17 . ସପ୍ତଦଶ ବୋଲି

ଉଇକିପାଠାଗାର ରୁ
Jump to navigation Jump to search
ସପ୍ତଦଶ ବୋଲି ଲେଖକ/କବି: ଭୀମ ଭୋଇ
ସପ୍ତଦଶ ବୋଲି

ସପ୍ତଦଶ ବୋଲି

 

ଦୁର୍ଯ୍ୟୋଧନ ରାଜା ପଞ୍ଚୁପାଣ୍ଡବଙ୍କୁ ଜଉଘରେ ଦେଲା ଭରି,
ଲୁଚାଇଲ କାୟା ଦେଖାଇଲ ମାୟା ଗୁପତରେ କଲ ପାରି ।
ସତ୍ୟ ଧର୍ମମାର୍ଗେ କରୁଣା ସମ୍ଭବେ ବିପଦକୁ କର କ୍ଷୟ,
ଫିଟାଅ କଳଙ୍କ ଭୁଞ୍ଜାଅ ସାତୁକ୍ୟ ଜଗତରେ ଠାବ ଦିଅ ।
କେଉଁ ଆଜ୍ଞା ହେବ ଚିରକାଳ ଥିବ ମନେ ଯାହା ଅଛି ଭାବି,
ଜଗତ ସଂସାର କେହି ନ ଜାଣିବେ ମୁହିଁ ଏକା ଜାଣୁଥିବି ।
ପାଞ୍ଚାଳ ଦେଶରେ ଗୁପତ ଭାବରେ ଲାଖବିନ୍ଧା ଅରଜୁନ,
ପଞ୍ଚୁପାଣ୍ଡବଙ୍କୁ ଦୌପଦୀଙ୍କି ଦେଇ କଲ ଯୁଦ୍ଧ ଆଭରଣ ।
ଗୁରୁଦେବ ସ୍ୱାମୀ ସର୍ବ ଅନ୍ତର୍ଯ୍ୟାମୀ ଅଧିକ କହିବି କେତେ,
ପ୍ରଭୁ ଶ୍ରୀଛାମୁରେ ମନର ଭିତରେ ମାଗୁଣି ମୋହର ଏତେ ।
ସେବା ଭକ୍ତି ନିଅ ହସ୍ତ ତୋଳି ଦିଅ କର୍ମସିଦ୍ଧି ବିଧାନକ,
ଦୟାରେ ବର୍ଦ୍ଧିତ କରି ଅବଧୂତ ସନମାନ କରି ରଖ ।
ତ୍ରେତୟା ଯୁଗରେ ରାମ ଅବତାରେ ଅଭିଷେକ ହେବା ବେଳେ,
ମିଳି ସର୍ବ ଋଷି ଚାହିଁ ରୂପରାଶି ପଞ୍ଚୁମନେ ବିଚାରିଲେ ।
ତାଙ୍କ କଳ୍ପନା ମନେ ଘେନି ଆପଣ ଆହେ ଅଣରୂପ ଶୂନ୍ୟ,
ବ୍ରଜନାରୀ କରି ଗୁପତେ ଲଭିଲ ମନବାଞ୍ଛା କଲ ପୂର୍ଣ୍ଣ ।
ମୁହିଁ ସିନା ଅନ୍ତର୍ଗତରେ ଭାବନା କରୁଅଛି ନିରନ୍ତରେ,
ଚାହିଁ ଦେଲେ ହରି ଯିବି ମୁଁ ନିସ୍ତରି କରୁଣାଜଳ ସାଗରେ ।
କଂସ ଆଜ୍ଞା ଘେନି ପ୍ରଭୁ ବେନୁପାଣି ପଦ୍ମ ପୁଷ୍ପ ଯା'ନ୍ତେ ତୋଳି,
ଫୁଲ ଶଯ୍ୟାପରେ ଶୟନ ସ୍ଥାନରେ ପୟରେ ଦଂଶିଲା କାଳି ।
ଗରୁଡ଼କୁ ରାଇ ଲୋଡ଼ି ଆଣ ଯାଇ ମନେ ମନେ ବହୁ ରୋଷ,
ଶରଣ ବୋଲନ୍ତେ କାରଣ ପାଇଲା କ୍ଷମା କଲ ତାର ଦୋଷ ।
ତେଡ଼େ ଅପରାଧେ ତାକୁ କ୍ଷମା କଲ ଜ୍ୟୋତିର୍ମୟ ବହ୍ମବେତ୍ତା,
ଏକାନ୍ତ ପୟରେ ପଶୁଛି ଶରଣ ବୁଝ ମୋ ବିନତି କଥା ।
ମାୟାର ପ୍ରମୋଦେ ମୃଗୟା ବିନୋଦେ ଅଙ୍ଗେ ଘାତ କଲା ଜାରା,
ପେଶି ବିଷ୍ଣୁଦୂତ ନେଲ ସ୍ୱର୍ଗପଥ ଖଣ୍ଡି ଅପରାଧ ଭାରା ।
ମଞ୍ଚେ ଦେହଧରି ଯୋଗ ଲୟେ କରି ଆହେ ନୀଳଗିରିବାସୀ,
ନାମ ବିକି ଶାହାସ୍ର କିଣି ବଖାଣି ଜନ୍ମଜନ୍ମାନ୍ତରେ ଦୋଷୀ ।
ମୁଁ ଯେ ନିରନ୍ତରେ ପଡ଼ି ଦୁଃଖଘୋରେ ଶୂନ୍ୟବାନା ଛାୟା ତଳେ,
ତରିବାକୁ ଆଶା କରିଛି ଭରସା ଆଶୀର୍ବାଦ ନାବ ଜଳେ ।
ଲେଖି ଚିତ୍ରଘଟ କରି ନଟକୂଟ ଯେସନେକ ରଙ୍ଗ ଢ଼ାଉ,
କାରୁଣ୍ୟ-ଜଳରୁ ତାରଣ ହେବାକୁ ବୁଦ୍ଧି ଦିଶୁନାହିଁ ଆଉ ।
ଡାଳକୁ ସିଞ୍ଚାଡ଼ି ମୂଳକୁ ଉପାଡ଼ି ବହୁଅଛି ମହାଗାଢ଼େ,
ଚକ୍ରପ୍ରାୟେ ପାଣି ପକାଇ ଖୋଳନି ଧରି ଝାଙ୍କୁଅଛ ଦୃଢ଼େ ।
ପ୍ରଭୁଭକ୍ତ ଯେତେ ଭଜୁଛନ୍ତି ନିତ୍ୟେ ରାମନାମେ ଚିତ୍ତ ଦେଇ,
ମେଳଛ ପତିତ ପାମର ଏ ଜୀବ ଉଦ୍ଧାର ହେବାର ପାଇଁ ।
ବାଳୁତ ଅଜ୍ଞାନ ଛନ ଛନ ମନ ଖେଳରସେ ଚିତ୍ତ ସ୍ମରି,
ସଂସାର ସାଗରୁ ପାରି ହେବି ବୋଲି ସାଧୁଜନ ପାଦ ଧରି ।
ଗୁରୁଦେବ ବିନୁ ମୋକ୍ଷ ନୋହେ ତନୁ ଅନ୍ୟରେ ଭରସା ନାହିଁ,
ପ୍ରଭୁପଦ ଧ୍ୟାଇ ଭଣେ ଭୀମ ଭୋଇ ହେତୁ ଘରେ ନାମ ଥୋଇ ।
[ସାତୁକ୍ୟ = ସାତ୍ତ୍ଵିକ]