Jump to content

21 .ଏକବିଂଶ ବୋଲି

ଉଇକିପାଠାଗାର‌ରୁ
ଏକବିଂଶ ବୋଲି ଲେଖକ/କବି: ଭୀମ ଭୋଇ
ଏକବିଂଶ ବୋଲି

ଏକବିଂଶ ବୋଲି

 
ଆହୁରି ରହିଲା ବର୍ଣ୍ଣି ନ ସରିଲା ସଂସାର ବିଷୟ କଥା,
ଲେଖନ ପତର ଧରି ନିରନ୍ତର କେତେ ମୁଁ କରିବି ପୋଥା ।
ବାଳୁତ କାଳରୁ ଜାଣିଅଛି ସ୍ୱାମୀ ଏ ମୋ ଦୂରଦଣ୍ଡ ଦୁଃଖ,
ହୃଦପଦ୍ମେ ଚିନ୍ତା କରି ଅପ୍ରମିତା ଦଣ୍ଡେ ନାହିଁ ମୋର ସୁଖ ।
ଜନମ ଦିନରୁ ଦୁଇ ବରଷରୁ ବସିଲାକ ହେତୁ ବୁଦ୍ଧି,
ପଞ୍ଚୁମନେ ଆସି ଭେଦ ଗଲା ପଶି ଜୀବନ ହେଉଛି ଶୋଧି ।
ଏକା ହୋଇ ମୁହିଁ ବସିଥିଲେ ଯହିଁ ମନେ ପଡ଼ିଗଲେ କଥା,
ପଞ୍ଚଭୂତ ଆତ୍ମା ଦଗଧି ହୁଅଇ ବୁଡ଼ି ଯାଉଅଛି ଚେତା ।
ବିଚାରୁଥାଇ ହୃଦୟରେ ମନକୁ ଦୁଲଭ ଜନମ ଦେହୀ,
କୋମଳ ଶରୀର ପିଣ୍ଡ ଗୋଟା ମୋର ଜୀବ ପରା ପୁଣ ବହି ।
ମେଦ ମେଦା ପୃଥ୍ୱୀ ଦେହ ବହିଛନ୍ତି ତରୁ ଅଛନ୍ତି କି କରି,
ଚାହିଁ ଆକାଶକୁ ଭାଳଇ ମନକୁ ଦେହ ଯାଉଥାଇ ମରି ।
ଚାରି ବରଷ ସମ୍ପୂର୍ଣ୍ଣ ସମୟରେ ଦେଖାଥିଲା ଜ୍ୟେଷ୍ଠମାସେ,
ନିର୍ବେଦ କର୍ମେ ଯୋଗୀ ପୁତ୍ର ଗୋଟିଏ ଭ୍ରମୁଥିଲେ ଗ୍ରାମ ଦେଶେ ।
କଷା କଉପୀନ ଚଢ଼ାଇ ସେ ପୁଣି ଦିଶୁଥାନ୍ତି ଅପ୍ରଚ୍ଛନ୍ନ,
ବେନି ଭୁଜରେ ପ୍ରତ୍ୟକ୍ଷେ ଦେଖିଅଛି ଥିଲା ଶଙ୍ଖ ଚକ୍ର ଚିହ୍ନ ।
ଦୁଇ ପନ୍ଥା ଦାଣ୍ଡେ ବିଜେ କରି ସ୍ୱାମୀ ହସ୍ତରେ ଖପରା ଧରି,
‘ଦିଅ ମାତା’ ‘ଦିଅ ମାତା’ ବୋଲୁଥିଲେ ଅନ୍ନ ଭିକ୍ଷା ଗୋଟା ଚାରି ।
ତେତେବେଳେ ମୁହିଁ ପାଶେ ଠିଆ ହୋଇ ଅଳପ ମୁଁ ଅଛି ଜାଣି,
ଥାଳ ଘେନି ସ୍ୱାମୀ ଆପେ ମାଗୁଥିଲେ ଦିଅ ବାବୁ ମୋତେ ପାଣି ।
ସାତ ପାଞ୍ଚ ହୋଇ ମୁଖ ଚୁହାଁଚୁହିଁ ଯହୁଁ ଅମାନିଆ ହେଲେ,
‘ଧର୍ମ’ ‘ଧର୍ମ’ ବୋଲି ତେଣୁ କରି ସ୍ୱାମୀ ସେଠାବରୁ ଚଳିଗଲେ ।
ସେ ସମୟ କଥା ହୃଦେ କରି ଚିନ୍ତା ଜୀବନ ଯାଉଛି ପୋଡ଼ି,
ପଞ୍ଚଭୂତ ଆତ୍ମା ନିତ୍ୟେ କାନ୍ଦୁଅଛି ଚିଆଁ ଚଇତନ ବୁଡ଼ି ।
ସେ କଥାମାନ ଏବେ ମନେ ପଡ଼ିଲେ ହୃଦୟ ହେଉଛି ଯାହା,
ଦେହେ ପୁଲକିତ ହୋଇ ଉତ୍କଣ୍ଠିତ ଚମକି ଉଠୁଛି ହିଆ ।
ଏହି ପିଣ୍ଡ ପ୍ରାଣ ବହି ସହି ଥାଇ ଦୁଃଖ ସୁଖ ଯଥା ଅର୍ଥ,
ତହିଁ ଉତ୍ତାରୁ ଦିବସ ବହିଗଲା ହୋଇଲା ବରଷ ସାତ ।
କ୍ଷୁଧା ତୃଷା କଲେ ଭାଳଇ ବିକଳେ ଦଗଧି ହୁଅଇ କାଏ,
ଅତିଦୁଃଖେ ମୁହିଁ ଦିନ ବଞ୍ଚୁଅଛି କସ୍ତୁରୀ ଜୀବନ ପ୍ରାଏ ।
ଗର୍ଭଧାରୀ ପିତା ଛାଡ଼ିଗଲେ ମୋତେ ଜନ୍ମରୁ ନିସାଖା ହୋଇ,
ସୁସ୍ଥେ ଭୋଜନ ସୁଖଭୋଗ ବାଞ୍ଛିଲେ କାହିଁରୁ ପାଇବି ମୁହିଁ ।
ସପ୍ତ ବରଷରୁ ଅଷ୍ଟମ ନବମ ଦଶମ ଏଗାର ହେଲା,
ବାର ବରଷରୁ ବାଛାଙ୍କ ସଙ୍ଗତେ ବନେ ବୁଲି ଦିନ ଗଲା ।
ଆଗ ପଛ କଥା ହୃଦୟରେ ଚିନ୍ତା ପଡ଼ି ପୁଣ ପୁଣି ଆସି,
ଶୋକ ସନ୍ତାପରେ ରୋଦନ କରଇ ବୃକ୍ଷ ଛାୟାମୂଳେ ବସି ।
ଏ ଚରିତ୍ରମାନ ଶୁଣ ସାଧୁଜନ ବୋଲୁଥିବ ଅବା ବୃଥା,
ମିଥ୍ୟା କହୁଥିଲେ ଶ୍ରୀଗୁରୁ ଦଣ୍ଡିବେ ନିତ୍ୟ ସତ୍ୟବ୍ରତ କଥା ।
ବଛା ଗଲେ ଚରି ପଛେ ଅନୁସରି ବୁଲୁଥାଇ ସଙ୍ଗେ ସଙ୍ଗେ,
କହେ ଭୀମ ଭୋଇ ପୂର୍ବକାଳ କଥା କଚାଡ଼ି ହେଉଛ ଅଙ୍ଗେ ।