11 . ଏକାଦଶ ବୋଲି

ଉଇକିପାଠାଗାର ରୁ
Jump to navigation Jump to search
ଏକାଦଶ ବୋଲି ଲେଖକ/କବି: ଭୀମ ଭୋଇ
ଏକାଦଶ ବୋଲି

ଏକାଦଶ ବୋଲି

 

ନବଦ୍ୱୀପ ସୃଷ୍ଟି ଆସୁଅଛି ଘୋଟି ଭାସି ଯାଉଅଛି ବୁଡ଼ି,
ତରିବି ବୋଲି ତରତର ହେଉଛି ଜଳର ତରଙ୍ଗ ପରି ।
ମେରୁ ଗିରି ଫୁଟି ସତ୍ୟଧର୍ମ ମେଣ୍ଟି ନାହିଁ ସ୍ଥିତାବସ୍ଥା ପଣ,
ଅଗାଧ ସାଗରେ ଭବଜଳ ନଈ ବହୁଅଛି ଘନଘନ ।
ଘୁଘୁନାଦ ଦେଇ ଆସୁଛି କମ୍ପାଇ ଗର୍ଜ୍ଜନ କରୁଛି ଆଣ୍ଟେ,
ଦଶଦିଗ ମୋତେ ଅନ୍ଧାର ଦିଶୁଛି ଚାଲିଯିବି କେଉଁବାଟେ ।
ତୁମ୍ଭେ ମୋର ସବୁ ଅନ୍ତର୍ଯ୍ୟାମୀ ପ୍ରଭୁ ଛାମୁକୁ କି ଅଗୋଚର,
କେଉଁ ରୂପେ ମତେ ଜଗତେ ରଖିବ ଜାଣି ସମ୍ଭାଳନା କର ।
ପାପକର୍ମେ ବିହି ନେଉଛି କଢ଼ାଇ ଯେସନ ନାଗରୀ ନଟ,
ମାୟା ଜାଲ ଫାନ୍ଦେ ପଡ଼ିରହି ଛନ୍ଦେ ହେଉଅଛି ଛଟପଟ ।
ରହ ରେ ଜଗତ ହେଉଛୁ ଉତ୍ପାତ ତୋ ଗୁଣ କହିବି କେତେ,
ମୋ ପ୍ରଭୁ କରତା ବଞ୍ଚିବାରୁ ତୁହି ପ୍ରତ୍ୟକ୍ଷେ ଭଣ୍ଡୁଛୁ ମୋତେ ।
ଆରେ କଳିଯୁଗ ଭବଭୟରୋଗ ଖଟ ସତ୍ୟ ପାଦତଳେ,
ଶ୍ରୀଗୁରୁ ଆଜ୍ଞାରେ ଆଦି ଅଗ୍ନିଶରେ ଜଳିଯିବୁ ତପବଳେ ।
ଆରେ ମିଥ୍ୟାପଦ କେତେ କରୁ ବାଦ ପଛନ୍ତେ ନ ଦେବୁ ଦୋଷ,
ଜାଣିଲେ କରତା ଆଦି ବ୍ରହ୍ମପିତା ନ ଥୋଇବେ ଦଶଦିଶ ।
ଆରେ ମୂଢ଼ ନରେ ଅଜ୍ଞାନ ଅସୁରେ ଲଭ ସତ୍ୟଧର୍ମ ପଥ,
ନାମ ବ୍ରହ୍ମ ନିନ୍ଦି ମାୟାମୋହେ ଦ୍ୱନ୍ଦ୍ଵୀ ଦେଖୁ ଦେଖୁ ଯିବେ ହତ ।
ଚିଆଁ ଚୈତନକୁ ରଖାଇ ହେତୁକୁ ଭଜନେ ଲାଗିଛି ମୁହିଁ,
ଜୀବ ପରମ ନାମ ବ୍ରହ୍ମେ ଝାଳୁଛି ତରିବାକୁ ଆଶା ନାହିଁ ।
ହୋଇବେ ନିଶ୍ଚୟେ ସର୍ବଜୀବେ କ୍ଷୟେ ଉତ୍ପାତ ହେଲାଣି ମହୀ,
ନିରନ୍ତର ନେତ୍ରୁ ନୀର ବହୁଅଛି କାତରେ କମ୍ପୁଛି ଦେହୀ ।
ଜମ୍ୱୁଦ୍ୱୀପ ପୂରି ନରଦେହ ଧରି ଜନ୍ମ ଲଭିଛନ୍ତି ଯେତେ,
ନାମ ଆଶ୍ରେ ନାହିଁ କେମନ୍ତେ ତରିବି ଆଶ୍ଚର୍ଯ୍ୟ ଲାଗୁଛି ମୋତେ ।
ସତ୍ୟ ଧର୍ମପଦ ନ ରୁଚେ ଯାହାକୁ ମୂର୍ଖ ବାଇ ନିଶାଚର,
ପଡ଼ିଛି ସମୟେ କାଳ ମାୟାମୋହେ ଯାହା କରିଥାଅ କର ।
ସତ୍ୟ ଯେ ପାଳୁଛି ଧର୍ମେ ଯେ ଚାଲୁଛି ଶ୍ରୋତା ଲାଗୁଛି ଶୂନ୍ୟରୁ,
ନାମ ବ୍ରହ୍ମପଦ ହୃଦୟରେ ଲଏ ସଙ୍ଗେ ସଙ୍ଗେ ଛନ୍ତି ଗୁରୁ ।
ଶୟନେ ଭୋଜନେ ସ୍ଥିତି ବାସସ୍ଥାନେ ଯେ ପାଳୁଛି ଗୁରୁ ଧର୍ମ,
ଚାରିଦେବ ତାକୁ ସମାନ ନୁହଇ ମୁଖେ ମୁଖେ ତାର ବ୍ରହ୍ମ ।
ମାୟାକୁ ନିବାରି ନିଷ୍କାମକୁ ଧରି ଯେ ବୋଲୁଛି ହରି ହରି ,
ଆବୋରିଛି କାୟେ ଜଳେ କୁମ୍ଭ ପ୍ରାୟେ ଭିତର ବାହାରେ ପୂରି ।
ତାର ଭକ୍ତିଚିତ୍ତ କେ କରିବ ଅନ୍ତ ସମ ନୁହେ ତ୍ରିଭୁବନ,
କାଳ ଭବଭୟ କି କରିବ ତାକୁ ଦେଖି ଡରୁଥାଇ ଯମ।
ଚଉଦଭୁବନେ ବେଦଶାସ୍ତ୍ରମାନେ ଯହିଁ ଦେଖ ଏକପଦେ,
ମନରେ ସଂଶୟ ଅଛି ଯେବେ ସନ୍ଥେ ଖୋଜି ଅନୁବାଦ ବେଦେ ।
ନୁହେ କଳା ଧଳା ରଙ୍ଗିମା ପିଙ୍ଗଳା ନୁହେ ବର୍ଣ୍ଣ ଚିହ୍ନ କାନ୍ତି,
ନ ଚିହ୍ନିଲୁ ବୋଲି ନ ବୋଲିବେ ସନ୍ଥେ ରୂପ ତା ପବନ ଗତି ।
ମାୟା ମୋହେ ପଡ଼ି ବିଷୟରେ ଜଡ଼ି ପ୍ରକୃତିରେ ହୋଇ ରତ,
କହେ ଭୀମ ଭୋଇ ନ ପାରଇ ଚାଲି ଏ ବଡ଼ ଦୁର୍ଗମ ପଥ ।