15 . ପଞ୍ଚଦଶ ବୋଲି

ଉଇକିପାଠାଗାର‌ରୁ
ପଞ୍ଚଦଶ ବୋଲି ଲେଖକ/କବି: ଭୀମ ଭୋଇ
ପଞ୍ଚଦଶ ବୋଲି

ପଞ୍ଚଦଶ ବୋଲି

 

ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ ଚାହିଁ ଦେଲେ ଅନୁସରି,
ସକଳ ଘଟରେ ପୂରି ସମାନରେ ନୋହେ ସାନ ବଡ଼ କରି ।
ଭାବକୁ ନିକଟ ଅଭାବେ ଅଭେଟ ଭକ୍ତଭାବେ ପରା ବଶ,
ଏ ମୋର ଗୁହାରି ନ ଶୁଣ କି କରି ଧରିଅଛ କେଉଁ ରୋଷ ।
ବଚନକୁ ଏଡ଼ି ଭଗତିକି ଛାଡ଼ି ଅନ୍ୟରେ କି ବଢ଼ିଗଲି,
ପ୍ରଭୁ ଶ୍ରୀଛାମୁରେ ସେବିବା ପୟରେ କି କି ଅପରାଧ କଲି ।
ନ ଶୁଣିଲା ପରି ହେଉଅଛ ହରି ଦେଉଅଛ ଦଣ୍ଡ ସଜା,
ପାଖରୁ ଅନ୍ତର କରି ନିରନ୍ତର ଦୟାରେ ହେଉଛ ଦୁଜା ।
ନୋହୁଛି କରୁଣା ଅଲେଖ ଅବନା ଯୁଗ ରହିଲାଣି ବାକି,
ବନବାସ ଘୋରେ ଝାଡ଼ର ଭିତରେ କେତେକାଳ ଥିବ ରଖି ।
ଚିରକାଳ ରଙ୍କ ଆଶା ମୋ ଅନେକ ଜନ୍ମ ଜନ୍ମାନ୍ତରୁ ଦୁଃଖୀ,
ପ୍ରାପତ ନିଧିକି ସକଳ ସିଦ୍ଧିକି ଅପ୍ରସ୍ତୁତ ଯୁଗ ଦେଖି ।
ଖାଇବାକୁ ଅନ୍ନ ପିନ୍ଧିବାକୁ ବସ୍ତ୍ର ସୁସ୍ଥେ ନ ମିଳୁଛି କିଛି,
ଅଧମ ଜୀବକୁ ହୀନ ପାମରକୁ କେତେଦିନ ଦୟା ଅଛି ।
ଗମିବି କି ଯୋଗେ ଭଜିବି କି ମାର୍ଗେ ସଦବୁଦ୍ଧି ଜ୍ଞାନ ନାହିଁ,
ନୋହେ ସାଧୁ ସନ୍ଥ ନୁହଇ ପଣ୍ଡିତ ପ୍ରକୃତ ଅତିଥି ମୁହିଁ ।
ଆପେ ମଣ୍ଡିପାର ଆପେ ଖଣ୍ଡିପାର ବାଞ୍ଛାଫଳେ ଉଦେ ରିପୁ,
ବିଚାରୁଛି ଚିତ୍ତେ ହୃଦୟର ଗତେ ପ୍ରଭୁ ମୋର ବଳ ବପୁ ।
ମହାପ୍ରଭୁ ହୋଇ କର୍ତ୍ତାପଦ ବହି ସକଳ ହେଉଛି ବୃଥା,
ପିଣ୍ଡ ଦେଇ ପ୍ରଭୁ ମଣ୍ଡ ନ ଦେଉଛ ଏ ପୁଣି କେବଣ କଥା ।
ଭଗତ ଜୀବନ ଦରିଦ୍ରଙ୍କ ଧନ ଅନାଦିତ କୃପାସିନ୍ଧୁ,
ଆପେ ସାହା ବାହା କରିବାକୁ ଆହା ପ୍ରଭୁ ମୋର ବର୍ଗବନ୍ଧୁ ।
ଯେହ୍ନେ ଜଳଧାର ସେହି ପରକାର ଯନ୍ତ୍ରରେ ସୂତ୍ରକୁ ଧରି,
ଚିଆଇଁ ଚୈତନ୍ୟ ଜୀବ ପରମକୁ ଭେଟାଭେଟି କର ହରି ।
ସତ୍ୟ ତ୍ରେତୟା ଦ୍ୱାପର କଳି ଆଦି ଚାରିଯୁଗକୁ ଯେ ଧରି,
ଭାରା ହରୁ ପୃଥୀ ଆଦି କର୍ମ ରୀତି କ୍ଷୀର ନୀର ପ୍ରୀତି ପରି ।
କଳ୍ପନା ବିଚାରି କାମନା ଉଙ୍କାରି କରିଅଛ ଉଦଯୋଗ,
ମୁଁ କିସ ଜାଣଇ ପ୍ରଭୁ ସିନା ଜାଣ ହେବ କି ନ ହେବ ଭୋଗ ।
ନ ପାଚନ୍ତେ ଫଳ ଉପୁଜୁଛି ଖଳ ଶତେବାର ବସି ହାଟ,
ଯେହ୍ନେ ଜଳେ ମୀନ ଧୀବରରେ ପୁଣ ବିନାଦୋଷେ ହୋଏ ନଷ୍ଟ ।
ଚିନ୍ତା ଅର୍ଥ ନେଇ ପାଦତଳେ ଥୋଇ କରିଛି ବହୁତ ଆଶ,
ପିତା ଥାଉଁ ପୁତ୍ର ସଭା ମଣ୍ଡିଥିଲେ ଜଗତେ ବୋଲିବେ କିସ?
ନୋହୁ ସିଂହାସନ ଯୋଗୀବେଶେ ଦିନ ଯାଉ ପଛେ ଏହି ମତେ,
ମୋହର ନିମନ୍ତେ ଶ୍ରୀଛାମୁକୁ ନିନ୍ଦା କାହିଁପାଇଁ ଅନିମିତ୍ତେ ।
ସଂସାର ଆଚାରେ ମନର ବିଚାରେ ମାୟାକୁ ଆବୋରି ଦେଖି,
କିମ୍ପା ହନ୍ତସନ୍ତ ହେବି ଶ୍ରମପଥ କର୍ମେ ଯେବେ ନାହିଁ ଲେଖି ।
ଲାଭ ହାନି ବେନି ପ୍ରକାରେ ଲିହିଛି ସବୁକାଳେ ନୁହେ ଚିର,
ଯେସନେ ବାଳକେ ଶିଷ୍ୟଙ୍କ ମେଳକେ ନିମିଷକ ଖେଳଘର ।
ପ୍ରେମେ ପୁଲକିତ ଅଶ୍ରୁଜଳଯୁକ୍ତ କ୍ରୋଧଭରେ ଗଦଗଦ,
କପାଳରେ ହସ୍ତ ଦେଇ ଭୀମ ଭକ୍ତ କହେ ତିନିଶତ ପଦ ।