ହାଡ଼ ବଗିଚା/ସ୍ୱଗତୋକ୍ତି

ଉଇକିପାଠାଗାର ରୁ
Jump to navigation Jump to search
ହାଡ଼ ବଗିଚା ଲେଖକ/କବି: ମନୋଜ କୁମାର ପଣ୍ଡା
ସ୍ୱଗତୋକ୍ତି

ସ୍ୱଗତୋକ୍ତି

ଏନ୍ତୁଡ଼ିଶାଳ- ଏରୁଣ୍ଡି- ସମୁଦ୍ର- ଯୂପକାଠ- ପକ୍ଷୀ- ନଈ-ବାନ୍ତି-ପ୍ରାହମ୍-ରୋକ୍ୱେନଟିନ୍- ମୁଖା- ପିକାଶୋ- ଜୁଆର- ନାରସିସସ୍- ଦରୋଟି- ଆକାଶ- ଇଗ୍ଲୁ- ଜରାୟୁ- ଜିନୋସାଇଡ୍- ନେରୁଦା- ମୋଜାର୍ତ- ରିବେଲ୍- ବୁଢ଼ୀଅସୁରୁଣୀ- ମିଅର୍ସଲଟ- ଜହ୍ନ- ଆଁ- ଘା- ତ୍ରକ୍ଷ- ହାଇ- ପ୍ରେମ- ତତ୍- ଓଏସିସ୍- ଅମୂର୍ତ- ଅକ୍ଷର- ଗ୍ରିଗର୍- ରସେଲ୍- ଓକାଳ ଆଧିକ୍ୟ- ସିସିଫସ୍- ରୋଦାଁ- ସରିସୃପ- ଉଲିସିସ୍- ପହ୍ନା- ଗୁମ୍ଫା- ରିରଂସା- ୟୋୟୋ- ପରିତଳ- ସ୍ଥିତି- କୃତାଂତ- ତୃତୀୟ ତରଙ୍ଗ- ଶୀଳାଭୂତ- ପାଳଭୂତ-କନିଷ୍କ- ଶିଖର- ହାଡ଼ବଗିଚା- ଶ୍ମଶାନ- ଶବ୍ଦରୁ ଅର୍ଥ ପଖାଳିବା ପାଇଁ ଅଭିଧାନ ଦେଖନା, ଶବ୍ଦ ପାଖରେ ବସ, ତାକୁ ଛୁଅଁ, ଆଉଁସ, ଚାଖ, ଓଲଟପାଲଟ କର, ଘଷିମାଜି ଚିକଣିଆ କର, ରବର ପରି ଟାଣି- ସଙ୍କୁଚିତ କରି ଖେଳ, ବେଲୁନ୍ ପରି ଫୁଲାଅ, ଗୁଡ଼ି ପରି ଉଡ଼ାଅ, ପୋଷ୍ଟର ପରି କାନ୍ଥରେ ଲଗାଅ, ଶବ୍ଦକୁ ରାମ୍ପୁଡ଼ି- ବିଦାରି- ଉଖାରି- ଉପାଡ଼ି ଦିଅ, ତା ମଞ୍ଜ ଭିତରେ ଥିବା ଅର୍ଥକୁ ପିମ୍ପୁଡ଼ି ପରି ଜିଭ ଅଗରେ ଧରିଥାଅ, ଗୋଟେ ବଗିଚା କର- ବର୍ଣବଗିଚା ଆ- ଆ କାର, ହ୍ରସ୍ୱ ଇ- ଦୀର୍ଘ ଈ କାର, ହ୍ରସ୍ୱ ଉ- ଦୀର୍ଘ ଊ କାର, ଏ କାର-ଐ କାର, ଓ- ଔ କାର ଅନୁସ୍ୱାର, ଚନ୍ଦ୍ରବିନ୍ଦୁ ବିସର୍ଗ ଉପସର୍ଗ ମାନଙ୍କୁ ନେଇ ବର୍ଣ ବଗିଚା ଚାରିପଟେ ବାଡ଼ ଘେରାଅ, ତା ଭିତରେ ଶିଆର କାଟି ଅକ୍ଷର- ବୀଜ ବପନ କର, ନିବିଡ଼ ଆଶ୍ଳେଷରେ ପ୍ରେମ ଆସକ୍ତିର ଖରାଦେଇ, ଶ୍ୱାସ ପ୍ରଶ୍ୱାସର ପବନ ଦେଇ ଅକ୍ଷର- ଅଙ୍କୁରକୁ ଅପେକ୍ଷା କର, ଦିନତମାମ ରାତି ତାମାମ ଚବିଶ ପ୍ରହର ଛତିଷ ଘଡ଼ି ଶବ୍ଦ ହୁଂକା ଭିତରେ ଉଇ ପରି ବର୍ଣବଗିଚାକୁ ଜଗି ରୁହ, କ ସହିତ ଢ଼ କୁ ଯୋଡ଼ି, ଖ ସହିତ ଗ କୁ ଯୋଡ଼ି, ଗ ସଙ୍ଗେ ଛ, ଘ ସଙ୍ଗେ ର, ଯ ସାଥୀରେ ମ, ଶ ସାଥୀରେ ବ କୁ ଯୋଡ଼ି କଲମୀ କର ଏବଂ ଶବ୍ଦ ବୃକ୍ଷ ଉପୁଜାଅ, ତହିଁରେ ଶବ୍ଦ ପୁଷ୍ପ, ଶବ୍ଦ ପତ୍ର, ଶବ୍ଦ ଡଙ୍କ, ଶବ୍ଦ ଶସ୍ୟ ଅମଳକର, ଦୁର୍ଦର୍ଷ ରାତ୍ରିଚର ଚଡ଼େଇଙ୍କ ମୁନିଆଁ ଦାଉରୁ ଓ କୀଟମାନଙ୍କ ବିଷାକ୍ତ ଦାଉରୁ ଶବ୍ଦ ଶସ୍ୟକୁ ବଞ୍ଚାଇ ରଖିବା ପାଇଁ ଅନାବନା ଅକ୍ଷରରେ ଗଢ଼ା ପାଳଭୂତକୁ ଶବ୍ଦ ହୁଂକା ଉପରେ ପ୍ରୋଥିତ କର । ଏପରି ଭାବେ ଏକ ବର୍ଣାଢ୍ୟ ବର୍ଣବଗିଚା ତିଆରି କର, ଶବ୍ଦପୁଷ୍ପ ମାନଙ୍କୁ ଅପରିଷ୍କାର କରନା, ଶବ୍ଦ ପତ୍ରରେ ଘା’ ହୋଇଛି ଯଦି ତାକୁ ସେକଦିଅ, ଖଟି ବସିଛି ଯଦି ତାକୁ ଉଖାରି ଦିଅ, ପବନ ଦିଅ, ଉତ୍ତାପ ଦିଅ, ଖରା ଜଳାଇ, ଲେପ ଦେଇ, ଆଉଁସି ଦେଇ ପ୍ରଫୁଲ୍ଲ କରାଅ, ଶବ୍ଦଡଙ୍କ ଉପରେ ମାଛି ବସାଅନା, ମାଛି- ମଶା- ଉଇ- ପିମ୍ପୁଡ଼ି- ମୂଷା- ଅସରପା- କୀଟ- ପତଙ୍ଗ ମାନଙ୍କ ଦାଉରୁ ଶବ୍ଦମାନଙ୍କୁ ରକ୍ଷାକର, ଭୋକ- ଶୋଷ- ଦୁଃଖ- ଶୋକ- ନିଦାଘ- ପ୍ରଭଜଂନ- ମାରି- ମରୁଡ଼ିରୁ ଶବ୍ଦ ଶସ୍ୟକୁ ବଞ୍ଚାଇ ରଖ, ଅତ୍ୟାଚାରୀ ଶାସକ, ଆତ୍ମଦ୍ରୋହୀ ମାନ୍ୟଗଣ୍ୟ, ଘା’ର ଲସି ଲାଗିଥିବା ବ୍ୟୁରୋକ୍ରାଟମାନଙ୍କ ହାତରେ ଅମଳ ହୋଇଥିବା ଶବ୍ଦ ମାନଙ୍କୁ ନଷ୍ଟ ହେବାକୁ ଦିଅନା, ଶବ୍ଦ ମାନଙ୍କୁ ହାଟ ବଜାରରେ ନିଲାମ କରୁଥିବା ଦୁଷ୍ଟମାନଙ୍କ ଇହକାଳକୁ ପରକାଳକୁ ଶ୍ୱାନଶୃଗାଳ ନିଅନ୍ତୁ, ନଚେତ୍ ଜ୍ୟୋତିଷ- ଯମ- ଈଶ୍ୱର ନିଅନ୍ତୁ, ଶବ୍ଦ ଏକ ଆଡଂବର ନୁହେଁ, ଶବ୍ଦୋତ୍ସବ କରନା, ଶବ୍ଦ ଏକ କଥୋପକଥନ ନୁହେଁ, ଶବ୍ଦ ଖେଳ ଖେଳନା, ଶବ୍ଦ ବୋମା ବା ବଜ୍ର ନୁହେଁ ଏମାନଙ୍କୁ ବିଷାକ୍ତ କରନା, ଶବ୍ଦମାନେ ପ୍ରାର୍ଥନା ବା ବିଳାପ ନୁହେଁ, ଏମିତି ଦୟନୀୟ କରନା, ଶବ୍ଦ ଏକ ଜୀବନ୍ତ ଶୀଳାଭୂତ, ଶବ୍ଦ ଏକ ଅନନ୍ତ ନିରବତା, (ଆଃ, ନିରବତାର କି ଶକ୍ତି!!) ବର୍ଣର ମାଳାଠୁ ଶବ୍ଦ କୋଷ ଯାଏ, ଓଁ କାରଠୁ ଶବ୍ଦ ବ୍ରହ୍ମଯାଏ ଏକ ଆବହମାନ ନିରବତା ହିଁ ଶବ୍ଦ, ଶାଗୁଆ ଘାସ କେରାଏ ଦେଖାଇ ଗାଈକୁ ଯେମିତି ସହରଠୁ ସହର ପରିକ୍ରମା କରାଯାଇପାରେ ଶାଗୁଆ ଅକ୍ଷରରେ ସଜା ଅନାବନା ଶବ୍ଦ ଦେଖାଇଲେ ସେମିତି ସାତତାଳ ତଳଠୁ ସାତଶୃଙ୍ଗର ଶିଖର ଯାଏ ଯାଇ ହୁଏ ।