Jump to content

12 . ଦ୍ୱାଦଶ ବୋଲି

ଉଇକିପାଠାଗାର‌ରୁ
ଦ୍ୱାଦଶ ବୋଲି ଲେଖକ/କବି: ଭୀମ ଭୋଇ
ଦ୍ୱାଦଶ ବୋଲି

ଦ୍ୱାଦଶ ବୋଲି

 

ଭରସା କରିଛି ନ ଜାଣଇ କିଛି ମୁହିଁ ବଡ଼ ଅପରାଧୀ,
ଦୟା କରି ମୋତେ ଉଦ୍ଧରି ଧରିବେ ପ୍ରଭୁ କରୁଣା-ବାରିଧି ।
ଅନ୍ୟ ନାହିଁ ଚିତ୍ତ ନାମ ବ୍ରହ୍ମେ ରତ ଦର୍ଶନ ମାତ୍ର କରିଛି,
ସ୍ୱାମୀ ରଖ, ସ୍ୱାମୀ ରଖ ବୋଲି ମୁଁ ଯେ ଦିବାନିଶି ଡାକୁଅଛି ।
ଘନେ ଚାହିଁ ଆଶା ଶୂନ୍ୟରେ ଭରସା ଯେସନ ଚାତକ ପକ୍ଷୀ,
ମନେ ଯାହା ପାଞ୍ଚେ ଡାକି ଡାକି ଉଚ୍ଚେ କଣ୍ଠ ଯାଉଅଛି ଶୁଖି ।
ପବନକୁ ବାନ୍ଧି ପ୍ରକୃତିକୁ ଛନ୍ଦି ଅନୁକ୍ଷଣ ଧ୍ୟାନଯୋଗ,
ଅନାଥର ନାଥ କରୁଣା କଲେ ମୁଁ ଲଭିବଇଁ ସୁଖଭୋଗ ।
ଅନ୍ତର ବେଦନା ଅଛି କି ନା ଜଣା ବୁଝାଇ କହିବି କାହା,
ନିରେଖ ପ୍ରାଣୀକି ନିରାପକ୍ଷ କଲେ କେ ହୋଇବ ପ୍ରଭୁ ସାହା ।
ଉଡୁଅଛି ବାନା ମହାଶୂନ୍ୟେ ସିନା ସଞ୍ଚରିଛି ତିନି ପୁରୀ,
ଆତଙ୍ଗ ମନେ ଦୃଢ଼େ ଚିନ୍ତି ପାରିଲେ ପଙ୍ଗୁ ଲଙ୍ଘିଯିବେ ଗିରି ।
ବଡ଼ ପ୍ରଭୁ ବୋଲି ଭରସା କରିଛି ଅନ୍ୟେ ନାହିଁ ମୋତେ ରକ୍ଷ,
ଲାଭ ହାନି କଥା ବୁଝିବେ ସର୍ବଥା ଘୋଟିଯାଉଛି ସନ୍ତାପ ।
କହୁଅଛି ଏତେ ନ ରଖ ଏ ମର୍ତ୍ତେ ଶ୍ରୀହସ୍ତେ ପକାଅ ମାରି,
ଦଣ୍ଡୁଅଛ କେତେ ଭଣ୍ଡୁଛ କିମର୍ଥେ ଅନାମିକା ବ୍ରହ୍ମ ହରି ।
ବୋଲାଅ ହରତା କରତା ବିଧାତା ଭକ୍ତବାନା ପରା ବହୁ,
ମୋ ବାଞ୍ଛା ସକଳ ହେଉଛି ବିଫଳ ଏଡ଼େ ପ୍ରଭୁ ଥାଉଁ ଥାଉଁ ।
ମାୟା ମୋହେ ପଡ଼ି ସିନ୍ଧୁ ଜଳେ ବୁଡ଼ି ସଢ଼ିଲଇଁ ଦିନୁଦିନ,
ମନ ସିନା ଜାଣେ ଅନ୍ତର ବେଦନା ଶ୍ରମେ ନ କରି ରୋଦନ ।
ଲୋଭ ମୋହ କାମ କ୍ରୋଧ ଅହଙ୍କାର ଥୋଇଅଛି ହିଂସାବାଦ,
ପଞ୍ଚଭୂତ ଆତ୍ମା ଭିତର ମଧ୍ୟରେ ହେଉ ଅଛଇ ଦଗଧ ।
ମାୟା ମୋହ ଭରି କଲ ଦେହଧାରୀ ମଞ୍ଚେ ଆଣି ଦେଇ ଜନ୍ମ,
ଏତେ କଷ୍ଟ ପାଇ ଦେହ ବହିବାର ପୋଡ଼ୁ ପୋଡ଼ୁ ପାପକର୍ମ୍ମ ।
ଜନ୍ମଜନ୍ମାନ୍ତରେ ଯୁଗଯୁଗନ୍ତରେ ଦୁଃଖ ଦଶା କର୍ମ୍ମକାଣ୍ଡେ,
ନିର୍ଲ୍ଲଜ ଆତ୍ମା ମୋ ନ ଯାଇ ରହିଛି ପ୍ରକୃତିର ପାପପିଣ୍ଡେ ।
ପ୍ରାଣୀମାନଙ୍କର ଆନନ୍ଦ ମଙ୍ଗଳ ଅନ୍ୟରେ କି କାର୍ଯ୍ୟ ଅଛି,
ମୋ କର୍ମ୍ମ କପାଳ ମୋତେ ହେଲା କାଳ କାହାକୁ କହିବି ବାଛି ।
ପଥୁକି ଯେସନେ ଜଳତୀରେ ବସି ତରିବାକୁ ଉଦବେଗ,
ଅଗାଧ ସାଗର ପାରି ହୋଇଯିବ କୈବର୍ତ୍ତ ଆଣିଲେ ନାବ ।
ସେହିରୂପେ ମୁହିଁ ଅଭୟ ପୟରେ ପଦ୍ମପାଦେ କରି ଠାବ,
ଅନ୍ତର୍ଯ୍ୟାମୀ ପ୍ରଭୁ ବିଚାରି ବୁଝିଲେ ଅବଶ୍ୟ ସୁଦୟା ହେବ ।
ସ୍ୱଭାବେ ଚଞ୍ଚଳ ନୁହଇ ନିଶ୍ଚଳ ପ୍ରକୃତିରେ ପରଚଣ୍ଡ,
କାଳ ଖଡ଼୍ଗ ଘେନି ଶ୍ରୀହସ୍ତେ ଛେଦନି ଟିକି ଟିକି କରି ପିଣ୍ଡ ।
କିଳିଣୀ କବାଟ କଞ୍ଚିରେ ଆକଟ ନବ ଦଶଦ୍ୱାର ରୁନ୍ଧି,
ମାୟା ଫାଶ ଘେନି ଏ ଜୀବ ଆତ୍ମାକୁ ନିର୍ବନ୍ଧେ ପକାଅ ବାନ୍ଧି ।
ଗୁରୁ ନାରାୟଣ ସୁଜ୍ଞ ସାଧୁଜନ ଅନୁଗ୍ରହ କର ମୋତେ,
ପଞ୍ଚମୁଖେ ହରି ଅଛ ବିଜେ କରି ଶରଣ ମାଗୁଛି ଏତେ ।
ଯେଉଁ ପଦ୍ମପଦ ଜ୍ଞାନୀଜନେ ଚିନ୍ତି ଭଜୁଛନ୍ତି ଆଶ୍ରେ କରି,
ସେ ଚରଣ ଧ୍ୟାୟି ଭୀମ ଅରକ୍ଷିତ ହେଉଅଛି ଏତେ ସରି ।