14 . ଚତୁର୍ଦ୍ଦଶ ବୋଲି

ଉଇକିପାଠାଗାର‌ରୁ
Jump to navigation Jump to search
ଚତୁର୍ଦ୍ଦଶ ବୋଲି ଲେଖକ/କବି: ଭୀମ ଭୋଇ
ଚତୁର୍ଦ୍ଦଶ ବୋଲି

ଚତୁର୍ଦ୍ଦଶ ବୋଲି

 

ଯେଉଁଦିନୁ ଧନି ସ୍ଥାପନା ହୋଇଲା ନବଖଣ୍ଡ ମହୀ ଦୀପା,
ଜାଣିଲି ନିଶ୍ଚୟେ ଯୁଗ ଯିବ କ୍ଷଏ ମନକୁ ଲାଗିଲା ଶଙ୍କା ।
କି ହେବ ଜଗତ କି କରୁଛ ଧାତ ହୃଦରେ ପଡ଼ିଲା ଚିନ୍ତା;
ନିକଟରେ ଆସି ପ୍ରାପତ ହେଲାଣି ଦେଖା ନାହିଁ ଯେଉଁ କଥା ।
ଚନ୍ଦ୍ର ସୂର୍ଯ୍ୟ ଆଜି ଅଗ୍ନି ପବନାଦି ବେଦଶାସ୍ତ୍ର ନାହିଁ ଲେଶ,
ଅନନ୍ତ ଠାକୁର ଜଗତ ଈଶ୍ୱର ଧରି ଦିଗମ୍ୱର ବେଶ ।
ଆସନ ବସନ ଛାଡ଼ି ଅଣାକାର ଦଣ୍ଡେ ହେଁ ବିଶ୍ରାମ ନୋହେ,
ଆଦି ବ୍ରହ୍ମ ପିତା ଏତେକ ଅବସ୍ଥା ମୋତେ ପଚାରୁଛି କିଏ ।
ଏ ସୁଖ ସମ୍ପଦ କ୍ଷଣକରେ ଯିବ ନିମିଷିକ ଅଛି ରହି,
ତେଣୁ କରି ମୋତେ ବହୁତ ଆକୁଳ ଭୋଗକୁ ମୋ ଆଶ ନାହିଁ ।
ମାୟାରେ ତ୍ରୈଲୋକ୍ୟ ହେବ ପରା ଲୋପ୍ୟ ସରିବ ପୃଥ୍ୱୀର ହାଟ,
ବାର ଯାଇ ତେର ଚଉଦ ଅଙ୍କରୁ ପଡ଼ିଲାଣି ଦେବକୂଟ ।
ଭୁଞ୍ଜିବାର ଅନ୍ନ ଦିଶିଲା ବିବର୍ଣ୍ଣ ନେଇ ପକାଇଲେ ଧୂଳି,
ତୃଷାଭରେ ଜଳ ଆତୁରେ ପିଅନ୍ତେ ଛଡ଼ାଇ ଦେଲେଣି ଢ଼ାଳି ।
ଯେତେକ ବିଚାର କରୁଛନ୍ତି ନର ଏ ସର୍ବ ମିଥ୍ୟା ରଚନା,
ଅନ୍ୟାୟକୁ ନ୍ୟାୟ କରି ସଭାଜନ କରୁଛନ୍ତି ହାର ଜିଣା ।
ସାଧୁ ସନ୍ଥ ସଙ୍ଗ କରୁଛନ୍ତି ଭଙ୍ଗ ଉପହାସେ ପାରି ବୋବି,
କଳିଯୁଗେ ସାତବରଷ ପୁତ୍ରଙ୍କୁ ହାରିବେ ପଣ୍ଡିତ କବି ।
ସତ୍ୟକୁ ଛାଡ଼ିଲେ ଅମଡ଼ା ମାଡ଼ିଲେ ଲାଗିଅଛି ନଟକୂଟ,
ମିଛ ପସରାକୁ ଆବୋରି ଅଛନ୍ତି ବସାଇ ବଜାର ହାଟ ।
ନ ଜାଣନ୍ତି ଭେଦ ନ ଜାଣନ୍ତି ସ୍ୱାଦ ଅମୃତରେ ନାହିଁ ମନ,
ସାଧୁ ମଧୁରସ ଛାଡ଼ି ସୁଜ୍ଞଜନେ ବିଷ କରୁଛନ୍ତି ପାନ ।
ଅଧିକ କଥାରେ ବିଷୟା ବୃଥାରେ କିସ ପ୍ରୟୋଜନ ଅଛି,
କି କର୍ମ କରୁଛି କି ଦ୍ରୋହ ଅର୍ଜୁଛି ଗୋଚର ମନେ ନୋହୁଛି ।
ସମର୍ପିଲା ସତ୍ୟ ପାଇଲା ସମସ୍ତ ବାଞ୍ଛିତ ପସରା ବୋଝ,
ଦେବ କି ନ ଦେବ ହେବ କି ନ ହେବ ଶ୍ରୀଛାମୁକୁ ହେବ ଲାଜ ।
ପୂର୍ବର ସୁକୃତ ଲଲାଟ ଲିଖିତ କର୍ମେ ଯେବେ ଥିବ ଖଞ୍ଜି,
ମୁଁ କିସ ଜାଣଇ ପ୍ରଭୁ ସିନା ଜାଣ ତୁମ୍ଭର ମହତ୍ତ୍ୱ ମର୍ଜୀ ।
ତାରଣ ମାରଣ ଯୁଗକୁ ଧାରଣ କାରଣକୁ ସର୍ବଶୁଭ,
ଏକା ସ୍ୱାମୀ ବିନୁ ଚିତ୍ତରେ ମୋହର ନ ଜାଣଇ ଅନ୍ୟ ଦେବ ।
ଏକା ସ୍ୱାମୀ ବିନୁ ଅନ୍ୟ ପ୍ରଭୁ ଆଉ କରି ନୋହେ କାହା କୃତେ,
ଯାହା ବିଚାରିଛି ଲଭିବା ପର୍ଯ୍ୟନ୍ତେ ମନରେ ନାହିଁ ପରତେ ।
ରୂପରୁ ଅରୂପ ଅରୂପରୁ ରୂପ ସର୍ବଘଟେ ବିଜେ ହରି,
ଭଗତ ଆରତ ବାନା ବହିଅଛ ଅରକ୍ଷକୁ ହିତକାରୀ ।
ପ୍ରକୃତି ଜଞ୍ଜାଳ ସକଳ ସମ୍ଭାଳ ପ୍ରାଣର ବଲ୍ଲଭ ମଣି,
ଫଳ ଶ୍ରୁତି ଗତି ମୁକ୍ତି ପରାପତ ଯଥାବିଧି ମତ ଜାଣି ।
ଭାଙ୍ଗିଗଲେ ଫନ୍ଦା ପାଇବଟି ନିନ୍ଦା ହୋଇବଟି ଅପ୍ରମଏ,
ବିଚାରି ବିବେକ କରି ମହାପ୍ରଭୁ ଯାହା ବୁଝିକର ନ୍ୟାଏ ।
ନିଷ୍କାମ ଧର୍ମରେ ନିର୍ବେଦ କର୍ମରେ ଜଗାଇ ଭଜନ ଧୂନି,
ଗୁରୁପାଦାର୍ବିନ୍ଦେ ଭାଷା ପରବନ୍ଧେ ଭୀମ ଅରକ୍ଷିତ ଭଣି ।