18 . ଅଷ୍ଟାଦଶ ବୋଲି

ଉଇକିପାଠାଗାର ରୁ
Jump to navigation Jump to search
ଅଷ୍ଟାଦଶ ବୋଲି ଲେଖକ/କବି: ଭୀମ ଭୋଇ
ଅଷ୍ଟାଦଶ ବୋଲି

ଅଷ୍ଟାଦଶ ବୋଲି

 
କାପାପପଙ୍କେ ମନ ବୁଡ଼ି ଅନୁକ୍ଷଣ ନାହିଁ ସଦଜ୍ଞାନ ଗତି,
ନର ଦେହ ବହି କେ ପାରିବ କହି ପ୍ରଭୁଙ୍କ ମହିମା ରୀତି ।
ଅଣରୂପ ଶବ୍ଦ ନାହିଁ ବର୍ଣ୍ଣ ଭେଦ କେହୁ ମୁଖେ ବଖାଣିବ,
ନିରାମିଷ ନିଅଇଁଠା ସେହୁ ପଦ ଓଲଟଇ ନାହିଁ ଜିଭ ।
କାମନା କଳ୍ପନା ଶ୍ରୁତି-ସୁମରଣା ବର୍ଣ୍ଣିବାକୁ ଅଛି କାହିଁ,
ଜ୍ଞାନ ବେନି ଚକ୍ଷୁ ଏକା ମାତ୍ର ସାକ୍ଷୀ ଚର୍ମ ନେତ୍ର ଦିଶୁନାହିଁ ।
ନିରନ୍ତର ଶ୍ରମି କେ ପାରିବ ଗମି ନାସା ପବନେ ଭଜନା,
ଅନାଦି ଅଶେଷ ଆକାରେ ନ ମିଶି ଅବିକାର ତା ବାସନା ।
ମାୟା ମୋହେ ଦ୍ୱନ୍ଦୀ ପଡ଼ିଛନ୍ତି ବନ୍ଦୀ କେ ଅବା ତାକୁ ଜାଣୁଛି,
ଚଉଦ ଭୁବନେ ସଂସାର ସାଗରେ ମୀନ ପ୍ରାୟ ଚହଟୁଛି ।
ଅତି ଯତନରେ ମାୟା ଯୋନି-ଜାଲ ଶତେ-ପୁର ଅଛି ଛନ୍ଦି,
ଜୀବ ପରମ ଜନମ ମୂଳ ଧରି ବାମ କରେ ଅଛି ବାନ୍ଧି ।
ଶୂନ୍ୟର ପୁରୁଷ ଶୂନ୍ୟରେ ତା ବାସ ଚଉଦ ଭୁବନେ ଭେଦି,
ଘୋଟିଛି ଆବୋରି ଯେସନେକ ବାରି ନାହିଁ ଯାର ଅନ୍ତ ଆଦି ।
ରୋମ ଚର୍ମ ପ୍ରାୟେ ଆବୋରିଛି କାଏ ନାହିଁ ଯାର ରୂପ ଛାଇ,
ଦୁଃଖ ବ୍ୟାଧିମାନ ଅଙ୍ଗରେ ପୀଡ଼ନ୍ତେ କରୁଥାଇ ହାଇ ହାଇ ।
ଯେ ଯହିଁରେ ଥିଲେ କର୍ମ ଯୋଗବଳେ ଭେଟାଭେଟି ହେଲେ ଆସି,
ପିତା ମାତା ପିଣ୍ଡ ବିଚାରି ସଞ୍ଚିଲେ ଦ୍ୱିତୀ ଯୁଗଳରେ ବସି ।
ଏକା ଅଙ୍ଗ ବେନି ଅଙ୍ଗ ଏକ ଅଙ୍ଗ କରି ଏକାନ୍ତେ ମିଶାଇ,
ବରଷା ଋତୁରେ ଜଳ ସୋହତିରେ ଯେସନେକ ବଢ଼ି ନଈ ।
ମାତା ପ୍ରେମ ପସରା ହାଟ ବସାଇ ପରମକୁ କିଣି ନେଲେ,
ବଣିଜର ଗୁତା ନିତ୍ୟେ କରି ପିତା ବ୍ରହ୍ମକୁ ସହିତେ ଦେଲେ ।
ପ୍ରଭୁ ସେବାକାଳେ ପୁଣ୍ୟ ଯେତେବେଳେ ଧର୍ମକୁ ହୋଇଲା ହିତ,
କୋଟିଜନ୍ମ ତପ ବାସନାର ବଳେ ଏ ପିଣ୍ଡ ହୋଇଛି ଜାତ ।
ଚିଆଁ ଚଇତନ ପଞ୍ଚୁଆତ୍ମା ମନ ବିଅର୍ଥେ ପଡ଼ୁଛି ହୁଡ଼ି,
କାଳକ ଅନ୍ତରେ କୁମ୍ଭି ନରକରେ କୋଟି ଜନ୍ମ ଥିବି ପଡ଼ି ।
ଛାଡ଼ିଗଲେ ଜୀବ ଅକାରଣ ହେବ ଏ ପିଣ୍ଡ ପଡ଼ିବ କାହିଁ,
ସ୍ୱର୍ଗେ ଦେବଗଣ ସ୍ତୁତି କରୁଛନ୍ତି ଏ ଦୁର୍ଲ୍ଲଭ ଜନ୍ମ ପାଇଁ ।
ଛେଦିବାକୁ ଦୁଃଖ ଲଭିବାକୁ ସୁଖ ମନେ କଲି ଯେତେ ବାଞ୍ଛା,
ଅବିବେକ ବିହି ଯଶା ଅଛି ଲିହି ପ୍ରତିଦିନ ଦୋଦୋ ପଞ୍ଚା ।
ନିରନ୍ତରେ ଭଗ୍ନ କରାଉଛି ବିଘ୍ନ ଅସ୍ଥି ମାଂସ କରି ଲୋଚା,
ସମସ୍ତ ଲୋକ ପକ୍ୱଫଳ ପାଇଲେ ମୋ ଭାଗ୍ୟେ ପଡ଼ିଲା କଞ୍ଚା ।
ପ୍ରସାରନ୍ତେ ଅଣ୍ଟି ତୋଳିଦେଲେ ବାଣ୍ଟି ପାଇଲେ ସାରିଆ ପଡ଼ି,
ଥିଲା ମୋ କର୍ମରେ ପୂର୍ବ ଅଧର୍ମରେ ଖୁଦ ମଳୁଖାଦି ଗୋଡ଼ି ।
ସେ ଯେତେକ ପଡ଼ି କର୍ମକୁ ଆଦରି ଭୁଞ୍ଜନ୍ତେ ହୋଇଲା ବୃଥା,
ପାଟିରେ ନ ପଡ଼ି ହସ୍ତୁଁ ଗଲା ଝଡ଼ି କରେ ସ୍ୱାଦୁ କରେ ପିତା ।
ଜନ୍ମ ଫନ୍ଦାବୃତ୍ତି ଜଗତର ରୀତି ଆପକୁ ନୋହିଲା ହିତ,
ଲଲାଟ ପଟେ ଅପକର୍ମକୁ ଦେଖି ଏହା କଲୁ ହୋ ବିଧାତ ।
ଶୋକ ସନ୍ତାପରେ ଡୁବି ଚିନ୍ତାଜ୍ୱରେ ପୁଣି ପୁଣି ପଦ ବନ୍ଦେ,
କପୋଳରେ ହସ୍ତ ଦେଇ ଭୀମ ଭକ୍ତ ଶ୍ରୀଗୁରୁ ସୁମରି କାନ୍ଦେ ।