13 . ତ୍ରୟୋଦଶ ବୋଲି

ଉଇକିପାଠାଗାର‌ରୁ
ତ୍ରୟୋଦଶ ବୋଲି ଲେଖକ/କବି: ଭୀମ ଭୋଇ
ତ୍ରୟୋଦଶ ବୋଲି

ତ୍ରୟୋଦଶ ବୋଲି

 
ଊର୍ମ ଧୂର୍ମ ଜ୍ୱାଳା ଜ୍ୟୋତି ବ୍ରହ୍ମକଳା ବେନି ପ୍ରତି ଯାର କର,
ଆପ ତେଜ ବାୟୁଛନ୍ତି ଉଦେ ହୋଇ ଯାର ଅଙ୍ଗୁ ପରିଚାର ।
ଯୁଗ ଯୁଗାନ୍ତରେ କଳ୍ପକଳ୍ପାନ୍ତରେ ଶ୍ୱେତଶୁକ୍ଳାମ୍ବର ରୂପ,
ଅଣଚାଶ ବାୟୁ ନାସାରୁ ଜନମ ଚନ୍ଦ୍ର-ସୂର୍ଯ୍ୟ ଯାର ଦୀପ ।
ଚାରି ବେଦ ଚାରି ପାବଚ୍ଛ ହୋଇଛି ଆଦି ଅଷ୍ଟାଦଶ ସିଦ୍ଧି,
ଅଷ୍ଟାଙ୍ଗକୁ ଘେନି ଦଶାଙ୍ଗଯୋଗରେ ଲାଗିଅଛି ଯା ସମାଧି ।
ଅଣାକାର ଅଣସାଧନା ବିଜୟେ ତ୍ରିପୁରେ ଯା ତେଜ ଧାପ,
ଯାହାର ଆଜ୍ଞାରେ ପ୍ରକାଶ ହୋଇଛି ଦ୍ୱାଦଶ ବର୍ଣ୍ଣ ସ୍ୱରୂପ ।
ଠୁଳ ଶୂନ୍ୟ ଶିର ମର୍ତ୍ତ୍ୟ ହିଁ ଉଦର ପାତାଳ ଯାର ପୟର,
ଯାର ରୋମମୂଳେ ମାଳ ମାଳ ମହୀ ଉଦେ ଅସ୍ତ ଗିରିବର ।
ନବଖଣ୍ଡ ମହୀ ସପତସାଗର ଆଦି ଅଷ୍ଟକୁଳା ନାଗେ,
ପ୍ରଭୁ ଶ୍ରୀଚରଣେ ଚିତ୍ତବୃତ୍ତି ଦେଇ ଭଜୁଛନ୍ତି ଧ୍ୟାନଯୋଗେ ।
ବାସୁକି ବୋଲୁଛି ଦୁଷ୍ଟଗଣ ଭାରା ଅନ୍ୟାୟ ହେଉଛି ବଳେ,
ନୋହିଲେ କରୁଣା ଦିଗୁଣ ମୋ ଊଣା ପଡ଼ିବଇଁ ରସାତଳେ ।
ସମୁଦ୍ର ବୋଲୁଛି ଅଭୟ ପୟରୁ କରୁଣା ଅକ୍ଷତ ନେବି,
ଯୁଗଯୁଗାନ୍ତରେ ସପତ ବେଢ଼ାରେ ଚଉକତି ପୂରିଥିବି ।
ତିରଣ ବୋଲୁଛି ପତର ପାଖୁଡ଼ା ବତ୍ସା ଧେନୁ ପଛେ ଖାଉ,
ଭୂମିରୁ ନ ଛାଡ଼ି ଅଗ୍ନିରେ ନ ପୋଡ଼ି ମୂଳ ଉପୁଡ଼ି ନ ଯାଉ ।
ତରୁମାନେ ବୋଲୁଛନ୍ତି ମହାପ୍ରଭୁ ଅଣଚାଶ ମହାଗାଢ଼,
କରପତ୍ର ଯୋଡ଼ି ସ୍ତୁତି କରୁଛନ୍ତି ନ ଭାଙ୍ଗୁ ଯେ ହାତ ଗୋଡ଼ ।
ପଥର ବୋଲୁଛି ଆହେ ମହାବାହୁ ଅଚଳେ ମୁଁ ଅଛି ପଡ଼ି,
ନୋହିଲେ କରୁଣା ହୋଇଯିବ ଚୂନା ପଡ଼ିଲେ ବଜ୍ର ଘଡ଼୍ଘଡ଼ି ।
କୂଳେ ଥାଇ ଜଳଧାରକୁ ନିରୋପି ଫଣିକୁ ଦେଖିଲେ ଭେକ,
ଖରତର ହୋଇ ପଳାଇ ଲୁଚଇ ମହାପ୍ରଭୁ ବାରେ ରଖ ।
ଜୀବଜନ୍ତୁମାନେ ଅରଣ୍ୟ ଭିତରେ ହୃଦୟରେ ଦକ ଦକ,
ବାଘ ଭାଲୁ ଦେଖି ସ୍ତୁତି କରୁଛନ୍ତି ମହାପ୍ରଭୁ ବାରେ ରଖ ।
ପକ୍ଷୀ ଜନ୍ତୁମାନେ ବନରେ ବିହାର ବ୍ୟାଧମାନଙ୍କୁ ସେ ଡରି,
ବାରେ କର ତ୍ରାହି ପ୍ରଭୁ ଭାବଗ୍ରାହୀ ଭକ୍ତ ପ୍ରାଣବନ୍ଧୁ ହରି ।
ସକଳ ଘଟରେ ତିନି ବ୍ରହ୍ମାଣ୍ଡରେ ପୂରି ଚଉବର୍ଗଦାତା,
ଅନନ୍ତ ଠାକୁର ହୋଇ ମହାପ୍ରଭୁ କିପାଁ ଦେଉଛ ଅବସ୍ଥା ।
କରି ମୁଁ ବିନତି ପାଦତଳେ ନିତି ଜଣାଣ କରୁଛି ଯାହା,
ବହି ଭକ୍ତବାନା ନ ଯାଉଛି ଶୁଣା ଧନ୍ୟ ତୋ ପାଷାଣ ହିୟା ।
ନିଶି ମହାଘୋର ହେଉଛି ଅନ୍ଧାର ଭୋଜନକୁ ବିଜେ କର,
ଦୀପ ଲିଭିଗଲେ ଅନ୍ଧକାର ହେବ ଶୂନ୍ୟ ହୋଇବ ମନ୍ଦିର ।
ବଢ଼ାଇ ଭୋଜନ କରି ଆଞ୍ଚମନ ପଲଙ୍କରେ ପହୁଡ଼ସି,
ରାତ୍ରି ଉଜାଗରେ ବେନି ପାଦ ଧରି ଭଜନ କରିବି ବସି ।
ନିଷ୍କାମକୁ ଭଜି ନିରାଶ ହେଉଛି ନିରନ୍ତରେ ଆଶା କରି,
ଅରୁଣ ଅସ୍ତ ହେବାକୁ ଦଣ୍ଡେ ଅଛି ଘୋଟି ଆସୁଛି ତିମିରି ।
ତ୍ରିଗୁଣର ମାୟା ଆବୋରିଛି କାୟା ବାୟା କରି ବଳିଆରେ,
ଗୁରୁପାଦ ଧ୍ୟାୟି ଭଣେ ଭୀମଭୋଇ ଭାସୁଅଛି ଦରିଆରେ ।