀ
ମାୟାସୂତ୍ରେ ବନ୍ଧା ଶୁଭାଶୁଭ କର୍ମ ଘେନି
ପାପ ପୁଣ୍ୟ ସୁଖ ଦୁଃଖ ସହି ଏହି ଦେହ
ତୁଟିବ କର୍ମ ଜଡ଼ ଯେ ଖଣ୍ଡି ମାୟାମୋହ
ଏଥିର ତଦନ୍ତ ଜାଣେ ଶୁକ ବ୍ରହ୍ମଚାରୀ
କୃଷ୍ଣ ନାମ ବ୍ରହ୍ମବିଦ୍ୟା ତୁଳି ତୁଳକରି
ଶ୍ରୁତି ସ୍ମୃତି ଗ୍ରନ୍ଥ ତୁଳି ପଛେ ବାଛି ବାଛି
କୃଷ୍ଣ ନାମରୁ ଘେନିଲା ଦୃଢ଼ା ମନେ କିଛି
କଳିକାଳରେ ଯେ ମାୟା ମୋହକୁ ସର୍ଜିଲା
ବ୍ରହ୍ମ ପର୍ଯ୍ୟନ୍ତ ଲାଗିଛି ସଂସାରର ଲୀଳା
ବାଳୁତକାଳେ ଅଜ୍ଞାନେ କେତେଦିନ ଗଲା
ପିତାମାତା କୋଳେ ପୁତ୍ର ଦିନ ଭୋଗ କଲା
ଦିନୁ ଦିନ ବର୍ଦ୍ଧମାନ ହୋଇଲାକ ବୁଦ୍ଧି
ମାୟାମୋହେ ପଡ଼ି ଜୀବ ଦିନୁଦିନ ବନ୍ଦୀ
ତଦନ୍ତେ ଯେବଣ ଦିନେ ମତ୍ତଗର୍ବେ ବସି
ଦେହକୁ ଭାରିଯା ମିଳେ ସୁଲଭରେ ଆସି
ଶରୀରେ ସୁଖଭୋଗ ସେ କରଇ ନିରତ
ପିତାମାତା ସଂଯୋଗରେ ପୁତ୍ର ହୁଏ ଜାତ
ସ୍ନେହଭରେ ପ୍ରତିପାଳେ ଲାଗଇ ଶାଙ୍କୁଳି
କ୍ଷଣେ କ୍ଷଣେ ଉନମତ୍ତ ହୋଇପାରେ ଚଳି
ଅଧାର ନିମନ୍ତେ ବଶ କରେ ଧନଶ୍ରେୟ
ଧନେ ସ୍ନେହକରି ତାକୁ ଲାଗେ ମାୟାମୋହ
ମୋହ ବନ୍ଧନେ ଆବୋରି ସବୁ ସହେ ଦେହ
ଅଜ୍ଞାନ ପ୍ରାଣୀ ମୋହରେ ପଡ଼ି କରେ କୋହ
ନ ଜାଣିମା ପ୍ରାଣୀମାନେ ହେଉଥାନ୍ତି ଗଞ୍ଜି
ପାପ ପୁଣ୍ୟ ଲେଖା ସବୁ ଯମଦେବ ପାଞ୍ଜି
ଚିତ୍ରଗୁପତ କରଣ ସଙ୍ଗେ ସଙ୍ଗେ ଥାନ୍ତି
ଯାବତ କଲା କୃତ୍ୟକୁ ପତ୍ରରେ ଲିହନ୍ତି
ବିହନ୍ତା ପୁରୁଷ ବୋଲି କରଇ ଭଜନ
ଅନେକ ନୟନ ତୋର ଅନେକ ଶ୍ରବଣ
କୀଟୁଁ ବ୍ରହ୍ମଯାଏ ସେହି ସଜଳ ଜନ୍ତୁଙ୍କୁ
ଜାତକରି ସଂହରଇ ପୁଣ ସେ ତାହାଙ୍କୁ
ସ୍ଥାବର ଜଙ୍ଗମ କୀଟ ପତଙ୍ଗ ମରଇ
ତାକୁ ଦଣ୍ଡମଣ୍ତ କେତେ ପ୍ରକାରେ କରଇ
ପାପ ପୁଣ୍ୟ ବେନି ଏହି ଶରୀରେ ଭୋଗଇ
ଶୁଭାଶୁଭ ଘେନି ଆପେ ଭୋଗ ଯେ ଭୁଞ୍ଜଇ
ପାଣି ଭିତରେ ପ୍ରକାଶେ ଜଳବିମ୍ବ ଗୋଟି
ତେସନ ସଂଜାତ ଏହି ପଞ୍ଚଭୂତେ ଘଟି
କହୁ କହୁ ଏ ପିଣ୍ଡରୁ ଛାଡ଼ିଯିବ ପ୍ରାଣ
ଧନ ଜନ ଜୀବନ ଏ ସବୁ ଅକାରଣ
ଏ ଦେହ ଯେ ଭଲମନ୍ଦ ଅର୍ଜିଥାଇ ଯାହା
ପୁନରପି ଜନ୍ମ ଲଭି ଭୋଗକରେ ତାହା
ଏ ସଂସାରୁ ତରିବାକୁ ଅନ୍ୟେ ନାହିଁ ଗତି
ଏକା ମାତ୍ର କାରଣ ଶ୍ରୀକୃଷ୍ଣ ପାଦେ ଭକ୍ତି
ଚିତ୍ତେ ଧରି ଗୋବିନ୍ଦ ଦେବତା କର ପୂଜା
ଗାନକର ଶ୍ରୀଗୋବିନ୍ଦ ନାମ ଦେବରାଜା
ଅଣ୍ଡଜ ଉଦ୍ଭିଜ ଜରାୟୁଜ ଆଦିକରି
ପର ଅପରେ ଗୋବିନ୍ଦ ଅଛି ଏକା ପୂରି
ଗୋବିନ୍ଦ ନାମ କୀର୍ତ୍ତନ କରି ଏକା ମୁଖେ
ଜନମ ମରଣ ନାହିଁ ରହି ସୁଖେ ଦୁଃଖେ
ଦାନ ଧ୍ୟାନ ଜପ ମନ୍ତ୍ର ତପ ଆଦିକରି
ଏକା ଗୋବିନ୍ଦ ନାମକୁ କେହି ନୋହେ ସରି
ଆଶା ତୃପତି କରଇ ସ୍ଫୁରେ ପଞ୍ଚମନ
ସପ୍ତଧାତୁରେ ଲାଗିବ ଯାଇ ଚଇତନ
ପରମହଂସକୁ ଲୟେ ଜାଣି ନିରନ୍ତରେ
ମନ ବୁଦ୍ଧି ଲାଗିଯାଇ ଗୋବିନ୍ଦ ପୟରେ
ଏହି ପ୍ରକାରେ ଗୋବିନ୍ଦ ନାମ ଯେବେ ଧରି
କୋଟି ଅଶ୍ୱମେଧ ଯାଗ ନୋହେ ତାକୁ ସରି
ତେଣୁ ଗୋବିନ୍ଦ କୀରତି କରିବ ଉଦ୍‌ଘଟ
ଯେବଣ ନାମ ଧରନ୍ତେ ଫିଟେ ମୁକ୍ତିବାଟ
କୃଷ୍ଣ ନାମ ପଦେ ପଦେ ପୂରଇ ସମ୍ପଦ
ଗୋବିନ୍ଦ ନାମ ଯେ ଦୁଃଖ ହରିବାକୁ ଗଦ
ଭାବେ ବାଳଲୀଳା ଅତି ଭାଗ୍ୟେ ଭାଗବତ
ପଦ ପଦକରେ ପୁଣ ସ୍ପୁରଇ ଅମୃତ
ଗଙ୍ଗା ଗୟା ଗୋଦାବରୀ କାଶୀ ସରସ୍ୱତୀ
କେଦାରବେଣୀ ଗଣ୍ଡୁଳୀ ପୁଣ୍ୟା ଭାଗୀରଥି
କାବେରୀ ଚନ୍ଦ୍ରଭାଗା ଯେ ବ୍ରାହ୍ମୀ ମହାନଦୀ
ଏମାନେ ତ ମହାତୀର୍ଥ ସଂସାର ପ୍ରସିଦ୍ଧି
କୋଟିଏ ଚନ୍ଦ୍ର ଗ୍ରହଣେ ସାଗରେ ଯେ ଦହି
ଏକା ଗୋବିନ୍ଦ ନାମରୁ ତେତେ ପୁଣ୍ୟ ପାଇ
ଶକୁ ବୋଇଲେ ତୁ ଶୁଣ ପରୀକ୍ଷ ନୃମଣି
ବାଳମୁକୁନ୍ଦ ସଂସାରେ ଦୋଳିର ଶୁଆଣି
ସଂସାର ସାଗରେ ଦେବ ହୋଇ ଉତପତ୍ତି
ଆପେ ଯାହା କଲେ କେହୁ ଲେଖିବ ସେ କୀର୍ତ୍ତି
ଖଟୁଲିରେ ବିଜେ କରିଛନ୍ତି ଦେବରାୟେ
ସେ ବାଳମୁକୁନ୍ଦ ରୂପ ଜଗଜ୍ଜନ ମୋହେ
ଦିଗପାଳ ଦେବତାଏ ହୋଇଛନ୍ତି ମେଳି
ଆପେ ଗର୍ଗ୍ୟମୁନି ଧୀରେ ପହୁଞ୍ଚାନ୍ତି ଦୋଳି
ଅହିଅ ସୁଲକ୍ଷଣୀଏ ଆସି ତହିଁ ମିଳି
ଗାଆନ୍ତି ମଙ୍ଗଳ ଗୀତ ଦେଇ ହୁଳହୁଳି
ଅନେକ ବ୍ରାହ୍ମଣ ମିଳିକରି ବେଦଧ୍ୱନି
ସୁସ୍ୱରେ ପୂରିଛି ପୁର ବ୍ରହ୍ମାଣ ଯେ ନିତି
ନାନା ଛନ୍ଦରେ ବାଜଣା ବାଜେ ଅପ୍ରମିତ
ନାଟ ଗୀତ କରନ୍ତି ସେ ମିଳିଣ ସମସ୍ତ
ସମୁଦ୍ର ଗର୍ଜ୍ଜନ ପ୍ରାୟ ଶୁଭେ ପ୍ରତିଧ୍ୱନି
ଶବଦେ ପୂରିଅଛି ବ୍ରହ୍ମାଣ୍ଡେ ଖଣ୍ଡ ତିନି
ଅର୍ଦ୍ଧ ଆକାଶେ ଦେଖନ୍ତି ଦେବଗଣ ଋଷି
ଓଁକାର ବୃହତ ସାମ ବେଦମାନ ଘୋଷି
ମଣିମା ମଣିମା ଡାକ ଦ୍ୟନ୍ତି ଉଚ୍ଚକରି
ସୁଗନ୍ଧ ପୁଷ୍ପ ସିଞ୍ଚନ୍ତି ଶିରେ କର ଧରି
ଛତ୍ର ଚାମର ଧରିଛି କେହୁ ଧୂପକାଠି
ଜାଜ୍ୱଲ୍ୟମାନରେ ଶୋଭାପାଏ ନବସୃଷ୍ଟି
ନାଟୁଆ ନାଟ କରନ୍ତି ଭାଟ କଏବାର
ଘୋଷନ୍ତି ମଙ୍ଗଳ ଗୀତ ଆନନ୍ଦ ମନର
ଅନେକ ପିଷ୍ଟକ ଘୃତ ଦୁଗ୍‌ଧ ସେ ରାନ୍ଧଣା
ଶାକରେ ଗୋଟିକା ପୂରି ନବାତର ପଣା
ଆମ୍ବ ପଣସ କଦଳୀ ଗୁଆ ନାରିକେଳ
ପେଣ୍ଡି ଖଜୁରୀ ଆବର ବୃନ୍ଦାହୁଳ ଫଳ
ପକ୍ୱଫଳ ଶାଳିଅନ୍ନ ଉପହାର ନାନା
ରାନ୍ଧଣା ପିଣ୍ଡାରେ ବସି ଭୁଞ୍ଜି ଗୋପାଙ୍ଗନା
ଦଧି ଦୁଗ୍‌ଧ ସରପୁଳି ଗୋଟିକା ଲବଣୀ
ଅଧାମ ସର ପାପୁଳି କ୍ଷୀର ଦ୍ୟନ୍ତ ଆଣି
ଏମନ୍ତେ ନାନା ଗୋରସ ଉପହାର ଯେତେ
ଯଶୋଦା ଯେ ନାମ ଧରି ଦିଅନ୍ତି ସୁଚିତ୍ତେ
ଦୋଳିରେ ଅଛନ୍ତି କୃଷ୍ଣ ବଳରାମ ଶୋଇ
ଡାହାଣେ ନନ୍ଦ ବାମରେ ଗାର୍ଗ୍ୟ ଛନ୍ତି ରହି
ମହାମନ୍ତ୍ର ପଢ଼ି ଦୋଳି ଚାଳି ବ୍ରହ୍ମଚାରୀ
ସମସ୍ତ ଦେବତା ସ୍ୱର୍ଗେ ଜୟ ଜୟ କରି
ଜାଈ ଯୂଈ ମଲ୍ଲୀ କିଆ ମାଳତୀ ସେବତୀ
ନିରନ୍ତରେ ପୁଷ୍ପବୃଷ୍ଟି ହୁଏ ଚଉକତି
ପାଞ୍ଚଘଡ଼ି ଆସି ପୁଣି ହୋଇଲା ରଜନୀ
ନିର୍ମଳ ଗଗନେ ଉଦେ ହେଲେ ନିଶାମଣି
ଦୀପ ଦିହୁଡ଼ି ଯେ ଲାଗିଅଛି ଯେଝାଘରେ
ସୁରସିଦ୍ଧ ମୁନିଗଣ ପୂରି ନନ୍ଦଘରେ
ଜନଗହଳରୁ ମୁଖରାବ କରି ଲୋକେ
ଫଳପୁଷ୍ପ ବସ୍ତ୍ର ପିଢ଼ା ଘେନିଛନ୍ତି ଥୋକେ
କେହି ଯାତ୍ରା ଦେଖୁଛନ୍ତି ହରଷ ହୋଇଣ
ପରଦେଶ ବନ୍ଧୁମାନେ ଅଇଲେ ଧାଇଁଣ
ଦେବ ଦାନବ ମାନବ ମିଳି କଲେ ଗୋଳ
ସମୁଦ୍ର ଗର୍ଜ୍ଜନ ପ୍ରାୟ ଶୁଭଇ ଚହଳ
ସାନନ୍ଦେ ଚାହାନ୍ତି ଗୋପୀମାନେ କୃଷ୍ଣମୁଖ
ମଦନ ଆରତେ ଗୋପୀ ପାଉଛନ୍ତି ଦୁଃଖ
ଏକକୁ ଆରେକ ପୁଣି ହୁଅନ୍ତି ଆରତ
ବୋଲନ୍ତି ଭୋ ସଖି କେହଁ ଦେବ ଜାଣି ଏତ
କୋଟି କନ୍ଦର୍ପର ରୂପ କେହ୍ନେ ମୂର୍ଚ୍ଛି ଏହା
ହୁଅନ୍ତେ କି ଏହି ଦେବ ଆମ୍ଭ ପ୍ରାଣନାହା
କେତେକାଳ ବସି ଧାତା ଗଢ଼ିଲା ଏ ରୂପ
ଧଳା କଳା ବେନି ମୂର୍ତ୍ତି କନ୍ଦର୍ପ ସ୍ୱରୂପ
ଏକ ଏକ କରି କେତେ କହିବାକୁ ଶୁଣ
ନୁହନ୍ତି ମାନବ ଏହି ସ୍ୱୟଂ ନାରାୟଣ
କି ଉପମା ଦେବା ଏହି ସୁନ୍ଦର ମୂରତି
ଧଇର୍ଯ୍ୟ ଧରି ରହି କି ପାରଇ ଯୁବତୀ
ଜଗଜ୍ଜନ ମୋହନ ଏ ଲାବଣ୍ୟର ନିଧି
ଗୋପୀଙ୍କ ଅଭୟ ବାଞ୍ଛା ହୋଇଲାକ ସିଦ୍ଧି
ଆଗେ ଯେଉଁଦିନୁ ପୁତ୍ର ଜାତ ନନ୍ଦଘରେ
ଅଚଳାଚଳ ସମ୍ପଦ ହେଲା ଗୋପପୁରେ
ଆଜି ନନ୍ଦଘରେ ଦୋଳି ଶୁଆଣୀ ଉତ୍ସବ
ଦେବଦୁର୍ଲ୍ଲଭ ମାନବେ ଅତି ଅସମ୍ଭବ
କେ ଆଣି କେତେ ପଦାର୍ଥ କାହୁଁ ରୁଣ୍ଡ କଲା
ଅପୂର୍ବ ପଦାର୍ଥମାନ କେ ଏଥେ ରଖିଲା
ନନ୍ଦ ଗଉଡ଼ କାହୁଁ ଏ ପଦାର୍ଥ ଅର୍ଜିଲା
କୁବେର ଭଣ୍ଡାରୁ ବିଶ୍ୱକର୍ମା ଯେ ସର୍ଜିଲା
କେବଣ ସଖି ବୋଲଇ ଦେଖ ଗୋ ଗଗନେ
ଅର୍ଦ୍ଧ ଆକାଶ ବିମାନେ ବସି ଦେବଗଣେ
ଅମର ଦୁନ୍ଦୁଭି ବାଜେ ଶୁଭେ ମୁଖଧ୍ୱନି
ଅନ୍ତରୀକ୍ଷେ ରହିଛନ୍ତି ସୁର ସିଦ୍ଧ ମୁନି
ଏତେ ବୋଲି ଆକାଶକୁ ଚାହିଁଲେ ସୁନ୍ଦରୀ
ଦେଖିଲେ ଦେବତାମାନେ ଅଛନ୍ତି ତ ପୂରି
ଯେ ଯାହାର ଯାନ ତେଜି ଆକାଶରେ ରହି
ଗୋପୀମାନଙ୍କୁ ଗୋଚର ଆନେ ଦୃଶ୍ୟନୋହି
ଦେଖନ୍ତି ଅନେକ ଶ୍ରଦ୍ଧାକରି ଗୋପବଧୂ
ମନେ ବିଚାରନ୍ତି ଆମ୍ଭେ ଗୋପାଙ୍ଗନା ସାଧୁ
ଏଥୁ ଅନନ୍ତରେ ତହିଁ ଗାର୍ଗ୍ୟ ମହାମୁନି
ହସ୍ତେ ଦୋଳିପଞ୍ଚା ମୁଖେ କରି ବେଦଧ୍ୱନି
ଗଜଦନ୍ତ ପଲ୍ୟଙ୍କରେ ରାମକୃଷ୍ଣ ବେନି
ଗୋପାଳଙ୍କ କରେ ଛତ୍ର ଚାମର ବିଞ୍ଚଣି
ଏମନ୍ତବେଳେ ରଜନୀ ବାରଦଣ୍ଡ ଶେଷ
ମାହେନ୍ଦ୍ରବେଳ ଯେ ଆସି ହୋଇଲା ପ୍ରବେଶ
ମୂଳମନ୍ତ୍ର ସୁମରିଣ ଗାର୍ଗ୍ୟ ତପୋଧନ
ଦକ୍ଷିଣ କର୍ଣ୍ଣେ କହିଲେ ତିନିଥର କୃଷ୍ଣ
ନନ୍ଦଯଶୋଦା ଗୋପାଳ ଗୋପୀ ଯେତେଥିଲେ
କୃଷ୍ଣ ନାମ ହେଲା ବୋଲି ସକଳେ ଜାଣିଲେ
ବ୍ରହ୍ମା ରୁଦ୍ର ଇନ୍ଦ୍ର ମୂଳେ ଯେତେ ଦେବବୃନ୍ଦ
କୃଷ୍ଣ ନାମ ଧରି ସର୍ବେ ହୋଇଲେ ଆନନ୍ଦ
ଚାରିବେଦ ଷଡ଼ଶାସ୍ତ୍ର ଅଠର ପୁରାଣ
ଛତିଶ ସ୍ମୃତି ଆବର ନବ ବ୍ୟାକରଣ
ସଚରାଚର ଭିତରେ ଦେବବୃନ୍ଦ ଛନ୍ତି
ଶ୍ରୀକୃଷ୍ଣ ନାମ ଉତ୍ତମ ସମସ୍ତେ ବୋଲନ୍ତି
ପାପାଧିପାପ ଯେବଣ ନାମେ ହୋଏ ଧ୍ୱଂସ
ମୁନି ମାନସରେ ଯେଉଁ ନାମ ରାଜହଂସ
ସରିଲା ନାମକରଣ ଦୋଳିଯାତ୍ରା ବିଧି
ଅଇରାବତ ଆରୋହି ଗଲେ ଜମ୍ଭଭେଦୀ
ଦେବତା ଗନ୍ଧର୍ବଗଣ ରାଜର୍ଷି ସହିତେ
କଲ୍ୟାଣ କରି ଅକ୍ଷତ ଦେଇ ଯେଝାମତେ
ପ୍ରିୟ ସୁହୃଦ ମଇତ୍ର ଯେ ଦେଖଣାହାରି
ସରିଲା ଉତ୍ସବ ଯାତ୍ରା ଗଲେ ଯେଝାପୁରୀ
ଗୋପନଗ୍ରେ ବସିଣ ଯେ ଗୋପୀ ଗୋପବୃନ୍ଦ
ଶ୍ରୀକୃଷ୍ଣ ନାମ ସୁମରି ପରମ ସାନନ୍ଦ
ଗର୍ଗଋଷିଙ୍କୁ ଯେ ନନ୍ଦ ବହୁ ପୂଜା କଲେ
ଲକ୍ଷେକ ମାଢ଼ ସୁବର୍ଣ୍ଣ ବିପ୍ରେ ଦାନ ଦେଲେ
ଅନେକ ଦାନ ଦେଲେ ସେ ବତ୍ସା ଧେନୁଗାଈ
ଉପହାର ଉପରାଣମାନରେ ବଧାଇ
ନଟ ଭାଟ ଜଉତିଷ ଯତି ବ୍ରହ୍ମଚାରୀ
ଆଶା ସମ୍ପୂର୍ଣ୍ଣେ ବଧାଇ ଦେଲେ ଯେ ଯାହାରି
ଯଶୋଦା ପଲ୍ୟଙ୍କୁ ଖଣ୍ଡଦୂରେ ବିଜେ କରି
ନାନା ଦ୍ରବ୍ୟମାନ ଦ୍ୟନ୍ତି ଆପେ ନାମ ଧରି
ସୁରଙ୍ଗ କୋମଳ ଦେବଅଙ୍ଗ ଝିନବାସ
ସୁବର୍ଣ୍ଣ ମଣ୍ଡଣି ରତ୍ନ ଅଳଙ୍କାର କୋଷ
ସମସ୍ତ ଦ୍ରବ୍ୟ ଦିଅନ୍ତି ହୋଇ ତୋଷଚିତ୍ତ
ଗୁଣେ ସମ୍ପାଦିଲେ ଦଶଗୁଣେ ହୁଏ ବିତ୍ତ
ଶଙ୍ଖ ପଦ୍ମନିଧି ଘେନି ଅଳକାଧିକାରୀ
ନନ୍ଦର ମନ୍ଦିରେ ଆପେ ଛନ୍ତି ବିଜେ କରି
ଅନେକ ପ୍ରସିଦ୍ଧ ପୁଣ ନନ୍ଦର ମନ୍ଦିର
ବଚନେ କହି ନୁହଇ ଅତି ଅଗୋଚର
ଗୋପନଗ୍ରେ ନବଲକ୍ଷ ଗୋପାଳ ବିନାସୀ
ଶ୍ରୀକୃଷ୍ଣ ଦୋଳିଶୁଣିଆଣି ଦେଖିବାକୁ ଆସି
ନାନା ଉପହାର ଦେଲେ ଯେ ଯାହାକୁବାଣ୍ଟି
ଯଶୋଦା ଶାଢ଼ୀ ବାନ୍ଧନ୍ତି ଯେତେକ ନଅଣ୍ଟି
ଶ୍ରୁତିସ୍କୃତି ମନ୍ତ୍ରେ ତହିଁ ମିଳିଥିଲେ ଆସି
ଧନରତ୍ନ ପାଇ ଗଲେ ହୋଇ ବଡ଼ ଖୁସି
ପଦାର୍ଥ ଯେତେ କହିଲେ ନ ହୋଇବ ଶେଷ
ଦେହବନ୍ତ ହୋଇ ଯହିଁ ପରମ ପୁରୁଷ
ଉତ୍ସବ ଯେ ସମାପତ ରାତି ଅଧ ହେଲା
ଯଶୋଦାକୁ ତାହିଁ ନନ୍ଦ ବଚନ ବୋଇଲା
ନନ୍ଦର ଯମୁନା ମଜ୍ଜନ ଓ ଶ୍ରୀକୃଷ୍ଣଙ୍କଦ୍ୱାରା ଉଦ୍ଧାର
ଆଗୋ ଦେବୀ କାର୍ଯ୍ୟ କରିଅଛି ଶ୍ରମ ପାଇ
ଯମୁନା ନଦୀରେ ସ୍ନାନ କରି ଆସେ ଯାଇ
ପୁତ୍ରକୁ ଘେନି ଭିତରେ ତୁମ୍ଭେ ବିଜେକର
ଏତେ ବୋଲି ନନ୍ଦ ତହୁଁ ଗଲେ ଧାତିକାର
ଦଶବିଂଶ ପରିବାରୀ ସଙ୍ଗତେ ଅଛନ୍ତି
ତିଳ ଅଏଁଳା ସୁଗନ୍ଧ ଦ୍ରବ୍ୟ ଘେନିଛନ୍ତି
କାଳନ୍ଦୀ ନଦୀରେ ନନ୍ଦ ପ୍ରବେଶିଲେ ଯାଇଁ
ଜଳରେ ପଶିଲେ ନନ୍ଦ ତଇଳ ଲଗାଇ
ଶୁକମୁନି ବୋଲନ୍ତି ଯେ ପରୀକ୍ଷ ଶୁଣନ୍ତି
ନନ୍ଦ ଜଳରେ ପଶନ୍ତେ ବରୁଣ ନୃପତି
ନନ୍ଦର ପାରୁଶେ ଆସି ହୋଇଲେ ପ୍ରବେଶ
ଆମୋଦ କରଇ ନନ୍ଦ ଶ୍ରୀଅଙ୍ଗ ସୁବାସ
ମଥାରେ ତିଳ ଅଏଁଳା ଅଛଇ ଲଗାଇ
ଜଳର ଭିତରେ ପଶି କୃଷ୍ଣ ସୁମରଇ
ବେକକ ପାଣି ଗଭୀର ଜଳରେ ବୁଡ଼ିଲା
ବୁଡ଼ନ୍ତେ ବରୁଣ ଜଳ ମଧ୍ୟୁ ଘେନିଗଲା
ସଙ୍ଗ ଲୋକମାନେ କୂଳେ ଛନ୍ତି ଉଭାହୋଇେ
ପାତାଳ ବଇକୁଣ୍ଠରେ ଲୁଚାଇଲା ନେଇ।
କୂଳେ ଥିବା ଲୋକମାନେ ରହିଛନ୍ତି ଚାହିଁ
ଏମନ୍ତ ଅର୍ଦ୍ଧଦିବସ ବେଳ ହେଲା ତହିଁ
ସଙ୍ଗେ ଥିବା ଲୋକେ କୂଳେ ଚାହିଁଛନ୍ତି ବସି
ଏତେବେଳଯାଏ ନନ୍ଦ କିପାଇଁ ନ ଆସି
ଏକା ବୁଡ଼ାକେ ନନ୍ଦ ନ ଆସିଲେ ଆବର
କେଣେ ଗଲେ ନନ୍ଦରାଜା ଏ ତ ଚମତ୍କାର
ଡାକ ଦିଅନ୍ତି ଜଳୁଁ ନ ଆସ କିପାଁ ଫେରି
ନ ଦେଖି ବିସ୍ମୟ ହେଲେ ଧାଈ ପରିବାରୀ
କେ ବୋଲେ କୁମ୍ଭୀର ଧରି ଟାଣି ଘେନିଗଲା
କେ ବୋଲେ ନଦୀର ସ୍ରୋତ ଭସାଇଣ ନେଲା
କେ ବୋଲେ ମଗର ମାରି ଚାପିଦେଲା ଦନ୍ତେ
କେ ବୋଲଇ ନନ୍ଦ ଆଉ ନାହିଁନା ଜୀବନ୍ତେ
କେ ବୋଲଇ ଅବା ବୁଡ଼ିଅଛି ତୁନି ହୋଇ
କେ ବୋଲେ ଜଳ ଭଉଁରୀ ମାଡ଼ିଦେଲା କାହିଁ
କେ ବୋଲେ ଖୋଜିବା ଚାଲ ଜଳେପଶିଯାଇ
ଧରି ନନ୍ଦକୁ ଆଣିବା ପାଣିରୁ ଉଠାଇ।
ଏତେବୋଲି ପଶିଲେ ସେ ଜଳର ଭିତରେ
ଚାରିପାଖ ଦରାଣ୍ତନ୍ତି ଯେ ଯାହାର କରେ
ଦୁସ୍ତର ବରଷା ଶେଷ ବରଷାର କାଳ
ବେନି କୂଳ ମାଡ଼ି ବହେ ଯମୁନାର ଜଳ
ତାଳେକ ପର୍ଯ୍ୟନ୍ତ ଖୋଜି ନପାଇଲେ ଲେଶ
ବିଚାରି ବୋଲନ୍ତି ଏବେ କରିବା ହୋ କିସ
ହରଷକାଳେ ବିଧାତା ବିରସ ଦେଲାଣି
ବିସ୍ତାର ଅତି ଗଭୀର ଯମୁନାର ପାଣି
ବେନି କୂଳ ବୁଡ଼ି ବହେ ପ୍ରଖର ସୋହତି
ହାତୀଭଙ୍ଗା କାଠ ଫେଣ ମାଡ଼ିଆସେ କତି
ଫଣା ଟେକି ସର୍ପ ଭାସି କରନ୍ତି ଗର୍ଜ୍ଜନ
କୁମ୍ଭୀରମାନେ ଦିଶନ୍ତି ପର୍ବତ ସମାନ
ଶାଙ୍କୁଚ ମଗର କେତେ କେ ପାରିବ ଗଣି
ଏଥିରେ ପଶିଣ ଖୋଜି ମରିବା ନ ଜାଣି
ଅନିମିତ୍ତେ ଏଥି କିପାଁ ହରାଇବା ପ୍ରାଣ
ଜାଣିଲୁ ନିଶ୍ଚେ ନନ୍ଦକୁ ନେଲା ଯମରାଣ
ଯଶୋଦା ଛାମୁରେ ଚାଲ କହିବା ହେ ଯାଇ
ଭଲମନ୍ଦ ହେଉ ସ୍ୱାମୀ ଖୋଜୁ ଆପେ ଥାଇ
ଏଣେ ସେ ଯଶୋଦା ରାଣୀ ଅନ୍ନ ରାନ୍ଧି ଗାଳି
ଘୋଡ଼ାଇ ଦେଲା ତହିଁରେ ସୁବର୍ଣ୍ଣର ଥାଳୀ
ବୁଭୁକ୍ଷିତେ ସ୍ନାନଅର୍ଥେ ନନ୍ଦ ଯାଇଛନ୍ତି
ସୁପକ୍ୱ ଅନ୍ନ ଭୁଞ୍ଜିଣ ସ୍ୱାମୀ ହେବେ ଶାନ୍ତି
ଏସନ ଭାଳି ଯଶୋଦା ରତ୍ନଝରୀ ଧରି
ସୁବାସ ଗନ୍ଧ ପନୀର ନୀରେ ପୂର୍ଣ୍ଣ କରି
ଦାଣ୍ତ କୁଆର ଆବୋରି ବାଟ ଅଛି ଚାହିଁ
ଏ ସମୟେ ପରିବାରୀ ପ୍ରବେଶିଲେ ଯାଇଁ
ଯଶୋଦା ବୋଇଲେ କିଗୋ ନନ୍ଦ ନଅଇଲେ
ଦାସୀଏ ବୋଇଲେ ସେ ତ କେଉଁ କତିଗଲେ
ଭୃତ୍ୟଙ୍କ ମୁଖରୁ ମଧ୍ୟ ସେହିରୂପେ ଶୁଣି
ମୂର୍ଚ୍ଛା ହୋଇଣ ପଡ଼ିଲେ ନନ୍ଦର ଘରଣୀ
ଯଶୋଦାର ସନ୍ନିଧିରେ ଦାସୀମାନେ ଥିଲେ
ଆଶ୍ୱାସନା କରି କରେ ତୋଳିଣ ଧଇଲେ
ଖଦି ଚାମର ବିଞ୍ଚଣୀ ଘେନି କେହି ବିଞ୍ଚେ
ଘଡ଼ିକ ପର୍ଯ୍ୟନ୍ତ ଚେତା ନ ଆସି ସୁସଞ୍ଚେ
ଦୁଇ ଘଡ଼ିରେ ଚେତନା ପଶିଲା ଶରୀରେ
ହା ହା କାନ୍ତ ବୋଲି କାନ୍ଦିଉଠେ ଉଚ୍ଚସ୍ୱରେ
ହା ହା ଦଇବରେ ଦେଲୁ କଷଣ ତୁ ମୋତେ
ପଞ୍ଚଭୂତ ଆତ୍ମା ରହିଅଛି ହୃଦଗତେ
ଅକାଳ ମରଣ ସ୍ୱାମୀ ତୁମ୍ଭଙ୍କୁ ତ ଥିଲା
ହରଷକାଳେ ବିଧାତା ବିରସ ନିହିଲା
ମୋ ଜୀଇବା ତହୁଁ ମୃତ୍ୟୁ ସସ୍ରଗୁଣେ ଭଲ
କେବଣ ଦୋଷେ ବିଧାତା କଲା କଲବଲ
କାହାର ଆଗେ କହିବି ମନର ବେଦନା
ଭୋ ଧର୍ମଦେବ ସଙ୍କଟୁ ରକ୍ଷାକରୁ କିନା
ଏମନ୍ତ ଯଶୋଦା ଦେବୀ ବ୍ୟାକୁଳିତ ହୁଏ
ଅନେକ ଶୋକ ଭରେ ସେ କହନ୍ତି ଥୋକାଏ
ଅଚଳାଚଳ ସମ୍ପତ୍ତି ପଡ଼ୁଅଛି ମାଡ଼ି
ଆନ କେ ରକ୍ଷା କରିବ ଗଲ ମୋତେ ଛାଡ଼ି
ଅପୁତ୍ରିକ ଘରେ ପୁତ୍ର ହୋଇଲା ଜନମ
ତାହା ଦେଖି ନ ପାରିଲ ଏସନକ କର୍ମ
ତୁମ୍ଭେ ତ ଅର୍ଜିଲ ନାଥ ଅନେକ ସମୃଦ୍ଧି
ଭୋଗ କରି ନ ପାରିଲ ମୋରେ ଦେଲବ୍ୟାଧି
ଆହାରେ ଦଇବ ମୋତେ ଅସାହା ହୋଇଲୁ
ଅଗାଧ ସମୁଦ୍ରେ ମୋର ଭେଲା ବୁଡ଼ାଇଲୁ
ଏମନ୍ତେ ବହୁ ବୁକଳ ଯଶୋଦା ହୁଅଇ
କେଶବାସ ଅସମ୍ଭାଳ ବାତୁଳ ପରାଇ
ଧାଈ ମୁଦୁସୁଲୀ ଯେତେ ପରିବାରୀ ଥିଲେ
ଯଶୋଦା ବିଳାପ ଦେଖି ସକଳେ ରାବିଲେ
ବନ୍ଧୁ ସୁହୃଦ ସଙ୍ଗାତ ପାଖ ମୈତ୍ର ଯେତେ
ରୋଦନ ଶୁଣି ସନ୍ନିଧେ ମିଳିଲେ ସମସ୍ତେ
ଉପନନ୍ଦ ବସୁନନ୍ଦ ଚନ୍ଦ୍ରସେଣା ସାଥେ
ଗୋପସ୍ତିରୀଏ ରୋଦନ କରନ୍ତି ସମସ୍ତେ
ସମୁଦ୍ର ଗର୍ଜ୍ଜନ ପରି ଶୁଭେ ମୁଖରାବ
ଜଣ ଜଣକେ ଯଶୋଦା କରନ୍ତି ସଦ୍‌ଭାବ
ଏସନକ ନନ୍ଦ ଘରେ ହେଲା ହାଲହୋଳି
ପାଞ୍ଚକ୍ରୋଶ ପରିଯନ୍ତେ ପଡ଼ଇ ଉଛୁଳି
ରତ୍ନଦୋଳିର ଉପରେ କୃଷ୍ଣ ଥିଲେ ଶୋଇ
ନିଦ୍ରାଭରେ ନିଦ୍ରା ଯାଇଥିଲେ ବେନି ଭାଇ
ମୁଖରାବ ଗହଳରେ ଭାଙ୍ଗିଗଲା ନିଦ
ଶ୍ରୀକରେ ନୟନ ମଳି ଉଠିଲେ ଗୋବିନ୍ଦ
ଅଶେଷ କଥା ଯାହାକୁ ସବୁଠାରେ ଦୃଶ୍ୟ
ସର୍ବଜ୍ଞ ସନାତନ ସେ ପରମ ପୁରୁଷ
ଦ୍ୱାପରେ ଅବତରିଲେ ନରଦେହ ବହି
କରାଇଛନ୍ତି ସମସ୍ତ ପ୍ରାଣୀ ମନ ଭ୍ରମ
ଛଦ୍ରମେ ବାଳୁତ ରୂପ ଧରି ପରଂବ୍ରହ୍ମ
ଧ୍ୟାନେ ନିରୂପି ଜାଣିଲେ ଦେବ ଦଇତ୍ୟାରି
ଆମ୍ଭର ପିତାକୁ ଜଳଦେବ ନେଲେ ହରି
ନ ଜାଣି ପିତା ରାତ୍ରିରେ କିପାଁଜଳେ ପଶି
ଧର୍ମଶାସ୍ତ୍ର ପ୍ରମାଣେ ତ ହେଲେ ମହାଦୋଷୀ
ସାତ ଘଡ଼ିରୁ ଏଗାର ଘଡ଼ି ରାତ୍ରିଯାଏ
ଏକାଳେ ଯମୁନା ଜଳ ଛୁଇଁ ନ ଯୋଗାଏ
ଜ୍ଞାନବନ୍ତ ନନ୍ଦ ଗଲେ ମହା ନିଶାକାଳେ
ତଇଳ ଉଚ୍ଛିଷ୍ଟ ହୋଇ ପଶିଲେକ ଜଳେ
ବିଚାରିଲେ ତାଙ୍କର ତ କିଛି ନାହିଁ ଦୋଷ
ଆପଣା କଲା କର୍ମରୁ ଆପେ ପାଏ ପ୍ରାସ
ଏତେ ଭାଳି ବରୁଣଙ୍କୁ ଚିନ୍ତା କଲେ ହରି
ଉଚ୍ଚାଟ ଲାଗିଲା ତାଙ୍କୁ ରତ୍ନାକର ପୁରୀ
କନକ ରତ୍ନ ବିମାନେ ନନ୍ଦକୁ ବସାଇ
ବେଗରେ ମଗର ପୃଷ୍ଟେ ବିଜେ କଲା ଯାଇ
ବିଜୟ ନାମରେ ମଣି ପାଦପଦ୍ମେ ଥୋଇ
ସାଷ୍ଟାଙ୍ଗେ ଶୁତିଲା ପୁଣ ଗଡ଼ଘାଲି ଦେଇ
ରତ୍ନାକର ରାଜା ଦେଖି ପ୍ରଭୁ ଭଗବାନ
ଅବ୍ୟକ୍ତ ରୂପ ପ୍ରକାଶ କଲେ ତତକ୍ଷଣ
ଶଙ୍ଖ ଚକ୍ର ଗଦା ପଦ୍ମ ଶୋଭା ଚାରିଭୁଜେ
ଶିରେ ଶିଖିପୁଚ୍ଛ ରତ୍ନକୀରୀଟ ବିରାଜେ
ଛାମୁରେ ଜୟ ବିଜୟ ଦ୍ୱାରପାଳ ବିଜେ
କନକ ସିଂହାସନରେ ଦେବ ଦେବରାଜେ
ନୀଳମଣି ଜିଣି କାନ୍ତି ଶୋଭା ବିରାଜଇ
ବିନତାସୁତ ଆଗରେ ଅଛି ଉଭା ହୋଇ
ଚଉପାଶରେ ଅଶେଷ ମୁନିଗଣ ଛନ୍ତି
ମହାଲକ୍ଷ୍ମୀ ଠାକୁରାଣୀ କୋଳେ ବିରାଜନ୍ତି
କର୍ଣ୍ଣେ ମର୍କତ କୁଣ୍ଡଳ ଗଳେ ବନମାଳ
ଜଗମୋହନ ମୂରତି ଧରି ନନ୍ଦବାଳ
ନବରତ୍ନର ମେଖଳା ପିନ୍ଧି ପୀତବାସ
ନୀଳମେଘରେ ଯେସନ ବିଜୁଳିର ତ୍ରାସ
ଲାବଣ୍ୟ ଗୁଣନିଧି ଯେ ଠାକୁରଙ୍କ ମଣି
ରକ୍ତ ପଦ୍ମପାଦ ବେନି ମରକତ ପାଣି
କଉତୁକେ ଏସନକ ରୂପେ ଲକ୍ଷ୍ମୀସାଇଁ
ଏକା ବରୁଣେ ଗୋଚର ଆନେ ଦୃଶ୍ୟ ନାହିଁ
ଦେଖି ନିସ୍ତରିଲି ବୋଲି ବରୁଣ ବୋଇଲେ
ସସ୍ରବାର ଗଡ଼ଘାଲି ପାଦରେ ଶୁତିଲେ
ରତ୍ନାକର ନୃପତିରେ ବୋଲେ ନାରାୟଣ
ଏସନ ଅନ୍ୟାୟ କଥା କଲ କି ବରୁଣ
ତୁହି ତ ଜାଣୁ ଆବର ନନ୍ଦ ବୋଲି ପିତା
ଗୁରୁ ମହାଗୁରୁ ଅଧିଦଇବୀ ଦେବତା
ଦଇବେ କାର୍ଯ୍ୟକାତର ବିକ୍ଷୋଭିତ ବେଳେ
ଭୋଜନେ ଆତୁର ହୋଇ ପଶିଲେ ସେ ଜଳେ
ଉତ୍ତମ ଲୋକଙ୍କୁ ଅଳ୍ପେ ଲଙ୍ଘି ତ ନ ପାରି
ଏତେ ମାନ ଦୋଷ ତୁ ଆମ୍ଭଙ୍କୁ ସହିପାରି
ନ ଜାଣିମାପଣେ ସ୍ୱାମୀ କରିଛି ମୁଁ ଦୋଷ
କ୍ଷମାଗୁଣେ ତାହା କ୍ଷମା କର ପୀତବାସ
ସକଳ ଦେବଙ୍କ ପରେ ତୁମ୍ଭେ ତ ଠାକୁର
ତୁମ୍ଭର ଭିଆଣ ସିନା ଏହି ଚରାଚର
ତୁମ୍ଭେ ଯେ ଆକାଶ ଜଳ ସ୍ଥଳ ଶୂନ୍ୟରୂପୀ
ଅଶେଷ କୋଟି ବ୍ରହ୍ମାଣ୍ଡ ସବୁଠାରେ ବ୍ୟାପି
ଲାଭ ହାନି ସୁଖ ଦୁଃଖ ନୀତି ଧୃତି ନାନା
ସକଳ ସଂସାର ନାଥ ତୁମ୍ଭର ରଚନା
ତୁମ୍ଭେ ସର୍ଜିଛ ଅବିଧି ବିଧିମାନ ଜାଣି
ସେହି ଆଚାରେ ରହିବେ ସକଳ ପରାଣୀ
ଦେଖୁ ଦେଖୁ ତୁମ୍ଭ ପିତା ଅନ୍ୟାୟ ଯେ କଲେ
ମହାନିଶାକାଳେ ଆସି ଜଳରେ ପଶିଲେ
ଦେଖି ଜଳଚର ନେଲେ ମୋ ଛାମୁକୁ ହରି
ମୁ ତାଙ୍କୁ ବସାଇ ରତ୍ନ ସିଂହାସନୋପରି
ଭଲେ ଆଣିଲଇଁ ତୁମ୍ଭ ପିତା ନନ୍ଦ ବୋଲି
ଏବେ ସ୍ୱରୂପ ଦେଖିଣ ନିସ୍ତାର ପାଇଲି
ଏମନ୍ତ ବୋଲି ବରୁଣ ରାଜା ସ୍ତୁତି କଲା
ସ୍ୱାମୀଙ୍କ ଛାମୁରେ ଆଣି ନନ୍ଦ ସମର୍ପିଲା
ଆଜ୍ଞା ପାଇ ରତ୍ନାକର ଗଲେ ନିଜ ପୁରୀ
ରଚିଲେ ଯେ ବିଶ୍ୱକୂଟ ମାୟା ଦେବହରି
ଦୋଳିଶୟନେ ବାଳୁତ ରୂପ ଗୁପ୍ତକାୟା
ଧାଈ ପରିବାରୀମାନେ ନ ଜାଣନ୍ତି ମାୟା
ନନ୍ଦ ମୃତ୍ୟୁ ହେଲା ବୋଲି ବିଚାରନ୍ତି ବସି
ଏସନ ସମୟେ ନନ୍ଦ ମିଳିଲେକ ଆସି
ବିଷ୍ଣୁ ମାୟାମୋହେ ନନ୍ଦ କିଛି ନ ଜାଣିଲେ
ଏତେ କଥା ହେଲା ସ୍ୱପ୍ନ ପ୍ରାୟେକ ମଣିଲେ
ବାଳ ଶୁଖାଇଲେ ଆସି ଯଶୋଦାଙ୍କ ଆଗେ
ଦୂରରୁ ଦେଖି ଯଶୋଦା ଦେବୀ ଉଠି ବେଗେ
ନନ୍ଦରାଜା ପଚାରନ୍ତି ଯଶୋଦାଙ୍କୁ ଚାହିଁ
ସମସ୍ତେ ବସିଛ କିପାଁ ବିଷାଦିତ ହୋଇ
ଯଶୋଦା ବୋଇଲେ ଗଲ ସ୍ନାନକୁ ଯମୁନା
ତୁମ୍ଭର ଉଛୁର ଦେଖି ଅସାର ଶୋଚନା
ନନ୍ଦ ବୋଲେ ଆମ୍ଭେ ଅଛୁ ଦିନକ ଭୋକିଲା
ଶରୀରେ ଶ୍ରମ ବିଶେଷ ପାଇଅଛୁ ଭଲା
ଅବଗାହି ଘଡିଏକ ଜଳେ ବୁଡିଥିଲୁ
ଦେହ ସୁସ୍ଥ ହୋଇବାରୁ ଉଠିଣ ଅଇଲୁ
ଯଶୋଦା ଦେବୀ ସେବକ ଲୋକେବୋଲି ମନ୍ଦ
ଷଡ଼ରସରେ ଭୋଜନ କଲେ ବସି ନନ୍ଦ
ସମସ୍ତ ଲୋକ ଯେ ଦେଖି ହରଷ ନନ୍ଦକୁ
ଯଶୋଦା ସ୍ତନରୁ କ୍ଷୀର ଦେଲେ ଗୋବିନନ୍ଦଙ୍କୁ
ବଢ଼ିଲା ସକଳ କାର୍ଯ୍ୟ ସୁଖେ ନିଦ୍ରା ଗଲେ
ଶୁଣ ତୁ ପରୀକ୍ଷ ରାଜା ଶୁକ ଯେ କହିଲେ
ଶକଟାସୁରର ଗୋପନଗ୍ରେ ପ୍ରବେଶ ଓ ନିଜ କାୟା ଗୋପନ
ଏଥୁ ଅନନ୍ତରେ ପୁଣ ପାହିଲା ରଜନୀ
ଗଗନରେ ଉଦେ ହେଲେ ସ୍ୱାମୀ ଦିନମଣି
ରାତ୍ର ପ୍ରଭାତୁଁ ଉଠିଲେ ସର୍ବ ଗୋପନାରୀ
ବସଇ ଯେ ନବଲକ୍ଷ ଗୃହ ଗୋପପୁରୀ
ଦଶବିଂଶ ଖୁଆ ବୁଲେ ଏକ ଏକ ଘରେ
ଗୋପୀଙ୍କ ପରି ସୁନ୍ଦରୀ ନାହାନ୍ତି ସ୍ୱର୍ଗରେ
ରାତ୍ର ପ୍ରହରେକ ଥାଉଁ ଉଠି ଗୋପାଳୁଣୀ
ଦଧି ମନ୍ଥନ କରନ୍ତି ସିନ୍ଧୁ ଘୋଷ ଜାଣି
ଅଧାମ ଲବଣୀ ଦଧି ଦୁଗ୍ଧ ଘୃତ ସର
ପସରା ଘେନି ବିକନ୍ତି ଯାଇ ମଧୁପୁର
ଦେବ ବିପ୍ର ରାଜାଙ୍କର ନିଯୋଗ ଦିଅନ୍ତି
ହାଟେ ଦାଣ୍ଡେ କେହୁ ଘେନି ବୁଲାଇ ବିକନ୍ତି
ଗୋପନଗ୍ରେ ପଞ୍ଚାଶତ କ୍ରୋଶ ମଥୁରାକୁ
ରାତ୍ର ଦିବସ ପସରା ନିଅନ୍ତି ସେଠାକୁ
କଂସରାଜା ତେଜ ପୁଣ ନ ଲାଗେ ଯହିଁକି
ଆନ କିସ ପଟାନ୍ତର ଦେବାକ ତହିଁକି
ଆନନ୍ଦେ ଗୋପ ନଗରେ ବିହରନ୍ତି ନରେ
କୁବେର ସମାନ ଧନ ଧାନ୍ୟ ଘରେ ଘରେ
ଗ୍ରହପୀଡ଼ା ରାଜଭୟ ନାହିଁ ଅଗ୍ନିଭୟ
କାହାରି କିଛିହିଁ ଚିନ୍ତା ନାହିଁ ପୁଣ୍ୟମୟ
କୋଟିପାଦେ ଯହିଁ ବିଜେ ଦେବୀ କମଳିନୀ
ଅମର ବିଦ୍ୟାଧରୀ କି ଗୋପର ରମଣୀ
ନିକଟେ କାଳିନ୍ଦୀନଦୀ ଗଭୀର ଯେ ଜଳ
ବୃନ୍ଦାବନ କୁଞ୍ଜେ ଶୋଭା ସେ ନଦୀର କୂଳ
ତହିଁ ପାରୁଶେ ଅଛଇ କଦମ୍ବ ବିପିନ
ଖଣ୍ଡେଦୂରେ ଅଛି ଗିରି ଗୋବର୍ଦ୍ଧନ ବନ
ଗୋପନାୟିକାମାନଙ୍କୁ ଘେନି ବନମାଳୀ
କରିବେ ନାନାରଙ୍ଗରେ ରାସ ରସକେଳି
କୃଷ୍ଣ ଭକତ ନାରଦ ଯେହୁ ମହାମୁନି
କୁଞ୍ଜବନ ସମ୍ମାର୍ଜନ୍ତି ସମାର୍ଜନୀ ଘେନି
ଗୋପାଙ୍ଗନା ଅଙ୍ଗ ସଙ୍ଗେ ହରି ମହାପାପ
ତେତିଶକୋଟି ଦେବତା ଯହିଁ ତରୁରୂପ
ବୃନ୍ଦାବନେ ଫଳବନ୍ତ ତରୁ ଛନ୍ତି ଯେତେ
ଫଳ ପୁଷ୍ପରେ ସେ ପୂର୍ଣ୍ଣ ଯେଝା ଅନୁମତେ
କୃଷ୍ଣ ଗୋପେ ଅବତାର ହେବେ ଥିଲେ ଜାଣି
ଷଡ଼ଋତୁ ଷଡ଼ବନ ବିଧାତା ନିର୍ମାଣି
ନନ୍ଦନବନ ନିକୁଞ୍ଜ ମଧୁ ବୃନ୍ଦାବନ
ରୁଦ୍ର ଅମ୍ବିକା ଘେନି ଏ ଷଡ଼ ବିଦ୍ୟମାନ
ବ୍ରହ୍ମପୁତ୍ର ଚଉଷଠି ସହସ୍ର ଯେ ଯତି
ମୁକତ ହେବା ନିମନ୍ତେ ଗୋପର ଯୁବତୀ
ସୁଲକ୍ଷଣୀ ସୁକୁମାରୀ ଅପୂର୍ବ ସୁନ୍ଦରୀ
ପୂର୍ବର ଶାପେ ପୁଂସକୁ ନପୁଂସକ କରି
ସବୁହୁଁ ଯେ ରୂପବତୀ ଅଟନ୍ତି ରାଧିକା
ସହଚରୀ ସୁଲକ୍ଷଣୀ ସଖୀ ଯେ ଦୂତିକା
ସର୍ବ ଗୁଣେ ସୁଲକ୍ଷଣୀ ସିହାଣୀ ସୁବୁଦ୍ଧି
ନୃତ୍ୟ ଗୀତ ଆଦି ସବୁ ବିଦ୍ୟା ଅଛି ସାଧି
କୋଇଲି ସୂତାରେ ପାରେ ହସ୍ତୀକୁ ସେ ବାନ୍ଧି
ରୂପ ଅରୂପରେ ବୁଲେ ସବୁ ଘର କନ୍ଦି
ଗୋପୀ ଗୋବିନ୍ଦ ଉଭୟ ବାରତାକୁ ପାଇ
ଯତନେ ବିଧାତା ତାହା ଅଛଇ ଭିଆଇ
କହନ୍ତେ ଯେ ନ ସରଇ ଗୋପର ମହିମା
ଅନେକ ଯତନେ ଗଢିଅଛି ବିଶ୍ୱକର୍ମା
ସନ୍ନିଧେ ଯମୁନାନଦୀ ପବିତ୍ର ନିର୍ମଳ
ଧ୍ୱଂସଇ ମହାପାତକମାନ ସେହି ଜଳ
ଏଥୁ ଅନନ୍ତରେ କଂସରାଜା ସନ୍ନିଧାନେ
କରଯୋଡ଼ି ଜଣାଇଲେ ଦେଶାଉରମାନେ
ସାବଧାନେ ଶୁଣ ପ୍ରଭୁ ଦୈତ୍ୟ ଶିରୋମଣି
ଗୋପରୁ ବାରତା ଘେନି ଆସିଲୁ ଏକ୍ଷଣି
ଶ୍ରୀକୃଷ୍ଣ ଯେ କାମପାଳ ନନ୍ଦ ବେନିବଳା
ଛଦ୍ରମେ ବାଳୁତରୂପ ତେଜ ଅନର୍ଗଳା
ଦୋଳିଶୁଆଣି ବେଳେ ଯେ ଜାଣିଲୁ ଏମନ୍ତି
ଦାନବ କାଳଅନ୍ତକ ସେ ପ୍ରଭୁ ଅଟନ୍ତି
ବାଳୁତବେଳୁ ତାଙ୍କର ଏସନ ସାହସ
ପୂତନା ନାମେ ରାକ୍ଷସୀ ହେଳେ କଲେ ନାଶ
ଅଦ୍ଭୂତେ ଅଖଡ଼େ ପୁଣି ତୃଣାବର୍ତ୍ତ ମଲା
ତାଙ୍କ ବ୍ୟତିରେକେ ତାକୁ ଆନ କେ ମାଇଲା
ବିଚାର କରିଣ କାର୍ଯ୍ୟ କର ବେଗେ ସିଦ୍ଧି
ତା ନୋହିଲେ ନାଶଯିବ ମଥୁରା ସମୃଦ୍ଧି
ଚାରମୁଖୁ ଏ ବଚନ ଶୁଣି କଂସାସୁର
ଚକିତେ ଚାହିଁଲା ମୁଖୁ ନ ଆସେ ଉତ୍ତର
ହୃଦୟ କମ୍ପିଲା ଅଙ୍ଗୁ ସ୍ରବେ ଶ୍ରମଝାଳ
ଓଷ୍ଠ କଣ୍ଠ ତାଳୁ ଶୁଖି କମ୍ପିଲା କପାଳ
ଚିନ୍ତାଭରେ ନିଃଶ୍ୱାସ ଯେ ବହେ ଖରତର
ଛାତି ଦମଦମ ହୋଇ ପଡଇ ତାହାର
ବାଳୁତ ପ୍ରାୟ ତାହାର ଛନ୍ନ ଛନ୍ନ ମତି
ଗଗନେ ନିରେଖି ପୁଣି ଚାହିଁ ଚଉକତି
ଭୋଧର୍ମ ଦେବତା ମୋତେ ହୋଇଲୁ ଅସାହା
ବୁଡ଼ିଲି ମୁଁ ଚିନ୍ତାଜଳେ କହିବଇଁ କାହା
ସ୍ୱର୍ଗ ମଞ୍ଚ ପାତାଳ ମୁଁ ଜିଣିଲଇଁ ହେଳେ
ବାଳୁତ ହସ୍ତେ ମୋ ମୃତ୍ୟୁ କର୍ମର ଅବଳେ
କେବଣ ପ୍ରକାରେ ନାଶ କରିବି ମୁଁ ତାହା
ଭୋ ଧର୍ମଦେବତା ମୋତେ ହେଉକିନାସାହା
ଶାପ ଦେଇଛି ଗୋମତ ନାମେ ତପୋନିଷ୍ଠୀ
ଗୋପନଗ୍ରେ ମାଡ଼ିଲେ ତୋ ମୂର୍ଦ୍ଧା ଯିବ ଫାଟି
ଆପଣା କାର୍ଯ୍ୟେ ତତ୍ପର କରନ୍ତି ନା ମୁହିଁ
ଏମନ୍ତ ପ୍ରକାରେ ଶୋକ କରେ ଦଣ୍ଡଧାରୀ
କେ ମୋତେ ଏଥୁ ରଖିବ ହୁଅ ଆଗୁଁ ସରି
କରପତ୍ର ଯୋଡ଼ି ବୋଲେ ଶକଟା ଅସୁର
ମାରି ଆଣିଦେବି ନିଶ୍ଚେ ନନ୍ଦର କୁମର
କାହିଁକି ତୁ ଏଡ଼େ ଚିନ୍ତା କରୁ ଅକାରଣେ
ମୁହିଁ କି ନ ଯୋଗାଇଲି ଏକା ଭୃତ୍ୟପଣେ
କୁବେର ଯେ ନଇର୍ଋତ ଯମ ବୈଶ୍ୱାନର
ଇନ୍ଦ୍ର ଚନ୍ଦ୍ର ଯେ ବରୁଣ ଦେବ ଦିବାକର
ସମସ୍ତେ ଯେବେ ଯୁଝିବେ ମୋତେ ପରିଘାଇ
ଅବହେଳେ ସଂଗ୍ରାମ ମୁଁ କରିପାରେ ତହିଁ
ପାମର ନନ୍ଦ ଗଉଡ଼ ବାଳପୁତ୍ର ଏକା
ତାହାଙ୍କୁ ମନେ ତୁମ୍ଭର କିପାଁ ଏଡ଼େ ଶଙ୍କା
ଦେବ ଇନ୍ଦ୍ର ଆଦି କରି ତୋର ଦଶବର୍ତ୍ତୀ
ସ୍ୱର୍ଗ ମର୍ତ୍ତ୍ୟ ପାତାଳେ ତୁ ଏକା ଚକ୍ରବର୍ତ୍ତୀ
ତୁମ୍ଭେ ଏବେ ଆଜ୍ଞା ମୋତେ ଦିଅ ନୃପମଣି
ନନ୍ଦଗଉଡ଼ ପୁଅକୁ ଧରି ଦେବି ଆଣି
ଅନେକ ମାୟା ଜାଣଇ ମୁହିଁ କୂଟବୁଦ୍ଧି
ନାନାଦି ଉପାୟେ କାର୍ଯ୍ୟ କରିବି ତୋ ସିଦ୍ଧି
କଂସ ବୋଲେ ତୃଣା ଯୋଗୁ ଲାଗିଲା ଅପ୍ରତେ
ସତେ ନନ୍ଦପୁଅକୁ କେ ମାରିଦେବ ମୋତେ
ତେଡ଼େ ମହାବୀର ଗଲା ଅଖଡ଼େ ବିନାଶ
ପୂତନା ତ ଯାଇଥିଲା ସ୍ତନେ ଭରି ବିଷ
ଶକଟାସୁର ବୋଇଲା ନ କର ଶୋଚନା
ଜନମ ହେଲେ ଅବଶ୍ୟମ୍ଭାବୀ ମୃତ୍ୟୁ ସିନା
ଆବର ବିଶେଷେ ଆମ୍ଭେ ଅଟୁ ଶୁଦ୍ଧଜାତି
ମରଣ ନିସତ ହେଲେ ପାଇ ନର୍କଗତି
ତୁମ୍ଭେ ଯେ ବୋଲ ପୂତନା ତୃଣା ଗଲେନାଶ
ଉପାୟ ନ କଲେ ପଛେ ପାଇ ଅପଯଶ
ବନ୍ଧଫାଟି ପାଣି ଯେହ୍ନେ ପଡ଼ି ରନ୍ଧ୍ରେ ବହେ
ଝର ବୁଜିଦେଲେ ପୁଣି ଅଧବାଟେ ରହେ
ଅଧିକ ହେଲେ ବନ୍ଧକୁ ଭାଙ୍ଗେ ପାଞ୍ଚହାତ
ସେ ବନ୍ଧ ବାନ୍ଧି ନୁହଇ ପଡ଼େ ମହାସ୍ରୋତ
ସରିସମ ଲୋକଙ୍କୁ ଯେ କରିବ ଅଗ୍ରଣୀ
ସଂସାରେ ଅନେକ ସାଧୁବାଦ ପାଇ ପୁଣି
ନନ୍ଦଗଉଡ଼ ପୁଅକୁ ଜିଣି ଯଶ ନାହିଁ
ହାରିଲେ ସଂସାର ମଧ୍ୟେ କାହା ମୁଖ ଚାହିଁ
ନିଶ୍ଚୟ କରିଣ ଯେବେ ପାଇବ ବାରତା
ଆଗହୁଁ ପ୍ରକାଶ କେବେ ନ କର ଏ କଥା
ଏବେ ଗୋପନଗ୍ରକୁ ମୁଁ ଯିବଇଁ ଗୁପତେ
ସମୟ ପାଇଣ କାର୍ଯ୍ୟ କରିବି ଯୁକତେ
ଶତ୍ରୁ ବଳବୀର୍ଯ୍ୟ ଖୋଜି ସିନା ଶେଷକରି
ତେବେ ଲେଉଟି ଆସିବି ତାକୁ ସିନା ମାରି
ଶୁଣି ବହୁତ ପ୍ରଶଂସା କରି ଦଣ୍ଡଧାରୀ
ଶ୍ରୀଭୁଜରେ ବନମାଳ ନେଇ ଗଳେ ଭରି
ଅନେକ ରତ୍ନ ଦେଇଣ ବୋଲେ ପୁରଃସରି
ଆସିବୁ ଶୁଭମଙ୍ଗଳ ଯୋଗେ କାର୍ଯ୍ୟକରି
ଶୁଣିଣ ଶକଟାସୁର ହେଲା ତୋଷମତି
କଂସକୁ ଯେ ନମସ୍କାର କରଇ ତଡ଼ତି
ଅସୁର କାମରୂପୀ ସେ ଜାଣେ ନାନା ମାୟା
ଉଲୁକମନ୍ତ୍ରେ ଗୋପନ କଲା ନିଜ କାୟା
ମଥୁରାପୁରୁ ବାହାରି ପଶ୍ଚିମ ଯେ ମାର୍ଗେ
ଗୋପନଗ୍ରେ ପ୍ରବେଶିଲା ଯାଇଁ ଅତିବେଗେ
ଗ୍ରାମ ପାଟଣା ଦେଖିଣ ପରଶଂସା କରି
ରତ୍ନାକର କଟକହିଁ ନୋହିବ ତ ସରି
ଧନ୍ୟ ଗୋପାଳେ ତୁମ୍ଭର ଜୀବନରେ ସାଧୁ
ଅଷ୍ଟମଲ୍ଲଙ୍କ ଗରବଗଞ୍ଜନ ବୀରଧୁ
ଅମୂଲ୍ୟ ବାରସ୍ୱତୀ କି ପୁର ରୂପରାଶି
ନୋହିଲେ କଂସ କେସନେ ଏଥେଁ ଅଛିପେଷି
ଏହାକୁ ପ୍ରଶଂସା ମୁହିଁ କରିବଇଁ କେତେ
କେବଣ ଦେବତା ଜନ୍ମ ହୋଇଛି ଗୁପତେ
ଯେଣିକି ଚାହିଁବ ତେଣେ ଦିଶୁଅଛି ଶୋଭା
ବୃଦ୍ଧହୋଇ ଜଣେ ନାହିଁ ସର୍ବେ ନବଯୁବା
ଏଡ଼େ ରୂପବନ୍ତ କେହି ନୋହିବ ଜଗତେ
ଗୋପୀ ଗୋପାଳଙ୍କୁ ଦେଖି ବିଚାରଇ ଚିତ୍ତେ
ଏମନ୍ତ ପ୍ରଶଂସା କରି ଶକଟା ଦୁର୍ମତି
ଦେହକୁ ଳୁଚାଇ ଯାଇ ନନ୍ଦ ଗୃହ କତି
କୋଳିଆ ଦୁଆରଠାରୁ ଖଣ୍ଡେ ଦୂର ଛାଡ଼ି
ଦଦରା ଶଗଡ଼ ହୋଇ ରହିଲା ସେ ପଡ଼ି
ଅଖ ଚକ ଝରାଦଣ୍ଡା ଅର ପାତି ଫଳି
ଗଡ଼ ଗଡ଼ିଆଣି କାଠି ଦୋସାରୀ ବାକୁଲି
ତୁମ୍ବ ଧରଣି ସାହାଟା ଲିଙ୍ଗା ଧାରା କାଠି
ଏସନକ ନାନାବର୍ଣ୍ଣେ ସେ ଶଗଡ଼ ଗୋଟି
ଦାଣ୍ଡରୁ ଆଡ଼ି ହୋଇ ସେ ପଡ଼ିଲା ଅନ୍ତରେ
କଂସରାଜା କଥା ହେତୁକରି ହୃଦୟରେ
ନନ୍ଦର ମନ୍ଦିରେ କରିଅଛି ଦୃଷ୍ଟିପାତ
ନଗ୍ରଲୋକେ ଗତାଗତ ଜାଣୁଛି ସମସ୍ତ
କଥାର ସନ୍ଧିମାନଙ୍କୁ ଜାଣିଣ ଦଇତ
ଅସୁର କାମରୂପୀ ଯେ ହୋଇଲା ଗୁପତ
କଂସରାଜା ଚାରଗଣ ଗୁପତରେ ଥାନ୍ତି
ପ୍ରତିଦିନ ବାର୍ତ୍ତା ନେଇ ଛାମୁରେ ଦିଅନ୍ତି
ନାନା ବ୍ୟଞ୍ଜନ ଗୋଟିକା ଦଧି ଦୁଧ ସର
ମନ ସନ୍ତୋଷେ ଭୋଜନ କରଇ ଅସୁର
ଏ ଚରିତ ଗୋପଲୋକେ ନ ଜାଣନ୍ତି ଆନ
ଏକା ମାତ୍ର ଜାଣନ୍ତି ତା ପ୍ରଭୁ ଭଗବାନ
ଅନ୍ତର୍ଯ୍ୟାମୀ ଠାକୁର ତା ନାମ ମାୟାଧର
ସଂସାର ସାଗର ରୀତ କୌତୁକ ଯାହାର
ଭଗ୍ନ ରୂପରେ ଶକଟା ଦାଣ୍ଡେ ପଡ଼ିଅଛି
ଜାଣନ୍ତି ଏହା ତଦନ୍ତ କରି ନନ୍ଦବତ୍ସି
ଶୁକମୁନି ବୋଇଲେ ହୋ ଶୁଣ ନୃପନାହା
ଶ୍ରୀଭାଗବତ ପୁରାଣ ବ୍ୟାସ କହେ ଯାହା
ଏଥୁ ଅନନ୍ତରେ ଦିନ କେତେହେଁକ ଯାଏ
କହୁଁ କହୁଁ ବର୍ଦ୍ଧମାନ ହେଲେ ନନ୍ଦପୁଏ
ଗୋପୀ ଗୋପାଳ ସମସ୍ତେ ହେଲେ ତାର ବଶ
ସର୍ବେ ରହି ଦେଖୁଥାନ୍ତି ନ ଛାଡନ୍ତି ପାଶ
କେହୁ ଅଗୁରୁ ଚନ୍ଦନ ଲେପୁଥାନ୍ତି ଆଣି
ହଳଦୀ ସଙ୍ଗେ ଗୋଳି କେ ପନୀର ଯେ ପାଣି
ଗଳାରେ ଶୋହଇ ମାଳ ମୁକୁତାର କଣ୍ଠି
ମୋହିଲେ ଜଗମୋହନ ରୂପେ ନବସୃଷ୍ଟି
ଦିବ୍ୟ ବ୍ୟାଘ୍ର ନଖମାନ ଳୁଳେ କଣ୍ଠମାର୍ଗେ
ଦିନକର ପ୍ରକାଶ କି ହେଲେ ନିଶାଭାଗେ
ମଥାଗୋଟି ଜର ଜର ହୋଇଛି ତଇଳେ
ବେନି କପୋଳ ଶୋଭିତ କୁଞ୍ଚିତ କୁନ୍ତଳେ
ପାଦର ଉପରେ ଦେଇ ସ୍ୱାମୀ ପାଦ ବେନି
ସୁନାର ଦୋଳିରେ ବିଜେ ପ୍ରଭୁ ଶିରୋମଣି
ବଖରାକ ଅନ୍ତେ ବଳଦେବ ଛନ୍ତି ଶୋଇ
ଦୁଇଭାଇ ଯୋଗମାର୍ଗେ ଯୋଗନିଦ୍ରା ଯାଇ
ସମସ୍ତ ପରିଜନହିଁ ଯଶୋଦା ସୁନ୍ଦରୀ
ଚାରି ପାରୁଶେ ତାଙ୍କର ଅଛନ୍ତି ଆବୋରି
ଦୋଳି ପହୁଞ୍ଚାନ୍ତି କେହୁ ଗାଇ ଦୋଳିଗୀତ
ଭୁଞ୍ଜନ୍ତି କେହି ଲବଣୀ ଦୁଧସର ଘୃତ
କେହି ଗୋପୀ କୃଷ୍ଣ ଘେନିବୁଲେ ଘରେଘରେ
କେ ଗୋପୀ ନେଇ ବସାନ୍ତି କୁଚର ଉପରେ
ମୁଖେ ଚୁମ୍ବଦେଇ କରେ ଅଧରକୁ ପାନ
ପୂର୍ଣ୍ଣଇନ୍ଦୁ ବଦନକୁ ଦେଖି ହତଜ୍ଞାନ
କିଏ ଅପାଙ୍ଗ ନୟନ ଶରୀରେ ପକାଇ
ମଦନ ଆରତେ କେହି କୃଷ୍ଣମୁଖ ଚାହିଁ
ଉତ୍କଣ୍ଠିତ ରୋମାବଳି କଣ୍ଠ ଗଦଗଦ
ପଞ୍ଚଭୂତ ଆତ୍ମାକୁ ଯେ ନ ମାଡ଼ଇ ନିଦ
ନାସିକା ଉଲ୍ଲାସେ ଝିମଝିମ ହୁଏ କର୍ଣ୍ଣ
କନ୍ଧରୁ ଖସି ପଡ଼ଇ ଓଢ଼ଣି ବସନ
ହସ୍ତରୁ କଙ୍କଣ ଖସି ପଡ଼ଇ ଯେ ତଳେ
ପିନ୍ଧିଲା ବସନ ତିନ୍ତି ଓଦା ଶ୍ରମଝାଳେ
ପ୍ରଖର ନିଃଶ୍ୱାସ ଝଳି ପଡ଼େ ଯେହ୍ନେ ପାଣି
କେଶବାସ ଅସମ୍ଭାଳ ହେଲେ ଗୋପାଳୁଣୀ
ଏକୁଁ ଆରେକ ଉଛୁଡି ନିଅନ୍ତି ଯେ ବଳେ
ଅଙ୍ଗ ସମ୍ମାର୍ଜି ଚୁମ୍ବନ ଦେଇ ଗଣ୍ଡସ୍ଥଳେ
କେ କାଖରେ ବସାଇ କେ କାନ୍ଧରେ ବସାଇ
କେ ଶ୍ରୀଅଙ୍ଗ ମୁଖ ଚାହିଁ ଚାଟୁ କହୁଥାଇ
ଏହି ପ୍ରକାରେ କେତେହେଁ ଦିନ ତହିଁ ଯାଇ
ଦିନଦିନୁ ବର୍ଦ୍ଧମାନ ହେଲେ ପୁଅ ଦୁଇ
ଦେଖି ନନ୍ଦ ଯଶୋବନ୍ତୀ ଆନନ୍ଦ ହୁଅନ୍ତି
ଅନେକ ଯତ୍ନେ ପୁତ୍ରଙ୍କୁ ପ୍ରତିପାଳୁଥାନ୍ତି
ଶ୍ରୀଭାଗବତ ପୁରାଣ ସାରା ପୁଣ୍ୟ ନିଧି
ଧର୍ମ ଅର୍ଥ କାମ ମୋକ୍ଷ ବାଞ୍ଛା ହୁଏ ସିଦ୍ଧି
ହରିବଂଶ ପୁରାଣ ଏ ଅତି ପୁଣ୍ୟମୟେ
ଦଶମସ୍କନ୍ଧରୁ ବିଂଶ ଅଧ୍ୟା ଶେଷ ହୁଏ

ଶକଟାସୁର ବଧ

[ସମ୍ପାଦନା]

ଏଥୁ ଅନନ୍ତରେ ପୁଣି ଶୁକ ବ୍ରହ୍ମା କହି
ଶୁଣ ତୁ ହେ ପରୀକ୍ଷିତ ରାଜା ପୁଣ୍ୟଦେହୀ
ଶ୍ରୀବିଷ୍ଣୁର ବାଳଲୀଳା ରସ ହରିବଂଶ
ଶୁଣନ୍ତେ ଯେ ପଞ୍ଚବିଧ ପାପ ହୁଏ ଧ୍ୱଂସ
ଅଶ୍ୱିନୀ ନକ୍ଷତ୍ର ତ୍ରୟୋଦଶୀ ଗୁରୁବାର
ମେଷଚନ୍ଦ୍ର ଚାରିପାଦ ଭୋଗ ସେ ଦିନର
ବାଳବ ନାମେ କରଣ ଧୃତି ନାମେ ଯୋଗ
କନ୍ୟା ସଂକରାନ୍ତିର ଯେ ବାରଦିନ ଭୋଗ
ସେ ଦିନ ଆନନ୍ଦ ମନେ ନନ୍ଦର ଘରଣୀ
ପଶ୍ଚିମ ମେଲାରେ ଦୋଳି ଉକୁଚିଲେ ଆଣି
ସୁପାତି ଶେଯେ କୃଷ୍ଣଙ୍କୁ ନେଇ ଶୁଆଇଲେ
ଦୋଳି ପଞ୍ଚାଇଣ ଗୀତ ସଧୀରେ ଗାଇଲେ
ସ୍ତନ ଫୁଲାଇଣ କ୍ଷୀର ମୁଖରେ ଦିଅନ୍ତି
ଭୁଞ୍ଜିସାରି ଗୋପୀନାଥ ସୁଖେ ନିଦ୍ରା ଯାନ୍ତି
ଜରଜରିତ ତଇଳେ ଶୋଭଇ ଶରୀର
କୁଙ୍କୁମ ଅଙ୍କିତ ଅଙ୍ଗ ଅତି ମନୋହର
ବିକଚ କମଳ ଡୋଳା କଜ୍ଜ୍ୱଳ ସୁରେଖ
ଉତ୍ତାନ ହୋଇ ଅଚେତ ସଂସାରନାୟକ
ଜଗତ ତାରଣ ନାଥ ସଂସାର କାରଣ
କେତେବେଳେ ଯୋଗନିଦ୍ରା ଗଲେ ନାରାୟଣ
ନିଚେଷ୍ଟ ଶ୍ରୀବଳଦେବ ନିଦ୍ରା ଯାଇ ପୁଣି
ବିଷମ ବିଷଧରର ଶିରେ ସପ୍ତଫେଣି
କୁଟିଳ କୁଞ୍ଚିତ କେଶେ ତ୍ରିବନ୍ଧେ ତ୍ରିବେଣୀ
ଧବଳ ଆକାଶେ କଳାମେଘ ଉଦେ ଜାଣି
ଗୋକ୍ଷୀର ବର୍ଣ୍ଣ ତା ଦେବ ସଦା ତୋଷମୟ
ଶରଦପୂର୍ଣ୍ଣିମା ଇନ୍ଦୁ ପ୍ରାୟ ଦେବକାୟ
ବିରାଜେ ରଙ୍ଗକୁମୁଦ ପ୍ରାୟ ଚକ୍ଷୁ ବେନି
ଚଉଦ ଲୋଚନ ସାତ ନାଗଙ୍କର ଘେନି
ଏମନ୍ତ ଷୋଳ ଲୋଚନ ପାଉଅଛି ଶୋଭା
ବୁଧ ଶୁକ୍ର କତିରେ କି ତାରାଗଣ ଆଭା
ଆଜାନୁଲମ୍ବିତ ଭୁଜଦଣ୍ଡେ ହଳରେଖା
ସଦାନନ୍ଦ ସ୍ୱାମୀ ପୁଣି ପୁରୁଷରେ ଲେଖା
ଛଦ୍ରମେ ବାଳୁତ ରୂପ ସେ ଦେବାଧିରାୟ
ବେଦାନ୍ତ ବେଦପତିର ଠାକୁର ଉଦୟ
ଅଷ୍ଟାଙ୍ଗଯୋଗ ସାଧନେ ସଦା ମତି ଭୋଳ
ଅନନ୍ତ ମୂରତି ସ୍ୱାମୀ ଦେବ କାମପାଳ
ପାଦରେ ଉପରେ ପାଦ ଛନ୍ଦି ବଳଭଦ୍ର
କୃଷ୍ଣପାଦେ ଶୋଇ ଜପେ ରାମନାମ ପଦ
ବେଳ ପୁଣି ସାତଦଣ୍ତ ହୋଇଲାକ ଆସି
ଲାଗିଲେ ଯେ ଯାର ନିତ୍ୟାଚାରେ ଗୃହବାସୀ
ଶ୍ରୀକୃଷ୍ଣ ବଳରାମଙ୍କୁ ଗୋପପୋଏ ବେଢ଼ି
ଯଶୋଦା ଗଲେ ଧାଈଙ୍କ ପାଶେ ତାଙ୍କୁ ଛାଡ଼ି
ବିଶେଷରେ ବେନିଭାଇ ଛନ୍ତି ନିଦ୍ରା ଯାଇ
ଗୁପତେ ଶକଟାସୁର ଦେଖୁଥିଲା ଥାଇ
କାମରୂପୀ ଅସୁର ସେ ନାନାମାୟା ଜାଣି
ଅନେକ ଛିଦ୍ର ବିଚାରୁଥିଲା ତହିଁ ପୁଣି
କଂସର ଛାମୁରୁ ଆସିଅଛି ପରିଘାଇ
ଦେଖିଲା ସେ ଦୁଇଭାଇ ସୁଖେ ନିଦ୍ରାଯାଇ
ସନ୍ନିଧିରେ କେହି ନାହିଁ ବିଶେଷ ଆବର
ନିଦ୍ରା ଦେଖି ଧାଈ ହେଲେ ପାଶରୁ ଅନ୍ତର
ଅସୁର ଭାଳେ ଏ ବେଳ ପାଇବି ମୁଁ କାହିଁ
ବହୁତ କାଳ ଏଠାରେ ରହିଲିଣି ମୁହିଁ
ନିଶ୍ଚୟ କରିବି ମୁହି କଂସରାଜା କାର୍ଯ୍ୟ
କଂସରାଜାର ଶତ୍ରୁକୁ ସଂହାରିବି ଆଜ
ଏ ଦୁହିଁଙ୍କି ହରିନେଇ କରିବି ଦହିଯ୍ୟ
ଶୁଣି କଂସରାଜା ତୋଷେ ଦେବ ମୋତେ ରାଜ୍ୟ
ତୃଣା ପୂତନା ମରଣ ଶୋକ ଯିବ ଛାଡ଼ି
ଏତେ ଭାଳି ଗଳଗାଜି ପଡ଼େ ଦୈତ୍ୟ ମାଡ଼ି
ଦଦରା ଶଗଡ଼ରୂପେ ଦାଣ୍ଡେ ପଡ଼ିଥିଲା
କହୁଁ କହୁଁ ବିଶ୍ୱମୂର୍ତ୍ତି ସେ ବୀର ହୋଇଲା
ଅଖ ଚକ ଦଣ୍ଡା ରୁଣୁଝୁଣୁ ବାଜେ ଫଳୀ
ନିମିଷେକେ ଏକଖଣ୍ଡ ହେଲା ମହାବଳୀ
ତାଟିକିଳା ଦଣ୍ଡାଆଦି ଶଗଡ଼ ସହିତେ
ଧଇଲେ ସେ ମହାଘୋର ମୂର୍ତ୍ତି ଯେଝାମତେ
ଶଗଡ଼ ଭିତରୁ ବୀର ହୋଇଲା ବାହାର
କାଳାନଳ ରୂପ ତାର ଘୋର ଅନ୍ଧକାର
ବ୍ୟାଘ୍ର ଭାଲୁ ହସ୍ତୀ ସିଂହ ନାନାରୂପ ଧରି
ବରାହ ମହିଷ ମେଷଛାଗ ଆଦିକରି
ଶଗଡ଼ ମଧ୍ୟୁ ବାହାର ହୋଇଲା ତକ୍ଷଣି
କଉତୁକେ ରୋମାବଳି ଟାଙ୍କୁରଇ ପୁଣି
ଘୋର ଗରଜନ ଘାତେ କମ୍ପଇ ବ୍ରହ୍ମାଣ୍ଡ
ଆଦିତ୍ୟ ମଣ୍ଡଳେ ଯାଇ ଲାଗେ ଦୈତ୍ୟମୁଣ୍ଡ
ନିଃଶ୍ୱାସ ପବନ ବହେ ଅଣଚାଶ ପ୍ରାୟେ
ଆକାଶ ମାର୍ଗେ ଲାଗିଲା ତାର ଦୈତ୍ୟକାୟେ
ପର୍ବତ ପ୍ରାୟ ମୂଷଳ କେଶ ତାର ପୁଣି
ଚାହିଁଲେ କଟାକ୍ଷେ ଦହ୍ୟ ହୋଇବ ଧରଣୀ
ଟହ ଟହ ହାସ୍ୟେ ବିକଟାଳ ଦନ୍ତପାଟି
ଶଗଡ଼ ଧାମନ୍ତେ ପୃଥ୍ୱୀ ପଡ଼ୁଛି ଲେଉଟି
କାଳଚକ୍ର ପ୍ରାୟେ ଚକ୍ଷୁ ବୁଲେ ଅନ୍ତରାଳ
ମୁଖରୁ ଉଦ୍‌ଗାରୁ ଅଛି ଯେ କାଳ ଯେ ଅନଳ
ଯୁଗାନ୍ତକ ପ୍ରାୟ କରେ ଘେନି ଲୋହବାଡ଼ି
ଚକ୍ର ପରାୟ ବୁଲାଇ ଆସଇ ଦଉଡ଼ି
ବ୍ୟାଘ୍ର ଭାଲୁ ସିଂହ ବାନ୍ଧିଅଛି ତାର ଆଗେ
ଧାମନ୍ତି ସେ ଧରାଧରି ହୋଇ ଅତି ବେଗେ
ଶଗଡ଼ ଭିତରୁ ଅବତାର ଦିବ୍ୟକାୟେ
ଶିଖା ଲାଗୁଅଛି ଅର୍ଦ୍ଧ ଆକାଶର ଯାଏ
ଯେଉଁଠାରେ ରାମକୃଷ୍ଣ ଅଛନ୍ତି ପହୁଡ଼ି
ଶକଟ ଗର୍ଜ୍ଜନ ନାଦକରି ପଡ଼େ ମାଡ଼ି
ଅପୂର୍ବ ଘଟଣା ନନ୍ଦ ଦକ୍ଷିଣ ଯେ ମେଲା
ଆପେ ବିଶ୍ୱକର୍ମା ତାହା ଯତ୍ନେ ଗଢ଼ିଥିଲା
ତହିଁର ଭିତରେ ଅଛି ରତ୍ନଖଟ ଦୋଳି
ଯୋଗନିଦ୍ରା ଯାଇଛନ୍ତି ରାମ ବନମାଳୀ
ଏସନ ସମୟେ ମାଡ଼ି ପଡ଼ିଲା ଅସୁର
ସବୁଖଞ୍ଜା ଭାଙ୍ଗିପଡ଼ି ଭାଙ୍ଗିଲା ମନ୍ଦିର
ଧ୍ୟାନରେ ଜାଣିଲେ ତାହା ଦେବ ଦାମୋଦର
ଆମ୍ଭଙ୍କୁ ମାରି ଆସିଛି ଶକଟା ଅସୁର
ଆମ୍ଭେ ଅଶେଷ ବ୍ରହ୍ମାଣ୍ଡ ଠାକୁରଙ୍କ ମଣି
ଭୂତ ଭିବଶ୍ୟତ ବର୍ତ୍ତମାନ ଆମ୍ଭେ ଜାଣି
ଭାରା ନିବାରଣ ଅର୍ଥେ ଆମ୍ଭେ ବାଳମୂର୍ତ୍ତି
ବ୍ରହ୍ମା ଗଙ୍ଗାଧରକୁ ତ ଅଗୋଚର ଅତି
ଯେଉଁଦିନ ଏ ଶକଟା ଆସେ ପରିଘାଇ
ସେ ଦିନୁ ଜାଣନ୍ତି ସେହି ପ୍ରଭୁ ଭାବଗ୍ରାହୀ
ଜଗନ୍ମୋହନ ସ୍ୱାମୀ ସେ ଜନରଞ୍ଜନାର୍ଥେ
ଅସୁର ଆସିବା କଥା ଜାଣି ଅନ୍ତର୍ଗତେ
ମନ୍ଦିରେ ମାଡ଼ି ବସନ୍ତେ ଯାଇଁ ନାରାୟଣ
ଅବହେଳେ ଚାଳି ଦେଲେ ଦକ୍ଷିଣ ଚରଣ
ପାଦ ବିଘାତେ ଉଡ଼ିଲା ଦୈତ୍ୟ ଶୂନ୍ୟ ମାର୍ଗ
ଶତେକ ଯୋଜନ ଉଡ଼ିଲା ସେ ବେଗେ
ଭଗ୍ନଘରୁ ଅନ୍ତରୀକ୍ଷେ ଗଲା ପାଦଫୁଟି
ଶକଟାସୁର ଉପରେ ପାଦପଦ୍ମ ଘୋଟି
ଶରଦ କାଳରେ ଯେହ୍ନେ ମେଘ ଘଡ଼ଘଡ଼ି
ମନ୍ଦର ପର୍ବତ କିବା ବଜ୍ରେ ପଡ଼େ ଝଡ଼ି
ସ୍ୱର୍ଗ ମଣ୍ଡଳଯାକ ସେ ଘୋଟିଲା ଶବଦ
ଶୁଣିଣ ଦେବତାମାନେ ହୋଇଲେ ସ୍ତବଧ
ଇନ୍ଦ୍ର ପୁଚ୍ଛା କଲେ ତହିଁ ବୃହସ୍ପତି ଚାହିଁ
ଭୋ ଗୁରୁ ଅଦ୍ଭୁତ ଶବ୍ଦ ଶୁଭେ ପୁଣ କାହିଁ
ବୃହସ୍ପତି ବୋଇଲେ ହେ ଶୁଣ ଶଚୀସାଇଁ
ଶ୍ରୀକୃଷ୍ଣ ଜାତ ହୋଇଲେ ମର୍ତ୍ତ୍ୟେ ତୁମ୍ଭପାଇଁ
ବେନିଭାଇ ଥିଲେ ନନ୍ଦ ମନ୍ଦିରେ ପହୁଡ଼ି
ଶକଟାସୁର ଦାନବ ପଡ଼େ ଯାଇଁ ମାଡ଼ି
ବେନିଶତ ବଖରାକୁ ଭଙ୍ଗି ପଦାଘାତେ
ଲଦିହୋଇ ପଡ଼ନ୍ତେ ଶ୍ରୀକୃଷ୍ଣ ମାରି ନାତେ
ମନ୍ଦିର ଛାଡ଼ି ଅନେକ ଦୂରେ ଦୈତ୍ୟ ପଡ଼ି
କୃଷ୍ଣପାଦଘାତେ ନାଶ ଯାଇ ଛାଡ଼େ ରଡ଼ି
ଶୁଭିଲା ସେ ପାଦଘାତ ଶବଦ ପ୍ରଚଣ୍ଡ
କମ୍ପିଲା ମେଦିନୀଖଣ୍ଡ ଆବର ବ୍ରହ୍ମାଣ୍ଡ
ଶୁଣିଣ ଇନ୍ଦ୍ର ଦେବତା ସନ୍ତୋଷ ହୋଇଲେ
ଉପରେ କୁସୁମ ବୃଷ୍ଟି ସ୍ୱର୍ଗେ ଥାଇ କଲେ
ଦାନବର ବକ୍ଷସ୍ଥଳେ କୃଷ୍ଣପାଦ ବାଜି
ମୂର୍ଦ୍ଧନା ଫାଟିଣ ବୀର ପଡ଼ିଲା ଗରଜି
ଖଣ୍ଡ ଖଣ୍ଡ ହୋଇ ତହିଁ ପଡ଼ିଲା ଶକଟା
ଭାଙ୍ଗିପଡ଼େ ଅଖ ଚକ ହୋଇ ଗୋଟା ଗୋଟା
ରୁଧିର ବହଇ ମୁଖବାଟେ ଖଳଖଳ
ଭୂମିରେ ପଡ଼ିଲା ସେହି ମହାଦୈତ୍ୟବଳ
ଶକଟା ଅସୁର ଦେହେ ପୁରୁଷେକ ଥିଲା
ଦିବ୍ୟ ରଥେକ ଆରୋହି ସ୍ୱର୍ଗପୁରେ ଗଲା
ଶ୍ରୀକୃଷ୍ଣ ଶ୍ରୀଚରଣକୁ ସଦା କରି ଆଶ
ଲେଖିଲା ଭାଗବତ ଅଚ୍ୟୁତାନନ୍ଦ ଦାସ
ଏହା ଶୁଣିଣ ପରୀକ୍ଷ ରାଜା ଯେ ପଚାରି
ବଡ଼ ରହସ୍ୟ କଥା ଏ କହ ତପଚାରି
ବିଷ୍ଣୁଠାରେ ଦ୍ରୋହ କଲା ଶକଟା ଅସୁର
ରଥ ଆରୋହି କିମର୍ଥେ ଗଲା ସ୍ୱର୍ଗପୁର
ପୂର୍ବେ କରିଥିଲା ସେହି କି ପୁଣ୍ୟ ବିଶେଷ
ସ୍ୱର୍ଗ ପ୍ରାପତ ହୋଇଲା କିପାଇଁ ରାକ୍ଷସ
ଏକଥା ସଂକ୍ଷେପି ମୋତେ କହ ଜ୍ଞାନମୟ
ଶ୍ରୀଭାଗବତ ଶୁଣିଲେ ଯିବ ପାପକ୍ଷୟ
ରାଜା ବଚନେ ବୋଲନ୍ତି ଶୁକ ମହାଯତି
ସାବଧାନେ ଶୁଣ ତୁମ୍ଭେ ସୁଭଦ୍ରାର ନାତି
ଅନେକ କାଳର କଥା ଅତି ପୁରାତନ
ମନୋବାଞ୍ଛା ପୂର୍ଣ୍ଣ ହେବ ଶୁଣିଲେ ରାଜନ
ମଧୁ କଇଟଭ ଦୈତ୍ୟ ପୂର୍ବେ ଅବତରି
ହୟଗ୍ରୀବ ରୂପେ ତାକୁ ମାରି ଚକ୍ରଧାରୀ
ମଧୁ ଦୈତ୍ୟ ସୁତ କଳ୍ପାନ୍ତକ ଆର୍ଦ୍ରାବଳି
ଦୁନ୍ଦୁଭି ତାର ନନ୍ଦନ ଅଟେ ମହାବଳୀ
ଦୁନ୍ଦୁଭି ନନ୍ଦନ ଶକ୍ରାଜିକ ଯେ ଅସୁର
ଘୋରପାପ ଛାଡ଼ି କଲା ପୁଣ୍ୟ ସଦାଚାର
ନାନଦି ଦାନ କରଇ ନାନ ଓଷାବ୍ରତ
ଅଷ୍ଟାଦଶ ପୁରାଣକୁ ଶୁଣଇ ନିରତ
ପିତା ତାର ବୋଲଇରେ ପୁତ୍ର ଶକ୍ରାଜିତ
ପାପ ଅକର୍ମ ଛାଡ଼ି ତୁ କିପାଁ ପୁଣ୍ୟେ ରତ
ଆରେ ଶକ୍ରାଜିତ ତୁହି ହୋଇଲୁ କି ବାଇ
ଅସୁର ହୋଇ ତୋ ଶୁଦ୍ଧ ଆଚାର କିପାଇଁ
ଋଷି ବିପ୍ର ଗୋରୁ ଭକ୍ଷ ଆମ୍ଭର ଜୀବିକା
ସ୍ୱର୍ଗ ମଞ୍ଚ ପାତାଳରେ ଆମ୍ଭ ନାମ ଦକା
ନାନାଦି ଅନୀତି କରି କରୁ ଯେ ଅକର୍ମ
ଏହା ଛାଡ଼ି କିପାଁ ଆମ୍ଭେ କରିବା ନା ଧର୍ମ
ପୁତ୍ର ବୋଲେ ପିତା ତୁମ୍ଭେ ହୋଇଲ କି ବାଇ
ଅନୀତି ଆଚାର କଲେ ଅଳ୍ପେ ନାଶଯାଇ
ଧର୍ମ ବାଟକୁ ଅଟଇ ସିନା କଟୁଆଳ
ଧର୍ମପ୍ରାପ୍ତ ହେଲେ ପ୍ରାଣୀ ବଞ୍ଚେ ଚରିକାଳ
ସାଧୁ ସଙ୍ଗେ ସଦାଚାରେ ସଦ୍‌ବିଦ୍ୟାରେ ପ୍ରାଣୀ
ସଦଗତିକି ପାଆନ୍ତି ନରକକୁ ଜିଣି
ପାପ ପୁଣ୍ୟ ଘେନି ପ୍ରାଣୀ ହେଉଛନ୍ତି ଜନ୍ମ
ଇହ ପରଲୋକେ ଭୁଞ୍ଜି ଶୁଭାଶୁଭ କର୍ମ
ଦୁନ୍ଦୂଭି ବୋଲେ ମୋ କୁଳେ ଅଧର୍ମୀ ହୋଇଲୁ
ଇହ ପରଲୋକ ଦୁଇକୁଳ ବୁଡ଼ାଇଲୁ
ଏ ମୋହର ବଚନ ତୁ କର ହୋ ତନୁଜ
ତୋତେ ଏକାଳେ ମୁଁ ଦେବି ସପ୍ତଦ୍ୱୀପ ରାଜ୍ୟ
ତୋହର କଥା ମାନିବେ ସର୍ବ ଜନପ୍ରଜା
ଦେବ ଦାନବ ମାନବ କରିବେ ତୋ ପୂଜା
ଅନେକ ଧନ ଅର୍ଜିବୁ ପୁତ୍ର ନାନବିଧ
ମନେ ତୁ ଯାହା ବାଞ୍ଛିବୁ ସେ ହୋଇବ ସିଦ୍ଧ
ଶକ୍ରାଜିତ ବୋଲେ ଧନେ ମୋର ଇଚ୍ଛା ନାହିଁ
ଧର୍ମ ଧନ ସମ୍ପଦ ମୁଁ ଛାଡ଼ି ନ ପାରଇ
ଶୁଣି ବୋଇଲା ଦୁନ୍ଦୂଭି କୋପେ ଏହି ବାଣୀ
ବତ୍ସଦ୍ରୋହ ଲାଗୁ ପଛେ ପକାଇବି ହାଣି
ଏତେ କହି ଖଡ଼୍‌ଗ ଧରି ଗଲା କୋପଭରେ
ଦେଖି ଶକ୍ରାଜିତ ତହୁଁ ପଳାଇଲା ଡରେ
କୋପଭରେ ଗୋଡ଼ାଇଲା ଦୁନ୍ଦୂଭି ତା ପଛେ
ଅନ୍ତରୀକ୍ଷ ପାତାଳହିଁ ପୁର ସ୍ୱର୍ଗ ମଞ୍ଚେ
ବିଷ୍ଣୁ ଶରଣ କହଇ ଉଚ୍ଚେ ଶକ୍ରାଜିତ
ତ୍ରାହିକର ନାରାୟଣ ମୁଁ ଶରଣାଗତ
ବଇକୁଣ୍ଠେ ଥାଇ ତାହା ଜାଣି ନାରାୟଣ
ଶକ୍ରାଜିତର ଛାମୁରେ ହେଲେ ତତକ୍ଷଣ
ଯାଉଁ ଯାଉଁ ମିଳିଲେ ସେ ଦୁନ୍ଦୁଭିର ଆଗେ
ଆକର୍ଷି କେଶ ତାହାର ଧରି ଅତି ରାଗେ
ରହ ରହ ବୋଲି ବୋଲୁଛନ୍ତି ଚକ୍ରଧର
ଖଡ଼ଗ ଧରି ଉଞ୍ଚାଇ ହାଣନ୍ତେ ଅସୁର
କୋପେ ଅସୁର ଉପରେ ପେଷିକରି ଚକ୍ର
ଖଡ଼ଗ କାଟି କାଟିଲେ ଅସୁର ମସ୍ତକ
ଶକ୍ରାଜିତକୁ ବୋଇଲେ କଲୁ ଆମ୍ଭ ସେବା
ପ୍ରସନ୍ନ ହୋଇଲୁ ଆମ୍ଭେ ବର ମାଗ ବାବା
ଶକ୍ରାଜିତ ବୋଲେ ମୋର ଆନେ କାର୍ଯ୍ୟନାହିଁ
ଏ ତୁମ୍ଭ ଶ୍ରୀଅଙ୍ଗେ ଲୀନ ହୋଇବି ଗୋସାଇଁ
ଏବେ ଯେ ଲାଗିଲା ମୋତେ ପିତୃହତ୍ୟା ଦୋଷ
ହରି ବୋଇଲେ କର୍ମେ ଯା ଭୁଞ୍ଜିବୁ ଅବଶ୍ୟ
କଲା କର୍ମ ହର ବେଦବରେ ପାର ନାହିଁ
ଅବଶ୍ୟ ଭୋଗ କରଇ ନରଦେହ ବହି
ଅସୁର ହୋଇ ଆମ୍ଭଙ୍କୁ କଲୁ ଯେଣୁ ସେବା
ଏ ଜନ୍ମେ ମୁକତ ହୋଇ ନ ପାରିବୁ ବାବା
ମିତ୍ରପଣେ ସେବା କରିବାରୁ ନିରନ୍ତରେ
ପାଇବୁ ନିର୍ବାଣ ମୁକ୍ତି ଶତେ ଜନ୍ମାନ୍ତରେ
ଜ୍ଞାନବନ୍ତ ହୋଇ ଯେବେ ଶତ୍ରୁ ପଣ କରି
ଏକା ଜନମେ ମୁକତି ପଥ ପାଇ ପାରି
ଶକ୍ରାଜିତ ବୋଲେ ତୁମ୍ଭେ ନିହନ୍ତା ବିହନ୍ତା
ତୁମ୍ଭର ଯେ ଇଚ୍ଛା ସିନା ମୋର କିସ କଥା
ଅନେକ ମାୟା ଜାଣୁ ତୁ ଅନାଦି ଅଚ୍ୟୁତ
କଲା କର୍ମ ଆନ କରିପାରୁ ଯେ ଲିଖିତ
ଦେବାଧିଦେବ ଉପରେ ତୁମ୍ଭେ ଦେବ ସ୍ୱାମୀ
ଉଦ୍ଧାରିବା ପିତୃଦ୍ରୋହ ଦୋଷୁ ଅନ୍ତର୍ଯ୍ୟାମୀ
ବିଷ୍ଣୁ ବୋଲନ୍ତି ତୋ ପିତା ଆମ୍ଭ ହସ୍ତେ ମଲା
ପୁଷ୍ପବିମାନ ଆରୋହି ବଇକୁଣ୍ଠେ ଗଲା
ରକ୍ଷ ଭକ୍ଷ ମଧୁ ଅରି ଦାନବ ଯେ ଥିଲେ
ଆମ୍ଭର ଶ୍ରୀହସ୍ତେ ମରି ସ୍ୱର୍ଗପୁରେ ଗଲେ
ଆବର ବଚନ ତୋତେ ସଂକ୍ଷେପି କହିବା
ଯୁଗେ ଯୁଗେ ତୋ ପିତାର କୀରତି ଥୋଇବା
ଚାରିବେଦ ଷଡ଼ଶାସ୍ତ୍ର ଅଷ୍ଟାଦଶ ସୀମା
ଦେବ ଦାନବ ମାନବ ଏ ତିନି ସୁଷମା
ଦୁନ୍ଦୁଭି ହାଡ଼କୁ ସର୍ବେ କରିବେ ପ୍ରଣାମ
ପ୍ରଣମଇଁ ଶକ୍ରାଜିତ କରକୁ ଯୋଡ଼ିଣ
ଶ୍ରୀହରି ବୋଇଲେ ଏଥେ ଥାଉ ଏହା ପଡ଼ି
ତ୍ରେତାଯୁଗେ ଅବତାର ହେବ ଦେହ ଛାଡ଼ି
ଦୁନ୍ଦୂଭି ମାୟାବୀ ବେନି ଅସୁର ହୋଇବେ
ମହାବଳବନ୍ତପଣେ କିଛି ନ ମାନିବେ
ସ୍ୱର୍ଗ ମଞ୍ଚ ପାତାଳେ ଏ ବୋଲାଇବେ ବୀର
ଏହାଙ୍କୁ ଦେଖି ଡରିବେ ସୁରାସୁର ନର
ବୀର ଲୋଡ଼ୁଥିବେ ଏହି ରଜନୀ ଦିବସ
ମହାବଳବନ୍ତ ବାଳିନାମେ କପିଈଶ
ତାହାର ହସ୍ତରେ ମୃତ୍ୟୁ ପାଇବେ ଏ ବେନି
ସେ ଦୁନ୍ଦୂଭି ହାଡ଼ ଏଥେଁ ପଡ଼ିଥିବ ପୁଣି
ସର୍ବାଙ୍ଗ ହାଡ଼ ପଞ୍ଜରା ନୋହିବ ଯେ କ୍ଷୀଣ
ଦୀର୍ଘ ପ୍ରତିରେ ହୋଇବ ଏ ସପତ ଯୁଣ
ମହା ଭୟଙ୍କର ହେବ ଦୁନ୍ଦୁଭି ପଞ୍ଜରା
ରାମରୂପେ ଜନମିବୁଁ ଆମ୍ଭେ ଏହି ଧରା
ବାଳିର ଭାଇ ସୁଗ୍ରୀବ ହୋଇବ ମଇତ୍ର
ବାଳିର ଭୟେ ସେ ଥିବ ଏହି ପରବତ
ବାଳି ମାରିବାକୁ ଆମ୍ଭେ ପ୍ରତିଜ୍ଞା କରିବୁ
ସୁଗ୍ରୀବ ପ୍ରତେ ନିମନ୍ତେ ଏ ଅସ୍ଥି ଫିଙ୍ଗିବୁ
ସହସ୍ର ଯୋଜନେ ଯାଇ ପଡ଼ିବ ସେ ଉଡ଼ି
ଏହାର ଦେହୁ ପାତକମାନ ଯିବ ଛାଡ଼ି
ଏହା ଦରଶନେ ପୁଣ୍ୟବନ୍ତ ହେବେ ପ୍ରାଣୀ
ତୀର୍ଥବାସୀଏ ଦର୍ଶନ କରୁଥିବେ ଜାଣି
ପରମପଦ ଯେ ଦେଲି ତୁମ୍ଭର ପିତାକୁ
ପ୍ରହ୍ଲାଦ ଯେହ୍ନେ କାରଣ କଲା ତା ତାତକୁ
ଆବର ବଚନ ମୋର ଶୁଣ ନିରାଧାର
ସହଜେ ଶତ୍ରୁ ପଣରେ ହେବୁ ତୁ ହୋ ପାର
ଦ୍ୱାପର ଆମ୍ଭେ ଜନ୍ମିବୁ ଦେବକୀ ଉଦରେ
ବଢ଼ିବୁଁ କଂସ ନାଶିବା ଅର୍ଥେ ନନ୍ଦଘରେ
ଅଷ୍ଟମଲ୍ଲ ସଙ୍ଗତେ ତୁ ହେବୁ ଅବତାର
ଶକଟା ଅସୁର ନାମ ହୋଇବ ତୋହର
ପିତୃହତ୍ୟା ଦୋଷେ ତୁହି ହେବୁ ମହାପାପୀ
ତେଣୁ ଅସୁରେ ଜନମି ହେବୁ କାମରୂପୀ
ଅଖ ଚକର ଆକୃତି ହୋଇବୁ ଶକଟା
ବିପରୀତ ଘଟସୂତ୍ର କରଇ ଯେ ସ୍ରଷ୍ଟା
ବାଳୁତ ଆଖାରେ ଥିବି ଦୋଳିପରେ ଶୋଇ
ସେ ବେଳେ କଟାଳ ମୋତେ କରିବୁ ତୁ ଯାଇ
ପରିଘାଇ ଆସିବାକୁ କଂସର ନିମନ୍ତେ
ଆମ୍ଭେ ଉପରେ ପଡ଼ନ୍ତେ ମାରିଦେବୁ ନାତେ
ସେହିରୂପେ ଶତ୍ରୁ ପଣେ ଯିବୁ ତୁହି ନାଶ
ଲଭିବୁ ଯେ ବଇକୁଣ୍ଠପୁର ସ୍ୱର୍ଗବାସ
ଏମନ୍ତ କହି ଅନ୍ତର ଅନାଦି କାରଣ
ଅଚ୍ୟୁତାନନ୍ଦ ସେ ପ୍ରଭୁ ଚରଣେ ଶରଣ

କଂସ ଛାମୁରେ ଦୂତର ଗୋପ ବୃତ୍ତାନ୍ତ ବର୍ଣ୍ଣନା

[ସମ୍ପାଦନା]

ଶୁକମୁନି ବୋଇଲେ ହୋ ଶୁଣ ଦଣ୍ଡଧାରୀ
ଶକଟା କଥା ଶୁଣିଲୁ ତୁ କି ହେତୁ କରି
ଏସନ ପ୍ରକାରେ ଥିଲେ ସେହି ଜନ୍ମ ହୋଇ
କୃଷ୍ଣ ହସ୍ତେ ବଧ ହୋଇ ବିଷ୍ଣୁ ଲୋକ ପାଇ
ଏଥୁ ଅନନ୍ତରେ ତହିଁ କେତେହେଁକ ବେଳେ
ନନ୍ଦର ମନ୍ଦିରେ ଯାଇ ମିଳିଲେ ସକଳେ
ଦେଖନ୍ତି ସୁସଞ୍ଚ ପୁର ପବିତ୍ର ବିଛଣା
ଗଜଦନ୍ତର ପଲ୍ୟଙ୍କ ଏକୁ ଏକ ଜିଣା
ଉପରେ ଝିଙ୍କ ଛାଏଣିଘର ଧଳାମୟ
ନିରତେ କି ଚନ୍ଦ୍ର ତହିଁ ହୋଇଛି ଉଦୟ
ଏକ ଏକ ବଖରାରେ ସୁନାର କଳଶ
ଫରହର ଝିନବାସ ଦିନକର ତ୍ରାସ
ଦେଖନ୍ତେ ଯେ ଏକମନ କରି ଯେ ଯାହାରେ
ଖଣ୍ଡ ଖଣ୍ଡ ହୋଇ ଘର ପଡ଼ିଅଛି ଦ୍ୱାରେ
ଦେଖିଲେ ପଡ଼ିଛି ଅଷ୍ଟରତ୍ନ ଏକଘରେ
କେ କହି ପାରିବ ଏହା ମାନବ ଶରୀରେ
କେଉଁ ଖମ୍ବମାନ ଠିଆ ଗୋଟି ଗୋଟି ହୋଇ
ବେନିଶତ ବଖରାର ପରେ ଚାଳ ନାହିଁ
ଦେଖିଣ ଚକିତ ହେଲେ ନନ୍ଦନାରୀ ପୁଣି
ନୟନେ ଦେଖିଲା ନାହିଁ କର୍ଣ୍ଣେ ନାହିଁ ଶୁଣି
କେଅବା କେମନ୍ତେନେଲା ଥୋଇଲା ବା କାହିଁ
କେଉଁ କତି ଗଲା କେହୁ ତାକୁ ଦେଖିନାହିଁ
ମୁହିଁ ତ ମୋଢ଼ୀ ରାଢ଼େଣୀ ଜ୍ଞାନଧ୍ୱଂସ ହେଲି
କେମନ୍ତେ ମୁଁ ଏକାକରି ପୁତ୍ର ଛାଡ଼ିଗଲି
ଏଡ଼େ ବଡ଼ କଷଣୁ ତ ଧାତା ପାରିକଲା
ଅପୁତ୍ରକ ଲୋକଙ୍କୁ ସେ ପୁତ୍ରଦାନ ଦେଲା
କେ ବୋଲନ୍ତି ଶୁଣନ୍ତେ ଏ କଥା ଅଗୋଚର
କେତେ ଲୋକ ଆସି ଭାଙ୍ଗିନେଲେ ଏଡ଼େଘର
କେତେ କୋଟି ସହସ୍ର ଯେ ଲୋକ ଆସିଥିଲେ
ଗୃହ ଭାଙ୍ଗି ନେଲେ ତାଙ୍କୁ କେହି ନ ଦେଖିଲେ
କେ ବୋଲଇ ପବନେ କି ଅବା ଗଲା ଉଡ଼ି
ଉଡ଼ିଗଲେ ଖଣ୍ଡେ ଅଧେ ଥାଆନ୍ତେ ତ ପଡ଼ି
ଏକୁଁ ଏକ କର୍ମରେ ଯେ ଚିତ୍ର କାଠମାନ
ଦଶ ପାଞ୍ଚ ଶତେ ହାତ ଲମ୍ବ ଘରମାନ
କେମନ୍ତ ପ୍ରକାରେ ଏଥୁ ବାହିନେଲେ ଲୋକେ
ଆଶ୍ଚର୍ଯ୍ୟ ହୋଇ ଚାହାନ୍ତି ଚଉକତି ଥୋକେ
ବାଳ ଗୋପାଳ ଯେତେକ କୃଷ୍ଣ ପାଶେ ଥିଲେ
ସେମାନଙ୍କୁ ରାଇ ପୁଣ ଯଶୋଦା ବୋଇଲେ
କେମନ୍ତେ ଘର ଭାଙ୍ଗିଲା ଜାଣ କିରେ ପୋଏ
ଚାଳ ସହିତେ ଏଠାରୁ ଘେନିଗଲା କିଏ
ଅନେକ ଧନ ରତନ ଚିତ୍ରମାନ ଥିଲା
ତୁମ୍ଭେ ଜାଣ କିରେ ବାବୁ କେହୁ ଘେନିଗଲା
ପୋଏ ବୋଲନ୍ତି ମାଏ ଗୋ ନ ଦେଖିଲୁ ଆନ
ପାଦ ଦୁଇକୁ ସିଞ୍ଚାଡ଼ି କଲେ ତୋର ନାନ
ଭୟଙ୍କର ଶବ୍ଦଟାଏ କଲା କେ ଗରଜି
ଘରେ ଶଗଡ଼ ଗୋଟାଏ ପଡ଼ିଲାକ ଭାଞ୍ଜି
ତୋହର ବାଳକ ପାଦ ସିଞ୍ଚାଡ଼ିଲା ବେଗେ
ଘର ଆଦି ସେ ଶଗଡ଼ ଉଡ଼ିଗଲା ଦିଗେ
କାଠ ଛଣ କେଣେ ଗଲା ନ ଜାଣିଲୁ ତାହା
ଶବଡ଼ ଭାଙ୍ଗି ପଡ଼ିଛି ପ୍ରତ୍ୟକ୍ଷେ ଗୋ ଚାହାଁ
ଏତେକ ବୋଲି ଦେଖାଇଦେଲେ ପୋଏ ତହିଁ
ମୃତପିଣ୍ଡ ପଡ଼ିଅଛି ଖଣ୍ଡ ଖଣ୍ଡ ହୋଇ
ମହାପର୍ବତ ପରାୟ ଭୟଙ୍କର ମୂର୍ତ୍ତି
ନନ୍ଦ ବୋଇଲା ହେବ ଏ ଶକଟା ଦୁର୍ମତି
କଂସନୃପତିଠାରୁ ଏ ଅଟେ ବଳୀୟାର
ସ୍ୱର୍ଗ ମଞ୍ଚ ପାତାଳ ଏ ଜିଣି ତିନିପୁର
ଏଡ଼େ ବଳବନ୍ତ ଗଲା ଅନିମିତ୍ତେ ନାଶ
ଏହା କହି ନନ୍ଦ ମନେ ପାଇଲାକ ତ୍ରାସ
ଗଉଡ଼ ହାଉଡ଼ ଆମ୍ଭେ ବନଚର ଜାତି
ନିରନ୍ତର ମତୁଆଳ ନାହିଁ ସଦଗତି
ପାପ ପୁଣ୍ୟ ନ ଜାଣୁ ତ ପେଟୁ କାଢ଼ୁ ବତ୍ସା
ବତ୍ସାକୁ ଦୁଧ ନ ଦେଇ ଦୁହୁଁ ମନଇଚ୍ଛା
ଦାଣ୍ଡର ପସରାଇତି ବେଠିଆ ପରଜା
ଦୁଧ ମଣୋହି କରାଇ ଦେବ ବିପ୍ରରାଜା
ଗୋଧନ ଚରାଉ ଆମ୍ଭେ ଇଚ୍ଛାସୁଖେ ଥାଉ
ମାସ ପଡ଼ି ବିଡ଼ିଆଦି ରାଜା କର ଦେଉ
ଖଣ୍ଡ ପାଟଣା ଆମ୍ଭର ସବୁ ଦାନ ଚୋପ
ପୂତନା ମଲା ବେଲିଣ ରାଜାଙ୍କର କୋପ
ଏଥକୁ ଶକଟାସୁର କେମନ୍ତେ ଅଇଲା
ଆମ୍ଭର ତ ଦୋଷ ନାହିଁ କେଉଁମତେ ମଲା
ଦୁଃସହ ପ୍ରତିଜ୍ଞାବନ୍ତ ଅଟେ କଂସରାୟ
ଯାହା ନାମକୁ ଦେବତା କରୁଥାନ୍ତି ଭୟ
ରାଜାର ବଇରୀ ହୋଇ ବର୍ତ୍ତିବୁ କେମନ୍ତେ
ଛାଡ଼ିବୁ ଗୋପନଗର ଯେ ଯାହାର ମତେ
ଥୋକେ ବୋଲନ୍ତି ଆମ୍ଭର ଏଥେ କେଉଁଦୋଷ
ଶକଟା ଭଳି ବୀର ଆମ୍ଭ ଯୋଗୁଁ ନାଶ
ତାହା ମନ୍ଦକର୍ମଫଳେ ମଲା ସେ ଦୁର୍ମତି
ବିଧାତା ବିଚାରେ ଭଲ ମନ୍ଦ ନିତିପ୍ରତି
ଥୋକେ ବୋଲନ୍ତି କଂସକୁ ଆମ୍ଭର କି ଶଙ୍କା
ପୁତ୍ରେ ପ୍ରମାଦ ପଡ଼ିଲା ଆମ୍ଭ ପାପେ ଏକା
ଶକଟା ଅସୁର ମଲା ଆମ୍ଭର କି ହେଲା
ପୁଣିହିଁ ତୋଳି ପାରିବା ଘର ଗଲେ ଗଲା
ଧର୍ମ ସାହାପକ୍ଷୁଁ ପୁତ୍ରେ ପରାଣ ପାଇଲେ
ରିଷ୍ଟ ଶାନ୍ତି ଅର୍ଥେ ନନ୍ଦ ଗ୍ରହଶାନ୍ତି କଲେ
ଚଣ୍ଡୀ କବଚ ପଢ଼ିବା ଅର୍ଥେ ବିପ୍ର ବରି
ଶିବ ଶିରରେ ମଇଁଷି ଗୋ ଦୋହନ କରି
କରାଲେ ଗ୍ରହବିପ୍ର ଆଣି ଗ୍ରହ ଶାନ୍ତି
ସ୍ନାନକରି ଗ୍ରାମ ଦିଅଁ ଦେବତା ପୂଜନ୍ତି
ନିଶ୍ଚିନ୍ତେ ରହିଲେ ବେନିଭାଇ ନନ୍ଦଘରେ
ନଗ୍ର ନରନାରୀମାନେ ଗଲେ ଯେ ଯାହାରେ
ଏଥୁ ଅନନ୍ତରେ କଂସନୃପତିର ଆଗେ
ଗୋପର ଡଗର ଯାଇ ଜଣାଇଲା ବେଗେ
ଭୋ ଦେବ ଶୁଣିମା ସାବଧାନେ ନରନାହା
ଗୋପ ବାରତା ଏକ୍ଷଣି ଦେଖିଲୁଟି ଯାହା
ଶକଟାସୁର ଠାକୁରେ ଗୋପପୁର ଗଲେ
ରଣ ସଂଗ୍ରାମ ନ କରି ଅଦଭୂତେ ମଲେ
ବେନିଶତ ବଖରା ଯେ ନନ୍ଦଘର ତଳି
ଅଷ୍ଟରତ୍ନରେ ନିର୍ମାଣିଥିଲା ତହିଁ ଦୋଳି
ସେ ଦୋଳିରେ ଶୋଇଦେଇ ନନ୍ଦ ବେନିସୁତ
ନିତ୍ୟକର୍ମ ଆଚରେ ଯେ ଲାଗିଲେ ସମସ୍ତ
ଏମନ୍ତେ ଏକାନ୍ତ ବେଳ ଜାଣି ମହାବୀର
ଧରି ଯୁଗାନ୍ତ ମୂରତି ଅତି ଭୟଙ୍କର
ପାଷାଣ ଘର ଭିତରେ ଥିଲେ ଯେ ପହୁଡ଼ି
ବିଚାରିଲେ ୟାଙ୍କ ପରେ ଘର ପଡ଼ୁ ମାଡ଼ି
ଅଖଡ଼େ ନାଶଯାନ୍ତୁ ଏ କଂସ ଶତ୍ରୁ ଶଲ
ଏମନ୍ତ ମନେ ବିଚାରି ସେ କପଟୀ ମଲ୍ଲ
ଘର ଭାଙ୍ଗନ୍ତେ ପଡ଼ିବା ଜାଣି ସେ ବାଳୁତେ
ଦକ୍ଷିଣ ପାଦ ଛିଞ୍ଚାଡ଼ି ଦେଲେକ ତୁରିତେ
ଅନ୍ତରୀକ୍ଷେ ବେନିଶତ ବଖରା ଉଡ଼ିଲା
ପାଦ ବାଜିଣ ଶକଟ ଭାଙ୍ଗି ପଡ଼ି ମଲା
ବଡ଼ ଦୁଷ୍କର ଅଟେ ସେ ବାଳୁତଙ୍କ କଥା
ବାଳୁତ ନୁହନ୍ତି ସେହି ପ୍ରତ୍ୟକ୍ଷେ ଦେବତା
ଶକଟା ଅସୁର ସଙ୍ଗେ ଆମ୍ଭେ ଯାଇଥିଲୁ
ଖଣ୍ଡେଦୂରେ ଥାଇ ସବୁ ପ୍ରତ୍ୟକ୍ଷେ ଦେଖିଲୁ।
ଶୁଣି କଂସରାଜା ମନ ହୋଇ ଅସମ୍ଭାଳ
ଆତ୍ମା ଉତ୍ସର୍ଗ ହୋଇଲା ବହି ଶ୍ରମଝାଳ
ଉଚ୍ଚସ୍ୱରେ ରୋଦନ ସେ କରେ ଘନ ଘନ
ବାଳୁତ ପ୍ରାୟ ରାଜାର ଚିତ୍ତ ଛନ୍ନ ଛନ୍ନ
କେଶୀର ମୁଖକୁ ଚାହିଁ ଶୋକେ ବୋଲେବାଣୀ
ଏତେକାଳେ ବିପରୀତ କଲା ଧାତା ଆଣି
କାହିଁ ଗୋପନଗ୍ର କାହିଁ ମଥୁରା ନଗରୀ
ଗଉଡ଼ ଟୋକାଟା ମୋର ହୋଇଲା ବଇରୀ
ପୂର୍ବେ ଯେ ଗୋମତ ଋଷିମୋତେକୋପକଲେ
ଗୋପ ମାଡ଼ିଲେ ଜୀବନ ଯିବତୋ ବୋଇଲେ
ତେଣୁ ଗୋପନଗ୍ରକୁ ମୁଁ ନ ପାରିଲି ଯାଇ
ଆପଣା କାର୍ଯ୍ୟେ ତତ୍ପର ଆପେ ସିନା ହୋଇ
ଅଖଡ଼େ ମୋ ପ୍ରାଣସଖା ହେଉଛନ୍ତି କ୍ଷତି
ଚେର ଛିଣ୍ଡିଲେ କି ନାହିଁ ତରୁବର ବର୍ତ୍ତି
ପ୍ରୋହିଣୀ ତୃଣା ଶକଟା ଏ ବଳିଷ୍ଠ ତିନି
ଅବହେଳେ ପାରନ୍ତି ତ ଜିଣି ଏ ମେଦିନୀ
ଅଖଡ଼େ ମୋ ଏଡ଼େ ବୀରମାନେ ନାଶଗଲେ
ମଶାର ହସ୍ତରେ ହାତୀପଲ ପ୍ରାଣ ଦେଲେ
ମୋହ ଅର୍ଜିଲା କର୍ମ ମୁଁ କାହାକୁ ଦେବଇଁ
କେଶୀ ବୋଲେ ତୁମ୍ଭେ ଏଡ଼େ ଜ୍ଞାନବନ୍ତ ହୋଇ
ଅନିମିତ୍ତେ ଚିନ୍ତା ତୁମ୍ଭେ କର କାହିଁପାଇଁ
ନନ୍ଦପୁଅ ଗଉଡ଼ ତ ବାଳୁତ ଅଟଇ
ବଳବନ୍ତ ଯେ ରାଜାଧିରାଜ ଶିରୋମଣି
ସ୍ୱର୍ଗ ମଞ୍ଚ ପାତାଳକୁ ଏକା ପାର ଜିଣି
ଆପେ ଜୀବନରେ ଥିଲେ ସବୁ ଜିଣିପାରି
ଆପଣା ବ୍ୟତ୍ରକେ କେହି ନୁହଇ କାହାରି
ବଳବନ୍ତ ବୁଦ୍ଧମନ୍ତ ବିଦ୍ୟାବନ୍ତ ଥୋକେ
ତାବଡ଼ା ତାବଡ଼ା ଏଥେ ଅଛନ୍ତି ତ ଲୋକେ
ଏଥୁ କି ଉତ୍ତମ ସେହି ଗୋପାଳ ପରାଣୀ
ଶ୍ରୀମନ୍ତ ପ୍ରାଣୀକୁ ଅଛି ପ୍ରମାଦ କି ପୁଣି
ତୁମ୍ଭେ ମର୍ତ୍ତ୍ୟ ମଣ୍ଡଳରେ ରାଜା ସ୍ୱର୍ଗ କର୍ତ୍ତା
ମାତା ଯାର ଇନ୍ଦୁମତୀ ଉଗ୍ରସେନ ପିତା
ଜାତି କୁଳ ମହତ୍ତ୍ୱରେ ସବୁ ଉଚ୍ଚଗୁଣ
ଶଙ୍ଖ ପଦ୍ମନିଧି ଅଛି ଯାହା କରେ ପୁଣ
ଚୌରାଶୀକୋଟି ଯାଦବ ପରେ ଅଗ୍ରଲେଖା
ଅଷ୍ଟେ ଅଷ୍ଟମଲ୍ଲ ଅଟୁ ତୁମ୍ଭର ଯେ ସଖା
ଛାଡ଼ ଛାଡ଼ ଶୋଚନା ନ କର ଆନ କିଛି
ଆପେ ଜୀବିତରେ ଥିଲେ ସବୁ ଧର୍ମ ଅଛି
ନ ବୁଝି ଚିନ୍ତା କରିବା ପ୍ରୟୋଜନ କିସ
ଚିନ୍ତା କଲେ ବଳବୀର୍ଯ୍ୟ ଯାଇ ସର୍ବ ନାଶ
କେଶୀ ବଚନେ ପ୍ରବୋଧ ହେଲା କଂସ ରାୟେ
ମନର ବେଦନା ଚିନ୍ତା ଛାଡ଼ିଲା ଥୋକାଏ
ବୋଇଲା ଅର୍ଜିଅଛି ତ ଧାତାର କି ଦୋଷ
ତହିଁକି ନିସତ ହେଲେ ହେବ ପୁଣ କିସ
ସମୟେ ବୀର ପଠାଇ ଶତ୍ରୁ କରି କ୍ଷୟ
ଏମନ୍ତ ବୋଲି ରାଜନ ହୋଇଲା ବିସ୍ମୟ
ବୋଲେ ଗୁପ୍ତେ ଚାରଗଣେ ଗୋପେ ବୁଲୁଥିବ
ଦିନେ ଦିନେ ଗୋପନଗ୍ର ବାର୍ତ୍ତା ଆଣିଦେବ
ଏତେ ବୋଲି ରାୟେ କଲା ଭିତରେ ବିଜୟେ
ଯାଦବମାନେ ଯେ ଯାହା ପୁର ମଧ୍ୟ ରହେ
କେଶୀ ଷଣ୍ଢା କୁବଳୟା ବକା ଯେ ଅରିଷ୍ଟ
ଆସ୍ଥାନ ଭାଙ୍ଗି ଯେ ଯାହା ପୁରେ ଗଲେ ଦୁଷ୍ଟ
ରହିଲେକ ନନ୍ଦଘରେ ପ୍ରଭୁ ଦେବରାୟେ
ଭୁଞ୍ଜାନ୍ତି କ୍ଷୀର ଲବଣୀ ଯଶୋବନ୍ତୀ ମାଏ
ଅନେକ ଧାତ୍ରୀ ପାରୁଶେ ଅଛନ୍ତି ଯେ ବେଢ଼ି
ନିରତେ ଅରିଷ୍ଟି ବୋଲି ନ ପାରନ୍ତି ଛାଡ଼ି
ଦିନୁଦିନ ବର୍ଦ୍ଧମାନ ହେଲେ କଂସରିପୁ
ଜଗତ୍‌ ବନ୍ଦନ ପୁରୁଷ ମନମଥ ବପୁ
ଗୋପୀ ଗୋପାଳ ବାଳକ ଗୋପାଳ ସହିତେ
ଅନୁବ୍ରତେ କୃଷ୍ଣ ଘେନି ଖେଳନ୍ତି ନିଶ୍ଚିନ୍ତେ
ଛଦ୍ରମେ ବାଳୁତ ରୂପ ତୈଲୋକ୍ୟ ଗୋସାଇଁ
ସେ ବାଳମୁକୁନ୍ଦଙ୍କର ଅଭୟ ଚରଣ
ଅଚ୍ୟୁତାନନ୍ଦ ଦାସ ଯେ ପଶିଲା ଶରଣ
ଶୁକ କହନ୍ତି ରାଜନ ଏହି ବିଧିମତେ
କୃଷ୍ଣଙ୍କୁ ମାସେ ସମ୍ପୂର୍ଣ୍ଣ ହୋଇଲା ତଦନ୍ତେ
ଶ୍ରାବଣ ପୂର୍ଣ୍ଣିମା ରାତ୍ରେ ହଳଧର ଜନ୍ମ
ବରଷେ ଅଠର ଦିନି କୃଷ୍ଣ ଜାଣ ସାନ
ବେନିଭାଇ ନିଶ୍ଚିନ୍ତରେ ଥାନ୍ତି ପାରୁଶରେ
ଗୋପୀ ଗୋପାଳ ଯେ ବେଢ଼ିଥାନ୍ତି ପାରୁଶରେ
ବିଷ୍ଣୁର ମାୟାରେ ଭ୍ରମ ହୋଇ ଯେ ଯାହାରେ
ଆତ୍ମାରୁ ଅଧିକ କରି ପାଳନ୍ତି କୁମରେ
ମାସକରେ ଗୁଳ ଗୁଞ୍ଚା ଦେଲେ ଯଦୁସାଇଁ
ଗୁରୁଣ୍ଡି ଗୁରୁଣ୍ଡି ଧୀରେ ଶେଯୁଁ ଖସିଯାଇ
ଚାଳିଶ ଦିନେ ବୁଲିଲେ ପ୍ରତି ଘରେ ଘରେ
କୌତୁକେ ଗୋପୀ ଗୋପାଳେ ଗୋଡ଼ାନ୍ତି ସଙ୍ଗରେ
ସମ୍ପୂର୍ଣ୍ଣ ଦେଢ଼ ମାସରେ ଫୋଡ଼ାଇଲେ କାନ
ଶୁଭବେଳ ଯୋଗେ ଚୂଳ ରଖାଇ ସେ ଦିନ
ବାହେ ରଙ୍ଗମାଟି ବାନ୍ଧି ପାଟ ବ୍ରହ୍ମଡୋର
କଟିରେ କଟିମେଖଳା ଚରଣେ ନୂପୁର
ହସ୍ତରେ ରତ୍ନକଙ୍କଣ କାନେ ସୁନାଗୁଣା
ହାର ବର୍ତ୍ତୁଳ ମୁକୁତା ଚନ୍ଦ୍ରବିମ୍ବ ଜିଣା
କଣ୍ଠେ ସୁନାର ହରିଡ଼ାମାନ ବାଘନଖ
ନିଶାକରି ଉଦୟ କି ଅନ୍ଧାର ଯେ ପକ୍ଷ
କଟିରେ ଘଣ୍ଟି ଘାଗୁଡ଼ି ମାଳାଗୋଟି ସାଜେ
ପାଦ ଚାଲନ୍ତେ ନୂପୁର ରୁଣୁଝୁଣୁ ବାଜେ
କଙ୍କଣ ବାହୁଟି ବିଦମୁଦି ପାଦେ ବଳା
ଲୀଳାଅର୍ଥେ ଗୋପନଗ୍ରେ ବିଜେ ନନ୍ଦବଳା
ଗନ୍ଧ ଚନ୍ଦନ କର୍ପୂର କସ୍ତୁରୀ ଶ୍ରୀଅଙ୍ଗେ
ସର୍ବାଙ୍ଗ ଶୋଭା ହରିଦ୍ରା କୁଙ୍କୁମ ସୁରଙ୍ଗେ
ତୈଳ ଜର ଜର ମାଥେ ଶିଖିପୁଚ୍ଛା ଚୁଳ
ଖେଳ ରସରୁ ଶରୀରୁ ବହେ ଶ୍ରମଝାଳ
ମହାମତ୍ତ ନାଗ ଶିଶୁ କଣ୍ଠେ ଯେହ୍ନେ ଧୂଳି
ତେହ୍ନେ ସୁନ୍ଦର ଦିଶନ୍ତି ସ୍ୱାମୀ ବନମାଳୀ
ସାମାନ୍ୟ ବାଳ ଗୋପାଳପୁଅ ଘେନି ସଙ୍ଗେ
ନଗ୍ରେ ଦାଣ୍ଡେ ଖେଳି ଖେଳିଯାନ୍ତି ନାନରଙ୍ଗେ
ମାୟାରେ କରାଇଛନ୍ତି ଲୋକଙ୍କ ଯେ ଭ୍ରମ
ଥୋକେ ବୋଲୁଛନ୍ତି ଏ ତ ବିପରୀତ କର୍ମ
ଭାଦ୍ରବ କୃଷ୍ଣଅଷ୍ଟମୀ ଦିନ ହେଲେ ଜନ୍ମ
ଭଲ କିବା ମନ୍ଦ ହେଉ ନନ୍ଦର ସେ ଧର୍ମ
କେଇଁ ଦେବ ଅବତାର ଏଥେ ହେଲା ଆସି
ସମ୍ପୂର୍ଣ୍ଣ ସୁଧାକର ଏ ସାଧୁ ଗୁଣରାଶି
ଯେଉଁଦିନୁ ଜାତ ହେଲେ ଯଶୋଦା ଉଦରେ
ରହିଲେ ଅଚଳାଚଳ ଲକ୍ଷ୍ମୀ ଗୋପପୁରେ
ବିଶେଷେ କହିବା ରୂପଗୁଣ ଅବା କିସ
କେ ବୋଲଇ ନାରାୟଣ ପରମ ପୁରୁଷ
କାଲି କଅଁଳାପୁଅ ଏକଥା ଅପ୍ରମାଣ
ସ୍ଥାବର ଜଙ୍ଗମ କୀଟ ପତଙ୍ଗ ପରାଣ
ଯାହାକୁ ଦେଖଇ ତାକୁ ମୋହଇ ତକ୍ଷଣେ
ଯୁବତୀଙ୍କ ଚିତ୍ତ ସ୍ଥିର ନୁହେ ଦେଖି କ୍ଷଣେ
କେ ବୋଲଇ ଗୋପପୁର ଲୋକଙ୍କର ପୁଣ୍ୟ
କେ ବୋଲେ ଏହୁ କି ଜନ୍ମ ହୋଇଛି ପବନ
ଏତେ ଅରିଷ୍ଟ ଗୋ ତେଣୁ ପାରିଗଲା ଜବ
କେ ବୋଲଇ ଏ କଥା ତ ଯୁଗେ ଯୁଗେ ଥିବ
କେତେଦିନର ଏ ପୁଅ ଚରିତ ଗୋ କେତେ
ଥୋକେ ଗୋପାଳ ବୋଲନ୍ତି ଅଗୋଚର ମୋତେ
କୃଷ୍ଣର ଯେ ବାଳଲୀଳା ଦେଖି ଗୋପବଧୂ
ବୋଲନ୍ତି ଯଶୋଦା ତୁମ୍ଭ ଜୀବନ ଗୋ ସାଧୁ
ଧନ୍ୟ ତୁମ୍ଭେ ଗୋ ଯୁନବତୀ ରତ୍ନ ଶିରୋମଣି
ଅତୁଳ ପୁରୁଷ ଗର୍ଭେ ଠାବ ଦେଲୁ ଆଣି
ସ୍ତିରୀକୁଳୁ ମୁକ୍ତ ହେଲ ତୁମ୍ଭେ ଯଶୋଦାଏ
ଏତେ ବୋଲି ଗୋପୀଙ୍କର ପୁଲକିତ କାୟେ
ମୁଖ ଦେଖିଲେ ଲାଗଇ କନ୍ଦର୍ପର ବାଧା
ହେଉକିନା ବାଳୁତ ଏ ଲାଗେ ବଡ଼ଶ୍ରଦ୍ଧା
ଗୋବିନ୍ଦର ଖେଳ ଦେଖି ବଡ ଶ୍ରଦ୍ଧାପାଇ
ନଗ୍ର ନରନାରୀମାନେ ଦେଖୁଛନ୍ତି ରହି
କେହୁ ଅଙ୍ଗୁଳି ରେଖାରେ ଗଣନ୍ତି ବୟସ
ଥୋକାଏ ବୋଲନ୍ତି ବେନିମାସ ହେଲା ଶେଷ
କେତେ ଦିନର ଏ ପୁଅ କେତେ ଏହା ଗୁଣ
ଅପୂର୍ବ ପ୍ରାୟ ଏ କଥାଗୋଟା ତୁମ୍ଭେ ମଣ
ଚାରିଯୁଗରେ ଏ କଥା ଅଛି ସ୍ତିର ହୋଇ
ସୁଜ୍ଞାନୀ ସୁଯତିମାନେ ଥାନ୍ତି ଜନ୍ମପାଇ
ସତ୍ୟଯୁଗେ ଯତି ସତ୍ୟବତୀର ନନ୍ଦନ
ଜନ୍ମ ମାତ୍ରକେ ଜାଣିଲେ ସେହୁ ବ୍ରହ୍ମଜ୍ଞାନ
ବିପୁଳ ବନରେ ଥିଲେ ବିଭାଣ୍ଡକ ଋଷି
ମୃଗୁଣୀ ଗର୍ଭେ ଜନମ ଋଷ୍ୟଶୃଙ୍ଗ ଋଷି
ଦଣ୍ଡ କମଣ୍ଡଳୁ ତାର ଶୋଭା କରପାତ୍ରେ
ଚାରିବେଦ ଷଡ଼ଶାସ୍ତ୍ର ଜାଣି ଜନ୍ମମାତ୍ରେ
ମୟ ନାମେ ଦାନବର ତ୍ରିଶିରା ଯେ ନାରୀ
ବାଳବ୍ୟସ୍ତ ବୋଲି ଜାତ ପୁତ୍ରେକ ତାହାରି
ଜନ୍ମକାଳେ ବାଳୁତର ଲାଗିଅଛି ନାଡ଼ି
ନବଲକ୍ଷ ଜଉତିଷ ପଢ଼ି ଗର୍ଭୁ ପଡ଼ି
ବିଷ୍ଣୁ ନାଭିକମଳୁ ଯେ ବ୍ରହ୍ମା ଅବତରି
ତକ୍ଷଣେ ସ୍ମରଣ ତାକୁ ହେଲା ବେଦ ଚାରି
ଉର୍ବଶୀର ବ୍ରହ୍ମବୀର୍ଯ୍ୟ ବଶିଷ୍ଠ ଉତ୍ପତ୍ତି
ପଢ଼ିଲେ ସେ ସାରସ୍ୱତ ମଣ ସୁଜ୍ଞଯତି
ଜନ୍ମ ହେଲା ପୁତ୍ର ଦେଲା ପିତାକୁ ଯେ ଶିକ୍ଷା
ପାଇଲେ ସେ ବ୍ରହ୍ମଜ୍ଞାନ ଭାଗବତ ଦୀକ୍ଷା
ବିଧୁ ନାମେ ସତ୍ୟଯୁଗେ ଜାନୁଘଣ୍ଟ ରାୟ
ଗୁଣଗମ୍ଭୀର ବୋଲି ଯେ ତାହାର ତନୟ
ଅଷ୍ଟବକ୍ର ଋଷି ତାକୁ ପ୍ରସନ୍ନ ହୋଇଲେ
ସାତଦିନର ପୁତ୍ରକୁ ବିଦ୍ୟା ଶିଖାଇଲେ
ଅତ୍ରି ମହାଋଷି ତହୁଁ ଏକପୁତ୍ର ଜାତ
ଏକ ଦିବସରେ ସେହି ଜାଣିଲେ ସମସ୍ତ
ବିନତା ଯେ କଞ୍ଚା ଡିମ୍ବଗୋଟି ଭଗ୍ନ କଲେ
ସେ ପୁତ୍ର ଆଦିତ୍ୟ ରଥେ ସାରଥି ହୋଇଲେ
ସୁକ୍ଷଣାଙ୍କ ତହୁଁ ଜାତ ଶୁକ୍ର ମହାଯତି
ଜନ୍ମମାତ୍ରେ ଜାଣି ମୃତସଞ୍ଜୀବନୀ ଗତି
ଏହିପରି ସାଧୁ ସୁଜ୍ଞଯତି ଛନ୍ତି ଯେତେ
ଏକ ଏକ ଧରି କହିବୁଁ ବା କେତେ
ନିଶ୍ଚେ ଗୋପପୁର ଲୋକ ପୁଣ୍ୟବନ୍ତ ଅତି
କେବଣ ଦେବ କପଟେ ଜାତ ହେଲା ଏଥି
ନନ୍ଦ ଯଶୋଦା ପ୍ରଶଂସା କଲ ଯେ ଯାହାରେ
ବୋଲନ୍ତି ଲଭିବ ମୋକ୍ଷଗତି ସମୟରେ
ଥୋକାଏ ବୋଲନ୍ତି ରାମକୃଷ୍ଣ ବାଳବେନି
ଅଜରାମର ହେଉନ୍ତୁ ଆମ୍ଭ ଆୟୁ ଘେନି
ଏରୂପେ ରାମ କୃଷ୍ଣଙ୍କୁ ଘେନି ଗୋପନାରୀ
ଜଣେ ଜଣେ ସୁକଲ୍ୟାଣ ଶୁଭବାଞ୍ଛା କରି
ସବୁରି ମନକୁ ସ୍ୱାମୀ ଜାଣନ୍ତି ଯେ ଏକା
ସକଳ ଅନ୍ତର୍ଯ୍ୟାମୀ ସେ ଦେବଙ୍କର ସଖା
ଆପେ ସଂହରି ପାଳଇ ଆପେ କରି ଜାତ
ଏ ଖେଳ ଲୀଳା ଅଟଇ ଯାହାର ଜଗତ
ଏମନ୍ତ ଯେ ନନ୍ଦସୁତ ମୋହର ମୂରତି
ଅଚ୍ୟୁତ କରଇ ତାଙ୍କ ପାଦରେ ପ୍ରଣତି

ନନ୍ଦର ଦୁର୍ଗାପୂଜା ଓ ଯାମଳାର୍ଜୁନ ଭଞ୍ଜନ

[ସମ୍ପାଦନା]

ଶୁକ କହନ୍ତି ଏରୂପେ କେତେ ଦିନଯାଏ
ଆଶ୍ୱିନ ଅଷ୍ଟମୀ ଦୁର୍ଗା ଉତ୍ସବ ଯେ ହୋଏ
ନନ୍ଦର ମନ୍ଦିର କରେ ବିଚିତ୍ର ମଣ୍ଡଣି
ସୁବର୍ଣ୍ଣ ଦୁର୍ଗା ପ୍ରତିମା ଗଢ଼ାଇଲେ ପୁଣି
ରତ୍ନ ସିଂହାସନେ ବିଜେ କରାଇ ପ୍ରତିମା
ହୀରା ନୀଳା ମାଣିକ୍ୟରେ କମରେ ସୁଷମା
ତହିଁ ଉପରେ ଦୁର୍ଗାଙ୍କୁ ବସାଇଲେ ନେଇ
ଆପଣେ ନନ୍ଦ ପୂଜନ୍ତି ଗନ୍ଧପୁଷ୍ପ ଦେଇ
ବାଳଗୋପାଳ ସଙ୍ଗତେ ଖେଳୁଥାନ୍ତି ହରି
ଉତ୍ସବ ବାରତା ଶୁଣି ଆପଣେ ମୁରାରି
ଆପଣା ଘରେ ପ୍ରବେଶ ହେଲେ ପ୍ରଭୁ ଆସି
ଦେଖିଲେ ଖଟୁଲି ଦିଅଁ ପାଶେ ନନ୍ଦ ବସି
ବାଳୁତ ଚଞ୍ଚଳମତି ସନ୍ନିଧିକି ଯାଇ
ଦେଖିଲେ ନନ୍ଦ ଆନନ୍ଦେ ଦିଅଁକୁ ପୂଜଇ
ଶ୍ରୀହରି ସେ ସବୁଦ୍ରବ୍ୟ ହାମ୍ପଡ଼ି ଧରନ୍ତେ
ଦେଖି କରି ନନ୍ଦରାଜା ଅତି କୋପଚିତ୍ତେ
ବୋଲଇ ଅଜ୍ଞାନ ତୁ ତ ନ ଜାଣୁ ଏମନ୍ତ
କେମନ୍ତ ବୋଲିବା ଆମ୍ଭେ କଲୁ ମନ୍ଦକୃତ୍ୟ
ଯେବେ ତୁ ଏଥେ ପ୍ରବେଶ ହେଲୁ ଆରେବାବୁ
ଯେ ସାମଗ୍ରୀ ଥୋଇଅଛି ଦେବପୂଜ୍ୟ ସବୁ
ଗ୍ରାସର ନିମନ୍ତେ ପ୍ରଭୁ ବଢ଼ାଇଲେ କର
ଦେଖି ନନ୍ଦ ବୋଲେ ନାଥ ଯାଅ ଖଣ୍ଡଦୂର
ବିଳମ୍ବ ନ କରି ରାଣୀ ପୁଅକୁ ଗୋ ନିଅ
ଦେବତା ପୂଜା ମୁଁ ସାରେ ଆଡ଼େ ରଖିଥାଅ
ଶୁଣି ରାଗେ ଧାତିକାରେ ଯଶୋଦା ଅଇଲେ
ଶ୍ରୀକୃଷ୍ଣଙ୍କୁ ଧରିନେଇ ରୋଳେ ଖଟାଇଲେ
ସୁବର୍ଣ୍ଣ ସୁତାରେ ପାଟ ଡୋରେକ ଲଗାଇ
ଆଣ୍ଟକରି ବାନ୍ଧିଦେଲେ ଶ୍ରୀକୃଷ୍ଣଙ୍କୁ ତହିଁ
ଆପଣାର ନିତ୍ୟକର୍ମ ରହିଲେ ମାତାଏ
ଶ୍ରୀକୃଷ୍ଣଙ୍କୁ ବେଢ଼ିଛନ୍ତି ସର୍ବ ବାଳପୋଏ
ଦୁର୍ଗାଦେବୀଙ୍କି ଯେ ନନ୍ଦ କରୁଛନ୍ତି ପୂଜା
ଗନ୍ଧ ପୁଷ୍ପ ନଇବେଦ୍ୟ ଦେଇ ଖଣ୍ଡ ଗଜା
ଦଣ୍ଡେମାତ୍ର ସ୍ଥିର ହୋଇଥିଲେ ନାରାୟଣ
ଧୀରେ ଧୀରେ ହଲାଇଲେ ଦକ୍ଷିଣ ଚରଣ
ଖଟ ଦଉଡ଼ି ସହିତେ ଘୁଷୁରିଲା ରୋଳ
ଗୁଳୁଗୁଞ୍ଜା ଦେଇ ସ୍ୱାମୀ ଖେଳେ ମତିଭୋଳ
କ୍ଷଣେ ଠିଆ ହୋଇ ସ୍ୱାମୀ ଛିଣ୍ତାନ୍ତି ଦଉଡ଼ି
ଟଳ ଟଳ କଳେବର ପଡ଼ି ଜାନୁମାଡ଼ି
ପୁଣି ଟହ ଟହ ହୋଇ ହସି କର କର
ବହୁତ ଗୋପାଳ ପୋଏ ଅଛନ୍ତି ସଙ୍ଗର
ନନ୍ଦଗୃହ ପାଖୁ ଖଣ୍ଡେ ଦୂରେ ଚାଲିଗଲେ
ସିଂହଦୁଆର ଜିଣିଣ ଦାଣ୍ଡରେ ପଡ଼ିଲେ
ଖଣ୍ଡେ ଦୂରରେ ଯାମଳା ନାମେ ବେନିଗଛ
ଶ୍ରୀକୃଷ୍ଣ ମନେ ବିଚାରି ଗଲେ ହୋଇ ପଛ
ଅଭିଶାପେ ଜନ୍ମ ହୋଇ ଅଛନ୍ତି ପ୍ରତ୍ୟକ୍ଷେ
ଯାଆଁଳା ହୋଇଅଛନ୍ତି ଏହି ବେନିବୃକ୍ଷେ
ଆମ୍ଭ ଜନ୍ମ ନିମନ୍ତେ ଏ ଚାହିଁଥିଲେ ବାଟ
ପାଇଲେ ବୈକୁଣ୍ଠ ଯହୁଁ ପଡ଼ି ଆମ୍ଭ ଭେଟ
ଏତେ ବିଚାରି ଶ୍ରୀକୃଷ୍ଣ ଧାଇଁଯାଇ ବେଗେ
ଧାତିକାରେ ଲାଗିଲେ ସେ ବୃକ୍ଷଙ୍କର ଲାଗେ
ଏକମୂଳରୁ ସେ ଗଜା ବିସ୍ତାର ସୁସଞ୍ଚ
ଅର୍ଦ୍ଧକୋଶ ଦୀର୍ଘ ପ୍ରତି ବେନିକୋଶ ଉଚ୍ଚ
ବିସ୍ତାର ନବପଲ୍ଲବ ଫଳ ପୁଷ୍ପେ ଶୋଭା
ଶିଖକୁ ଚାହିଁଲେକି ସେ ମେଘ ଶିରା ଗଭା
ଯୁଗେ ଯୁଗେ ଥିବା ବୃକ୍ଷ ନ ଜାଣନ୍ତା ନାହିଁ
ଶ୍ରୀକୃଷ୍ଣ ଜନ୍ମ ହେବାକୁ ଛନ୍ତି ବାଟଚାହିଁ
ତଦନ୍ତ କରି ଜାଣନ୍ତି ତାହା ଦେବହରି
ବୃକ୍ଷ ମୂଳରେ ପ୍ରବେଶ ହେଲେ ମଧୁହାରୀ
ନିଅଳସେ ଗୋପପୋଏ ଯାଇ ପଛେ ପଛେ
ବେନିବକ୍ଷ ମଧ୍ୟଭାଗେ ଚଳିଲେ ପ୍ରତ୍ୟକ୍ଷେ
କୃଷ୍ଣ ଚଳିଯାନ୍ତେ ରୋଳ ବୃକ୍ଷରେ ଲାଗିଲା
ଯେତେ ଓଟାରିଲେ ଆଉ ବାହାର ନ ହେଲା
ରୋଳ ଲାଗନ୍ତେ ବୃକ୍ଷକୁ ଅନାଇଲେ ହରି
ଦେଖିଣ ଧରି ଟାଣିଲେ ଡୋର ଟାଣିକରି
ରଜ୍ଜୁ ଟାଣନ୍ତେ ସେ ବୃକ୍ଷ କମ୍ପେ ବାତଘାତେ
ମୂଳରୁ ଉପୁଡ଼ିଲା ସେ ଶିକଡ ସହିତେ
ରଡ଼ମଡ଼ ହୋଇ ଭାଙ୍ଗିଗଲା ତରୁଡାଳ
କମ୍ପଇ ସ୍ୱର୍ଗଭୁବନ ପୃଥିବୀ ପାତାଳ
ଉଲ୍‌କାପାତ ପ୍ରାୟ ଦିଶେ ବସୁନ୍ଧରା ସ୍ଥଳୀ
ଦିବସରେ ଅନ୍ଧକାର ହେଲେ ଅଂଶୁମାଳୀ
ପଡ଼ିଲା ବେନି ଯୋଜନ ମାଡ଼ି ବୃକ୍ଷ ବେନି
କୂର୍ମ ଲୋକ ପରିଯନ୍ତେ କମ୍ପିଲା ମେଦିନୀ
ଦେଖିବା ନିମନ୍ତେ ଜନେ ଧାଇଁଲେ କାତରେ
କରେ ଶିର ତାଡ଼ି ନନ୍ଦ କାନ୍ଦି ଉଚ୍ଚସ୍ୱରେ
ନଗ୍ର ହାଲହୋଳି ପୁଣ ପଡ଼ିଲା ବୋବାଳି
ସବୁ ପୁଏ ମଲେ ବୋଲି କାନ୍ଦି ଗୋପବାଳୀ
ଗୋପନଗ୍ରେ ଗୋପାଳୁଣୀ କରନ୍ତି ଚହଳ
ପୁତ୍ରଙ୍କର ମାତାମାନେ ହୁଅନ୍ତି ବିକଳ
ହାହା ରାମକୃଷ୍ଣ ବୋଲି ଉଚ୍ଚେ କାନ୍ଦେ ନନ୍ଦ
ଦଇବେ କିସ ବୋଲିବା କରମ ମୋ ମନ୍ଦ
ବୃଦ୍ଧକାଳେ ପାଇଥିଲି ପୁତ୍ର ଦୁଇଗୋଟି
କେତେ ଲୁଚାଇବି ନିତି ପଡ଼ିଲା ଅରିଷ୍ଟି
ପୂତନା ପ୍ରତ୍ୟକ୍ଷେ ଦୁଗ୍‌ଧେ ବିଷ ଦେଇ ମଲା
ଶକଟା ଅସୁର ଘରେ ମାଡ଼ିଣ ପଡ଼ିଲା
ତୃଣାବର୍ତ୍ତ ଘେନିଗଲା ଆକାଶେ ଉଡ଼ାଇ
ଦଇବ ଯୋଗୁଁ ମୋ ପୁତ୍ରେ ଅଇଲେ ପଳାଇ
କେତେ ଦିନର ପୁତ୍ରଙ୍କୁ କେତେ ଯେ ଅରିଷ୍ଟ
ଦଇବର ବିପରୀତ ମୋତେ ପୁତ୍ରକଷ୍ଟ
ଦିନେ ଦିନେ ତ ବିପତ୍ତି ମେଣ୍ଟି କେତେକାଳ
ଅକାଳ ମରଣେ ଯେହ୍ନେ ପଡ଼େ ବଜ୍ରତାଳ
ଦଇବ ବିପତ୍ତି କାହା ଯୋଗେ ମେଣ୍ଟିପାରେ
କେମନ୍ତେ ଭାଙ୍ଗି ପଡ଼ିଲା ଏଡ଼େ ତରୁବରେ
ଅନେକ କାଳର ତରୁ ନିବିଡ଼ ଏ କାଷ୍ଠ
ଉତ୍ସର୍ଗ ତା ବେନିକୋଶ ବେନିକୋଶ ମୋଟ
ଅଦ୍ଭୁତେ ସେ ବୃକ୍ଷ ଭାଙ୍ଗି ପଡ଼ିଲା କେମନ୍ତେ
ମୂଳରୁ ତ ଉପୁଡ଼ିଲା ଶିକଡ଼ ସହିତେ
ଆବର ବିଶେଷେ ଅତି ମନୋହର ତରୁ
ଫଳ ପୁଷ୍ପ ପଲ୍ଲବରେ ଅଟେ ମହାମେରୁ
ଦଇବୀ ନୋହିଲେ କାହୁଁ ହେଲା ଏଡ଼େ କର୍ମ
ନିଶ୍ଚେ ନାଶ ଗଲା ଜାଣ ଗୋପପୁର ଧର୍ମ
ଅଜ୍ଞାନ ବାଳପୋଏ ତ ଦାଣ୍ଡେ ଖେଳୁଥିଲେ
ଶୀତଳ ଛାଇ ପାଇଣ ବୃକ୍ଷତଳେ ଗଲେ
ଏସନକ ବିଡ଼ମ୍ବନା ଅଛଇ ଭବିଷ୍ୟ
ବୃକ୍ଷ ଭାଙ୍ଗି ପଡ଼େ ଦେବ କାହାକୁ ଏ ଦୋଷ
ଭୋ ଧର୍ମ ଦେବତା ମୋତେ କଲୁ ଏହା ଆଣି
ରୋଦନ୍ତି କପାଳେ କର ମାରି ଗୋପାଳୁଣୀ
ଯେ ଯାହାର ପୁତ୍ରଗୁଣ ସ୍ମରି କାନ୍ଦି ବେଗେ
ସମସ୍ତେ ଯାଇଁ ମିଳିଲେ ଭଙ୍ଗା ବୃକ୍ଷ ଲାଗେ
ଦେଖିଲେ ଯାମଳା ବୃକ୍ଷ ପଡ଼ିଅଛି ଲୋଟି
ସମସ୍ତ ଗୋପାଳ ପୋଏ ବୃକ୍ଷେ ଛନ୍ତି ଉଠି
ଟହ ଟହ ହସନ୍ତି କେ ମାରି କରତାଳି
ଡାଳେ ଓହଳି ଖେଳନ୍ତି ପତ୍ର ଫୁଲ ତୋଳି
ଡାଳପତ୍ର ଭାଙ୍ଗି କେହୁ କରି ହସ୍ତ ବାଡ଼ି
ଘୋଡ଼ା ଚଢ଼ିଲା ପରାୟ ଅଛନ୍ତି କେ ଚଢ଼ି
କଉତୁକ ପାଇ ଖେଳୁଛନ୍ତି କୃଷ୍ଣ ସଙ୍ଗେ
ଶିଖିପୁଚ୍ଛ ଗୁଞ୍ଜମାଳ ଆଭରଣ ଅଙ୍ଗେ
ଝିନବସ୍ତ୍ର ପିନ୍ଧିଛି କେ ଉଲଗ୍ନ ହୋଇଛି
କଉତୁକେ ନାନଖେଳ ରସ ଲାଗିଅଛି
ନାଚନ୍ତି ଗାବନ୍ତି ପୋଏ ମାରି ଗାଲତୁରୀ
ହସନ୍ତି ପିତା ମାତାଙ୍କୁ ଦେଖି ଯେ ଯାହାରି
ନନ୍ଦର କୋଳରେ ବିଜେ କଲେ ହଳପାଣି
ଯଶୋଦା ଦେବୀ କୃଷ୍ଣଙ୍କୁ କୋଳ କଲେ ଆଣି
ଆବର ଗୋପ ଗୋପାଳେ ଆର୍ତ୍ତେ ଯାଇଥିଲେ
ଯେ ଯାହାର ପୁତ୍ରମାନ କୋଳରେ ଧଇଲେ
କେ କେ କରିଥିଲେ ବୃକ୍ଷ ଭାଙ୍ଗିବା ଶୋଚନା
ପୁତ୍ରମାନ ଦେଖି ହୃଦୁଁ ଛାଡ଼ିଲେ ବେଦନା
କୋଳେ ଧରିଣ ପୁତ୍ରକୁ ଚାହିଁଲାକ ନନ୍ଦ
ମୂଳ ସହିତ ପଡ଼ଛି ଦେଖିଣ ଆନନ୍ଦ
ପଚାରନ୍ତି ଉପୁଡ଼ିଲା କେମନ୍ତେ ଏ ବୃକ୍ଷ
ପୁତ୍ରେ ବୋଲି ଲଗାଇଲା ରୋଳ ତୁମ୍ଭ ବତ୍ସ
ବେନି ବୃକ୍ଷର ଭିତରେ ଆପେ ଉଛୁଡ଼ିଲା
ଆଡ଼ରେ ବେନି ବୃକ୍ଷରେ ତା ରୋଳ ଲାଗିଲା
ଯିବାର ସଳଖ ବୃକ୍ଷ ରୋଳ କାହୁଁ ଜାଣି
ପାଦ ଆଣ୍ଟକରି ରଜ୍ଜୁ ଧଇଲାକ ଟାଣି
ଏ ତୁମ୍ଭର ପୁତ୍ର ଆଣ୍ଟକରି ଉଛୁଡ଼ିଲା
ଉଛୁଡ଼ନ୍ତେ ବୃକ୍ଷ ଦୁଇ ଭାଙ୍ଗିଣ ପଡ଼ିଲା
ଭୋ ଦେବ ତ ବଳୀୟାର ଜାଣ ତୁମ୍ଭ ପୁତ୍ର
ସେ ଆମ୍ଭ ଠାକୁର ଆମ୍ଭେ ସିନା ତାର ଭୃତ୍ୟ
ତାଙ୍କ ସଙ୍ଗେ ଥିଲେ ଆମ୍ଭ ଭୟ କିଛି ନାହିଁ
ଇନ୍ଦ୍ର ରାଜା ହୋଇପାରୁ ତାଙ୍କ ସଙ୍ଗେ ରହି
ନାନଦି ବର୍ଣ୍ଣେ ବ୍ୟଞ୍ଜନ ଯହିଁ ଯାର ବାଞ୍ଛା
ଏ ଆଜ୍ଞା ଦେଲେ ସେମାନେ ମିଳି ମନଇଚ୍ଛା
ଏ ପ୍ରଭୁ ସଙ୍ଗରେ ରାତ୍ର ଦିବା ଖେଳୁଥିବୁ
ଆମ୍ଭର ଇଚ୍ଛା ହୋଇଲେ ଘରକୁ ଯେ ଯିବୁ
ବାଳକେ ବୋଇଲେ ଆମ୍ଭେ କୃଷ୍ଣେହେଲୁବଶ
ନାନରଙ୍ଗ କରୁଥିବୁ ଏହାଙ୍କର ପାଶ
ବାଳଗୋପାଳ ମୁଖରୁ ଏହିପରି ଶୁଣି
ସନ୍ତୋଷ ହୋଇଲେଗୋପେ ଗୋପ ଗଉଡୁଣୀ
କେମନ୍ତେ ବୃକ୍ଷ ଭାଙ୍ଗିଲା କରନ୍ତି ବିଚାର
ଅଦ୍ଭୁତ ବେନି ପୁରୁଷ ହୋଇଳେ ବାହାର
ପୁଷ୍ପବିମାନ ଆରୋହି ଗଲେ ମଧ୍ୟସ୍ୱର୍ଗେ
ଦେଖୁ ଦେଖିୁ ପଶିଗଲେ ଗଗନରେ ବେଗେ
ଅନେକ ଯେ ବିଦ୍ୟାଧରୀ ଅଛନ୍ତି ସଙ୍ଗରେ
ବଜାନ୍ତି ଦୁନ୍ଦୁଭି ବାଦ୍ୟ ଗାବନ୍ତି ସୁସ୍ୱରେ
ଉଡ଼ଇ ବିମଳ ପାଟଛତ୍ର ପନ୍ତି ପନ୍ତି
ଲକ୍ଷେକ ବିମାନ ତାର ପାଶେ ଶୋଭାପାନ୍ତି
ଅନେକ ଆରମ୍ଭେ ଯାଇ ସେ ଗନ୍ଧର୍ବ ଦୁଇ
ସ୍ୱର୍ଗେ ବସିଲେ ଦେବତା ପ୍ରାୟେ ଦେହ ପାଇ
ଇନ୍ଦ୍ର ଦେବତାର ପୁରେ ପଶିଲେ ଝସାଇ
କାହାର କଥାକୁ କର୍ଣ୍ଣେ ନ ଶୁଣନ୍ତି ସେହି
ଶତେକ ଦ୍ୱାର ଅନ୍ତରେ ଥିଲେ ସୁରପତି
ସେଠାରେ ନଳ କୁବେର ମିଳିଲେ ତଡ଼ତି
ଖଣ୍ଡେଦୂର ବିମାନରୁ ଦେଖି ଓହ୍ଲାଇଲେ
ସାଷ୍ଟାଙ୍ଗେ ପ୍ରଣମି ଇନ୍ଦ୍ର ବଦନ ଚାହିଁଲେ
ଯମ ନଇର୍ଋତ କଲେ ମନମସ୍କାର ଯାଇଁ
ଆଦିତ୍ୟାଦି ଗ୍ରହଙ୍କୁ ଯେ ଓଳଗି ମେଳାଇ
ସାଷ୍ଟାଙ୍ଗେ ପ୍ରଣମି ଇନ୍ଦ୍ର ସଭାକୁ ଅନାଇ
ତଦନ୍ତେ ମତାପିତାଙ୍କୁ ମାନ୍ୟକଲେ ଯାଇଁ
ସେ ବାଳଗୋପାଳ ମୂର୍ତ୍ତି ଚରଣେ ଶରଣ
ଅଚ୍ୟୁତାନନ୍ଦ ଦାସକୁ କରିବା କାରଣ
ଏମନ୍ତ ଶୁଣିଣ ରାଜା ପରୀକ୍ଷେ ପଚାରି
ବଡ଼ କଉତୁକ କଥା କହ ତପଚାରୀ
କୃଷ୍ଣ ଭାଙ୍ଗିଲେ ଯାମଳାର୍ଜ୍ଜୁନ ବେନି ବୃକ୍ଷ
ତୁମ୍ଭର କହନ୍ତେ ପୁଣି ପାଇବି ମୁଁ ମୋକ୍ଷ
ତରୁ ରୂପ ତେଜ୍ୟା କରି ପ୍ରତ୍ୟକ୍ଷ ପୁରୁଷ
କେବଣ ଦୋବତାଠାରେ କଲେ କେଉଁଦୋଷ
ଗନ୍ଧର୍ବ ହୋଇ କିପାଇଁ ହୋଇଲେ ପାଦପ
ଏଡ଼େ ଲୋକ ହୋଇ କିପାଁ ଅର୍ଜି ଏତେ ପାପ
ଶୁକ ବୋଇଲେ ହୋ ଶୁଣ ପରୀକ୍ଷ ରାଜନ
ନଳ ଆଦି କରି କେତେ କୁବେର ନନ୍ଦନ
ଅଳକାପତି ଭାବିନୀ ସୁଲକ୍ଷଣୀ ନାରୀ
ନଳ କୁବେର ଏ ବେନି ପୁତ୍ର ତାହାଙ୍କରି
ବଡ଼ ସୁଲକ୍ଷଣ ବେନି କୁମର ସୁନ୍ଦର
ଅଳକାପତିର ଅନ୍ତେ ହୋଇବେ କୁବେର
କେବଣ ଦିନେ କୁବେର ନଳ ବେନିଭାଇ
ଅଷ୍ଟବଜ୍ର ଋଷି ଦେଖି ଦୂରୁ କଲେ ଟାହି
ଲୋଳିତ ଧର୍ମେ ତାହାଙ୍କୁ ଓଳଗି ହୋଇଲେ
ଅନ୍ତର୍ଗତେ ସୁମରିଣ ମାନ୍ୟ ପୁଣ କଲେ
ମୁନିବର ସର୍ବଜ୍ଞାତା ଜାଣି ତାଙ୍କ ମନ
କୋପଭରେ ବୋଲନ୍ତି ଯେ ତାଙ୍କୁ ଏ ବଚନ
ଏଡେ ଗର୍ବ ବହି ମନେ ନ କର ମାନନା
ଅଙ୍ଗୁଳି ତ କାଳସର୍ପ ମୁଖେ ଦେଲ ସିନା
ଆମ୍ଭଙ୍କୁ ଯେ ଟାହି କରି ଅର୍ଜି ମହାପାପ
ଏଣୁ ତୁମ୍ଭେ ଘେନ ଏବେ ଆମ୍ଭ ଅଭିଶାପ
ବେନି ବୃକ୍ଷ ହୋଇ ତୁମ୍ଭେ ବେନି ଆମ୍ଭଶାପେ
ମୂଳେ ଏକ ରହିଥିବ ବେନି ଶାଖା ରୂପେ
କାଟି ଉଞ୍ଛି ଭାଙ୍ଗି ନେଉଥିବେ ଡାଳପତ୍ର
ଛେଲି ଉଞ୍ଛି ନେଉଥିବେ ଜନେ ଅନୁବ୍ରତ
ଏରୂପେ କଷ୍ଟ ପାଇବ ବୃକ୍ଷରୂପ ହୋଇ
ତପୀ ନିନ୍ଦା କଲ ତୁମ୍ଭେ କଥା ଥିବ ରହି
କୁମାର ବୋଇଲେ ମୁନି ଏତିକିରେ ରହ
ଅଭିଶାପରୁ ମୁକତ ଆମ୍ଭଙ୍କୁ ତୁ କହ
ଦୋଷ ଅନୁରୂପେ ଆମ୍ଭେ ପାଇଲୁଣି ଶାସ୍ତି
ଦୋଷ କ୍ଷମାକର ତୁମ୍ଭେ ଅଟ ମହାଯତି
ଲୋକେ ତ ବୋଲନ୍ତି ତପୀଚିତ୍ତେ କ୍ରୋଧନାହିଁ
ଶୁଣିଣ ରହିଲେ ମହାମୁନି ଶାନ୍ତହୋଇ
ପ୍ରସନ୍ନ ସେ ମୁନି ଶୁଣ କହନ୍ତି କାରଣ
ତୁମ୍ଭେ ଯେ ପାପୀ ପୁରୁଷ ମୁକ୍ତ ହେବା ଶୁଣ
ଶତସସ୍ରଷାଠି ବର୍ଷେ ବ୍ରହ୍ମାର ଦିବସେ
ଦଶ ଅବତାର ବିଷ୍ଣୁ ଦେବଙ୍କ ସକାଶେ
ରଙ୍ଗା ଅବତାର ହେବେ ଦେବ ଚକ୍ରଧର
ମଥୁରାପୁରରେ ଜାତ ଦେବକୀ ଉଦର
କଂସର ଡରେ ବଢ଼ିବେ ଗୋପପୁରେ ଯାଇ
ବାଳଗୋପାଳ ମୂରତି ଧରି ଭାବଗ୍ରାହୀ
ନନ୍ଦ ମନ୍ଦିରେ ଶ୍ରୀହରି ରହିବେ ଗୁପତେ
ନନ୍ଦପୁତ୍ର ବୋଲି ତାଙ୍କୁ ବୋଲିବେ ଜଗତେ
ବାଳମୁକୁନ୍ଦ ରୂପରେ ଖେଳିବେ ଶ୍ରୀହରି
ରଜ୍ଜୁ ଲଗାଇ ଉଛୁଡ଼ି ନେବେ ଆଣ୍ଟକରି
ତେବେ ହୋ କୁମରେ ତୁମ୍ଭେ ପାଇବ କାରଣ
ପାପ କ୍ଷୟଯିବ ଯହିଁ ଲାଗିବ ଚରଣ
ତୁମ୍ଭେ ଦୁଇ ଭାଇ ଏକ ମୂରତି ହୋଇବ
ସେ ଦିନୁ ନଳ କିବେର ନାମ ବୋଲାଇବ
ଅଳକାପତି ଅଭାବେ ହେବ ଧନେଶ୍ୱର
ଏମନ୍ତ କହି ଅନ୍ତର ହେଲେ ମୁନିବର
ଶୁକ ମୁନି ବୋଲେ ଶୁଣ ପରୀକ୍ଷ ନୃପତି
ସ୍କନ୍ଦ ପୁରାଣରେ ଅଛି ଏହି ପୁଣ୍ୟ ଗତି
ଅଷ୍ଟବକ୍ର ଋଷି ଶାପେ କୁବେର ନନ୍ଦନ
ବ୍ରହ୍ମାର ଏକ ଦିବସ ସ୍ଥାବର ହୋଇଣ
ବିଷ୍ଣୁ ପାଦପଦ୍ମ ଲାଗି ମୁକତ ହୋଇଲେ
ଲଭିଲେ ସେ ସୁରଲୋକ ସମସ୍ତେ ଦେଖିଲେ
ଦେଖିଣ ଇନ୍ଦ୍ର ଦେବତା ଗଉରବ କଲେ
ସିଂହାସନେ କୁମରଙ୍କୁ ନେଇ ବସାଇଲେ
ବେନିଭାଇଙ୍କ ମୂରତି ଏକ ହେବା ଦେଖି
ଇନ୍ଦ୍ର ଆଦି ଦିଗପାଳ ମନେ ହେଲେ ସୁଖୀ
ପୁତ୍ରଙ୍କୁ ଘେନି ଅଳକାପତି ପୂରେ ଗଲେ
ମାତାଙ୍କ ଚରଣେ ପୁତ୍ର ପ୍ରଣମିତ ହେଲେ
ବେନିପୁତ୍ର ଏକ ମୂର୍ତ୍ତି ହେବା ଦେଖି ମାତା
ଆନନ୍ଦରେ କୋଳ କଲେ ତେଜି ସବୁ ଚିନ୍ତା
ସବୁ ଗୋପାଳେ ଆନନ୍ଦେ ଯେଝାଘରେଗଲେ
ରାମ କୃଷ୍ଣ ଘେନି ନନ୍ଦ ଯଶୋଦାଙ୍କୁ ଦେଲେ
ପଞ୍ଚଖାର ବୋଳି ମାତା କରାଇଲେ ସ୍ନାନ
ପଞ୍ଚତୀର୍ଥ ଜଳ ଆଣି ଢାଳିଲେ ବହନ
ଲକ୍ଷ ଲକ୍ଷ ଗୋଦାହନ ଶମ୍ଭୁ ଆଳେ କଲେ
ଛାଗଳ ମେଷ ମହିଷ ବୋଦା ବଳିଦେଲେ
ବ୍ରାହ୍ମଣଙ୍କୁ ଦାନ ଦେଇ କଲେ ଗ୍ରହଶାନ୍ତି
ଚଣ୍ଡୀ ନୃସିଂହ କବଚ ବ୍ରାହ୍ମଣେ ପଢ଼ନ୍ତି
ରିଷ୍ଟ ଶାନ୍ତି ହେବାପାଇଁ ନନ୍ଦ ଯଶୋବନ୍ତୀ
ଦେବ ଦେବୀ ପୂଜା ସାରି ଭକତି କରନ୍ତି
କାଳରାତ୍ରିମାନଙ୍କୁ ଯେ ଦେଲେ ବଳିଭୋଜା
ବିଧିମତେ କଲେ ନନ୍ଦ ନିତି ପ୍ରତି ପୂଜା
ଜୟ ତୁ ଜୟ ତୁ ବାଳଗୋପାଳ ମୂରତି
ଯାର ଦରଶନେ ପାପୀ ପାଇବ ମୁକତି
ଗୋପପୁର ଲୋକଙ୍କର ପୂର୍ବ ଭାଗ୍ୟବଳେ
ରାତ୍ର ଦିବସ ଦେଖନ୍ତି ତୋତେ ବେନିଡୋଳେ
ଖେଳ କଉତୁକ ତୋର ବାଳକଙ୍କ ସଙ୍ଗେ
ଦେହ ଲଗାଲଗି ହେଉଛନ୍ତି ପୂର୍ବଭାଗ୍ୟେ
ଧନ୍ୟ ମହିମା ତୋହର ଦେବ ଜନାର୍ଦ୍ଦନ
ଅଚ୍ୟୁତାନନ୍ଦକୁ ରଖ ହେ ନନ୍ଦନନ୍ଦନ
ଶୁକ ମୁନି ବୋଲନ୍ତି ହୋ ପରୀକ୍ଷିତ ରାୟ
ହରିବଂଶ ଶୁଣି ଦେହୁ କର ପାପ କ୍ଷୟ
ଦିନୁଦିନ ବର୍ଦ୍ଧମାନ ହେଲେ ଦେବରାୟ
ଡଗରା ମୁଖରୁ କଂସ ଶୁଣି ପାଇ ଭୟ
ମାତା ଇନ୍ଦୁମତୀ ରାଣୀ ପିତା ଉଗ୍ରସେନ
ଭାଇ କୁଟୁମ୍ବ ଆବର ଯେତେ ବନ୍ଧୁ ଜନ
କେଶୀ ମୁଷ୍ଟିକ ଚାଣୁର ଅଘା ଷଣ୍ଢା ବକା
ଏହାଙ୍କ ତୁଲେ ଅଛନ୍ତି ଯେତେ ତାର ସଖା
ସମସ୍ତ ବସାଇ ରାଜା ବିଚାରେ ଏକାନ୍ତେ
କି ଉପାୟ କରି ଜୀବ ରଖିବି କେମନ୍ତେ
ଏତେଦିନେ ଆସି ଶତ୍ରୁ ହେଲା ଗୋପେ ଜାତ
ବିଜୁଳିକନ୍ୟା କହିବା କଥା ହେଲା ସତ
କାଲି ପୁତ୍ରଙ୍କ ଅରିଷ୍ଟ ଅଟେ ବିପରୀତ
ପୃଥ୍ୱୀରେ ଅର୍ଜ୍ଜୁନବୃକ୍ଷ ଅଟଇ ମହତ
ବାଳୁତ ଶିଶୁ ତା ଟାଣି ପକାଇଲା ଭାଙ୍ଗି
ପୋଏ ନ ମରି ବଞ୍ଚିଲେ ଡାଳପତ୍ର ଲାଗି
ତୃଣା ଶକଟା ପୂତନା ପରା ବୀରେ ଗଲେ
ମାରି ନ ପାରି ପୁତ୍ରଙ୍କ ହସ୍ତେ ଆପେ ମଲେ
ଜାଣିଲି ଅମରଲଡୁ ଖାଇଛନ୍ତି ସେହି
ମାଇଲେ ତାହାଙ୍କୁ ତେଣୁ ମୃତ୍ୟୁ ହେଉ ନାହିଁ
ଆଲୋକିତ ମହିମା ତ ଗଉଡ଼ ପୁଅର
ଅସୁରଙ୍କ ମାୟାଠାରୁ ବେଶୀ ମାୟା ତାର
ସବୁ ବୁଦ୍ଧି ସୁଧିମାନ ହେଲା ମୋର ହତ
ପୂର୍ବ ସୁକୃତରୁ ପୋଏ ପାଆନ୍ତି ଜୀବନ
କଥାର ତଦନ୍ତ ଏବେ ସମସ୍ତ ଜାଣଲି
ନୋହିଲା କଥାରେ ପଡ଼ି ଅକାରଣେ ମଲି
ସଖାନ୍ତ ମୁଁ ମରାଇଲି ନ ବୁଝିବା ପଣେ
ନନ୍ଦଗଉଡ଼ ପୁଅକୁ ଶିଶୁ ବୋଲି ମଣେ
ସାମାନ୍ୟ ଶତ୍ରୁ କି ସେବି ହୋଇବାକ କ୍ଷୟ
ସମୟେ କରିବ ସିନା ମାରିବା ଉପାୟ
ଉଗ୍ରସେନ ବୋଲେ ବାବୁ ଯେ ତୋହର ଇଚ୍ଛା
ସମସ୍ତ କରି ପାରିବୁ ଦେହ କର ରକ୍ଷା
ଯଦୁବଂଶଲ ଚନ୍ଦ୍ରମା ତୁ ଶ୍ରୀମନ୍ତ ପୁତ୍ରଟି
ଭୁଜବଳେ ଜିଣିପାରୁ ଚରାଚର ସୃଷ୍ଟି
ଦେବତାମାନେ ଖଟନ୍ତି ତୋତେ ଭୃତ୍ୟପଣେ
ଚରଣେ ଖଟନ୍ତି ତୋର ପୃଥ୍ୱୀରାଜଗଣେ
ଅତି ପ୍ରତାପୀ ତୁ ତେଜୋବନ୍ତ ମହାବୀର
ରାଜାଧିରାଜେଶ୍ୱର ତୁ କୁଳର ଶେଖର
ଲକ୍ଷେ ରାଜାଙ୍କ ଉପରେ ତୁ ମଉଡ଼ମଣି
ଚଉଦ ଭୁବନେ କେହୁ ପାରେ ତୋତେ ଜିଣି
ତୁମ୍ଭ ବିଚାରକୁ ଯେଉଁ କଥା ଶୁଭ ଆସି
ତେସନେ ଆମ୍ଭ ଆଜ୍ଞାକୁ ଦିଅ ଏଥେ ବସି
ଇନ୍ଦୁମତୀ ବୋଇଲେ ମୁଁ ତୋର ଗର୍ଭଧାରୀ
ତୁମ୍ଭେ ଦୁଇପୁତ୍ର ମୋର ଦୁହିତା ଯେ ଚାରି
ଇହଲୋକେ ପରଲୋକେ ଅଛି କିବା ପ୍ରାସ
ମୋ ଜନ୍ମ ସଫଳ ତୁମ୍ଭ ପରା ପାଇ ଶିଷ୍ୟ
ଦିଗପାଳ ସମାନ ତୁ ପାଇଲି ମୁଁ ତୋତେ
ରାଜାଧିରାଜାର ମାତା ବୋଲାଇ ଜଗତେ
ତୁହି ଯେବେ ସର୍ବଶୁଭେ ବର୍ତ୍ତିଥିବୁ ବାବୁ
ତୁ ଆରୋଗ୍ୟ ଥିଲେ ସିନା ଆମ୍ଭ ଭଲ ସବୁ
ସୁନାସ ବୋଲେ ତୁ ଶୁଣ ସାବଧାନେ ରାୟେ
ପରର ମୁଖୁଁ ଶୁଣିଣ କରୁ କେତେ ଭୟେ
ମୁଁ ତୋର ସୁହୃଦ ଆଉ ଭାଇ ନାହିଁ ଆନ
ତୁମ୍ଭେ ମୋର ଜ୍ୟେଷ୍ଠଭ୍ରାତା ମୁହିଁ ତୁମ୍ଭ ସାନ
ତୁମ୍ଭପାଇଁ ପଛେ ଏହି ଦେହ ବିସର୍ଜିବି
ନିଶ୍ଚୟ ଛାମୁରେ ତୋର ଶତ୍ରୁ ଆଣିଦେବି
ପାଦଛୁଇଁ ବୋଲୁଅଛି ଛାଡ଼ ମନୁ ଭୀତି
ସୁନାସ ଯହୁଁ ପ୍ରତିଜ୍ଞା କଲା ଏହିମତି
ଅଷ୍ଟମଲ୍ଲ ଆଦି ଥିଲେ ଯାଦବ ଯେତେକ
ଏକେ ଏକେ ଉଠି କଲେ ପ୍ରତିଜ୍ଞା ଅନେକ
ତୁମ୍ଭର ଶତ୍ରୁକୁ ଆମ୍ଭେ ମାରିବୁ ବୋଇଲେ
ସେ ଅତି ବାଳୁତ ସେନା ନାହିଁ ତାର ତୁଲେ
ପ୍ରତିଜ୍ଞା ଶୁଣିଣ କଂସରାଜା ତୋଷମତି
ପାତ୍ର ମିତ୍ର ଅମାତ୍ୟଙ୍କ ମନୁ ଗଲା ଭୀତି
ଏଥୁଅନ୍ତେ ମଉଳିକା ନୃପତି ଆସନ
ଯେ ଯାହାର ମନ୍ଦିରକୁ ଗଲେ ସଭାଜନ
କଂସରାଜା ଏହା ଶୁଣି ଭିତରକୁ ଗଲା
ଉଗ୍ରସେନ ଇନ୍ଦୁମତୀ ଉଆସେ ରହିଲା
ରାଜାର ସେ ସାନଭାଇ ସୁନାସ ଆବର
ଅଷ୍ଟମଲ୍ଲ ସଙ୍ଗେ ଘେନି ହୋଇଲା ବାହାର
ଯେ ଯାହାର ନିତ୍ୟକର୍ମ କଲେ ସର୍ବପ୍ରାଣୀ
ନନ୍ଦର ମନ୍ଦିରେ ବିଜେ ହଳୀ ଚକ୍ରପାଣି
ଭକତ ଜନର ବନ୍ଧୁ ଦେବ ଦେବରାଜା
ବ୍ରହ୍ମା ଗଙ୍ଗାଧର ଯାର କରି ପାଦପୂଜା
ଦୁଷ୍ଟଜନକୁ ସଂହାରି ସନ୍ଥ ପ୍ରତିପାଳି
ସକଳ ଜନ ଆଶ୍ରିତ ନାମ ବନମାଳି
ସେ ଯଶୋଦା ନନ୍ଦଙ୍କର ଅଭୟ ଚରଣ
ଅଚ୍ୟୁତାନନ୍ଦ ସେ ପାଦେ ପଶିଲା ଶରଣ

ଶ୍ରୀକୃଷ୍ଣଙ୍କ ମୃତ୍ତିକା ଭକ୍ଷଣ ଓ ଯଶୋଦାଙ୍କର ବିଶ୍ୱରୂପ ଦର୍ଶନ

[ସମ୍ପାଦନା]

ରାମକୃଷ୍ଣ ସଙ୍ଗେ ମିଳି ଖେଳିବାର ପୋଏ
କେ ବୋଲନ୍ତି ଭାଇ କେହି ବୋଲନ୍ତି ହେ ନନା
କେ ବୋଲନ୍ତି ଗୋପୀନାଥ କେ ବୋଲନ୍ତି କହ୍ନା
କେ ବୋଲେ ମାଧବ ମଧୁସୂଦନ ମୁରାରି
କେ ବୋଲନ୍ତି ନାରାୟଣ ପ୍ରଭୁ ଦଇତ୍ୟାରି
କେ ବୋଲେ ପୁରୁଷୋତ୍ତମ କେଶବ ଅଚ୍ୟୁତ
କେ ବୋଲଇ ଦାମୋଦର ନୃସିଂହ ଶ୍ରୀକାନ୍ତ
ଏରୂପେ ଡାକନ୍ତି ଗୋପେ କୃଷ୍ଣନାମ ଧରି
ମନ୍ଦିରୁ ବାହାରି ବଳରାମ ଚକ୍ରଧାରୀ
ଚାରିପାଖେ ବେଢ଼ିଛନ୍ତି ଗୋପାଳଙ୍କ ପୋଏ
ନଗର ପ୍ରାଙ୍ଗଣେ ଖେଳ ଦେବରାୟେ
କୁଲାଇ କୁଣ୍ଢାଇ ଖେଳ ନାଚ ପଦ୍ମକରେ
ଖେଳନ୍ତି ଗୋପାନଗରେ ଦାଣ୍ଡେ ଦାମୋଦରେ
କେତେହେଁକ ବେଳରେ ସେ ଜଗତ ଗୋସାଇଁ
ଶ୍ରୀମୁଖ ବିସ୍ତାରି ମାଟି ଭକ୍ଷିଲେକ ନେଇ
ବଳରାମ ସହିତରେ ଗୋପପୋଏ ଥିଲେ
ଶ୍ରୀକୃଷ୍ଣ ମାଟି ଖାଇବା ସମୟେ ଦେଖିଲେ
ବଳରାମ ବୋଲେ କାହ୍ନୁ କରୁଅଛୁ ଡକା
ମାଆଙ୍କୁ ଯାଇ କହିବି ମାଟି ବେଗେ ପକା
ମାଟି ଭକ୍ଷିଲେ ଶରୀରେ ବର୍ଦ୍ଧମାନ ରୋଗ
ତୁଣ୍ଡରୁ ମାଟି କାଢ଼ନ୍ତି ରାମ ହୋଇ ବେଗ
ପାଞ୍ଚସାତ ବେଳ କଲେ ନିଷେଧ ସେ ହଳୀ
ବଡ଼ ଚଞ୍ଚଳ ମୃତ୍ତିକା ଭକ୍ଷି ବନମାଳୀ
ବେଗେଣ କହିଲେ ରାମ ଯାଇ ମାତା ଆଗେ
ଶୁଣିଣ ଯଶୋଦା ବେଗେ ଧାଇଁଗଲେ ରାଗେ
କରେ ଧରିଛନ୍ତି ପ୍ରଭୁ ମୃତ୍ତିକା ମୁଠାଏ
କୃଷ୍ଣର ଛାମୁରେ ଯାଇ ମିଳିଲେକ ମାଏ
ଦକ୍ଷିଣ ହସ୍ତରେ ଛାଟ ଧରି ନନ୍ଦରାଣୀ
ଶ୍ରୀମୁଖ ଚାହିଁ ଯଶୋଦା ବେଲେ କୋପେ ବାଣୀ
ଆରେ ଆରେ କହ୍ନାଇ ମୁଁ ମାରିବଇଁ ତୋତେ
ପ୍ରତିଦିନ ଭକ୍ଷିଲୁ ତୁ ମାଟି ଏହିମତେ
ତୋର ଦୁଷ୍ଟପଣ ହାଦେ ନ ଜାଣନ୍ତି ନନ୍ଦ
ତୋପାଇଁ କୁଭାଷା କେତେ ସହିବି ଗୋବିନ୍ଦ
ସର ଅଧାମ ଲବଣୀ ଦେଇ ତୋ ତୁଣ୍ଡର
ଅମୀକ୍ଷା ଦୁଗ୍‌ଧ ଶାକର କଦଳୀ ଅପାର
ଷଡ଼ରସ ପ୍ରକାର ତୁ ଯାଚିଲେ ନ ଖାଉ
ତୁଣ୍ଡରେ ଭରିଲେ ଥୁ ଥୁ କରି ତୁ ପକାଉ
କେବଣ ସ୍ୱାଦପାଇ ତୁ ଭକ୍ଷିଲୁ ମୃତ୍ତିକା
ପିଞ୍ଜିବି ଅଙ୍ଗ ତୋହର ମାଟି କାଢ଼ିପକା
ଗୋବିନ୍ଦ ବୋଇଲେ ମାଗୋ ନ ଭକ୍ଷଇ ମୁହିଁ
ମିଛ ବଳରାମ ଭାଇ ତୁମ୍ଭ ଆଗେ କହି
ଯଶୋଦା ବୋଲନ୍ତି ବାବୁ ମାୟା କହୁ ମୋତେ
ଏହିକ୍ଷଣି ମାଟି ଖାଉ ଦେଖିଲେ ସମସ୍ତେ
ଗୋଷ୍ଠରୁ ଗୋପାଳ ଆଜ ଅଇଲେ ଜାଣିମା
ଶ୍ରୀକୃଷ୍ଣ ବୋଇଲେ ମୁଖ ଦେଖ କରେ ଆଁ ଆଁ
ଏତେକ ବୋଲି ଗୋବିନ୍ଦ ବିସ୍ତାରିଲେ ପାଟି
ଅନାଇ ଯଶୋଦା ଦେବୀ ପଡ଼େ ମହୀ ଲୋଟି
ପାତାଳୁଁ ବୈକୁଣ୍ଠ ଯାକେ ଦେଖାଗଲା ତୁଣ୍ଡେ
ଗର୍ଭ ଭିତର ପୂରିଛି ଅଶେଷ ବ୍ରହ୍ମାଣ୍ଡେ
ଭୂଲୋକ ଯେ ଭୁବଲୋକ ସ୍ୱର୍ଗଲୋକ ତିନି
ମହଲୋକ ଜନଲୋକ ତପ ଯେ ମେଦିନୀ
ସୁତଳ ପାତାଳ ତଳାତଳ ଆଦିକରି
ଭୁବମଣ୍ଡଳ ପର୍ଯ୍ୟନ୍ତ ଗର୍ଭେ ଅଛି ପୂରି
ଦେଖି ସ୍ତମ୍ଭୀଭୂତ ହେଲେ ଦେବୀ ଯଶୋବନ୍ତୀ
ନୟନରୁ ସ୍ଥିରକରି ପୁଣିହିଁ ଚାହାନ୍ତି
ସଂସାର ଯାତନା ଅଛି ଏ ସଂସାରେ ଯେତେ
ସମସ୍ତ ସଂହରିଛନ୍ତି କୃଷ୍ଣ ଗର୍ଭଗତେ
ଯଶୋଦା ବୋଲେ ଦେଖିଲେ ପୃଥ୍ୱୀପରେ ଥାଇ
ଆର ପୃଥ୍ୱୀଗୋଟା କାହୁଁ କୃଷ୍ଣଗର୍ଭେ ହୋଇ
କିବା ବାତ ପିତ୍ତବ୍ୟାଧି ହେଲା ମୋର କାୟେ
ନିଶ୍ଚୟ ଜାଣିଲି ଦେବତାର ମାୟା କି ଏ
ଏମାନ ପୂର୍ବୁ ମୋହରି ଦିନେ ଦେଖା ନାହିଁ
ଆବର ବେଳେ ତୁଣ୍ଡକୁ ଯଶୋବନ୍ତୀ ଚାହିଁ
ଏମନ୍ତେ ଯେ ଦଶବେଳେ ଯଶୋଦା ଦେଖନ୍ତି
ଉତ୍ପାତ ଅରିଷ୍ଟ ବୋଲି ମନେ କଲେ ଭୀତି
ମୁଖେ ଥୁଥୁକରି ଛାପ ପକାନ୍ତି ଯେ ମାତା
ପାଦଧୂଳି ନେଇ ଦ୍ୟନ୍ତି ଶିରେ ଠିଆଚିତା
ଝୁଣାଛରା ମାରି ମାଏ କୃଷ୍ଣେ କୋଳକରି
ପୃଥ୍ୱୀ ସଙ୍ଗତେ ଜଡ଼ିତ ହୋଇଛନ୍ତି ହରି
କୋଟି କୋଟି ମନ୍ଦର କି କୋଟି ବସୁନ୍ଧରୀ
ତହୁଁ ଅଧିକ ଶ୍ରୀକୃଷ୍ଣ ହୋଇଛନ୍ତି ଭାରି
ପାଞ୍ଚବେଳ ଯାଏ ତଳୁ ଟେକି ନ ପାରିଲେ
ମେରୁହୁଁ ଗାଢ଼ ଅଧିକ ଶରୀର ମଣିଲେ
ଶୁକମୁନି ବୋଲନ୍ତି ଯେ ଶୁଣ ନୃପବର
ଅସମ୍ଭବ ବିଷ୍ଣୁ ମାୟା ଅତି ଅଗୋଚର
ଦଣ୍ଡ ଦଣ୍ଡକରେ କୃଷ୍ଣ କେଉଁ କୃତ୍ୟ କଲେ
ତାହା ସେ ସଂକ୍ଷେପି ମୋତେ କହିବା ତ ଭଲେ
ସମସ୍ତଙ୍କୁ ମୋହ କରିଛନ୍ତି ନାହିଁ ଜଣେ
ଭ୍ରମୁଛନ୍ତି ବିଷ୍ଣୁ ଚକ୍ରକୂଟ ମାୟାବଣେ
ବସୁଦେବ ଉଗ୍ରସେନ ଗାର୍ଗ୍ୟ ତିନିଜଣ
ଦଇବୀ ମାୟା ଏହାଙ୍କୁ ନ ଛାଡ଼ଇ କ୍ଷଣ
ଯଶୋଦା ଦେବୀ ପ୍ରସବ କରି ନିଦ୍ରାଗଲା
ତହିଁ ଯେଉଁ କଥା ହେଲା କିଛି ନ ଜାଣିଲା
ବସୁଦେବ ଯେ ଆଣିଲା କନ୍ୟା ପାଲଟାଇ
ତେତେବେଳେଫଳଫୁଲେ ଉଠିଲେ ଚିଆଇଁ
ଜାଣନ୍ତି ଯଶୋଦା ଦେବୀ କୃଷ୍ଣେ କଲେ ଜାତ
ଦେବକୀ ଦୁହିତା ଜାଣି କଂସ କରି ହତ
ଏ କଥା ସଂପ୍ରତେ କରୁଅଛନ୍ତି ସମସ୍ତେ
ନନ୍ଦ ଯଶୋଦାଗୋପାଳ ଗେପୀ ଛନ୍ତି ଯେତେ
ଆଣ୍ଟେ କୋଳକରି ଦେବୀ ଲୋଡ଼ି ପୁଣି ତୋଳି
ତିଳେମାତ୍ର ଭୂମିରୁ ନ ପାରିଲେକ ଚାଳି
ପିମ୍ପୁଡ଼ି ପରାକ୍ରମେ କି ପର୍ବତ ଚଳଇ
ସୂଚୀର ମୁନରେ କାହିଁ ପର୍ବତ ଟଳଇ
ଅନନ୍ତ ମାୟାଧର ସେ ପ୍ରଭୁ ନାରାୟଣ
ପୁଣି ଭ୍ରମ କରାଇଲେ ମାତାଙ୍କୁ ଆପଣ
ଦେଖିତାହା ପାସୋରିଲେ ବାଳକଗୋପାଳେ
ସ୍ୱପ୍ନ ପରାୟେ ମଣିଲେ ତାହା ଅନ୍ତରାଳେ
ବେନି ପୁତ୍ରଙ୍କୁ ଯେ ମାଏ କାଖରେ ବସାଇ
ନବର ମଧ୍ୟେ ପ୍ରବେଶ ହେଲେ ବେଗେଯାଇ
ନାନାଦି ପକ୍ୱଦ୍ରବ୍ୟ ଯେ ଗୋରସ ନାନାଦି
ଯେତେବେଳେ ଯାହା ମାଏ କରୁଥାନ୍ତି ସିଦ୍ଧି
ଚତୁଃସମ ଚନ୍ଦନ ଯେ କର୍ପୂର ଲେପନ
ନିର୍ମଳ କଳାମେଘରେ ଉଦୟ କି ଜନ୍ମ
ନାହିଁ ପଟାନ୍ତର ସ୍ୱର୍ଗ ପାତାଳ ଯେ ମଞ୍ଚ
ବରହି ଚନ୍ଦ୍ରିକାଚୂଳ ଲଳିତ ସୁସଞ୍ଚ
ନାସାରେ ସୁବର୍ଣ୍ଣ ଗୁଣା ଲୁଳେ ଗଜମୋତି
ବୁଧ ଶୁକ୍ରସଙ୍ଗେ କିବା ଉଦେ ବୃହସ୍ପତି
ପାଟ ସୁତାରେ ଲମ୍ବିତ ଗଳା ରତ୍ନହାର
ସୁଧାକର ମୁଖରୁ କି ବହେ ଝରଝର
କପାଳେ କସ୍ତୁରୀ ଚିତା କର୍ଣ୍ଣରେ କୁଣ୍ଡଳ
ନୀଳ ଲୋହିତ ପରେ କି ଆଦିତ୍ୟ ମଣ୍ଡଳ
କରେ କଙ୍କଣ କଟିରେ କଡ଼ାସୁନା ସୁତା
କଣ୍ଠେ ବାଘନଖ କନ୍ଧେ ସୁବର୍ଣ୍ଣ ପଇତା
ବିଦମୁଦି କଙ୍କଣ ଯେ କରେ ରତ୍ନଖଡ଼ୁ
ଅଙ୍ଗ ତଇଲେ ଜର୍ଜ୍ଜର ଅମୃତ ଯେ ଲଡ଼ୁ
ବଳଦେବଙ୍କ ଶିରରେ ଶୋହେ ସପ୍ତଫେଣି
କୁଞ୍ଚିତ କୁଣ୍ଡଳ ଚାରୁ କୁନ୍ତଳ ସୁବେଣୀ
କର୍ଣ୍ଣେ କୁଣ୍ଡଳ ହସ୍ତରେ ସ୍ଫଟିକର ମୁଦ୍ରା
ଆବର ଶୋଭିତ ହଳ ମୂଷଳ ସୁନନ୍ଦା
ନୀଳ ଦୁକୂଳେ ଶୋଭିତ କଟିତଟ ବନ୍ଧ
ଶଙ୍ଖ ଗୋକ୍ଷୀର ପରାୟ ବର୍ଣ୍ଣ ଆଦିକନ୍ଦ
ଆଜାନୁଲମ୍ବିତ ଭୁଜ ବିସ୍ତାରିତ ଛାତି
କର୍ଣ୍ଣମୂଳେ ଲୁଳେ ସୁନାକୁଣ୍ଡଳ ସୁଜ୍ୟୋତି
କାମିନୀ କାମପାଳ ସେ କୋଟି କାମମୂର୍ତ୍ତି
ଅଶେଷ କୋଟି ବ୍ରହ୍ମାଣ୍ଡେ ବିରାଜଇ ଜ୍ୟୋତି
ରୋହିଣୀନନ୍ଦନ ସ୍ୱାମୀ ଅଷ୍ଟ ଯୋଗେଶ୍ୱର
ନିର୍ମଳ ବଦନ ନିଷ୍କଳଙ୍କ ନିରାକାର
ରଙ୍ଗେ ରଙ୍ଗା ଅବତାର ଗୋପାଳ ମୂରତି
ଅଷ୍ଟବର୍ଷ କଉତୁକ କଲେ ଶିରୀପତି
ବିହରନ୍ତି କୃଷ୍ଣ ଗୋପୀ ଗୋପାଳଙ୍କ ସଙ୍ଗେ
ଅଷ୍ଟବର୍ଷ ଯାଏ ଗୋପେ ବଢ଼ିବେ ସେ ରଙ୍ଗେ
ଏ ଅଷ୍ଟ ବରଷେ ଯାହା କରିବେ ଶ୍ରୀହରି
ଦିନକ କୀରତି ଆଠଯୁଗ ସସ୍ର ସରି
ଦଶମସ୍କନ୍ଧ ଶ୍ରୀବିଷ୍ଣୁ ପୁରାଣ ଏ ବାଣୀ
ଅମୃତ ପାନ ପରାୟ ମଣ କର୍ଣ୍ଣେ ଶୁଣି
ପବିତ୍ର ନିର୍ମଳ ଗ୍ରନ୍ଥ ଅତି ପୁଣ୍ୟମୟେ
ଇଦଂ ଏକବିଂଶ ଅଧ୍ୟା ସମାପତ ହୁଏ
କଳା ଶୁକଳ ମୂରତି ଅଭୟ ଚରଣ
ନିରତେ ଅଚ୍ୟୁତାନନ୍ଦ ମାଗଇ ଶରଣ
ଆହେ ସାଧୁଜନେ ମୋର ନ ଧରିବ ଦୋଷ
ହରିବଂଶର ଦ୍ୱିତୀୟଖଣ୍ଡ ହେଲା ଶେଷ